ହିନ୍ଦୁ ‘ଇକୋସିଷ୍ଟମ୍’: କେତେ ବାସ୍ତବ-କେତେ ଭ୍ରମ!

230 Views
10 Min Read

କିଛି ଲୋକ ଅଛନ୍ତି ଯେଉଁମାନେ ଭାବନ୍ତି ଯେ ହିନ୍ଦୁ ‘ଇକୋସିଷ୍ଟମ୍’କୁ ଦୃଢ଼ୀଭୂତ କରିବାର ଧାରଣାଟି ଏକ ମହାନ ଧାରଣା, କାରଣ ଏହା ମୋଟାମୋଟି ଭାବରେ ବହୁ ହିନ୍ଦୁଙ୍କର ଇଚ୍ଛାକୁ ପ୍ରତିଫଳିତ କରେ ।
କିନ୍ତୁ ମୁଁ ଭାବୁଛି ଏଭଳି ମତ ପଛରେ କେତେକ ସମସ୍ୟା ଅଛି ।
ପ୍ରଥମତଃ ଯେଉଁ ସମାଜ ଏହାକୁ କୌଣସି ଧର୍ମ ଆଧାରିତ କରି ସୃଷ୍ଟି କରିବାକୁ ଉଦ୍ୟମ କରିଥିବ ସେଠାରେ ନିଶ୍ଚିତ କିଛି ସମସ୍ୟାମାନ ଦେଖା ଦେଇଥିବ । ସେମାନଙ୍କ ଇତିହାସକୁ ଦେଖନ୍ତୁ ଯେଉଁମାନେ ‘ଇସଲାମ ଖତରେ ମେଁ ହେଁ’ ପରି ଉତ୍ତେଜନାପୂର୍ଣ୍ଣ ସ୍ଲୋଗାନ ଦେଇଥିଲେ ବା ପାଶ୍ଚାତ୍ୟ ଦେଶଗୁଡ଼ିକ ଯେଉଁମାନେ ଜ୍ଞାନର ଦର୍ଶନ ପାଇବା ପାଇଁ ସିଜର ଆଉ ଚର୍ଚ୍ଚ ଦୁହିଙ୍କୁ ପୃଥକ କରି ଦେଇଥିଲେ । ଅନ୍ୟ ଧର୍ମମାନଙ୍କ ପରି ହିନ୍ଦୁଧର୍ମରେ ଗୋଟିଏ ପୁସ୍ତକ ନାହିଁ ।
ଦ୍ୱିତୀୟରେ ହିନ୍ଦୁ ବିବିଧତାର ଏକ ପ୍ରତୀକ । ଏଠାରେ ଭିନ୍ନ ଭିନ୍ନ ବହୁ ପ୍ରକାରର ହିନ୍ଦୁ ଅଛନ୍ତି । ଏଠାରେ ଲୋକ ଅଛନ୍ତି ଯେଉଁମାନେ କହନ୍ତି- ‘ଗର୍ବ ସେ କହୋ ହମ ହିନ୍ଦୁ ହେଁ’ । କିଛି ଲୋକ ଅଛନ୍ତି ଯେଉଁମାନେ ଭାବନ୍ତି ଯେ ‘ଗର୍ବ’ ହେଉଛି ପୁରାତନ ଗ୍ରନ୍ଥମାନଙ୍କରେ କୁହାଯାଇଥିବା ମଣିଷର ଛଅଟି ଅନ୍ତର୍ନିହିତ ଶତ୍ରୁ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟମାନଙ୍କ ଭିତରୁ ଅନ୍ୟତମ । ତେଣୁ ଜଣକୁ ନିରହଂକାରୀ ହୋଇ ଆତ୍ମବଳିଦାନୀ ହେବା ଉଚିତ । କୌଣସି ସମୟରେ ମନଭିତରେ ଗର୍ବ ରଖିବା ଅନୁଚିତ । ପୁଣି ଏପରି କିଛି ଲୋକ ଅଛନ୍ତି ଯେଉଁମାନେ କହନ୍ତି ଏହି ଆତ୍ମଘୋଷିତ ହିନ୍ଦୁତ୍ୱର ନିର୍ଣ୍ଣାୟକମାନେ ତଥାକଥିତ ହିନ୍ଦୁ-ସ୍ୱାର୍ଥର ପ୍ରତିନିଧିତ୍ୱ କରନ୍ତି ନାହିଁ । ସେମାନଙ୍କ ମତରେ ଏହି ହିନ୍ଦୁତ୍ୱର ପ୍ରଖର ପ୍ରବକ୍ତାମାନେ ହିନ୍ଦୁ ମନ୍ଦିରଗୁଡ଼ିକୁ ସରକାରୀ ନିୟନ୍ତ୍ରଣରୁ ମୁକ୍ତ କରିବାପାଇଁ ସେପରି କୌଣସି ଆଖିଦୃଶିଆ କାର୍ଯ୍ୟ କରୁନାହାନ୍ତି । ଏପରି