ଏକବିଂଶ ଶତାବ୍ଦୀର ଆହ୍ୱାନ ଓ କିଶନ ପଟ୍ଟନାୟକଙ୍କ ବିଚାର

9 Views
9 Min Read

ବ୍ରିଟିଶ ଶାସିତ ଓଡ଼ିଶାର ଏକ ଗଡ଼ଜାତ (କଳାହାଣ୍ଡି)ର ସଦର ମହକୁମାରେ ଗୋଟିଏ ରାଜ କର୍ମଚାରୀ ପରିବାରରେ ଜନ୍ମଗ୍ରହଣ କରିଥିବା କିଶନ ପଟ୍ଟନାୟକ ସ୍ୱାଧିନୋତ୍ତର କାଳରେ ସମାଜବାଦୀ ବିଚାର ପ୍ରତି ଆକର୍ଷିତ ହୋଇ ଜୀବନର ୫୦ବର୍ଷରୁ ଉର୍ଦ୍ଧ୍ୱ କାଳ ଜଣେ ରାଜନୀତିକ କର୍ମୀ ଭାବରେ ବଞ୍ଚିଥିଲେ । ୩୨ବର୍ଷର ଯୁବାବସ୍ଥାରେ ସମ୍ବଲପୁର ଲୋକସଭା ଆସନରୁ ଥରେ ମାତ୍ର ନିର୍ବାଚିତ (୧୯୬୨-୬୭) ହେବାର ସୁଯୋଗ ପାଇ ପରବର୍ତ୍ତୀ ସମୟରେ ସେ ଅଖିଳ ଭାରତୀୟ ସ୍ତରରେ ଜଣେ ରାଜନୈତିକ ଚିନ୍ତକ, ଲେଖକ ଭାବରେ ଖ୍ୟାତ ତଥା ସୁପରିଚିତ । ତାଙ୍କର ତିରୋଧାନ (୨୭ ସେପ୍ଟେମ୍ବର ୨୦୦୪)ର ୨୨ ବର୍ଷ ପରେ ବି (ତାଙ୍କର) କର୍ମ ଓ ଚିନ୍ତନ ପ୍ରସୂତ ପ୍ରବନ୍ଧମାଳା ସାମ୍ପ୍ରତିକ ରାଜନୀତି- ଅର୍ଥନୀତି- ସମାଜ ବିଷୟକ ଗୁଢ଼ ପ୍ରଶ୍ନଗୁଡ଼ିକ ଉପରେ ଚିନ୍ତନ-ମନନ କରୁଥିବା ଯେକୌଣସି କର୍ମୀ, ଛାତ୍ର-ଗବେଷକ ତଥା ବୁଦ୍ଧିଜୀବୀମାନଙ୍କ ପାଇଁ ଏକ ମୌଳିକ ବିଚାର ଜଗତକୁ ପ୍ରବେଶର ଦ୍ୱାର ବୋଲି କହିବା ଅତିଶୟୋକ୍ତି ହେବ ନାହିଁ ।
୧୯୫୦ ଦଶକର ମଧ୍ୟ ଭାବରେ ତାଙ୍କର ରାଜନୈତିକ ‘ଗୁରୁ’ ଡକ୍ଟର ରାମମନୋହର ଲୋହିଆଙ୍କ ଦ୍ୱାରା ସଂପାଦିତ ଇଂରାଜୀ ପତ୍ରିକା ‘ମେନ୍ କାଇଣ୍ଡ’ ଏବଂ ହିନ୍ଦୀ ପତ୍ରିକା ‘ଜନ’ ଜଣେ ସଂପାଦନା-ସହଯୋଗୀ ଭାବରେ କାମ କରିବା ସହ ତାଙ୍କର ଏ ବିଷୟକ ପ୍ରତିଭାର ଉନ୍ମୋଚନ ହୋଇଥିଲା । ୧୯୭୭ରୁ ପ୍ରକାଶିତ ତାଙ୍କର ନିଜସ୍ୱ ସଂପାଦନରେ ହିନ୍ଦୀ ମାସିକ ‘ସାମୟିକ ବାର୍ତ୍ତା’ ଏବଂ ୧୯୯୩ରୁ ଓଡ଼ିଆରେ ପ୍ରକାଶିତ ବିକଳ୍ପ ବିଚାର ପୃଷ୍ଠାରେ ସ୍ଥାନିତ ତାଙ୍କର ସଂପାଦକୀୟ ତଥା ଅନ୍ୟାନ୍ୟ ଲେଖାଗୁଡ଼ିକ ଅନେକ ପ୍ରବନ୍ଧ ସଂକଳନ ଆକାରରେ ଉପଲବ୍ଧ । ତାଙ୍କର ପ୍ରବନ୍ଧଗୁଡ଼ିକ ସମସାମୟିକ ରାଜନୈତିକ ଘଟଣା ଓ ପ୍ରସଙ୍ଗ ଉପରେ ଟିପ୍ପଣୀ ଆକାରରେ ହୋଇଥିଲେ ବି ସେଗୁଡ଼ିକର ପୁସ୍ତକ ରୂପ ଅନେକ ଗମ୍ଭୀର ପ୍ରସଙ୍ଗରେ ବିଚାରଗତ ତଥା ବୌଦ୍ଧିକ ଦୃଷ୍ଟିରୁ ସୁସଂହତ ଓ ବିଚାରୋତ୍ତେଜକ ।
ସ୍ଥୂଳ ଭାବରେ ଦେଖିଲେ ତାଙ୍କର ରାଜନୈତିକ କର୍ମ ଓ ସଂପୃକ୍ତି କାରଣରୁ କିଶନ ପଟ୍ଟନାୟକଙ୍କୁ ଆମ ଦେଶରେ ଗାନ୍ଧି-ଲୋହିଆ-ଜୟପ୍ରକାଶ ବିଚାର ପରମ୍ପରାର ଜଣେ ବାହକ କୁହାଯାଇପାରେ । କିନ୍ତୁ ୧୯୯୦ଦଶକରେ ତାଙ୍କର ଚିନ୍ତନ-ଲେଖନକୁ ଅନୁଧ୍ୟାନ କଲେ ସେ କାଳଖଣ୍ଡର ବୈ·ରିକ ସଂକଟର ପୃଷ୍ଠଭୂମିରେ ତାଙ୍କର ବୌଦ୍ଧିକ ହସ୍ତକ୍ଷେପକୁ ଅନେକ ଦୃଷ୍ଟିରୁ ଗଭୀରତର ତଥା ମୌଳିକ କୁହାଯାଇପାରେ ।
୧୯୮୦ ଦଶକର ସମାପ୍ତି ବେଳକୁ କମ୍ୟୁନିଷ୍ଟ ମହାଶକ୍ତି ସୋଭିଏତ ଋଷିଆର ପତନ ଓ ବିଘଟନ ହେବା ସହ ଆର୍ଥିକ ଓ ସାମରିକ ଦୃଷ୍ଟିରୁ ଏକ ଧ୍ରୁବୀୟ ବିଶ୍ୱର ଉଦୟ ହେଲା । ବିଶ୍ୱ ପୁଞ୍ଜିବାଦର ଜୟ ଜୟକାର ସହ ‘ଇତିହାସର ଅନ୍ତ’ ଘୋଷଣା କରାଗଲା । ସାରା ବିଶ୍ୱସ୍ତରରେ ଏକମାତ୍ର ମହାଶକ୍ତି ଯୁକ୍ତରାଷ୍ଟ୍ର ଆମେରିକାର ନେତୃତ୍ୱରେ ୧୯୯୦ ଦଶକର ପ୍ରାରମ୍ଭରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ପରିକଳ୍ପିତ’ଗାଟ୍ ରାଜିନାମା ପ୍ରକ୍ରିୟା ଚଳେଇ ‘ବିଶ୍ୱ ବାଣିଜ୍ୟ ସଂଗଠନ’ସାକାର କରିବା ଯୋଜନା ଆରମ୍ଭ ହେଲା । ଏହି କାଳଖଣ୍ଡରେ ଭାରତରେ ତିନୋଟି ପରିଘଟଣା କ୍ରମାନ୍ୱୟରେ ଘଟିଲା ଯାହାର ଫଳସ୍ୱରୂପ ଦେଶର ଅର୍ଥନୀତି, ରାଜନୀତି ଓ ତଥା ସମାଜର ସବୁକ୍ଷେତ୍ରରେ କାଳକ୍ରମେ ଅଭୂତପୂର୍ବ ପରିବର୍ତ୍ତନ ଘଟିଲା । ପ୍ରଥମ ଘଟଣାଟି ହେଲା, ବିଶ୍ୱନାଥ ପ୍ରତାପ ସିଂହଙ୍କ ସରକାର ଦ୍ୱାରା ମଣ୍ଡଳ କମିଶନର ଏକ ସୁପାରିଶ (ପଛୁଆବର୍ଗ ପାଇଁ ୨୭% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା)କୁ ଲାଗୁ କରିବାରୁ ନିଷ୍ପତ୍ତି ଏବଂ ତା’ବିରୁଦ୍ଧରେ ଦେଶବ୍ୟାପୀ ଉଗ୍ର ଆନ୍ଦୋଳନ । ଦ୍ୱିତୀୟ ଘଟଣାଟି ହେଲା ଭି.ପି. ସିଂହ ସରକାରକୁ ବାହାରୁ ସମର୍ଥନ ଦେଉଥିବା ବି.ଜେ.ପି. ତରଫରୁ ସମର୍ଥନ ପ୍ରତ୍ୟାହାର ସହ ରାମମନ୍ଦିର ସପକ୍ଷରେ ବାବ୍ରି ମସଜିଦ କୁ ଧ୍ୱଂସ କରିବାର ଲକ୍ଷ୍ୟ ନେଇ ଲାଲକୃଷ୍ଣ ଆଡ଼ଭାନୀଙ୍କ ନେତୃତ୍ୱରେ ଏକ ରଥଯାତ୍ରାର ଆରମ୍ଭ ଏବଂ ଦେଶବ୍ୟାପୀ ହିନ୍ଦୁ-ମୁସଲିମ୍ ବିଦ୍ୱେଷର ଉଗ୍ରରୂପ ଧାରଣ । ଏପରି ଏକ ରାଜନୈତିକ ବାତାବରଣରେ ଭି.ପି.ସିଂହ ସରକାରର ପତନ ସହ ସାଧାରଣ ନିର୍ବାଚନ ହୋଇ ପି.ଭି. ନରସିଂହ ରାଓଙ୍କ ନେତୃତ୍ୱରେ ଏକ ନୂତନ ସରକାରର ଗଠନ ହେଲା । ଏହି ନୂତନ ସରକାର ତରଫରୁ ଦେଶକୁ ଅସାଧାରଣ ଆର୍ଥିକ ସଂକଟରୁ ମୁକୁଲାଇବା ନାଁରେ ନୂଆ ଆର୍ଥିକ ନୀତିର ଆଳରେ ବିଶ୍ୱ ପୁଞ୍ଜିବାଦୀ ଶକ୍ତିମାନଙ୍କ ଚାପ ଓ ଫାସରେ ପଡ଼ି ଉଦାରୀକରଣ ଘରୋଇକରଣ ଜଗତିକରଣ ଆର୍ଥିକ ନୀତିର ଅନୁସରଣ ।
ଉପରୋକ୍ତ ତିନୋଟି ପରିଘଟଣା ଯେ କେବଳ ଦେଶର ଅର୍ଥନୀତି, ରାଜନୀତି ତଥା ସମାଜର ସବୁ କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନର ସୂତପାତ୍ର କଲା ସେତିକି ନୁହେଁ, ବିଚାରଗତ ସ୍ତରରେ ଏକ ପ୍ରତି କାନ୍ତିକରୀ ଯୁଗର ମଧ୍ୟ ସୂତ୍ରପାତ ହେଲା । ବୌଦ୍ଧିକ ଜନ ମାନସରେ ବୈଚାରିକ ସ୍ତରରେ ଏକ ଗମ୍ଭୀର ତଥା ସ୍ଥାୟୀ ସଂକଟ ସୃଷ୍ଟି ହେଲା । ଧର୍ମ ଓ ରାଜନୀତିର ସଂପର୍କ, ଜାତିଭିତ୍ତିକ ସ୍ଥାନ ସଂରକ୍ଷଣ ଓ ସାମାଜିକ ନ୍ୟାୟର ପ୍ରସଙ୍ଗ ତଥା ଏକ ଜନମଙ୍ଗଳକାରୀ ରାଷ୍ଟ୍ର ନିର୍ମାଣ ସହ ସମତାମୂଳକ ସମାଜ ନିର୍ମାଣର ସ୍ୱପ୍ନ ଆଦି ପ୍ରଶ୍ନକୁ ନେଇ ସବୁ ସ୍ତରରେ ଏକ ବିଚାରଗତ ବିଭ୍ରାନ୍ତି ସୃଷ୍ଟି ହେଲା ।
ଏହି ସବୁ ଘଟଣା ତ୍ରୟର ଅନ୍ତଃ ସଂପର୍କକୁ ସୂକ୍ଷ୍ମ ଭାବରେ ବୁଝିପାରିବା, ସେ ସବୁର ପୃଷ୍ଠଭୂମିକୁ ବିଶ୍ଲେଷଣ ପୂର୍ବକ ଦୂରଗାମୀ ପରିଣାମକୁ ଗମ୍ଭୀରତା ସହ ହୃଦୟଙ୍ଗମ କରି ତାକୁ ପ୍ରତିରୋଧ କରିବା ପାଇଁ ଜନଗଣଙ୍କ ଭିତରେ ସଚେତନତା ସୃଷ୍ଟି ପାଇଁ ଏହି କାଳଖଣ୍ଡରେ ନିରବଚ୍ଛିନ୍ନ କାମ କରିଥିବା କତିପୟ ରାଜନେତା ବୁଦ୍ଧିଜୀବୀମାନଙ୍କ ଭିତରେ କିଶନ ପଟ୍ଟନାୟକ ଜଣେ ଅଗ୍ରଣୀ ରାଜନୈତିକ କର୍ମୀ ଥିଲେ । ବିଭିନ୍ନ ଜନ ଆନ୍ଦୋଳନ ମାନଙ୍କରେ ସକ୍ରୀୟ ଭାଗିଦାରୀ ସମାଜ ପରିବର୍ତ୍ତନ ପାଇଁ ବ୍ରତୀ କର୍ମୀମାନଙ୍କୁ ପ୍ରଶିକ୍ଷିତ କରିବା, ଚିନ୍ତାଶୀଳ ଜନବାଦୀ ବୁଦ୍ଧିଜୀବୀମାନଙ୍କୁ ସହ ସଂବାଦ କରି ପ୍ରେରିତ କରିବା ସାଂଗକୁ ନିରନ୍ତର ଚିନ୍ତନ ଓ ଲେଖନୀ ମାଧ୍ୟମରେ ସେ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସକ୍ରିୟ ରହିଥିଲେ ।
ଏହି କାଳଖଣ୍ଡରେ ହିନ୍ଦୀ ଭାଷାରେ ରଚିତ ଦୁଇଟି ପ୍ରବନ୍ଧ ସଂକଳନର ନାମକରଣ ‘ଭାରତ ଶୁଦ୍ରୋ କା ହୋଗା ଓ ବିକଳ୍ପହୀନ ନାହିଁ ହେ ଦୁନିଆଁ । ଏବଂ ଓଡ଼ିଆ ପ୍ରବନ୍ଧ ସଂକଳନ ଭାରତୀୟ ବୁଦ୍ଧିଜୀବନର ସଂକଟ ଓ ଅନ୍ୟାନ୍ୟ ପ୍ରବନ୍ଧରେ ସ୍ଥାନିତ ପ୍ରବନ୍ଧମାନଙ୍କରୁ ତାଙ୍କର ତୀକ୍ଷ୍ମ ବିଚାରର ପରିଚୟ ମିଳେ । ‘ବିକଳ୍ପ ବିଚାର’ ପତ୍ରିକାରେ ତାଙ୍କର ସଂପାଦକୀୟମାନଙ୍କରୁ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ଦୂରଦୃଷ୍ଟି ଜାଣି ହୁଏ । ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଆମ ଦେଶର ଶ୍ରେଷ୍ଠ ସନ୍ନ୍ୟାସୀ ସ୍ୱାମୀ ବିବେକାନନ୍ଦଙ୍କର ଉଦ୍ଘୋଷକୁ ନିଜ ପ୍ରଥମ ପୁସ୍ତିକାର ଶୀର୍ଷକ ‘ଭାରତ ଶୁଦ୍ରଙ୍କର ହେବ’ ରଖି ସେ ଜାତିବ୍ୟବସ୍ଥାର ଅସଲ ରୂପ ଏବଂ ଧାର୍ମିକ ରାଷ୍ଟ୍ରବାଦ ନାମରେ ଧାର୍ମିକ ଉନ୍ମାଦକୁ ପ୍ରତିହତ କରିବା ପାଇଁ ତାଙ୍କର ସ୍ପଷ୍ଟ ବିଚାର ତଥା ସାମାଜିକ -ରାଜନୈତିକ ରାଜନୀତି ପ୍ରସ୍ତୁତ କରିଛନ୍ତି ବିଭିନ୍ନ ପ୍ରବନ୍ଧରେ । ବିଶ୍ୱ ପୁଞ୍ଜିବାଦରେ ବିଜୟ ବାନା ଉଡ଼ାଇ ଏହାର କୌଣସି ବିକଳ୍ପ ନାହିଁ ବୋଲି ଢୋଲ ପିଟା ସମୟରେ ତାଙ୍କର ଦ୍ୱିତୀୟ ପୁସ୍ତକର ନାମ ଦେଇଥିଲେ ଏହି ଦୁନିଆ ବିକଳ୍ପହୀନ ନୁହେଁ । ଏଥିରେ ସ୍ଥାନିତ ପ୍ରବନ୍ଧଗୁଡ଼ିକରେ ପ୍ରଚଳିତ ବିକାଶ ପ୍ରଦ୍ଧତି ଓ ଆଧୁନିକ ପାଶ୍ଚାତ୍ୟ ପ୍ରଯୁକ୍ତି ବିଦ୍ୟାର ବିକଳ୍ପ ପ୍ରସଙ୍ଗଠାରୁ ଆରମ୍ଭ କରି ଏକ ସମୃଦ୍ଧ ରାଷ୍ଟ୍ର ନିର୍ମାଣ ପାଇଁ ପ୍ରକୃତ ରାଷ୍ଟ୍ରବାଦର ପରିଭାଷା ଓ ଧର୍ମନିରପେକ୍ଷତା ଘୋଷଣାପତ୍ର ଭଳି ଗମ୍ଭୀର ପ୍ରସଙ୍ଗ ଉପରେ ସେ ତାଙ୍କର ଚିନ୍ତନକୁ ଶବ୍ଦବଦ୍ଧ କରିଛନ୍ତି । ୧୯୫୮ଲିଖିତ ତାଙ୍କର ଦୀର୍ଘ ପ୍ରବନ୍ଧ ‘ଭାରତୀୟ ବୁଦ୍ଧିଜୀବୀର ସଂକଟ’ଠାରୁ ଆରମ୍ଭ କରି ଜୀବନ ଅନ୍ତିମ ସମୟ ପର୍ଯ୍ୟନ୍ତ ସେ ଦେଶର ବୁଦ୍ଧିଜୀବୀମାନଙ୍କର ଦୁର୍ବଳତାକୁ ଚିହ୍ନଟ କରିବା ସହ ଏକ ଆଧୁନିକ ରାଷ୍ଟ୍ର ନିର୍ମାଣ ପାଇଁ ସେମାନଙ୍କର ଭୂମିକାକୁ ନେଇ ଅନବରତ ଭାବେ ସେ ଆହ୍ୱାନ କରୁଥିଲେ ।
କିଶନ ପଟ୍ଟନାୟକ ତିନିବର୍ଷ ପୂର୍ବରୁ ତାଙ୍କୁ ୭୦ ବର୍ଷ ପୁରି ସାରିଥିବା ସମୟରେ ୨୦୦୧ ମାର୍ଚ୍ଚ ୧୫ତାରିଖ ଦିନ ନିଜର ଘନିଷ୍ଠ ସାଥିମାନଙ୍କ ଉଦେ୍ଦଶ୍ୟରେ ଏକ ଖୋଲାପତ୍ର ଲେଖି ପ୍ରସାରିତ କରିଥିଲେ । ତାହା ଏକ ଅତି ମାର୍ମିକ ଓ ହୃଦୟସ୍ପର୍ଶୀ । ତାଙ୍କର ରାଜନୀତି ଓ ବି·ରକୁ ବୁଝିବାପାଇଁ ତାହାର ଏକ ଅଂଶ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ ।
