ପ୍ରଦ୍ୟୁମ୍ନ ବଳ ଓ ପ୍ରଗତିବାଦୀ -ଯେପରି ମନେ ପଡନ୍ତି

‘ପ୍ରଗତିବାଦୀ’ ଆରମ୍ଭ ହୋଇଥିଲା ପ୍ରାୟ ୫୦ବର୍ଷ ତଳେ, ଏକ ସାପ୍ତାହିକ ସମ୍ବାଦପତ୍ର ଭାବେ, କଟକର ଝାଞ୍ଜିରିମଙ୍ଗଳାରୁ । ତାପରେ ସେ ଦୈନିକ ହେଲା, ଭୁବନେଶ୍ୱରର ବାପୁଜୀ ନଗରଠାରେ ଏକ ପ୍ରେସରେ ଛପାହେବା ଏ ଲେଖକ ଦେଖିଛି । ସେତେବେଳେ ଏହାର ସମ୍ପାଦକ ପ୍ରଦ୍ୟୁମ୍ନବାବୁ ରହିଲେଣି ଭୁବନେଶ୍ୱରର ବିବେକାନନ୍ଦ ମାର୍ଗରେ । ତାପରେ ନିଜର ପ୍ରେସ ହେଲା ମଂଚେଶ୍ୱର ଶିଳ୍ପାଂଚଳରେ । ପ୍ରଦ୍ୟୁମ୍ନବାବୁ ଆସି ରହିଲେଣି ନୟାପଲ୍ଲୀ ଭି ଆଇ ପି ଏରିଆରେ । ମୁଁ ଏ ସବୁ ଅବସ୍ଥା ଦେଖିଛି । ମୋର ଯେତେଦୂର ମନେ ପଡୁଛି ପ୍ରଥମ ସଂଖ୍ୟାରେ ଗୋଟିଏ ସଂକ୍ଷିପ୍ତ ବିଜ୍ଞାନ ସମ୍ବନ୍ଧୀୟ ଲେଖାଟିଏ ଲେଖିଥିଲି । ଜରୁରୀକାଳୀନ ପରିସ୍ଥିତି ପ୍ରତ୍ୟାହୃତ ହେବା ପରେ ସେ ଜନତା ପାର୍ଟିର ସାଂସଦ ହୋଇଥିଲେ । ସେତେବେଳେ ମୁଁ ରେଭେନ୍ସା ସାନ୍ଧ୍ୟ ମହାବିଦ୍ୟାଳୟରେ ନୂଆ ନୂଆ ଅଧ୍ୟାପକ ହୋଇଥାଏ, ସରକାରୀ କଲେଜ ଶିକ୍ଷକ ସଂଘ ତରଫରୁ ଦାବି ହେଉଥାଏ ସରକାରୀ କଲେଜ ଶିକ୍ଷକଙ୍କୁ ୟୁ ଜି ସି ଦରମା ଦେବା ପାଇଁ ଓ ସଂଘର କର୍ମକର୍ତ୍ତାମାନେ ଏହା ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ବିଭିନ୍ନ ଜନପ୍ରତିନିଧିମାନଙ୍କୁ ଭେଟୁ ଥାନ୍ତି । ସେହି ସମୟରେ ମୋର ମନେ ପଡୁଛି, ସରକାରୀ କଲେଜ ଶିକ୍ଷକ ସଂଘର ସମ୍ପାଦକଙ୍କୁ ନେଇ ପ୍ରଦ୍ୟୁମ୍ନବାବୁଙ୍କ ସହ ଭେଟ କରାଇଥିଲି ।
ଶିକ୍ଷାବ୍ୟବସ୍ଥାକୁ ନେଇ ପ୍ରଦୁମ୍ନ ବାବୁଙ୍କ ଆଗ୍ରହ ବେଶ୍ ସ୍ପଷ୍ଟ ଥିଲା । ଶିକ୍ଷକର ମର୍ଯ୍ୟାଦା, ଶିକ୍ଷାୟତନର ପରିବେଶରେ ସ୍ୱାଚ୍ଛନ୍ଦତା, ଗୁଣାତ୍ମକ ଶିକ୍ଷା ସହ ଶିକ୍ଷାରେ ସାମାଜିକ ପ୍ରତିବଦ୍ଧତା ଉପରେ ତାଙ୍କର ଗୁରୁତ୍ୱ ଥିଲା । ୧୯୮୮ ମସିହାରେ ମୁଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପକ ଭାବେ ଯୋଗ ଦେବା ପରେ, ଅନେକ ପ୍ରବନ୍ଧ ବିଶ୍ୱବିଦ୍ୟାଳୟ ଶିକ୍ଷା ସମ୍ପର୍କରେ ଲେଖିଛି ଯାହାକୁ ପ୍ରଗତିବାଦୀ ପୃଷ୍ଠାରେ ଦ୍ୱିଧାହୀନ ଭାବେ ସ୍ଥାନ ଦେଇଥିଲେ ପ୍ରଦ୍ୟୁମ୍ନ ବାବୁ । କିନ୍ତୁ କେତେ ଗଭୀର ଭାବରେ ସେ ବିଶ୍ୱବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ସ୍ୱାୟତ୍ତତାର ଅପରିହାର୍ଯ୍ୟତାକୁ ଅନୁଭବ କରୁଥିଲେ, ତାହା ଜଣାପଡେ ଯେତେବେଳେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ୧୯୮୮ ଜାରି ହେଲା (୧୪ ନଭେମ୍ବର ୧୯୮୮), ଏହି ଅଧ୍ୟାଦେଶ ୧୯୮୮ ବିରୋଧରେ ବିଶ୍ୱବିଦ୍ୟାଳୟ ସ୍ୱାୟତ୍ତତାରେ ବିଶ୍ୱାସ କରୁଥିବା ଶିକ୍ଷାପ୍ରେମୀ ଜନ ସମୁଦାୟ, ବିଶ୍ୱବିଦ୍ୟାଳୟ ଛାତ୍ର, ଶିକ୍ଷକ ଓ କର୍ମଚାରୀଙ୍କ ସ୍ୱର ଉଠିଲା ଓ ଏହି ସ୍ୱରକୁ ଅଧିକ ପ୍ରଭାବଶାଳୀ ଓ ଶାଣିତ କରିବା ପାଇଁ ପ୍ରଦୁ୍ୟମ୍ନ ବାବୁ ଏହି ଆନ୍ଦୋଳନରେ ଲମ୍ଫ ଦେଲେ । ସେ ଚାହିଁଲେ ଏହି ଅଧ୍ୟାଦେଶର ବିଶ୍ଳେଷଣ ଗଭୀର