ଜାତିସଂଘ ସାଧାରଣ ସଭାର ୮୦ତମ ବାର୍ଷିକୀ ଅଧିବେଶନରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିଜର ବକ୍ତବ୍ୟ ରଖିବାକୁ ମଞ୍ଚ ପାଖକୁ ଆସିଲାବେଳକୁ ଏକ ନୂଆଦୃଶ୍ୟ ଦେଖିବାକୁ ମିଳିଥିଲା । ସଂଖ୍ୟାଧିକ ପ୍ରତିନିଧି ଓ ଅଧିକାରୀ କକ୍ଷତ୍ୟାଗ କରିଥିଲେ । ଗାଜାର ନିରୀହ ଜନସାଧାରଣ, ବିଶେଷକରି ଶିଶୁ ଓ ମହିଳାଙ୍କୁ ନିର୍ମମ ହତ୍ୟା ପ୍ରତିବାଦରେ ବିଶ୍ୱର ଅନେକ ରାଷ୍ଟ୍ରର ପ୍ରତିନିଧି ଓ ଜାତିସଂଘ ଅଧିକାରୀ ଏପରି କରିଥିଲେ । ଏହା ବିଶ୍ୱ କୂଟନୈତିକ ଇତିହାସରେ ବିରଳ । ଇସ୍ରାଏଲ ଇତିହାସରେ ଏପରି ଭାବେ ବିଶ୍ୱବ୍ୟାପୀ ଏକଘରିକିଆ କେବେ ହୋଇନଥିଲା । ମାନବବାଦ, ଶାନ୍ତି ଓ ପାଲେଷ୍ଟାଇନ୍ ରାଷ୍ଟ୍ର ତଥା ଗାଜାର ନିରୀହ ଜନସାଧାରଣଙ୍କର ଏହା ନୈତିକ ବିଜୟ ଥିଲା । କିନ୍ତୁ ଏହି ନୈତିକ ବିଜୟରେ ପାଲେଷ୍ଟାଇନ୍ ସମସ୍ୟାର ସମାଧାନ ହେବ ନାହିଁ । ଏହା ଅତ୍ୟନ୍ତ ଜଟିଳ ପ୍ରକ୍ରିୟାରେ ପରିଣତ ହୋଇଛି । ନିଜେ ଜାତିସଂଘ ଅନୁସନ୍ଧାନ ପରେ କହିଛି ଯେ ଗାଜାପଟିରେ ଇସ୍ରାଏଲ ଗଣହତ୍ୟା କରୁଛି । ବୁଭୁକ୍ଷୁ ଜନସାଧାରଣ ରିଲିଫ ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲାବେଳେ ଇସ୍ରାଏଲ୍ ସେନା ଗୁଳିମାରି ନିରୀହ ସାଧାରଣ ନାଗରିକ, ଶିଶୁ ଓ ମହିଳାଙ୍କୁ ହତ୍ୟା କରୁଛି । ଏହା ମଧ୍ୟଯୁଗୀୟ ବର୍ବରତା ଓ ହିଟ୍ଲରୀ ଫାସୀବାଦୀ ଅତ୍ୟାଚାରକୁ ମଧ୍ୟ ବଳିଯାଇଛି । ଅନେକ ଗଣମାଧ୍ୟମ ବିଶ୍ୱବ୍ୟାପୀ ଏହାକୁ ହାମାସ ଓ ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧବୋଲି ବର୍ଣ୍ଣର୍ନା କରିଛନ୍ତି, ଯାହା ଅର୍ଦ୍ଧସତ୍ୟ ଅଟେ । ନେତାନ୍ୟାହୁ ତାଙ୍କ ମନ୍ତ୍ରୀ ଓ ସରକାର ଓ ସେନାକୁ ଏକ ଉଗ୍ର ଫାସିବାଦୀ ଚିନ୍ତା ଓ ଚେତନା ଗ୍ରାସ କରିଛି, ଯାହା ପାଲେଷ୍ଟାନୀୟବାସୀଙ୍କ ନିର୍ମମ ହତ୍ୟାରେ ପ୍ରତିଫଳିତ । ଜାତିସଂଘ ସାଧାରଣ ଅଧିବେଶନରେ ନେତାନ୍ୟାହୁ କହିଥିଲେ ଯେ ତାକୁ ହାମାସକୁ ଧଂସ କରିବାର କାର୍ଯ୍ୟକୁ ସମାପ୍ତ କରିବାକୁ ପଡ଼ିବ । ଏହା ଏକ ଭ୍ରମାତ୍ମକ ବ୍ୟାଖ୍ୟାନ ଅଟେ । ଏ ସମ୍ପର୍କରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ବକ୍ତବ୍ୟ ଗୁରୁତ୍ୱପୂର୍ଣ୍ଣ । ସେ କହିଲେ ଯେ ଇସ୍ରାଏଲ ଆକ୍ରମଣର ଆରମ୍ଭରେ ହାମାସ ଗୋଷ୍ଠୀଙ୍କ ସଂଖ୍ୟା ଯାହା ଥିଲା, ଦୀର୍ଘ ଦୁଇବର୍ଷ ଯୁଦ୍ଧ ପରେ ଓ ସତଷଠୀ ହଜାର ଲୋକଙ୍କ ମୃତୁ୍ୟବରଣ ପରେ ସେମାନଙ୍କ ସଂଖ୍ୟା ଏବେ ବି ସେଇଆ । ଅର୍ଥାତ୍ ହାମାସର ନେତୃତ୍ୱ ଓ କର୍ମୀଙ୍କ ମୃତୁ୍ୟ ପରେ ମଧ୍ୟ ଅନେକ ପୁଣି ନୂଆକରି ଯୋଗ ଦେଇଛନ୍ତି ଓ ଦେଉଛନ୍ତି । ମୃତୁ୍ୟର ତାଣ୍ଡବଲୀଳା ରଚିଲେ ମଧ୍ୟ ନିଜ ଭିଟାମାଟି ପାଇଁ ଆଦର୍ଶଗତ ପ୍ରତିିରୋଧର ମୃତୁ୍ୟ ହୋଇପାରେ ନାହିଁ ।
