ଏ ପକ୍ଷର ଖବର

19 Views
14 Min Read

ସମୟ ପଡ଼ିଲେ କାଚ ବି ମଣି!

ପାଠକେ! ଆପଣ ଜାଣନ୍ତି ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆ ୪ଥର ନୂଆପଡ଼ା ଆସନରୁ ଜିତି ଓଡ଼ିଶା ବିଧାନସଭାକୁ ଯାଇଥିଲେ । ୨୦୦୪ରେ ସିଏ ପ୍ରଥମ ଥରପାଇଁ ସ୍ୱାଧୀନ ଭାବରେ ବିଧାନସଭାକୁ ଆସିବା ପରେ ପରେ ତିନିଥର ବିଜୁ ଜନତା ଦଳରୁ ହିଁ ନିର୍ବାଚିତ ହୋଇଥିଲେ । ବିଧାୟକ ରହିବା ସଙ୍ଗେ ସଙ୍ଗେ ମନ୍ତ୍ରୀ ବି ଥିଲେ । ୨୧ବର୍ଷ ଭିତରେ ଥରେ ବିଜେପି ନେତା ବସନ୍ତ ପଣ୍ଡାଙ୍କ ହାତକୁ ଏହି ଆସନଟି ଯାଇଥିଲା । ଶେଷଥର, ୨୦୨୪ରେ ରାଜୁଭାଇଙ୍କୁ ପୁରା ସମୟ ବିଧାନସଭାରେ ରହିବାର ସୁଯୋଗ ମିଳି ନଥିଲା । ମାତ୍ର ବର୍ଷଟିଏ ପରେ ଏହି ଆସନ ପୁଣି ଥରେ ଶୂନ୍ୟହୋଇ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି ।
ଢୋଲକିଆ ଯେ ପର୍ଯ୍ୟନ୍ତ ବଂଚିଥିଲେ, ସେ ପର୍ଯ୍ୟନ୍ତ ନୂଆପଡ଼ା ଆସନ ଏକରକମ ବିଜେଡିର ଗଡ଼ ହୋଇ ରହିିଥିଲା । ଏଥିରେ ପୂର୍ବତନ ବିଧାୟକ, ମନ୍ତ୍ରୀ ତଥା ଜଣେ ବରିଷ୍ଠ ରାଜନେତା ଘାସିରାମ ମାଝୀଙ୍କର ବିଜୁ ପଟ୍ଟନାୟକଙ୍କ ବେଳରୁ କିଛିଟା ଯୋଗଦାନ ଥିଲା । ଏବେ ରାଜୁଭାଇଙ୍କ ମୃତ୍ୟୁ ପରେ ବିଜେଡିର ତଥାକଥିତ ନେତା (ଯେଉଁମାନେ ନିଜକୁ ସେପରି ଭାବୁଛନ୍ତି)ମାନେ ଏକରକମ ଆଶ୍ୱସ୍ତ ହୋଇ ଯାଇଥିଲେ ଯେ ରାଜୁଭାଇଙ୍କ ପୁତୁରା (ରାଜେନ୍ଦ୍ର ଢୋଲକିଆଙ୍କୁ ଲୋକେ ରାଜୁଭାଇ ବୋଲି ସମ୍ବୋଧନ କରନ୍ତି ଓ ତାଙ୍କର କୌଣସି ସନ୍ତାନ ନଥିଲେ)ଜୟ ଢୋଲକିଆ ସେଠାରୁ ବିଜେଡିର ପ୍ରାର୍ଥୀହେଲେ ଅନୁକମ୍ପା ଭୋଟରେ ନିଶ୍ଚୟ ଜିଣିଯିବେ । ତେଣୁ କିଛି ନକରି ନୂଆପଡ଼ା ପୁଣି ସେମାନଙ୍କର ହୋଇଯିବ । ବିଧାନସଭାରେ ଆଉ ଜଣେ ବିଧାୟକ ବଢ଼ିବେ । ସେଇ ପୁରୁଣା ଚିନ୍ତାଧାରା ।
