୧୮୩୫ ମସିହା, ଫେବ୍ରୁୟାରୀ ୨ ତାରିଖ ଦିନ ଭାରତରେ ଶିକ୍ଷା ସମ୍ପର୍କରେ ସ୍ମାରକ ପତ୍ର ବା Minute ଲେଖିବା ପୂର୍ବରୁ , ମ୍ୟାକଲେ(Thomas Babington Macaulay) ୧୮୩୩ ମସିହା ଜୁଲାଇ ୧୦ ତାରିଖ ଦିନ ବ୍ରିଟିଶ ସଂସଦରେ, Charter Act 1833 ପ୍ରସ୍ତୁତି ପାଇଁ ଆଗତ ବିଧେୟକ(Bill)ର ଆଲୋଚନାରେ ଅଂଶ ଗ୍ରହଣ କରି ଏକ ଐତିହାସିକ ଭାଷଣ ଦେଇଥଲେ ଓ ନିଜର ମନ୍ତବ୍ୟ ରଖିଥିଲେ ଭାରତର ଶାସନରେ East India Company ର ଭୂମିକା ଉପରେ, ଶାସନର ଲକ୍ଷ୍ୟ ଓ ଚରିତ୍ର ଉପରେ । ଏହି ଭାଷଣ ବେଶ ଦୀର୍ଘ ଥିଲା ତେଣୁ ସେ ଏହାକୁ ଶେଷ କରିଥିଲେ ଏହା କହି ଯେ ‘ମୁଁ ଏତେ ଦୀର୍ଘ ସମୟ ଧରି ସଦନକୁ ଅଟକାଇ ରଖିଛି’( ‘I have detained the House so long’) ତଥାପି ‘କିଛି ନ କହି ମୁଁ ରହି ପାରୁ ନାହିଁ ।’( ‘I feel myself irresistibly impelled to say a few words ।‘)୧୩ଟି ପରିଚ୍ଛେଦ ବିଶିଷ୍ଟ ଏହି ଅଭିଭାଷଣର ଶେଷ ପରିଚ୍ଛେଦର ଶିରୋନାମା ଥିଲା ‘ଆମେ ସେ ସମୟକୁ ଅପେକ୍ଷା କରିବା ଯେତେବେଳେ ଭାରତୀୟମାନେ ଉଚ୍ଚ ପଦବୀରେ ଅଧିଷ୍ଠିତ ହେବେ ।’( ‘We must look forward to a time when Indians will hold high offices’) ଏବଂ ତାହାର ବାକ୍ୟ ଗୁଡିକ ଏହିପରି ଥିଲା, ଅନୁବାଦରେ –
“ ମୁଁ ସେହି ପ୍ରାଜ୍ଞ, ଜନହିତୈଷୀ, ସେହି ମହତ ଧାରା ପ୍ରତି ଇଙ୍ଗିତ କରୁଛି ଯାହା ଅନୁସାରେ ଆମ ଭାରତୀୟ ସାମ୍ରାଜ୍ୟର କୌଣସି ଦେଶୀ ଅଧିବାସୀ (natives ), ତାଙ୍କର ବର୍ଣ୍ଣ, ତାଙ୍କର ବଂଶ କିମ୍ବା ତାଙ୍କର ଧର୍ମ ଯୋଗୁଁ, କୌଣସି ପଦବୀରେ ରହିବା ପାଇଁ ଅଯୋଗ୍ୟ ବିବେଚିତ ହେବେ ନାହିଁ। ସ୍ୱାର୍ଥପର ଏବଂ ସଂକୀର୍ଣ୍ଣ ମନା ବ୍ୟକ୍ତିଙ୍କ ଦ୍ୱାରା ସମସ୍ତ ଉପନାମ ମଧ୍ୟରୁ ସବୁଠାରୁ ଘୃଣ୍ୟ ଭାବରେ ବିବେଚିତ ଉପନାମରେ ଡକାଯିବାର ବିପଦ(risk) ସତ୍ତ୍ୱେ, ଜଣେ ଦାର୍ଶନିକ ବୋଲି ଡକାଯିବାର ବିପଦ(risk) ସତ୍ତ୍ୱେ, ମୁଁ କହିବାକୁ ଚାହୁଁଛି ଯେ, ମୋ ଜୀବନର ଶେଷ ଦିନ ପର୍ଯ୍ୟନ୍ତ, ମୁଁ ଗର୍ବିତ ରହିବି ଯେ ମୁଁ ସେମାନଙ୍କ ମଧ୍ୟରେ ଥିଲି ଯେଉଁମାନେ ଏପରି ଧାରା ସ୍ଥାନ ପାଇଥିବା ବିଧେୟକଟିକୁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲେ । ଆମକୁ କୁହାଯାଇଛି ଯେ ସେ ସମୟ କଦାପି ଆସିବ ନାହିଁ ଯେତେବେଳେ ଭାରତର ଦେଶୀ ଅଧିବାସୀମାନେ ଉଚ୍ଚ ବେସାମରିକ ଓ ସାମରିକ ପଦବୀରେ ନିଯୁକ୍ତି ପାଇ ପାରିବେ । ଆମକୁ କୁହାଯାଇଛି ଯେ ଏହି ସର୍ତ୍ତ ଉପରେ ହିଁ ଆମେ ଆମର କ୍ଷମତାକୁ କାଏମ ରଖିପାରିବୁ । ଆମକୁ କୁହାଯାଇଛି ଯେ କ’ଣ ଆମେ ଆମର ପ୍ରଜାଙ୍କୁ ସେ ସବୁ ସୁବିଧା ଦେବା ଯାହା ସେମାନେ ଉପଭୋଗ କରିବା ପାଇଁ ସମର୍ଥ ? ନା । କ’ଣ ଏହା ଆମ କ୍ଷମତା ଭିତରେ ରହିଛି ସେମାନଙ୍କୁ ଦେବା ପାଇଁ? ନା । କିନ୍ତୁ କୁହାଯାଇଛି ଆମ ନିଜ ଆଧିପତ୍ୟର ଚିରସ୍ଥାୟୀତ୍ଵ ପ୍ରତି ବିପଦ ସୃଷ୍ଟି ନ କରି ଆମେ ସେମାନଙ୍କୁ କ’ଣ ଦେଇପାରିବା । ଏପରି ବିଚାର ବିରୁଦ୍ଧରେ ମୁଁ ଦୃଢ ପ୍ରତିବାଦ ଜଣାଉଛି ଯେହେତୁ ଏହା ସଠିକ ନୀତି ଓ ସଠିକ ନୈତିକତା ଉଭୟ ସହ ଅସଙ୍ଗତ ଅଟେ।
“ ମୁଁ ଏହି ସମ୍ବେଦନଶୀଳ ବିଷୟରେ ତରବର ଭାବେ କିଛି କରିବା ପାଇଁ ଇଚ୍ଛା କରିବା ଠାରୁ ଦୂରରେ, ବହୁ ଦୂରରେ ରହିଛି । ମୁଁ ଅନୁଭବ କରେ, ଏହା ଭାରତର ହିତରେ ଯେ ଦେଶୀ ଅଧିବାସୀଙ୍କୁ ଧୀରେ ଧୀରେ ଉଚ୍ଚ ପଦବୀରେ ନିଯୁକ୍ତି କରାଯିବା ଉଚିତ । କିନ୍ତୁ ଯେତେବେଳେ ସେ ସମୟ ଉପନୀତ ହେବ, ଯେତେବଳେ ଭାରତର ହିତରେ ପରିବର୍ତ୍ତନ ଆବଶ୍ୟକ ହେବ, ସେତେବେଳେ ଆମେ ବାରଣ କରିଦେବା ସେ ପରିବର୍ତ୍ତନକୁ ଯେପରି କି ଆମର ନିଜସ୍ଵ କ୍ଷମତା ବିପନ୍ନ ନ ହୁଏ – ଏହା ବାସ୍ତବିକ ଏକ ଏପରି ସିଦ୍ଧାନ୍ତ ଯାହା ସମ୍ପର୍କରେ ମୁଁ କ୍ଷୁବ୍ଧ ନ ହୋଇ ଭାବି ପାରେ ନା । ମଣିଷମାନଙ୍କ ଭଳି ସରକାରମାନେ ବହୁତ ଦାମ ଦେଇ ନିଜର ଅସ୍ତିତ୍ଵକୁ କିଣି ପାରନ୍ତି । କେବଳ ବଞ୍ଚିବା ପାଇଁ ଜୀବନର ଉଦ୍ଦେଶ୍ୟକୁ ନଷ୍ଟ କରିବା ଏବଂ ଏକ ଅର୍ଥହୀନ ଜୀବନ ବଞ୍ଚିବାର ନୀତି ଉଭୟ ବ୍ୟକ୍ତି ଏବଂ ରାଜ୍ୟ ପକ୍ଷରେ ଏକ ଘୃଣ୍ୟ ନୀତି । ବର୍ତ୍ତମାନର ପରିସ୍ଥିତିରେ, ଏପରି ନୀତି କେବଳ ଘୃଣ୍ୟ ନୁହେଁ, ବରଂ ଅଯୌକ୍ତିକ ମଧ୍ୟ । ସାମ୍ରାଜ୍ୟର କେବଳ ବିସ୍ତାର, ନିଶ୍ଚିତ ଭାବରେ ଏକ ସୁବିଧା ନୁହେଁ । ଅନେକ ସରକାରଙ୍କ ପାଇଁ ଏହା କଷ୍ଟକର ହୋଇଛି, କିଛିଙ୍କ ପାଇଁ ଏହା ଘାତକ ହୋଇଛି। ଆମ ସମୟର ପ୍ରତ୍ୟେକ ରାଜନେତା ଏହା ସ୍ୱୀକାର କରିବେ ଯେ ଏକ ସମ୍ପ୍ରଦାୟର ସମୃଦ୍ଧି ସେହି ସମ୍ପ୍ରଦାୟକୁ ଗଢି ଥିବା ବ୍ୟକ୍ତିମାନଙ୍କ ସମୃଦ୍ଧି ଦ୍ଵାରା ହିଁ ନିର୍ଦ୍ଧାରିତ, ଏବଂ ଯେଉଁ ଆଧିପତ୍ୟ ବ୍ୟକ୍ତିର ଆରାମ ବା ସୁରକ୍ଷାରେ କିଛି ବୃଦ୍ଧି ଆଣି ପାରେନା, ସେ ଆଧିପତ୍ୟର ଲାଳସା ଅତ୍ୟନ୍ତ ପିଲାଳିଆ ଉଚ୍ଚାକାଂକ୍ଷା ଅଟେ । ଜ୍ଞାନରେ, ଜୀବନର ସୁବିଧା ପାଇଁ ସ୍ୱାଦରେ, କିମ୍ବା ସେହି ସୁବିଧାଗୁଡ଼ିକୁ ଉତ୍ପାଦନ କରୁଥିବା ସମ୍ପତ୍ତିରେ ମାନବ ଜାତିର ଯେ କୌଣସି ଅଂଶ ଯେଉଁ ପ୍ରଗତି କରେ ତାହା କୌଣସି ମହାନ ବାଣିଜ୍ୟିକ ରାଷ୍ଟ୍ର ପାଇଁ, ମହାନ ବିନିର୍ମାଣକାରୀ(manufacturing) ରାଷ୍ଟ୍ର ପାଇଁ ଉଦାସୀନତାର ବିଷୟ ହୋଇପାରେ ନା। ପ୍ରାଚ୍ୟର ବିଶାଳ ଜନସଂଖ୍ୟା ମଧ୍ୟରେ ୟୁରୋପୀୟ ସଭ୍ୟତାର ପ୍ରସାରଣରୁ ଆମେ କେତେ ଲାଭ ପାଇପାରିବା ତାହା ଗଣନା କରିବା ପ୍ରାୟ ଅସମ୍ଭବ। ଏହି ମାମଲାଟିକୁ ସବୁଠାରୁ ସ୍ୱାର୍ଥପର ଦୃଷ୍ଟିଭଙ୍ଗୀରୁ ଦେଖିଲେ , ଏହା ଆମ ପାଇଁ ଶୁଭଂକର ହେବ ଯଦି ଭାରତର ଲୋକମାନେ ଖରାପ ଭାବରେ ଶାସିତ ହେବା ଓ ଆମ ଅଧୀନରେ ରହିବା ଅପେକ୍ଷା ସେମାନେ ଭଲ ଭାବରେ ଶାସିତ ହେବେ ଏବଂ ସ୍ୱାଧୀନ ହେବେ; ସେମାନେ ଇଂରାଜ କଲେକ୍ଟର ଏବଂ ଇଂରାଜ ମାଜିଷ୍ଟ୍ରେଟଙ୍କୁ ସଲାମ ଦେବା ଅପେକ୍ଷା ସେମାନଙ୍କର ନିଜ ରାଜାମାନଙ୍କ ଦ୍ଵାରା ଶାସିତ ହେବେ ଅବଶ୍ୟ ଆମର ମୋଟା ଲୁଗା ପିନ୍ଧି ଓ ଆମରି ଛୁରୀ,କଣ୍ଟା, ଚାମଚ ( cutlery) ବ୍ୟବହାର କରି । ଅବଶ୍ୟ ସେମାନେ ଇଂରେଜମାନଙ୍କ ଦ୍ଵାରା ନିର୍ମିତ ବସ୍ତୁର ମୂଲ୍ୟ ବୁଝିବା ପାଇଁ ହୁଏତ ଅଜ୍ଞାନୀ ଅଟନ୍ତି ବା ସେମାନେ ଖୁବ ଦରିଦ୍ର ସେ ବସ୍ତୁ କିଣିବା ପାଇଁ । ସଭ୍ୟ ପୁରୁଷମାନଙ୍କ ସହିତ ବାଣିଜ୍ୟ କରିବା ବହୁ ବହୁ ଗୁଣରେ ଅଧିକ ଲାଭଦାୟକ, ଅସଭ୍ୟମାନଙ୍କୁ ଶାସନ କରିବା ଅପେକ୍ଷା। ଏହା ବାସ୍ତବିକ ଜ୍ଞାନର ଚମତ୍କାରିତା ହେବ ଯାହା, ଭାରତକୁ ପରାଧୀନ କରି ରଖିବା ପାଇଁ ଏହାକୁ ଏକ ଅଦରକାରୀ ଏବଂ ବ୍ୟୟସାପେକ୍ଷ ପରାଧୀନ ଦେଶରେ ପରିଣତ କରିବ, ଯାହାଦ୍ଵାରା କୋଟି କୋଟି ଲୋକ ଆମର ଗ୍ରାହକ ହେବାରୁ ବଞ୍ଚିତ ହେବେ ଏବଂ ଆମର ଦାସ ହୋଇ ରହିବେ।
“ବର୍ନିଅର(Bernier) ଆମକୁ ଯେପରି କୁହନ୍ତି, ସେ ଭାରତରେ ଦେଖୁଥିଲେ ଘୃଣ୍ୟ ଅତ୍ୟାଚାରୀମାନଙ୍କର ଏକ ଏପରି ଅଭ୍ୟାସ ଯେ ଯେତେବେଳେ ସେମାନେ କିଛି ବିଶିଷ୍ଟ ପ୍ରଜାଙ୍କ କ୍ଷମତା ଏବଂ ମନୋଭାବକୁ ଭୟ କରୁଥିଲେ କିନ୍ତୁ ସେମାନଙ୍କୁ ହତ୍ୟା କରିବାର ସାହସ କରିପାରୁ ନଥିଲେ, ସେତେବେଳେ ସେମାନଙ୍କୁ ପୋସ୍ତା(pousta), ଯାହା ଅଫିମରୁ ତିଆରି, ତାହାର ଏକ ଖୋରାକ ଦୈନିକ ଖାଇବାକୁ ଦେଉଥିଲେ, ଯାହାର ପ୍ରଭାବରେ କିଛି ମାସ ମଧ୍ୟରେ ଏହି ନିଶା ସେବନ କରୁଥିବା ବ୍ୟକ୍ତିର ସମସ୍ତ ଶାରୀରିକ ଏବଂ ମାନସିକ ଶକ୍ତି