(ଜମି, ଜଳ ଓ ଜଙ୍ଗଲର ସୁରକ୍ଷା ପାଇଁ ତିଜିମାଳିର ଜନଆନ୍ଦୋଳନ ତେଜିଲାଣି । ତିଜିମାଳି ଅଞ୍ଚଳର ଅନୁସୂଚିତ ଜନଜାତି ଓ ଦଳିତବର୍ଗର ଜନତା ତାତିଲେଣି । ନିଜ ଭିଟାମାଟି ଓ ଜୀବନଜୀବିକାର ଅଧିକାର ପାଇଁ ତିଜିମାଳିରେ ନିଜର ହକ୍ ଲଢ଼େଇ ଲଢ଼ିବାକୁ ସଜବାଜ ହୋଇଗଲେଣି ସ୍ଥାନୀୟ ଜନସାଧାରଣ । ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ୍ରେ ଥିବା ତିଜିମାଳି ସରକାରୀ ରେକର୍ଡରେ ସିଜିମାଳି ଭାବେ ପରିଚିତ । ଏହାକୁ ନେଇ ଜାତୀୟ ସ୍ତରରେ ପୁଣିଥରେ ଚର୍ଚ୍ଚାକୁ ଆସିଲାଣି କାଶୀପୁର । ଏକଦା ହଇଜା, ଅଖାଦ୍ୟ, ଅନାହାର ଓ ଟିକିରି ଦମନଲୀଳା ସାଙ୍ଗକୁ ମାଇକଞ୍ଚ ଗୁଳିକାଣ୍ଡରେ ଆଦିବାସୀଙ୍କ ମୃତ୍ୟୁକୁ ନେଇ ଗଣମାଧ୍ୟମର ଶିରୋନାମା ପାଲଟିଥିଲା କାଶୀପୁର । ଆଜି ପୁଣିଥରେ ୨୦୨୩ ଅଗଷ୍ଟରୁ ତିଜିମାଳିର ବକ୍ସାଇଟ୍ ଖଣିଖନନ ବିରୋଧୀ ଜନଆନ୍ଦୋଳନ ଦିଲ୍ଲୀରୁ ନେଇ ପଲ୍ଲୀରେ ଝଡ଼ ସୃଷ୍ଟି କରିସାରିଲାଣି । ପୁଲିସ ଦମନଲୀଳା ସବୁ ମାନବିକ ଅଧିକାରକୁ ଉଲ୍ଲଂଘନ କରିସାରିଛି ବୋଲି ଚର୍ଚ୍ଚା ହେଉଛି । ନିକଟରେ ଭୁବନେଶ୍ୱର ରାହୁଳ ଗାନ୍ଧୀଙ୍କ ରାଲିରୁ ଫେରିବା ପରେ ରାୟଗଡ଼ା ଡାକ୍ତରଖାନାରେ ନାରିଙ୍ଗୀଦେଈ ମାଝୀଙ୍କୁ ପୁଲିସ ଗିରଫ କରି ଜେଲ୍ ପଠାଇବା ପରେ ସ୍ଥାନୀୟ ଅଞ୍ଚଳର ଆବାଳବୃଦ୍ଧବନିତା ଉଗ୍ର ହୋଇ ଉଠିଲେଣି । ତିଜିମାଳି ଅଞ୍ଚଳରେ ଖଣି ଖନନର ପ୍ରକ୍ରିୟା, ଜନଆନ୍ଦୋଳନର ରୂପରେଖ, ସ୍ଥାନୀୟ ପୁଲିସ ପ୍ରଶାସନର ଦମନଲୀଳାର ବାସ୍ତବ ସ୍ଥିତି ସମ୍ପର୍କିତ ଏହି ରିପୋର୍ଟ ।)
ରାୟଗଡ଼ା ଜିଲ୍ଲାର ରୁପକଣା ଛକରୁ ଟିକିରି ଛକଦେଇ କାଶୀପୁର ବ୍ଲକ ରେ ପହଞ୍ଚିଲା ବେଳକୁ ପ୍ରାୟ ସକାଳ ୯ଟା ହୋଇଯାଇଥିଲା । କାଶୀପୁର ବଜାରରେ ଚା’ ଜଳଖିଆ ଖାଇ ମୁଁ ସିଜିମାଳି ରାସ୍ତାର ଠିକଣା ପଚାରିଲି । ହଠାତ୍ କିନ୍ତୁ ସିଜିମାଳି କହିଲେ କେହି ବୁଝିପାରି ନଥିଲେ । ସମସ୍ତେ କହିଲେ ସିଜିମାଳିର ପ୍ରକୃତ ସ୍ଥାନୀୟ ରାଜସ୍ୱ ଗାଁ ହେଉଛି ତିଜିମାଳି । ସରକାରୀ ଜଙ୍ଗଲ ଓ ଖଣି ଖନନ କମ୍ପାନି ରେକର୍ଡରେ ଏହାକୁ ସିଜିମାଳି ବକ୍ସାଇଟ୍ ବେଲ୍ଟ ବୋଲି କୁହାଯାଉଛି । କାଶୀପୁର ବଜାରର ଚା’ ଦୋକାନୀ ରବିବାବୁ ଏହି ପ୍ରସଙ୍ଗକୁ ନେଇ ଅନେକ କୌତୁହଳ କଥା ମୋତେ କହିଥିଲେ । ସେଦିନ କାଶୀପୁରର ହାଟ ଥିଲା । ହାଟ ଆଡ଼େ ବୁଲିଆସିଲେ ଆପଣ ବହୁତ କଥା ଜାଣିପାରିବେ ବୋଲି ରବିବାବୁ କହିଥିଲେ । ତାଙ୍କର କଥା ଶୁଣି ମୁଁ କାଶୀପୁର ହାଟକୁ ବୁଲିବାକୁ ଗଲି ।
କାଶୀପୁର ହାଟରେ ବୁଲାବୁଲି ସମୟରେ ବିଭିନ୍ନ ଗାଁର ଲୋକମାନଙ୍କ ସହିତ କଥା ହେଲି । ବର୍ତ୍ତମାନ କାଶୀପୁରସ୍ଥିତ ତିଜିମାଳି ଅଞ୍ଚଳର ବନ୍ତେଜି, କାଣ୍ଟାମାଲ, ମାଲିପଦର, ସୁଙ୍ଗେର ଓ ସାମ୍ବାରୀ ପ୍ରଭୃତି ଗାଁଗଣ୍ଡା ହଠାତ୍ କାହିଁକି ଏଭଳି ଉଗ୍ର ରୂପ ନେଇଛି ଓ ପୁଲିସର ଦମନଲୀଳା ଆରମ୍ଭ ହୋଇଛି ବୋଲି ଜାଣିବାକୁ ଚାହିଁ ମୁଁ ହାଟରେ ଅନେକ ସ୍ଥାନୀୟ ଲୋକଙ୍କ ସହିତ କଥାହେଲି । ହାଟରୁ ଜାଣିଲି ୨୦୨୩ ମାର୍ଚ୍ଚ ମାସରେ ତିଜିମାଳି ବକ୍ସାଇଟ୍ ଖଣି ଖନନକୁ ସ୍ଥାନୀୟ ଜନସାଧାରଣ ପ୍ରବଳ ବିରୋଧ କରୁଛନ୍ତି । ରାୟଗଡ଼ା ପୁଲିସ ପ୍ରଶାସନ ଦମନଲୀଳାରେ ଲୋକମାନେ ଅତିଷ୍ଠ ହୋଇ ଆତଙ୍କିତ । ଏହାର ମୁକାବିଲା ପାଇଁ ମେଳି ବାନ୍ଧିଛନ୍ତି । ତେବେ ଗତ ଜୁନ୍ ମାସରେ ସାମ୍ବାରୀ ଗ୍ରାମର ନାରିଙ୍ଗୀଦେଈ ମାଝୀ (୫୧ ବର୍ଷ)ଙ୍କ ଅନ୍ୟାୟ ଗିରଫ ଓ ଜେଲ୍ ଯିବା ଘଟଣା ଗ୍ରାମବାସୀଙ୍କ ମନରେ ନିଅାଁ ଲଗାଇ ଦେଇଛି । ସାମ୍ବାରୀ ଗାଁକୁ ଯିବା ରାସ୍ତାର ଠିକଣା ପଚାରି ମୁଁ ଜାଣିଲି ବନ୍ତେଜି ଗାଁରୁ ସାମ୍ବାରୀ ମାତ୍ର ତିନି କିଲୋମିଟର । ହାଟ ବୁଲି ମୁଁ ବଜାରର ସେହି ଚା’ ଦୋକନକୁ ଫେରିଆସିଲି । ସେତେବେଳକୁ ସମୟ ପାଖାପାଖି ଦିନ ୧୧ଟା । ବନ୍ତେଜି ଗାଁ ଅଭିମୁଖେ ସେଠାରୁ ମୁଁ ଯାତ୍ରା ଆରମ୍ଭ କଲି । କାଶୀପୁରରୁ ବନ୍ତେଜି ମାତ୍ର ୧୬ କିଲୋମିଟର ।
କାଶୀପୁରରୁ ସୁଙ୍ଗେର ଦେଇ ମୁଁ ପ୍ରାୟ ୧୨ଟା ସମୟରେ ବନ୍ତେଜିରେ ପହଞ୍ଚିଗଲି । ଗାଁକୁ ଘେରି ରହିଛି ବଣପାହାଡ଼, ଝରଣାର ପ୍ରାକୃତିକ ଦୃଶ୍ୟ । ଗାଁଦେଇ ବହି ଯାଉଛି ପାହାଡ଼ୀ ଚିରସ୍ରୋତା ପାଣିଛିଡ଼ା ଝରଣା । ଗାଁର ଅନତି ଦୂରରେ ପ୍ରବାହିତ ହେଉଛି ସ୍ୱାଦ ନଈ । ଗାଁକୁ ପ୍ରବେଶ କଲାବେଳକୁ ଗାଁ ମୁଣ୍ଡରେ ଦେଖାହେଲା ପ୍ରଥମେ ଗୋବିନ୍ଦ ନାଏକଙ୍କ ସହିତ । ଉଭୟଙ୍କ ମଧ୍ୟରେ ପରିଚୟର ଆଦାନ ପ୍ରଦାନ ପରେ ସେ ଆମକୁ ଗାଁ ମଝିରେ ଥିବା ଆମ୍ବଗଛ ଛକ ନିକଟକୁ ନେଇଗଲେ । ପାଣିଛଡ଼ା ଝରଣା ଓ ସ୍ୱାଦ ନଈ ଦେଖାଇବା ସହିତ ସାମାନ୍ୟ ଦୂରରେ ଦେଖାଯାଉଥିବା ପାହାଡ଼କୁ ଦେଖାଇ କହିଲେ ତାହା ହେଉଛି ଆମର ପ୍ରିୟ ତିଜିମାଳି । ଯାହାକୁ ସରକାରୀ ରେକର୍ଡରେ ସିଜିମାଳି ବୋଲି ଦର୍ଶାଯାଇଛି ଏବଂ ବକ୍ସାଇଟ୍ ଖଣି ଖନନ ପାଇଁ ସିଜିମାଳିକୁ ସିଝାଉଛନ୍ତି ସରକାର ।
