ଅର୍ଥପୂର୍ଣ୍ଣ ଆଶାବାଦ୍ ଓ ଏମ୍.ପି. ପରମେଶ୍ୱରନ୍

ସୁଧୀର ପଟ୍ଟନାୟକ | Sudhir Pattnaik (Chief Editor)
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform,...
1 View
11 Min Read

ଡକ୍ଟର ଏମ୍. ପି. ପରମେଶ୍ୱରନ୍ (ଜାନୁଆରୀ ୧୮, ୧୯୩୫ – ଅଗଷ୍ଟ ୧୧, ୨୦୨୬)   ମୃତ୍ୟୁ ବେଳକୁ ୯୧ ବର୍ଷ ୬ ମାସ ଅତିକ୍ରମ କରିସାରିଥିଲେ । ଆଣବିକ ଯନ୍ତ୍ରୀ ଓ ଆଣବିକ ବୈଜ୍ଞାନିକ ହିସାବରେ ଶିକ୍ଷା ଏବଂ ତାଲିମ ପାଇ ସେ ଭାବା ଆଟମିକ୍ ରିସର୍ଚ୍ଚ ସେଣ୍ଟରରେ ବୈଜ୍ଞାନିକ ଭାବେ ପ୍ରତିଷ୍ଠିତ ମଧ୍ୟ ହୋଇଥିଲେ । ତାଙ୍କର ମନଟି କିନ୍ତୁ ଆଣବିକ କାର୍ଯ୍ୟକ୍ରମ ଭିତରେ ସୀମାବଦ୍ଧ ହୋଇନଥିଲା । ୧୯୬୨ରୁ “କେରଳ ଶାସ୍ତ୍ର ସାହିତ୍ୟ ପରିଷଦ’ ଯାହା ସଂକ୍ଷେପରେ କେ.ଏସ୍.ଏସ୍.ପି. (KSSP) ନାମରେ ବିଶ୍ୱରେ ପରିଚିତ, ସେହି ସଂଗଠନ ତାଙ୍କୁ ନୂତନ ପଥର ଅନ୍ୱେଷଣ ପାଇଁ ଅନୁପ୍ରାଣିତ କରିଥିଲା । ଯେତେବେଳେ କେ.ଏସ୍.ଏସ୍.ପି. କେରଳରେ ଗଢ଼ା ଯାଇଥିଲା, ସେମାନେ ତାହାର ମୂଳ ଲକ୍ଷ୍ୟ ରଖିଥିଲେ  ସମାଜରେ ବୈଜ୍ଞାନିକ ମନୋଭାବ ବଢ଼ାଇବା, ଯୁକ୍ତିଶୀଳ ଚେତନା ସୃଷ୍ଟି କରିବା ଏବଂ ସବୁ ସମସ୍ୟାକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ନେଇ ପରଖିବା । ପ୍ରଥମେ ୪୦ଜଣ ବିଜ୍ଞାନ ଲେଖକ ଓ ଶିକ୍ଷକମାନଙ୍କୁ ନେଇ ଗଢ଼ାଯାଇଥିବା ଏହି ଜନବିଜ୍ଞାନ ସଂଗଠନଟି କାଳକ୍ରମେ ଏକ ବିଶାଳକାୟ ଗଣସଂଗଠନ ଓ ଆନ୍ଦୋଳନରେ ରୂପାନ୍ତରିତ ହୋଇଯାଇଥିଲା । ୨,୦୦୦ରୁ ଊର୍ଦ୍ଧ୍ୱ ଗ୍ରାମରେ ଏହାର ଶାଖା ରହିବା ଏବଂ ୬୦,୦୦୦ରୁ ଅଧିକ ବିଜ୍ଞାନକର୍ମୀ ଏହି ଶାଖାଗୁଡ଼ିକୁ ପରିଚାଳନା କରିବା ଏମିତିରେ ଏକ ବଡ଼ ଘଟଣା । ତେବେ ଗୋଟିଏ ଛୋଟିଆ ଦଳ ଓ କିଛି କାର୍ଯ୍ୟକ୍ରମକୁ ନେଇ ଆରମ୍ଭ ହୋଇଥିବା ଏହି କେ.ଏସ୍.ଏସ୍.ପି.କୁ ଗୋଟିଏ ଜନଆନ୍ଦୋଳନରେ ରୂପାନ୍ତରିତ କରିବା ଏବଂ ଗାଁ ଗାଁରେ ତାହାର ଗ୍ରହଣୀୟତା ପ୍ରତିଷ୍ଠିତ କରାଇବା କାମଟି ପଛରେ ଯାହାର ଅତୁଳନୀୟ ଅବଦାନ ଥିଲା, ସେ ହେଉଛନ୍ତି ଡକ୍ଟର ଏମ୍. ପି. ପରମେଶ୍ୱରନ୍ । ୧୯୭୫ରେ ଭାବା ଆଟମିକ୍ ରିସର୍ଚ୍ଚ ସେଣ୍ଟରରୁ ଇସ୍ତଫା ଦେଇ ଜନବିଜ୍ଞାନ ଆନ୍ଦୋଳନକୁ ସୁଦୃଢ଼ କରିବା ପାଇଁ କେ.ଏସ୍.ଏସ୍.ପି.ରେ ପୂର୍ଣ୍ଣକାଳୀନ କର୍ମୀ ହିସାବରେ ସେ ଯୋଗ ଦେଇଥିଲେ । ୧୯୯୦ ମେ ମାସରେ ତାଙ୍କ ସହ ଦିଲ୍ଲୀରେ ହୋଇଥିବା କିଛି ଆଲୋଚନା ବେଳେ ସେ ଯେଉଁ କେତୋଟି କଥା କହିଥିଲେ, ସେଥିଭିତରୁ କିଛି କଥା ଏବେ ବି ମନେଅଛି । ସେ ମୋତେ ପ୍ରବର୍ତ୍ତାଉଥିଲେ କେମିତି ଜନବିଜ୍ଞାନ ଆନ୍ଦୋଳନ  ସହ ମୁଁ ନିଜେ ଜଡ଼ିତ ହେବି ଏବଂ କିଛି କାମ ପୂର୍ଣ୍ଣକାଳୀନ ଭାବରେ କରିବି । କହିବା ଛଳରେ କହିଲେ, ସେ କେମିତି କେ.ଏସ୍.ଏସ୍.ପି.ରେ ଯୋଗ ଦେଇଥିଲେ ଏବଂ ମାସକୁ ୯୦୦ ଟଙ୍କାର ପାରିଶ୍ରମିକ ପାଉଥିଲେ । ତେବେ ସେ ଟଙ୍କାଟି କେହି ତାଙ୍କୁ ଦେଉନଥିଲେ । ସେ ନିଜେ ବହି ଲେଖୁଥିଲେ, ବହି ବିକ୍ରି ହେଉଥିଲା ଏବଂ ତାହାର ବିକ୍ରିରୁ ଯେଉଁ ରାଜସ୍ୱ ଆସୁଥିଲା ସେଥିରୁ ସେ ମାତ୍ର ୯୦୦ଟଙ୍କା ନିଜ ପାଇଁ ରଖୁଥିଲେ ଏବଂ ବାକି ସବୁ ଅର୍ଥ କେ.ଏସ୍.ଏସ୍.ପି.ର ପାଣ୍ଠିକୁ ଯାଉଥିଲା । ବହି ଲେଖିବା, ପତ୍ରିକା ପ୍ରକାଶନ କରିବା; ତାହା ବି ଶିଶୁମାନଙ୍କଠାରୁ ଆରମ୍ଭ କରି ମହିଳା ଓ ବୟସ୍କମାନଙ୍କ ପାଇଁ ଏହିସବୁ କାମରେ ମାର୍ଗଦର୍ଶକ ଥିଲେ ଡକ୍ଟର ପରମେଶ୍ୱରନ୍ ଏବଂ ଅଧିକାଂଶ କାମ ସେ ନିଜେ କରି ଦେଖାଉଥିଲେ ମଧ୍ୟ ।