ହେଉ ଓ ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଏକ ମଂଚକୁ ଆସି ଏହାର ଅନୁଶୀଳନ କରନ୍ତୁ । ପରିଣତିରେ ଗଠନ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ ବାଣିଜ୍ୟ ବିଭାଗର ଅବସରପ୍ରାପ୍ତ ଓ ପ୍ରଗତିବାଦୀର ପ୍ରତିଷ୍ଠିତ ସ୍ତମ୍ଭକାର ପ୍ରଫେସର ସୂର୍ଯକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ Seminar Committee For University Autonomy ଓ ଏହାର ସମ୍ପାଦକ ରହିଲେ ମାନବଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ । ପ୍ରଦ୍ୟୁମ୍ନବାବୁ କମିଟିରେ ସଭ୍ୟ ହୋଇ ରହିଲେ; ଅନ୍ୟ ସଭ୍ୟମାନେ ଥିଲେ ଶିକ୍ଷାବିତ୍ ଶ୍ରୀ ଇନ୍ଦୁଭୂଷଣ ମିଶ୍ର, ପ୍ରାବନ୍ଧିକ ଶ୍ରୀ ଚିତ୍ତରଂଜନ ଦାସ, ଓଡିଶା ପି ୟୁ ସି ଏଲ ସମ୍ପାଦକ ଆଡଭୋକେଟ ଶ୍ରୀ ଗୁରୁ ମହାନ୍ତି ଓ ସାମ୍ବାଦିକ ଶ୍ରୀ ସୁବ୍ରତ ଦାସ । ପ୍ରଦ୍ୟୁମ୍ନବାବୁ ଏହି ଅଧ୍ୟାଦେଶର ବିରୋଧକୁ ଏକ ଜାତୀୟ ସମ୍ବାଦ କରାଇଦେଲେ । ଅରୁଣ ସୌରୀଙ୍କ ସମ୍ପାଦନାରେ Indian Expressରେ ଏକ ସମ୍ପାଦକୀୟ ପ୍ରକାଶ ପାଇଲା । ତାରିଖ ଥିଲା ୫ ଜାନୁଆରୀ ୧୯୮୯, ଗୁରୁବାର ଓ ଶିରୋନାମା ଥିଲା Speak Up । ସେଥିରେ କୁହାଯାଇଥିଲା, “କଲମର ଗୋଟିଏ ଗାରରେ ରାଜ୍ୟ ଓଡ଼ିଶାର ମୁଖ୍ୟ ବିଶ୍ୱବିଦ୍ୟାଳୟ ଗୁଡିକୁ ସରକାରଙ୍କ ବିଭାଗରେ ପରିଣତ କରି ଦେଇଛି ।” ( “With one stroke of pen the State has reduced Orissa’s major universities to mere departments of the government.”) ଓ ଅନ୍ୟ ଭାରତୀୟ ବିଶ୍ୱବିଦ୍ୟାଳୟ ଗୁଡିକ ପ୍ରତି ଥିଲା ଆହ୍ୱାନ, “କିନ୍ତୁ ଦେଶର ଅନ୍ୟ ଶିକ୍ଷାବିଦ୍ମାନଙ୍କର କଥା କଣ, ବିଶ୍ୱବିଦ୍ୟାଳୟ ସଂଘମାନଙ୍କର, ଅଧ୍ୟାପକ ମାନଙ୍କର ଓ କୁଳପତିମାନଙ୍କର କଥା କଣ ? ସେମାନେ କଣ ଯାହା ହୋଇଛି ତାହା ବିରୋଧରେ ସ୍ୱର ଉତ୍ତୋଳନ କରିଲା ଭଳି କିଛି ଦେଖୁନାହାନ୍ତି?” (“But what about other academics in the country, what about the associations of universities and professors and Vice-Chancellors? Do they find nothing to protest in these development?” ) ଏହି ସମ୍ପାଦକୀୟ ପ୍ରକାଶ ପାଇବା ପରେ Indian Expressର ଭୁବନେଶ୍ୱର ପ୍ରତିନିଧି ନାଗେଶ ରାଓ ଆସି ମୋ ପାଖରେ ପହଂଚିଲେ । କହିଲେ, “ଆଜ୍ଞା ବିଚିତ୍ର କଥା ହେଲା, ପ୍ରଥମେ ସମ୍ବାଦ ହୁଏ, ତାପରେ ସମ୍ପାଦକୀୟ ଲେଖା ଯାଏ । କିନ୍ତୁ ଏଠି ସମ୍ପାଦକୀୟ ଲେଖା ହେବାପରେ ମୋତେ ସମ୍ବାଦ ପଠାଇବାକୁ ହେଉଛି । ଆପଣ ମୋତେ କାଗଜପତ୍ର ଦିଅନ୍ତୁ ।” ଏପରି ଅସମ୍ଭବ ସମ୍ଭବ ହୋଇଥିଲା ପ୍ରଦ୍ୟୁମ୍ନବାବୁଙ୍କ ଯୋଗୁଁ । କାରଣ ଏହି ପ୍ରସଙ୍ଗ ଉପରେ ଯେଉଁ ସବୁ ଦସ୍ତାବିଜ ପ୍ରସ୍ତୁତ ହୋଇଥିଲା, ତାହାକୁ ପ୍ରଦ୍ୟୁମ୍ନବାବୁ ସିଧାସଳଖ ସମ୍ପାଦକ ଅରୁଣ ସୌରୀଙ୍କ ନିକଟକୁ ଏକ ବ୍ୟକ୍ତିଗତ ପତ୍ର ଲେଖି ପଠାଇଥିଲେ । ନିଜର କ୍ଷେତ୍ର ସାମ୍ବାଦିକଙ୍କ ରିପୋର୍ଟକୁ ଅପେକ୍ଷା କରିବାର ଆବଶ୍ୟକତା ଅନୁଭବ କରି ନଥିଲେ ଅରୁଣ ସୌରୀ; କାରଣ ପ୍ରଦ୍ୟୁମ୍ନବାବୁ ଯେ ପଠାଇଛନ୍ତି । ସାମ୍ବାଦିକ ମହଲରେ ଏହା ଥିଲା ପ୍ରଦ୍ୟୁମ୍ନ ବାବୁଙ୍କ ବିଶ୍ୱସନୀୟତା । ଏହା ପୂର୍ବରୁ ସେ Indian Expressର ଭୁବନେଶ୍ୱର ପ୍ରତିନିଧି ଅରୁଣ ସିହ୍ନାଙ୍କ ସପକ୍ଷରେ ଠିଆହେବାର ନିର୍ଭୀକତା ଯେ ଦେଖାଇ ସାରିଥିଲେ । ଅରୁଣ ସିହ୍ନା ସେତେବେଳେ ତାଙ୍କର ନିରପେକ୍ଷ ପତ୍ରକାରିତା ଯୋଗୁଁ ଓଡିଶାର ସାମ୍ବାଦିକ ମହଲରେ ଖୁବ ଅପ୍ରିୟ ହୋଇ ପଡିଥିଲେ ଓ ନିଜକୁ ଅସୁରକ୍ଷିତ ମନେ କରୁଥିଲେ । ପ୍ରଦ୍ୟୁମ୍ନବାବୁଙ୍କ ନେତୃତ୍ୱରେ ପ୍ରଗତିବାଦୀ ଏକ ନିର୍ଭୀକ ସାମ୍ବାଦିକତାର ପର୍ଯ୍ୟାୟବାଚୀ ହୋଇଥିଲା । ସାଧାରଣ ଲୋକର ଜୀବନ ଜୀବିକାର କଥା ପ୍ରଗତିବାଦୀ ପୃଷ୍ଠାରେ ନିଶ୍ଚୟ ପ୍ରକାଶ ପାଇବ -ଏପରି ଏକ ପ୍ରତିଶୃତି ଥିଲା ସେମାନଙ୍କୁ ଯେଉଁମାନେ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ସଂଗ୍ରାମରତ ଥିଲେ । ସାଧାରଣ ଲୋକର ଜୀବନ ଜୀବିକାକୁ ବିପନ୍ନ କରୁଥିବା ଶକ୍ତିମାନଙ୍କୁ ବିରୋଧ କରି ପ୍ରଗତିବାଦୀ ଯେ ଚତୁର୍ଥ ସ୍ତମ୍ଭର ସଠିକ ବ୍ୟବହାର କରେ, ଏପରି ବିଶ୍ୱାସ ଜନଆନ୍ଦୋଳନର ନେତାମାନଙ୍କର ଥିଲା । ବିଶ୍ୱାସ ମଧ୍ୟ ଥିଲା ଯେ ପ୍ରଦ୍ୟୁମ୍ନ ବାବୁ ସାମ୍ବାଦିକତା ଧର୍ମ ସହ କୌଣସି ସାଲିସ କରିବେ ନାହିଁ । ଶେଷ ପର୍ଯ୍ୟନ୍ତ କରି ନଥିଲେ, ବିଭିନ୍ନ ପ୍ରକାର ଚାପ ସତ୍ତ୍ୱେ । ତାଙ୍କ ସମ୍ପାଦନାରେ ପ୍ରଗତିବାଦୀର ବିଶ୍ୱସନୀୟତା ଏପରି ଥିଲା ଯେ କୌଣସି ସରକାର ପ୍ରକାଶିତ ସମ୍ବାଦକୁ ଅଣଦେଖା କରିପାରୁ ନଥିଲା । ଯଦିଓ ତାଙ୍କର ଥିଲା ବ୍ୟବସ୍ଥା ବିରୋଧୀ ଭାବମୂର୍ତ୍ତି । ମୋର ମନେ ଅଛି ଗୋଟିଏ ସମ୍ବାଦ ପ୍ରକାଶ ପାଇଲା, ଶିରୋନାମା ବୋଧେ ଥିଲା ‘ଉତ୍କଳ ବିଶ୍ୱବିଦ୍ୟାଳୟ ଭୁଷୁଡୁଛି’ । ମୁଖ୍ୟମନ୍ତ୍ରୀ ଥିଲେ ବିଜୁ ପଟ୍ଟନାୟକ, ବିରୋଧୀ ଦଳ ନେତାଥିଲେ ବସନ୍ତ ବିଶ୍ୱାଳ, କୁଳପତି ଥିଲେ ପ୍ରଫେସର ତ୍ରିଲୋଚନ ପ୍ରଧାନ । ଏହା ଆଦ୍ୟ ନବେ ଦଶକର କଥା । ବିଧାନସଭାରେ ଏହା ଉପରେ ଧ୍ୟାନ ଆକର୍ଷଣକାରୀ ନୋଟିସ ଦିଆଗଲା, ମୁଲତବୀ ପ୍ରସ୍ତାବ ମଧ୍ୟ ଆସିଲା । ଅର୍ଥାତ୍ ଉଭୟ ସରକାରୀ ଦଳ ଓ ବିରୋଧୀ ଦଳ ଏହି ବିଷୟକୁ ନେଇ ଚିନ୍ତିତ ବୋଲି ଦର୍ଶାଇଲେ । ଏହାର ଅନୁସନ୍ଧାନ ହେଲା ଓ ସରକାରଙ୍କ ତରଫରୁ ମରାମତି କାର୍ଯ୍ୟ ଆରମ୍ଭ କରି ଦିଆଗଲା । ମଧ୍ୟ ନବେଦଶକରେ ଗୋପାଳପୁର ଟାଟା ଇସ୍ପାତ ପ୍ରକଳ୍ପ ବିରୋଧରେ ଆନ୍ଦୋଳନ । ଏକ ଉର୍ବର କୃଷି ଅଂଚଳର ଅଧିବାସୀ ସେମାନଙ୍କର ଭିଟାମାଟି, ଚାଷଜମି, ଆମ୍ବ ନଡିଆ ସଜନା ଛୁଇଁ କଦଳୀ ବାରି, କିଆବଣ ହରାଇବେ, ଆୟର ଉତ୍ସ୍ୱରୁ ବେଦଖଲ ହେବେ ପ୍ରଦ୍ୟୁମ୍ନବାବୁଙ୍କୁ ବ୍ୟଥିତ କରୁଥିଲା । ନିଜେ ସେ ଅଂଚଳରେ ବୁଲି ଏପରି