ଆପଣ ଗାଁ ମୁଣ୍ଡରେ ଏକୁଟିଆ କାହିଁକି ବସିଥିଲେ ବୋଲି ପଚାରିବାରୁ ଗୋବିନ୍ଦ କହିଥିଲେ, ‘ମୁଁ ବସି ନଥିଲି । ଗାଁ ଜଗିଥିଲି । ଗାଁ ଭିତରକୁ ପୁଲିସ ଓ କଂପାନି ଗାଡ଼ିକୁ ନ ଛାଡ଼ିବାକୁ ଏବଂ ଆଗୁଆ ଗ୍ରାମବାସୀଙ୍କୁ ଖବର ଦେଇ ସତର୍କ କରିବାକୁ ମୁଁ ସେଠାରେ ଜଗି ବସିଥିଲି । ଆମେ ଗ୍ରାମବାସୀ ପାଳି କରି ଗାଁ ମୁଣ୍ଡରେ ଓ ତିଜିମାଳି ପାହାଡ଼ ଉପରେ ଏଭଳି ପହରା ଦେଉଛୁ ।’ ଏହାରି ଭିତରେ ଗୋବିନ୍ଦ ଓ ମୁଁ ୨୩ବର୍ଷ ବୟସ୍କା ସନ୍ତୋଷିନୀ ନାଏକର କୁଡ଼ିଆଘରେ ଥିବା ଦୋକାନରେ ପହଞ୍ଚି ଥିଲୁ । ତାଟି ଘେରାଯାଇ ବାଉଁଶ ବେଞ୍ଚ ଉପରେ ମୋତେ ବସିବାକୁ କହି ଗୋବିନ୍ଦ ଗାଁ ଭିତରକୁ କେତେକ ଗ୍ରାମବାସୀଙ୍କୁ ଡାକିବାକୁ ଗଲେ ।
କଣ୍ଟାମାଲର କଣ୍ଟକିତ ଜୀବନ
ଛୋଟିଆ ଚା’ ଓ ପାନର କୁଡ଼ିଆଘରର ଦୋକାନ ଭିତରେ ଛିଡ଼ା ହୋଇଥିବା ସନ୍ତୋଷିନୀ ଆମକୁ ଚା’ ପିଇବାକୁ ପ୍ରଶ୍ନ କରିଲେ । ଆମେ ନାହିଁ କରିବା ପରେ ମଧ୍ୟ ସେ ଆମକୁ ଚା’ଦେଲେ । ଆମେ କେଉଁଠାରୁ ଆସିଛୁ ବୋଲି ପଚାରିଲେ । ଆମର ପରିଚୟ ଜାଣିବା ପରେ ସେ କହିଲେ, ‘ଆପଣ ଚା’ ପିଅନ୍ତୁ, ଗୋବିନ୍ଦ ଭାଇ ଆସିବେ । ମୁଁ ଟିକେ ଭିତରକୁ ଯାଉଛି ।’ ଇତିମଧ୍ୟରେ ଗୋବିନ୍ଦ ଓ ଅନ୍ୟ କେତେକ ଗ୍ରାମବାସୀ ଦୋକାନ ନିକଟରେ ପହଞ୍ଚିଗଲେ । ବର୍ଷା ଟିକିଏ ଛାଡ଼ିଗଲା ପରେ ଆମେ ବାହାରକୁ ଆସି ଦେଖିଲୁ ଆଉ କେତେକ ଗ୍ରାମବାସୀ ଜଙ୍ଗଲ ଦେଇ ଗାଁକୁ ଆସୁଛନ୍ତି ।
ଗୋବିନ୍ଦ ଆମକୁ ପ୍ରଥମେ କାର୍ତ୍ତିକ ନାଏକ ଓ ପରେ ଊମାକାନ୍ତ ନାଏକଙ୍କୁ ଚିହ୍ନାଇଦେଲେ । ଗୋବିନ୍ଦଙ୍କ ସହିତ ଇନ୍ଦୁ ନାୟକ, ଶାନ୍ତିମଣି, ରୁଦନା ନାଏକ, ଲକ୍ଷ୍ମୀ ନାଏକ, ଝାଜ ନାଏକ, ଅର୍ଜୁନ ନାଏକ, ଚିତ୍ରସେନ ନାଏକ, ଟଙ୍କଧର ନାଏକ, ଯଶୋଦା ନାଏକ ଓ ଦ୍ରୌପଦୀ ନାଏକଙ୍କ ଭଳି ଅନେକ ଗ୍ରାମବାସୀ ଆସିଥିଲେ । ଯଶୋଦା ସନ୍ତୋଷିନୀଙ୍କୁ ଡାକିଲେ ଓ ତା’ର ଅତ୍ୟାଚାର ଘଟଣା କହିଲେ । ସନ୍ତୋଷିନୀ କହିଲେ, ‘ପୁଲିସ ପ୍ରଶାସନର ଦମନଲୀଳା ଏଠାରେ ସବୁ ମାନବିକତାର ସୀମା ଲଂଘି ଗଲାଣି । ମୋ ପେଟପାଟଣା ଓ ସିନ୍ଦୂରର ସମ୍ବଳ ହେଉଛି ଏଇ କୁଡ଼ିଆ ଘରର ଦୋକାନ ଖଣ୍ଡକ । ସ୍ୱାମୀ ରମାକାନ୍ତ ନାଏକ ଚାରିମାସ ହେଲା ଜେଲ୍ରେ ରହିଛନ୍ତି । ପ୍ରଥମେ ରାୟଗଡ଼ା ଜେଲ ରେ ରଖିଥିଲେ । ବର୍ତ୍ତମାନ ବିଷମକଟକ ଜେଲରେ ରଖିଛନ୍ତି । ଜୁନ୍ ୫ତାରିଖ ପରିବେଶ ଦିବସ ପାଳନ କରି ସେ କେତେକ ଗ୍ରାମବାସୀଙ୍କ ସହିତ ସାମିଲ ହୋଇ ଜଳେଶ୍ୱର ନାଏକ ଗାଁରୁ ନିଖୋଜ ହେବା ଘଟଣାରେ ଥାନାକୁ ଜଣାଇବାକୁ ଯାଇଥିଲେ । ସେଠାରେ ପୁଲିସ ତାଙ୍କୁ ଗିରଫ କରିଥିଲା ।’ ‘ପାଖାପାଖି ତିନି ମାସ ହୋଇଗଲାଣି । ଟଙ୍କାପଇସା ଅଭାବରୁ ମୁଁ ଏତେଦୂର ଯାଇ ତାଙ୍କୁ ଟିକେ ଦେଖିପାରୁନି । କୋର୍ଟକଚେରିରେ ଖର୍ଚ୍ଚ କରିବାକୁ ପଇସା ମଧ୍ୟ ନାହିଁ । ଏଇ କୁଡ଼ିଆ ଦୋକାନଖଣ୍ଡକ ପେଟପାଟଣା ପାଇଁ ସାହା । ବଞ୍ଚିବାର ଯନ୍ତ୍ରଣାକୁ ସହ୍ୟ କରିହେଉନି କିମ୍ବା ତାଙ୍କୁ ଛାଡ଼ି ମରିବାକୁ ଇଚ୍ଛା ହେଉନି’ ଏତିକି କହିଦେଇ ସନ୍ତୋଷିନୀ ଭୋ ଭୋ ହୋଇ କାନ୍ଦିଉଠିଲେ । ସନ୍ତୋଷିନୀଙ୍କ ଶାଶୁ ଓ ଶ୍ୱଶୁର (ରମାକାନ୍ତଙ୍କ ମା’-ବାପା) ଶାନ୍ତିମଣି ଓ ଝାଜ ନାଏକଙ୍କ ବାର୍ଦ୍ଧକ୍ୟର ଦୁଃଖ କହିଲେ ନସରେ । ପୁଅକୁ ଝୁରି ଝୁରି ଶାନ୍ତିମଣି ରୋଗାକ୍ରାନ୍ତ ହୋଇଗଲେଣି । ଝାଜ ନାଏକ ପୁଅକୁ ଫେରାଇ ଆଣିବାକୁ କୋର୍ଟକଚେରି ଦୌଡ଼ିବାକୁ ବଳ, ବୟସ ଓ ଅର୍ଥବଳ ନାହିଁ ବୋଲି କୁହନ୍ତି । ବୁଝିବିଚାରି ପୁଲିସ ପ୍ରଶାସନ ରାୟଗଡ଼ା ଜେଲ୍ରେ ନରଖି ବିଷମକଟକ ଜେଲ୍କୁ ପଠାଇ ଦେଉଛନ୍ତି । ଆମେ ଗରିବ ଲୋକ, ଏତେଦୂର ଯା’ଆସ କରିପାରିବୁ ନାହିଁ ।
ଜଳେଶ୍ୱର ନିଖୋଜ ହେବା ଘଟଣା ଜଣାଇବାକୁ ଥାନାକୁ ଯିବା ସମୟରେ ସେଠାରେ ପୁଲିସ ମୋ ପୁଅ ରମାକାନ୍ତକୁ ବଳପୂର୍ବକ ଗିରଫ କଲା । ମୁଁ ପ୍ରତିବାଦ କରିବାରୁ ମୋତେ ଟଣାଟଣି ଓ ଘୋଷାରି ପିଟିଥିଲେ । ମୋ ବାମ କାନ୍ଧ ଓ ଖୁଆରେ ଜୋରରେ ଆଘାତ ଲାଗିଛି । ମାଈପି ପୁଲିସ ମୋ ଚୁଟି ଘୋଷାଡ଼ି ମଧ୍ୟ ମାରିଥିଲେ । ଶାନ୍ତିମଣି ଏତିକି କହି କାନ୍ଦି କାନ୍ଦି ନିଜ କାନ୍ଧର କ୍ଷତଚିହ୍ନକୁ ଦେଖାଇଥିଲେ ।
ଜଳେଶ୍ୱର ନାଏକ ନିଖୋଜ ଘଟଣା ଓ ଶାନ୍ତିମଣିଙ୍କ ପ୍ରତିକ୍ରିୟା ମୋ ମନକୁ ଆନ୍ଦୋଳିତ କରିଥିଲା । ଏହା ପରେ ମୁଁ ଜଳେଶ୍ୱରଙ୍କ ଭାଇ ଧର୍ମେନ୍ଦ୍ର, ମା’ ଲକ୍ଷ୍ମୀ ଓ ବାପା ଟଙ୍କଧର ନାଏକଙ୍କୁ ଭେଟିଲା ପରର ଘଟଣା ଯାହା ଶୁଣିଲି, ତାହା ଯେତିକି ହୃଦୟ ବିଦାରକ ସେତିକି ଭୟପ୍ରଦ ।
ଜଳେଶ୍ୱର ଜୁନ୍ ୩ ତାରିଖ ଦିନ ଗୋଟିଏ ଶୁଦ୍ଧିକ୍ରିୟାରେ ଯୋଗଦେଇ ମୁହଁସଞ୍ଜ ସମୟରେ ମୋତେ ଫୋନ୍କରି କହିଲା ସେ ତା’ ଭଉଣୀ ଘରକୁ (କଳାହାଣ୍ଡିସ୍ଥିତ ତଳଝାପି ଗାଁ)କୁ ଯିବ । ରାତିରେ ଫେରିବନି । ରାତିରେ ଜଳେଶ୍ୱର ଫୋନ୍ କଲାନି । ଜୁନ୍ ୪ତାରିଖ ଦିନ ଆମେ ଜାଣିଲୁ ସେ ଭଉଣୀଘରକୁ ଯାଇନି । ବହୁ ଖୋଜାଖୋଜି ପରେ ବି ଜଳେଶ୍ୱର ମିଳିଲାନି । ଆମେ କେତେକ ଗ୍ରାମବାସୀ ପୁଲିସ ଥାନାକୁ ଗଲୁ । ସେଠାରେ ଜାଣିଲୁ ଜଳେଶ୍ୱରକୁ ପୁଲିସ ଗିରଫ କରି ଜେଲ୍ ପଠାଇଛି । ରାୟଗଡ଼ାରୁ ନେଇଯାଇ ବର୍ତ୍ତମାନ ବିଷମକଟକ ଜେଲ୍ରେ ଜଳେଶ୍ୱରକୁ ରଖାଯାଇଛି । ଜଳେଶ୍ୱର ଭାଇ ଧର୍ମେନ୍ଦ୍ର କୁହନ୍ତି, ‘ମୁଁ ଭାଇକୁ କାଶୀପୁର କୋର୍ଟରେ ଭେଟିଥିଲି । ସେ ମୋତେ କହିଥିଲେ, କେତେକ ଲୋକ ଜୁନ୍ ୩ତାରିଖ ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ କରି ମାଡ଼ ମାରିଲେ । ଏହା ପରେ ମୋତେ ବାନ୍ଧିଆଣି ଥାନାରେ ଛାଡ଼ିଲେ । ଥାନାରେ ମଧ୍ୟ ବହୁତ ପିଟିଲେ ଏବଂ ପରେ ଜେଲ୍ ପଠାଇଦେଲେ । ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ବାରକାଉ ଗାଁରୁ ମୋ ଭାଇ ଜଳେଶ୍ୱରଙ୍କୁ ଗୁଣ୍ଡାମାନେ ଉଠାଇ ନେଇଥିଲେ ବୋଲି କାଶୀପୁର କୋର୍ଟରେ ଭାଇ କହିଥିଲେ ।’
ବର୍ତ୍ତମାନ ପୁଲିସ ଥାନା ଓ ଡାକ୍ତରଖାନାକୁ ଆମ ଅଞ୍ଚଳର ଲୋକମାନେ ଯିବାକୁ ଭୟ କରୁଛନ୍ତି । ଏକୁଟିଆ ପାଇଲେ ପୁଲିସ ଗିରଫ କରୁଛି କିମ୍ବା ଗୁଣ୍ଡାମାନେ ବାନ୍ଧି ବାଡ଼ଉଛନ୍ତି ବୋଲି ଏକାଧିକ ଗ୍ରାମବାସୀ ସିଧାସଳଖ ଅଭିଯୋଗ କରିଥିଲେ । ଧର୍ମେନ୍ଦ୍ରଙ୍କ କଥା ଶୁଣିବା ପରେ ଆମେ ନିକଟସ୍ଥ କାର୍ତ୍ତିକ ନାଏକଙ୍କ ଘରକୁ ଯାଇଥିଲୁ । ସେଠାରେ କାର୍ତ୍ତିକଙ୍କ ୭୨ ବର୍ଷୀୟା ବୃଦ୍ଧା ରୁଦନା (କାର୍ତ୍ତିକର ମା’) ନାଏକଙ୍କୁ ଭେଟିଲୁ । ଆଶ୍ଚର୍ଯ୍ୟ ହେଲୁ ବୃଦ୍ଧା ରୁଦନାଙ୍କ ନାଁରେ ପୁଲିସ ଏକାଧିକ ଅପରାଧ ମାମଲା ରୁଜୁ କରିଛି । ରୁଦନାଙ୍କ ଅପରାଧ ହେଉଛି ସେ ନିଜ ପୁଅ କାର୍ତ୍ତିକ ଓ ଊମାକାନ୍ତଙ୍କ ଗିରଫ ସମୟରେ ପୁଲିସକୁ ଅଟକାଇବା ସହିତ ଯୁକ୍ତିତର୍କ କରିଥିଲେ । କେବଳ ଏତିକି ନୁହେଁ, ରୁଦନାଙ୍କ ଝିଅ ଓ ଜ୍ୱାଇଁ (କାର୍ତ୍ତିକଙ୍କ ଭଉଣୀ ଓ ଭିଣୋଇ) ଭାରତୀ ଓ ସୁନୀଲଙ୍କ ନାମରେ ମଧ୍ୟ ଅନେକ ଅପରାଧିକ ମାମଲା ପୁଲିସ ଦାୟର କରିଛି । କାର୍ତ୍ତିକଙ୍କ ସ୍ତ୍ରୀ ମଞ୍ଜୁ ନାଏକ ମଧ୍ୟ ପୁଲିସର ଦମନଲୀଳାରୁ ବାଦ୍ ପଡ଼ିନାହାନ୍ତି । ମଞ୍ଜୁଙ୍କ ନାଁରେ ଅନେକ ସଙ୍ଗୀନ ଅପରାଧିକ ମାମଲା ପୁଲିସ ଦାୟର କରିଛି ।
ଊମାକାନ୍ତ ୧୨ ଅଗଷ୍ଟ, ୨୦୨୩ରେ ନିଜ ସ୍ତ୍ରୀ ଇନ୍ଦୁଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ କାଶୀପୁର ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ତାଙ୍କର ଝିଅଟିଏ ଜନ୍ମହେଲା । ଗାଁରେ ଖଣିଖନନ ବିରୋଧରେ ଆନେ୍ଦାଳନ ଚାଲୁଥିଲା । ମୋ ଝିଅକୁ ମାତ୍ର ୯ଦିନ ହୋଇଥିଲା । ଝିଅର ମୁତ୍ରାଶୟ ସଂକ୍ରମଣ ହୋଇ ପରିସ୍ରାରେ ରକ୍ତ ପଡୁଥିଲା । ତାକୁ ଶୀଘ୍ର କାଶୀପୁର ଡାକ୍ତରଖାନାକୁ ନେବାକୁ ଗାଁ ଡାକ୍ତର କହିଲେ । ସେଦିନ ରାତିରେ ପୁଲିସ ଫୋର୍ସ କବାଟ ଭାଙ୍ଗି ଘରେ ପଶିଲେ । ମା’ ଓ ସ୍ତ୍ରୀଙ୍କ ସମ୍ମୁଖରେ ଊମାକାନ୍ତଙ୍କୁ ବହୁତ ପିଟିଥିଲେ । ଏସ୍ଡିପିଓ ରଶ୍ମୀରଞ୍ଜନ ସେନାପତିଙ୍କ ଗୋଡ଼ ଧରି ସେଦିନ ରାତିରେ ଊମାକାନ୍ତ ଓ ସ୍ତ୍ରୀ ଇନ୍ଦୁ ନେହୁରା ହେଲେ । ଝିଅକୁ ଡାକ୍ତରଖାନା ନେଇ ଥାନାକୁ ଆସିବେ ବୋଲି ଊମାକାନ୍ତ ଓ ଇନ୍ଦୁ ଜଣାଇଲେ । ମାତ୍ର ସବୁକିଛି ନିଷ୍ଫଳ ହୋଇଗଲା । ଊମାକାନ୍ତଙ୍କୁ ପୁଲିସ ଗିରଫ କରିନେଲା । ଊମାକାନ୍ତ ତିନିମାସ ସତର ଦିନର ସଜା କାଟି ଜେଲ୍ରୁ ବେଲ୍ରେ ଆସିଲେ ।
ଊମାକାନ୍ତଙ୍କ ଭାଇ କାର୍ତ୍ତିକଙ୍କୁ ମଧ୍ୟ ପୁଲିସ ଛାଡ଼ି ନଥିଲା । ସେ କୁହନ୍ତି, ‘ମୋ ବୃଦ୍ଧା ମା’ର ଦୁଃଖ ଅତ୍ୟନ୍ତ ବୀଭତ୍ସ । ମୋ ସାନଭାଇ ଊମାକାନ୍ତ ଜେଲ୍ରୁ ବେଲ୍ରେ ଆସିବାପରେ ମୋତେ ପୁଲିସ ସେପ୍ଟେମ୍ବର ୯, ୨୦୨୪ ଦିନ ସୁଙ୍ଗେର ହାଟପଦା ଛକରୁ ଗିରଫ କରି ନେଇଗଲା । ଥାନାରେ ଅଟକ ରଖି ଜେଲ୍ ପଠାଇଦେଲା । ପାଖାପାଖି ଦଶଟି ଅପରାଧିକ ମାମଲା ଦାୟର କରିଥିଲା । ମୁଁ କାଶୀପୁର କୋର୍ଟରୁ ସବୁ ମାମଲାରେ ବେଲ୍ ପାଇପାରିଲି ନାହିଁ । ମୋ ଓକିଲ ପ୍ରଶାନ୍ତ ଜେନାଙ୍କ ସାହାଯ୍ୟ ଓ ସହଯୋଗରୁ ଶେଷରେ ହାଇକୋର୍ଟରୁ ମୋତେ ବେଲ୍ ମିଳିଲା । ଥାନା ଓ କୋର୍ଟକଚେରି ପାଇଁ ବହୁ ଧାରଉଧାର ହୋଇଯାଇଛି । ଛ’ମାସ ଦଶ ଦିନ ମୁଁ ବିନା ଦୋଷରେ ଜେଲ୍ କାଟିଛି ।’
କାର୍ତ୍ତିକ ଓ ଊମାକାନ୍ତଙ୍କ ମା’ ରୁଦନା କୁହନ୍ତି, ‘ଆଜ୍ଞା, ମୋର ଦୁଇ ଭେଣ୍ଡିଆ ପୁଅଙ୍କୁ ଗିରଫ କରି ଜେଲରେ ପୂରାଇଲେ । ମୋ ନାଁରେ କେଶ୍ ଦେଲେ । ମୁଁ ଛେଳି ଟିକିଏ ଚରାଇବାକୁ ପଦାକୁ ଗଲାବେଳେ ଗାଡ଼ିମଟର ରଡ଼ି ଶୁଣିଲେ କିମ୍ବା ଗାଁ ରାସ୍ତାରେ ନୂଆ ଲୋକକୁ ଦେଖିଲେ ଡରରେ ଏଣେତେଣେ ଲୁଚିଯାଉଛି । ରାତିରେ ଘରେ ଶୋଉନି । ମୋର ଭୁଲ୍ କ’ଣ? ମୋ ପୁଅକୁ ବିନା ଦୋଷରେ ଜେଲ୍ରେ ପୂରାଇଲେ । ମୁଁ ପୁଲିସକୁ କିଛି କହିବିନି?’
ବନ୍ତେଜି ଗାଁଗଣ୍ଡାର ହୃଦୟ ବିଦାରକ ଦମନଲୀଳାର ଦୁଃଖ ଶୁଣିବା ପରେ ମୁଁ ବିଦାୟ ନେଇ ସାମ୍ବେରୀ ଗାଁ ଅଭିମୁଖେ ଯାତ୍ରା ଆରମ୍ଭ କଲି । ପ୍ରାୟ ପାହାଡ଼ିଆ ରାସ୍ତାରେ ଅଢ଼େଇ କିଲୋମିଟର ଯିବା ପରେ ଆମେ ସାମ୍ବେରୀ ଗାଁରେ ଅପରାହ୍ଣ ୩ଟାରେ ପହଞ୍ଚିଥିଲୁ । ମୋ ସହିତ ଟଙ୍କଧର ମାଝୀ ମଧ୍ୟ ସାମିଲ ଥିଲେ । ଆମେ ସିଧାସଳଖ ନାରିଙ୍ଗୀଦେଈ ମାଝୀଙ୍କ ଘରେ ପହଞ୍ଚିଲୁ ।
ନାରିଙ୍ଗୀଙ୍କ ଘରେ ପହଞ୍ଚିବା ପରେ ତାଙ୍କ ପୁଅ ଗୋପିନାଥ ମାଝୀ ଓ ସ୍ୱାମୀ ଝାନ ମାଝୀ କିଛି ସମୟ ପରେ ବିଲରୁ ଆସି ପହଞ୍ଚିଲେ । ଗୋପିନାଥଙ୍କୁ ମା’ ନାରିଙ୍ଗୀଙ୍କ ଜେଲ୍ୟିବା ପ୍ରସଙ୍ଗରେ ପଚାରିଲୁ । ଜେଲରେ ଗୋପିନାଥ ତାଙ୍କୁ ଭେଟିଲେଣି ବୋଲି ପ୍ରଶ୍ନ କଲୁ । ଏସବୁ ପ୍ରଶ୍ନର ଉତ୍ତରରେ ଗୋପିନାଥ ଗୋଟିଏ ଦୀର୍ଘଶ୍ୱାସ ମାରି କହିଲେ, ‘ଥରେ ଯାଇଥିଲି । ମୋତେ ଦେଖି ମା’ ଭୋ ଭୋ ହୋଇ କାନ୍ଦିଲା । ମୁଁ କ’ଣ କରୁଛି ବୋଲି ଖାଲି ପଚାରିଲା । ପୁଲିସ କ’ଣ କହୁଛି? ମୁଁ କେବେ ଘରକୁ ଯିବି । ଏସବୁ କଥାର ମୁଁ କିଛି ଜବାବ ଦେଇପାରି ନଥିଲି । ମୁଁ ମଧ୍ୟ କାନ୍ଦି ପକାଇଥିଲି । ସାକ୍ଷାତ୍ ସମୟ ଶେଷ ହେବାରୁ ମା’ଙ୍କୁ ଭିତରକୁ ନେଇଯାଇଥିଲେ ।’
ନାରିଙ୍ଗୀ କାହିଁକି ଜେଲ ଗଲେ ବୋଲି ପଚାରିବାରୁ ସ୍ୱାମୀ ଝାନ ମାଝୀ କହିଲେ, ‘ଆମେ କିଛି ଜାଣିନୁ ଆଜ୍ଞା । ନାରିଙ୍ଗୀ ରାହୁଳ ଗାନ୍ଧୀଙ୍କ ଭୁବନେଶ୍ୱର ରାଲିକୁ ଯାଇଥିଲା । ଏ ବିଷୟରେ କୁଆଡ଼େ ପୁଲିସମାନେ ଗାଁରେ ଆସି ପଚରାଉଚୁରା କରିଥିଲେ ବୋଲି ଆମେ ଶୁଣିଲୁ । ସେ ଫେରିବାର ଦୁଇଦିନ ପରେ ମୋ ବୋହୂ କସ୍ମିତା (ଗୋପିନାଥର ସ୍ତ୍ରୀ)ର ପ୍ରସବବେଦନା ହେବାରୁ ଆମେ ତାକୁ କାଶୀପୁର ଡାକ୍ତରଖାନାକୁ ନେଇଥିଲୁ । ସେଠାରେ ଡାକ୍ତରମାନେ କସ୍ମିତାକୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯିବାକୁ କହିଲେ । ସେଠାରେ ସାଧା ପୋଷାକରେ ପୁଲିସ ବାବୁମାନେ ଆସି ନାରିଙ୍ଗୀକୁ ମାଡ଼ମାରି ଗିରଫ କରି ଜେଲରେ ପୂରାଇ ଦେଲେ । କ’ଣ ପାଇଁ ଓ କାହିଁକି ନାରିଙ୍ଗୀ ଜେଲ୍ଗଲା ଆମେ କିଛି ବୁଝିପାରୁନୁ ଆଜ୍ଞା । ଏଠାରେ କାହିଁକି ପୁଲିସ ଏପରି ଗିରଫ କରି ଲୋକଙ୍କୁ ଜେଲ୍ ପଠାଉଛି, ଆମେ କିଛି ଜାଣିନୁ । ଆପଣ ଟିକେ କଣ୍ଟାମାଲ ଯାଇ ଦେଖନ୍ତୁ ସେଠାରେ କିପରି ମଣିଷ ଡହଳବିକଳ ହୋଇ ବଞ୍ଚୁଛି ।’
ଏସବୁ ହୃଦୟ ବିଦାରକ ଦୁଃଖଶୁଣିବା ପରେ ମୁଁ କଣ୍ଟାମାଳ ଗାଁକୁ ମୋର ଯାତ୍ରା ଆରମ୍ଭକଲି । ଟଙ୍କଧର ମୋ ସହିତ ଯିବାକୁ ରାଜି ହେଲେ । ସାମ୍ବାରୀ ଗାଁରୁ କଣ୍ଟାମାଳ ପ୍ରାୟ ଚାରି କିଲୋମିଟର । କଣ୍ଟାମାଳ ଜନଜାତି ଗ୍ରାମରେ ପାଖାପାଖି ସନ୍ଧ୍ୟା ୫ଟାରେ ମୁଁ ପହଞ୍ଚିଥିଲି । ଆମେ ପ୍ରଥମେ ଗାଁର ସୁନ୍ଦର ସିଂ ମାଝୀଙ୍କ ଘରେ ପହଞ୍ଚିଲୁ । ସୁନ୍ଦର ସିଂଙ୍କୁ ପୁଲିସ ଊମାକାନ୍ତଙ୍କ ସହିତ ସମାନ ଦିନ ଗିରଫ କରି ଜେଲ୍ ପଠାଇଦେଲା । ସୁନ୍ଦର ସିଂଙ୍କ ଘରେ ଆମେ ମାନିଆ ମାଝୀଙ୍କୁ ଭେଟିଲୁ । ସେ କହିଲେ, ‘ପୁଲିସର ଅମାନବୀୟ ବର୍ବର ଦମନଲୀଳା ପ୍ରସଙ୍ଗରେ ଆମେ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଗୁହାରି ହେଲେ ମଧ୍ୟ ଆମର କଥା କେହି ଶୁଣିବାକୁ ନାହାନ୍ତି । ଖଣିଖାଦାନ ହେଲେ ୫୭ଖଣ୍ଡ ଗାଁର ଶହ ଶହ ଏକର ଚାଷଜମି ଉଜୁଡ଼ିଯିବ । ହଜାର ହଜାର ଲୋକଙ୍କର ଜୀବନଜୀବିକା ଉଚ୍ଛନ୍ନ ହେବ । ମିଛ ଗ୍ରାମସଭା କରି ଆଠ ବର୍ଷ ଓ ପାଞ୍ଚ ବର୍ଷ ପିଲାଙ୍କ ନାଁ ଦେଇ ଦସ୍ତଖତ କରେଇଛନ୍ତି କିନ୍ତୁ ବି.