ବାଟବଣା ବିକାଶ…ସେବେ ଦାନ ମାଝୀ, ଏବେ ଜିତୁ ମୁଣ୍ଡାମାନେ

7 Min Read

ବିକାଶର ରାସ୍ତା ବାଟବଣା ଏମାନଙ୍କ ମାଧ୍ୟମରେ ହୋଇଯାଇଥିବା କଥା ତୁହାକୁ ଥୁହା ଆମ ପାଖରେ ପହଞ୍ଚୁଛି । ଅନେକ ଅନାଲୋଚିତ ଦିଗ ମଧ୍ୟ ଉନ୍ମୋଚିତ ହୋଇଯାଇଛି ।
୨୦୧୬ ମସିହାର କଳାହାଣ୍ଡିର ଦାନ ମାଝି ଘଟଣାର ଦୀର୍ଘ ୧୦ବର୍ଷ ମଧ୍ୟରେ ଏମିତି ଶହଶହ ଘଟଣା ଘଟି ଆସୁଥିବାବେଳେ, ତାର ନିରାକରଣ ଅପେକ୍ଷା ପ୍ରଶାସନିକ ଅବହେଳା, ସାହୁକାର ବା ପୁଞ୍ଜିପତିର ମାନସିକତା ନେଇ ସରକାରୀ ପଦାଧିକାରୀମାେନେ ଯେତେବେଳେ ସାଧାରଣ ମଣିଷଟିକୁ ତୁଚ୍ଛ ଦ୍ରବ୍ୟ ଭଳି ବ୍ୟବହାର କରନ୍ତି, ନିଜ ଭିଟାମାଟିରେ କାଇଁ କେଉଁ ଅନାଦିକାଳରୁ ରହି ଆସୁଥିବା ଆଦିବାସୀ ପରିବାରଗୁଡ଼ିକୁ ବଳର୍ପୂବକ କମ୍ପାନୀ ସ୍ୱାର୍ଥରେ ମାରପିଟ କରାଇବା, ମିଥ୍ୟା ମକଦ୍ଦାମରେ ଫସାଇ ଜେଲରେ ଚାରିକାନ୍ଥରେ ସଢ଼େଇବା ଭଳି ଘୃଣ୍ୟ ଘଟଣାମାନ ସ୍ପଷ୍ଟ ଦିବାଲୋକରେ ଘଟିଚାଲିଛି ।
ଓଡ଼ିଶାରେ ହିଁ ଏମିତି କେବଳ କାହିଁକି ଘଟେ ? ୨୦୧୬ରେ କଳାହାଣ୍ଡି ଜିଲ୍ଲାର ଆଦିବାସୀ ବାପୁଡ଼ା ଦାନ ମାଝୀଙ୍କର ଏକ କାର୍ଯ୍ୟ କେବଳ ଓଡ଼ିଶାରେ ନୁହେଁ, ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଭବାନୀପାଟଣାସ୍ଥିତ ଜିଲ୍ଲା ସରକାରୀ ଚିକିତ୍ସାଳୟରେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିବା ପରେ ଦାନ ଉପାୟଶୂନ୍ୟ ହୋଇ ପତ୍ନୀଙ୍କର ମୃତଦେହକୁ ନିଜ କାନ୍ଧରେ ବହନ କରି ଚାଲିଚାଲି ନିଜର ଗ୍ରାମ ଅଭିମୁଖେ ଦୀର୍ଘପଥ ଯାତ୍ରା କରିବାର ଦୃଶ୍ୟ ଥିଲା ଏଇ ଲୋମଟାଙ୍କୁରା କାରଣ । ସେଇ ଦୃଶ୍ୟକୁ ଯାହା ଆହୁରି ହୃଦୟ ବିଦାରକ କରିଥିଲା, ତାହା ହେଲା ସେଥିରେ ଅନ୍ତର୍ଭୁକ୍ତ ଥିବା ତାଙ୍କର ସହଯାତ୍ରୀଙ୍କ ପରିଚୟ-ତାଙ୍କର ବାରବର୍ଷ ବୟସର ଶୋକାକୁଳା କନ୍ୟା । ବର୍ତ୍ତମାନ ଓଡ଼ିଶାର ଅନ୍ୟ ଏକ ଜିଲ୍ଲାରେ ଅନ୍ୟ ଜଣେ ଜନଜାତି ନାଗରିକ ଦାନ ମାଝୀଙ୍କଠାରୁ ଆଉ ପାଦେ ଆଗେଇ ଯାଇ ଯେଉଁ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଛନ୍ତି ତାହା ପୁଣି ଥରେ ସୃଷ୍ଟି କରିଥିବା ଚାଞ୍ଚଲ୍ୟ ଦାନ ମାଝୀ ସୃଷ୍ଟି କରିଥିବା ଚାଞ୍ଚଲ୍ୟକୁ ବଳି ଯାଇଛି ।
ଲାଗୁଛି ପ୍ରତିକ୍ରିୟାଶୂନ୍ୟ ହୋଇଯାଇଛି ଏ ସମାଜ । ଘଟଣାଟିଏ ଘଟିବାର କିଛିଦିନ ଯାଏଁ ତାର ତାତି ରହିବା ଯାକେ ସମସ୍ତେ କିଛିନା କିଛି ଟୀକା ଟିପ୍ପଣୀ ଦେଇଥାନ୍ତି ।
ଘଟଣାଟି ଘଟିଛି ଏପ୍ରିଲ ୨୭ ତାରିଖରେ କେନ୍ଦୁଝର ଜିଲ୍ଲାର ମଲିପୋଷିସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍ ଶାଖାରେ । ସୂତ୍ର ଅନୁସାରେ ଜିତୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି ସେଇ ବ୍ୟାଙ୍କରେ ତାଙ୍କର ପରଲୋକଗତା ଭଉଣୀ କଲରା ମୁଣ୍ଡାଙ୍କ ନାମରେ ଥିବା ଆକାଉଣ୍ଟରୁ ପଇସା ଉଠାଇବାକୁ ଚାହିଁଥିଲେ । କିନ୍ତୁ ନିୟମ ଅନୁସାରେ କଲରାଙ୍କ ମୃତ୍ୟୁର ପ୍ରମାଣସ୍ୱରୂପ ମୃତ୍ୟୁ ପ୍ରମାଣପତ୍ର ଓ ଅନ୍ୟାନ୍ୟ ଆବଶ୍ୟକ କାଗଜପତ୍ର ଦାଖଲ ବିନା ଜିତୁ କଲରାଙ୍କ ଆକାଉଣ୍ଟରୁ ପଇସା ଉଠାଇ ପାରିବେ ନାହିଁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ କହିବାରୁ ହତାଶ ଜିତୁ ଫେରିଯାଇ କବର ଖୋଳି କଲରାଙ୍କ କଙ୍କାଳକୁ ବାହାର କରି ତାକୁ ବୋହି ଆଣି ତାଙ୍କର ମୃତ୍ୟୁର ଅକାଟ୍ୟ ପ୍ରମାଣସ୍ୱରୂପ ବ୍ୟାଙ୍କ ସମ୍ମୁଖରେ ଥୋଇ ଦେଇଥିଲେ ।
ଯଦି ଏକ ସଂକୀର୍ଣ୍ଣ ଦୃଷ୍ଟିକୋଣରୁ ବିଚାର କରାଯାଏ, ତା’ହେଲେ ଏଇ ଦୁର୍ଭାଗ୍ୟଜନକ ରୋମଟାଙ୍କୁରା ଘଟଣା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଇ ହେବ ନାହିଁ; ସେମାନେ ନିୟମ ଅନୁସାରେ କାର୍ଯ୍ୟ କରିଥିଲେ । କିନ୍ତୁ ଯଦି ଏକ ବୃହତ୍ତର ଦୃଷ୍ଟିକୋଣରୁ ବିଚାର କରାଯାଏ, ତା’ ହେଲେ ଉଭୟ ଦାନ ମାଝୀ ଓ ଜିତୁ ମୁଣ୍ଡା ଘଟଣାମାନ ଯେଉଁ ଅପ୍ରିୟ ସତ୍ୟ ସବୁର ସ୍ୱାକ୍ଷର ବହନ କରିଥାନ୍ତି, ତାହା ହେଉଛି ଭାରତୀୟ ସମାଜର ଏକ ବିଶେଷ ଅଂଶକୁ ତଥାପି ଆକ୍ରାନ୍ତ କରି ରଖିଥିବା ଦାରିଦ୍ର୍ୟ, ସୀମାନ୍ତୀକରଣ ଓ ଆନୁଷ୍ଠାନିକ ସମ୍ବେଦନହୀନତା । ବ୍ୟାଙ୍କ କର୍ତ୍ତୃପକ୍ଷ ଜିତୁ ମୁଣ୍ଡାଙ୍କୁ କଲରାଙ୍କ ମୃତ୍ୟୁର ପ୍ରମାଣ ଦାଖଲ କରିବାକୁ କହିବାରେ ତିଳେମାତ୍ର ଅନିୟମିତତା ନାହିଁ; କିନ୍ତୁ ସମସ୍ୟା ହେଲା ଏଇ ନିୟମର ପ୍ରଣେତାମାନେ ଜିତୁ ମୁଣ୍ଡାଙ୍କ ପରି ନିରକ୍ଷର, ଦାରିଦ୍ର୍ୟ ପ୍ରପୀଡ଼ିତ, ଉପେକ୍ଷିତ ନାଗରିକମାନଙ୍କୁ ଦୃଷ୍ଟିରେ ରଖି ନିୟମ ପ୍ରଣୟନ କରିନାହାନ୍ତି ।
ସାମାଜିକ ଗଣମାଧ୍ୟମରେ ବର୍ତ୍ତମାନ ଘୂରି ବୁଲୁଥିବା କିଛି ବାର୍ତ୍ତାକୁ ପ୍ରଥମେ ପଢ଼ିଲେ ‘ଯୁକ୍ତିସଂଗତ’ ଲାଗୁଥିଲେ ମଧ୍ୟ ଏହା ଭିତରେ ଅନେକ ଗୁରୁତର ସାମାଜିକ, ପ୍ରଶାସନିକ ଓ ମାନବିକ ପ୍ରଶ୍ନକୁ ଆଢୁଆଳରେ ରଖି ଘଟଣାକୁ କେବଳ ‘ଅଜ୍ଞତା’ କିମ୍ବା ‘ସମାଜର ଲଜ୍ଜା’ ଭାବରେ ପ୍ରତିପାଦନ କରାଯାଇଛି ।
ଜିତୁ ମୁଣ୍ଡାଙ୍କ ଘଟଣାକୁ କେନ୍ଦ୍ର କରି ଲେଖାଯାଇଥିବା ବାର୍ତ୍ତାରେ ବ୍ୟାଙ୍କ ପ୍ରଶାସନକୁ ପ୍ରଥମେ ନିର୍ଦ୍ଦୋଷ ପ୍ରମାଣ କରିବା ଚେଷ୍ଟା ହୋଇଛି ଓ ଘଟଣାର ମୂଳ କାରଣକୁ ‘ଅଜ୍ଞତା’, ‘ଉସକାଣି’ କିମ୍ବା ‘ଗଣମାଧ୍ୟମର ଅତିରଞ୍ଜନ’ ଭିତରେ ସୀମିତ କରାଯାଇଛି । କିନ୍ତୁ ଏହି ଦୃଷ୍ଟିଭଙ୍ଗୀ ଅସଲ ସମସ୍ୟାକୁ ଆଡ଼କୁ ରଖେ ।
ପ୍ରଥମେ, ପ୍ରଶ୍ନ ଏହା ନୁହେଁ ଯେ ବ୍ୟାଙ୍କ ନିୟମ ମାନିବ କି ନାହିଁ । ନିଶ୍ଚୟଭାବେ ବ୍ୟାଙ୍କ ନିୟମ ଅନୁଯାୟୀ ମୃତ୍ୟୁ ପ୍ରମାଣପତ୍ର ଓ ଆବଶ୍ୟକ ନଥିପତ୍ର ଚାହିଁବ । କିନ୍ତୁ ପ୍ରକୃତ ପ୍ରଶ୍ନ ହେଉଛି – ଏକ ଗରିବ, ପ୍ରାନ୍ତିକ, ଆଦିବାସୀ ପରିବାର ପାଇଁ ସେହି ପ୍ରମାଣପତ୍ର ସଂଗ୍ରହ କରିବାର ପ୍ରଶାସନିକ ବ୍ୟବସ୍ଥା କେତେ ସହଜ? ଯେତେବେଳେ ରାଜ୍ୟର ମୌଳିକ ସେବା ଗ୍ରାମାଞ୍ଚଳରେ ପହଞ୍ଚେ ନାହିଁ, ଲୋକେ ନିଜର ଅଧିକାର ପାଇଁ ଅସାଧାରଣ ଓ କେବେ କେବେ ଅମାନବିକ ପଦକ୍ଷେପ ନେବାକୁ ବାଧ୍ୟ ହୁଅନ୍ତି ।
