ଢିଙ୍କିଆ ସଙ୍ଘର୍ଷ: ପୃଥିବୀର ଭବିଷ୍ୟତ ଲାଗି ଏକ ଜନ ଆନ୍ଦୋଳନ

409 Views
7 Min Read

“ଆମଗାଁରେ ଆମେ କମ୍ପାନୀ କି କମ୍ପାନୀର ଦଲାଲ ପୋଲିସକୁ ପଶେଇ ଦେବୁ ନାହିଁ”–ଏକାସାଙ୍ଗରେ ପ୍ରାୟ ତିନିଶହ ମହିଳାଙ୍କର ସଂକଳ୍ପ ଇଏ । ଆମକୁ ଦେଖି ସେମାନେ ଆହୁରି ବଡ଼ପାଟିରେ ଏଇ ସମାନ କଥା କହି ଚାଲିଥିଲେ । ସେମାନଙ୍କ ସ୍ୱରରେ ଯେଉଁ ଦୃଢ଼ତା, ତାକୁ ଶୁଣିଲା ପରେ ଚକିତ ହେବା ସ୍ୱାଭାବିକ । ଭାରତର ଅନ୍ୟତମ ଶକ୍ତିଶାଳୀ ଇସ୍ପାତ କମ୍ପାନୀ ଜିନ୍ଦଲ ବିରୋଧରେ ପୂରା ଢିଙ୍କିଆ ଗାଁ ଆଜି ଠିଆ ହୋଇଛି । ଗାଁକୁ ଘେରି ପୁଲିସ ଛାଉଣୀ । ଆମେ ଗାଁ ମୁଣ୍ଡରେ ପହଞ୍ଚିଲାବେଳକୁ ଦୂରବୀକ୍ଷଣ ଲଗାଇ ଜଣେ ପୁଲିସବାବୁ ଗାଁ ଭିତରକୁ ନିରୀକ୍ଷଣ କରୁଥାନ୍ତି । ତାଙ୍କ ସାଙ୍ଗରେ ପ୍ରାୟ ଡଜନେ ବନ୍ଧୁକଧାରୀ ପୁଲିସ । ଢିଙ୍କିଆ ଓ ପାଟଣାଗାଁ ଭିତରେ ୮ଟି ବସରେ ପୁଲିସ ଆସି ପହଞ୍ଚିଛନ୍ତି । ଗାଁ ନୁହଁ ତ, ସତେ ଯେମିତି ଭାରତ-ପାକିସ୍ତାନ ସୀମାନ୍ତ । ଗୋଟେ ଘରୋଇ କମ୍ପାନୀ ଲାଗି ଜମି ଅଧିଗ୍ରହଣ କରିବାକୁ ଲୋକଙ୍କ ଦରମାରେ ଚାକିରି କରିଥିବା ପୁଲିସ ଲୋକଙ୍କ ଉପରେ ଜୁଲମ କରିବାକୁ ଢିଙ୍କିଆ ଚାରିପଟେ ପଇଁତରା ମାରୁଛି । ମାସ ମାସ ହେଲାଣି ଗାଁ ଲୋକେ ଏକପ୍ରକାର ଗୃହବନ୍ଦୀ । ଲୋକଙ୍କ ବିରୋଧକୁ ଭୟ ଏବଂ ଚାପ ପ୍ରୟୋଗକରି ଦବାଇ ଦେବାଲାଗି ଏ ପ୍ରକାର ପୁଲିସ ବନେ୍ଦାବସ୍ତ ଯେ କରାହୋଇଛି, ସେ କଥା ସ୍ପଷ୍ଟ ।

ଗାଁ ଭିତରେ ଭୟ ଓ ଉତ୍ତେଜନାର ବାତାବରଣ । ଗତ ମାସେଭିତରେ ଗାଁର ପ୍ରାୟ ହଜାରେରୁ ଅଧିକ ଲୋକଙ୍କ ନାଁରେ ପୁଲିସ କେସ ରୁଜୁ କରିଛି । ଅନେକ କାଳ୍ପନିକ ଓ ମିଛ ମାମଲା ଗାଁଲୋକଙ୍କ ନାଁରେ ରୁଜୁ କରାଯାଇଛି । ଗୋଟେ ଗୋଟେ ଏଫ୍ଆଇଆର୍ରେ ୬୦/୭୦ଲୋକ ଓ ଅନ୍ୟାନ୍ୟ ଲେଖିଦେଇ, ଲୋକଙ୍କୁ ଧମକ ଦିଆ ଯାଉଛି । କାହାକୁ କେତେବେଳେ ପୁଲିସ ଉଠେଇନେବ, ସେ ଭୟରେ ଗାଁ ଲୋକେ ବାଡ଼ ବୁଜି ବସିଛନ୍ତି । ପୁଲିସ ଅତ୍ୟାଚାରକୁ ଅଟକାଇବା ଲାଗି ଢିଙ୍କିଆ ଗାଁର ମହିଳାମାନେ ଜଗୁଆଳି ଭୂମିକା ତୁଲାଉଛନ୍ତି । ମଝିରେ ମଝିରେ ପୁଲିସ ଆସି ଗାଁ ଲୋକଙ୍କ ଉପରେ ଅତ୍ୟାଚାର କରୁଛି ଓ ଲୋକେ ନିଜ ପାନ ବରଜରେ ପାଣିଦେବାକୁ ଗଲେ, ତାଙ୍କୁ ଫେରାଇଦେଉଛି ବୋଲି ବହୁ ଲୋକ ଅଭିଯୋଗ କରିଥିଲେ । ଲୋକଙ୍କ ଭିତରେ ପ୍ରବଳ ଉତ୍ତେଜନା । ଲୋକେ ଆମକୁ ଜଗତସିଂପୁରର ପୁଲିସ ଏସ୍ପିଙ୍କର ଗୋଟେ ଭିଡିଓ କ୍ଲିପିଂ ଦେଖେଇଲେ । ଏସ୍ପି ଗଣମାଧ୍ୟମକୁ କହୁଛନ୍ତି, ଦୁଇ ତିନିଜଣ ଲୋକଙ୍କୁ ଛାଡ଼ିଦେଲେ ଢିଙ୍କିଆର ସବୁଲୋକ କାରଖାନା ସପକ୍ଷରେ ଅଛନ୍ତି । ପ୍ରାୟ ତିନି ହଜାର ଲୋକସଂଖ୍ୟା ବିଶିଷ୍ଟ ଢିଙ୍କିଆରେ ଆମେ ଜଣେ ବି ଲୋକ ପାଇଲୁ ନାଇଁ, ଯିଏ କାରଖାନା ସପକ୍ଷରେ ପଦେ କଥା କହିଥିବ । ତେଣୁ ଏସ୍ପିଙ୍କ ବକ୍ତବ୍ୟ ଯେ ଉପର ଠାଉରିଆ ଓ କପୋଳକଳ୍ପିତ; ସେ କଥା ସ୍ପଷ୍ଟ ଧରା ପଡୁଛି ।

ଏବେ ସରକାର ଢିଙ୍କିଆ ଗାଁକୁ ତିନି ଭାଗ କରି ତିନୋଟି ରାଜସ୍ୱ ଗାଁ କରିଛନ୍ତି । ଉଦେ୍ଦଶ୍ୟ ସ୍ପଷ୍ଟ । ଲୋକଙ୍କ ଭିତରେ ବିଭାଜନ ତିଆରି କରି ଜିନ୍ଦଲପାଇଁ ଜାଗା ଯୋଗାଡ଼ କରିବାର ଷଡ଼ଯନ୍ତ୍ରର ଇଏ ଏକ ବଡ଼ ଅଂଶ । ଲୋକ ସେକଥା ଜାଣନ୍ତି । ତେଣୁ ଲୋକଙ୍କ ପ୍ରତିବାଦ ଅଧିକ ତୀବ୍ରହେଉଛି । ଲୋକେ “କର ବା ମର”ଡାକରା ଦେଉଛନ୍ତି । ଅବଶ୍ୟ ଢିଙ୍କିଆ ଗାଁରେ ଆନେ୍ଦାଳନ କିଛି ନୂଆ କଥା ନୁହେଁ । ୨୦୦୫ ମସିହାରୁ ଢିଙ୍କିଆ ଗ୍ରାମବାସୀ ଓଡ଼ିଶା ସରକାର ଓ ପୋସ୍କୋ କମ୍ପାନୀ ବିରୋଧରେ ଲଢ଼େଇ କରି ଜିତିଥିଲେ । ସରକାର ପୋସ୍କୋ ଜମିକୁ ଏବେ ସଜ୍ଜନ ଜିନ୍ଦଲଙ୍କ କମ୍ପାନୀ ହାତରେ ଟେକିଦେବାକୁ ଏ ନୂଆ ଉଦ୍ୟମ ଆରମ୍ଭ କରିଛନ୍ତି । ଲୋକଙ୍କ ବିରୋଧରେ ସରକାରୀ କଳ ଏବେ ନୂଆ ଉତ୍ସାହର ସହ ଲାଗି ପଡ଼ିଛନ୍ତି । ପୂର୍ବରୁ ପୋସ୍କୋ ଲାଗି ଲୋକଙ୍କୁ ଲାଠି ଓ ଗୁଳି ଖାଇବାକୁ ପଡିଥିଲା । ଏବେ ଜିନ୍ଦଲପାଇଁ ସମାନ କଥା ଘଟୁଛି । ଲୋକେ ମାଡ଼ ଖାଉଛନ୍ତି । ମିଛ ମକଦ୍ଦମାର ଶିକାର ହେଉଛନ୍ତି । ସେମାନଙ୍କ ଜୀବନ ଓ ଜୀବିକା ଉଜୁଡି ଯାଉଛି ।

