‘ସୀତା ମେଟାଫର୍’ ଓ ଲଙ୍କାକାଣ୍ଡ

24 Views
15 Min Read

ଖ୍ୟାତନାମା କବି ଶ୍ରୀ ରାଜେନ୍ଦ୍ର କିଶୋର ପଣ୍ଡା ତଥା ତାଙ୍କର ସମର୍ଥକ ଆଉ ଦୁଇଜଣ ସୁପରିଚିତ କବିଙ୍କର ସମୁଦାୟ ତିନୋଟି କବିତାକୁ ନେଇ ୨୦୨୦ ମସିହାରେ ବେଶ୍ କିଛିକାଳଧରି ଯେଉଁ କାଣ୍ଡ କାରଖାନା ଚାଲିଲା, ତାକୁ ‘ଲଙ୍କାକାଣ୍ଡ’ କହିଲେ ଅତ୍ୟୁକ୍ତି ହେବ ନାହିଁ । କବି ଶ୍ରୀ ପଣ୍ଡାଙ୍କ ଗୋଟିଏ କବିତା ସହିତ ଶ୍ରୀମତୀ ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ଏବଂ ଶ୍ରୀ ପ୍ରଦୀପ କୁମାର ପଣ୍ଡାଙ୍କର ଦୁଇଟି କବିତା ହିନ୍ଦୁ ଭାବାବେଗକୁ ମର୍ମନ୍ତୁଦ ଆଘାତ ଦେଇଥିବାର ଅଭିଯୋଗ କରି ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଲା ସାମାଜିକ ଗଣମାଧ୍ୟମରେ । ଏହି ପ୍ରତିବାଦକାରୀ ସଜ୍ଜନଙ୍କ ସହିତ ସାମିଲ ହୋଇଯାଇଥିଲେ କିଛି ବଜାରୀ ଲଫଙ୍ଗା । ଅତ୍ୟନ୍ତ ଅଶ୍ରାବ୍ୟ ଅଶ୍ଳୀଳ ଭାଷାରେ ସେମାନେ ସେ ତିନି କବିଙ୍କୁ ଭର୍ତ୍ସନା କରିଥିଲେ । ରାଜେନ୍ଦ୍ର ବାବୁଙ୍କ ସମର୍ଥକମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିଲେ ନାହିଁ । ରାଜେନ୍ଦ୍ର ବାବୁଙ୍କ ସମର୍ଥକ ଗୋଷ୍ଠୀ ଅପରପକ୍ଷର ସେହି ବଜାରୀ, ଲଫଙ୍ଗାଙ୍କ ଉଦେଶ୍ୟରେ ‘ବାଷ୍ଟାର୍ଡ଼’ ‘ଜାରଜ’ ଇତ୍ୟାଦି ଶବ୍ଦ ନିକ୍ଷେପ କଲେ । କୌତୁହଳର ବିଷୟ, ଉଭୟ ପକ୍ଷର ଗାଳି ନିକ୍ଷେପଣକାରୀମାନେ ମାତୃଜାତିର ସମ୍ମାନ ଦ୍ୱାହି ଦେଇ ନିଜର ଶବ୍ଦ ଚୟନ କରିଥିଲେ! ଉଭୟପକ୍ଷ ମଧ୍ୟ ପୋଲିସ୍ ଓ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି ପରସ୍ପରକୁ ଧମକ ଦେଇଥିଲେ । ଏ ଆଲୋଚକ ରାଜେନ୍ଦ୍ର ବାବୁ ଏବଂ ଶୁଭଶ୍ରୀ ଦେବୀଙ୍କ ଉକ୍ତ ବିତର୍କିତ କବିତା ଦୁଇଟି ପଢ଼ିଥିଲା । ମାତ୍ର, ପ୍ରଦୀପ ବାବୁ ତାଙ୍କ କବିତାଟିକୁ ସାମାଜିକ ଗଣମାଧ୍ୟମରୁ ହଠାତ୍ କାଢ଼ି ନେଇଥିବାରୁ ତାହା ପଢ଼ିପାରି ନାହିଁ ।

ଗତ ଜୁଲାଇମାସରେ ଶୁଭଶ୍ରୀ ଦେବୀଙ୍କୁ ବାଲେଶ୍ୱରର ଚନ୍ଦ୍ରକୁମାର ମହାନ୍ତି ସ୍ମୃତିକମିଟି ସମ୍ବର୍ଦ୍ଧନା ଦେଉଥିଲେ । ସେ ତାଙ୍କର ପୂର୍ବୋକ୍ତ କବିତାରେ ସୀତାଦେବୀଙ୍କୁ ‘ଦେହଜୀବୀ’ ବିଶେଷଣ ଦେଇଥିବା ଅଭିଯୋଗ କରି ଜଣେ ସୁପରିଚିତ କବି ଓ ଯୁବ ସନ୍ନ୍ୟାସୀ ସ୍ୱାମୀ ରୁଦ୍ରବେଶାନନ୍ଦ ଗିରି ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବାର ଘୋର ପ୍ରତିବାଦ କରିଥିଲେ । ଉକ୍ତ ଉତ୍ସବର ଆୟୋଜକମାନେ ସ୍ୱାମୀଜୀଙ୍କୁ ଠେଲିପେଲି ସେଠାରୁ ବାହାର କରି ଦେଇଥିଲେ । ପୁନଶ୍ଚ ସାମାଜିକ ଗଣମାଧ୍ୟମରେ ଚାଲିଲା ପରସ୍ପର ପ୍ରତି ଅଶ୍ରାବ୍ୟ ଗାଳିର ବୋଲୁଅ ଉତକ୍ଷପଣ । ଏହି ଘଟଣାରୁ ଏ ଆଲୋଚକର ହୃଦବୋଧ ହେଲା ଯେ ପାଉଁଶ ତଳେ ସେ ନିଆଁ ଏବେ ବି କୁହୁଳୁଛି । ଏଣୁ ଏ ପ୍ରବନ୍ଧ ।

