ଓଡ଼ିଆ ସାହିତ୍ୟରେ ନାରୀ ସ୍ୱର

1 View
22 Min Read

ସାହିତ୍ୟ ଗୋଟିଏ ଦେଶ, ଜାତି ଓ ସଂସ୍କୃତିର ପ୍ରାଣକେନ୍ଦ୍ର । ମଣିଷ ଲେଖିବା, ଶିଖିବା ପୂର୍ବରୁ ନିଜର ସୁଖ-ଦୁଃଖ, ପ୍ରେମ-ବିରହ, ଜନ୍ମ-ମୃତ୍ୟୁ ଓ ମିଳନର ସମସ୍ତ ଅନୁଭୂତିକୁ ତୁଣ୍ଡରେ ଗୀତ ଆକାରରେ ଗାଉଥିଲା । ବେଳେବେଳେ ତାହା ଝରଣାର କଳକଳ ନାଦରେ ଗୁଞ୍ଜରିତ ହେଲାପରି ଜନମାନସରେ ଖେଳେଇ ହୋଇ ଯାଉଥିଲା । ତେଣୁ ଲୋକସାହିତ୍ୟ ଭାବରେ ଚିରକାଳ ଗଣଚେତନାରେ ଜୀବନ୍ତ ହୋଇ ରହିଛି ।

ଗୃହର ଚାରିକାନ୍ଥ ମଧ୍ୟରେ ନାରୀ ମନକୁ ମନ ଗୁଣୁଗୁଣୁ ହୋଇ ଘରର ଯାବତୀୟ କାମ କଲା ବେଳେ, ଜନ୍ମକଲା ଶିଶୁଟିକୁ ପ୍ରବୋଧନା ଦେବାକୁ ଯେଉଁ ଗୀତ ଗାଉଥିଲା, ତାହା ଥିଲା ପ୍ରଥମ ନାନା ବାୟା ବା ଲୋରୀ ଗୀତ । ନାରୀମାନେ ହିଁ ସାହିତ୍ୟ ସୃଷ୍ଟିର ଆଦ୍ୟ ପ୍ରେରଣା ଭାବରେ ନିଜକୁ ବ୍ୟକ୍ତ କରିବାରେ ଏହି ମୌଖିକ ଗୀତର ରୂପକୁ ସାକାର କରିଥିଲେ । ଜୀବନର ସବୁଦିନର ଘଟଣାବଳୀକୁ ନାରୀମାନେ କାନ୍ଦଣା, ରୁଢ଼ି, ପ୍ରଚ୍ଛନ୍ନ, ବ୍ରତ, ପର୍ବପର୍ବାଣୀ, ଓଷା, ଓଳାଣି, ପିଠାପଣା, ପରୀ କାହାଣୀ, ରାଜା କାହାଣୀ ଇତ୍ୟାଦି ମାଧ୍ୟମରେ ‘ଗୀତ ବୋଲି’ ସୃଷ୍ଟି କରିଯାଇଛନ୍ତି । ଯେହେତୁ ତକôାଳୀନ ଯୁଗରେ ଧର୍ମ ହିଁ ଥିଲା ସାହିତ୍ୟ ରଚନାର ପୃଷ୍ଠଭୂମି; ତେଣୁ ତାହା ହିଁ ଗୀତ ଭାବରେ ନିଃସୃତ ହେଉଥିଲା ।

