‘ଆହେ ଦୟାମୟ’ରୁ ‘ଲକ୍ଷ୍ମୀ ପୁରାଣ’

8 Min Read

‘ଆହେ ଦୟାମୟ ବିଶ୍ୱ ବିହାରୀ’ କବିତାଟି ଅଧିକାଂଶ ଓଡ଼ିଶାବାସୀଙ୍କୁ ଜଣା । ବର୍ଷ ବର୍ଷ ଧରି ଏହି ଗୀତଟିକୁ ସ୍କୁଲରେ ପଢ଼ାଯାଉଥିବାବେଳେ ଜନମାନସରେ ଏହି ଗୀତଟି ଅସ୍ଥିମଜ୍ଜାଗତ ହୋଇ ରହିଆସିଛି । ପିଲାମାନେ ଖୁସି ମନରେ ଏହା ବୋଲୁଥିବାବେଳେ ବୟସ୍କମାନେ ବି ଗୀତଟିକୁ ହାତଛଡ଼ା କରି ନଥାନ୍ତି । ପିଢ଼ି ପରେ ପିଢ଼ି ଏହି ଗୀତଟି ଓଡ଼ିଶାରେ ଚର୍ଚ୍ଚାର କାରଣ ପାଲଟିଆସିଛି । ହେଲେ ବାସ୍ତବ ପକ୍ଷେ ଏହି ଗୀତଟିର ଆଭିମୁଖ୍ୟ କ’ଣ, କ’ଣ ଏହାର ଉଦ୍ଦେଶ୍ୟ, ପ୍ରକୃତରେ ସତ କ’ଣ, ସାବଲୀଳ ଭାଷାରେ କିପରି ପିଲାଙ୍କୁ ଅନ୍ଧଦୁନିଆ ଭିତରକୁ ଠେଲି ଦିଆଯାଉଛି- ଏସବୁର ସମୀକ୍ଷା କରିବାକୁ କେହି ଚାହାଁନ୍ତି ନାହିଁ କି ସେପରି ମାନସିକତା ପୋଷଣ କରନ୍ତି ନାହିଁ । ମଣିଷ ଭିତରେ ରହିଥିବା ଏକ ଭାବଗତ ଅନ୍ଧଭାବନା ଏହି ଗୀତଟିର ସମୀକ୍ଷା କରିବାକୁ ମନ ବଳାଇ ନଥାଏ କି ସେଥିପ୍ରତି ସାହସ ମଣିଷ ଜୁଟାଇ ପାରିନଥାଏ ।
ଭଗବାନ କିଏ? ସେ ସତରେ ଅଛନ୍ତି କି? ଭଗବାନ କେଉଁ ଧର୍ମର? ସେ କାହାକୁ ନିଜର ବୋଲି ଦେଖନ୍ତି? ଯଦି ଭଗବାନ ସବୁ ମଣିଷଙ୍କୁ ସମାନ ଦେଖନ୍ତି ତେବେ କିଏ ଧନୀ କିଏ ଗରିବ କାହିଁକି? ମଣିଷ ନିଜେ ସବୁ କରି ବି କାହିଁକି ଭଗବାନଙ୍କୁ ଟାଣେ? ଏସବୁ ପ୍ରଶ୍ନର ଉତ୍ତର ନଖୋଜି ଏହି କବିତାର ପ୍ରଥମ ଦୁଇ ଧାଡ଼ିରେ ରହିଛି- ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟା ବହି ମୋର ଗୁହାରି । ବିଶ୍ୱରେ ଏକଛତ୍ରବାଦୀ ରାଷ୍ଟ୍ରମାନେ ସାରା ଜଗତକୁ ଶୋଷଣ କରନ୍ତି, ଯୁଦ୍ଧ କରି ଲକ୍ଷ ଲକ୍ଷ ଲୋକଙ୍କୁ ଦୁର୍ଦ୍ଦିନ ଭିତରକୁ ଠେଲି ଦିଅନ୍ତି । ବିଶ୍ୱରେ ହିଟଲର, ମୁସୋଲିନୀଙ୍କ ପରି ଶାସକମାନେ ଅବତୀର୍ଣ୍ଣ ହୋଇ ନରହତ୍ୟାର ନଦୀ ବୁହାଇଥାନ୍ତି । ତଥାପି ଭଗବାନଙ୍କୁ କବିତାରେ କୁହାଯାଇଛି- ଦୟାମୟ ବିଶ୍ୱ ବିହାରି । ଯଦି ଭଗବାନ ସତ; ତେବେ ଜନଗଣଙ୍କୁ ଅମାନୁଷିକ ହତ୍ୟା କରାଯାଉଥିବା ବେଳେ ଭଗବାନ କେଉଁଠି ଥିଲେ? ମରଣମୁଖୀ ଲୋକେ କ’ଣ ସେମାନଙ୍କ ଧର୍ମର ଦେବତାକୁ ବଞ୍ଚିବା ଲାଗି ପ୍ରାର୍ଥନ କରି ନଥିଲେ କି? ଯଦି ଭଗବାନ ଶୁଣିଥିଲେ ତେବେ କୋଟି କୋଟି ଲୋକଙ୍କୁ ହତ୍ୟା କରାଗଲା କିପରି?
