ବଜେଟରେ ଅବହେଳିତ ପରିବେଶ ଓ ଜଳବାୟୁ ପରିବର୍ତ୍ତନ!

7 Min Read

ଆମର ବାର୍ଷିକ ବଜେଟରେ ପ୍ରାକୃତିକ ପରିବେଶର ସଂରକ୍ଷଣ ଓ ସୁରକ୍ଷା କେବେହେଲେ ଅଗ୍ରାଧିକାର ପାଇନାହିଁ । ସମସ୍ତ ଅର୍ଥମନ୍ତ୍ରୀ ପରିବେଶକୁ ଏକ ଜୀବନ୍ତ ସତ୍ତା ରୂପେ ବିବେଚନା ନ କରି ଏକ ସମ୍ବଳ ରୂପେ ଗ୍ରହଣ କରି ଏହାକୁ ହତାଦର କରିଛନ୍ତି । ଅଥଚ ଏହି ଜୀବନ୍ତ ସତ୍ତାର ପରିପୋଷଣ କରାଯାଇ ଯତ୍ନର ସହ ଦୀର୍ଘକାଳୀନ ଭିତ୍ତିରେ ଏହାର ଅମଳ କରାଯିବା ଆବଶ୍ୟକ ।
ଜୁଲାଇ ୨୦୧୪ରେ ଅଭୟ ଶୁକ୍ଳା ତାଙ୍କର ‘ବଜେଟ୍-୨୦୧୪- ପରିବେଶକୁ ଶସ୍ତାରେ ତୁଟେଇ ଦେବା’ କଥା ଉଲ୍ଲେଖ କରି ଏକ ବ୍ଲଗ୍ ଲେଖିଥିଲେ । ଏହା ଲେଖାଯିବାର ୧୧ବର୍ଷ ପରେ ମଧ୍ୟ ଯୋଜନାରେ ଏହି ଅଭାବ ବଳବତ୍ତର ରହିଛି, ଯଦିଓ ଜଳବାୟୁ ପରିବର୍ତ୍ତନ ତ୍ୱରାନ୍ୱିତ ହେବା ସହିତ ନୂଆ ତଥା ଗୁରୁତ୍ୱପୂର୍ଣ୍ଣ ଦିଗ ଏହା ସହିତ ଯୋଡ଼ି ହୋଇଯାଇଛି । ବର୍ତ୍ତମାନର ଆହ୍ୱାନ କେବଳ ଜଳବାୟୁ ପରିବର୍ତ୍ତନର ମୁକାବିଲା ଯଥା ଅନୁକୂଳନ, ପ୍ରକୋପ ହ୍ରାସ ଇତ୍ୟାଦି ପାଇଁ ସରକାରୀ ପାଣ୍ଠି ଯୋଗାଣ ନୁହେଁ, ବରଂ ଏହାଦ୍ୱାରା ସିଧାସଳଖ ପ୍ରଭାବିତ ହେଉଥିବା ଲୋକ ଯଥା ଦରିଦ୍ର, ମଧ୍ୟବିତ୍ତ କୃଷକ, ଭୂମିହୀନ ଶ୍ରମିକ, ମତ୍ସ୍ୟଜୀବୀ, ଯାଯାବର ଜନଜାତିମାନଙ୍କର ପୁନର୍ବାସ କରିବା । ଦୁର୍ଭାଗ୍ୟର ବିଷୟ ଯେ ପୂର୍ବରୁ କରାଯାଇଥିବା ଅନୁମାନ ସତ୍ୟ ବୋଲି ପ୍ରମାଣିତ କରି ଚଳିତ ବଜେଟ୍ ପୂର୍ବ ବର୍ଷର ବଜେଟଗୁଡ଼ିକ ପରି ଏ ସବୁକୁ ଆଦୌ ଗୁରୁତ୍ୱ ପ୍ରଦାନ କରିନାହିଁ ।
ସମ୍ଭବତଃ, ୨୦୨୬ ମସିହାର ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଏହା ହିଁ ପ୍ରତ୍ୟାଶିତ ଥିଲା । ଏଥିରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ବେଶ୍ ଖୋଲାଖୋଲି ଭାବରେ ପରିବେଶକୁ ବଳି ଚଢ଼ାଇ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନବ୍ୟଉଦାରବାଦ ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ସମସ୍ତ ବିଜ୍ଞାନକୁ ଅବଜ୍ଞା କରି ଏଥିରେ କୁହାଯାଇଛି ଯେ ଅଙ୍ଗାରକ ଉତ୍ସ୍ୱର୍ଜନ ଆମର ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ ନୁହେଁ ଏବଂ ‘୩ଂ ସେଣ୍ଟିଗ୍ରେଡର ତାପମାନ ବୃଦ୍ଧି ପରେ ମଧ୍ୟ ବିଶ୍ୱ ବାସୋପଯୋଗୀ ହୋଇ ରହିବ ।’
ସମସ୍ତ ପ୍ରମାଣ ଏବଂ ବୈଶ୍ୱିକ ବୈଜ୍ଞାନିକମାନଙ୍କ ସହମତିକୁ ବେଖାତିର କରି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି, ‘ଅଭିବୃଦ୍ଧି ଏବଂ ସମୃଦ୍ଧି ସହନୀୟତାକୁ ସୁଦୃଢ଼ କରେ ଏବଂ ବିପଦପ୍ରବଣତାକୁ ହ୍ରାସ କରେ ।’ ଏକଥା ସତ୍ୟ ଯେ ଅଭିବୃଦ୍ଧି ଏବଂ ସମୃଦ୍ଧି ଏହା କରନ୍ତି, ମାତ୍ର ଯଦି ଏହା ଦୀର୍ଘସ୍ଥାୟୀ ଏବଂ ପରିବେଶ ଅନୁକୂଳ ଉପାୟରେ କରାଯାଏ । ମାତ୍ର ଭାରତରେ ଏପରି ଘଟୁ ନାହିଁ । ସମ୍ଭବତଃ, ଅର୍ଥନୈତିକ ପରାମର୍ଶଦାତା ତାଙ୍କର ସମସାମୟିକ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ଡାଭୋସ୍ରେ କହିଥିବା କଥା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ ସେ ସମସ୍ୟାକୁ ଭଲ ଭାବରେ ବୁଝିପାରି ଥାଆନ୍ତେ ଏବଂ ସେ ଯେ କେତେ ଭୁଲ୍, ସେକଥା ମଧ୍ୟ ଜାଣିପାରି ଥାଆନ୍ତେ ।
ବର୍ତ୍ତମାନର ସରକାର ବାଧ୍ୟତାମୂଳକ ଭିତ୍ତିଭୂମି ବ୍ୟାଧିରେ ପୀଡ଼ିତ । କ୍ୟୋପେକ୍ସ ପୁଞ୍ଜିପାଇଁ ବ୍ୟୟ କଥା ଠିକ୍ ଅଛି, କାରଣ ଭିତ୍ତିଭୂମି ପାଇଁ ତାହା ଆବଶ୍ୟକ । କିନ୍ତୁ, ପରିବେଶ ମଧ୍ୟ ଠିକ୍ ସେହିପରି । ଭିତ୍ତିଭୂମିର ଦ୍ରୁତ ସମ୍ପ୍ରସାରଣ ସକାଶେ ପ୍ରଚୁର ପାରିବେଶିକ ଖର୍ଚ୍ଚ ରହିଛି । ଉଭୟ ବିଶ୍ୱବ୍ୟାଙ୍କ ଏବଂ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ଆକଳନ ଅନୁଯାୟୀ ଏହି ଖର୍ଚ୍ଚ ଭାରତର ମୋଟ ଘରୋଇ ଉତ୍ପାଦ (ଜି.ଡି.ପି.)ର ୩.୫%ରୁ ୫% ମଧ୍ୟରେ ହୋଇପାରେ, ଯାହାର ମୂଲ୍ୟ ପ୍ରାୟ ୨୦,୦୦୦ କୋଟି ଡଲାର ।