ଓଡ଼ିଆ ସାହିତ୍ୟରେ ନାରୀର ଗୀତ ରଚନାର ଧାରା ବହୁତ ପୁରୁଣା । ଚଉରାଶୀ  ସିଦ୍ଧାଚାର୍ଯ୍ୟଙ୍କ ଦ୍ୱାରା ଲିଖିତ ଚର୍ଯ୍ୟା ଗୀତିକା ଓଡ଼ିଆ ସାହିତ୍ୟର ପ୍ରଥମ ଗୀତି କବିତା ଭାବରେ ଗ୍ରହଣ କରାଯାଏ । ସେମାନଙ୍କ ମଧ୍ୟରୁ ଓଡ଼ିଶାର ପ୍ରଥମ ନାରୀ କବି ହେଉଛନ୍ତି ୧୧ଶ ଶତାବ୍ଦୀର ୮୨ତମ ସିଦ୍ଧାଚାର୍ଯ୍ୟ ଭଗବତୀ ଲକ୍ଷ୍ମୀଙ୍କରା । ତାଙ୍କଦ୍ୱାରା ଲିଖିତ ‘ଅଦ୍ୱୟ ସିଦ୍ଧି’ ଗ୍ରନ୍ଥରେ ନାରୀ ଅନ୍ତଃଚେତନାର ଚମତ୍କାର  ବିଶ୍ଳେଷଣ ହୋଇଛି । ତାହା ହିଁ ଓଡ଼ିଆ ନାରୀ କବିର ପ୍ରଥମ ପ୍ରକାଶ । ଭଗବତୀ ଲକ୍ଷ୍ମୀଙ୍କରାଙ୍କ ଦ୍ୱାରା ପ୍ରବର୍ତ୍ତିତ ସହଜ ଯାନର ଦର୍ଶନକୁ ଆଧାର କରି ଓଡ଼ିଆ ନାଥ ଯୋଗୀମାନେ ‘ଟିକା ଗୋବିନ୍ଦଚନ୍ଦ୍ର୍ର’ ଆଖ୍ୟାନମୂଳକ ଗାଥା କବିତାକୁ କେନ୍ଦରା ବାଦ୍ୟଯନ୍ତ୍ର ଦ୍ୱାରା ବଜାଇ ଅତ୍ୟନ୍ତ ମଧୁର କରୁଣ ମୂର୍ଚ୍ଛନା ସୃଷ୍ଟି କରି ଗାନ କରୁଥିଲେ । ଓଡ଼ିଶାର ପୁରପଲ୍ଲୀରେ ଟିକା ଗୋବିନ୍ଦଚନ୍ଦ୍ର ଗୀତ ଅତ୍ୟନ୍ତ ଲୋକପ୍ରିୟ ଥିଲା । ଲକ୍ଷ୍ମୀଙ୍କରା ଓଡ଼ିଆ ସାହିତ୍ୟରେ ଜଣେ ଅନନ୍ୟ ସାଧାରଣ ବିଲକ୍ଷଣ ପ୍ରତିଭା । ତାଙ୍କ ପରେ ଆସନ୍ତି ମାଧବୀ ଦାସ । ତାଙ୍କଦ୍ୱାରା ରଚିତ ଭଜନ ‘ଚକାନୟନ ହେ ଜଗୁଜୀବନ ଶ୍ରୀହରି’ ଓଡ଼ିଆ ନାରୀର ଭକ୍ତିପ୍ରେମର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ । ପରବର୍ତ୍ତୀ ଲେଖିକା ମାନେ ହେଲେ ବୃନ୍ଦାବତୀ ଦାସୀ, ନରେନ୍ଦ୍ର ନାରୀ, ରାଣୀ ମୋହନ କୁମାରୀ, ବିଷ୍ଣୁପ୍ରିୟା ଦେବୀ, ହୀରା ଦାସୀ, ଦୈବତ ଦେବୀ, ହରପ୍ରିୟା ଦାସୀ, ସୂର୍ଯ୍ୟମଣୀ ଜେମା, ରଘୁନାଥ ସୁର ରୂପଜେମା, ରାହାସ ନୃପନନ୍ଦିନୀ, ଅଚ୍ୟୁତ ବାମା, ପିଲା ବାଇ, ନନ୍ଦା ବାଇ, କୁଙ୍କୁମ ଦାସୀ, କୁଞ୍ଜଲତା, ରାଧିକା ମଣି, ନିଶଙ୍କ ରାୟ ମଣି ପ୍ରମୁଖ । ଏମାନେ ରାଗ-ରାଗିଣୀ ଯୁକ୍ତ କାବ୍ୟ କବିତା ମାଧ୍ୟମରେ ନିଜର ସାରସ୍ୱତ ଦକ୍ଷତା ପ୍ରତିପାଦନ କରିଥିଲେ । ଊନବିଂଶ ଶତାବ୍ଦୀ ଓଡ଼ିଆ ସାହିତ୍ୟରେ ରେନେସାଁ ବା ନବଜାଗରଣ ଆଣି ଏକ ଐତିହାସିକ ପୃଷ୍ଠଭୂମି ତିଆରି କରିଥିଲା । ଓଡ଼ିଆ ସାହିତ୍ୟ ପ୍ରାଚୀନ କାବ୍ୟ, ସଙ୍ଗୀତ, କୀର୍ତ୍ତନ, ଲୀଳାଧାରାରୁ ଉତ୍ତରି ଆସି ଆଧୁନିକ ଗଦ୍ୟରୂପରେ ପ୍ରବର୍ତ୍ତିତ ହୋଇଥିଲା । ଇଂରାଜୀ ଭାଷାର ଶିକ୍ଷା ସହିତ ମୁଦ୍ରାଯନ୍ତ୍ରର ପ୍ରତିଷ୍ଠା ଓ ପତ୍ରପତ୍ରିକାର ପ୍ରକାଶନ ଓଡ଼ିଆ ଗଦ୍ୟକୁ ପ୍ରଭାବଶାଳୀ ଶୈଳୀରେ ପ୍ରକାଶିତ କରିଥିଲା । ପାଶ୍ଚାତ୍ୟ ସାହିତ୍ୟର ପ୍ରଭାବ ମଧ୍ୟ ଓଡ଼ିଆ ସାହିତ୍ୟରେ ପରିଲକ୍ଷିତ ହୋଇଥିଲା । ଓଡ଼ିଆ ଗଳ୍ପ, ଉପନ୍ୟାସ, ପ୍ରବନ୍ଧର ଯାତ୍ରାପଥରେ ଓଡ଼ିଆ ଲେଖିକା ରେବା ରାୟଙ୍କ ପ୍ରଥମ ଓଡ଼ିଆ ଗଳ୍ପ ‘ଶକୁନ୍ତଳା’ ୧୯୦୦ ମସିହାରେ ‘ଉକ୍ରଳ ସାହିତ୍ୟ’ ପତ୍ରିକାର ଚତୁର୍ଥ ବର୍ଷ ପ୍ରଥମ ଓ ଦ୍ୱିତୀୟ ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ‘ଶକୁନ୍ତଳା’ ନାରୀ ମନର ଅବ୍ୟକ୍ତ ବେଦନାକୁ ସାମାଜିକ ଜୀବନରେ ପ୍ରତିଫଳିତ ହେଉଥିବା ବିବିଧ ସମସ୍ୟା ମାଧ୍ୟମରେ ପ୍ରକାଶ କରିଥିଲା । ସେହି ସମୟରେ ଫକୀରମୋହନ ସେନାପତିଙ୍କ ‘ରେବତୀ’ ଗଳ୍ପ ୧୮୯୮ ମସିହାରେ ପ୍ରକାଶିତ ହୋଇଥିଲା । ‘ଶକୁନ୍ତଳା’ର ଜନ୍ମ ୧୯୦୦ ମସିହାରେ ହୋଇଥିଲା; ଅର୍ଥାତ୍ ‘ରେବତୀ’ଠାରୁ ‘ଶକୁନ୍ତଳା’ ଦୁଇବର୍ଷ ସାନ । ସମାଲୋଚକମାନେ ମତ ଦିଅନ୍ତି ଯେ ‘ରେବତୀ’ ଗଳ୍ପ ଫକୀରମୋହନଙ୍କୁ ଶ୍ରେଷ୍ଠତ୍ୱ ପ୍ରଦାନ କରିଥିଲା । ଫକୀରମୋହନଙ୍କ ପରବର୍ତ୍ତୀ ଲେଖକ ଲେଖିକାମାନଙ୍କ ପାଇଁ ‘ରେବତୀ’ ଏକ ପ୍ରେରଣା ଭାବରେ କାର୍ଯ୍ୟ କରିଥିଲା । କିନ୍ତୁ ରେବା ରାୟଙ୍କ ‘ଶକୁନ୍ତଳା’ ସମସ୍ତ ବିଭବର ଅଧିକାରୀ ହୋଇଥିଲେ ମଧ୍ୟ ଯଥାର୍ଥ ଆଲୋଚନାର ସୁଯୋଗ ପାଇନଥିଲା । ଏହା ଭାରତୀୟ ସମାଜର ତଥାକଥିତ ପିତୃକୈନ୍ଦ୍ରିକ ମାନସିକତାର ଏକ ନିଚ୍ଛକ ଉଦାହରଣ ମାତ୍ର । ରେବା ରାୟ ଏପରି ଜଣେ ମହୀୟସୀ ମହିଳା ଥିଲେ, ଯିଏ ଶିକ୍ଷାକ୍ଷେତ୍ରରେ ଆଲୋଡ଼ନ ସୃଷ୍ଟି କରିଥିଲେ । ସେ ଝିଅମାନଙ୍କ ପଢ଼ିବା ନିମନ୍ତେ ୧୯୦୫ ମସିହାରେ କଟକରେ ଏକ ମଧ୍ୟ-ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଯାଜପୁରର ଗୁହାଳୀଠାରେ ମଧ୍ୟ ଗୋଟିଏ ମଧ୍ୟ-ଇଂରାଜୀ ବିଦ୍ୟାଳୟ ସ୍ଥାପନ କରିଥିଲେ । ରେବା ରାୟଙ୍କ ସମ୍ପାଦନାରେ ଶିଶୁ କିଶୋରମାନଙ୍କ ପାଇଁ ଏକ ଓଡ଼ିଆ ପତ୍ରିକା ‘ପ୍ରଭାତ’ ପ୍ରକାଶ ପାଇଥିଲା । ୧୯୧୯ ମସିହାରେ ଏହି ପତ୍ରିକା ପ୍ରକାଶିତ ହୋଇଥିଲା । ‘ପ୍ରଭାତ’ ଓଡ଼ିଆ ଶିଶୁ ସାହିତ୍ୟର ପ୍ରଥମ ପତ୍ରିକା ଭାବରେ ସ୍ମରଣୀୟ ହୋଇ ରହିଛି । ସେ ‘ଆଶା’ ନାମକ ଏକ ନାରୀଧର୍ମୀ ପତ୍ରିକା ମଧ୍ୟ ପ୍ରକାଶନ କରିଥିଲେ । ନାରୀମାନଙ୍କର ଶିକ୍ଷା, ସଂସ୍କାର, ଚାରିତ୍ରିକ ଆଦର୍ଶ, ସେମାନଙ୍କର ସ୍ୱାଧୀନତା ଏବଂ ସ୍ୱାବଲମ୍ବନଶୀଳତା ସମ୍ପର୍କରେ ରେବା ଅନେକ ପ୍ରବନ୍ଧ ଲେଖିଥିଲେ । ଓଡ଼ିଶାରେ ନାରୀ ଶିକ୍ଷାକ୍ଷେତ୍ରରେ ରେବା ରାୟ ନିଜର ଅସାଧାରଣ ଅବଦାନପାଇଁ ଚିରସ୍ମରଣୀୟ ହୋଇ ରହିଛନ୍ତି । ୧୯୦୪ ମସିହାରେ ‘ଶକୁନ୍ତଳା’ ଗଳ୍ପ ସଂକଳନ ପ୍ରକାଶିତ ହୋଇଥିଲା । ‘ଅଞ୍ଜଳି’ ନାମକ କବିତା ପୁସ୍ତକ ମଧ୍ୟ ତାଙ୍କର ପ୍ରକାଶିତ ହୋଇଥିଲା । ପ୍ରାକ୍-ସ୍ୱାଧୀନତାକାଳୀନ ଓଡ଼ିଆ ଗଦ୍ୟରେ ଭାରତୀୟ ମୁକ୍ତି ସଂଗ୍ରାମ, ବ୍ରାହ୍ମଧର୍ମ, ନୂତନ ଆଭିମୁଖ୍ୟ ନେଇ ସାମାଜିକ ସଂସ୍କାର, ବିଧବା ବିବାହ, ବାଲ୍ୟ ବିବାହ, ନାରୀ ଶିକ୍ଷା ପ୍ରଭୃତି ବିଷୟଗୁଡ଼ିକ ସ୍ଥାନ ପାଇଥିଲା । ୧୯୪୦ବେଳକୁ ମାର୍କ୍ସବାଦର ପ୍ରଭାବଯୋଗୁଁ ସର୍ବହରା ଶ୍ରମିକମାନଙ୍କ ପାଇଁ ସ୍ୱର ତୀବ୍ର ହୋଇ ଉଠିଥିଲା । ଶୋଷଣମୁକ୍ତ ସମାଜ, ଅସ୍ପୃଶ୍ୟତା, ଜାତିବାଦର ନିବାରଣ, ନିଶା ନିବାରଣ ଇତ୍ୟାଦି ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧରେ ପ୍ରକାଶ ପାଇଥିଲା । କୁନ୍ତଳା କୁମାରୀ ସାବତ, ପ୍ରତିମା ଦେବୀ, ସୀତା ଦେବୀ ଖାଡ଼ଙ୍ଗା, ସତ୍ୟଭାମା ଦେବୀ, ପୀତାମ୍ବରୀ ଦେବୀ, କୋକିଳ ଦେବୀ, ହେମଲତା ମାନସିଂହ, ସୁଶୀଳା ଦେବୀ, ପ୍ରତିଭା ଦେବୀ, ସୁପ୍ରଭା ଦେବୀ, କ୍ଷୀରାବ୍ଧି ପରିଡ଼ା, ଲବଙ୍ଗଲତା, ସରଳା ଦେବୀ ପ୍ରମୁଖ ଲେଖିକାମାନେ ନିଜର ଗଳ୍ପ ଓ ଉପନ୍ୟାସ ମାଧ୍ୟମରେ ନିଜ ନିଜର ସ୍ୱରକୁ ଶାଣିତ ଓ ତୀବ୍ର କରିଯାଇଛନ୍ତି ।

ଓଡ଼ିଆ ସାହିତ୍ୟର ଅସାମାନ୍ୟ ପ୍ରତିଭା ଓ ବଳିଷ୍ଠ ଲେଖନୀର ଅଧିକାରିଣୀ କୁନ୍ତଳା କୁମାରୀ ସାବତ ଖୁବ୍ କମ୍ ବୟସ ଓ ଜୀବନର ସ୍ୱଳ୍ପ ସମୟ ମଧ୍ୟରେ ଗଦ୍ୟ ସାହିତ୍ୟ, ପଦ୍ୟ ସାହିତ୍ୟ, ପତ୍ର ସାହିତ୍ୟ, ଅଭିଭାଷଣ ସାହିତ୍ୟ ଓ ପ୍ରବନ୍ଧ ସାହିତ୍ୟରେ ନିଜର ଚରମ ଉତ୍କର୍ଷତା ପ୍ରଦର୍ଶନ କରିଯାଇଛନ୍ତି । ପ୍ରଚଣ୍ଡ ନିର୍ଭୀକା, ଦୁଃସାହସିନୀ କୁନ୍ତଳାଙ୍କ ଜୀବନ ବହୁ ଝଡ଼ଝଞ୍ଜା ଓ ଆଘାତ ଦ୍ୱାରା ଆହୁରି ଶାଣିତ ହୋଇଥିଲା । ଜୀବନର ପ୍ରଥମ ୧୪ ବର୍ଷ ବର୍ମା (ଆଜିର ମ୍ୟାଁମାର)ରେ ରହଣି, ହିନ୍ଦୀ ଇଂରାଜୀ ଭାଷାରେ ଶିକ୍ଷାଲାଭ, ୧୯୧୫ରେ ଓଡ଼ିଶା ପ୍ରତ୍ୟାବର୍ତ୍ତନ । ୧୯୧୫ରୁ ୧୯୧୭ ମଧ୍ୟରେ ନିଜର ଅଦମ୍ୟ ଅଧ୍ୟବସାୟ ଦ୍ୱାରା ପ୍ରାଚ୍ୟ ପାଶ୍ଚାତ୍ୟ ସାହିତ୍ୟ ମାନଙ୍କର ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ । ୧୯୧୭ ମସିହାରେ କଟକର ରେଭେନ୍ସା ବାଳିକା ବିଦ୍ୟାଳୟରେ ଅଷ୍ଟମଶ୍ରେଣୀରେ ନାମ ଲେଖାଇଥିଲେ  । ୧୯୧୮ ମସିହାରେ ସେଠାରୁ ପୀଠ ବିଧିରୁ ଛାଡ଼ି ମେଡିକାଲ ସ୍କୁଲରେ ଡାକ୍ତରୀ ଅଧ୍ୟୟନ କରିଥିଲେ । ୧୯୨୧ ମସିହାରେ କୃତିତ୍ୱର ସହିତ ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିରୁ ଜଣାପଡ଼େ କୁନ୍ତଳାଙ୍କର ବିଧିବଦ୍ଧ ଭାବରେ ଓଡ଼ିଆ ଶିକ୍ଷା ମାତ୍ର ଚାରିମାସର, ଯାହାକି ସେ ଅଷ୍ଟମ ଶ୍ରେଣୀରେ ପଢ଼ିଥିଲେ । ଏତେ ଅଳ୍ପ ସମୟ ଭିତରେ ଓଡ଼ିଆ ଭାଷା ଶିକ୍ଷା କରିବା ଏବଂ ସାହିତ୍ୟ ରଚନାରେ ପାରଦର୍ଶିତା ଲାଭ କରିବା ଆଦୌ ସହଜ କଥା ନୁହେଁ । କିନ୍ତୁ କୁନ୍ତଳାକୁମାରୀ ସାବତ ଏହି ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ଅବିଶ୍ୱସନୀୟ ଧୀମତ୍ତା ପ୍ରଦର୍ଶନ କରିଯାଇଛନ୍ତି । ତାଙ୍କ ଜୀବନରେ ମାତ୍ର ୧୭ ବର୍ଷ କର୍ମମୟ କ୍ଷେତ୍ରର ପରିସର ଥିଲା । ୧୯୨୧ରୁ ୧୯୩୮ ମଧ୍ୟରେ କେବଳ ସାତଟି ବର୍ଷ ସେ ଓଡ଼ିଶାରେ ରହିଥିଲେ । ୧୯୨୮ ମସିହାରେ ସେ ଦିଲ୍ଲୀ ଚାଲି ଯାଇଥିଲେ ଏବଂ ସେଠାରେ ୧୯୩୮ ମସିହା ଅଗଷ୍ଟ ୨୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ୧୯୦୧ ଫେବୃୟାରୀ ୭ତାରିଖରେ ଜନ୍ମଗ୍ରହଣ କରିଥିଲେ ।

କୁନ୍ତଳା କୁମାରୀଙ୍କର ପାରିବାରିକ ଜୀବନ ଅତ୍ୟନ୍ତ ଦୁଃଖପୂର୍ଣ୍ଣ ଓ ଆହ୍ୱାନମୂଳକ ଥିଲା । ୧୯୧୫ ମସିହାରୁ ପିତା ଦାନିଏଲ୍ ସାବତଙ୍କ ସହିତ ତାଙ୍କର ମା ମୋନିକା ଦେବୀଙ୍କର ବିବାହ ବିଚ୍ଛେଦ ହୋଇଥିଲା । ସେତେବେଳକୁ ସେ ୧୫ବର୍ଷର କିଶୋରୀ । ଗୋଟିଏ ପରିବାର ଉପରୁ ବାପାରୂପକ ପିତାର ସଶକ୍ତ ହାତ ଚାଲିଗଲା ପରେ ତାହା ଯେପରି ଦୋହଲି ଯାଇ ଅସ୍ତବ୍ୟସ୍ତ ହୋଇଯାଏ, ଠିକ୍ ସେଇ ଅବସ୍ଥା କୁନ୍ତଳା କୁମାରୀଙ୍କର ହୋଇଥିଲା । ମାଆ, ଚାରୋଟି ସାନ ଭଉଣୀ, ବୃଦ୍ଧ ସନ୍ତ ବାପା (ବା ଅନ୍ୟ କୌଣସି ଆତ୍ମୀୟ) ନିମଙ୍କର ଦାୟିତ୍ୱକୁ କୁନ୍ତଳା କୁମାରୀ ନିଜର ସାହସ ସହିତ ସନ୍ତାନର ଦାୟିତ୍ୱକୁ କୁନ୍ତଳା କୁମାରୀ ନିଜର ସାହସ ସହିତ ନିର୍ବାହ କରିବାକୁ ଅଣ୍ଟା ଭିଡି ବାହାରିଥିଲେ । ୧୯୨୧ ମସିହାରେ ଡାକ୍ତର ହୋଇ ଆସିବାପରେ ଜୀବିକା ନିର୍ବାହର ବାଟ ଖୋଲି ଯାଇଥିଲା । ତାଙ୍କ ଜୀବନର ଅଶାନ୍ତିକୁ ଆହୁରି ତୀବ୍ରତର କରିଥିଲା ଦୁଇଜଣ ପୁରୁଷଙ୍କ ସମ୍ପୃକ୍ତି । ଜଣେ ପ୍ରେମିକ , ଅନ୍ୟଜଣେ ସ୍ୱାମୀ । ମେଡିକାଲ ସ୍କୁଲରେ ପଢ଼ିବା ବେଳେ ପ୍ରୌଢ଼ ଅଧ୍ୟାପକ କୈଳାସ ଚନ୍ଦ୍ର ରାଓଙ୍କୁ ଭଲ ପାଉଥିଲେ । ପ୍ରେମିକ କୈଳାସଚନ୍ଦ୍ର ରାଓ ଥିଲେ ବିବାହିତ, ହିନ୍ଦୁ, ଦୁଇ ସନ୍ତାନର ଜନକ  । ତାଙ୍କ ପାଇଁ ସେ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ବ୍ରାହ୍ମଧର୍ମ ହିନ୍ଦୁ ଧର୍ମର ଏକ ପ୍ରଗତିଶୀଳ ଶାଖା ଥିଲା । କିନ୍ତୁ ପ୍ରେମିକ ତାଙ୍କୁ ବିବାହ କଲେ ନାହିଁ । ପ୍ରେମର ବିଫଳତା କୁନ୍ତଳାଙ୍କୁ ଆହୁରି ବିପର୍ଯ୍ୟସ୍ତ କରିଦେଇଥିଲା । ଜଣେ ଆର୍ଯ୍ୟସମାଜୀ କୃଷ୍ଣପ୍ରସାଦ ବ୍ରହ୍ମଚାରୀଙ୍କୁ ଶେଷରେ କୁନ୍ତଳା ବିବାହ କରିଥିଲେ । ସ୍ୱାମୀ ନାମରେ ଯେଉଁ ପୁରୁଷଙ୍କୁ ବିବାହ କଲେ, ସେ ଥିଲେ ରକ୍ଷଣଶୀଳ ପିତୃକେନ୍ଦ୍ରିକ ମାନସିକତାର ଜଣେ ଅଯୋଗ୍ୟ ବ୍ୟକ୍ତି । ସ୍ୱାମୀ ନାମକ ବ୍ୟକ୍ତିଟି କୁନ୍ତଳାଙ୍କ ଜୀବନକୁ ଅତିଶୟ କଲବଲ କରିପକାଇଥିଲେ । ତାଙ୍କର ବୃତ୍ତିଗତ, ସାହିତ୍ୟ, ସମାଜସେବାର ଉତ୍କର୍ଷଣୀୟ ସଫଳତାରେ ସ୍ୱାମୀ ଆହୁରି ଈର୍ଷାନ୍ୱିତ ହୋଇ ତାଙ୍କୁ ଅତ୍ୟାଚାର କରୁଥିଲେ ।

