ପୃଥିବୀରେ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ଜାପାନ୍, ଓ ଭାରତ ଭଳି ବହୁ ଦେଶର ସରକାର ନିଜ ନିଜକୁ ଗଣତାନ୍ତ୍ରିକ ସରକାର ବୋଲି କହୁଛନ୍ତି । ଆବ୍ରାହମ୍ ଲିଙ୍କନଙ୍କ ବିଶ୍ୱବିଖ୍ୟାତ ଉକ୍ତି -ସରକାର ଜନତାଙ୍କ ଦ୍ୱାରା, ଜନତାଙ୍କର, ଓ ଜନତାଙ୍କ ପାଇଁକୁ ସେମାନଙ୍କର ଶାସନ ବ୍ୟବସ୍ଥାର ମୂଳନୀତି ବୋଲି କହନ୍ତି । ଏହିଭଳିଆ ଗଣତନ୍ତ୍ରର ମୌଳିକ ବୈଶିଷ୍ଟ୍ୟ ଭାବେ ଦାବି କରାଯାଏ ଯେ: ନାଗରିକମାନେ ସରକାରଗୁଡ଼ିକୁ ନିର୍ବାଚିତ କରିବା ସଙ୍ଗେ ସଙ୍ଗେ ନିୟନ୍ତ୍ରଣ ମଧ୍ୟ କରନ୍ତି; ସରକାରଗୁଡ଼ିକ ଜନତାଙ୍କର ସେବା କରନ୍ତି, ସେମାନଙ୍କର ସ୍ୱାର୍ଥର ପ୍ରତିନିଧିତ୍ୱ କରନ୍ତି, ସେମାନଙ୍କର ହିତରେ କାର୍ଯ୍ୟ କରନ୍ତି; ଏହି ସରକାରଗୁଡ଼ିକ ଉତ୍ତରଦାୟୀ ହୁଅନ୍ତି, ସେମାନଙ୍କର କାର୍ଯ୍ୟକଳାପରେ ସ୍ୱଚ୍ଛତା ଥାଏ, ଲୋକଙ୍କର ଆଶା ଆକାଙ୍କ୍ଷା ପୂରଣ କରିବା ପାଇଁ ସଦା ତତ୍ପର ଥାଆନ୍ତି । ଏହା ବି କୁହାଯାଏ ଯେ ଗଣତନ୍ତ୍ରରେ କ୍ଷମତା ମୂଳତଃ ଲୋକଙ୍କ ହାତରେ ଥାଏ ।
ପୁରାକାଳରେ ଗ୍ରୀସ୍ ଓ ଇଟାଲୀରେ ଗୋଟିଏ ଗୋଟିଏ ନଗରକୁ ରାଷ୍ଟ୍ର କୁହାଯାଉଥିଲା ଓ ସେଗୁଡ଼ିକରେ ପ୍ରତ୍ୟକ୍ଷ ଗଣତନ୍ତ୍ର ପ୍ରଚଳିତ ଥିଲା, ଯେଉଁଥିରେ ନାଗରିକ ମାନ୍ୟତା ପାଇଥିବା ପୁରୁଷମାନେ ନଗର ପରିଚାଳନାରେ ପ୍ରତ୍ୟକ୍ଷ ରୂପେ ଭାଗ ନେଉଥିଲେ । ମହିଳା ଓ ଦାସମାନଙ୍କ ସେ ଅଧିକାର ନଥିଲା । କିନ୍ତୁ ଆଜିକାଲିର ଯୁଗ ସେଇଭଳିଆ ଛୋଟିଆ ରାଷ୍ଟ୍ର ଓ ତାର ପ୍ରତ୍ୟକ୍ଷ ଗଣତନ୍ତ୍ରର ଯୁଗ ନୁହେଁ । ବଡ଼ ରାଷ୍ଟ୍ର, ବହୁ ଲୋକ । ତେଣୁ ଗଣତନ୍ତ୍ରଟା ପ୍ରତ୍ୟକ୍ଷ ନହୋଇ ପରୋକ୍ଷ ହେବା ପାଇଁ ବାଧ୍ୟ । ଏହି ପରୋକ୍ଷ ଗଣତନ୍ତ୍ରରେ ଲୋକମାନେ ଭୋଟଦେଇ ସେମାନଙ୍କର ପ୍ରତିନିଧିମାନଙ୍କୁ ବାଛନ୍ତି, ଦେଶ ଚଳେଇବା ପାଇଁ । ଏହି ପ୍ରତ୍ୟକ୍ଷରୁ ପରୋକ୍ଷକୁ ପରିବର୍ତ୍ତନ ଧାରାରେ “ଗଣତନ୍ତ୍ରରେ କ୍ଷମତା ମୂଳତଃ ଲୋକଙ୍କ ହାତରେ ଥାଏ”ର ପରିବର୍ତ୍ତନ ଘଟି “ଗଣତନ୍ତ୍ରରେ କେବଳ ଭୋଟ ଦେବାର କ୍ଷମତା ଲୋକଙ୍କ ହାତରେ ଥାଏ”ରେ ପରିଣତ ହୋଇଯାଏ । କେବଳ ଭୋଟଦେବା ଛଡ଼ା ଶାସନ ବ୍ୟବସ୍ଥାକୁ ପ୍ରଭାବିତ କରିବାପାଇଁ ଅନ୍ୟ କୌଣସି ଉପାୟ ସେମାନଙ୍କ ପାଖରେ ନଥାଏ । ସତେ ଯେପରି ଭୋଟ ଦେଲାବେଳେ ଭୋଟରମାନେ ଖାଲି କାଗଜରେ ସହି କରି ପ୍ରତିନିଧିମାନଙ୍କୁ ଦେଇଥାଆନ୍ତି ଯାହା ଲେଖିବେ ଲେଖିବା ପାଇଁ – ଯେମିତି ଶାସନ କରିବେ କରିବା ପାଇଁ । ଫଳରେ ସେମାନେ ସରକାରକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ ସରକାର ସେମାନଙ୍କୁ ନିୟନ୍ତ୍ରଣ କରନ୍ତି । ଭୋଟରମାନେ ଉପାୟହୀନ ହୋଇ ସହିଯାଆନ୍ତି ।
“ସରକାର ଜନତାଙ୍କ ଦ୍ୱାରା, ଜନତାଙ୍କର, ଓ ଜନତାଙ୍କ ପାଇଁ’’ ହେଉଛି ଦାସପ୍ରଥା ଲୋପ ପାଇଁ ଆମେରିକାର ଗୃହଯୁଦ୍ଧ କାଳରେ ୧୯ନଭେମ୍ବର ୧୮୬୩ ଦିନ ଆବ୍ରାହମ୍ ଲିଙ୍କନ ଦେଇଥିବା ବିଶ୍ୱବିଖ୍ୟାତ ଗେଟିସ୍ବର୍ଗ ଭାଷଣର ଅଂଶବିଶେଷ । ସେତେବେଳୁ ଏହା ଗଣତନ୍ତ୍ରର ଧ୍ୱଜାଧାରୀମାନଙ୍କର ମୂଳମନ୍ତ୍ର ହୋଇଛି ଓ ଉପରୋକ୍ତ ତଥାକଥିତ ଗଣତନ୍ତ୍ରର ମୌଳିକ ବୈଶିଷ୍ଟ୍ୟଗୁଡ଼ିକୁ ଲୋକଙ୍କ ନିକଟରେ ବଖାଣି ଲୋକଙ୍କୁ ମନ୍ତ୍ରମୁଗ୍ଧ କରି ଆସିଛନ୍ତି ।
କିନ୍ତୁ ଏହି ସମସ୍ତ କଥା ହେଉଛି କେବଳ ତତ୍ତ୍ୱଗତ କଥା । ବାସ୍ତବରେ ଆମେ ଦେଖୁଁ ଯେ ସରକାରଗୁଡ଼ିକ ଧନୀଙ୍କ ଦ୍ୱାରା, ଧନୀଙ୍କର ଓ ଧନୀଙ୍କ ପାଇଁ ହୋଇଥାଏ ଓ ଗଣତନ୍ତ୍ରର ଉପରୋକ୍ତ ମୌଳିକ ବୈଶିଷ୍ଟ୍ୟଗୁଡ଼ିକ ଦେଖିବାକୁ ମିଳେନା । ଆମର ଦୈନନ୍ଦିନ ଜୀବନରେ ଆମେ ଏହି ତଥାକଥିତ ଗଣତନ୍ତ୍ରର ନଖଦାନ୍ତର ରାମ୍ପୁଡ଼ାକାମୁଡ଼ାକୁ ଅନୁଭବ କରୁଛେ । ଏହାକୁ ନଜରରେ ରଖି ମାର୍କ୍ସବାଦୀମାନେ ବୁର୍ଜ୍ଜୁଆ ଗଣତନ୍ତ୍ର ଓ ସର୍ବହରା ଗଣତନ୍ତ୍ର ମଧ୍ୟରେ ପାର୍ଥକ୍ୟ ଦର୍ଶାନ୍ତି । ୧୯୧୭ର ଋଷୀୟ ବିପ୍ଳବ ବେଳେ ମାର୍କ୍ସବାଦୀମାନେ ଜାରଙ୍କ ସାମ୍ରାଜ୍ୟବାଦ ବିରୁଦ୍ଧରେ ଲଢ଼େଇ କରିଥିଲେ ଓ ସେମାନଙ୍କର ନାରା ଥିଲା: “ସୋଭିଏତ୍ ଗୁଡିକୁ ସମସ୍ତ କ୍ଷମତା!” (“All power to the Soviets.”) ସେମାନେ ଜିଣିଲେ ଓ ବିଶ୍ୱର ପ୍ରଥମ ସମାଜବାଦୀ ରାଷ୍ଟ୍ର – ସୋଭିଏତ୍ ୟୁନିଅନ୍ ର ସ୍ଥାପନା କଲେ ।
ସର୍ବହରା ଗଣତନ୍ତ୍ରରେ ଦେଶ ସର୍ବହରା ଏକଛତ୍ରବାଦ ମାଧ୍ୟମରେ ଶାସିତ ହୋଇଥାଏ । ଯେମିତି ବୁର୍ଜ୍ଜୁଆ ଗଣତନ୍ତ୍ରରେ ବୁର୍ଜ୍ଜୁଆ ଏକଛତ୍ରବାଦର ଶାସନ ଚାଲେ, ସେମିତି ସର୍ବହରା ଗଣତନ୍ତ୍ରରେ ସର୍ବହରା ଏକଛତ୍ରବାଦର ଶାସନ ଚାଲେ । ଯେମିତି ପୁଞ୍ଜିବାଦୀ ରାଷ୍ଟ୍ରରେ ପୁଞ୍ଜିପତି ଓ ସେମାନଙ୍କର ବଚସ୍କରମାନେ ପରିଶ୍ରମୀ ଲୋକଙ୍କୁ ଦମନ, କଷଣ, ଶୋଷଣ କରନ୍ତି, ସେମିତି ଏକ ସମାଜବାଦୀ ରାଷ୍ଟ୍ରରେ ଶ୍ରମିକ ଶ୍ରେଣୀ ସର୍ବହରା ଏକଛତ୍ରବାଦ ଶାସନ ମାଧ୍ୟମରେ ସମାଜବାଦୀ ସମାଜ ମଧ୍ୟରେ ରହିଥିବା ଦମନ, କଷଣ, ଶୋଷଣକାରୀ ଶକ୍ତିଗୁଡ଼ିକର ମୂଳୋତ୍ପାଟନ କରନ୍ତି -ଏକ ସୁସ୍ଥ ସମାଜ ଗଠନ ଦିଗରେ ଆଗେଇ ଚାଲନ୍ତି ।
କାଳକ୍ରମେ ସୋଭିଏତ୍ ୟୁନିଅନ୍ରେ ଯେଉଁମାନେ ଆତ୍ମସ୍ୱାର୍ଥୀ ହୋଇ ଡାକି ଆଣ କହିଲେ ବାନ୍ଧି ଆଣିବା ରୀତିରେ କାମ କରି କ୍ଷମତା ସିଡ଼ିର ଗୋଟିଏ ପାହାଚ ପରେ ଆଉ ପାହାଚେ, ଆଉ ପାହାଚେ ଚଢ଼ି ବିଭିନ୍ନ ସ୍ଥରର ସୋଭିଏତ୍ଗୁଡ଼ିକର କ୍ଷମତା ହ୍ରାସକରି ସମସ୍ତ କ୍ଷମତା ସୁପ୍ରିମ୍ ସୋଭିଏତ୍ରେ ଠୁଳ କଲେ । କେବଳ ସେତିକି ନୁହେଁ, ଅସଲ କ୍ଷମତା କମୁ୍ୟନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକଙ୍କ ହାତକୁ ଟେକି ଦେଲେ । ସେ ଯାହା କହିଲେ ଅନ୍ୟ ସମସ୍ତଙ୍କ ପାଇଁ ବେଦ ହୋଇଗଲା- ସେମାନେ କେବଳ ଦୀର୍ଘ କରତାଳି ମାରିଲେ । ସୋଭିଏତ୍ ୟୁନିଅନ୍ କମ୍ୟୁନିଷ୍ଟ ପାର୍ଟିର କ୍ଷମତା ଓ ପ୍ରଭାବ ସୋଭିଏତ୍ ୟୁନିଅନ୍ ମଧ୍ୟରେ ସୀମିତ ନଥିଲା । ବିଶ୍ୱବ୍ୟାପୀ ଥିଲା । ଭାରତ ବି ବାଦ ପଡ଼ିନଥିଲା । ସେହି ପ୍ରଭାବଯୋଗୁଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସଭ୍ୟମାନେ ଗୋର୍ବାଚେଭ୍, ପେରିଷ୍ଟ୍ରୋଇକା ଓ ଗ୍ଲାସ୍ନୋଷ୍ଟର ସମାଲୋଚନା କରିବା ଅଧିକାର ନଥିଲା । ସେତେବେଳେ ସୋଭିଏତ୍ ୟୁନିଅନ୍ର କମୁ୍ୟନିଷ୍ଟ ପାର୍ଟିକୁ ଚାଷୀଶ୍ରମିକଙ୍କ ପାର୍ଟି ବୋଲି କୁହା ଯାଉଥିଲେ ବି ଚାଷୀଶ୍ରମିକ ଥିଲେ ମାତ୍ର ୧୩ପ୍ରତିଶତ । ତେଣୁ ଶାସନ କ୍ଷମତାରେ ଚାଷୀଶ୍ରମିକଙ୍କ ଭାଗ ନଗଣ୍ୟ । ସୋଭିଏତ୍ ୟୁନିଅନ୍ ର ତଳ ସ୍ତରରେ ସାଧାରଣ ଜନତା ଆନେ୍ଦାଳନ କରି ସୋଭିଏତ୍ ୟୁନିଅନ୍ ଙ୍କୁ ଭାଙ୍ଗି ନଥିଲେ, ଭାଙ୍ଗିଥିଲେ ଉପରଆଡ଼ୁ ତାର ଆତ୍ମସ୍ୱାର୍ଥୀ ସୁବିଧାବାଦୀ ନେତାମାନେ ।
ସର୍ବୋଚ୍ଚ ଆସନରେ ବସିଥିବା ସେଭଳି ଜଣେ ଆତ୍ମସ୍ୱାର୍ଥୀ ସୁବିଧାବାଦୀ (careerist) ନେତା ଥିଲେ ନିକିତା କ୍ରୁଶ୍ଚେଭ୍ । ସେ ରାତି ଅଧରେ ଷ୍ଟାଲିନ୍ ଙ୍କ ମମ୍ମି (mummy ବା ସଂରକ୍ଷିତ ଦେହ) କୁ ସ୍ମୃତିଗୃହ (mausoleum)ରୁ ବାହାର କରି ଅନ୍ୟତ୍ର କବର ଦେଲେ । ଲୋକେ ଜାଣି ପାରିଲେନି । କବର ଦେଇ ସାରିବା ପରେ ସେମାନଙ୍କର କିଛି କରିବାର ବି ନଥିଲା । ପ୍ରତିବାଦ କଲେନି । କିନ୍ତୁ ଗୋର୍ବାଚେଭ୍ ଙ୍କ ପରବର୍ତ୍ତୀ କାଳରେ ଦିନବେଳେ ଲେନିନ୍ ଙ୍କ ମମ୍ମିକୁ ସ୍ମୃତିଗୃହରୁ କାଢ଼ି ଅନ୍ୟତ୍ର କବର ଦେବାପାଇଁ ଚେଷ୍ଟା କଲେ । ଲୋକମାନେ ପ୍ରତିବାଦ କରିଥିଲେ କି ନାହିଁ ଖବରକାଗଜରେ ତ ସେତେବେଳେ ପଢ଼ିବାକୁ ମିଳି ନଥିଲା, କିନ୍ତୁ ଯାହା ପଢ଼ିବାକୁ ମିଳିଥିଲା ତାହା ହେଲା: ୧୯୧୭ ମସିହାରେ ଖୋଦ୍ ବିପ୍ଳବରେ ଭାଗ ନେଇଥିବା ଧୁଡ଼ୁଧଡ଼ିଆ ବଲସେଭିକ ବୁଢ଼ିଟିଏ ଲାଲ୍ ପତାକାଟିଏ ଧରି ସ୍ମୃତିଗୃହ ସାମ୍ନାରେ ଠିଆହୋଇ କହିଲା- ଆଗେ ମତେ ମାରିବ, ତା’ପରେ ଲେନିନ୍ଙ୍କୁ ଏଠୁ ନେବ । କେହି ସାହସ କଲେନି । ଫଳରେ, ଆଜି ବି ସ୍ମୃତିଗୃହରେ ଲେନିନ୍ ଙ୍କ ମମ୍ମି ତିଷ୍ଠି ରହିବା ସମ୍ଭବ ହୋଇଛି ।