ଏକ ଆସନ୍ନ ବିପତ୍ତିିର ସେ ଆକଳନ କରୁଥିଲେ ଓ ତାହାକୁ ପ୍ରଗତିବାଦୀର ପୃଷ୍ଠାରେ ସବିଶେଷ ବର୍ଣ୍ଣନା ସହ ଲେଖୁଥିଲେ । ଏହାର ପ୍ରଭାବ ପଡିଥିଲା । ସେ ଅଂଚଳର ଗ୍ରାମବାସୀ ଓ ପୁଲିସ ମଧ୍ୟରେ ଏକ ସଂଘର୍ଷକୁ ଏଡାଇବା ପାଇଁ ଉଚ୍ଚନ୍ୟାୟାଳୟର ହସ୍ତକ୍ଷେପ ପ୍ରାର୍ଥନା କରି ସେ କେତେଜଣ ସଚେତନ ବରିଷ୍ଠ ନାଗରିକ, ଗାନ୍ଧୀବାଦୀ ମନମୋହନ ଚୌଧୁରୀ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନର ସଭାପତି ଗଂଗାଧର ପାଣିଗ୍ରାହୀ, ପି ୟୁ ସି ଏଲ୍ ରାଜ୍ୟ ସମ୍ପାଦକ ଆଡଭୋକେଟ ଗୁରୁ ମହାନ୍ତିଙ୍କ ସହ ଏକାଠି ହୋଇ ଯେପରି ବିଳମ୍ବିତ ରାତିରେ ଓଡିଶା ଉଚ୍ଚନ୍ୟାୟଳୟର ମୁଖ୍ୟ ବିଚାରପତି, ମାନ୍ୟବର ଶୈଳନ୍ଦୁନାଥ ଫୁକାନଙ୍କ କୋଠିରେ ପହଂଚିଥିଲେ ତାହା -ଏ ଲେଖକ ଦେଖିଛି । ଏପରି ହସ୍ତକ୍ଷେପ ଫଳରେ ଏକ ବିରାଟ ସଂଘର୍ଷକୁ ଏଡାଇ ଦିଆଯାଇ ପାରିଥିଲା ।
ପରିବେଶକୁ ନଷ୍ଟ କରିବାର ସମ୍ଭାବନା ସଘନ ଚିଙ୍ଗୁଡି ଚାଷ ଦ୍ୱାରା ହେବ-ଏହା ସେ ଇନଷ୍ଟିଚୁସନ ଅଫ ଇଂଜିନିୟର୍ସର ପ୍ରେକ୍ଷାଳୟରେ ଯେଉଁ ଦୃଢତାର ସହ ରଖିଥିଲେ ଓ ଏଥିପାଇଁ ଆଲୋଚନା ଚକ୍ରରେ ଉପସ୍ଥିତ କେତେକ ଚିଂଗୁଡି ଚାଷ ସପକ୍ଷବାଦୀଙ୍କୁ ଯେପରି ମୁକାବିଲା କରିଥିଲେ, ତାହା ମଧ୍ୟ ଏ ଲେଖକ ଦେଖିଛି । ଚିଲିକାରେ ଚିଂଗୁଡି ଘେରିର ପ୍ରାବଲ୍ୟ ଦେଖିବା ପାଇଁ ତ ଜାଗର ଅମାବାସ୍ୟାରେ ସେ ଚିଲିକା ଭିତରେ ପଶିଥିଲେ ଓ ସେ ଅଂଚଳର ସାମ୍ୟବାଦୀ ନେତା ଶ୍ରୀ କ୍ଷିତିଶ ବିଶ୍ୱାଳ ଡଙ୍ଗାରେ ତାଙ୍କୁ ବାଟ କଢାଇ ନେଇଥିଲେ । ଏ ସବୁ ଅଭିଜ୍ଞତା ସେ ପ୍ରଗତିବାଦୀ ପୃଷ୍ଠାରେ ଲେଖୁଥିଲେ । ନିର୍ଭୀକତା ପ୍ରଦ୍ୟୁମ୍ନ ବାବୁଙ୍କ ବ୍ୟକ୍ତିତ୍ୱର ଏକ ବଡ ଗୁଣ ଥିଲା । ବେପରୁଆ ଭାବ ମଧ୍ୟ ଥିଲା ତାଙ୍କ ଆଚରଣରେ । କାହାରି ପଦ ପ୍ରତିଷ୍ଠା ଦ୍ୱାରା ସେ ନରମି ଯିବାର ମଣିଷ ନ ଥିଲେ । ବରଂ ମୁଖ୍ୟଧାରାର ବିକଳ୍ପ ସନ୍ଧାନକୁ ପ୍ରୋତ୍ସାହିତ କରୁଥିଲେ । ସେ ତ ଗୋଟିଏ ସମୟରେ ଆଚାର୍ଯ୍ୟ ଭାବାନନ୍ଦଙ୍କ(ଡକ୍ଟର ଭାବଗ୍ରାହୀ ମିଶ୍ର)ଙ୍କ ସହ ମିଶି ଭୁବନେଶ୍ୱର ମାଷ୍ଟର କ୍ୟାଂଟିନ ଛକରେ ଏକ ବହି ଦୋକାନର କଳ୍ପନା କରୁଥିଲେ ଯେଉଁଠି ବିଭିନ୍ନ ବିଷୟରେ ସୃଷ୍ଟ ବିକଳ୍ପ ସାହିତ୍ୟ ଉପରେ ପୁସ୍ତକ ଉପଲବ୍ଧ ହେବ । ନିଜେ ଏପରି ପୁସ୍ତକ ମଗାଇ ଆଗ୍ରହୀଙ୍କୁ ଯୋଗାଉଥିଲେ । ମୋର ମନେ ପଡୁଛି ମୁଁ ତାଙ୍କ ଠାରୁ ଆନ୍ତର୍ଜାତିକ ମୁଦ୍ରା ପାଂଠି(IMF)ର ଜଣେ ପୂର୍ବତନ କର୍ମଚାରୀ ଡାଭିସନ ଏଲ୍ ବୁଦ୍ଧୁଙ୍କ ଲିଖିତ ପୁସ୍ତକ Enough is Enough ସଂଗ୍ରହ କରିଥିଲି ଓ ସେଥିରୁ ଜାଣିଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ଭିତିରି ଖବର । ଏହା ଉପରେ ଏକ ନିବନ୍ଧ ଲେଖିଥିଲି, ‘ପଦସ୍ଥ କର୍ମଚାରୀଙ୍କ ଇସ୍ତଫା, ମଧୁଭାଂଡକୁ ପଦାଘାତ’, ଯାହାକୁ ପ୍ରଗତିବାଦୀ ପୃଷ୍ଠାରେ ପ୍ରଦ୍ୟୁମ୍ନ ବାବୁ ସ୍ଥାନ ଦେଇଥିଲେ ।
