ଏକ ଉକ୍ତି ଯାହା ମ୍ୟାକଲେଙ୍କର ନୁହେଁ

“ମୁଁ ଭାରତର ଏ ମୁଣ୍ଡରୁ ସେ ମୁଣ୍ଡ ଭ୍ରମଣ କରିଛି , ଏବଂ ମୁଁ ଏପରି କୌଣସି ଲୋକ ଦେଖି ନାହିଁ ଯିଏ ଭିଖାରି, ଯିଏ ଚୋର । ମୁଁ ଏହି ଦେଶରେ ଯେଉଁ ବିଭବ ଦେଖିଛି, ଯେଉଁ ଉଚ୍ଚ ନୈତିକତା ଦେଖିଛି, ଯେଉଁ ଧରଣର ଯୋଗ୍ୟ ବ୍ୟକ୍ତିମାନଙ୍କୁ ଦେଖିଛି, ସେଥିରେ ମୁଁ ଭାବି ପାରୁନାହିଁ ଯେ ଆମେ କସ୍ମିନକାଳେ ଏହି ଦେଶକୁ ଜିଣି ପାରିବା ଯଦି ଏହି ରାଷ୍ଟ୍ରର ମେରୁଦଣ୍ଡକୁ ଆମେ ଭାଙ୍ଗି ନ ଦେଉଛୁ(break the very backbone of this nation), ଯାହା ହେଉଛି ତାର ଆଧ୍ୟତ୍ମିକ ଓ ସାଂସ୍କୃତିକ ଐତିହ୍ୟ । ତେଣୁ ମୋର ପ୍ରସ୍ତାବ ହେଉଛି ଆମେ ତାର ପୁରାତନ ଶିକ୍ଷା ବ୍ୟବସ୍ଥା ଓ ସଂସ୍କୃତିକୁ ବଦଳାଇ ଦେବା , କାରଣ ଭାରତୀୟମାନେ ଯଦି ଭାବନ୍ତି ଯାହାସବୁ ବିଦେଶୀ ଓ ବିଲାତି ସେଗୁଡିକ ହିଁ ସେମାନଙ୍କର ନିଜ ପାଖରେ ଥିବା ଜିନିଷ ଠାରୁ ଭଲ ଏବଂ ଅଧିକ ଭଲ, ତାହାହେଲେ ସେମାନେ ନିଜର ଆତ୍ମ ଗୌରବ ଓ ନିଜର ଆତ୍ମ ସଂସ୍କୃତି କୁ ହରାଇବେ ଏବଂ ଆମେ ଯେପରି ଚାହିଁବା ସେମାନେ ସେପରି ହୋଇ ଯିବେ, ପ୍ରକୃତରେ ଏକ ଅଧୀନ(dominated) ରାଷ୍ଟ୍ର ହେବେ ।“
ଯେଉଁମାନେ ଉପରୋକ୍ତ ଉଦ୍ଧୃତିକୁ ମ୍ୟାକଲେଙ୍କ ଉକ୍ତି ବୋଲି ଦାବି କରନ୍ତି, ସେମାନେ ଏହି ଉକ୍ତି ମ୍ୟାକଲେ ବ୍ରିଟିଶ ସଂସଦରେ, ୨ ଫେବୃଆରୀ ୧୮୩୫ ଦିନ କହିଥିଲେ ବୋଲି କହିଥାନ୍ତି । କିନ୍ତୁ ୨ ଫେବୃଆରୀ ୧୮୩୫ ଦିନ ମ୍ୟାକଲେ ଭାରତରେ ଥିଲେ ଓ ଶିକ୍ଷା ସମ୍ପର୍କରେ ତାଙ୍କର ପ୍ରସିଦ୍ଧ ସ୍ମାରକପତ୍ର Macaulay’s Minute on Education ଗଭର୍ନର ଜେନରେଲ ବେଣ୍ଟିକଙ୍କ ନିକଟରେ ଦାଖଲ କରିଥିଲେ୧ ଯାହାର ଆଧାରରେ The English Education Act ୧୮୩୫ ପ୍ରଣୟନ ହୋଇଥିଲା । ବ୍ରିଟିଶ ସଂସଦରେ ସେ ଜୁଲାଇ ୧୦, ୧୮୩୩ ଦିନ ଏକ ଦୀର୍ଘ ଭାଷଣ ଦେଇଥିଲେ । କିନ୍ତୁ ସେଥିରେ ମଧ୍ୟ ଏପରି ଉକ୍ତି ଦେଖା ଯାଏ ନାହିଁ । ତେବେ, ଏହି ବକ୍ତବ୍ୟ ଯେ ନକଲି,ବା ମ୍ୟାକଲେଙ୍କର ନୁହେଁ, ତାହା ୨୦୦୪ ମସିହାରେ ଦର୍ଶାଇଥିଲେ ବେଲଜିଅମ(Belgium)ର ଐତିହାସିକ Koenraad Elst, ତାଙ୍କର ଲିଖିତ ଏକ ନିବନ୍ଧରେ ଯାହାର ଶିରୋନାମା ଥିଲା “ A dubious quotation, a controversial reputation: the merits of Lord Macaulay” ଓ ଯାହାକୁ ପରବର୍ତ୍ତୀକାଳରେ ଅନ୍ତର୍ଭୁକ୍ତ କରଯାଇଥିଲା ୨୦୧୨ ମସିହାରେ ଆଦିତ୍ୟ ପ୍ରକାଶନ(Aditya Prakashan, Delhi) , ଦିଲ୍ଲୀ ଦ୍ବାରା ପ୍ରକାଶିତ ପୁସ୍ତକ The Argumentative Hindu ରେ୨ । ଏହି ନିବନ୍ଧରେ Koenraad Elst ମ୍ୟାକଲେଙ୍କ ନାଁରେ ପ୍ରଚାରିତ ଓ ପ୍ରସାରିତ ବକ୍ତବ୍ୟର ସତ୍ୟତାକୁ ପ୍ରଶ୍ନ କରିଥିଲେ ଓ ସେମାନଙ୍କୁ ଆହ୍ବାନ ଦେଇଥିଲେ ଦର୍ଶାଇବା ପାଇଁ ଯେ କେଉଁ ମୂଳ ସ୍ରୋତରୁ ସେମାନେ ଏହି ବକ୍ତବ୍ୟ ପାଇଥିଲେ । ସେ ଲେଖନ୍ତି, “ମୁଁ ମୋର ହିନ୍ଦୁ ସାମ୍ବାଦିକମାନଙ୍କୁ ଆହ୍ବାନ ଦେଇଥିଲି ଦର୍ଶାଇବା ପାଇଁ ଏହି ଅଦ୍ଭୁତ ଉଦ୍ଧୃତିର ଏକ ନିର୍ଭରଯୋଗ୍ୟ ସ୍ରୋତ । ଇଣ୍ଟରନେଟ ଯୁଗରେ ସେମାନଙ୍କ ପାଇଁ କୌଣସି ସମସ୍ୟା ନ ଥିଲା ମ୍ୟାକଲେଙ୍କର ଏହି ଜଘନ୍ୟ ବକ୍ତବ୍ୟ ପାଇଁ ମନେ ହେଉଥିବା ଆଧିକାରିକ ସ୍ରୋତ(seemingly authoritative sources) ଦର୍ଶାଇବା । ଏହାର ବ୍ୟବହାରର ବିବିଧ ଉଦାହରଣ ମଧ୍ୟରୁ, ଆମେ ଅନେକ ହିନ୍ଦୁ ୱେବ ସାଇଟମାନଙ୍କର ଉଲ୍ଲେଖ କରିପାରିବା; କିନ୍ତୁ ଉଲ୍ଲେଖ ମଧ୍ୟ କରିପାରିବା ଭାରତ ସରକାରଙ୍କର ଯୋଜନା କମିଶନର ଏକ ଦସ୍ତାବିଜ ଓ ଏପରିକି ଭାରତର ରାଷ୍ଟ୍ରପତିଙ୍କର ଏକ ଅଭିଭାଷଣ ।” ଏହି ନିବନ୍ଧଟିକୁ Voice Of India (VOI) ଦ୍ବାରା ଜାନୁଆରୀ ୧୨,୨୦୧୩ ଦିନ Bharata Bharati ୱେବ ସାଇଟରେ ‘Debunking Lord Macaulay’s