ଏହି ସୁବିଧାବାଦୀ ନେତା ବା କେରିଏରିଷ୍ଟମାନେ କେବଳ ସୋଭିଏତ୍ ୟୁନିଅନ୍ ଙ୍କ ଭାଙ୍ଗିଲେନି, କମ୍ୟୁନିଷ୍ଟ ପାର୍ଟିଟାକୁ ବି ଭାଙ୍ଗି ଦେଲେ । ତାହାର କୁପ୍ରଭାବ ବିଶ୍ୱସାରା ପଡ଼ିଲା । ଅନେକ ଦେଶରେ କମ୍ୟୁନିଷ୍ଟ ପାର୍ଟିଗୁଡ଼ିକୁ ଭାଙ୍ଗି ଦିଆଗଲା ବା ନାମଗୁଡ଼ିକୁ ବଦଳେଇ ଦିଆଗଲା । ସତେ ଯେମିତି “ କମ୍ୟୁନିଷ୍ଟ ” ଶବ୍ଦଟି ଅସ୍ପୃଶ୍ୟ ହେଇଗଲା । ଆମ ଦେଶରେ “ କମ୍ୟୁନିଷ୍ଟ ” ଶବ୍ଦଟି ଅସ୍ପୃଶ୍ୟ ନହୋଇଥିଲେ ବି କମ୍ୟୁନିଷ୍ଟ ଆନ୍ଦୋଳନ ଭାଗ ଭାଗ ହୋଇଗଲା । ନକ୍ସଲବାଡ଼ି ଆନ୍ଦୋଳନ ଯେତେବେଳେ ଦେଶରେ ଚରମ ସ୍ଥିତିରେ ପହଞ୍ଚିଥିଲା, ସେତେବେଳେ ସେମାନଙ୍କର ଦୁଇ ଶହରୁ ଅଧିକ ଛୋଟବଡ଼ ଦଳ ଥିଲା । ସ୍ୱାଧୀନତା ଆନ୍ଦୋଳନ କାଳରେ କମ୍ୟୁନିଷ୍ଟ ମାନଙ୍କର ବିରୋଧୀମାନେ ସେମାନଙ୍କୁ ଯେତେ ନିନ୍ଦା କରିଥିଲେ ବି ସେମାନଙ୍କର ସ୍ଥାନ ଲୋକଙ୍କ ହୃଦୟରେ ଥିଲା । ତେଣୁ ସ୍ୱାଧୀନତା ପ୍ରାପ୍ତି ପରେ ପରେ କଂଗ୍ରେସ ତ ଥିଲା ପ୍ରଥମ ସ୍ଥାନରେ, ତାପରେ ଥିଲେ କମ୍ୟୁନିଷ୍ଟ ମାନେ । – ରାଜନୀତିର କେନ୍ଦ୍ରରେ ଥିଲେ ସେମାନେ, ଆଜି ତଡ଼ତୁଡ଼ାରେ । ଦେଶର ବର୍ତ୍ତମାନ ପରିସ୍ଥିତି ଯାହା ତାକୁ ଦେଖିଲେ ମନେହୁଏ କମ୍ୟୁନିଷ୍ଟ ଓ ବାମପନ୍ଥୀମାନଙ୍କର ଏକତା ଏକ ଐତିହାସିକ ଆବଶ୍ୟକତା । ତଥାପି ଏକ ହୋଇପାରୁ ନାହାଁନ୍ତି । ଭାରତରେ କମ୍ୟୁନିଷ୍ଟ ବିଚାରର ପ୍ରଚାର ଓ ପ୍ରସାର ଭଳି ଏକମାତ୍ର ଲକ୍ଷ୍ୟ ନେଇ ଭଗତ ସିଂ ଜାଣିଶୁଣି ଫାଶିଦଉଡ଼ିକୁ ଆବରି ନେଇଥିଲେ । ସହିଦ ହୋଇଥିଲେ । ତେଣୁ ମୁଁ କହେ: କମ୍ୟୁନିଷ୍ଟ ଓ ବାମପନ୍ଥୀମାନେ ଏକମତ ହୋଇ ସହିଦ ଭଗତ ସିଂଙ୍କୁ ଭାରତର କମ୍ୟୁନିଷ୍ଟ ଆନ୍ଦୋଳନର