ରାଜେନ୍ଦ୍ରବାବୁ ପ୍ରଥମେ ନିଜ ଫେସ୍ବୁକ୍ କାନ୍ଥରେ ତାଙ୍କର ଏକ ପୁରାତନ କବିତାର ଚାରିଧାଡ଼ି ଛାଡ଼ିଥିଲେ । ମାତ୍ର ଅପରପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ଶ୍ରୀପଣ୍ଡା ସମ୍ପୂର୍ଣ୍ଣ କବିତାଟି ଓ ତା’ର ଇଂରାଜୀ ତର୍ଜମା ପୁନଶ୍ଚ ଫେସ୍ବୁକ୍ ରେ ଲିପିବଦ୍ଧ କରିଥିଲେ । ଉକ୍ତ ଚାରିଧାଡ଼ି କବିତାଂଶକୁ ସମଗ୍ର କବିତା ପରିପ୍ରେକ୍ଷୀରେ ରଖି ଅର୍ଥ କରିବାପାଇଁ ମଧ୍ୟ ପାଠକଙ୍କୁ ନିବେଦନ କରିଥିଲେ ।

‘ତମେ କାହାରି ନୁହଁ’ ଶୀର୍ଷକ ଆଲୋଚ୍ୟ କବିତାଟି ୧୯୭୮ ମସିହାରେ ପ୍ରକାଶିତ କବିଙ୍କ ‘ଆଦ୍ୟା’ ସଂକଳନରେ ସ୍ଥାନିତ । ଏବେ ଦେଖା ଦେଇଥିବା ଲଘୁଚାପର କେନ୍ଦ୍ରରେ ଥିଲା ଉକ୍ତ କବିତାର ଚାରିଧାଡ଼ି: “ତମେ କାହାରି ନୁହଁ/ଅଶୋକ ବନରେ ତମେ ଇଚ୍ଛିପାର ରାବଣର ବଳତ୍କାର /ଅଗ୍ନିପରୀକ୍ଷାରେ ଏଣେ /ହୋଇପାର ଅନାୟାସରେ ଉତ୍ତୀଣ୍ଣ ।” କବି ସ୍ୱୟଂ କବିତାଟିର ଯେଉଁ ଇଂରାଜୀ ବ୍ୟାଖ୍ୟା ଫେସ୍ବୁକ୍ ରେ ଦେଇଥିଲେ, ତା’ର ସାରାଂଶ : “ଏହା ଏକ ପ୍ରେମ କବିତା । ଏଠି କବି ନିଜ ପ୍ରେମିକାକୁ ସୃଷ୍ଟି, ସ୍ଥିତି, ପ୍ରଳୟର କାରଣ ମହାଶକ୍ତି ରୂପେ ଚିତ୍ରଣ କରିଛନ୍ତି । ସେ ନାରୀ ଏକ ବିଶ୍ୱିକ ନାରୀ । ଚିରନ୍ତନ ନାରୀ । ସେ ନା’ ସ୍ୱାମୀର, ନା’ ପ୍ରେମିକର, ନା’ ସନ୍ତାନର । ଏପରିକି ସେ ପଞ୍ଚଭୂତର ମଧ୍ୟ ନୁହେଁ । ଧୃତି ମଧ୍ୟ ତାକୁ ଧରି ରଖିପାରେ ନା’ । ବନ୍ଧନ ଓ ମୁକ୍ତିକୁ ସେ ଆମନ୍ତ୍ରଣ କରେ ନିଜ ଇଚ୍ଛାରେ ।” ସୀତା ଏହି ଚିରନ୍ତନ ନାରୀର ଏକ ପ୍ରତୀକ । ଏ ନାରୀ ରାମ ଅଥବା ରାବଣ କାହାରି ବନ୍ଧନ ପାଶରେ ବନ୍ଦୀ ହୋଇପାରେନା । ସୀତାଙ୍କ ପରି ଏ ନାରୀ “କାହାରି ନୁହେଁ, ନୁହେଁ କାହାର ।” କବି ଯୁକ୍ତି କରିଛନ୍ତି, ଉକ୍ତ ଚାରିଧାଡ଼ିରେ ସେ ଆକ୍ଷରିକଭାବେ ସୀତା ଚରିତ୍ର ଫୁଟାଇ ନାହାନ୍ତି । ସେଠି ସୀତା ଏକ ‘ମେଟାଫର୍’ । ବିଶ୍ୱିକ ଚିରନ୍ତନ ନାରୀର ସେ ଏକ ପ୍ରତୀକ । ସେଠି ସୀତା ଏକ ରୂପକ-ସୀତା ।

କବି ରାଜେନ୍ଦ୍ର ଉକ୍ତ ଚାରିଧାଡ଼ିର ଏକ ନାନ୍ଦନିକ ବା କାବ୍ୟିକ ବ୍ୟାଖ୍ୟା ଦେଉଥିବାବେଳେ ତାଙ୍କର କତିପୟ ପ୍ରତିପକ୍ଷ ତା’ର ଧାର୍ମିକ ତାତ୍ପର୍ଯ୍ୟ ଉପରେ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ପ୍ରିୟ ସତୀର୍ଥ ରାଜେନ୍ଦ୍ର ବାବୁଙ୍କୁ କହିବି, ଏହା ଏକ ଦୁର୍ବଳ ମେଟାଫର୍ ଏବଂ ଅଯଥା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରୁଥିବା ଏକ ଅତିକଳ୍ପନା । ଅପର ପକ୍ଷଙ୍କୁ କହିବି ଯେ ସେମାନଙ୍କ ପ୍ରତିକ୍ରିୟା ମଧ୍ୟ ଏକ ଅଯଥା ଉତ୍ତେଜନା ସୃଷ୍ଟିକାରୀ ବିସ୍ଫାରିତ ପ୍ରତିକ୍ରିୟା । କାରଣ ଆମ ପ୍ରାଚୀନ ସାହିତ୍ୟରେ ରାମ-ସୀତାଙ୍କର ଖୁବ୍ ଅଧିକ ଅଶ୍ଳୀଳ ବଣ୍ଣର୍ନା ରହିଛି । ଉଭୟପକ୍ଷଙ୍କୁ ଏହା ନମ୍ରତାର ସହିତ ଦର୍ଶାଇଦେବା ଏ ପ୍ରବନ୍ଧର ଲକ୍ଷ୍ୟ ।

