ରେଭେନ୍ସା ଶିକ୍ଷାନୁଷ୍ଠାନରେ ଶିକ୍ଷକ-ବିଧାୟକ ବିବାଦ

୭୫ବର୍ଷ ତଳର କଥା । ସେତେବେଳେ ଏହି ଶିକ୍ଷାନୁଷ୍ଠାନକୁ କଲେଜ କୁହାଯାଉଥିଲା, ଆଜି ଭଳି ବିଶ୍ୱବିଦ୍ୟାଳୟ ନୁହେଁ । ୧୯୫୧ ମାସ ଜୁଲାଇ ମାସରେ ରେଭେନ୍ସା କଲେଜରେ ‘ଦରମା ବୃଦ୍ଧି ବିରୋଧୀ ଛାତ୍ର ଆନ୍ଦୋଳନ  ଦେଖା ଦିଏ’ । ଏହି ଆନ୍ଦୋଳନର ନେତୃତ୍ୱରେ ଥିଲେ ସୋସିଆଲିଷ୍ଟ ପାର୍ଟିର କେତେକ ଛାତ୍ରନେତା, ଛାତ୍ରସଂଘର ଶ୍ରୀ ଅଖିଳ ମୋହନ ପଟ୍ଟନାୟକ, ଶ୍ରୀମତୀ ନନ୍ଦିନୀ ଶତପଥୀ,   ଛାତ୍ରକଂଗ୍ରେସର ଶ୍ରୀ ପ୍ରବୀର ପାଲିତ ଆଦି । ଏହି ଆନ୍ଦୋଳନ ବେଳେ ଶ୍ରୀମତୀ ଶତପଥୀ ଆହତ ହୋଇଥିଲେ । ଏହି ଆନ୍ଦୋଳନ  ସମ୍ପର୍କରେ ସମ୍ପର୍କରେ ସ୍ମରଣ କରି, ସେ ସମୟରେ ରେଭେନ୍ସା କଲେଜରେ  ଅଧ୍ୟାପକ ଥିବା ଡକ୍ଟର ରାଧାନାଥ ରଥ ତାଙ୍କର ଆତ୍ମଜୀବନୀ ‘ମୋ ସ୍ୱପ୍ନ ମୋ ଜୀବନ’ (ପୃ ୧୫୯-୬୦)ରେ ଲେଖନ୍ତି : ଧର୍ମଘଟ ଚରମ ପର୍ଯ୍ୟାୟରେ ପହଞ୍ଚିଲାବେଳେ କେତେଜଣ ଛାତ୍ର ନେତା ତତ୍କାଳୀନ ବିଧାୟକ ଶ୍ରୀ ବିଜୁ ପଟ୍ଟନାୟକଙ୍କ ସହ ଆପୋଷ ଆଲୋଚନା କରି ଧର୍ମଘଟ ପ୍ରତ୍ୟାହୃତ ହେଲା ବୋଲି ଘୋଷଣା କଲେ । ସେମାନଙ୍କର ସର୍ତ୍ତ ଥିଲା ଯେ ତା ପରଦିନ ସକାଳେ, ୧୦ଟାବେଳେ କଲେଜ ଖୋଲିବ । ଏ ବିଷୟରେ କିନ୍ତୁ ରେଭେନ୍ସା କଲେଜ  ପ୍ରିନସିପାଲ୍ ଙ୍କ  ସହିତ କୌଣସି ପରାମର୍ଶ କରା ହୋଇ ନଥିଲା । ତା’ର ଦୁଇ ଦିନ ପୂର୍ବରୁ କଲେଜ ବନ୍ଦ କରି ଦିଆଯାଇଥିଲା ଏବଂ ବହୁ ପିଲାଙ୍କୁ ପଇସାପତ୍ର ଦେଇ ଘରକୁ ପଠାଇ ଦିଆ ଯାଇଥିଲା । ଛାତ୍ରନେତାମାନେ ଯେତେବେଳେ ତା’ ଆରଦିନ ଧର୍ମଘଟ ପ୍ରତ୍ୟାହାର କଥା ଘୋଷଣା କଲେ, ଆଉ କେତେକ ନେତା ଯେଉଁମାନେ ଜାଣିଶୁଣି ଗୁପ୍ତ ଆଲୋଚନାରେ ଭାଗ ନେଇ ନଥିଲେ, ସେମାନେ ବିଦ୍ରୋହ କଲେ । ପ୍ରିନସିପାଲ୍ କହିଥିଲେ ଯେ, ସେ ଦିନ ସକାଳେ କଲେଜ ଖୋଲିବା ଆଇନତଃ ସମ୍ଭବ ନୁହେଁ । ପୁନର୍ବାର ଖବରକାଗଜରେ ଘୋଷଣା କରି ଦୁଇ ଦିନ ପରେ କଲେଜ ଖୋଲାଯାଇ ପାରିବ । ଏପରି ଗୋଳମାଳିଆ ପରିସ୍ଥିତିରେ ହଠାତ୍ ଶ୍ରୀ ବିଜୁ ପଟ୍ଟନାୟକ ପ୍ରିନସିପାଲ୍ ଅଫିସକୁ ପଶି ଆସି, କଲେଜ କାହିଁକି ଖୋଲା ହେଲା ନାହିଁ ବୋଲି ପ୍ରିନସିପାଲ୍ ଙ୍କ  ଗାଳି ଗୁଲଜ କଲେ । ସେତେବେଳକୁ ମୁଁ ଓ ଡକ୍ଟର ସଦାଶିବ ମିଶ୍ର ପ୍ରିନସିପାଲ୍ ଙ୍କ  ପାଖରେ ବସିଥିଲୁ । ପ୍ରିନସିପାଲ୍ ଡକ୍ଟର ବାନାର୍ଜୀ ଖୁବ ଶାନ୍ତ ଭାବରେ କହୁଥାନ୍ତି ଯେ ସେ ମାନ୍ୟବର ଶିକ୍ଷାମନ୍ତ୍ରୀଙ୍କୁ ବୁଝାଇ କହିଛନ୍ତି । କିନ୍ତୁ ଶ୍ରୀ ବିଜୁ ପଟ୍ଟନାୟକ ବଡ଼ ଅଧୈର୍ଯ୍ୟ ହୋଇ ଇଆଡୁ ସିଆଡୁ କହି ବାହାରି ଗଲେ । ଅଫିସ ବାହାରେ ଶହ ଶହ ପିଲା ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଉଥାନ୍ତି । ତାପରେ ପ୍ରିନସିପାଲ୍ , ଡକ୍ଟର ମିଶ୍ର ଓ ମୁଁ, ବିଜୁ ପଟ୍ଟନାୟକଙ୍କୁ ପିଲାଙ୍କ ଘେରରୁ ରକ୍ଷା କରି ରେଭେନ୍ସା କଲେଜ ହଲରେ ବସିଥିବା ଓଡ଼ିଶା ବିଧାନସଭାକୁ ନେଇ ଗଲୁ । ବିଜୁ ପଟ୍ଟନାୟକଙ୍କ ଔଦ୍ଧତ୍ୟ ଯୋଗୁଁ ମୋର ଏତେ ରାଗ ହୋଇଥିଲା ଯେ ପିଲାମାନଙ୍କୁ ବଡ଼ ପାଟିରେ କହିଥିଲି ସେ ପ୍ରିନସିପାଲ୍ ଙ୍କ  କିପରି ଅପମାନ ଦେଇଥିଲେ । ତା’ପରେ ମୋର ସୁପରିଟେଣ୍ଡେଣ୍ଟ ବାସଭବନକୁ ତତ୍କାଳୀନ  ବିଧାୟକ ଶ୍ରୀ ଭୈରବଚନ୍ଦ୍ର ମହାନ୍ତିଙ୍କୁ ଡାକିଆଣି ସବୁ କଥା କହିଲି ଏବଂ କଂଗ୍ରେସ ଦଳୀୟ ସଭା ଡାକି ତାର ପ୍ରତିକାର ପାଇଁ ଅନୁରୋଧ କରିଥିଲି । ଅପରାହ୍ଣରେ କଂଗ୍ରେସ ବିଧାୟକମାନଙ୍କର ସଭା ହେଲା ଏବଂ ସେଥିରେ ବିଜୁ ବାବୁଙ୍କୁ କୁହାଗଲା ପ୍ରିନସିପାଲଙ୍କୁ କ୍ଷମା ମାଗିବାକୁ । ସେ କ୍ଷମା ମାଗିଲେ ।  ସେହିଦିନ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବକୃଷ୍ଣ ଚୌଧୁରୀ, ଶିକ୍ଷାମନ୍ତ୍ରୀ ଶ୍ରୀ ଲିଙ୍ଗରାଜ ମିଶ୍ର ଏବଂ ଶ୍ରୀ ଲାଲମୋହନ ପଟ୍ଟନାୟକ ଏକାଠି ଡକ୍ଟର ବାନାର୍ଜୀଙ୍କ ବାସଭବନକୁ ଯାଇଥିଲେ । ଯାହା ଘଟିଥିଲା ସେଥିପାଇଁ ଦୁଃଖ ପ୍ରକାଶ କରିବା ପାଇଁ ।”

କହିବା ବାହୁଲ୍ୟ, ସେତେବେଳେ ୩୫ବର୍ଷର ଯୁବ ବିଧାୟକ ବିଜୁ ପଟ୍ଟନାୟକ ପ୍ରିନସିପାଲ୍ ଙ୍କୁ  କ୍ଷମା ମାଗି ଛୋଟ ହୋଇଯାଇ ନଥିଲେ । ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ବାଚସ୍ପତି, ପ୍ରିନସିପାଲ୍ ଙ୍କ  ବାସଭବନକୁ ଯାଇ ଘଟି ଯାଇଥିବା ଘଟଣାପାଇଁ ଦୁଃଖ ପ୍ରକାଶ କରି ସେମାନଙ୍କର ମହତ ପଣିଆ ଦର୍ଶାଇଥିଲେ ।

Total Views: 0

Comments

0 comments

Share This Article