ପ୍ରତୀକ ଘୋଷଣା କରନ୍ତୁ । ତେବେ ଅନ୍ୟମାନଙ୍କ ଦ୍ୱାରା ଭଗତ ସିଂଙ୍କର ଅପବ୍ୟବହାର ବନ୍ଦ ହେବା ସଙ୍ଗେ ସଙ୍ଗେ ସେ କଅଣ କହୁଥିଲେ, କଅଣ ଚାହୁଁଥିଲେ, ଫାଶିଦଉଡ଼ିକୁ କାହିଁକି ଆବରି ନେଇଥିଲେ ଜାଣିବା ପାଇଁ ଆଜିର ଲୋକମାନେ ତାଙ୍କ ଲେଖା ଓ ତାଙ୍କ ସମ୍ପର୍କରେ ପଢ଼ିବା ଆରମ୍ଭ କରିବେ । ତଦ୍ୱାରା କମ୍ୟୁନିଷ୍ଟ ମତବାଦର ପ୍ରସାର ଘଟିବ । ସହିଦ ଭଗତ ସିଂଙ୍କ ଛତ୍ର ତଳେ ଭାରତର କମ୍ୟୁନିଷ୍ଟ ଓ ବାମପନ୍ଥୀମାନେ ଏକାଠି ହେବା ସଙ୍ଗେ ସଙ୍ଗେ ଜନଗଣଙ୍କୁ ଏକାଠି କରିହେବ ।
ମୁଁ ମୋର ଆଲୋଚନା ମଧ୍ୟକୁ ସୋଭିଏତ୍ ୟୁନିଅନ୍, କମ୍ୟୁନିଷ୍ଟ ମତବାଦ ଓ ଆନ୍ଦୋଳନକୁ ଅଯଥା ଟାଣି ଆଣିଲି ବୋଲି ମନେ କରାଯାଇ ପାରେ । କିନ୍ତୁ ଏହା କରିବାରେ ମୋର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଏହା ଯେ, ଗଣତନ୍ତ୍ର ବୁର୍ଜ୍ଜୁଆ ହେଉ ବା ସର୍ବହରା, କୌଣସିଟାରେ ସାଧାରଣ ମଣିଷମାନଙ୍କର ମତାମତ ପ୍ରକାଶ କରିବାର କୌଣସି ମାଧ୍ୟମ ନାହିଁ । ସରକାର ଯାହା ଚାହିଁବେ ତାହା କରିବେ । ଲୋକଙ୍କର କହିବାର କିଛି ଅଧିକାର ନାହିଁ ।
ଆମେରିକା ନିଜକୁ ଏକ ଗଣତାନ୍ତ୍ରିକ ଦେଶ ବୋଲି କହୁଛି, ଅଥଚ ଗୋଟିଏ ଦେଶ ଯେତେ ଗଣତାନ୍ତ୍ରିକ ହୋଇଥିଲେ ବି ଯଦି ଆମେରିକାର ସ୍ୱାର୍ଥସାଧନରେ ଯୋଗ ଦେଉନି ତାକୁ ଅଗଣତାନ୍ତ୍ରିକ ସରକାର, ସନ୍ତ୍ରାସବାଦୀ ସରକାର ଛାପାମାରି କଳେବଳେକୌଶଳେ ଭାଙ୍ଗି ଦେଉଛି । ଦକ୍ଷିଣ ଆମେରିକାର ଦେଶଗୁଡ଼ିକୁ ତ ସେ ହସ୍ତମୁଦି ମାହାଲ ଭଳି ରଖିଛି । ଲୋକଙ୍କର କିଛି କହିବାର ନାହିଁ । ଋଷିଆ-ୟୁକ୍ରେନ୍ ଯୁଦ୍ଧ ଚାଲିଛି । ପାଲେଷ୍ଟାଇନ୍-ଇଜ୍ରାଏଲ୍ ଯୁଦ୍ଧ ବି ଚାଲିଛି । ଦେଶର ସ୍ୱାର୍ଥରେ ଯୁଦ୍ଧ ଚାଲିଛି ବୋଲି ସରକାରଗୁଡ଼ିକ କହୁଛନ୍ତି । ହେଲେ ସାଧାରଣ ଲୋକେ ତାର ଶିକାର ହେଉଛନ୍ତି, ଦୁଃଖ ପାଉଛନ୍ତି । ସେମାନେ କଅଣ ଚାହାଁନ୍ତି କହିବାର ଉପାୟ କିଛି ନାହିଁ । କେବଳ ସରକାର ଯାହା କହୁଛନ୍ତି ବିଶ୍ୱବାସୀ ଶୁଣୁଛନ୍ତି । ଆଫ୍ରିକାର ଅନେକ ଦେଶରେ ଅନାହାର, ପୁଷ୍ଟିହୀନତାର ଶିକାର ହୋଇଥିବା ଶିଶୁମାନଙ୍କର କଙ୍କାଳମୟ ଶରୀର ଫଟୋରେ ଦେଖୁଥିଲେ ବି ଆମ ପାଇଁ ଯନ୍ତ୍ରଣାଦାୟକ । ସେହି ଦେଶଗୁଡ଼ିକର ଲୋକମାନେ ସେହି ଦୃଶ୍ୟ ଦେଖିଲା ବେଳେ ସେମାନଙ୍କ ପାଇଁ କେତେ ହୃଦୟ ବିଦାରକ ନ ହେଉଥିବ ଟିକିଏ ଭାବି ଦେଖନ୍ତୁ । ତଥାପି ଲୋକେ ସହୁଛନ୍ତି । କିଛି କହିବାର ନାହିଁ । ନୂଆ ନୂଆ ଅସ୍ତ୍ରଶସ୍ତ୍ରର ପରୀକ୍ଷା ତଥା ବଜାର ସୃଷ୍ଟି ପାଇଁ ଅସଲ ଯୁଦ୍ଧର ରୂପ ଦେଇ ନାଟକୀୟ ଯୁଦ୍ଧ ଚାଲୁଛି । ଆଖି ବୁଲାନ୍ତୁ ଆହୁରି ଅନେକ ଉଦାହରଣ ମିଳିବ ।
କେହି କେହି କହି ପାରନ୍ତି ଯେ ସରକାର ଯଦି ଲୋକଙ୍କ କାମ କରୁନି ଭୋଟ ଦେଇ ସରକାର ବଦଳାନ୍ତୁ । ସେଥିପାଇଁ ତ ପାଞ୍ଚବର୍ଷ ଦରକାର । ପୁଣି ସରକାରୀ ଦଳ ଓ ବିରୋଧୀ ଦଳଗୁଡ଼ିକର ବ୍ୟବହାର ବି ଅତି ଚମକ୍ରାର! ବିରୋଧୀ ଦଳ ହୋଇ ଥିବା ବେଳେ ସେମାନେ ଲୋକଙ୍କର ସ୍ୱାର୍ଥ ସପକ୍ଷରେ ଥିବାଭଳି କଥା କହନ୍ତି । କିନ୍ତୁ ଶାସନ ଗାଦିରେ ବସି ପଡ଼ିବା ମାତ୍ରେ ସେମାନଙ୍କର ବ୍ୟବହାର ଓଲଟା ହୋଇଯାଏ । ପୂର୍ବ ସରକାର ଯାହା କରୁଥିଲେ, ଏମାନେ ବି ତାହା କରନ୍ତି । ଗାଦିଚୁ୍ୟତ ହୋଇ ନୂଆ ବିରେଧୀ ଦଳ ସାଜିଥିବା ଲୋକେ ବର୍ତ୍ତମାନ ଲୋକସ୍ୱାର୍ଥର ଜଗୁଆଳ ରୂପେ କଥା କହିବା ଆରମ୍ଭ କରନ୍ତି । ଟଙ୍କାର ଦୁଇ ପାଖ-ଚିତ୍ ଆଉ ମାଖ । ଆପଣ ଚିତ୍କୁ ଭୋଟ ଦିଅନ୍ତୁ ଅବା ମାଖକୁ – ସେମାନେ ସେଇ ଏକା ଟଙ୍କାର ଦୁଇ ପାଖ, ଭଙ୍ଗେଇଲେ ଶହେ ପଇସା, ତେଣୁ ସେଇ ଏକା ଶାସନ । ତେଣୁ କେବଳ ଭୋଟ ଦେବା ନୁହେଁ, ଶାସନକୁ ପ୍ରଭାବିତ କରିପାରିବା ଭଳି ଅଧିକାର ଭୋଟରମାନଙ୍କର ରହିବା ଆବଶ୍ୟକ । ତୃଣମୂଳ ସ୍ତରରେ ଗ୍ରାମାଞ୍ଚଳରେ ଗ୍ରାମସଭା (ବା ସହରାଞ୍ଚଳରେ ୱାର୍ଡ଼ସଭା) ଜରିଆରେ ଆଞ୍ଚଳିକ ସମସ୍ୟାଠାରୁ ଆନ୍ତର୍ଜାତିକ ସମସ୍ୟା ପର୍ଯ୍ୟନ୍ତ ସମସ୍ତ ବିଷୟରେ ସେମାନଙ୍କର ମତାମତ ପ୍ରକାଶ କରି ସରକାରଙ୍କୁ ଜଣେଇବା ଅଧିକାର ଭୋଟରମାନଙ୍କର ରହିବା ଆବଶ୍ୟକ ।
