ନିରବ ବିପ୍ଲବୀ ନଟବର

15 Min Read

ଜାନୁୟାରୀ ୧୭, ୨୦୨୬ ଦିନ ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀଠାରେ ‘ସମଦୃଷ୍ଟି’ର ୨୧ତମ ବାର୍ଷିକ ଦିବସ କାର୍ଯ୍ୟକ୍ରମ ଥିଲା । ପ୍ରଫେସର ନୀଳମଣି ସାହୁଙ୍କ ଦ୍ୱାରା ଅପରାହ୍ଣରେ ସମଦୃଷ୍ଟିର ବିଗତ ସଂଖ୍ୟାମାନଙ୍କର ପ୍ରଦର୍ଶନୀ ଉଦ୍ଘାଟିତ ହେବା ପରେ ସନ୍ଧ୍ୟାରେ ବାର୍ଷିକ ବକ୍ତୃତା ଉପସ୍ଥାପନ କରିଥିଲେ ପ୍ରଫେସର ବୀରେନ୍ଦ୍ର ନାୟକ । ବିଷୟଟି ଥିଲା “ଭାରତରେ ଶିକ୍ଷା ଓ ଶିକ୍ଷାରେ ଭାରତୀୟତା” । ବକ୍ତୃତାଟି ଅତି ଉଚ୍ଚକୋଟୀର ଥିଲା, ଯାହାକି ସର୍ବଭାରତୀୟ ସ୍ତରରେ ବି ଉପସ୍ଥାପନା କରାଯାଇ ପାରନ୍ତା । ନଟବର ଜୀଙ୍କ ସଦ୍ୟତମ ପୁସ୍ତକ ‘ଆମ୍ବ କଥା’ର ଉନ୍ମୋଚନ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଓ ମାନବିକ ଅଧିକାର ସୁରକ୍ଷା କ୍ଷେତ୍ରରେ ଅନେକ ଦଶନ୍ଧି ଧରି ସକ୍ରିୟ ଥିବା ଶ୍ରୀଯୁକ୍ତ ଗୁରୁପ୍ରସାଦ ମହାନ୍ତି କରିଥିଲେ । ନଟବର ଜୀ ସେଦିନ ଅସୁସ୍ଥତା ଯୋଗୁଁ ଆସିପାରିଲେ ନାହିଁ । ନିଜ ବହିର ଉନ୍ମୋଚନରେ ଯୋଗଦେବା ପାଇଁ ତାଙ୍କର ଆଗ୍ରହ ନଥିଲା । କହିଲେ, “ଯାଇଥିଲେ ବୀରେନ୍ଦ୍ର ବାବୁ କଣ କହୁଛନ୍ତି ଶିକ୍ଷା ଉପରେ ଶୁଣିଥାନ୍ତି । ଦେହଟା ଭଲ ଲାଗୁନି, ଯୁବା ବି ଏପଟ ସେପଟ ହେଉଛି । ତମେ ତ ବୀରେନ୍ଦ୍ର ବାବୁଙ୍କ ବକ୍ତବ୍ୟଟି ଛାପିବ, ମୁଁ ପଢ଼ି ଦେବି ।” ସେ ନିଜେ ବି ଜାଣି ନଥିଲେ ଯେ ଏହି କାର୍ଯ୍ୟକ୍ରମର ଚିରିଦିନ ଭିତରେ ତାଙ୍କୁ ସବୁଦିନ ପାଇଁ ଆଖି ବୁଜି ଦେବାକୁ ପଡ଼ିବ । ଉନ୍ମୋଚିତ ବାର୍ଷିକ ସଂଖ୍ୟାଟି ଯେଉଁଥିରେ ତାଙ୍କର ଲେଖାଟିଏ ପ୍ରକାଶିତ ହେଇଛି ତାହା ଜାଣିବା ପାଇଁ ତାଙ୍କୁ ସୁଯୋଗ ମିଳିଲା ନାହିଁ ।
ଜାନୁୟାରୀ ୨୧, ୨୦୨୬ରେ ନଟବର ଜୀଙ୍କ ଦେହାନ୍ତ ହେଲା । ଜାନୁୟାରୀ ୨୦, ୨୦୨୬ ଦିନ ଆମେ ନିଆଳି ଯିବାର ଥିଲା, କିନ୍ତୁ ମୋର ବୁର୍ଲା ଯିବାର ଥିବା ଯୋଗୁଁ ଯାଇପାରିଲି ନାହିଁ । ଜାନୁୟାରୀ ୨୦ ଯାଏଁ ନଟବର ବାବୁ ନିଜର ପ୍ରିୟ ଲୋକମାନଙ୍କ ସହିତ କଥା ହେଇଛନ୍ତି । ଓରମାସ୍ ଦ୍ୱାରା ଆୟୋଜିତ ହୋଇଥିିବା ଶିଶିର ସରସ ମେଳାରେ ଦେଶୀ ଚାଉଳ ଭଲ ବିକ୍ରି ହେଉଥିବା ଯୋଗୁଁ ସେ ଖୁସିରେ ବି କାହାକୁ କାହାକୁ ଖବର ଜଣାଇଛନ୍ତି ।
ତାଙ୍କର ଅଚାନକ ଚାଲିଯିବା ଅନେକଙ୍କୁ ଚକିତ କରିଛି ନିଶ୍ଚୟ ଏବଂ ଖବରଟିକୁ ଗ୍ରହଣ କରିବା ପାଇଁ ବି ଲୋକେ ଅପ୍ରସ୍ତୁତ ଅଛନ୍ତି । ତାଙ୍କର ବଡ଼ ଝିଅ (ନମିତା ନାନି)ଙ୍କ ଘରେ ମରଶରୀରକୁ ରଖାଯିବା ପରେ ନଟବର ଜୀଙ୍କ କର୍ମକ୍ଷେତ୍ର ନିଆଳିରେ ଶୋଭାଯାତ୍ରା ମାଧ୍ୟମରେ ନିଆଯାଇ ପରେ ତାଙ୍କର ଇଚ୍ଛା ମୁତାବକ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ତାଙ୍କର ଶରୀରଟିକୁ ହସ୍ତାନ୍ତର କରାଯାଇଥିଲା । ଅନ୍ୟମାନଙ୍କ ଈଶ୍ୱରବିଶ୍ୱାସଟିକୁ ସମ୍ମାନ ଦେବା ଓ ସୁରକ୍ଷା ଦେବାପାଇଁ ସେ କାମ କରୁଥିଲେ ବି ନିଜେ କେବେ ଈଶ୍ୱର ବିଶ୍ୱାସୀ ନ ଥିଲେ । ବିନା କୌଣସି ପ୍ରେତ କର୍ମ ବା କୁସଂସ୍କାର ପୂର୍ଣ୍ଣ କାର୍ଯ୍ୟ ନକରି କେବଳ ଶ୍ରଦ୍ଧାଞ୍ଜଳି ସଭା ମାଧ୍ୟମରେ ତାଙ୍କର ସ୍ମୃତିତର୍ପଣ କରାଯାଇଥିଲା । “ମଶାଣିକୁ ମୁଁ ଚାଲି ଚାଲି ଯିବି” କହୁଥିବା ଲୋକଟି ଶେଷରେ ସେଇଆ ହିଁ କରିଥିଲେ । ଡାକ୍ତରଖାନାରେ ତାଙ୍କୁ ରହିବାକୁ ପଡ଼ିନଥିଲା । ନଟବର ଜୀଙ୍କ ଅବର୍ତ୍ତମାନ ସମଦୃଷ୍ଟି ପାଇଁ ତଥା ପାଠକଙ୍କ ପାଇଁ ଏକ ଅପୂରଣୀୟ କ୍ଷତି । ସମସ୍ତଙ୍କ ତରଫରୁ ତାଙ୍କର ଅମ୍ଲାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଆମେ ଜଣାଉଛୁ ।
ନଟବର ଜୀ ଆରମ୍ଭରୁ ଜଣେ ହେତୁବାଦୀ ଥିଲେ ଏବଂ ଜଣେ ଭଲଶିକ୍ଷକ ମଧ୍ୟ ଥିଲେ । ସେ ପରିବାରରେ ମଧ୍ୟ ଜଣେ ପ୍ରିୟମଣିଷ ଥିଲେ । ଯଦିଓ ତାଙ୍କର ବିଚାରଧାରା ସହ ତାଳଖାଇ ଚଳିବା ପରିବାରର ଅନ୍ୟ ସଦସ୍ୟମାନଙ୍କ ପ୍ରତି ସହଜ ନ ଥିଲା । ମୋର ଘନିଷ୍ଠ ବନ୍ଧୁ ମାର୍ଚ୍ଚ ୨୭, ୨୦୦୮ରୁ ଆମ ଗହଣରୁ ଚାଲିଯାଇଥିବା ତାଙ୍କ ବଡ଼ ପୁଅ ଯୋଦ୍ଧା ରାଜେନ୍ଦ୍ର ଥିଲେ ଏକ ଅନନ୍ୟ ବ୍ୟତିକ୍ରମ । ବାପା-ମା ଚାଲିଯିବା ପରେ ସନ୍ତାନମାନେ ସେମାନଙ୍କର ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ଘୋଷଣା କରିବା କଥା ଆମେ ଶୁଣିଛୁ । ନଟବର ଜୀ ଥିଲେ ଏମିତି ଏକ ନିଆରା ମଣିଷ ଯିଏ କି ଅକାଳରେ, ଅବେଳରେ ଚାଲିଯାଇଥିବା ନିଜର ବଡ଼ ପୁଅ ରାଜେନ୍ଦ୍ରଙ୍କ ସ୍ୱପ୍ନକୁ ସାକାର କରିବାପାଇଁ କେବେ ଘୋଷଣା ନ କରି ଅଣ୍ଟା ବାନ୍ଧି ଛିଡ଼ା ହୋଇଥିଲେ ଏବଂ ସଫଳତା ପାଇଥିଲେ ମଧ୍ୟ ।