Infamous Quote’ ଶିରୋନାମାରେ ପ୍ରକାଶ କରାଯାଇଥିଲା୩ । କେବଳ Elst ନୁହନ୍ତି ଏହି ବକ୍ତବ୍ୟ ଯେ ନକଲି ତାହା ଫରାସୀ ଐତିହାସିକ Michel Danino ମଧ୍ୟ ଯୁକ୍ତିର ସହ ଦର୍ଶାଇଥିଲେ ବୋଲି ସୂଚନା ମିଳେ ଜୁନ ୨୬ , ୨୦୦୭ ରେ ପ୍ରକାଶିତ B Shantanuଙ୍କ ଦ୍ଵାରା ଲିଖିତ ଏକ ନିବନ୍ଧ ‘Clearing the dust off Macaulay’s “famous quote”’ ରେ୪ । ତାଙ୍କର ଯୁକ୍ତି ପଛରେ Danino ଦେଇଥିଲେ ଏହି କାରଣ ଗୁଡିକୁ :
“୧. କେହି ମ୍ୟାକଲେଙ୍କର ଅଭିଭାଷଣ ବା ଲେଖାର ମୂଳ ସ୍ରୋତ ଦର୍ଶାଇ ଏହାର ସଠିକ ସନ୍ଦର୍ଭ (reference) ଦେଇ ପାରି ନାହାନ୍ତି ।
“୨. ଯେଉଁ କଥିତ ତାରିଖରେ ଏହା ‘ସଂସଦର ଅଭିଭାଷଣ’ , ସେହି ଦିନ ମ୍ୟାକଲେ ଇଂଲଣ୍ଡରେ ନ ଥିଲେ, ବରଂ ଥିଲେ ଭାରତରେ ।
“୩. ପ୍ରକୃତରେ ତାରିଖ, ୨ ଫେବୃଆରୀ ୧୮୩୫, ହେଉଛି ତାରିଖ ତାଙ୍କର ପ୍ରସିଦ୍ଧ ସ୍ମାରକପତ୍ର (Minute)ର, ଯାହାର ଲକ୍ଷ୍ୟ ଥିଲା ଔପନିବେଶିକ କର୍ତ୍ତୃପକ୍ଷଙ୍କୁ ବୁଝାଇବା ଯେ ଇଂରାଜୀ ଶିକ୍ଷା ଭାରତ ପାଇଁ ଆଦର୍ଶ ଅଟେ, ଭାରତୀୟ ଭାଷାରେ ଶିକ୍ଷା ନୁହେଁ ଯେପରି ପ୍ରାଚ୍ୟବିଦ୍(Orientalists)ଙ୍କର ଗୋଟିଏ ଗୋଷ୍ଠୀ ଚାହୁଁଛି । ମୁଁ ଏଠାରେ ସେହି ସ୍ମାରକପତ୍ରର ସମ୍ପୂର୍ଣ୍ଣ ବିଷୟବସ୍ତୁ(text)କୁ ଏଠାରେ ସଂଲଗ୍ନ କରୁଛି ।
“୪. କଥିତ ଉଦ୍ଧୃତିର ବିଷୟବସ୍ତୁ କଦାପି ମ୍ୟାକଲେଙ୍କ ଦ୍ୱାରା ଲେଖାଯାଇ ନ ଥିବ । ‘ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟ’ ଏକ ବାକ୍ୟ ଖଣ୍ଡ ଯାହା ସେ କଦାପି ବ୍ୟବହାର କରି ନ ଥିବେ : ସେ ଏପରି ଐତିହ୍ୟର ଅସ୍ତିତ୍ଵକୁ ଅସ୍ଵୀକାର କରୁଥିଲେ ବା ଅନ୍ୟୁନ ଏହାକୁ କୌଣସି ମୂଲ୍ୟ ଦେଉ ନ ଥିଲେ ଯେପରି ତାଙ୍କର ସ୍ମାରକପତ୍ର ବାରମ୍ବାର ଏହାକୁ ସ୍ପଷ୍ଟ କରିଛି ।
