ପଶ୍ଚିମବଙ୍ଗ ନିର୍ବାଚନୀ ଫଳାଫଳ ଓ ଭାରତୀୟ ଗଣତନ୍ତ୍ରର ଭବିଷ୍ୟତ

17 Min Read

ପଶ୍ଚିମବଙ୍ଗ ନିର୍ବାଚନୀ ଫଳାଫଳର ମୂଳକଥା ହେଲା ଭାଜପା ଅଭୂତପୂର୍ବ ସଫଳତା ପାଇଛି ଓ ପୂର୍ବ ଭାରତରେ ଏଯାଏଁ ଅପରାଜେୟ ମନେ ହେଉଥିବା ମମତା ସରକାକୁ ହଟେଇଦେବାରେ ଭାଜପାର ଅଶ୍ୱମେଧ ସଫଳ ହେଇଛି । ଭୋଟ ଚୋରି କୁହାଯାଉ କି ଆଉ କିଛି, ଯାହାବି କାରଣ ହେଉ ନିର୍ବାଚନରେ ହାରିବା ପରେ ମମତାଙ୍କ ଇସ୍ତଫା ନ ଦେବା ମୋଟେ ଗ୍ରହଣୀୟ କଥା ନୁହେଁ ।
ଏଇ ନିର୍ବାଚନରେ ଆମେ ଆମ ଦେଶରେ ଚାଲିଥିବା ଗଣତନ୍ତ୍ରର ଆଉ ଏକ ସ୍ୱରୂପକୁ ଦେଖିପାରିବା । ସେ ସ୍ୱରୂପର ଅଳ୍ପ କିଛି ଦିଗ ବାବଦରେ ସଂକ୍ଷେପରେ ଚର୍ଚ୍ଚା କରିବା ।
ଆମେ ପଶ୍ଚିମବଙ୍ଗରେ ହେଇଥିବା ବିଗତ ନିର୍ବାଚନରେ ଭୋଟହାରକୁ ଦେଖିବା । ଭାଜପା ପାଇଥିଲା ମୋଟ ଭୋଟର ୩୮% ଓ ମମତାଙ୍କ ଦଳ ପାଇଥିଲା ୪୮% । ୧୦% ଭୋଟ ଅନ୍ତରରେ ଟିଏମ୍ସି ପାଇଥିଲା ୨୧୫ ସିଟ୍ ଓ ଭାଜପା ୭୭ । ଏଇଥର ଭାଜପା ପାଇଲା ପାଖାପାଖି ୪୬% ଓ ମମତାଙ୍କ ଦଳ ପାଇଲା ପାଖାପାଖି ୪୧% । ମାତ୍ର ୫ % ଫରକର ଆଧାରରେ ବିଧାନସଭା ଆସନ ସଂଖ୍ୟା ଦୃଷ୍ଟିରୁ ଦୁଇଟି ଦଳ ଭିତରେ ରହିଥିବା ଏତେ ବଡ଼ ଦୂରତାକୁ ନେଇ ନିର୍ବାଚନୀ ଫଳାଫଳ ଉପରେ ଅଧ୍ୟୟନ କରୁଥିବା ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତିି । ପ୍ରତି ୧% ଭୋଟ ପାର୍ଥକ୍ୟ ଲାଗି ୨୪ଟି ସିଟ୍ ଅଧିକ । ୫% ଲାଗି ୧୨୦ଟି ସିଟ୍ । ଯେଉଁ ରାଜ୍ୟରେ ବେଶି ବିବଧତା ନ ଥାଏ, ଜାତି, ଧର୍ମ, ଅଂଚଳ, ସଂସ୍କୃତି ସ୍ତରରେ ବେଶି ଫରକ ନଥାଏ, ସେଠି ଦୁଇଟି ଦଳ ଭିତରେ ସିଧାସଳଖ ଲଢ଼େଇ ହେଉଥିଲେ ଆସନ ପାଇବା ଦୃଷ୍ଟିରୁ ଏ ପ୍ରକାର ବଡ଼ ପାର୍ଥକ୍ୟ ହେବା ଅସମ୍ଭବ ନୁହେଁ । କିନ୍ତୁ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳ ଭିତରେ ରହିଛି ଅନେକ ରକମର ଫରକ । ସୀମାବର୍ତ୍ତୀ ଅଞ୍ଚଳ, କୋଲକତା ଆଖପାଖ, ମାଲଦା-ମୁର୍ସିଦାବାଦ, ଝାରଗ୍ରାମ ବା ଆଉ କିଛି ଅଞ୍ଚଳ, ପ୍ରତିଟି ଅଞ୍ଚଳ ଅଲଗା ଅଲଗା । ସେ ଦୃଷ୍ଟିରୁ ଦୁଇ ଦଳ ଭିତରେ ଆସନ ସଂଖ୍ୟାର ଏତେ ଫରକ ବିସ୍ମିତ କରୁଛି । ଏଠି କହିରଖିବା ଯେ ସିପିଏମ ଦଳ ୬% ଓ କଂଗ୍ରେସ ଦଳ ୩% ଭୋଟ ପାଇଛି । ଭାଜପା ଓ ଟିଏମ୍ସି ଭିତରେ ୩୦ ଲକ୍ଷ ଭୋଟର ଫରକ । ମୋଟ ‘ଏସ୍ଆଇଆର’ ଦ୍ୱାରା କଟିଥିବା ଭୋଟ ହେଲା ୯୦. ୫୦ଲକ୍ଷ । ସେ ଭିତରୁ ୨୭.୧୬ ଲକ୍ଷ ଭୋଟରଙ୍କୁ ଭୋଟ ଦେବାକୁ ଦିଆଗଲା ନାହିଁ । ଫର୍ମ ୭ରେ କଟିଲା ୫.୫୦ ଲକ୍ଷ । ଫର୍ମ ୬ ଅନୁସାରେ ନୂଆ ଭୋଟର ଯୋଡ଼ାଗଲା ୬.୫୦ଲକ୍ଷ । ଏଇ ହିସାବକୁ ଆଖି ଆଗରେ ରଖି ଏଇ ବୃହତ ବିଜୟକୁ ବିଚାର କରିବା ।
ଏଇ ବୃହତ ବିଜୟର ପ୍ରଥମେ ସବୁଠୁ ବଡ଼ କାରଣଟିକୁ ବିଚାରକୁ ନେବା । ସେ ହେଲା ‘ଏସ୍ ଆଇ ଆର’ ଯେଉଁଥିରେ ୨୭.୧୬ଲକ୍ଷ ଭୋଟ କାଟି ଦିଆଯାଇଛି । ପ୍ରଥମେ ବୁଝିବାଯେ ସବୁ ରାଜ୍ୟ ଓ ପଶ୍ଚିମବଙ୍ଗରେ କରାଯାଇଥିବା ‘ଏସ୍ ଆଇ ଆର’ ଭିତରେ ଫରକ କ’ଣ? ଅନ୍ୟ ରାଜ୍ୟରେ ଥରୁଟାଏ ଭୋଟର କଟିଥିବାବେଳେ ପଶ୍ଚିମବଙ୍ଗରେ ଦୁଇଥର । ଦ୍ୱିତୀୟ ଥରକୁ କୁହାଯାଉଛି ଲଜିକାଲ ଡିସକ୍ରିପେନ୍ସି । ଏଥିରେ ସେଇ ଲୋକ ଭୋଟ ଦେଇପାରିଲେନି ଯେଉଁମାନେ ବିଧିବଦ୍ଧ ରୂପେ ଫର୍ମ ପୂରଣ କରିଥିଲେ । ସବୁ ରକମର ପ୍ରମାଣପତ୍ର ଦେଖେଇଥିଲେ । ‘ଲଜିକାଲ୍ ଡ଼ିସକ୍ରିପେନ୍ସି’ ନାଁରେ ଆଉ ଏକ ପ୍ରକ୍ରିୟା ପଶ୍ଚିମବଙ୍ଗରେ ‘ନିର୍ବାଚନ କମିଶନ’ ବ୍ୟବହାର କଲେ ଯାହା ଅନ୍ୟ ରାଜ୍ୟରେ କରାଯାଇ ନଥିଲା । ତା’ପାଇଁ ଏକ ସଫ୍ଟୱେୟାର ବ୍ୟବହାର କରାଗଲା । ସେ ପ୍ରକ୍ରିୟାରେ ୨୭ଲକ୍ଷ ୧୬ହାଜାର ଭୋଟରଙ୍କୁ ଟି୍ରବୁ୍ୟନାଲ୍କୁ ପଠେଇ ଦିଆଗଲା । ନିର୍ବାଚନ ଆସିଗଲା କିନ୍ତୁ ଏମାନଙ୍କୁ ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରିଲା ନାହଁ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ (ଏପ୍ରିଲ ୨୩) ବେଳକୁ ଶୁଣାଣୀ ହେଇପାରିଲାନି । ଟ୍ରିବୁ୍ୟନାଲ୍ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କେବଳ ୧୪୭୪ ମାମଲାର ଶୁଣାଣୀ କରିପାରିଲେ ଯେଉଁଥିରୁ ୧୪୬୮ଜଣ ପ୍ରକୃତ ଭୋଟର ବୋଲି ସ୍ୱୀକୃତି ପାଇଲେ । ତା’ମାନେ ମୋଟ ଶୁଣାଣୀ ହେଇଥିବା ଲୋକଙ୍କ ଭିତରୁ ୯୯.୫% ଜଣଙ୍କର କାଗଜପତ୍ର ଠିକ୍ ଥିଲା । ହୁଏତ ସେମାନେ ୨୯ ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ ଦେଇଥିବେ । ଆମେ ଯଦି ୨୭.୧୬ଲକ୍ଷ ଭୋଟରଙ୍କ କଥା ବିଚାର କରିବା ଓ ୯୯.୫% ସଠିକ ଭୋଟର ବୋଲି ଧରିବା ଏବଂ ଯଦି ଟ୍ରିବୁ୍ୟନାଲ୍ରେ ନିର୍ବାଚନ ପୂର୍ବରୁ ଶୁଣାଣୀ ହେଇପାରିଥାନ୍ତା, ତେବେ ଅନ୍ତତଃ ୨୪ଲକ୍ଷ ୪୪ ହଜାର ୪ ଶହ ଭୋଟର ଭୋଟ ଦେବାରେ ଅଧିକାର ପାଇଥାନ୍ତେ । ତା’ଅର୍ଥ ପ୍ରତି ବିଧାନସଭା କ୍ଷେତ୍ରରେ ୮୩୧୪ ଭୋଟ କଟିଗଲା । ମନେ ରଖିବା ଯେ ପ୍ରତି ବିଧାନସଭାରେ ସମାନ ଭୋଟ କଟି ନାହିଁ । ଏପରି ୧୪୩ ଆସନ ଅଛି ଯେଉଁଠି ୩୦ ହଜାରରୁ ଅଧିକ ଭୋଟ କଟିଛି । ସେଇ ୧୪୩ ସିଟ୍ରୁ ଗତଥର ଟିଏମ୍ସି ପାଇଥିଲା ୯୧ସିଟ୍ । ତେଣୁ ୨୭.୧୬ ଲକ୍ଷ ଭୋଟ ପଡ଼ିଥିଲେ ନିର୍ବାଚନର ଫଳାଫଳ କ’ଣ ଆଜି ଯେମିତି ହେଇଛି ସେମିତି ହେଇଥାନ୍ତା । ମୋଟେ ନୁହଁ । ଧରି ନିଆଯାଉ ମୋଟ ୨୭.୧୬ ଲକ୍ଷରୁ ୫% ଭୋଟର ବିଭିନ୍ନ କାରଣରୁ କଟିଥିଲେ ବି ଭୋଟର ସଂଖ୍ୟା ହେଇଥାନ୍ତା ୨୪,୪୪,୪୦୦ ।
ଏଇ ୨୪,୪୪,୪୦୦ ଭୋଟ ଓ ନିର୍ବାଚନରେ ଦୁଇ ଦଳର ଜିତ ହାର ଅନୁପାତର ରହିଥିବା ଫରକ ବେଶ୍ ପାଖାପାଖି । ତେଣୁ କହିହେବ ଯେ ଭାଜପା ଜିତିବାର ସବୁଠୁ ବଡ଼ କାରଣ ହେଲା ‘ଏସ୍ଆଇଆର’ ବା ଏଇମିତି କହିପାରିବା ଯେ ‘ଏସ୍ଆଇଆର’ ବିନା ଭାଜପା ନିର୍ବାଚନ ଜିତି ପାରିନଥାନ୍ତା ।