ରୂପକ ମଧ୍ୟ ଉପମା ପରି ଦୁଇଟି ତଥ୍ୟର ତୁଳନା କରୁଥିବା ଏକ ଅଳଙ୍କାର । କେବଳ ପାର୍ଥକ୍ୟ, ଉପମା ପ୍ରତ୍ୟକ୍ଷଭାବେ ଦୁଇଟି ତଥ୍ୟକୁ ତୁଳନା କରୁଥିବାବେଳେ ରୂପକଟି ପରୋକ୍ଷଭାବେ ତୁଳନା କରେ । ରୂପକ ବାହ୍ୟତଃ ଗୋଟିଏ ତଥ୍ୟ ପରିବେଷଣ କରୁଥିବାବେଳେ ବାସ୍ତବତଃ ଆଉ ଏକ ତଥ୍ୟ ନିକଟରେ ପାଠକକୁ ପହଞ୍ଚାଇଦିଏ । ‘ଚନ୍ଦ୍ରମୁଖୀ’ ଗୋଟିଏ ରୂପକଧର୍ମୀ ଅଳଙ୍କାର । ଚନ୍ଦ୍ରପରି ଦିଶୁଥିବା ଏକ ନାରୀମୁଖ, ଅର୍ଥାତ୍ ସମ୍ପୂର୍ଣ୍ଣ ଗୋଲ ଏକ ଧଳା ନାରୀମୁଖ ଯାହାର ମଝିରେ ଏକ କଳାଦାଗ ଥିବ କେବଳ ବିକୃତ ନୁହେଁ, ଭୟଙ୍କର ମଧ୍ୟ । ଚନ୍ଦ୍ର ସହିତ ନାରୀର ମୁଖକୁ ତୁଳନା କରିଥିବା କବି ଏଠାରେ ଆକ୍ଷରିକ ଭାବେ ଦୃଶ୍ୟମାନ ଚନ୍ଦ୍ର ସହିତ ନାରୀମୁଖକୁ ତୁଳନା କରିନାହାନ୍ତି । ଚନ୍ଦ୍ରର ଅମ୍ଳାନ କିରଣ ଦେଉଥିବା ଆନନ୍ଦକୁ ହିଁ ଅନୁଭବ କରାଉଛନ୍ତି । କବି ଚନ୍ଦ୍ରର ଦୃଶ୍ୟମାନ ରୂପକୁ ଦର୍ଶାଉଥିବାବେଳେ ତାର ଅନୁଭୂୟମାନ ରୂପ ନିକଟରେ ପାଠକକୁ ପହଞ୍ଚାଇବା ଚାହୁଁଛନ୍ତି । ‘ମୁହଁଟି ଚନ୍ଦ୍ରପରି ଗୋଲ୍’–ଏଠି ଉପମା ଅଳଙ୍କାରର ପ୍ରୟୋଗ ହୋଇଥିବାବେଳେ ‘ଚନ୍ଦ୍ରମୁଖୀ’ ଏକ ରୂପକଧର୍ମୀ ଅଳଙ୍କାର–ଏକ ମେଟାଫର । (ଅବଶ୍ୟ Metaphor ତାତ୍ପର୍ଯ୍ୟ, ଉପଯୋଗିତା ଓ ପ୍ରୟୋଗବିଧିର ଆଲୋଚନା ଆଜି କେବଳ ସାହିତ୍ୟ ବିଦ୍ୟାରେ ସୀମିତ ନୁହେଁ । ସମାଜ ବିଜ୍ଞାନ, ଏପରିକି ଭୌତିକ ବିଜ୍ଞାନରେ ମଧ୍ୟ ଏହାର ଉପଯୋଗ ଆଲୋଚିତ ହେଉଛି ।) ଲକ୍ଷ୍ୟ କରିବାର ବିଷୟ ଯାହାକୁ ତୁଳନା କରାଗଲା ଏବଂ ଯାହା ସହିତ ତୁଳନା କରାଗଲା; ମୁଖ, ଗୋଲ, ଅମ୍ଳାନ କିରଣ – ଏ ସମସ୍ତ ତଥ୍ୟଭିତ୍ତିକ ।

ରାଜେନ୍ଦ୍ର ବାବୁ ଯେଉଁ ସୀତାଙ୍କ ସହିତ ସମକାଳୀନ ନାରୀଟିର ତୁଳନା କଲେ, ପରୋକ୍ତ ନାରୀ (ପ୍ରେମିକା)ର ବାସ୍ତବତା ପରି ପୂର୍ବୋକ୍ତ ନାରୀ (ସୀତା) ମଧ୍ୟ ସ୍ୱଭୂମିରେ ନିଜର ତଥ୍ୟଗତ ବାସ୍ତବତା ରକ୍ଷା କରୁଥିବା ଆବଶ୍ୟକ । ତଥ୍ୟଟି ଯଦି କୌଣସି ରାମାୟଣରୁ ନିଆଯାଇ ତାକୁ ଆଧିଦୈବିକ ଅଥବା ଆଧ୍ୟାତ୍ମିକ ତଥ୍ୟରେ ପରିଣତ କରାଯାଇଥାଆନ୍ତା ତେବେ ତାହା ଏକ ଅନନ୍ୟ ରୂପକର ରୂପ ନେଇଥାଆନ୍ତା ବୋଲି ଜଣେ ପାଠକ ହିସାବରେ ମୋର ନମ୍ର ମତ । କୌଣସି ରାମାୟଣରେ ସୀତା ରାବଣଦ୍ୱାରା ‘ବଳାକ୍ରାର’ହେବାକୁ ଇଚ୍ଛିଥିବା, ଅନ୍ତତଃ ଏ ଆଲୋଚକକୁ ଜଣାନାହିଁ । ତା’ଛଡ଼ା ସୀତାଙ୍କ କଥା ଛାଡ଼ନ୍ତୁ, କୌଣସି ନାରୀ, ଏପରିକି ବାରଙ୍ଗନାଟିଏ ସୁଦ୍ଧା ‘ବଳତ୍କାର ’ ଇଚ୍ଛି ନଥାଏ । ନିଜ ଧର୍ମପତ୍ନୀଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କ ସହିତ ସହବାସ ମଧ୍ୟ ‘ବଳତ୍କାର ’, ଏହା କେବଳ ଆଜିର ଆଇନମାନ୍ୟତା ପ୍ରାପ୍ତ ତତ୍ତ୍ୱ ନୁହେଁ, ସାରଳା ଦାସ ଭୀମଙ୍କ କାମୁକତା ପ୍ରତି ଦ୍ରୌପଦୀଙ୍କ ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ ମଧ୍ୟ ଏହି ‘ବଳତ୍କାର’ ଶବ୍ଦ ବ୍ୟବହାର କରିଛନ୍ତି : “ନିତ୍ୟେ ସେ ବିଜେ କରଇ ଦ୍ରୌପଦୀପୁରକୁ, / ଭାବେ ଯେ ପାଞ୍ଚାଳୀ ଦେବୀ ଭଫାଏ ତାହାକୁ । /ବେଳକାଳ ଅନୁକ୍ଷଣ କିଛି ନ ବିଚାରୀ, / ଅନୁକ୍ଷଣେ ଦ୍ରୌପଦୀଙ୍କୁ ବଳତ୍କାର କରି ।/ଯେତେବେଳେ ଭୀମସେନ ପ୍ରତାପେ ଆସଇ,/ ଭୟେ ଯାଜ୍ଞସେନୀ ଯାଇ ଅଗ୍ନିରେ ପଶଇ ।”