ଆଚାର୍ଯ୍ୟ ଭାବାନନ୍ଦ(ଡକ୍ଟର ଭାବଗ୍ରାହୀ ମିଶ୍ର)ଓ ପ୍ରଦ୍ୟୁମ୍ନବାବୁ, ଦୁହେଁ ମିଶି ନନ୍ଦକିଶୋର ବଳଙ୍କ ସ୍ମୃତି ରକ୍ଷା ପାଇଁ ଯେଉଁ ବାର୍ଷିକ ବକ୍ତୃତାର ଆୟୋଜନ ଓଡିଶା ସାହିତ୍ୟ ଏକାଡେମୀ ସହିତ ମିଶି କରୁଥିଲେ, ସେଥିରେ ଗୋଟିଏ ବର୍ଷ ମୋତେ ବାଛିଥିଲେ ନନ୍ଦକିଶୋରଙ୍କ ଉପରେ କହିବା ପାଇଁ । ଏହା ସେମାନଙ୍କ ପକ୍ଷେ ଏକ ଦୁଃସାହସିକ ନିଷ୍ପତ୍ତି ବୋଲି ମୁଁ ସେମାନଙ୍କୁ କହିଥିଲି । କାରଣ ମୁଁ କୌଣସି ଦୃଷ୍ଟିରୁ ଏଥିପାଇଁ ନିଜକୁ ଯୋଗ୍ୟ ବୋଲି ମନେ କରୁ ନ ଥିଲି । ଗଣିତର ଅଧ୍ୟାପକ ଓଡ଼ିଆ ସାହିତ୍ୟରେ ପ୍ରାୟ ଅନଭିଜ୍ଞ -ନନ୍ଦକିଶୋରଙ୍କ ଉପରେ କଣ କହିବ? ପ୍ରଦ୍ୟୁମ୍ନ ବାବୁ କିନ୍ତୁ ମୋ ସହିତ ଏକମତ ହେଲେ ନାହିଁ -ମୋତେ ଅଭିଭାଷଣ ଦେବାକୁ ହେଲା । ନନ୍ଦକିଶୋରଙ୍କୁ ପଲ୍ଲୀ କବି କହି ତାଙ୍କ ବ୍ୟକ୍ତିତ୍ୱର ଯେଉଁ ପ୍ରତିବାଦ ଦିଗ ରହିଛି, ତାହାକୁ ଅଣଦେଖା କରାଯାଉଛି ବୋଲି ମୁଁ ଦର୍ଶାଇଥିଲି । ତା ପର ଦିନ ସକାଳୁ ସକାଳୁ ପ୍ରଦ୍ୟୁମ୍ନ ବାବୁଙ୍କର ଫୋନ ଆସିଲା -ମୋର ସମୀକ୍ଷାକୁ ସେ ପ୍ରଶଂସା କରୁଥିଲେ । ଭିନ୍ନ ଓ ମୌଳିକ ମତ ମନ୍ତବ୍ୟ ପ୍ରତି ତାଙ୍କର ମନୋଭାବ ଅନୁକୂଳ ହେଉଥିଲା ।
୧୯୯୪ରେ ଗଠିତ ସମ୍ପୂର୍ଣ୍ଣ ଅନୌପଚାରିକ ସଂଗଠନ ‘ବିକଳ୍ପ ସନ୍ଧାନୀ ମଂଚ’ର ସେ ଥିଲେ ବରିଷ୍ଠ ଆବାହକ । ଏ ଲେଖକ ଅନ୍ୟତମ ଆବାହକ ଥିଲା । ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟର ଆଲୋଚନା ହେଉଥିଲା, ପ୍ରତ୍ୟେକ ବର୍ଷ ଏପ୍ରିଲ ପହିଲା ଦିନ ଓ ଏହି ଆଲୋଚନାର ଏକ ସଙ୍କଳନ ପ୍ରକାଶ ପାଉଥିଲା ‘ଓଡିଆ ଓ ଓଡିଶା’ ଶିରୋନାମାରେ । ଏହି ସଙ୍କଳନ ଗୁଡିକ ପରବର୍ତ୍ତୀ କାଳରେ ବହୁ ଗବେଷକଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହୋଇଛି । ଯେ କୌଣସି ନୂତନ ଉଦ୍ୟମ ତାଙ୍କୁ ସବୁବେଳେ ଆକୃଷ୍ଟ କରୁଥିଲା । କିନ୍ତୁ ଏହି ଉଦ୍ୟମକୁ ସଫଳ କରିବାକୁ ଯାଇ ସେ ନୀତି ନୈତିକତାର ବାଟ ହୁଡିବା ପାଇଁ ପ୍ରସ୍ତୁତ ନ ଥିଲେ, ନୀତି ସହିତ ସାଲିସ କରି ପାରୁନଥିଲେ । ଏହି ଦୃଷ୍ଟିରୁ ଅନେକେ ହୁଏତ କହୁଥିବେ ଯେ ସେ ବ୍ୟାବାହରିକ ନଥିଲେ । ସେ ବୋଧେ ସେପରି ବ୍ୟାବାହରିକତାରେ ବିଶ୍ୱାସୀ ନ ଥିଲେ ଯାହା ସଫଳ ହେବାର ତାକ୍ରାଳିକ ଅନୁଭବ ଦେବ କିନ୍ତୁ ଭବିଷ୍ୟତର ସମାଜ ପାଇଁ କ୍ଷତିକାରକ ହେବ, ଏକ ଅହିତକର ଦୃଷ୍ଟାନ୍ତ ଭାବରେ ଉଲ୍ଲେଖ ହେବ ।
ପ୍ରଦ୍ୟୁମ୍ନବାବୁଙ୍କ ଚିନ୍ତାଜଗତ କେତେ ବ୍ୟାପକ ଥିଲା, ତାହା ଜଣାପଡ଼େ ପ୍ରଗତିବାଦୀ ପୃଷ୍ଠାରେ ପ୍ରକାଶିତ ତାଙ୍କର ନିବନ୍ଧମାନଙ୍କରୁ । ଏହି ନିବନ୍ଧଗୁଡିକୁ ପ୍ରାୟ ପାଂଚଟି ପୁସ୍ତକରେ ସଙ୍କଳିତ କରାଯାଇଛି ଯାହା , ଯଥା ‘ସ୍ୱପ୍ନର ଓଡ଼ିଶା’, ‘ପ୍ରଥମ ବିଶ୍ୱ-ଅନ୍ୟ ପୃଥିବୀ’, ‘ଚେତନାର ଚିତ୍ରକଳ୍ପ’, ‘ଜୀବନଚର୍ଯ୍ୟା’ ଓ ‘ଉନ୍ମେଷ’, ପ୍ରଦୁ୍ୟମ୍ନ ବଳ ମେମୋରିଆଲ ଟ୍ରଷ୍ଟ ତରଫରୁ ପ୍ରକାଶ ପାଇଛି ୨୦୦୦ରୁ ୨୦୦୯ ମସିହା ଭିତରେ । ଆହୁରି