୨୦୨୬-୨୭ବଜେଟରେ ଯଥେଷ୍ଟ ଗର୍ବର ସହ ଘୋଷଣା କରାଯାଇଛି ଯେ ଚାରିଟି ଦକ୍ଷିଣ ଭାରତୀୟ ରାଜ୍ୟରେ ବିରଳ ମୃତ୍ତିକା ଖଣିଜ ଅଳିନ୍ଦ ସୃଷ୍ଟି କରାଯିବ, ଆହୁରି ତିନିଟି ହାଇ-ସ୍ପିଡ୍ ରେଳ କରିଡର୍ ନିର୍ମାଣ କରାଯିବ, ଭାରତର ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ କିମ୍ବା ସମୁଦ୍ରରେ ମାଛ ଧରିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବନାହିଁ । ମାତ୍ର ଏହି ପଦକ୍ଷେପଗୁଡ଼ିକ ଯୋଗୁଁ ସୃଷ୍ଟି ହେଉଥିବା ପାରିବେଶିକ ପରିଣାମର କିପରି ମୁକାବିଲା କରାଯିବ; ସେ ସମ୍ପର୍କରେ କିଛିହେଲେ ଉଲ୍ଲେଖ ନାହିଁ । ପାରିବେଶିକ ପ୍ରଭାବଗୁଡ଼ିକର ପ୍ରତିକାର ପାଇଁ କୈଣସି ବ୍ୟୟବରାଦ ମଧ୍ୟ କରାଯାଇ ନାହିଁ ।
ପରିବେଶବିତ୍ ତଥା ଉଦ୍ଭିଦବିଜ୍ଞାନୀ ଶୁଭଙ୍କର ଘୋଷ ପ୍ରଶ୍ନ କରିଛନ୍ତି, ‘ବିପୁଳସଂଖ୍ୟକ ଏକ୍ସପ୍ରେସ୍ ୱେର ନିର୍ମାଣ ଚାଲିଥିବା ପରିପ୍ରେକ୍ଷୀରେ ଏହି କରିଡରଗୁଡ଼ିକର ଆବଶ୍ୟକତା କ’ଣ? ଏହି କରିଡରଗୁଡ଼ିିକ ପାଇଁ ବିପୁଳ ପରିମାଣର ଭୂମି ଅଧିଗ୍ରହଣ କରିବାକୁ ପଡ଼ିବ ଏବଂ ଏଥିପାଇଁ ହଜାର ହଜାର ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିବ । ଏହି ବିସ୍ଥାପିତ ସଂଖ୍ୟା ସ୍ୱାଧୀନତା ପରଠାରୁ ଏଯାବତ୍ ହୋଇଥିବା ୬କୋଟି ପ୍ରକଳ୍ପ ଶରଣାର୍ଥୀଙ୍କ ସଂଖ୍ୟାରେ ଯୋଡ଼ାଯିବ । ଲକ୍ଷ ଲକ୍ଷ ଗଛ କଟାଯିବ । ଉପକୂଳ ଅଞ୍ଚଳରେ ହିଁ ବିରଳ ମୃତ୍ତିକା ମିଳୁଥିବାରୁ ହଜାର ହଜାର ହେକ୍ଟର ପରିମିତ ହେନ୍ତାଳ ଜଙ୍ଗଲ କଟାଯିବ । ସାମୁଦ୍ରିକ ମତ୍ସ୍ୟଜୀବୀମାନଙ୍କ ପାଇଁ ପ୍ରୋତ୍ସାହନ ସ୍ୱାଗତଯୋଗ୍ୟ କିନ୍ତୁ ବୃହତ୍ତର ପ୍ରଶ୍ନ ହେଉଛି ଯେ ଦୀର୍ଘକାଳୀନ ଭିତ୍ତିରେ ମତ୍ସ୍ୟଜୀବୀମାନଙ୍କର ଜୀବିକା ସୁରକ୍ଷିତ ରହିବ ତ? ମତ୍ସ୍ୟଜୀବୀମାନଙ୍କର ଜୀବିକାକୁ ସୁରକ୍ଷିତ ରଖିବାପାଇଁ ତଥା ମାତ୍ରାଧିକ ମାଛଧରାକୁ ରୋକିବା ସକାଶେ ସୁରକ୍ଷାବଳୟ କାହିଁ?’
ବିଭିନ୍ନ କରିଡର୍ ଯୋଗୁଁ ପରିବେଶର ବ୍ୟାପକ କ୍ଷତି ସାଧିତ ହେବ । ବନ ସଂରକ୍ଷଣ ଆଇନ, ପରିବେଶ ସୁରକ୍ଷା ଆଇନ କିମ୍ବା ବନ୍ୟପ୍ରାଣୀ ସୁରକ୍ଷା ଆଇନ ପରି ସାଧନଗୁଡ଼ିକ ପାରିବେଶିକ କ୍ଷତିକୁ ରୋକିବା କ୍ଷେତ୍ରରେ ବ୍ୟବହାର କରାଯାଇ ପାରିଥାଆନ୍ତା । ମାତ୍ର ବିଗତ ବର୍ଷମାନଙ୍କରେ ଏହି ସରକାର ଉପରୋକ୍ତ ଆଇନଗୁଡ଼ିକୁ ଏତେ ଦୁର୍ବଳ କରିଦେଇଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନରେ ସର୍ବନିମ୍ନ ତଦାରଖ କିମ୍ବା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଆଶା କରିବା ବୃଥା ।
ଏହି ପ୍ରକଳ୍ପଗୁଡ଼ିକର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ତଥା କ୍ଷତିପୂରଣ ଦେବା ପାଇଁ ହଜାର ହଜାର କୋଟି ଟଙ୍କା ଆବଶ୍ୟକ ହେବ । ମାତ୍ର ଅର୍ଥମନ୍ତ୍ରୀ ଏ ସଂପର୍କରେ ପଦଟିଏ ମଧ୍ୟ ଉଲ୍ଲେଖ କରିନାହାନ୍ତି । ଏହି ନୀରବତା ଏବଂ ଅସ୍ପଷ୍ଟତା ଖର୍ଚ୍ଚର ବିକେନ୍ଦ୍ରୀକରଣ ସକାଶେ ଜାଣିଶୁଣି କରାଯାଇଥିବା ଏକ ପ୍ରୟାସ ପରି ମନେହୁଏ । ରାଜନୈତିକ ଶ୍ରେୟ ଏବଂ ଆର୍ଥôକ ଲାଭ ମିଳିବ କେନ୍ଦ୍ର ସରକାରଙ୍କୁ । କିନ୍ତୁ ସାମାଜିକ ମୂଲ୍ୟ ତଥା ବଜେଟ୍ ଖର୍ଚ୍ଚ ରାଜ୍ୟମାନେ ବହନ କରିବେ । ଏହା ଭାରତର ସଂଘୀୟ ବ୍ୟବସ୍ଥାର ଏକ ଅଭିନବ ମାତ୍ର ଭୁଲ୍ ବ୍ୟାଖ୍ୟା ବୋଲି କୁହାଯାଇପାରିବ ।
ଏହା ପ୍ରତୀୟମାନ ହେଉଛି ଯେ ଷୋଡ଼ଶ ଅର୍ଥ କମିଶନ ମଧ୍ୟ ତଥାକଥିତ ସ୍ୱାୟତ୍ତ ପ୍ରତିଷ୍ଠାନଗୁଡ଼ିକ ପରି କେନ୍ଦ୍ରର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଏହା ଦେଶକୁ ପ୍ରଦାନ କରୁଥିବା ପାରିବେଶିକ ସେବା (ଜଳ, ସ୍ୱଚ୍ଛ ବାୟୁ, ଅଙ୍ଗାରକ ଅବଶୋଷଣ, ଜଳବାୟୁ ନିୟନ୍ତ୍ରଣ ଇତ୍ୟାଦି) ପାଇଁ ହିମାଳୟ ରାଜ୍ୟଗୁଡ଼ିକର ନ୍ୟାୟପୂର୍ଣ୍ଣ କ୍ଷତିପୂରଣ ପାଇବାର ଅଧିକାରକୁ ସମ୍ପୂର୍ଣ୍ଣ ଅଣଦେଖା କରିବାକୁ ଯାଉଛି ।
