ଏକ ବିକଳ୍ପ ବିକାଶ ଧାରା ପାଇଁ ସମ୍ପ୍ରତି ଗତ ଫେବୃଆରୀ ମାସ ୨୫ତାରିଖ ଠାରୁ ପ୍ରାକୃତିକ ସମ୍ପଦର ସୁରକ୍ଷା, ଲୋକଙ୍କ ଜୀବନ–ଜୀବିକା ଓ ସାମାଜିକ ନ୍ୟାୟର ଦାବିକୁ ନେଇ ଲୋକଶକ୍ତି ଅଭିଯାନ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁରରୁ ରାଜ୍ୟବ୍ୟାପୀ “ଲୋକ ଅଧିକାର ଯାତ୍ରା” ଆରମ୍ଭ ହୋଇଛି । ଏହି ଯାତ୍ରା ଆଗାମୀ ୨୯ ମାର୍ଚ୍ଚରେ ବୀର ସହିଦ ଲକ୍ଷ୍ମଣ ନାୟକଙ୍କ ସହିଦ ଦିବସ ଅବସରରେ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ପ୍ରାକୃତିକ ସୁରକ୍ଷା ସମାବେଶ ମାଧ୍ୟମରେ ସମାପ୍ତି ହେବ ।
ପ୍ରଚଳିତ ବିକାଶଧାରାର ଫଳସ୍ୱରୂପ ରାଜ୍ୟର ବାର୍ଷିକ ବଜେଟ୍ରେ ଖଣି ରାଜସ୍ୱର ମାତ୍ରା ବହୁଗୁଣିତ ହୋଇଛି ସତ, ମାତ୍ର ଆମ ରାଜ୍ୟ ଆଜି ବି ତଳଆଡୁ ଦ୍ୱିତୀୟ ଦରିଦ୍ରତମ ରାଜ୍ୟର କଳଙ୍କ ବୋହି ଚାଲିଛି । ଓଡ଼ିଶାକୁ ଏକଦା ପ୍ରାକୃତିକ ସମ୍ପଦରେ ଧନୀ ଏକ ଗରିବ ରାଜ୍ୟ ବୋଲି କୁହାଯାଉଥିଲା, କିନ୍ତୁ ଏହି ଖଣିଜ ସମ୍ପଦ ଦୋହନ ଆଧାରିତ ବିକାଶ ଧାରାରେ ଦାରିଦ୍ର୍ୟ ଦୂରୀକରଣ ଏକ ମରୀଚିକା ପ୍ରମାଣିତ ହେଉଛି ।
ଏହି ଅବିଚାରିତ ଓ ଅନ୍ଧ ଶିଳ୍ପାୟନ, ଖଣି ଖନନ, ଶିଳ୍ପ ପ୍ରତିଷ୍ଠା ଓ ରାଜପଥ ନିର୍ମାଣ ପାଇଁ କେତେ ଯେ ଜୈବ ବିବିଧତା ପୂର୍ଣ୍ଣ ଜଙ୍ଗଲ, ସ୍ଥାୟୀ ଜଳ ସ୍ରୋତ ତଥା ଚାଷ ଉପଯୋଗୀ ଜମି ଚିରଦିନ ପାଇଁ ଧ୍ୱଂସ ହେବାରେ ଲାଗିଛି, ତାହା ଅକଳନୀୟ ଓ ଗମ୍ଭୀର ଚିନ୍ତାର ବିଷୟ । ଏକଥା ଆଜି ନିର୍ବିବାଦୀୟ ଯେ ସାରା ମାନବସମାଜ ଆଜି ଯେଉଁ ଜଳବାୟୁ ସଙ୍କଟର ଆସନ୍ନ ଭୟାବହ ପରିଣତିକୁ ନେଇ ଉଦ୍ବିଗ୍ନ, ତାର ମୂଳ କାରଣ ହେଉଛି ମନୁଷ୍ୟକୃତ ଲଗାମହୀନ ଶିଳ୍ପାୟନଜନିତ ପ୍ରାକୃତିକ ଓ ପରିବେଶର ବିନାଶ ।
ଆମ ରାଜ୍ୟ ଓଡ଼ିଶାର ପଶ୍ଚିମ-ଦକ୍ଷିଣରେ ଅବସ୍ଥିତ ବରଗଡ଼, ବଲାଙ୍ଗୀର ଜିଲ୍ଲାର ଗନ୍ଧମାର୍ଦ୍ଦନ ପର୍ବତଠାରୁ କଳାହାଣ୍ଡିର ନିୟମଗିରି, ଖଣ୍ଡୁଆଳମାଳି ଦେଇ ରାୟଗଡ଼ା, କୋରାପୁଟ ଜିଲ୍ଲାର ସିଜିମାଳି, ଶାଶୁବୋହୂମାଳି, ବାଫଲିମାଳି, କୋଡ଼ିଙ୍ଗାମାଳି, ପଞ୍ଚପଟ୍ଟମାଳି ଓ ଦେଓମାଳି ପର୍ଯ୍ୟନ୍ତ ମାଳି ପର୍ବତମାନଙ୍କରେ ପ୍ରଚୁର ବକ୍ସାଇଟ୍ ଗଚ୍ଛିତ ଅଛି, ଯାହାକୁ ଓଡ଼ିଶାର ଆରାବଳୀ ଆଖ୍ୟା ଦିଆଯାଇପାରେ । ଠିକ୍ ସେହିପରି ରାଜ୍ୟର ଉତ୍ତର-ପଶ୍ଚିମରେ ଅବସ୍ଥିତ ଯାଜପୁର, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା ଆଦି ଜିଲ୍ଲାର ପର୍ବତ ଓ ମାଟି ତଳେ ପ୍ରଚୁର କୋଇଲା, ଲୁହାପଥର, କ୍ରୋମାଇଟ୍ ଭଣ୍ଡାର ରହିଅଛି । ଏହି ସବୁ ଖଣିଜ ପଦାର୍ଥର ଅନିୟନ୍ତ୍ରିତ ଓ ଲଗାମହୀନ ଦୋହନ ଆଧାରିତ ଶିଳ୍ପାୟନକୁ ବିକାଶର ଏକମାତ୍ର ପଥ ବୋଲି ସରକାରମାନେ ଧରି ନେଇଛନ୍ତି । ସେହି ଧାରାକୁ ତୀବ୍ରତର କରି ବର୍ତ୍ତମାନ ସରକାର ସମସ୍ତ ଖଣିଜ ସମ୍ପଦକୁ ମୁଷ୍ଟିମେୟ ଦେଶୀ-ବିଦେଶୀ ବଡ଼ ବଡ଼ କମ୍ପାନୀମାନଙ୍କୁ ନିଲାମ କରି ଚାଲିଛନ୍ତି । କେବଳ ସେତିକି ନୁହେଁ, ପ୍ରଚଳିତ ବିକାଶ ଧାରାକୁ ପ୍ରଶ୍ନ କରୁଥିବା, ପ୍ରତିରୋଧ କରୁଥିବା, ସାମ୍ବିଧାନିକ ବ୍ୟବସ୍ଥା ସଂକ୍ରାନ୍ତରେ ମୌଳିକ ପ୍ରଶ୍ନ ଉଠାଉଥିବା ଜନଗଣଙ୍କୁ ଦମନ କରିବା ପାଇଁ ସୁନିୟୋଜିତ ଯୋଜନା ଚଳେଇଛନ୍ତି । ଗତ ଅର୍ଦ୍ଧଶତାବ୍ଦୀରୁ ରାଜ୍ୟର ଶେଷ ହୋଇଥିବା ଖଣିଜ ସଂପଦର ମୂଲ୍ୟର ସିଂହଭାଗ ଯାଇଛି କଂପାନୀଗୁଡ଼ିକର ମୁନାଫା ରୂପେ ଓ କ୍ଷମତା ରାଜନୀତିର ମଙ୍ଗୁଆଳ ମାନବ ପାଖକୁ । କ୍ଷତି ପରିବେଶର, ସ୍ଥାନୀୟ ମାଟିର । ମଣିଷମାନଙ୍କର ଜୀବିକା ହଜିଯାଇଛି, ବିସ୍ଥାପିତ ବାସହରା ହୋଇଛନ୍ତି । ପ୍ରଦୂଷଣ ଦ୍ୱାରା ମରଣଯନ୍ତା ସୃଷ୍ଟି ହୋଇଛି ।
