ଓଡ଼ିଆ ଖବରକାଗଜରେ ଗାନ୍ଧୀ

39 Views
18 Min Read

ସ୍ୱାଧୀନତା ସଂଗ୍ରାମ ଅବଧି କାଳରେ ଗାନ୍ଧିଜୀ ସମୁଦାୟ ୮ଥର ଓଡ଼ିଶା ଆସିଛନ୍ତି । ରାଜ୍ୟର ବିଭିନ୍ନ ପ୍ରାନ୍ତ ବୁଲିବା ସହିତ ପଦଯାତ୍ରା କରିଛନ୍ତି । ୧୯୨୧ ମସିହା ମାର୍ଚ୍ଚମାସରେ ସେ ପ୍ରଥମଥର ଓଡ଼ିଶା ଆସିଥିଲେ । କଟକର କଦମରସୁଲ, କାଠଯୋଡ଼ି ପଠା, ଭଦ୍ରକର ଗାନ୍ଧି ପଡ଼ିଆ ଓ ବ୍ରହ୍ମପୁରଠାରେ ସେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଥିଲେ । ଅସହଯୋଗ ଆନେ୍ଦାଳନରେ ଯୋଗଦେବା ପାଇଁ ସେ ସଭିଙ୍କୁ କହିଥିଲେ । ଏପରିକି ଗାନ୍ଧୀ ନିଜର ପ୍ରଥମ ଓଡ଼ିଶା ଗସ୍ତ ସମୟରେ କଟକର ବିନୋଦବିହାରୀଠାରେ ମହିଳାମାନଙ୍କର ଏକ ସମାବେଶରେ ଉଦବୋଧନ ଦେଇଥିଲେ ।
ପରେ ଗାନ୍ଧୀ ୧୯୨୫, ୧୯୨୭, ୧୯୨୮, ୧୯୩୪ (ଦୁଇ ଥର), ୧୯୩୮ ଏବଂ ୧୯୪୬ରେ ଓଡ଼ିଶା ଆସିଥିଲେ । ଉକôଳ ପ୍ରଦେଶକୁ ସେ ଖୁବ ଭଲ ପାଆନ୍ତି ଏବଂ ଏଠାରୁ ଅନେକ କିଛି ଶିକ୍ଷାଲାଭ କରିଥିବା କଥା ଗାନ୍ଧୀ ପରବର୍ତ୍ତୀ ପର୍ଯ୍ୟାୟରେ ବାରବାର ଦୋହରାଇଥିଲେ । ତେବେ ସ୍ୱାଧୀନତା ପରେ ସେ ଆଉ ଓଡ଼ିଶା ଆସିନଥିଲେ । ସ୍ୱାଧୀନତାର ଛଅ ମାସ ପରେ ତ ଆତତାୟୀ ଗୁଳିରେ ସେ ନିହତ ହୋଇଥିଲେ ।
ଗାନ୍ଧୀ ଓ ଓଡ଼ିଆ ଖବରକାଗଜ
ଗାନ୍ଧୀ ଯେତେଥର ଓଡ଼ିଶା ଆସିଛନ୍ତି, ଓଡ଼ିଶାରୁ ପ୍ରକାଶିତ ସେହି ସମୟର ପ୍ରାୟ ସମସ୍ତ ଖବରକାଗଜ ତାଙ୍କର ଗସ୍ତ, ତାଙ୍କର ଭାଷଣ, ତାଙ୍କର ବାଣୀ, ତାଙ୍କର ରହଣି, ଜୀବନଚର୍ଯ୍ୟା ସମ୍ପର୍କରେ ଅନେକ ଖବର ଛାପିଛନ୍ତି । ଯେବେଯେବେ ଗାନ୍ଧୀ ଓଡ଼ିଶା ଆସିଛନ୍ତି, ସେବେସେବେ ରାଜ୍ୟର ଖବରକାଗଜ ସବୁ ଗାନ୍ଧୀମୁହାଁ ହୋଇଯାଇଛନ୍ତି । ତାଙ୍କର ବକ୍ତବ୍ୟ, ମନ୍ତବ୍ୟ ସହିତ ତାଙ୍କର ବ୍ୟକ୍ତିତ୍ୱକୁ ଖବରକାଗଜରେ ଅଗ୍ରପ୍ରାଧାନ୍ୟ ଦିଆଯାଇଛି ।
ଓଡ଼ିଶାର ପ୍ରଥମ ଦୈନିକ ଖବରକାଗଜର ମାନ୍ୟତା କିଛି ଲୋକ ‘ଗାନ୍ଧୀ ସମାଚାର’କୁ ଦିଅନ୍ତି । ନିରଂଜନ ପଟ୍ଟନାୟକ ଗଂଜାମର ବ୍ରହ୍ମପୁରରୁ ଏହି ଖବରକାଗଜ ପ୍ରକାଶନ କରୁଥିଲେ ଓ ସେ ଏହାର ସମ୍ପାଦକ ଥିଲେ । ‘ଗାନ୍ଧୀ ସମାଚାର’ ପ୍ରକାଶିତ ହେବା ପଛରେ ଗାନ୍ଧୀଙ୍କ ଆଦର୍ଶ ଏବଂ ଗାନ୍ଧୀଙ୍କ ପ୍ରତି ଓଡ଼ିଶାର ଲୋକଙ୍କର ଅନୁରକ୍ତି ପ୍ରତିଫଳିତ ହୋଇଥିଲା ।
ଗାନ୍ଧୀ ନିଜର ତୃତୀୟ ଗସ୍ତକାଳରେ ୧୯୨୭ ମସିହାରେ ବ୍ରହ୍ମପୁର ଯାଇଥିଲେ । ସେଠାରେ ଡିସେମ୍ବର ୪ତାରିଖରୁ ବିଭିନ୍ନ ଖଦୀ ଉତ୍ପାଦନ କେନ୍ଦ୍ର ବୁଲି ଦେଖିଥିଲେ । ମହାତ୍ମାଙ୍କର ସେହି ଗସ୍ତକୁ ସ୍ମରଣୀୟ କରିବା ନିମନ୍ତେ ଯୁବ ସଂଗ୍ରାମୀ ନିରଂଜନ ପଟ୍ଟନାୟକ ଏକ ନୂତନ ପରିକଳ୍ପନା କରିଥିଲେ ଏବଂ ତାହା ଥିଲା ‘ଗାନ୍ଧୀ ସମାଚାର’ର ପ୍ରକାଶନ । ଏହା ଏକ ଦୈନିକ ବୁଲେଟିନ ରୂପେ ଆତ୍ମପ୍ରକାଶ କରିଥିଲା । ଗାନ୍ଧୀଙ୍କ ଗସ୍ତ ସମ୍ପର୍କିତ ଟିକିନିଖି ଖବର ଏଥିରେ ପ୍ରକାଶିତ ହେଉଥିଲା । ତେବେ ଗାନ୍ଧୀଙ୍କ ଗସ୍ତ ପରେ ଏହା ବନ୍ଦ ହୋଇଯାଇଥିଲା । ଏହାକୁ ଦେଖି ଶଶୀଭୂଷଣ ରଥ ‘ଆଶା’ ଖବରକାଗଜକୁ ‘ଦୈନିକ ଆଶା’ରେ ପରିବର୍ତ୍ତନ କରିବା ପାଇଁ ପ୍ରେରଣା ପାଇଥିଲେ ।
