ସିଜିମାଳି ଆନ୍ଦୋଳନକୁ ବର୍ତ୍ତମାନ ଖୋରାକ ଯୋଗାଇଛି କୁଟ୍ରୁମାଳି ଆଦିବାସୀଙ୍କ ଜନ ଅସନ୍ତୋଷ ରୂପକ ବିପ୍ଳବ। କଳାହାଣ୍ଡିର ଥୁଆମୂଳ ରାମପୁର ଏବଂ ରାୟଗଡ଼ା ଜିଲ୍ଲାର କାଶୀପୁର ତହସିଲର ୭୦୧.୭୯୨ ହେକ୍ଟର ଅଞ୍ଚଳକୁ କଳିଙ୍ଗ ଆଲୁମିନା ଲିମିଟେଡକୁ (ଆଦାନୀ ଗୋଷ୍ଠୀର ଏକ ସହଯୋଗୀ କଂପାନି)କୁ ଲିଜ୍ ଦିଆଯାଇଛି । କୁଟ୍ରୁମାଳି ରୂପେ ପରିଚିତ ଏହା ପାହାଡ଼ରେ ୧୨୭୭.୩୭ ଲକ୍ଷ ଟନ୍ ବକ୍ସାଇଟ ଗଚ୍ଛିତ ରହିଛି ବୋଲି ପ୍ରମାଣିତ ହୋଇଛି । ଏଠାରେ ବକ୍ସାଇଟ ଉତ୍ତୋଳନ ହେବା ଏବଂ ଗ୍ରାମସଭା ଘୋଷଣା ହେବା ପରେ ଏହି ସବୁ ଆଦିବାସୀ ଜନଜାତିଙ୍କ ଗାଁ ଗଣ୍ଡାରେ ତୀବ୍ର ଜନ ଅସନ୍ତୋଷ ମୁଣ୍ଡ ଟେକିଲାଣି। ଆଦାନି କମ୍ପାନୀ କୁଟୁରିମାଳିରେ ଖଣିଖନନ କରିବା ପାଇଁ କେରପାଇ ଓ ମାଣ୍ଡିବିଷି ପଞ୍ଚାୟତରେ ପ୍ରସ୍ତାବିତ ଗ୍ରାମସଭା ଗହନକଥାର ଗ୍ରାଉଣ୍ଡ ରିପୋର୍ଟ ର ବାସ୍ତବ ସ୍ଥିତି ଆମେ ଅନୁଧ୍ୟାନ କରିଥିଲୁ । ଇତି ମଧ୍ୟରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏଠାରୁ ବକ୍ସାଇଟ ପରିବହନ କରିବାକୁ ଗୋଟିଏ ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ବିଦ୍ରୋହର ନିଆଁ ଲାଗିଛି। କୁଟ୍ରୁମାଳି ଅଞ୍ଚଳରେ ବିପ୍ଲବର ବହ୍ନିକୁ ଗ୍ରାଉଣ୍ଡ ଜିରାରେ ପରଖ ଯାଇଛି ।
କାନ୍ଦେନାରେ କାନ୍ଦେନା କୁଟ୍ରୁମାଳି କାନ୍ଦେନା
ସିଜିମାଳିରେ କଣ୍ଟକିତ ମଣିଷର କାହାଣୀ ଶୁଣିବା ସହିତ ବନ୍ତେରୀର ହୃଦୟ ବିଦାରକ ଦୃଶ୍ୟ ଦେଖିବା ପରେ କୁଟୁମାଳିରେ ପହଞ୍ଚିଲା ବେଳକୁ ମୁହଁସଞ୍ଜ ହୋଇଯାଇଥିଲା । କୁଟ୍ରୁମାଳିରେ ମୁଁ ପ୍ରଥମଥର ଲକ୍ଷ୍ମଣ ମାଝୀଙ୍କୁ ଭେଟିଥିଲି । ସେତେବେଳକୁ ସଞ୍ଜର ଆଗମନ ସଙ୍ଗେ ସଙ୍ଗେ ସିଜିମାଳିର ଡଙ୍ଗର ଉପରୁ ଭାସି ଆସୁଥିଲା ବିପ୍ଳବୀ ସଂଗୀତର ମୂର୍ଚ୍ଛନା ଏବଂ ପ୍ରତିନିଧିତ୍ୱ ହେଉଥିଲା କୁଟ୍ରୁମାଳିର ପାଦଦେଶରେ । ମୁଁ ଲକ୍ଷ୍ମଣଙ୍କୁ ପଚାରିଲି, “ସନ୍ଧ୍ୟାବେଳଟାରେ ଏଠାରେ ଏହି ସୁନ୍ଦର ସଂଗୀତ କିଏ ବଜାଉଛି?” ସେ କହିଲେ, “ସଞ୍ଜ ହେଲେ ଆମ ଗାଁଗଣ୍ଡା ଓ ଡଙ୍ଗରରେ ଗୁଳିଗୋଳା ବନ୍ଧୁକର ଅଜଣା ଆତଙ୍କ ଖେଳାଇ ହୋଇଯାଏ । ରାତିରେ ଲୋକଙ୍କ ମନରେ ସାହସ ଭରିବାକୁ ଏବଂ ସେମାନଙ୍କୁ ସଜାଗ ରଖିବାକୁ ଡଙ୍ଗର ଉପରେ ଏହି ସଂଗୀତ ବାଜୁଛି । ଡଙ୍ଗରରୁ ନେଇ ଗାଁଗଣ୍ଡାରେ ହୁରି ପଡ଼ିଛି ଯେ ତିଜ୍ ରଜାର ତିଳତର୍ପଣ କରି ସିଜିମାଳିକୁ ସଇତାନ ହାତରେ ଟେକିଦେବ କଂପାନି । ଆମ କୁଟ୍ରୁମାଳିକୁ କାଙ୍ଗାଳ କରି, ତା’ର ରୂପଲାବଣ୍ୟକୁ କରୂପ କରିଦେବେ । ସେଥିପାଇଁ ଡଙ୍ଗର ଡାକ ଦେଇଛି- କଂସେଇମାନଙ୍କୁ କବର ଦେଇ ମା’, ମାଟି ମାଳିକୁ ମ୍ରୁ୍ଦ୍ଦାର ହେବାକୁ ନ ଦେଇ ଯୁଗଯୁଗ ପାଇଁ ତାକୁ ମଧୁର କରି ବଞ୍ଚାଇ ରଖ । ବାବୁ ଏ ଡଙ୍ଗରର ଡାକ ପ୍ରଶାସନ, ପୁଲିସ ଶୁଣିଲାନି କି ଆମ ସରକାର ମଧ୍ୟ ଶୁଣିଲାନି। ଆପଣ ଟିକେ କୁଟ୍ରୁମାଳିର କଥା ସରକାରଙ୍କୁ ଜଣାନ୍ତୁ ତ!’’