କିନ୍ତୁ ପାଠକେ! ଗତ ୩ ଓ ୪ ଦୁଇଦିନ ଭିତରେ ବିଜେଡି ବାବୁମାନଙ୍କର ସେ ଚିନ୍ତାଧାରା ପୁରା ଓଲଟି ଯାଇଛି । ରାଜନୀତି ହାଟରେ କାଚ ବି କିପରି କାଂଚନ ମୂଲ୍ୟରେ ଅତ୍ୟୁଚ୍ଚ ଦାମରେ ବିକ୍ରୀ କରାଯାଏ ଏବଂ ମଣି କିପରି କାଚ ହୋଇଯାଏ; ସେଇକଥା ସେମାନେ ଏବେ ଆଖି ମେଲେଇ ଦେଖୁଛନ୍ତି । ନୂଆ ରାଜନୀତି ହେଲା ନିର୍ବାଚନରେ ଜିତିବା କଥାଟି ଦଳର ଦାୟିତ୍ୱ, କିଣାବିକା ରାଜନୀତିରେ ନିଜକୁ ବିକେଇ ଜାଣିବାଟା ଜଣେ ବ୍ୟକ୍ତିର ସ୍ୱ-ଗୁଣ ଓ ସଠିକ୍ ନିଷ୍ପତ୍ତି ଉପରେ ନିର୍ଭର କରେ । ଏହି ସ୍ୱଗୁଣ ବଳରେ ପୁରୁଣା ଦଳ ମାଲିକ ଦିଲ୍ଲୀରେ ଉପସ୍ଥିତ ଥିବାବେଳେ ଜଈବାବୁ ଯେପରି ନିଜକୁ ଅତି ଉଚ୍ଚ ଦରରେ ବିକାଇ ନେଇ ପାରିଲେ ବୋଲି ଶୁଣାଯାଉଛି, ଏହା ତାଙ୍କର ସ୍ୱଗୁଣ ବ୍ୟତୀତ ଆଉ କିଛି ନୁହେଁ । ନୂଆମାଲ ଆସିଯିବା ପରେ ପରେ ତାଙ୍କୁ ବିଜେପିର ନୂଆପଡ଼ା ପ୍ରାର୍ଥୀ କରିବାକୁ କେନ୍ଦ୍ରକୁ ରାଜ୍ୟ ବିଜେପିରୁ ସୁପାରିଶ ମଧ୍ୟ ଯାଇସାରିଲାଣି । ଏବେ ରାଜନୀତିର ଗତି ଓ ନେତାଙ୍କର ମତି ଦେଖି ଭୋଟରଙ୍କ କଥା ତ ଛାଡ଼ନ୍ତୁ, ନିଜେ ନେତା ମଧ୍ୟ ଚକିତ । ସେମାନଙ୍କୁ ଏବେ ଲାଗୁଛି ଭଲ ରଙ୍ଗ ଦେଇ ଭଲ ଆଲୋକରେ ସଠିକ୍ ଭାବରେ ବେପାର କରି ଜାଣିଲେ କାଚ ବି ମଣି ପଇସାରେ ବିକ୍ରୀ ହୋଇପାରେ । ଆଗରୁ ଅନେକ ବିକ୍ରୀ ହୋଇଛନ୍ତି । ଏବେ ଆଉ ଜଣେ ହେଲେ । ସୁଯୋଗ ଜୁଟିଲେ କାଚ ବି ମଣି । ସେମାନେ କାଇଁ ନହୋଇ ପାରିବେ? ଜଣେ ବିଜେଡି ଭାଇ କହୁଥିଲେ ମା ଶ୍ରୀମୟୀଙ୍କୁ ଦେଖୁ ନାହାନ୍ତି । ଗତକାଲି ଯେଉଁ ମାଲିକ ଭଗବାନଙ୍କଠୁ ଭଲ ଲୋକ ଥିଲେ, ଏଇନା ସିଏ ଘୁଷୁରିଠୁ ବି ହୀନ ନା ନାହିଁ? ସମୟ ସମୟର କଥା ।
ଆମେ ଯାହା ସୂଚନା ପାଇଲୁ ଗତ ତିନି ତାରିଖରେ ଏହି ବିକ୍ରୀବଟା ପାଇଁ ବିଜେଡି ମେନେଜର ଓ ତିନିଜଣ ନେତା ବିଜେଡିର ମାଲିକଙ୍କ ପାଖରେ ବିଜୁ ପଟ୍ଟନାୟକଙ୍କ ଆଉରଙ୍ଗଜେବ ରୋଡ ଘରେ ଜଇଙ୍କୁ ନେଇ ପହଂଚିଥିଲେ । ମାଲିକ ସେଠି ପ୍ରଥମଥର ପାଇଁ ଜଇଙ୍କୁ ଦେଖି ଚିରାଚରିତ ପନ୍ଥାରେ ଦି ତିନି ଧାଡ଼ିଆ ପ୍ରବଚନ ଶୁଣାଇ ଜଣାଇ ଦେଇଥିଲେ ଯେ ସିଏ ନୂଆପଡ଼ାରୁ ପ୍ରାର୍ଥୀ ହେବେ । ବାକି ତିନିଜଣ ମୁଣ୍ଡ ଟୁଙ୍ଗାରି