ଏ ପକ୍ଷର ଖବର

12 Min Read

କେଉଁ ମାତୃଭାଷା?

ସମ୍ପ୍ରତି ସାରା ରାଜ୍ୟରେ ବିଶ୍ୱ ମାତୃଭାଷା ଦିବସ ପାଳନ ହୋଇଯାଇଛି । ଆଉ ମଜା କଥା ହେଉଛି ତାକୁ ନେଇ ବହୁ ବିବାଦ ମଧ୍ୟ କାନରେ ପଡୁଛି । ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମଗୁଡ଼ିକରେ ଯୋଗଦେଇଥିବା ଅତିଥିମାନେ ମାତୃଭାଷା ହେଉଛି ହୃଦୟର ଭାଷା ବୋଲି ମତ ରଖିଥିବା ବେଳେ ଅନେକେ ପ୍ରଶ୍ନ କରୁଛନ୍ତି ଯେ କେଉଁ ମାତୃଭାଷା?
ପାଠକେ! ଆପଣ ଜାଣିଥିବେ ଗତ (ଫେବୃଆରୀ) ୨୧ତାରିଖରେ ବିଭିନ୍ନ ଅଞ୍ଚଳ, ଜିଲ୍ଲା, ରାଜ୍ୟ, ଦେଶ ଓ ବିଶ୍ୱତମାମ ବିଶ୍ୱ ମାତୃଭାଷା ଦିବସ ପାଳିତ ହେଲା । ଏହା ୨୦୦୦ମସିହାରୁ ହୋଇ ଚାଲିଛି । ବାଂଲାଦେଶକୁ ଏହାର ପ୍ରଥମ ପ୍ରାୟୋଜକ ବୋଲି କୁହାଯାଉଥିଲେ ମଧ୍ୟ ୧୭ ନଭେମ୍ବର ୧୯୯୯ରେ ୟୁନେସ୍କୋ ସାଧାରଣ ସମ୍ମେଳନରେ ଏହାକୁ ଅନୁମୋଦନ କରାଯିବା ପରେ ଏହା ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ହୋଇଯାଇଛି । ୨୧ଫେବୃଆରୀ ୨୦୦୦ରୁ ଏହାକୁ ପ୍ରତିବର୍ଷ ବିଶ୍ୱସ୍ତରରେ ପାଳନ ପାଇଁ ଘୋଷଣା ହେଲା । ଯାହା ୨୬ବର୍ଷ ଧରି ଚାଲିଛି ।
କିନ୍ତୁ ଏବେ ପ୍ରଶ୍ନ ଉଠିଲାଣି ଯେ କେଉଁ ମାତୃଭାଷା ଓ କାହାର ମାତୃଭାଷା? କାରଣ ବିଶ୍ୱର, ଭାରତର ତଥା ଓଡ଼ିଶାର ଅନେକ ମାତୃଭାଷା ତ ମରିଗଲାଣି । ସେହି ୟୁନେସ୍କୋ ଏବଂ ନିଜ ପ୍ରତି ସ୍କୋର ହିସାବ ହେଉଛି ଯେ ବିଶ୍ୱରେ ୮୩୨୪ ଭାଷା ଥିଲା । ଯେଉଁଥିରୁ ଅନେକ ଉଭାଇ ଗଲେଣି । ଏବେ ମାତ୍ର ୭୦୦୦ ଭାଷା ଅଛି । ଅନେକ ଭାଷା ତୁଣ୍ଡରେ ଚାଲିଛି, ସେଥିରେ ଲେଖା ଲେଖି ହେଉ ନାହିଁ । ଯେଉଁଥିପାଇଁ ବିଶ୍ୱରେ ୪୦% ଲୋକ ସେମାନଙ୍କ ନିଜ ଭାଷାରେ ପାଠ ପଢ଼ିବାର ସୁଯୋଗ ପାଉନାହାନ୍ତି । ତେଣୁ ସେମାନେ ଏ ପ୍ରଶ୍ନ କରିବା ସ୍ୱାଭାବିକ ଯେ ତାଙ୍କର ମାତୃଭାଷା କ’ଣ? ସେମାନେ କେଉଁ ଭାଷାପାଇଁ ମାତୃଭାଷା ଦିବସ ପାଳନ କରିବେ? ଯଦି କୁହାଯାଉଛି ଅମୁକ ଭାଷାପାଇଁ କରିବେ, ତେବେ ସେମାନେ ପଚାରୁଛନ୍ତି କାହିଁକି?
ଏବେ ଓଡ଼ିଶାକୁ ଆସନ୍ତୁ । ଓଡ଼ିଶାର ଗୋଟିଏ ସରକାରୀ ସଂସ୍ଥା ଆଦିବାସୀ ଭାଷା ସଂସ୍କୃତି ଏକାଡେମୀ((The Academy of Tribal Languages and Culture(ATLC)ର କହିବାନୁଯାୟୀ ଓଡ଼ିଶାରେ କେବଳ ଆଦିବାସୀମାନଙ୍କର ୨୧ଟି ପ୍ରଚଳିତ ଭାଷା ଅଛି । ସେସବୁ କାହାରି ନା କାହାରି ମାତୃଭାଷା ନା ନାହିଁ? ଏହା ବାହାରେ ଓଡ଼ିଶାରେ ଥିବା ୬୨ ଆଦିବାସୀ ପ୍ରଜାତିଙ୍କର ୭୪ଟି ଉପଭାଷା (Dialec)ଅଛି । ସେସବୁ ବି ତ କାହାର ନା କାହାର ମାତୃଭାଷା । ନା ନାହିଁ?
ଏଇ ମାତୃଭାଷାଟି ପ୍ରକୃତରେ ତାହେଲେ କ’ଣ?
ଏ ବିଷୟରେ ଆମର ଗୋଟିଏ କବିତା ଅଛି-
‘ଯେଉଁ ଭାଷାଟିରେ ପ୍ରଥମେ ତୋ ମାଆ ଡାକିିଥିଲା ତତେ ‘ଧନ,’
ସେହି ମାତୃଭାଷା, ପରିଚୟ ତୋର, ବାକି ସବୁ ନଳବଣ ।’
ଆମେ ସମସ୍ତେ ଜାଣୁ ଓ କହୁ, ଶୁଣୁ ଏବଂ ଲେଖୁ ଯେ ମାତୃଭାଷା ଆମ ମାଆର ଭାଷା ବା ଆମ ମା ଆମକୁ ଯେଉଁ ଭାଷାରେ ପ୍ରଥମ ସମ୍ବୋଧନ କରିିଥିଲେ ସେହି ହେଉଛି ମାତୃଭାଷା । ସେହି ଅନୁଯାୟୀ ଓଡ଼ିଶାରେ କେବଳ ଆଦିବାସୀ ସମ୍ପ୍ରଦାୟଙ୍କର ୨୧+ ୭୪ = ୯୫ଟି ମାତୃଭାଷା ଅଛି । ଯଦିଓ ଆମେ ଓଡ଼ିଆକୁ ଆମ ଓଡ଼ିଆଙ୍କ ମାତୃଭାଷା କହୁଛୁ ଓ ସବୁଠୁ ବେଶି ସଂଖ୍ୟକ ମାଆ ଏଠି ଓଡ଼ିଆ କହନ୍ତି, ତଥାପି ଏହି ୯୫ ଭାଷାରେ ଯେଉଁ ମାଆମାନେ କଥା ହୁଅନ୍ତି ବା ହେଉଛନ୍ତି ସେମାନେ ବି ଅନେକଙ୍କର ମାଆ । ତେଣୁ ତାଙ୍କ ଭାଷାଗୁଡ଼ିକ ମାତୃଭାଷାରେ ଯିବ ନା ନାହିଁ? ଏହା ବାହାରେ ପ୍ରତି ୨୦ କିଲୋମିଟରରେ ଭାଷା ବଦଳିଥାଏ । ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କରୁ ବାରମ୍ବାର ଦାବୀ ହେଉଛି ଯେ କୋଶଳୀ/ସମ୍ବଲପୁରୀକୁ ମାନ୍ୟତା ମିଳୁ । କେବଳ ଓଡ଼ିଶାରେ ଦାବୀ ହେଉଛି ବୋଲି ନୁହେଁ; ଭାରତୀୟ ସଂସଦରେ ଜଣେ ବରିଷ୍ଠ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏ ସମ୍ବନ୍ଧରେ ଏକ ଲିଖିତ ଆବେଦନ ମଧ୍ୟ କରିସାରିଛନ୍ତି ଯେ କୋଶଳୀକୁ ନବମ ସିଡ୍ୟୁଲରେ ପୁରାଅ ।
ତେଣୁ ପାଠକେ! ଏବେ ଏତେ ଝଗଡ଼ା ନକରି ଗୋଟିଏ କଥା ବିଚାର କରିବା କି? ଓଡ଼ିଶାରେ ଓଡ଼ିଆ ସରକାରୀ ମାତୃଭାଷା ହୋଇ ରହୁ, ତା ସହିତ ଏହି ପ୍ରତ୍ୟେକଟି ସମ୍ପ୍ରଦାୟ ବା ଗୋଷ୍ଠୀ ଯେଉଁମାନେ ନିଜ ନିଜର ମାତୃଭାଷା ଥିବା କଥା କହୁଛନ୍ତି ଓ ଯେଉଁ ଭାଷାକୁ ନିଜ ମାଆର ଭାଷା ବୋଲି ମାନୁଛନ୍ତି ସେମାନେ ନିଜ ନିଜ ମାତୃଭାଷାର ବିକାଶ ପାଇଁ ଉତ୍ସବ, ସଭା, ସମିତି ଆଦି କରନ୍ତୁ । ଏହାଦ୍ୱାରା ସେମାନଙ୍କ ମାତୃଭାଷା ଅଧିକ ସମୃଦ୍ଧ ହେବ । କେତେ ନୂଆ ଲେଖା, ବହି ସବୁ ବାହାରିବ । ଅଗ୍ରଜ କବି ଲେଖି ଯାଇଛନ୍ତି ପରା – ଉଚ୍ଚ ହେବା ପାଇଁ କର ଯେବେ ଆଶା / ଉଚ୍ଚ କର ଆଗେ ନିଜ ମାତୃଭାଷା ।
ତେଣୁ ଲାଗିପଡ଼ । ଝଗଡ଼ା କାହିଁଁକି?

ଗାଈ କ’ଣ ଆଉ ପବିତ୍ର ଅଛନ୍ତି?

ପାଠକେ! ଏ କଥାଟି ବହୁଦିନ ତଳର । ସେତେବେଳେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥାଆନ୍ତି ବିଜୁ ପଟ୍ଟନାୟକ । ପିପିଲି ବିଧାୟକଙ୍କ ଗିରଫଦାରୀକୁ ନେଇ କୋର୍ଟ ଉପରେ ବିଧାନସଭା ଭିତରେ ନେତାଙ୍କର ଟିପ୍ପଣୀକୁ ନେଇ ଅଧିବକ୍ତାମାନେ ଆପତ୍ତି ଉଠାଇଲେ ଯେ ବିଧାନସଭା ଭିତରେ ହେଲେ ବି କୋର୍ଟ ଉପରେ ବିଧାୟକମାନେ ସେପରି ଟିପ୍ପଣୀ ଦେବା ଦୋଷାବହ । କିନ୍ତୁ ବିଜୁ ବାବୁଙ୍କ ସହିତ ତାଙ୍କର ସବୁ ବିଧାୟକ ବିଧାନସଭାରେ ବସି କହିଲେ – ଜମା ନୁହେଁ । ବିଧାନସଭାରେ ବିଧାୟକ ଏକଦମ୍ ସ୍ୱତନ୍ତ୍ର । କୋର୍ଟ ହସ୍ତକ୍ଷେପ କରିବାକୁ କିଏ? ଆଉ ତ ଆଉ; ନିଜେ ବିଜୁ ବାବୁ କହିଲେ- କୋର୍ଟରେ ୧୦୦ ଟୋକା ପୁରେଇଦେବି । ସେତିକିବେଳେ ଅଶୋକ ଦାସ କହିଲେ-ଦିନେ ନ୍ୟାୟପାଳିକା ପବିତ୍ର ଥିଲା । ବିଚାରପତିମାନେ ସବୁ ହୋଲୀ କାଓ (ପବିତ୍ର ଗୋରୁ) ଥିଲେ । ସେକଥା ଆଉ ନାହିଁ । ତା ପରେ ସିଏ କେତେ କ’ଣ ଉଦାହରଣ ଦେଇଥିଲେ । ଛାଡନ୍ତୁ । ସେତେବେଳେ ବିଧାନସଭା ଓ ନ୍ୟାୟପାଳିକା ଭିତରର ଏଇ କ୍ଷମତାର ଲଢ଼େଇ ବେଶ୍ ରୋଚକ ହୋଇଥିଲା । ସାଧାରଣ ଲୋକେ ନେତାମାନଙ୍କୁ ସମର୍ଥନ କରି କହୁଥିଲେ- ହେ ନା! ଏବେ କ’ ଆଉ ସେ କୋଟ୍ ଅଛି ନା ସେ ଜଜ୍ ଅଛନ୍ତି ।
