ନଦୀ-କେନ୍ଦ୍ରିକ କଥାସାହିତ୍ୟ କହିଲେ ଏମିତି ସାହିତ୍ୟକୁ ବୁଝାଏ ଯେଉଁଠି ନଈଟିଏ କାହାଣୀର କେନ୍ଦ୍ରିୟ ଚରିତ୍ର, ପଟ୍ଟଭୂମି ଅଥବା ରୂପକ ଭାବରେ ବ୍ୟବହୃତ ହୁଏ । ସଭ୍ୟତାର ବିକାଶରେ, ବିଶେଷ କରି ଭାରତୀୟ ସଭ୍ୟତାର ବିକାଶରେ ନଈର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
ସେଥିପାଇଁ ପ୍ରାଚୀନ ବୈଦିକ ସାହିତ୍ୟରୁ ଆଧୁନିକ ଉପନ୍ୟାସ ପର୍ଯ୍ୟନ୍ତ ନଈ ଗୋଟେ ଗୁରୁତ୍ୱପୂର୍ଣ୍ଣ ମୋଟିଭ ଭାବରେ ଉପସ୍ଥିତ । ନଈକୁ କେତେବେଳେ ମାତୃ ରୂପରେ, କେତେବେଳେ ଜୀବନଦାୟିନୀ ଶକ୍ତି ଭାବରେ ପୁଣି କେତେବେଳେ ଧ୍ୱଂସର ପ୍ରତୀକ ଭାବରେ ଦେଖାଯାଇଛି । ଏହି ପ୍ରେକ୍ଷାପଟରେ ନଦୀ-କେନ୍ଦ୍ରିକ କଥାସାହିତ୍ୟ ଏକ ବିଶେଷ ସାହିତ୍ୟ ଧାରା ଭାବରେ ବିବେଚିତ ହେଇପାରେ ।
ଭାରତୀୟ ନଦୀ-କେନ୍ଦ୍ରିକ କଥା ସାହିତ୍ୟର ଐତିହାସିକ ପ୍ରେକ୍ଷାପଟକୁ ଦେଖିଲେ ପ୍ରାଚୀନ ଭାରତୀୟ ସାହିତ୍ୟରେ ନଈର ଉଲ୍ଲେଖ ଧାର୍ମିକ ଓ ପୌରାଣିକ ତାତ୍ପର୍ଯ୍ୟ ସହିତ ଯୁକ୍ତ । ଯେମିତି ଗଙ୍ଗା ନଈକୁ ପବିତ୍ରତାର ପ୍ରତୀକ ଭାବରେ ଉପସ୍ଥାପନ କରାଯାଇଛି । ଭାରତୀୟ ଉପ-ମହାଦେଶର ସାହିତ୍ୟ ଧାରାରେ ନଦୀ କେବଳ ଭୌଗଳିକ ଉପାଦନ ନୁହେଁ, ବରଂ ଏହା ଏକ ଜୀବନ୍ତ ସାଂସ୍କୃତିକ ପ୍ରତୀକ ।
ଆଧୁନିକ ସାହିତ୍ୟରେ ନଈକୁ ଆହୁରି ବାସ୍ତବ ଓ ସାମାଜିକ ପ୍ରେକ୍ଷାପଟରେ ଦେଖାଦେଇଛି । ଉଦାହରଣସ୍ୱରୂପ ବଙ୍ଗଳା ସାହିତ୍ୟରେ ମାନିକ ବନେ୍ଦାପାଧ୍ୟାୟଙ୍କର ‘ପଦ୍ମା ନଦୀର ମାଝି’ (୧୯୩୬) ନଦୀ କେନ୍ଦ୍ରିକ ସାହିତ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଉଦାହରଣ । ଏଠି ପଦ୍ମା ନଈ ଜୀବିକା, ଦାରିଦ୍ର୍ୟ ଓ ମାନବିକ ସମ୍ପର୍କର ପ୍ରତୀକ । ସମାନ ଭାବରେ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ଅମିତାଭ ଘୋଷଙ୍କର ‘ଦ ହଙ୍ଗ୍ରୀ ଟାଇଡ’ (୨୦୦୪) ଉପନ୍ୟାସରେ ସୁନ୍ଦରବନର ନଈ ଓ ଜୁଆର ଭଟ୍ଟା ମଣିଷର ଜୀବନ ଓ ପରିବେଶଗତ ସଙ୍କଟ ସହିତ ଯୁକ୍ତ ହେଇଛି । ନଦୀକେନ୍ଦ୍ରିକ କଥା ସାହିତ୍ୟରେ ପରିବେଶଗତ ସଙ୍କଟ ଗୋଟେ ଗୁରୁତ୍ୱପୂର୍ଣ୍ଣ ଥିମ୍ । ଶିଳ୍ପାୟନ, ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଫଳରେ ନଈର ଅସ୍ତିତ୍ୱ ବର୍ତ୍ତମାନ ସଙ୍କଟାପନ୍ନ । ସାହିତ୍ୟ ଏହି ସଙ୍କଟକୁ ପ୍ରତିଫଳିତ କରେ ଏବଂ ପରିବେଶ ସଚେତନତା ଗଢ଼ି ତୋଳିବା ପାଇଁ ସହାୟତା କରେ । ‘ଦ ହଙ୍ଗ୍ରୀ ଟାଇଡ’ ଉପନ୍ୟାସଟିକୁ ଏହାର ଏକ ଉଦାହରଣ ଭାବରେ ନିଆଯାଇପାରେ ।
ଭାରତୀୟ ସମାଜରେ ନଈ ଦୈନନ୍ଦିନ ଜୀବନ ଓ ଅର୍ଥନୀତି ସହିତ ଅନେକ ସମୟରେ ଧାର୍ମିକ ଆଚାର ସହିତ ବି ଗଭୀର ଭାବରେ ଯୁକ୍ତ । ନଈକୁ କେନ୍ଦ୍ରକରି ଗଢ଼ି ଉଠିଥିବା ଲୋକ ସଂସ୍କୃତି, ଗୀତ, ଉତ୍ସବ ଏବଂ ଆଚାର ଅନୁଷ୍ଠାନ ସାହିତ୍ୟରେ ବି ପ୍ରତିଫଳିତ ହେଇଛି ।
ନଈ ଅନେକ ସମୟରେ ସ୍ମୃତି ଓ ନଷ୍ଟାଲଜିଆର ବାହକ ଭାବରେ କାମ କରିଛି । ଦେଶଭାଗ ସାହିତ୍ୟ (ପାର୍ଟିସନ ଲିଟରେଚର)ରେ ନଈ ଏକା ସାଙ୍ଗରେ ଏକ ବିଭାଜନ ରେଖା ଏବଂ ହଜିଯାଇଥିବା ଆତ୍ମ-ପରିଚୟର ପ୍ରତୀକ ।