 ଏଠି ଗୋଟିଏ କଥା କହିବା ଉଚିତ ହେବ ଯେ, କେ.ଏସ୍.ଏସ୍.ପି. (KSSP) ପୂର୍ବରୁ ଦେଶରେ ବିଭିନ୍ନ ରାଜ୍ୟରେ ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ କିଛି ସଂଗଠନ ପ୍ରତିଷ୍ଠା ହୋଇସାରିଥିଲା । ଓଡ଼ିଶାରେ “ବିଜ୍ଞାନ ପ୍ରଚାର ସମିତି’ କଟକଠାରେ ଅଗଷ୍ଟ ୧୯୪୯ ମସିହାରେ ପ୍ରତିଷ୍ଠା ହୋଇଥିଲା । ଯେଉଁ ବିଶିଷ୍ଟ ବିଦ୍ୱାନ, ଡାକ୍ତର ଓ ବୈଜ୍ଞାନିକମାନେ ଏହାର ପ୍ରତିଷ୍ଠାତା ଥିଲେ ସେମାନଙ୍କ ଭିତରେ ଥିଲେ ଡାକ୍ତର ଗୋପାଳଚନ୍ଦ୍ର ପଟ୍ଟନାୟକ (ଆମର ଅନ୍ୟତମ ପଥପ୍ରଦର୍ଶକ ପ୍ରଫେସର ସ୍ୱାଧୀନ ପଟ୍ଟନାୟକଙ୍କ ପିତା), ଡକ୍ଟର ଗୋକୁଳାନନ୍ଦ ମହାପାତ୍ର ଓ ହେତୁବାଦୀ ପ୍ରଫେସର ରାଧାନାଥ ରଥ ଇତ୍ୟାଦି । ଡକ୍ଟର ରାଧାନାଥ ରଥଙ୍କ ସହ ଅନେକ ସ୍ଥାନକୁ ଏକାଠି ଯିବାଆସିବା ବେଳେ ସେ “ବିଜ୍ଞାନ ପ୍ରଚାର ସମିତି’ ସମ୍ପର୍କରେ କିଛି କଥା ଏବଂ ନିଜର ଅନୁଭୂତି ସବୁ କହୁଥିଲେ । ତାଙ୍କଠାରୁ ମଧ୍ୟ ଏହି ବିଶିଷ୍ଟ ବ୍ୟକ୍ତି ଓ ବୈଜ୍ଞାନିକମାନଙ୍କର ଚେତନା ଏବଂ କାର୍ଯ୍ୟ ସମ୍ପର୍କରେ ଜାଣିବାକୁ ମିଳିଥିଲା । “ବିଜ୍ଞାନ ପ୍ରଚାର ସମିତି’ କାହିଁକି ଜନଆନ୍ଦୋଳନର ରୂପ ନେଇ ପାରୁ ନାହିଁ, ଡକ୍ଟର ରଥ ନିଜର ମତ ମଧ୍ୟ ରଖିଥିଲେ । ଯେହେତୁ ସେ ନାହାନ୍ତି, ସେସବୁ କଥା ଏଠି କହିବା ଠିକ୍ ହେବ ନାହିଁ ।

ଡକ୍ଟର ଏମ୍. ପି. ପରମେଶ୍ୱରନ୍ ଙ୍କୁ  ଭେଟିବା ପରେ ମୋତେ କିନ୍ତୁ ଲାଗିଲା ବିଜ୍ଞାନକୁ ଲୋକପ୍ରିୟ କରିବା ଓ ବୈଜ୍ଞାନିକ ମନୋଭାବ ବା ଦୃଷ୍ଟିକୋଣ ତିଆରି କରିବା ଦୁଇଟି ଅଲଗା ଅଲଗା କାମ । ବିଜ୍ଞାନକୁ ଲୋକପ୍ରିୟ କରିବା କାମଟି ହୁଏତ ବୈଜ୍ଞାନିକ, ଲେଖକମାନେ ବ୍ୟକ୍ତିଗତ ଭାବେ ହେଉ ବା ଗୋଟିଏ ସମୂହ ମାଧ୍ୟମରେ ହେଉ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେଲେ ବି ହୁଏତ କରିପାରିବେ, ଯାହାର ଆବଶ୍ୟକତା ଏବେ ବି ଆମ ସମାଜରେ ଅଛି । ତେବେ ସବୁକଥାକୁ ଦେଖି ମନରେ ପ୍ରଶ୍ନ ଆସିବା ଓ ତା’ର ଉତ୍ତର ଖୋଜିବା ଗୋଟିଏ କଠିନ କାମ ଆମ ଭଳି ସମାଜରେ । ବୈଜ୍ଞାନିକ ମନୋଭାବ ଓ ଚେତନା ସୃଷ୍ଟି କରିବା, ଜାଣିବାର ଆଗ୍ରହ ସୃଷ୍ଟି କରିବା, ତାହା ବି ଅଣପାରମ୍ପାରିକ ସୃଜନଶୀଳ ଉପାୟ ଅବଲମ୍ବନ କରି ଏହି କାମଟି ଯେଉଁମାନେ ହାତକୁ ନିଅନ୍ତି, ସେମାନେ ଜାଣନ୍ତି ତାହା କିଭଳି ଏକ ଆହ୍ୱାନ । କେବଳ ନିଜ ପାଇଁ ନୁହେଁ, ଯେଉଁମାନଙ୍କୁ ସାଙ୍ଗରେ ନେଇ ଏହି କାମ କରାଯିବ, ସେହି ସବୁ ଲୋକଙ୍କ ପାଇଁ ମଧ୍ୟ ।

ଦୁଇଟି କାମ ଭିତରେ ସେତୁ ନିର୍ମାଣ କରିବା କାମଟି ଡକ୍ଟର ଏମ୍. ପି. ପରମେଶ୍ୱରନ୍ ଉପଯୁକ୍ତ ଭାବେ ସର୍ବଭାରତୀୟ ସ୍ତରରେ କରିପାରିଥିଲେ । ସର୍ବଭାରତୀୟ ସ୍ତରରେ ସମସ୍ତ ଜନବିଜ୍ଞାନ ସଂଗଠନଗୁଡ଼ିକୁ ଏକାଠି କରି ଏକ ସର୍ବଭାରତୀୟ ଜନବିଜ୍ଞାନ ମିଳିତ ସଂଗଠନ(AIPSN) ତିଆରି କରିବା ଓ ଭୟଙ୍କର ଭୋପାଳ ଗ୍ୟାସ ଦୁର୍ଘଟଣାର ପୃଷ୍ଠଭୂମିରୁ ବୈଜ୍ଞାନିକ ଚେତନା ଓ ମନୋରାବ ସୃଷ୍ଟି କରିବାପାଇଁ ୧୯୮୭ ମସିହାରେ ଭାରତ ‘ଜନବିଜ୍ଞାନ ଯାଥା’ ସଂଗଠିତ କରିବା କାମର ସେ ଥିଲେ ପ୍ରମୁଖ ବିନ୍ଧାଣୀ । ଓଡ଼ିଶାରେ ଡକ୍ଟର ପରମେଶ୍ୱରନ୍ ଙ୍କ  ଆହ୍ୱାନରେ ସାମିଲ ହୋଇ ନେତୃତ୍ୱ ନେଇଥିଲେ ବୈଜ୍ଞାନିକ ଡକ୍ଟର ନିଖିଳମୋହନ ପଟ୍ଟନାୟକ ଓ ତାଙ୍କ ସ୍ତ୍ରୀ ଶ୍ରୀମତୀ ପୁଷ୍ପଶ୍ରୀ ପଟ୍ଟନାୟକ । ଏମାନେ ବିଜ୍ଞାନକୁ ଜନପ୍ରିୟ କରିବା ଓ ବିଜ୍ଞାନ ଶିକ୍ଷା କ୍ଷେତ୍ରରେ କାମ କରିଆସୁଥିଲେ । ଯାଥାର ନେତୃତ୍ୱ ଡକ୍ଟର ନିଖିଳ ପଟ୍ଟନାୟକ ନିଜେ ନେଇ ଅନେକ ପୁରୁଣା ବିଜ୍ଞାନ ଶିକ୍ଷକ, ବୈଜ୍ଞାନିକ, କର୍ମୀ ଏବଂ ସେମାନଙ୍କ ସହିତ ସମ୍ଭାବନାରେ ଭରପୂର ଥିବା କିଛି ଯୁବଗୋଷ୍ଠୀଙ୍କୁ ଏ ଭିତରେ ସେ ସାମିଲ କରାଇଥିଲେ । ଡକ୍ଟର ପରମେଶ୍ୱରନ୍ ଓଡ଼ିଶାରେ ମଧ୍ୟ ଏକ ପରିଚିତ ନାଁ ଏହି ଯାଥା ମାଧ୍ୟମରେ ହୋଇଯାଇଥିଲେ ।