ଏହା ଠିକ ସେଇମିତି ଢଙ୍ଗରେ ହୋଇଥିଲା, ଯେମିତି ଢଙ୍ଗରେ ଏସ୍. ସଦାନନ୍ଦ ଭାରତରେ ‘ଫ୍ରି ପ୍ରେସ୍ ଏଜେନ୍ସି’ ଆରମ୍ଭ କରିଥିଲେ । ଗାନ୍ଧୀ ଯେଉଁ ସମୟରେ ଜୋରଦାର ଆନେ୍ଦାଳନ କରୁଥିଲେ, ସେହି ସମୟରେ ରଏଟର୍ସ ଏବଂ ଆସୋସିଏଟେଡ଼୍ ପ୍ରେସ୍ ଆଦି ଏଜେନ୍ସିଗୁଡ଼ିକ ଗାନ୍ଧୀଙ୍କ ଖବରକୁ ସେତେଟା ପ୍ରଧାନ୍ୟ ଦେଉନଥିଲେ । ଫଳରେ ଗାନ୍ଧୀ ସମ୍ପର୍କିତ ଖବର ଭାରତୀୟ ଖବରକାଗଜଗୁଡ଼ିକ ନିକଟକୁ ଯାଇ ପାରୁନଥିଲା । ଖବରକାଗଜ ଗୁଡ଼ିକର ଆର୍ଥôକ ଅବସ୍ଥା ସେବେ ଏମିତି ସ୍ୱଚ୍ଛଳ ତ ନଥିଲା ଯେ, ସେମାନେ ଚାରିଆଡ଼କୁ ନିଜର ପ୍ରତିନିଧି ପଠାଇବେ । ତେଣୁ ସେମାନେ ନ୍ୟୁଜ୍ ଏଜେନ୍ସି ଉପରେ ନିର୍ଭର କରୁଥିଲେ । ଆଉ ଯେତେବେଳେ ବିଦେଶୀ ଏଜେନ୍ସିଗୁଡ଼ିକ ଗାନ୍ଧୀଙ୍କୁ ଗୁରୁତ୍ୱ ନଦେଲେ ସେତେବେଳେ ସଦାନନ୍ଦ ଭାରତର ପ୍ରଥମ ନ୍ୟୁଜ୍ ଏଜେନ୍ସି ୧୯୨୫ ମସିହାରେ ଆରମ୍ଭ କରିଥିଲେ । ବ୍ରିଟିଶ ସରକାରର ପରୋକ୍ଷ ଚାପରେ ଏହା ୧୯୩୫ ମସିହାରେ ବନ୍ଦ ହୋଇଯାଇଥିଲା ।
ଓଡ଼ିଶାର ପ୍ରଥମ ଖବରକାଗଜ ‘ଉକ୍ରଳ ଦୀପିକା’ ତାର ପ୍ରକାଶନ କାଳରେ ଗାନ୍ଧୀଙ୍କୁ ସର୍ବଦା ବେଶ୍ ଗୁରୁତ୍ୱ ଦେଇ ଆସିଥିଲା । ଅବଶ୍ୟ ଗାନ୍ଧୀଙ୍କ ଶେଷ ଦୁଇଟି ଗସ୍ତବେଳକୁ ଏହାର ପ୍ରକାଶନ ବନ୍ଦ ହୋଇଯାଇଥିଲା । ୧୯୨୫ରେ ଗାନ୍ଧୀଙ୍କ ଓଡ଼ିଶା ଗସ୍ତବେଳେ ଉକ୍ରଳ ଦୀପିକା ବ୍ୟାନର ହେଡ଼ଲାଇନ ଛାପି ଗାନ୍ଧୀଙ୍କୁ ସ୍ୱାଗତ କରିଥିଲା । ୧୯୨୫ ମସିହା ଅଗଷ୍ଟ ୨୨ତାରିଖ ଦିନର ଶିରୋନାମା ଥିଲା- ମହାତ୍ମା ଗାନ୍ଧୀଙ୍କର କଟକ ଆଗମନ । ସେହି ସମୟରେ ସୂତା କାଟିବାର ଉଦେ୍ଦଶ୍ୟ, ଗାନ୍ଧୀଙ୍କ ବକ୍ତୃତାର ଓଡ଼ିଆ ଅନୁବାଦ ଏବଂ ଗସ୍ତର ବିବରଣୀ ପ୍ରକାଶ କରିଥିଲା । ସେହିପରି ୧୯୨୭ ମସିହା ଡିସେମ୍ବର ମାସରେ ଯେବେ ଗାନ୍ଧୀ ଓଡ଼ିଶା ଆସିଥିଲେ, ‘ଉକôଳ ଦୀପିକା’ ଏକା ବ୍ୟାନର ହେଡ଼ଲାଇନ ସହ ମୌନବ୍ରତ ଏବଂ ଅନ୍ୟାନ୍ୟ ଖବର ମଧ୍ୟ ଛାପିଥିଲା ।
ଡିସେମ୍ବର ୨୪ ତାରିଖ ୧୯୨୭ ମସିହାରେ ‘ଉକ୍ରଳ ଦୀପିକା’ ଗାନ୍ଧୀଙ୍କ ଉପଦେଶକୁ ‘ମହାତ୍ମାଜୀଙ୍କ ବାଣୀ’ଭାବେ ପ୍ରଥମପୃଷ୍ଠାରେ ଛାପିଥିଲା । ପ୍ରଥମ ପୃଷ୍ଠାରେ ବଡ଼ ବଡ଼ ଅକ୍ଷରରେ ଏକ ବକ୍ସ କରି ତାହା ମଧ୍ୟରେ ସ୍ଥାନିତ ହୋଇଥିଲା ଗାନ୍ଧୀଙ୍କ ବାଣୀ । ସେଥିରେ ଲେଖା ହୋଇଥିଲା- ଉକ୍ରଳର ଦରିଦ୍ରତା କଥା ମୁଁ କେତେକ ପରିମାଣରେ ଜାଣେ । ଆପଣଙ୍କ ସାହାଯ୍ୟ ବ୍ୟତିରେକ ଏହା ଦରିଦ୍ରତା ଦୂର ନହୋଇପାରେ । ଆପଣମାନେ ଖଦଡ଼ ପିନ୍ଧନ୍ତୁ, ସୂତା କାଟନ୍ତୁ, ଖଦଡ଼ ପ୍ରଚାର ପାଇଁ ଆଉ ଯେ କୌଣସି ପ୍ରକାର ସାହାଯ୍ୟ ଆବଶ୍ୟକ ତାହା କରନ୍ତୁ । ଉକ୍ରଳ ଦେଶରେ ଅସ୍ପୃଶ୍ୟତା ରହିବା ଉଚିତ ନୁହେଁ । ଆପଣମାନେ ଏ ଦୋଷ ନିବାରଣ କରନ୍ତୁ । ଉକ୍ରଳରେ ବହୁ ଲୋକ ଅଫିମ ଖାଉଛନ୍ତି । ତାହା ମଧ୍ୟ ବର୍ଜନ କରନ୍ତୁ । ଭଗବାନ ଉକôଳ ଦେଶର ମଙ୍ଗଳ କରନ୍ତୁ ।
ସେମିତି ‘ନବୀନ’ ଖବରକାଗଜ ଗାନ୍ଧୀଙ୍କ ଗସ୍ତକୁ ସର୍ବାଧିକ ପ୍ରାଧାନ୍ୟ ଦେଇ ଆସିଥିଲା । ୧୯୩୪ ମସିହାରେ ଗାନ୍ଧୀଙ୍କ ଗସ୍ତ ସମୟରେ ସମସ୍ତ ଖବର ସହିତ କେତେ ଟଙ୍କା ଚାନ୍ଦା ଆଦାୟ ହୋଇଥିଲା, ତାହା ବି ଲେଖିଥିଲା । ଜୁନ ୧୨ ସଂଖ୍ୟାରେ ‘ନବୀନ’ ଲେଖିଥିଲା- ଗାନ୍ଧୀଙ୍କ ଗସ୍ତ ସମୟରେ ୬୭୪୯ ଟଙ୍କା ଓ ୬୫୦୦ଟଙ୍କାର ଅଳଙ୍କାର ଆଦାୟ ହୋଇଥିଲା । ଏହାର ଅର୍ଥ- ସମସ୍ତେ ସବୁକିଛି ଜାଣନ୍ତୁ । ଗାନ୍ଧୀ ନିଜ ବ୍ୟକ୍ତିଗତ ଜୀବନରେ ଯେଭଳି ପାରଦର୍ଶୀ ଥିଲେ, ସେହିପରି ସବୁକଥା ସ୍ପଷ୍ଟ ଭାବେ ସମସ୍ତେ ଜାଣନ୍ତୁ । କିଛି ଲୁଚାଚୋରା ନରହୁ । ୧୯୩୮ ମାର୍ଚ୍ଚ ୨୯ ସଂଖ୍ୟାରେ ତାହା ମହାତ୍ମା ଗାନ୍ଧୀଙ୍କ ବାଣୀ ଖୁବ ସୁନ୍ଦର ଭାବେ ଛାପିଥିଲା । ସେଥିରେ ଗାନ୍ଧୀ କହିଥିଲେ- ଭାରତରେ ଉକ୍ରଳ ମୋର ସବୁଠାରୁ ପ୍ରିୟ ଭୂମି । ସେହି ସମୟରେ ଗାନ୍ଧୀ ଓଡ଼ିଶା ଗସ୍ତରେ ଥିଲେ ।
ସେ ସମୟରେ ପ୍ରକାଶିତ ପ୍ରାୟ ପ୍ରତିଟି ଖବରକାଗଜ ଗାନ୍ଧୀଙ୍କ ଗସ୍ତ ସୂଚନା ଛାପୁଥିଲେ । ଗାନ୍ଧୀ କେଉଁଦିନ କେଉଁଠାକୁ ଯିବେ, କି ସଭା ରହିଛି, ସେ ବିଷୟରେ ଖବର ପ୍ରକାଶିତ ହେଉଥିଲା । ଅବଶ୍ୟ ଅନେକ ସମୟରେ ଦେଖାଯାଇଛି- ଗାନ୍ଧୀଙ୍କ ଗସ୍ତ ସମ୍ପର୍କିତ ଖବର ସେମାନେ ଆଗୁଆ ପାଇପାରି ନାହାନ୍ତି । ସେ ସମୟରେ ତ ଆଜିପରି ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ନଥିଲା । ତେଣୁ ଖବର ପାଇବାରେ ବିଳମ୍ବ ହେଉଥିଲା ନିଶ୍ଚିତ । ତଥାପି ଯାହା ଖବର ସେମାନେ ପାଉଥିଲେ, ତାହା ଛାପୁଥିଲେ । ସ୍ୱତନ୍ତ୍ର ପ୍ରତିନିଧି ଯାଉଥିଲେ ଗାନ୍ଧୀଙ୍କ ସଭାର ରିପୋର୍ଟିଂ କରିବାକୁ ।
‘ଆଶା’ ସେବେ ବ୍ରହ୍ମପୁରରୁ ପ୍ରକାଶିତ ହେଉଥିଲା । ଶଶୀଭୂଷଣ ରଥ ଥିଲେ ଏହାର ସଂପାଦକ । ‘ଆଶା’ ସବୁସମୟରେ ସର୍ବାଧିକ ଗୁରୁତ୍ୱ ମହାତ୍ମା ଗାନ୍ଧୀଙ୍କୁ ଦେଇଛି । ଗାନ୍ଧୀ ଓଡ଼ିଶା ଆସିବାବେଳେ ‘ଆଶା’ବେଶ ପ୍ରଭାବଶାଳୀ ଥିଲା ଓ ନିୟମିତ ପ୍ରକାଶିତ ହେଉଥିଲା । ୧୯୨୫ ମସିହା ଅପ୍ରେଲ ୪ ତାରିଖ ସଂଖ୍ୟାରେ ‘ଆଶା’ ଲେଖିଥିଲା- ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ପରିଭ୍ରମଣ ଏକ ପ୍ରଧାନ ଘଟଣା । ଓଡ଼ିଶା ଦ୍ୱୀପ ପରି ବିଚ୍ଛିନ୍ନ ହୋଇ ରହିଥିଲା । ଓଡ଼ିଶାର ନେତାମାନେ ଜାତୀୟ ଆନେ୍ଦାଳନରେ ଯୋଗ ଦେଉନଥିଲେ । ଭାରତର ନେତାମାନେ ତେଣୁ ଓଡ଼ିଶାକୁ ଅଣଦେଖା କରୁଥିଲେ । ପଣ୍ଡିତ ଗୋପବନ୍ଧୁ ଏମିତି ବେଳରେ ଗାନ୍ଧୀଙ୍କୁ ଓଡ଼ିଶା ଆମନ୍ତ୍ରଣକରି ଓଡ଼ିଶା ସହ ସମ୍ପର୍କ ପ୍ରତିଷ୍ଠା କରିବା ଦିଗରେ ସହାୟକ ହୋଇଛନ୍ତି ।