ଦୀର୍ଘକାଳର ମାନସିକ ଅସ୍ଥିରତା କୁନ୍ତଳାଙ୍କୁ ସମ୍ପୂର୍ଣ୍ଣ ଭାଙ୍ଗିଦେଇ ବିପର୍ଯ୍ୟସ୍ତ କରିଦେଇଥିଲା । ପୁତ୍ର ସନ୍ତାନଟିଏ ଜନ୍ମ ଦେଇ ପ୍ରସବଜନିତ ଜଟିଳତା ଏବଂ ସ୍ୱାମୀଙ୍କର ଅପରିଣାମଦର୍ଶିତା ପାଇଁ ଏହି ଯଶସ୍ୱିନୀ ସ୍ରଷ୍ଟାଙ୍କର ଅକାଳରେ ମୃତ୍ୟୁ ହୋଇଯାଇଥିଲା । ମହାଭାରତର କର୍ଣ୍ଣଙ୍କ ଭଳି କୁନ୍ତଳା ଯେମିତି ସାହିତ୍ୟ ସମର୍ପିତ କବଚ କୁଣ୍ଡଳ ପିନ୍ଧି ଜନ୍ମ ହୋଇଥିଲେ । ସମସ୍ତ ସୁଖ, ସ୍ନେହ, ମମତାରୁ ବଞ୍ଚିତ ହୋଇ କୁନ୍ତଳା ସାହିତ୍ୟ ଓ ସମାଜସେବାରେ ନିଜକୁ ଅର୍ପଣ କରିଥିଲେ । ଆଘାତ, ଦୁଃଖ, ସ୍ୱପ୍ନଭଙ୍ଗ, ଅତ୍ୟାଚାର ତାଙ୍କ ଜୀବନକୁ ଆହୁରି ଶାଣିତ କରିଥିଲା ।

ମାତ୍ର ୧୮ବର୍ଷ ବୟସରେ କଟକରେ ଚାରି ମାସର ବିଦ୍ୟାଳୟ ଜୀବନରେ ସେ ପ୍ରଥମ କବିତା ଲେଖିଥିଲେ । କବିତା ‘ତାରା ପ୍ରତି’ (୧୯୨୨), ‘ଶେଫାଳି ପ୍ରତି’ (୧୯୨୩), ‘କମଳ ପ୍ରତି’ ଏବଂ ‘ପୂଜା’ ପ୍ରଭୃତି ପ୍ରକାଶ ପାଇଥିଲା ଏବଂ ଏହା ତାଙ୍କୁ କବିଭାବରେ ପରିଚୟ ଦେଇଥିଲା, ପରିଚିତା କରାଇଥିଲା । ତାଙ୍କର କାବ୍ୟ କବିତା, ଉପନ୍ୟାସ ଗୁଡିକ ହେଲା ‘ଅଞ୍ଜଳି’ (୧୯୨୩), ‘ଉଚ୍ଛ୍ୱାସ’ (୧୯୨୪), ‘ଅର୍ଚ୍ଚନା’ (୧୯୨୭), ‘ସ୍ଫୁଲିଙ୍ଗ’ (୧୯୨୯), ‘ଆହ୍ୱାନ’ (୧୯୩୦), ‘ପ୍ରେମ ଚିନ୍ତାମଣି’ (୧୯୩୦), ‘ଓଡ଼ିଆଙ୍କ କାନ୍ଦଣା’ (୧୯୩୬), ‘ଗଡ଼ଜାତ କୃଷକ’ (୧୯୩୯), ‘ମଣିକାଞ୍ଚନ’ (ଅସମ୍ପୂର୍ଣ୍ଣ କାବ୍ୟ ରାଧାନାଥ ଶୈଳୀରେ ରଚିତ ଏବଂ ଉକ୍ରଳ ସାହିତ୍ୟରେ ପ୍ରକାଶିତ) । ଉପନ୍ୟାସ ଶୈଳୀ ରଚିତ, ଉପନ୍ୟାସ ହେଲା ‘ଭ୍ରାନ୍ତି’ (୧୯୨୨), ‘ନଅତୁଣ୍ଡୀ’ (୧୯୨୬), ‘ପରଶମଣି’ (୧୯୨୭), ‘କାଳୀବୋହୂ’ (୧୯୨୭), ‘ରଘୁ ଅରକ୍ଷିତ’ (୧୯୨୮), ‘ଚିତ୍ରପଟ’ (ଯାହା ଅସମ୍ପୂର୍ଣ୍ଣ ଅପ୍ରକାଶିତ) । କୁନ୍ତଳାଙ୍କର ବହୁଚର୍ଚ୍ଚିତ କବିତା ‘ଶେଫାଳି ପ୍ରତି’ରେ ତାଙ୍କର ଦୃଢ଼ତାର ଅନ୍ତସ୍ୱର ଚମକ୍ରାର ଭାବରେ ରୂପ ନେଇଛି । “ଶେଫାଳି କେଉଁ ଦୂର ତରୁବନରେ ଫୁଟି ଅଛୁ ଗୋପନେ… ପୁରୁଷରୁ ଗାଦି ତୋର…”

‘ଶେଫାଳି କେଉଁ ଦୂର ତରୁବନରେ ଫୁଟିଅଛୁ ଗୋପନେ, ଭୁରୁ ଭୁରୁ ଗନ୍ଧ ତୋର ଭାସିଆସେ ପବନେ’ । ବାତାୟନ ପାଶେ ବସି ଚାହେଁ ନବଦିତ ଶଶୀ ହସି ହସି ସତେ ମୁହିଁ ଆସେ ଦୂର ଗଗନେ । ଭାବାବେଗେ ମୁଗ୍ଧ ମୁଁ କି ମଜ୍ଜିଅଛି ସ୍ୱପନେ । (ପୃଷ୍ଠା-୮୯, କୁନ୍ତଳା କୁମାରୀ ଗ୍ରନ୍ଥାବଳୀ)

ଶେଫାଳି କ୍ଷୁଦ୍ର ମୁହିଁ ଦୀନ ମୁହିଁ ରେଣୁକଣା ଜଗତେ, ଚାହିଁଲେ ବିଶାଳ ବିଶ୍ୱ ଆସୁଛି କି ପରତେ । କ୍ଷୁଦ୍ର ହେଲେ ସୁଦ୍ଧା ମୁହିଁ ଅକାରଣେ ଜନ୍ମି ନାହିଁ, ଅନନ୍ତ ବିକାଶ ମୋର ଲେଖା ନାହିଁ କପାଳେ । ଏକ ରାତି ପାଇଁ ଫୁଟି ଝଡିଯିବ ସକାଳେ । (ପୃଷ୍ଠା-୯୦)

କୁନ୍ତଳାକୁମାରୀ ନିଜର ଅପ୍ରତିମ ପ୍ରେମ ଯାହା ନିଜ ପ୍ରେମିକଙ୍କ ପାଇଁ ସମର୍ପିତ କରି ରଖିଥିଲେ, ତାହା ଆଧ୍ୟାତ୍ମିକ ତୃଷ୍ଣା ଭାବରେ ପ୍ରତିଟି ଲେଖନୀରେ ଚଳଚଞ୍ଚଳ ହୋଇଉଠିଛି ।

‘ଆସ ଆସ ମୋର ହେ ଚିର ବାଂଛିତ, ବସ ହୃଦୟ ଆସନେ, ଦେଖିବି ତୁମର ପବିତ୍ର ଆନନ ଲୋତକେ ପୂରିତ ଲୋଚନେ । ମଣ୍ଡିଅଛି ଆଜି ହୃଦୟ ଭବନେ ମଣି ମୁକ୍ତାରେ କରି ସୁଯତନ, ଆସ ଆସ ମୋର ଜୀବନ ରତନ ।’ (ପୃଷ୍ଠା-୨୭, ଅଞ୍ଜଳି – ଆବାହନ)

କୃଷକମାନଙ୍କର ଜୀବନ ଯନ୍ତ୍ରଣା ସମସ୍ୟାକୁ ଅତ୍ୟନ୍ତ ସରଳଭାବରେ ‘ପୂର୍ଣ୍ଣ’ କବିତାରେ ସେ ପ୍ରକାଶ କରିଛନ୍ତି – ଥରମୂଳ ଖଟି ଖଟି ଗୋକୁଳିଟି ରାତିକୁ ନ ଫେରେ, ଅର୍ଜନ ଯାକ ହାତକୁ ନିଅଣ୍ଟ ଚାଉଳ ସେରେ । ବୁଲିବାର ବାଡ଼ି ବୁଲି କାଳେ ଖୁଡ଼ି ଖୋଜନ୍ତି ଶାଗ, କାନ ଶିରି କଣ୍ଟା ମାରି ଶହ ଚକଣ୍ଡା ଲହଙ୍ଗା ଅଗ । ଗୋକୁଳି ଅରନେ୍ଦ ଚାଉଳ ସେରକ ନ ପାରେ ତୋରାଣି ପାଇଁ, ଶୁଚି ଅର୍ଜନ ଅନାବନା ତକ ତୁମେ ହୋଇ ପୋଟିଏ ପାଇଁ । ‘ତେଲ ହଳଦି ବା କିଏ ପଚାରେ ପଛ ପଗଡେ ଲୁଣ, ତ ନ ମିଳଇ ତାକୁ ତିନି ଦିନରେ ।’ (ପୃଷ୍ଠା-୩୦୫, ଗଡ଼ଜାତ କୃଷକ)

