ଇଂରାଜୀ ଶିକ୍ଷାରେ ଦଳିତ, ଶୂଦ୍ର ଓ ଅତିଶୂଦ୍ରଙ୍କର ମୁକ୍ତିର ସମ୍ଭାବନା ସାବିତ୍ରୀବାଇ ଫୁଲେ, ୧୮୫୪ ମସିହାରେ ଦେଖୁଥିବା ବେଳେ୧ , ଏହାର ୫୪ ବର୍ଷପରେ, ୧୯୦୮ ମସିହାରେ ପ୍ରକାଶିତ ‘ହିନ୍ଦ ସ୍ଵରାଜ’ର ଅଷ୍ଟାଦଶ ଅଧ୍ୟାୟରେ ମହାତ୍ମା ଗାନ୍ଧୀ ଲେଖିଥିଲେ, , “ଲକ୍ଷ ଲକ୍ଷ ଲୋକଙ୍କୁ ଇଂରାଜୀ ଜ୍ଞାନ ଦେବା ଅର୍ଥ ସେମାନଙ୍କୁ ଦାସ କରିବା। ମ୍ୟାକଲେ ଶିକ୍ଷାର ଯେଉଁ ମୂଳଦୁଆ ପକାଇଥିଲେ ତାହା ଆମକୁ ଦାସ କରିଛି। ମୁଁ କହୁନାହିଁ ଯେ ତାଙ୍କର ଏପରି କୌଣସି ଉଦ୍ଦେଶ୍ୟ ଥିଲା, କିନ୍ତୁ ଫଳ ଏହାହିଁ ହୋଇଛି।” ଏପରି ଦାସତ୍ଵ ପାଇଁ ଇଂରାଜୀ ଜାଣୁଥିବା ଭାରତୀୟମାନଙ୍କୁ ଦାୟୀ କରି, ସେ ମଧ୍ୟ ଲେଖିଥିଲେ ଯେ “ଆମେ, ଇଂରାଜୀ ଜାଣୁଥିବା ଭାରତୀୟମାନେ ଭାରତକୁ ଦାସ କରି ରଖିଛୁ। ଜାତିର ଅଭିଶାପ ଇଂରେଜମାନଙ୍କ ଉପରେ ନୁହେଁ ବରଂ ଆମ ଉପରେ ପଡ଼ିବ।“ ଗାନ୍ଧୀ ବୁଝିଥିଲେ ଯେ ଇଂରାଜୀ ଶିକ୍ଷା ଦ୍ବାରା ଭାରତକୁ ଦାସ କରିବା ମ୍ୟାକଲେଙ୍କର ଉଦ୍ଦେଶ୍ୟ ନ ଥିଲା । ଅପର ପକ୍ଷରେ ମ୍ୟାକଲେ ତ ଚାହିଁ ଥିଲେ ଯେ ଏହି ଭାଷା ଜରିଆରେ ଜ୍ଞାନ ବିଜ୍ଞାନର ବିଶାଳ ଭଣ୍ଡାର, ଯାହା ସଂସ୍କୃତ ବା ଆରବୀ ସାହିତ୍ୟରେ ଉପଲବ୍ଧ ନ ଥିଲା, ତାହା ସହ ଭାରତୀୟ ମାନେ ପରିଚିତ ହେବେ, ଓ ଏହିପରି ଶିକ୍ଷିତ ଭାରତୀୟମାନେ ଆହରଣ କରିଥିବା ଜ୍ଞାନ ବିଜ୍ଞାନ ଦ୍ବାରା ସେମାନଙ୍କର ସ୍ଥାନୀୟ ଭାଷା ଓ ସାହିତ୍ୟକୁ ପୁଷ୍ଟ କରିବେ । ଅବଶ୍ୟ ମ୍ୟାକଲେ ସ୍ଵୀକାର କରିଥିଲେ ଯେ ଇଂରାଜୀ ଭାଷାରେ ଶିକ୍ଷା, ସାଧନ ଅଭାବରୁ ଭାରତରେ ସାର୍ବଜନୀନ ହୋଇ ପାରିବ ନାହିଁ ; କେବଳ କେତେଜଣଙ୍କୁ ଏହା ଉପଲବ୍ଧ କରାଇ ଏକ ସ୍ବତନ୍ତ୍ର ଶ୍ରେଣୀ ତିଆରି କରାଯାଇପାରିବ ଯେଉଁ ମାନେ ହେବେ ‘ରୁଚି, ମତ, ନୈତିକତା ଏବଂ ବୁଦ୍ଧିରେ ଇଂରାଜ’.। ଦୁର୍ଭାଗ୍ୟ ବଶତଃ , ମ୍ୟାକଲେ ଯଦିଓ ଏହି ଶ୍ରେଣୀ ଠାରୁ ଆଶା କରୁଥିଲେ ଯେ ସେମାନେ ସେମାନଙ୍କର ଜ୍ଞାନ ଦ୍ବାରା ସ୍ଥାନୀୟ ଭାଷା ସାହିତ୍ୟକୁ ପୁଷ୍ଟ କରିବେ ବୋଲି, ଏହା ସେମାନେ କଲେ ନାହିଁ ବରଂ ବ୍ରିଟିଶ ଶାସକଙ୍କର କଳା ସଂସ୍କରଣ ହୋଇଗଲେ, ସାଧାରଣ ଭାରତୀୟଙ୍କ ଠାରୁ ଦୂରେଇ ରହିଲେ । ମହାତ୍ମା ଗାନ୍ଧୀ ସଠିକ କହୁଥିଲେ ଯେ ‘ଆମେ ଇଂରାଜୀ ଜାଣିଥିବା ଭାରତୀୟମାନେ ହିଁ ଭାରତକୁ ଦାସ କରିଛୁ’ । ତେଣୁ ଦେଶର ଅଭିଶାପ ଇଂରାଜୀ ଉପରେ ପଡିବ ନାହିଁ, ବରଂ ଆମ ଉପରେ ପଡିବ । ଇଂରାଜୀ ଭାଷା ଶିକ୍ଷା କରିବା ସମ୍ପର୍କରେ ଗାନ୍ଧୀ ବେଶ ଉଦାର ଥିଲେ, ରବୀନ୍ଦ୍ରନାଥ ଟାଗୋରଙ୍କୁ ଲେଖିଥିଲେ(Young India, 1-6-1921), “ମୁଁ ଚାହେଁ ଯେ ଆମର ସାହିତ୍ୟିକ ରୁଚି ଥିବା ଯୁବକ ଏବଂ ଯୁବତୀମାନେ ଯେତେ ଇଚ୍ଛା ଇଂରାଜୀ ଏବଂ ଅନ୍ୟାନ୍ୟ ବିଶ୍ୱ ଭାଷା ଶିଖନ୍ତୁ, ଏବଂ ତା’ପରେ ସେମାନେ ସେମାନଙ୍କର ଶିକ୍ଷାର ଲାଭ ଭାରତ ଏବଂ ବିଶ୍ୱକୁ ଦେବେ ବୋଲି ଆଶା କରନ୍ତୁ, ଯେପରି ଜଣେ ବୋଷ, ଜଣେ ରାୟ କିମ୍ବା କବି ନିଜେ। କିନ୍ତୁ ମୁଁ ଏପରି ଜଣେ ମଧ୍ୟ ଭାରତୀୟଙ୍କୁ ଚାହୁଁନାହିଁ ଯିଏ ନିଜ ମାତୃଭାଷାକୁ ଭୁଲିଯିବ, ଅବହେଳା କରିବ କିମ୍ବା ଲଜ୍ଜିତ ହେବ, କିମ୍ବା ଅନୁଭବ କରିବ ଯେ ସେ ନିଜ ଭାଷାରେ ଚିନ୍ତା କରିପାରିବ ନାହିଁ କିମ୍ବା ଶ୍ରେଷ୍ଠ ଚିନ୍ତାଧାରା ପ୍ରକାଶ କରିପାରିବ ନାହିଁ।” ଏହି ଉକ୍ତିରେ ମାକଲେଙ୍କ ଶଦ୍ଦର ପ୍ରତିଧ୍ଵନି ଶୁଭୁ ନାହିଁ କି?