କୁଟ୍ରୁମାଳିର କଥା ଶୁଣିବାକୁ ଗାଁ ମଝିରେ ବିଶ୍ୱାସର ଦେବତା ଥିବା ଧରଣୀପେନୁ ମଣ୍ଡପ ଉପରେ ମୁଁ ଓ ଲକ୍ଷ୍ମଣ ବସିଥିଲୁ। ଦୀର୍ଘ ଦୁଇଘଣ୍ଟା କାଳ ଲକ୍ଷ୍ମଣ ବଖାଣିଥିଲେ ସିଜିମାଳି ଓ କୁଟ୍ରୁମାଳିର କାହାଣୀ, ଜନସାଧାରଣଙ୍କ ଦୁଃଖ ଦୁର୍ଦ୍ଦଶା, ଖଣି ଖୋଳି ବକ୍ସାଇଟ ବୋହିନେବାକୁ ବାଘ ଭଳି ମାଡ଼ିଆସୁଥିବା ରେଳ ଲାଇନ, ସାଙ୍ଗକୁ କଳା ମଚମଚ ଅଜଗର ପରି ଲମ୍ବି ଯାଇଥିବା ପ୍ରଶସ୍ତ ରାଜପଥ, ଗ୍ରାମସଭାର ନିର୍ଦ୍ଦୟ ପଟ୍ଟକଥା ଇତ୍ୟାଦି କେତେ କ’ଣ କଥା କହିଚାଲିଥିଲେ।
ମୋ ସହିତ ଗାଁ ମଣ୍ଡପ ଉପରେ ବସି କଥା ହେଲାବେଳେ ଲକ୍ଷ୍ମଣ ମାଝୀଙ୍କ ଆବେଗ ଭରା କଥା ବେଶ ମର୍ମସ୍ପର୍ଶୀ ଥିଲା। ଲକ୍ଷ୍ମଣ କୁହନ୍ତି, \”ଏଇ କୁଟୁରିମାଳି ପାଦଦେଶରେ ମୋର ଘର। ଆମ ଅଞ୍ଚଳର ଡଙ୍ଗର ଓ ବିଭିନ୍ନ ଅଞ୍ଚଳରେ ରହିଥିବା ସମସ୍ତ ମାଳି (ପର୍ବତ)କୁ ସରକାର କମ୍ପାନୀମାନଙ୍କ ପାଇଁ ଆମକୁ ଦମନ କରି ଦଖଲ କରିବାକୁ ଚାହୁଁଛନ୍ତି। ଆମକୁ ଭେଳିକି ଦେଖାଇ ଭଣ୍ଡେଇକି ଗ୍ରାମସଭା କରୁଛନ୍ତି। ଏଭଳି ଜନଶୁଣାଣିକୁ ଆମେ ମାନିନେବୁନି। ମୋହନ ମାଝୀଙ୍କୁ ଆମେ ନେହୁରା ହୋଇ କହୁଛୁ ସେ ଆମ ଦୁଃଖ ଶୁଣନ୍ତୁ। ନବୀନ ପଟନାୟକ ସରକାରରେ ଯେପରି ଆଦିବାସୀଙ୍କ ଉପରେ ଅତ୍ୟାଚାର ହେଉଥିଲା ସେପରି ମୋହନଙ୍କ ବିଜେପି ସରକାର ଦୟାପୂର୍ବକ କରନ୍ତୁ ନାହିଁ। କୁଟୁରିମାଳି ଅଞ୍ଚଳରେ ପ୍ରାୟ ୪୮ ପ୍ରକାରର ଲଘୁ ବନଜାତ ଦ୍ରବ୍ୟ ଏବଂ ବିଭିନ୍ନ ଫଳମୂଳ ରହିଛି। ବିରଳ ବଜ୍ରକାପ୍ତା ଓ ପାଣି ଓଧ ସମେତ ପ୍ରାୟ ୧୨୧ ପ୍ରଜାତିର ପ୍ରାଣୀ ଆମର ଡଙ୍ଗର ଓ ମାଳିରେ ବସବାସ କରୁଛନ୍ତି। ବହୁ ମୂଲ୍ୟବାନ ଔଷଧୀୟ ବୃକ୍ଷଲତା ଓ ଗୁଳ୍ମ ଏଠାରେ ଭରପୁର ହୋଇ ରହିଛି। ଏହି ପାହାଡ଼ରୁ ପ୍ରବାହିତ ଚିରସ୍ରୋତା ଝରଣାର ଜଳରେ ଆମେ ବର୍ଷ ସାରା ଚାଷବାସ କରି ଜୀବନ ନିର୍ବାହ କରୁଛୁ। ଖଣି ଖାଦାନ ଏଠାରେ ଆମର ଖାଦ୍ୟ ସୁରକ୍ଷାକୁ ସଂପୂର୍ଣ୍ଣ ଅସୁରକ୍ଷିତ କରିଦେବ। ଏହା ସହିତ ପ୍ରାକୃତିକ ସମ୍ପଦକୁ ପୁରାମାତ୍ରାରେ ଧ୍ୱସ୍ତ ବିଧ୍ୱସ୍ତ କରିଦେବାର ଦୃଷ୍ଟାନ୍ତ ରହିଛି\”।
ଏକ ଜନଶୁଣାଣିକୁ ନେଇ କୁଟ୍ରୁମାଳି ଆଖପାଖର ଗାଁଗୁଡ଼ିକର ଲୋକମାନେ ଏବେ କିପରି ଏକ ଆତଙ୍କିତ ଜୀବନ ବଞ୍ଚୁଛନ୍ତି ତାକୁ ରାତିର ଅନ୍ଧାରରେ ଦେଖିବାକୁ ମୁଁ ଲକ୍ଷ୍ମଣ ମାଝୀଙ୍କ ସହିତ ବିଭିନ୍ନ ଗ୍ରାମକୁ ଗଲି। ଅନ୍ଧାରୁଆ ଗାଁ ରାସ୍ତାରେ ମୋବାଇଲ ଟର୍ଚ୍ଚ ଆଲୁଅରେ ଚାଲି ଚାଲି ଗଲା ବେଳେ ମୁଁ ଲକ୍ଷ୍ମଣଙ୍କୁ ସେହି ଗୀତଟି ଗାଇବାକୁ କହିଲି। ସଂଗେ ସଂଗେ ସେ ବିନା ସଙ୍କୋଚରେ ଡଙ୍ଗରରୁ ଶୁଭୁଥିବା ଗୀତଟିକୁ ସୁନ୍ଦର ଭାବରେ ଗାଇଲେ:
ତିଜିରାଜା ଦେଖୁଛି,
ସିଜିମାଳି କାନ୍ଦୁଛି,
ଜମି ଜଳ ଜଙ୍ଗଲ ମରୁଛି,
ଡଙ୍ଗର ଉପରକୁ ଡାକ ଶୁଭୁଛି,
ସିଜିମାଳି ପାଇଁ ସହିଦ ହୁଅ,
ଜୀବନଜୀବିକା ଭିଟାମାଟିକୁ ବଞ୍ଚାଇ ଦିଅ ।
କାନ୍ଦେନାରେ କାନ୍ଦେନା, କୁଟ୍ରୁମାଳି ତୁ କାନ୍ଦେନା
ସିଜିମାଳି ସଜ ହେଲାଣି, କ୍ରାନ୍ତି ପାଇଁ କୁଟ୍ରୁମାଳି କମ୍ପିଲାଣି
କଂପାନି ସବୁ କବର ନେବେ, ମା’, ମାଳି ମାଟି ହସି ଉଠିବେ ।

ଗ୍ରାମସଭାର ଗହନ କଥା
ଗ୍ରାମସଭାକୁ ନେଇ କୁଟୁରିମାଳିର କେରପାଇ, କାଚଲେକା, ତର୍ସିପଦର, ମାଝିଗାଁ, ଚେରକାପାଇ, କେରପାଇ, ଲେକାପାଇ, ପାରେଲଗୁଡ଼ା ଓ ମାଣ୍ଡିବିଶି ଭଳି ଦୁଇ ପଞ୍ଚାୟତର ଅନେକ ଗାଁ ଗଣ୍ଡାରେ କିପରି ବିରୋଧ ଓ ଆନ୍ଦୋଳନ ତେଜୁଛି ତାହାକୁ ନେଇ ମୋତେ ଦେଖାଇବାକୁ ଲକ୍ଷ୍ମଣ ମାଝୀ ଏହିସବୁ ଗ୍ରାମକୁ ପାଖାପାଖି ରାତି ୮ଟା ବେଳକୁ ନେଇକରି ଯାଇଥିଲେ। ସେସବୁ ଗାଁ\’ରେ ପହଞ୍ଚିଲା ବେଳକୁ ମୋତେ ଲାଗିଲା ସତେ ଯେପରି କେଉଁ ଜନମାନବ ଶୂନ୍ୟ ଅଂଚଳରେ ମୁଁ ପହଂଚି ଯାଇଛି ଏବଂ ଯେଉଁଠାରେ ପ୍ରାତପୁରୀର ଭୟରେ ଅସମ୍ଭବ ଖାଁ ଖାଁ ନିର୍ଜନତା ବିରାଜମାନ କରୁଛି।