“୫. ପରିଶେଷରେ, ‘ଏହି ଦେଶକୁ ଜିଣିବାର ’ ( “ever conquering this country”) ପ୍ରଶ୍ନର ୧୮୩୫ ମସିହାରେ କୌଣସି ଅର୍ଥ ହୁଏ ନାହିଁ, ଯେତେବେଳେ ବ୍ରିଟେନ ଏହି ଉପମହାଦେଶକୁ ପ୍ରାୟ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିଥିଲା ।“
B Shantanuଙ୍କୁ ଏକ e-mail ଜରିଆରେ Danino ଉପରୋକ୍ତ କାରଣ ଗୁଡିକୁ ଉଲ୍ଲେଖ କରି ପରାମର୍ଶ ଦେଇଥିଲେ ଯେ ଏହି ନକଲି ବକ୍ତବ୍ୟକୁ ପ୍ରସାରିତ କରାନଯାଉ । ବରଂ ଲେଖିଥିଲେ ଯେ “ମ୍ୟାକଲେଙ୍କର କୌଣସି ଉଦ୍ଦେଶ୍ୟ ନ ଥିଲା “ଭାରତର ମେରୁଦଣ୍ଡକୁ ଭାଙ୍ଗିବା” (“break the very backbone of India” ) , କିନ୍ତୁ ସେ ବିଶ୍ବାସ କରୁଥିଲେ ଯେ ଭାରତୀୟମାନେ(ଉଭୟ ହିନ୍ଦୁ ଓ ମୁସଲମାନ) ଘୋର ଅନ୍ଧବିଶ୍ୱାସରେ ବୁଡ଼ିକି ଅଛନ୍ତି, ଏବଂ ଇଂରାଜ ଶିକ୍ଷା ଏକ ମାତ୍ର ବାଟ ସେମାନଙ୍କୁ ଏହି ଘୋର ନିଷ୍କ୍ରିୟତାରୁ ଉଦ୍ଧାର କରିବାକୁ । ଏହା ଅବଶ୍ୟ ଚିରାଚରିତ ଔପନିବେଶିକ ଅହଂକାର, କିନ୍ତୁ ସେ ଆନ୍ତରିକତାର ସହ ଚାହୁଁ ଥିଲେ ଭାରତୀୟଙ୍କୁ ସାହାଯ୍ୟ କରିବା ପାଇଁ ।“ ଏଠାରେ ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ ଯେ ବେଲଜିଅମରେ ଜନ୍ମିତ ଐତିହାସିକ Koenraad Elst ଓ ଫ୍ରାନ୍ସରେ ଜନ୍ମିତ ଐତିହାସିକ Michel Danino ଉଭୟେ ହିନ୍ଦୁତ୍ଵ ବିଚାରଧାରାର ସମର୍ଥକ୫ । ସ୍ବାଭାବିକ ଭାରତୀୟ ଜନତା ପାର୍ଟିର ଅନ୍ୟତମ ପ୍ରତିଷ୍ଠାତା ଓ ଏକଦା ଦଳର ଦ୍ଵିତୀୟ ସର୍ବୋଚ୍ଚ ନେତା ଲାଲକୃଷ୍ଣ ଆଦୱାନୀ ଥିଲେ Koenraad Elst ଙ୍କର ବହୁତ ବଡ ପ୍ରଶଂସକ । ଏକ ସାକ୍ଷାତକାର ସମୟରେ ଏକ ପ୍ରସଙ୍ଗରେ ଆଦୱାନୀ କିପରି Koenraad Elst ଙ୍କର ପୁସ୍ତକ Saffron Swastik ଆଲମିରାରୁ ଆଣି ସେ ରେଖାଙ୍କିତ କରିଥିବା ଧାଡ଼ି ଗୁଡିକୁ ସାମ୍ବାଦିକ ଶୀଳା ରେଡ୍ଡୀଙ୍କୁ ଦେଖାଇଥିଲେ ତାହାର ଉଲ୍ଲେଖ ହୋଇଛି Outlook , 8 -14 