ଏଥିରୁ ଏହା ସ୍ପଷ୍ଟ ଯେ, ନଅଙ୍କ ଦୁର୍ଭିକ୍ଷରେ ଭୋକରେ ଆଉଟୁପାଉଟୁ ହୋଇ ଭାଙ୍ଗି ପଡ଼ିଥିବା ଏହି ଜାତିର ଇତିହାସରେ ସ୍ୱାଧୀନତା ପୂର୍ବରୁ ବେଶ କଳା ସମୟ ଆସିଥିଲା । ଯେଉଁଠି ଓଡ଼ିଆ ଜାତି ଜାତୀୟସ୍ତରରେ ପରିଚିତ ବି ହୋଇପାରି ନଥିଲା । ଗାନ୍ଧୀ ଓଡ଼ିଶା ଆସିବା ଫଳରେ ଏ ଜାତିର କାନରେ ନୂଆ ମନ୍ତ୍ର ଫୁଙ୍କି ହୋଇଯାଇଥିଲା । ଗାନ୍ଧୀ ଯେଉଁ ଉତ୍ସାହ ଓ ପ୍ରେରଣା ଦେଇଥିଲେ, ତାକୁ ଆଧାର କରି ଗୋପବନ୍ଧୁ, ନବକୃଷ୍ଣ, ଆଚାର୍ଯ୍ୟ ହରିହର, ନୀଳକଣ୍ଠ ପ୍ରମୁଖ ସ୍ୱାଧିନତା ଆନେ୍ଦାଳନରେ ମାତି ଯାଇଥିଲେ । ଆଉ ତାହା ଏ ଜାତିର ହୃତ ଗୌରବ ଫେରାଇ ଆଣିବାରେ ବେଶ୍ ସକ୍ଷମ ହୋଇଥିଲା । ଜାତିର ସ୍ୱାଭିମାନକୁ ଟାଣୁଆ କରିଥିଲା ।
‘ଆଶା’ ଖବରକାଗଜ ଗାନ୍ଧୀଙ୍କ ଆତ୍ମଚରିତକୁ ଓଡ଼ିଆରେ ଅନୁବାଦିତ କରି ନିୟମିତ ଭାବେ ପ୍ରକାଶ କରୁଥିଲା । ପୀତାମ୍ବର ମିଶ୍ର ସେତେବେଳେ ଏହାର ଅନୁବାଦ କରୁଥିଲେ । ସେହି ସମୟରେ ବର୍ତ୍ତମାନ ସମୟ ତୁଳନାରେ ମୁଦ୍ରଣ କ୍ଷେତ୍ରରେ କାରିଗରୀ ଜ୍ଞାନରେ ବିକାଶ ଥିଲା ସୀମିତ । ଖବରକାଗଜ ପୃଷ୍ଠାରେ ଖବର ସହ ଫଟୋ ଛପାଯିବା ବେଶ୍ କଷ୍ଟ ଓ ଖର୍ଚ୍ଚସାପେକ୍ଷ ବ୍ୟାପାର ଥିଲା । କିନ୍ତୁ ‘ଆଶା’ ଗାନ୍ଧୀଙ୍କ ବଡ଼ ଫଟୋ ବହୁ ସମୟରେ ପ୍ରଥମ ପୃଷ୍ଠାରେ ଛାପିଛି । ଏହାତଳେ ମାତ୍ର କେଇଧାଡ଼ି ଲେଖା ସହିତ ଗାନ୍ଧୀଙ୍କ ଫଟୋ ଏହା ଛାପୁଥିଲା । ସେହି ସମୟରେ ସନାତନୀମାନଙ୍କ ସହ ଗାନ୍ଧୀଙ୍କର ମତଭେଦ ହୋଇଥିଲା । ହରିଜନ ମନ୍ଦିର ପ୍ରବେଶ ନେଇ ଏମିତି ସ୍ଥିତି ଉପୁଜି ଥିଲା । ଆଉ ସକଳ ବାଧାବିଘ୍ନ ସତ୍ତ୍ୱେ ‘ଆଶା’ ଏ ସମ୍ପର୍କିତ ବ୍ୟଙ୍ଗଚିତ୍ର ପ୍ରଥମ ପୃଷ୍ଠାରେ ଛାପିଥିଲା । ଯେଉଁଠିି ଗାନ୍ଧୀଙ୍କୁ ହାତୀ ଭାବେ ଚିତ୍ରଣ କରାଯାଇଥିଲା । ତାଙ୍କୁ ବିରୋଧ କରୁଥିବା ଲୋକମାନଙ୍କୁ କୁକୁର ଛବି ଆକାରରେ ପ୍ରଦର୍ଶନ କରାଯାଇଥିଲା । କାର୍ଟୁନରେ ଲେଖା ଯାଇଥିଲା- ସଂସ୍କାର ହାତୀ ମାଡ଼ି ଆସୁଛି । ୧୯୩୪ ମସିହା ୨୮ମଇ ସଂଖ୍ୟାରେ ଏହା ପ୍ରକାଶିତ ହୋଇଥିଲା ।
ସେ ସମୟରେ ଅଧିକାଂଶ ଓଡ଼ିଆ ଖବରକାଗଜରେ ଗାନ୍ଧୀଙ୍କୁ ମହାତ୍ମା ଓ ମହାପୁରୁଷ ଭାବେ ଚିତ୍ରିତ କରାଯାଇଛି । ସେହି ଅନୁସାରେ ଅନେକ ଖବର ଛପାଯାଇଛି । ପାରିପାର୍ଶ୍ୱିକ ବାଧାବିଘ୍ନ ସତ୍ତ୍ୱେ ଓଡ଼ିଆ ଖବରକାଗଜ ଯେତେ ସମ୍ଭବ ଗାନ୍ଧୀଙ୍କୁ ସର୍ବାଧିକ କଭରେଜ ଦେଇଥିଲେ । ପ୍ରଥମ ପୃଷ୍ଠା ଫଟୋ, ପ୍ରଥମ ପୃଷ୍ଠାରେ ଗାନ୍ଧୀ ସପକ୍ଷବାଦୀ ବ୍ୟଙ୍ଗଚିତ୍ର ସେହି ଯୁକ୍ତିକୁ ଆଉ ଟିକେ ବଳିଷ୍ଠ କରେ ଯାହା ।
୧୯୩୮ମସିହାରେ ମାର୍ଚ୍ଚ ୨୫ରୁ ୩୧ପର୍ଯ୍ୟନ୍ତ ଗାନ୍ଧୀ ଓଡ଼ିଶା ଆସିଥିଲେ । ଅପ୍ରେଲ ୪, ୧୯୩୮ମସିହା ସଂଖ୍ୟାରେ ‘ଆଶା’ ଲେଖିଥିଲା- ମହାମାନବ ଗାନ୍ଧୀ ବେରବୋଇଠାରୁ କଲିକତା ପ୍ରୟାଣ କଲେ । ଏହାସହ ଗାନ୍ଧୀଙ୍କର ଏକ ବଡ଼ ଫଟୋ ମଧ୍ୟ ଦିଆଯାଇଥିଲା । ଭିତର ପୃଷ୍ଠାରେ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ବିବୃତି ସ୍ଥାନ ପାଇଥିଲା । ସେଦିନର ବିବୃତି ଅନୁସାରେ-ଗାନ୍ଧୀଙ୍କ ରକ୍ତଚାପ ୧୮୦ ରହିଛି । ଯାହା ଉଚ୍ଚ ରକ୍ତଚାପ । ଓଡ଼ିଶାରେ ଗାନ୍ଧୀଙ୍କୁ ଚିକିତ୍ସା କରୁଥିବା ଶଙ୍କର ଦାସଙ୍କ ବିବୃତିକୁ ଆଧାର କରି ଏହା ପ୍ରକାଶିତ ହୋଇଥିଲା । ରିପୋର୍ଟ ଅନୁସାରେ- ଜଗନ୍ନାଥ ମନ୍ଦିରକୁ ହରିଜନ ନଯିବା ନେଇ ଗାନ୍ଧୀ ମର୍ମାହତ ଅଛନ୍ତି । ଏହା ତାଙ୍କର ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏହାଛଡ଼ା ଆତ୍ମୀୟମାନଙ୍କ କାର୍ଯ୍ୟ-କଳାପରେ ସେ ଗଭୀରଭାବେ ଦୁଃଖିତ ରହିଥିବା ସେ ଖବରକାଗଜ ପ୍ରକାଶ କରିଥିଲା ।
ଏହି ରିପୋର୍ଟ ପରୋକ୍ଷରେ ଜଣାଇ ଦେଉଛି ଯେ, ଶ୍ରୀମନ୍ଦିରକୁ ହରିଜନ ପ୍ରବେଶ ନେଇ ଗାନ୍ଧୀ ଯେଉଁ ଅଭିଯାନ ଚଳାଇଥିଲେ, ତାହାକୁ “ଆଶା’ ପୂର୍ଣ୍ଣଭାବେ ସମର୍ଥନ କରୁଥିଲା । ସେହି ପ୍ରସଙ୍ଗକୁ ତାହା ଗାନ୍ଧୀଙ୍କର ସ୍ୱାସ୍ଥ୍ୟ ସହ ଆଣି ଯୋଡ଼ିଥିଲା । ସେ ଅସୁସ୍ଥ ରହିଥିବା ଖବର ଛାପିଥିଲା । ସେହି ସମୟରେ ଅଧିକାଂଶ ଭାରତୀୟ ଗାନ୍ଧୀଙ୍କର ଭକ୍ତ ଓ ଅନୁଗାମୀ ଥିଲେ । ତେଣୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଢ଼ିବା ପରେ ସେମାନଙ୍କ ମନରେ ପରିବର୍ତ୍ତନ ଆସିବ ଓ ସେମାନେ ହରିଜନ ମନ୍ଦିର ପ୍ରବେଶ ଅଭିଯାନକୁ ସ୍ୱାଗତ କରି ମନ୍ଦିର ଦୁଆର ଖୋଲିଦେବେ ବୋଲି ଆଶା ରଖି ‘ଆଶା’ ଖବରକାଗଜ ଏପରି ଛାପିଥିବା ଅନୁମାନ କରାଯାଏ ।
ସେହିପରି ବିଚ୍ଛିନାଞ୍ଚଳ ଓଡ଼ିଆଙ୍କ ସୁରକ୍ଷା ତଥା ଭାଷାଭାଷୀ ଏକତ୍ରୀକରଣ ଦିଗରେ ଓଡ଼ିଆ ଖବରକାଗଜ ବେଶ୍ ପ୍ରଶଂସନୀୟ ଉଦ୍ୟମ କରିଥିଲେ । ସ୍ୱାଧୀନତା ପୂର୍ବରୁ ଜାତୀୟସ୍ତରର ଖବରକାଗଜ ମୁଖ୍ୟତଃ ଦୁଇଟି କାମ କରିଥିଲେ । ଜାତୀୟତା ଆନେ୍ଦାଳନକୁ ଭରପୁର ସମର୍ଥନ ଓ ସମାଜ ସଂସ୍କାରକର ଭୂମିକା । ଓଡ଼ିଶାରେ କିନ୍ତୁ ଖବରକାଗଜ ଆଉ ଗୋଟେ ଅଧିକା କାମ ନିଖୁଣ ଢଙ୍ଗରେ କରିଥିଲେ । ତାହା ହେଉଛି- ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଓ ସ୍ୱତନ୍ତ୍ର ଓଡ଼ିଶା ଗଠନ । ତେଣୁ ୧୯୩୪ରେ ଗାନ୍ଧୀଙ୍କ ଗସ୍ତ ସମୟରେ ଏହି ପ୍ରସଙ୍ଗକୁ ଗାନ୍ଧୀଙ୍କ ସହ ଯୋଡ଼ି ‘ଦୈନିକ ଆଶା’ ଉଠେଇ ଥିଲା । ମଇ ୭ ସଂଖ୍ୟାରେ ଲେଖିଥିଲା- ସିଂହଭୂମି ଗାନ୍ଧୀଙ୍କ ଓଡ଼ିଶା ଗସ୍ତରେ ସାମିଲ ହେବ କି ନାହିଁ ବୋଲି ସେଠାକାର ଲୋକେ ପ୍ରଶ୍ନ କରିଛନ୍ତି । ଫଳରେ ସେପରି ସ୍ପର୍ଶକାତର ପ୍ରସଙ୍ଗକୁ ଗାନ୍ଧିଙ୍କ ସହ ଯୋଡ଼ି ଲୋକଙ୍କ ମନରେ ଅଖଣ୍ଡ ଓଡ଼ିଶାର ଆଶା ସଞ୍ଚାର କରାଯାଇଥିଲା ।
୧୯୩୪ରେ ଓଡ଼ିଶା ଆସିଥିବା ସମୟରେ ଗାନ୍ଧୀ ପଦଯାତ୍ରା କରିଥିଲେ । ଡେଲାଙ୍ଗ, ପୁରୀ, କଟକ, ଯାଜପୁର, ଭଦ୍ରକ ଆଦି ଅଞ୍ଚଳ ସେ ଚାଲି ଚାଲି ବୁଲିଥିଲେ ଓ ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ । ସେହି ସମୟରେ ‘ଦୈନିକ ଆଶା’ ଏହି ପଦଯାତ୍ରାର ଜୋରଦାର ପ୍ରଶଂସା କରିଥିଲା । ସେହିବର୍ଷ ମଇ ୧୪ସଂଖ୍ୟାରେ ଲେଖିଥିଲା- ମହାତ୍ମାଙ୍କ ଅଭିନବ ଅଭିଯାନ । ଶଙ୍କର ଚୈତନ୍ୟଙ୍କ ପରି ମହାତ୍ମାଜୀ ପୁରୀଠାରୁ କଟକ ପର୍ଯ୍ୟନ୍ତ ହରିଜନ ଗସ୍ତରେ ବାହାରିଲେ । ମଇ ୧୬ ସଂଖ୍ୟାରେ ଲେଖିଥିଲା- ଗାନ୍ଧୀଙ୍କୁ ହଜାର ହଜାର ଲୋକଙ୍କ ଅଭ୍ୟର୍ଥନା । ସେହିଦିନ ଏକ ସଂପାଦକୀୟରେ ତାହାର ସଂପାଦକ ଶଶୀଭୂଷଣ ରଥ ଯେଉଁ ଶିରୋନାମା ଦେଇଥିଲେ ତାହା ଥିଲା- ଉକ୍ରଳ ଏତେ ବଡ଼ ପୂଣ୍ୟ କରିଥିଲା ।