ବାଟରେ ଗଲାବେଳେ ଲକ୍ଷ୍ମଣ ମୋତେ କହୁଥିଲେ, ‘‘କୁଟୁରୁମାଳି ଗ୍ରାମସଭାକୁ ନେଇ କେରପାଇ ସରପଞ୍ଚ ନୀଲାଦେଇ ମାଝୀ ତୀବ୍ର ପ୍ରତିବାଦ ଜତାଇ ଜିଲ୍ଲାପାଳଙ୍କୁ ଏହାକୁ ବନ୍ଦ କରିବାକୁ ଜଣାଇଛନ୍ତି। ତାଙ୍କ ସହିତ ମାଣ୍ଡିବିଶି ସରପଞ୍ଚ ଉଷା ମାଝୀ ମଧ୍ୟ ସାମିଲ ହୋଇ ପ୍ରଶାସନକୁ ଏହି ଗ୍ରାମସଭାକୁ ନେଇ ଆପତ୍ତି ଉଠାଇ ଏହାକୁ ବର୍ଜନ କରିବାକୁ ଲିଖିତ ଅଭିଯୋଗ ଦାୟର କରିଛନ୍ତି। ଦୁଇ ପଞ୍ଚାୟତର ଶତାଧିକ ଆଦିବାସୀ ଓ ଗ୍ରାମର ଜନସାଧାରଣ ମଧ୍ୟ ଆସନ୍ତା ୧୨ ଓ ୧୩ ତାରିଖରେ ଆଦାନୀ କଂପାନି ଦ୍ବାରା କୁଟୁରିମାଳିରେ ଖଣି ଖନନ ପାଇଁ ହେବାକୁ ଥିବା ପ୍ରସ୍ତାବିତ ଗ୍ରାମସଭାକୁ ଘୋର ବିରୋଧ କରୁଛନ୍ତି। ସିଜିମାଳିକୁ ନେଇ କୁଟୁରୁମାଳି ପର୍ୟ୍ୟନ୍ତ ସବୁ ଗ୍ରାମସଭାକୁ କୋର୍ ମନିଟରିଙ୍ଗ ଦ୍ବାରା କରିବା ପାଇଁ ସର୍ବତ୍ର ଦାବି ହେଉଛି। ଇତିମଧ୍ୟରେ ଆପଣ ଜାଣିଛନ୍ତି ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ଏବଂ ଅନ୍ୟାନ୍ୟ ସାମାଜିକର୍ମୀ ତଥା ଆମେମାନେ ମଧ୍ୟ ଓଡ଼ିଶା ପ୍ରଦୂଷଣ ବୋର୍ଡ ନିକଟରେ କୁଟୁରୁମାଳି ଗ୍ରାମସଭାର ଆଇନସଂଗତ ଦିଗକୁ ନେଇ ଏହା ବିରୋଧରେ ଅଭିଯୋଗ ଦାୟର କରିଛୁ।’’
ଗ୍ରାମସଭାକୁ ସେସବୁ ଅଞ୍ଚଳରେ କିପରି ବିରୋଧ ହେଉଛି ଦେଖିବା ପାଇଁ ରାତିରେ ମୁଁ ଯେତେବେଳେ ଶୁକ୍ରି ମାଝୀ ଓ ତୁଳସୀ ମାଝୀଙ୍କ ଘରେ ପହଞ୍ଚିଲି ଅନତି ଦୂରରୁ ସେମାନେ ମୋତେ ଦେଖି କବାଟ ବନ୍ଦକରି ଦୌଡ଼ି ପଳାଇଲେ। ଲକ୍ଷ୍ମଣ ମାଝୀ ମୋ ସହିତ ଥିଲେ ଏବଂ ସେ ଶୁକ୍ରି ଓ ତୁଳସୀଙ୍କୁ ଡାକ ଦେବାରୁ ଉଭୟ ଆମ ନିକଟକୁ ଆସିଲେ। ମୁଁ ପଚାରିଲି ତମେମାନେ ମୋତେ ଦେଖି କାହିଁକି ଦୌଡ଼ିଲ? ଶୁକ୍ରି କହିଲେ, ‘‘ମୁଁ ଭାବିଲି ପୁଲିସବାଲା ଆସିଲା। ଆମକୁ ରାତିରେ ଆସି କବାଟ ବାଡ଼େଇ ଡରାଉଛନ୍ତି। ବେଳେବେଳେ ଆମ ଘରୁ ଆମଭଳି ବୁଢ଼ାବୁଢ଼ୀଙ୍କୁ ନେଇଯାଇ ସାରା ରାତି ଗାଁ\’ଠୁ ଦୂରରେ ରାସ୍ତା ଉପରେ ସାରା ରାତି ବସାଇ ଦେଉଛନ୍ତି। ରାତି ସାରା ପାଣି ଟିକିଏ ପିଇବାକୁ ମାଗିଲେ ବି ମିଳୁନି। ଶୋଷରେ ରାତିଯାକ ଛଟପଟ ହେବାକୁ ପଡୁଛି। ପୁଣି ସକାଳୁ ସକାଳୁ ଭୋକଉପାସରେ ୧୦ରୁ ୧୫ କିଲୋମିଟର ପାଦରେ ଚାଲିଚାଲି ତତଲା ତାତିରେ ଡହଳବିକଳ ହୋଇ ଘରକୁ ଫେରୁଛୁ। ପିଇବାକୁ ପାଣି ଟିକିଏ ମାଗିଲେ କାହା ଘରୁ ଓ ଦୋକାନରୁ କିଏ ହେଲେ ଦେଇ ଦେବା, ପଇସା ନ ଥିଲେ ଖାଇବାକୁ କିଏ ଦବ ବାବୁ। ଚାରି-ପାଞ୍ଚ ବର୍ଷ ପୂର୍ବରୁ ଆମେ ଅପରାଧ କରୁନଥିଲୁ, ମାଓବାଦୀ ନଥିଲୁ? ପୁଲିସ କାହିଁକି ଆମକୁ ତ ବାନ୍ଧୁ ନଥିଲା। ଆମ ଗାଁକୁ ଆସୁନଥିଲା? ତୁ କହ ବାବୁ, ଆମେ କ’ଣ ଏଇ ଚାରି-ପାଞ୍ଚ ବର୍ଷରେ ସବୁ ଅପରାଧ କରି ମାଓବାଦୀ ହୋଇଗଲୁ। ମିଛ କେସ୍ ଆମ ନାଁରେ ଦେଇ ଦେଉଛନ୍ତି। ତୁ ଦେଖୁନୁ ବାବୁ, ସିଜିମାଳି ଓ କୁଟୁରୁମାଳିକୁ ବଞ୍ଚାଇବାକୁ ଆମେ ଯେଉଁ ଦାବି କରୁଛୁ ସେଥିପାଇଁ ପୁଲିସ ଆମକୁ ମିଛ କେସ୍ ଦେଇ ମାଓବାଦୀ କହି ଉଠାଇ ନେଇ ଜେଲ୍ ରେ ପୂରାଇ ଦେଉଛି। ରାତିରେ ଆମକୁ ଉଠେଇ ନେଇ ନେଉଛି। ପଚାରିଲେ କହୁଛି, ପାଟି ଚୁପ କରି ବସ, ନ ହେଲେ ବନ୍ଧୁକ ଓ ଲାଠିକୁ ଦେଖ। ଆମ ମାଳି ଓ ଡଙ୍ଗରକୁ ଆମେ କାହିଁକି ଦେବୁ? ଏହି ଡଙ୍ଗର ଓ ମାଳିକୁ ତମେସବୁ ନବାକୁ ଆମକୁ ମିଛରେ ପୁଲିସ ପଠାଇ ବାନ୍ଧୁଛ।’’ ମୁଁ ଏହା ଶୁଣିବା ପରେ ଶୁକ୍ରିଙ୍କୁ କହିଥିଲି, ‘ତମମାନଙ୍କ ସତ କଥା ଲେଖିବାକୁ ମୋତେ ଲକ୍ଷ୍ମଣ ତମ ନିକଟକୁ ଡାକିକରି ଆଣିଛନ୍ତି’। ଏହା ଶୁଣିବା ପରେ ଶୁକ୍ରି କହିଥିଲେ, “ଆମ ଦୁଃଖ ଓ ଆମ ଉପରେ କେତେ ଅନ୍ୟାୟ ଜୁଲମ ହେଉଛି ତୁ ଟିକେ ସତ କଥା ଲେଖି ସରକାରକୁ ଜଣା। ଆମ ମାଳି ଓ ଡଙ୍ଗର ଦେବୀ ବୈରବା ଓ ଗୁଣ୍ଡିରାଣୀ ତୋତେ ସାହା ହେବେ। ମାଳି ଦେବତା ଧରଣୀପେନୁ ତୋର ଭଲ କରିବେ”।
