ଫରାସୀ ଲେଖକ, ଐତିହାସିକ, ଦାର୍ଶନିକ ମିଶେଲ ଫୁକୋ ଆଧୁନିକ ବିଶ୍ୱ ଚିନ୍ତାଜଗତର ଅନ୍ୟତମ ପ୍ରଭାବଶାଳୀ କଣ୍ଠସ୍ୱର । ତାଙ୍କ ଜନ୍ମ ୧୫ ଅକ୍ଟୋବର ୧୯୨୬ । ୧୯୮୪ ଜୁନ ୨୫ ତାରିଖରେ ମାତ୍ର ସତାବନ ବର୍ଷ ବୟସରେ ତାଙ୍କର ଜୀବନାବସାନ ହୁଏ । ତାଙ୍କ ମୃତ୍ୟୁର ଚାରି ଦଶନ୍ଧି ପରେ ବି ଦର୍ଶନ, ଇତିହାସ, ସମାଜବିଜ୍ଞାନ, ରାଜନୈତିକ ଚିନ୍ତା, ଗଣମାଧ୍ୟମ ଅଧ୍ୟୟନ ଏବଂ ସାଂସ୍କୃତିକ ଗବେଷଣା କ୍ଷେତ୍ରରେ ତାଙ୍କର ପ୍ରଭାବ ଅନୁଭୂତ ହୁଏ । ଫୁକୋଙ୍କ ଚିନ୍ତାର କେନ୍ଦ୍ରବିନ୍ଦୁରେ ଥିଲା ଏକ ମୌଳିକ ପ୍ରଶ୍ନ-ସମାଜରେ ‘ସତ୍ୟ’ବୋଲି ଯାହାକୁ ଆମେ ମାନୁ, ତାହା କିଏ ନିର୍ଦ୍ଧାରଣ କରେ?
ତାଙ୍କ ଚିନ୍ତା, ଦର୍ଶନ ଓ ତତ୍ତ୍ୱ ବିଷୟରେ ଆଲୋଚନା ପୂର୍ବରୁ ତାଙ୍କ ଜୀବନ ସମ୍ପର୍କରେ କେତେକ ତଥ୍ୟ ଦେବା ଉଚିତ ହେବ ।
ମିଶେଲ ଫୁକୋଙ୍କ ଜନ୍ମ ଏକ ଉଚ୍ଚ-ମଧ୍ୟବିତ୍ତ ପରିବାରରେ । ଦର୍ଶନ ଏବଂ ମନସ୍ତତ୍ତ୍ୱରେ ସ୍ନାତକୋତ୍ତର ଉପାଧି ଲାଭପରେ ପ୍ୟାରିସ ବିଶ୍ୱବିଦ୍ୟାଳୟରୁ ସେ ଡକ୍ଟରେଟ ଉପାଧି ଲାଭ କରନ୍ତି । ସାଂସ୍କୃତିକ ରାଷ୍ଟ୍ରଦୂତ ଏବଂ ଅଧ୍ୟାପକଭାବେ ସେ ଦୀର୍ଘବର୍ଷ କାମ କରିଛନ୍ତି । ତାଙ୍କର ଉଲ୍ଲେଖନୀୟ ପୁସ୍ତକଗୁଡିକ ମଧ୍ୟରୁ ରହିଛି ‘ମ୍ୟାଡନେସ ଆଣ୍ଡ ସିଭିଲାଇଜେସନ’ (Madness and Civilization: A History of Insanity in the Age of Reason 1961), ଦି ବାର୍ଥ ଅଫ ଦି କ୍ଲିନିକ (The Birth of the Clinic,1963), ଦି ଅର୍ଡର ଅଫ ଥିଙ୍ଗସ (The Order of Things,1966), ଡ଼ିସିପ୍ଳିନ ଆଣ୍ଡ୍ ପନିସ (Discipline and Punish,1975), ଦି ହିଷ୍ଟ୍ରି ଅଫ ସେକସୁଆଲିଟି (The History of Sexuality, 1976), ଇତ୍ୟାଦି ।