ଗାନ୍ଧୀ ୧୯୩୪ରେ ଦୁଇ ଥର ଓଡ଼ିଶା ଆସିଥିଲେ । ମଝିରେ ବିହାର ଭୂମିକମ୍ପ ହେତୁ ଓଡ଼ିଶା ଗସ୍ତ ସାମୟିକ ଭାବେ ସ୍ଥଗିତ ରହୁଥିଲା । ସେହି ସମୟରେ ‘ସମାଜ’ ଗାନ୍ଧୀଙ୍କ ଗସ୍ତକୁ ବେଶ୍ ପ୍ରଧାନ୍ୟ ଦେଇଥିଲା । ‘ସମାଜ’ର ପ୍ରତିଷ୍ଠାତା ସମ୍ପାଦକ ଗୋପବନ୍ଧୁ ଦାସ ଗାନ୍ଧୀଙ୍କ ପରମ ଶିଷ୍ୟ ଥିଲେ । ୧୯୩୮ମସିହା ମାର୍ଚ୍ଚ ୨୫ତାରିଖ ସଂଖ୍ୟାରେ ସମାଜ ଲେଖିଥିଲା- ଆଜି ସକାଳେ ପୁରୀ ଏକ୍ସପ୍ରେସରେ ଆସି ମହତ୍ମା ଗାନ୍ଧୀ ଡେଲାଙ୍ଗଠାରେ ପହଞ୍ଚିଛନ୍ତି । ଉକ୍ରଳପକ୍ଷରେ ଏହା ପରମ ସୌଭାଗ୍ୟର ବିଷୟ । ମହାତ୍ମାଜୀଙ୍କଠାରୁ ଉକôଳ ବରାବର ବିଶେଷ ଶ୍ରଦ୍ଧା ଓ ସହାନୁଭୂତି ପାଇ ଆସିଛି । ଦରିଦ୍ର ଭାରତରେ ଦରିଦ୍ରତମ ପ୍ରଦେଶ ଉକ୍ରଳର ଦୁଃଖଦାରିଦ୍ର୍ୟ, ବନ୍ୟା ବିଭୀଷିକା ମହାତ୍ମାଜୀଙ୍କ ପ୍ରାଣକୁ ବଡ଼ ଲାଗିଛି । ଦରିଦ୍ରର ବନ୍ଧୁ ରୂପେ ତାଙ୍କ ପ୍ରାଣ ଉକ୍ରଳପାଇଁ ସବୁବେଳେ ବ୍ୟାକୁଳ ।
ତା’ପୂର୍ବରୁ ୧୯୨୦ ମସିହା ଡିସେମ୍ବର ୨୬ତାରିଖରେ ନାଗପୁରଠାରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ମହାତ୍ମା ଗାନ୍ଧୀ ଅସହଯୋଗ ଆନେ୍ଦାଳନ ସମ୍ପର୍କିତ ପ୍ରସ୍ତାବ ଆଗତ କରିଥିଲେ । ଓଡ଼ିଶାରେ ଅସହଯୋଗ ଆନେ୍ଦାଳନ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରୁଥିବା ଗୋପବନ୍ଧୁ ନାଗପୁରରୁ ଫେରି କଂଗ୍ରେସର ଅସହଯୋଗ ନୀତି ଗ୍ରହଣ ସମ୍ବନ୍ଧରେ ଏକ ଉତ୍ସାହବର୍ଦ୍ଧକ ଅଗ୍ର୍ରଲେଖ ସଂପାଦକୀୟ ଲେଖିଥିଲେ, ଯାହା ୧୯୨୧ ମସିହା ଜାନୁଆରୀ ୮ ତାରିଖରେ ପ୍ରକାଶ ପାଇଥିଲା । ସେ ଲେଖିଥିଲେ-ଏଣିକି ଅସହଯୋଗ ନୀତିର କ୍ରମେ ଅଧିକ ପ୍ରସାର ହେଲା । ଗଲା ସେପ୍ଟ୍ଟେମ୍ବର ମାସରେ କଲିକତା କଂଗ୍ରେସର ଅସହଯୋଗ ନୀତିର ବିଚାର ହେଲା ବେଳେ ଅନେକ ମୁଖିଆ ଲୋକ ମହାତ୍ମା ଗାନ୍ଧୀଙ୍କ ସଙ୍ଗେ ଏକମତ ହୋଇନଥିଲେ । ….କଲିକତା କଂଗ୍ରେସ ବେଳେ ଯେଉଁମାନଙ୍କର ଅମତ ଥିଲା, ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ଛାଡ଼ି ଆଉ ପ୍ରାୟ ସମସ୍ତେ ଏବେ ଅସହଯୋଗ ନୀତିର ସମର୍ଥନ କରିଛନ୍ତି । ….ଭଗୀରଥ ସ୍ୱର୍ଗରୁ ମର୍ତ୍ତକୁ ଗଙ୍ଗା ଆଣିଲା ପରି ଏହି ମହାସ୍ରୋତ ଭାରତରେ ପ୍ରବର୍ତ୍ତି ଅଛି । ଭଗୀରଥଙ୍କ ପରି ଗାନ୍ଧୀ ଆଗେ ଆଗେ ଚାଲି ଏହାର ବାଟ କଢ଼ାଇଛନ୍ତି । ୧୯୨୧ରେ ପରେ ଗାନ୍ଧୀ ଓଡ଼ିଶା ଆସିଥିଲେ ଓ କଟକର କାଠଯୋଡ଼ି ପଠାରେ ବିରାଟ ସଭା କରିଥିଲେ । ସେହି ସମୟରେ ଗାନ୍ଧୀଙ୍କ ଭାଷଣ ଦେବାର ଫଟୋ ‘ସମାଜ’ରେ ସବିସ୍ତୃତ ଢଙ୍ଗରେ ପ୍ରକାଶିତ ହୋଇଥିଲା ।