୧୯୯୭ ମସିହାର କଥା । ନଟବର ଜୀଙ୍କ ସହ ବନ୍ଧୁ ରାଜେନ୍ଦ୍ରଙ୍କ ମାଧ୍ୟମରେ ତାଙ୍କ ବଡ଼ ଝିଅ ନମିତାନାନୀଙ୍କ ଘରେ ମୋର ପରିଚୟ ହୋଇଥିଲା । ପ୍ରଥମ ଦେଖା ଓ ଆଲୋଚନାରେ ଭିନ୍ନତା ବାରି ହେଇଯାଉଥିଲା । ଦୁର୍ଘଟଣାରେ ଅବେଳାରେ ଜୀବନ ହାରିଥିବା ତାଙ୍କର ପ୍ରିୟ ପୁତ୍ରବଧୂ ଟିକି ପାଇଁ ମନରେ ଦୁଃଖ ଥିଲା । ଦେଶୀ ଚାଷର ଅଭ୍ୟାସ ସେତେବେଳେ ଯାଏଁ ଆରମ୍ଭ ହୋଇନଥିଲା । ସ୍ପ୍ରାଡ ନାମରେ ଗୋଟିଏ ସଂସ୍ଥାଟିଏ କରିଛନ୍ତି ବୋଲି କହୁଥିଲେ । ଏହି ସଂସ୍ଥା ମହାବାତ୍ୟା ୧୯୯୯ ସମୟରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିବାକଥା ମତେ ଶୁଣାଇଥିଲେ । ମୁଖ୍ୟତଃ ଗୋଟିଏ ପ୍ରୋଜେକ୍ଟ ମୋଡ଼ରେ କାମ ଚାଲିଥିଲା । ତେବେ ସେ ସେଥିରେ ସନ୍ତୁଷ୍ଟ ଥିବାଭଳି ଜଣା ପଡୁନଥିଲେ । ଯେକୌଣସି ସମସାମୟିକ ବିଷୟ ଉପରେ ଉପଯୁକ୍ତ ସୂଚନା ତାଙ୍କ ପାଖରେ ଥିଲା ଏବଂ ଅନେକ ସମୟ ଧରି ତାଙ୍କ ସହ ଆଲୋଚନା କରାଯାଇ ପାରୁଥିଲା । ପ୍ରତିଦିନ ଖବରକାଗଜ ପଢ଼ିବା ଓ ନୂଆ ନୂଆ ତଥା ଉପାଦେୟ ବହି ପଢ଼ିବାରେ ତାଙ୍କର ପ୍ରବଳ ଆଗ୍ରହ ଥିଲା । ତାଙ୍କର ପୁତୁରା, ଝିଆରୀ ଓ ଭଣଜାମାନଙ୍କୁ ଲଗାଇ ସେ ପସନ୍ଦ କରୁଥିବା ବହି ନେଇ ଆସିପାରୁଥିଲେ ଏବଂ ଶେଷ ପୃଷ୍ଠାଯାଏ ପ୍ରତ୍ୟେକଟି ବହି ପଢ଼ୁଥିଲେ । ପଢ଼ିବା ପରେ ଚର୍ଚ୍ଚା ଚାଲୁଥିଲା । ବହି ପଢ଼ିବା ଓ ପଢ଼ା ସରିବା ପରେ ଚର୍ଚ୍ଚା କରିବା କାମଟି ତାଙ୍କର ପୂର୍ବରୁ ମୁଁ କେବଳ ଅଧ୍ୟାପକ ଭଗବତ ପ୍ରସାଦ ରଥଙ୍କ ପାଖରେ ଦେଖିଥିଲି । ଯାହାଙ୍କ ପ୍ରେରଣା ‘ସମଦୃଷ୍ଟି’ର ପ୍ରକାଶନ ପାଇଁ ବାଟ କଢ଼ାଇଥିଲା । ନଟବର ଜୀଙ୍କ ଉପରେ ପ୍ରଭାବ ପକାଉଥିବା ପ୍ରମୁଖ ବହିମାନଙ୍କ ଭିତରେ ଥିଲା ଜାପାନର ପ୍ରାକୃତିକ ଚାଷୀ ‘ମାସନୋବା ଫୁକୁୱାକା’ଙ୍କର “ଦ ୱାନ୍ ଷ୍ଟ୍ର ରିଭୁ୍ୟଲେସନ” (୧୯୭୫), ଯାହାକୁ ଓଡ଼ିଶାରେ ବିପ୍ଲବୀ ‘ସବ୍ୟସାଚୀ ପଣ୍ଡା’ ଏବେ ଅନୁବାଦ କରି ‘କୁଟାଖିଅର ବିପ୍ଳବ’ ନାମରେ ତାକୁ ନାମିତ କରିଛନ୍ତି । ଅନ୍ୟତମ ପୁସ୍ତକଟି ଯାହା ନଟବରଜୀଙ୍କୁ ବିଶେଷ ପ୍ରଭାବ ପକାଇଥିଲା ତାହାଥିଲା ‘ରାସଲ କାର୍ସନ’ଙ୍କ ଦ୍ୱାରା ରଚିତ ‘ସାଇଲେଣ୍ଟ ସ୍ପ୍ରିଙ୍ଗ୍’ ପୁସ୍ତକଟି ଯାହାକି ୧୯୬୨ରେ ପ୍ରକାଶିତ ହୋଇଥିଲା ।
ଫୁକୁୱାକାଙ୍କ ବହି ସହିତ ଯୋଡ଼ି ହୋଇଯାଇଥିଲା ନଟବର ଜୀଙ୍କ ରାସାୟନିକ ·ଷର ପ୍ରତ୍ୟକ୍ଷ ଯନ୍ତ୍ରଣାଦାୟକ ଅନୁଭୂତି । ଯେଉଁଠି ସେ କାର୍ବୋଫୋରାନ୍ କୀଟନାଶକ ଔଷଧ କିଭଳି ମଣିଷ ଓ କ୍ଷୁଦ୍ର ଜୀବ ଉପରେ ବିଷାକ୍ତ ପ୍ରଭାବ ପକାଇ ପାରେ, ତାହା ନିଜେ ଦେଖିଥିଲେ । ଏହି ଭିତରେ ତାଙ୍କ ସହ ଦେଶୀ ଚାଷ ଓ ଦେଶୀ ବିହନର ଆବଶ୍ୟକତାକୁ ନେଇ ଚାଲିଥିବା ଚର୍ଚ୍ଚା ତାଙ୍କର ଭବିଷ୍ୟତ କାର୍ଯ୍ୟ ପାଇଁ ଏକ ନକ୍ସା ତିଆରି କରିବାରେ ବେଶ୍ ସାହାଯ୍ୟ କରିଥିଲା । ସବୁଥିରେ ପୁତ୍ର ରାଜେନ୍ଦ୍ରଙ୍କ ବଳିଷ୍ଠ ଯୁକ୍ତି ଓ ପ୍ରଭାବ ଥିଲା । ନଟବର ଜୀ ୧୯୯୭ ପୂର୍ବରୁ କ’ଣ ଥିଲେ ଓ କିଭଳି ଥିଲେ ଯାହା ତାଙ୍କ ଛାତ୍ର, ସମସାମୟିକ ବ୍ୟକ୍ତି, ପରିବାର ବର୍ଗଙ୍କ ଠାରୁ ଜାଣିବାକୁ ମଳିଥାଏ । ତାହାଠୁ ଅଧିକ ଜାଣିବା ପାଇଁ ବିଶେଷକରି ମୋର ନିଜର ଆଗ୍ରହ କେବେ ନଥିଲା । ୧୯୯୭ ପରର ନଟବର ଜୀ ଏବଂ ତାଙ୍କର କାର୍ଯ୍ୟକୁ ହିଁ ମୁଁ ଅଧିକ ଗୁରୁତ୍ୱ ଦେବାପାଇଁ ଉଚିତ୍ ମନେ କରେ ।
ସେ ଯେ କେବଳ ଜଣେ ପ୍ରାକୃତିକ ଚାଷୀ ହେବା ପାଇଁ ଉଦ୍ୟମ କରୁଥିଲେ, ତାହା ନୁହେଁ । ସେ ଥିଲେ ବିବିଧତାରେ ଭରପୂର ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱ । ନିଜ ଅଞ୍ଚଳର ସମସ୍ୟା ପ୍ରତି ବି ସେ ସମାନଭାବେ ଗୁରୁତ୍ୱ ଦେଉଥିଲେ । ନିଆଳି ହାଇସ୍କୁଲ ସଂଲଗ୍ନ ଅନାମ ପଡ଼ିଆକୁ ବ୍ୟବସାୟୀ ମାନଙ୍କୁ ଟେକି ଦେବା ପାଇଁ ଯେତେବେଳେ ପ୍ରଶାସନିକ ଉଦ୍ୟମ ହେଉଥିଲା, ସେ ସବୁଠୁ ଆଗରେ ଛିଡ଼ା ହୋଇ ପ୍ରତିବାଦ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଶେଷରେ ତାଙ୍କର ବିଜୟ ମଧ୍ୟ ହୋଇଥିଲା । ସେପରି ଗୋଟିଏ ସରକାରୀ ସ୍କୁଲ ହତାରେ ସରସ୍ୱତୀ ଶିଶୁ ମନ୍ଦିର ଭଳି ସାମ୍ପ୍ରଦାୟିକ ସ୍କୁଲ ଖୋଲିବା ପାଇଁ ଯେତେବେଳେ ଉଦ୍ୟମ ହୋଇଥିଲା ସେ ତାହାର ମଧ୍ୟ ପ୍ରବଳ ପ୍ରତିବାଦ କରିଥିଲେ ସବୁ ସ୍ତରରେ ଏବଂ ଶେଷରେ ସେଥିରେ ସଫଳ ମଧ୍ୟ ହୋଇଥିଲେ । ଯେକୌଣସି ସାମ୍ରାଜ୍ୟବାଦୀ ଆନ୍ଦୋଳନ ଓ ବିସ୍ଥାପନ ବିରୋଧି ଆନ୍ଦୋଳନରେ ସେ ସାମିଲ୍ ହୋଇପାରୁଥିଲେ ବା ସାମିଲ୍ ହେବାପାଇଁ ସବୁବେଳେ ଆଗ୍ରହ ଦେଖାଉଥିଲେ ।
ସେଇ ଦୃଷ୍ଟିରୁ ତାଙ୍କୁ କେବଳ ଜୈବ ଚାଷୀ କହିବା ଉଚିତ୍ ହେବ ନାହିଁ । ଏମିତି ଜୈବ ବା ଅର୍ଗାନିକ୍ ଶବ୍ଦ ବହୁରାଷ୍ଟ୍ରୀୟ କମ୍ପାନୀମାନେ ଶୀଘ୍ର ନେଇ ବିକଳ୍ପ ବଜାରଟିଏ ସୃଷ୍ଟି କରି ନିଜର ପତିଆରା ଜାହିର କରିବା ଭଳି ଏକ ସମ୍ଭାବନା ରହିଛି – ଯେତେବେଳେ ତାଙ୍କୁ କିଏ କହୁଥିଲେ ସେଥିରେ ସେ ଏକମତ ମଧ୍ୟ ହେଉଥିଲେ । ସେଥିପାଇଁ ଜୈବ ଚାଷ ନ କହି ଦେଶୀ ଚାଷ କଥା କହୁଥିଲେ । ଅନ୍ୟପ୍ରକାରେ ସେ ଦେଶୀ ଚାଷକୁ ବୁଝାଉଥିଲେ ଯେ, ଦେଶୀ ଚାଷ କହିଲେ ବିହନ ଠାରୁ ଆରମ୍ଭ କରି ଫସଲ, ଚାଷ ଓ ଶସ୍ୟ ଅମଳ ଯାଏ ଚାଷୀ ବଜାରକୁ ଯିବନି । ସବୁ କିଛି ତାର ନିଜ ପାଖରେ ରହିବ ବା ନିଜ ପହଞ୍ଚ ଭିତରେ ଥିବ । ଏବଂ ଯେଉଁଥି ପାଇଁ ତାଙ୍କୁ ଋଣ କରିବାରେ ଆବଶ୍ୟକତା