କବିତାରେ କୁହାଯାଇଛି ଭଗବାନ ଜଳ, ସ୍ଥଳ, ବନ, ଗିରି, ଆକାଶ… ତୁମ ଲୀଳା ସବୁଠାରେ ପ୍ରକାଶ । ଏହା ଯଦି ସତ ତେବେ ରାଜରାସ୍ତାରେ କାହିଁକି ହତ୍ୟାକାଣ୍ଡ ଘଟୁଛି? କାହିଁକି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଲୋକଙ୍କୁ ଭଗବାନ ରକ୍ଷା କରିପାରୁନାହାନ୍ତି? କାହିଁକି ବିପର୍ଯ୍ୟୟ ବେଳେ ଲକ୍ଷ ଲକ୍ଷ ଲୋକ ଆତୁର ସହକାରେ ଡାକୁଥିବା ସତ୍ତ୍ୱେ ସେ ଆଖି ବୁଜି ଦିଅନ୍ତି? ଯଦି ସବୁ କିଛି ତାଙ୍କ ଲୀଳା, ତେବେ ଜଣେ ନାରୀକୁ ଗଣଦୁଷ୍କର୍ମ ହେଉ ବା ଭୟଙ୍କର ଭିଡ଼ହତ୍ୟା ହେଉ ବା ଗଣହତ୍ୟା…ଏସବୁ କ’ଣ ତାଙ୍କ ଲୀଳା କି?
କବିତାରେ ବି କୁହାଯାଇଛି-ମୋର ଧନ, ଜନ ଲୋଡ଼ା ନାହିଁ ହେ । ଏହି ଧାଡ଼ିଟି କେତେ ଯେ ବିପଦପୂର୍ଣ୍ଣ ତାହାର କେହି ସମୀକ୍ଷା କରିନଥାନ୍ତି । ଅନ୍ୟ ପ୍ରାଣୀ ପରି ମଣିଷ ବିବର୍ତ୍ତନର ପ୍ରକ୍ରିୟାରେ ବିକଶିତ ହୋଇଥିବା ଏକ ଉନ୍ନତ ଧରଣର ପ୍ରାଣୀ । ଅନେକ ନୃତତ୍ତ୍ୱବିତ୍, ବିବର୍ତ୍ତନବିତ୍ ଏହାକୁ ହଜାରେ ଥର ପ୍ରମାଣିତ କରିସାରିଛନ୍ତି । ମଣିଷ ଯାହା କିଛି ହୋଇଛି ବା ଯେଉଁ ସ୍ତରରେ ପହଂଚଛି ସେଥିରେ ପ୍ରକୃତିର ହିଁ ମହାନ ଭୂମିକା ରହିଛି । ଲକ୍ଷ ଲକ୍ଷ ବର୍ଷ ତଳର ପ୍ରାକୃତିକ ବିବର୍ତ୍ତନ ମଣିଷର ସବୁ କିଛି । ଲାଙ୍ଗୁଡ଼ ହଟାଇବାଠାରୁ ଆରମ୍ଭ କରି ସିଧା ହୋଇ ଚାଲିବା, ଆଗର ଦୁଇ ଗୋଡ଼କୁ ହାତଭାବେ ବ୍ୟବହାର କରିବା, ନିଆଁର ବ୍ୟବହାର ଶିଖିବା, ଗୁମ୍ଫା ଓ ଗଛ କୋରଡ଼ ଛାଡ଼ି ପଦାକୁ ଆସିବା, ଲିପି ଓ ଭାଷା ବ୍ୟବହାର କରିବା- ଏସବୁ ପର୍ଯ୍ୟାୟର ଉନ୍ନୀତ ହେବା ଲାଗି ମଣିଷକୁ ଲକ୍ଷ ଲକ୍ଷ ବର୍ଷ ଲାଗିଯାଇଛି । ଏଥିରେ ରହିଛି ମଣିଷର ଆତ୍ମବିଜ୍ଞାନ, ଅଭିଜ୍ଞତା ଇତ୍ୟାଦି । ପ୍ରଜନନ ଏକ ମହାନ ପ୍ରକ୍ରିୟା । ଏହାକୁ କେହି ବିରୋଧ କରିବା ଅନୁଚିତ । ସମଗ୍ର ଜୀବଜଗତ ଲାଗି ଏହା ଜରୁରୀ । ମାତ୍ର ଗୀତରେ କୁହାଯାଇଛି ଜନ ଲୋଡ଼ା ନାହିଁ ବୋଲି । ଏହା ଏକ ଉନ୍ମାଦ ଚିନ୍ତାଧାରା । ବ୍ରହ୍ମାକୁମାରୀ-ବ୍ରହ୍ମାକୁମାର ସଂଗଠନ ପରି ଲୋକେ ଯଦି ଅବିବାହିତ ରହିବେ ତେବେ ଏହି ଧରା, ସଭ୍ୟତା, ସଂସ୍କୃତି ରହିବ କିପରି? ଅବିବାହିତ ରହିଲେ ବିଶ୍ୱର କ’ଣ ବିକାଶ ଘଟିବ? ଅଧିକାଂଶ ମହାପୁରୁଷ, ମହାବିଜ୍ଞାନୀ, ସମାଜବିଜ୍ଞାନୀ, ଦାର୍ଶନିକ, ଗବେଷକ, ମହାକାଶବିତ, ଜ୍ୟୋତିର୍ବିତ, ଗଣିତଜ୍ଞ, କବି, ଲେଖକ, ନେତା, ଚିତ୍ରକର ତ ବିବାହ କରିଥିଲେ । ‘ଜନ ଲୋଡ଼ା ନାହିଁ’ କହି ଏକ ମହାନ ବାର୍ତ୍ତାକୁ ଅବମାନନା କରାଯାଉ ନାହିଁ କି? କୌଣସି ଲେଖା ବା ତତ୍ତ୍ୱକୁ କେବେ ବି କେହି ଅନ୍ଧ ଭାବେ ଗ୍ରହଣ କରିବା ଅନୁଚିତ ।
କବିତାରେ ପୁଣି ରହିଛି- ଧନ ଲୋଡ଼ା ନାହିଁ । ସମାଜର କ’ଣ କେବଳ ଧନୀମାନଙ୍କ ସପକ୍ଷରେ ଏହି ମତଟି ଦିଆଯାଇଛି । ପୁଞ୍ଜିପତିମାନେ କେବଳ ଧନ ଉପାର୍ଜନ କରିବେ, ସଂଚିତ କରିବେ, ଲୋକଙ୍କୁ ଶୋଷଣ କରିବେ-ଏହା ହେଉଛି କବିତାର ବାସ୍ତବ ଉଦେଶ୍ୟ । ଜନତାଙ୍କୁ ଗରିବ ବଳୟରେ ଅର୍ଥାତ ଦାରିଦ୍ର୍ୟ ମଧ୍ୟରେ ବାନ୍ଧି ରଖି ଧନୀକମାନଙ୍କୁ ଧନ ସଂଚୟର ମାର୍ଗ ଖୋଲିବା ଉଦେ୍ଦଶ୍ୟରେ ଏହା ରଚିତ । ଦାରିଦ୍ର୍ୟ, ଗରିବୀରେ ଦୁନିଆର ସିଂହଭାଗ ଲୋକ ରହୁଥିବାବେଳେ ବସ, ବାସହୀନ ଲୋକଙ୍କ ସଂଖ୍ୟା ଶତାଧିକ କୋଟି । ସେମାନେ ବଞ୍ଚିବାର ଅଧିକାରରୁ ବଞ୍ଚିତ । ସେମାନଙ୍କ ନିକଟରେ ବଞ୍ଚିବା ଲାଗି ସର୍ବନିମ୍ନ ଉପାର୍ଜନ ନାହିଁ । ଧନୀ, ଦୁର୍ନୀତିଗ୍ରସ୍ତ ଲୋକଙ୍କ ହାତରେ ସମ୍ପଦ ଠୁଳ ହେବାରେ ଲାଗିଛି । ଧନ ଅର୍ଥ ଏହା ନୁହେଁ ଯେ, ଅନୀତି, ଦୁର୍ନୀତି କରି ଧନ ଉପାର୍ଜନ କରିବା । ମଣିଷ ପରି ବଞ୍ଚିବା ଲାଗି ଯେତିକି ଆବଶ୍ୟକ ସେତିକି ହିଁ ଜଣେ ମଣିଷ ଲାଗି ଯଥେଷ୍ଟ ।
ଭଗବାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ବା ଅନୁରୋଧ କରାଯାଇଛି- ମେତେ ଭଲ ବାଟ ପରା ଦେଖାଅ । ଯଦି ଭଗବାନ ସମସ୍ତଙ୍କୁ ଭଲ ବାଟ ଦେଖାଉଥିବେ ତେବେ ଦେଶରେ ହଜାର ହଜାର ଡକାୟତ, ଲୁଟେରା, ହତ୍ୟାକାରୀ, ଦୁଷ୍କର୍ମକାରୀ ସୃଷ୍ଟି ହେଉଛନ୍ତି କିପରି? ସରକାରୀ ବାବୁମାନେ ଦୁର୍ନୀତିଗ୍ରସ୍ତ ହେଉଛନ୍ତି କିପରି?
ଜଗନ୍ନାଥଙ୍କୁ ଜଗତର ନାଥ ବୋଲି କୁହନ୍ତି । ଯଦି ସେ ଜଗତର ନାଥ, ତେବେ ତାଙ୍କ ମନ୍ଦିର ଭିତରକୁ ଅନ୍ୟ ଧର୍ମର ଲୋକଙ୍କୁ କାହିଁକି ବାରଣ? ତାଙ୍କର ସେବା ନିମନ୍ତେ କାହିଁକି କେବଳ ତଥାକଥିତ ଦଇତାପତିମାନେ ନିୟୋଜିତ ହୋଇଛନ୍ତି? ହିନ୍ଦୁ, ମୁସଲମାନ, ବୌଦ୍ଧ, ଜୈନ, ଖ୍ରୀଷ୍ଟିଆନ ଧର୍ମର ଲୋକ କାହିଁକି ସାମିଲ ନୁହଁନ୍ତି ? ଏକ ହିନ୍ଦୁବହୁଳ ରାଷ୍ଟ୍ରରେ ଜଗନ୍ନାଥଙ୍କୁ ନେଇ ନାନାପ୍ରକାର କୁତ୍ସିତ ଭାବନା କାମ କରୁନାହିଁ କି? ଏକଥା ସତ୍ୟ ଯେ, ଦ୍ୱାଦଶ ଶତାବ୍ଦୀରେ ତତ୍କାଳୀନ ପୁରୀ ରାଜା ଅନଙ୍ଗଭୀମ ଦେବ ତୃତୀୟ(୧୨୧୧-୧୨୩୮) ଜଗନ୍ନାଥଙ୍କୁ ରାଷ୍ଟ୍ର ଦେବତା ବୋଲି ଘୋଷଣା କରିଥିଲେ ଏବଂ ପ୍ରତି ଘରେ ଜଗନ୍ନାଥଙ୍କୁ ପୂଜା କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ସେହି ସମୟରେ ମୁସଲିମ ଶାସକମାନଙ୍କ ଭାରତ ଆକ୍ରମଣକୁ ଦୃଷ୍ଟିରେ ରଖି ଅନଙ୍ଗଭୀମ ଦେବ ଏହି ନିଷ୍ପତ୍ତି ନେଇଥିଲେ ଯାହାର ଫଳ ଆଜି ଓଡ଼ିଶାରେ ବଳବତ୍ତର ରହିଛି ।