ଶୁକ୍ରି ସାଙ୍ଗରେ କଥା ହେବା ପରେ ମୁଁ ତୁଳସୀ ମାଝୀ ସାଙ୍ଗରେ କଥା ହେଲି। ତୁଳସୀ ସହିତ କଥା ହେଲା ବେଳେ ତାଙ୍କର କଥା ଯେତିକି ହୃଦୟ ବିଦାରକ ଥିଲା ମୋତେ ସେତିକି ଆଶ୍ଚର୍ୟ୍ୟ ମଧ୍ୟ କରିଥିଲା। ତୁଳସୀ କହିଲେ, ‘‘ମୁଁ ଜାଣିପାରିଲିନି ବାବୁ, ତତେ ପୁଲିସ ଭାବି ଦୌଡ଼ିଲି। ଏଇ ପୁଲିସ ସବୁ ତୋରି ଗାଁଗଣ୍ଡା ଆଡୁ ଆସୁଛନ୍ତି। ମୋ ଡଙ୍ଗର ଛଡ଼ାଇ ନେବାକୁ ସେମାନେ ରାତିରେ ପଶି ଆମକୁ ବାନ୍ଧି ନେଉଛନ୍ତି। ଦିନରେ ପୁଲିସ ବନ୍ଧୁକ ଓ ଲାଠି ଧରି ଗାଁ ଭିତରେ ଓ ଡଙ୍ଗର ଉପରେ ପହରା ଦେଇ ବୁଲି ବୁଲି ଆମକୁ ଡରାଉଛନ୍ତି। ମୁଁ ତ ଭୋଟ ଦେଇଛି। ମୋ ଡଙ୍ଗର କ’ଣ ପାଇଁ ତାକୁ ମୁଁ ଦେବି? କୁଟୁରୁମାଳିର ଏଇ ଡଙ୍ଗର ଖଣ୍ଡକ ମୋର ବିହାଇଲୁ (ବାହାଘର) ବେଳେ ମୋର ଆବା ମତେ ଦେଇଥିଲା। ମୁଁ କ’ଣ ପାଇଁ ସରକାରକୁ ମୋ ଡଙ୍ଗର ଓ ଡିହ ଦେଇ ଗାଁ ଛାଡିବି? ତା’ର ପାଖକୁ ଗଲେ ସେ କ’ଣ ମତେ ତା’ର ଡଙ୍ଗର ଓ ଡିହ ଦେଇଦେବ କି? ମାଳି ଉପରେ ଆମର ଠାକୁରାଣୀ ବୈରବା ଓ ଗୁଣ୍ଡିରାଣୀ ବସିଚି। ମୋ ପୋରା (ଶାଶୁ) ଠାକୁରାଣୀର ପେଜିଣି (ପୂଜାରୀ) ଅଛି। ମୋ ପୋରା ବୁଢ଼ୀ ହୋଇ ଅଣ୍ଟା ନଇଁଗଲାଣି। ସେ ମୋତେ ଠାକୁରାଣୀର ପୂଜାପାଠ ଶିଖାଉଚି। ମୁଁ ପେଜିଣି ହେବି। ଆମ ଗାଁରେ ମାଳି ଓ ଡଙ୍ଗରର ଡଗର ହେବି। ମୁଁ କେମିତି ଡଙ୍ଗର ଓ ମାଳିକୁ ପୁଲିସକୁ ଦେଇଦେବି? ଠାକୁରାଣୀ ଆମକୁ ଏମିତି କଲେ ମାରିଦେବ। ଧରଣୀପେନୁ ଖାଇବାକୁ ଦେବନି। ଏଇ ସରକାରଗୁଡ଼ା ଓ ପୁଲିସବାଲା କିଛି ବୁଝୁ ନାହାନ୍ତି। ଡଙ୍ଗର ଆଉ ମାଳି ଆମେ ମରିବୁ ପଛେ କେବେ ଛାଡ଼ିପାରିବୁ ନାହିଁ। ଆମକୁ ମାରିକି ତୁ ଏସବୁ ନେ। ତା’ ପରେ ଦେଖିବୁ ଠାକୁରାଣୀ ଓ ଧରଣୀପେନୁ ତୋର କ’ଣ କରିବ?’’
ଶୁକ୍ରି ମାଝୀର ଆବେଗଭାରା ବିଶ୍ୱାସର କଥା ମୋତେ ମର୍ମାହତ କରୁଥିଲା ବେଳେ ଚିନ୍ତାଗ୍ରସ୍ତ ମନରେ ମୁଁ ସେଠାରୁ ଯାଇ ମାଣ୍ଡିବିଶି ସରପଞ୍ଚ ଉଷା ମାଝୀଙ୍କୁ ଭେଟିଲି। କୁଟୁରୁମାଳି ଓ ଗ୍ରାମସଭା କଥା ପଚାରିବାରୁ ସେ କହିଲେ, ‘‘ଏଭଳି ଗ୍ରାମସଭାକୁ ମୁଁ ବ୍ୟକ୍ତିିଗତ ଭାବେ ଘୋର ବିରୋଧ କରୁଛି। ମୋ ଅଞ୍ଚଳର ଜନସାଧାରଣ ଏହି ଗ୍ରାମସଭାକୁ ଭୟଭୀତ ହୋଇ ଯିବାକୁ ଚାହୁଁ ନାହାନ୍ତି କିମ୍ବା ସେମାନଙ୍କୁ ନିଏ ମୁଁ ଯିବାକୁ ଚାହୁଁନାହିଁ ଏବଂ ସେମାନେ ଯିବେ ନାହିଁ। ଆଜ୍ଞା, ପ୍ରଶାସନ ନିଷ୍ପତ୍ତି ନେଇଛି ଆମ ଗ୍ରାମରୁ ୪୫ରୁ ୬୦ କିଲୋମିଟର ଦୂରରେ ଥିବା ଯଥାକ୍ରମେ କାସିପୁର ଓ ଥୁଆମୂଳ ରାମପୁର ଅଞ୍ଚଳରେ ଗ୍ରାମସଭା କରିବ। ଆପଣ କୁହନ୍ତୁ, ୪୫ରୁ ୬୦ କିଲୋମିଟର ରାସ୍ତା ବୁଢ଼ାବୁଢ଼ୀ, ରୋଗାଗ୍ରସ୍ତ ବ୍ୟକ୍ତି ଏବଂ ମହିଳାମାନେ ତତଲା ଖରାରେ ଚାଲି ଚାଲି କିପରି ଯାଇ ଫେରିବେ? ଗ୍ରାମସଭା ଅଞ୍ଚଳକୁ ପୁଲିସ ଛାଉଣୀରେ ପରିଣତ କରାଯାଉଛି। ବନ୍ଧୁକ ଧରି ସେନା ପୋଷାକରେ ଶତାଧିକ ସୁରକ୍ଷାକର୍ମୀ ଜଗି ରହୁଛନ୍ତି। କଂପାନିବାଲାଙ୍କ ଗୁଣ୍ଡାମାନେ ସବୁ ସେଠାରେ ଲୋକଙ୍କୁ ଧମକାଇବାକୁ ପ୍ରସ୍ତୁତ ହୋଇ ରହୁଛନ୍ତି। ଆପଣ କୁହନ୍ତୁ, ଗ୍ରାମସଭା ନାମରେ ଏହା ଗୋଟିଏ ଫାର୍ସ ନୁହେଁ କି? ଆମର ସରଳ ଗରିବ ଆଦିବାସୀ ଲୋକମାନେ ସେସବୁ ଦେଖି ପୂରା ମାତ୍ରାରେ ଡରିଯିବେ। ସ୍ବାଧୀନ ଭାବରେ ସେମାନେ ସେମାନଙ୍କର ମତ ଦେଇପାରିବେ ନାହିଁ। ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ ସିଜିମାଳି ଭଳି ଅଞ୍ଚଳରେ ଗ୍ରାମସଭା କେଉଁ ଭଳି ଭାବରେ ବର୍ବର ଦମନଲୀଳାରେ ମିଛ ଗ୍ରାମବାସୀଙ୍କ ଦସ୍ତଖତରେ କରାଯାଇଛି। ଯିଏ ଗ୍ରାମସଭାକୁ ବିରୋଧ କଲା ସେ ଆଉ ଗାଁକୁ ଫେରିବନି।ଦରକାର ପଡିଲେ ଅଧା ରାସ୍ତାରୁ ଜେଲ ଯିବ ନହେଲେ ଗୁଣ୍ଡାଙ୍କ ମାଡ଼ରେ ଦରମରା ହେବ। ସିଜିମାଳି ଗ୍ରାମସଭାରେ ଖୋଲାଖୋଲି ଏପରି ଦେଖିବାକୁ ମିଳିଛି। ଗ୍ରାମସଭା ଆମମାନଙ୍କ ଗ୍ରାମରେ ନିୟମ ଅନୁଯାୟୀ କାହିଁକି ହେଉନି? ୬୦ କିଲୋମିଟର ଦୂରକୁ ଆମେ କାହିଁକି ଯିବୁ? କେବଳ ଆମକୁ ଡରାଇ ଧମକାଇ ବନ୍ଧୁକ ମୁନରେ ଆମ କୁଟୁରିମାଳି ଏବଂ ଅନ୍ୟାନ୍ୟ ମାଳିକୁ ମାରିବାର ସବୁ ଷଡଯନ୍ତ୍ର ଏଠାରେ ଚାଲିଛି। ଜିଲ୍ଲାପାଳ ଓ ପୁଲିସ ଏସ୍ପି ଆମ ସହିତ ସିଧାସଳଖ କାହିଁକି କଥା ହେଉନାହାନ୍ତି? ମାଡ଼ ଖାଇ ବନ୍ଧା ହେବାକୁ ଆମେ କ’ଣ ଆମ ବାହାରକୁ ଯାଇ ଗ୍ରାମସଭାରେ ଯୋଗଦେବୁ? ବାଡ଼ଗୌରାଣୀ ଠାକୁରାଣୀ ଏବଂ ଆମର ଦେବାଦେବୀଙ୍କୁ ମିଛ ଗ୍ରାମସଭା ଆଳରେ ଶୂଳି ଖୁଣ୍ଟରେ ଚଢ଼ାଇ ଦେଇ କଂପାନି ଓ ସରକାର ହାତରେ ବଳି ପକାଇବାକୁ ଆମେ ମାଳିକୁ କୌଣସି ପରିସ୍ଥିତିରେ ଟେକି ଦେବୁନି\”।
“ଡ଼ିସେମ୍ବର ୧୬, ୨୦୦୦ ମସିହାରେ ନବୀନ ପଟନାୟକଙ୍କ ବିଜେଡି ସରକାର ଅମଳରେ ମାଇକାଞ୍ଚରେ ଜନଜାତି ମହିଳାଙ୍କୁ ପୋଲିସ ଗୁଳିରେ ମାରିଦିଆଗଲା। ଅକଥନୀୟ ଓ ଅମାନବୀୟ ନିର୍ୟାତନାର ଶିକାର ହେଲେ ଆଦିବାସୀ। ଗୋଟିଏ ଥର ସେଠାକୁ ଯାଇ ଦେଖନ୍ତୁ ଆଜିକୁ କାଶିପୁରର ଟିକିରିସ୍ଥିତ କଂପାନି ଓ ବଫଲାମାଳିର କ’ଣ ଉନ୍ନତି ହୋଇଛି? କେତେ ସ୍ଥାନୀୟ ଆଦିବାସୀ ଲୋକ ଚାକିରି ପାଇଛନ୍ତି ଏବଂ ସେଠାରେ ସେମାନଙ୍କର କ’ଣ ପ୍ରଗତି ହୋଇଛି? ଖଣି ଖୋଳି ଓ କଂପାନି କରି କେତେ ବିକାଶ ଆଦିବାସୀମାନଙ୍କର ହୋଇଛି ଏହାର ସମୀକ୍ଷା କରିଦେଖନ୍ତୁ। କେତେଲୋକ ସେଠାରୁ ପ୍ରତିବର୍ଷ ଦାଦନ ଖଟିବାକୁ ଯାଉଛନ୍ତି, ସରକାର ଓ କଂପାନିବାଲା ଖୋଲାଖୋଲି ଭୁବନେଶ୍ବରରେ ତା’ର ହିସାବନିକାଶ ଥରେ କରନ୍ତୁ। ସବୁ ସତ ଜଣାପଡ଼ିଯିବ,\” ବୋଲି ଉଷା ମାଝୀ ସରକାରଙ୍କ ଉଦ୍ଦେଶ୍ୟରେ ଆହ୍ବାନ ଦେଇ ଏଭଳି ପ୍ରଶ୍ନ କରିଥିଲେ।
କେରପାଇ ସରପଞ୍ଚ ନୀଲାଦେଇ ମାଝୀଙ୍କୁ ଭେଟିବା ବେଳେ ସେ ମୋତେ ନିଜର କ୍ରୋଧ ଓ ଅଭିମାନ ଭରା ସ୍ୱରରେ ଅତ୍ୟନ୍ତ ମ୍ରିୟମାଣ ହୋଇ କହିଥିଲେ, ‘‘ମୁଁ ଜିଲ୍ଲାପାଳଙ୍କୁ ଏବଂ ଆମ ଆଦିବାସୀ ମୁଖ୍ୟମନ୍ତ୍ରୀ ମୋହନ ସାର୍ ଙ୍କୁ ଜଣେ ଜନଜାତି ମହିଳା ଭାବେ ପ୍ରଶ୍ନ କରୁଛି, ଆମ ଗ୍ରାମରେ କାହିଁକି ଗ୍ରାମସଭା କରିବାକୁ ସେମାନେ ଆମକୁ ଅନୁମତି ଦେଉନାହାନ୍ତି ଏବଂ ପଛଘୁଞ୍ଚା ଦେଉଛନ୍ତି? ଆମ ଗାଁ ଓ ଆମେ କ’ଣ ଅଛୁଆଁ, ସେଥିପାଇଁ ଗ୍ରାମସଭା ହେବ ନାହିଁ? ଏହାର ଜବାବ ଜିଲ୍ଲାପାଳ ଓ ସରକାର ଦିଅନ୍ତୁ। ନ ହେଲେ ଗ୍ରାମସଭା ବନ୍ଦ କରନ୍ତୁ। ଆଦିବାସୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନଜାତି ଅଧିକାରକୁ ଆଇନ ମାଧ୍ୟମରେ ସୁରକ୍ଷା ଦିଅନ୍ତୁ। ଏହା ନ ହେଲେ ଆମମାନଙ୍କ ଭଳି ଅସହାୟ ହୋଇପଡୁଥିବା ଆଦିବାସୀ ଜନଜାତିଙ୍କ ଯନ୍ତ୍ରଣାର ନିଃଶ୍ବାସରେ ସରକାର ଓ ପ୍ରଶାସନ ଅଣନିଃଶ୍ବାସୀ ହୋଇପଡ଼ିବେ।’’
ଉଷା ଓ ନୀଲାଦେଇ ମାଝୀଙ୍କ ନିକଟରୁ ବିଦାୟ ନେବା ବେଳକୁ ରାତି ପ୍ରାୟ ୯ଟା ପାଖାପାଖି ହୋଇଯାଇଥିଲା। ବାଟରେ ଫେରୁଥିବା ସମୟରେ ହଠାତ୍ ଗୋଟିଏ ଗଛ ମୂଳରେ ଜଣେ ଲୋକ ମୋତେ ଦେଖି ଆଉଜି ହୋଇ ଛିଡ଼ା ହୋଇଗଲା। ଲକ୍ଷ୍ମଣ ମାଝୀ ତାକୁ ଡାକି ସେ କାଚଲେକା ଗ୍ରାମର ନିତୁର ନାଏକ ବୋଲି ତାଙ୍କ ସହିତ ମୋର ପରିଚୟ କରାଇଦେଲେ। ନିତୁର ନାଏକଙ୍କୁ ମୁଁ ପଚାରିଲି, ତମେ ଗ୍ରାମସଭା ଓ କୁଟୁରୁମାଳିରେ ଖଣି ଖନନକୁ କାହିଁକି ସମର୍ଥନ ଦେଉନ? ମୋ କଥା ଶୁଣି ସେ ଚମକି ଉଠି ଉତ୍ତର ଦେଲେ, ‘‘ତମେ ସବୁ ଆମ ଦେବତା ଧରଣୀପେନୁର ପ୍ରାଣ ନେବାକୁ ଯେଉଁ ଫନ୍ଦିଫିକର ଚଲାଇଛ ତାକୁ ମୁଁ କେବେ ମାନିବିନି। ଜୀବନ ଯିବ ହେଲେ ଡଙ୍ଗର ଓ ମାଳିର ଦେବତା ଧରଣୀପେନୁ ଓ ଦେବୀମାନେ ବଞ୍ଚି ରହିବେ। ଆମ ଝରଣାର ପାଣିକୁ ତମେ ନେଇଯିବ ଆଉ ଆମକୁ ବୋତଲ ପାଣି ବିକିବ। ଆମେ କୋଉଠୁ ପଇସା ଆଣିବୁ? ଆଜି ପର୍ୟ୍ୟନ୍ତ ଆମ ରାଇଜକୁ ଖଣ୍ଡେ ଭଲ ଡାକ୍ତରଖାନା ଓ ଡାକ୍ତର ଦେଇପାରିଲନି। ଆଜି ଆମଠୁ ଆମ କୁଟୁରୁମାଳିକୁ ନେବାକୁ ରାତାରାତି ରେଳ ଲାଇନ କରିଦେଉଚ। ଆମ ଡଙ୍ଗର ଓ ମାଳି ନେବାକୁ ଆମକୁ ଗୁଳି ମାରିବ ଏବଂ ତାକୁ ଆମଠାରୁ ଜୋର୍ ଜବରଦସ୍ତ ଛଡ଼ାଇ ନେଇ ପୁଣି ଧୂଳିଧୂଆଁରେ ଆମର ଜୀବନ ନେବ। କଲବଲ କରି କୁଟୁରୁମାଳିକୁ କାନ୍ଦିବାକୁ ଆମେ ତମକୁ ତାକୁ କେବେ ଦେବୁନି।’’