ପ୍ରେମର ସଂଜ୍ଞା ତା’ପାଇଁ ଯାହା କିଛି ହୋଇଥାଉ ନା କାହିଁକି, ନାରୀଟିଏ କେବଳ ପ୍ରେମ ହିଁ ଆଶା କରେ, ବଳତ୍କାର ନୁହେଁ । ଏଣୁ ଜଣେ ପ୍ରକୃତ ରସଭୋକ୍ତା ପାଇଁ ରାଜେନ୍ଦ୍ର ବାବୁଙ୍କ ଏ ରୂପକଟି କୌଣସି ଦୃଷ୍ଟିରୁ ଯୁକ୍ତିଯୁକ୍ତ ମନେହୁଏ ନାହିଁ । ଦେଶ ବିଦେଶରେ ଶତାଧିକ ରାମାୟଣ ପ୍ରଚଳିତ । ସେ ସବୁରେ ରାମ ଓ ସୀତାଙ୍କ ଚରିତ୍ର ଓ ସମ୍ପର୍କ ଭିନ୍ନଭିନ୍ନ ଭାବେ ବର୍ଣ୍ଣିତ । ମାତ୍ର ଜଣେ ହିନ୍ଦୁ ଦୃଷ୍ଟିରେ ରାମ ଓ ସୀତା ଯଥାକ୍ରମେ ଏକପତ୍ନୀ ବ୍ରତ ଓ ଏକପତି ବ୍ରତ ଶିକ୍ଷା ଦେଉଥିବା ବିଷ୍ଣୁ ଓ ଲକ୍ଷ୍ମୀଙ୍କର ସାକ୍ଷାତ ଅବତାର । ରାବଣର ବଳତ୍କାର କାମନା କରୁଥିବା ଏକ ସୀତା ଚରିତ୍ର ହିନ୍ଦୁ ଧର୍ମ ଭାବନାକୁ ପ୍ରଚଣ୍ଡ ଆଘାତଦେବା ଓ ନୈଷ୍ଠିକ ହିନ୍ଦୁଙ୍କଦ୍ୱାରା ସମାଲୋଚିତ ହେବା ସ୍ୱାଭାବିକ ।

କବି ଶୁଭଶ୍ରୀଙ୍କ କବିତା ବିରୁଦ୍ଧରେ ପ୍ରତିକ୍ରିୟା କିନ୍ତୁ ଅଯଥାର୍ଥ ମନେହୁଏ । ୨୦୨୦ ମସିହାରେ ତାଙ୍କର ‘କଣ୍ଟ୍ରୋଭର୍ସି’ ଶୀର୍ଷକ ଏକ କବିତା ପ୍ରକାଶ ପାଇଥିଲା । ସେହି କ୍ଷୁଦ୍ର କବିତାଟି ଏ ଆଲୋଚକ ଯେତିକି ବୁଝିଛି, ସେଥିରୁ ସେ କବିତାରେ ଶୁଭଶ୍ରୀ ସୀତାଙ୍କୁ ଗଣିକା ଅର୍ଥରେ ଦେହଜୀବୀ କହିଥିବା ଅଭିଯୋଗ ଅମୂଳକ । ମୂଳ ବାଲ୍ମିକୀ ରାମାୟଣ ଅନୁଯାୟୀ ଅଶୋକ ବନରୁ ସୀତାଙ୍କୁ ମୁକୁଳାଇବା ସଙ୍ଗେ ସଙ୍ଗେ ରାମଚନ୍ଦ୍ର -କୌଣସି ଜନମତକୁ ସନ୍ତୁଷ୍ଟ କରିବାକୁ ନୁହେଁ- ତୁରନ୍ତ ସୀତାଙ୍କ ସତୀତ୍ୱ ପରୀକ୍ଷା କରିବାକୁ ଅଗ୍ନିପରୀକ୍ଷା ନେଇଛନ୍ତି । ଏଠି କବିଙ୍କର ବକ୍ତବ୍ୟ ହେଲା, ଆଜିର ନାରୀ ସ୍ୱାମୀ ଓ ସନ୍ତାନମାନଙ୍କୁ ‘ନିର୍ମଳ ସେବା’ ଦେବାପରେ ମଧ୍ୟ ସୀତାଙ୍କ ପରି ତାକୁ ବାରମ୍ବାର ତା’ ଦେହର ଶୁଦ୍ଧତା ପରୀକ୍ଷା ଦେବାକୁ ପଡ଼େ । ଚରିତ୍ରର ପ୍ରମାଣ ମଗାଯାଏ ତା’ ଦେହ ପାଖରୁ । ବାରମ୍ବାର ଉକ୍ତ କବିତାରେ କୁହାଯାଇଛି, “ସେ ଗୋଟିଏ ଦେହଜୀବୀର ଜୀବନ ହିଁ ବଞ୍ଚେ ।” କବି ଏଠି ପଚାରୁଛନ୍ତି, ଦେହର ଶୁଦ୍ଧତାରୁ କ’ଣ ହୃଦୟର କି ଆତ୍ମାର ଶୁଦ୍ଧତା ଜଣାପଡ଼େ? ନାରୀ କ’ଣ ନିଛକ ଦେହଜୀବୀ? ଏଠି ଦେହଜୀବୀ ଦ୍ୱିଅର୍ଥବୋଧକ ଶ୍ଳେଷୋକ୍ତି (Pun) । ‘ଦେହକୁ ଜୀବିକା କରିଥିବା ନାରୀ’ ଅର୍ଥରେ ଏଠି ଦେହଜୀବୀ ଶବ୍ଦ ବ୍ୟବହାର କରାଯାଇ ନାହିଁ । ‘ନାରୀ ନିଛକ ଦେହସର୍ବସ୍ୱ’-ଏହି ପୁରୁଷ-ଦୃଷ୍ଟିକୋଣ ବିରୁଦ୍ଧରେ ଏହା ଏକ କ୍ଷୋଭକ୍ତି ।