ଏବେ କେନ୍ଦ୍ର ସରକାରଙ୍କ ଏନସିଇଆରଟି ସଂସ୍ଥା ସେମିତିକା ଗୋଟିଏ ବାଣ ମାରି ଦେଇଛି । ଏନସିଇଆରଟିର ଅଷ୍ଟମ ଶ୍ରେଣୀର ସୋସିଆଲ ସାଇନ୍ସ ବହିରେ ନ୍ୟାୟିକ ବ୍ୟବସ୍ଥାରେ ଦୁର୍ନୀତି ବା ‘corruption in the judiciary’ ଶୀର୍ଷକରେ ଲେଖାଟିଏ ପ୍ରକାଶିତ ହୋଇଯାଇଛି । ଏହାକୁ ଦେଖି କିଛିଲୋକ ବ୍ୟସ୍ତ ହୋଇ ପଡ଼ିଛନ୍ତି । ନିଜେ ମୁଖ୍ୟ ବିଚାରପତି କହିଛନ୍ତି ଯେ ନ୍ୟାୟପାଳିକାରେ ରକ୍ତସ୍ରାବ ହେଉଛିି । ଏହା ଏକ ଗଭୀର ଷଡ଼ଯନ୍ତ୍ର ।
କଥାହେଉଛି କଟ୍ଟରପନ୍ଥୀ ହିନ୍ଦୁ ରାଜନୀତିଜ୍ଞଙ୍କର ସମ୍ବିଧାନ ‘ମନୁସ୍ମୃତି’ରେ ଗୋଟିଏ କଥା କୁହାଯାଇଛି ଯେ- ସତ୍ୟମର୍ଥଂ ଚ ସମଶୋଦାତ୍ମାନମଥ ସାକ୍ଷିଣଃ / ଦେଶଂ ରୂପଂ ଚ କାଳଂ ଚ ବ୍ୟବହାରବିଧୌସ୍ଥିତ ।(ମନୁସ୍ମୃତି-୮-୪୫ ଶ୍ଳୋକ ।) ଅର୍ଥାତ୍ ନ୍ୟାୟିକ କାର୍ଯ୍ୟରେ ନିୟୋଜିତ ହେବା ସମୟରେ ତାଙ୍କୁ(ବିଚାରପତିଙ୍କୁ) ସତ୍ୟ, ବିବାଦର ବସ୍ତୁ,ସାକ୍ଷୀମାନଙ୍କ ପାଖରେ ସ୍ଥାନ, ସମୟ ଓ ଦିଗପ୍ରତି ପୂର୍ଣ୍ଣ ଧ୍ୟାନଦେବାକୁ ପଡ଼ିବ ।
ଏବେ କ’ଣ ତାହା ହେଉଛି କି? ଏକଥା ଲେଖିଲାବେଳେ ଆମର ‘ଜଙ୍ଗଲ ନ୍ୟାୟ’ ବ୍ୟବସ୍ଥା ଉପରେ ଲେଖାଯାଇଥିବା କଥାଟିଏ ମନେ ପଡ଼ି ଯାଉଛି, ଯେଉଁଥିରେ ଜଜ୍ ହୋଇଥିବା ହନୁ ମାଙ୍କଡ଼କୁ କୁହାଯାଉଛି ଯେ ଫୈସଲା ଦେବା ପୂର୍ବରୁ ଟିକେ ଆଗକୁ ପଛକୁ ଚାହିଁ ଫୈସଲା ଶୁଣାନ୍ତୁ । ଆଉ ଜଜ୍ ମହାଶୟ ଯେତେବେଳେ ପଛକୁ ଚାହିଁଥିଲେ ଦେଖିଥିଲେ କାନ୍ଦିଏ ପାଚିଲା କଦଳୀ ରଖାଯାଇଛି । ତେଣୁ ଜଜ୍ ମହାଶୟଙ୍କ ଫୈସଲା ଦୋଷୀ ବିରୁଦ୍ଧରେ ନଯାଇ ଅନ୍ୟଆଡ଼େ ଯାଇଥିଲା । ୨୦୧୬ରୁ ୨୦୨୫ ଭିତରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବିଚାରପତିଙ୍କ ବିରୁଦ୍ଧରେ ୮,୬୩୦ ଅଭିଯୋଗ ଦାଖଲ ହୋଇଛି । ଆଇନ ମନ୍ତ୍ରାଳୟ କହୁଛି ଗତ ୪ ବର୍ଷ (୨୦୨୨ ରୁ ୨୦୨୫ ) ଭିତରେ ଅଭିଯୋଗ ସଂଖ୍ୟା ଦୃତଗତିରେ ବୃଦ୍ଧି ପାଇଛି ଓ ୫୦% ଅଭିଯୋଗ ଏହି ସମୟ ମଧ୍ୟରେ ଆସିଛି । ଏ ସବୁର ବିଚାର ବିଷୟରେ ସୁପ୍ରିମକୋର୍ଟ କ’ଣ କହିଲେ ଜାଣନ୍ତିକି? ୧୯୯୭ରେ ସୁପ୍ରିମକୋର୍ଟ ପ୍ରସ୍ତାବ ଦେଲେ ଯେ ବିଚାରପତିଙ୍କ ବିରୋଧରେ ଆସୁଥିବା ଅଭିଯୋଗର ବିଚାର କରିବେ ନିଜେ ବିଚାରପତି । ସମ୍ଭାଳ । ଜଷ୍ଟିସ ବର୍ମାଙ୍କ ଭଳି ଦିଲ୍ଲୀ ହାଇକୋର୍ଟର ବିଚାରପତି ଯାହାଙ୍କ ଘରୁ ୨୦୨୫ ବେଳକୁ ଗଦା ଗଦା ଅଧାଜଳା ନୋଟ ଖାଲି ବାହାରିଥିଲା ତାଙ୍କ ବିଚାର ଯଦି ବିଚାରପତି କରିବେ କ’ଣ ହେବ?