ନଷ୍ଟ ହୋଇଯାଉଥିଲା ଏବଂ ସେ ଏକ ଅସହାୟ ନିର୍ବୋଧରେ ବଦଳି ଯାଉଥିଲା । ଏପରି ଘୃଣ୍ୟ ଅଭ୍ୟାସ ହତ୍ୟାଠାରୁ ମଧ୍ୟ ଅଧିକ ଭୟଙ୍କର ଯାହା ଏହାକୁ ଅଭ୍ୟାସ କରୁଥିବା ବ୍ୟକ୍ତିଙ୍କ ପାଇଁ ହିଁ ପ୍ରଜୁଯ୍ୟ । ଏହା ଇଂରେଜ ରାଷ୍ଟ୍ରର ଆଦର୍ଶ ନୁହେଁ । ଆମ ନିୟନ୍ତ୍ରଣ ଭିତରକୁ ଆଣିବାର ହୀନ ଉଦ୍ଦେଶ୍ୟ ନେଇ, ଆମେ କଦାପି ସ୍ୱୀକୃତି ଦେବୁ ନାହିଁ ଏକ ସମ୍ପୂର୍ଣ୍ଣ ସମ୍ପ୍ରଦାୟକୁ ପୋସ୍ତା (pousta) ଦେବା ପାଇଁ, ସେ ମହାନ ଜନତାଙ୍କୁ ମୂର୍ଖ ଏବଂ ପଙ୍ଗୁ କରିଦେବା ପାଇଁ, ଯେଉଁ ଜନତାଙ୍କର ଦାୟିତ୍ଵ ଈଶ୍ଵର ଆମ ଉପରେ ନ୍ୟସ୍ତ କରଛନ୍ତି । ସେ କ୍ଷମତାର ମୂଲ୍ୟ କ’ଣ ଯଦି ତାହା ଅସଦାଚାର (vice), ଅଜ୍ଞତା ଏବଂ କ୍ଲେଶ ଉପରେ ପ୍ରତିଷ୍ଠିତ; ଯଦି ଏହାକୁ ଆମେ ଧରି ରଖୁ କେବଳ ଉଲ୍ଲଂଘନ କରି ସବୁଠାରୁ ପବିତ୍ର କର୍ତ୍ତବ୍ୟଗୁଡ଼ିକୁ ଯାହା ଶାସକ ହୋଇଥିବା ହେତୁ ଶାସିତଙ୍କ ପ୍ରତି ଆମର କର୍ତ୍ତବ୍ୟ, ଏବଂ ଆମର ମଧ୍ୟ କର୍ତ୍ତବ୍ୟ, ଏକ ସାଧାରଣ ରାଜନୈତିକ ସ୍ୱାଧୀନତା ଏବଂ ବୌଦ୍ଧିକ ଆଲୋକ ଠାରୁ ବହୁ ଅଧିକ ଆଶୀର୍ବାଦ ପ୍ରାପ୍ତ ଜାତି ହିସାବରେ, ସେହି ଜାତି ପ୍ରତି ଯେଉଁ ଜାତି ତିନି ହଜାର ବର୍ଷର ନିରଙ୍କୁଶତା ଏବଂ ପୁରୋହିତବାଦ ଦ୍ଵାରା ହୀନମୂଲ୍ୟ(debased) ହୋଇଛି ? ଆମେ ସ୍ୱାଧୀନ, ଆମେ ସଭ୍ୟ, ବୋଲାଇବା କ୍ଵଚିତ କୋଣସି ଉଦ୍ଦେଶ୍ୟ ସାଧିତ କରେ, ଯଦି ଆମେ ସମାନ ଭାବରେ ସ୍ୱାଧୀନ ଓ ସଭ୍ୟ ମାନବ ଜାତିର କୌଣସି ଅଂଶକୁ ଘୃଣା କରୁ।
“ଆମେ କ’ଣ ଭାରତର ଲୋକମାନଙ୍କୁ ଆଜ୍ଞାକାରୀ କରି ରଖିବା ପାଇଁ ସେମାନଙ୍କୁ ଅଜ୍ଞ ରଖିବା? ନା ଆମେ କ’ଣ ଭାବୁଛୁ ଯେ ସେମାନଙ୍କର ମହତ୍ବାକାଂକ୍ଷାକୁ ଜାଗ୍ରତ ନକରି ଆମେ ସେମାନଙ୍କୁ ଜ୍ଞାନ ଦେଇ ପାରିବୁ? ନା ଆମେ କ’ଣ ଚାହୁଁଛୁ ମହତ୍ୱାକାଂକ୍ଷାକୁ ଜାଗ୍ରତ କରିବାକୁ, ଅଥଚ ଏହାର ବୈଧ ଅଭିବ୍ୟକ୍ତି ପାଇଁ କୌଣସି ସୁଯୋଗ ନ ଯୋଗାଇ ? ଏହି ପ୍ରଶ୍ନଗୁଡ଼ିକର ସମ୍ମତିସୂଚକ(affirmative) ଉତ୍ତର କିଏ ଦେବ ? ତଥାପି ସେମାନଙ୍କ ମଧ୍ୟରୁ ଗୋଟିକର ସମ୍ମତି ସୂଚକ ଉତ୍ତର ସେ ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ଦେବେ ଯିଏ ଦାବି କରନ୍ତି ଯେ ଆମେ ଦେଶୀ ଅଧିବାସୀଙ୍କୁ ଉଚ୍ଚ ପଦବୀରୁ ସ୍ଥାୟୀ ଭାବରେ ବାହାରେ ରଖିବା ଉଚିତ। ମୋର କୌଣସି ଭୟ ନାହିଁ । କର୍ତ୍ତବ୍ୟର ପଥ ଆମ ସମ୍ମୁଖରେ ସ୍ପଷ୍ଟ: ଏବଂ ଏହା ମଧ୍ୟ ଜ୍ଞାନ, ଜାତୀୟ ସମୃଦ୍ଧି, ଜାତୀୟ ସମ୍ମାନର ପଥ ।
“ ଆମ ଭାରତୀୟ ସାମ୍ରାଜ୍ୟର ଭାଗ୍ୟ ଘନ ଅନ୍ଧକାରରେ ଆଚ୍ଛାଦିତ । ଏକ ରାଷ୍ଟ୍ରର ଭାଗ୍ୟ ସମ୍ପର୍କରେ କୌଣସି ଅନୁମାନ କରିବା କଠିନ, ଯେଉଁ ରାଷ୍ଟ୍ର ଇତିହାସର ଅନ୍ୟ କୌଣସି ରାଷ୍ଟ୍ର ପରି ନୁହେଁ, ଏବଂ ଯିଏ ନିଜେ ନିଜକୁ ଗଢି ନେଇଛି ରାଜନୈତିକ ଘଟଣାବଳିର(political phenomena) ଏକ ଭିନ୍ନ ବର୍ଗ ଭାବେ । ଏହାର ବୃଦ୍ଧି ଏବଂ କ୍ଷୟକୁ ନିୟନ୍ତ୍ରଣ କରୁଥିବା ନିୟମଗୁଡ଼ିକ ଏପର୍ଯ୍ୟନ୍ତ ଆମକୁ ଅଜଣା । ହୋଇପାରେ ଆମ ବ୍ୟବସ୍ଥା(system)ରେ ଭାରତର ଜନମାନସ ସେତେବେଳ ଯାଏ ବିସ୍ତାରିତ ହେଉଥିବ ଯେତେବେଳ ଯାଏ ଏପରି ବିସ୍ତାର ଏହି ବ୍ୟବସ୍ଥାଠାରୁ ଆଗକୁ ବାହାରି ନ ଯାଇଛି; ହୋଇପାରେ ଯେ ଏକ ଭଲ ସରକାର ଦ୍ଵାରା ଆମେ ଆମର ପ୍ରଜାଙ୍କୁ ଏପରି ଶିକ୍ଷିତ କରିପାରିବା ଯେ ସେମାନେ ଦକ୍ଷ ହୋଇପାରିବେ ଆହୁରି ଭଲ ସରକାର ଗଢିବା ପାଇଁ; ହୋଇପରେ ଯେ ଇଉରୋପୀୟ ଜ୍ଞାନରେ ଶିକ୍ଷିତ ହୋଇ, ଭବିଷ୍ୟତରେ କେତେବେଳେ, ସେମାନେ ଇଉରୋପୀୟ ଅନୁଷ୍ଠାନ ମଧ୍ୟ ଦାବି କରିବେ । ଏପରି ଦିନ କେବେ ଆସିବ କି ନାହିଁ, ମୁଁ ଜାଣିନାହିଁ। କିନ୍ତୁ ମୁଁ କଦାପି ଏହାକୁ ଏଡାଇ ଦେବାକୁ କିମ୍ବା ଧିମେଇ ଦେବାକୁ ଚେଷ୍ଟା କରିବି ନାହିଁ। ଯେତେବେଳେ ବି ଏହା ଆସିବ, ଏହା ଇଂରାଜୀ ଇତିହାସର ସବୁଠାରୁ ଗର୍ବର ଦିନ ହେବ । ଦାସତ୍ୱ ଏବଂ ଅନ୍ଧବିଶ୍ୱାସର ନିମ୍ନତମ ଗଭୀରତାରେ ବୁଡ଼ି ରହିଥିବା ଏକ ମହାନ ଜାତିକୁ ପାଇବା, ସେମାନଙ୍କୁ ଏପରି ଶାସନ କରିବା ଯେ ସେମାନେ ନାଗରିକଙ୍କର ବିଶେଷାଧିକାର(privileges) ପାଇଁ ଇଚ୍ଛୁକ ଏବଂ ସକ୍ଷମ ହୋଇ ପାରିବେ, ଏହା ଗୌରବର ବିଷୟ ହେବ ଯାହା ଉପରେ ଅଧିକାର ସମ୍ପୂର୍ଣ୍ଣ ଭାବରେ ଆମର ହେବ । ରାଜଦଣ୍ଡ ଆମ ପାଖରୁ ଚାଲିଯାଇପାରେ । ଅପ୍ରତ୍ୟାଶିତ ଦୁର୍ଘଟଣା ଆମର ନୀତିର ସବୁଠାରୁ ଗଭୀର ଯୋଜନାକୁ ଓଲଟ-ପାଲଟ କରି ଦେଇପାରେ। ଆମ ବାହୁରେ ବିଜୟ ସ୍ଥିର ହୋଇ ରହି ନ ପାରେ। କିନ୍ତୁ ଏପରି ବିଜୟ ମଧ୍ୟ ଅଛି ଯାହାକୁ ପରାଜୟ (reverse)ଅନୁସରଣ କରେନା । । କ୍ଷୟର ସମସ୍ତ ପ୍ରାକୃତିକ କାରଣରୁ ମୁକ୍ତ ଏକ ସାମ୍ରାଜ୍ୟ ଅଛି। ସେହି ବିଜୟଗୁଡ଼ିକ ହେଉଛି ବର୍ବରତା ଉପରେ ଯୁକ୍ତିର ପ୍ରଶାନ୍ତ ବିଜୟ; ସେହି ସାମ୍ରାଜ୍ୟ ହେଉଛି ଆମର କଳା ଏବଂ ଆମର ନୈତିକତା, ଆମର ସାହିତ୍ୟ ଏବଂ ଆମର ଆଇନର ଅବିନାଶୀ ସାମ୍ରାଜ୍ୟ ।“
(Prof. Birendra Nayak is a widely respected educationist, columnist, poet and writer from Odisha. He is known for his well reserached articles on important national and state issues. His books are well appreciated by the readers. An Alumnus of Banaras Hindu University and IIT Kharagpur, Prof Nayak served the Utkal University as Professor of Mathematics for three decades.)
Comments
0 comments

