ଭାରତର ନାରୀ ଶିକ୍ଷା ଓ ନାରୀ ଆନ୍ଦୋଳନର ଜନ୍ମଦାତ୍ରୀ ସାବିତ୍ରୀ ବାଈଫୁଲେ

ଶୂଦ୍ର ହୋଇ ସେ କାହିଁକି ବେଦ ପଢ଼ିଲେ? ଏହା ଥିଲା ଶମ୍ଭୁକଙ୍କ ଅପରାଧ! ଏଇଥିପାଇଁ ରାଜା ରାମଚନ୍ଦ୍ର ତାଙ୍କ ମୁଣ୍ଡ କାଟ କରିଥିଲେ । ସେହି ଶୂଦ୍ରକୂଳରେ ଜନ୍ମ ସାବିତ୍ରୀବାଈଙ୍କର । ଜନ୍ମ ସ୍ଥାନ ହେଉଛି ମହାରାଷ୍ଟ୍ରର ପୁଣେ ସହରଠାରୁ ୫୦ କିଲୋମିଟର ଦୂର ନାଇଗାଁରେ । ଜନ୍ମ ତାରିଖ ହେଲା ୧୮୩୧ ଜାନୁଆରୀ ୩ ।

ମଥାରେ ସିନ୍ଦୁର ପିନ୍ଧିଲାବେଳକୁ ସାବିତ୍ରୀ ଖଡ଼ି ଛୁଇଁ ନଥିଲେ । ବର୍ଣ୍ଣରେ ଶୂଦ୍ର, ପୁଣି ଝିଅ! ତାଙ୍କୁ ପାଠ ପଢ଼ାଇବ କିଏ? ଜ୍ୟୋତିବାରାଓ ଫୁଲେଙ୍କ ହାତ ଧରିବାପରେ ସବୁକିଛି ବଦଳିଗଲା ।

ଜ୍ୟୋତିବାରାଓ ଥିଲେ ଜଣେ ସମାଜ ସଂସ୍କାରକ । ଲଢୁଥିଲେ ଜାତିଆଣ ଅତ୍ୟାଚାର ଓ ଶ୍ରମଜୀବୀଙ୍କ ଉପରେ ଚାଲୁଥିବା ଶୋଷଣ ବିରୋଧରେ । ଆମ୍ବେଦକର ଯେଉଁ ତିନି ଜଣଙ୍କ ପାଖରୁ ପ୍ରେରଣା ଲାଭ କରିଥିଲେ,ତାଙ୍କ ଭିତରେ ଜ୍ୟୋତିବାରାଓ ଥିଲେ ଅନ୍ୟତମ । ଅନ୍ୟ ଦୁଇ ଜଣ ହେଲେ ଗୌତମ ବୁଦ୍ଧ ଓ ସନ୍ଥ କବୀର ।

ସାବିତ୍ରୀଙ୍କୁ ଅ, ଆ, କ, ଖ ପଢ଼ାଇଥିଲେ ଜ୍ୟୋତିବାରାଓ । ତାପରେ ସେ ଆଗକୁ ବଢିଥିଲେ ଓ ଟ୍ରେନିଂ ନେଇଥିଲେ । ଶିକ୍ଷା ଓ ଟ୍ରେନିଂ ପରେ ଝିଅମାନଙ୍କୁ ପାଠ ପଢ଼ାଇଥିଲେ । ତାପରେ ଫୁଲେ ଦମ୍ପତି ସ୍କୁଲ ପ୍ରତିଷ୍ଠା କରିଥିଲେ । ତାଙ୍କ ପାଠପଢ଼ା ଶୈଳୀ ଏତେ ଉନ୍ନତ ଓ ଆକର୍ଷଣୀୟ ଥିଲା ଯେ ଅଧିକରୁ ଅଧିକ ଝିଅମାନେ ସ୍କୁଲରେ ନାମ ଲେଖାଇଥିଲେ । ବାଳକ ସ୍କୁଲ ଅପେକ୍ଷା ଏହି ବାଳିକା ସ୍କୁଲରେ ଛାତ୍ରସଂଖ୍ୟା ଅଧିକ ହୋଇଥିଲା ।