କି ହେବ ସେ ପଢ଼ିଲେ ପାଠ?

ପାଠକେ! ଇତିମଧ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି ୧୯ ତାରିଖ ଠାରୁ । ଏଥିରେ ମାଟ୍ରିକ ବୋଲି ଖାଲି ନୁହେଁ, ମଧ୍ୟମା, ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ସବୁ ହେଉଛି । କିନ୍ତୁ ପ୍ରଥମ ଦିନ ଏହି ତିନି ପରୀକ୍ଷାରେ ୧୨ହଜାର ୯୩ ଜଣ ଛାତ୍ରଛାତ୍ରୀ ମୋଟେ ପରୀକ୍ଷା ଦେବାକୁ ଗଲେ ନାହିଁ । ପ୍ରଥମ ଦିନରେ ଭାଷା ପରୀକ୍ଷା ଥିଲା । କିଛି କଷ୍ଟ ପରୀକ୍ଷା ନୁହେଁ, ତଥାପି ପିଲା ଗଲେ ନାହିଁ । ଏ ବର୍ଷ ଏ ତିନି ପରୀକ୍ଷା ପାଇଁ ମୋଟ ୫ ଲକ୍ଷ ୬୨ ହଜାର ୬୧୨ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ । କିନ୍ତୁ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଏହିପରି ଭାବରେ କିଛି କିଛି ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବାର ଖବର ମିଳିଛି ।
ବଲାଙ୍ଗୀରରୁ ଖବର ମିଲିଲା ଯେ ଅନେକ ପିଲା ପରୀକ୍ଷା ଫର୍ମ ଫିଲପ୍ କରିଥିଲେ ମଧ୍ୟ ପେଟ ବିକଳରେ ଦାଦନ ଖଟିବାକୁ ଯାଇଛନ୍ତି । ତେଣୁ ପରୀକ୍ଷାରେ ବସି ନାହାନ୍ତି । ଜିଲ୍ଲାର ତୁରେଇକେଲା ବ୍ଲକର କମେଇମୁଣ୍ଡା ଓ ଭାଲୁକିନା ହାଇସ୍କୁଲର ୨ଜଣ ଲେଖାଁଏ ଛାତ୍ର ମାଟ୍ରିକ ପରୀକ୍ଷା ଦେବା କଥା । କିନ୍ତୁ ଦାଦନ ହୋଇ ଯାଇଥିଲେ । ସାର୍ମାନେ ଫୋନଫାନ୍ କରି ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପରୀକ୍ଷା ହଲକୁ ଆଣିଛନ୍ତି କିନ୍ତୁ ଜଣେ କାମଛାଡି ଆସିଲେ ନାହିଁ । ଆସିଲେ ତାଙ୍କୁ ଆଉ ମାଲିକ କାମଦେବ ନାହିଁ ବୋଲି ସଫା କହିଦେଲା । ଏବର୍ଷ କେତେପିଲା ଅନୁପସ୍ଥିତ ରହିଲେ ତାର ପୁରା ହିସାବ ଆମ ପାଖରେ ନ ପହଞ୍ଚିଥିଲେ ବି ଗତବର୍ଷ ୨୧୯୫୨ ପିଲା ପରୀକ୍ଷା ଦେବାକୁ ଫର୍ମ ଫିଲପ୍ କରିଥିଲେ ମଧ୍ୟ ୭୧୯ ଅନୁପସ୍ଥିତ ରହିଥିଲେ ।