ସ୍ୱତନ୍ତ୍ର ଓଡ଼ିଶାକୁ ୧୦୦ ବର୍ଷ ହେବ, ୨୦୩୬ରେ । ପାହାଡ଼ ପର୍ବତଭରା ସବୁଜ ଓଡ଼ିଶାର ନଦୀ, ଝରଣା, ତାର କୃଷି, ଉପକୂଳ ସାମୁଦ୍ରିକ ସମ୍ପଦ, ଚିଲିକା ସମେତ ବାସ୍ତବରେ ରାଜ୍ୟର ପ୍ରାକୃତିକ ପୁଞ୍ଜି ଯିଏ ମାନବ ସଭ୍ୟତା ବିକାଶର ସ୍ରୋତ ସହ ଓଡ଼ିଶାର ଆର୍ଥôକ, ସାମାଜିକ ଓ ସାଂସ୍କୃତିକ ଜୀବନ ସୃଷ୍ଟି କରିଛି । କିନ୍ତୁ ପୁଞ୍ଜିବାଦୀ ନୀତି ଜରିଆରେ କର୍ପୋରେଟ ଲୁଟକୁ ପ୍ରୋତ୍ସାହିତ କରୁଥିବା ବିକାଶ ନାମରେ ଆମର ଏସବୁ ସମ୍ପଦ ଏବେ ଖାଲି ହେବାରେ ଲାଗିଛି । ନଦୀ, ହ୍ରଦ ଝରଣା ଶୁଖି ଶୁଖି ଯାଉଛି, ବିଷାକ୍ତ ପ୍ରଦୂଷଣର ଶିକାର ହେଉଛନ୍ତି । ସବୁଜିମା ଏବେ ହଜି ହଜି ଯାଇଛି । ପ୍ରଶ୍ନ ଉଠୁଛି ବିକାଶ ନାମରେ ଆମେ କେତେ ପ୍ରାକୃତିକ ସମ୍ବଳକୁ ଏକ ପିଢ଼ି ସମୟରେ ସାରିବା ଯାହାକି ସାଧାରଣ ବ୍ୟକ୍ତିର ଆବଶ୍ୟକତା ପାଇଁ? କିନ୍ତୁ ତାର ଉତ୍ତର ଦେବାକୁ ସରକାରମାନେ ପ୍ରସ୍ତୁତ ନୁହନ୍ତି କିମ୍ବା କ୍ଷମତାସୀନ ହୋଇଥିବା ବା ହେବାକୁ ଥିବା ପ୍ରମୁଖ ରାଜନୈତିକ ଦଳମାନେ ପ୍ରସ୍ତୁତ ନୁହନ୍ତି । ଆମର ଉତ୍ତର ଓ ପଶ୍ଚିମ ଓଡ଼ିଶାର ଲୁହାପଥର, ମାଙ୍ଗାନିଜ ଏପରି କେତେକ ମୂଲ୍ୟବାନ ଖଣିଜ ସମ୍ପଦ ଶେଷ ହେବାକୁ ଯାଉଛି । ଯାଜପୁର ଜିଲ୍ଲାର କ୍ରୋମ ଖାଲିହେବାରେ ଲାଗିଛି । ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲା କୋଇଲା ଖଣି ଖନନ ଓ ପ୍ରଦୂଷଣକାରୀ ଥର୍ମାଲ ପାୱାର ପ୍ଲାଣ୍ଟ ପରି ଅନେକ ପ୍ରଦୂଷଣକାରୀ କଳକାରଖାନା ସେହି ଅଞ୍ଚଳଗୁଡ଼ିକରେ ଅନେକ ସ୍ଥାନରେ ମରୁଭୂମି ସୃଷ୍ଟି କରିବା ସହ ଉକ୍ରଟ ପ୍ରଦୂଷଣର ମରଣସ୍ଥଳ ସୃଷ୍ଟି କରିସାରିଲାଣି । ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଥିବା ବକ୍ସାଇଟ ଖଣି ସମ୍ପଦକୁ ଶେଷ କରିଦେବାକୁ ପ୍ରକ୍ରିୟା ଜାରି ରହିଛି ଗତ ୧୦ ବର୍ଷରୁ । ଏବେ ଦ୍ରୁତ ଗତିରେ ନିଃଶେଷ ପ୍ରକ୍ରିୟା ଚଲାଇବାକୁ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଦେଶର ପୂର୍ବଘାଟ ପର୍ବତମାଳାର ଏହି ବକ୍ସାଇଟ ଇଲାକା ଗନ୍ଧମାର୍ଦ୍ଦନରୁ ଦେଓମାଳି ଯାଏଁ ଓଡ଼ିଶାର ଆରାବଳୀ କୁହାଯାଇପାରେ । ଏହା ଦେଶର ୫୧ପ୍ରତିଶତ । ଏହାକୁ ସଂରକ୍ଷିତ ରଖିବା ଅତି ଜରୁରୀ ରାଜ୍ୟର ଚିରସ୍ରୋତା ଝରଣା, ନଦୀସମୂହ ଓ ଜୈବ ବିବିଧତାପୂର୍ଣ୍ଣ ସବୁଜ ଜଙ୍ଗଲ ସମ୍ପଦର ଦୀର୍ଘସ୍ଥାୟିତ୍ୱର ଗ୍ୟାରେଣ୍ଟି ଦୃଷ୍ଟିରୁ । ନଚେତ ଆମ ସ୍ୱତନ୍ତ୍ର ଓଡ଼ିଶା ଏକ ସମ୍ବଳହୀନ ରୁଗ୍ଣ ରାଜ୍ୟ ହୋଇ ରହିବ ଯେଉଁଠି ଆଦିବାସୀ, ଦଳିତ, ଗରିବ, କୃଷିଜୀବୀ ଓ ଶ୍ରମଜୀବୀ ଜୀବିକାରୁ ବଞ୍ଚିତ ହେବେ । କେବଳ ୨୦ରୁ ୩୦ ପ୍ରତିଶତ ଧନୀକ ବ୍ୟକ୍ତି ଓ ମଧ୍ୟବିତ୍ତ ଶ୍ରେଣୀ ରାଜ୍ୟର ଭାଗ୍ୟଶାଳୀ ହୋଇ ରହିବେ । ତାହେଲେ ବଡ଼ ବଡ଼ ଅଟ୍ଟାଳିକା, ବନ୍ଦର, କାରଖାନା, ଉପକୂଳ ପଥ, ଉଡ଼ାଜାହାଜ ଘାଟି ରହିବ ଯାହାକୁ ବିକାଶର ମଡେଲ କୁହାଯାଉଥିବ । କିନ୍ତୁ ଅଧିକାଂଶ ସମ୍ବଳହୀନ ଅଞ୍ଚଳଗୁଡ଼ିକ ଦାରିଦ୍ର୍ୟ ଇଲାକାର ଦାରିଦ୍ର୍ୟ ପରିଚୟ ଦେଉଥିବ । ଏସବୁ ସମ୍ବଳରୁ ବଞ୍ଚିତ, ବିସ୍ଥାପିତ, ଉଚ୍ଛେଦିତ ଜନତା ଅସୁରକ୍ଷିତ ରହିବେ । ଅନ୍ୟପଟେ ବିକଶିତ ଓଡ଼ିଶା ମାନଚିତ୍ରରେ ପ୍ରତ୍ୟେକ ଗ୍ରାମରେ ପ୍ରାଥମିକ ଓ ପ୍ରତ୍ୟେକ ପଞ୍ଚାୟତରେ ହାଇସ୍କୁଲ ନାହିଁ, ଥିବା ସ୍କୁଲ, କଲେଜ, ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ପ·ଶ ପ୍ରତିଶତରୁ ଅଧିକ ଶିକ୍ଷକ-ଅଧ୍ୟାପକ ନିଯୁକ୍ତ ହୋଇପାରୁ ନାହାନ୍ତି । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜିଲ୍ଲା ପର୍ଯ୍ୟନ୍ତ ଆବଶ୍ୟକ ଡାକ୍ତର ନାହାନ୍ତି କି ନର୍ସ ନାହାନ୍ତି । ମାଗଣା ଔଷଧ ମିଳିପାରୁ ନାହିଁ । ଲକ୍ଷ ଲକ୍ଷ ଦଳିତ, ଅନଗ୍ରସର ଶ୍ରେଣୀର ପରିବାର ପାଇଁ ବାସସ୍ଥାନ ନାହିଁ କି ପ୍ରତିଦିନ ମଜୁରୀ ପାଇଁ କାମ ଯୋଗାଇବା ପାଇଁ ଅର୍ଥ ନାହିଁ ସରକାର ପାଖରେ ।
·ଷୀର ଆୟର ଗ୍ୟାରେଣ୍ଟି ନାହିଁ କି ଶ୍ରମିକକୁ ନ୍ୟାୟୋଚ୍ଚିତ ମଜୁରୀ ନାହିଁ । ପିଇବାକୁ ସ୍ୱଚ୍ଛ ପାଣି ଯୋଗାଇବାକୁ ସରକାରର ସାମର୍ଥ୍ୟ ନାହିଁ କି ପ୍ରତି ପରିବାରର ବେକାର ଯୁବକ-ଯୁବତୀଙ୍କ ପାଇଁ କର୍ମ ନିଯୁକ୍ତ ସଫଳ ଯୋଜନା ନାହିଁ । ମାଗଣା ୫ କିଲୋ ·ଉଳ ଗହମ ସହ ଡାଲି କିଲେ ଦେବାକୁ ଆର୍ଥôକ ସ୍ଥିତି ନାହିଁ କି ତାଲିକାରେ ନଥିବା ନୂଆ ଜନ୍ମ ନେଇଥିବା ଭୋକିଲା ମାନଙ୍କୁ ରେସନ ଦେବାକୁ ରାଷ୍ଟ୍ର ପାଖରେ ବଜେଟ ନାହିଁ । ଅଥଚ ଆମକୁ କୁହାଯାଉଛି ପ୍ରଗତି ପଥରେ ଓଡ଼ିଶା । ଏହା କେତେ ସହ କେତେ ମିଛ ତାକୁ ସର୍ବସାଧାରଣ ବିଶେଷ କରି ଶିକ୍ଷିତ ନାଗରିକମାନେ ବି·ର କରି ନିଜର ବ୍ୟକ୍ତି ସ୍ୱାଧୀନତା ସହ ମର୍ଯ୍ୟଦାର ସହ ବଂଚିବା ପାଇଁ ଯେଉଁ ବିକଳ୍ପ ବିକାଶ ଆବଶ୍ୟକତା ପାଇଁ ସ୍ୱର ଉତ୍ତୋଳନ କରିବା ଅତି ଜରୁରୀ । ନଚେତ ବିକାଶ ନାମରେ ରାଜ୍ୟ ସମ୍ବଳହୀନ ହୋଇଗଲା ପରେ ବିକଳ୍ପପାଇଁ ବାଟ ବନ୍ଦ ହୋଇଯିବ । ତେଣୁ ଆଜିର ଏହି ଲୋକ ଅଧିକାରର ଯାତ୍ରାର ଆହ୍ୱାନ, ବିନାଶକାରୀ ବିକାଶର ବିକଳ୍ପ ପାଇଁ ବିଚାର, ଚିନ୍ତନ, ମନ୍ଥନ ହେଉ ଓ ଜନଜାଗରଣ ଦ୍ୱାରା ବିକଳ୍ପ ରାଜନୀତି ପାଇଁ ବାଟ ଖୋଲୁ । “ରାଜନୈତିକ ନେତା, କର୍ମୀ, ବୁଦ୍ଧିଜୀବୀ, ପ୍ରଶାସକ ଓ ନାଗରିକ ସମାଜ ମଧ୍ୟରେ ଚେତନା ଜାଗ୍ରତ ହେଉ, ସାଧାରଣ ଜନତାଙ୍କ ଆବଶ୍ୟକତା ତଥା ମୌଳିକ ଅଧିକାରଗୁଡ଼ିକର ସୁରକ୍ଷା ଓ କାର୍ଯ୍ୟକାରିତା ପାଇଁ ।
ଆମ ରାଜ୍ୟରେ ଦୁଇବର୍ଷ ତଳେ ନବଗଠିତ ଡବଲ ଇଞ୍ଜିନ (ମୋହନ-ମୋଦୀ) ସରକାରର ବହୁ ପ୍ରଚାରିତ ସ୍ଲୋଗାନ ହେଉଛି ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା । ଏହାର ପୂର୍ବବର୍ତ୍ତୀ ଦୀର୍ଘ ୨୪ବର୍ଷର ସରକାର ଦ୍ରୁତ ଶିଳ୍ପାୟନର ଦ୍ୱାହି ଦେଇ ଯେଉଁ ବିକାଶଧାରା ଚଳେଇଥିଲେ, ବର୍ତ୍ତମାନ ସରକାର ସେହି ଧାରାକୁ ଅଧିକ ତୀବ୍ରତର କରିବା ପାଇଁ ବଦ୍ଧପରିକର । ପ୍ରଚଳିତ ବିକାଶଧାରାର ମୂଳମନ୍ତ୍ର ହେଉଛି ମାଟିତଳେ ଥିବା ପ୍ରାକୃତିକ ଖଣିଜସମ୍ପଦକୁ ଅବିଚାରିତ ଦୋହନ କରିବା, ମୁଖ୍ୟତଃ ରପ୍ତାନିଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରିବା । ୩୦ବର୍ଷ ତଳେ ଆମ ଦେଶରେ ଯେଉଁ ନବ-ଉଦାରବାଦୀ ଯୁଗ ଆରମ୍ଭ ହେଲା, ଘରୋଇ ଦେଶୀ ବିଦେଶୀ କମ୍ପାନୀମାନଙ୍କୁ ଖଣି ଖାଦାନ ଟେକି ଦେବାର ନୀତି ସହ ଏହି ବିକାଶ ଧାରା ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିଲା । ଲୋକ ଅଧିକାର ଯାତ୍ରାର ଆହ୍ୱାନ ଯେ,
“ଏକ ଭୟଙ୍କର ଭବିଷ୍ୟତକୁ ପ୍ରତିହତ କରାଯାଉ ।’ଦେଶର ଗତି କେତେବେଳେ କେଉଁଆଡ଼େ ଉଜାଣି ନଈ ପରି ମୁହାଁଉଛି, ତାହା ବେଳେବେଳେ କଳନା କରିବା କଷ୍ଟକର ହୋଇପଡ଼ୁଛି । ଆଉ ଏଥିଲାଗି ବଳି ପଡ଼ୁଛି ସାଧାରଣ ମଣିଷଟି । ଆଦିବାସୀ, ଦଳିତ ଯୁବକଟି, ବିଶେଷ କରି ମହିଳା ଓ ଶିଶୁମାନେ ବି ମୁକୁଳିପାରନ୍ତି ନାହିଁ ଜଗତୀକରଣ ଓ ଶିଳ୍ପାୟନର ଏହି