ଏହି ଘଟଣା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଏ ସେତେବେଳେ ଯେତେବେଳେ ଦେଶର ରାଷ୍ଟ୍ରପତି, କେନ୍ଦ୍ରର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ- ସମସ୍ତେ ଆଦିବାସୀ ସମାଜର (ସମସ୍ତେ ପୁଣି ଓଡ଼ିଶାର) ପ୍ରତିନିଧି ବୋଲି ପରିଚିତ । ତଥାପି ଜଣେ ଆଦିବାସୀ ଗରିବ ନାଗରିକ ଯେ କି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଳାବାସୀ; ନିଜ ଅଧିକାର ପାଇଁ ଏପରି ଅସହାୟ ପଦକ୍ଷେପ ନେବାକୁ ପଡ଼ୁଛି । ଏହା ପ୍ରମାଣ କରେ ଯେ କେବଳ ପଦବୀରେ ଆଦିବାସୀ ମୁହଁ ଥିବାରୁ ଆଦିବାସୀ ସମାଜର ମୂଳ ସମସ୍ୟାର ସମାଧାନ ହୁଏ ନାହିଁ । ଅନେକ ସମୟରେ ଏହି ପ୍ରତିନିଧିତ୍ୱ କେବଳ ପ୍ରତୀକାତ୍ମକ ହୋଇ ରହିଯାଏ ଓ ପ୍ରକୃତରେ ଶାସକଶ୍ରେଣୀ, କର୍ପୋରେଟ୍ ଓ ପୁଞ୍ଜିବାଦୀ ସ୍ୱାର୍ଥକୁ ସେବା କରେ । ନିର୍ବାଚନ ସମୟରେ ‘ଆଦିବାସୀ କାର୍ଡ’ ଖେଳାଯାଏ, କିନ୍ତୁ ଆଦିବାସୀ ଲୋକଙ୍କ ଜୀବନର ମୌଳିକ ସମସ୍ୟା- ଜମି, ଜୀବିକା, ଶିକ୍ଷା, ସ୍ୱାସ୍ଥ୍ୟ ଓ ପ୍ରଶାସନିକ ସୁବିଧା – ଅନୁତ୍ତରିତ (Unanswered) ଏବଂ ଅସମାହିତ (Unresolved) ରହିଯାଏ । ସାର୍ବଜନୀକ ବାର୍ତ୍ତାରେ ‘ଆଦିବାସୀ (ତଥାକଥିତ) ଅଞ୍ଚଳ’ ଭଳି ଶବ୍ଦ ବ୍ୟବହାର ଏକ ପ୍ରକାର ସାମାଜିକ ପୂର୍ବାଗ୍ରହକୁ ପ୍ରକାଶ କରେ । ଏହା ସମସ୍ୟାକୁ ସଂସ୍ଥାଗତ ବଞ୍ଚନାରୁ ହଟାଇ ଆଦିବାସୀ ସମାଜର ‘ଅଜ୍ଞତା’ ଉପରେ ଦୋଷଦେବାର ଚେଷ୍ଟା । କିନ୍ତୁ ଏହି ସମାଜଗୁଡ଼ିକ ଦୀର୍ଘଦିନ ଧରି ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ ଓ ପ୍ରଶାସନିକ ସୁବିଧାରୁ ବଞ୍ଚିତ ରହିଛନ୍ତି – ଯାହାର ଦାୟୀ ବ୍ୟକ୍ତିଗତ ଅଜ୍ଞତା ନୁହେଁ, ବରଂ ରାଜ୍ୟର ବିକାଶ ମଡେଲ୍ ।