ଗ୍ରାମସଭା ଯଦିଚ ନାଗରିକମାନଙ୍କର ଏକ ମୌଳିକ ଅଧିକାର ରୂପେ ସମ୍ବିଧାନିକ ସ୍ୱୀକୃତି ପାଇବ, ଏହା ଆଉ ଏକ ସରକାରୀ ଅନୁଷ୍ଠାନ ହେବନି । ଗ୍ରାମସଭାରେ ଗ୍ରାମବାସୀମାନେ (ବା ସହରର ୱାର୍ଡ଼ସଭାରେ ୱାର୍ଡ଼ବାସୀମାନେ) ଅଣଆନୁଷ୍ଠାନିକ ବା ବେସରକାରୀ ଭାବେ ନିଜ ଗ୍ରାମ ବା ୱାର୍ଡ଼ର, ନିଜ ଅଞ୍ଚଳର, ନିଜ ଜିଲ୍ଲାର, ନିଜ ପ୍ରଦେଶର, ନିଜ ଦେଶର ବା ବିଦେଶରେ ଘଟି ଯାଉଥିବା ଯେକୌଣସି ଘଟଣା ଉପରେ ନିଜର ମତାମତ ସରକାରଙ୍କୁ ଜଣେଇବାର ଅଧିକାର ରହିବ । ଏହି ମୌଳିକ ଅଧିକାର ଟିକକ ଯଦି ଲୋକଙ୍କ ପାଖେ ଥାଆନ୍ତା, ତେବେ ତିନୋଟ ଚାଷୀ ଆଇନ ସମ୍ପର୍କରେ ସାରା ଭାରତର ଗ୍ରାମସଭା ସେମାନଙ୍କର ମତାମତ ସରକାରଙ୍କୁ ଜଣାନ୍ତେ, ଫଳରେ ଏକ ବର୍ଷରୁ ଊଦ୍ଧ୍ୱର୍ କାଳ ଚାଷୀମାନଙ୍କୁ ଆନ୍ଦୋଳନ କରିବାକୁ ପଡ଼ନ୍ତାନି, ଶହଶହ ଚାଷୀ ଖରାବର୍ଷା ଶୀତକାକରର ଶିକାର ହୋଇ ମରନ୍ତେନି । ସେମାନଙ୍କର ମତାମତ ବା ଇଂରାଜିରେ ଯାହାକୁ feedback (ଫିଡ଼ବ୍ୟାକ) ବୋଲି କୁହାଯାଉଛି, ତାହା ପାଇ ସରକାର ଉଚିତ ପଦକ୍ଷେପ ନିଅନ୍ତେ । ଗ୍ରାମସଭାର ମତାମତ ସରକାରଙ୍କ ପାଇଁ ଦେଶର ନାଡ଼ି ଭାବରେ କାର୍ଯ୍ୟ କରନ୍ତା । ତାରି ଉପରେ ଟିପ ରଖି ଶାସନ କଲେ, ସମସ୍ତଙ୍କର ମଙ୍ଗଳ ହୁଅନ୍ତା ।
ତେଣୁ ଗ୍ରାମସଭା ମାନବ ଜାତିର ମୌଳିକ ଅଧିକାର ହେବା ସଙ୍ଗେ ସଙ୍ଗେ, ଗଣତନ୍ତ୍ରର ସାଂଜ୍ଞିକ ଲକ୍ଷଣ (defining characteristc) ହେଉ । ଗ୍ରାମସଭାର ଉପସ୍ଥିତି ନିର୍ଦ୍ଧାରଣ କରିବ କେଉଁ ଦେଶଟି ଅସଲରେ ଗଣତାନ୍ତ୍ରିକ ଆଉ କେଉଁ ଦେଶଟି ନୁହେଁ ।
Comments
0 comments

