ବାବାସାହେବ ଆମ୍ବେଦକରଙ୍କ ସହ ମୋ ଜୀବନ

19 Min Read
ମୂଳ ଲେଖା- ଡ. ସବିତା ଆମ୍ବେଦକର
ଅନୁବାଦ – ପ୍ରଫେସର ଧନେଶ୍ୱର ସାହୁ
ଯାହାକୁ ମୁଁ ବିବାହ କଲି
ଭାରତୀୟ ସମ୍ବିଧାନର ରୂପକାର, ସ୍ୱାଧୀନ ଭାରତର ପ୍ରଥମ ଆଇନ ମନ୍ତ୍ରୀ, ଭାରତର ବୁକର ଟି. ୱାଶିଂଟନ, ବୌଦ୍ଧଧର୍ମର ଧର୍ମଚକ୍ର ପ୍ରବର୍ତ୍ତନ କରିଥିବା ବୋଧିସତ୍ତ୍ୱ ହେଉଛନ୍ତି ବାବାସାହେବ ଡକ୍ଟର ଆମ୍ବେଦକର । ସେ ଥିଲେ ମାନବିକ ସ୍ୱାଧୀନତାର ମହାନ ପ୍ରବକ୍ତା, ମଣିଷର ଆତ୍ମମର୍ଯ୍ୟାଦା ପାଇଁ ସଂଗ୍ରାମ କରିଥିବା କ୍ରାନ୍ତିକାରୀ, ଆଧୁନିକ ମନୁ, ପୃଥିବୀର ପାଞ୍ଚଜଣ ପ୍ରଖ୍ୟାତ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଅନ୍ୟତମ, ଆଇନ ବିଶାରଦ, ଭାରତର ଅଗଣିତ ଅସହାୟ ଦଳିତମାନଙ୍କର ହୃଦୟ ସମ୍ରାଟ ଓ ମୁକ୍ତିଦାତା । ପୃଥିବୀର ଜଣେ ମହାନ ମାନବତାବାଦୀ ଭାବେ ମଧ୍ୟ ସେ ପରିଚିତ । ସେ ମଧ୍ୟ ଥିଲେ ଗଣତନ୍ତ୍ରର ସୁରକ୍ଷାକାରୀ, ଜଣେ ଦକ୍ଷ ସାଂସଦ, ବିଶିଷ୍ଟ ସମ୍ବିଧାନବିତ୍, ଜଣେ ବୈପ୍ଳବିକ ତ୍ରାଣକର୍ତ୍ତା ବା ମେସିଆ, ସମାଜ ସଂସ୍କାରକ, ଭାରତରନô ଓ ଦୁନିଆର ଜଣେ ମହାନ ବ୍ୟକ୍ତିତ୍ୱ । ଯେଉଁ ସମୟରେ ସେ ଭୂଷଣମାନଙ୍କ ମଧ୍ୟରୁ କିଛି ମନ ଭିତରକୁ ଆସେ, ଯିଏ ପ୍ରଥମେ ଆମ ସ୍ମୃତିକୁ ଆସନ୍ତି ଓ ଆମ ମନଶ୍ଚକ୍ଷୁରେ ଉଭା ହୁଅନ୍ତି, ସେ ହେଉଛନ୍ତି ଭୀମରାଓ ରାମଜୀ ଆମ୍ବେଦକର, ଯିଏ ଡକ୍ଟର ବାବାସାହେବ ଭାବେ ଜଣାଶୁଣା । ଯେଉଁ ମୁହୂର୍ତ୍ତରେ ଜଣେ ଡକ୍ଟର ଆମ୍ବେଦକରଙ୍କ ନାମକୁ ସ୍ମରଣ କରନ୍ତି, ପୃଥିବୀର ବିଭିନ୍ନ ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟରୁ ସେ ଲାଭ କରିଥିବା ବିଭିନ୍ନ ଡିଗ୍ରୀମାନ ମଧ୍ୟ ମନ ଭିତରକୁ ଆସେ । ଛଅ ବର୍ଷ ଭିତରେ ସେ ଏମ୍.ଏ., ପିଏଚ୍.ଡି., ଡି.ଏସ୍ସି., ଏଲ୍.ଆଇ୍.ଡି., ଡି.ଲିଟ୍., ବାର ଆଟ ଲ ଓ ଆହୁରି ଅନେକ ଡିଗ୍ରୀ ହାସଲ କରିଥିଲେ । ଏ ବିଭିନ୍ନ ପରୀକ୍ଷାରେ ସେ କୃତିତ୍ୱ ଲାଭ କରି ବିଭିନ୍ନ କ୍ଷେତ୍ରରେ ରେକର୍ଡ ସ୍ଥାପନ କରିଥିଲେ । ସେ ତାଙ୍କର ମହାନ ତ୍ୟାଗ ଓ କର୍ମରେ ଯେଉଁ ପ୍ରଶଂସାର ଅଧିକାରୀ ହେଉଛନ୍ତି, ତାହା ଏକ ଭିନ୍ନ ଦିଗନ୍ତ ।
ସମାଜର ଅବହେଳିତ, ଦଳିତ ଲୋକମାନଙ୍କର ଉତ୍ଥାନ ଓ ନିଜ ଦେଶର ସମତାର ପରିବେଶ ପାଇଁ ସେ ନିଜର ଶିକ୍ଷା, ସାମର୍ଥ୍ୟର ପ୍ରୟୋଗ ସହ ନିଜ ଜୀବନକୁ ମଧ୍ୟ ଉତ୍ସର୍ଗ କରିଥିଲେ । ଏଥିପାଇଁ ପୃଥିବୀର ବିଶିଷ୍ଟ ନେତାମାନଙ୍କ ମଧ୍ୟରେ ସେ ଅନ୍ତର୍ଭୁକ୍ତ । ଅଗଣିତ ମଣିଷର ମୁକ୍ତି ପାଇଁ ସେ ଯେଉଁ ମହାନ ଓ ଐତିହାସିକ କାର୍ଯ୍ୟ ନିର୍ବାହ କରିଛନ୍ତି, ସେ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ସମ୍ମାନର ଅଧିକାରୀ ହୋଇଛନ୍ତି । ଭାରତବର୍ଷରେ ଉଦ୍ଭବ ହୋଇଥିବା ତଥାଗତ ଗୌତମ ବୁଦ୍ଧଙ୍କର ଧର୍ମ ସମଗ୍ର ପୃଥିବୀର କୋଣ ଅନୁକୋଣରେ ପ୍ରସାରିତ ହୋଇଥିଲେ ମଧ୍ୟ ଭାରତବର୍ଷରୁ ଏହା ଏକ ପ୍ରକାର ବିଲୁପ୍ତ ହୋଇଯାଇଥିଲା । ଡକ୍ଟର ଆମ୍ବେଦକରଙ୍କ ପ୍ରୟାସରେ ବୁଦ୍ଧଙ୍କ ମାତୃଭୂମି ଭାରତରେ ବୌଦ୍ଧଧର୍ମର ପୁନଶ୍ଚ ପୁନଃରୁଥାନ ହୋଇପାରିଲା । ସମତା, ସ୍ୱତନ୍ତ୍ରତା ଓ ଭ୍ରାତୃତ୍ୱ ଭାବ ଆଧାରରେ ବିକଶିତ ହୋଇଥିବା ବୌଦ୍ଧଧର୍ମକୁ ସେ ଗ୍ରହଣ କରିବା ସହ ତାଙ୍କର ଲକ୍ଷ ଲକ୍ଷ ଅନୁଗାମୀମାନଙ୍କୁ ଏହି ଭାବଧାରାରେ ଅନୁପ୍ରାଣିତ କରିଥିଲେ । ଏହି ପ୍ରକ୍ରିୟାରେ ସେ ବୋଧିସତ୍ତ୍ୱରେ ରୂପାନ୍ତରିତ ହୋଇପାରିଥିଲେ ।
ଏହି ଶତାବ୍ଦୀର ମହାନ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରେ ଡକ୍ଟର ଆମ୍ବେଦକର ଅନ୍ତର୍ଭୁକ୍ତ । ନିଜର ସ୍ୱର ଓ ଲେଖା ମାଧ୍ୟମରେ ମନୁ ସ୍ମୃତି ଦ୍ୱାରା ପ୍ରବର୍ତ୍ତିତ ଭାରତୀୟ ଜାତିପ୍ରଥାର ସେ ଥିଲେ କଟୁ ସମାଲୋଚକ । ଭାରତର ଦଳିତ ମୂଳ ଜନତାଙ୍କ ଭିତରେ ଆତ୍ମପରିଚୟ ଓ ଆତ୍ମସମ୍ମାନ ସୃଷ୍ଟି କରିବାରେ ସେ ଥିଲେ ଅଗ୍ରଣୀ ବ୍ୟକ୍ତିତ୍ୱ । ଐତିହାସିକ ମାନଦଣ୍ଡରୁ ଦେଖିଲେ ସେ ଯେଉଁ କାର୍ଯ୍ୟ ସମାପନ କରିଛନ୍ତି କେବଳ ଭାରତ ନୁହେଁ ସମଗ୍ର ପୃଥିବୀରେ ତାଙ୍କର ସମକକ୍ଷ ବ୍ୟକ୍ତିତ୍ୱ ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଧୁନିକ ଭାରତର ନିର୍ମାଣ କ୍ଷେତ୍ରରେ ତାଙ୍କର ନାମ ଇତିହାସରେ ଅମର ରହିବ । ଯେଉଁ ବ୍ୟକ୍ତିକୁ ଦେଶର ନିୟୁତ ନିୟୁତ ବ୍ୟକ୍ତି ଶ୍ରଦ୍ଧା ଓ ସମ୍ମାନର ସହ ‘ବାବାସାହେବ’ ବୋଲି ସମ୍ବୋଧିତ କରନ୍ତି, ତାଙ୍କର ପତ୍ନୀ ହେବା ମୋ ଜୀବନର ସବୁଠାରୁ ଗୌରବାବହ ଓ ସୌଭାଗ୍ୟର ଘଟଣା । ଈଶ୍ୱରଙ୍କର ଆଶୀର୍ବାଦରୁ ମୁଁ ତାଙ୍କ ସହଧର୍ମିଣୀ ହେବାର ସୌଭାଗ୍ୟ ଲାଭ କଲି, ଯାହା ମୋ ଜୀବନକୁ ଅର୍ଥପୂର୍ଣ୍ଣ କରିପାରିଲା । ମୁଁ ତାଙ୍କ ଜୀବନ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଗଲି । ତାଙ୍କର ସମସ୍ତ କାର୍ଯ୍ୟରେ ମୁଁ ସାଧ୍ୟମତେ ଓ ମୋର ସୀମା ଭିତରେ ସହଯୋଗ କଲି । ମୁଁ ତାଙ୍କ ସହ ଛାଇସଦୃଶ ରହିଲି । ତାଙ୍କର ନାନା ପ୍ରକାର ଅସୁସ୍ଥତା ପାଇଁ ମୁଁ ତାଙ୍କୁ ନିୟମିତ ଔଷଧ ଓ ସେବା ଦେଉଥିଲି, ତାଙ୍କର ରୁଚିରେ ଖାଦ୍ୟ ପ୍ରସ୍ତୁତ କରାଉଥିଲି, ମନପ୍ରାଣ ଦେଇ ତାଙ୍କର ଯତ୍ନ ନେଉଥିଲି ଓ ଏହା ମୋ ଜୀବନର ସବୁଠାରୁ ଗୌରବାବହ ଘଟଣା ଥିଲା । ଡକ୍ଟର ଆମ୍ବେଦକର ମତେ ଗ୍ରହଣ କରିବାପରେ ମୁଁ ଅଗଣିତ ଲୋକଙ୍କର ‘ମା ସାହେବ’ ଭାବେ ପରିଚିତ ହେଲି । ତାଙ୍କ ସମୟର ଲୋକମାନଙ୍କର ମୁଁ ଶ୍ରଦ୍ଧା ଓ ସମ୍ମାନର ବ୍ୟକ୍ତି ହୋଇଗଲି । ଏହିସବୁ ସମ୍ମାନ ଓ ସୌଭାଗ୍ୟ ଠାରୁ ମୋ ଜୀବନରେ ଆଉ ଅଧିକ କଣ ମୁଁ ହୋଇପାରିଥାନ୍ତି । କେବଳ ତାଙ୍କ ପତ୍ନୀ ହେବା କାରଣରୁ ମୁଁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କର କେବଳ ପରିଚିତ ହେଲି ତାହା ନୁହେଁ, ମୁଁ ସେମାନଙ୍କର ସମ୍ମାନର ପାତ୍ର ହେଲି ।