ନ ଥିବ କି ବଜାରରୁ ଟଙ୍କା ଦେଇ କିଣିବାର ଆବଶ୍ୟକତା ବି ନଥିବ । ବିହନ ହିଁ ଚାଷୀ ଓ ଚାଷର ମେରୁଦଣ୍ଡ । ଏ କଥା ବୁଝି ଦେଶୀ ବିହନ ସଂଗ୍ରହ ଓ ସଂରକ୍ଷଣ ଭଳି କଠିନ କାମ ହାତକୁ ନେଇ ଆସିଥିଲେ । ସେ ଦୃଷ୍ଟିରୁ ତାଙ୍କର ବିଚାର ଅନ୍ୟ ଚାଷୀମାନଙ୍କ ଠାରୁ ଭିନ୍ନ ଥିଲା ଓ ଭବିଷ୍ୟତକୁ ସୁରକ୍ଷିତ ରଖିବା ଉଦେ୍ଦଶ୍ୟରେ ସମର୍ପିତ ଥିଲା । ଥରେ ଜଣେ ଅଜଣା ଫିଲିସି୍ଥିନି ମହିଳା ·ଷୀଙ୍କର ଦ୍ୱାରା ରଚିତ ଏକ କବିତା ଆଣି ମତେ ଦେଇଥିଲେ ତାକୁ ଓଡ଼ିଆରେ ପ୍ରସ୍ତୁତ କରିବା ପାଇଁ । ଇଂରାଜୀରେ ଏହି କବିତାର ନାମ ଥିଲା “ସିଡ୍ କିପର୍” । ଶିରୋନାମାଟିକୁ ମୁଁ ଓଡ଼ିଆରେ ଯେତେବେଳେ କରିଥିଲି ତାର ନାମଟି ରଖିଥିଲି ‘ବିହନ ଜଗୁଆଳି’ । ସେ ସେହି ଶିରୋନାମାଟି ଓ କବିତାର ଉପସ୍ଥାପନାଟିକୁ ଓଡ଼ିଆରେ ଦେଖି ବେଶ୍ ପସନ୍ଦ କରିଥିଲେ ଏବଂ ତାକୁ ସଦ୍ୟ ପ୍ରତିଷ୍ଠିତ ‘ଗୋଷ୍ଠୀ ଦେଶୀ ବିହନ ବ୍ୟାଙ୍କ’ର କାନ୍ଥରେ ମଧ୍ୟ ଚିତ୍ରଣ କରି ରଖି ଦେଇଥିଲେ ।
କିଛି ବହି ବା ମାଗାଜିନ୍ ପଢ଼ିବାବେଳେ ସେ ରେଫେରେନ୍ସଗୁଡ଼ିକ ଅତି ଗୁରୁତ୍ୱର ସହ ଦେଖୁଥିଲେ । ସେତେବେଳେ ଯେଉଁ ବହି ନଜରକୁ ଆସୁଥିଲା ସେ, ସେହି ବହିଗୁଡ଼ାକ ପଢ଼ିବା ପାଇଁ ·ହୁଁଥିଲେ । ଏମ୍.ଏସ୍.ରାନ୍ଧଓା୍ୱଙ୍କ ରଚିତ ଭାରତରେ କୃଷିର ଇତିହାସ (ଇ ଐସଗ୍ଦଗ୍ଧକ୍ଟକ୍ସଚ୍ଚ କ୍ଟଲ ଇଶକ୍ସସମଙ୍କକ୍ଷଗ୍ଧଙ୍କକ୍ସର ଓଦ୍ଭ ଓଦ୍ଭୟସବ) ଯାହାକି ଚାରି ଭାଗରେ ପ୍ରକାଶିତ ହୋଇଥିଲା, ପ୍ରାକ୍ ଐତିହାସିକ ଯୁଗଠାରୁ ଆରମ୍ଭ କରି ୧୯୮୧ ଯାଏଁ ; ସେ ସେହି ବହିଟିକୁ ପଢ଼ିବା ପାଇଁ ଚାହିଁଲେ । ନିଜେ ସମ୍ପର୍କୀୟମାନଙ୍କ ମାଧ୍ୟମରେ ସବୁ ବହିକୁ ଆଣିଥିଲେ ଏବଂ ତାହାର ଲାଭ ‘ସମଦୃଷ୍ଟି’ ପତ୍ରିକାକୁ ମିଳିଥିଲା । ସମଦୃଷ୍ଟିରେ ତାଙ୍କର ୧୧୧ଟି ଲେଖା ପ୍ରକାଶିତ ହୋଇସାରିଛି । ରହିଯାଇଥିବା ଆଉ ଦୁଇଟି ଲେଖା ଆଗାମୀ ସଂଖ୍ୟାମାନଙ୍କରେ ପ୍ରକାଶିତ ହେବାପାଇଁ ରଖାଯାଇଛି । ସେ ଭିତରେ ଅଛି ଗୋଟିଏ ଲେଖା ଯାହାକି ସେ ଜାନୁୟାରୀ ୨୦, ୨୦୨୬ରେ ଆରମ୍ଭ କରିଥିଲେ ଏବଂ ଶେଷ କରିବା ପୂର୍ବରୁ ଜାନୁୟାରୀ ୨୧, ୨୦୨୬ ଦିନ ତାଙ୍କର ନିଧନ ହୋଇଥିଲା । ଦେଶୀଚାଷ ଉପରେ ତାଙ୍କର ରଚିତ ବହିଟି ତିନି ଥର ମୁଦ୍ରଣ ହୋଇଥିଲା ଏବଂ ଏହି ବହିର ମୁଖବନ୍ଧ ଲେଖିଥିଲେ ଡ. ବିରେନ୍ଦ୍ର ନାୟକ । ଯେଉଁଠି ଦେଶୀ ଚାଷ କଣ ଓ କାହିଁକି? ତାହାର ପ୍ରାସଙ୍ଗିକତା ଉପରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସମଦୃଷ୍ଟିର ପ୍ରକାଶିତ ଲେଖାଗୁଡ଼ିକ ନେଇ ତାଙ୍କର ଏଯାବତ ଚାରୋଟି ପୁସ୍ତକ ପ୍ରକାଶିତ ହୋଇସାରିଛି । ଯେମିତି କି: ପ୍ରଥମଟି ହେଲା- ‘ଆଉ କେତେ ବିଷ ପିଇଲେ ଚେତିବା’, ଦ୍ୱିତୀୟ- ‘ମାଟି କଥା’, ତୃତୀୟ- ‘ମାଛ କଥା’ ଏବଂ ସଦ୍ୟ ପ୍ରକାଶିତ ‘ଆମ୍ବ କଥା’ । ଆଗକୁ ପ୍ରକାଶ ପାଇବାକୁ ଯାଉଛି ତାଙ୍କର ଧାରାବାହିକ ‘ସବୁଜ ବିପ୍ଳବର ଗୁମର କଥା’, ଯାହାକି ୨୪ଟି ସଂଖ୍ୟାରେ ‘ସମଦୃଷ୍ଟି’ରେ ପ୍ରକାଶିତ ହୋଇସାରିଛି । ଏହି ପୁସ୍ତକଟି ସେଇ ୨୪ଟି ଲେଖାର ଏକ ସଂକଳନ ହେବ । ନିକଟରେ ‘ଧାନର ଷଠୀ ଘର’ ଲେଖା ଯେଉଁମାନେ ପଢିଥିବେ, ଜାଣିପାରିଥିବେ ଆମେ କିଭଳି ଏହି ଧାରାବାହିକ ପଢ଼ିବାରୁ ବଞ୍ଚିତ ହେବା ।
ଦେଶୀ ବିହନ ସଂଗ୍ରହ ଓ ସଂରକ୍ଷଣ କାମଟି ବହୁତ କଠିନ କାମ ଥିଲା । ଥରେ ମୋ ସହ ନିଆଳି ଯାଇଥିବା ମୋ ଗୁରୁଦେବ ଡକ୍ଟର ଏମ୍.ପି. ପରମେଶ୍ୱରନ୍ ସେ କଠିନ କାମର ମୂଲ୍ୟଟି ବୁଝିପାରିଥିଲେ । ନଟବର ଜୀଙ୍କ ସହ ତାଙ୍କର ଆଲୋଚନାଟି ବେଶ୍ ପ୍ରେରଣାଦାୟକ ଥିଲା । ସେ ନିଜେ ନଟବରଜୀଙ୍କ ସହ ବିଲବାଡ଼ିକୁ ମାଡ଼ି ଯାଇଥିଲେ । ଅଚାନକ ଗୋଡ଼ ଖସିଯିବା ଯୋଗୁଁ କାଦୁଅରେ ପଡ଼ିଯାଇଥିଲେ ଏବଂ ତାଙ୍କର ପୁରା ଫୁଲ୍ ପ୍ୟାଣ୍ଟଟି କାଦୁଅ ହୋଇଯାଇଥିଲା । ନଟବର ଜୀଙ୍କ ଧୋତି ପିନ୍ଧି ଡକ୍ଟର ପରମେଶ୍ୱରନ ଭୁବନେଶ୍ୱର ଫେରିଥିଲେ । ୧୦୦ଟି ସିଡ୍ ଆଲବମ ପ୍ରସ୍ତୁତ କରିବାପାଇଁ ଅନୁରୋଧ କରିଯାଇଥିଲେ । ସେଥିପାଇଁ ସେ ଏକ ଫର୍ମାଟ୍ ବି ତିଆରି କରିଥିଲେ ଏବଂ ୧ ଲକ୍ଷ ଟଙ୍କାର ସାହାଯ୍ୟ ଘୋଷଣା କରିଥିଲେ । ଯାହାକି ସେ ସର୍ବଭାରତୀୟ ଜନବିଜ୍ଞାନ ସଂଗଠନର ରାଜ୍ୟ ଶାଖାମାନଙ୍କ ମାଧ୍ୟମରେ ସଂଗ୍ରହ କରି ପ୍ରଦାନ କରିଥିଲେ ।
ଏହିଭଳି ସହଯୋଗ ନଟବର ଜୀଙ୍କ ପାଇଁ ବେଶ୍ ପ୍ରେରଣାଦାୟକ ଥିଲା । ସେତେବେଳେ ରାଜେନ୍ଦ୍ର ବାବୁ ମଧ୍ୟ ଥିଲେ । ପରେ ବନ୍ଧୁ ଓ ବିଶିଷ୍ଟ ଶିଳ୍ପୀ ତଥା ବୃତ୍ତଚିତ୍ର ନିର୍ମାତା ଅମର କନୱର, ନଟବର ଜୀଙ୍କ ପାଖରୁ ୨୬୬ ପ୍ରକାରର ଦେଶୀ ଧାନ ବିହନର କିସମ ବଜାର ଦର ଠାରୁ ଢେର ଅଧିକ ଅର୍ଥ ଦେଇ କିଣିଥିଲେ ଏବଂ ସେ ତାଙ୍କଦ୍ୱାରା ପ୍ରସ୍ତୁତ “ସାର୍ବଭୌମ ଜଙ୍ଗଲ’ ପ୍ରଦର୍ଶନୀରେ ସ୍ଥାନିତ କରିଥିଲେ । ଅମରଙ୍କ ସହଯୋଗଟି କେବଳ କିଛି କିସମର ବିହନ କିଛି ପରିମାଣରେ କିଣିବାରେ ସୀମିତ ନଥିଲା, ସେ ଦେଶୀ ଚାଷର ପ୍ରସାରପାଇଁ ଓ ନଟବର ଜୀଙ୍କ ଉପରେ ଗୋଟିଏ କ୍ଷୁଦ୍ର ବହି ଲେଖି ଏହି ବାର୍ତ୍ତାଟି ସମଗ୍ର ବିଶ୍ୱରେ ପ୍ରଚାରିତ କରାଇଥିଲେ ।