ଅଭିଯୋଗ ମଧ୍ୟ ଆସେ ଯେ ଗୋମାଂସ ରପ୍ତାନୀ କରୁଥିବା କମ୍ପାନୀମାନେ ହିନ୍ଦୁ-ହିତର ରକ୍ଷାକାରୀ ବୋଲାଉଥିବା ଦଳକୁ ନିର୍ବାଚନୀ ବଣ୍ଡ୍ରେ ଅର୍ଥ-ଦାନ ଦେଇଛନ୍ତି ଅଥଚ ଜଣେ ରିକ୍ସାଚାଳକ ଯଦି ତା ରିକ୍ସାରେ ଏକ ମୁହଁବନ୍ଦ ଅଖାରେ ଥିବା ଗୋମାଂସ ନେଇ ଯାଉଥାଏ ତେବେ କିଛି ଲୋକ ହୁଏତ ତାକୁ ପିଟି ପିଟି ମାରିଦେଇ ପାରନ୍ତି । ଏଠି ଏପରି ବି ଲୋକ ଅଛନ୍ତି ଯେଉଁମାନେ ସାଧାରଣ ହିନ୍ଦୁ ଲୋକମାନଙ୍କୁ କିଛି ବୁଝା ସୁଝା ନକରି ନିଜ ସଂସ୍କୃତି, ପରମ୍ପରା ହରାଇବାର ଅଜଣା ଆଶଙ୍କା ଭିତରକୁ ଠେଲି ଦିଅନ୍ତି । ଏପରି ମଧ୍ୟ ସାଧୁ ତଥା ଆଧ୍ୟାତ୍ମିକତାବାଦୀ ହିନ୍ଦୁ ଅଛନ୍ତି ଯେଉଁମାନେ ସତ୍ୟର ସନ୍ଧାନରେ ଉପନିଷଦଗୁଡ଼ିକର ଆତ୍ମାନିସନ୍ଧିତ୍ସୁ ସତ୍ୟ ଉପରେ ଗୁରୁତ୍ୱ ଦେଇଥା’ନ୍ତି । ରମଣ ମହର୍ଷି ଏହି ଆତ୍ମାନୁସନ୍ଧାନକୁ ‘ଆତ୍ମବୋଧ’ର ମାର୍ଗ ବୋଲି କହୁଥିଲେ । ଜେ କୃଷ୍ଣମୂର୍ତ୍ତି ହିନ୍ଦୁଧର୍ମର ସକଳ ବ୍ରହ୍ମଶାସ୍ତ୍ରୀୟ ଦିଗଗୁଡ଼ିକ ସମ୍ବନ୍ଧରେ ଜାଣିଥିଲେ ମଧ୍ୟ ସେ କହୁଥିଲେ ଯେ ସତ୍ୟ ହେଉଛି ଏକ ମାର୍ଗ-ରହିତ ଭୂଖଣ୍ଡ ବା ଭୂମି । ଏଠାରେ ଏପରି କର୍ମାଭିମୁଖୀ ହିନ୍ଦୁମାନେ ମଧ୍ୟ ଅଛନ୍ତି ଯେଉଁମାନେ ଅନ୍ୟ ବିରୋଧରେ ଘୃଣାର ପ୍ରସାର କରନ୍ତି ନାହିଁ କିନ୍ତୁ ଆୟୁର୍ବେଦର ପ୍ରଚାର-ପ୍ରସାର, ଗୋଶାଳା ଏବଂ ଅନ୍ନଦାନ ପରିଚାଳନା କାର୍ଯ୍ୟକ୍ରମ ଆଧ୍ୟାତ୍ମିକ ଉତ୍ସାହ, ବିଶ୍ୱପ୍ରେମ ତଥା ଭ୍ରାତୃତ୍ୱ ସହିତ ଯେପରି ସୁରୁଖୁରୁରେ ଚାଲିପାରିବ ତା’ପାଇଁ ନିରବରେ ପ୍ରଚୁର ଶକ୍ତି ଖର୍ଚ୍ଚ କରନ୍ତି ।
ତୃତୀୟରେ ହିନ୍ଦୁମାନଙ୍କର ଜାତି ଅଛି ତା ସହିତ ଜାତି-ବ୍ୟବସ୍ଥା ବାହାରେ ଅନୁସୂଚିତ ଜାତି ଓ ଜନଜାତିର ଲୋକମାନେ ମଧ୍ୟ ଅଛନ୍ତି । ଦେଖିବାର କଥା ଯେ ଏଠାରେ ଧର୍ମ ଆଧାରିତ ବନ୍ଧନ ଅପେକ୍ଷା ଜାତି ଏବଂ ଅଂଚଳ ଆଧାରିତ ବନ୍ଧନ ଅଧିକ ମଜବୁତ୍ ହୋଇଥାଏ । ଜାତି ଆଧାରିତ ଭେଦଭାବ ଓ ହିଂସାର ଏପରି ବହୁ ଉଦାହରଣ ମଧ୍ୟରହିଛି ଯାହା ବିବ୍ରତକାରୀ । ସାମାଜିକ ଏବଂ ଆର୍ଥିକ ଦୃଷ୍ଟିରୁ ବିଶେଷ ସୁବିଧାପ୍ରାପ୍ତ ଜାତିର