April, 2008, ପତ୍ରିକାର ପୃଷ୍ଠା 17 ରେ । ତେଣୁ ମ୍ୟାକଲେଙ୍କ ନକଲି ବିବୃତିକୁ ଉନ୍ମୋଚିତ କରିଥିବା Koenraad Elst tଙ୍କର ନିବନ୍ଧ ଯେ ଆଦୱାନୀଙ୍କୁ ଅଜଣା ଥିବ ଏହା ସ୍ଵୀକାର କରନ୍ତି ନାହିଁ Voice Of India (VOI)ର ସମ୍ପାଦକ ଯେତେବେଳେ ସେ Elstଙ୍କର ୨୦୦୪ ମସିହାରେ ଲିଖିତ ନିବନ୍ଧଟିକୁ ୨୦୧୩ ମସିହାରେ Bharata Bharati ୱେବ ସାଇଟରେ ପକାନ୍ତି । ସମ୍ପାଦକ ମହାଶୟ ଲେଖନ୍ତି, “ଆଦୱାନୀ ଡକ୍ଟର Elstଙ୍କ କାର୍ଯ୍ୟ ସମ୍ପର୍କରେ ବେଶ ଜାଣନ୍ତି ଏବଂ ଜାଣନ୍ତି ଯେ ଏହି କୁଖ୍ୟାତ ଉଦ୍ଧୃତି ଆଠ ବର୍ଷ ତଳୁ ଜଣା ପଡିଲାଣି ଯେ ଏହା ନକଲି । ତଥାପି ସେ ଏହାକୁ ଦୋହରାନ୍ତି ଯେପରି ଏକ ଭଲ ଭାରତୀୟ ରାଜନେତା ସଙ୍କୋଚହୀନ ଭାବରେ କରିଥାନ୍ତି ଏହି ଆଶାରେ ଯେ ଏହାକୁ ଚିପୁଡ଼ିଲେ ଆଉ କିଛି ରକ୍ତ ବାହାରିବ । ଲର୍ଡ ମ୍ୟାକଲେ ହିନ୍ଦୁ ରାଷ୍ଟ୍ରବାଦୀଙ୍କର ଚାବୁକ ପାଇଁ ଅତି ପ୍ରିୟ ବ୍ୟକ୍ତି (favorite whipping boy)।” ୨୩ ଡିସେମ୍ବର ୨୦୧୩ ଦିନ ଭାରତୀୟ ଜନତା ପାର୍ଟିର ୱେବ ସାଇଟରେ ଆଦୱାନୀ ଏକ ବ୍ଲଗ ଲେଖିଥିଲେ “Durbar : An Extremely Interesting Book” ଓ ସେହିଥିରେ ସେ ଉପରୋକ୍ତ କୁଖ୍ୟାତ ଉକ୍ତିଟିକୁ ଦୋହରାଇଥିଲେ୬ । ଉଲ୍ଲେଖଯୋଗ୍ୟ ଯେ Durbar ପୁସ୍ତକର ରଚୟିତା ହେଉଛନ୍ତି ବିଶିଷ୍ଟ ସାମ୍ବାଦିକା Tavleen Singh । କିନ୍ତୁ ଏହି ପ୍ରସଙ୍ଗରେ ଯାହା ରୋଚକ ତାହା ହେଉଛି ହିନ୍ଦୁତ୍ଵ ବିଚାରଧାରାକୁ ବଳିଷ୍ଠ ଭାବେ ସମର୍ଥନ କରୁଥିବା ଦୁଇ ବିଦେଶୀ ଐତିହାସିକ Koenraad Elst ଓ Michel Danino, ଉନ୍ମୋଚିତ କରିଛନ୍ତି ସେ କୁଖ୍ୟାତ ବକ୍ତବ୍ୟର ସତ୍ୟ ଯାହା ମ୍ୟାକଲେ କହିଛନ୍ତି ବୋଲି ପ୍ରଚାର ହୁଏ ହିନ୍ଦୁ ୱେବ ସାଇଟ ମାନଙ୍କରେ, ଓ ହିନ୍ଦୁ ରାଷ୍ଟ୍ରବାଦୀମାନେ ମ୍ୟାକଲେଙ୍କୁ କରିଥାନ୍ତି ସେମାନଙ୍କର ଅତି ପ୍ରିୟ ବ୍ୟକ୍ତି ଚାବୁକ ପ୍ରହାର ପାଇଁ । ଏହା ବୋଧହୁଏ ପ୍ରମାଣ କରେ ଯେ ବିଚାରଧାରାକୁ ସମର୍ଥନ କରିବା ଅର୍ଥ ନୁହେଁ ତଥ୍ୟକୁ ଅଣଦେଖା କରିଦେବା, ଯାହା ସତ୍ୟ ତାହାକୁ ଉପସ୍ଥାପିତ ନକରିବା । ଆଦୱାନୀଙ୍କ ଉଦାହରଣ ଦର୍ଶାଏ ଯେ ଜଣେ ରାଜନେତା କୌଣସି ସଙ୍କୋଚ ନ କରି ସତ୍ୟକୁ ଅଣଦେଖା କରି ଦେଇପାରେ, କିନ୍ତୁ ସମାନ ବିଚାରଧାରାର ହୋଇ ମଧ୍ୟ ଐତିହାସିକ ଯେ ଏପରି କରିପାରେନା, ତାହାର ନଜିର ହେଉଛନ୍ତି Elst ଓ Danino ।
ଯାହା ମ୍ୟାକଲେ କହି ନାହାନ୍ତି ତାହା ମ୍ୟାକଲେଙ୍କର ଉକ୍ତି ବୋଲି କହି ପ୍ରଚାର କରିବାର କାରଣ କ’ଣ ହୋଇପାରେ ? କିଏ ଏହି ନକଲି ଉକ୍ତିର ସ୍ରଷ୍ଟା ? ମନେ ହୁଏ ଏହି ପ୍ରଶ୍ନ ଗୁଡିକ ଦ୍ବାରା ବୋଧହୁଏ ଦଂଶିତ ହୋଇଥିଲେ Koenraad Elst ଓ ତା ନ ହେଲେ ସେ କାହିଁକି ଲେଖୁଥିଲେ୨/ ୩ , “ଲର୍ଡ ମ୍ୟାକଲେ ଦାବି କରୁଥିଲେ ଏବଂ ନିଃସନ୍ଦେହ ବିଶ୍ବାସ କରୁଥିଲେ ଯେ ସେ ଭାରତୀୟଙ୍କୁ ସାହାଯ୍ୟ କରୁଛନ୍ତି ସେମାନଙ୍କ ଉପରେ ଇଂରାଜୀ ଶିକ୍ଷା ଲଦି ଦେଇ, ଏହା ବଦଳାଇବା ପାଇଁ ଯାହାକୁ ସେ ମୁମୁର୍ଷୁ ଓ ପଛୁଆ ସଂସ୍କୃତି ବୋଲି ବିଚାର କରୁଥିଲେ । ଅନ୍ୟଥା କିଛି ତାଙ୍କୁ କୁହାଇବା ପାଇଁ ଏକ ବିଦ୍ରୁପାତ୍ମକ ଉକ୍ତି (cynical quotation)ର ଉଦ୍ଭାବନ କରିବାକୁ ପଡିଛି ଓ ତାଙ୍କ ମୁହଁରେ ରଖା ଯାଇଛି । ଏହି ମିଥ୍ୟା ଉଦ୍ଧୃତି ସୃଷ୍ଟିର ଏକ ଅନୁଦାର ବ୍ୟାଖ୍ୟା ହେଉଛି ଯେ କୌଣସି ହିନ୍ଦୁ ତାଙ୍କର ନିଜର ସଂକୀର୍ଣ୍ଣ ମନୋଭାବକୁ ମ୍ୟାକଲେଙ୍କ ଉପରେ ଆରୋପିତ କରିଛନ୍ତି ଏକ ବିନାଶକାରୀ ଉକ୍ତି ଦ୍ଵାରା ଯାହା ମୂଳ ଅଧିବାସୀ(natives)ଙ୍କୁ ଇଉରୋପୀୟଙ୍କ ସମାସ୍କନ୍ଧ କରିବାପାଇଁ ମ୍ୟାକଲେଙ୍କର ଉଦାର ଉଦ୍ଦେଶ୍ୟକୁ ବଦଳାଇ ଦେଇଛି । ଉଦାର ବ୍ୟାଖ୍ୟା ଦ୍ଵାରା ଏହା ଅନୁମାନ କରାଯାଇପାରେ ଯେ କେହି ହିନ୍ଦୁ ମ୍ୟାକଲେ ଜଣେ ସଂକୀର୍ଣ୍ଣମନା ବ୍ୟକ୍ତି ବୋଲି ତାଙ୍କ ସମ୍ପର୍କରେ ପ୍ରଚାରିତ ଗପସବୁକୁ ଶୁଣିଥିବେ ଓ ସେଗୁଡିକୁ ଗିଳି ପକାଇଥିବେ ଓ ତା’ପରେ ଏକ ଉପଯୁକ୍ତ ଉଦ୍ଧୃତି ସୃଷ୍ଟି କରି ଶୂନ୍ୟସ୍ଥାନ ପୂରଣ କରିଥିବେ ।“
