ଆମେ ଭାରତୀୟମାନେ ସାଧାରଣତଃ କୁହାଳିଆ ଭାବେ ଜଣାଶୁଣା । ଆମ ଭିତରୁ ପ୍ରାୟ ଅଧିକାଂଶ କୁହାଳିଆ, ଗୋଟିଏ ଦାର୍ଶନିକ ଏବଂ ତ୍ରିକାଳଦର୍ଶୀ ମଣିଷ ମଧ୍ୟ । ଆମେ ଅତୀତ ଓ ଭବିଷ୍ୟ ସମ୍ପର୍କର ଅନେକ କଥା କହୁ, ତଥ୍ୟ ବା ସତ୍ୟତା ସହ ସେସବୁର ସମ୍ପର୍କ କ’ଣ ଅଛି ଜାଣିବାର ଆବଶ୍ୟକତା ନଥାଏ । ସହରରେ ଏହି କୁହାଳିଆମାନେ ଖଟି କରି ଦେଶ ଦୁନିଆ କଥା ବେଶି ଗପନ୍ତି । ସେମାନଙ୍କ ଭିତରୁ କଲମ ବା କମ୍ପୁଟର ଚଳାଉଥିବା ଲୋକେ ବହୁତ ଭଲ ଭଲ କଥା ଲେଖନ୍ତି । ବାସ୍ତବତା ବା ସତ୍ୟତା ସହ ସେସବୁର ସମ୍ପର୍କ ଥାଉ କି ନଥାଉ; ଅନେକ ମେଳାମହୋତ୍ସବରେ ଭାଗନେଇ ବେଶ୍ ଚର୍ଚ୍ଚା ମଧ୍ୟ କରାଯାଏ । ଯଦି କିଏ କିଛି କେବେ ପ୍ରଶ୍ନ କରେ, ଯେମିତି କି ଓଡ଼ିଶାର ପାଠ୍ୟପୁସ୍ତକରେ ଏତେ ତ୍ରୁଟି କ’ଣ ସରକାରଙ୍କର ଗୋଟିଏ ବଡ଼ ଅପାରଗତାକୁ ବୁଝାଉ ନାହିଁ କି? ବା ବାହାରେ ଅଶୋଧିତ ଜାଳେଣି ତେଲର ଦର କମିବା ସତ୍ତ୍ୱେ ଆମ ସରକାର ପେଟ୍ରୋଲ/ଡିଜେଲ ଦର କ’ଣ କମେଇବା କଥା ନୁହଁ କି? ଦକ୍ଷିଣ ଓଡ଼ିଶାରେ ପ୍ରବଳ ଜନପ୍ରତିବାଦ/ଆଦିବାସୀଙ୍କ ଆନେ୍ଦାଳନ ସତ୍ତ୍ୱେ ତାଙ୍କ ଉପରେ ଜୋର ଜବରଦସ୍ତ ଦମନଲୀଳା ଜାରି କରି ଘରୋଇ ଖଣିକମ୍ପାନୀକୁ ସେମାନଙ୍କର ଗ୍ରାମ, ଜଙ୍ଗଲ, ଜୀବିକାର ଉତ୍ସ ସବୁ ସମର୍ପଣ କରିଦେବା କ’ଣ ଗୋଟିଏ ଠିକ୍ କଥା? ଏଭଳି ଅନେକ ପ୍ରଶ୍ନ ଥାଏ । କିନ୍ତୁ ପ୍ରଶ୍ନ ପଚାରିଲେ ଉତ୍ତର ଆସିବ, ଯାଏ ଆପଣ ରାଜନୈତିକ କଥା ଏଠି ଉଠାନ୍ତୁ ନାହିଁ । ଅଯଥା ବିତର୍କ ହେବ, ଆମ ଭିତରେ ବିଭାଜନ ହେଇଯିବ! ଯେଉଁ କଥାରେ ଶାନ୍ତି ଅଛି, ଏକତା ଅଛି, ଆମେ ସେଇ କଥା ହିଁ ହେବା । ଯେଉଁ ନିଆଁ ବା ଅସନ୍ତୋଷ ଅନ୍ୟ କେଉଁଠି ଲୋକଙ୍କୁ ଜାଳିଦେଉଛି ବା ଶାନ୍ତିରେ ରଖେଇ ଦେଉନାହିଁ, ଆମର ସେଥିରେ ଯାଏଆସ କିଛି ନାହିଁ । ଆମେ ତ ଶାନ୍ତିରେ ଅଛନ୍ତି, ସେଇ ଶାନ୍ତି ନଷ୍ଟ କାହିଁକି କରିବା? ଅସଲ କଥାଟା ହେଉଛି ଯେ ଦେଶର ସାମୂହିକ ବିବେକ ବୋଲି କିଛି ନାହିଁ; ଯଦିଓ ମାନ୍ୟବର ନ୍ୟାୟମୂର୍ତ୍ତିମାନେ ‘Collective Conscience of the Nation’ ନାଁରେ ଅତି ବିବାଦୀୟ ରାୟମାନ ଅତୀତରେ ଦେଇଛନ୍ତି । ଅତି ବିବାଦୀୟ ରାୟମାନ ଦେବାର ଉଦାହରଣ ଗତ କିଛି ବର୍ଷ ଭିତରେ ଆମେ ଦେଖି ଆସିଛନ୍ତି ।
କୁହାଳିଆବର୍ଗ ପ୍ରାୟତଃ ମଧ୍ୟବିତ୍ତ ବା ନିମ୍ନ ମଧ୍ୟବିତ୍ତ ଶ୍ରେଣୀରୁ ଆସିଥାନ୍ତି । ସେମାନେ ନିଜେ କେତେ କୁହାଳିଆ, ଏ କଥାରେ ସେମାନେ ନିଜେ ସଚେତନ ନଥାନ୍ତି । ଯେହେତୁ ସାଧାରଣ ଲୋକଙ୍କ ସହ ଏମାନଙ୍କର ସଂପର୍କ ରହୁନାହିଁ, ସେମାନେ ତାଙ୍କରି ଦୁଃଖ ଯନ୍ତ୍ରଣା ବା ସେମାନେ ଭୋଗୁଥିବା ଅନ୍ୟାୟ ଅତ୍ୟାଚାର ସମ୍ପର୍କରେ କହିବେ ବା କେମିତି? ଯଦି ବି କହିବେ କିଛି କବିତା, କିଛି ରମ୍ୟରଚନା ବା କିଛି ମିଛିମିଛିକା ପ୍ରବନ୍ଧ ଲେଖିକରି ସେତିକିରେ ସେମାନେ ବଡ଼ କାମଟିଏ କରିଦେଇଛନ୍ତି ବୋଲି ନିଜ ମନକୁ ସାନ୍ତ୍ୱନା ମାତ୍ର ଦେବେ । ଅତୀତରେ କିନ୍ତୁ ଏଇ କୁହାଳିଆମାନଙ୍କର ବିବେକ ବୋଲି ହୁଏତ କିଛି ଥିଲା । ଯେହେତୁ ଇତର ଲୋକମାନଙ୍କ ସହ ଏମାନଙ୍କ ସମ୍ପର୍କ ରହୁଥିଲା । ଅନେକ ବିପ୍ଳବର ପୃଷ୍ଠପୋଷକତା ମଧ୍ୟବିତ୍ତ ଶ୍ରେଣୀରୁ ହିଁ ଆସିଥିଲା । ଆମ ନିଜ ସ୍ୱାଧୀନତା ସଂଗ୍ରାମ ଏବଂ ଏମିତିକି ବାମପନ୍ଥୀ ଆନ୍ଦୋଳନରେ ମଧ୍ୟ ଏହି ବର୍ଗର ଲୋକମାନେ ସବୁକିଛି ତ୍ୟାଗ କରି ବିପ୍ଳବ ବା ସ୍ୱାଧୀନତା ସଂଗ୍ରାମ ବା ପରିବର୍ତ୍ତନ ପାଇଁ ଲାଗିପଡ଼ିଥିଲେ । ଡକ୍ଟର ବୀରେନ୍ଦ୍ର ନାୟକଙ୍କ ଲେଖାଗୁଡ଼ିକରୁ ଆମେ ଜାଣିଛେ ଯେ ଓଡ଼ିଶାରେ ଚୌଧୁରୀ ପରିବାର କେମିତି ନିଜର ସମସ୍ତ ସଂପତ୍ତି ପରିତ୍ୟାଗ କରି ସମଗ୍ର ପରିବାର ସ୍ୱାଧୀନତା ସଂଗ୍ରାମରେ ଗୋଟିଏ ଗୋଟିଏ ସାଧାରଣ କର୍ମୀ ଭଳି ଝାସ ଦେଇଥିଲେ । ସେହି ପରିବାରରୁ ହିଁ ନବକୃଷ୍ଣ ଚୌଧୁରୀ ଆସିଥିଲେ, ଯିଏକି ଏକମାତ୍ର ମୁଖ୍ୟମନ୍ତ୍ରୀ ଥିଲେ ସାରାଜୀବନ ଲୋକମାନଙ୍କ ପାଇଁ ଚିନ୍ତା କରୁଥିଲେ । ଓଡ଼ିଶାରେ ବାମପନ୍ଥୀ ଆନେ୍ଦାଳନରେ ମଧ୍ୟ ଅନେକ ଉଚ୍ଚବର୍ଗର ଲୋକମାନେ ସବୁକିଛି ତ୍ୟାଗ କରି ଆନେ୍ଦାଳନରେ ସାମିଲ ହେଇଥିଲେ ସାଧାରଣ ଶ୍ରମିକ, କୃଷକ ଓ ଖଟିଖିଆ ଲୋକମାନଙ୍କର ଅବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ । ତେବେ ମଧ୍ୟବିତ୍ତ ଶ୍ରେଣୀ ଆଉ ଆଗଭଳି ନେତୃତ୍ୱ ସୃଷ୍ଟି କରିପାରୁ ନାହିଁ । ସେମାନଙ୍କର ବିବେକ ବି ହୁଏତ ଶୀତଳଭଣ୍ଡାରକୁ ଚାଲିଯାଇଛି । ଜଗତୀକରଣ ଯୁଗରେ ମଧ୍ୟବିତ୍ତଙ୍କ ଜଗତଟା ନିଜ ପରିବାର ଚାରିପଟେ ସୀମିତ ହୋଇ ରହିଯାଉଛି । ପ୍ରଯୁକ୍ତିବିଦ୍ୟାର ନୂଆ ନୂଆ ଉଦ୍ଭାବନ ଏବଂ ଏକ ଉପଭୋକ୍ତା ସମୂହର ନିର୍ମାଣ ଆଜି ସମାଜକୁ ଭାଙ୍ଗିଦେଇ ଗୋଟିଏ ଗୋଟିଏ ଏକୁଟିଆ ମଣିଷ ସୃଷ୍ଟି କରିବା କାମରେ ଅତି ଅପ୍ରତ୍ୟାଶିତ ବେଗରେ କାମ କରିଆସିଛି । ଚିନ୍ତା କରିବାର ସମୟ ବି ନାହିଁ ଯେ ଆମକୁ ଆମେ କଣ କରୁଛୁ, କାହାପାଇଁ କରୁଛୁ ଏବଂ ତାହାର ପ୍ରଭାବ ଅନ୍ତତଃ ଆମ ପରବର୍ତ୍ତୀ ପିଢ଼ି ପାଇଁ କେମିତି ରହିବ? କୁହାଳିଆ ସମାଜ ଏ ବାବଦରେ ସମ୍ପୂର୍ଣ୍ଣ ନୀରବ ।
ଏହିସବୁ ପ୍ରଶ୍ନକୁ ନେଇ ନୀରବତା ଶିଳ୍ପ ବିପ୍ଳବବେଳେ ୟୁରୋପରେ ମଧ୍ୟ ଦେଖା ଯାଇଥିଲା । ଶିଳ୍ପ ପାଇଁ ବଳପୂର୍ବକ ଜମି ଅଧିଗ୍ରହଣ ଯୋଗୁଁ କୃଷକମାନେ ମାନସିକ ଭାରସାମ୍ୟ ହରାଇଥିଲେ, ସେମାନଙ୍କୁ ଗୋଟିଏ ଗୋଟିଏ ବଡ଼ ଘରେ ଆବଦ୍ଧ କରି ରଖାଯାଉଥିଲା, ଯାହାକୁ ପରେ ମାନସିକ ବିକାରଗ୍ରସ୍ତଙ୍କ ଆଶ୍ରୟସ୍ଥଳୀ ବା ‘ମେଣ୍ଟାଲ ଆସାଇଲମ’ (Mental Asylum) ବୋଲି କୁହାଗଲା । ଏମାନଙ୍କର ଚିକିତ୍ସାପାଇଁ ମାନସିକ ରୋଗ ଚିକିତ୍ସା ବା ‘ସାଇକିଆଟ୍ରି’ (Psychiatry) ବିଷୟବସ୍ତୁ ମଧ୍ୟ ତିଆରି କରାଗଲା । ସେତେବେଳେ ୟୁରୋପର କୁହାଳିଆ ବର୍ଗ ଅଧିକାଂଶରେ ପ୍ରଶ୍ନ କରିନଥିଲେ-ଏହି ଶିଳ୍ପବିପ୍ଳବ କାହା ସ୍ୱାର୍ଥରେ? ଏହି ବିପ୍ଳବ, ଏହି ବିକାଶ ଆମକୁ କେତେ ଶହ ବର୍ଷ ସୁଖୀ ରଖିପାରିବ? ଆଜି ଯେତେବେଳେ ଜଳବାୟୁ ପରିବର୍ତ୍ତନର ପ୍ରଚଣ୍ଡ ପ୍ରକୋପରେ ଫ୍ରାନ୍ସ, ଜର୍ମାନୀ ଓ ୟୁରୋପର ଅନେକ ଦେଶ ଜଳୁଛନ୍ତି, ମନେପଡ଼ିଯାଉଛି ଯେ ଏହି ପ୍ରଶ୍ନ ୟୁରୋପରେ କୁହାଳିଆ ସମାଜ ଯଦି ୩୦୦ ବର୍ଷ ପୂର୍ବେ ପଚାରିଥାନ୍ତେ, ତାହେଲେ ହୁଏତ ଆଜି ଏ ଅବସ୍ଥା ସେମାନଙ୍କୁ ସାମ୍ନା କରିବାକୁ ପଡ଼ିନଥାନ୍ତା । ଭାରତରେ ବା ଓଡ଼ିଶାରେ, ବିଶେଷକରି ପ୍ରାକୃତିକ ପ୍ରାଚୁର୍ଯ୍ୟରେ ଭରପୂର ଥିବା ଦକ୍ଷିଣ ଓଡ଼ିଶାଟିକୁ ବିକାଶ ନାଁରେ ଖିନଭିନ କରିଦିଆ ଯାଉଛି । ଆମ କୁହାଳିଆ ସମାଜ ଧ୍ୱଂସ କରୁଥିବା କମ୍ପାନୀମାନଙ୍କର ଅଧାଖିଆ ବିରିୟାନୀର ମୋହରେ ଉତ୍ସବ-ମହୋତ୍ସବ ବା ନିଜ ସ୍ୱାର୍ଥର ଲାଳସାରେ ରହି ସବୁକିଛି ନୀରବରେ ଦେଖୁଛନ୍ତି, ଶୁଣୁଛନ୍ତି, ହୁଏତ ଆମେ କହିବା ଉପଭୋଗ ମଧ୍ୟ କରୁଛନ୍ତି । ୟୁରୋପ ଏବେ ସାମ୍ନା କରୁଥିବା ନିଆଁଟିକୁ ବୁଝିବାପାଇଁ ସେମାନଙ୍କୁ ୩୫୦ରୁ ଅଧିକ ବର୍ଷ ଲାଗିଲା । ଆମେ କିନ୍ତୁ ଏହି ନିଆଁକୁ ମାତ୍ର କେତୋଟି ବର୍ଷ ଭିତରେ ନିଜ ଘରର ଛାତ ଉପରେ ପାଇବା । ସମୟ ଆସିଛି ଓଡ଼ିଶାର କୁହାଳିଆ ବର୍ଗଙ୍କୁ ବହୁରାଷ୍ଟ୍ରୀୟ କଂପାନୀମାନଙ୍କର ଏବଂ ସେମାନଙ୍କର ବୋଲାକରା ସାଜିଥିବା ଦେଶୀ ସରକାରମାନଙ୍କର ଅକଥନୀୟ ଅତ୍ୟାଚାର, ଲୁଣ୍ଠନ ଏବଂ ଧ୍ୱଂସର ପୃଷ୍ଠଭୂମିରେ ତିଆରି ହେଉଥିବା ବିକାଶ ନୀତିକୁ ବୁଝିବା ପାଇଁ ଲୋକଙ୍କ ପାଖକୁ ଅନ୍ତତଃ ଯିବା ଏବଂ ଲୋକେ କଣ କହୁଛନ୍ତି, ସେମାନଙ୍କ କଥା ଶୁଣିବା ।
Comments
0 comments