ରୂପକ ଭାବରେ ନଈକୁ ମଧ୍ୟ ବ୍ୟବହାର କରାଯାଇଛି । ସାହିତି୍ୟକମାନେ ନଈର ଗତିଶୀଳତାକୁ ମାନବ ଜୀବନର ଅନିଶ୍ଚୟତା ଆଉ ପରିବର୍ତ୍ତନ ସହିତ ତୁଳନା କରିଛନ୍ତି । ଏହି ରୂପକଧର୍ମୀ ବ୍ୟବହାର ନଈକୁ କେବଳ ଏକ ପ୍ରାକୃତିକ ଉପାଦାନ ନୁହେଁ ବରଂ ଗୋଟେ ଦାର୍ଶନିକ ଧାରଣାରେ ରୂପାନ୍ତରିତ କରେ । ଜୀବନର ପ୍ରବାହ, ପରିବର୍ତ୍ତନ ଏବଂ ସମୟର ପ୍ରତୀକ ଭାବରେ ନଈକୁ ବ୍ୟବହାର କରାଯାଇଛି ।
ନଦୀମାତୃକା ଭାରତବର୍ଷରେ ନଦୀକୁ ନେଇ ପ୍ରାଚୀନ ଯୁଗରୁ ଆଧୁନିକ ଓ ଉତ୍ତର-ଆଧୁନିକ ଯୁଗ ଯାଏଁ ବିଭିନ୍ନ ଭାଷାରେ ବହୁ ଗୀତ, କବିତା, ଗଳ୍ପ, ଉପନ୍ୟାସ ଲେଖା ଯାଇଛି ।
ମାନିକ ବନେ୍ଦାପାଧ୍ୟାୟଙ୍କ ଧୃପଦୀ ବଙ୍ଗଳା ଉପନ୍ୟାସ ‘ପଦ୍ମା ନଦୀର ମାଝୀ'(୧୯୩୬)ରେ ଗ୍ରାମୀଣ ବଙ୍ଗପ୍ରଦେଶର କେଉଟ ସମ୍ପ୍ରଦାୟର ଲୋକମାନଙ୍କର ପ୍ରକୃତି ଏବଂ ସାମାଜିକ ଅବିଚାର ବିରୋଧରେ ସଂଗ୍ରାମର କାହାଣୀ । ପ୍ରଖ୍ୟାତ ବଙ୍ଗୀୟ ଔପନ୍ୟାସିକ ବିଭୁତିଭୂଷଣ ବନେ୍ଦାପାଧ୍ୟାୟ (୧୮୯୪-୧୯୫୦) ଇଚ୍ଛାମତୀ ନଦୀକୁ ନେଇ ଲେଖିଥିଲେ ତାଙ୍କର କାଳଜୟୀ ଉପନ୍ୟାସ ‘ଇଚ୍ଛାମତୀ’ । ୧୯୫୦ ମସିହା ଜାନୁଆରୀ ମାସରେ ଏହା ପ୍ରକାଶିତ ହୋଇଥିଲା । ସେହିବର୍ଷ ନଭେମ୍ବର ମାସରେ ତାଙ୍କ ଦେହାନ୍ତ ହୋଇଥିଲା ।
ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ବ୍ରିଟିଶଶାସିତ ବଙ୍ଗପ୍ରଦେଶରେ ଇଚ୍ଛାମତୀ ନଦୀକୂଳରେ ବସବାସ କରୁଥିବା ଲୋକମାନଙ୍କ କାହାଣୀ ଏ ଉପନ୍ୟାସ । ଜଣେ କୁଳୀନ ବ୍ରାହ୍ମଣ ଭବାନୀଶଙ୍କରଙ୍କ ଜୀବନ ଜରିଆରେ ଏକ କାଳଖଣ୍ଡର ସାମାଜିକ ଇତିହାସ ଏ ଉପନ୍ୟାସ । ନୀଳ ଚାଷର ପ୍ରେକ୍ଷାପଟରେ ଲିଖିତ ଏ ଉପନ୍ୟାସରେ ଇଚ୍ଛାମତୀ ନଦୀର ପ୍ରବାହ ଭଳି ଲୋକମାନଙ୍କ ଜୀବନର ସୁଖଦୁଃଖ କଥା କୁହାଯାଇଛି, ଜୀବନର ଅର୍ଥ ଖୋଜିବାର ଚେଷ୍ଟା କରାଯାଇଛି । ଏହି ଉପନ୍ୟାସଟି ବିଭିନ୍ନ ଭାରତୀୟ ଏବଂ ବିଦେଶୀଭାଷାରେ ଅନୁଦିତ ହୋଇଛି । ୧୯୯୦ରେ ଲକ୍ଷ୍ମୀନାରାୟଣ ମହାନ୍ତି ଏହାକୁ ଓଡ଼ିଆରେ ଅନୁବାଦ କରିଥିଲେ ।