ଲୋକଙ୍କ ବିରୋଧସତ୍ତ୍ୱେ ସେମାନଙ୍କ ପାନବରଜ ଭଙ୍ଗାଯାଉଛି ବୋଲି ଅଭିଯୋଗ ସମ୍ପର୍କରେ ପାଟଣା ଗାଁରେ ଜମି ମାପ କରୁଥିବା ଏରସମା ତହସିଲଦାରଙ୍କୁ ଆମେ ପଚାରି ବୁଝିଥିଲୁ । ସେ କହିଲେ, ସେମିତି କିଛି ଅଭିଯୋଗ ତାଙ୍କପାଖରେ ନାଇଁ । ଲୋକେ ସ୍ୱତଃ ତାଙ୍କ ପାନବରଜ ଭାଙ୍ଗିବାକୁ ଅନୁମତି ଦେଇଥିବାର ଯୁକ୍ତି ସେ କରିଥିଲେ । ତହସିଲଦାର ସେଦିନ ଆମକୁ ଯାହା କହିଥିଲେ, ଗତ ଦୁଇ ତାରିଖରେ ସେ ସମାନ କଥା ଓଡ଼ିଆ ସଂବାଦପତ୍ର ‘ସମ୍ବାଦ’ରେ ପ୍ରକାଶ ପାଇଛି । ସରକାରୀ ଅଧିକାରୀ କହୁଛନ୍ତି, ଲୋକେ ସ୍ୱତଃ ନିଜ ପାନ ବରଜ ମାପଚୁପ କରିବାକୁ କୁଆଡ଼େ ସରକାରୀ ଅଧିକାରୀଙ୍କୁ ସାଙ୍ଗରେ ନେଇକି ଯାଉଛନ୍ତି!! ହେଲେ ସେମିତି ଲୋକ କିଏ, ସେକଥା ଆମେ ଦେଖିପାରିଲୁ ନାହିଁ । ଆମେ ଜାଣିବାକୁ ଚାହିଁ ଥିଲୁ-ଲୋକେ ଯଦି ସ୍ୱତଃ ଜମି ଦେଉଛନ୍ତି, ତା ହେଲେ ଏତେ ପୁଲିସ ଏଠି କଣ କରୁଛନ୍ତି!! ଲୋକଙ୍କଇଚ୍ଛାରେ ଯଦି ସରକାର ଜମି ଅଧିଗ୍ରହଣ କାମ କରୁଛନ୍ତି, ତା’ହେଲେ ଏତେ ଅଧିକ ସଂଖ୍ୟକ କେଶ୍ ପୁଲିସ ରୁଜୁ କରିଛି କେଉଁ ଉଦେ୍ଦଶ୍ୟରେ?