ବର୍ତ୍ତମାନ ଏଇ ୨୭.୧୬ ଲକ୍ଷ ଲୋକଙ୍କ ଶୁଣାଣୀ ସରିବାକୁ କେତେ ଦିନ ବା ବର୍ଷ ଲାଗିବ ସେ ଏକ ବଡ଼ ପ୍ରଶ୍ନ । ଏକ ତଥ୍ୟ ଅନୁସାରେ ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ୧୦ଦିନରେ ମାତ୍ର ୧୬୮୧ଜଣଙ୍କର ଶୁଣାଣୀ ହେଇପାରୁଛି । ଗୋଟିଏ ଦିନରେ ଶୁଣାଣୀ ହେଉଛି ୧୬୮ ଲୋକଙ୍କର । ଏଇ ଗତିରେ ଯଦି ଶୁଣାଣୀ ଚାଲେ ତେବେ ୨୭.୧୬ ଲକ୍ଷ ଲୋକଙ୍କର ଶୁଣାଣୀ ସରିବା ଲାଗି ୧୬,୧୬୬. ୬୭ ଦିନ ଲାଗିବ ବା ୪୪ବର୍ଷରୁ ବେଶି ଲାଗିବ । ଏଇଥିରୁ ଲାଗୁଛି ଏମାନଙ୍କ ଭିତରୁ ଅନେକ ଲୋକ ପରବର୍ତ୍ତୀ ଅନେକ ନିର୍ବାଚନରେ ମଧ୍ୟ ଭାଗ ନେଇପାରିବେ ନାହିଁ । ପ୍ରଶ୍ନ ଉଠୁଛି ଏ ପ୍ରକ୍ରିୟାଟି ନିର୍ବାଚନର ଯଥେଷ୍ଟ ପୂର୍ବରୁ କାହିଁକି କରାଗଲା ନାହିଁ? ପ୍ରକ୍ରିୟାକୁ ଏତେ ଜଟିଳ କରାଗଲା କାହିଁକି? ଯେମିତି ଉତ୍ତରପ୍ରଦେଶରେ ନିର୍ବାଚନ ହେବାକୁ ବହୁ ଦିନ ରହିଛି ଓ ତା’ ବହୁପୂର୍ବରୁ ‘ଏସ୍ଆଇଆର’ କରାସରିଛି । କିନ୍ତୁ ଯେଉଁମାନେ ଅପିଲ କରିଛନ୍ତି ତାଙ୍କର କ’ଣ ହେଉଛି ଆମେ ଜାଣୁନା । ଯଦି ଏଇ ରକମ ‘ଏସ୍ଆଇଆର’ ପ୍ରକ୍ରିୟା ଓଡ଼ିଶାରେ ହୁଏ ତେବେ ‘ଲଜିକାଲ୍ ଡ଼ିସ୍କ୍ରିପେନ୍ସି’ ନାଁରେ କେତେ ଲୋକ କଟିବେ ସେକଥା ଚିନ୍ତା କରିବାର ସମୟ ଆସିଯାଇଛି ।
ଏସବୁର ମୋଟାମୋଟି ଅର୍ଥହେଲା ନିର୍ବାଚନ କମିଶନର ଭାଜପା ଦଳର ସୁବିଧା ଲାଗି ଏ ପ୍ରକ୍ରିୟାକୁ ଜାଣିଜାଣି ଜଟିଳ କରିଦେଲେ ଓ ପ୍ରକ୍ରିୟାକୁ ଖୁବ୍ ଡ଼େରିରେ ଆରମ୍ଭ କଲେ । ସବୁଠୁ ବିପଦ୍ଜନକ ପ୍ରସଙ୍ଗ ହେଲା ସୁପ୍ରିମକୋର୍ଟର ସମ୍ବେଦନଶୂନ୍ୟ ବ୍ୟବହାର । ସୁପ୍ରିମକୋର୍ଟ କେତେ ସହଜରେ କହିଦେଲେ ୨୭.୧୬ଲକ୍ଷ ଲୋକ ଏଥର ଭୋଟ ନ ଦେଲେ ଅନ୍ୟଥରକୁ ଦେବେ । ଗଣତନ୍ତ୍ରରେ ଗୋଟିଏ ଗୋଟିଏ ଭୋଟ କେତେ ଗୁରତ୍ୱପୂର୍ଣ୍ଣ ଏକଥା କ’ଣ ସୁପ୍ରିମକୋର୍ଟର ବିଚାରପତିଙ୍କୁ ଅଜଣା । ତେଣୁ ସୁପି୍ରମକୋର୍ଟ ବିଚାରପତିଙ୍କ ଖାମଖିଆଲି ମନୋବୃତ୍ତିର ଲାଭ ଭାଜପାକୁ ମିଳିଛି ଏ ନେଇ ଆମର ସନେ୍ଦହ ନ ରହୁ । ଆମେ ଆଉ ଏକ ପ୍ରସଙ୍ଗରେ ନିର୍ବାଚନ କମିଶନ ଓ ସରକାରଙ୍କୁ ତଥ୍ୟ ମାଗିବା କଥା ଯେ କେତେଜଣ ‘ଅନୁପ୍ରବେଶକାରୀ’ ଓ ‘ବିଦେଶୀ’ ବିଭିନ୍ନ ରାଜ୍ୟରେ ‘ଏସ୍ ଆଇ ଆର’ ପ୍ରକ୍ରିୟା ମାଧ୍ୟମରେ ଚିହ୍ନଟ ହେଇଛନ୍ତି? କାରଣ ଏଇ ‘ବିଦେଶୀ ଅନୁପ୍ରବେଶକାରୀ’, ବାଂଲାଦେଶୀ ଓ ରୋହିଙ୍ଗିିଆଙ୍କୁ ଚିହ୍ନଟ କରି ଭୋଟର ତାଲିକାରୁ ବାଦ ଦେବାକୁ ‘ଏସ୍ ଆଇ ଆର’ ପ୍ରକ୍ରିୟାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉଦେ୍ଦଶ୍ୟ ବୋଲି ସରକାର , ଭାଜପା ଦଳ ଓ ନିର୍ବାଚନ କମିଶନ ତରଫରୁ ପ୍ରଚାର କରାଚାଲିଛି । ସେ ନେଇ ସରକାର ଓ ନିର୍ବାଚନ କମିଶନ କାହିଁକି ତଥ୍ୟ କୋ÷ଣସି ତଥ୍ୟ ଦେଉନାହାଁନ୍ତି?