ଅନେକ ଲେଖା ପ୍ରଦ୍ୟୁମ୍ନବାବୁ ଲେଖିଥିବା ମୋର ମନେ ପଡୁଛି, କିନ୍ତୁ ସେ ଗୁଡିକ ଏହି ସଙ୍କଳନ ମାନଙ୍କରେ ନାହିଁ । ପ୍ରଥମ ପ୍ରକାଶନ ‘ସ୍ୱପ୍ନର ଓଡିଶା’ର ମୁଖବନ୍ଧ ଲେଖିବାର ସୁଯୋଗ ଟ୍ରଷ୍ଟ ମୋତେ ଦେଇଥିଲେ । ଏବେ ଯେତେବେଳେ ଆମ ସରକାରଙ୍କ ଦ୍ୱାରା ‘ମୋ’ ଉପସର୍ଗର ବହୁଳ ପ୍ରୟୋଗ ହୋଇ ‘ମୋ ବସ’, ‘ମୋ ସ୍କୁଲ’, ‘ମୋ କଲେଜ’, ‘ମୋ ସରକାର’ ଭଳି ଯୋଜନା କାର୍ଯ୍ୟକାରୀ ହେବାର ଦୃଶ୍ୟ ଦେଖାଯାଉଛି; ସେତେବେଳେ ‘ସ୍ୱପ୍ନର ଓଡିଶା’ ସଙ୍କଳନରେ ସ୍ଥାନିତ ପ୍ରବନ୍ଧ ‘ଜନସଂଗଠନ, ଜନ ଆନ୍ଦୋଳନ ଅପରିହାର୍ଯ୍ୟ’ର ପ୍ରଥମ ଧାଡି ମନେ ପଡୁଛି ଯେଉଁଠି ପ୍ରଦ୍ୟୁମ୍ନବାବୁ ଓଡିଶାକୁ ‘ମୋ ଦେଶ’ ଓ ଭାରତକୁ ‘ଆମ ଦେଶ’ ବୋଲି ପରିଭାଷିତ କରୁଥିଲେ ଓ ଏହି ଦୁଇ ଅବଧାରଣା ମଧ୍ୟରେ ପାର୍ଥକ୍ୟ ଦର୍ଶାଇବାକୁ ଯାଇ କହିଥିଲେ, “‘ମୋ’ ଦେଶ ଆଗକୁ ଗଲେ ସେହି ଅନୁପାତରେ ‘ଆମ’ ଦେଶ ଭାରତବର୍ଷକୁ ଆଗେଇ ନେବାରେ ମୁଁ ସାହାଯ୍ୟ କରିପାରିବି ।” ଭାରତର ସଂଘୀୟ ବ୍ୟବସ୍ଥା ପ୍ରତି ନିଷ୍ଠାର ଏହା ଏକ ଅବିଚଳିତ ଅଭିବ୍ୟକ୍ତି, ବୋଲି ମୁଁ ମନେ କରେ ଓ ଏହାକୁ ସ୍ମରଣ କରିବା ଆଜି ପ୍ରାସଙ୍ଗିକ ମନେ ହୁଏ ଯେତେବେଳେ ଭାରତର ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିବାର ଉଦ୍ୟମ ଆଜି ଦୃଶ୍ୟମାନ ।
ପ୍ରଦ୍ୟୁମ୍ନବାବୁଙ୍କ ଚିନ୍ତାରେ ଓଡ଼ିଶାର ଭବିଷ୍ୟତ ଥିଲା, ଭାରତର ଭବିଷ୍ୟତ ଥିଲା, ବିଶ୍ୱର ଭବିଷ୍ୟତ ଥିଲା ଓ ସମସ୍ତ ମାନବସମାଜର ଭବିଷ୍ୟତ ଥିଲା । ସେଥିପାଇଁ ପ୍ରବନ୍ଧର ଶିରୋନାମା ହେଉଥିଲା ‘ଓଡ଼ିଶା ପ୍ରଦେଶର ଅତୀତ ଓ ଭବିଷ୍ୟତ-ଆମେ ଓଡ଼ିଆ’ (ସ୍ୱପ୍ନର ଓଡ଼ିଶା), ‘ଆମ ଓଡ଼ିଶା ଏବଂ ଟାଟାର ଶୋଷଣ’ (ସ୍ୱପ୍ନର ଓଡ଼ିଶା), ‘ହିନ୍ଦୁ, ହିନ୍ଦୁତ୍ୱ:ଭାରତୀୟ ସଂସ୍କୃତି ଓ ଭବିଷ୍ୟତ’(ଚେତନାର ଚିତ୍ରକଳ୍ପ), ‘ବିଦେଶୀ ଭାରତୀୟ ଓ ଭାରତୀୟ ବିଦେଶୀ’ (ଚେତନାର ଚିତ୍ରକଳ୍ପ), ‘ଶୋଷକ ପ୍ରଥମ ବିଶ୍ୱ: ଶୋଷିତ ଅନ୍ୟ ପୃଥିବୀ’(ପ୍ରଥମ ବିଶ୍ୱ, ଅନ୍ୟ ପୃଥିବୀ), ‘ଦାରିଦ୍ର୍ୟ: ବିଶ୍ୱରେ ମଣିଷକୁ ଦଳିତ କରି ରଖିବାର ପ୍ରଧାନ ଅସ୍ତ୍ର’(ପ୍ରଥମ ବିଶ୍ୱ, ଅନ୍ୟ ପୃଥିବୀ), ‘ପୃଥିବୀ ମୃତୁ୍ୟ ପଥରେ’(ଚେତନାର ଚିତ୍ରକଳ୍ପ, ‘ମାନବ ସମାଜର ଅସମାନତା’ (ପ୍ରଥମ ବିଶ୍ୱ, ଅନ୍ୟ ପୃଥିବୀ),‘ମରୁଡ଼ିର ଅନ୍ୟନାମ କ୍ଷୁଧା, ଦୁର୍ଭିକ୍ଷ, ରୋଗ ଓ ମୃତ୍ୟୁ ’(ସ୍ୱପ୍ନର ଓଡ଼ିଶା) ଇତ୍ୟାଦି । ତାଙ୍କର ନିବନ୍ଧଗୁଡ଼ିକ ତାଙ୍କ ସମୟର ପ୍ରାୟ ସବୁ ଘଟଣା ଉପରେ, ତାହା ରାଜନୈତିକ ହେଉ, ସାମାଜିକ-ସାଂସ୍କୃତିକ ହେଉ ବା ଅର୍ଥନୈତିକ ହେଉ, ତାଙ୍କର ବିଚାରକୁ ସ୍ପଷ୍ଟ ପ୍ରତିଫଳିତ କରୁଥିଲା । ତେଣୁ ଏହି ନିବନ୍ଧ ଗୁଡିକ ପଢ଼ିଲେ ଗତ ଶତାବ୍ଦୀର ସତୁରି ଦଶକରୁ ଆରମ୍ଭ କରି ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ତିରିଶ ବର୍ଷ ଭିତରେ ସଂଘଟିତ ବହୁ ଘଟଣାର ନିଛକ ଚିତ୍ର ପାଇଥାଉ ଓ ପାଇଥାଉ ବହୁ ସୂଚନା ଯାହା ଗଭୀର ଗବେଷଣାଦ୍ୱାରା ହିଁ ଉପଲବ୍ଧ ହେବା ସମ୍ଭବ ।