ସବୁଠୁ ବଡ଼ କଥା ହେଉଛି, ଗୋଟେ ଗାଁର ୩ହଜାରରୁ ଅଧିକ ଲୋକ ଗଣତାନ୍ତ୍ରିକ ଉପାୟରେ ଜୀବନ ଓ ଜୀବିକା ଲାଗି ଆନ୍ଦୋଳନ କରିବା କଣ ଅପରାଧ? ଦେଶର ସବୁଠୁ ଧନୀ କର୍ପୋରେଟ ପାଇଁ ରାଜ୍ୟ ପୁଲିସ ଗୁଣ୍ଡା ଭାବରେ ଲୋକଙ୍କ ଉପରେ ଅତ୍ୟାଚାର କରିବ କାହିଁକି? ଶିଳ୍ପାୟନ ଯେଉଁଠି ହେଉଛି ସେ ସ୍ଥାନର ପରିବେଶ ଓ ଜଳବାୟୁ ଉପରେ ଏହି ଶିଳ୍ପର କି ପ୍ରଭାବ ପଡ଼ିବ, ତାର ଆକଳନ କିଏ କରିଛି କି? ପାରାଦୀପ ନିକଟବର୍ତ୍ତୀ ଉପକୂଳରେ ସିମେଣ୍ଟ, ବିଜୁଳି ଓ ଇସ୍ପାତ କାରଖାନା ପାଇଁ ପରିବେଶ ଅନୁକୂଳ କି? ଏମିତି ଅନେକ ପ୍ରଶ୍ନ ରହିଛି, ଯାହାର କୌଣସି ଉତ୍ତର ସରକାରୀ ଅଧିକାରୀଙ୍କ ପାଖରେ ନାହିଁ ।

ଶିଳ୍ପାୟନ ବନାମ ବିସ୍ଥାପନର ଯେଉଁ ପୁରୁଣା ବିତର୍କ ସାରାଦେଶରେ ଗତ କିଛିବର୍ଷ ହେଲାଚାଲିଛି, ତାର ଅସଲ ଉତ୍ତର ଢିଙ୍କିଆ ଗାଁରେ ମିଳିବ । ଯେଉଁମାନେ ଶିଳ୍ପାୟନର ସ୍ୱପ୍ନରେ ବଙ୍ଗୋପସାଗର ଉପକୂଳର ଏକ ପ୍ରମୁଖ ଜମିରେ ସିମେଣ୍ଟ/ବିଜୁଳି ଓ ଇସ୍ପାତ କାରଖାନା କରି ପ୍ରଗତିର ସ୍ୱପ୍ନ ଦେଖୁଛନ୍ତି, ସେମାନେ ୧୯୯୯ ମହାବାତ୍ୟାର ଚିତ୍ରକୁ ଆଉ ଥରେ ମନେ ପକାଇବା ଉଚିତ । ୧୯୯୯ ମହାବାତ୍ୟାରେ ଢିଙ୍କିଆ-ଚାରିଦେଶ ସଂଲଗ୍ନ ଏରସମା ଅଞ୍ଚଳ ଏକରକମ ଧୋଇ ହୋଇଯାଇଥିଲା । ହେଲେ ଢିଙ୍କିଆ-ଚାରିଦେଶ ଅଞ୍ଚଳ ଆପାତତଃ କମ୍ କ୍ଷତିଗ୍ରସ୍ତ ହୋଇଥିଲେ । ପ୍ରସ୍ତାବିତ କାରଖାନା ଅଞ୍ଚଳରେ ରହିଥିବା ବାଲିକୁଦ ଓ ଜଙ୍ଗଲ ଏହି ଅଞ୍ଚଳ ଲାଗି ଏକ ପ୍ରକାର ସୁରକ୍ଷାକବଚ ଭାବେ କାମ କରିଥିଲା ।