ବ୍ୟବହୃତ ଉପାଦାନ ସୂଚୀ
୧ . ମ୍ୟାକଲେ ଏବଂ ଭାରତ , ସମଦୃଷ୍ଟି, ୧୬-୨୮, ଫେବୃଆରୀ, ୨୦୨୬, ପ୍ରୁ୬ -୧୪
୨.https://www.academia.edu/14690154/A_dubious_quotation_a_controversial_reputation_the_merits_of_Lord_Macaulay
୩ . Posted on Jan 12, 2013 by VOI, https://bharatabharati.in/2013/01/12/debunking-lord-macaulays-infamous-quote-koenraad-elst/
୪ . Clearing the dust off Macaulay’s “famous quote” by B Shantanu · June 26, 2007, https://satyameva jayate.org/2007/06/26/clearing-the-dust-off-macaulays-quote/
୫https://en.wikipedia.org/wiki/Koenraad_Elst;https://en.wikipedia.org/wiki/Michel_Danino
୬. https://www.bjp.org/pressreleases/shri-lk-advanijis-latest-blog-durbar-extremely-interesting-book
(Prof. Birendra Nayak is a widely respected educationist, columnist, poet and writer from Odisha. He is known for his well reserached articles on important national and state issues. His books are well appreciated by the readers. An Alumnus of Banaras Hindu University and IIT Kharagpur, Prof Nayak served the Utkal University as Professor of Mathematics for three decades.)
Comments
0 comments