“ଆଜିର ସମୟରେ ରାଜନୈତିକ ନୀରବତାର ଅର୍ଥ ହେଉଛି ମାନବ ସମାଜର ପତନ ଓ ବିପର୍ଯ୍ୟୟ ପ୍ରତି ଉଦାସୀନତା । ରାଜନୀତି ସହ ସଂଶ୍ଲିଷ୍ଟ ହୋଇ କାମ କରିବାର ଏହା ହେଉଛି ମୋ ପାଇଁ ପ୍ରଥମ କାରଣ । ଧ୍ରୁବୀକରଣ ବ୍ୟବସ୍ଥା କାରଣରୁ ରାଷ୍ଟ୍ର ତଥା ମାନବ ସମାଜର ଯେଉଁ ଘୋର ବିପର୍ଯ୍ୟୟ ହେବାକୁ ଯାଉଛି, ତା’ବିରୁଦ୍ଧରେ ଏକ ରଣନୀତି ପ୍ରସ୍ତୁତି କାମ ଅତି ମନ୍ଥର ଗତିରେ ଚାଲିଛି । ତାହାକୁ ତୀବ୍ର, ବିଶ୍ୱସନୀୟ ଓ ସଂଘର୍ଷମୟ କରିବା ଏବଂ ସେ ବିଷୟକ ବିଚାର ଓ ଦିଗକୁ ସ୍ପଷ୍ଟ କରିବା ସାମ୍ପ୍ରତିକ ସମୟର ପ୍ରକୃତ ରାଜନୀତି । ଏହି କାର୍ଯ୍ୟରେ ମୋର ଯୋଗଦାନ ଯେତେ ବି ଆଂଶିକ ଓ ସୀମିତ ହେଉ ପଛେ, ତାକୁ ଜାରି ରଖିବାପାଇଁ ମୋର ପ୍ରବଳ ଇଚ୍ଛା । କାରଣ ମାନବସମାଜକୁ ଭବିଷ୍ୟତର ବିପର୍ଯ୍ୟରୁ ରକ୍ଷା କରିବା ଏହି ରାଜନୀତିର ଉଦ୍ଦେଶ୍ୟ ।
କିଶନ ପଟ୍ଟନାୟକଙ୍କ ଉପରୋକ୍ତ ଓ ଉଦ୍ଦେଶ୍ୟରୁ ତାଙ୍କର ଜୀବନର ଅନ୍ତିମ ସମୟର ରାଜନୈତିକ ପ୍ରାଥମିକତା ସ୍ପଷ୍ଟ ହୁଏ । ତାଙ୍କର ସମାଜବାଦୀ ଦୃଷ୍ଟିରେ ଗ୍ଲୋବିକରଣ (ଜଗତୀକରଣ) କେବଳ ଆମ ଦେଶ ପାଇଁ ନୁହେଁ, ମାନବ ସମାଜ ପାଇଁ ମଧ୍ୟ ପତନ ଓ ବିପର୍ଯ୍ୟୟର ପ୍ରମୁଖ କାରଣ ହେବ । ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ସେ ଏପରି ଏକ ଚରମ ଭବିଷ୍ୟବାଣୀ କରିଥିଲେ ଇତି ମଧ୍ୟରେ ୨୫ ବର୍ଷ ବିତି ସାରିଛି ।
କିଶନ ପଟ୍ଟନାୟକଙ୍କ ଭାଷାରେ ଉଗ୍ର ପକ୍ରିୟା କାରଣରୁ ସମାଜରେ ଆର୍ଥିକ ବିଷମତା ଅତୀତର ସାମନ୍ତବାଦୀ ବ୍ୟବସ୍ଥା ତୁଳନାରେ ଅଧିକ ଉକ୍ରଟ ହେବ । ପ୍ରକୃତିର ସୀମାହୀନ ଅବିଚାରିତ ଦୋହନ ଆଧାରିତ ବିକାଶର ଧାରା ମାନବ ପ୍ରଜାତିର ଧ୍ୱଂସକୁ ତୀବ୍ରତର କରିବ ।