ନିତୁର ମାଝୀ ସାଙ୍ଗରେ କଥାବାର୍ତ୍ତା ସରିଲାବେଳକୁ ଆଉ ଜାଣେ ଗ୍ରାମବାସୀ ଲକ୍ଷ୍ମଣଙ୍କ ନିକଟରେ ପହଞ୍ଚି ଯାଇଥିଲେ। ଲକ୍ଷ୍ମଣ ମାଝୀ ତାଙ୍କୁ ପଚାରିଲେ କୁଆଡେ ଆସିଲ? ସେହିଁ ଗ୍ରାମବାସୀ ଜଣଙ୍କ ଉତ୍ତରଦେଲେ, \’ଆଜି ରାତିଅଧରେ ପୋଲିସ ଆସିବ ବୋଲି ଶୁଣିଲୁ। ଏହା ଜଣାଇବାକୁ ଆସିଲି। ବର୍ତ୍ତମାନ ସବୁ ଯୁବକ ଗ୍ରାମବାସୀ ଜଙ୍ଗଲ ଡଙ୍ଗରରେ ରାତି କାଟିବେ ଏବଂ ପହରା ଦେବେ? ଘରେ ରହିଲେ ପୋଲିସ ନିଶ୍ଚିତ ବାଂଧିକି ନେବ\”। ଏସବୁ ମୁଁ ଶୁଣୁଥିଲି। ମୁଁ ତାଙ୍କର ପରିଚୟ ପଚାରି ବୁଝିବା ପରେ ଜାଣିଲି ସେ ହେଉଛନ୍ତି ୫୮ ବର୍ଷ ବୟସ୍କ ମାଝୀଗାଁ ନିବାସୀ ହୀରାମଲ ନାୟକ। କୁଟୁରୁମାଳି ପ୍ରସଙ୍ଗରେ ମୁଁ ହୀରାମଲକୁ ପଚାରିବାରୁ ସେ କହିଲେ, ‘‘ଖଣି ଖାଦନ ଓ କଂପାନି ନାମରେ ଗତ ୨୪ ବର୍ଷ ଧରି ବିଜେଡି ସରକାର ଆମ ଆଦିବାସୀଙ୍କୁ ଗୁଳି ମାରିଲା। ଆମେ ବନ୍ଧା ହୋଇ ଜେଲ୍ ରେ ପଶି ସଢ଼ିଲୁ। ମିଛ କେସ୍ ଲଢ଼ିଲଢ଼ି ଆମେ କାଙ୍ଗାଳ ହେଲୁ। ଭାବିଥିଲୁ, ଏଇ ବିଜେପି ସରକାର ଆମକୁ ଅନ୍ୟାୟ କରିଥିବା ନୀବନ ପଟ୍ଟନାୟକଙ୍କ କବଳରୁ ସୁରକ୍ଷା ଦେଇ ନ୍ୟାୟ ଦେବ। କିନ୍ତୁ ବିଜେପି ଆମ ଆଦିବାସୀଙ୍କୁ ବିଜେଡି କବଳରୁ ବଞ୍ଚାଇବା ପରିବର୍ତ୍ତେ ବର୍ତ୍ତମାନ କବର ଦେବାକୁ ପୂରା ଦମ୍ ରେ ଲାଗିଛି। ମୋ ପତେଲେଞ୍ଜୁ (ଶ୍ବଶୁର) ମତେ ଧରଣୀପେନୁର ପୂଜାପାଠ ଦାୟିତ୍ବ ଦେଇଥିଲେ। ମୁଁ ଧରଣୀପେନୁର ପୂଜାରୀ ହୋଇ ଏ ଡଙ୍ଗର ଆଉ ମାଳିକୁ କାହିଁକି ଛାଡ଼ିବି? ଡଙ୍ଗର ଆଉ ମାଳିକୁ ଯେଉଁମାନେ ମାରୁଛନ୍ତି ଧରଣୀପେନୁ ସେମାନଙ୍କୁ ଆଗାମୀ ଦିନରେ ଉଚିତ ଜବାବ ଦେବ।’’
ରାୟଗଡାରେ ପହଞ୍ଚି ମୁଁ ସ୍ଥାନୀୟ କଂଗ୍ରେସ ବିଧ୍ୟାୟକ ଆପାଲାସ୍ବାମିଙ୍କ ସହିତ ସିଜିମାଳି ଓ କୁଟୁରିମାଳି ଆନ୍ଦୋଳନ ଓ ଖଣି ଖନନ ଉପରେ ତାଙ୍କର ପ୍ରତିକ୍ରିୟା ନେବାକୁ ଆଲୋଚନା କରିବାରୁ ସେ କହିଲେ, \”ଆମେ ଆଦିବାସୀ ଜନସାଧାରଣ । ଆଦିବାସୀ ଜନଜାତି ତଥା ଜଙ୍ଗଲ ଅଧିକାର ଆଇନ ଏବଂ କୋର୍ଟ ମନିଟରିଂ ଗ୍ରାମସଭାକୁ ଅଣଦେଖାକରି କୌଣସି ଖଣି ଖାଦାନକୁ ଆମେ ପ୍ରଶୟ ଦେବୁନି। ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ଆମ ପ୍ରାକୃତିକ ସମ୍ବଳକୁ ଦଶନ୍ଧି ଦଶନ୍ଧି ଧରି ଲୁଟ କରୁଛନ୍ତି କର୍ପୋରେଟ ଜଗତର ଶିଳ୍ପପତି। ଲକ୍ଷ୍ମୀପୁରସ୍ଥିତ କୋଡ଼ିଙ୍ଗାମାଳୀରେ ଖଣି ଖୋଳିବା ପରେ ଆମକୁ କଣ ମିଳିଛି ଏବଂ କେତେ ପ୍ରଗତି ଆମ ପାଇଁ ସେ କମ୍ପାନୀ କରିଛି ତା ହିସାବ ଆମକୁ ଦେଉ। କୁଟୁରିମାଳି ହେଉ କିମ୍ବା ସିଜିମାଳି କୌଣସି ଜାଗାରେ ସରକାର ଜନଜାତିଙ୍କ ବଞ୍ଚିବାର ଅଧିକାରକୁ ହନନ କରିଲେ ତାକୁ କଂଗ୍ରେସ ବରଦାସ୍ତ କରିବ ନାହିଁ\”।
କୁଟୁରିମାଳି ଗ୍ରାମସଭାକୁ ନେଇ ଦେଖାଦେଇଥିବା ବିବାଦ ଓ ବିତର୍କ ପ୍ରସଙ୍ଗରେ ମୁଁ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା।
ଆଇନର ଖୋଲା ଉଲଂଘନ: ରେଳ ପ୍ରକଳ୍ପର ଲମ୍ପ ପ୍ରଦାନ
ବିଶିଷ୍ଟ ପରିବେଶ ବିଜ୍ଞାନୀ ଦୁର୍ଗା ପ୍ରସାଦ ମିଶ୍ର “କୁଟ୍ରୁମାଳିରୁ ବାର୍ଷିକ ୪୦ ଲକ୍ଷ ମେଟ୍ରିକ ଟନ୍ ବକ୍ସାଇଟ ଉତ୍ତୋଳନ ହେବ ସହିତ ଏବଂ ଏହା ସଙ୍ଗେସଙ୍ଗେ ଘଣ୍ଟାକୁ ୮୦୦ ଟନ୍ ବକ୍ସାଇଟ ଗୁଣ୍ଡ କରାଯିବ ବୋଲି ଦର୍ଶାଯାଇଛି। କିନ୍ତୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କେଉଁଭଳି ଅତ୍ୟାଧୁନିକ ପ୍ରଣାଳୀ ବ୍ୟବହାର କରାଯିବ ସେ ସବୁ ଉପରେ ସ୍ପଷ୍ଟ ଭାବରେ କିଛି ଘୋଷଣା ହୋଇନାହିଁ। କୋଡଙ୍ଗାମାଳୀରେ ବକ୍ସାଇଟ ପ୍ରଦୂଷଣର ସ୍ଥିତି ଭୟାନକ। ଏହା ସ୍ଥାନୀୟ ପ୍ରାକୃତିକ ସମ୍ପଦକୁ ଧ୍ବଂଶ କରିବ। ଓଡ଼ିଶାର ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ପରିବ୍ୟାପ୍ତ ସିଜିମାଳି ପର୍ବତରୁ ବକ୍ସାଇଟ ଖନନକୁ ସ୍ଥାନୀୟ ଆଦିବାସୀମାନେ ଘୋର ବିରୋଧ କରିବା ସତ୍ତ୍ୱେ ରେଳ ମନ୍ତ୍ରଣାଳୟ ପକ୍ଷରୁ ସିଜିମାଳି ଓ କୁଟ୍ରୁମାଳି ବକ୍ସାଇଟ ଖଣିକୁ ଟିକିରି ରେଳ ଷ୍ଟୌସନ ସହ ଯୋଡ଼ିବା ସକାଶେ ରେଳ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ରେଳ ପ୍ରକଳ୍ପ ଘୋଷଣା କରିସାରିଛନ୍ତି। ଚଳିତ ବର୍ଷର ଏପ୍ରିଲ ୨୧ ତାରିଖ ଦିନ ରେଳ ମନ୍ତ୍ରଣାଳୟ ପକ୍ଷରୁ ରେଳବାଇ ଆଇନ ୧୯୮୯ର ଧାରା ୨, ଉପଧାରା ୩୭୫ ଅନୁଯାୟୀ ଟିକିରିରୁ ଏହି ଖଣିଗୁଡ଼ିକୁ ବ୍ରଡ଼ଗଜ ରେଳପଥରେ ସଂଯୋଗ କରାଯିବ ଯାହାକି ପୂର୍ବତଟ ରେଳବାଇର ୱାଲଟିୟର ଡିଭିଜନରେ ଆସିବ । ଏହି ଘୋଷଣା ଯେପରି ପରିସ୍ଥିତିରେ କରାଯାଇଛି ତାହା ପ୍ରଣିଧାନଯୋଗ୍ୟ । ଏହି ପ୍ରକଳ୍ପ ପାଇଁ ୧,୧୪୬ କୋଟି ଟଙ୍କା ଖର୍ଚ୍ଚ ହେବ ଯାହାର ଉଦ୍ଦେଶ୍ୟ ହେଉଛି ଖଣିଜ କଂପାନିଗୁଡ଼ିକୁ ଏହି ଅଞ୍ଚଳରୁ ବିପୁଳ ପରିମାଣର ବକ୍ସାଇଟ ପରିବହନକୁ ସହଯୋଗ କରିବା । ଏହାର ଅର୍ଥ ହେଉଛି ଯେ ଚୂଡ଼ାନ୍ତ ପାରିବେଶିକ ଅନୁମତି ମିଳୁ ବା ନମିଳୁ, ପାରିବେଶିକ ଶୁଣାଣିରେ ଜନସାଧାରଣ ଯାହାକିଛି ବି ମତ ଦିଅନ୍ତୁ, ସେହି ଅଞ୍ଚଳରୁ ଖଣି ଉତ୍ତୋଳନ ଚୂଡ଼ାନ୍ତ । ଖଣିଜ ବ୍ୟବସାୟ କରୁଥିବା କଂପାନିଦ୍ୱୟ- ବେଦାନ୍ତ ଓ ଆଦାନୀର ଖଣିଜ ପରିବହନ ସକାଶେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବେଶ୍ ତତ୍ପର ବୋଲି ସ୍ପଷ୍ଟ ହୋଇଯାଇଛି।
ଦୁର୍ଗା ପ୍ରସାଦ ମିଶ୍ର କୁହନ୍ତି, “ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ ଖାଲି ପରିବେଶବିତ୍ମାନେ କୁଟ୍ରୁମାଳି ଓ ସିଜିମାଳିରେ ବକ୍ସାଇଟ ଖନନକୁ ବିରୋଧ କରୁନାହାନ୍ତି ନିକଟରେ କନ୍ଷ୍ଟିଟ୍ୟୁସନାଲ କଣ୍ଡକ୍ଟ ଗୃପର ୮୧ ଜଣ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବକ୍ସାଇଟ ଉତ୍ତୋଳନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଯେପରି ଜନସାଧାରଣଙ୍କ ମତାମତକୁ ଦଳିଚକଟି ଏକପାଖିଆ ନିଷ୍ପତ୍ତି ନେଉଛନ୍ତି ତାହା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେମାନେ ଦର୍ଶାଇଛନ୍ତି। ସିଜିମାଳି ପ୍ରକଳ୍ପକୁ ବିରୋଧ କରୁଥିବା ଲୋକମାନଙ୍କୁ ଯେପରି ଭାବରେ ଦମନ କରାଯାଇଛି, ତାହା ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିୟମଗିରି ସଂକ୍ରାନ୍ତରେ ପ୍ରଦାନ କରାଯାଇଥିବା ରାୟର ସଂପୂର୍ଣ୍ଣ ଉଲ୍ଲଂଘନକୁ ସୂଚିତ କରୁଛି। କାରଣ ମାନ୍ୟବର ସୁପ୍ରିମ୍ କୋର୍ଟ ଜଙ୍ଗଲ ଅଧିକାର ଆଇନକୁ ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରନ୍ତି। ସିଜିମାଳି କ୍ଷେତ୍ରରେ ଜଙ୍ଗଲ ଅଧିକାର ଆଇନର ଉଲ୍ଲଂଘନ କରାଯିବା ସଙ୍ଗେ ସଙ୍ଗେ ପାରିବେଶିକ ଅନୁମତି ପାଇବା ପାଇଁ ଦାଖଲ କରାଯାଇଥିବା ‘ଗ୍ରାମସଭା ନିଷ୍ପତ୍ତି’ର ପ୍ରାମାଣିକତା ଘୋର ସନ୍ଦେହ ଘେରରେ । ଏହା ଏହି କଥାକୁ ହିଁ ସୂଚିତ କରୁଛି ଯେ ପ୍ରକଳ୍ପ ପାଇଁ ଅନୁମତି ଦିଆଯିବା ପୂର୍ବରୁ ଗ୍ରାମସଭାର ମୁକ୍ତ, ପ୍ରାକ୍ ଓ ସୂଚିତ ସମ୍ମତି ନିଆଯାଇ ନ ଥିଲା” ବୋଲି ପ୍ରାକ୍ତନ ପ୍ରଶାସନିକ ଅଧିକାରୀମାନେ ଭାରତର ରାଷ୍ଟ୍ରପତିଙ୍କୁ ଲେଖି ଜଣାଇଛନ୍ତି”।
ସୁପରିଚିତ ପରିବେଶ ଆଇନବିଦ ଶଙ୍କର ପାଣି କହିଛନ୍ତି ଯେ ପୂର୍ବଘାଟର ଏକ ସୀମିତ, ପରିବେଶ ଦୃଷ୍ଟିରୁ ଅତ୍ୟନ୍ତ ସ୍ପର୍ଶକାତର ଅଞ୍ଚଳରେ ନିକଟ ଭବିଷ୍ୟତରେ ଅନେକଗୁଡ଼ିଏ ପ୍ରକଳ୍ପ କାର୍ୟ୍ୟକାରୀ କରାଯାଉଥିବାରୁ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏଠାରେ ଖଣି ଖନନ ଯୋଗୁଁ ଯେଉଁ ପାରିବେଶିକ ପ୍ରଭାବ ପଡ଼ିବ ତାହାର ଆକଳନ ପ୍ରକଳ୍ପୱାରୀ ନ କରି ବରଂ ଏହି ଅଞ୍ଚଳ ଉପରେ ପ୍ରକଳ୍ପଗୁଡ଼ିକର ସାମୂହିକ ପ୍ରଭାବ କ’ଣ ହେବ, ସେ କଥା ଆକଳନ କରିବା ଉଚିତ”।