କେ.ଏସ.ଏସ.ପି. ଦ୍ୱାରା ଏର୍ଣ୍ଣାକୁଲମ୍ ଜିଲ୍ଲାରେ ସମ୍ପୂର୍ଣ୍ଣ ସାକ୍ଷରତା ଅଭିଯାନ ସଫଳ ହେବା ପରେ, ସର୍ବଭାରତୀୟ ସ୍ତରରେ ସାକ୍ଷରତା ଅଭିଯାନକୁ ବ୍ୟାପକ କରିବା ପାଇଁ ଡକ୍ଟର ପରମେଶ୍ୱରନ୍ ଙ୍କ  ଚିନ୍ତା ଆସିଲା । ତେବେ ସର୍ବଭାରତୀୟ ଜନବିଜ୍ଞାନ ସଂଗଠନ  ଭିତରେ ଏହି କଥାକୁ ନେଇ ବିତର୍କ ମଧ୍ୟ ସୃଷ୍ଟି ହୋଇଥିଲା । ୧୯୯୦ ମସିହାରେ ଯେତେବେଳେ ଭାରତ ଜ୍ଞାନ ବିଜ୍ଞାନ ଯାଥା ଜାତୀୟ ସାକ୍ଷରତା ମିଶନ୍ର ସହଯୋଗରେ ଆୟୋଜିତ ହେବାର ନିଷ୍ପତ୍ତି ନିଆଗଲା, ସେତେବେଳେ ସମ୍ପୂର୍ଣ୍ଣ ଯାଥା କାର୍ଯ୍ୟକ୍ରମଟିକୁ ଏକ ନୂତନ ସଂଗଠନ ତିଆରି କରି ଆରମ୍ଭ କରାଯାଇଥିଲା । ତା’ର ନାଁ ଥିଲା  “ଭାରତ ଜ୍ଞାନ ବିଜ୍ଞାନ ସମିତି’ । ବିଶିଷ୍ଟ ଅର୍ଥନୀତିଜ୍ଞ ଡକ୍ଟର ମାଲକମ୍ ଆଦିଶେଷାୟା ଏହାର ସଭାପତି ଥିବାବେଳେ ଡକ୍ଟର ଏମ୍. ପି. ପରମେଶ୍ୱରନ୍ ସମ୍ପାଦକ ଭାବେ ଜାତୀୟ ସ୍ତରରେ ନେତୃତ୍ୱ ନେଉଥିଲେ । କେନ୍ଦ୍ର ଶିକ୍ଷା ସଚିବ ଶ୍ରୀ ଅନିଲ ବୋର୍ଡିଆ  ଏବଂ ଜାତୀୟ ସାକ୍ଷରତା ମିଶନ୍ର ମହାନିଦେ୍ର୍ଦଶକ ଡକ୍ଟର ଲକ୍ଷ୍ମୀଧର ମିଶ୍ର ସେତେବେଳେ ଡକ୍ଟର ପରମେଶ୍ୱରନ୍ ଙ୍କୁ  ସବୁପ୍ରକାର ସାହାଯ୍ୟ କରୁଥିଲେ । ଦେଶବ୍ୟାପୀ ସମ୍ପୂର୍ଣ୍ଣ ସାକ୍ଷରତା ଅଭିଯାନ ଚାଲିଲା । ଯେଉଁଠି ସରକାରଟିଏ ଥିଲା, ଭଲ ଜିଲ୍ଲାପାଳ ଥିଲେ, ସେମାନେ ଏହି ଢାଞ୍ଚାଟିକୁ ଉଚିତ ଭାବେ ବ୍ୟବହାର କରି ବେଶ୍ କିଛି ଭଲ କାମ କଲେ ।  ଯେଉଁଠି ଦୁର୍ନୀତିଗ୍ରସ୍ତ ଏବଂ ଅନିଚ୍ଛୁକ ବ୍ୟକ୍ତିମାନେ ଜିଲ୍ଲାପାଳ ଦାୟିତ୍ୱରେ ରହିଲେ ସବୁପ୍ରକାର ଦୁର୍ନୀତି କରିବା କାମଟି ମଧ୍ୟ ସହଜ ହୋଇଗଲା ଯେହେତୁ ଢାଞ୍ଚାଟି ସମ୍ପୂର୍ଣ୍ଣ ସରକାରୀ ନଥିଲା । ଏବେ ବି ମନରେ ଆସେ ଏହି ଅଭିଯାନ କେତେ ସଫଳ ହେଲା ବା କେତେ ବିଫଳ ହେଲା ତା’ର କଣ ସଠିକ୍ ଆକଳନ କରାଯାଇ ପାରିଛି?