ସେତେବେଳର ଗଡ଼ଜାତରେ ରାଜା ଜମିଦାରଙ୍କ ଦ୍ୱାରା ଅତ୍ୟାଚାରିତ କୃଷକ ପ୍ରଜାଙ୍କ ଦୁଃଖ ‘ଗଡ଼ଜାତ କୃଷକ’ରେ ଅତ୍ୟନ୍ତ ମାର୍ମିକ ଭାବରେ ଫୁଟାଇଛନ୍ତି । ‘ରାଜା କର ଦାଉ ବେଠି କାଠ ପଠାଉ ଫଟାଏ ବୁକୁ, ପଚାରେ କିଏ ସାଙ୍ଗ ସରିମା ଯା ବୁକୁ ଧୁକୁ ଧୁକୁ ।’ (ପୃଷ୍ଠା-୩୦୫)

‘ଆବାହନ’ କବିତା ଏକ ଦୀର୍ଘ କବିତା । ଏଥିରେ କବିଙ୍କର ଦେଶପ୍ରେମ, ଇଂରେଜ ଶାସନ ପ୍ରତି ଘୃଣା, ପରାଧୀନ ଭାରତରେ ଶାସକ ଜମିଦାର ମହାଜନଙ୍କ ଶୋଷଣ, ଲା‚ନା, ଜାତିପ୍ରଥା, ଦେଶବାସୀଙ୍କ ଦାରିଦ୍ର୍ୟ, ରାଜା ମହାରାଜାଙ୍କ ବିଳାସ ବ୍ୟସନ, ଚଉକି ମୋହ ତଥା ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଇଂରେଜ ସରକାରଙ୍କ କଠୋର ଆଭିମୁଖ୍ୟ ଇତ୍ୟାଦିକୁ କୁନ୍ତଳା କୁମାରୀ ଏଠାରେ ସମାଲୋଚନା କରିଛନ୍ତି । ତେଣୁ ଇଂରେଜ ସରକାର ‘ଆବାହନ’ କବିତାକୁ ବ୍ୟାଜ୍ୟାପ୍ତ କରିଥିଲେ ।

‘ଜାଲିଆନାବାଗ କରୁଣ କାହାଣୀ, ଡାୟାର କମାଣ ନିଶାଣୀ, ମୋ ପିଲାଙ୍କ ଛାତିଫଟା ଦେହ ଛଟପଟା, ଶ୍ୱାସରୁଦ୍ଧ ମୃତ୍ୟୁ ସୁଅ ହଟହଟା । ମଧ୍ୟପ୍ରଦେଶର ଭୀଷଣ ଦୁର୍ଭିକ୍ଷ, ବଙ୍ଗ ଓଡ଼ିଆର ବଢ଼ିର କଷଣ, ଲାହୋରରେ ଘୋର କ୍ରୂର ଅତ୍ୟାଚାର, ରାଜଦ୍ରୋହ ଛଳେ ଯୁବକେ ଗିରଫଦାର । ବିଜୟ ଜତୀନ୍ଦ୍ର ଅନଶନ ବ୍ରତ ମୃତ୍ୟୁ କଥା ମନେ ନିୟତ ଜାଗ୍ରତ, ଦେଶବନ୍ଧୁ ଗୋପବନ୍ଧୁ ଲାଜପତ ଯା ଧର୍ମଶାସନେ ଅକାଳେ ନିହତ । ଗାନ୍ଧୀ ଜବାହରଲାଲ ରାଜେନ୍ଦ୍ର ସୁଭାଷ, ପଟେଲ ସତ୍ୟପାଲ କଲେ କାରାବାସ, ଦେଶାନ୍ତର ରାସବିହାରୀ ମହେନ୍ଦ୍ର ହରଦୟାଲ ସାବରକର ଅରବିନ୍ଦ । କଳାବୋଲି ହେୟ ଘୃଣ୍ୟ ଦଣ୍ଡଦାନେ କାଳୀ ନାଗ ଚୋର ତସ୍କର ସମାନେ, କଳା ଦେହେ ଆମ ନାହିଁ କି ରକତ?’ (ପୃଷ୍ଠା-୨୧୫)

କୁନ୍ତଳା କୁମାରୀଙ୍କ ଗଦ୍ୟ ରଚନାକୁ ତିନି ଭାଗରେ ବିଭକ୍ତ କରାଯାଇଛି – କଥା ସାହିତ୍ୟ, ପତ୍ର ସାହିତ୍ୟ ଓ ପ୍ରବନ୍ଧ ସାହିତ୍ୟ । ଏହି କ୍ରମରେ ତାଙ୍କର ଗଦ୍ୟ କୃତିଗୁଡିକ ପ୍ରକାଶିତ ହୋଇଛି । ଅବଶ୍ୟ ପ୍ରଥମରୁ ହିଁ ସେ କବିତା ରଚନାକରି ପ୍ରସିଦ୍ଧି ଲାଭ କରିସାରିଥିଲେ । ତାଙ୍କର ଗଦ୍ୟ ସମ୍ଭାର ମଧ୍ୟ ସେହିପରି ଲୋକପ୍ରିୟତା ପାଇଥିଲା । ବିଂଶଶତାବ୍ଦୀର ପ୍ରଥମ ନାରୀ ଔପନ୍ୟାସିକା କୁନ୍ତଳା କୁମାରୀଙ୍କ ଉପନ୍ୟାସ ରଚନା ତାଙ୍କ ଗଦ୍ୟ ସମ୍ଭାରର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଗୁଣାତ୍ମକ ଦୃଷ୍ଟିରୁ ଉପନ୍ୟାସଗୁଡ଼ିକ ସ୍ୱତନ୍ତ୍ର ଆସନର ଅଧିକାରୀ ।” ଗୁଣାତ୍ମକ ଦୃଷ୍ଟିରୁ ଉପନ୍ୟାସଗୁଡ଼ିକ ସ୍ୱତନ୍ତ୍ର ଆସନର ଅଧିକାରୀ । କୁନ୍ତଳା ସାତଖଣ୍ଡ ଉପନ୍ୟାସ ରଚନା କରିଥିଲେ: ଭ୍ରାନ୍ତି (୧୯୨୩),ପରଶମଣି (୧୯୨୪), କାଳୀବୋହୂ (୧୯୨୭),ନଅତୁଣ୍ଡୀ (୧୯୨୫), ରଘୁ ଅରକ୍ଷିତ (୧୯୨୮),ଚିତ୍ରପଟ (ଅସମ୍ପୂର୍ଣ୍ଣ), ମା ଓ ପୁଅ (ଅସମ୍ପୂର୍ଣ୍ଣ) । ଊନବିଂଶ ଶତାବ୍ଦୀ ହିଁ ଓଡ଼ିଆ ଜାତିର ଇତିହାସରେ ଏକ ଅନ୍ଧକାରମୟ ଯୁଗ ଥିଲା । କୁନ୍ତଳାକୁମାରୀ ତାଙ୍କ ଉପନ୍ୟାସ ମାନଙ୍କରେ ପରାଧୀନ ଭାରତ ଓ ଓଡ଼ିଶାର କୁସଂସ୍କାରାଚ୍ଛନ୍ନ, ଦାରିଦ୍ର୍ୟ ନିଷ୍ପେସିତ ଯୁଗର ଅନ୍ଧାରି ଦିଗନ୍ତକୁ ଉନ୍ମୋଚନ କରିଛନ୍ତି । ତକôାଳୀନ ସମାଜରେ ନାରୀମାନଙ୍କ ଅଶିକ୍ଷା, ପ୍ରଥା ପରମ୍ପରା ନାମରେ ନାରୀ ପ୍ରତି ଅମାନୁଷିକ ବ୍ୟବହାର, ଜାତିଭେଦ, ବାଲ୍ୟ ବିବାହର କୁପରିଣାମ ଦୃଷ୍ଟାନ୍ତଗୁଡ଼ିକ ଅତ୍ୟନ୍ତ ଉକ୍ରଟ ଭାବରେ ରହିଥିଲା । ପୁରୁଷତାନ୍ତ୍ରିକ ସମାଜରେ ନାରୀ ଉପରେ ଅସମ୍ଭବ ନିୟନ୍ତ୍ରଣ ଓ କନ୍ୟାସୁନା ପ୍ରଥା ଭଳି ଅତ୍ୟନ୍ତ କୁତ୍ସିତ ନିୟମସବୁକୁ ବିପ୍ଳବିଣୀ କୁନ୍ତଳା କୁମାରୀ ଆଦୌ ମାନିନାହାନ୍ତି; ସେ ବିଦ୍ରୋହ କରି ଉଠିଛନ୍ତି ।