ଲୋକମାନେ ସେମାନଙ୍କର ସମ୍ପର୍କୀୟମାନଙ୍କୁ ବ୍ୟବସାୟ ବାଣିଜ୍ୟକ୍ଷେତ୍ରରେ ବିକାଶ କରିବା, ପଦୋନ୍ନତି ପାଇବା ପାଇଁ ସୁପାରିଶ କରିବାରେ ସହାୟକ ହେବା ନିମିତ୍ତ କ୍ଷମତା ଓ ପ୍ରଭାବକୁ ସୁଦୃଢ଼ କରିବା ଉଦେଶ୍ୟରେ ସମାନ ଜାତିରେ ବିବାହ କରୁଛନ୍ତି । ସରକାରୀ ଚାକିରୀ, ସରକାରୀ ସଂସ୍ଥା, ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଦେଇ, ଆନ୍ତଃଜାତି ବିବାହ ପାଇଁ ଅର୍ଥ ପ୍ରୋତ୍ସାହନ ଦେଇ ବା ଅନୁସୂଚିତ ଜାତି ଜନଜାତି (ଅତ୍ୟାଚାର ନିବାରଣ) ଆଇନର କଠୋର ପ୍ରୟୋଗ ମାଧ୍ୟମରେ ଏହି ଅସନ୍ତୁଳନକୁ ଦୂର କରିବାର ଉଦ୍ୟମ ସୀମିତ ସଫଳତା ପାଇଛି । ସ୍ୱେରେଜ୍ ପାଇପ କିମ୍ବା ସୋକ ପିଟ୍ ସଫା କରିବା ସମୟରେ ନିର୍ଗତ ବିଷାକ୍ତ ଗ୍ୟାସ ନିଶ୍ୱାସରେ ନେବାଜନିତ ଅସୁସ୍ଥତା ତଥା ମୃତୁ୍ୟକୁ ରୋକିବା ପାଇଁ ପ୍ରଯୁକ୍ତିବିଦ୍ୟାର ନୂତନ ଆବିଷ୍କାର ସହାୟତାରେ ସହରାଂଚଳ ନିକାୟ (ଲୋକାଲ ବଡି) ବା ଅନ୍ୟମାନଙ୍କ ପକ୍ଷରୁ ବ୍ୟବସ୍ଥା କରାଯିବା ଉଚିତ । ସେଥିପାଇଁ ହାତରେ ମଇଳା ସଫା କରୁଥିବା ମେହେନ୍ତର ନିଯୁକ୍ତି ବିରୋଧୀ ଓ ସେମାନଙ୍କ ପୁନର୍ବାସ ଆଇନ ୨୦୧୩ (ପ୍ରୋହିବିସନ ଅଫ୍ ଏମ୍ପ୍ଲୟମେଂଟ ଆକ୍ଟ ମାନୁଆଲ ସ୍କାଭେଞ୍ଜର ଆଣ୍ଡ୍ ଦେୟାର ରିହାବିଲିଟେସନ୍ ଆକ୍ଟ ୨୦୧୩)କୁ କଡ଼ାକଡ଼ି ପାଳନ କରାଯିବା ଉପରେ ଧ୍ୟାନ ଦିଆଯିବା ଉଚିତ ।
ଚତୁର୍ଥରେ ବାସ୍ତବ ତଥ୍ୟ ଯାଂଚ ଏବଂ ଆକଳନ କରାଯାଇ ପାରିବ । ପରିମାଣ ଜାଣିବାପାଇଁ ମଡେଲ ତିଆରି କରାଯାଇପାରିବ । କିନ୍ତୁ ହିନ୍ଦୁ ଇକୋସିଷ୍ଟମ୍ ସହଜ ପରିମାପକ ବ୍ୟବସ୍ଥାକୁ ବିରୋଧ କରେ । ହେଲେ ଅନ୍ୟ ଧର୍ମର କେତେ ଲୋକଙ୍କୁ ଭିଡ଼-ହତ୍ୟା କରାଯାଇଛି ବା ଆପଣ ଅନ୍ୟ ଧର୍ମର ଲୋକଙ୍କ ପ୍ରତି କେତେ ମାତ୍ରାରେ ଘୃଣାକୁ ପ୍ରୋତ୍ସାହିତ କରୁଛନ୍ତି ତାହାରି ଆଧାରରେ କ’ଣ ଏହା(ହିନ୍ଦୁ ଇକୋସିଷ୍ଟମ୍)କୁ ମପାଯାଇ ପାରିବ? ଅନ୍ୟଧର୍ମର ଲୋକଙ୍କ ସହିତ ଆମେ ଯେପରି ଆଚରଣ କରୁ ତାହା ସହିତ ଏହାକୁ ଯୋଡ଼ି ନଦେଇ ଏହାକୁ ଆପଣାଛାଏଁ ମାପିବାର କୌଣସି ବ୍ୟବସ୍ଥା ଅଛି କି?