ବିଂଶ ଶତାବ୍ଦୀର ଜଣେ କୀର୍ତ୍ତିମାନ ବ୍ୟକ୍ତି ଥିଲେ ଆମ୍ବେଦକର ଓ ମହାନ ଲୋକମାନଙ୍କର ଜୀବନ ହେଉଛି କିଛି ଅପରିମେୟ । ଡକ୍ଟର ଆମ୍ବେଦକରଙ୍କ ଜୀବନ ଏକ ସୀମାହୀନ ସାଗର ହେଲେ ମୁଁ ସେଥିରେ କେତେ ସ୍ଥାନ ନେଇଛି? ଯେତେବେଳେ ଏହି ପ୍ରଶ୍ନଟି ମୋ ମନକୁ ଆସେ, ମୁଁ ଭାବେ ମୁଁ ତାଙ୍କ ଜୀବନରେ ଏକ ପାଣି ଫୋଟକା ମାତ୍ର, ଏକ ବୁଦ୍  ବୁଦ୍ ପାଣି ଫୋଟକା ଯେପରି ଅଳ୍ପ ସମୟ ପାଇଁ ଆସି ପୁଣି ପାଣି ଭିତରେ ନିଜର ଅସ୍ତିତ୍ୱ ହରାଏ, ମୁଁ ସେହିପରି ଏକ ଫୋଟକା ସଦୃଶ । ଆମ୍ବେଦକରଙ୍କ ସମଗ୍ର ଜୀବନର କାହାଣୀ ଭିତରେ ମୋର ସ୍ଥାନ ଏକ ସାଗରର ଏକ ଫୋଟକା ମାତ୍ର । ତେବେ ସେହି ସାଗର ତୁଲ୍ୟ ମଣିଷଙ୍କର ମୁଁ ଯେଉଁ ସାନି୍ନଧ୍ୟଟିକକ ଲାଭ କଲି, ତାହା ମୋ ଜୀବନକୁ ଯଥେଷ୍ଟ ଅର୍ଥପୂର୍ଣ୍ଣ କରିପାରିଲା । ଏକ ସାଗର ହେଉଛି ଏକ ସାଗର । ଏକ ସୀମାହୀନ ସାଗରର ଏକ ବୁଦ୍  ବୁଦ୍  ଫୋଟକା ହେବା ବି ମୋର ଗୌରବ ଓ ଭବିତବ୍ୟ । ଗୋଟିଏ ସାଗର ପାଖରେ ଏକ ଫୋଟକାର କେତେ ମୂଲ୍ୟ ରହିଛି? ଏହି ଦୃଷ୍ଟିରୁ ମୋ ଜୀବନର ଗୁରୁତ୍ୱ ନେଇ ମୁଁ ବିଶେଷ କିଛି ଚିନ୍ତା କରୁନାହିଁ । ମୁଁ କେବଳ ନିଷ୍ଠାର ସହ ତାଙ୍କ ସହ ସଂଯୁକ୍ତ ହୋଇ ରହିଥିବା ସମୟର ଘଟଣାବଳୀକୁ ବିଶ୍ୱସ୍ତତାର ସହ ପ୍ରକାଶ କରିବାକୁ ଚାହୁଁଛି । ତାଙ୍କ ସହ ଅତିବାହିତ କରିଥିବା ସମୟ ମୋ ଜୀବନର ଏକ ସ୍ୱର୍ଣ୍ଣାଭ କାଳ । ତାଙ୍କ ସାନ୍ନିିଧ୍ୟରେ କଟାଇଥିବା ମୋର କେତୋଟି ଆନନ୍ଦଦାୟକ ବର୍ଷ ବିଷୟରେ କହିବା ପୂର୍ବରୁ ମୋର ପାରିବାରିକ ସ୍ଥିତି ଓ ଜୀବନର କିଛି ଘଟଣାବଳୀ ଏଠାରେ ପ୍ରକାଶ କରିବା ଉଚିତ ମନେ କରୁଛି । ମୋର ପୂର୍ବର ସ୍ଥିତି କେବଳ ଐତିହାସିକ କାରଣରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଘଟଣାମାନଙ୍କର ଧାରାବାହିକତାକୁ ବୋଧଗମ୍ୟ କରିବାରେ ସହାୟକ ହେବ । ଆମ୍ବେଦକରଙ୍କୁ ମୋର ପ୍ରଥମ ସାକ୍ଷାତ ପୂର୍ବରୁ ମୋ ଜୀବନର କିଛି ଘଟଣା ଏଠାରେ ଉଲ୍ଲେଖ କରିବା ଅପ୍ରାସଙ୍ଗିକ ହେବ ନାହିଁ । ତେବେ ମୋର କାହାଣୀକୁ ମୁଁ ସଂକ୍ଷେପରେ ପ୍ରକାଶ କରୁଛି ।
ମୋ ପରିବାରର ପୃଷ୍ଠଭୂମି :
ଆମ ପରିବାରର ସାରସ୍ୱତ ବ୍ରାହ୍ମଣ ଓ ଆମର ସାଙ୍ଗିଆ ହେଉଛି କବିର । ଆମ ପୂର୍ବପୁରୁଷ ରନôଗିରି ଜିଲ୍ଲାର ଅଧିବାସୀ, ଡକ୍ଟର ଆମ୍ବେଦକରଙ୍କ ପୂର୍ବପୁରୁଷମାନେ ଅନୁରୂପ ଭାବେ ମଧ୍ୟ ରନôଗିରିର ବାସିନ୍ଦା ଥିଲେ । ମୋ ବାପା ଓ ମା ରନôଗିରି ଜିଲ୍ଲାର ରାଜପୁର ଅଞ୍ଚଳର । ବାପାଙ୍କର ଗାଁର ନାମ  ଦୋଲୋ, ତେବେ ବାପା ତାଙ୍କ ଚାକିରିପାଇଁ ଗାଁ ଛାଡ଼ି ପୁନେକୁ ଚାଲି ଆସିଥିଲେ । ଏହି ଦୃଷ୍ଟିରୁ ରାଜପୁର ଅଞ୍ଚଳ ସହ ଆମର ବିଶେଷ ସମ୍ବନ୍ଧ ନଥିଲା । ବାପା ବମ୍ବେ ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗର ଫାର୍ମାସି ସୁପରିଟେଣ୍ଡେଣ୍ଟ ଥିଲେ । ବାପାଙ୍କର ନାମ କ୍ରିଷ୍ଣା ରାଓ ବିନାୟକ ରାଓ କବିର ଓ ମା’ଙ୍କ ନାମ ହେଉଛି ଜାନକୀ ବାଈ ।