ବିଷାକ୍ତ ପଞ୍ଝା ମଧ୍ୟରୁ । ଏବେ ସମୟ ଆସିଛି ପୁଣିଥରେ ଆଉ ଏକ ସ୍ୱାଧୀନତାର ଡାକରା ଆସିଛି । ଆମକୁ ଏକ ହେବାକୁ ହେବ, ଲଢ଼ିବାକୁ ହେବ । ଆମେ ଆମ ରାଜ୍ୟ ଗଠନର ଶହେ ବର୍ଷ ପୂରଣ କରିବାର ସ୍ୱପ୍ନ ହୁଏତ ସ୍ୱପ୍ନରେ ରହିଯିବା ପରି ବୋଧ ହେଲାଣି । ବେଳହୁଁ ସାବଧାନ ହେବାର ସମୟ ଉପନୀତ ।
ଗ୍ରୀନ ନୋବେଲ ସମ୍ମାନପ୍ରାପ୍ତ ପରିବେଶ ସଂଗ୍ରାମୀ ପ୍ରଫୁଲ୍ଲ ସାମନ୍ତରାଙ୍କ ନେତୃତ୍ୱରେ ହେଉଥିବା ଏହି ଯାତ୍ରାରେ ବିଶିଷ୍ଟ କୃଷକ ନେତା ଶ୍ରୀ ଲିଙ୍ଗରାଜ, ଆଦିବାସୀ ନେତା ଲିଙ୍ଗରାଜ ଆଜାଦ, ଗାନ୍ଧୀବାଦୀ ନେତା ଡଃ ବିଶ୍ୱଜିତ୍, ଜନ ଆନ୍ଦୋଳନ ନେତା ନରେନ୍ଦ୍ର ମହାନ୍ତି, ସାମାଜିକ କର୍ମୀ କଲ୍ୟାଣ ଆନନ୍ଦ ତଥା ନିୟମଗିରି ଆନେ୍ଦାଳନର କର୍ମୀ ରାଜକିଶୋର ଭାଇ, ନାଚିକା ଲିଙ୍ଗାଙ୍କ ଭଳି ମାନବଦାୀ କର୍ମୀମାନେ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ସବୁଠି ମିଳୁଚି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା । ଲୋକ ଭିତରେ ଅବେଗପ୍ରବଣତା ରହିଛି । ତାକୁ ଜାଗ୍ରତ କରାଇବା ଆମଭଳି ବିକଳ୍ପ ଗଣମାଧ୍ୟମମାନଙ୍କର ମଧ୍ୟ ଦାୟିତ୍ୱ ରରହିଂଛି । ପ୍ରମୁଖ ସାମିଲ ହୋଇଛନ୍ତି । ବିଭିନ୍ନ ଜନ ସଙ୍ଗଠନ, କୃଷକ, ଆଦିବାସୀ ଓ ସାମାଜିକ ଆନେ୍ଦାଳନର କର୍ମୀ ଏହି ଯାତ୍ରାରେ ଯୋଗଦେଇ ଲୋକଙ୍କ ଅଧିକାରର ସ୍ୱରକୁ ଶକ୍ତିଶାଳୀ କରିବାରେ ଲାଗିଛନ୍ତି ବୋଲି ଯେଉଁ ଖବର ଆସୁଛି ସେଥିରେ ଆମକୁ କିଛି ଆଶା ମିଳୁଛି । ତେବେ ଏହି ଯାତ୍ରା ମାର୍ଚ୍ଚ ୨୯ରେ ନସରି ଆଗକୁ ସଫଳତା ମିଳିବା ଯାଏ ମାଡି ଚାଲିବା ଦରକାର । ଏଥିରେ ଆମେ ସମସ୍ତେ ସାମିଲ୍ ହେବା ବାଞ୍ଛାନୀୟ ।
Comments
0 comments