୧୯୩୦ରେ ଲବଣ ସତ୍ୟାଗ୍ରହ ସମୟରେ ଇଞ୍ଚୁଡ଼ିଠାରେ ହୋଇଥିବା ଆନେ୍ଦାଳନରେ ଗୋପବନ୍ଧୁ ଚୌଧୁରୀ ନେତୃତ୍ୱ ନେଇଥିଲେ । ଲବଣ ସତ୍ୟାଗ୍ରହ ସମୟରେ ‘ସମାଜ’ରେ ପ୍ରକାଶିତ ସଂପାଦକୀୟ କେବଳ ଏହାର ଗୁରୁତ୍ୱକୁ ଦର୍ଶାଇ ନଥିଲା, ବରଂ ସେଥିରେ ଲୋକଙ୍କ ପ୍ରତି ସମ୍ବେଦନଶୀଳତା ଓ ଜାତୀୟତା ଭାବ ଫୁଟି ଉଠିଥିଲା । ‘ଆଉ ବାଟ ଅଛି କି’ ଶୀର୍ଷକ ସମ୍ପାଦକୀୟରେ ଲେଖା ଯାଇଥିଲା- ଏମାନଙ୍କ ଘର ସମୁଦ୍ର କୂଳରେ ।… ଭଗବାନ ଅଖଣ୍ଡ ସମୁଦ୍ରର ମାଠିଆଏ ପାଣି ସିଝାଇଲେ, ସେମାନଙ୍କ ଦିନକ ଦୁଃଖ ଦୂର ହୁଅନ୍ତା; କିନ୍ତୁ ଏ ଶାସନ ନୀତି ଏଡ଼ିକି କଠୋର ଓ ଏଡ଼ିକି ନିଷ୍ଠୁର ଯେ ଏ ବିଶ୍ୱପିତାଙ୍କ ପ୍ରଦତ୍ତ ଏ ଆବହମାନ ଅଖଣ୍ଡ ସମ୍ପଦରେ ସେମାନଙ୍କର ଟିପ ଦେବାର ଅଧିକାର ନାହିଁ । …ଏ ଦୁର୍ଦ୍ଦାନ୍ତ ଖାମଖିଆଲି ନୀତିର ଅବା କି ପ୍ରତିବାଦ ଆଉ ହୋଇପାରେ? ଯାହା ହୋଇପାରେ ତାହା ଗାନ୍ଧୀ ହିିଁ କରୁଛନ୍ତି । କୋପେ ବର ନହେଲେ ତପେ ବର ।
‘ସମାଜ’ ପ୍ରତିଟି ସମୟରେ ଗାନ୍ଧୀଙ୍କ ନୀତି ଆଦର୍ଶକୁ ଅଗ୍ରପ୍ରାଧାନ୍ୟ ଦେବା ସହିତ ତାଙ୍କର ଟିକିନିଖି ଖବର ଛାପୁଥିଲା । ଉଭୟ ‘ସମାଜ’ ଓ ‘ଦୈନିକ ଆଶା’ ଓଡ଼ିଶା ବାହାରେ ଗାନ୍ଧୀଙ୍କ କାର୍ଯ୍ୟକ୍ରମର ବିବରଣୀ ଓଡ଼ିଶା ଲୋକଙ୍କ ପାଖେ ପହଞ୍ଚାଉଥିଲେ । ଆସୋସିଏଟେଡ଼୍ ପ୍ରେସ ଏଜେନ୍ସିରୁ ଖବର ଆଣି ସେମାନେ ବରାବର ଏହାର ଅନୁବାଦ କରି ଲୋକଙ୍କୁ ଜଣାଉ ଥିଲେ । ଦେଶମାତୃକାର ସେବାପାଇଁ ଗାନ୍ଧୀ କେଉଁଠାରେ କି କି ନୀତି ଆପଣାଉଛନ୍ତି ଓ କଣ କଣ କହୁଛନ୍ତି, ତାହା ସେମାନେ ବରାବର ଭାବେ ପ୍ରକାଶିତ କରୁଥିଲେ । ଫଳରେ କେବଳ ଗାନ୍ଧୀ ଆସିଲେ ଯେ ଗାନ୍ଧୀଙ୍କ ଖବର ପ୍ରକାଶିତ ହେଉଥିଲା, ସେମିତି ଜମା ନୁହେଁ । ବରଂ ନଈର ସୁଅ ପରି ଅଛିଡ଼ା ଢଙ୍ଗରେ ଗାନ୍ଧୀଙ୍କ ଖବର ସେମାନେ ଛାପୁଥିଲେ । ପ୍ରତିଦିନ, ପ୍ରତି ସପ୍ତାହରେ ଗାନ୍ଧୀଙ୍କ ସମ୍ପର୍କରେ ଖବର ଛାପି ସେମାନେ ଓଡ଼ିଆ ପ୍ରାଣକୁ ଗାନ୍ଧୀମନସ୍କ କରିଥିଲେ । ଗାନ୍ଧୀଙ୍କୁ ଓଡ଼ିଶାର ଜନମାନସରେ ମହାତ୍ମା ସ୍ତରକୁ ନେବାରେ ଓଡ଼ିଆ ଖବରକାଗଜର ବିଶେଷ ଭୂମିକା ଥିଲା ।
ବିରୋଧାଭାଷ
ତେବେ ସେତେବେଳେ ବି ଗାନ୍ଧୀ ବିରୋଧୀ ସ୍ୱର କେତେକ ଓଡ଼ିଆ ଖବରକାଗଜରେ ଦେଖିବାକୁ ମିଳିଥିଲା । ଯଦିଓ ସିଧାସଳଖ ଗାନ୍ଧୀଙ୍କୁ ବିରୋଧ କରାଯାଇ ନଥିଲା, ତେବେ ବୁଲେଇ ବଙ୍କେଇ ଗାନ୍ଧୀଙ୍କ ଚିନ୍ତାଧାରା ଓ ଆଦର୍ଶର କଟାକ୍ଷ କରାଯାଇଥିଲା । ‘ଦେଶକଥା’ ନାମକ ଖବରକାଗଜରେ ଏହା ବରାବର ଦେଖିବାକୁ ମିଳିଥିଲା । ମଇ ୨୫, ୧୯୩୮ସଂଖ୍ୟାରେ ପ୍ରକାଶିତ ଖବରର ଶୀର୍ଷକ ଥିଲା ‘ଗାନ୍ଧୀ ସେବାସଂଘ’ । ସେଥିରେ ଲେଖାଯାଇଥିଲା- ଡେଲାଙ୍ଗରେ ଦେଖିଲି ଯେତେ ଲୋକ ଆସିବା କଥା ତାର ଅଧେ ସୁଦ୍ଧା ଆସିନାହାନ୍ତି । …ଖାଲି ଆଖିରେ ଆକାଶରେ ୨ ହଜାର ନକ୍ଷତ୍ରଙ୍କୁ ଆମେ ଅସଂଖ୍ୟ କହିଥାଉ । ତେଣୁ ସେହି ସଭାରେ ଅତିବେଶୀରେ କେଇ ହଜାର ଲୋକ ଆସିଥିବେ ବୋଧେ!