ସାରସ୍ୱତ ବ୍ରାହ୍ମଣ ପରିବାରର ଅନେକ ଲୋକ ମୁମ୍ବାଇରେ ବିଭିନ୍ନ ଚାକିରି ଓ ବୃତ୍ତିରେ ରହିଥିଲେ । ଆମେ ଯଦିବା ପୁନେରେ ରହିଥିଲୁ, ଆମର ସମ୍ପର୍କୀୟମାନେ ମୁମ୍ବାଇରେ ବାସିନ୍ଦା ହୋଇ ରହୁଥିଲେ । ତେଣୁ ବିଭିନ୍ନ ଅବସରରେ ଆମକୁ ମୁମ୍ବାଇ ଆସିବାକୁ ପଡ଼ୁଥିଲା । ମୁମ୍ବାଇ ଆମପାଇଁ ଅପରିଚିତ ନଥିଲା, ବରଂ ଆମ ଘରଠାରୁ ଦୂରରେ ଥାଇବି ମୁମ୍ବାଇ ଆମର ଘର ପାଲଟି ଯାଇଥିଲା । ଆମର କୌଣସି ସମ୍ପର୍କୀୟ ନା ପୁନେ ନା ରାଜପୁରରେ ରହୁଥିଲେ । ଆମର ସମ୍ପର୍କୀୟମାନେ ମୁମ୍ବାଇରେ ରହୁଥିଲେ । ଯେକୌଣସି ଚିକିତ୍ସା ବା ମା’ଙ୍କର ପ୍ରସବପାଇଁ ବାପା ଆମକୁ ମୁମ୍ବାଇ ନେଉଥିଲେ । ମା’ଙ୍କର ସମସ୍ତ ପ୍ରସବ ମୁମ୍ବାଇଠାରେ ହୋଇଥିଲା । ମୋର ମଧ୍ୟ ଜନ୍ମ ମୁମ୍ବାଇରେ ହୋଇଥିଲା । ମୋ ନାମ ବାପା-ମା ‘ଶାରଦା’ ଦେଇଥିଲେ ।
ବିଦ୍ୟାଳୟ ଶିକ୍ଷା:
ବାପା ଯେହେତୁ ପୁନେରେ ଚାକିରି କରୁଥିଲେ, ମୋର ପିଲାବେଳ ପୁନେରେ କଟିଥିଲା । ମୋର ପ୍ରାଥମିକ ଶିକ୍ଷା ପୁନେଠାରେ ହୋଇଥିଲା । ସେତେବେଳେ ପୁନେ ଥିଲା ଏକ ଶିକ୍ଷା କ୍ଷେତ୍ର । ଆମେ ସେହିଠାରେ ରସ୍ତପେଠ ଅଞ୍ଚଳରେ ରହୁଥିଲୁ । ମୋର ପ୍ରାଥମିକ ଶିକ୍ଷାପରେ ପ୍ରସିଦ୍ଧ ହଜୁରବାଗ ସ୍କୁଲରେ ବାପା ମୋ ନାମ ଲେଖାଇଥିଲେ । ମୁଁ ସେଠାରୁ ପ୍ରଥମ ଶ୍ରେଣୀରେ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲି । ଏହାପରେ ପର୍ଶୁରାମ କଲେଜରେ ବିଜ୍ଞାନ ଶ୍ରେଣୀରେ ମୋ ନାମ ଲେଖାଗଲା । ସେହିବର୍ଷ ମୁଁ ପ୍ରଥମ ଶ୍ରେଣୀରେ ପ୍ରଥମହୋଇ ପାସ୍ କଲି । ତା’ପରେ ମୁଁ ଫର୍ଗୁସନ୍ କଲେଜରେ ଇଣ୍ଟର ସାଇନ୍ସ କୋର୍ସରେ ନାମ ଲେଖାଇଲି । ଏହି ସମୟରେ ବାପା ରସ୍ତପେଠ ଠାରୁ ଆସି ସୋମୱାରପେଠରେ ରହିଲେ । ପରବର୍ତ୍ତୀ ଅଧ୍ୟୟନ ପାଇଁ ଇଣ୍ଟର ସାଇନ୍ସର ପରୀକ୍ଷାଫଳ ଗୁରୁତ୍ୱପୂର୍ଣ୍ଣ ଥାଏ, ତେଣୁ ବାପା ମତେ ମହିଳା ଛାତ୍ରୀନିବାସରେ ରଖିଦେଲେ, ଫଳରେ ମୁଁ ଭଲରେ ପଢ଼ାପଢ଼ି କରିପାରିବି । ଆମ ହଷ୍ଟେଲରେ ମାଟ୍ରନ୍ ବା ତତ୍ତ୍ୱାବଧାରିକା ଥିଲେ ଜଣେ ବିଧବା ମହିଳା ଓ ତାଙ୍କର ନାମ କିର୍ତ୍ତନେ । ତେବେ ସେ ପରେ ବିଶିଷ୍ଟ ସମାଜବାଦୀ ନେତା ଓ ବୁଦ୍ଧିଜୀବୀ ନାନାସାହେବ ଗୋରେଙ୍କୁ ବିବାହ କଲେ । ଏହା ଯେହେତୁ ଏକ ବିଧବା ବିବାହ ଥିଲା, ସେ ସମୟରେ ଏହା ବେଶ୍ କୌତୂହଳତା ସୃଷ୍ଟି କରିଥିଲା । ବିବାହ ପୂର୍ବରୁ ନାନାସାହେବ ଗୋରେ ଆମ ହଷ୍ଟେଲକୁ ଆସନ୍ତି ଓ ମାଟ୍ରନ୍ ମ୍ୟାଡମ୍ ଙ୍କ  ସହ ଭ୍ରମଣରେ ଯାଆନ୍ତି । ଆମେ ହଷ୍ଟେଲର ଛାତ୍ରମାନଙ୍କ ଭିତରେ ଏହା ଏକ ସମ୍ବାଦ ଭାବେ ଚର୍ଚ୍ଚାର ପ୍ରସଙ୍ଗ ହୁଏ । ମୁଁ ପ୍ରତ୍ୟୁତ୍ପନ୍ନମତି ତଥା ପରିଶ୍ରମୀ ଥିଲି, ମୁଁ ସମସ୍ତ ସମୟ ମୋ ପାଠପଢ଼ାରେ ବ୍ୟୟ କରୁଥିଲି । ସେହି ବର୍ଷ ଇଣ୍ଟରସାଇନ୍ସ ପରୀକ୍ଷାରେ ପ୍ରଥମ ସ୍ଥାନରେ ରହି ଉତ୍ତୀର୍ଣ୍ଣ ହେଲି । ପରୀକ୍ଷାଫଳ ପରେ ମୁଁ ବି.ଏସ୍.ସି ପଢ଼ିବି କି ଡାକ୍ତରୀ ପାଠ ପଢ଼ିବି; ଏହା ପରିବାରରେ ଆଲୋଚ୍ୟ ବିଷୟ ହେଲା ।
ଗ୍ରାଣ୍ଟ୍ ମେଡିକାଲ କଲେଜରେ ମୋର ନାମଲେଖା:
ଆମେ ଭାଇଭଉଣୀମାନେ ବାପାମା’ଙ୍କର ଅତ୍ୟନ୍ତ ଆଜ୍ଞାବହ ଥିଲୁ । ଆମ ପରିବାରର ଏହା ସଂସ୍କୃତି ଯେ ବାପାମା’ ଯାହା ଚାହିଁବେ ଆମେ ତାହା ପାଳନ କରିବୁ । ବାପା ଚାହିଁଲେ ମୁଁ ଡାକ୍ତର ହେବି, ତେଣୁ ବାପାଙ୍କ କଥାରେ ମୋର ଅସମ୍ମତ ହେବାର ନଥିଲା । ମୁମ୍ବାଇ ଗ୍ରାଣ୍ଟ ମେଡିକାଲ କଲେଜରେ ବାପା ମୋର ନାମ ଲେଖାଇଦେଲେ । ବାପାମା’ ଯେହେତୁ ପୁନେରେ ରହୁଥିଲେ ଓ ମେଡିକାଲ କଲେଜରେ ମହିଳା ଛାତ୍ରୀନିବାସରେ ମତେ ରହିବାକୁ ହେଲା । ମୁଁ ଯେଉଁ ସମୟରେ ମେଡିକାଲ କଲେଜରେ ପଢ଼ୁଥିଲି ବାପା ସେହି ସମୟରେ ଚାକିରିରୁ ଅବସରନେଲେ । ବାପା ଅବସର ନେଇସାରିଲା ପରେ ପୁନେରୁ ମୁମ୍ବାଇ ଚାଲିଆସିଲେ ଓ ପର୍ତ୍ତୁଗୀଜ୍ ରୋଡ୍ରେ ଥିବା ମାତୃଛାୟା ନିବାସରେ ଘରଟିଏ କିଣି ରହିଲେ ଓ ଆମର ପୁରା ପରିବାର ମୁମ୍ବାଇକୁ ଚାଲିଆସିଲେ । ସେତେବେଳେ ଯାହା ପର୍ତ୍ତୁଗୀଜ ଚର୍ଚ୍ଚ ରୋଡ୍ ଥିଲା, ତାହା ଏବେ ରାଜବାହାଦୁର ଏସ୍. କେ.ଦୋଲ ମାର୍ଗ ଭାବେ ପରିଚିତ । ଏହା ଦାଦର ଇଷ୍ଟ ଅଞ୍ଚଳରେ ରହିଛି ।
ଯଦିବା ବାପା, ମାଆ ଓ ପରିବାର ବମ୍ବେରେ ରହିଲେ ମୁଁ  ହଷ୍ଟେଲରେ ରହିବା ଥିଲା ବାପାଙ୍କର ଇଚ୍ଛା । ହଷ୍ଟେଲରେ ରହିଲେ ମୋର ପଢ଼ାପଢ଼ି ପାଇଁ ମୁଁ ଯଥେଷ୍ଟ ସମୟ ପାଇବି ଏହି ଦୃଷ୍ଟିରୁ ମୋର ହଷ୍ଟେଲରେ ରହିବା ବାପା ଚାହିଁଲେ । ତେବେ ବାପା, ମାଆ ନିୟମିତ ବ୍ୟବଧାନରେ ମତେ ହଷ୍ଟେଲକୁ ଆସି ଦେଖା କରୁଥିଲେ । ସେମାନେ ମୋ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତ ଖାଦ୍ୟ ମଧ୍ୟ ଆଣି ଦେଉଥିଲେ । ମୋର ଯେପରି କିଛି ଅଭାବ, ଅସୁବିଧା ନ ହୁଏ ସେଥିପାଇଁ ବାପା ବେଶ୍ ଯତ୍ନଶୀଳ ଥିଲେ । ବାପାଙ୍କର ଆଶା ପୂରଣ କରିବାକୁ ମୁଁ ବି ସଂକଳ୍ପବଦ୍ଧ ଭାବରେ ପରିଶ୍ରମ କରୁଥିଲି । ମୁଁ ହଷ୍ଟେଲରେ ରହୁଥିଲେ ବି କେତେବେଳେ ଦାଦରରେ ଥିବା ଆମ ଘରକୁ ଯାଇ ପରିବାରର ସମସ୍ତଙ୍କୁ ଦେଖାକରି ଆସୁଥିଲି । ମୋର ପାଠପଢ଼ା ହଷ୍ଟେଲରେ ଓ କ୍ୱଚିତ୍ ସମୟ ଘରକୁ ଯିବା ଭିତରେ ମୋ ଜୀବନ ସୀମିତ ରହିଥିଲା । ମୁଁ ଓ ମୋର ପାଠପଢ଼ା ବ୍ୟତୀତ କୌଣସି ବିଷୟ ମୋ ମନକୁ ଆସୁନଥିଲା । ମୋର ଚାରିପାଖ ଦୁନିଆରେ କୌଣସି ଘଟଣା ମୋ ମନରେ ପ୍ରବେଶ କରୁନଥିଲା ।
ସେତେବେଳେ ମୋର ଏକମାତ୍ର ସ୍ୱପ୍ନ ଥିଲା ମୁଁ କିପରି ଭଲ ଡାକ୍ତର ହୋଇ ଉତ୍ତୀର୍ଣ୍ଣ ହେବି । ମୋର ପାଠପଢ଼ା କ୍ଷେତ୍ରରେ ମୋର ଏକ ଶୈଳୀ ଥିଲା । ପ୍ରତ୍ୟେକ ବିଷୟ ଉପରେ ମୁଁ ନୋଟ୍ ପ୍ରସ୍ତୁତ କରି ରଖୁଥିଲି । ମୋର ନୋଟ୍ କୁ  ଅନୁକରଣ କରି ମୁଁ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲି । ଏପରିକି ଏବେ ମଧ୍ୟ କଲେଜ ଜୀବନର ନୋଟ୍ ଖାତାମାନ ମୋ ପାଖରେ ରହିଛି ।
ମଣିଭବନ ସଂଯୋଗ