ଭୁବନେଶ୍ୱରରେ ଅମର କନୱରଙ୍କ ସାର୍ବଭୌମ ଜଙ୍ଗଲ ପ୍ରଦର୍ଶନୀ ଓ ସେଠି ସ୍ଥାନିତ ହୋଇଥିବା ନିଜର ଦେଶୀ ଧାନ ବିହନ ଦେଖିବା ଦିନଠାରୁ ନଟବର ଜୀଙ୍କ ମନରେ ଏକ କୃଷି ସଂଗ୍ରହାଳୟ ଓ ଐତିହ୍ୟ କେନ୍ଦ୍ର ନିଆଳିରେ ଆରମ୍ଭ କରିବାପାଇଁ ଭାବନା ଆସିଥିଲା ଏବଂ ପରେ ସେ ଦୃଢ଼ତା ଓ ନିଷ୍ଠାର ସହିତ ତାକୁ ସଫଳ ରୂପାୟନ କରିଥିଲେ । ଯେଉଁ ଶିବାଶିଷ ସାର୍ବଭୌମ ଜଙ୍ଗଲର ପ୍ରଦର୍ଶନୀର ରକ୍ଷଣାବେକ୍ଷଣ କରୁଥିଲେ, ସେ ପରେ ନଟବର ଜୀଙ୍କ ପାଇଁ କୃଷି ସଂଗ୍ରହାଳୟ ଓ ଐତିହ୍ୟ କେନ୍ଦ୍ରର ପ୍ରତିଷ୍ଠା କାମରେ ଏକ କୁଶଳୀ କାରିଗର ଭଳି କାମ କରିଥିଲେ । ଓଡ଼ିଶା ସରକାର ବିଶେଷ କରି ଯେତେବେଳେ କୃଷି ବିଭାଗର ପ୍ରମୁଖ ସଚିବ ଥିବା ମନୋଜ ଆହୁଜା ପାରମ୍ପରିକ କୃଷି ଚାଷୀମାନଙ୍କର ତାଲିମ ଦେବା ପାଇଁ ନଟବର ଜୀଙ୍କୁ ଅନୁରୋଧ କରିଥିଲେ, ପ୍ରାୟ ୨୦୦୦ କୃଷକ ଦେଶୀଚାଷରେ ନଟବର ଜୀଙ୍କ ପାଖରୁ ସିଧାସଳଖ ତାଲିମ ପାଇବାରେ ସଫଳ ହୋଇଥିଲେ ।
ନଟବର ଜୀ କହୁଥିଲେ ସରକାର କହିଲେ ଚାଷୀ ବିଷ ବି ପିଇଦେବେ । ସେଥିପାଇଁ ସରକାର ନ କହିଲେ ଦେଶୀ ଚାଷ ବା ଜୈବ ଚାଷ ଆଡ଼କୁ ଚାଷୀ କେବେ ବି ଯିବେ ନାହିଁ ଏହି କଥା ସେ ଦୃଢ଼ଭାବେ କହି ପାରୁଥିଲେ । ଯେହେତୁ ତାଙ୍କର ସେ ସମ୍ପର୍କରେ ତିନି ଦଶନ୍ଧି ଧରି ଅନୁଭୂତି ଥିଲା । ସରକାରଙ୍କୁ ଯଦି ଜଗନ୍ନାଥ ଠାକୁରଙ୍କ କଥା କୁହାଯାଏ ତେବେ ସରକାର ଦେଶୀ ଚାଷ ପ୍ରତି ଅଧିକ ଆଗ୍ରହ ଦେଖାଇବେ ତାହା ଥିଲା ତାଙ୍କର ଗୋଟେ ପ୍ରକାର ବିଶ୍ୱାସ । ସେଥିପାଇଁ କୋଠଭୋଗରେ ଦେଶୀ ଚାଉଳ ‘ଗୋବିନ୍ଦ ଭୋଗ’ ଲଗାଯିବା ପାଇଁ ସେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ତଥା କୃଷିବିଭାଗର ଅତିରିକ୍ତ ମୁଖ୍ୟ ଶାସନସଚିବ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ସହ ଆଲୋଚନା କରି ପରାମର୍ଶ ଦେଇଥିଲେ ।
ସରକାର ଏହି ପରାମର୍ଶ ଗ୍ରହଣ କରିଛନ୍ତି ବୋଲି ଘୋଷଣା କରି ପଦକ୍ଷେପ ନେଇଛନ୍ତି । ‘ଠାକୁର ଯଦି ଦେଶୀ ଚାଉଳ ଖାଇବେ, ଭକ୍ତ ବି ଦେଶୀ ଚାଉଳ ଆଡ଼କୁ ଆସିଯିବେ’ ତାହା ଥିଲା ନଟବରଜୀଙ୍କ ଭାବନା; ସେ ଯଦିଓ ଈଶ୍ୱରବିଶ୍ୱାସୀ ନଥିଲେ ବା ଜଣେ ନାସ୍ତିକ ଥିଲେ । ଆଗାମୀ ଦିନରେ ଜଣାପଡିବ ନଟବର ଜୀଙ୍କ ଭାବନା ବା ତାଙ୍କର ସ୍ୱପ୍ନ କିଭଳି ରୂପ ନେଉଛି । କାରଣ ଦେଶୀ ଧାନ ଆଡ଼େ ଅନେକ ଅନ୍ତଃରାଷ୍ଟ୍ରୀୟ କମ୍ପାନୀ ଓ ସେମାନଙ୍କ ପାଇଁ କାମ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କର ନଜର ମଧ୍ୟ ପଡିଛି । ନଟବର ଜୀ ଯଦିଓ ଜାଣିଥିଲେ ଯେ ବହୁରାଷ୍ଟ୍ରୀୟ କମ୍ପାନୀମାନେ ବି ଦେଶୀ ଧାନଉପରେ ନଜର ପକେଇ ପାରନ୍ତି । କିନ୍ତୁ ସେ ଭାବିଥିଲେ ଯେ ଯଦି ଜଗନ୍ନାଥଙ୍କ ପାଖରେ ଚାଷୀଙ୍କ ଦ୍ୱାରା ପ୍ରସ୍ତୁତ ଧାନରୁ ଚାଉଳ ଭୋଗ ଲାଗେ ତେବେ ସେଠି ହୁଏତ କାହାର ବି ସାହସ ହେବ ନାହିଁ କମ୍ପାନୀମାନଙ୍କ ଚାଉଳ ନେଇ ଭୋଗ ଲଗାଇବା ପାଇଁ । ସେଥିପାଇଁ କୋଠଭୋଗ ପାଇଁ ଗୋବିନ୍ଦ ଭୋଗ ଚାଉଳ ଯୋଗାଇବାପାଇଁ ତାଙ୍କର ‘ଲୋକ ସମବାୟ’ ପ୍ରତିଷ୍ଠାନ ଏବଂ ‘ରାଜେନ୍ଦ୍ର ଦେଶୀଚାଷ ଗବେଷଣା କେନ୍ଦ୍ର’ ଅନେକ ପଦକ୍ଷେପ ନେଇଛି । ଆଗାମୀ ଦିନରେ ଜଣାପଡ଼ିବ ତାହା କେତେ ଫଳପ୍ରଦ ହେଉଛି ।
ପ୍ରଫେସର ରାଧାମୋହନ ଦିନେ କହୁଥିଲେ ଯେ ତାଙ୍କୁ ‘ଲକ୍ଷେ ବର୍ଷ ବଞ୍ଚିବାକୁ ପଡିବ’ । ଏହାର ଅର୍ଥ ନୁହେଁ ଯେ ସେ ଅମର ହେବାପାଇଁ ଚାହୁଁଥିଲେ । ତାଙ୍କର କହିବାର ଉଦେ୍ଦଶ୍ୟ ହୁଏତ ଏହା ହିଁ ଥିଲା ଯେ ଯେତିକି କାମ ଅଛି କରିବାପାଇଁ ଲକ୍ଷେ ବର୍ଷ ବି ଯଥେଷ୍ଟ ହେବ ନାହିଁ ଯଦି ଜଣେ ତାକୁ କରିବାପାଇଁ ଚାହିଁବ । ଏହି କାମଟିକୁ ଯଦି ଲକ୍ଷ ଲକ୍ଷ ଲୋକ ନିଜ ହାତକୁ ନେବେ ତାହେଲେ କେତୋଟି ବର୍ଷରେ କାମଟି ସମ୍ଭବ ହୋଇପାରିବ ବା ସେଥିରେ ସଫଳତା ମିଳିପାରିବ ।
ସେହି ଦୃଷ୍ଟିରୁ ପ୍ରଫେସର ରାଧାମୋହନ ହୁଅନ୍ତୁ ବା ନଟବର ଷଡ଼ଙ୍ଗୀ, ସେମାନେ ଆରମ୍ଭ କରିଥିବା କାମଗୁଡ଼ିକୁ ଆମେ ସାମୂହିକ ଭାବେ ଆଗେଇ ନେବାକୁ ପଡ଼ିବ । କେତୋଟି ଶବ୍ଦରେ ଶ୍ରଦ୍ଧାଞ୍ଜଳି ଦେଇ ନୀରବ ରହିବା ନଟବରଜୀଙ୍କ ମହାନ କାମ ଓ ମାଟି ପାଇଁ ଥିବା ତାଙ୍କର ଚିନ୍ତା ପ୍ରତି ଘୋର ଅସମ୍ମାନ ହେବ । ସେ ଯେହେତୁ ଆମ ପିଲା ଏବଂ ଆଗାମୀ ସବୁ ପିଢ଼ି କିଭଳି ଉତ୍ତମ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇ ନିରୋଗ ରହିବେ ସେଥିପାଇଁ ଚିନ୍ତିତ ଥିଲେ, ସେହି ଦୃଷ୍ଟିରୁ ଆମ ଉପରେ ଏକ ଗୁରୁ ଦାୟିତ୍ୱ ରହୁଛି ଯେ ଆମେ କିଭଳି ନିଜ ଭବିଷ୍ୟତର ବଂଶଧରମାନଙ୍କ ଜୀବନକୁ ସୁସ୍ଥ ଓ ସୁରକ୍ଷିତ ରଖିବା । ଆଜିର ଦିନରେ ଆମ ପାଖରେ ଦେଖିବାକୁ ଗଲେ ଏହା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ ।

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.