“ଅତ୍ୟନ୍ତ ପରିତାପର ବିଷୟ ଯେ ନିୟମଗିରି ଠାରୁ ମାତ୍ର ୫୦ କିଲୋମିଟର ଦୂରରେ ରାୟଗଡ଼ା ଜିଲ୍ଲାର ସିଜିମାଳି ଠାରେ ଚଞ୍ଚକତା କରି ଜଙ୍ଗଲ ଜମି ଅଧିଗ୍ରହଣ କରିବାର ପ୍ରୟାସ କରୁଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିୟମଗିରି ପରି ସିଜିମାଳି ମଧ୍ୟ ସଂବିଧାନର ପଞ୍ଚମ ସୂଚୀ ଅନ୍ତର୍ଭୁକ୍ତ । ଗତ ୨୦୨୫ ଡିସେମ୍ବର ମାସରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ୨୦୨୩ ମସିହାର ଗ୍ରାମସଭା ନିଷ୍ପତ୍ତି ଆଧାରରେ ସିଜିମାଳି ପାଇଁ ପ୍ରଥମ ପର୍ୟ୍ୟାୟ ଜଙ୍ଗଲ ଜମିର ହସ୍ତାନ୍ତରଣ ପାଇଁ ଅନୁମତି ପ୍ରଦାନ କରିଥିଲେ । ତେବେ ଏହି ଅନୁମତିରେ ଏହି ସର୍ତ୍ତ ରଖାଯାଇଥିଲା ଯେ ଜଙ୍ଗଲ ଜମିର ହସ୍ତାନ୍ତରଣ ଜଙ୍ଗଲ ଅଧିକାର ଆଇନ ଅନୁପାଳନ କରାଯାଇଥିବା ଆବଶ୍ୟକ । ଅନ୍ୟପକ୍ଷରେ ବିଜେଡି ସରକାର ସମୟରେ ୨୦୨୩ ମସିହାର ଯେଉଁ ଗ୍ରାମସଭା ନିଷ୍ପତ୍ତିଗୁଡ଼ିକ ଆଧାରରେ ପରିବେଶ ମନ୍ତ୍ରାଳୟ ଦ୍ୱାରା ଏହି ଅନୁମତି ପ୍ରଦାନ କରାଯାଇଥିଲା ତାହା ଜାଲିଆତି କରି କରାଯାଇଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଛି, ବୋଲି ଶଙ୍କର ପାଣି କହିଛନ୍ତି ।
ସୁପ୍ରସିଦ୍ଧ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା କୁହନ୍ତି, “ପ୍ରସ୍ତାବିତ ରେଳ ପ୍ରକଳ୍ପଟି ଏକଥା ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆଦିବାସୀମାନଙ୍କ ଅଭିଯୋଗ ପ୍ରତି କର୍ଣ୍ଣପାତ କରିବେ ନାହିଁ ବୋଲି ସ୍ଥିର କରିସାରିଛନ୍ତି । ଆଦିବାସୀମାନେ ବର୍ଷ ବର୍ଷ ଧରି ସେମାନଙ୍କ ଅଞ୍ଚଳରେ ଖଣି ଖନନକୁ ବିରୋଧ କରି ଆସୁଥିଲେ ମଧ୍ୟ ସରକାର କଂପାନିମାନଙ୍କ ପାଇଁ ଭିତ୍ତିଭୂମି ନିର୍ମାଣରେ ସହାୟତା କରିବା ସକାଶେ ବଦ୍ଧପରିକର । ଗ୍ରାମସଭାର ସହମତି ନେବା ବାଧ୍ୟତାମୂଳକ’ ସର୍ତ୍ତର ଅନୁପାଳନ କରୁନାହାନ୍ତି” ।

ଉଗ୍ର ହେବ ଆନ୍ଦୋଳନ ତୀବ୍ର ହେବ ଦମନ
ଗ୍ରାଉଣ୍ଡ ଜିରାରେ ସମ୍ପୂର୍ଣ୍ଣ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଲାଗୁଛି, ଭବିଷ୍ୟତରେ କୁଟ୍ରୁମାଳିକୁ ନେଇ ଯେତିକି ଆନ୍ଦୋଳନ ତୀବ୍ର ହେବ ସରକାରଙ୍କ ଦମନ ଅଧିକ ଉଗ୍ର ହେବ। ହୁଏତ ଏଠାରେ ମଧ୍ୟ ପୋଲିସ ଗୁଳିରେ କଳଙ୍ଗନଗର ଓ ମାଇକଞ୍ଚରେ ଯେପରି ଆଦିବାସୀ ଭିଟାମାଟି ପାଇଁ ଟଳି ପଡ଼ିଥିଲେ ସେହି ଇତିହାସର ପୁନରାବୃତ୍ତି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ସ୍ଥାନୀୟ ଆଦିବାସୀ ଓ ଦଳିତମାନେ ଏହି ପ୍ରକଳ୍ପର ଦୃଢ଼ ବିରୋଧ କରୁଛନ୍ତି। ପାରମ୍ପରିକ ଭାବେ ସେମାନେ ସ୍ଥାନୀୟ ପ୍ରାକୃତିକ ସମ୍ବଳ ଉପରେ ନିର୍ଭର କରି ସେମାନେ ଜୀବିକାର୍ଜନ କରୁଥିବା ବେଳେ ଏପରି ପ୍ରକଳ୍ପ ସ୍ଥାନୀୟ ଲୋକମାନଙ୍କ ଭାତହାଣ୍ଡି ଉପରେ ପ୍ରତ୍ୟକ୍ଷ ଆକ୍ରମଣ । ଥୁଆମୂଳ ରାମପୁର ଏବଂ କାଶୀପୁର ତହସିଲର କୁଟ୍ରୁମାଳି, ଲେଲିଙ୍ଗପଦର, ରାଖିଗୁଡ଼ା ଓ ଭିକମବଙ୍ଗା ଇତ୍ୟାଦି ଗାଁର ଲୋକମାନେ ଏହି ଖଣି ଖନନ ବାବଦକୁ ହେବାକୁ ଥିବା ବିସ୍ଥାପନ, ପାରିବେଶିକ କ୍ଷୟକ୍ଷତି ଏବଂ ଜୀବିକାହାନୀକୁ ଆଧାର କରି ଏହାର ଘୋର ବିରୋଧ କରୁଛନ୍ତି ।
ଏହି ଆନ୍ଦୋଳନକୁ ତେଜିବାର ପ୍ରୟାସ ବିଜୁ ଜନତା ଦଳ ଆରମ୍ଭ କରିଲାଣି। ଓଡିଶା ଯାଦବ ମହାସଂଘ, ଓଡ଼ିଶାର ସୁପ୍ରତିଷ୍ଠିତ ବୃହତ ଜନ ଆନ୍ଦୋଳନକାରୀ ଅନୁଷ୍ଠାନ ଭିଟାମାଟି ସୁରକ୍ଷାମଞ୍ଚର ଆବାହକ ଜୟନ୍ତ ବିଶ୍ୱାଳ ପ୍ରମୁଖ ସେମାନଙ୍କର ଖୋଲା ସମର୍ଥନ ଘୋଷଣା କରିଲେଣି। ପ୍ରସଙ୍ଗ ଖୋଜୁଥିବା କଂଗ୍ରେସ ସଂଗଠନ ଏଠାରେ ନିଜର ସ୍ଥିତି ଜାହିର କରିବାକୁ ଏକ ଭଲ ସୁଯୋଗ ପାଇଛି। ତା’ ପଛରେ ନିୟମଗିରିର ଅଭିଜ୍ଞତା ମଧ୍ୟ ରହିଛି । ତେଣୁ ରାଜନୈତିକ ଦୃଷ୍ଟିକୋଣରୁ କଂଗ୍ରେସ ଅଗ୍ରଣୀ ଭୂମିକା ଗ୍ରହଣ କରିବ। କାରଣ ଆଦାନୀକୁ ବିରୋଧ କରିବାର କୌଣସି ସୁଯୋଗ କଂଗ୍ରେସ ମୁଖ୍ୟତଃ ରାହୁଲ ଗାନ୍ଧୀ ହାତ ଛଡା କରିବେ ନାହିଁ। ଅନ୍ୟ ପକ୍ଷରେ ଓଡ଼ିଶା ବିଜେପି ଏଠାରେ ଦୁର୍ବଳ ହୋଇ ପଡ଼ିଲାଣି। ଏଠାରେ ଜନସାଧାରଣଙ୍କ ଜ୍ୱାଳାରୁ ବିଜେପି ଖସିଯିବାର ବାଟ ନ ଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଜଣେ ଆଦିବାସୀ ହୋଇଥିବା କାରଣରୁ ଆଦିବାସୀ ମାରଣ ନୀତି ଆପଣାଉଛନ୍ତି କାହିଁକି ବୋଲି ସ୍ଥାନୀୟ ଆଦିବାସୀଙ୍କ ପ୍ରଶ୍ନର କି ଉତ୍ତର ଦେବେ ବିଜେପିର ଡବଲ ଇଞ୍ଜିନ ସରକାର?
Mob-୮୨୬୦୯୬୧୬୫୫
Comments
0 comments