ପାଶ୍ଚାତ୍ୟ ଶିକ୍ଷା ଫଳରେ ପଠନରେ ସମାଜର ଅଧିକାଂଶ ଯୁବକ ବିଦେଶୀ ସଭ୍ୟତାକୁ ଗ୍ରହଣ କରିବା କୁନ୍ତଳାଙ୍କୁ ଭଲ ଲାଗିନାହିଁ । ବିଶେଷଭାବରେ ତକ୍ରାଳୀନ ଶିକ୍ଷିତ ଜମିଦାରମାନଙ୍କର ମଦ, ନିଶା, ବେଶ୍ୟାପ୍ରୀତି, ବିଦେଶୀ ଦ୍ରବ୍ୟ ପ୍ରତି ଆସକ୍ତି, ଚାଲିଚଳଣି, ଅହଂକାର କୁନ୍ତଳାଙ୍କୁ ଗଭୀର ଆଘାତ ଦେଇଛି । ତେଣୁ ସେ ତାଙ୍କ ଉପନ୍ୟାସମାନଙ୍କରେ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି, ଚାରିତ୍ରିକ ଶୃଙ୍ଖଳା ଓ ଦର୍ଶନକୁ ଚରିତ୍ରମାନଙ୍କ ଦ୍ୱାରା ଅନୁସରଣ କରାଇଛନ୍ତି । ଗାନ୍ଧୀ ଆଦର୍ଶର ନିଶା ନିବାରଣ, ଜାତିପ୍ରଥା ଉଚ୍ଛେଦ, ଅରଟରେ ସୂତାକଟା, କୁଟୀର ଶିଳ୍ପ, ସ୍ୱଦେଶୀ ଦ୍ରବ୍ୟ ବ୍ୟବହାରକୁ ପ୍ରାଧାନ୍ୟ ଦେଇଛନ୍ତି । ପରାଧୀନ ଭାରତରେ ମୁକ୍ତିସଂଗ୍ରାମର ଦେଶପ୍ରେମର ବହ୍ନି ଯେପରି ସମସ୍ତଙ୍କ ହୃଦୟରେ ଜଳିପାରିବ ଏବଂ ତାଙ୍କ ଚରିତ୍ରମାନେ ତାହା ନିଜେ କହିବେ, ସେସବୁକୁ ଉପନ୍ୟାସର କଥାବସ୍ତୁରେ ସ୍ଥାନ ଦେଇଛନ୍ତି । ବାଲ୍ୟ ବିବାହର ମର୍ମନ୍ତୁଦ ଓ କରୁଣ ପରିଣତି ଯୋଗୁଁ ଅଭିଶପ୍ତ ବାଲ୍ୟ ବିଧବାର ଅସୀମ ଯନ୍ତ୍ରଣା କୁନ୍ତଳାଙ୍କ ଉପନ୍ୟାସରେ ଜୀବନ୍ତ ରୂପ ନେଇଛି । ସେହିପରି ବୃଦ୍ଧ ବିବାହ ପ୍ରଥା, ବହୁ ବିବାହ ପ୍ରଥା, ଅସମଞ୍ଜସ ବିବାହ ପ୍ରଥା, ଗୁଣି ଗାରେଡ଼ି, ନାରୀ ନିର୍ଯାତନା, ନାରୀ ଶିକ୍ଷା ପ୍ରତି ବିତୃଷ୍ଣା, ଶାଶୁ-ବୋହୂ ଓ ସଉତୁଣୀ-ସଉତୁଣୀ ଭିତରେ ଥିବା ଅସହନୀୟ ସମ୍ପର୍କ, ବନ୍ଧ୍ୟା ନାରୀ ପ୍ରତି ଘୃଣ୍ୟ ଦୃଷ୍ଟିଭଙ୍ଗୀ, ଆଧୁନିକ ନବଶିକ୍ଷିତମାନଙ୍କର ସରକାରୀ ବୃତ୍ତି ପ୍ରୀତି, ପ୍ରଜା ଶୋଷଣ ମାନସିକତା, ଯୁବଗୋଷ୍ଠୀ ମାନଙ୍କର ନୈତିକ ସ୍ଖଳନର ଚିତ୍ର, ଜମିଦାରମାନଙ୍କର ବିଳାସପୂର୍ଣ୍ଣ ଜୀବନଚର୍ଯ୍ୟା ସହିତ ଚାଷୀ ରୟତ ମାରଣ ନୀତି, ଇଂରେଜ ଶାସନରେ ବିଭେଦକ ଶାସନ ନୀତି, ପୁରୁଷମାନଙ୍କର ସୁଖଭୋଗୀ ମାନସିକତା, କର୍ମବିମୁଖ ଜାତିର ଅସହାୟତା ଓ ପରନିର୍ଭରଶୀଳତା, ମହାଜନ ସାମନ୍ତ ମାନଙ୍କର ଶୋଷଣ ମନୋବୃତ୍ତି, ମନ୍ଦିର ଓ ମଠମାନଙ୍କର ଧର୍ମ ନାମରେ ବାବାଜୀ ମାନଙ୍କର କୁକୀର୍ତ୍ତି ପ୍ରଭୃତି ସାମାଜିକ ଘଟଣା ଗୁଡ଼ିକୁ ଅତ୍ୟନ୍ତ ଜୀବନ୍ତ ଭାବରେ କୁନ୍ତଳା କୁମାରୀ ତାଙ୍କ ଉପନ୍ୟାସ ମାନଙ୍କରେ ଦର୍ଶାଇଛନ୍ତି । ଏହା ବ୍ୟତୀତ ଧର୍ମ-ଧର୍ମ ମାନଙ୍କ ମ୍ମରେ ଏକତା, ଶିଳ୍ପାୟନର ଉନ୍ନତି, ଜାତୀୟତା ଓ ଦେଶାତ୍ମବୋଧ ଚେତନା, ପତ୍ରିକା ଓ ସାହିତ୍ୟ ପ୍ରକାଶନ ମା୍ମମରେ ସମାଜ ସଚେତନତା, ଭାଷା ଓ ସାହିତ୍ୟର ସୁରକ୍ଷା ଉପରେ ସେ ଦୃଷ୍ଟିପାତ କରିଛନ୍ତି । ପ୍ରାକ୍ ସ୍ୱାଧୀନତା କାଳୀନ ସମାଜର ବାସ୍ତବ ଚିତ୍ରଣ କୁନ୍ତଳାଙ୍କ ଉପନ୍ୟାସ ମାନଙ୍କରେ ଯଥାର୍ଥ ଭାବରେ ସ୍ଥାନ ପାଇଛି । ଭ୍ରାନ୍ତି ଉପନ୍ୟାସର ତ୍ରିକୋଣୀୟ ପ୍ରେମ ଓ ନିସ୍ୱାର୍ଥପର ଚକ୍ରାନ୍ତକୁ ଭିତ୍ତି କରି ଗତିଶୀଳ ହୋଇଛି । ଜମିଦାର ହରିହର ଛୋଟରାୟଙ୍କ କନ୍ୟା ଶେ‘ାଳୀ ଓ ପିତୃମାତୃହୀନ ଅନାଥ ଆଶ୍ରିତ ଅନଙ୍ଗ ମୋହନଙ୍କ ପ୍ରେମ ‘ଭ୍ରାନ୍ତି’ର କଥାବସ୍ତୁ । ପ୍ରେମର ଶାଶ୍ୱତ ରୂପକୁ ପ୍ରତିପାଦନ କରିବା ‘ଭ୍ରାନ୍ତି’ର ଅନ୍ତଃସ୍ୱର ଭାବରେ ପ୍ରକାଶିତ ହୋଇଛି । ଗୋଟିଏ ଛୋଟ ଭ୍ରାନ୍ତିକୁ କେନ୍ଦ୍ର କରି ନାୟକ ଅନଙ୍ଗ ମୋହନ ଓ ନାୟିକା ଶେଫାଳିଙ୍କ ମଧ୍ୟରେ ବିଚ୍ଛେଦ ସୃଷ୍ଟି ହୋଇଛି । ଛୋଟ ଛୋଟ ଭ୍ରାନ୍ତିରୁ କିପରି ପରିବାରଟି ଭାଙ୍ଗିଯାଇଛି ତାର କରୁଣ ଚିତ୍ର ଚମତ୍କାର ର ଭାବରେ ଏହି ଉପନ୍ୟାସରେ ସ୍ଥାନ ପାଇଛି । ପରଶମଣି ଉପନ୍ୟାସଟି କୁନ୍ତଳା କୁମାରୀଙ୍କର ଏକ ସାର୍ଥକ ଉପନ୍ୟାସ । ବାଲ୍ୟ ବିବାହ କରିଥିବା ୧୨ ବର୍ଷୀୟ କିଶୋରୀ ଲଳିତା ବାହାହୋଇ ଶଶୁର ଘରକୁ ଆସିଛି, ଯାହା ଶାଶୂ ଓ ନଣନ୍ଦଙ୍କ ଠାରୁ ଅକଥନୀୟ ଯନ୍ତ୍ରଣା ଓ ନିର୍ଯାତନାରେ ଅତିଷ୍ଠ ହୋଇଛି । ସ୍ୱାମୀ ବିଶ୍ୱମ୍ବର କଟକରେ ୪୦ ଟଙ୍କା ଦରମାରେ ଚାକିରି କରୁଛନ୍ତି । ପତ୍ନୀଙ୍କୁ ନେବାକୁ ଇଚ୍ଛା ଥିଲେ ମଧ୍ୟ  ସମାଜ ଭୟରେ ନେଇପାରି ନାହାନ୍ତି । କ୍ରମଶଃ ବିଶ୍ୱମ୍ବର ବେଶ୍ୟାସକ୍ତ ହୋଇ ସମସ୍ତ ଅର୍ଥ ଖର୍ଚ୍ଚ କରି ସର୍ବସ୍ୱାନ୍ତ ହୋଇଛନ୍ତି । ଶେଷରେ ବିଶ୍ୱମ୍ବର ଅକାଳରେ ମୃତ୍ୟୁମୁଖରେ ପଡ଼ିଛନ୍ତି । ତାଙ୍କ ମୃତ୍ୟୁ ପରେ ଯାଇ ଶାଶୂ ଓ ନଣନ୍ଦ ବୋହୂ ଲଳିତାର ମହତ୍ତ୍ୱ ବୁଝିପାରିଛନ୍ତି । ଦୁଃଖ ଯନ୍ତ୍ରଣାର କଷଟି ପଥରରେ ଘଷିମାଜି ହୋଇ ଲଳିତାର ଚରିତ୍ର ମହନୀୟ ହୋଇ ଫୁଟିଉଠିଛି । ଶାଶୂ ଲଳିତାକୁ “ପରଶମଣି” ରୂପେ ଆଖ୍ୟାୟିତ କରିଛନ୍ତି । “ନଅତୁଣ୍ଡୀ ଉପନ୍ୟାସଟି ହାସ୍ୟରସାତ୍ମକ ହେବା ସହିତ ନାରୀ ଶିକ୍ଷା, ନାରୀ ସଚେତନତା ଓ ଗାନ୍ଧୀବାଦୀ ବିଚାରଧାରାକୁ ନେଇ ଗତିଶୀଳ ହୋଇଛି । କଳିହୁଡ଼ି ଗୁଣ ପାଇଁ ନାୟିକା ରତନୀ ଓ ତାର ମାଆ ଗେଲ୍ଲୀ ‘ନଅତୁଣ୍ଡୀ’ ଓ ‘ଏଗାରତୁଣ୍ଡୀ’ ନାମରେ ପରିଚିତା । କୁନ୍ତଳା କୁମାରୀ ରଜନୀ, ରତନୀ ଉର‘ ରତ୍ନବତୀ ଚରିତ୍ର ମାଧ୍ୟମରେ ନିଶା ନିବାରଣ, ଅସହଯୋଗ ଆନ୍ଦୋଳନ, ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର, ଅରଟରେ ସୂତା କାଟିବା ପ୍ରଭୃତି ଗାନ୍ଧୀ ଦର୍ଶନକୁ ଅନୁପ୍ରାଣିତ କରାଇଛନ୍ତି । ସେ ଏକ ଶ୍ରେଣୀହୀନ ସମାଜ ଗଠନ, ସାମାଜିକ ଓ ଜାତୀୟ ଜୀବନର ଉନ୍ନତିର ଚିନ୍ତାଧାରାକୁ ‘ନଅତୁଣ୍ଡୀ’ରେ ପ୍ରତି‘ଳିତ କରିଛନ୍ତି । ନଅତୁଣ୍ଡୀ ଉପନ୍ୟାସଟି ଏତେ ଲୋକପ୍ରିୟ ହୋଇଥିଲା ଯେ ପ୍ରକାଶିତ ହେଉ ହେଉ ବିକ୍ରି ହୋଇଯାଇଥିଲା ।