ଏକ କଥା ଚର୍ଚ୍ଚା ହେଉଛି ଯେ ଏ ନିର୍ବାଚନ ଦୁଇଟି ଦଳ ଭିତରେ ନୁହେଁ ବରଂ କେନ୍ଦ୍ର ସରକାରଙ୍କ ସ୍ୱାର୍ଥରେ କାମ କରୁଥିବା କେନ୍ଦ୍ରୀୟ ବ୍ୟବସ୍ଥା ବନାମ ମମତାଙ୍କ ଭିତରେ ହେଉଥିଲା । ନିର୍ବାଚନ କମିଶନ, ସୁପ୍ରିମକୋର୍ଟ ବିଚାରପତି, କେନ୍ଦ୍ରୀୟ ସୁରକ୍ଷା ବଳ, ଇଡ଼ି, ସିବିଆଇ ଓ ‘ଏନ୍ ଆଇ ଏ’ ର ମିଳିତ ଉଦ୍ୟମ/ ଷଡ଼ଯନ୍ତ୍ର ସହିତ ଭାଜପାର ହିନ୍ଦୁ–ମୁସଲିମ ବିଭାଜନ ଆଧାରିତ ଉଗ୍ର ପ୍ରଚାର ଓ ୧୫ବର୍ଷର ଲମ୍ବା ଶାସନ ଲାଗି ରହିଥିବା ଅଳ୍ପ ମାତ୍ରାର ଜନ ଅସନ୍ତୋଷ ମିଶି ଏ ବଡ଼ ପରିବର୍ତ୍ତନକୁ ଡାକି ଆଣିଛି । କେବଳ ଭାଜପାର ‘ହିନ୍ଦୁ-ମୁସଲିମ ରାଜନୀତି’ ଦୃଷ୍ଟିରୁ ହେଇଥିବା ହିନ୍ଦୁ ଭୋଟର ଏକତ୍ରୀକରଣ ଓ ଲମ୍ବାକାଳ ଶାସନ କାରଣରୁ ମମତାଙ୍କ ବିରୋଧରେ ରହିଥିବା ଅସନ୍ତୋଷକୁ ଯଦି ଆଧାର କରାଯାଇଥାନ୍ତା ତେବେ ହୁଏତ ଭାଜପା ଆଗ ତୁଳନାରେ ଅଧିକ ଆସନ ଜିତିଥାନ୍ତା କିନ୍ତୁ ସରକାର ଗଢ଼ିପାରିନଥାନ୍ତା । ତେଣୁ ଏ ବଡ଼ଧରଣର ବିଜୟର ବଡ଼ ଶ୍ରେୟ ଯିବ ନିର୍ବାଚନ କମିଶନ, ସୁପ୍ରିମକୋର୍ଟ ଓ କେନ୍ଦ୍ରୀୟ ସଂସ୍ଥାମାନଙ୍କୁ ।
ଅନ୍ୟଦିଗରେ କହିପାରିବା ମମତା କେନ୍ଦ୍ରର ସହାୟତା ଅଭାବରୁ ନିର୍ବାଚନ ପୂର୍ବରୁ ଯେମିତି ଅନ୍ୟ ସରକାରମାନେ ଭୋଟରଙ୍କୁ ପ୍ରଲୋଭିତ କରିବା ଲାଗି ଅନେକ ରକମର ଆର୍ଥିକ ସହଯୋଗ ଯାହା ‘କେସ୍ ଟ୍ରାନ୍ସଫର’ ମାଧ୍ୟମରେ କରୁଥିଲେ ସେମିତି କିଛି କରିପାରିଲେ ନାହିଁ । ଅବଶ୍ୟ ଏହା ଏକ ଭଲ କାମ ବୋଲି କହିପାରିବା ନାହିଁ ଯଦିଓ ବିଭିନ୍ନ ଜାଗାରେ ଏପ୍ରକାର ‘କେସ୍ ଟ୍ରାନ୍ସଫର’ ଅଧିକ ଭୋଟ ପାଇବାରେ ସରକାରରେ ଥିବା ଦଳକୁ ବେଶ୍ ସାହାଯ୍ୟ କରୁଛି । ଯେଉଁ କଥା ଆମେ ଦେଖିଥିଲେ ବିହାରରେ । ନିର୍ବାଚନ ବେଳେ ଦିଆଯାଇଥିବା ୧୦,୦୦୦ ଟଙ୍କାର ସହାୟତା କାରଣରୁ ଭାଜପା ଓ ନିତୀଶଙ୍କ ଦଳ ଅଧିକ ସିଟ୍ ପାଇବାରେ ସକ୍ଷମ ହେଇଥିଲେ । ଅନ୍ୟପଟେ ଯୁବକ ଓ ମହିଳାଙ୍କ ଭିତରେ ଗତ ୧୫ ବର୍ଷ ଭିତରେ ରୋଜଗାରକୁ ନେଇ ତିଆରି ହେଇଥିବା ନୂଆ ଆଶା ଓ ଆକାଂକ୍ଷା ଯାହା ସରକାରଙ୍କ ବିଭିନ୍ନ ସ୍କିମ ଦେଇ ମମତା ତୁଷ୍ଟ କରିପାରି ନ ଥିଲେ, ସେ ଦୃଷ୍ଟିରୁ ମଧ୍ୟ କିଛି ଭୋଟ ମମତାଙ୍କ ବିରୋଧରେ ଯାଇଛି । ମହିଳା ଭୋଟ ବି କିଛି ପରିମାଣରେ କମିଛି ।