ଗ୍ରାଣ୍ଡ୍ ମେଡିକାଲ କଲେଜରେ ମୁଁ ଯେଉଁ ହଷ୍ଟେଲରେ ରହୁଥିଲି, ତାହା ମଣିଭବନ ସମ୍ମୁଖ ରାସ୍ତାରେ ରହିଥିଲା । ମହାତ୍ମା ଗାନ୍ଧୀ ଯେତେବେଳେ ମୁମ୍ବାଇ ଯାଉଥିଲେ, ସେ ସର୍ବଦା ମଣିଭବନରେ ରହୁଥିଲେ । ପାଠକମାନେ ପ୍ରାୟ ଜାଣନ୍ତି ଯେ,ଏହି ମଣିଭବନରେ ମହାତ୍ମା ଗାନ୍ଧୀ ଓ ବାବାସାହେବଙ୍କ ଭିତରେ ୧୯୩୧ ଅଗଷ୍ଟ ୧୪ତାରିଖରେ ପ୍ରଥମ ସାକ୍ଷାତ ହୋଇଥିଲା । ଏହାକୁ ପ୍ରଥମ ସାକ୍ଷାତ କହିବା ପରିବର୍ତ୍ତେ ବରଂ ଏକ ବାକ୍ ଯୁଦ୍ଧ କହିବା ଯଥାର୍ଥ ହେବ । ଗାନ୍ଧିଜୀ ଓ ଆମ୍ବେଦକରଙ୍କ ଭିତରେ ଏହି ସାକ୍ଷାତ ବିଷୟରେ ସେତେବେଳେ ସାମାନ୍ୟ କିଛି ଜାଣିନଥିଲି । ଯଦିବା ମୁଁ ରହୁଥିବା ହଷ୍ଟେଲଟି ମଣିଭବନ ସାମ୍ନାରେ ରହିଥିଲା, ଆମ୍ବେଦକରଙ୍କୁ ବିବାହ କରିବା ପରେ ମୁଁ ସେମାନଙ୍କର ଏହି ସାକ୍ଷାତ ବିଷୟରେ ଜାଣିଲି । ଆମେ ବିବାହ ପରେ ଦିଲ୍ଲୀରେ ଏକ ବଙ୍ଗଳାରେ ରହିଲୁ, ଆମ୍ବେଦକର ବିଭିନ୍ନ ଅବସରରେ ତାଙ୍କ ଜୀବନର ବିଭିନ୍ନ ଘଟଣା ମତେ କହିଥାନ୍ତି । ଥରେ ତାଙ୍କ ସହ ଏହିପରି କଥୋପକଥନ ସମୟରେ ମହାତ୍ମା ଗାନ୍ଧୀଙ୍କ ସହ ତାଙ୍କ ପ୍ରଥମ ସାକ୍ଷାତ କିପରି ଅପ୍ରୀତିକର ଥିଲା ତାହା ସେ ମତେ କହିଥିଲେ । ସେ ଯାହା ମତେ କହିଥିଲେ, ଏଠାରେ ଉଲ୍ଲେଖ କରୁଛି –
ଆମ୍ବେଦକର ତାଙ୍କର କେତେକ ସହଯୋଗୀଙ୍କୁ ନେଇ ମଣିଭବନରେ ଗାନ୍ଧିଜୀଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ଓ ଆମ୍ବେଦକରଙ୍କ ଉପସ୍ଥିତିକୁ ଗାନ୍ଧିଜୀ କିଛି ଗୁରୁତ୍ୱ ନ ଦେଇ ତାଙ୍କ କାର୍ଯ୍ୟରେ ଲାଗିଥାନ୍ତି । ଆମ୍ବେଦକର ସେଠାରେ ବସିଥାନ୍ତି ଓ ତାଙ୍କର ସହଯୋଗୀମାନେ କିଛି ସମୟ ପରେ ଭାବିଲେ ଯେ ଆମ୍ବେଦକର ବ୍ୟସ୍ତ ହୋଇ ପଡ଼ିଲେଣି ଓ ବୋଧହୁଏ ସେ ସେଠାରୁ ଅପମାନିତ ଅନୁଭବ କରି ଫେରିଯିବେ । କିଛି ସମୟ ପରେ ଗାନ୍ଧିଜୀ ତାଙ୍କ ନିରବତା ଭଙ୍ଗ କରି କଥା ଆରମ୍ଭ କଲେ । ହିନ୍ଦୁ ସମାଜରେ ପ୍ରଚଳିତ ଥିବା ଜାତିପ୍ରଥା ଓ ଭାରତୀୟ ଜାତୀୟ କଂଗ୍ରେସ ଏହାର ବିଲୋପ ନେଇ କଣ ପଦକ୍ଷେପ ଗ୍ରହଣ କରୁଛି, ଏହା ଆମ୍ବେଦକର ଆଲୋଚନା ବେଳେ ଉଠାଇଲେ ।
ଡକ୍ଟର ଆମ୍ବେଦକର ଯୁକ୍ତିସଙ୍ଗତ ଭାବେ ତାଙ୍କର ମତାମତ ଗାନ୍ଧୀଜୀଙ୍କୁ କହିଲେ । ଗାନ୍ଧିଜୀ ଚତୁଃବର୍ଣ୍ଣ ବ୍ୟବସ୍ଥାକୁ ସମର୍ଥନ କରି ଏହା ସପକ୍ଷରେ କହିବାକୁ ଲାଗିଲେ । ଏହି ପ୍ରସଙ୍ଗରୁ ଉଭୟଙ୍କ ଭିତରେ ମତପାର୍ଥକ୍ୟ ସୃଷ୍ଟି ହେଲା । ଆମ୍ବେଦକରଙ୍କ ମତକୁ କଟାକ୍ଷ କରି ଗାନ୍ଧିଜୀ କହିଲେ, “ଡକ୍ଟର, ଅସ୍ପୃଶ୍ୟତା ବିଷୟରେ ଆପଣଙ୍କର ଜନ୍ମ ପୂର୍ବରୁ ମୁଁ ଚିନ୍ତା କରି ଆସୁଛି । କଂଗ୍ରେସର କାର୍ଯ୍ୟକ୍ରମ ଭିତରେ ଅସ୍ପୃଶ୍ୟତା ଦୂରୀକରଣ ପ୍ରସଙ୍ଗ ବି ମୁଁ ଉଠାଇଛି । ଅସ୍ପୃଶ୍ୟତା ଦୂରୀକରଣ ବିଷୟ ମୋ ଅନ୍ତରରେ ରହିଛି । ହିନ୍ଦୁ ମୁସଲମାନ ପ୍ରସଙ୍ଗ ଅପେକ୍ଷା ଅସ୍ପୃଶ୍ୟତା ନିର୍ମୂଳନକୁ ମୁଁ ଅଧିକ ପ୍ରାଧାନ୍ୟ ଦେଇଛି, ଏଥିପାଇଁ ଏ ପର୍ଯ୍ୟନ୍ତ କୋଟିଏ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲାଣି ।