ସମଗ୍ର ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଯାହାକୁ ଚାହୁଛି ତାଙ୍କୁ ଆକ୍ରମଣ କରିପାରୁଛି । ପାଲେଷ୍ଟାଇନ୍, ଲେବାନନ୍, ଇରାନ୍, ସିରିଆ ଓ ଏବେ କାତାର ଏପରି ଅନେକ । କାହା ସାହସରେ ନବ୍ୟ ଫାସୀବାଦୀ, ନେତାନ୍ୟାହୁର ଏ ଯୁଦ୍ଧ ଯାତ୍ରା? ୟା ପଛରେ କିଏ ଓ କାହିଁକି? ସମସ୍ତେ ଜାଣିଛନ୍ତି ଆମେରିକା ସାମ୍ରାଜ୍ୟବାଦ ଇସ୍ରାଏଲର ନବ୍ୟ ଫାସୀବାଦୀ ସରକାର ପଛରେ ଅଛି । ବାଇଡେନ୍ ହେଉ କି ଟ୍ରମ୍ପ୍; କିଛି ଫରକ୍ ପଡ଼େନା । ଏହା ପଛରେ ତ ଅନେକ କାରଣ ଅଛି ।
୧) ମଧ୍ୟପ୍ରାଚ୍ୟର ତୈଳ ସମ୍ପଦ ଉପରେ ଆମେରିକାର ଲୋଲୁପ ଦୃଷ୍ଟି ରହିଆସିଛି । ସମସ୍ତ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଓ ଏହାର ତୈଳ ସଂପଦକୁ ଜଗିବା ପାଇଁ ଏକ ଅଣମୁସଲିମ ରାଷ୍ଟ୍ର ଇସ୍ରାଏଲର ଏକ ଜଗୁଆଳୀ ଭାବେ ଆବଶ୍ୟକତା ରହିଛି ।
୨) ନିଜର ବନ୍ଧୁ ରାଷ୍ଟ୍ର ବୋଲାଉଥିବା ସାଉଦୀ ଆରବ, କାତାର ପରି ରାଷ୍ଟ୍ରମାନଙ୍କ ଉପରେ ଆମେରିକାର ବିଶ୍ୱାସ ନାହିଁ । ଅବିଶ୍ୱାସ ଓ ବିଶ୍ୱାସଘାତକତା ସାମ୍ରାଜ୍ୟବାଦର ଡିଏନ୍ଏରେ ରହିଛି ।
୩) ଶୀତଳଯୁଦ୍ଧ ସମୟରେ ସୋଭିଏତ ଯୁନିୟନ ସେଠାରେ ଆମେରିକାକୁ ଚେକ୍ ଦେବାକୁ ଉଦ୍ୟମ କରୁଥିଲା । କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ନୁହେଁ । ଫଳରେ ଆମେରିକା ଓ ଇସ୍ରାଏଲ ମେଂଟକୁ ପ୍ରତିହତ କରିବା ସମ୍ଭବ ହେଉ ନାହିଁ ।
୪) ମୁସଲିମ୍ ରାଷ୍ଟ୍ରମାନେ ଯଥା ସାଉଦିଆରବ, କାତାର ଆଦି ସାମ୍ରାଜ୍ୟବାଦୀ ଅପକୌଶଳର ଶିକାର ହୋଇଛନ୍ତି ଓ ଇସ୍ରାଏଲ୍-ମାର୍କିନ ଫାସୀବାଦ ବିରୋଧ ମେଣ୍ଟ କରାଇ ଦେଉନାହାନ୍ତି । ଏହି ରାଷ୍ଟ୍ରମାନଙ୍କର ଶାସକଶ୍ରେଣୀ ମୁଖ୍ୟତଃ ଆଧୁନିକ ସାମନ୍ତବାଦୀ ଗୋଷ୍ଠୀ ମାର୍କିନ୍ ପୁଞ୍ଜିିପତିଙ୍କ ସହ ହାତ ମିଳାଇଛନ୍ତି ।
୫) ପୁଞ୍ଜିିବାଦୀ ଅର୍ଥନୀତି ଓ ସଂସ୍କୃତି ଆଗରେ ମୁସଲିମ୍ ସଂହତି ମଳିନ ପଡ଼ିଛି । ଇତିହାସର ଆଜିର ଏ ମୋଡ଼ରେ ପୁଣିଥରେ ପ୍ରମାଣିତ ହୋଇଛି ଯେ ଶ୍ରେଣୀ ରାଜନୀତି ପଛରେ ଧର୍ମୀୟ ଓ ପରିଚୟ ରାଜନୀତି ଦୁର୍ବଳ ଅଟେ । ତଥାକଥିତ ମୁସଲିମ ସଂହତି ପାଲେଷ୍ଟାଇନ୍କୁ ରକ୍ଷା କରିବାରେ ବିଫଳ । ନିଜର ଶ୍ରେଣୀସ୍ୱାର୍ଥ ପାଇଁ ଏହିସବୁ ରାଷ୍ଟ୍ରର ଶାସକଗୋଷ୍ଠୀ ଆମେରିକାର ଶାସକ ପୁଞ୍ଜିିପତି ଶ୍ରେଣୀର କନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ କରି ସନ୍ତୁଷ୍ଟ ।
ମଧ୍ୟପ୍ରାଚ୍ୟର ରାଜନୀତି, ଯୁଦ୍ଧ ଓ ଅର୍ଥନୀତିର ଗତିଶୀଳତାକୁ ବୁଝିବାକୁ ହେଲେ ଏହାର ଶ୍ରେଣୀବିନ୍ୟାସ ବୁଝିବାକୁ ହେବ । ପ୍ରାୟତଃ ସେଠାରେ ଶ୍ରମିକ ଶ୍ରେଣୀର ଏକ ପ୍ରମୁଖ ଅଂଶ ବାହାର ଦେଶର ଅଟନ୍ତି । ସେଥିପାଇଁ ଏକ ଶକ୍ତିଶାଳୀ ଶ୍ରମିକଶ୍ରେଣୀ ଆନେ୍ଦାଳନର ଅଭାବ ଦେଖିବାକୁ ମିଳେ । ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଭିତ୍ତି ଉଭୟ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଦୁର୍ବଳ ରହିବା ଶ୍ରମିକଶ୍ରେଣୀ ସଂହତି ଗଢ଼ିବାରେ ଆଉ ଏକ ପ୍ରତିବନ୍ଧକ ଅଟେ । ଆମେରିକା ନିରବଚ୍ଛିନ୍ନ ଭାବେ ମଧ୍ୟପ୍ରାଚ୍ୟରେ ଗଣତନ୍ତ୍ରର କଣ୍ଠରୋଧ କରିଆସୁଛି ।