ଏହା ବୋଧହୁଏ ଅନେକଙ୍କର ଦୃଷ୍ଟିରେ ଗୁରତ୍ୱ ପାଉ ନଥିବ ଯେ ତାଙ୍କର ସାହିତ୍ୟରେ ଗଭୀର ରୁଚି ଥିଲା । ପଲ୍ଲୀକବି ନନ୍ଦକିଶୋର ବଳଙ୍କର ପୌତ୍ର ରୂପେ ଏହି ରୁଚି ବୋଧହୁଏ ସେ ଉତ୍ତରାଧିକାରୀ ସୂତ୍ରରେ ପାଇଥିଲେ । ସାହିତ୍ୟ ପତ୍ରିକା ‘ଚୟନିକା’ର ପ୍ରକାଶନରେ ଏହି ରୁଚିକୁ ଆନୁଷ୍ଠାନିକ ରୂପ ଦେବାପାଇଁ ତାଙ୍କର ସଫଳ-ଅସଫଳ ଉଦ୍ୟମକୁ ସ୍ମରଣ କରାଯାଇପାରେ । କିନ୍ତୁ ସେ ଯେ ନିଜେ ସାହିତ୍ୟ ସମୀକ୍ଷା କରିପାରନ୍ତି ତାହା, ଏ ଲେଖକ ଜାଣିଲା ଯେତେବେଳେ ସେ ଜନକବି ବ୍ରଜନାଥ ରଥଙ୍କ ଓଡିଆ କବିତା ସଙ୍କଳନ ‘ଲଘୁଶତକ’ର ଏକ ଦୀର୍ଘ ସମୀକ୍ଷା ପ୍ରକାଶ କଲେ “‘ଲଘୁଶତକ’: ଚଳିତ ଅର୍ଦ୍ଧଶତାବ୍ଦୀର ଶ୍ରେଷ୍ଠ ଓଡ଼ିଆ କବିତାଗୁଚ୍ଛ” ଶିରୋନାମାରେ ।(ରବିବାର ପ୍ରଗତିବାଦୀ, ୨୦ ମାର୍ଚ୍ଚ ୧୯୯୪) ଏହା ତାଙ୍କର ସାହିତ୍ୟ ପ୍ରତି ରୂଚିର ଗଭୀରତା ଦର୍ଶାଏ ।
ପ୍ରଦୁ୍ୟମ୍ନବାବୁଙ୍କ ଜୀବନକାଳର ମୁଖ୍ୟ ଭାଗ ସାମ୍ବାଦିକତାରେ ଅତିବାହିତ ହୋଇଥିଲା । ‘ପ୍ରଗତିବାଦୀ’ର ପ୍ରଥମ ପ୍ରକାଶନରେ (ଜୁନ ୨୬, ୧୯୭୩) ସେ ଲେଖିଥିଲେ, “ପୁରୁଣା ସ୍ଥିତିକୁ ଧ୍ୱଂସ କରି ନୂତନ ମୂଲ୍ୟବୋଧ ସୃଷ୍ଟି କରି ତାହା ଉପସ୍ଥାପିତ ଏବଂ ପ୍ରତିପାଦିତ କରିବା ‘ପ୍ରଗତିବାଦୀ’ର କର୍ମ ।… ଶୋଷଣ ବିପକ୍ଷରେ ବରଂ ଶୋଷିତ ସପକ୍ଷରେ ଅସ୍ତ୍ର ଧାରଣ କରିବାକୁ ‘ପ୍ରଗତିବାଦୀ’ ଯେ କୌଣସି ପରିସ୍ଥିତିରେ ପଶ୍ଚାତ୍ପଦ ହେବ ନାହିଁ ।” (‘ପ୍ରଗତିବାଦୀ’, ଉନ୍ମେଷ, ପୃ ୯) କେଉଁ ପ୍ରକାର ସାମ୍ବାଦିକତାରେ ପ୍ରଦ୍ୟୁମ୍ନ ବାବୁ ବିଶ୍ୱାସ କରୁଥିଲେ ଓ ସାମ୍ବାଦିକତାର ମାନଦଣ୍ଡକୁ କିପରି ନିର୍ଦ୍ଧାରିତ କରୁଥିଲେ ତାହା ଜଣାପଡ଼େ ଯେତେବେଳେ ସେ ଲେଖନ୍ତି, “ବ୍ୟକ୍ତି ସ୍ୱାର୍ଥ ଏବଂ ପୁଂଜିବାଦର ମୁକାବିଲା କରିବା ପରିବର୍ତ୍ତେ ଏହି ଶକ୍ତିର ସମର୍ଥନ କରିବାର ପ୍ରଚ୍ଛନ୍ନ ଏବଂ ପ୍ରତ୍ୟକ୍ଷ ଦୋଷରେ ଯଦି ସାମ୍ବାଦିକ ଅଭିଯୁକ୍ତ ହୋଇଯାଏ, ତା’ ହେଲେ ଦରିଦ୍ର ଜନତାକୁ ଶୋଷଣମୁକ୍ତ କରିବା ପାଇଁ ଯେଉଁ ସଂଗ୍ରାମ ଚାଲିଛି ତାର ଅଗ୍ରଗାମୀ ଧ୍ୱଜାଧାରୀ ହେବ କିଏ?” (ସାମ୍ବାଦିକତାର ମାନଦଣ୍ଡ, ଉନ୍ମେଷ, ପୃ-୪୯) ଆଜି ଯେତେବେଳେ ‘ପ୍ରଗତିବାଦୀ’ ପ୍ରକାଶନର ୫୦ ବର୍ଷରେ ପ୍ରବେଶ କରୁଛି ସେତେବେଳେ ପ୍ରଦ୍ୟୁମ୍ନବାବୁଙ୍କର ଏହି ଆହ୍ୱାନର ପୃଷ୍ଠଭୂମିରେ ଆକଳନ ହେବା ଉଚିତ ପ୍ରଗତିବାଦୀର ସଫଳତା । ଏହାକୁ ଅବଶ୍ୟ ମୁଁ ଅଣଦେଖା କରୁନାହିଁ ଯେ ଏହି ଆହ୍ୱାନକୁ ଚରିତାର୍ଥ କରିବା ବାଟରେ ବହୁ ପ୍ରତିବନ୍ଧକ ରହିଛି । ନିଜେ ପ୍ରଦ୍ୟୁମ୍ନ ବାବୁ ଏହି ପ୍ରତିବନ୍ଧକ ଗୁଡିକ କ’ଣ, କିପରି ଓ କାହିଁକି ଆସେ, ତାହା ଦର୍ଶାଇଛନ୍ତି ବିଭିନ୍ନ ନିବନ୍ଧରେ ଯେଉଁ ଗୁଡିକର ଶିରୋନାମା ହୋଇଛି ‘ସାମ୍ବାଦିକମାନେ ‘ବୃତ୍ତିଗତ ବିପତ୍ତି’ର ସମ୍ମୁଖୀନ’, ‘ସାମ୍ବାଦିକତାର ମୂଲ୍ୟାୟନ’, ‘ଚତୁର୍ଥ ସ୍ତମ୍ଭର ଶକ୍ତି’, ‘ସମ୍ବାଦପତ୍ର ତଥା ସାମ୍ବାଦିକମାନଙ୍କର ଏକତା କାହିଁ?’(ସ୍ୱପ୍ନର ଓଡ଼ିଶା), ‘କ୍ଷୁଦ୍ର ସମ୍ବାଦପତ୍ରର ସ୍ୱାଧୀନତା ଓ ସମାଜବାଦୀ ଆଭିମୁଖ୍ୟ’(ଉନ୍ମେଷ) ସାମ୍ବାଦିକତାକୁ ବୃତ୍ତି ଭାବେ ଆଦରି ନେବା ପାଇଁ ଉତ୍ସୁକ ଯୁବକଙ୍କ ପାଇଁ ଏହି ନିବନ୍ଧଗୁଡିକ ଯେ ଅତ୍ୟନ୍ତ ଉପାଦେୟ ଏହା କହିବା ବାହୁଲ୍ୟ ମାତ୍ର ।
