ଏ ପକ୍ଷର ଖବର

15 Min Read

ପ୍ରଶ୍ନପତ୍ର ପ୍ରଘଟ କରୁଥିବା ସନାତନୀମାନେ…

ପାଠକେ! ମୋଦିଜୀଙ୍କ ଶାସନରେ ଏ ନିଟ୍ ପରୀକ୍ଷା ଓ ଏଥିରେ ହେଉଥିବା ଲଗାତର ପ୍ରଶ୍ନପତ୍ର ଲିକ୍ ଘଟଣାଟି ଆମକୁ ବଡ଼ ଗମାତିଆ ଲାଗୁଛି । ଏହା ଏକ ଗୁରୁତ୍ୱପୂର୍ଣ୍ଣ ସର୍ବଭାରତୀୟ ପରୀକ୍ଷା ହୋଇବି ଏଥିରେ ଲଗାତାର ପ୍ରଶ୍ନପତ୍ର ଲିକ୍ ହେବା ଘଟଣା ଏଇ ସରକାର ବେଳେ ହିଁ ଅଧିକ ଘଟୁଛି । ନରେନ୍ଦ୍ର ମୋଦୀ ଶାସନକୁ ଆସିବା ବେଳଠାରୁ ଏ ପର୍ଯ୍ୟନ୍ତ ନିଟ୍ ପ୍ରଶ୍ନପତ୍ର ପାଖାପାଖି ୬ଥର ଲିକ୍ ହୋଇଗଲାଣି । ଜଣେ ସରକାରୀ ବାବୁଙ୍କ କହିବାନୁଯାୟୀ ବର୍ଷ ୨୦୧୫,୨୦୧୬, ୨୦୧୮,୨୦୨୧, ୨୦୨୪ ଓ ଚଳିତ ବର୍ଷ ୨୦୨୬ରେ ଛଅ ଥର ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ପ୍ରଶ୍ନପତ୍ର ଅତି ସୁନ୍ଦର ଭାବରେ ଲିକ୍ ହୋଇଗଲାଣି ।
ଏବେ ପ୍ରଶ୍ନଉଠୁଛି ଯେ ଏ ପ୍ରଶ୍ନ ଗୁଡ଼ାକୁ ପ୍ରଘଟ କରାଉଥିବା ଲୋକମାନେ କିଏ ଏବଂ ସେମାନେ ଆସୁଛନ୍ତି କେଉଁଠୁ? ଆମେ ଯାହା ବୁଝିଲୁ ଏହି ଛଅ ଥର ଯେଉଁମାନେ ପ୍ରଶ୍ନପତ୍ର ଲିକ୍ କରାଇଛନ୍ତି ସେମାନେ କେହି ପାକିସ୍ତାନୀ ନୁହନ୍ତି, ସମସ୍ତେ ଭାରତମାତାର ସନାତନୀ ଲୋକ । ବଡ଼ ବଡ଼ ସରକାରୀ ଚାକିରୀରେ ରହି ବି ତାଙ୍କୁ ପଇସା ଅଣ୍ଟୁ ନାହିଁ ବୋଲି ଏହି ଘୃଣ୍ୟ କାର୍ଯ୍ୟ ସବୁ କରୁଛନ୍ତି । ଚଳିତବର୍ଷ ୨୦୨୬ରେ ଯେଉଁ ପ୍ରଶ୍ନପତ୍ର ଲିକ୍ ହୋଇଛି ତାକୁ କରିଥିବା ମୂଳ ଲୋକଟି ଯେଉଁ ପ୍ରଜାତିର, ସେ ପ୍ରଜାତିକୁ ଇଂରେଜ ଲୋକମାନେ ‘କିଙ୍ଗ ପିନ୍’ କହି ଯାଇଛନ୍ତି । ଏହି ଲୋକମାନେ ବଡ଼ ବିରଳ ପ୍ରଜାତିର । ଆମେ ଏଠାରେ କହୁଥିବା ଲୋକଟିର ନାଁ ହେଉଛି ପି.ଭି କୁଲକର୍ଣ୍ଣି । ଲୋକଟି ରସାୟନ ବିଜ୍ଞାନ ବିଭାଗର ଜଣେ ଅଧ୍ୟାପକ । ମହାଶୟଙ୍କୁ ପୁନେରୁ ଗିରଫ କରାଯାଇଛି । ତାଙ୍କର ପୁନେରେ ଘର ଅଛି । ସେ ଘରଟାକୁ ସିଏ ବ୍ୟବହାର କରୁଥିଲେ ଭାରତୀୟ ଶିକ୍ଷା ବ୍ୟବସ୍ଥାଟାକୁ ପୁରା ବିଷାକ୍ତ କରିଦେବା ପାଇଁ । ସେଥିପାଇଁ ସେ ଏଇ ଘରେ ଗୋଟିଏ ସ୍ୱତନ୍ତ୍ର କୋଚିଂ କ୍ଲାସ ଖୋଲିଥିଲା । ଏଥିରେ ବେଶୀ ପିଲା ନିଆ ଯାଉ ନଥିଲା । ଯେତିକି ପିଲା ନିଆ ଯାଉଥିଲା, ସେମାନଙ୍କଠାରୁ ବହୁ ଅଧିକ ପଇସା ନିଆଯାଇ କମ୍ ପିଲା ନିଆଯିବାର କ୍ଷତିକୁ ଭରଣା କରାଯାଉ ଥିଲା । ସେହି କୋଚିଙ୍ଗ କ୍ଲାସର ସେହି ବିଶିଷ୍ଟ ପିଲାମାନଙ୍କୁ କୁଲକର୍ଣ୍ଣୀବାବୁ କେତେକ ନିର୍ଦ୍ଦିଷ୍ଟ ପ୍ରଶ୍ନର ସଠିକ୍ ଉତ୍ତର ଲେଖିବାର ଅଭ୍ୟାସ କରିବାକୁ ଦେଉଥିଲେ । ଉତ୍ତର ଖାତାକୁ ସେ ନିଜେ ଚେକ୍ କରୁଥିଲେ । କାଳେ କିଏ ଜାଣିଯିବ ତେଣୁ ଆଉ କାହାକୁ ଦେଉ ନଥିଲେ । ଯେଉଁଠାରେ ଭୁଲ ରହୁଥିଲା ତାକୁ ସୁଧାରି ଆଉ ଥରେ ଅଭ୍ୟାସ କରିବାକୁ ଦେଉଥିଲେ । ପିଲାମାନେ ସେହି ପ୍ରଶ୍ନ ଓ ତା’ରି ଉତ୍ତର ସହିତ ପୁରା ଅଭ୍ୟସ୍ତ ହୋଇ ଯାଉଥିଲେ । ଯେତେବେଳେ ପରୀକ୍ଷାରେ ପ୍ରଶ୍ନ ଆସୁଥିଲା ସେତେବେଳେ ସେହି ପ୍ରଶ୍ନଗୁଡ଼ିକୁ ନିଶ୍ଚିତ ପାଉଥିଲେ ଓ ତାର ଜବାବ ଲେଖି ଦେଉଥିଲେ । ଯା ଫଳରେ ଡାକ୍ତର ହେବାର ସୁଯୋଗ ପାଉଥିଲେ ।
ପାଠକେ! ପୂର୍ବରୁ ଏହି ପ୍ରଜାତିର ଆହୁରି ଅନେକ ଲୋକ ଏହି କାମଟି କରି ଧରାପଡ଼ିଥିଲେ ବି ସେମାନଙ୍କର କିଛି ବିଗିଡ଼ି ଯାଇନାହିଁ । ତେଣୁ ଅଧିକ ଲୋକ କଳାପଇସା ରୋଜଗାର କରିବାକୁ ଏ ବେପାରକୁ ଆସୁଛନ୍ତି । ଏହି ପରୀକ୍ଷା କରାଉଥିବା ଏନଟିଏ ସଂସ୍ଥାର ଜଣେ ବଡ଼ବାବୁ ଏହି ସ୍କିମରେ ଭଲ ପଇସା କରୁଥିବା ବେଳେ ଧରା ପଡ଼ିଲେ । ତା’ଙ୍କର କିଛି ଦିନ ତଦନ୍ତ ହେଲା । ସଇତାନ ବୋଲି ଧରା ପଡ଼ିବାପରେ ନିଲମ୍ବିତ ହେଲେ । କିନ୍ତୁ ପୁଣି ଧରାଧରି କରି ବଡ଼ ଚାକିରିରେ ବାହାଲ ହୋଇଗଲେ । ଏବେ ସିଏ କାଳେ ଛତିଶଗଡ଼ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଗୋଟିଏ ବିଶେଷ ଏବଂ ବଡ଼ ସରକାରୀ ଚାକିରୀରେ ଅଛନ୍ତି । କିଛି ଲୋକଙ୍କ କହିବା କଥା ଯେ ଏବେ ଏହି ରୋଗର ସୁବିତରଣ କରୁଥିବା ଅନ୍ୟ ଭାରତୀୟଙ୍କ ପାଇଁ ସିଏ ଗୋଟିଏ ପ୍ରେରଣାର ଉତ୍ସ ହୋଇ ଯାଇଛନ୍ତି ।

 

ବିଷକାଳର ବିକାଶ?

ପାଠକେ! ତେଲ ଏକ ଅଜବ ତରଳ ପଦାର୍ଥ । ଏଠି କିଏ ଜଣେ ଏପରି ମହାପୁରୁଷ ଅଛି ଯିଏ ତେଲ ସହିତ କୌଣସି ନା କୌଣସି ସମୟରେ ଟିକେ ନସର ପସର ନ ହୋଇଛି । ଗାଡ଼ିି ତେଲ, ବଡ଼ି ତେଲ, ଖାଦ୍ୟ ତେଲ ଠାରୁ ମାଲିସ ତେଲ ଦେଇ ପ୍ରମୋଶନ, ଡିମୋସନ ପାଇଁ ବ୍ୟବହୃତ ହେଉଥିବା ବଡ଼ ବଡ଼ ତେଲିଆ ଲୋକଙ୍କର ଅଦୃଶ୍ୟ ତେଲ ଯାଏଁ ଏ ଦେଶସାରା ତେଲ, ତେଲି ଓ ତେଲିଆମାନଙ୍କ ଭିଡ଼ । ଏବେ କିନ୍ତୁ ସାଧାରଣ ଲୋକମାନଙ୍କୁ ଯାହା ନାକରେ କନ୍ଦାଇଲାଣି ତାହା ହେଉଛି ଗାଡ଼ିରେ ପଡ଼ୁଥିବା ତେଲ । ଯାହାକୁ ନ ପକାଇପାରି ଅନେକ ବଡ଼ ଲୋକଙ୍କର ଗାଡ଼ିଗୁଡ଼ିକ ସଡ଼କରେ ଥୁଆ ହୋଇଛନ୍ତି ଆଜ୍ଞା । ତେଲ ସରି ଯାଇଛି । ଆମ୍ବୁଲାନ୍ସରେ ଯାଉଥିବା ରୋଗୀ ତେଲ ସରିଗଲା କାରଣରୁ ବାଟରେ ମରିଯାଉଛି ।
କିନ୍ତୁ ଆମେ ଯାହା ବୁଝିଲୁ ତେଲ ସରିବାଟା କିଛି ଲୋକଙ୍କର ଏକ ଅମାନବୀୟ ବେପାର ହୋଇଛି । ତେଲକୁ ମଧ୍ୟପ୍ରାଚ୍ୟ ଯୁଦ୍ଧର ଏକ ପ୍ରଭାବ ବୋଲି କୁହାଯାଉଥିଲେ ମଧ୍ୟ ବାସ୍ତବ କଥାଟି ହେଉଛି ତେଲକୁ ଆମ ଦେଶର କିଛି ରାଜନେତା ରାଜନୈତିକ ପଶାପାଲୀର ପଶାକାଠି କରି ଅସହାୟ ଭାରତୀୟଙ୍କ ଜୀବନରେ ଅସହାୟତା ଭର୍ତ୍ତି କରିବାରେ ଲାଗିଛନ୍ତି । ଏଥିରେ ତାଙ୍କୁ ସହାୟତା କରୁଛନ୍ତି କର୍ପୋରେଟ ତେଲ କମ୍ପାନୀ ଓ ଅଫିସରବାବୁ ମାନେ ।