ବୈତରଣୀ ନଦୀରେ ବନ୍ୟା ପ୍ରେକ୍ଷାପଟରେ ଲିଖିତ ଡ଼ ପ୍ରସନ୍ନ କୁମାର ମିଶ୍ର (୧୯୪୧-୨୦୧୪)ଙ୍କ ଉପନ୍ୟାସ ‘ବଢ଼ି ପାଣିର ଦାନ୍ତ’ ପ୍ରକାଶିତ ହୋଇଥିଲା ୧୯୭୫ରେ । ପ୍ରକାଶକ ଅଧୁନା ପ୍ରକାଶନ । ପରେ ଏହାର ଇଂରାଜୀ ଅନୁବାଦ ‘ଦି ଫ୍ୟାଙ୍ଗଲଡ ୱାଟର’ ଶୀର୍ଷକରେ ପ୍ରକାଶିତ ହୋଇଛି ।
ଅଦ୍ୱୈତ ମଲ୍ଲବର୍ମନ (୧୯୧୪-୧୯୫୧)ଙ୍କ ‘ତିତାସ ଏକଟି ନଦୀର ନାମ’ (ତିତାସ ଏକ ନଈର ନାଁ) ପ୍ରକାଶିତ ହୋଇଥିଲା ୧୯୫୬ରେ । ଏହାର କାହାଣୀ ଅବଲମ୍ବନରେ ଋତ୍ୱିକ ଘଟକ ୧୯୭୩ରେ ନିର୍ମାଣ କରିଥିଲେ ଏକ ଅବିସ୍ମରଣୀୟ ଚଳଚ୍ଚିତ୍ର । ତିତାସ ନଈ କୂଳରେ ବସବାସ କରୁଥିବା କେଉଟ ସମ୍ପ୍ରଦାୟର ଜୀବନ ଏବଂ କ୍ରମପରିବର୍ତ୍ତନ ଉପରେ ଲେଖାଯାଇଛି ଏହି ଧ୍ରୁପଦୀ ଉପନ୍ୟାସଟି ।
ମହାନଦୀକୁ ନେଇ ଅନିତା ଅଗ୍ନିହୋତ୍ରୀଙ୍କ ଉପନ୍ୟାସ ‘ମହାନଦୀ’ ପ୍ରଥମେ ବଙ୍ଗଳା ଭାଷାରେ ପ୍ରକାଶିତ ହୋଇଥିଲା ୨୦୧୫ରେ । ପରେ ପରେ ଏହା ଓଡ଼ିଆ, ଇଂରାଜୀ, ହିନ୍ଦୀ ଏବଂ ଅନ୍ୟାନ୍ୟ ଭାଷାରେ ପ୍ରକାଶିତ ହୋଇଛି । ଏଥିରେ ମହାନଦୀକୁ ନେଇ ଥିବା ନାନା କିମ୍ବଦନ୍ତୀ ଏବଂ କାହାଣୀକୁ ବର୍ଣ୍ଣନା କରାଯାଇଛି । ମହାନଦୀ କୂଳବର୍ତ୍ତୀ ଗ୍ରାମଗୁଡ଼ିକରେ ରହୁଥିବା ବିଭିନ୍ନ କାଳଖଣ୍ଡର ଲୋକଙ୍କ କଥା କୁହାଯାଇଛି ଏଥିରେ ।
ସୁବର୍ଣ୍ଣରେଖା ନଦୀକୁ ନେଇ ନଳିନୀ ବେରାଙ୍କ ଉପନ୍ୟାସ ‘ସୁବର୍ଣ୍ଣରେଣୁ ସୁବର୍ଣ୍ଣରେଖା’ ପ୍ରକାଶିତ ହୋଇଥିଲା ୧୯୯୯ରେ ।
ପ୍ରତିଭା ରାୟଙ୍କ ‘ମଗ୍ନମାଟି’ ୧୯୯୯ ମହାବାତ୍ୟା ପ୍ରେକ୍ଷାପଟରେ ଲିଖିତ ଏକ ଅବିସ୍ମରଣୀୟ ଉପନ୍ୟାସ । ଗୋଟେ ଛୋଟନଈକୁ ପ୍ରତୀକ ଭାବରେ ନେଇ ସମାଜର କ୍ରମପରିବର୍ତ୍ତନ ଦର୍ଶାଇଛନ୍ତି କନିଷ୍କ ତାଙ୍କ ‘ଘାଟ’ ଉପନ୍ୟାସରେ । ରଞ୍ଜନ ପ୍ରଧାନଙ୍କ ପ୍ରଥମ ଉପନ୍ୟାସ ‘ବୁଢ଼ାବଳଙ୍ଗର ମାଝୀ’ (୨୦୧୯)ର ପଟ୍ଟଭୂମି ହେଲା ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲା ଦେଇ ପ୍ରବାହିତ ‘ବୁଢ଼ାବଳଙ୍ଗ’ ନଈ । ଏ ଉପନ୍ୟାସର କାହାଣୀଠୁ ଅଧିକ ରମ୍ୟ ଏହାର ପଟ୍ଟଭୂମି । ଶିମିଳିପାଳ ଜଙ୍ଗଲରେ ଏ ନଈର ଜନ୍ମ । ସେଠିକାର ଜୈବ ବିବିଧତା, ସେଠି ବସବାସ କରୁଥିବା ପ୍ରାଚୀନ ଜନଜାତି ଗୋଷ୍ଠୀଙ୍କ ଜୀବନଶୈଳୀର ବର୍ଣ୍ଣନା ରହିଛି ଏଥିରେ । ତା’ସହିତ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ସଂସ୍କୃତି, ବାଲେଶ୍ୱର ବନ୍ଦର, କୀର୍ତ୍ତନୀୟା ବନ୍ଦର, ବାଲେଶ୍ୱର ସହରରେ ଥିବା ୟୁରୋପୀୟ ବସତି, ବାଲେଶ୍ୱର ଉପକୂଳ ଅଞ୍ଚଳରେ ପର୍ତ୍ତୁଗୀଜ ଜଳଦସ୍ୟୁ ଆତଙ୍କ -ଏସବୁର ବର୍ଣ୍ଣନା ବି ରହିଛି ଏଥିରେ । ତାଙ୍କର ନଦୀକେନ୍ଦ୍ରୀକ ଆଉ ଗୋଟେ ଉପନ୍ୟାସ ହେଲା ‘ଗୋବରୀ ନଈର ଗୀତ’ (୨୦୨୪) । ୧୯୮୨ ବନ୍ୟାରେ ବାଙ୍କୀ ଅଞ୍ଚଳରେ ପୁଣି ଆତ୍ମପ୍ରକାଶ କରିଥିବା ‘ରେଣୁକା ନଈ’କୁ ନେଇ କବିତା ବାରିକ ଏକ ଉପନ୍ୟାସ ଲେଖିଛନ୍ତି ‘ଜୀବନ ନଈ’ (୨୦୦୨) । ତାଙ୍କର ଆଉ ଏକ ନଦୀକେନ୍ଦ୍ରୀକ ଉପନ୍ୟାସ ହେଲା ‘ହୀରାକୁଦ ବନ୍ଧ କହେ’ (୨୦୨୫) । ରାଜ୍ୟବର୍ଦ୍ଧନ ଧଳ ମହାପାତ୍ରଙ୍କର ‘ନଦୀ ନିରବଧି’ (୨୦୨୪) ଆଉ ଏକ ସୁନ୍ଦର ନଦୀକେନ୍ଦ୍ରୀକ ଉପନ୍ୟାସ ।