‘ଓଡ଼ିଶାର ଅପମାନ’ ଭାବରେ ଘଟଣାକୁ ଦେଖିବା ମଧ୍ୟ ଭୁଲ ଦୃଷ୍ଟିଭଙ୍ଗୀ । ପ୍ରକୃତ ଅପମାନ ଘଟଣାର ପ୍ରଚାର ନୁହେଁ; ପ୍ରକୃତ ଅପମାନ ହେଉଛି ଏମିତି ସାମାଜିକ-ଆର୍ଥିକ ପରିସ୍ଥିତିର ଅସ୍ତିତ୍ୱ, ଯେଉଁଠାରେ ଜଣେ ଲୋକ ନିଜ ଅଧିକାର ପାଇଁ କଙ୍କାଳ ଉଠାଇ ନେବାକୁ ବାଧ୍ୟ ହୁଅନ୍ତି । ଗଣମାଧ୍ୟମ ଏହାକୁ ଦେଖାଇଥିବାରୁ ନୁହେଁ, ବରଂ ଏପରି ଅମାନବିକ ବ୍ୟବସ୍ଥା ପ୍ରଚଳନ ରହିଥିବାରୁ ସମାଜ ପ୍ରଶ୍ନର ସମ୍ମୁଖୀନ ହୁଏ ।
ଦାନ ମାଝୀ ହେଉ କି ଜିତୁ ମୁଣ୍ଡା -ଏମାନେ କୌଣସି ଅଲଗା ଘଟଣା ନୁହେଁ; ଏଗୁଡ଼ିକ ଆମ ସମାଜର ଗଭୀର ବୈଷମ୍ୟ, ଦାରିଦ୍ର୍ୟ ଓ ପ୍ରଶାସନିକ ଅସମ୍ବେଦନହୀନତାର ପ୍ରତିଛବି । ଏହାକୁ ବ୍ୟକ୍ତିଗତ ଭୁଲ ଭାବେ ନୁହେଁ, ବ୍ୟବସ୍ଥାଗତ ବିଫଳତା ଭାବେ ଦେଖିବା ଆବଶ୍ୟକ । ଜିତୁ ମୁଣ୍ଡା କ’ଣ ରେସନ ଚାଉଳ, ବାର୍ଦ୍ଧକ୍ୟ ଭତ୍ତା , ଘରକୁ ବିଦ୍ୟୁତକରଣ ସଂଯୋଗ ପାଇବାକୁ ଯୋଗ୍ୟ ନଥିଲା? ଏପରି ଘଟଣା ପରେ ହେଲା? କାହାକୁ ଦୋଷ ଦେବେ? ମୃତ୍ୟୁ ସାର୍ଟିଫିକେଟ କ’ଣ ବ୍ୟାଙ୍କ ଦିଏ? ଏକା ଦିନେ କିପରି ମିଳିଲା? ସମସ୍ତେ ଦୋଷଛଡ଼ା ହେବାକୁ ଚାହାନ୍ତି ।
ଏଥିପାଇଁ ସଚେତନତା ନିଶ୍ଚୟ ଆବଶ୍ୟକ । କିନ୍ତୁ କେବଳ ଗରିବ ଓ ପ୍ରାନ୍ତିକ ଲୋକଙ୍କୁ ‘ବୁଝେଇବା’ ନୁହେଁ- ପ୍ରଶାସନ, ବ୍ୟାଙ୍କିଙ୍ଗ ବ୍ୟବସ୍ଥା, ରାଜନୈତିକ, ଅର୍ଥନୈତିକ, ସାମାଜିକ, ରୁଚି ସଂସ୍କୃତି ଓ ନୀତି ନୈତିକତା ଦୃଷ୍ଟିରୁ ରାଷ୍ଟ୍ର ଓ ରାଜ୍ୟକୁ ମଧ୍ୟ ଅଧିକ ମାନବିକ, ସହଜ ଓ ଦାୟିତ୍ୱଶୀଳ ହେବା ଆବଶ୍ୟକ । ନଚେତ ଏପରି ଘଟଣା ବାରମ୍ବାର ଘଟିବ, ଓ ଆମେ ପ୍ରତିଥର ଲକ୍ଷଣକୁ ନେଇ ଚର୍ଚ୍ଚା କରିବୁ, କିନ୍ତୁ ରୋଗର ମୂଳକୁ ଛୁଇଁବୁ ନାହିଁ ।

Comments

0 comments

Share This Article