ଥିଲେ । ଜଈଙ୍କୁ ଅଭିନନ୍ଦନ ଜଣାଇଥିଲେ । ପୁରୁଣା ମାଲିକଙ୍କ ପାଖରୁ ଫେରିବା ପରେ ଆରମ୍ଭ ହୋଇଥିଲା ବେପାର । ମ୍ୟାନେଜର ଜଇଙ୍କୁ ବିଜେପିର ଦ୍ୱିତୀୟ ବରିଷ୍ଠ ନେତାଙ୍କ ପାଖକୁ ପଠାଇଥିଲେ । ସେଠି କିଛି ମୂଲଚାଲ ହୋଇ ନଥିଲା । ନୂଆମାଲିକଙ୍କ ପକ୍ଷରୁ ଯେଉଁ ଦର କୁହାଯାଇଥିଲା ସେଥିରେ ଜଇବାବୁ ଖୁସି ନୁହେଁ, କାଳେ ବିହ୍ୱଳ ହୋଇ ଯାଇଥିଲେ । ସିଏ ନିଜେ ବି ଭାବି ନଥିଲେ ଯେ କ୍ଷମତା ରାଜନୀତିରେ ପାଦ ଦେଉ ଦେଉ ସିଏ ଏତେ ଦରରେ ବିକା ହୋଇଯାଇ ପାରିିବେ । ସିଏ ପରିଚାଳକଙ୍କୁ ଖୁସିରେ ମୁଣ୍ଡିଆଟିଏ ପକାଇଥିଲେ । ଅବଶ୍ୟ ବିଜେଡିର ସ୍ଥାନୀୟ ଆଶାୟୀ ବୁଢ଼ାନେତା କିଛି ସମୟପାଇଁ ରୁଷିଥିଲେ । ତାଙ୍କୁ କହି ଦିଆଗଲା ଇଏ କେନ୍ଦ୍ର ନିଷ୍ପତ୍ତି । ଚୁପଚାପ ପାର୍ଟିକୁ ଜିତାଇବ ତ ଆଗକୁ ମଲେଇ ପାଇବ। ନହେଲେ ଯିବ । ସିଏ କହିଲେଣି ମୁଁ ବିଜେପି ପାଇଁ କାମ କରିବି ।

ସାମ୍ବାଦିକଙ୍କ କାଗଜ

ପାଠକେ! ଏଇଟା ଗତ ସପ୍ତାହର କଥା! ରାତି ୧୧ଟାବେଳକୁ ଜଣେ ଭଦ୍ରଲୋକ ଆମକୁ ଫୋନ କଲେ ଆଉ ପଚାରିଲେ – ଭାଇ! ସେ ଅମୁକ ବାବୁ କୋଉ କାଗଜର ସାମ୍ବାଦିକ କି? ଆଶ୍ଚର୍ଯ୍ୟ ଲାଗିଲା । ଏବେର ‘ଏ.ଆଇ.’ ଯୁଗରେ, ଏ ରାଜ୍ୟରେ ଏଭଳି ବି ଲୋକ ଅଛନ୍ତି ଯିଏ ବିଶ୍ୱାସ କରୁଛନ୍ତି ଯେ ଜଣେ ଲୋକ ସାମ୍ବାଦିକ ବୋଲାଉଛି ମାନେ ସିଏ କୌଣସି କାଗଜ (ଅର୍ଥାତ୍ ସମ୍ବାଦପତ୍ର)ସହିତ ସମ୍ପୃକ୍ତ ହୋଇଥିବ ବା କୌଣସି ସମ୍ବାଦପତ୍ରକୁ ଖବର ଯୋଗାଉଥିବ! ଆମର ଯାହା ଅନୁଭୂତି ଆଜିକାଲି ଆଉ କେବଳ ସେହି ଲୋକକୁ ସାମ୍ବାଦିକ କୁହାଯାଉନାହିଁ ଯିଏ କୌଣସି ସମ୍ବାଦପତ୍ରକୁ ସମ୍ବାଦ ଦେଇ ନିୟମିତ ସମ୍ବାଦଦାତାଟିଏ ହୋଇଛି । ଏହିପରି ସମ୍ବାଦଦାତା ନାହାନ୍ତି ନୁହେଁ, ସେମାନଙ୍କର ସଂଖ୍ୟା ବହୁତ୍ କମ୍ । ଏହା ବାହାରେ ସାମ୍ବାଦିକ, ସମ୍ବାଦଦାତାର ପରିଚୟ ଦେବାପାଇଁ ଆଜିକାଲି ଅନେକ ସଂସ୍ଥା ଖୋଲିଗଲାଣି । କେବଳ ଗୋଟିଏ ମୋବାଇଲ ଫୋନ ଥିଲେ ଜଣେ ଗୋଟିଏ ‘ବଡ଼’ ସାମ୍ବାଦିକ ହୋଇପାରୁଛି । ମୋବାଇଲ ଫୋନଟିଏ ସହିତ ବିଭିନ୍ନ ସ୍ଥାନରେ ଶସ୍ତାରେ ପ୍ଲାଷ୍ଟିକ୍ ବୁମ୍ ନାମକ ଜିନିଷଟିଏ ମିଳୁଛି ସେଇଥିରୁ ଗୋଟିଏ ଧରିଦେଲେ ଜଣେ ସାମ୍ବାଦିକ ହେଲା । ଏବେ ଗୋଟିଏ ନୂଆ ଉପାଧି ବାହାରିଛି ‘ବରିଷ୍ଠ ସାମ୍ବାଦିକ’ । ଏମାନେ କି ପ୍ରଜାତିର ପ୍ରାଣୀ ବୋଲି ପ୍ରବଳ ଗବେଷଣା କରି ସାରି ଆମେ ଯେତେବେଳେ ଗୋଟିଏ ଗଛମୂଳେ ଥକାହୋଇ ବସି ପଡ଼ିଥିଲୁ ଆମ ଭିତରୁ ଫକ୍ କିନା ଗୋଟିଏ କବିତା ବାହାରି ଆସିଥିଲା- ଆଉ ସେଇଟି ହେଉଛି -‘ବରିଷ୍ଠ ସାମ୍ବାଦିକ ସେଇ/ଯାହାର କାଗଜ ନାଇଁ ।’ ଅର୍ଥିାତ୍ ବରିଷ୍ଠ ସାମ୍ବାଦିକ ହେବାପାଇଁ ନିହାତି ଗୋଟିଏ କାଗଜ ବା ସମ୍ବାଦପତ୍ରର ସମ୍ବାଦଦାତା ହେବାର ଆବଶ୍ୟକତା ନାହିଁ ।
ତେବେ ରାତି ଏଗାରଟାରେ ଫୋନ କରିଥିବା ଉତ୍ସାହୀ ବନ୍ଧୁଜଣଙ୍କୁ ଆମେ ଆଉ ସେ ପୁରୁଣା କବିତା ଶୁଣାଇ ବୀତସ୍ପୃହ ହେବାକୁ ନଦେଇ ଗୋଟିଏ ନୂଆ ଲେଖା ହ୍ୱାଟ୍ସଅପ ଜରିଆରେ ପଠାଇଥିଲୁ ଯେ – “ମହାଶୟ! ‘ନେତାର ଦଳ’, ‘ସାମ୍ବାଦିକର କାଗଜ’, ‘ପୁରୁଷର ରୋଜଗାର’ ଓ ‘ମହିଳାର ବୟସ’ କେବେ କାହାକୁ ପଚାରିବେ ନାହିଁ । ଏଗୁଡ଼ିକ ଖୁବ୍ ସେନ୍ସିଟିଭ ପ୍ରଶ୍ନ । ମାଡ଼ ହୋଇଯିବ ।” ଆମ ଲେଖାଟି ପଢ଼ି ପ୍ରଶ୍ନକର୍ତ୍ତା ଜଣକ ହୋ ହୋ ହୋଇ ହସିଉଠି କହିଲେ-ଆଜ୍ଞା! ଠିକ୍, ଠିକ୍ । ସାଇକେଲରେ ଆସି ଆମକୁ ବାଇଗଣ, କୋଶଳା ଶାଗ ଆଦି ବିକୁଥିବା ଗୋଟା ଲୋକ ଏବେ ଆମକୁ କହୁଛି ଯେ ସିଏ ଗୋଟା ବରିଷ୍ଠ ସାମ୍ବାଦିକ । ତା’କୁ ଇଆଡୁ ସିଆଡୁ କହିଲେ ସିଏ ଚୋପା ଛଡ଼େଇ ଦେବ । ମୁଁ କହିଥିଲି – ଆଜ୍ଞା! ରାତି ବେଶୀ ହେଲାଣି । ଥାଉ । ଆଉ ଗପିବାନି ।
ତାଙ୍କୁ ସିନା ଥାଉ ବୋଲି କହିଦେଲି, ହେଲେ ଅଧ୍ୟାପନା ବୃତ୍ତିକୁ ଛାଡ଼ି ଏଭଳି ଗୋଟେ ଭୟଙ୍କର ବୃତ୍ତି କବଳରେ ପଡ଼ି କଲବଲ ହେଉଥିବା ଆମକୁ ଆଉ ସେ ରାତିରେ ନିଦହେଲା ନାହିଁ । ମନେ ପଡ଼ିଥିଲା ଅନିଲ ମିଶ୍ରଙ୍କ ଇପିଏ ସାପ୍ତାହିକୀ, ଯେଉଁଥିରେ ଆମେ ଜଣେ ନିୟମିତ ଖବର ଲେଖକ ଥିଲୁ ଓ ଖବର ପିଛା ୧୫୦ ଭିତରେ ପାରିଶ୍ରମିକ ମିଳୁଥିଲା । ଥରେ ସେ ଇପିଏ ସାପ୍ତାହିକରେ ଜଣେ ସାମ୍ବାଦିକଙ୍କ ‘କାଗଜ’ ବିଷୟରେ ଲେଖିଥିଲେ ଯେ କେମିତି ଜଣେ ଲୋକ ଅତୀତରେ କୁକୁଡା କାଟି କୁକୁଡା ମାଂସ ବିକ୍ରୀ କରୁ କରୁ ଜଣେ ଫଟୋ ସାମ୍ବାଦିକ ହୋଇଗଲା । ତାକୁ ଯେହେତୁ କୌଣସି କାଗଜରେ ଲେଖିବାର ସୁଯୋଗ ମିଳୁନଥିଲା ସେ ନିଜେ କାଳେ ଟେକ୍ନୋଲଜିର ଉପଯୋଗ କରି ଅଳ୍ପପଇସା ଖର୍ଚ୍ଚରେ ୫/୧୦ ଖଣ୍ଡ କାଗଜ ଛାପୁଥିଲା ଓ ଷାଠିଏ ହଜାର ଖଣ୍ଡେ ଛପା ହେଉଛି ବୋଲି କହୁଥିଲା । ସେ କାଗଜର ରୂପ ରଙ୍ଗ ଦେଖିବାର ସୌଭାଗ୍ୟ ତ ଆମର କେବେ ହୋଇନାହିଁ, ତେବେ ସେ ଲୋକଜଣକ ଗୋଟିଏ କାର୍ଡ ଛପାଇଥିଲା ଯେଉଁଥିରେ ଲେଖିଥିଲା ଯେ ସେ ଗୋଟିଏ ବହୁଳ ବିକ୍ରୀ ହେଉଥିବା ଇଂରାଜୀ କାଗଜର ସମ୍ପାଦକ । ତେଣୁ ଏଭଳି ଅବସ୍ଥାରେ ସାମ୍ବାଦିକକୁ ସିଏ କୋଉ କାଗଜର ବୋଲି ପଚାରିଲେ ସିଏ ଆଉ ତମୁକୁ ରଖିବ । ପିଠିରୁ ଚୋପା ଛଡାଇ ଦେବନି?

ବାୟା ଚଢ଼େଇର କି ଯାଅଇ?

ଆମ ସକାଳ ଚଲାଗୋଷ୍ଠୀରେ ଏବେ ଜଣେ ନୂଆ ବାବୁ ସାମିଲ ହୋଇିଛନ୍ତି । ଶଙ୍କର୍ଷଣ ଧର। ସରକାରୀ କର୍ମଚାରୀ। ପ୍ରବଳ ପଇସା । ଆସୁ ଆସୁ ସିଏ ଆମକୁ ଶୁଣାଇଦେଲେ ଯେ ସିଏ ଜୀବନରେ କେବେ ସୂର୍ଯେ୍ୟାଦୟ ଦେଖି ନାହାନ୍ତି । ତେଣୁ ଆମ ଭିତରୁ ଜଣେ କିଏ ଯାଇ ତାଙ୍କୁ ନିଦରୁ ଉଠାଇଲେ ତାଙ୍କ ଘରେ ଚାହା ପିଆହେବ ଓ ସେଇଠୁ ଚାଲିବା। ମୁଁ ଦେଖିଲି ଏ କଥାଟିକୁ ଆମ ଗୋଷ୍ଠୀରେ କେହି ପସନ୍ଦ କରୁନାହାନ୍ତି । ମୁଁହ ମୋଡୁଛନ୍ତି । ତେଣୁ ଦାୟିତ୍ୱଟିକୁ ମୁଁ ମୁଣ୍ଡକୁ ନେଇ କହିଲି ହେଉ! ମୁଁ ଆପଣଙ୍କୁ ନିଦରୁ ଉଠାଇଦେବି । ଚାଲିବା । ହେଲେ ସେ କଥା ହୋଇ ପାରିଲାନି । ମୁଁ ତ ନିଜେ କେବେ ସୂର୍ଯେ୍ୟାଦୟ ଦେଖିନି ଆଉ ତାଙ୍କୁ କ’ଣ ଦେଖେଇବି? ତେଣୁ କଥାହେଲା ଯେ ସମସ୍ତେ ମିଶି ତାଙ୍କ ଘରକୁ ଯିବୁ ଓ ତାଙ୍କୁ ଉଠାଇ ଚାଲିବୁ । ହେଲେ ସବୁଦିନେ ସେପରି କରିବାକୁ ହେଲାନି । ବାବୁଙ୍କ ପତ୍ନୀଙ୍କୁ ସବୁଦିନେ ୮/୧୦କପ ଚାହା କରିବାକୁ ହେଲା । କାରଣ ସିଏ ତାଙ୍କ ରୋଷେଇ ଘରେ ବାବୁଙ୍କ ଚାକର ପିଲାଟିକୁ ମଧ୍ୟ ପଶିବାକୁ ଦିଅନ୍ତି ନାହିଁ । ତେଣୁ ସିଏ ଗୋଟା ବାଟ କଲେ ସବୁଦିନେ ବାବୁଙ୍କୁ ଜବରଦସ୍ତ ନିଦ ଭଙ୍ଗେଇ ଚାଲିବାପାଇଁ ରେଡ୍ଡୀ କରାଇଲେ । ଏହି ପ୍ରକ୍ରିୟାରେ ସବୁଦିନେ ତାଙ୍କ ପାଇଁ ଚାଲିବାରେ ବିଳମ୍ବ ହୁଏ ତେଣୁ ସମସ୍ତେ ମନେ ମନେ ବିରକ୍ତ, କିନ୍ତୁ କିଛି କହି ପାରନ୍ତିନି । ରାଜଧାନୀ କଥା । କିଏ କାହାର ସାଥୀ? ଥରେ ସାଥୀ ମିଳିଛନ୍ତି ଯେତେବେଳେ ତାଙ୍କୁ ଆଉ ହଜାଇ ଦେବାଟା ଠିକ ହେବନାହିଁ । ଦ୍ୱିତୀୟ କଥା ହେଉଛି ବାବୁଙ୍କର ରାଜନୀତିରେ ବଡ଼ ଆଗ୍ରହ । ତେଣୁ ମତେ ଆଲୋଚନା କରିବାକୁ ସାଥୀଟିଏ ମିଳିଛନ୍ତି ।
ସେଦିନ ସନ୍ଧ୍ୟାରେ ବାବୁ ଶୀଘ୍ର ଶୀଘ୍ର ଅଫିସରୁ ପଳାଇ ଆସି ଆମ ଟିଭି ଆଗରେ ବସି ପଡିଲେ । ଟିଭିରେ ନିଉଜ୍ ଆରମ୍ଭ ହେଉଛି । ଆରମ୍ଭରେ ଜଣେ ବଡ଼ ବିଜେଡି ନେତା କହିଲେ ଯେ ଅମୁକଙ୍କୁ ଦଳରୁ ବାହାର କରିଦେବାଟା ଠିକ ହୋଇନି । ଏମିତି ହେଲେ ଦଳ ଚାଲିବ ନାହିଁ । ସମସ୍ତଙ୍କ ମତକୁ ଗୁରୁତ୍ୱ ଦେବାକୁ ହେବ । ଏଥର ଧର ବାବୁ ନିଜ ହାତରେ ଆମ ଘର ଟିଭିର ସାଉଣ୍ଡ କମାଇ ଦେଇ ମତେ ପଚାରିଲେ -ଆଜ୍ଞା । ଏ ବିଜେଡି ଦଳୁଟା ଆଉ ରହିବ ଟି? ଆମେ ତାଙ୍କୁୁ ପଚାରିଲୁ ଆପଣଙ୍କୁ କ’ଣ ଲାଗୁଛି? ସିଏ କହିଲେ-ସବୁ ବୁଢାଯାକ ତ ବିରୋଧ କଲେଣି । ପୁଣି ଛାଡ଼ିକିରି ପଳାଉଛନ୍ତି । ଏ ଦଳ ରହିିବ କେମିତି?
ମୁଁ କହିଲି ଧରବାବୁ ଆପଣ ବଣ ସାରୁ ଦେଖିଛନ୍ତି । ସିଏ କହିଲେ ହଁ! ଦେଖିନି? ମୁଁ କହିଲି – ଗୋଟାଏ ସମୟରେ ସେଗୁଡ଼ା ସବୁ ମରିଯାଆନ୍ତି ନା ନାହିଁ? ସିଏ କହିଲେ ହଁ ଖରାଦିନେ ପୁରା ଶୁଖିକିରି ନଣ୍ଡା ହୋଇ ଯାଆନ୍ତି । ର୍ମୁଁ ପଚାରିଲି ବର୍ଷାଦିନ ଆସିଲେ କ’ଣ ହୁଏ? ଧର ବାବୁ ହସ ହସ ମୁଁହ କରି କହିଲେ -ସେଥିରୁ ପୁଣି କିଛି ଭର ଭର ହୋଇ ଉଠନ୍ତି । ହେଲେ ସବୁ ଗୁଡ଼ା ଉଠନ୍ତିନି । ଆମେ କହିଲୁ -ବାସ୍! ଏବେ ସମୟ ଠିକ୍ ନାହିଁ । ବିଜେଡି ୨୪ ବର୍ଷ ଶାସନ କଲା । ଦମ୍ ନେବ । ତା’ରି ଭିତରେ ଯିଏ ଯେଉଁଠି ପାଣି ସୁବିଧା ପାଇବେ ତାଙ୍କର ଯିବେ । ପୁଣି ଯେତେବେଳେ ବର୍ଷା ଆସିବ ଯେଉଁଗୁଡ଼ିକ ଶୁଖିଶାଖିକି ଥିବେ, ପୁଣି ଉଠିବେ । ହେବ ନା ନାହିଁ? ଯିଏ ଗଲେ ଗଲେ । ମାଳିକା କହିଲା ପରା – ଉତ୍ତରେ ସାଜିବ, ଦକ୍ଷିଣେ ଗାଜିବ, ପୂର୍ବେ ନ ରହିବେ କେହି / ଝାଡ଼ବାଡ଼ ଧରି ଯେତିକି ରହିବେ କୂଳକୁ ବିହନ ସେହି । ଧରବାବୁ କହିଲେ ହେଲେ ନବୀନ ବାବୁ ନେତା ପରା । କିଛି କହୁ ନାହାନ୍ତି କାହିଁକି? ଆମେ ପଚାରିଲୁ ତାହାହେଲେ ଉପରାଷ୍ଟ୍ରପତି ନିର୍ବାଚନ ବେଳେ ବିଜେଡି ଯେଉଁ ନିଷ୍ପତ୍ତି ନେଲା ତାକୁ କିଏ କହିଲା? ଧର ବାବୁ କହିଲେ – ନବୀନ ବାବୁ! ସିଏ ପାର୍ଟିର ନେତା ଆଉ ନିଷ୍ପତ୍ତି ଟା କହିବେନି? ହେଲେ ସିଏ ସିଏ ତ କିଛି ହଁ କହିଲେନି କି ନାଁ କହିଲେନି । ଆମେ ପଚାରିଲୁୁ ଯଦି ନବୀନ ବାବୁ କହିଥାଆନ୍ତେ ଯେ ବିଜେଡି ଭୋଟରେ ସାମିଲ ହେବ; ତାହାହେଲେ କ’ଣ ହୋଇଥାଆନ୍ତା? ନରେନ୍ଦ୍ର ମୋଦୀଙ୍କ ପ୍ରାର୍ଥୀ ଯିଏ ଏଇଲେ ଉପରାଷ୍ଟ୍ରପତି ନିର୍ବାଚିତ ହେଲେ ସିଏ କ’ଣ ହାରି ଯାଇଥାଆନ୍ତେ କି? ଓଲଟା ବିଜେପିର ଆବଶ୍ୟକ ନଥିଲେ ବି ଯେତିକି ଅଛନ୍ତି ସେତିକିରୁ କିଛି ଲୋକ ପ୍ରତିନିଧି ପଇସା ପକେଇ କ୍ରସ ଭୋଟିଙ୍ଗ କରି ଦେଇ ନଥାଆନ୍ତେ । କରି ଥାଆନ୍ତେ ନା ନାହିଁ? ଧର ବାବୁ କହିଲେ -ନିଶ୍ଚୟ କରିଥାଆନ୍ତେ ଆଜ୍ଞା । ନିଶ୍ଚୟ କରିଥାଆନ୍ତେ ।
ମୁଁ କହିଲି -ବାସ୍! କିଛି ତ ହେବାର ନାହିଁ, ତେଣୁ ବାବୁ ନବୀନ ପଟ୍ଟନାୟକ ବର୍ତ୍ତମାନ ବାଇ ଚଢ଼େଇ । ବସି ବସି ଏମାନଙ୍କ ବାଦୀପାଲା ଦେଖୁଛନ୍ତି ଆଉ ମନଫୁଲାଣିଆ ଗୀତ ଗାଉଛନ୍ତି- ‘ବାଇ ଚଢ଼େଇର କି ଯାଅଇ, ବାଆ କଲେ ବସା ଦୋହଲୁଥାଇ ।’ ଧରବାବୁଙ୍କ ମନକୁ ପୁରା କଥାଟା ପାଇଗଲା କି କ’ଣ । କହିଲେ -ଏକଦମ ଠିକ କହିଲେ ଆଜ୍ଞା । ଚାଲନ୍ତୁ ଯିବା । ଆମେ କହିଲୁ ରୁହ! ଚା ପିଅ । ଯିବ । ଆଉ କ’ଣ?

ଅନ୍ତହୀନ ଶୋଷର କାହାଣୀ?