ଆସାମୀ (ଅହମିୟା) ଭାଷାରେ ନିରୁପମା ବଡ଼ଗୋହାଁଇ ୧୯୮୭ରେ ନଦୀ ପ୍ରେକ୍ଷାପଟରେ ଗୋଟେ ଉପନ୍ୟାସ ଲେଖିଛନ୍ତି ‘ସେଇ ନଦୀ ନିରବଧି’ । ରୁଦ୍ରାଣୀ ଶର୍ମାଙ୍କ ଉପନ୍ୟାସ ‘କହିବୁନେର ମାଲିତା’ (କାଶତଣ୍ଡୀର ଗୀତ; ପ୍ରଥମ ପ୍ରକାଶ ୨୦୧୯) ବ୍ରହ୍ମପୁତ୍ର ନଈ ଚରରେ ବସବାସ କରୁଥିବା ବାଂଲାଦେଶର ମୁସଲମାନ (ସ୍ଥାନୀୟ ଭାଷାରେ ମିଆଁ ମୁସଲମାନ) ସମ୍ପ୍ରଦାୟର ଜୀବନ କାହାଣୀ । ଏ ଉପନ୍ୟାସରେ ନଈକୁ ଏକ ଅପରାଧୀ ଭାବେ ଚିତ୍ରଣ କରାଯାଇଛି, ଯିଏ ପ୍ରତିବର୍ଷ ବନ୍ୟାରେ ଲୋକଙ୍କ ଘର ଉଜାଡ଼ି ଦିଏ ।
ହିନ୍ଦୀ ଭାଷାରେ ନଈକୁ ନେଇ ଅନେକ ଗଳ୍ପ ଉପନ୍ୟାସ ଲେଖାଯାଇଛି । ଅମୃତଲାଲ ଭେଗଡ଼ଙ୍କ ‘ଅମୃତସ୍ୟ ନର୍ମଦା’ ଏକ ଅଭିନବ ଭ୍ରମଣ କାହାଣୀ । ଲେଖକ ନିଜେ ନର୍ମଦାନଦୀର ଦକ୍ଷିଣକୂଳ ୧୮୦୦ କିଲୋମିଟର ପାଦରେ ଚାଲି ଚାଲି ଏ ନଦୀ ସମ୍ପର୍କରେ ପ୍ରତ୍ୟକ୍ଷ ଅଭିଜ୍ଞତା ଆଧାରରେ ଏହାକୁ ଲେଖିଛନ୍ତି । ଏହି ଉପନ୍ୟାସଟି ବିଭିନ୍ନ ଭାରତୀୟ ଭାଷାରେ ଅନୁଦିତ ହୋଇଛି ।
ତାମିଲ ଭାଷାରେ ବି ଅନେକ ନଦୀ-କେନ୍ଦ୍ରୀକ କଥାସାହିତ୍ୟ ରହିଛି । କଳ୍କୀ କୃଷ୍ଣମୂର୍ତ୍ତିଙ୍କ ଧୃପଦୀ ଏତିହାସିକ ଉପନ୍ୟାସ ‘ପନିୟନ ସେଲଭାନ’ (କାବେରୀ ନଦୀର ପୁଅ, ୧୯୫୫)ରେ କାବେରୀ ନଦୀ କେବଳ ପ୍ରେକ୍ଷାପଟ ନୁହେଁ, ବରଂ ସୂତ୍ରଧରର କାମ କରେ । ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲକ୍ଷ୍ମୀ ତ୍ରିପୁରାସୁନ୍ଦରୀଙ୍କର ଉପନ୍ୟାସ ‘ଓରୁ କାବେରୀଆଇ ପୋଲା’ (କାବେରୀ ନଈ ପରି, ୧୯୮୪)ରେ ନଈକୁ ଏକ ରୂପକ ଭାବେ ବ୍ୟବହାର କରାଯାଇଛି ।