ଡକ୍ଟର ଆମ୍ବେଦକର ତତ୍କ୍ଷଣାତ ଜବାବ ଦେଲେ, ଏହା ସତ୍ୟ ଯେ ମୋର ଜନ୍ମ ପୂର୍ବରୁ ଆପଣ ଏହି କାର୍ଯ୍ୟ କରୁଛନ୍ତି । ଆମ ଭିତରେ କିଛି ଲୋକ ଅଛନ୍ତି ଯେଉଁମାନେ ଏ ପ୍ରକାରର ବରିଷ୍ଠତାର ଦାବି କରିଥାନ୍ତି । ଆପଣ ଯେ ବୟସରେ ମୋଠାରୁ ବରିଷ୍ଠ ଏହା ମୁଁ କିପରି ଅସ୍ୱୀକାର କରିବି? ଏହା ମଧ୍ୟ ସତ୍ୟ ଯେ ଆପଣଙ୍କ ଉଦ୍ୟମ ଯୋଗୁଁ ଅସ୍ପୃଶ୍ୟତା ଦୂରୀକରଣ ପାଇଁ କଂଗ୍ରେସ ସ୍ୱୀକୃତି ପ୍ରଦାନ କରିଛି । ତେବେ କଂଗ୍ରେସ ଏହି କାର୍ଯ୍ୟକୁ ସ୍ୱୀକୃତି ଦେବା ବ୍ୟତୀତ ଆଉ କିଛି ଅଧିକ କାର୍ଯ୍ୟ କରିପାରି ନାହିଁ । ଆପଣ କହୁଛନ୍ତି ଯେ ଏହି ଉଦେ୍ଦଶ୍ୟରେ କଂଗ୍ରେସ କୋଡ଼ିଏ ଲକ୍ଷ ଟଙ୍କା ବ୍ୟୟ କରିଛି, ଫଳରେ ଏହାକୁ ମୁଁ ସ୍ୱୀକାର କରୁଛି, କିନ୍ତୁ ମୁଁ ନିଷ୍ଠାର ସହ କହିପାରେ ଯେ ଏହି ଟଙ୍କା ପାଣିରେ ପଡ଼ିଛି, ଅସ୍ପୃଶ୍ୟମାନଙ୍କର ସାମାନ୍ୟତମ ଉପକାରରେ ଏହା ଲାଗି ନାହିଁ । ଯଦି ଏତେ ଟଙ୍କା ମୋ ପରି କୌଣସି ଆନ୍ତରିକତା ଥିବା ଲୋକଙ୍କ ହାତକୁ ଆସିଥାନ୍ତା, ତେବେ ଅସ୍ପୃଶ୍ୟତା ଦୂରୀକରଣ କାର୍ଯ୍ୟକ୍ରମ ଏକ ଗତିଶୀଳ କାର୍ଯ୍ୟରେ ପରିଣତ ହୋଇପାରିଥାନ୍ତା । ଅସ୍ପୃଶ୍ୟତା ଦୂର କରିବା ପାଇଁ ନିଷ୍ଠାପର ପ୍ରୟାସ ବିନା ଏହା ସମ୍ଭବ ହେବ ନାହିଁ । ଏହି ପ୍ରଥମ ସାକ୍ଷାତକାରରେ ଆମ୍ବେଦକର ଅବଜ୍ଞାସୂଚକ ଭାବରେ କହିଥିଲେ, ମି. ଗାନ୍ଧୀ ଆମର ଆତ୍ମବିଶ୍ୱାସ ଓ ଶକ୍ତି ବଳରେ ଆମେ କେବଳ ପନ୍ଥା ସ୍ଥିର କରିବୁ । ଆପଣଙ୍କ ପରି ଜଣେ ମହାତ୍ମାଙ୍କ ଉପରେ ଆମର ଆସ୍ଥା ନାହିଁ, ଫଳରେ ଆମେ ଆପଣଙ୍କ ଉପରେ ନିର୍ଭର କରିପାରୁ ନାହୁଁ । ମହାତ୍ମାମାନେ ଯେ କ୍ଷଣସ୍ଥାୟୀ ଓ ଭ୍ରମ ଏହାର ଦୃଷ୍ଟାନ୍ତ ଇତିହାସରୁ ମିଳିଥାଏ । ମହାତ୍ମାମାନେ ଚହଳ ସୃଷ୍ଟି କରି କେତେ ଧୂଆଁ ଉତ୍ପନ୍ନ କରିଥାନ୍ତି କିନ୍ତୁ ତାହା ଦ୍ୱାରା ସମାଜର ସ୍ଥିତିରେ ପରିବର୍ତ୍ତନ ହୁଏ ନାହିଁ ।
ଏହିପରି ପ୍ରଥମ ସାକ୍ଷାତରେ ଡକ୍ଟର ଆମ୍ବେଦକରଙ୍କ ମହାତ୍ମାଙ୍କୁ ସମାଲୋଚନାମୂଳକ ବାଣୀ ଶୁଣାଇଥିଲେ, ଗାନ୍ଧିଜୀ ଓ ଆମ୍ବେଦକରଙ୍କ ଏହି ସାକ୍ଷାତ ଯେ ପ୍ରୀତିପୂର୍ଣ୍ଣ ନଥିଲା, ଏହା ସାକ୍ଷୀ ହେଉଛି ମଣିଭବନ ।
ଗାନ୍ଧୀ ଧାରଣା କରିଥିଲେ ଯେ ଆମ୍ବେଦକର ହେଉଛନ୍ତି ଜଣେ ବ୍ରାହ୍ମଣ । ସେ ଏହିପରି ଏକ ଧାରଣା ପୋଷଣ କରିଥିଲେ ଯେ ଡକ୍ଟର ଆମ୍ବେଦକରଙ୍କର ଜଣେ ଉଚ୍ଚଶିକ୍ଷିତ ବ୍ରାହ୍ମଣ ଯୁବକ ଯିଏ ଅସ୍ପୃଶ୍ୟମାନଙ୍କ ଅଧିକାର ପାଇଁ ସଂଗ୍ରାମ କରୁଛନ୍ତି । ଆମ୍ବେଦକରଙ୍କ ସହ ବିବାହ ପରେ ମୁଁ ଏହି ଇତିହାସ ତାଙ୍କ ମୁହଁରୁ ଶୁଣିଥିଲି ।
ମୁଁ ଡାକ୍ତର ହେଲି
ଗ୍ରାଣ୍ଟ୍ ମେଡିକାଲ କଲେଜରେ ନାମ ଲେଖାଇବା ପରଠାରୁ ମୁଁ ମୋର ଅଧ୍ୟବସାୟ ଜାରି ରଖିଲି । ପ୍ରତ୍ୟେକ ପରୀକ୍ଷାରେ ଉତ୍ତମ ଗ୍ରେଡ୍ ରଖି ମୁଁ ଉତ୍ତୀର୍ଣ୍ଣ ହୋଇଥିଲି । ମୁଁ ୧୯୩୭ରେ ଏମ୍ବିବିଏସ ପାସ କଲି । ମୋ ବାପାଙ୍କର ଆଶା ପୂରଣ କଲି । ପୂରଣ କରିଥିବାରୁ ମୁଁ ଉଲ୍ଲସିତ ଥାଏ । ପରିବାରର ଅନ୍ୟମାନେ ଓ ଆମର ସମ୍ପର୍କୀୟମାନେ ମଧ୍ୟ ବହୁତ ଖୁସି ହୋଇଥାନ୍ତି । ସେହି ସମୟରେ ଜଣେ ମହିଳା ଡାକ୍ତର ହେବା ଏକ ବୈପ୍ଳବିକ ବିଷୟ ଥିଲା । ମୁଁ ଡାକ୍ତର ହେବା ଆମ ପରିବାର ପାଇଁ ଗର୍ବ ଓ ଗୌରବର ବିଷୟ ଥିଲା । ମେଡିକାଲ କାଉନସିଲରେ ମୋର ନାମ ପଞ୍ଜୀକୃତ ହେଲା ଓ ମୋର ପଞ୍ଜୀକରଣ ନମ୍ବର ହେଲା ୨୮୪୫ ।