ଏହି ପ୍ରସଙ୍ଗରେ ସ୍ୱତଃ ମନକୁ ଆସିଯାଏ, ଊନବିଂଶ ଶତାବ୍ଦୀର ସେଇ ସୁପରିଚିତ ଇନ୍ଦ୍ରଧନୁ-ବିଜୁଳି ବିତର୍କ । ପାଠ୍ୟପୁସ୍ତକ ବୋର୍ଡ଼ ଦ୍ୱାରା ଭଞ୍ଜଙ୍କର କବିତା ପାଠ୍ୟରୂପେ ନିର୍ବାଚିତ ହେବାରୁ ସେଥିରେ ଅଶ୍ଳୀଳତା ଥିବା ଅଭିଯୋଗ ଆଣି ପ୍ରଥମେ ପ୍ୟାରିମୋହନ ଆଚାର୍ଯ୍ୟ ତାଙ୍କର ‘ଉକ୍ରଳ ପୁତ୍ର’ ପତ୍ରିକାରେ ଲେଖିଥିଲେ, “ସୁକୁମାରମତି ଶିଶୁ କି ଯୌବନୋନ୍ମୁଖୀ ବାଳକ ସମସ୍ତଙ୍କ ହସ୍ତରେ ଏସବୁକୁ ନିରାପଦରେ ଅର୍ପଣ କରାଯାଇ ପାରିବ ନାହିଁ” ବୋଲି ପ୍ୟାରୀମୋହନ ଦର୍ଶାଇଥିଲେ । ‘ଉତ୍କଳ ପ୍ରଭା’ ମଧ୍ୟ ଉପେନ୍ଦ୍ରଙ୍କ କାବ୍ୟ କବିତାରେ “ଆଦିରସ ସ୍ୱରୂପ ହଳାହଳ ସମୁଦ୍ର ମନ୍ଥନ” ପ୍ରଶ୍ନ ଉଠାଇଲେ । ଲାଲା ରାମନାରାୟଣ ରାୟ ‘ଉତ୍କଳ ପ୍ରଭା’ରେ ‘କବି ଉପେନ୍ଦ୍ର ଭଞ୍ଜ’ ଶୀର୍ଷକ ଏକ ପ୍ରବନ୍ଧ ଲେଖିଲେ । ସେଥିରେ ସେ ଉପେନ୍ଦ୍ରଙ୍କ ଅଶ୍ଳୀଳତା ତଥା ଆଙ୍ଗିକଗତ ଦୋଷ ଦୁର୍ବଳତା ଦର୍ଶାଇଥିଲେ । ରାମନାରାୟଣଙ୍କ ସେହି ମତ ଏପରି ବିରାମହୀନ ବିତର୍କ ଠିଆକଲା ଯେ ସେ ବିତର୍କକୁ ଚଳେଇ ରଖିବାପାଇଁ ଦୁଇଟି ପତି୍ରକା ପ୍ରକାଶପାଇଲା–ଇନ୍ଦ୍ରଧନୁ ଓ ବିଜୁଳି । ‘ଇନ୍ଦ୍ରଧନୁ’ ରାମନାରାୟଣଙ୍କ ତତ୍ତ୍ୱକୁ ଘୋର ବିରୋଧ କରୁଥିବା ବେଳେ ‘ବିଜୁଳି’ ତାଙ୍କୁ ଆଖିବୁଜା ସମର୍ଥନ କରୁଥିଲା । ତେବେ କେବଳ ନିଛକ ଭାବାବେଗ ନେଇ ସାହିତ୍ୟରେ ଶ୍ଳୀଳତା ଅଶ୍ଳୀଳତାର ଆଲୋଚନା ଅଥବା ପ୍ରାଚୀନ-ନବୀନର ଆଲୋଚନା ଏକ ନିରର୍ଥକ ଚଷୁକୁଟା ଆଲୋଚନା । ଏ ପ୍ରକାର ଆଲୋଚନା ଅର୍ଦ୍ଧସତ୍ୟ ଉପରେ ପ୍ରତିଷ୍ଠିତ, ଯାହା ଅସତ୍ୟ ଅପେକ୍ଷା ଅଧିକ ବିଭ୍ରାନ୍ତିକର ଓ ବିପଦଜନକ । ସେତେବେଳେ ମଧ୍ୟ ଏ ବିତର୍କରେ ଉଭୟ ପକ୍ଷର କିଛି ସମର୍ଥକ ଠିକ୍ ଆଜିଭଳି ଅତ୍ୟନ୍ତ ଅଶ୍ଳୀଳ ଓ ଅଶାଳୀନ ଶବ୍ଦ ପରସ୍ପର ପ୍ରତି ପ୍ରୟୋଗ କରୁଥିଲେ । ମୁଖ୍ୟ ପ୍ରସଙ୍ଗକୁ ଛାଡ଼ି ବ୍ୟକ୍ତିଗତ ସ୍ତରରେ ସ୍ତୁତି ଓ କୁତ୍ସାର ବାଦୀପାଲା ଚାଲିଥିଲା । ସେତେବେଳେ ଆଜିର ପରମ୍ପରାବାଦୀଙ୍କ ପରି ଥୋକେ ପରମ୍ପରାବାଦୀ କାଳିଦାସଙ୍କ ଆଦିରସ ବର୍ଣ୍ଣନା, ଓଡ଼ିଆ ଅସ୍ମିତା, ନୈତିକତା-ନିରପେକ୍ଷ ଶୁଦ୍ଧ ସାହିତ୍ୟ ଇତ୍ୟାଦିର ଦ୍ୱାହିଦେଇ ଉପେନ୍ଦ୍ରଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ । ‘ଗୋଲକଧନ୍ଦା’ ଛଦ୍ମନାମରେ ସେମାନଙ୍କ ନେତୃତ୍ୱ ନେଇଥିଲେ କୁଳବୃଦ୍ଧ ମଧୁସୂଦନଙ୍କ କନିଷ୍ଠଭ୍ରାତା ଗୋପାଳବଲ୍ଲଭ ଦାସ । ଏସବୁ ତଥ୍ୟ ଓଡ଼ିଆ ସାହିତ୍ୟ ଛାତ୍ରଙ୍କ ନିକଟରେ ସୁବିଦିତ । ଅଳମତି ବିସ୍ତରେଣ ।