ବହୁ ପକ୍ଷ ସମର୍ଥନ ଗୋଷ୍ଠୀଗୁଡ଼ିକର ସମର୍ଥନରେ ଏହି ହିମାଳୟ ଅଞ୍ଚଳର ଏହି ରାଜ୍ୟଗୁଡ଼ିକ ୨୦୨୬-୩୧ ଅବଧି ସକାଶେ ୫୦,୦୦୦ କୋଟି ଟଙ୍କାର ସବୁଜ ବୋନସ୍ ଦାବି କରିଥିଲେ । ଏହା କେବଳ ନ୍ୟୟସଂଗତ କ୍ଷତିପୂରଣ ହୋଇନଥାନ୍ତା; ବରଂ ଏହି ପାଣ୍ଠି ଜଙ୍ଗଲ, ନଦୀ, ଖଣିଜ ପଦାର୍ଥ ତଥା ପର୍ଯ୍ୟଟନ ସମ୍ଭାବନାର ଅସ୍ଥାୟୀ ଶୋଷଣ ନ କରି ବରଂ ବିକାଶମୂଳକ ଆବଶ୍ୟକତାକୁ ପୂରଣ କରିଥାଆନ୍ତା ।
ହିମାଳୟ ଅଞ୍ଚଳ (ଏହା ସଙ୍ଗେସଙ୍ଗେ ଆରାବଳୀ ଏବଂ ପଶ୍ଚିମଘାଟ ପର୍ବତମାଳା)ରେ କରାଯାଉଥିବା ବିକାଶ ଯେ ଦୀର୍ଘସ୍ଥାୟୀ ନୁହେଁ ଏବଂ ଦେଶର ହିତ ପାଇଁ ନୁହେଁ, ସେକଥା ଗୋଟିଏ ମୂର୍ଖ ମଧ୍ୟ କହିଦେଇ ପାରିବ । ତେଣୁ, ଏହି ପାର୍ବତ୍ୟ ପ୍ରଦେଶଗୁଡ଼ିକୁ ଏପରି ନ କରିବା ସକାଶେ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ । କିନ୍ତୁ ଷୋଡ଼ଶ ଏଫ୍.ସି. ଏହି ସରଳ ସତ୍ୟକୁ ଦେଖିପାରିଲା ନାହିଁ । ବିଭିନ୍ନ ରିପୋର୍ଟରୁ ଏକଥା ପ୍ରତିପାଦିତ ହେଉଛି ଯେ ଏଫ୍.ସି. କୌଣସି ସବୁଜ ବୋନସ୍ ପ୍ରଦାନ କରିନାହିଁ କି ଜଳବାୟୁ ପ୍ରଭାବ ହ୍ରାସ କିମ୍ବା ବିପର୍ଯ୍ୟୟ ସହାୟତା ସକାଶେ କୌଣସି ସ୍ୱତନ୍ତ୍ର ଅନୁଦାନ (ଯାହାକି କେନ୍ଦ୍ରର ବିବେଚନା ବାହାରେ ଥିବ, କାରଣ ଏବେ ଏପରି ଅନୁଦାନର ରାଜନୀତିକରଣ ହୋଇସାରିଛି) ପ୍ରଦାନ କରିନାହିଁ ।