ଆମ ଦେଶର ସମସ୍ତ ପ୍ରମୁଖ ରାଜନୈତିକ ଦଳ ‘ଜଗତୀକରଣ’, ‘ବ୍ୟବସ୍ଥାର ବିକଳ୍ପ ନାହିଁ’ ବୋଲି ଅବଧାରଣାଟିକୁ କାଳକ୍ରମେ ଆତ୍ମସମର୍ପଣ କଲା ଭଳି ସ୍ୱୀକାର କରି ନେଇଛନ୍ତି । ଦେଶ ଓ ଜନଗଣଙ୍କ ସଙ୍କଟ ଘନୀଭୂତ ହୋଇ ଚାଲିଥିବା ବେଳେ ବିକଳ୍ପ ଖୋଜିବାର ଇଚ୍ଛା ଶକ୍ତିଟି ବୌଦ୍ଧିକ ସ୍ତରରେ ମୃତ ଭଳି ମନେ ହେଉଛି ।
ଦେଶର ଅର୍ଥବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବରେ ଅଳ୍ପସଂଖ୍ୟକ ଦେଶୀ-ବିଦେଶୀ ମିଳିତ କର୍ପୋରେଟମାନଙ୍କ ହାତରେ ସମ୍ପୂର୍ଣ୍ଣ ସମର୍ପି ଦିଆଯାଉଛି । ତାହାର ନିଷ୍ଠୁର ପରିଣତି- ଏକ ପ୍ରତିଶତ ପୁଞ୍ଜିପତିଙ୍କ ହାତରେ ଦେଶର ୪୦% ସଂପତ୍ତି ଠୁଳ ହେଉଥିବାର ତଥ୍ୟ ଉପହାର କରୁଛି ।
ନବ୍ୟଉଦାରବାଦ ନାଁରେ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ସମସ୍ତ ଜନମଙ୍ଗଳକାରୀ କ୍ଷେତ୍ରକୁ ବଜାର ହାତରେ ଟେକି ଦେଇ ରାଷ୍ଟ୍ର ନିଜକୁ କ୍ରମାଗତ ଭାବରେ ଦାୟିତ୍ୱମୁକ୍ତ କରି·ଲିଛି । ଗତ ୧୨ବର୍ଷ ହେଲା କେନ୍ଦ୍ର ଓ ଆଜି ୨୧ଟି ରାଜ୍ୟର ବି.ଜେ.ପି. ଶାସିତ ସରକାର । ହିନ୍ଦୁତ୍ୱ ରାଷ୍ଟ୍ରବାଦର ବାନା ଧରି ଧାର୍ମିକ ଧ୍ରୁବୀକରଣର ରାଜନୀତି ବଳରେ ରାଷ୍ଟ୍ର ନିର୍ମାଣର ଧାରାକୁ ପଶ୍ଚାତ୍ଗାମୀ କରିଚାଲିଛି । ଆନ୍ତର୍ଜାତିକ ସ୍ତରରେ ମହାଶକ୍ତି ଆମେରିକା ଆଗରେ ନତମସ୍ତକ ହେବାକୁ କୂଟନୀତିର ଆଖ୍ୟା ଦିଆଯାଉଛି ।
ସମ୍ପ୍ରତି ବିଶ୍ୱସ୍ତରରେ ମଧ୍ୟ ବିଭିନ୍ନ ଦେଶରେ ଦକ୍ଷିଣପନ୍ଥୀ ଶକ୍ତିମାନଙ୍କର ଅଭ୍ୟୁଦୟ ଘଟୁଛି । ଏକବିଂଶ ଶତାବ୍ଦୀର ଏହିସବୁ ଆହ୍ୱାନକୁ ବୁଝିବା ପାଇଁ କିଶନ ପଟ୍ଟନାୟକଙ୍କର ଚିନ୍ତନ ପ୍ରସୂତ ବିଚାରମାନର ଅଧ୍ୟୟନ ସହାୟକ ହେବ କି?

Total Views: 9

Comments

0 comments

Share This Article