ଯଦି ଜଣେ ନିର୍ମୋହ ନିରପେକ୍ଷ ଦୃଷ୍ଟିନେଇ ଆମ ପ୍ରାଚୀନ ଶାସ୍ତ୍ର, ପୁରାଣ, କାବ୍ୟ କବିତାର ପର୍ଯ୍ୟାଲୋଚନା କରେ ତେବେ ଦେବାଦେବୀଙ୍କୁ କେନ୍ଦ୍ରକରି କମ୍ ଅଶ୍ଳୀଳ ବର୍ଣ୍ଣନା ଆଖିରେ ପଡ଼େନାହିଁ । ପ୍ରାସଙ୍ଗିକତା ଦୃଷ୍ଟିରୁ ଏଠି କେବଳ ରାମାୟଣ ଉଦାହରଣ ନିଆଯାଉ । ମୂଳ ରାମାୟଣ, ଅର୍ଥାତ୍ ମହର୍ଷି ବାଲ୍ମୀକି କୃତ ରାମାୟଣରେ ରାବଣ ସୀତାଙ୍କୁ ଅପହରଣ କରିନେବା ପରେ ରାମଚନ୍ଦ୍ର ପାଗଳ ପ୍ରାୟେ ସୀତାଙ୍କୁ ଅରଣ୍ୟରେ ଖୋଜୁଛନ୍ତି । ଶ୍ରୀରାମ ସୀତାଙ୍କର ରୂପଗୁଣକୁ ଝୁରୁଛନ୍ତି । ତାଙ୍କର ମନେ ପଡ଼ିଯାଉଛି ସୀତାଙ୍କର ବର୍ତ୍ତୁଳ ଦୁଇ ସ୍ତନ (ବୃତ୍ତୌ ସ୍ତନୌ) । (ଶ୍ରୀମଦ୍ ବାଲ୍ମୀକୀୟ ରାମାୟଣ, ଅରଣ୍ୟକା’, ୬୨ ସର୍ଗ, ଶ୍ଳୋକ ୮) । ଠିକ୍ ସେହିପରି ଆମର କବିସମ୍ରାଟ ଉପେନ୍ଦ୍ରଙ୍କ ‘ବୈଦେହୀଶ ବିଳାସ’ରେ ସୀତାଙ୍କ ବିରହରେ ବିଳାପ କରୁଥିବା ରାମଚନ୍ଦ୍ର ସୀତାଙ୍କ ସହିତ ତାଙ୍କର ପୁରୁଷାୟିତ ବିପରୀତ ରତି ବାରମ୍ବାର ମନେପକାଇ ତାଙ୍କୁ ଝୁରୁଛନ୍ତି । (ବୈଦେହୀଶ ବିଳାସ, ପଞ୍ଚବିଂଶ ଛାନ୍ଦ, ୧୨ ଓ ୧୭ପଦ) । ଆଦିକବି ମହର୍ଷି ବାଲ୍ଲୀକିଙ୍କୁ ସ୍ୱୟଂ ରାମଚନ୍ଦ୍ର ‘ମହାତ୍ମା’ ରୂପେ ସମ୍ବୋଧନ କରିଛନ୍ତି । ତାଙ୍କ ରଚିତ ରାମାୟଣକୁ ପରବର୍ତ୍ତୀ ସମସ୍ତ କାବ୍ୟର ବୀଜ (କାବ୍ୟବୀଜଂ ସନାତନମ୍) ବୋଲି ଧରାଯାଏ । କବି ସମ୍ରାଟ ଉପେନ୍ଦ୍ର ରାମତାରକ ମନ୍ତ୍ରରେ ସିଦ୍ଧିଲାଭ କରିଥିବା ଦାବୀ କରନ୍ତି । ସୀତାଙ୍କୁ ରାକ୍ଷସମାନେ ଖାଇଗଲେ କି ତାଙ୍କୁ କେହି ଅପହରଣ କରିନେଇଛି, କି’ ତାଙ୍କର ଆଉକିଛି ଦୁର୍ଘଟଣା ଘଟିଲା ସେ ସମ୍ପର୍କରେ ସଠିକ୍ ତଥ୍ୟ କେହି ଦେଇପାରୁ ନାହିଁ । ଏପରି ପ୍ରଚଣ୍ଡ ସଂଶୟ ଓ ଦୁଶ୍ଚିନ୍ତା ଭିତରେ ପତ୍ନୀର ସ୍ତନ ଅଥବା ତାଙ୍କ ସହ ରତିକ୍ରୀଡ଼ାର ସ୍ମୃତି ସାଧାରଣ ମଣିଷର ଭାବନା ରାଜ୍ୟରେ ସୁଦ୍ଧା ପ୍ରବେଶ କରିପାରିବ ନାହିଁ । ମହର୍ଷି ବାଲ୍ମୀକି ଓ କବିସମ୍ରାଟ ଉପେନ୍ଦ୍ର କିପରି ଏପରି ଅସ୍ୱାଭାବିକ ଏବଂ ଅଶ୍ଳୀଳ ବର୍ଣ୍ଣନା କରିପାରିଲେ ତାହା ସମ୍ପୂର୍ଣ୍ଣ ଅବୋଧ୍ୟ ଏବଂ ଅତ୍ୟନ୍ତ ବିସ୍ମୟକର! ଯଦି ଏଭଳି ଖୋଲାଖୋଲି ବର୍ଣ୍ଣନା ନକରି ସେ ଦୁଇ କାଳଜୟୀ କବି ସ୍ତନ ଅଥବା ଓଲଟ ରତିପାଇଁ କିଛି ‘ମେଟାଫର୍’ ବ୍ୟବହାର କରିଥାଆନ୍ତେ ତଥାପି ସେ ସ୍ଥଳରେ ଏହା ଅସ୍ୱାଭାବିକ ଏବଂ ଅଶ୍ଳୀଳ ବୋଲି ନିରପେକ୍ଷ ଆଲୋଚକ ମନ୍ତବ୍ୟ ଦେଇଥାଆନ୍ତେ । ଅତୀତରେ ଅଥବା ଏବେ କେହି ପରମ୍ପରାବାଦୀ ଏ ପ୍ରଶ୍ନ ଉଠାଇଛନ୍ତି କି? ଏଣୁ ଆଜି ବିବାଦରତ ଦୁଇଗୋଷ୍ଠୀଙ୍କୁ ସ୍ଥୂଳତଃ ବଦ୍ଧମୂଳ ପ୍ରାଚୀନ ପନ୍ଥୀ ଓ ଛିନ୍ନମୂଳ ପାଶ୍ଚାତ୍ୟ ନବ୍ୟବାଦୀ-ଏହିପରି ଦୁଇଭାଗରେ ବିଭକ୍ତ କରରାଯାଇ ପାରେ । ପ୍ରଥମୋକ୍ତ ଶିବିର ପାଇଁ ଆମ ସଂସ୍କୃତିର ଯାହାକିଛି ପ୍ରାଚୀନ ତାହା ସର୍ବଦା ସ୍ମରଣୀୟ, ବରଣୀୟ ଏବଂ ସଂରକ୍ଷଣୀୟ । ଅତୀତର ସମସ୍ତ ଅପସଂସ୍କୃତି ଓ ଅପକର୍ମକୁ ସେମାନେ କାଚିକୁୁଚି ବିଶୋଧିତ କରିବାପାଇଁ ଗଳଦ୍ଘର୍ମ ପ୍ରଚେଷ୍ଟା କରନ୍ତି । ଅପରପକ୍ଷରେ, ନିଜକୁ ‘ର୍ୟାଡ଼ିକାଲ୍’, ପ୍ରଗତିଶୀଳ ପ୍ରମାଣ କରିବାପାଇଁ ଆଉ ଥୋକେ କବି ସମାଲୋଚକ ଆମ ପରମ୍ପରା ଓ ପ୍ରାଚୀନ ସାହିତ୍ୟର ଅନେକ ମହତ୍ତ୍ୱପୂଣ୍ଣ ର୍ ପ୍ରାପ୍ତିକୁ ହେୟ ଜ୍ଞାନ କରନ୍ତି, ବ୍ୟଙ୍ଗ କରନ୍ତି । ଇଉରୋପ-ଆମେରିକାରେ କବି ସମାଲୋଚକଙ୍କୁ ସର୍ଦ୍ଦି ଧରିଲେ ସେମାନେ ଏଠି ଛିଙ୍କନ୍ତି । ଭାରତୀୟ ପରମ୍ପରାର ଏବଂ ବିଦେଶାଗତ ପରମ୍ପରାର ସାରବତ୍ତା କ’ଣ, ଏବଂ ବିଶ୍ୱ ସଭ୍ୟତାକୁ ଏ ଉଭୟର ମୌଳିକ ଅବଦାନ କ’ଣ, ତାହା ପୂର୍ବାଗ୍ରହମୁକ୍ତ ମନରେ ଆମେ ବିଶ୍ଲେଷଣ କରୁଛୁ କି? ଯଦିଓ ତଥାକଥିତ ଉତ୍ତର-ଆଧୁନିକତା ପାଖରେ ଆମର କିଛି ଅତୁ୍ୟତ୍ସାହୀ ଆଲୋଚକ ପହଞ୍ଚି ଗଲେଣି, ଆମ ପୂର୍ବସୂରୀମାନଙ୍କ ପରୀକ୍ଷାନିରୀକ୍ଷା ମାଧ୍ୟମରେ ଆଧୁନିକତାର ଉନ୍ମେଷ ମାତ୍ର ହୋଇଛି । କିନ୍ତୁ ସେ କଳିକା ଏଯାବତ୍ ପୁଷ୍ପାୟିତ ହୋଇନାହିଁ । ବାସ୍ତବ ଭାରତୀୟ ଆଧୁନିକତା ନିର୍ମାଣ ଦିଗରେ ଉପରୋକ୍ତ ଉଭୟ ସମ୍ପ୍ରଦାୟର ଅନ୍ଧଭକ୍ତ ବାଧକ ସାଜୁଛନ୍ତି ବୋଲି ମୋର ମତ ।