‘ଷୋଡ଼ଶ ଅର୍ଥ କମିସନ କେବଳ ଜଙ୍ଗଲର ପରିଭାଷାର ସାମାନ୍ୟ ପରିବର୍ତ୍ତନ କରିଛି, ଯାହାର କୌଣସି ଅର୍ଥ ନାହିଁ । ଏହାଠାରୁ ମଧ୍ୟ ଅଧିକ ଚିନ୍ତାର ବିଷୟ ଯେ ଷୋଡ଼ଶ ଅର୍ଥ କମିସନ ଏବେ ରାଜସ୍ୱ ନିଅଣ୍ଟ ଅନୁଦାନକୁ ମଧ୍ୟ ବନ୍ଦ କରିଦେଇଛି । ଏହି ରାଜ୍ୟଗୁଡ଼ିକ ୧୯୭୪ ମସିହାରୁ ଏହି ଅନୁଦାନ ପାଉଥିଲା । ଅର୍ଥ କମିସନର ଏପରି ନିଷ୍ପତ୍ତି ରାଜ୍ୟଗୁଡ଼ିକର ଆର୍ଥôକ ସ୍ଥିତିକୁ ବଡ଼ଧରଣର କ୍ଷତି ପହଞ୍ଚାଇଛି । ଏପରି ସ୍ଥିତିରେ ଏହି ରାଜ୍ୟଗୁଡ଼ିକ ନିକଟରେ ବିକାଶ କାର୍ଯ୍ୟକଳାପ ସକାଶେ ପାଣ୍ଠି ଯୋଗାଇବା ପାଇଁ ହିମାଳୟର ପରିବେଶକୁ ନଷ୍ଟ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ’ ବୋଲି ପରିବେଶବିତ୍ ତଥା ଉଦ୍ଭିଦବିଜ୍ଞାନୀ ଶୁଭଙ୍କର ଘୋଷ କହିଛନ୍ତି ।
ଆମମାନଙ୍କର ଯୋଜନା ଓ ପାଣ୍ଠି ଯୋଗାଣରେ ପରିବେଶ ପ୍ରତି ଅପରାଧିକ ଅବହେଳା ଜାରି ରହିଛି । ଅର୍ଥମନ୍ତ୍ରୀ ସୀତାରମଣ ଏବଂ ଅର୍ଥ କମିସନର ତାଙ୍କର ସହଯାତ୍ରୀ ଆମମାନଙ୍କୁ ପାରିବେଶିକ ପତନ ତଥା କେତେକ ରାଜ୍ୟ ସକାଶେ ଆର୍ଥôକ ଅବକ୍ଷୟର ନିକଟବର୍ତ୍ତୀ କରିଛି ବୋଲି ସେ କହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବଜେଟ୍ ସଂପର୍କରେ ଅର୍ଥମନ୍ତ୍ରୀ ବିବୃତ୍ତି ଦେଇଛନ୍ତି ଯେ ଜଳବାୟୁ ପରିବର୍ତ୍ତନର ମୁକାବିଲା ସକାଶେ ବ୍ୟୟବରାଦ ଦୁଇଗୁଣ ବୃଦ୍ଧି ପାଇଛି । ସେ କହିଛନ୍ତି ଯେ ୬ବର୍ଷ ପୂର୍ବେ ଭାରତ ମୋଟ ଘରୋଇ ଉତ୍ପାଦର ୩.୭% ଖର୍ଚ୍ଚ କରୁଥିଲା ମାତ୍ର ଏବେ ସେହି ଖର୍ଚ୍ଚ ୫.୬%କୁ ବୃଦ୍ଧି ପାଇଛି । କିନ୍ତୁ, ବାସ୍ତବରେ ଏହି ଖର୍ଚ୍ଚର ଏକ ବଡ଼ ଭାଗ ଆନ୍ତର୍ଜାତିକ ସ୍ତରରେ ଦେଶର ପାରିବେଶିକ ପ୍ରତିବଦ୍ଧତା ପ୍ରଦର୍ଶନ କରିବା ପାଇଁ ଉଦ୍ଦିଷ୍ଟ । ଦେଶର ପାରିବେଶିକ ସ୍ଥିତି ସୁଧାରିବା ଏହି ବଜେଟ୍ରେ ଆଶାନୁରୂପ ଅଗ୍ରାଧିକାର ପାଇନାହିଁ ।

Comments

0 comments

Share This Article