ଫୁକୋ ବେଶ କିଛି କ୍ଷେତ୍ରରେ କିଛି ମୌଳିକ ପ୍ରଶ୍ନ ଏବଂ କେତେକ ଯୁକ୍ତି ଉତ୍ଥାପନ କରିଛନ୍ତି । ତାଙ୍କ ମତରେ ଜ୍ଞାନ କେବେ ବି ସମ୍ପୂର୍ଣ୍ଣ ନିରପେକ୍ଷ ନୁହେଁ; ଏହା ସବୁବେଳେ କ୍ଷମତା ସହିତ ଜଡ଼ିତ । ତାଙ୍କର ପ୍ରସିଦ୍ଧ ‘ପାୱା–ର୍ନଲେଜ୍’ (Power/Knowledge) ଧାରଣା ଅନୁସାରେ, ଯିଏ ସତ୍ୟର ସଂଜ୍ଞା ନିର୍ଦ୍ଧାରଣ କରିବାର କ୍ଷମତା ରଖେ, ସେ ସମାଜକୁ ମଧ୍ୟ ନିୟନ୍ତ୍ରଣ କରିପାରେ । ବିଦ୍ୟାଳୟ, ହାସପାତାଳ, କାରାଗାର, ଅଦାଲତ କିମ୍ବା ବୈଜ୍ଞାନିକ ଅନୁଷ୍ଠାନ-ଏଗୁଡ଼ିକ କେବଳ ସେବା ପ୍ରଦାନକାରୀ ସଂସ୍ଥା ନୁହେଁ; ଏମାନେ ସମାଜରେ କଣ ଭୁଲ କଣ ଠିକ, କଣ ଗ୍ରହଣଯୋଗ୍ୟ କଣ ନୁହେଁ, ତାହାର ମାନଦଣ୍ଡ ମଧ୍ୟ ସ୍ଥିର କରନ୍ତି ।
ଏହି ଚିନ୍ତାଧାରାକୁ ସେ ତାଙ୍କର ଅନେକ ପ୍ରସିଦ୍ଧ ଗ୍ରନ୍ଥରେ ବିକଶିତ କରିଛନ୍ତି । ‘ମ୍ୟାଡନେସ ଆଣ୍ଡ ସିଭିଲାଇଜେସନ’ ପୁସ୍ତକରେ ସେ ଦେଖାଇଥିଲେ, ଇତିହାସରେ ସମାଜ କିପରି ମାନସିକ ରୋଗୀମାନଙ୍କ ପ୍ରତି ଆଚରଣ ବଦଳାଇଛି । ‘ଦି ବାର୍ଥ ଅଫ ଦି କ୍ଲିନିକ’ରେ ଚିକିତ୍ସାବିଜ୍ଞାନ ଓ କ୍ଷମତାର ସମ୍ପର୍କକୁ ବିଶ୍ଳେଷଣ କରିଥିଲେ । ତାଙ୍କର ବହୁଚର୍ଚ୍ଚିତ ‘ଡ଼ିସିପ୍ଳିନ ଆଣ୍ଡ ପନିସ’ ପୁସ୍ତକରେ ସେ ଦେଖାଇଥିଲେ, କିପରି ପ୍ରକାଶ୍ୟ ଶାରୀରିକ ଦଣ୍ଡ ସ୍ଥାନରେ ଆଧୁନିକ ସମାଜରେ ନଜରଦାରି (Surveillance) ଓ ଶୃଙ୍ଖଳା ମାଧ୍ୟମରେ ମଣିଷକୁ ନିୟନ୍ତ୍ରଣ କରାଯାଉଛି । ଏହି ପ୍ରସଙ୍ଗରେ ସେ ଜେରେମି ବେନ୍ଥାମ୍ଙ୍କ ‘ପାନଅପ୍ଟିକନ୍’ କାରାଗାର ମଡେଲ୍କୁ ଆଧୁନିକ ସମାଜର ସର୍ବବ୍ୟାପୀ ନଜରଦାରିର ପ୍ରତୀକ ଭାବେ ବ୍ୟବହାର କରିଥିଲେ । ଆଜି ସିସିଟିଭି କ୍ୟାମେରା, ସ୍ମାର୍ଟଫୋନ୍, ସାମାଜିକ ଗଣମାଧ୍ୟମ, ମୁହଁ ଚିହ୍ନଟ (Face Reading) ପ୍ରଯୁକ୍ତି ଓ କୃତ୍ରିମ ମେଧା (AI) ଯୁଗରେ ଏହି ଧାରଣା ଆହୁରି ପ୍ରାସଙ୍ଗିକ ମନେ ହୁଏ ।
ତାଙ୍କର ବହୁଖଣ୍ଡ ବିଶିଷ୍ଟ ‘ଦି ହିଷ୍ଟ୍ରି ଅଫ ସେକସୁଆଲିଟି ‘ଗ୍ରନ୍ଥରେ ଫୁକୋ ଯୁକ୍ତି ଦେଇଥିଲେ ଯେ, ଆଧୁନିକ ସମାଜ ଯୌନତାକୁ ଦମନ କରେ ନାହିଁ; ବରଂ ଚିକିତ୍ସାବିଜ୍ଞାନ, ମନୋବିଜ୍ଞାନ, ଶିକ୍ଷା, ଆଇନ ଓ ଧର୍ମ ମାଧ୍ୟମରେ ଯୌନତା ଉପରେ ନିରନ୍ତର ଆଲୋଚନା ସୃଷ୍ଟି କରେ । ଏହି ପ୍ରକ୍ରିୟାରେ ମଣିଷର ପରିଚୟ ଗଠିତ ହୁଏ ଏବଂ ସମାଜ ତାହାକୁ ନିୟନ୍ତ୍ରଣ କରେ ।
ଫୁକୋଙ୍କ ଆଉ ଏକ ମହତ୍ୱପୂର୍ଣ୍ଣ ଅବଦାନ ହେଉଛି ତାଙ୍କର ‘ଜିନିଓଲୋଜି’ (Genealogy) ପଦ୍ଧତି । ସେ ଇତିହାସକୁ ସରଳରୈଖିକ ଭାବରେ ଦେଖୁନଥିଲେ । କୌଣସି ଧାରଣା କେବେ ଆରମ୍ଭ ହେଲା ତାହାଠାରୁ ଅଧିକ, ସେ ଜାଣିବାକୁ ଚାହୁଁଥିଲେ-କେଉଁ ସାମାଜିକ ପରିସ୍ଥିତି, ସଂଘର୍ଷ ଓ ପ୍ରତିଷ୍ଠାନଗତ ପ୍ରକ୍ରିୟା ମାଧ୍ୟମରେ ତାହା ଗଢ଼ିଉଠିଲା । ଏହି ପଦ୍ଧତି ଇତିହାସ, ସାହିତ୍ୟ, ନୃବିଜ୍ଞାନ ଓ ଗଣଯୋଗାଯୋଗ ଅଧ୍ୟୟନରେ ନୂଆ ଦିଗ ଖୋଲିଦେଇଛି ।
ଗଣମାଧ୍ୟମ ଅଧ୍ୟୟନରେ ମଧ୍ୟ ଫୁକୋଙ୍କ ଗୁରୁତ୍ୱ ଅପରିସୀମ । ସେ ଦେଖାଇଥିଲେ, କ୍ଷମତା କେବଳ ସରକାର କିମ୍ବା ପୁଲିସ ମାଧ୍ୟମରେ କାମ କରେନାହିଁ; ଭାଷା, ସମ୍ବାଦ, ପ୍ରତିନିଧିତ୍ୱ, ବର୍ଗୀକରଣ ଓ ବିମର୍ଶ (ଡିସ୍କୋର୍ସ) ମାଧ୍ୟମରେ ମଧ୍ୟ ସମାଜକୁ ପ୍ରଭାବିତ କରେ । ‘କିଏ ସୂଚନାକୁ ନିୟନ୍ତ୍ରଣ କରୁଛି?’, ‘କିଏ ନିର୍ଦ୍ଧାରଣ କରୁଛି କେଉଁ କଥା ଗ୍ରହଣଯୋଗ୍ୟ?’, ‘ଜନମତ କିପରି ଗଢ଼ାଯାଉଛି?’