ଏହି ସମୟରେ ମହଙ୍ଗା ସ୍କୁଲ ଗୁଡ଼ିକରେ ଯେଉଁ ସିବିଏସଇ ପରୀକ୍ଷା ଆରମ୍ଭ ହୋଇଛି (୧୭ ତାରିଖରୁ) ସେଥିରେ ୪୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । କେତେଜଣ ଅନୁପସ୍ଥିତ ଅଛନ୍ତି? କାରଣ ସେମାନେ ଜାଣୁଛନ୍ତି ଯେ ସେମାନେ ସେ ପରୀକ୍ଷାରେ ପାସ କଲେ ତାଙ୍କୁ ଆହୁରି ମହଙ୍ଗା ସଂସ୍ଥାମାନଙ୍କରେ ପଢ଼ିବାକୁ ମିଳିବ ଓ ଆଗକୁ ଚାକିରୀ ବା କ୍ୟାରିଅର କରିବାକୁ ମିଳିବ । ପିଲା କେବଳ ପରୀକ୍ଷାରେ ବସୁ ନାହାନ୍ତି ବୋଲି ନୁହେଁ; ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ୍ ଯାହା କହିଲେ ତାହା ତ ଆହୁରି ଦୁଃଖଦାୟକ । ଶ୍ରୀ ଗଣ୍ଡ୍ଙ୍କ ମୁତାବକ ୨୦୨୪-୨୫ ଶିକ୍ଷାବର୍ଷରେ ଅଧାରୁ ସ୍କୁଲ ଛାଡୁଥିବା ପିଲାଙ୍କ ସଂଖ୍ୟା ୧୫% ହୋଇଯାଇଛି । ପୂର୍ବବର୍ଷ ଏହା ୧୨% ଥିଲା । ମନ୍ତ୍ରୀ ହିସାବ ରଖିଲେ ଯେ ୯ ଏବଂ ୧୦ଶ୍ରେଣୀର ସବୁଠୁ ବେଶି ପିଲା ଅଧାରୁ ସ୍କୁଲ ଆସିବାକୁ ପସନ୍ଦ କରୁ ନାହାନ୍ତି । ୨୦୨୩-୨୪ରେ ଏହା ଆହୁରି କମି ଯାଇଥିଲା ।
ଆମେ ଦୁଇଦିନ ତଳେ ଭୁବନେଶ୍ୱର ଉପକଣ୍ଠରେ ଥିବା ଚନ୍ଦକା କଲେଜକୁ ଯାଇଥିଲୁ । କାରଣ ଦିନେ ସେ କଲେଜରେ ଆମେ ପ୍ରିନ୍ସିପାଲ ଥିଲୁ । ଆମେ ଥିଲାବେଳେ କଲେଜଟି ଗୋଟିଏ ଟିଣ ଘରେ ଚାଲୁଥିଲା । ଏବେ କୋଠାବାଡ଼ି ହେଲାଣି, କିନ୍ତୁ ସେମିତି ଅଧିକ ପିଲା ନାହାନ୍ତି । ଜଣେ ପିଲାଙ୍କ ଅଭିଭାବକ ଦେଖାହେଲେ ସିଏ ଆମ ଛାତ୍ର ଥିଲେ । ପଚାରିଲୁ କିରେ ଏବେ କଲେଜରେ ଏତେ କମ୍ ପିଲା କ’ଣ? ପିଲାଟି ଉତ୍ତର ଦେଲା ଏଠି କିଏ କାଇଁ ପଢ଼ିବ ସାଆରେ? ପଢ଼ିଲେ କ’ଣ ହେବ? ଏଇଠି କିଟ୍ ଆଉ ଯେଉଁ ସବୁ ସଂସ୍ଥା ଚାଲୁଛି ସେଥିରେ ପଢ଼ିଲେ ଚାକିରୀ ମିଳିବ । ଯାହାର ଲକ୍ଷ, କୋଟି ଅଛି, ଯାହା ବାପା ଜମିବାଡି ବିକି ପାରୁଛନ୍ତି ସିଏ ସେଠି ପଢୁଛନ୍ତି, ଚାକିରୀ ପାଉଛନ୍ତି । ଆମର ଯାହାର ପଇସା ନାହିଁ ଏଠି କେବଳ ସମୟ ବିତେଇବା କଥା । ଏଠୁ ପାସ କଲେ କ’ଣ ହେବ?