ଏ. ମାଧବନଙ୍କ ପୁନାଲୁମ ମନାଳମ (ଏକ ନଈ କୂଳରେ, ୧୯୭୪) ଉପନ୍ୟାସରେ ନଈ ଉପରେ ଜୁଲମ (ଏ କ୍ଷେତ୍ରରେ ନିର୍ବିଚାର ଭାବେ ବାଲି ଉତ୍ତୋଳନ)ର ଫଳ କଣ ହୁଏ, ତାହା ମାର୍ମିକଭାବେ ଦର୍ଶାଯାଇଛି ।
ଭାରତର ପ୍ରଥମ ଗ୍ରାଫିକ ନଭେଲ (ଚିତ୍ର ଉପନ୍ୟାସ) ‘ରିଭର ଅଫ୍ ଷ୍ଟୋରିଜ’ ନର୍ମଦା ନଦୀ ଏବଂ ନଦୀବନ୍ଧ ଯୋଜନାକୁ ନେଇ ଲେଖାଯାଇଛି । ଅରିଜିତ ସେନ ଏହାକୁ ଲେଖିଛନ୍ତି,୧୯୯୪ରେ ପ୍ରକାଶିତ ହୋଇଥିଲା ।
ଖୋଜି ବସିଲେ ବିଭିନ୍ନ ଭାରତୀୟ ଭାଷାରେ ଏମିତି ଅନେକ ନଦୀକେନ୍ଦ୍ରୀକ ଉପନ୍ୟାସ କଥା କୁହାଯାଇପାରିବ ।
ନଦୀକେନ୍ଦ୍ରୀକ ଗଳ୍ପ, କାହାଣୀ, ଉପନ୍ୟାସକୁ ନେଇ ଏକ ଭିନ୍ନ ଗଳ୍ପ-ଧାରା ଜନ୍ମନେଇଛି ବୋଲି କହନ୍ତି ‘ୠତଲେଜ’ରୁ ମାର୍ଚ୍ଚ ୨୦୨୫ରେ ପ୍ରକାଶିତ ‘ରିଭର ଫିକସନ୍ ଅଫ୍ ଇଣ୍ଡିଆ’ ପୁସ୍ତକର ସମ୍ପାଦକ ଶୁଭଦୀପ ରାୟ । ତାଙ୍କ ମତରେ ନଦୀକେନ୍ଦ୍ରୀକ ଏବଂ ନଦୀ କୂଳରେ ବସବାସକାରୀ ଲୋକମାନଙ୍କ ଗଳ୍ପ, କାହାଣୀ, କଥା, କିମ୍ବଦନ୍ତୀ – ସେମାନଙ୍କ ଜୀବନ, ପରିବେଶ ଉପରେ ନିର୍ଭରଶୀଳତା, ଭୌଗଳିକ ଏବଂ ଐତିହାସିକ ପ୍ରେକ୍ଷାପଟ, ଅର୍ଥନୀତି ଓ ରାଜନୀତି – ଏସବୁ ଭାରତୀୟ ଗଦ୍ୟ କାହାଣୀର ଏକ ଭିନ୍ନ ଧାରା ସୃଷ୍ଟି କରିଛି ।
ଆଧୁନିକ ଓ ଉତ୍ତର-ଆଧୁନିକ ଓଡ଼ିଆ କଥାସାହିତ୍ୟରେ ‘ନଦୀ’କୁ ନୂତନ ଏବଂ ସମସାମୟିକ ପ୍ରସଙ୍ଗଗୁଡିକୁ ରେଖାଙ୍କିତ କରିବା ପାଇଁ ବ୍ୟବହାର କରାଯାଇଛି । ବନ୍ଧ ନିର୍ମାଣ, ବନ୍ୟା, ପରିବେଶ ଦୂଷଣ ଓ ଜନସ୍ଥାନାନ୍ତରଣ ପରି ପ୍ରସଙ୍ଗଗୁଡ଼ିକ ନଦୀକୁ କେନ୍ଦ୍ର କରି ଗଢ଼ାଯାଇଛି । ନଦୀ ଏଠାରେ ଏକ ସଂଘର୍ଷର ମଞ୍ଚ-ଉନ୍ନତି ଓ ପ୍ରକୃତି ମଧ୍ୟରେ ଦ୍ୱନ୍ଦ୍ୱର ପ୍ରତୀକ ।