-ଫୁକୋଙ୍କ ଏହି ପ୍ରଶ୍ନଗୁଡ଼ିକ ଆଜିର ଡିଜିଟାଲ୍ ଯୁଗରେ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଉଠିଛି ।
ଫୁକୋଙ୍କ ଚିନ୍ତାଧାରା ଓ ତତ୍ତ୍ୱ ସମାଲୋଚନାର ଊର୍ଦ୍ଧ୍ୱରେ ନୁହେଁ । ଆଲୋଚକମାନେ କହନ୍ତି, ସେ କ୍ଷମତାକୁ ଏତେ ସର୍ବବ୍ୟାପୀ ଭାବେ ଦେଖାଇଛନ୍ତି ଯେ, ପରିବର୍ତ୍ତନର ସମ୍ଭାବନା ପାଇଁ ସ୍ଥାନ କମିଯାଏ । କିନ୍ତୁ ଫୁକୋ ନିଜେ କହିଥିଲେ-“ଯେଉଁଠାରେ କ୍ଷମତା ଅଛି, ସେଠାରେ ପ୍ରତିରୋଧ ମଧ୍ୟ ଅଛି ।” କୌଣସି ଜଟିଳ ସ୍ଥିତିର ବା ସମସ୍ୟାର ସରଳ ସମାଧାନ ଦେବା ତାଙ୍କ ଉଦ୍ଦେଶ୍ୟ ।ନୁହେଁ; ବରଂ ଆମେ ସ୍ୱାଭାବିକ ବୋଲି ଧରିନେଉଥିବା ବିଶ୍ୱାସ ଓ ପ୍ରତିଷ୍ଠାନଗୁଡ଼ିକୁ ପ୍ରଶ୍ନ କରିବାର ସାହସ ଯୋଗାଇବା ଥିଲା ତାଙ୍କ ଉଦ୍ଦେଶ୍ୟ ।
ମିଶେଲ ଫୁକୋ ଆମ ସମୟର ଚିନ୍ତକ । ଡାଟା ସଂଗ୍ରହ, ଡିଜିଟାଲ୍ ସର୍ଭେଲାନ୍ସ, କୃତ୍ରିମ ମେଧା, ଭୁଲ/ଜାଲି ଖବର (ଫେକ ନିଉଜ)ର ପ୍ରସାର ଏବଂ ରାଷ୍ଟ୍ର ଓ କର୍ପୋରେଟ୍ କ୍ଷମତାର ବୃଦ୍ଧିର ଏହି ଯୁଗରେ ତାଙ୍କ ରଚନା ଆମକୁ ଶିଖାଏ- କ୍ଷମତା ପ୍ରାୟତଃ ଦୃଶ୍ୟମାନ ନୁହେଁ, କିନ୍ତୁ ସର୍ବତ୍ର ଉପସ୍ଥିତ । ବର୍ତ୍ତମାନ ସମୟକୁ ତାଙ୍କର ସବୁଠାରୁ ବଡ଼ ଅବଦାନ ହେଉଛି: ସେ ଆମକୁ ଚୂଡ଼ାନ୍ତ ଉତ୍ତର ଦେଇନାହାନ୍ତି; ବରଂ ସ୍ୱାଧୀନତା, ସତ୍ୟ ଓ କ୍ଷମତାକୁ ନେଇ ନିରନ୍ତର ପ୍ରଶ୍ନ କରିବାର ଦୃଷ୍ଟି ଦେଇଛନ୍ତି ।
Comments
0 comments