ପ୍ରଦ୍ୟୁମ୍ନବାବୁଙ୍କ ବ୍ୟକ୍ତିତ୍ୱ ବହୁମୁଖୀ ଥିଲା । ବୌଦ୍ଧିକତା ପ୍ରତି ତାଙ୍କର ଆକର୍ଷଣ ଯେତିକି ତୀବ୍ର ଥିଲା, ସେହି ତୀବ୍ରତାର ଆକର୍ଷଣ ଥିଲା ଜନ ଆନ୍ଦୋଳନ ପ୍ରତି, ମାନବିକ ଅଧିକାରର ସୁରକ୍ଷା ପ୍ରତି, ସାମ୍ବିଧାନିକ ଓ ଶୈକ୍ଷିକ ଅନୁଷ୍ଠାନର ସ୍ୱାୟତ୍ତତା ପ୍ରତି । ସ୍ୱାଭାବିକ ସେ ବହୁତ ମନେ ପଡୁଥିଲେ ଯେତେବେଳେ ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ଉପରେ କୁଠାରଘାତ କରୁଥିବା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ୨୦୨୦ ଜାରି ହେଲା ୪ ସେପ୍ଟେମ୍ବର ୨୦୨୦ରେ ଓ ଏହା ବିରୋଧରେ ସ୍ୱର ଉଠିଲା । ଏହି ବିରୋଧରେ ଉଠୁଥିବା ସ୍ୱରରେ ତାଙ୍କ ସ୍ୱରର ଅଭାବ ଅନୁଭୂତ ହେଉଥିଲା । ମନେ ପଡୁଥିଲା ୩୨ବର୍ଷ ତଳେ କିପରି ଏ ଲେଖକର ମଟରସାଇକେଲ ପଛରେ ବସି ପ୍ରଫେସର ସୂର୍ଯ୍ୟକାନ୍ତ ଦାସଙ୍କ ଘରକୁ ଯାଇଥିଲେ ଅନୁରୋଧ କରିବାକୁ Seminar Committee For University Autonomyର ଅଧ୍ୟକ୍ଷତା ଗ୍ରହଣ କରିବାକୁ । ଏହି କମିଟିର ଆନୁକୂଲ୍ୟରେ ୨୯ ଜାନୁଆରୀ ୧୯୮୯ରେ ହୋଇଥିଲା ଆଲୋଚନା ଯେଉଁଥିରେ କମିଟିର ସଭ୍ୟମାନଙ୍କ ସହିତ ଅଂଶ ଗ୍ରହଣ କରିଥିଲେ ପୂର୍ବତନ କୁଳପତି ଡକ୍ଟର ବିଦ୍ୟାଧର ମିଶ୍ର, ସମାଜବାଦୀ ନେତା କିଶନ ପଟ୍ଟନାୟକ, ବିଧାୟକ ତ୍ରିଲୋଚନ କାନୁନଗୋ ଓ ବହୁ ବିଶ୍ୱବିଦ୍ୟାଳୟ ଶିକ୍ଷକ, କର୍ମଚାରୀ ନେତା, ଛାତ୍ରନେତାଗଣ । କିନ୍ତୁ ଅସୁସ୍ଥତା ବଶତଃ ପ୍ରଦ୍ୟୁମ୍ନବାବୁ ଏହି ସଭାରେ ଉପସ୍ଥିତ ହୋଇପାରି ନ ଥିଲେ । ତେବେ ଏହି ଆଲୋଚନାର ପ୍ରଭାବ ସରକାରଙ୍କ ଉପରେ ପଡିଥିଲା । ବିଧାନସଭାରେ ବିତର୍କିତ ଅଧ୍ୟାଦେଶଟି ଉପରେ ପ୍ରାୟ ଦଶ ଘଂଟା ଆଲୋଚନା ହୋଇଥିଲା, ଯାହାକୁ ସେ ସମୟରେ ଐତିହାସିକ ବୋଲି କୁହାଯାଇଥିଲା । ଅନେକ ପରିବର୍ତ୍ତନ ଅଣାଯାଇଥିଲା ଅଧ୍ୟାଦେଶରେ, ଏହାକୁ ଆଇନରେ ରୂପାନ୍ତରିତ କରିବା ପୂର୍ବରୁ । କହିବା ବାହୁଲ୍ୟ ଯେ ଏହା ସମ୍ଭବ ହୋଇଥିଲା କାରଣ ପ୍ରଦୁ୍ୟମ୍ନବାବୁଙ୍କ ନିଷ୍ଠା ଥିଲା ଏହାର ଭିତ୍ତି । ଅପରପକ୍ଷରେ ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ୨୦୨୦ ଆଇନରେ ପରିଣତ ହୋଇଗଲା ପ୍ରାୟ ବିନା କୌଣସି ପରିବର୍ତ୍ତନରେ ।
ଶେଷରେ କହିବି ଯେ ପ୍ରଦ୍ୟୁମ୍ନବାବୁଙ୍କ କାଟର ବ୍ୟକ୍ତି ଓଡ଼ିଶାର ଜନଜୀବନରେ ଆଜି ନାହାନ୍ତି ।

(Samadrusti Archive , November 2022)

Total Views: 0

Comments

0 comments

Share This Article