ରକ୍ଷଣଶୀଳ ଲୋକଙ୍କ ଆଖିରେ ଏହା ଗଲା ନାହିଁ । ଝିଅମାନେ ପାଠପଢ଼ିବା ଥିଲା ସେମାନଙ୍କ ଦୃଷ୍ଟିରେ ପାପ! ଏହା ମନୁସ୍ମୃତିର ଅବମାନନା ବୋଲି ସେମାନେ ଚିତ୍କାର କଲେ । ସ୍କୁଲ ଯିବା ବାଟରେ ସାବିତ୍ରୀଙ୍କ ଉପରେ ବୃଷ୍ଟି ହେଲା ଟେକା, ପଥର ଓ ଗୋବର । ସେଥିପାଇଁ ସାବିତ୍ରୀ ସାଙ୍ଗରେ ଗୋଟେ ଅଧିକ ଶାଢ଼ୀ ନେଉଥିଲେ ।

ଦୁଃଖ କେବଳ ଏଇଠି ସରିଲା ନାହିଁ । ସମାଜର ଚାପରେ ତାଙ୍କ ଶ୍ୱଶୁର ନିଜ ପୁଅ-ବୋହୂଙ୍କୁ ଘରୁ ତଢ଼ି ଦେଲେ । ଏହି ଦୁର୍ଦ୍ଦିନରେ ଫୁଲେ ଦମ୍ପତିଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ଜ୍ୟୋତିବାଙ୍କ ଜଣେ ମୁସଲିମ ବନ୍ଧୁ ଉସମାନ ଶେଖ । ଉସମାନଙ୍କ ଭଉଣୀ ଫାତିମା ପାଲଟିଗଲେ ସାବିତ୍ରୀଙ୍କ ବାନ୍ଧବୀ । ଉଭୟ ପାଠପଢ଼ି ସ୍ନାତକ ବନିଲେ । ଫାତିମା ବେଗମ ଶେଖ୍ ପାଲଟିଲେ ଦେଶର ପ୍ରଥମ ମୁସଲିମ ଶିକ୍ଷୟିତ୍ରୀ ।

ଫୁଲେ ଦମ୍ପତି ୧୮୫୦ ବେଳକୁ ୧୮ଟି ସ୍କୁଲ ପ୍ରତିଷ୍ଠା କରିଥିଲେ । ସେମାନେ ଆହୁରି ପ୍ରତିଷ୍ଠା କରିଥିଲେ “ଶିଶୁ ହତ୍ୟା ପ୍ରତିରୋଧ ଗୃହ’ । ଏହାର ଉଦେ୍ଶ୍ୟ ଥିଲା ଧର୍ଷଣର ଶିକାର ହୋଇ ଗର୍ଭବତୀ ହୋଇଥିବା ମହିଳାମାନଙ୍କ ସନ୍ତାନ-ସନ୍ତତି ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ।

ଜନସେବା ମଧ୍ୟ ଦେଇ ସାବିତ୍ରୀଙ୍କ ଜୀବନର ଅବସାନ ଘଟିଥିଲା । ସେତେବେଳକୁ ପ୍ଲେଗ ମହାମାରୀ ବ୍ୟାପିଥାଏ । ପ୍ଲେଗ ରୋଗରେ ପୀଡ଼ିତ ପିଲାଟିକୁ ଯେତେବେଳେ କେହି ଛୁଇଁବାକୁ ଆଗେଇ ଆସୁନଥିଲେ, ସେତେବେଳେ ସେ ତାକୁ ପିଠିରେ ପକେଇ ଡାକ୍ତରଖାନାରେ ପହଂଚାଇଥିଲେ । ଏହା ଫଳରେ ସାବିତ୍ରୀ ସଂକ୍ରମଣର ଶିକାର ହୋଇଥିଲେ । ୧୮୯୭ ମାର୍ଚ୍ଚ ୧୦ରେ ତାଙ୍କ ଜୀବନଦୀପ ଲିଭି ଯାଇଥିଲା । ଏହି ସମାଜ ସଂସ୍କାରକ, ଶିକ୍ଷାବିତ ଓ ଶିକ୍ଷୟିତ୍ରୀଙ୍କ ୧୯୨ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଜଣାଉଛି ବିନମ୍ର ଶ୍ରଦ୍ଧାଞ୍ଜଳି ।

Photo Credit-https://bit.ly/3J9k5Bn

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.