ମ୍ୟାକଲେଙ୍କର ଉଦ୍ଦେଶ୍ୟ ଭାରତକୁ ଦାସ କରି ରଖିବା ନ ଥିଲା, ବୋଧେ ସଠିକ ଅନୁମାନ କରିଥିଲେ ମହାତ୍ମା ଗାନ୍ଧୀ, ଯାହାର ପ୍ରମାଣ ମିଳେ ମ୍ୟାକଲେ ୧୮୩୩ ମସିହା ଜୁଲାଇ ୧୦ ତାରିଖ ଦିନ ବ୍ରିଟିଶ ସଂସଦରେ ଦେଇଥିବା ଦୀର୍ଘ ଭାଷଣରେ । Charter Act 1833 ପ୍ରସ୍ତୁତି ପାଇଁ ଆଗତ ବିଧେୟକ ଉପରେ ଆଲୋଚନାରେ ଅଂଶ ଗ୍ରହଣ କରି ମ୍ୟାକଲେ କହୁଥିଲେ ଯେ ଆମେ ସେ ସମୟକୁ ଅପେକ୍ଷା କରିବା ଯେତେବେଳେ ଭାରତୀୟ ମାନେ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ ହେବେ, ଓ ଯେଉଁ ସମୟରେ୨ ‘ଆମ ଭାରତୀୟ ସାମ୍ରାଜ୍ୟର କୌଣସି ଦେଶୀ ଅଧିବାସୀ (natives ), ତାଙ୍କର ବର୍ଣ୍ଣ, ତାଙ୍କର ବଂଶ କିମ୍ବା ତାଙ୍କର ଧର୍ମ ଯୋଗୁଁ, କୌଣସି ପଦବୀରେ ରହିବା ପାଇଁ ଅଯୋଗ୍ୟ ବିବେଚିତ ହେବେ ନାହିଁ ।’ ସେ ପ୍ରତ୍ୟାଖ୍ୟାନ କରୁଥିଲେ ଏପରି ମତକୁ ଯେ୨ “ସମୟ କଦାପି ଆସିବ ନାହିଁ ଯେତେବେଳେ ଭାରତର ଦେଶୀ ଅଧିବାସୀମାନେ ଉଚ୍ଚ ବେସାମରିକ ଓ ସାମରିକ ପଦବୀରେ ନିଯୁକ୍ତି ପାଇ ପାରିବେ” ଓ ଏହା ସହିତ ସେ ଯୁକ୍ତିକୁ୨ “ଯେ ଏହି ସର୍ତ୍ତ ଉପରେ ହିଁ ଆମେ ଆମର କ୍ଷମତାକୁ କାଏମ ରଖିପାରିବୁ ।” ସେମାନଙ୍କ ସହ ସେ ଏକ ମତ ହେଉ ନଥିଲେ ଯେଉଁମାନେ ଚାହୁଁ ନ ଥିଲେ ଇଂରାଜ ଶାସନ୨ ‘ପ୍ରଜାଙ୍କୁ ସେ ସବୁ ସୁବିଧା ଦେବ ଯାହା ସେମାନେ ଉପଭୋଗ କରିବା ପାଇଁ ସମର୍ଥ’ ବା କହୁଥିଲେ୨ “ଏହା ଆମ କ୍ଷମତା ଭିତରେ” ନାହିଁ । ବରଂ ଏପରି ବିଚାର ଯେ୨ “ଆମ ନିଜ ଆଧିପତ୍ୟର ଚିରସ୍ଥାୟୀତ୍ଵ ପ୍ରତି ବିପଦ ସୃଷ୍ଟି ନ କରି ଆମେ ସେମାନଙ୍କୁ କ’ଣ ଦେଇପାରିବା”, ତାହା ବିରୁଦ୍ଧରେ ସେ କହୁଥିଲେ୨ , “ମୁଁ ଦୃଢ ପ୍ରତିବାଦ ଜଣାଉଛି ଯେହେତୁ ଏହା ସଠିକ ନୀତି ଓ ସଠିକ ନୈତିକତା ଉଭୟ ସହ ଅସଙ୍ଗତ ଅଟେ। ” ସେ ଆହୁରି କହୁଥିଲେ ଯେ୨ “ମୁଁ ଅନୁଭବ କରେ, ଏହା ଭାରତର ହିତରେ ଯେ ଦେଶୀ ଅଧିବାସୀଙ୍କୁ ଧୀରେ ଧୀରେ ଉଚ୍ଚ ପଦବୀରେ ନିଯୁକ୍ତି କରାଯିବା ଉଚିତ । କିନ୍ତୁ ଯେତେବେଳେ ସେ ସମୟ ଉପନୀତ ହେବ, ଯେତେବଳେ ଭାରତର ହିତରେ ପରିବର୍ତ୍ତନ ଆବଶ୍ୟକ ହେବ, ସେତେବେଳେ ଆମେ ବାରଣ କରିଦେବା ସେ ପରିବର୍ତ୍ତନକୁ ଯେପରି କି ଆମର ନିଜସ୍ଵ କ୍ଷମତା ବିପନ୍ନ ନ ହୁଏ – ଏହା ବାସ୍ତବିକ ଏକ ଏପରି ସିଦ୍ଧାନ୍ତ ଯାହା ସମ୍ପର୍କରେ ମୁଁ କ୍ଷୁବ୍ଧ ନ ହୋଇ ଭାବି ପାରେ ନା ।” ସେ ମଧ୍ୟ କହୁଥିଲେ୨, “ଏହା ଆମ ପାଇଁ ଶୁଭଂକର ହେବ ଯଦି ଭାରତର ଲୋକମାନେ ଖରାପ ଭାବରେ ଶାସିତ ହେବା ଓ ଆମ ଅଧୀନରେ ରହିବା ଅପେକ୍ଷା ସେମାନେ ଭଲ ଭାବରେ ଶାସିତ ହେବେ ଏବଂ ସ୍ୱାଧୀନ ହେବେ; ସେମାନେ ଇଂରାଜ କଲେକ୍ଟର ଏବଂ ଇଂରାଜ ମାଜିଷ୍ଟ୍ରେଟଙ୍କୁ ସଲାମ ଦେବା ଅପେକ୍ଷା ସେମାନଙ୍କର ନିଜ ରାଜାମାନଙ୍କ ଦ୍ଵାରା ଶାସିତ ହେବେ ଅବଶ୍ୟ ଆମର ମୋଟା ଲୁଗା ପିନ୍ଧି ଓ ଆମରି ଛୁରୀ,କଣ୍ଟା, ଚାମଚ ( cutlery) ବ୍ୟବହାର କରି ।” ଭରତୀୟଙ୍କ ପ୍ରତି ମ୍ୟାକଲେଙ୍କର ସକାରାତ୍ମକ ମନୋଭାବ ପ୍ରକଟିତ ହେଉଥିଲା ଯେତେବେଳେ ସେ ପ୍ରଶ୍ନ କରୁଥିଲେ୨ , “ଆମେ କ’ଣ ଭାରତର ଲୋକମାନଙ୍କୁ ଆଜ୍ଞାକାରୀ କରି ରଖିବା ପାଇଁ ସେମାନଙ୍କୁ ଅଜ୍ଞ ରଖିବା ? ନା । ଆମେ କ’ଣ ଭାବୁଛୁ ଯେ ସେମାନଙ୍କର ମହତ୍ବାକାଂକ୍ଷାକୁ ଜାଗ୍ରତ ନକରି ଆମେ ସେମାନଙ୍କୁ ଜ୍ଞାନ ଦେଇ ପାରିବୁ? ନା । ଆମେ କ’ଣ ଚାହୁଁଛୁ ମହତ୍ୱାକାଂକ୍ଷାକୁ ଜାଗ୍ରତ କରିବାକୁ, ଅଥଚ ଏହାର ବୈଧ ଅଭିବ୍ୟକ୍ତି ପାଇଁ କୌଣସି ସୁଯୋଗ ନ ଯୋଗାଇ ?” ତେଣୁ ଇଂରାଜ ସରକାରର ଲକ୍ଷ୍ୟ ଭାରତୀୟଙ୍କ ପ୍ରତି କଣ ହୋଇପାରେ, ତାହାର ସୂଚନା ଦେଉଥିଲେ ଏହା କହି ଯେ୨ “ଏକ ଭଲ ସରକାର ଦ୍ଵାରା ଆମେ ଆମର ପ୍ରଜାଙ୍କୁ ଏପରି ଶିକ୍ଷିତ କରିପାରିବା ଯେ ସେମାନେ ଦକ୍ଷ ହୋଇପାରିବେ ଆହୁରି ଭଲ ସରକାର ଗଢିବା ପାଇଁ; ହୋଇପାରେ ଯେ ଇଉରୋପୀୟ ଜ୍ଞାନରେ ଶିକ୍ଷିତ ହୋଇ, ଭବିଷ୍ୟତରେ କେତେବେଳେ, ସେମାନେ ଇଉରୋପୀୟ ଅନୁଷ୍ଠାନ ମଧ୍ୟ ଦାବି କରିବେ । ଏପରି ଦିନ କେବେ ଆସିବ କି ନାହିଁ, ମୁଁ ଜାଣିନାହିଁ। କିନ୍ତୁ ମୁଁ କଦାପି ଏହାକୁ ଏଡାଇ ଦେବାକୁ କିମ୍ବା ଧିମେଇ ଦେବାକୁ ଚେଷ୍ଟା କରିବି ନାହିଁ। ଯେତେବେଳେ ବି ଏହା ଆସିବ, ଏହା ଇଂରାଜୀ ଇତିହାସର ସବୁଠାରୁ ଗର୍ବର ଦିନ ହେବ ।