ଚିଲିକା ଏସିଆ ମହାଦେଶର ବୃହତମ ଲବଣାକ୍ତ ହ୍ରଦ । ଏହାର ଉତ୍ପତ୍ତି, ରୂପ, କାୟା, ସୁନ୍ଦରତା, ସମ୍ପନ୍ନତା ସାଉଁଟିବା ପାଇଁ ଯୁଗ ଯୁଗର ପ୍ରାକୃତିକ ପ୍ରକ୍ରିୟା ଏହାକୁ ସ୍ୱତଃ ସଜାଡିଛି । ଏଥିରେ ମଣିଷର କିଛି ଭୂମିକା ନାହିଁ । କୌଣସି କୃତ୍ରିମ ଜ୍ଞାନକୌଶଳ, ବୁଦ୍ଧିମତା, ଚତୁରତା ଓ ଚଞ୍ଚକତା ଏହି ହ୍ରଦ ଗଢ଼ା ହେବାପାଇଁ କାମ କରିନାହିଁ ବରଂ ଅନ୍ୟ ପକ୍ଷରେ ତାକୁ ବ୍ୟବହାର କରି ମଣିଷ ତାର ସତ୍ତା, ସଂସ୍କୃତି, ସମ୍ପତ୍ତି ଓ ସ୍ଥିତିକୁ ଠୁଳ କରି ଆସିଛି । ପ୍ରାକୃତିକ ପରିବେଶ ପରିସଂସ୍ଥାନ ଜଳଜ ଜୀବନ ତାର ପ୍ରଜନନ, ପ୍ରଜାତି ଓ ଉପସ୍ଥିତିକୁ ସଠିକ ଢଙ୍ଗରେ ସଜେଇ ରଖିଛି । ଏହି ସ୍ୱୟଂକ୍ରିୟ ପ୍ରକ୍ରିୟାରେ କେଉଁ ମାଛ କେବେ କେମିତି କେଉଁଠି ଜନ୍ମ ହେବ, ସୁରକ୍ଷିତ ରହିବ ଓ ତାର ବଂଶ ବିସ୍ତାର ସହିତ ଉପସ୍ଥିତିକୁ ବଞ୍ଚାଇ ରଖିପାରିବ ତାହା ଆପେ ଗଢ଼ା । ଏହି ପ୍ରାକୃତିକ ପ୍ରକ୍ରିୟା ଅତି ମନୋରମ ଓ ସୂକ୍ଷ୍ମ ଭାବରେ ସ୍ୱତଃ ତିଆରି ହୋଇଛି । ଏହି ହ୍ରଦଟିକୁ ମଣିଷ କେବେ କେଉଁ ଯୁଗରେ ତାର କଳବଳ ଲଗାଇ ଖୋଳିନାହିଁ । ମହୋଦଧିର ସ୍ପର୍ଶ ପାଇଁ ନଦୀମାନଙ୍କର ମିଳନ ଏକ ବିଚିତ୍ର ଓ ଆଶ୍ଚର୍ଯ୍ୟ ହ୍ରଦ ତିଆରି କରିଛି । ନଦୀମାନେ ପୂର୍ବ ଘାଟ ପର୍ବତମାଳାରୁ ବାହରି ସମୁଦ୍ରାଭିମୁଖୀ ହୋଇ ଚିଲିକା ହ୍ରଦରେ ମିଶିଛନ୍ତି । ସେମାନଙ୍କ ଭିତରୁ ରାଜୁଆ ମକରା, ମଲାଗୁଣି ଆଦି ପରିଚିତ । ସେମିତି ଓଡ଼ିଶାର ବୃହତମ ନଦୀ ମହାନଦୀର ଶାଖା ନଦୀ ଭାବେ ଦୟା ଭାର୍ଗବୀ, ଲୁଣା, ରନôଚିରା ଆଦି ନଦୀମାନେ ଏହି ହ୍ରଦରେ ତାର ମଧୁର ଜଳକୁ ପ୍ରଦାନ କରି ମଧୁର ଜଳଜ ଜୀବମାନଙ୍କୁ ସାଇତି ରଖିଛନ୍ତି । ଏକ ପାର୍ଶ୍ୱରେ ମହୋଦଧି ବ । ବଙ୍ଗୋପ ସାଗରର ଲବଣାକ୍ତ ଜଳ ଏବଂ ଅନ୍ୟ ପକ୍ଷରେ ନଦୀ ମିଶ୍ରଣର ମଧୁର ଜଳର ସମନ୍ୱୟ ଘଟାଇବ । ଫଳରେ ଜଳଜ ଜୀବ ମାନଙ୍କର ବୈଚିତ୍ରତା ସୃଷ୍ଟି ସମ୍ଭାର, ପ୍ରାବଲ୍ୟ ଅନେକ ଲୋକ ଜୀବନକୁ ସାଇତି ରଖିଛି । ତା ଚାରିପଟର ଓ ଅଭ୍ୟନ୍ତରର ଜନବସତିଗୁଡିକ ସେଇ ଅନୁଯାଇ ଗଢ଼ି ଉଠିଛି । ପ୍ରାକୃତିକ ଓ ପାରମ୍ପରିକ ଢଙ୍ଗରେ ମାଛ, କଙ୍କଡ଼ା , ଚିଙ୍ଗୁଡି ଆଦି ଧରି ତୋଳି ଚଳିବାର ଜ୍ଞାନ କୌଶଳ ଶିଖିଛି । ଏକ ମାତ୍ର ମଣିଷର ନିର୍ଭରଶୀଳତା ନୁହେଁ, ସ୍ଥଳ ଓ ଜଳ ଜୀବ ଉଦ୍ଭିଦ, ଜଙ୍ଗଲ, ଜଙ୍ଗଲ ଜନ୍ତୁ, ପକ୍ଷୀ ଆଦି ମାଛ କଙ୍କଡ଼ା ଚିଙ୍ଗୁଡି କେତେ କଣ ପ୍ରକାରର ସାଇତି ରଖିଛି । ସଂଯୋଗ ବଶତଃ ପ୍ରତ୍ୟକ୍ଷ ଓ ପରୋକ୍ଷ ନିର୍ଭରଶୀଳତା ସ୍ଥାନୀୟ ଠାରୁ ଆରମ୍ଭ କରି ଦେଶ ବିଦେଶ ସମ୍ପର୍କର ସେତୁ ହି ନିର୍ମାଣ କରିଛି ।
ଚିଲିକା ଏହାର ଜୈବ ବିବିଧତା ପାଇଁ ଆନ୍ତର୍ଜାତିକ ସ୍ୱୀକୃତି ପାଇଛି । ଚିଲିକାରେ ପ୍ରାୟ ୨୨୫ ପ୍ରଜାତିର ମାଛ, ୩୫ରୁ ଅଧିକ ପ୍ରଜାତିର କଙ୍କଡ଼ା ଏବଂ ୨୫ରୁ ୩୦ ପ୍ରଜାତିର ଚିଙ୍ଗୁଡ଼ି ରେକର୍ଡ କରାଯାଇଛି । ଏହି ବିପୁଳ ଜୈବ ବିବିଧତା ଚିଲିକାର ଅର୍ଥନୀତି ଓ ପରିବେଶର ମୂଳ ଆଧାର ।
ପ୍ରାକୃତିକ ସୁନ୍ଦର ଓ ବ୍ୟବସ୍ଥିତ ସରଞ୍ଚନାରୁ ହିଁ ସୃଷ୍ଟ ହୋଇଥିବା ବିରାଟ ଲବଣାକ୍ତ ହ୍ରଦ ଜୀବନ ହରାଇବାକୁ ବସିଛି । ଏହି ପ୍ରକୃତିର ସୁନ୍ଦର ଦାନଟି ଅନେକ ସାହିତ୍ୟ ସଂସ୍କୃତି, କାବ୍ୟ-କବିତା, କବି-କବୟିତ୍ରୀ, ଲେଖକ -ଲେଖିକା ତିଆରି କରିଛି । ସାରାପୃଥିବୀର ଜନମାନସକୁ ଆକର୍ଷିତ କରିଛି । ସୁଦୂର ବିଦେଶାଗତ ପକ୍ଷୀମାନଙ୍କର ବାସ, ବସତି ପାଇଁ ଉପଯୁକ୍ତ ହୋଇ ଆସିଛି । ମଣିଷକୁ ବାଦ୍ଦେଲେ ଅନ୍ୟାନ୍ୟ ଜଳଚର, ଉଭୟଚର ପ୍ରାଣୀ ଓ ପକ୍ଷୀମାନଙ୍କ ପାଇଁ ଖାଦ୍ୟ ଶୃଙ୍ଖଳ ଅନୁବନ୍ଧିତ ହୋଇଅଛି । ଭିନ୍ନ ଭିନ୍ନ ଋତୁରେ ତାର ସୌନ୍ଦର୍ଯ୍ୟ ଓ ପ୍ରାଚୁର୍ଯ୍ୟ ସମ୍ପଦର ସମୂହକୁ ତିଆରି କରି ଆସିଛି । କିନ୍ତୁ ବିଭିନ୍ନ କାଳଖଣ୍ଡରେ ମଣିଷ ତାର ବୁଦ୍ଧି ପ୍ରୟୋଗ କରି ବିକାଶର ଆଳରେ ବିନାଶର ସରଞ୍ଚନା କରି ଆସିଛି । ବୁଦ୍ଧିଆ ମଣିଷର ବୁଦ୍ଧି ହାର ମାନିଛି । ଏହାକୁ ସାଇତି ଓ ସୁରକ୍ଷିତ ରଖି ଆସିଥିବା ଲୋକେ ଏବଂ ଏହି ପ୍ରକ୍ରିୟାରେ ସାମିଲ ସମସ୍ତ ଭାଗୀଦାରୀମାନେ ଏହାକୁ ବିରୋଧ କରି ଆସିଛନ୍ତି । ଆଜିବି ଚିଲିକା ବଞ୍ଚି ରହିଛି । କ୍ଷଣେ କ୍ଷଣେ ଅସହାୟବୋଧ ମନେ ହେଉଥିଲେ ମଧ୍ୟ ତାର ସତ୍ତା ବଞ୍ଚାଇ ରଖିଛି । ଟାଟା କମ୍ପାନୀର ଚିଲିକା ଭିତରେ ବିଶାଳ କାୟ ପୋଖରୀମାନ ତିଆରିକରି ମାଛ ଓ ଚିଙ୍ଗୁଡି ଚାଷ କରିବାପାଇଁ ଯେଉଁ ଉଦ୍ୟମ ହୋଇଥିଲା, ତାହା ତକôାଳୀନ ସରକାର, ଚିଙ୍ଗୁଡି ମାଫିଆମାନଙ୍କର ବ୍ୟବସାୟିକ କେନ୍ଦ୍ର କରିବାପାଇଁ ଯୋଜନା ହୋଇଥିଲା ତାହା ପଣ୍ଡ ହୋଇଥିଲା । ଅଧୀନ ଲେଖକ ସେଇମାନଙ୍କର ଓ ସେ ପ୍ରକ୍ରିୟାର ଜଣେ ବିରୋଧୀ ସୈନିକ ଭାବରେ ଚିଲିକା ଆନେ୍ଦାଳନରେ ଛାତ୍ର ଜୀବନରୁ ସାମିଲ ହୋଇଥିଲା । ତାର କିଛି ସ୍ମୃତି ଓ ଅନୁଭୂତି ଆଜି ମନେ ପଡିଲେ ଲାଗୁଛି ପୁଣି ଏକ ସଂଗଠିତ ବିପଦ ଚିଲିକାର ପ୍ରାକୃତିକ ପ୍ରକ୍ରିୟାର ତଣ୍ଟି ଚିପା ପ୍ରକ୍ରିୟା ନୁହେଁ ତ? ଚିଲିକା ସମ୍ପଦକୁ କୃତ୍ରିମ ଉପାୟରେ ବଢ଼ାଇବା ସୃଷ୍ଟି କରିବା, ବ୍ୟବସାୟ କରିବା, ବିପଣନର ବ୍ୟବସ୍ଥା କରିବା ଭଳି ସୁନ୍ଦର ଶୁଭୁଥିବା ଯୋଜନା ଖଞ୍ଜାଇବା ଫଳରେ ଯାହା ପାଇଁ ସବୁକୁ ଅନନ୍ୟ ଚିଲିକା ବୋଲି କହୁଛୁ; ସିଏ ରହିବ ତ? ଏହା ଆଲୋଚନାର ବିଷୟ । ବରଂ ତାର ପ୍ରାକୃତିକ ପ୍ରକ୍ରିୟାକୁ ସୁରକ୍ଷିତ ଓ ସଂରକ୍ଷିତ ରଖିବା ପାଇଁ ସ୍ଥାନୀୟ ଲୋକଙ୍କୁ କେତେ ପ୍ରସ୍ତୁତ କରାଇବା, ତାଙ୍କର ଜୀବନ ଜୀବିକା, ବାସ ଓ ବସତିକୁ ସୁରକ୍ଷିତ କରିବାରେ ଆମେ ଯଦି ସଫଳ ହେବା ତେବେ ସୁରକ୍ଷା ଓ ସଂରକ୍ଷଣ ପ୍ରତି ଗୁରୁତ୍ୱ ଦେବା ତେବେ ଏକ ସମ୍ଭାବନାମୟ ପରିବେଶ, ପ୍ରାଚୁର୍ଯ୍ୟ ସମ୍ପନ୍ନତା ଚିଲିକାରେ ଫୁଟି ଉଠିବ । ତାକୁ ତୋଳିଧରି ଦୁହିଁ ଖାଇଲେ ସରିବନି ବରଂ ସମସ୍ତେ ଦେବାରେ ଏବଂ ନେବାରେ ଆନନ୍ଦିତ ହେବେ ଓ ଆଲ୍ହାଦିତ ହେବେ ।
ଚିଲିକା ଏକମାତ୍ର ପ୍ରାକୃତିକ ସମ୍ପଦ ତିଆରି କରିବାର ମା’ ନୁହେଁ ବରଂ ସୁନ୍ଦର ସବଳ ବୁଦ୍ଧିସମ୍ପନ୍ନ ମଣିଷ ତିଆରି କରିବାର ଜନନୀ ମଧ୍ୟ । ଗୃହପାଳିତ ପଶୁ, ଦୁଗ୍ଧ ଦହି, ମାଛ କଙ୍କଡାର ପ୍ରାବଲ୍ୟ ଓ ପ୍ରାଚୁର୍ଯ୍ୟତାକୁ ତୋଳି ଧରି କେଉଁଠି କଣ ମିଳେ ସେ ସବୁର କଥା, ଉପକଥା ଉପସର୍ଗ ମାନ ଆଜି ବି ଲୋକଜୀବନକୁ ଆନେ୍ଦାଳିତ କରୁଛି । ଗୁରୁବାଇ ଗାଁର ତାମ୍ପଡା ଶୁଖୁଆ, ତିଛଣ ଗାଁର ଘିଅ, ବାଉଁଶିଆ ଦହି ଆଦି କେତେ କଣ ସବୁ ଚିଲିକା ପ୍ରସିଦ୍ଧ । ଚିଲିକାର ବିଭିନ୍ନ ଟାପୁରେ ଗୋମହିଷାଦି ଗୃହପାଳିତ ପଶୁମାନଙ୍କର ଅବାଧ ବିଚରଣ, ପ୍ରଚୁର ଚାରଣ ଭୁଇଁ ଏ ସବୁ ବିଧି ସଂରକ୍ଷିତ । ଭୋକହେଲେ ଚିଲିକା ମାଛ ଶୁଖୁଆ, ନାନା ରକମର ଚିଡ଼େଇ, ବଜା, ମୁଗୁରା, ତାଟି, ଖଇଞ୍ଚି, ଖେପା, ଖିଅଜାଲ ଓ ପୋଳୁହର ପ୍ରାକୃତିକ ମାଛ ଧରା ସରଞ୍ଜାମ ସାଙ୍ଗକୁ ତଲେଇମରା ଡୁଙ୍ଗୀ ଡଙ୍ଗା, କୋଷଳୀ ଡଙ୍ଗା, କାତ , ନାହା ଭାତ ଏସବୁ ଇତିହାସ ହୋଇଛି । କିଏ ଡଙ୍ଗାରେ ଗଲାବେଳେ ଡଙ୍ଗାର ଚାରି ପାଖରେ ମାଛଡିଆଁ ନାଲି କଇଁ ପୁନେଇ ରାତିର ଚନ୍ଦ୍ରଲୋକ ଏ ସୌନ୍ଦର୍ଯ୍ୟ ଓ ଅଭୂଲା ଅନୁଭୂତି ମନେପଡିଲେ ଆଜି ଆଶ୍ଚର୍ଯ୍ୟ ଲାଗୁଛି । ଭିନ୍ନ ଭିନ୍ନ ପ୍ରକାରର ରଙ୍ଗ ଓ ସ୍ୱାଦ ପାଣି –କେଉଁଠି ଗୋଳିଆ, କେଉଁଠି ସ୍ୱଛ, କେଉଁଠି ଲୁଣି, କେଉଁଠି ମଧୁର, ଏ ସବୁ ଭିନ୍ନତାରେ ବି କେତେ ମନୋରମ ଓ ମନୋହରା ଏ ଚିଲିକା । ଅବିଭକ୍ତ ପୁରୀ ଜିଲ୍ଲା ଓ ଗଞ୍ଜାମ ଜିଲ୍ଲାର ଉଭୟ ପାର୍ଶ୍ୱରେ ଓ ମହୋଦଧିର ବିଶାଳ ଅବୟବର ଅପୂର୍ବ ଜଳ ସଂଭାର ହେଉଛି ଚିଲିକା । ଏହା ବ୍ୟତୀତ ଅନେକ ବ୍ୟବସାୟିକ କେନ୍ଦ୍ର ଜଳପଥର ସହଚର ଡଙ୍ଗା ତାର ନାବିକ କୁଶଳୀ କାରିଗର ସବୁ ଏଇଠି ଜନ୍ମ ହୋଇଛନ୍ତି । ନଦୀକୁଳର ମତ୍ସ୍ୟଜୀବୀ, ସମୁଦ୍ର କୁଳର ମତ୍ସ୍ୟଜୀବୀ, ଚିଲିକାର ମତ୍ସ୍ୟଜୀବୀବର୍ଗ ଆଜି ବଞ୍ଚିବାର ଆନନ୍ଦରେ ଆଶାରେ ଶ୍ରମ କରେ , ସଞ୍ଚିବା ପାଇଁ ନୁହେଁ । ପ୍ରକୃତି ଉପରେ ନିର୍ଭରଶୀଳ କେହି ମଣିଷ ହେଉ କିମ୍ବା ଜୀବଜନ୍ତୁ ହେଉ କାହାର ସଞ୍ଚୟର ଚିନ୍ତା ନଥାଏ, ପ୍ରକୃତି ସହିତ ଏକାକାର ହୋଇ ଆନନ୍ଦ ଓ ସନ୍ତୋଷ ପାଇବାର ମୁହୂର୍ତ୍ତରେ ବଞ୍ଚିବା ସେମାନଙ୍କୁ ହିଁ ଜଣା । ମାନବିକ ଓ କୃତ୍ରିମ ବୁଦ୍ଧିମତାକୁ ପ୍ରୟୋଗ କରି କେହି ତାର ବିକାଶ ଚାହୁଁଥାଏ, ତେବେ ଅନ୍ୟ କେଉଁଠି ଶୁଖିଲା ଭୂଇଁରେ ପୋଖରୀ ଖୋଳି ପ୍ରୟୋଗ କରାଯାଉ । ହଁ, ଜଳ ପ୍ରଦୂଷଣ, ପଲିଥିନ ଜମିବା, ଅବୈଧ ଘେରି ଚାଷ ଓ ଜଳ ପ୍ରବାହରେ ପରିବର୍ତ୍ତନ କାରଣରୁ ଅନେକ ଦେଶୀ ମାଛ ପ୍ରଜାତିର ସଂଖ୍ୟା କ୍ରମଶଃ ହ୍ରାସ ପାଉଛି ।
ଏହି ଅନନ୍ୟ ଚିଲିକା ମରାଳ ମାଳୀନି ଚିଲିକା ସୌନ୍ଦର୍ଯ୍ୟ ଓ ପ୍ରାଚୁର୍ଯ୍ୟର ଚିଲିକାରେ ହାତ ମରା ନଯାଉ ବରଂ ଏହାକୁ ସୁରକ୍ଷା ଓ ସଂରକ୍ଷଣରେ ଯେଉଁ ଉଦ୍ୟମ ହେବା ଦରକାର, ତାକୁ ଗୁରୁତ୍ୱ ଦିଆଯାଉ । ତେବେ ଜୈବ ବିଭିଧତା ପ୍ରାକୃତିକ ସଂସ୍ଥିତି ଓ ସମ୍ପର୍ଣ୍ଣତାକୁ ବଞ୍ଚାଇ ପାରିବ ।
Comments
0 comments