ଆମେ ବୁଝିଲୁ ରାଜ୍ୟରେ ଯେତିକି ବି ସରକାରୀ ସ୍କୁଲ କଲେଜ ଅଛନ୍ତି ତାଙ୍କ ଅବସ୍ଥା ବଡ଼ ଦୟନୀୟ । ସାରା ରାଜ୍ୟରେ ଏପରି ୧୮୯୮ଟି ସରକାରୀ ସ୍କୁଲ ରହିଛି ଯେଉଁଥିରେ ଗୋଟିଏ କୋଠରୀରେ ସାରା ସ୍କୁଲ ଚାଲିଛି । ସେଥିରେ କୋରାପୁଟରେ ୨୩୪ଟି ଥିଲା ବେଳେ ରାୟଗଡାରେ ୨୦୯ଟି, ବଲାଙ୍ଗୀରରେ ୧୫୧ଟି, କଳାହାଣ୍ଡିରେ ୧୪୬ଟି, ମୟୂରଭଞ୍ଜରେ ୧୨୦ଟି ସ୍କୁଲ ଅଛନ୍ତି । ଏପରିକି ଜଗତସିଂହପୁରରେ ମଧ୍ୟ ୯ଟି ଏପରି ସ୍କୁଲ ଅଛି ।
ଆଜ୍ଞା! କନ୍ଧମାଳ ଜିଲ୍ଲାରେ ଏବେ ପିଲାମାନଙ୍କୁ ମାଟ୍ରିକ ପରୀକ୍ଷା ଦେବା ପାଇଁ ଖୋଲା ଟ୍ରାକ୍ଟର ଟ୍ରଲୀରେ ବସି ବିପଦଜନକ ଭାବେ ପରୀକ୍ଷା ହଲକୁ ଯିବାପାଇଁ ପଡ଼ୁଛି । ଅଧିକାଂଶ ମା ବାପ କହିଲେ – ଯାଆନା । ସେ ପାଠ ପଢ଼ିଲେ କ’ଣ ଟା ହେବ । ଜୀବନଟା ବଞ୍ଚୁ ।

ନିଧି ଚ୍ଛିବର ଐଇଥିପାଇଁ ନିତି ଆୟୋଗକୁ ଅଣାଗଲେ କି?