ଆଉ ଏକ କାରଣ ହେଲା ୭% ମୁସଲିମ ଭୋଟ ଯାହା ଟିଏମ୍ସିରୁ ଯାଇଛି ସେ ଭିତରୁ ୬% ପାଇଛନ୍ତି ବାମ ଓ କଂଗ୍ରେସ ଦଳ । ଗତ ନିର୍ବାଚନକୁ ଦେଖିଲେ ଏ ଏକ ନୂଆ ଦିଗ । କିଛି ସଂଖ୍ୟାଲଘୁ ପ୍ରାଧାନ୍ୟ ଥିବା ସିଟ୍ ଗୁଡ଼ିକରେ କିଛି ମୁସଲିମ ଭୋଟ ଯାଇଛି ହୁମାୟୁଂ କବୀର ଓ ଅନ୍ୟ ଦଳକୁ ।
ଅନ୍ୟପଟେ ଟିଏମ୍ସି, କଂଗ୍ରେସ ଓ ବାମଦଳ ଗତ ଥର ପାଇଥିବା ମୋଟ ହିନ୍ଦୁ ଭୋଟରୁ ୭.୫%ଯାଇଛି ଭାଜପା ପାଖକୁ । ତେଣୁ ହିନ୍ଦୁ ଭୋଟ ଆଗ ତୁଳନାରେ ଅଧିକ ଏକତ୍ରିତ ହେଇ ଅଧିକ ମାତ୍ରାରେ ଯାଇଛି ଭାଜପା ସପକ୍ଷରେ । ମୁସଲିମ ଭୋଟ ଆଗ ଅପେକ୍ଷା ଅଧିକ ବିଭାଜିତ ହେଇଛି ଯା’ର କ୍ଷତି ମମତାଙ୍କ ଦଳକୁ ଉଠେଇବାକୁ ପଡ଼ିଛି । କିଛି ମୁସଲିମ ଭୋଟ ଗତବର୍ଷ ତୁଳନାରେ ଅଧିକ ପାଇବା ସତ୍ତ୍ୱେ କଂଗ୍ରେସ ଓ ବାମ ଦଳ ଆସନ ପାଇବା ଦୃଷ୍ଟିରୁ ଲାଭାନ୍ୱିତ ହେଇପାରି ନାହାଁନ୍ତି ।
ଏଇ ନିର୍ବାଚନୀ ପ୍ରକ୍ରିୟା ଓ ଫଳାଫଳରୁ ଗୋଟିଏ ଉପସଂହାରକୁ ପହଁଚି ହେବ ଯେ କେନ୍ଦ୍ରୀୟ ସଂସ୍ଥାମାନଙ୍କର ଗୋଟିଏ ଦଳ (ଭାଜପା) ପ୍ରତି ସହଯୋଗ ଯଦି ଏଇମିତି ଜାରି ରୁହେ ଓ ଏ ନେଇ ସୁପ୍ରିମକୋର୍ଟ ବିଭିନ୍ନ ଆଳରେ ସେ ପ୍ରକ୍ରିୟାକୁ ସମର୍ଥନ କରେ କିମ୍ବା ସେ ପ୍ରକ୍ରିୟାକୁ ନେଇ ଚୁପ୍ ରୁହେ; ତେବେ କର୍ପୋରେଟମାନଙ୍କ ସମର୍ଥନ ହାସଲ କରିଥିବା ଭାଜପା ଦଳ ‘ହିନ୍ଦୁ-ମୁସଲିମ ବିଭାଜନ’ ଓ ‘ହିନ୍ଦୁ ରାଷ୍ଟ୍ର’କୁ ଆଧାର କରି ପ୍ରତିଟି ନିର୍ବାଚନ ଜିତିପାରିବ । ଦେଶରେ କ’ଣ ହିନ୍ଦୁ ବନାମ ସଂଖ୍ୟାଲଘୁର ବିଭାଜନଟି ତାର ଚରମ ବିନ୍ଦୁକୁ ପହଁଚିବା ରାସ୍ତାରେ ତୀବ୍ର ଗତିରେ ମାଡ଼ି ଚାଲୁଛି । ଛଳ ହେଉପଛେ ଧର୍ମଭିତ୍ତିରେ ଛଦ୍ମ ରାଷ୍ଟ୍ରବାଦ ପ୍ରତି ଲୋକଙ୍କ ଗ୍ରହଣୀୟତା ବଢ଼ି ବଢ଼ି ଚାଲୁଛି । ଏବଂ ସବୁଯାକ ସ୍ୱତନ୍ତ୍ର ଓ ସ୍ୱାୟତ୍ତତାର ଭିତ୍ତିରେ ତିଆରି ହେଇଥିବା ସଂସ୍ଥା ଓ ଅନୁଷ୍ଠାନମାନେ ଯଦି ଏଇ ନିର୍ଦ୍ଦିଷ୍ଟ ରାଜନୀତିର ସମର୍ଥନରେ କାମ କରନ୍ତି, ତେବେ ବିରୋଧୀଦଳ ତମାମ ଉଦ୍ୟମ ସତ୍ତ୍ୱେ କେବେ ବି ନିର୍ବାଚନ ଜିତିପାରିବ ନାହିଁ । ପଶ୍ଚିମବଙ୍ଗର ଫଳାଫଳରୁ ମିଳିଥିବା ଅନେକ ଶିକ୍ଷା ଭିତରୁ ଏ ଏକ ମହାଶିକ୍ଷା କି?