ଏମ୍.ପି. ପରମେଶ୍ୱରନ୍ ସଫଳତା ଏବଂ ବିଫଳତାର ଊର୍ଦ୍ଧ୍ୱରେ ରହି ସ୍ୱପ୍ନ ଦେଖିବା ଲୋକ । ବିଫଳତା ଭିତରେ ବି ବିକଳ୍ପ ଅନ୍ୱେଷଣ କରିହେବ ସେ ବିଶ୍ୱାସ ତାଙ୍କର ଥିଲା । ଅନେକ ଆଦର୍ଶବାଦ ଦ୍ୱାରା ବିଭାଜିତ ବିଶ୍ୱ ବାହାରେ ବି ଆଉ ଏକ ବିଶ୍ୱ ତିଆରି କରିହେବ ତାଙ୍କର ସେ ବିଶ୍ୱାସ ଥିଲା । ସେ କେବଳ ଆଶାବାଦୀ ନଥିଲେ ଆଶାକୁ ରୂପ ଦେବା ପାଇଁ ରଣନୀତି ବି ତିଆରି କରୁଥିଲେ ଏବଂ ସଂଗଠନ ମଧ୍ୟ ନିର୍ମାଣ କରୁଥିଲେ । ଓଡ଼ିଶାରେ ଜନବିଜ୍ଞାନ ଆନ୍ଦୋଳନକୁ ଆଗକୁ ନେବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା ।

ତାଙ୍କ ସହ ଏକାଠି ଭାରତ ଜନ ବିଜ୍ଞାନ ଯାଥା କରୁଥିବା ଡକ୍ଟର ନିଖିଲ ମୋହନ ପଟ୍ଟନାୟକଙ୍କ  ବି ଆଉ ଜଣେ ସେହିଭଳି ମଣିଷ, ଯେଉଁମାନେ ଅଟକି ଯିବା କଥାଟିକୁ ଗ୍ରହଣ କରନ୍ତି ନାହିଁ  । ଯଦିଓ ଉଭୟଙ୍କ କାର୍ଯ୍ୟଶୈଳୀ ଭିନ୍ନ ଭିନ୍ନ । ଏଥି ପୂର୍ବରୁ ଏହି ବର୍ଷ ଜାନୁଆରୀ ୨୧ରେ ସମାନ ବୟସରେ ମୃତ୍ୟୁ ହୋଇଥିବା ବିଶିଷ୍ଟ ଜୈବଚାଷୀ ନଟବର ଷଡ଼ଙ୍ଗୀଙ୍କ ସହ ତାଙ୍କର ସମ୍ପର୍କ ବହୁତ ଭଲ ଥିଲା । ସେ ନଟବରଜୀଙ୍କର ଦେଶୀ ବିହନ ସଂରକ୍ଷଣ କାମଟିକୁ ଦେଖିବା ପରେ ଖୁସି ହୋଇଥିଲେ କିନ୍ତୁ ସେତିକିରେ ଅଟକି ଯାଇନଥିଲେ । ପ୍ରଥମେ ସେ ଶହେଟିି ଦେଶୀ ଧାନ ବିହନ ଆଲବମ୍ ତିଆରି କରିବା ପାଇଁ ବରାଦ କରିଥିଲେ । ସମଦୃଷ୍ଟି ର ଶୁଭପ୍ରସାଦ ଓ ପବିତ୍ରଙ୍କର ସହଯୋଗରେ ଏହି ଆଲବମ୍ ତିଆରି ହୋଇଥିଲା ଏବଂ ପରେ ଏହି ଆଲବମ୍ ବି ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମର କନୱାରଙ୍କୁ ଅନୁପ୍ରାଣିତ କରିଥିଲା ଓ ଶିବାଶିଷ ରାୟଙ୍କ ସହଯୋଗରେ ସେ ମଧ୍ୟ ବିହନ ରେଜିଷ୍ଟର ସେହି ଢାଞ୍ଚାରେ କିଛି ପ୍ରସ୍ତୁତ କରାଇ ଆମଠାରୁ ନେଇଥିଲେ ।ତେବେ ଡକ୍ଟର ପରମେଶ୍ୱରନ୍ ଏହିସବୁ ବିହନ ଆଲବମ୍ ଗୁଡ଼ିକୁ ନେଇ କ’ଣ କଲେ? ଅନେକଙ୍କ ମନରେ ଏହି ପ୍ରଶ୍ନ ଆସୁଥିଲା । କିନ୍ତୁ ସେ ଜଣାଇଥିଲେ ଯେ ସାରା ଦେଶରେ ଯେଉଁଠି ଯେଉଁଠି ଜନବିଜ୍ଞାନ ସଂଗଠନ ଅଛି, ସେ ଏହି ଦେଶୀ ବିହନ ଏବଂ ସେ ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ ଥିବା ଆଲବମ୍ଗୁଡ଼ିକୁ ଦେଇ ଜନସଚେତନତା ସୃଷ୍ଟି କରିବେ ଏବଂ ଦେଶୀ ଚାଷ ଆଡ଼କୁ ଆଗ୍ରହ ବଢ଼ାଇବା କାମଟି କରାଇବେ ଏବଂ ତାହା ବି ସେ କରିଥିଲେ । କେବଳ ସେତିକି ନୁହେଁ ନଟବରଜୀଙ୍କ ପାଖରୁ ସେ କିଛି ଦେଶୀ ଧାନ ବିହନ ବି ନେଇଥିଲେ ଏବଂ ତା’ର ପ୍ରୟୋଗ ମଧ୍ୟ କରିଥିଲେ । କେତେକସ୍ଥାନରେ ବିଫଳ ହୋଇଥିଲେ, ଆଉ କିଛିସ୍ଥାନରେ ତାଙ୍କୁ ସଫଳତା ମଧ୍ୟ ମିଳିଥିଲା ।

ଖାଲି ସେତିକି ନୁହେଁ ସେ ମଧ୍ୟ ସେତେବେଳେ ରାଜସ୍ୱ ପରିଷଦ ସଦସ୍ୟ ଥିବା ବରିଷ୍ଠ ଆଇ.ଏ.ଏସ. ଅଫିସର ଶ୍ରୀ ଅରବିନ୍ଦ ବେହେରାଙ୍କୁ ସାକ୍ଷାତ କରି ତାଙ୍କ ମାଧ୍ୟମରେ ଅନୁସୂଚିତ ଜାତି ଓ ଜନଜାତି ସଚିବଙ୍କୁ ଭେଟି ଅନୁରୋଧ କରିଥିଲେ ଯେ ରାଜ୍ୟସାରା ଯେତେ ତାଙ୍କ ବିଭାଗ ଅଧୀନରେ ଆବାସିକ ବିଦ୍ୟାଳୟମାନ ଅଛି ଏବଂ ସେସବୁ ବିଦ୍ୟାଳୟମାନଙ୍କରେ ବ୍ୟାପକ ଜମି ଖାଲି ପଡ଼ିଛି ସେଥିରେ ଦେଶୀ ଧାନ ବିହନ ଚାଷକରିବା ପାଇଁ । ଯେଉଁସବୁ ଧାନ ସେଥିରୁ ଆଦାୟ ହେବ ତାହା ବି ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀମାନେ ଯେମିତି ଖାଇବେ ସେ କଥା ବି ସେ କହିଥିଲେ । ସଚିବ ମହୋଦୟ ସବୁକଥା ଶୁଣିଲେ କିଛି କହିଲେ, କିନ୍ତୁ ହାବଭାବରୁ ଲାଗୁଥିଲା ଯେ ସେ କିଛି କରିବେନି । ବାରମ୍ବାର ମନେ ପକାଇବା ସତ୍ତ୍ୱେ ସେ ନୀରବ ରହିଲେ । ଆଉ ଗୋଟିଏ କାମ ଏମ୍. ପି. ପରମେଶ୍ୱରନ୍ ଆମକୁ ଚାହୁଁଥିଲେ କରିବା ପାଇଁ  । ସେହି କାମପାଇଁ ଆମର ମଧ୍ୟ ଆଗ୍ରହ ଥିଲା ଯେହେତୁ ଆମେ “ଗ୍ରାମ୍ୟ ଜୀବନୀ’ ଲେଖିବା କାମଟି ହାତକୁ ନେଇଥିଲୁ । ସେ କାମଟିକୁ ସେ ପସନ୍ଦ କରିଥିଲେ କିନ୍ତୁ ସେତିକିରେ ଅଟକି ଯାଇନଥିଲେ । ସେ କହୁଥିଲେ ଯେ ଯେତେ ଶୀଘ୍ର ଓଡ଼ିଶାର ପ୍ରାକୃତିକ ସମ୍ପଦ ସବୁ ସରି ସରି ଯାଉଛି ତାହା ସମ୍ପୂର୍ଣ୍ଣ ଶୂନ୍ୟ ହେବା ଆଗରୁ ଗୋଟିଏ “ଓଡ଼ିଶାର ସମ୍ପଦ ରିପୋର୍ଟ’ ପ୍ରସ୍ତୁତ ହେବା ଦରକାର । ଯେମିତି ସେ ଉଦାହରଣ ଦେଇ କହିଲେ ଯେ କେରଳରେ ସେମାନେ “କେରଳର ସମ୍ପଦ’ ବା “ଡରବକ୍ଷଗ୍ଧଷ କ୍ଟଲ କରକ୍ସବକ୍ଷବ’ନାଆଁରେ ଗୋଟିଏ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ସେହି କାମଟି ଆରମ୍ଭ କରିବାକୁ କିଛି ଉଦ୍ୟମ କରାଯାଇଥିଲା, ତେବେ କୌଣସି ସମ୍ବଳ ନଥାଇ ଆଗକୁ ଯିବା ସମ୍ଭବପର ନଥିଲା । ଏବେ ଏହି କାମଟିକୁ କେମିତି ଆଗକୁ ନିଆଯିବ ସେହି ଚିନ୍ତାରେ ଆମେ ଅଛୁ ।

 ଡକ୍ଟର ଏମ୍. ପି. ପରମେଶ୍ୱରନ୍ ସବୁ ସମୟ ଓ ସମାଜ ପାଇଁ ଜଣେ ପ୍ରେରଣାଦାୟୀ ପଥପ୍ରଦର୍ଶକ । ସେ ସ୍ୱପ୍ନ କେବଳ ଦେଖନ୍ତି ନାହିଁ, ଦେଖୁଥିବା ସ୍ୱପ୍ନକୁ ବାଣ୍ଟନ୍ତି ଏବଂ ତାକୁ ସାକାର କରିବା ପାଇଁ ମିଳିମିଶି ବାଟ ତିଆରି କରନ୍ତି । ସେହି ଦୃଷ୍ଟିରୁ ସେ ଜଣେ ଅର୍ଥପୂର୍ଣ୍ଣ ଆଶାବାଦୀ । ଏଭଳି ମଣିଷଙ୍କୁ ହରାଇବା ଆମ ସମସ୍ତଙ୍କ ପାଇଁ ଏକ ବିରାଟ କ୍ଷତି ।

Author

ସୁଧୀର ପଟ୍ଟନାୟକ | Sudhir Pattnaik (Chief Editor)

Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.

Total Views: 1

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.