୬) କାନାଡ଼ା, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଇଂଲଣ୍ଡ, ଅକ୍ସେମବର୍ଗ, ମାଲଟା, ମନାକୋ, ଆଲୋରା, ବେଲଜିୟମ୍ ଆଦି ଦେଶ ପାଲେଷ୍ଟାଇନ୍କୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୫୭ ଜାତିସଂଘର ସଭ୍ୟ ରାଷ୍ଟ୍ରମାନେ ପାଲେଷ୍ଟାଇନକୁ ସ୍ୱୀକୃତି ପ୍ରଦାନ କଲେଣି, ଯାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ, ବିଶେଷ କରି ୟୁରୋପୀୟ ରାଷ୍ଟ୍ରମାନଙ୍କ ସ୍ୱୀକୃତି ଉଲ୍ଲେଖଯୋଗ୍ୟ । ଇଂଲଣ୍ଡର ‘ବାଲଫୋର୍ ଘୋଷଣାନାମା’ର ୧୦୦ବର୍ଷ ପରେ ଓ ଇସ୍ରାଏଲ ରାଷ୍ଟ୍ର ସୃଷ୍ଟିର ୭୭ବର୍ଷ ପରେ ପାଲେଷ୍ଟାଇନ୍କୁ ସ୍ୱୀକୃତି ପ୍ରଦାନ କରିଛି । ବାଲଫୋର୍ ଘୋଷଣାନାମାରେ ଇହୁଦୀ ଲୋକଙ୍କ ପାଇଁ ପାଲେଷ୍ଟାଇନ୍ରେ ଏକ ବାସସ୍ଥାନ ପ୍ରତିଷ୍ଠାର ଘୋଷଣା କରାଯାଇଥିଲା ଓ ୭୭ବର୍ଷ ପୂର୍ବେ ବ୍ରିଟିଶ ନିଦେ୍ର୍ଦଶରେ ଇସ୍ରାଏଲ୍ ସୃଷ୍ଟି ହୋଇଥିଲା । ଯଦିଓ ଏସବୁ ସ୍ୱୀକୃତି ବିଶେଷ କରି ୟୁରୋପୀୟ ରାଷ୍ଟ୍ରମାନଙ୍କର ସ୍ୱାଗତଯୋଗ୍ୟ ଓ ଉତ୍ସାହଜନକ; କିନ୍ତୁ ଗୋଟାଏ କଥା ମନେ ରଖିବାକୁ ହେବ ଯେ ଏସବୁ ରାଷ୍ଟ୍ରରେ ପାଲେଷ୍ଟାଇନ୍ ସପକ୍ଷରେ ଲକ୍ଷ ଲକ୍ଷ ଲୋକଙ୍କର ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା । ପ୍ରବଳ ଜନମତ ଚାପରେ ଏ ରାଷ୍ଟ୍ରମାନେ ସ୍ୱୀକୃତି ପ୍ରଦାନ କରିଛନ୍ତି ।
୭) ଶହେ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ପାଲେଷ୍ଟାଇନ୍ ଓ ଏହାର ଅଧିବାସୀ ସାମ୍ରାଜ୍ୟବାଦୀ ଶୋଷଣ, ଅତ୍ୟା·ରର ଶିକାର ହୋଇଆସୁଛନ୍ତି । ପ୍ରଥମେ ଇଂଲଣ୍ଡ, ପରେ ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଇସ୍ରାଏଲ ଆକ୍ରମଣ ଓ ଗଣହତ୍ୟାକୁ ସମର୍ଥନ ଦେଇ ଆସିଛନ୍ତି । ଏ ପରିସ୍ଥିତିରେ ଆଜି ସଂଖ୍ୟାଧିକ ୟୁରୋପୀୟ ରାଷ୍ଟ୍ର ପାଲେଷ୍ଟାଇନକୁ ସ୍ୱୀକୃତି ଦେବା ଓ ଦୁଇ ରାଷ୍ଟ୍ରନୀତି କଥା କହିବା ଏକ ଗୁଣାତ୍ମକ ପରିବର୍ତ୍ତନ ଅଟେ । ପାଲେଷ୍ଟାଇନ୍ ଜନଗଣଙ୍କ ସଂଘର୍ଷ ଓ ବଳିଦାନ ତଥା ବିଶ୍ୱବ୍ୟାପୀ ଜନଗଣଙ୍କ ପ୍ରତିକ୍ରିୟା ଏହାର ପ୍ରମୁଖ କାରଣ ଅଟେ ।
୮) ଜାତିସଂଘ ସାଧାରଣ ଅଧିବେଶନରେ ନେତାନ୍ୟାହୁଙ୍କ ବକ୍ତବ୍ୟ ମିଥ୍ୟା, ଅପପ୍ରଚାର ଓ ଯୁଦ୍ଧଖୋର ମନୋଭାବରେ ଭରପୁର ଥିଲା । ଯଦିଓ ତାଙ୍କ ମୁଖମଣ୍ଡଳରେ ହତାଶ ଓ ପରାଜୟର ଗ୍ଲାନି ସ୍ପଷ୍ଟଭାବେ ବାରି ହୋଇ ପଡୁଥିଲା । ଅପ୍ରତ୍ୟାଶିତ ଭାବେ ସ୍ୱଳ୍ପ କେତେଜଣ ସମର୍ଥକଙ୍କୁ ବାଦ୍ ଦେଲେ ସମସ୍ତେ ପ୍ରତିବାଦରେ କକ୍ଷତ୍ୟାଗ କରିଥିଲେ ଓ ଏଥିପାଇଁ ସେ ବିଚଳିତ ଥିଲେ । ଜାତିସଂଘ ଇତିହାସରେ ଏହା ପ୍ରଥମ । ୧୯୩ ରାଷ୍ଟ୍ର ମଧ୍ୟରୁ ୧୮୦ଟି ରାଷ୍ଟ୍ର ପ୍ରତିବାଦ କରି କକ୍ଷତ୍ୟାଗ କରିଥିଲେ । କେବଳ ଇସ୍ରାଏଲ ନୁହେଁ, ଆମେରିକା ମଧ୍ୟ ଏକଘରିକିଆ ହୋଇଥିଲା । ନେତାନ୍ୟାହୁ ଓ ତାଙ୍କ ଦକ୍ଷିଣପନ୍ଥୀ ଫାସୀବାଦୀ ସରକାରର ଗଣହତ୍ୟାକୁ ସେ ଆତ୍ମରକ୍ଷାର ଚାଦରରେ ଘୋଡ଼ାଇବାକୁ ଚେଷ୍ଟା କରିଥିଲେ । ଗାଜା ସମ୍ପର୍କରେ ବିଶ୍ୱରେ ତୀବ୍ର ଓ ବ୍ୟାପକ ପ୍ରତିକ୍ରିୟାକୁ ଦେଖି ସେ କହିଥିଲେ ଯେ ୨ ମିଲିୟନ ଟନରୁ ଅଧିକ ଖାଦ୍ୟ ସେ ଗାଜାକୁ ପ୍ରବେଶ କରିବାକୁ ଦେଇଛନ୍ତି ଓ ଏହା ପ୍ରତ୍ୟେକ ବ୍ୟକ୍ତିପାଇଁ ଦୈନିକ ୩୦୦୦ କ୍ୟାଲୋରି ପରିମାଣର ଖାଦ୍ୟ ଅଟେ । କିନ୍ତୁ ଜାତିସଂଘ ସମେତ ସମସ୍ତେ ଗଣମାଧ୍ୟମ ଗାଜାପଟିରେ ଦୁର୍ଭିକ୍ଷ ସ୍ଥିତି କଥା ସ୍ୱୀକାର କରିଛନ୍ତି । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଓ ଅନ୍ୟ ଜାତିସଂଘ ସଂସ୍ଥାର ରିପୋର୍ଟ ଅନୁଯାୟୀ ଟ୍ରକ୍ ଟ୍ରକ୍ ଖାଦ୍ୟପଦାର୍ଥ, ଔଷଧ ଓ ପାଣି ଆଦି ସାମଗ୍ରୀକୁ ଅଟକା ଯାଇଛି । ଖାଦ୍ୟାଭାବ, ଦୁର୍ଭିକ୍ଷ ଓ ଭୋକିଲା ଅବସ୍ଥାକୁ ଇସ୍ରାଏଲ ରାଷ୍ଟ୍ର ନେତାନ୍ୟାହୁଙ୍କ ନେତୃତ୍ୱରେ ରାଷ୍ଟ୍ରନୀତି ମାଧ୍ୟମରେ ସୃଷ୍ଟି କରିଛନ୍ତି । ଏହି ବାସ୍ତବତାକୁ ଲୁଚାଇବା ପାଇଁ ନେତାନ୍ୟାହୁ ମିଥ୍ୟାର ଆଶ୍ରୟ ନେଇ କହିଛନ୍ତି ଯେ ଯେ ଶତକଡ଼ା ୮୫ଭାଗ ଟ୍ରକ୍କୁ ହାମାସ୍ ଲୁଟ୍ କରିଛି । ୨୦୨୫ ମଇ ସୁଦ୍ଧା ମୃତୁ୍ୟବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଶତକଡ଼ା ୮୩ ଭାଗ ସାଧାରଣ ନାଗରିକ ଅଟନ୍ତି । ଏହା ମଧ୍ୟରେ ସଂଖ୍ୟାଧିକ ମହିଳା ଓ ଶିଶୁ । ଏହାକୁ ଲୁଚାଇବାକୁ ସେ ଚେଷ୍ଟା କରିଛନ୍ତି । ପୁଣି ସେଇ ପୁରୁଣା ମିଥ୍ୟାକୁ ଜାତିସଂଘରେ ଦୋହରାଇ ସେ କହିଛନ୍ତି ଯେ ହାମାସ ନାଗରିକମାନଙ୍କୁ ସୁରକ୍ଷା କବଚଭାବେ ବ୍ୟବହାର କରୁଛି । ଇସ୍ରାଏଲ ପ୍ରତ୍ୟେକ ଆକ୍ରମଣ ପୂର୍ବରୁ ଏହା କରିଥାଏ ।
ସାମ୍ପ୍ରତିକ ବିଶ୍ୱ ବ୍ୟବସ୍ଥାରେ ନେତାନ୍ୟାହୁ ସବୁଠାରୁ ବଡ଼ ଅପରାଧି ଓ ଗଣହତ୍ୟାକାରୀ । ନୂଆ ନୂଆ କୌଶଳ ଅବଲମ୍ବନ କରିବା ସହ ପାଲେଷ୍ଟାଇନର ଭୌଗଳିକ ମାନଚିତ୍ରକୁ ବଦଳାଇବା ପାଇଁ ସେ ବଦ୍ଧ ପରିକର । ସେଠାରେ ସମସ୍ତ ବିଦ୍ୟାଳୟକୁ ବୋମାମାଡ଼ କରି ଧ୍ୱଂସ କରାଯାଇଛି । ଚିକିତ୍ସାଳୟ ମଧ୍ୟ ବାଦ୍ ପଡ଼ିନାହିଁ । ଅନେକ ଦୃଷ୍ଟିରୁ ନେତାନ୍ୟାହୁଙ୍କ ପାଲେଷ୍ଟାଇନବାସୀଙ୍କୁ ହତ୍ୟା କରିବା ଓ ସେମାନଙ୍କର ଗୁଡ଼ିଏ ସଂଭ୍ରାନ୍ତ ଓ ଐତିହାସିକ ସଂସ୍କୃତିକୁ ଧ୍ୱଂସ କରିବାର ତରିକ୍କା ହିଟଲରର କ୍ରୂରତାକୁ ବି ବଳଯାଇଛି । ଏହା ଆମ ସମୟର ନବ୍ୟ ଫାସିବାଦର ଆଉ ଏକ ଚେହେରା ।
ତାଙ୍କ ବକ୍ତବ୍ୟର ଶେଷଭାବରେ ସେ ନିଜକୁ ଶାନ୍ତିର ଦୂତ ଭାବେ ନେତାନ୍ୟାହୁ ଉପସ୍ଥାପିତ କରିବାକୁ ଚେଷ୍ଟା କରିଛନ୍ତି । ୨୦୦୨ର ଆରବ ଶାନ୍ତି ରାଜିନାମା ଇସ୍ରାଏଲ ପ୍ରତ୍ୟାଖ୍ୟାନ କରିଛି । ଏହି ରାଜିନାମା ଅନୁଯାୟୀ ଆରବ ଦୁନିଆ ସହ ଇସ୍ରାଏଲର ସମ୍ପର୍କ ସ୍ୱାଭାବିକ ହୋଇଥାନ୍ତା ଓ ଇସ୍ରାଏଲ ପାଲେଷ୍ଟାଇନ ଅଂଚଳରୁ ନିଜର ସେନା ପ୍ରତ୍ୟାହାର କରିଥାନ୍ତା । କିନ୍ତୁ ଏହାକୁ ସେ ଗ୍ରହଣ କରିନଥିଲା । ସେହିପରି ୯୦ଦଶକର ଓସ୍ଲୋ ରାଜିନାମାକୁ ଉଲ୍ଲଂଘନ କରି ନିଜର ବେଆଇନ ଜବରଦଖଲ ଜାରି ରଖିଛି । ଶାନ୍ତିର ରାସ୍ତାକୁ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲ ଅଟକାଇ ରଖିଛି । ଜାତିସଂଘରେ ଗୋଟେ ଭାଷଣରୁ ଆଉ ଏକ ଭାଷଣ ମଧ୍ୟରେ ହଜାର ହଜାର ଲୋକଙ୍କ ମୃତୁ୍ୟ ସହ ଅଧିକରୁ ଅଧିକ ଜମି ଦଖଲ କରିଚାଲିଛି । ଏଥର ଏହା ସମସ୍ତ ସୀମା ଅତିକ୍ରମ କରିଛି । ଆଧୁନିକ ଯୁଦ୍ଧରେ ଏପରି ଧ୍ୱଂସର ଲୀଳା ଓ ମାନବୀୟ ବିପର୍ଯ୍ୟୟ ବିରଳ । ବିଶ୍ୱ ରାଷ୍ଟ୍ରବ୍ୟବସ୍ଥା, ବିଶେଷ କରି ଆମେରିକା ଓ ଯୁରୋପୀୟ ରାଷ୍ଟ୍ରମାନେ ଏଥିପ୍ରତି ଆଖି ବୁଜି ଦେଇଛନ୍ତି ।
ଏଥର ଜାତିସଂଘରେ ପାଲେଷ୍ଟାଇନକୁ ପ୍ରବେଶ କରିବାକୁ ଦିଆଯାଇ ନାହିଁ । କାରଣ ଆମେରିକା ତାର କ୍ଷମତାର ଅପବ୍ୟବହାର କରିଛି । ନେତାନ୍ୟାହୁଙ୍କ ପରି ଟ୍ରମ୍ପ ଓ ବାଇଡେନ ସମପରିମାଣରେ ଦାୟୀ । କିନ୍ତୁ ବର୍ତ୍ତମାନର ସବୁଠାରୁ ବୃହତ୍ କୁଖାତ ଯୁଦ୍ଧ ଅପରାଧି ଓ ମାନବତାର ହତ୍ୟାକାରୀ ନେତାନ୍ୟାହୁଙ୍କୁ ନିଜର ମିଥ୍ୟାପ୍ରଚାର କରିବାରେ ଜାତିସଂଘରେ ସୁଯୋଗ ମିଳିଛି । ସୁଖର କଥା ପ୍ରାୟ ସମସ୍ତଙ୍କ ପ୍ରତିବାଦ ଓ କକ୍ଷତ୍ୟାଗ ନେତାନ୍ୟାହୁଙ୍କ ଉପରେ ଶକ୍ତ ଚାପୁଡ଼ା ବାଜିଛି । କିନ୍ତୁ ଏତିକି କଣ ଯୁଦ୍ଧକୁ ରୋକିବାକୁ ସକ୍ଷମ? ନେତାନ୍ୟାହୁ ଏକା ଲଢ଼ୁ ନାହାନ୍ତି । ତା’ ପଛରେ ଆମେରିକା ସମସ୍ତ ଶକ୍ତି ସହ ଛିଡ଼ାହୋଇଛି । ଟ୍ରମ୍ପ ନିଜେ ଘୋଷଣା କରିଛନ୍ତି ସେ ଇସ୍ରାଏଲ୍ ସପକ୍ଷରେ । ୟୁରୋପୀୟ ରାଷ୍ଟ୍ରମାନେ ନିଜର କର୍ତ୍ତବ୍ୟକୁ କେବଳ ପାଲେଷ୍ଟାଇନ୍କୁ ସ୍ୱୀକୃତି ଦେବାରେ ସୀମିତ କଲେ ଏହା ତାଙ୍କର ଚରମ ସୁବିଧାବାଦ ହେବ ।
ଆଜି ସୁଦ୍ଧା ସେଠାରେ ମୃତୁ୍ୟସଂଖ୍ୟା ୬୭୦୦୦କୁ ଅତିକ୍ରମ କରିଛି । ଯୁଦ୍ଧ ବିରତି ପାଇଁ ଆନ୍ତର୍ଜାତିକ ·ପ ଶକ୍ତିଶାଳୀ ହୋଇଛି । କିନ୍ତୁ ଜାତିସଂଘରେ ଦେଇଥିବା ବକ୍ତବ୍ୟ ‘କାର୍ଯ୍ୟ ଶେଷ କରିବାକୁ ହେବ’ର ଅର୍ଥ କ’ଣ? ସମଗ୍ର ଗାଜାପଟିକୁ ନିୟନ୍ତ୍ରଣକୁ ଆଣିବା, ବର୍ତ୍ତମାନର ବିଶ୍ୱବ୍ୟାପୀ ପ୍ରତିରୋଧ ଏହା ଆଗର କଂଟା ହୋଇ ଛିଡ଼ା ହୋଇଛି । କାତାର ଉପରେ ଆକ୍ରମଣ ପରେ ଟ୍ରମ୍ପ ବିଚଳିତ ଅଛନ୍ତି । କାରଣ ମଧ୍ୟପ୍ରାଚ୍ୟରେ ଆମେରିକାର ବିଶ୍ୱସ୍ତ ରାଷ୍ଟ୍ରମାନେ ଆମେରିକାକୁ ସେମାନଙ୍କର ନିରାପତ୍ତା ଗ୍ୟାରେଣ୍ଟି ବୋଲି ବିଚାର କରୁନାହାନ୍ତି । ବର୍ତ୍ତମାନ ସୁଦ୍ଧା ୪୮ଜଣ ପଣବନ୍ଦୀ ହାମାସ୍ଙ୍କ ପାଖରେ ଅଟକ ଅଛନ୍ତି । ଏଥିରୁ ପ୍ରାୟ ୨୦ଜଣ ଜୀବିତ ବୋଲି ଇସ୍ରାଏଲ ବିଶ୍ୱାସ କରୁଛି । ସମ୍ଭାବ୍ୟ ସମାଧାନର ୨୦ସୂତ୍ରୀ ପ୍ରସ୍ତାବ ଟ୍ରମ୍ପ ଘୋଷଣା କରିଛନ୍ତି । କିନ୍ତୁ ଟ୍ରମ୍ପଙ୍କ ନିବେଦନ ସତ୍ତ୍ୱେ ଇସ୍ରାଏଲ ଶହେରୁ ଊଦ୍ଧ୍ୱର୍ ଲୋକଙ୍କୁ ୟା ଭିତରେ ହତ୍ୟା କରିଛି ।
ବର୍ତ୍ତମାନ ପାଲେଷ୍ଟାଇନ୍ ସମସ୍ୟାକୁ ବୁଝିବାକୁ ହେଲେ ବିଶ୍ୱ ଅର୍ଥନୀତି ଓ ରାଜନୀତିରେ ଦ୍ୱନ୍ଦ୍ୱାତ୍ମକ ଅବସ୍ଥାକୁ ବୁଝିବାକୁ ହେବ । ବର୍ତ୍ତମାନର ପ୍ରମୁଖ ଦ୍ୱନ୍ଦ୍ୱ ବିଶ୍ୱ ପୁଞ୍ଜି ଓ ଶ୍ରମଜୀବୀ ଜନସାଧାରଣ ମଧ୍ୟରେ ତୀବ୍ର ହୋଇଛି । ବିଶ୍ୱପୁଞ୍ଜିି ସଂକଟଗ୍ରସ୍ତ ଓ ସେଥିପାଇଁ ଶ୍ରମଜୀବୀ ଜନଗଣଙ୍କ ଉପରେ ଏହାର ଶୋଷଣକୁ ତୀବ୍ର କରିଛି । ଏହା ସହିତ ଆମ ଏକ ପ୍ରମୁଖ ଦ୍ୱନ୍ଦ୍ୱ ହେଉଛି ଧନୀ ପୁଂଜିପତି ରାଷ୍ଟ୍ର ଓ ବିକାଶଶୀଳ ତଥା ଅନୁନ୍ନତ ରାଷ୍ଟ୍ରମାନଙ୍କ ମଧ୍ୟରେ । ଟ୍ରମ୍ପ ପ୍ରଶାସନ ବିଶ୍ୱବ୍ୟାପୀ, ୟୁକ୍ରେନ୍ ହେଉ ବା ପାକିସ୍ଥାନ; ସବୁଆଡ଼େ ଦୁର୍ଲଭ ଖଣିଜ ଦ୍ରବ୍ୟ ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ବଳକୁ ଅକ୍ତିଆର କରିବାକୁ ଚାହୁଁଛି । ଜଗତୀକରଣ ଯୁଗରେ ନିଜ ଦ୍ୱାରା ସୃଷ୍ଟ ବିଶ୍ୱ ବାଣିଜ୍ୟ ବିଶ୍ୱାସକୁ ଧ୍ୱଂସକରି ଟାରିଫ୍ ମାଧ୍ୟମରେ ନିଜର କର୍ତ୍ତୃତ୍ୱ ଜାହିର କରିବାକୁ ଚାହୁଁଛି । ଏଥିପାଇଁ ବିଶ୍ୱବ୍ୟାପୀ ପ୍ରତିକ୍ରିୟା ହୋଇଛି । ଆମେରିକାର ପ୍ରାଧାନ୍ୟ ଉପରେ ବର୍ତ୍ତମାନ ଅନେକ ଆହ୍ୱାନ ସୃଷ୍ଟି ହୋଇଛି । ଚୀନ୍, ରୁଷ, ଉତ୍ତର କୋରିଆ ଆଦି ରାଷ୍ଟ୍ରମାନେ ବିକଳ୍ପ ବ୍ୟବସ୍ଥା ଉପରେ ଆଗ୍ରହ ପ୍ରକାଶ କରିଛନ୍ତି । ବ୍ରିକ୍ସ ଓ ସାଂଘାଇ ସହଯୋଗ ସମ୍ମିଳନୀ ଏହାର ସଦ୍ୟତମ ଉଦାହରଣ । ଆମେରିକା ଅର୍ଥନୀତି କ୍ଷେତ୍ରରେ ଅଧିକ ଆକ୍ରମଣାତ୍ମକ ହୋଇଛି । ଟାରିଫ୍କୁ ଏକ ଅସ୍ତ୍ରଭାବରେ ବ୍ୟବହାର କରୁଛି । ପ୍ରଥମତଃ, ମାର୍କିନ ସାମ୍ରାଜ୍ୟବାଦର ଅବକ୍ଷୟୀ ପ୍ରାଧାନ୍ୟକୁ ପୁନରୁଦ୍ଧାର କରିବା ଓ ବିଶ୍ୱରେ ଲଦି ଦେବା ଏହାର ଉଦେ୍ଦଶ୍ୟ ଅଟେ । ଦ୍ୱିତୀୟ, ଶତ୍ରୁଭାବେ ଛିଡ଼ାହେଉଥିବା ରୁଷ, ଚୀନ, ଆଦି ରାଷ୍ଟ୍ରକୁ ଏକଘରିକିଆ କରିବା, ତୃତୀୟତଃ ଇସ୍ରାଏଲ ପରି ବିଶ୍ୱସ୍ତ ରାଷ୍ଟ୍ରକୁ ଶକ୍ତିଶାଳୀ କରିବା । ଚତୁର୍ଥରେ ନିଜର ତୀବ୍ର ଅର୍ଥନୈତିକ ସଂକଟକୁ ସ୍ଥିରତାକୁ ଆଣିବା । ଏ ସମସ୍ତ ସଂକଟ ଓ ଅବସ୍ଥାଗୁଡ଼ିକ ଟ୍ରମ୍ପଙ୍କ ନୀତିରେ ପ୍ରତିଫଳିତ । ଏଣୁ ଟ୍ରମ୍ପଙ୍କର ଅର୍ଥନୈତିକ ନୀତିକୁ ରାଜନୈତିକ ଓ କୂଟନୈତିକ ନୀତିଠାରୁ ଅଲଗା କରି ଦେଖିବା ଉଚିତ ନୁହେଁ । ଯେତେବେଳେ ପୁଂଜିବାଦର ସଂକଟ ତୀବ୍ର ହୁଏ, ସେତେବେଳ ଫାସୀବାଦୀ ପ୍ରବୃତ୍ତି ଅଧିକ ଆକ୍ରମଣାତ୍ମକ ହୋଇଥାଏ । ସମଗ୍ର ୟୁରୋପରେ ଦକ୍ଷିଣପନ୍ଥୀ, ନବ୍ୟ ଫାସୀବାଦୀ ରାଜନୀତିରେ ଅଭୁ୍ୟଦୟ ହୋଇଛି । ଏହା ସହିତ ଏହା ବିରୋଧରେ ଜନଗଣଙ୍କ ପ୍ରତିବାଦ ମଧ୍ୟ ତୀବ୍ର ଓ ବ୍ୟାପକ ହୋଇଛି । ପାଲେଷ୍ଟାଇନ୍ ସପକ୍ଷରେ ଟ୍ରମ୍ପ ତଥା ନେତାନ୍ୟାହୁଙ୍କ ନବ୍ୟ-ଫାସୀବାଦୀ ରାଜନୀତି ବିରୋଧରେ ନୁ୍ୟୟର୍କଠାରୁ ଲଣ୍ଡନ, ପ୍ୟାରିସ୍ଠାରୁ ଟୋକିଓ ଯାଏ ବଡ଼ ବଡ଼ ପଟୁଆର ଦେଖାଦେଇଛି । ଏହା କେବଳ ନବ୍ୟ-ଫାସୀବାଦୀ ଇସ୍ରାଏଲ୍ ବିରୋଧରେ ନୁହଁ, ଆମେରିକାର ଇସ୍ରାଏଲ୍ ନିଷ୍ପତ୍ତି ସମର୍ଥନ ବିରୋଧରେ ମଧ୍ୟ । ଇସ୍ରାଏଲ ନୂଆ ନୂଥା ଫାସୀବାଦୀ କୌଶଳ ଅବଲମ୍ବନ କରିଛି । ନିରୀହ ଶିଶୁ ଓ ମହିଳାଙ୍କୁ ରିଲିଫ୍ ସାମଗ୍ରୀ ଆଣିବାକୁ ଧାଡ଼ିରେ ଗୁଳି କରି ମାରିବା, ଖାଦ୍ୟପଦାର୍ଥକୁ ରୋକି ମନୁଷ୍ୟକୃତ ଦୁର୍ଭିକ୍ଷ ସ୍ଥତି କରିବା, ବିଦ୍ୟାଳୟଗୁଡ଼ିକୁ ବୋମାମାଡ଼ କରି ଧ୍ୱଂସକରିବା, କର୍ତ୍ତବ୍ୟରତ ଡାକ୍ତରମାନଙ୍କୁ ହତ୍ୟା କରିବା, ବଳପ୍ରୟୋଗ ଓ ବିସ୍ଥାପିତ କରି ନିରୀହ ଜନଗଣଙ୍କୁ ମାନସିକଭାବେ ଦୁର୍ବଳ କରି ଅବସାଦଗ୍ରସ୍ତ କରିବା, ସମଗ୍ର ମଧ୍ୟପ୍ରାଚ୍ୟରେ ଯେ କୌଣସି ରାଷ୍ଟ୍ର ଓ ସଂଗଠନକୁ ଆକ୍ରମଣ କରିବା, ପାଲେଷ୍ଟାଇନର ରୁଦ୍ଧିମନ୍ତ ଇତିହାସ ଓ ସଂସ୍କୃତିକୁ ଧ୍ୱଂସ କରିବା, ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଧ୍ୱଂସ କରିବା, ନିଜ ଦେଶରେ ଉଗ୍ର ଜାତୀୟତାବାଦ ଓ ଦକ୍ଷିଣପନ୍ଥୀ ନୀତି ମାଧ୍ୟମରେ ନିର୍ବାଚନକୁ ରୋକିବା, ନେତାନ୍ୟାହୁଙ୍କ ବିରୋଧରେ ନ୍ୟାୟପାଳିକାର ବି·ର ପ୍ରକ୍ରିୟାକୁ ରୋକିବା ଓ ବିପଥଗାମୀ କରାଇବା, ଜାତିସଂଘକୁ ପ୍ରତ୍ୟାଖାନ କରିବା- ଆଦି ସବୁ ଓ ଆହୁରି ଅନେକ କିଛି ଇସ୍ରାଏଲର ନବ୍ୟଫାସିବାଦୀ କୌଶଳର ଅଂଶବିଶେଷ । ପୁରୁଣା ହିଟଲରୀ କୌଶଳ ସହ ନୂଆ କୌଶଳଗୁଡ଼ିକ ପ୍ରୟୋଗ କରାଯାଇଛି । ସାମାଜିକ ଗଣମାଧ୍ୟମ ଓ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ପ୍ରଚାର ଯୁଦ୍ଧ ମଧ୍ୟ ଏହାର ଅଂଶବିଶେଷ । କୌଣସି ନବ୍ୟ-ଫାସିବାଦୀ କୌଶଳ ବା କାର୍ଯ୍ୟକ୍ରମକୁ ବାଇଡେନ୍ ପ୍ରଶାସନ ବା ଟ୍ରମ୍ପ ପ୍ରଶାାସନ ବିରୋଧ କିମ୍ବା ନିନ୍ଦା କରିନାହାନ୍ତି । ବିଶ୍ୱରେ ଦକ୍ଷିଣପନ୍ଥୀ ରାଜନୀତିର ଏହା ଏକ ଅଂଶବିଶେଷ । ଏହା ବିରୋଧରେ ସମଗ୍ର ବିଶ୍ୱରେ ଜନଗରଙ୍କ ମହାମେଣ୍ଟର ଆବଶ୍ୟକତା ରହିଛି । ପାଲେଷ୍ଟାଇନ୍ ସପକ୍ଷରେ ପାଶ୍ଚାତ୍ୟ ରାଷ୍ଟ୍ରରେ ଗଣପ୍ରତିବାଦ ଆମ ସମୟର ଏକ ଆସ୍ତିବାଚକ ପଦକ୍ଷେପ ।
ଭାରତ କଥା ଏଠାରେ ଉଲ୍ଲେଖଯୋଗ୍ୟ । ପାଲେଷ୍ଟାଇନ୍ ସମ୍ପର୍କିତ ଭାରତର ବୈଦେଶିକ ନୀତିକୁ ବର୍ତ୍ତମାନର କେନ୍ଦ୍ର ସରକାର ପୁରା ବଦଳାଇ ନଥିଲେ ବି ଅନେକ କ୍ଷେତ୍ରରେ ସାଲିସ କରିଛନ୍ତି । ଇସ୍ରାଏଲ ସହିତ ନିକଟତର ହୋଇଛନ୍ତି ଓ କେତେଥର ଜାତିସଂଘରେ ମଧ୍ୟ ଭୋଟ ଦେବାବେଳେ ଏହା ପ୍ରଦର୍ଶିତ ହୋଇଛି । ଉଦେ୍ଦଶ୍ୟମୂଳକ ଭାବେ ଇସ୍ରାଏଲ ସାଧାରଣ ନାଗରିକଙ୍କୁ ଭୋକିଲା ରଖିବାକୁ ଏକ ଅସ୍ତ୍ରଭାବରେ ବ୍ୟବହାର କରିଛି । କୌଣସି ପରିସ୍ଥିତିରେ ଭାରତ ଇସ୍ରାଏଲ୍କୁ ସମର୍ଥନ କରିବା ଯୁକ୍ତିଯୁକ୍ତ ନୁହେଁ । ଭାରତର ବୈଦେଶିକ ନୀତିର ନୈତିକ ଓ ଆଦର୍ଶଗତ ଭିତ୍ତିକୁ ଏହା ଦୁର୍ବଳ କରୁଛି । ଭାରତ ଏକ ସାମ୍ରାଜବାଦୀ, ଫାସିବାଦୀ ରାଷ୍ଟ୍ର ନୁହେଁ । ସ୍ୱାଧିନତା ଆନେ୍ଦାଳନ ବେଳୁ ଗାନ୍ଧୀ ଓ ନେହେରୁଙ୍କ ଆଦର୍ଶଗତ ଢାଞ୍ଚାରେ ଭାରତର ବୈଦେଶିକ ନୀତି ପ୍ରତିଷ୍ଠିତ । ଏଥିପାଇଁ ଭାରତ ଅର୍ଥନୈତିକ ଓ ସାମରିକ ଭାବରେ ଅତ୍ୟନ୍ତ ଦୁର୍ବଳ ଥିଲାବେଳେ ଗୋଷ୍ଠୀ ନିରପେକ୍ଷ ଆନେ୍ଦାଳନର ନେତୃତ୍ୱ ନେଇ ବିଶ୍ୱରେ ଏକ ଶକ୍ତିଶାଳୀ ଭୂମିକା ଗ୍ରହଣ କରିଥିଲା । ନେହେରୁଙ୍କ ଦୂରଦୃଷ୍ଟି ଓ ଭାରତୀୟ ବୈଦେଶିକ ନୀତିର ଆଦର୍ଶଗତ ଭିତ୍ତି ଏହାର ମୁଖ୍ୟ କାରଣ । ଆଜି କେବଳ ଜାତୀୟ ସ୍ୱାର୍ଥ ନାଁରେ ବା ଅପରେସନ୍ ସିନ୍ଦୁରରେ ଇସ୍ରାଏଲର ସମର୍ଥନର ସଂକୀର୍ଣ୍ଣ ମାନଦଣ୍ଡରେ ଭାରତ ପାଲେସ୍ଥିନୀୟ ରାଷ୍ଟ୍ରର ଅଧିକାରକୁ ନିଃସର୍ତ୍ତ ସମର୍ଥନରେ ସାଲିସ କରିବା ଉଚିତ୍ ନୁହେଁ । ବିଗତ ୩ ଦଶନ୍ଧି ଧରି ଭାରତ ଆମେରିକାର ନିକଟତର ହେବାକୁ ଚେଷ୍ଟା କରିଆସୁଛି । ବେସାମରିକ ପରମାଣୁ ରାଜିନାମାଠୁ ଆରମ୍ଭକରି ଆଜି ପର୍ଯ୍ୟନ୍ତ ଭାରତ ଅନେକ ସମୟରେ ଆମେରିକାର ଜାଲରେ ଫସିଯାଇଛି । ଆଜି ଟାରିଫ୍ ଆକ୍ରମଣ, ଭାରତ-ପାକିସ୍ଥାନ ସାମରିକ ଉତ୍ତେଜନା (ପହଲଗାଁ ସନ୍ତ୍ରାସବାଦୀ ଆକ୍ରମଣ ପରେ), ରୁଷରୁ ତୈଳକିଣା ଆଦିରେ ଆମେରିକାର ଅସଲମୁଖା ଖୋଲି ଯାଇଛି । ଭାରତ ସଠିକ୍ଭାବେ ଏହାର ପ୍ରତିବାଦ କରିଛି, କିନ୍ତୁ ଭାରତୀୟ ରାଷ୍ଟ୍ରର ଏକ ଶକ୍ତିଶାଳୀ ଅଂଶ ମାର୍କିନ୍ ସାମ୍ରାଜବାଦ ଓ ଦକ୍ଷିଣପନ୍ଥୀ ରାଜନୀତିର ସମର୍ଥକ । ଏହା ଭାରତର ସ୍ୱାଧିନ ଓ ଶକ୍ତିଶାଳୀ ବୈଦେଶିକ ନୀତିର ବିକାଶରେ ଅନ୍ତରାୟ । ଜନଗଣକୁ ଏଥିପ୍ରତି ସଚେତନ ରହି ଭାରତର ବୈଦେଶିକ ନୀତିର ସାମ୍ରାଜ୍ୟବାଦ, ଫାସୀବାଦ ବିରୋଧି ସରକାରଙ୍କୁ ଶକ୍ତିଶାଳୀ କରିବାକୁ ପଡ଼ିବ ।
ଜାତିସଂଘର ସାଧାରଣ ଅଧିବେଶନରେ ନେତାନ୍ୟାହୁଙ୍କ ନୈତିକ ପରାଜୟ ହୋଇଛି । ସମସ୍ତ ପ୍ରତିବାଦ, ପ୍ରତିରୋଧ ଓ ସଂଘର୍ଷ ବର୍ତ୍ତମାନର ଶ୍ରେଣୀଯୁଦ୍ଧର ଅଂଶବିଶେଷ । ବିଶ୍ୱ ପୁଂଜିବାଦୀ ବ୍ୟବସ୍ଥା ଓ ଶ୍ରମଜୀବୀ ଜନଗଣଙ୍କ ମଧ୍ୟରେ ଫାସିବାଦ ଓ ଗଣତନ୍ତ୍ର ମଧ୍ୟରେ, ଅତି ଦକ୍ଷିଣପନ୍ଥୀ ନେତାନ୍ୟାହୁ ଓ ନିରୀହ ପାଲେଷ୍ଟାଇନବାସୀଙ୍କ ମଧ୍ୟରେ ସଂଘର୍ଷ ଶ୍ରେଣୀ ଯୁଦ୍ଧ ଅଟେ । ସାଂସ୍କୃତିକ ଯୁଦ୍ଧ ନୁହେଁ, ବର୍ଣ୍ଣଗତ ଯୁଦ୍ଧ ନୁହେଁ, ଶ୍ରେଣୀଯୁଦ୍ଧ ଅଟେ । ଅନେକ ଆରବୀୟ ଓ ୟୁରୋପୀୟ ରାଷ୍ଟ୍ରମାନେ ଟ୍ରମ୍ପଙ୍କ ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି । ଅନେକ ଅତୀତ ଅଭିଜ୍ଞତାରୁ ଏହାର କାର୍ଯ୍ୟକାରିତା ଓ ସଫଳତାକୁ ନେଇ ସନେ୍ଦହ ପ୍ରକଟ କରିଛନ୍ତି । ୨୯ ତାରିଖ ଦିନ ନେତାନ୍ୟାହୁଙ୍କ ଉପସ୍ଥିତିରେ ଗାଜାରେ ଶାନ୍ତି ପାଇଁ ବିଂଶସୂତ୍ରୀ ପ୍ରସ୍ତାବ ଟ୍ରମ୍ପ ଘୋଷଣା କରିଥିଲେ । ତୁରନ୍ତ ଯୁଦ୍ଧ ବିରତି, ହାମାସ୍ ଦ୍ୱାରା ସମସ୍ତ ପଣବନ୍ଦୀଙ୍କୁ ମୁକ୍ତି ଓ ଇସ୍ରାଏଲ୍ ଦ୍ୱାରା ଗିରଫ ପାଲେସ୍ଥିନୀୟଙ୍କ ମୁକ୍ତି, ଗାଜାରୁ ଇସ୍ରାଏଲର କ୍ରମାନ୍ୱୟରେ ପ୍ରତ୍ୟାହାର, ହାମାସର ନିରସ୍ତ୍ରୀକରଣ ଓ ଆନ୍ତର୍ଜାତିକ ସଂସ୍ଥାଦ୍ୱାରା ସେଠାରେ ଏକ ଅନ୍ତରୀଣ ସରକାର ଏହାର ଅଂଶବିଶେଷ । ପୂର୍ବତନ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କ ନାମ ରହିବା ଶାନ୍ତି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାରେ ବାଧା ସୃଷ୍ଟି କରିପାରେ । ହାମାସର ଏ ପ୍ରସ୍ତାବରେ ସହମତି ଜରୁରୀ । ଦୁଇ ରାଷ୍ଟ୍ର ନୀତି ହିଁ ଏକମାତ୍ର ବିକଳ୍ପ । ଏଥିରେ ଇସ୍ରାଏଲ୍ ସହମତି ପ୍ରକାଶ କରିବା ଆବଶ୍ୟକ । ବର୍ତ୍ତମାନ ଜରୁରୀକାଳୀନ ଭିତ୍ତିରେ ପ୍ରଥମେ ଯୁଦ୍ଧବିରତି ହେବା ଆବଶ୍ୟକ ଓ ସେଠାକାର ଜନସାଧାରଣକୁ ଖାଦ୍ୟ, ଔଷଧ ଆଦି ଅତ୍ୟାବଶ୍ୟକୀୟ ପଦାର୍ଥ ଯୋଗାଇ ଦେବା ଦରକାର । ଅତୀତରେ ଇସ୍ରାଏଲ ବହୁବାର ବିଶ୍ୱାସଘାତକତା କରିଛି । ବର୍ତ୍ତମାନ ଏ ପ୍ରସ୍ତାବ ମାଧ୍ୟମରେ ସେଠାରେ ଇସ୍ରାଏଲ୍ ସପକ୍ଷବାଦୀଙ୍କ ହାତରେ ଗାଜାକୁ ନିୟନ୍ତ୍ରଣକୁ ନେବାକୁ ଷଡ଼ଯନ୍ତ୍ର କରାଯାଉଛି । ପାଲେଷ୍ଟାଇନ୍ ଜନଗଣଙ୍କ ପ୍ରତିନିଧିତ୍ୱ ସମ୍ପୂର୍ଣ୍ଣ ରହିବା ଉଚିତ ।
ଡକ୍ଟର ମାନସ ବେହେରା
Comments
0 comments