ପାଠକେ! ଏବେ ଭାରତକୁ ପୁରା ନିଜ ମୌରସି ସମ୍ପତ୍ତି ଧରି ନେଇଥିବା କର୍ପୋରେଟ ହାଉସର ବଡ଼ ଉଦେ୍ଦଶ୍ୟଟି କ’ଣ ଜାଣନ୍ତି । ସଚେତନ ଲୋକମାନଙ୍କ କଥାହେଲା ଦେଶର ଯେତେ ସରକାରୀ ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତାକୁ ବିକ୍ରୀ କରିଦେବା ବୋଲି ସବୁ ସ୍ଥାନରେ ଆଲୋଚନା ହେଉଛି । ଏପରି ସମୟରେ ଦେଶରେ ଯେଉଁ କେନ୍ଦ୍ର ସରକାରଟି ଅଛି, ଲାଗୁଛି ତା’ର କେବଳ ଗୋଟିଏ ଉଦେ୍ଦଶ୍ୟ । ସରକାରଙ୍କର ମାଲିକାନାରେ ଯାହା ଯେଉଁଠି ଅଛି ହସ୍ତାନ୍ତର କର ଓ କୃତଜ୍ଞତା ପ୍ରଦର୍ଶନ କର । ଆପଣ ଗୋଟିଏ କଥା ଦେଖନ୍ତୁ ସରକାରଙ୍କର ଗୋଟିଏ ବଡ଼ ଭିତିରି ଯୋଜନା ରହୁଛି ଯେ ୨୦୨୯-୩୦ ପର୍ଯ୍ୟନ୍ତ ଦେଶର କେତେଗୁଡ଼ିଏ ସରକାରୀ ବା ରାଷ୍ଟ୍ରାୟତ୍ତ ସଂସ୍ଥାର ସେୟାରକୁ ୧୭୯୦ ଅରବ ଟଙ୍କାରେ ଘରୋଇ କମ୍ପାନୀକୁ ହସ୍ତାନ୍ତର ବା ବିକି ଦେବେ । ଗୋଟିଏ ଅରବ ହେଉଛି ୧୦୦କୋଟି ଟଙ୍କା । ଏ ଟଙ୍କା ହେବ କ’ଣ? କର୍ପୋରେଟ ସର୍କାରର କହିବା କଥା ଯେ ଦେଶ ହିତରେ ଲୋକଙ୍କ କାମରେ ଲାଗିବ ।
ଏଠି ସରକାର ବିକିବେ ବୋଲି କହିବାଟା ଭୁଲ ହେବ, ଘରୋଇ କମ୍ପାନୀ ଏହାକୁ ହାତେଇବାକୁ ଚାହୁଁଛନ୍ତି ବୋଲି କହିଲେ ଅଧିକ ସଠିକ୍ ହେବ । କାରଣ ଏଥିରେ ରେଳ, ଶକ୍ତି, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଅନ୍ୟ ସବୁ ଅଛନ୍ତି ଯାହାଙ୍କର ମାଲିକାନା ବା ଅଧିକ ସେୟାର ସରକାରଙ୍କ ପାଖରେ ଅଛି । ସରକାର ୨୦୨୪ରୁ ଏ ଜିନିଷଗୁଡ଼ିକୁ ଘରୋଇ ଲୋକଙ୍କ ହାତରେ ଟେକି ଦେବାକୁ ଲାଗିଥିଲେ । ନୀତି ଆୟୋଗ, ଆଇପିଓ ଜରିଆରେ ଏହା କରି ଦିଆଯିବାର ଥିଲା । କିନ୍ତୁ ଯାହା ଶୁଣାଗଲା ଏହା ପୂର୍ବରୁ ନୀତି ଆୟୋଗର ଯେଉଁ ସିଇଓ ଥିଲେ ବିଭିଆର ସିଏ କାଳେ କିଛି କିଛି ଷଣ୍ଢ ପୁରାଉଥିଲେ । ତେଣୁ ଛତିଶଗଡ଼ର ୧୯୯୪ ବ୍ୟାଚର ଅଧିକାରୀ ସୁଶ୍ରୀ ନିଧି ଛିବରଙ୍କୁ ପ୍ରଭାରୀ କରାଯାଇଛି । ଏବେ କେନ୍ଦ୍ର ସରକାର ନୀତି ଆୟୋଗର ପୁର୍ଣ୍ଣକାଳିକ ସିଇଓ ରଖୁନାହାନ୍ତି । ଏବେ ଛିବର ନୀତି ଆୟୋଗର ଗୋଟିଏ ସଂସ୍ଥାରେ ଅଛନ୍ତି ପୁଣି ନୀତି ଆୟୋଗର ପ୍ରଭାରୀ ସିଇଓ ହେବେ ।
ଆମେ ଯାହା ଶୁଣିଲୁ କେନ୍ଦ୍ର ସରକାର ରେଳ ବିକି(ଆଇପିଓ) ୮୩୭ ଅରବ କୋଇଲା କମ୍ପାନୀଗୁଡ଼ିକରୁ ୪୮୩ ଅରବ ରୋଜଗାର ମତଲବରେ ଅଛନ୍ତି ।

Comments

0 comments

Share This Article