ରାଜେନ୍ଦ୍ର ବାବୁଙ୍କର ଅତୀତ ପ୍ରୀତି ଓ ଅତୀତ ସାହିତ୍ୟରେ ଅବଗାହନ ତାଙ୍କ କୃତି ଅଧ୍ୟୟନ କଲେ ଯେ କୌଣସି ପାଠକ ବୁଝିପାରିବ । ଶବ୍ଦ ଚୟନ ଏବଂ ଶବ୍ଦ ନିର୍ମାଣ ଦିଗରେ ମଧ୍ୟ ତାଙ୍କର କୃତିତ୍ୱ ସର୍ବବିଦିତ । ଉକ୍ତ ବିବଦମାନ କବିତାରେ ସେ ନାରୀର ଯେଉଁ ଚିତ୍ର ଆଙ୍କିବାକୁ ଚେଷ୍ଟା କରିଛନ୍ତି, ଯେଉଁ ମହାଭାବକୁ ରୂପ ଦେବା ଚାହିଁଛନ୍ତି, ଉକ୍ତ ‘ସୀତା ମେଟାଫର୍’ ଛଡ଼ା ଆଉ କିଛି ମେଟାଫର୍ ବ୍ୟବହାର କରି କ’ଣ ସେ ନିଜ ବକ୍ତବ୍ୟ ପ୍ରତି ନ୍ୟାୟ ପ୍ରଦାନ କରି ପାରି ନଥାଆନ୍ତେ? ସରସ୍ୱତୀ ଏବଂ ଭାରତମାତାଙ୍କ ଅର୍ଦ୍ଧନଗ୍ନ ଚିତ୍ର ଆଙ୍କିଥିବା ଖ୍ୟାତନାମା ଚିତ୍ରଶିଳ୍ପୀ ଏମ୍. ଏଫ୍. ହୁସେନ୍ ଙ୍କୁ ବିଂଶଶତାବ୍ଦୀ ଶେଷଭାଗରେ ଠିକ୍ ଏହିଭଳି ପ୍ରଶ୍ନଟିଏ ପଚାରିଥିଲେ ତାଙ୍କର ଅନ୍ୟତମ ସତୀର୍ଥ ଖ୍ୟାତନାମା ଆଧୁନିକ ଚିତ୍ରଶିଳ୍ପୀ ସତୀଶ୍ ଗୁଜରାଲ୍ । ସେ ମଧ୍ୟ ପଚାରିଥିଲେ, ମହମ୍ମଦଙ୍କର ସେହିପରି ଚିତ୍ରଟିଏ ହୁସେନ୍ ଆଙ୍କିବାକୁ ସାହସ କରି ଥାଆନ୍ତେ କି? ରାଜେନ୍ଦ୍ର ବାବୁଙ୍କୁ ମଧ୍ୟ ସେହି ପ୍ରଶ୍ନ ପଚାରିଛନ୍ତି ଦାରୁଣ ଆଘାତ ପାଇଥିବା କିଛି ହିନ୍ଦୁ ପାଠକ । ସେହି ହୁସେନ୍ ମହାଶୟ “Minaxi : A Tale of Three Cities” ଶୀର୍ଷକ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ସେଥିରେ ଗାନ କରାଯାଇଥିବା ଗଜଲ୍ରେ କୋରାନ୍ରୁ କେତୋଟି ଶବ୍ଦ ଉଦ୍ଧାର କରାଯାଇଥିଲା । ସେଥିପାଇଁ ସର୍ବଭାରତୀୟ ଉଲେମା କାଉନ୍ସିଲ୍ ସହିତ ବିଭିନ୍ନ ମୁସଲମାନ ସଂଗଠନ ଏପରି ହୋହାଲ୍ଲା କଲେ ଯେ ମାତ୍ର ଗୋଟିଏ ଦିନ ପ୍ରଦର୍ଶନ ପରେ ଚଳିଚ୍ଚିତ୍ରଟିକୁ ହୁସେନ୍ ସିନେମା ହଲ୍ମାନଙ୍କରୁ କାଢ଼ିନେବାକୁ ବାଧ୍ୟ ହେଲେ । ଇସଲାମ ସଂପର୍କରେ ଦେଇଥିବା ନିଜ ମତାମତ ପାଇଁ ସଲମାନ୍ ରୁସ୍ଦି ଏବଂ ତସ୍ଲିମା ନସରିନ୍ କି ହିନସ୍ତା ହୋଇଛନ୍ତି ସମସ୍ତେ ଜାଣନ୍ତି । ଏଇ ଆମ ଓଡ଼ିଶାରେ ସୁପରିଚିତ ସାହିତ୍ୟିକ ରବୀନ୍ଦ୍ର କୁମାର ପଫା ମହମ୍ମଦଙ୍କ ସମ୍ପର୍କରେ ସେ ଲେଖିଥିବା ଏକ ପୁସ୍ତକ ଉପରେ କେବଳ ମହମ୍ମଦଙ୍କ ଚିତ୍ର ଦେଇ ଦେଇଥିବାରୁ ସେ ପୁସ୍ତକର ପ୍ରକାଶକଙ୍କୁ ସେ ପୁସ୍ତକ ବଜାରରୁ ଓହରାଇ ନେବାକୁ ପଡ଼ିଲା ଏବଂ ଏବେ ଦିବଙ୍ଗତ ଜଣେ ‘ପ୍ରଗତିଶୀଳ’ ସାହିତ୍ୟିକ ଜିଦ୍ ଧରିବାରୁ ରବିବାବୁ ସ୍ପଳ୍ପ ସମୟ ପାଇଁ ହେଲେ ବି ଜେଲରେ ପଶିଥିଲେ । ପ୍ରଗତିବାଦୀ ବୋଲାଉଥିବା କେତେଜଣ ସାହିତ୍ୟିକ ଏହି ଇସ୍ଲାମିକ୍ ମୌଳବାଦୀ ଦାଦାଗିରିର ପ୍ରତିବାଦ କରିଛନ୍ତି? ଏହି ଭାଷାରେ ନିନ୍ଦା କରିଛନ୍ତି? ଆମର ସର୍ଜନଶୀଳତା କ’ଣ ଏତେ ସଂକୁଚିତ ଓ ସଂକୀର୍ଣ୍ଣ ଯେ ଆମେ କାହାରି ଧର୍ମଭାବନାକୁ ଆଘାତ ନଦେଇ ସଫଳ ସାହିତ୍ୟ ସୃଷ୍ଟି କରିପାରିବା ନାହିଁ?

ଆଜିର ସାଂସ୍କୃତିକ କର୍ମୀ ଆତ୍ମ-ବିଶ୍ଳେଷଣ ତଥା ଆତ୍ମ-ଅନୁଶାସନ ନିଜ ପ୍ରତି ପ୍ରୟୋଗ ନକଲେ ଏବଂ ସ୍ୱନିଯୁକ୍ତ ‘ସାଂସ୍କୃତିକ ପୋଲିସ’ମାନଙ୍କ ନରମ ଚେତାବନୀକୁ ହେୟଜ୍ଞାନ କଲେ ସମାଜ ଓ ସଂସ୍କୃତିର ନିୟାମକ ହୋଇଯିବେ କିଛି ଆଚରଣହୀନ, ଅହଂକାର ସର୍ବସ୍ୱ, ଭୂଇଁଫୋଡ଼୍ ଦାଦା ଗୋଷ୍ଠୀ । କବିତୁଣ୍ଡ ମେଣ୍ଢା ମୁଣ୍ଡ ପରି ଶକ୍ତ ହେଉ । ମାତ୍ର ବୋଧଜ୍ଞାନ ଶୂନ୍ୟ ନ ହେଉ । ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ସ୍ୱେଚ୍ଛାଚାରର ଫଳଶ୍ରୁତି ସ୍ୱରୂପ ଏଠି ମଧ୍ୟ ମସୀଯୁଦ୍ଧ ଅସୀଯୁଦ୍ଧରେ ପରିଣତ ହୋଇପାରେ । ‘ସୀତା ମେଟାଫର୍’କୁ କେନ୍ଦ୍ରକରି ବାରମ୍ବାର ଦେଖାଦେଉଥିବା ଉଷ୍ଣ ପ୍ରତିକ୍ରିୟା ଉତ୍ତପ୍ତ ତାଲିବାନୀୟ ପ୍ରତିକ୍ରିୟାରେ ପରିଣତ ହୋଇପାରେ । ଆଜିର ଲଙ୍କାକାଣ୍ଡରେ ଲଙ୍କାପୋଡ଼ିର ଷ୍ଟେଜ୍ ରିହର୍ସାଲ୍ ହୋଇଗଲା ପରି ଆମେ ବୋଧକରୁ ।

Sailaj Rabi

 ଶୈଳଜ ରବି

( ବିଶିଷ୍ଟ କବି, ଲେଖକ ଓ ଚିନ୍ତକ )

Comments

0 comments

Share This Article