ନଦୀକେନ୍ଦ୍ରୀକ ଭାରତୀୟ ସାହିତ୍ୟର ଏକ ଅନ୍ୟତମ ଦିଗ ହେଉଛି ଏହାର କାବ୍ୟମୟ ଭାଷା ଓ ପରିବେଶ ଚିତ୍ରଣ । ନଦୀର ଲହରି, ଧାରା, ତୀର, ଓ ଋତୁ ପରିବର୍ତ୍ତନକୁ ଲେଖକମାନେ ଏମିତି ଭାବରେ ଅଙ୍କନ କରିଛନ୍ତି ଯେ ପାଠକ ମନରେ ଏକ ସଜୀବ ଚିତ୍ର ଗଢ଼ିଉଠେ ।
ଉପସଂହାର
ଭାରତୀୟ ନଦୀକେନ୍ଦ୍ରୀକ କଥାସାହିତ୍ୟ ଏକ ବହୁମାତ୍ରିକ ସାହିତ୍ୟ ଧାରା ଯେଉଁଠି ପରିବେଶ, ସମାଜ, ସଂସ୍କୃତି ଏବଂ ଦାର୍ଶନିକ ଭାବନା ଏକା ସାଙ୍ଗରେ ମିଶିଯାଇଛନ୍ତି । ନଈ ଏଠି କେବଳ ଏକ ପଟ୍ଟଭୂମି ନୁହଁ; ବରଂ ଏକ ସକ୍ରିୟ ଚରିତ୍ର ଯାହା ମାନବଜୀବନର ନାନା ଦିଗକୁ ପ୍ରଭାବିତ କରେ ।
ନଦୀକେନ୍ଦ୍ରିକ କଥାସାହିତ୍ୟ କେବଳ ପ୍ରକୃତିର ବର୍ଣ୍ଣନା ନୁହେଁ, ଏହା ଜୀବନର ଏକ ଗଭୀର ଦାର୍ଶନିକ ଅନୁସନ୍ଧାନ । ନଦୀ ଏଠାରେ ସମୟ, ସ୍ମୃତି, ସଂଘର୍ଷ ଓ ସ୍ୱପ୍ନର ପ୍ରତୀକ ଭାବେ ପ୍ରବାହିତ ହୋଇଚାଲିଛି । ନଦୀକେନ୍ଦ୍ରିକ ସାହିତ୍ୟ ପ୍ରକୃତି ଓ ମଣିଷର ସମ୍ପର୍କକୁ ନିବିଡ଼ ଭାବେ ବୁଝିବାରେ ସାହାଯ୍ୟ କରେ ।
ଓଡ଼ିଆ ସାହିତ୍ୟର ଏହି ଧାରା ଆମକୁ ସ୍ମରଣ କରାଏ-ନଦୀ ଭଳି ମାନବ ଜୀବନ ମଧ୍ୟ ଏକ ଅବିରାମ ଯାତ୍ରା ହୋଇପାରେ -ତେବେ ଅନନ୍ତ ହେବ କି ନାହିଁ-ତାହା ଅନେକଗୁଡ଼ିଏ ପ୍ରସଙ୍ଗ ଉପରେ ନିର୍ଭର କରିବ -ତା ଭିତରୁ ମଣିଷ ନଦୀକୁ ସମ୍ମାନ କରୁଛି କି ନାହିଁ, ନଦୀକୁ ବଞ୍ଚିବାକୁ ଦେଉଛି କି ନାହିଁ-ସବୁଠୁ ବଡ଼ ପ୍ରସଙ୍ଗ । ଭବିଷ୍ୟତରେ ପରିବେଶଗତ ସଙ୍କଟର ପ୍ରେକ୍ଷାପଟରେ ଏହି ସାହିତ୍ୟ ଧାରା ଆହୁରି ଗୁରୁତ୍ୱପୂର୍ଣ୍ଣ ହେଇ ଉଠିବ ।
ଡଃ ମୃଣାଳ ଚାଟ୍ଟାର୍ଜୀ
୯୪୩୭୦ ୨୬୧୯୪// mrinalchatterjeeiimc@gmail.com
Comments
0 comments