ଏ. ପାଠ ପଢ଼ିଥିବା ବିଶ୍ୱମ୍ବର ନାଏକ ଗ୍ରାମସଭା କାଗଜରେ ଟିପଚିହ୍ନ କିପରି ଦେଲା? ଏସବୁ ଆରଟିଆଇରେ ମାଗିବାରୁ ଏହା ଜାଲ୍ ବୋଲି ଆମେ ଜାଣିପାରିଛୁ । ମିଛ ଗ୍ରାମସଭାର ବାହାନା କରି ଏହା ଆମର ସାମ୍ବିଧାନିକ ଅଧିକାରକୁ ହତ୍ୟା କରିବାର ସୁଚିନ୍ତିତ ଷଡ଼୍ୟନ୍ତ୍ର । ପୁଲିସ ବାବୁମାନେ ହାତରେ ବନ୍ଧୁକ ଓ ଅଣ୍ଟାରେ ଦଉଡ଼ି ଗୁଡ଼ାଇ ରାତିରେ ଯମଦୂତ ଭଳି ଗ୍ରାମବାସୀଙ୍କ ଘରେ ପଶି ଗିରଫଦାରି କରୁଛନ୍ତି । ଆମକୁ ନିୟମିତ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଛି । ସ୍ଥାନୀୟ ପୁଲିସ ଓ ପ୍ରଶାସନ, କଂପାନି ଗୁଣ୍ଡା ଓ ଠିକାଦାରଙ୍କ ସଂଘବଦ୍ଧ ଆକ୍ରମଣର ଅତ୍ୟାଚାରରେ ଆମେ ଲହୁଲୁହାଣ ହୋଇଗଲୁଣି ।’
ମା’, ମାଟି, ମାଳି ସୁରକ୍ଷା ମଞ୍ଚର ଉପାଧ୍ୟକ୍ଷ ଲାଇ ମାଝୀ କୁହନ୍ତି, ‘କାଠ ଆଣିବାକୁ ମହିଳାମାନେ ଜଙ୍ଗଲକୁ ପୁଲିସ ଡରରେ ଯାଇପାରୁ ନାହାନ୍ତି । ରାସ୍ତାଘାଟରେ ଅଟକାଇ ତାଙ୍କୁ ଧମକ ଚମକ ଦିଆଯାଉଛି । ଗ୍ରାମସଭାରେ ବିରୋଧ ନ କରିବାକୁ ଗ୍ରାମବାସୀମାନଙ୍କୁ ମଧ୍ୟ ଗୁଣ୍ଡାମାନେ ଧମକାଇଥିଲେ । ମାଲିପଦର ଗାଁରେ ଗଛକଟାକୁ ମା’ମାନେ ବିରୋଧ କରିବାକୁ ତାଙ୍କୁ ନିର୍ଯାତନା ଦିଆଯାଇଥିଲା ।’
ରାଜ୍ୟପାଳଙ୍କୁ ଗୁହାରି ଓ ଦରଖାସ୍ତ
୨୦୨୩ ସେପ୍ଟେମ୍ବର ୧୩ ତାରିଖରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ବୋର୍ଡ ତିଜିମାଳି/ସିଜିମାଳି ପ୍ରସ୍ତାବିତ ଖଣି ଖନନ ପାଇଁ ପରିବେଶ ମଞ୍ଜୁରି ନୋଟିସ ଜାରିକଲେ । ସେପ୍ଟେମ୍ବର ୨୫ତାରିଖ ଦିନ ଗୌତମ ଭାଟ୍ଟିଆ, ପ୍ରଶାନ୍ତ ଭୂଷଣ, ସୁଧା ଭରଦ୍ୱାଜ, ମେଧା ପାଟେକର, ପ୍ରଫୁଲ୍ଲ ସାମନ୍ତରାଙ୍କ ଭଳି ୮୦ରୁ ଅଧିକ ପରିବେଶବିତ୍, ଓକିଲ ଓ ମାନବିକ ଅଧିକାର କର୍ମୀ ଓଡ଼ିଶାର ରାଜ୍ୟପାଳଙ୍କ ନିକଟକୁ ଏକ ପିଟିସନ୍ ଦେଇ ସ୍ଥାନୀୟ ପୁଲିସ ପ୍ରଶାସନର ଆଦିବାସୀ ଓ ଦଳିତଙ୍କ ଉପରେ ହେଉଥିବା ବଳପୂର୍ବକ ଗିରଫଦାରି, ମିଛ ଅପରାଧିକ ମାମଲା ଓ କମ୍ପାନିର ଗୁଣ୍ଡାମାନଙ୍କ ଦ୍ୱାରା ହେଉଥିବା ଅତ୍ୟାଚାର ଓ ଦମନଲୀଳାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ୨୦୨୩ ଅଗଷ୍ଟ ୧୨ରେ ସ୍ଥାନୀୟ ପୁଲିସ ଏକକାଳୀନ ୯୪ଜଣଙ୍କ ବିରୋଧରେ ମାମଲା ଦାୟରକୁ ସେମାନେ ଖାରଜ କରିବାକୁ ଦାବି କରିଥିଲେ ।
ଲକ୍ଷ୍ମଣ ମାଝୀ କୁହନ୍ତି, ‘ଗ୍ରାମସଭାକୁ ଭଣ୍ଡୁର କରିବା ପାଇଁ ଶହ ଶହ ଗ୍ରାମବାସୀଙ୍କୁ ଗିରଫ କରି ମିଛ କେଶ୍ ଦାୟର ହେଲା । ୨୦୨୩ ଅଗଷ୍ଟ ୧୪ ପରିବେଶ ଆକଳନର ରିପୋର୍ଟରେ ବେଦାନ୍ତ ଦର୍ଶାଇଛି, ମାତ୍ର ୮ ଜଣ ଗ୍ରାମବାସୀ ତିଜିମାଳି/ସିଜିମାଳି ଖଣି ଖନନରେ ପ୍ରଭାବିତ ହେବେ । ଇଆଇଏ ରିପୋର୍ଟ ୨୦୦୬ବିଜ୍ଞପ୍ତି ଅନୁଯାୟୀ ସମ୍ପୂର୍ଣ୍ଣ ରିପୋର୍ଟକୁ ପ୍ରସ୍ତାବିତ ଗ୍ରାମବାସୀଙ୍କ ସ୍ଥାନୀୟ ଓ ଆଞ୍ଚଳିକ ଭାଷାରେ ସର୍ବସାଧାରଣରେ ଉପଲବ୍ଧ କରିବା ଆବଶ୍ୟକ । ଜିଲ୍ଲାପାଳ ଏହା ଉପରେ ଜନସାଧାରଣଙ୍କର ମତାମତ ସିଧାସଳଖ ଗ୍ରହଣ କରିବେ । କିନ୍ତୁ ଏସବୁ ହୋଇନାହିଁ । ଜନ୍ମ-ମୃତ୍ୟୁ ପଞ୍ଜୀକରଣ କରିବାକୁ ଗ୍ରାମବାସୀମାନେ ବିଭାଗୀୟ ପଦାଧିକାରୀଙ୍କ ନିକଟକୁ ପୁଲିସ ଓ ଗୁଣ୍ଡା ଭୟରେ ଭୟଭୀତ ହୋଇ ଯାଇପାରୁ ନାହାନ୍ତି । ସବୁଠାରୁ ଉଦ୍ବେଗର କଥା ଜେଲରେ ଥିବା ଗ୍ରାମବାସୀ କାଶୀପୁର କୋର୍ଟରେ ତାରିଖରେ ଆସିବା ସମୟରେ ସେମାନଙ୍କର ସଂପର୍କୀୟମାନେ ମଧ୍ୟ ତାଙ୍କୁ ଭେଟିପାରୁ ନାହାନ୍ତି । କାରଣ ଭେଟି ଫେରିବା ସମୟରେ ସେମାନଙ୍କୁ ଆକ୍ରମଣ କରାଯାଉଛି କିମ୍ବା ପୁଲିସ ଗିରଫ କରୁଛି ।’
ମାଲିପଦର ଗାଁର ଆଦିବାସୀ ମହିଳା ରୀନା ମାଝୀ କୁହନ୍ତି, ‘ଅକ୍ଟୋବର ୧୧ତାରିଖରେ ରାଜ୍ୟପାଳଙ୍କ ନିକଟରେ ଆମେ ଏଭଳି ଅତ୍ୟାଚାର ଓ ଦମନଲୀଳା ପ୍ରସଙ୍ଗରେ ଜଣାଇବାକୁ ଭୁବନେଶ୍ୱର ଯାଇଥିଲୁ । ଭୁବନେଶ୍ୱରକୁ ଆସିବାପାଇଁ ପୁଲିସ ପ୍ରଶାସନ ଓ କଂପାନି ଗୁଣ୍ଡାଙ୍କୁ ଲୁଚି ଲୁଚି ଆମକୁ ଆସିବାକୁ ପଡ଼ିଥିଲା ।’
କାଶୀପୁରରୁ ସୁଙ୍ଗେର, ବନ୍ତେଜି ଓ କଣ୍ଟାମାଲ ଓ ସୀମାନ୍ତ କଳାହାଣ୍ଡି ଜିଲ୍ଲାର ଗାଁ ଗଣ୍ଡାକୁ ଯିବା ସମୟରେ ରାସ୍ତାର ବିଭିନ୍ନ ସ୍ଥାନରେ ବେଦାନ୍ତ କଂପାନି ପକ୍ଷରୁ ଲୁହା ଟ୍ରାଫିକ୍ ବ୍ୟାରିକେଡ୍ ରଖାଯାଇଛି । ବ୍ୟାରିକେଡ ରେ ଲେଖାଯାଇଛି ‘ଭଲପାଇଁ ପରିବର୍ତ୍ତନ’ । ଗାଁଗଣ୍ଡାରେ ଅମାନବୀୟ ଅତ୍ୟାଚାରର ଘଟଣା ଦେଖିବା ଓ ଶୁଣିବା ପରେ ଲାଗୁଥିଲା । ସତେ ଯେପରି ବେଦାନ୍ତର ଏହି ମନଲୋଭା ପ୍ରତିଶ୍ରୁତି ସ୍ଥାନୀୟ ଗ୍ରାମବାସୀମାନଙ୍କ ପାଇଁ ଏକ ବିଦ୍ରୂପ । ସ୍ଥାନୀୟ ଜନସାଧାରଣ କହୁଛନ୍ତି, ବେଦାନ୍ତର ଭଲ ପାଇଁ ଏ ପରିବର୍ତ୍ତନର ସ୍ଲୋଗାନ୍ ।
ନିଆଁ ଲଗାଇଲେ ନବୀନ
୨୦୨୩ ମାର୍ଚ୍ଚ ମାସରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ତିଜିମାଳି (ସରକାରୀ ରେକର୍ଡରେ ସିଜିମାଳି) ବକ୍ସାଇଟ୍ ପର୍ବତକୁ ବେଦାନ୍ତ ହାତକୁ ଟେକି ଦେଇଥିଲେ । ନବୀନ ପଟ୍ଟନାୟକଙ୍କ ଖଣିଖାଦନ ଓ କଂପାନିପ୍ରୀତିର କଳଙ୍କକୁ ସମସ୍ତେ ଜାଣିଛନ୍ତି । ନିୟମଗିରିକୁ ବେନିୟମଗିରିରେ ପରିଣତ କରିବା, ଯାଜପୁର ଜିଲ୍ଲାର କଳିଙ୍ଗ ନଗର ଓ ରାୟଗଡ଼ା ଜିଲ୍ଲାର କାଶୀପୁର ମାଇକଞ୍ଚ ଠାରେ ଖଣି ଖନନ ପାଇଁ ଆଦିବାସୀଙ୍କ ଉପରେ ଗୁଳିଚାଳନା କରି ହତ୍ୟାକରିବା ଭଳି ରକ୍ତାକ୍ତ ଇତିହାସ ଏବଂ ଅନେକ ଦମନଲୀଳା କେହି ମଧ୍ୟ ଭୁଲିନାହାନ୍ତି । ତିଜିମାଳିର ଅନୁସୂଚିତ କୋନେ୍ଦା ଓ ପରଜା ଜନଜାତି ତଥା ଡମ୍ବ, ଦଳିତ ସମ୍ପ୍ରଦାୟ ସ୍ଥାନୀୟ ଖଣିଖନନର ସମସ୍ତ ଦୋଷ ନବୀନଙ୍କୁ ଦେଉଛନ୍ତି । ଏଠାରେ ଖଣି ଖନନକୁ ସ୍ୱୀକୃତି ଦେଇ ନବୀନ ପଟ୍ଟନାୟକ ଆଉ ଏକ ମାଇକଞ୍ଚ ଓ କଳିଙ୍ଗ ନଗରର ରକ୍ତରଞ୍ଜିତ ଅଧ୍ୟାୟ ଲେଖିବାର ମୂଳଦୁଆ ପକାଇ ଦେଇଛନ୍ତି । ଯଦି ଏପରି ହୁଏ ଏହି ଅପରାଧର ପ୍ରଥମ ଅପରାଧୀ ନବୀନ ପଟ୍ଟନାୟକ ବୋଲି କାଶୀପୁର ହାଟର ଆଲୋଚନାରୁ ଏହା ସ୍ପଷ୍ଟ ବୁଝା ପଡୁଥିଲା ।
ରାୟଗଡ଼ା ଓ କଳାହାଣ୍ଡି ବକ୍ସାଇଟ୍ ବେଲ୍ଟର ମଧ୍ୟଭାଗରେ ୧୫୪୯ ହେକ୍ଟର ପରିବ୍ୟାପ୍ତ ତିଜିମାଳି ବକ୍ସାଇଟ୍ ଉତ୍ତୋଳନକୁ ଦୃଢ଼ ବିରୋଧ କରି ବର୍ତ୍ତମାନ ତେଜିଲାଣି ଜନ ଆନେ୍ଦାଳନ । ୨୦୨୩ ଜୁଲାଇ ମାସରୁ ଏହି ଆନ୍ଦୋଳନ ଉଗ୍ରରୂପ ନେଲାଣି । କଳାହାଣ୍ଡିର ଥୁଆମୂଳ ରାମପୁର ତହସିଲର ୮ଟି ପଞ୍ଚାୟତ ଏବଂ କାଶୀପୁର ତହସିଲର ୧୦ଟି ପଞ୍ଚାୟତ ଖଣିଖନନରେ ଘୋର୍ ପ୍ରଭାବିତ ହେବେ । ସ୍ଥାନୀୟ ଅନୁସୂଚିତ ଜନଜାତି ଓ ଦଳିତ ସମ୍ପ୍ରଦାୟର ପାରମ୍ପରିକ ପୂଜାପାଠ ଓ ପର୍ବପର୍ବାଣି ତିଜିମାଳି ଶିଖରରେ କାହିଁ କେଉଁ କାଳରୁ ପାଳନ ହୋଇଆସୁଛି । ସେମାନଙ୍କ ଧାର୍ମିକ ବିଶ୍ୱାସର ଭଗବାନ ‘ତିଜିରାଜା’ଙ୍କର ଏହା ହେଉଛି ପବିତ୍ର ବାସସ୍ଥାନ । ତାଙ୍କର ନାମ ଆଧାରରେ ଏହାକୁ ତିଜିମାଳି କୁହାଯାଏ । ଏଠାରେ ଖଣି ଖନନ ହେଲେ ରକ୍ତପାତ ସୁନିଶ୍ଚିତ ହେବ ବୋଲି ସୁଙ୍ଗେର ଛକରେ ବିଭିନ୍ନ ଲୋକଙ୍କଠାରୁ ଆଲୋଚନା ମାଧ୍ୟମରେ ଜଣାପଡ଼ିଥିଲା ।
ପୂର୍ବ ଓ ପଶ୍ଚିମ ଘାଟ ପର୍ବତମାଳାର ଅତ୍ୟନ୍ତ ପାରିବେଶିକ ସମ୍ବେଦନଶୀଳ ଅଞ୍ଚଳରେ ଭରପୂର ରହିଛି ବକ୍ସାଇଟ୍ ଭଳି ଖଣିଜସମ୍ପଦ । ନଈନାଳର ଉତ୍ପତ୍ତିସ୍ଥଳ ସବୁ ଭରିରହିଛି ଏହି ପର୍ବତମାଳାରେ । ଓଡ଼ିଶାରେ ଖଣି ଖନନ କାର୍ଯ୍ୟ ବୃଦ୍ଧିଯୋଗୁଁ ୨୦୦୧ରୁ ୨୦୧୯ ମଧ୍ୟରେ କେବଳ କଳାହାଣ୍ଡି ଜିଲ୍ଲାରେ ୨୦ପ୍ରତିଶତ ଜଙ୍ଗଲ ଧ୍ୱଂସର ସରକାରୀ ରେକର୍ଡ ରହିଥିବାବେଳେ ବାସ୍ତବ ସ୍ଥିତି ଏହାଠାରୁ ବହୁ ଅଧିକ । କୋରାପୁଟ ଓ ରାୟଗଡ଼ାର ସର୍ବାଧିକ ୩୧ପ୍ରତିଶତରୁ ଅଧିକ ଜଙ୍ଗଲ କ୍ଷତିଗ୍ରସ୍ତ । ଏଭଳି ସ୍ଥିତିରେ ଏଠାକାର ଏକାଧିକ ବକ୍ସାଇଟ୍ ପର୍ବତମାଳାରେ ଅନେକ ଖଣି ଖନନ କଂପାନିଙ୍କର ଲମ୍ବା ଲାଇନ ଲମ୍ବିଛି । ଏହା ଯଦି ନିୟନ୍ତ୍ରଣ ନହୁଏ, କିଛିବର୍ଷ ପରେ ସ୍ଥାନୀୟ ଅଞ୍ଚଳ ସମ୍ପୂର୍ଣ୍ଣ ମରୁଭୂମି ପାଲଟିଯିବ ।
ପ୍ରଦୂଷଣ ଓ ଆଇନ
ବକ୍ସାଇଟ୍ ଭଳି ଖଣିଖନନ ସମୟରେ ବିସ୍ଫୋରଣ କରି ଖୋଳିବା (ଡ୍ରିଲିଂ), ଗୁଣ୍ଡକରିବା(କ୍ରସିଂ) ତଥା ପରିବହନ ସମୟରେ ଏହା ନାଇଟ୍ରୋଜେନ୍ ଅକ୍ସାଇଡ୍ ଓ ସଲ୍ଫର୍ ଡାଏଅକ୍ସାଇଡ୍ ଭଳି ବିପଜ୍ଜନକ କ୍ଷୁଦ୍ରକଣିକା(ଧୂଳିଗୁଣ୍ଡ) ସୃଷ୍ଟି କରି ବାୟୁମଣ୍ଡଳକୁ ବିଷାକ୍ତ କରିଥାଏ । ତିଜିମାଳି ଖଣିଖନନର ପାରିବେଶିକ ପ୍ରଭାବ ଆକଳନ (ଇଆଇଏ) ରିପୋର୍ଟରେ ଦର୍ଶାଯାଇଛି ଖଣି ଖନନର ଲିଜ୍ ଅଞ୍ଚଳ ବାହାରେ ବିଷାକ୍ତ ପ୍ରଦୂଷିତ ବର୍ଜ୍ୟଜଳ ନିଷ୍କାସିତ ହେବନାହିଁ । କିନ୍ତୁ ଆଜିର ଚରମ ପାଣିପାଗଜନିତ ଘଟଣା ଘଟୁଥିବା ସମୟରେ ବର୍ଷାଜଳ ପ୍ରଦୂଷିତ ହୋଇ ଏଠାରୁ ଯେତେବେଳେ ନିଷ୍କାସିତ ହେବ ତାହା ନିଶ୍ଚିତ ସ୍ଥାନୀୟ ଜଳକୁ ଅମ୍ଳଯୁକ୍ତ କରିଦେବ । ଏହି ଅମ୍ଳଜଳ ଖଣି ଅଞ୍ଚଳରୁ ବିଷାକ୍ତ ଭାରିଧାତୁକୁ ପ୍ରବାହିତ କରି ନିଷ୍କାସନ କରିବ । ଏହାଦ୍ୱାରା ସ୍ଥାନୀୟ ଭୂପୃଷ୍ଠ ଓ ଭୂତଳ ଜଳ ଘୋର୍ ପ୍ରଦୂଷିତ ହେବ । ଇଆଇଏ ରିପୋର୍ଟ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ପ୍ରସ୍ତୁତ ହୋଇଥିଲା । କିନ୍ତୁ ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନର ବିପଦ ମଧ୍ୟରେ ଏହାର ଆକଳନକୁ ଅନ୍ୟ ଋତୁରେ କରିବା ଆବଶ୍ୟକ । ଏହାଦ୍ୱାରା ଜଳସ୍ରୋତ ଓ ପ୍ରବାହ, ଜୈବବିବିଧତା ତଥା ପରିସଂସ୍ଥାନର ବାସ୍ତବ ସ୍ଥିତି ସାଙ୍ଗକୁ ପାଣିପାଗର ରୂପରେଖ ଜଣାପଡ଼ିବ । ମାତ୍ର ଏସବୁ ଦିଗ ପ୍ରତି ତିଜିମାଳି ଇଆଇଏ ରିପୋର୍ଟରେ ବେଦାନ୍ତ ଧ୍ୟାନ ଦେଇନାହିଁ ବୋଲି ପରିବେଶବିତ୍ମାନେ ଯୁକ୍ତି ବାଢୁଛନ୍ତି ।