ଲୋକେ ଭକ୍ତ ସାଲବେଗଙ୍କ ଜଣାଣକୁ ପ୍ରାଣଭରି ଭଲ ପାଆନ୍ତି, ଗାୟକମାନେ ତାହାକୁ ବୋଲନ୍ତି । ହେଲେ ଜଗନ୍ନାଥ ମନ୍ଦିର ଭିତରକୁ ମୁସଲିମମାନଙ୍କୁ ପ୍ରବେଶ ମନା । ଯଦି କେହି ପ୍ରବେଶ କରିଯାଏ ତେବେ ମନ୍ଦିରକୁ ବିଶୋଧନ କରାଯାଏ । ଏହା କେଉଁ ପ୍ରକାର ମାନସିକତା?
ମାନସିକତା ଅନୁସାରେ ମଣିଷ ନିଜ ସ୍ୱାର୍ଥଲାଗି ସବୁ କିଛି ନିର୍ଣ୍ଣୟ କରେ, ନିଷ୍ପତ୍ତି ଓ ପଦକ୍ଷେପ ନିଏ । ଏପରି ଅବସ୍ଥାରେ ଓଡ଼ିଶା ସରକାର ଘରେ ଘରେ ଲକ୍ଷ୍ମୀ ପୁରାଣ ବଣ୍ଟନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଲକ୍ଷ୍ମୀ ପୁରାଣ ଏକ ପ୍ରାଚୀନ କଥାବସ୍ତୁ ଉପରେ ଆଧାରିତ । ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ କିମ୍ବା ସତ୍ୟତା ନାହିଁ । ଲକ୍ଷ୍ମୀ ପୁରାଣ ବୋଲିଲେ ଯେ ଘର ଧନଧାନ୍ୟରେ ଭରିଯିବ- ଏହା ନୁହେଁ । ନଚେତ ଓଡ଼ିଶାର ଲକ୍ଷ ଲକ୍ଷ ଲୋକ କାହିଁକି ଗରିବ? କାହିଁକି ସେମାନେ ବାହାର ରାଜ୍ୟକୁ ଯାଇ ଜୀବନ ବିପନ୍ନ କରି ଗୋତି ଖଟୁଛନ୍ତି? କାହିଁକି ଓଡ଼ିଶାର ମୁଣ୍ଡ ପିଛା ଆୟ ଅତି ନୂ୍ୟନ? କାହିଁକି ଚାଷୀ ଆତ୍ମହତ୍ୟା କରୁଛି? କାହିଁକି ଚାଷୀ, ଶ୍ରମିକ ପରିବାର ଦୁର୍ଦ୍ଦିନରେ ସଢୁଛନ୍ତି? ଲକ୍ଷ୍ମୀ ପୁରାଣ ବୋଲିଲେ ଯେ ଏସବୁ ଦୂର ହେବ- ଏହା ନୁହେଁ ।
ସାବିତ୍ରୀ, ଲକ୍ଷ୍ମୀ ଆଦି ମହିଳା ଗୋଟିଏ ଗୋଟିଏ କାହାଣୀର ଚରିତ୍ର ଯାହା ବିଭିନ୍ନ ଧର୍ମ ପୁସ୍ତକରେ ବର୍ଣ୍ଣିତ । ହେଲେ ସେ ସବୁର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ଯଦି ଯମଙ୍କୁ ପୂଜା କରି ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଜୀବନ ବଞ୍ଚାଇ ପାରୁଛନ୍ତି ତେବେ ଆଜି ହଜାର ହଜାର ମହିଳା କାହିଁକି ଅକାଳରେ ବିଧବା ହେଉଛନ୍ତି? ସେହି ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ତ ଶହ ଶହ ଦେବଦେବୀଙ୍କ ଭକ୍ତ । ନାନାପ୍ରକାର ଉପାସ, ପୂଜା, ବ୍ରତ କରୁଛନ୍ତି । ସେମାନେ କ’ଣ ତଥାକଥିତ ଯମ ଦେବତାଙ୍କଠାରୁ ଆଶୀର୍ବାଦ ପାଇବାରୁ ଯୋଗ୍ୟ ନୁହଁନ୍ତି କି? ବିଭିନ୍ନ କାରଣରୁ ଦୈନିକ ଶହ ଶହ ମହିଳା ବିଧବା ହୁଅନ୍ତି । ସେମାନଙ୍କ ପ୍ରାର୍ଥନା କାହିଁକି ଯମ କିମ୍ବା କୌଣସି ଦେବତା ଶୁଣନ୍ତି ନାହିଁ? କେବଳ ଜଣେ ସାବିତ୍ରୀଙ୍କୁ ଲକ୍ଷ୍ୟ କରି ସାବିତ୍ରୀ ବ୍ରତ କାଳରେ କୋଟି କୋଟି ଟଙ୍କାର ବ୍ୟବସାୟ ହୁଏ । ହଜାର ହଜାର ମହିଳା ସ୍ୱାମୀଙ୍କ ଲାଗି ବ୍ରତ କରିଥାନ୍ତି । ଯଦି ବଞ୍ଚାଇପାରନ୍ତି ନାହିଁ ତେବେ ସାବିତ୍ରୀ ବ୍ରତ ପାଳନ କରିବାର କାରଣ କ’ଣ?
ପୂର୍ବ କାଳରେ ସତୀଦାହ ପରି କୁତ୍ସିତ ପ୍ରଥା ଚାଲିଥିଲା । ଶହ ଶହ ମହିଳା ସତୀ ହେଉଥିଲେ । ସ୍ୱାମୀ ମଲେ ସ୍ତ୍ରୀମାନେ ସତୀ ହେବାର ପରମ୍ପରା ଥିଲା । ମାତ୍ର ସ୍ତ୍ରୀ ମଲେ ସ୍ୱାମୀମାନେ ସତ୍ୟବାନ ହେବାର ପରମ୍ପରା ନଥିଲା । କ’ଣ ପାଇଁ ଏହି ଭିନ୍ନ ନିୟମ ଥିଲା? ପୁରୁଷପ୍ରଧାନ ସମାଜରେ ଏହି ନିୟମ ଏକପାଖିଆ ନଥିଲା କି? ଏକ ଧର୍ମ ନିରପେକ୍ଷ ରାଷ୍ଟ୍ରରେ କୌଣସି ଧର୍ମକୁ ସରକାର ପ୍ରୋତ୍ସାହନ ଦେବା ଅନୁଚିତ । ଓଡ଼ିଶାରେ ଯେପରି ସରକାର ଲକ୍ଷ୍ମୀ ପୁରାଣର ପ୍ରସାର କରୁଛନ୍ତି ତାହା ନିନ୍ଦନୀୟ । ଏହା ଏକ ଗୁରୁତର ଭୁଲ୍ । ଏହା ଧର୍ମୀୟ ମୌଳବାଦର ଏକ ସାଂସ୍କୃତିକ ରୂପ । ଏହାକୁ ସବୁ ସ୍ତରରେ ବନ୍ଦ କରାଯିବା ଉଚିତ ।

(The views expressed here by the author are his own. If there is any counterview it may please be shared with the Chief Editor at samadrusti@gmail.com)

Total Views: 0

Comments

0 comments

Share This Article