ସେମିତି ଡେଲାଙ୍ଗ ସଭା ନେଇ ଅନ୍ୟ ଏକ ସଂଖ୍ୟାରେ ‘ଦେଶକଥା’ ଲେଖିଥିଲା- ଡେଲାଙ୍ଗ ସଭାରେ ଗାନ୍ଧୀ ଯେତେକଥା କହିଛନ୍ତି, ତାହା ନୂଆ ନୁହେଁ, ବିଗତ ୭/୮ବର୍ଷ ଧରି ସେ ଏହା ବରାବର କହି ଆସିଛନ୍ତି । ହରିଜନ ମନ୍ଦିର ପ୍ରବେଶ ନେଇ ସେ କହିଥିବା କଥାଟା ବେଶ୍ ଜଟିଳ ।
ତେବେ ‘ଦେଶକଥା’ ଓଡ଼ିଶାର କଂଗ୍ରେସ ନେତୃବୃନ୍ଦଙ୍କୁ ବେଶି ସମାଲୋଚନା କରୁଥିଲା । ସେମାନଙ୍କର କାର୍ଯ୍ୟକଳାପ, କଂଗ୍ରେସରେ ଥିବା ଆଭ୍ୟନ୍ତରୀଣ ଗଣ୍ଡଗୋଳ, ଗାନ୍ଧୀଙ୍କ ଆଗରେ ସେସବୁର ଫଇସଲା ଆଦି ଖବର ପ୍ରକାଶିତ କରି ଏହା ଜଣାଇ ଦେଉଥିଲା ଯେ- କଂଗ୍ରେସରେ ସବୁକିଛି ଠିକ ନାହିଁ । ଏଠାରେ ମଧ୍ୟ ଗୋଡ଼ ଟଣାଟଣି ନୀତି ରହିଛି । ଲିଲିପୁଟିଆ ନେତାମାନଙ୍କ ପ୍ରାଦୁର୍ଭାବ ରହିଛି ।
ଅନେକ ସମୟରେ ଏମିତି ମଧ୍ୟ ଦେଖାଯାଇଛି- ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସମୟରେ ୧୯୩୮ ମସିହାରେ ଏହି ଖବରକାଗଜ ସେ ଖବରକୁ ଏତେଟା ଗୁରୁତ୍ୱ ଦେଇନାହିଁ । କେଉଁ କେଉଁ ଦିନ ଆଦୌ ଛାପିନାହିଁ ମଧ୍ୟ । ପୁଣି ଅନ୍ୟମାନେ ପ୍ରଥମ ପୃଷ୍ଠାରେ ପରିବର୍ଦ୍ଧିତ ଖବର ଛାପୁଥିବାବେଳେ ଏହା ତାହାକୁ ଭିତର ପୃଷ୍ଠାକୁ ନେଉଥିଲା, ଆଉ କେତେକ ସମୟରେ ଟିପ୍ପଣୀ ନାଁରେ ପ୍ରଥମପୃଷ୍ଠାରେ ଏହା ଓଡ଼ିଶା କଂଗ୍ରେସ ନୀତିର ସମାଲୋଚନା କରୁଥିଲା ।
ଶେଷକଥା
ଓଡ଼ିଆ ଖବରକାଗଜ ସଂସାର ପାଇଁ ଗାନ୍ଧୀଥିଲେ ମହାତ୍ମା । ତାଙ୍କ ଆଦର୍ଶ, ତାଙ୍କ ଭାଷଣ ଆଦି ପ୍ରତିଟି ଖବର ପ୍ରକାଶିତ ହୋଇଛି, ସ୍ଥାନ ପାଇଛି । ସେତେବେଳେ ପ୍ରିଣ୍ଟିଂ ଟେକ୍ନୋଲୋଜି ବେଶ୍ ବିକଶିତ ହୋଇନଥିଲେ ମଧ୍ୟ ଓଡ଼ିଆ ଖବରକାଗଜ ଗାନ୍ଧୀଙ୍କ ଫଟୋ ଛାପିଥିଲେ, ତାହାକୁ ପ୍ରଥମ ପୃଷ୍ଠାକୁ ଆଣିଥିଲେ । ଗାନ୍ଧୀଙ୍କ ସପକ୍ଷରେ ଓ ଯେଉଁମାନେ ଗାନ୍ଧୀଙ୍କୁ ବିରୋଧ କରୁଥିଲେ ତାହାକୁ ଦର୍ଶାଇ ବ୍ୟଙ୍ଗଚିତ୍ର ମଧ୍ୟ ପ୍ରକାଶିତ ହୋଇଥିଲା ।
ଗାନ୍ଧୀ ସେହି ସମୟରେ ଥିଲେ ମୁଖ୍ୟ ଖବର । ସିଏ ଭାରତରେ ଯୁଆଡ଼େ ଯାଉଥିଲେ ଏଜେନ୍ସିଠାରୁ ସେ ଖବର ଗୋଟେଇ ଆଣି ଓଡ଼ିଆ କାଗଜ ତାହାକୁ ପ୍ରକାଶିତ କରୁଥିଲେ । ଏହାକୁ ଏକ ଧାରା ଭାବେ ବଜୟ ରଖିଥିଲେ ସେମାନେ । ପ୍ରତିଦିନ ଗାନ୍ଧୀକଥାର ଖବର ଆଣି ପରଶି ଦେଉଥିଲେ ଓଡ଼ିଶାର ଲୋକଙ୍କୁ । ତେଣିକି ତାହା ଓଡ଼ିଶା ବାହାରେ ମହାତ୍ମାଙ୍କ ଖବର ହେଉ କି ତାଙ୍କ ଜୀବନାବଳୀର ପ୍ରକାଶନ । ଫଳରେ ଏହି ଧାରା ଅଖଣ୍ଡଭାବେ ବଜାୟ ରହୁଥିଲା । ଆଉ ଗାନ୍ଧୀ ମଧ୍ୟ ପ୍ରତି ଦୁଇ ଚାରିବର୍ଷରେ ଥରେ ଓଡ଼ିଶା ନିଶ୍ଚିତ ଆସିଛନ୍ତି, ବରାବର ଓଡ଼ିଶା ଆସି ଏ ମାଟି ପ୍ରତି ତାଙ୍କର ମମତ୍ୱ କଥା କହି ଯାଇଛନ୍ତି । ଯେବେଯେବେ ଗାନ୍ଧୀ ଆସିଛନ୍ତି ସେବେସେବେ ଆଗରୁ ବୋହୁଥିବା ଗାନ୍ଧୀଙ୍କ କଥାର ସୁଅ ସେତେବେଳେ ସମୁଦ୍ର ପରି ଓଡ଼ିଆ ଖବରକାଗଜରେ ଫୁଲି ଉଠିଛି ।
କିନ୍ତୁ ସବୁ ଭିତରେ ଓଡ଼ିଶାର ଖବରକାଗଜ ଗାନ୍ଧୀଙ୍କର ସମାଲୋଚନା ମଧ୍ୟ କରୁଥିଲେ । ଯଦିଓ ଅଧିକାଂଶ ଖବରକାଗଜରେ ଗାନ୍ଧୀଙ୍କୁ ଜଣେ ଯୋଗଜନ୍ମା, ମହାପୁରୁଷ ଭାବେ ଯଦିଓ ଚିତ୍ରଣ କରାଯାଇଥିଲା, ତଥାପି କେତେକ ଖବରକାଗଜରେ ତାଙ୍କୁ ଭଗବାନ ନ କହି ସେ ବି ଜଣେ ମଣିଷ ବୋଲି ଏ ଧାରଣା ବି ସେବେ ଜୀଇଁଥିଲା ଓ ପ୍ରକାଶିତ ହୋଇଥିଲା । ମୋଟ ଉପରେ ସ୍ୱାଧୀନତା ପୂର୍ବରୁ ଓଡ଼ିଆ ଖବରକାଗଜରେ ଗାନ୍ଧୀ ଥିଲେ ଏକ ମୁଖ୍ୟ ପ୍ରସଙ୍ଗ । ଆଉ ତାହାକୁ ନିଖୁଣ ଭାବେ ଉପସ୍ଥାପିତ କରିଥିଲେ ଓଡ଼ିଶାର ଖବରକାଗଜଗୁଡ଼ିକ ।

ଡ. ମୃଣାଳ ଚାଟ୍ଟାର୍ଜୀ
୯୪୩୭୦ ୨୬୧୯୪
ଡଃ ଜ୍ୟୋତିପ୍ରକାଶ ମହାପାତ୍ର
୯୪୩୭୦୮୦୦୪୮

Comments

0 comments

Share This Article