ଓଡ଼ିଶାରେ ଗତ କିଛିବର୍ଷ ହେଲା ହାରାହାରି ପ୍ରତ୍ୟେକ ବର୍ଷ ଗୋଟିଏ ବାତ୍ୟା ଆସୁଛି । ଜଳବାୟୁ ପରିବର୍ତ୍ତନର ସିଧାପ୍ରଭାବ ଉପକୂଳ ଉପରେ ପଡୁଛି  । ତାକୁ ଆଖି ଆଗରେ ରଖି ରାଜ୍ୟସରକାର ଶିଳ୍ପ ପ୍ରକଳ୍ପ କଥା ଚିନ୍ତା କରିବା ଉଚିତ । ହେଲେ ବିକାଶର ଅନ୍ଧ ମଡେଲ ଧରି ବସିଥିବା ରାଜ୍ୟ ସରକାର ଲୋକଙ୍କ ଜୀବନ ଓ ରାଜ୍ୟର ଭବିଷ୍ୟତ ସହିତ ଖେଳ ଖେଳୁଛନ୍ତି । ପାରାଦୀପ ବନ୍ଦର ଓ ଏହାର ଆଖପାଖ ଅଞ୍ଚଳରେ ଅନ୍ଧ ଶିଳ୍ପାୟନର କି ପ୍ରକାର ପରିବେଶଜନିତ ପ୍ରଭାବ ପଡ଼ିବ, ସେ ସମ୍ପର୍କରେ କୌଣସି ଆକଳନ ରାଜ୍ୟ ସରକାର କରିନାହାନ୍ତି । ଏଠି ସାଧାରଣ ଜନତା ପରିବେଶ, ଜୀବନ ଓ ଜୀବିକା ବଞ୍ଚାଇବାକୁ ସଂଘର୍ଷ କରୁଥିବାବେଳେ ରାଜ୍ୟର ରାଜନୈତିକ ଦଳ ଓ ଗଣମାଧ୍ୟମ ଏ ସମ୍ପର୍କରେ ଚୁପ୍ ହୋଇ ବସିଛନ୍ତି । କେତେକ ବାମପନ୍ଥୀ ଦଳଙ୍କୁ ବାଦଦେଲେ ଢିଙ୍କିଆବାସୀଙ୍କର ସଙ୍ଘର୍ଷରେ ଅନ୍ୟ ରାଜନୈତିକ ଦଳଙ୍କର ଦେଖା ମିଳୁନି । ଲୋକଙ୍କ ସଂଗ୍ରାମରେ ସେମାନଙ୍କ କଥା ଗଣମାଧ୍ୟମ ନ କହି, ସିଧାସଳଖ କର୍ପୋରେଟ ଦଲାଲିକୁ ଗଣମାଧ୍ୟମ ନିଜର ନୈତିକତା ବୋଲି ଭାବୁଛି!!

ଆମକୁ ଆଉ ଗୋଟେ ପ୍ରଶ୍ନ ବଡ଼ ବ୍ୟଥିତ କରିଥିଲା । ଜଣେ ବୟସ୍କା ମାଉସୀ ଆମକୁ ପଚାରିଥିଲେ , “ବାବୁ, ତମ ମିଡିଆରେ ସଂସାର ଯାକର ଖବର ଦେଉଛ । ଆମେ ମାସ ମାସ ଧରି ପୁଲିସ ଅତ୍ୟାଚାର ସହୁଛୁ । ଏଇଟା କଣ ଖବର ନୁହେଁ?” ଏ ପ୍ରଶ୍ନର ଉତ୍ତର କିଏ ଦେବ? ଶିଳ୍ପାୟନର ସ୍ୱପ୍ନରେ ମସଗୁଲ ବିଭିନ୍ନ କର୍ପୋରେଟର ପୋଷା ସାମ୍ବାଦିକ ବା ସମ୍ପାଦକ ଅବଶ୍ୟ ଢିଙ୍କିଆ ଯିବେ ନାହିଁ । ସେମାନେ କେଉଁ ସ୍ୱାମୀ ସ୍ତ୍ରୀର କଳି କିମ୍ବା ନେତାଙ୍କ ଭାଷଣରେ ବ୍ୟସ୍ତ ରହିବେ । ଗଣତନ୍ତ୍ରରେ ଲୋକଙ୍କ ଉପରେ ଅତ୍ୟାଚାର କରୁଥିବା ସରକାର ଓ କମ୍ପାନୀ ବିରୋଧରେ ଠିଆହୋଇଥିବା ଢିଙ୍କିଆଗାଁ ଲୋକଙ୍କ କଥା ସାମ୍ବାଦିକ ନଲେଖିଲେ ବି ଇତିହାସରେ ସେମାନେ ନିଜର ନାଁ ନିଜେ ଲେଖିବେ!! ଢିଙ୍କିଆ ଓ ଚାରିଦେଶ ଅଞ୍ଚଳର ସଂଘର୍ଷ କେବଳ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ବଞ୍ଚାଇବାର ସଂଘର୍ଷ ନୁହେଁ, ଏହା ପୃଥିବୀର ଭବିଷ୍ୟତକୁ ସୁରକ୍ଷିତ ରଖିବାଲାଗି ଏକ ଗଣ ଆନେ୍ଦାଳନ ।

Total Views: 409

Comments

0 comments

Share This Article