‘କାଳୀବୋହୂ’ ଉପନ୍ୟାସଟି କୁନ୍ତଳାଙ୍କର ଏକ ଯୁଗାନ୍ତକାରୀ ସୃଷ୍ଟିର ଛାପ ଛାଡିଯାଇଛି । ଏଥିରେ ସେହି ସମୟର ସାମାଜିକ ବ୍ୟବସ୍ଥାରେ ନାରୀ ଜୀବନର ସଂଘର୍ଷମୟ ଜୀବନର କାରୁଣ୍ୟ ଚମତ୍କାର  ଭାବରେ ପ୍ରତିଫଳିତ ହୋଇଛି । ‘କାଳୀବୋହୂ’ ଉପନ୍ୟାସରେ କୁନ୍ତଳାକୁମାରୀ ବାଲ୍ୟ ବିଧବାକୁ ବିବାହ କରାଇଛନ୍ତି । ସେତିକିବେଳେ ବିଧବାକୁ ବିବାହ କରାଇବା ଏକ ଆହ୍ୱାନ ଥିଲା । ଏଥିରୁ କୁନ୍ତଳାଙ୍କର ଅସୀମ ସାହସିକତାର ପ୍ରମାଣ ମିଳୁଛି । ତାଙ୍କର ନିର୍ଭୀକତା, ଦୃଢ଼ ଚିନ୍ତାଧାରା ‘କାଳୀବୋହୂ’ରେ ସ୍ପଷ୍ଟ ପ୍ରତିଫଳିତ ହୋଇଛି । ଉପନ୍ୟାସର ନାୟିକା ଲକ୍ଷ୍ମୀ ସାତବର୍ଷରେ ବିବାହ କରି ଦଶବର୍ଷରେ ବିଧବା ହୋଇଛି । କନ୍ୟା ଦୁର୍ଦ୍ଦଶାରେ ତା’ ମାଆର ମୃତ୍ୟୁ ହୋଇଛି । ଦଶ ବର୍ଷିଆ ବିଧବା ଲକ୍ଷ୍ମୀକୁ ପ୍ରଚଳିତ ସାମାଜିକ ବ୍ୟବସ୍ଥା ଅନୁଯାୟୀ ହବିଷ୍ୟ, ନିର୍ଜଳା ଏକାଦଶୀ କରିବାକୁ ପଡୁଥିଲା । ବିଧବା ଲକ୍ଷ୍ମୀ ଘରେ-ବାହାରେ ଆତ୍ମୀୟ ସ୍ୱଜନଙ୍କ କଟୁ ସମାଲୋଚନାରେ ବ୍ୟତିବ୍ୟସ୍ତ ହୋଇପଡିଛି । ବିମାତାଙ୍କର ଭାଇ ଲମ୍ପଟ ଶିବଘନର ଲୋଲୁପ ଦୃଷ୍ଟିରୁ ନିଜକୁ ବଞ୍ଚେଇବାକୁ ଯାଇ ଶେଷରେ ବୃନ୍ଦାବନ ଯିବାର ନିଷ୍ପତ୍ତି ଲକ୍ଷ୍ମୀ ନେଇଛି । ବୃନ୍ଦାବନରେ କିଛିଦିନ ରହିବା ପରେ ସେଠାକାର ସନ୍ନ୍ୟାସୀ ନାମରେ ଭାଣ୍ଡାମି, ବିଧବା ମହିଳାଙ୍କୁ ଦୈହିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା, ମହିଳାମାନଙ୍କ ଉପରେ ଅତ୍ୟାଚାର ତଥା ଲକ୍ଷ୍ମୀ ପ୍ରତି ସନ୍ନ୍ୟାସୀ ତ୍ରିଲୋଚନର କୁଦୃଷ୍ଟି ଦ୍ୱାରା ଲକ୍ଷ୍ମୀ କଲବଲ ହୋଇଯାଇଛି । ନିଜର ଅଭିଶପ୍ତ ଜୀବନକୁ ଶେଷ କରିବାକୁ ଯାଇ ଲକ୍ଷ୍ମୀ ଯମୁନାରେ ବୁଡ଼ି ଆତ୍ମହତ୍ୟା କରିଛି । ଏଠାରେ କୁନ୍ତଳା କୁମାରୀ ଉପନ୍ୟାସକୁ ଶେଷ କରିନାହାନ୍ତି ।

ଲକ୍ଷ୍ମୀ ଯମୁନାରେ ଡେଇଁଲାବେଳେ ସ୍ୱାମୀ ସନାତନ ନାମରେ ଜଣେ ସାହସୀ ପୁରୁଷ ତାକୁ ଉଦ୍ଧାର କରିଛନ୍ତି । ଲକ୍ଷ୍ମୀକୁ ସନାତନ ତାଙ୍କ ଆଶ୍ରମକୁ ନେଇ ଯାଇଛନ୍ତି । ବିଧବା ଲକ୍ଷ୍ମୀର ବିବାହ ସମାଜ ସଂସ୍କାରକ ଚନେ୍ଦ୍ରାଦୟଙ୍କ ସହିତ କରାଇ ଏକ କ୍ରାନ୍ତିକାରୀ ପରିବର୍ତ୍ତନର ସୂତ୍ରପାତ କରିଛନ୍ତି । ଏଠାରେ କୁନ୍ତଳା କୁମାରୀ ସମାଜରେ ପ୍ରଚଳିତ ଥିବା ରୂଢ଼ିବାଦୀ ଚିନ୍ତାଧାରାର କ୍ରୁର ଦୃଢ଼ ପ୍ରତିବାଦ କରିଛନ୍ତି । ଯେଉଁଠି ନାରୀମାନଙ୍କୁ କେବଳ ମାତୃତ୍ୱ ଲାଭ କରିବା, ପୁରୁଷର ଶଯ୍ୟାସଙ୍ଗିନୀ ହେବା, ଘରକାମ କରିବାରେ ବ୍ୟବହାର କରିବା ଜୀବନ ବୋଲି କୁହାଯାଉଥିଲା; ବିଧବାର ଅତ୍ୟନ୍ତ ଦୟନୀୟ ସ୍ଥିତି ତା’ର ହେଉଥିଲା; ଏଭଳି ଜଟିଳ ସ୍ଥିତିରେ କୁନ୍ତଳା କୁମାରୀ ଡରି ନଯାଇ ପ୍ରଥମ କରି ବିଧବା ନାରୀକୁ ପୁନର୍ବିବାହ କରାଇବାର ସଂକଳ୍ପ ନେଇଛନ୍ତି ଏବଂ ଏହାକୁ କାର୍ଯ୍ୟକାରୀ କରାଇଛନ୍ତି । ଯେତେବେଳେ ତଥାକଥିତ ସାହିତି୍ୟକମାନେ ଏହି ବିଷୟ ପ୍ରତି ସାହସ ଦେଖେଇ ପାରିନଥିଲେ, ଯାହା କୁନ୍ତଳା କରିଥିଲେ । ‘ରଘୁ ଅରକ୍ଷିତ’ ଉପନ୍ୟାସ କୁନ୍ତଳାଙ୍କର ଏକ ଅନବଦ୍ୟ କୃତି ।