ନିର୍ବାଚନ ପୂର୍ବରୁ କୁହାଯାଉଥିଲା ଯେ ଯୁଦ୍ଧଯୋଗୁଁ ପେଟ୍ରୋଲ ଆସି ପାରୁନି, ତେଲ କମ୍ପାନୀଙ୍କର କ୍ଷତି ହେଉଛି । କିନ୍ତୁ ପ୍ରକୃତ କଥା ଥିଲା ଯୁଦ୍ଧ ବାହାନାରେ ତେଲ ଦର ବଢ଼ାଇବା । ଯେତେବେଳେ ଦେଶ ସ୍ୱାଧୀନ ହେଲା ୧୯୪୭ବେଳକୁ ପେଟ୍ରୋଲ ଦର ମାତ୍ର ୨୭ପଇସା ଥିଲା । ଦେଶ ଯେତେବେଳେ କଙ୍ଗନା ରଣୱାତ ପାଇଁ ସ୍ୱାଧୀନ ହେଲା ଅର୍ଥାତ ୨୦୧୪ରେ ଯେଉଁ ବର୍ଷ ମୋଦିଜୀ ପ୍ରଧାନମନ୍ତ୍ରୀ ହେଲେ ସେ ବର୍ଷ ତେଲ ଦର ୭୨ଟଙ୍କା ୪୩ ପଇସା ଭିତରେ ରହିଥିଲା । ୧୫ ମଇ ୨୦୨୬ ରୁ ଭୁବନେଶ୍ୱରରେ ପେଟ୍ରୋଲ ଦର ହୋଇଛି ୧୦୪.୧ ଟଙ୍କା । ଅର୍ଥାତ୍ ୨୦୧୪ରୁ ଆଜି ୧୨ବର୍ଷ ଭିତରେ ତେଲ ଦର ବଢ଼ି ଚାଲିଥିବା ବେଳେ ସରକାରୀ ସହଯୋଗରେ କର୍ପୋରେଟ ମିଛ ସବୁବେଳେ କାୟମ ଅଛି । କେତେବେଳେ ଅନ୍ତର୍ଜାତୀୟ ସ୍ତରରେ କଞ୍ଚା ତେଲ ଦାମ ବଢ଼ିଯାଉଛି ତ କେତେବେଳେ ଯୁଦ୍ଧ ଯୋଗୁ ତେଲ ଆସି ପାରୁନାହିଁ ଇତ୍ୟାଦିର ବାହାନା । ମୋଦିଜୀଙ୍କ ବେଳେ ତେଲ ଦର ବଢ଼ି ପାଖାପାଖି ଦେଢ଼ଗୁଣା ହେଲା । ବିଷକାଳର ବିକାଶ ।
ଆମେ ଗୋଟିଏ କଥା ଦେଖୁଛେ ଯେ ପେଟ୍ରୋଲ ଦର ସବୁଥରକ ନିର୍ବାଚନ ପୂର୍ବରୁ ବଢୁନି କିନ୍ତୁ ପରେ ଧଡ଼କିନା ବଢ଼ି ଯାଉଛି । ଏଠି ସତରେ ଟାଙ୍କିରୁ ତେଲ ସରୁଛି ନା ଦର ବଢ଼ାଇବା ପାଇଁ ତେଲ ସରିଗଲା ବୋଲି କୁହାଯାଉଛି? ଏଥର ତ ଆମେ ଗାଡ଼ିଚାଳକମାନେ ଏକଥା ଖୋଲାଖୋଲି କହୁଥିବାର ଶୁଣିଲୁ ଯେ ତେଲ ଦର ବଢ଼ାଇବା ପାଇଁ ‘ତେଲ ସରି ଯାଇଛି’, ‘ଯୁଦ୍ଧ ଯୋଗୁଁ ଆସୁ ନାହିଁ’ ଆଦିର ବାହାନା କରାଗଲା । ପ୍ରକୃତ କଥା ହେଲା ଯୁଦ୍ଧ କାରଣରୁ ଟିକେ କ୍ଷତି ସହିଥିବା କର୍ପୋରେଟ ପେଟ୍ରୋଲ କମ୍ପାନୀମାନଙ୍କୁ ନିର୍ବାଚନ ସରିବା ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବାକୁ କହି ନିର୍ବାଚନ ସରିବା କ୍ଷଣି ସରକାରଙ୍କ ପକ୍ଷରୁ ମୁନାଫା ଢାଳି ଦିଆଗଲା କି? ଭାରତରେ ତେଲରୁ ଲାଭ ପ୍ରବଳ । କାରଣ ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ ପେଟ୍ରୋଲିୟମ ଏବଂ ଏଲପିଜି(ଗ୍ୟାସ) ବ୍ୟବହାରକାରୀ ଦେଶ । ଏଠି ପାଖାପାଖି ୬.୭କୋଟି ଲୋକ ପେଟ୍ରୋଲ ପମ୍ପକୁ ଯାଇ ପେଟ୍ରୋଲ ପକାନ୍ତି । ଏଠି ନଦୀବନ୍ଧକୁ ଝାଡ଼ା ଗଲେ ଯିଏ ଯୌତୁକରେ ଶ୍ୱଶୁର ଘରୁ ନୂଆ ବାଇକଟିଏ ପାଇଥାଏ, ତାକୁ ସିଏ ତେଲ ଖର୍ଚ୍ଚକରି ଚଢ଼ିି ନଦୀବନ୍ଧରେ କି ନାଳବନ୍ଧରେ ମଳତ୍ୟାଗ କରିବାକୁ ଯାଏ । ଫଳରେ ଏଠି ୫.୫ ନିୟୁତ ବ୍ୟାରେଲ ତେଲ ବିକ୍ରୀ ହୁଏ । ଗୋଟିଏ ବ୍ୟାରେଲ ହେଉଛି ୧୫୯ଲିଟର ପାଖାପାଖି । ଏବେ କର୍ପୋରେଟ ତେଲ କମ୍ପାନୀମାନଙ୍କୁ ପ୍ରତି ଲିଟରରୁ ତାଙ୍କୁ ୩ ଟଙ୍କା ଅଧିକା ମିଳିଲା ।
ଧାଡ଼ିରେ ଠିଆ ହୋଇଥିବା କିଛି ଗାଡ଼ିଚାଳକ କହୁଛନ୍ତି ଯେ ପେଟ୍ରୋଲ ବିନା ଅସହାୟ ଭାରତୀୟ ଲୋକଙ୍କୁ ଏଠି ପେଟ୍ରୋଲ ପାଇଁ ହିଟଲରୀ କାଇଦାରେ ଭୂଆଁ ବୁଲେଇ ଦିଆଗଲା । ଏଥିପାଇଁ ଭାରତୀୟ ନାଗରିକଙ୍କୁ ଭୁତେଇବାକୁ ପ୍ରଶାସନ ଓ ତେଲ କମ୍ପାନୀ ଡବଲ ଷ୍ଟାଣ୍ଡାର୍ଡ ବା ଦୁଇ ପ୍ରକାରର କଥା କହି ତାମସା କଲେ । ଦିଲ୍ଲୀଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ମନ୍ତ୍ରୀମାନେ, ସେକ୍ରେଟାରୀମାନେ କହିଲେ ଏବଂ କହୁଛନ୍ତି ଯେ ତେଲ ବହୁତ ଅଛି । ଲୋକେ ଆଶଙ୍କିତ ହୁଅନ୍ତୁ ନାହିଁ । ଦିଲ୍ଲୀରେ ଏପିଷ୍ଟାଇନ ପ୍ରସିଦ୍ଧିପ୍ରାପ୍ତ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଲେ ୬୯ଦିନ ପାଇଁ ଅଶୋଧିତ ତୈଳ ଅଛି । ଭୁବନେଶ୍ୱରରେ ଆଳୁ ମନ୍ତ୍ରୀ ପ୍ରସିଦ୍ଧିପ୍ରାପ୍ତ କୃଷ୍ଣଚନ୍ଦ୍ର ପାତ୍ର କହିଲେ ତେଲ ଭର୍ତ୍ତି ହେଇକି ଅଛି । ଜଣେ ସଚିବ ସିଂହ ସାର୍, ଉକ୍ରଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ସମ୍ପାଦକ ସୁରେନ୍ଦ୍ର ଲାଠ, ପ୍ରମୁଖ ପେଟ୍ରୋଲ କମ୍ପାନୀ ଆଇଓସିଏଲର ସିଜିଏମ୍ କମଲ ସିଲ ସମସ୍ତେ କହିଲେ ତେଲ ବହୁତ ଅଛି । କିନ୍ତୁ ବାସ୍ତବରେ ଲୋକେ ଯେତେବେଳେ ଟାଙ୍କିକୁ ଗଲେ ଦେଖିଲେ ସେଠି ପ୍ରବେଶ ନିଷେଧ । ପେଟ୍ରୋଲ ଟାଙ୍କି ଦୁଆର ମୁହଁରେ ଗୋଟିଏ ମୋଟା ପ୍ଲାଷ୍ଟିକ ଦଉଡ଼ି ବାନ୍ଧି ଦିଆଯାଇଛି । କେଉଁଠି କେଉଁଠି ଇଁରାଜୀରେ ଲେଖା ହୋଇଛି ‘ନୋ ଷ୍ଟକ’ । କୁହାଗଲା ଧୈର୍ଯ୍ୟ ରଖ । ତେଲ ଦିଆଯିବ ଧାଡ଼ିରେ ଆସ । ଗାଡି ଚାଳକ ଲମ୍ବା ଲାଇନ କରିଦେଲେ । କେଉଁଠି କେଉଁଠି ଏକରୁ ଦୁଇରୁ ତିନି କିଲୋମିଟର ପର୍ଯ୍ୟନ୍ତ ଚାରିଚକିଆ ଲାଇନ୍ ହୋଇଗଲା । କେଇ ଘଣ୍ଟା ଭିତରେ ତେଲ କମ୍ପାନୀମାନେ ଘୋଷଣା କରିଦେଲେ ଯେ ତେଲ ୩ ଟଙ୍କା ମହଙ୍ଗା ହୋଇଗଲା । ହିଟଲର ଶାସନପରି ମୋଦୀ ଶାସନରେ ଥିବା ଲୋକମାନେ ଖୁସି ହେଲେ ଯେ ଦାମ୍ ପଛେ ବଢୁ ତେଲ ତ ମିଳିଲା ।
ତେଲ ଅଭାବ ପଛର କାରଣ କ’ଣ? ନମ୍ବର ଏକ ହେଲା ଭାରତ ସରକାର ରୁଷ ବା ଅନ୍ୟ ଦେଶରୁ ଶସ୍ତା ତେଲ କିଣିବାକୁ ରାଜି ହେଉନାହାନ୍ତି କାରଣ ମହଙ୍ଗାରେ ତେଲ ବିକୁଥିବା ଆମେରିକାର ଟ୍ରମ୍ପବାବୁ ରାଗିବେ । ଦୁଇରେ ଆମ ସରକାର ଲୋକଙ୍କୁ ଆତ୍ମନିର୍ଭର ହେବାକୁ କହି ଦେଉଛନ୍ତି କିନ୍ତୁ ନିଜେ ଦେଶକୁ ପେଟ୍ରୋଲରେ ଆତ୍ମନିର୍ଭର କରିବାକୁ ଲାଗୁନାହାନ୍ତି । ୨୦୧୪-୧୫ରେ ଦେଶ ଭିତରେ ପେଟ୍ରୋଲିୟମ ଉତ୍ପାଦନ ୩୮ ମିଲିଅନ ମେଟ୍ରିକ ଟନ୍ ଥିଲାବେଳେ ଏବେ କମି କମି ୨୮ମିଲିଅନ ମେଟ୍ରିକ ଟନରେ ପହଞ୍ଚିଛି । ଏହାକୁ ବିଷକାଳର ବିକାଶ କହିବାନି ତ ଆଉ କ’ଣଟା କହିବା?

ଶିରୋନାସ୍ତି ଶିର ପୀଡ଼ା

ପାଠକେ! ଏବେ ଏବେ ଓଡ଼ିଶାରେ ଗୋଟିଏ ଘଟଣା ଘଟିଛି ଆଉ ସେଇଟି ହେଉଛି ଓଡ଼ିଶା ବିଧାନସଭାର ଏକ ଦିନିକିଆ ବିଶେଷ ଅଧିବେଶନ ଅନୁଷ୍ଠତ ହେବା । ଆପଣ ଜାଣିଛନ୍ତି କି ନାହିଁ ଗତ କେତେଦିନ ଧରି କଥାଟା ଓଡ଼ିଶାର ରାଜନୈତିକ ମାହୋଲକୁ ଏକଦମ ଗରମ କରି ଦେଇଥିଲା ।
ଏପ୍ରିଲ ୩୦ ତାରିଖ ଗୁରୁବାର ଦିନ ଏହି ବିଶେଷ ଅଧିବେଶନ ଡକା ଯାଇଥିଲା । ଏଥିପାଇଁ କଡ଼ା ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ ଅଫିସର ଓ ଅନ୍ୟାନ୍ୟ ବଳଙ୍କୁ ଛାଡ଼ି ପାଖାପାଖି ୩୦ ପ୍ଲାଟୁନ୍ ପୋଲିସ ବଳ (ସଶସ୍ତ୍ରଙ୍କୁ ମିଶାଇ)ନିଯୁକ୍ତ କରାଯାଇଥିଲା । ପିଏମ୍ଜି ଅଞ୍ଚଳରେ ଧାରା ୧୬୩ ଲାଗୁ କରି ଦିଆଯାଇଥିଲା । ଏସବୁ ପାଇଁ ଯାହା ଖର୍ଚ୍ଚ ହେବା କଥାତ ହେଲା, ତା ବାହାରେ ଗତ ଅଧିବେଶନରେ ଗୋଟିଏ ହିସାବ ଦିଆଯାଇଥିଲା ଯେ ଗୃହ ଚାଲୁ କି ନଚାଲୁ ବିଧାନସଭା କ୍ୟାଲେଣ୍ଡରରେ ଯେଉଁ କାର୍ଯ୍ୟ ଦିବସଗୁଡ଼ିକ ନିର୍ଦ୍ଧାରିତ ହେଉଛନ୍ତି ସେଥିପାଇଁ ଦିନକୁ ଓଡ଼ିଆ ଲୋକଙ୍କର ପ୍ରାୟ ୮୭ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଯାଉଛି । ଏଥିରେ ବିଧାୟକଙ୍କର, ମନ୍ତ୍ରୀଙ୍କର, ବିରୋଧୀ ଦଳ ନେତାଙ୍କର ନାନା ପ୍ରକାରର ଭତ୍ତା ସବୁ ଆମ ଲୋକମାନଙ୍କୁ ଦେବାକୁ ପଡ଼ୁଛି ।
ଲୋକଙ୍କର ଏତେଗୁଡ଼ିଏ ପଇସା ଖର୍ଚ୍ଚକରି ଏହି ଯେଉଁ ବିଶେଷ ଅଧିବେଶନଟି ଡକାଗଲା, ତାହା କ’ଣ ପାଇଁ ଡକାଯାଇଥିଲା? ପାକିସ୍ତାନ ଆସି ଜଗନ୍ନାଥ ମନ୍ଦିର ଉପରେ ବମ୍ ପକାଇ ଦେବାର ସମ୍ଭାବନା ତ ନଥିଲା, କି ପଶ୍ଚିମବଙ୍ଗର ଲୋକମାନେ କୋଣାର୍କ ମନ୍ଦିରକୁ ପେଲି ପେଲି ତାଙ୍କ ରାଜ୍ୟକୁ ନେଇଯିବାର ତ କିଛି ଅବସ୍ଥା ସୃଷ୍ଟି ହୋଇ ନଥିଲା । ତାହେଲେ ଓଡ଼ିଆ ଲୋକଙ୍କୁ ଅଯଥା ଖର୍ଚ୍ଚାନ୍ତ କରି ଓଡ଼ିଶା ବିଧାନସଭାର ଗୋଟା ବିଶେଷ ଅଧିଶେନ ଡକାଯିବାର କ’ଣ ଆବଶ୍ୟକ ପଡ଼ିଥିଲା? ଯାହା ଜଣା ପଡ଼ିଲା ତାହା ଡକାଯାଇଥିଲା ‘ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ’ ଉପରେ ଆଲୋଚନା କରିବା ପାଇଁ । ଆଲୋଚନାର ଶୀର୍ଷକ ଏଇଆ ଥିଲା ବୋଲି ବିଧାନସଭାରୁ ଜଣା ପଡ଼ିଥିଲା । ଏହି ସ୍ୱତନ୍ତ୍ର ଅଧିବେଶନରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଯାହା କହିଥିଲେ ତା’ର ସାରାଂଶ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାଙ୍କ ସଶକ୍ତିକରଣ ପାଇଁ ନିଷ୍ଠାର ସହିତ ଉଦ୍ୟମ କରୁଛନ୍ତି, କିନ୍ତୁ ବିରୋଧୀ ଅସହଯୋଗ କରୁଛନ୍ତି । ଏଇ କଥା ଆଲୋଚନା ପାଇଁ କୋଟିଏ ଟଙ୍କା ଖର୍ଚ୍ଚ କରି ବିଶେଷ ଅଧିବେଶନ ଡକାଗଲା । ହାଇରେ ଦୁର୍ଭାଗା ରାଜ୍ୟ ।
ଭିତିରିଆ ଆମେ ଯାହା ଶୁଣିଲୁ ସରକାରୀ ଦଳ କାଳେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ଆଣିଥିବା ପରିସୀମନ(ଡିଲିମିଟେସନ୍) ବିଧେୟକ ପାସ ନ ହୋଇପାରିବା ଘଟଣାକୁ ବିରୋଧ କରି ବିରୋଧୀ କଂଗ୍ରେସ ଏବଂ ବିଜେଡ଼ିକୁ ନିନ୍ଦା କରିବାକୁ ଓଡ଼ିଆ ଲୋକଙ୍କର ପାଖାପାଖି କୋଟିଏ ଟଙ୍କା ଖର୍ଚ୍ଚ କରି ଏମିତିକା ଦିନିକିଆ ବିଶେଷ ଅଧିବେଶନ ଡାକିଥିଲେ । ଏକଥା ମୁଖ୍ୟମନ୍ତ୍ରୀଙ୍କ ଭାଷଣରୁ ସ୍ପଷ୍ଟ ହୋଇ ଯାଇଥିଲା ଯେତେବେଳେ ସିଏ କହିଲେ ଯେ ବିଧାନସଭାରେ ଅନେକ ବିଧାୟକ ମହିଳା ସଂରକ୍ଷଣ ବିଲ୍କୁ ସମର୍ଥନ କରୁଛନ୍ତି । ହେଲେ ବିରୋଧୀ ଦଳ ପକ୍ଷରୁ ସେଥିରେ ‘କିନ୍ତୁ’ ‘ପରନ୍ତୁ’ ରଖି ମହିଳାଙ୍କ ପାଇଁ ଆସିଥିବା ଏକ ଐତିହାସିକ ସୁଯୋଗକୁ ଅଟକାଇବାର ଛଳନା କରାଯାଉଛି । ଦେଖିବାର କଥା ହେଉଛି ପ୍ରଥମ ଥର ବିଧାୟିକା ହୋଇ ବିଜେପିର ଏକମାତ୍ର ମହିଳା ଉପମୁଖ୍ୟମନ୍ତ୍ରୀ ହୋଇଥିବା ଶ୍ରୀମତୀ ପ୍ରଭାତୀ ପରିଡା ମହିଳାଙ୍କ କଥା ଛାଡ଼ି ଅତୀତରେ ଘଟିଥିବା ଦାନ ମାଝୀ ପ୍ରସଙ୍ଗ ଉପରେ ଜୋର ଦେଇଥିଲେ । ସେଦିନ ଅଧିବେଶନରେ ଯୋଗ ଦେଇଥିବା କିଛି ବିଧାୟକ ଆମକୁ ପଚାରିଥିଲେ- ହଇଓ ଭାଇ! ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ନା କେତେ ଆରକ୍ଷଣ ରଖିବା ପାଇଁ ଗୋଟେ ବିଧେୟକ ପରା ୨୦୨୩ରେ ସଂସଦରେ ପାରିତ ହୋଇଥିଲା? ପୁଣି ଏବେ କ’ଣ? ଯେତେବେଳେ ଥରେ ଏ ବିଧେୟକ ପାସ ହୋଇସାରିଛି, ସିଏ ଆଉ ଥରେ କାହିଁ ପାସ୍ ହୋଇଥାଆନ୍ତା? ଆଉ ତାକୁ ବିରୋଧ କିଏ, କ’ଣ ଆଉ କେମିତି କଲେ? କିଛି ତ ବୁଝି ହେଉନି । ଦ୍ୱିତୀୟ ବିଧାୟକଜଣକ କହିଥିଲେ -ଛାଡ ହୋ! ଏ ସରକାରଟା ତ କାମ କରି ଜାଣୁନି କେବଳ ‘ଶିରୋନାସ୍ତି ଶୀର ପୀଡା’ରେ ଲାଗିଛି ଆଉ କ’ଣ । ସେଇଥିପାଇଁ ନବୀନ ବାବୁ କ’ଣ କହିଲେ ଶୁଣିଲନି କି? ସିଏ ପରା ସିଧା କହିଲେ- ଏଠାରେ ଶାସନ କେବଳ ମିଛ ପ୍ରଚାର ଓ ଲୋକଦେଖାଣିଆ ପ୍ରଦର୍ଶନରେ ସୀମିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ଦେବା ପୂର୍ବରୁ ଆତ୍ମସମୀକ୍ଷା କରିବା ଉଚିତ୍ ।

ମହିଳାଙ୍କ ପାଇଁ ଓଡ଼ିଶା ବିଜେପି ତ ଅଣ୍ଟା ଭିଡ଼ୁ

ପାଠକେ! ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜିଲା କେନ୍ଦୁଝରର ଜିତୁ ମୁଣ୍ଡା ଘଟଣାରେ ପ୍ରମୁଖ ବିନ୍ଦୁଟି କିଏ? ଜଣେ ମହିଳା ନା ନାଇଁ? ଯାହାଙ୍କ ନାଁ କଲରା । ନା ନାହିଁ? କଲରା ହେଉଛନ୍ତି ଜିତୁ ମୁଣ୍ଡାଙ୍କ ଭଉଣୀ ଯାହାଙ୍କର ସ୍ୱାମୀ ଓ ପିଲା ଉଭୟ ମୃତ୍ୟୁମୁଖରେ ପଡ଼ି ସାରିଥିଲେ । ତାଙ୍କର ନିଜର ବୋଲି କେବଳ ଭାଇଟିଏ ଅଛଶ, ଜିତୁ । ସିଏ ଗୋଟିଏ ବଳଦ ବିକି ଯାହା ପଇସା ପାଇଥିଲେ ତାକୁ ସ୍ଥାନୀୟ ଗ୍ରାମୀଣ ବ୍ୟାଙ୍କରେ ରଖିଥିଲେ । ମୃତୁ୍ୟ ପୂର୍ବରୁ କଲରା କେତେଥର ସେ ବ୍ୟାଙ୍କକୁ ଯାଇଛନ୍ତି ବୋଲି ସେ ଘଟଣାର ତଦନ୍ତ କରୁଥିବା ଆର.ଡି.ସି କହି ସାରିଛନ୍ତି । ତାଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ଯାଇ ବ୍ୟାଙ୍କରେ ଯାହା ଭୋଗିଲେ ଓ ବ୍ୟାଙ୍କ ବାବୁମାନେ ତାକୁ ନେଇ ଯେତେ ମିଛ କହୁଛନ୍ତି, ତାହା ଏବେ ରାଜ୍ୟର ବଡ଼ ପ୍ରସଙ୍ଗ ହୋଇଛି ।
ଏ କଥାଟି ଓଡ଼ିଶା ବିଧାନସଭାର ଦିନିକିଆ ଅଧିବେଶନରେ ଯେଉଁ ଆଲୋଚନା ହେଲା ସେଥିରେ ଜିତୁ ଭଉଣୀ କଲରା ବା ଦାନ ମାଝୀଙ୍କ ସ୍ତ୍ରୀଙ୍କ ପରି ରାଜ୍ୟର ଅସହାୟ ମହିଳାମାନଙ୍କ ବିଷୟରେ କେତେ ଆଲୋଚନା ହେଲା? ନିଜେ ବିରୋଧୀଦଳର ନେତା କହିଲେ ରାଜ୍ୟର ବିଜେପି ସରକାରର ମହିଳା ସମ୍ମାନ ଓ ସଶକ୍ତିକରଣ ବିଷୟରେ କହିବାର କୌଣସି ଅଧିକାର ନାହିଁ । କାରଣ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜିଲ୍ଲାରେ ଏକ ନୃଶଂସ ଓ ଅମାନବୀୟ ଘଟଣା ଘଟିଛି, ଯେଉଁଥିରେ ଓଡ଼ିଶାବାସୀଙ୍କ ମୁଣ୍ଡ ଲଜ୍ଜାରେ ନଇଁଯାଇଛି । ଜଣେ ମହିଳାଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ପରିବାର ଲୋକ ତାଙ୍କ କଙ୍କାଳକୁ ବ୍ୟାଙ୍କ ବୋହି ନେବା ଘଟଣା ସରକାରର ଚରମ ସମ୍ବେଦନହୀନତାକୁ ଦର୍ଶାଉଛି । ଲୋକଙ୍କ କହିବା କଥା ଯେ ଏ କ୍ଷେତ୍ରରେ କର୍ମଚାରୀମାନେ ଯେ ମହିଳାଙ୍କ ପ୍ରତି ଆଦୌ ସମ୍ବେଦନଶୀଳ ନୁହନ୍ତି ସେକଥା ଏଇଥିରୁ ସ୍ପଷ୍ଟ ହୋଇଗଲା ଯେ ଜଣେ ମହିଳାଙ୍କର ନରକଙ୍କାଳକୁ ବ୍ୟାଙ୍କରେ ଦେଖାଇବା ପରେ ପୁଣି ତିନି କିଲୋମିଟର ଦୂରରେ ଥିବା ମଶାଣିକୁ ଫେରସ୍ତ ବୋହିନେବା ପାଇଁ ପୋଲିସ ଗାଡିଟିଏର ବ୍ୟବସ୍ଥା କରାଯାଇ ପାରିଲା ନାହିଁ । ମୃତ କଲରାର ଗଳିତ ନରକଙ୍କାଳ ଯେପରି ନିଜ ଭାଇ କାନ୍ଧରେ ବୁହାହୋଇ ଆସିଥିଲା ସେହିପରି ପୁଣି ଥରେ ତିନି କିଲୋମିଟର ତା ଭାଇ କାନ୍ଧରେ ବୁହାହୋଇ ଯାଇଥିଲା । ବର୍ତ୍ତମାନ ସରକାରର ଏକମାତ୍ର ମହିଳାମନ୍ତ୍ରୀ ଜଣେ ମହିଳାଙ୍କର କଙ୍କାଳର ଅସହାୟତାକୁ ଭୃକ୍ଷେପ ନକରି ଓଲଟା ବିଧାନସଭାରେ ପ୍ରଶ୍ନ କରୁଛନ୍ତି ଯେ ଦାନ ମାଝି ବେଳେ କ’ଣ ହୋଇଥିଲା । ମହିଳା ମନ୍ତ୍ରୀଙ୍କର ମନେ ନାହିଁ ଯେ ଏବେ ଯେଉଁ ମନ୍ତ୍ରିମଣ୍ଡଳ ଅଛି ସେଇଟା ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳ ନୁହେଁ । ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଘଟିଥିବା ଏହି ଘଟଣା ପାଇଁ ଲୋକେ ସେ ସରକାରକୁ ପ୍ରବଳ ନିନ୍ଦା କରିଥିଲେ । ଏବେ ନବୀନ ପଟ୍ଟନାୟକ ତ ଆଉ ସରକାରରେ ନାହାନ୍ତି । ତେଣୁ ଲୋକେ ନବୀନ ପଟ୍ଟନାୟକଙ୍କୁ କହିବେ କି? ତୁମକୁ କହିବେ ନା ।
ଇଏତ ହେଲା ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝରର ଘଟଣା । ଏଥର ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପୁରୀ ଘଟଣାକୁ ଦେଖନ୍ତୁ । ଜିଲ୍ଲାର ସତ୍ୟବାଦୀ ବ୍ଲକର ସାରଙ୍ଗଯୋଡ଼ି ଗାଁ’ର ୮୫ବର୍ଷ ବୟସ୍କା ଜଣେ ବୃଦ୍ଧା ମହିଳା, ସୁକାନ୍ତୀ ଦେଇ ତାଙ୍କ ଭତ୍ତା ଗଣ୍ଡାକ ପାଇବାପାଇଁ ଖରାରେ ଦୁଇ କିଲୋମିଟର ବାଟ ଦଉଡୁଛନ୍ତି । ତିନିଦିନ ତଳେ ଖରାରେ ବେହୋସ ହୋଇ ରାସ୍ତାରେ ପଡ଼ିଥିବାର ଲୋକେ ଦେଖିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ମେଡିକାଲରେ ଭର୍ତ୍ତି କଲେ । ଯାହା ଶୁଣିଲୁ ତାଙ୍କୁ ପେନସନ ଟଙ୍କା କେତୁଟା ତାଙ୍କୁ ଠିକଠାକ ମିଳୁନାହିଁ । ସେକଥା ସତ୍ୟବାଦୀ ବିଡିଓ ଦେବାଶୀଷ ନାୟକ ମଧ୍ୟ ମାନୁଛନ୍ତି । ତାଙ୍କର କହିବା କଥା ଯେ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ଆଇଏଫ୍ଏସ୍ସି କୋର୍ଡରେ କ’ଣ ଟେକ୍ନିକାଲ ସମସ୍ୟା ହୋଇଛି ତେଣୁ ପେନସନ ମିଳିବାରେ ଅସୁବିଧା ହେଉଛି । ପ୍ରଶ୍ନ ଉଠୁଛି ସେ ଯାହାବି ଟେକ୍ନିକାଲ ସମସ୍ୟା ଅଛି ତାକୁ କ’ଣ ଏହି ୮୫ବର୍ଷ ବୟସ୍କା ଗାଉଁଲୀ ବୁଢୀଜଣକ ଠୁକୁ ଠୁକୁ ଚାଲି ଠିକ କରି ଦେଇପାରିବେ । ବାବୁମାନେ ତାକୁ ଠିକ କରି ପେନସନ ଗଣ୍ଡାକ ଦେଇଦେଲେ ଅସୁବିଧା କ’ଣ ? ବାବୁମାନେ ତ ଏଇଟା ମାଗଣା କରୁନାହାନ୍ତି । ସେଥିପାଇଁ ଲୋକଙ୍କଠାରୁ ମୋଟା ଦରମା ନେଉଛନ୍ତି । ସରକାର ଏତିକି ବୁଝୁ ନାହାନ୍ତି କାହିଁକି?

Comments

0 comments

Share This Article