ମୁଁ ଡାକ୍ତର ଡିଗ୍ରୀ ପାଇବା ପରେ ମୁଁ ସରକାରୀ ଚାକିରିରେ ଯୋଗଦେବି ବା ସ୍ୱାଧୀନ ଭାବରେ ପ୍ରାକ୍ଟିସ କରିବି, ଆମ ପରିବାରରେ ଆଲୋଚ୍ୟ ପ୍ରସଙ୍ଗ ହେଲା । ଶେଷରେ ସ୍ଥିର ହେଲା ଯେ ଚାକିରି କରିବା ବା ପ୍ରାଇଭେଟ ପ୍ରାକ୍ଟିସ କରିବା ପରିବର୍ତ୍ତେ ମୁଁ ପୋଷ୍ଟ ଗ୍ରାଜୁଏଟ କୋର୍ସ କରିବି । ମୋ ବାପା ଚାହିଁଲେ ଯେ ମୁଁ ଏମ୍ଡି କରିବି, ଫଳରେ ‘ଡକ୍ଟର ଅଫ୍ ମେଡିସିନ୍’ କୋର୍ସରେ ମୁଁ ନାମ ଲେଖାଇଲି ।
ମୋର ଅସୁସ୍ଥତା
ମୁଁ ନୂତନ ଆଗ୍ରହ ଓ ମନୋବଳ ନେଇ ମୋର ଅଧ୍ୟୟନରେ ଲାଗିଲି । ମୁଁ ଜଣେ ମେଧାବୀ ଛାତ୍ରୀ ଥିଲି ଓ ମୋର ଏକ ସ୍ୱତନ୍ତ୍ର ଶୈଳୀ ରହିଥିଲା । ମୁଁ ନିଷ୍ଠା ଓ ଦୃଢ଼ତାର ସହ ମୋର ପାଠ୍ୟକ୍ରମ ଶେଷ କଲି । ମୁଁ ପରୀକ୍ଷାରେ ମଧ୍ୟ ବହୁତ ଭଲଭାବରେ ଉତ୍ତର ଲେଖିଥିଲି । ତେବେ ପରୀକ୍ଷା ଓ ପ୍ରାକ୍ଟିକାଲ ଭିତରେ କିଛିଦିନ ବ୍ୟବଧାନ ଥିଲା । କିନ୍ତୁ ମୋର ପ୍ରାକ୍ଟିକାଲ ପୂର୍ବରୁ ମୁଁ ଅସୁସ୍ଥ ହୋଇ ଶଯ୍ୟାଶାୟୀ ହେଲି ।
ଫଳରେ ମୁଁ ମୋର ପ୍ରାକ୍ଟିକାଲ ପରୀକ୍ଷା ଦେଇପାରିଲି ନାହିଁ । ଏହାଦ୍ୱାରା ମୋର ଏମ୍.ଡି ଡିଗ୍ରୀ ପୂରଣ ହୋଇପାରିଲା ନାହିଁ । ମୋର ଏହି ଦୁର୍ଭାଗ୍ୟ ମୋର ମାନସିକ ଅବସ୍ଥାକୁ ଅଧିକ ଖରାପ କରିଦେଲା ଓ ମାସ ମାସ ଧରି ଶଯ୍ୟାଶାୟୀ ହୋଇ ରହିଲି । ମୋର ସ୍ୱାସ୍ଥ୍ୟାବସ୍ଥା ଏତେ ବିପଜ୍ଜନକ ସ୍ଥିତିକୁ ଗଲା ଓ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଲି । ମତେ ଚିକିତ୍ସା କରୁଥିବା ଡାକ୍ତର ପୂର୍ଣ୍ଣ ବିଶ୍ରାମ ନେବାକୁ ମତେ ପରାମର୍ଶ ଦେଲେ ।
ସମଗ୍ର ଚିକିତ୍ସା ଓ ବିଶ୍ରାମ ସତ୍ତ୍ୱେ ମୋର ଅସୁସ୍ଥତା ଓ ମାନସିକ ଆଘାତ ଯୋଗୁଁ ମୁଁ ପୂର୍ଣ୍ଣ ଭାବରେ ସୁସ୍ଥ ହେଲି ନାହିଁ । ଥରେ ମୋର ଶରୀର ଆକ୍ରାନ୍ତ ହୋଇଯିବା ଫଳରେ ଆଉ ଏହା ପୂର୍ବ ଅବସ୍ଥାକୁ ଫେରିଲା ନାହିଁ । ଏପରିକି ମୁଁ ସୁସ୍ଥ ହେଲା ପରେ ମଧ୍ୟ କିଛି ନା କିଛି ଶାରୀରିକ ସମସ୍ୟା ଲାଗିରହିଲା । ଏହି ସ୍ଥିତିରେ ସମସ୍ତ ଆଗ୍ରହ ସତ୍ତ୍ୱେ ମୁଁ ଏମ.ଡି କୋର୍ସ ପୂର୍ଣ୍ଣ କରିପାରିଲି ନାହିଁ । ଟାଇଫଏଡ୍, ଡିହାଇଡ୍ରେସନ, ବଥ ଓ ଅନ୍ୟାନ୍ୟ ଶାରୀରିକ ସମସ୍ୟା ଗୋଟିଏ ପରେ ଗୋଟିଏ ମତେ ଅସ୍ଥିର କରି ଚାଲିଲା । ଏ ସବୁର ପରିଣାମରୁ ମୋର ଶାରୀରିକ ଓ ମାନସିକ ସୁସ୍ଥତା ରହିପାରିଲା ନାହିଁ ।
                                                                                                                                                                                             କ୍ରମଶଃ…

Comments

0 comments

Share This Article