୧୯୯୭ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟରେ ସମତା-ବନାମ ଆନ୍ଧ୍ରପ୍ରଦେଶ ଶୁଣାଣି କରି ନ୍ୟାୟ ପ୍ରଦାନ ନିଷ୍ପତ୍ତିରେ ନିର୍ଦ୍ଧେଶ ଦେଇଥିଲେ, ପଞ୍ଚମ ଅନୁସୂଚିତ ଜମିର କିସମକୁ କୌଣସି ପରିସ୍ଥିତିରେ ପରିବର୍ତ୍ତନ କରାଯାଇ ପାରିବ ନାହିଁ । ସେହିପରି ୨୦୧୩ ମସିହାରେ ଓଡ଼ିଶା ଖଣି ନିଗମ ବନାମ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ଅଧିକାରୀ ଜଙ୍ଗଲ ଅଧିକାର ମାନ୍ୟତା ଆଇନ ୨୦୦୬ ଅଧୀନରେ ଗ୍ରାମସଭାଗୁଡ଼ିକ ସେମାନଙ୍କର ଗୋଷ୍ଠୀ ଜମି ଓ ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣ ପ୍ରସଙ୍ଗରେ ନିଷ୍ପତ୍ତି ନେବାର ପୂର୍ଣ୍ଣ ଏବଂ ଚୂଡ଼ାନ୍ତ ଅଧିକାର ରହିଛି । ଏହାକୁ ଦେଖିଲାପରେ ନିଶ୍ଚିତ ହେଉଛି, ଓଡ଼ିଶାର ତତ୍କାଳୀନ ନବୀନ ସରକାର ତିଜିମାଳିକୁ ବେଦାନ୍ତ ହାତରେ ଟେକିଦେଲେ କିପରି?
ସିଜିମାଳି ବକ୍ସାଇଟ୍ ମାଇନ
ତକ୍ରାଳୀନ ଓଡ଼ିଶା ସରକାର ୨୦୨୩ ମସିହା ମାର୍ଚ୍ଚ ମାସରେ ବେଦାନ୍ତକୁ ସିଜିମାଳି ବକ୍ସାଇଟ୍ ଖଣି ଆବଣ୍ଟନ କରିଥିଲେ । ରାଜ୍ୟର ବକ୍ସାଇଟ୍ ବଳୟର କେନ୍ଦ୍ରସ୍ଥଳରେ ଥିବା କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ବକ୍ସାଇଟ୍ ଖଣିଜ ସମ୍ପଦ ଅଞ୍ଚଳରେ ତିଜିମାଳି/ସିଜିମାଳି ପରିବ୍ୟାପ୍ତ । କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ତହସିଲର ଆଠଟି ଗ୍ରାମ ପଞ୍ଚାୟତ ଓ ରାୟଗଡ଼ା ଜିଲ୍ଲାର କାଶୀପୁର ତହସିଲର ଦଶଟି ଗ୍ରାମପଞ୍ଚାୟତ ଏହି ଖଣି ଅଞ୍ଚଳ ମଧ୍ୟରେ ଅନ୍ତର୍ଭୁକ୍ତ । ଏହି ଗାଁଗୁଡ଼ିକରେ ମୁଖ୍ୟତଃ କନ୍ଧ, ପରଜା ସଂପ୍ରଦାୟର ଆଦିବାସୀ ଓ ଡମ ଦଳିତମାନେ ବସବାସ କରିଥାଆନ୍ତି । ଲିଜ୍ ଦିଆଯାଇଥିବା ଖଣି ଅଞ୍ଚଳର ପ୍ରାୟ ୪୫% ଅଞ୍ଚଳ ଜଙ୍ଗଲଦ୍ୱାରା ଆଚ୍ଛାଦିତ ଯେଉଁଥିରେ ଉଭୟ ସଂରକ୍ଷିତ ଜଙ୍ଗଲ ଓ ଗ୍ରାମ୍ୟଜଙ୍ଗଲ ଅନ୍ତର୍ଭୁକ୍ତ । ବେଦାନ୍ତ ଏହି ଖଣି ସହ ସଂପୃକ୍ତ ହେବା ପୂର୍ବରୁ, ୧୯୯୦ ଦଶକରୁ ଲାରସନ୍ ଆଣ୍ଡ୍ ଟ୍ୟୁବ୍ରୋ ସିଜିମାଳିରେ ବକ୍ସାଇଟ୍ ଅନୁସନ୍ଧାନର ଅନୁମତି ପାଇଥିଲା । ୨୦୨୦ ମସିହାରେ ପ୍ରସ୍ତୁତ କରାଯାଇଥିବା ଏକ ପ୍ରାକ୍-ସମ୍ଭାବ୍ୟତା ରିପୋର୍ଟ ମୁତାବକ ସେମାନେ କୁଟୁରୁମାଳି ପାହାଡ଼ରୁ ବକ୍ସାଇଟ୍ ଉତ୍ତୋଳନ କରିପାରିବେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେମାନଙ୍କ ନିକଟରେ ପୂର୍ବରୁ ପଡ଼ୋଶୀ ମାଲିପଦର ସକାଶେ ଅନୁସନ୍ଧାନ କରିବାର ଅଧିକାର ପତ୍ର ରହିଥିଲା । ସିଜିମାଳିର ଶୁଷ୍କ ପର୍ଣ୍ଣମୋଚୀ ଜଙ୍ଗଲର ଝରଣାଗୁଡ଼ିକ କୂଳରେ ପାରମ୍ପରିକଭାବେ ଅନ୍ୟମାନଙ୍କର ବ୍ୟବହାରଗତ ଅଧିକାର ରହିଛି । ଭାରତରେ ମାତ୍ର ତିନିଟି ପ୍ରଜାତିର ଓଧ ଉପଲବଧ । ସେମାନଙ୍କ ମଧ୍ୟରୁ ଛୋଟ ପଞ୍ଝା ବିଶିଷ୍ଟ ଓଧମାନଙ୍କର ଉପସ୍ଥିତିର ପ୍ରମାଣ ଦକ୍ଷିଣ ଓଡ଼ିଶାର ପ୍ରାୟ ପ୍ରତ୍ୟେକଟି ଚିରସ୍ରୋତା ଝରଣା କୂଳରେ ମିଳିଥାଏ । କଳାହାଣ୍ଡି ଓ ରାୟଗଡ଼ା ହେଉଛି ହାତୀମାନଙ୍କର ଆବାସସ୍ଥଳୀ । ଚିହ୍ନଟ କରାଯାଇଥିବା ଖଣି ଅଞ୍ଚଳରେ ମଧ୍ୟ ହାତୀମାନଙ୍କର ଉପସ୍ଥିତି ପରିଲକ୍ଷିତ ହୋଇଛି । ଏହି ଅଞ୍ଚଳର ବିଭିନ୍ନ ପାରମ୍ପରିକ ଚିକିତ୍ସାପ୍ରଣାଳୀ ସମ୍ପର୍କରେ ଗବେଷଣା କରିଥିବା ଡକ୍ଟର ରାଣ୍ଡାଲ ସେକ୍ୱେରା ଏଠାକାର ସମୁଦାୟ ଏବଂ ଏ ଅଞ୍ଚଳର ଜୈବବିବିଧତା ଓ ପ୍ରକୃତି ମଧ୍ୟରେ ରହିଥିବା ଘନିଷ୍ଠ ସମ୍ପର୍କକୁ ଅନୁଧ୍ୟାନ କରିଛନ୍ତି ।
ଜନଆନ୍ଦୋଳନକୁ ମିଳିଲା ବଳ
କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ବର୍ତ୍ତମାନ ସିଜିମାଳି ଜନଆନ୍ଦୋଳନକୁ ବଳ ଦେଇଛନ୍ତି । ବେଦାନ୍ତ କମ୍ପାନୀକୁ ତତ୍କାଳିନ ନବୀନ ସରକାର ସିଜିମାଳିକୁ ଦେବା ପରେ ଏହି ବକ୍ସାଇଟ୍ ମାଇନ୍ସର ଖଣିଖନନ ଉପରେ ବର୍ତ୍ତମାନ ପ୍ରତିବନ୍ଧକ ଲଗାଇ ନାଲି ପତାକା ଦେଖାଇଛନ୍ତି । ଏବେ ଓଡ଼ିଶା ସରକାର ସିଜିମାଳି ପାଇଁ ପୁନର୍ବାସ ଓ ପୁନଃ ଥଇଥାନ କମିଟି ଗଠନ କରିଛନ୍ତି । ଏହି କମିଟି ପ୍ରତ୍ୟେକ ତିନି ମାସରେ ଅତି କମରେ ଥରଟିଏ ବସିବ ଏବଂ ସହମତ ହୋଇଥିବା ସର୍ତ୍ତାବଳୀର ଆଧାରରେ ବିସ୍ଥାପନ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ ଦେୟ ରାଶି ପ୍ରଦାନ ସ୍ଥିତିର ସମୀକ୍ଷା କରିବେ । ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ସିଜିମାଳି ଖଣିକୁ କାର୍ଯ୍ୟକ୍ଷମ କରିବା ସକାଶେ ୭୦୮.୨ହେକ୍ଟର ଜଙ୍ଗଲ ଜମି ହସ୍ତାନ୍ତର କରିବାକୁ ବେଦାନ୍ତ କରିଥିବା ଆବେଦନକୁ ସ୍ଥଗିତ ରଖିବାର ପନ୍ଦର ଦିନପରେ ଓଡ଼ିଶା ସରକାର ପ୍ରକଳ୍ପସ୍ତରରେ ପୁନର୍ବାସ ଓ ପୁନଃ ଥଇଥାନର ଏକ କମିଟି ଗଠନ କରିଛନ୍ତି ।
ରାୟଗଡ଼ା ଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠିତ ଏହି ୧୨ଜଣିଆ ବିଶେଷଜ୍ଞ ଦଳ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବେ ଏବଂ ରୂପାୟନ ପରବର୍ତ୍ତୀ ସାମାଜିକ ଅଡିଟ୍ ମଧ୍ୟ କରିବେ । ଏହି ଦଳରେ ଥିବା ଅନ୍ୟ ସଦସ୍ୟମାନେ ହେଲେ କୋରାପୁଟର ସାଂସଦ, ରାୟଗଡ଼ା ବିଧାୟକ, କାଶୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ, ପ୍ରଭାବିତ ଅଞ୍ଚଳରେ ରହୁଥିବା ମହିଳା ଓ ଅନୁସୂଚିତ ଜନଜାତିର ସମ୍ପ୍ରଦାୟର ପ୍ରତିନିଧି ଏବଂ ଏହି ଅଞ୍ଚଳର ଗୋଟିଏ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି ।
‘ପୁନର୍ବାସ ପ୍ରକ୍ରିୟା ଶେଷ ହେବାପରେ ଏହି କମିଟି ଏକ ସ୍ୱାଧୀନ ସାମାଜିକ ଅଡିଟ୍ କରିବା ପାଇଁ ଏକ ସଂଗଠନର ନାମ ସୁପାରିଶ କରିବେ । ଏହି ଅଡିଟ୍ ବାବଦକୁ ଖର୍ଚ୍ଚ ଜିଲ୍ଲାପାଳ ପ୍ରଦାନ କରିବେ’ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗତ ସେପ୍ଟେମ୍ବର ୧୦ ତାରିଖ ଦିନ ବିଜ୍ଞପ୍ତି ଜାରି କରି ଏକଥା ଘୋଷଣା କରିଛନ୍ତି ।
ଗତ ଅଗଷ୍ଟ ୨୫ତାରିଖରେ ପରିବେଶ ମନ୍ତ୍ରଣାଳୟର ଜଙ୍ଗଲ ପରାମର୍ଶଦାତା କମିଟି ଜଙ୍ଗଲ ଜମିର ହସ୍ତାନ୍ତରଣକୁ ଏହି କାରଣରୁ ସ୍ଥଗିତ ରଖିଥିଲା ଯେ ରାଜ୍ୟ ସରକାରଙ୍କ ରିପୋର୍ଟଗୁଡ଼ିକ ଓଡ଼ିଶା ହାଇକୋର୍ଟରେ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ଦିଆଯାଇଥିବା ସ୍ମାରକପତ୍ର ଏବଂ ସ୍ଥାନୀୟ ଆଦିବାସୀମାନେ ପ୍ରକଟ କରିଥିବା ଚିନ୍ତା ସମ୍ପର୍କରେ ନିରବ ଥିଲା । ଚଳିତ ବର୍ଷ ମାର୍ଚ୍ଚ ୫ତାରିଖ ଦିନର ରାୟରେ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଆବେଦନକାରୀ ଓ ସ୍ଥାନୀୟ ଲୋକେ ସେମାନଙ୍କର ପ୍ରତିନିଧିତ୍ୱରେ ଉଲ୍ଲେଖ କରିଥିବା ଚିନ୍ତାର ଉପଯୁକ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାନ୍ୟବର ହାଇକୋର୍ଟ ଏହି ଅଭିଯୋଗକୁ ରେକର୍ଡ କରିଥିଲେ ଯେ ଚଞ୍ଚକତା କରି ଗ୍ରାମସଭାର ପ୍ରସ୍ତାବମାନ ଗ୍ରହଣ କରାଯାଇଥିଲା ଏବଂ ଜଙ୍ଗଲ ଜମିର ହସ୍ତାନ୍ତରଣ ସକାଶେ ବିଧିବଦ୍ଧ ଭାବରେ କୌଣସି ସହମତି ପ୍ରଦାନ କରାଯାଇ ନଥିଲା ।
ଖଣିପାଇଁ ଅନୁମତି ଦେବାକୁ ସ୍ଥଗିତ ରଖିବା ସମୟରେ ଜଙ୍ଗଲ ପରାମର୍ଶଦାତା କମିଟି ସମ୍ଭାବ୍ୟ ଖଣି ଅଞ୍ଚଳରେ ହାତୀମାନଙ୍କ ଉପସ୍ଥିତି ଏବଂ ଏ ଅଞ୍ଚଳର ମୃତ୍ତିକା ସମ୍ପର୍କରେ ଉଲ୍ଲେଖ କରି ଆବାସସ୍ଥଳୀର କ୍ଷତି ଏବଂ ପାରିବେଶିକ ସମସ୍ୟା ସମ୍ପର୍କରେ ଚିନ୍ତା ପ୍ରକଟ କରିଥିଲେ । ଏହି କମିଟି ରାଜ୍ୟ ସରକାରଙ୍କୁ ମୃତ୍ତିକା କ୍ଷୟ ହ୍ରାସ କରିବା ସକାଶେ ଯୋଜନା ଦାଖଲ କରିବାକୁ ଏବଂ ହସ୍ତୀପ୍ରକଳ୍ପଙ୍କର ମତାମତ ଲୋଡ଼ିଥିଲେ । ଏହା ସଙ୍ଗେ ସଙ୍ଗେ ରାଜ୍ୟ ସରକାରଙ୍କୁ ପ୍ରତ୍ୟେକ କ୍ଷତିପୂରକ ବନୀକରଣ ସ୍ଥଳୀ ଏବଂ ବର୍ତ୍ତମାନ ରହିଥିବା ବିଦୁ୍ୟତ ପରିବହନ ଲାଇନ ସମ୍ପର୍କରେ ଅବଗତ କରାଇବାକୁ ନିଷ୍ପତ୍ତି ନେଇଛି ।
ମାର୍ଚ୍ଚ ୨୦୨୩ରେ ହୋଇଥିବା ଏକ ନିଲାମ ମାଧ୍ୟମରେ ବେଦାନ୍ତକୁ ଏହି ବକ୍ସାଇଟ୍ ବ୍ଲକ୍ ଆବଣ୍ଟନ କରାଯାଇଥିଲା । ଏହି ବ୍ଲକ୍ରେ ଆନୁମାନିକ ୩୧୧ ନିୟୁତ ଟନ୍ ବକ୍ସାଇଟ୍ ରହିଛି । ବେଦାନ୍ତ ପ୍ରସ୍ତାବ ଦେଇଛି ଯେ ଲାଞ୍ଜିଗଡ଼ରେ ଥିବା ଏହାର ୬ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଆଲୁମିନା କାରଖାନାକୁ ଆଂଶିକଭାବେ କଞ୍ଚାମାଲ ଯୋଗାଇବା ସକାଶେ ଏହା ବାର୍ଷିକ ୯ନିୟୁତ ଟନ୍ ବକ୍ସାଇଟ୍ ଖନନ କରିବ ।
Comments
0 comments