ସାଧାରଣ ଭାବେ କୋ÷ଣସି ନିର୍ବାଚନରେ କେହି ଜିତିବା ବା ହାରିବା ମୋଟେ ବଡ଼ କଥା ନୁହେଁ ଯେମିତି ଆମେ କେରଳ, ତାମିଲନାଡ଼ୁରେ ଦେଖିଲେ ବା ପଣ୍ଡିଚେରୀରେ ଦେଖିଲେ । କିନ୍ତୁ ପଶ୍ଚିମବଙ୍ଗର ନିର୍ବାଚନ ଏକ ପ୍ରୟୋଗ ଥିଲା ଯା’ର ସଫଳ ଅନୁଭବକୁ ଓ ରଣନୀତିକୁ ବାକି ରାଜ୍ୟରେ ତଥା ଭବିଷ୍ୟତରେ ଜାତୀୟ ସ୍ତରର ନିର୍ବାଚନରେ ବ୍ୟବହାର କରାଯାଇ ପାରିବ । ଏବଂ ଏହାକୁ ରୋକିବା ଯଦି ଅସମ୍ଭବ ହୁଏ, ତେବେ ‘ସଂଖ୍ୟାଗରିଷ୍ଠତାବାଦୀ ରାଜନୀତି ଓ ଗଣତନ୍ତ୍ର’କୁ ମାଧ୍ୟମ କରି ଭାଜପା ଓ ‘ସଂଘ ପରିବାର’ ନିଜ ସ୍ୱାର୍ଥ ଅନୁକୂଳ ସମ୍ବିଧାନ ସଂଶୋଧନ କରିନେବା ଅସମ୍ଭବ ନୁହେଁ ।
ଭାଜପା ଦଳକୁ ନେଇ ରହିଥିବା ପୁରୁଣା ଅଦୂରଦର୍ଶୀ ବିଚାର ଯେ ସେ ଏକ ଉତ୍ତରଭାରତୀୟ ଦଳ ଓ ସେ ପୂର୍ବ, ଉତ୍ତରପୂର୍ବ ଏବଂ ଦକ୍ଷିଣ ଭାରତରେ ସଫଳ ହେବ ନାହିଁ , ସେକଥା ଭୁଲ ପ୍ରମାଣିତ ହେଇଛି । ଏସବୁ ଅଞ୍ଚଳରେ ଭାଜପା ସଫଳ ହେବା ଲାଗି କ’ଣ କରିଛି, ସେ ନେଇ ବିରୋଧୀ ଦଳମାନେ ଚିନ୍ତା କରନ୍ତୁ । ସେମାନେ ଏତେ ବଡ଼ ଭାରତରେ କେବଳ କେରଳ ଓ ତାମିଲନାଡ଼ୁ ରାଜ୍ୟରେ ଭାଜପାର ଦୁର୍ବଳ ପ୍ରଦର୍ଶନ କଥା କହି କୁତୁକୁତୁ ହୁଅନ୍ତୁ ନାହିଁ । ବିରୋଧୀ ଦଳଙ୍କ ଭିତରେ ଯେଉଁ ରକମର ବିଭାଜନ ରହିଛି ସେ ଦୃଷ୍ଟିରୁ ପଂଜାବରେ ନିର୍ବାଚନ ଜିତିବା ଭାଜପା ଲାଗି ମୋଟେ ବଡ଼ କଥା ନୁହଁ । ଏସବୁ ଅନୁଭବରୁ ଶିକ୍ଷା ନେଇ ଯଦି ବିରୋଧୀ ଦଳ ମାନେ ଯୋଜନାବଦ୍ଧ ରୂପେ କାମ ନ କରନ୍ତି, ତେବେ ସଂଘର ଦାକ୍ଷିଣାତ୍ୟ ବିଜୟ ବେଶି ସମୟ ଦୂର ନୁହେଁ । ଭାଜପାକୁ ଏ ସଫଳତା କେବଳ ‘ଦଳୀୟ ରାଜନୀତି’ର ରାସ୍ତାରେ କାମ କରିବା ଯୋଗୁଁ ମିଳିନାହିଁ । ଦଳୀୟ ରାଜନୀତି ସହ ‘ସମାଜିକ-ସାଂସ୍କୃତିକ-ଶିକ୍ଷା-ସେବା’ ଆଦି ଅନେକ କ୍ଷେତ୍ରରେ ଉଦେ୍ଦଶ୍ୟମୂଳକ ଭାବେ ସେମାନେ ବହୁମୁଖୀ କାମ କରୁଛନ୍ତି । ସେଲାଗି ସେମାନେ ବହୁ ରକମର ସଂଗଠନ ଗଢ଼ି ନିରଳସ କାମ କରୁଛନ୍ତି । ନିଜର ସାମାଜିକ ଭିତ୍ତିକୁ ବ୍ୟାପକ କରୁଛନ୍ତି । କିନ୍ତୁ ଏକଥା ବି ସତ ଯେ ବିଭିନ୍ନ ରାଜ୍ୟରେ ଓ ବିଶେଷ କରି କେନ୍ଦ୍ରରେ ସରକାର ଗଢ଼ିବା ପରେ ଏ କାମ ଅଧିକ ସହଜରେ ହେଇପାରୁଛି ଓ ସେଇ କାରଣରୁ ଅଧିକ ପୁଞ୍ଜି ଲଗେଇବାରେ ସେମାନେ ସକ୍ଷମ ହେଇଛନ୍ତି । ଯେଉଁ ରାଜ୍ୟରେ ଭାଜପା ସରକାରରେ ଅଛନ୍ତି ସେଠି ଓ ଯେଉଁଠି ବିରୋଧୀ ଦଳରେ ଅଛନ୍ତି ସେଠି ସେମାନେ କେମିତି ଅଲଗାଅଲଗା ରଣନୀତି ନେଇ କାମ କରୁଛନ୍ତି, ସେଇଟା ନିଘା କରିବା ଜରୁରୀ । କେଉଁ ସବୁ ପ୍ରସଙ୍ଗଗୁଡ଼ିକୁ ନେଇ ଲଗାତାର କାମ କରୁଛିନ୍ତି ତାକୁ ନିଘା କରିବା ଦରକାର । ସେସବୁ ସତ ହେଉକି ଅର୍ଦ୍ଧସତ୍ୟ ଅବା ମିଛ; ସେମାନେ କେମିତି ଲୋକଙ୍କ ଧାରଣାରେ ପରିବର୍ତ୍ତନ ଆଣିବାରେ ସକ୍ଷମ ହେଉଛନ୍ତି, ସେସବୁର ଗମ୍ଭୀର ଅଧ୍ୟୟନ କରିବା ଜରୁରୀ । ନିଶ୍ଚିତ ରୂପେ ମିଡ଼ିଆର ଏକ ବଡ଼ ଭୂମିକା ସେଥିରେ ରହିଛି କିନ୍ତୁ ମିଡ଼ିଆକୁ ନିୟନ୍ତ୍ରିତ କରିବା ବାହାରେ ସେମାନେ ଆଉ କ’ଣ ସବୁ ଗତିବିଧି ହାତକୁ ନେଉଛନ୍ତି ଯାହାକୁ ଲୋକେ ବିଶ୍ୱାସ କରୁଛନ୍ତି ଏବଂ ସେ ବିଶ୍ୱାସ ସାମ୍ନାରେ ଲୋକଙ୍କର ମୋ÷ଳିକ ସମସ୍ୟା, ସରକାରଙ୍କ ବିଫଳତା ଗୌଣ ହେଇଯାଉଛି । ଅନେକ ବୁଦ୍ଧିଜୀବୀ ଓ ଅତି ବିଶ୍ୱସନୀୟ ଜାତୀୟ ଓ ଆନ୍ତର୍ଜାତୀୟ ସଂସ୍ଥାଙ୍କ ଦ୍ୱାରା ଦିଆଯାଉଥିବା ତଥ୍ୟ ଓ ବିଶେଷ୍ଳଣ କେମିତି ଗୁରୁତ୍ୱହୀନ ହେଇଯାଉଛି, ସେ ନେଇ ଗମ୍ଭୀର ଚିନ୍ତନ ଆବଶ୍ୟକ । ଭୋଟ ରାଜନୀତି ଓ ସରକାରରେ ପ୍ରତିନିଧିତ୍ୱ ବିହୀନ ହେବାର ରାସ୍ତାରେ ଆଗଉଥିବା ସଂଖ୍ୟାଲଘୁ ସମୁଦାୟ ଭିତରେ ଯେଉଁ ବିଚଳନ ତିଆରି ହେଇଚାଲିଛି, ଗୋଟେ ସମୟ ଆସିବ ଦେଶରେ ଏହା ଅସ୍ଥିରତା ତିଆରି କରିବ । ଭାଜପା ଆଜି ଯେଉଁ କଥା କହୁଛି ସେ ଦୃଷ୍ଟିରୁ ଦେଖିଲେ ସଂଖ୍ୟାଲଘୁମାନେ ଦୁଇ ଭାଗରେ ବିଭକ୍ତ ହେବେ । ଦଳେଙ୍କୁ କୁହାଯିବ ‘ରାଷ୍ଟ୍ରବାଦୀ ସଂଖ୍ୟାଲଘୁ’ ଓ ଦଳେଙ୍କୁ କୁହାଯିବ ‘ହିନ୍ଦୁ ବିରୋଧୀ ଓ ରାଷ୍ଟ୍ରବିରୋଧୀ ସଂଖ୍ୟାଲଘୁ’ । ଏବଂ ସେ ସାଟିଫିକେଟ ଦେବାର ଅଧିକାର ରହିବ ଭାଜପା ଓ ସଂଘ ପରିବାର ପାଖରେ । ସଂଖ୍ୟାଲଘୁ ସମୁଦାୟଙ୍କୁ ବାରମ୍ବାର ପ୍ରମାଣିତ କରିବାକୁ ହେବ ଯେ ସେମାନେ ଭାଜପାର ସମର୍ଥକ ଓ ସେମାନେ ଭାଜପାକୁ ହିଁ ଭୋଟ ଦେବେ । ଏବଂ ଭାଜପା ସହ ରହିଲେ ହିଁ ସେମାନେ ରାଷ୍ଟ୍ରବାଦୀ ହେଇପାରିବେ ।
ଭାଜପା ଅସଲ ଅର୍ଥରେ ସର୍ବଭାରତୀୟ ଦଳରେ ପରିଣତ ହେଇସାରିଛି । ପଙ୍କରେ, ନଈରେ, ପାହାଡ଼ରେ, ସମୁଦ୍ର କୂଳରେ, ଜଙ୍ଗଲରେ, ସ୍ଥଳ ଭାଗରେ ସବୁଠି ପଦ୍ମ ଫୁଟି ସାରିଛି । ଜାତୀୟ ରାଜନୀତିରେ ଆଗକୁ ମମତା ଓ ରାହୁଲ ଗାନ୍ଧୀ ମିଳି ମିଶି କାମ କରିପାରିବେ କି, ସେକଥା ଦେଖିବାକୁ ବାକି ରହିଲା । ଏବେ ହୁଏତ ବିରୋଧୀ ଦଳମାନେ ନିଜ ନିଜ ଅସ୍ତିତ୍ୱର ସଙ୍କଟକୁ ବୁଝିପାରିବେ ଓ ତାଙ୍କ ଭିତରେ ସୃଷ୍ଟ ଆତଙ୍କ ତାଙ୍କୁ ଏକାଠି ହେବା ଲାଗି ବାଧ୍ୟ କରିବ । କିନ୍ତୁ ମନେ ରଖିବାକୁ ହେବଯେ କେବଳ ଭୋଟ ଦୃଷ୍ଟିରୁ ଏକାଠି ହେବା କାମକୁ ଆସିବ ନାହିଁ । ତାଙ୍କୁ ଏକ ରାଜନୈତିକ ବିକଳ୍ପ ଠିଆ କରିବାକୁ ହେବ, କାରଣ ଭାଜପା ଏକ ନିର୍ଦ୍ଦିଷ୍ଟ ରାଜନୈତିକ ବିଚାର ସହ କାମ କରୁଛି । ଭୋଟରେ ହରେଇବା ଦୃଷ୍ଟିରୁ ତିଆରି ହେଉଥିବା ବୈଚାରିକ ବୁଝାମଣା ବିହୀନ ସୁବିଧାବାଦୀ ଏକତା କାମରେ ଆସିନପାରେ । ଧର୍ମ ଓ ରାଷ୍ଟ୍ରବାଦ ତଥା ବିକାଶର ଧାରା ଦୃଷ୍ଟିରୁ ଏକ ଉଦାରବାଦୀ ଧାରା ପ୍ରତିଷ୍ଠା ଲାଗି କାମ କରିବାକୁ ହେବ । ଯାବତୀୟ ସମସ୍ୟା ସାମ୍ନା କରୁଥିବା ସତ୍ୱେ ଆଜି ଦେଶର ଅଧିକାଂଶ ଆଦିବାସୀ, କୃଷକ, ଦଳିତ ଓ ପଛୁଆବର୍ଗ କାହିଁକି ଭାଜପା ଆଡ଼କୁ ଢଳୁଛନ୍ତି, ତାର ଅସଲ କାରଣ ଖୋଜିବାକୁ ହେବ । ‘ହିନ୍ଦୁ ରାଷ୍ଟ୍ର’ ଏତେ ଲୋକଙ୍କୁ ଲୋଭନୀୟ ଓ ଆକର୍ଷଣୀୟ ମନେ ହେବାର କାରଣ କ’ଣ? ଅନେକ ଶ୍ରମିକ ଓ କୃଷକ ଓ ଆଦିବାସୀ ଆନେ୍ଦାଳନ ସତ୍ୱେ ସେମାନଙ୍କର ରାଜନୈତିକ ଚେତନାଟି କାହଁକି ତିଆରି ହେଇପାରୁନାହିଁ, ସେମାନେ ଭୋଟ ରାଜନୀତିକୁ ଦେଶର ବୃହତର ସ୍ୱାର୍ଥରେ କାହିଁକି ପ୍ରଭାବିତ କରିପାରୁ ନାହାଁନ୍ତି? ଏଇମିତି ଅନେକ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଖୋଜିବାକୁ ହେବ ।
କିନ୍ତୁ ସେ ଯାହେଉ ଗଣତନ୍ତ୍ରର ଏଇ ସ୍ୱରୂପ ଯଦି ଜାରି ରୁହେ, ପ୍ରଚଳିତ ଗଣତନ୍ତ୍ର ଭିତରେ ରାଜତନ୍ତ୍ରର ସ୍ୱାଦ ମିଳିବ ଓ ତାହ ରାଜତନ୍ତ୍ରରୁ ମଧ୍ୟ ଅଧିକ ଦମନକାରୀ ଓ ଏକଛତ୍ରବାଦୀ ହେଇଯିବ କାରଣ ତା ପାଖରେ ରହିଛି ଅତ୍ୟାଧୁନିକ ପ୍ରଯୁକ୍ତି ଓ ଅନ୍ୟ ସମୁଦାୟ ତଥା ଭିନ୍ନମତ ରଖୁଥିବା ଲୋକଙ୍କ ପ୍ରତି ଭୟଙ୍କର ଘୃଣା । ନିରଙ୍କୁଶ କ୍ଷମତାର ଆଗ୍ରହ ଓ ବିରୋଧୀମୁକ୍ତି ହେବାର ପ୍ରବଳ ଆଗ୍ରହରେ ଏ ଶକ୍ତିଟି ଅଠିପହର କାମ କରୁଛି ।
କିନ୍ତୁ ଏ ଅମାନବୀୟ ଓ ଅଗ୍ରହଣୀୟ ପରିସ୍ଥିତିକୁ ବଦଳେଇବାର କାମ କେବଳ ରାଜନୈତିକ ଦଳ ହାତରେ ଛାଡ଼ିଦେଲେ ହେବ ନାହିଁ । ଧର୍ମ ଭିତିରେ ବହୁପାହାଚୀ ଜାତିବ୍ୟବସ୍ଥା ସମର୍ଥନରେ ନିର୍ମିତ ‘ଛଦ୍ମ ରାଷ୍ଟ୍ରବାଦ’, ‘କର୍ପୋରେଟ ନିୟନ୍ତ୍ରିତ ସରକାର’ ଯେତେ ପରିମାଣରେ ଗଣତନ୍ତ୍ରକୁ ଅନ୍ତଃସାରଶୂନ୍ୟ କରିଦେବାରେ ସକ୍ଷମ ହେବ ସେତିକି ବେଶି ପରିମାଣରେ ଯେଉଁମାନେ କ୍ଷତିଗ୍ରସ୍ତ ହେବେ ସେମାନଙ୍କ ଭିତରେ ରହିଥିବା ଶ୍ରମିକ, କୃଷକ, ନିଯୁକ୍ତିହୀନ ଯୁବା ବର୍ଗ , ଆଦିବାସୀ(ବିସ୍ଥାପନ ଓ ପ୍ରଦୂଷଣ) ଓ ଦଳିତ (ଉଭୟ ଜାତି ଓ ଆର୍ଥିକ ପରିପ୍ରେକ୍ଷୀରେ ନିର୍ଯାତିତ) ତଥା ଅଭିବ୍ୟକ୍ତିର ସ୍ୱାଧୀନତାକୁ ଗଣତନ୍ତ୍ରର ମୂଳ ଅଧାର ମନେ କରୁଥିବା ମାନବାଧିକାର ଓ ସାମାଜିକ କର୍ମୀ ସଭିଏଁ ଏ ନେଇ ମିଳିତ ରୂପେ ଚିନ୍ତା ଓ ସେ ଚିନ୍ତାରୁ ଜାତ ସର୍ବସମ୍ମତ କିଛି କିଛି ଗତିବିଧି ଉପରେ ଜୋର ଦେବାକୁ ହେବ । ମନେ ରଖିବାକୁ ହେବଯେ ଗଣତନ୍ତ୍ରର ସୁରକ୍ଷା ଲାଗି, କ୍ଷମତାର ନିରଙ୍କୁଶ ବ୍ୟବହାରକୁ ରୋକିବା ଲାଗି ଯେଉଁସବୁ ସଂସ୍ଥା ଓ ଅନୁଷ୍ଠାନ ତିଆରି ହେଇଥିଲା ସେସବୁ ଆଉ ଆଗ ପରି କାମକୁ ଆସିବେ ନାହିଁ । ଏପରିକି ସମ୍ବିଧାନ ଓ ଲୋକଙ୍କର ମୋ÷ଳିକ ଅଧିକାରର ସୁରକ୍ଷା ଦୃଷ୍ଟିରୁ ଆମ ଭିତରୁ ଅନେକେ ଆଗରୁ ଯେମିତି ଦେଶର ଅନ୍ୟତମ ସର୍ବୋଚ୍ଚ ସଂସ୍ଥା ସୁପ୍ରିମକୋର୍ଟ ଉପରେ ନିର୍ଭର କରୁଥିଲେ ସେ ନିର୍ଭରଶୀଳତାରୁ ମୁକ୍ତ ହେବାକୁ ପଡ଼ିବ । ଆମକୁ ଲୋକଙ୍କ ପାଖକୁ ଯିବାକୁ ହେବ । ସେମାନଙ୍କ ସହ ଓ ଭିତରେ ରହି କାମ କରିବାକୁ ଗୁରୁତ୍ୱ ଦେଇ ବାକି ବିକଳ୍ପ ଉପରେ ବେଶି ଭରସା କରିବାର ପ୍ରବୃତ୍ତି ଛାଡ଼ିବାକୁ ହେବ ।

 

Contact: ୮୮୯୫୧୫୭୦୬୬ // sarojemohanty@gmail.com

Comments

0 comments

Share This Article