“ ସେ ସ୍ମରଣ କରାଉଥିଲେ ସଂସଦରେ ଉପସ୍ଥିତ ସଦସ୍ୟମାନଙ୍କୁ ଇଂରାଜ ଶାସକଙ୍କର ଶାସିତଙ୍କ ପ୍ରତି କର୍ତ୍ତବ୍ୟ ସମ୍ପର୍କରେ ଏହା କହି ଯେ୨ “ଶାସକ ହୋଇଥିବା ହେତୁ ଶାସିତଙ୍କ ପ୍ରତି ଆମର କର୍ତ୍ତବ୍ୟ, ଏବଂ ଆମର ମଧ୍ୟ କର୍ତ୍ତବ୍ୟ, ଏକ ସାଧାରଣ ରାଜନୈତିକ ସ୍ୱାଧୀନତା ଏବଂ ବୌଦ୍ଧିକ ଆଲୋକ ଠାରୁ ବହୁ ଅଧିକ ଆଶୀର୍ବାଦ ପ୍ରାପ୍ତ ଜାତି ହିସାବରେ, ସେହି ଜାତି ପ୍ରତି ଯେଉଁ ଜାତି ତିନି ହଜାର ବର୍ଷର ନିରଙ୍କୁଶତା ଏବଂ ପୁରୋହିତବାଦ ଦ୍ଵାରା ହୀନମୂଲ୍ୟ(debased) ହୋଇଛି ? ଆମେ ସ୍ୱାଧୀନ, ଆମେ ସଭ୍ୟ, ବୋଲାଇବା କ୍ଵଚିତ କୋଣସି ଉଦ୍ଦେଶ୍ୟ ସାଧିତ କରେ, ଯଦି ଆମେ ସମାନ ଭାବରେ ସ୍ୱାଧୀନ ଓ ସଭ୍ୟ ମାନବ ଜାତିର କୌଣସି ଅଂଶକୁ ଘୃଣା କରୁ। “ ଇଂରାଜୀ ଶିକ୍ଷା ଦ୍ବାରା ଏକ ଭିନ୍ନ ବର୍ଗ ସୃଷ୍ଟି କରିବା ଯିଏ ଏହି ଶିକ୍ଷା ପାଇ ନ ଥିବା ବିଶାଳ ଜନସମୁଦାୟକୁ ନ୍ୟୁନ ଦୃଷ୍ଟିରେ ଦେଖିବ, ଏହା ବୋଧହୁଏ ମ୍ୟାକଲେଙ୍କର ଉଦ୍ଦେଶ୍ୟ ନ ଥିଲା । ତା ନ ହେଲେ ସଂସଦର ଅଭିଭାଷଣରେ ଇଉରୋପୀୟଙ୍କୁ ଭାରତରେ ବସବାସ କରିବାର ସ୍ଵାଧୀନତା ସପକ୍ଷରେ ନିଜର ମତ ଉପସ୍ଥାପିତ କରି କହୁ ନ ଥାନ୍ତେ୩ , “ବିପଦ ହେଉଛି ଯେ ଶାସକ ରାଷ୍ଟ୍ରରୁ ଆସୁଥିବା ଏହି ନବାଗତମାନେ, ଯେଉଁମାନେ ବର୍ଣ୍ଣରେ, ଭାଷାରେ, ଆଚରଣରେ ସେମାନଙ୍କ ଭଳି ହୋଇଥାନ୍ତି ଯେଉଁମାନଙ୍କ ହାତରେ ରହିଥାଏ ସର୍ବୋଚ୍ଚ ସାମରିକ ଓ ରାଜନୈତିକ ଶକ୍ତି, ଏବଂ ଏହି ସବୁ ଦିଗରୁ ସେମାନେ ଏକ ବିଶାଳ ଜନସମୂହ ଠାରୁ ଭିନ୍ନ ହୋଇଥାନ୍ତି, ସେମାନେ ନିଜକୁ ଏକ ଉଚ୍ଚତର ଶ୍ରେଣୀ ବୋଲି ବିଚାର କରିପାରନ୍ତି ଏବଂ ଦେଶୀ ସମ୍ପ୍ରଦାୟକୁ ପଦଦଳିତ କରିପାରନ୍ତି । ” ଓ ଏପରି ଆଚରଣ ଉପରେ ଅଙ୍କୁଶ ଲଗାଇବା ପାଇଁ ପରାମର୍ଶ ଦେଉ ନ ଥାନ୍ତେ୩ , “ଯଦି ଆମେ ଚାହୁଁ ଯେ ଦେଶୀ ଅଧିବାସୀ (natives)ମାନେ ପ୍ରାଚ୍ୟ ପରିଦର୍ଶନରେ ଆସୁଥିବା କୌଣସି ଦୁଃସାହସିକ ଲମ୍ପଟ ବ୍ୟକ୍ତିର ଅତ୍ୟାଚାର ଓ ଔଦ୍ଧତ୍ୟର ଶିକାର ନ ହୁଅନ୍ତୁ, ତାହାହେଲେ ଆମେ ଇଉରୋପୀୟଙ୍କୁ ସେହି କ୍ଷମତା ଦ୍ଵାରା ନିୟନ୍ତ୍ରିତ କରିବା ଯେଉଁ କ୍ଷମତା ହିନ୍ଦୁଙ୍କ ପାଇଁ ଆଇନ କରିଥାଏ । କୋଣସି ବ୍ୟକ୍ତି ମୋ ଠାରୁ ବେଶୀ ରାଜନୈତିକ ସ୍ବାଧୀନତାକୁ ଭଲ ପାଉ ନ ଥିବ । କିନ୍ତୁ କିଛି ବ୍ୟକ୍ତିଙ୍କ ଦ୍ଵାରା ବିଶେଷ ଅଧିକାର ଉପଭୋଗ କରାଯିବା, ଯେଉଁଥିରୁ ଏକ ବିଶାଳ ଜନସଂଖ୍ୟା ବଞ୍ଚିତ ରହିବ, ତାହାକୁ ସ୍ଵାଧୀନତା କୁହାଯାଇ ପାରିବ ନାହିଁ । ଏହା ହେଉଛି ସ୍ଵେଚ୍ଛାଚାର ।” ବା କହୁ ନ ଥାନ୍ତେ୩ , “ଜାତିଭେଦର ବୈଷମ୍ୟ ଓ ଏଥିରୁ ଜନ୍ମ ନେଇଥିବା ବଦ୍ଧମୂଳ କୁସଂସ୍କାର ଫଳରେ ଭାରତ ଯଥେଷ୍ଟ କଷ୍ଟ ସହ୍ୟ କରିଛି । ଈଶ୍ଵର ନ କରନ୍ତୁ, ଆମେ ତାକୁ ଆହୁରି ଅଭିଶପ୍ତ କରିବା ଏକ ନୂତନ ଜାତି ସୃଷ୍ଟି କରି, ଏକ ନୂଆ କିସମର ବ୍ରାହ୍ମଣ ପଠାଇ ଯେଉଁମାନେ ଅଧିକୃତ ହୋଇଥିବେ ସମସ୍ତ ଦେଶୀ ଜନସାଧାରଣଙ୍କୁ ଅସ୍ପୃଶ୍ୟ ପରି ବ୍ୟବହାର କରିବା ପାଇଁ ।“ ତେଣୁ ଯେଉଁ ମ୍ୟାକଲେ ଭାରତରେ ରହୁଥିବା ଇଂରାଜମାନଙ୍କଠାରୁ ଆଶା କରୁଥିଲେ ଯେ ସେମାନେ ଭାରତରେ ରହି ନିଜକୁ ଏକ ‘ନୂତନ ଜାତି’ ଭାବେ ବିଚାର କରି ସାଧାରଣ ଭାରତୀୟଙ୍କୁ ଅସ୍ପୃଶ୍ୟ ପରି ବ୍ୟବହାର କରିବେ ନାହିଁ, ସେତେବେଳେ ତାଙ୍କ ବିଚାରରେ କଦାପି ଏହା ନ ଥିବ ଯେ ଇଂରାଜୀ ଶିକ୍ଷା ପାଇଥିବା ଭାରତୀୟମାନେ ଇଂରାଜୀ ଶିକ୍ଷା ପାଇ ନ ଥିବା ସାଧାରଣ ଲୋକଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖିବେ । କିନ୍ତୁ ମ୍ୟାକଲେଙ୍କର ଏପରି ଉଦ୍ଦେଶ୍ୟ ନ ଥିଲେ ମଧ୍ୟ ଇଂରାଜୀ ଜାଣିଥିବା ଭାରତୀୟଙ୍କର ଯେ ଗୋଟିଏ ନୂତନ ଜାତି ସୃଷ୍ଟି ହୋଇଥିଲା ଓ ଏମାନେ ଇଂରାଜୀ ନ ଜାଣିଥିବା ଭାରତୀୟଙ୍କୁ ଯେ ନ୍ୟୁନ ଦୃଷ୍ଟିରେ ଦେଖୁଥିଲେ, ତାହାକୁ ଅସ୍ଵୀକାର କରାଯାଇ ପାରିବ ନାହିଁ । ଏପରିକି ସ୍ବାଧୀନ ଭାରତରେ ଏହା ଥିଲା ଅଭିଜ୍ଞତା । ତା ନ ହେଲେ ନବକୃଷ୍ଣ ଚୌଧୁରୀ The Orissa Official Language Bill ,1954 ଉପରେ ୭ ସେପ୍ଟେମ୍ବର ୧୯୫୪ ଦିନ ବିଧାନ ସଭାରେ, ମୁଖ୍ୟମନ୍ତ୍ରୀ ଭାବେ, ନିଜ ବକ୍ତବ୍ୟ ଉପସ୍ଥାପନ କରିବା ବେଳେ କାହିଁକି କହୁଥାନ୍ତେ୪ , “ବର୍ତ୍ତମାନ ଆମ ଦେଶରେ ଇଂରାଜୀ ଭାଷାର ବ୍ୟବହାର ଆମ ପ୍ରତି ଅସମ୍ମାନ ଜନକ । ଅନେକ ସମୟରେ ଭାଷା ଜାତି ସୃଷ୍ଟି କରିଥାଏ । … .. ଇଂରାଜୀ ଭାଷା ଏହି ଦେଶରେ ‘ତୁ’, ‘ତମେ’ ଓ ‘ଆପଣ’, ଏହି ତିନୋଟି ଜାତି ସୃଷ୍ଟି କଲା । ଯେ ଇଂରାଜୀ ପଢିଛି ସେ cheating case (ଠକେଇ ମାମଲାରେ)ପଡ଼ିଥାଉ ପଛକେ, ସେ ଯଦି ଇଂରାଜୀ କଣ୍ଠ କୌପୁନୀ ଖଣ୍ଡେ ମାରି ଦେଇଛି, ସେ ସବୁ ଆଡେ ଚୌକୀ ପାଉଛି । ଇଂରାଜୀ ପଢିଥିବା ଲୋକ ସେ ଯେତେ ନୀଚ ହେଉ ପଛେ ଟାକୁ ନିଶ୍ଚୟ ‘ତମେ’ କୁହାଯିବ । କିନ୍ତୁ ଗାଁର ଜଣେ ସମ୍ଭ୍ରାନ୍ତ ଲୋକ ଯାହାର କି ଜମି ବାଡି ଅଛି, ସେ ଯଦି ଇଂରାଜୀ ଜାଣି ନ ଥାଏ, ତା ପକ୍ଷରେ ‘ତମ’ ଶ୍ରେଣୀକୁ ଯିବା କାଠିକର ପାଠ । ତେଣୁ ଏ ଇଂରାଜୀ ଭାଷା ଫଳରେ ଆମର ଜନସାଧାରଣଂକୁ ଅସମ୍ମାନ ଭିତରେ ରହିବାକୁ ପଡୁଛି । ଓଡିଆ ଭାଷା ପ୍ରଚଳନ କରାଗଲେ ସେ ଅସମ୍ମାନରୁ ସେମାନେ ରକ୍ଷା ପାଇବେ ।” ନବବାବୁ କ୍ଷୋଭ ପ୍ରକାଶ କରି କହୁଥିଲେ୪ , “ଆମେ ଆମ ଭାଷାକୁ ଦାସୀ କରି ରଖିଛୁ ।“ ଇଂରାଜୀ ଜାଣିଥିବା ବ୍ୟକ୍ତି, ଇଂରାଜୀ ନ ଜାଣିଥିବା ବ୍ୟକ୍ତିକୁ ନ୍ୟୁନ ଦୃଷ୍ଟିରେ ଦେଖିବା ବେଳେ ଇଂରାଜୀ ନ ଜାଣିଥିବା ବ୍ୟକ୍ତି ମଧ୍ୟରେ ସଙ୍କୋଚ୍ଚ ଦେଖାଯିବା ବୋଧେ ସ୍ଵାଭାବିକ ଥିଲା । ଏହି ପ୍ରସଙ୍ଗରେ ଓଡ଼ିଶାରେ ନାରୀ ଶିକ୍ଷାର ଇତିହାସରୁ ଏକ ଉଦାହରଣ ଉଲ୍ଲେଖ କରାଯିବା ରୋଚକ ହୋଇପାରେ । ଓଡ଼ିଶାର ପ୍ରଥମ ଉଚ୍ଚ ଇଂରାଜୀ ବାଳିକା ବିଦ୍ୟାଳୟ,(ପ୍ରତିଷ୍ଠା ଫେବୃଆରୀ ୫, ୧୯୦୫ ), ‘ଆଦର୍ଶ ବାଳିକା ବିଦ୍ୟାଳୟ’(Model Girls’ Schoolର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ରେବା ରାୟ(ଜନ୍ମ ୧୮୭୬-ମୃତ୍ୟୁ୧୯୫୮)ଙ୍କୁ ଉତ୍କଳ ଗୌରବ ମଧୁସୂଦନ ଦାସ କହିଥିଲେ୫ , “ରେବା ! ତୁମେ ଯଦି ଇଂରାଜୀ ଜାଣିଥାନ୍ତ , ଓଡ଼ିଶାରେ ଜଣେ ହୋଇଥାନ୍ତ ।” ଅପର ପକ୍ଷରେ ଏହି ବିଦ୍ୟାଳୟକୁ ବଙ୍ଗ , ବିହାର ଓ ଓଡ଼ିଶାର ଲାଟ ସାହେବ ସାର ଆଣ୍ଡ୍ରୁ ଫ୍ରେଜର ଓ ତାଙ୍କ ପତ୍ନୀ ଲେଡି ଫ୍ରେଜର ଯେତେବେଳେ ପରିଦର୍ଶନରେ ଆସିଲେ ସେତେବେଳକାର ଦୃଶ୍ୟ ବର୍ଣନା କରି, ଶ୍ରୀମତୀ ରେବା ରାୟ ଲେଖୁଛନ୍ତି୫ , “ମୁଁ ଓ ମିସ ଦାସ( ଶ୍ରୀମତୀ ଶୈଳବାଳା ଦାସ), ବାରଣ୍ଡାରେ ତାଙ୍କ ଅପେକ୍ଷାରେ ଛିଡା ହୋଇଥିଲୁ । ବଡବାବା(ଭକ୍ତକବି ମଧୁସୂଦନ ରାଓ) ଚାରିହାତ ଦୂରରେ ଠିଆ ହୋଇଥିଲେ । ମୋର ପରିଧାନରେ ସାମାନ୍ୟ ଥାନ ଧୋତି , ନଗ୍ନପଦ, ତହିଁରେ ପୁଣି ଇଂରାଜୀ କଥା ଜାଣେ ନାହିଁ , ସେଥିପାଇଁ ମୁଁ ବଡ ସଙ୍କୁଚିତ ଭାବରେ ଠିଆ ହୋଇଥାଏ । ମନେ ମନେ ସ୍ଥିର କରିଥାଏ ଯେ ମିସ ଦାସ ସ୍କୁଲ ପରିଦର୍ଶନ କରାଇବେ , ମୁଁ କେବଳ ସେମାନଙ୍କ ପଛରେ ରହିଥିବି ।” ଉଲ୍ଲେଖ ଯୋଗ୍ୟ ଯେ ଭକ୍ତକବି ମଧୁସୂଦନ ରାୟଙ୍କ ପରାମର୍ଶ କ୍ରମେ ବିଲାତ ଫେରନ୍ତା ଉଚ୍ଚ ଶିକ୍ଷିତା ମଧୁସୂଦନ ଦାସଙ୍କ କନ୍ୟା ଶ୍ରୀମତୀ ଶୈଳବାଳା ଦାସଙ୍କୁ ଆଦର୍ଶ ବାଳିକା ବିଦ୍ୟାଳୟର ସ୍କୁଲ ମାନେଜିଂ କମିଟିର ପ୍ରେସିଡେଣ୍ଟ କରାଯାଇଥିଲା ।
କହିବା ବାହୁଲ୍ୟ, ମ୍ୟାକଲେଙ୍କ ଦୃଷ୍ଟିରେ ଇଂରାଜୀ ଶିକ୍ଷା ପାଇଥିବା ଭାରତୀୟ ଅନ୍ୟ ସାଧାରଣ ଭାରତୀୟଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖୁଥିବା ଏକ ଉଚ୍ଚ ଶ୍ରେଣୀ ହେଉ ଏପରି ଉଦ୍ଦେଶ୍ୟ ତାଙ୍କର ନ ଥିଲା, କିନ୍ତୁ ଯେଉଁ ଭାରତୀୟମାନେ ଇଂରାଜୀ ଶିକ୍ଷା ପାଇଲେ ସେମାନେ ନିଜକୁ ଭିନ୍ନ ବରଂ ସାଧାରଣ ଲୋକଙ୍କ ଠାରୁ ଉଚ୍ଚ ବୋଲି ମନେ କଲେ । ସ୍ୱାଭାବିକ ଏହି ଇଂରାଜୀ ଶିକ୍ଷା ପାଇଥିବା ସମୁଦାୟକୁ ହିଁ ଗାନ୍ଧୀ ଦାୟୀ କରୁଥିଲେ ଭାରତର ଦାସତ୍ଵ ପାଇଁ ।
ବ୍ୟବହୃତ ଉପାଦାନ ସୂଚୀ
୧. ମ୍ୟାକଲେ ଏବଂ ଭାରତ -୮: ସାବିତ୍ରୀବାଇ ଫୁଲେ, ବୀରେନ୍ଦ୍ର ନାୟକ, ସମଦୃଷ୍ଟି, ୧-୧୫ ଜୁନ , ୨୦୨୬
୨. ମ୍ୟାକଲେ ଏବଂ ଭାରତ-୨: ବ୍ରିଟିଶ ସଂସଦରେ ଭାଷଣ, ବୀରେନ୍ଦ୍ର ନାୟକ, ସମଦୃଷ୍ଟି, ୧-୧୫ ମାର୍ଚ୍ଚ , ୨୦୨୬
୩ . ମ୍ୟାକଲେ ଏବଂ ଭାରତ-୩: ବ୍ରିଟିଶ ସଂସଦରେ ଭାଷଣ, ବୀରେନ୍ଦ୍ର ନାୟକ, ସମଦୃଷ୍ଟି, ୧୬ -୩୧ ମାର୍ଚ୍ଚ , ୨୦୨୬
୪ . ନବକୃଷ୍ଣ ଚୌଧୁରୀ -ଏକ ଅଧ୍ୟୟନ, ବୀରେନ୍ଦ୍ର ନାୟକ, ଦି ଫ୍ରି ଲାନ୍ସର୍ସ, ଭୁବନେଶ୍ବର ଓ ଗୋକୁଳନନ୍ଦ ଚୌଧୁରୀ ଜାତୀୟ ପୀଠ,କଟକ, ୨୦୨୫, ପୃ ୧୫୫,୧୬୦
୫. ରେଭେନ୍ସା ବାଳିକା ବିଦ୍ୟାଳୟର ଇତିହାସ, ରେବା ରାୟ, ନବଜୀବନ, ୭ ମ ବର୍ଷ, ୭ମ ସଂଖ୍ୟା (ଅକ୍ଟୋବର -ନଭେମ୍ବର ୧୯୬୨) ,ପୃ ୪୧୩-୪୧୪
Comments
0 comments