ଓଡ଼ିଶାରେ ଲୋକସେବା ଆୟୋଗ (OPSC) ପରିଚାଳିତ ଯେଉଁ ଓଏଏସ ପରୀକ୍ଷା ହୁଏ, ସେଥିରେ ୨୦୧୯ର ଟପ୍ପର ହୋଇଥିଲେ ବାବୁ ଅଶ୍ୱିନୀ କୁମାର ପଣ୍ଡା । ସେ ଏବେ ବାମରା ତହସିଲର ତହସିଲଦାର ଥିଲେ । ବାବୁ ଜଣେ ପ୍ରତିଭାବାନ୍ ଯୁବକ ଥିଲେ କିନ୍ତୁ କଳାପଇସା ରୋଜଗାରର ଅନ୍ତହୀନ ଶୋଷରେ ଫସି ଯାଇଥିଲେ । ଜମି ପଟ୍ଟା ମ୍ୟୁଟେସନ ଓ ଜମିର କିସମ ପରିବର୍ତ୍ତନ ପାଇଁ ସିଏ ୧୫ହଜାର ଟଙ୍କାର ଲାଞ୍ଚ ନେଉଥିବାବେଳେ ସମ୍ବଲପୁର ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି । ସେ ଯାହାଠାରୁ ପଇସା ନେଉଥିଲେ ସେ ବାମରା ବ୍ଲକ ଅଂଚଳର ଜଣେ ଲୋକ । ଜମିବାଡି କାମରେ ପଣ୍ଡାବାବୁଙ୍କୁ କ’ଣ ଖର୍ଚ୍ଚାପାଣି ଦେବାକୁ ନେଇ ଦୁହିଁଙ୍କ ଭିତରେ ଆଲୋଚନା ହୋଇଥିଲା । ଧରାପଡ଼ିବା ଦିନ ସିଏ ସେଥିରୁ ୧୫୦୦୦ ଟଙ୍କାର ନୋଟ ବାବୁଙ୍କୁ ଦେଇଥିଲେ । ପରେ ଆଉ ଦେଇଥାଆନ୍ତେ କି କ’ଣ । କିନ୍ତୁ ସିଏ ଏ କଥାର ସୂଚନା ଭିଜିଲାନ୍ସ ଅଧିକାରୀମାନଙ୍କୁ ଦେଇଥିଲେ । ତେଣୁ ଭିଜିଲାନ୍ସବାଲା ଆସି ତାଙ୍କୁ ମାଡ଼ି ବସିଲେ । କଥା ହେଉଛି ଜଣେ ଯୁବକ ଓଏଏସ୍ ଅଫିସରଙ୍କର ଯେତେ ପରିମାଣରେ ଦରମା, ଭତ୍ତା, ମହଙ୍ଗା ଭତ୍ତା, ଘରଭଡ଼ା, ଟିଏ, ଡିଏ ଆଦି ସବୁ ମିଳୁଛିି ତା’ପରେ ବାବୁ ଏଇ ଯୁବା ବୟସରୁ ମାତ୍ର ଟଙ୍କା ୧୫ହଜାର ପାଇଁ ଦୁର୍ନୀତି କରି ଜେଲ ଯାଉଛନ୍ତି! ତାଙ୍କର କେତେ ଦୀର୍ଘ କ୍ୟାରିଅର ନଥିଲା? ସବୁ ଗଲା । ସବୁଠୁ ବଡ଼କଥା ହେଉଛି ଜଣେ ଓଏଏସ୍ ଟପ୍ପର ଏପରି କାର୍ଯ୍ୟ କରି ଧରା ପଡ଼ିବାଟା ତାଙ୍କ ପର ପିଢ଼ିଙ୍କୁ କି ବର୍ତ୍ତା ନ ଦେବ?
ଏହି କଥାକୁ ଖଟିରେ ଆଲୋଚନାର ବିଷୟବସ୍ତୁ କରିବାପାଇଁ ଜଣେ ବନ୍ଧୁ ଉଦ୍ୟମ କଲାବେଳକୁ ଧଡ଼କିନା ଆଉ ଜଣେ କହିଲେ ହଇଓ! ହଇଓ ଆଙ୍କର ତ ଦରମା ଯାହେଲେ ବି କମ୍ ଥିବ । ଯଉଁ ସିନିଅର ସେଠୀବାବୁ ଏହି କାମ କରି ଜେଲ ଯିବା କଥା, ସିଏ ତ କାଇଁ ଯାଇନାହାନ୍ତି? କାହାକୁ ଧରିକି ଏବେ ସରକାରୀ ଘରେ ମଉଜ କରୁଛନ୍ତି । ହଇଓ ବାବୁ ତାଙ୍କର ଦି ପ୍ରାଣୀକି ମିଶେଇ ସରକାରୀ ବେସରକାରୀରୁ କେବଳ ଧଳାରେ ୫ଲକ୍ଷ ଆଉଚି । ମଣିଷବିରୋଧୀ କଳାଧନ କଥା ଛାଡ଼ । ସିଏ କେମିତି ଘୁଅରେ ହାତ ପକାଉଥିଲେ? ସେତେବେଳକୁ ଦେଖାଗଲାନି?
ଆମେ ଆଉ କ’ଣ କହିବୁ? କଳାଧନର ଯେଉଁ ଶୋଷ ସେଥିରେ କ’ଣ ଆଉ କୁହାଯିବ??

Download ସୁରେନ୍ଦ୍ର ପାତ୍ର

Comments

0 comments

Share This Article