ଏକ ଅନନ୍ୟ କୃତି । ଏହି ଉପନ୍ୟାସ ଆକାର ଦୃଷ୍ଟିରୁ ବିପୁଳ ନୁହେଁ ସତ, କିନ୍ତୁ ଏହାର କଥା ଭାଗ ଜଟିଳ, ସେମାନଙ୍କର ବିଚରଣର ସ୍ଥାନ ଓଡିଶା ଠାରୁ ଆରମ୍ଭ କରି ଆସାମ, ବର୍ମା, କଲିକତା, ବନାରସ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି । କାହାଣୀର ଉପସ୍ଥାପନରେ ରହସ୍ୟମୟ ରୋମାଞ୍ଚ ମଧ୍ୟ ରହିଛି । କନ୍ୟାସୁନା ପ୍ରଥା, ବାଲ୍ୟବିବାହର କୁପରିଣତି, ବିଧବା ବିବାହ ପ୍ରସଙ୍ଗ, ପୁରୁଷର ଉପଭୋଗୀ ମାନସିକତା, ସମାଜରେ ନାରୀର ଦୟନୀୟ ସ୍ଥିତି, ସାମାଜିକ ସ୍ୱତନ୍ତ୍ର୍ୟ, ନାରୀ ଜାଗରଣର ଚିତ୍ର ଅତ୍ୟନ୍ତ ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଛି । ମହାତ୍ମା ଗାନ୍ଧୀଙ୍କ ବିଚାରଧାରା, ଦେଶର ମୁକ୍ତି ସଂଗ୍ରାମ ଅସହଯୋଗ ଆନେ୍ଦାଳନକୁ ମଧ୍ୟ କୁନ୍ତଳାକୁମାରୀ ସଫଳଭାବରେ ଚିତ୍ରିତ କରିପାରିଛନ୍ତି । ଅସମ୍ପୂର୍ଣ୍ଣ, ଧର୍ମ ସଂକଟ, ଧର୍ମ ଦ୍ୱନ୍ଦ୍ୱ, ଜାତିପ୍ରଥାର ଉକ୍ରଟ ଦିଗପ୍ରତି ଆଲୋକପାତ କରିଛନ୍ତି । ଅସମ୍ପୂର୍ଣ୍ଣ ଉପନ୍ୟାସ ମାଆ ଓ ପୁଅ ଉପନ୍ୟାସରେ ଗରିବ ବିଧବା ହୈମବତୀ ଓ ବୁଦ୍ଧିମାନ ପୁତ୍ର ବିଜୟର (ଦୁଃଖ)ଙ୍କର କରୁଣମୟ ଚିତ୍ର ରହିଛି । କୁନ୍ତଳାଙ୍କର ସମସ୍ତ ଉପନ୍ୟାସରେ ଊନ୍ନବିଂଶ ଶତାବ୍ଦୀର ବାସ୍ତବ ଜୀବନର ପୁଙ୍ଖାନୁପୁଙ୍ଖ ବିଶ୍ଲେଷଣ  ରହିଛି । ଭାରତର ସ୍ୱାଧୀନତା ଆନେ୍ଦାଳନ, ଗାନ୍ଧିଜୀଙ୍କର ଦର୍ଶନର ପ୍ରତିଫଳନ, କାଟି ଖାଅ କୁଟି ପିନ୍ଧ ଖାଅ ନୀତି, ଅସ୍ପୃଶ୍ୟତା ନିବାରଣ ଇତ୍ୟାଦି ଚିନ୍ତାଧାରାର ଉନ୍ମେଷ ତାଙ୍କର ଉପନ୍ୟାସମାନଙ୍କରେ ସାର୍ଥକ ଭାବରେ ପରିବେଷିତ ହୋଇଛି । ଜାତୀୟବାଦୀ ଚିନ୍ତନ, ଐତିହ୍ୟ ପ୍ରୀତି, ମାତୃଭୂମି ପ୍ରୀତି, ଖ୍ରୀଷ୍ଟଧର୍ମ, ବ୍ରାହ୍ମଧର୍ମର ପ୍ରଭାବ ଐତିହାସିକ ଦିଗଗୁଡିକ ପ୍ରତି ମଧ୍ୟ କୁନ୍ତଳାକୁମାରୀ  ସମାନ ଦୃଷ୍ଟି ଦେଇଛନ୍ତି । ସମାଜର ବହୁବିଧ ଘଟଣାକୁ ସେ ସ୍ପଷ୍ଟକତା ଓ ଦୃଢ଼ତା ସହିତ ଉପନ୍ୟାସର କଥାବସ୍ତୁରେ ସ୍ଥାନ ଦେଇ ତାହାର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଛନ୍ତି । ସେହି ସମୟରେ କୁନ୍ତଳାଙ୍କର ଉପନ୍ୟାସଗୁଡିକ ଅସମ୍ଭବ ଲୋକପ୍ରିୟତା ହାସଲ କରିଥିଲା, ତାଙ୍କର ‘କାଳିବୋହୂ’, ‘ପରଶମଣି’ ଅଳ୍ପସମୟ ବ୍ୟବଧାନରେ ସର୍ବାଧିକ ସଂସ୍କରଣରେ ପ୍ରକାଶିତ ହୋଇଥିଲା ।

କୁନ୍ତଳା କୁମାରୀଙ୍କର ସାହିତ୍ୟ ବିଷୟକ ପ୍ରବନ୍ଧ ଗୁଡିକହେଲା ସାମ୍ୟବାଦ…, ଆଧୁନିକ ଧର୍ମ ସମସ୍ୟା, କେଶବଚନ୍ଦ୍ର ସେନ୍, ହିନ୍ଦି ସାହିତ୍ୟର କ୍ରମବିକାଶ ସମ୍ବନ୍ଧରେ ପଦେଅଧେ, ଦୁଇଗୋଟି ଅଭିଭାଷଣ, ବିଂଶ ଶତାବ୍ଦୀରେ ଭାରତୀୟ ନାରୀ, ଦିଲ୍ଲୀ ଚିଠି । ଏଗୁଡିକ ଉକ୍ରଳ ସାହିତ୍ୟ, ସହକାର ପତ୍ରିକାମାନଙ୍କରେ ପ୍ରକାଶିତ ହୋଇଥିଲା । କୁନ୍ତଳାକୁମାରୀ ଜଣେ ବାଗ୍ମୀ ସୁବକ୍ତା ଥିବାରୁ ଅନେକ ଭାଷଣ ବିଭିନ୍ନ ଅଧିବେଶନରେ ୍ନେଇଛନ୍ତି । ହିନ୍ଦୀ ଭାଷାରେ ବରମାଳା ନାମକ ଏକ କବିତା ସଂକଳନ ୧୯୩୬ ମସିହାରେ ପ୍ରକାଶ ପାଇଥିଲା । ଯେହେତୁ କୁନ୍ତଳା କୁମାରୀଙ୍କର ସାହିତ୍ୟକୃତି, ସଂସ୍କାରମୂଳକ ଚିନ୍ତନ ଜୀବନ ସବୁକିଛି ଅହରହ ସଂଘର୍ଷ ଭିତରୁ ଉତୁରି ଆସି ଏକ ନୂତନ ଦିଗନ୍ତ ଉନ୍ମୋଚନ କରିଛି । ଆଗାମୀ ପିଢିପାଇଁ ଅପୁରନ୍ତ ଉସôାହ ଓ ପ୍ରେରଣା ସୃଷ୍ଟିକରି ଯାଇଛି । ନାରୀମନର ଗଭୀର ମନସ୍ତସ୍ତ୍ୱକୁ ସମସ୍ତ ହତାଶା, ବ୍ୟର୍ଥତା ଭିତରେ ଆହୁରି ଦୃଢ଼ ଆତ୍ମବିଶ୍ୱାସୀ କରାଇବା ପାଇଁ କୁନ୍ତଳା କୁମାରୀ ସାବତ ପ୍ରୟାସ କରିଛନ୍ତି ।  

ସହାୟକ ଗ୍ରନ୍ଥ-

୧. କୁନ୍ତଳାକୁମାରୀ ଗ୍ରନ୍ଥାବଳୀ କବିତା କାବ୍ୟ, ଡକଟର ହେମନ୍ତ କୁମାର ଦାସ, ୨. କୁନ୍ତଳା କୁମାରୀ ଗ୍ରନ୍ଥାବଳୀ(ଗଦ୍ୟ ସାହିତ୍ୟ) ସଂପାଦନା – ସାବିତ୍ରୀ ଦାଶ, ଗୌରାଙ୍ଗ ଚରଣ ଦାଶ, ୩. ଓଡିଆ ଉପନ୍ୟାସ ପରିଚିତ (ଦ୍ୱିତୀୟ ଭାଗ), ସମ୍ପାଦନା- ପ୍ରଫେସର ନାରାୟଣ ସାହୁ, ୪. କୋଣାର୍କ ଗୀତି କବିତା ବିଶେଷାଙ୍କ, ଓଡିଶା ସାହିତ୍ୟ ଏକାଡେମୀ

Comments

0 comments

Share This Article