ପଂଚମତଃ ଏପରି କୌଣସି ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାର ପ୍ରୟାସ ସର୍ବଦା ଏପରି ଜଣେ ବ୍ୟକ୍ତିଙ୍କୁ ସୃଷ୍ଟି କରିବ ଯିଏ ଏହି ଖେଳରେ ଆପଣଙ୍କଠାରୁ ବହୁ ଆଗରେ ଥିବେ ବା ଯିଏ ଏହି ଖେଳ ଆପଣଙ୍କଠାରୁ ଭଲ ଖେଳନ୍ତି । ଯଦି ଅଯୋଧ୍ୟା ହୋଇଗଲା, ତେବେ ଆପଣଙ୍କ ପାଖରେ କାଶୀ, ମଥୁରା ବାକି ଅଛି । ଯଦି ସେସବୁ ମଧ୍ୟ ହୋଇଗଲା ତେବେ ଆପଣଙ୍କ ପାଖରେ ଏପରି ଏକ ମନ୍ଦିର ଅଛି ଯାହାକୁ କି କିଛି ଶତାବ୍ଦୀ ପୂର୍ବରୁ ଭାଙ୍ଗି ଦିଆଯାଇଥିଲା ତାହା ମୋ ଗାଁ’ରେ ହେଉ ବା ଆପଣଙ୍କ ଗାଁ’ରେ ହେଉ । ଏହି ଖେଳର କୌଣସି ଅନ୍ତ ନାହିଁ । ଏହି ସମୟରେ ଦେଶର ଆଇନ (ଲ ଅଫ୍ ଦି ଲ୍ୟାଣ୍ଡ୍) ଅପମାନିତ ହୁଏ ଏବଂ ଯାଂଚ ପଡ଼ତାଲ କରିବା ବା ସନ୍ତୁଳନ ରକ୍ଷା କରିବାପାଇଁ ଯେଉଁ ସଂସ୍ଥା ହୋଇଥାଏ ତାକୁ ଜାଣି ଶୁଣି ବିଫଳ କରାଇ ଦିଆଯାଏ ।
ଷଷ୍ଠରେ ଜଣେ ଚାହିଁଲେ ସବୁସମୟରେ ନେହେରୁ ବା ବ୍ରିଟିଶ ସରକାରକୁ ବେରୋକଟୋକ ସମାଲୋଚନା କରିପାରିବ । କିନ୍ତୁ ଏହା ପ୍ରତିବଦଳରେ ଆମପାଖରେ କେଉଁ ବିକଳ୍ପ ଶାସନ ବ୍ୟବସ୍ଥାଟା ଅଛି ଯାହା ଆମେ ଦେବାପାଇଁ ଚାହୁଁଛେ? ଆମେ ବୈଦିକ ଗଣିତର ଉପଯୋଗ କରି ଏବେ ଭଲ କମ୍ପ୍ୟୁଟର ଚିପ୍ସ ତିଆରି କରାଇ ପାରିବା କି? ଆମେ ହୁଏତ ସ୍କୁଲ ପାଠ୍ୟକ୍ରମରୁ ମୋଗଲ ଇତିହାସ ପୃଷ୍ଠାଗୁଡ଼ିକୁ ଉଡେଇ(ଡିଲିଟ୍) ଦେଇ ପାରୁ । କିନ୍ତୁ ଏହା କ’ଣ ସ୍ୱଚାଳିତ ଭାବେ ଇଞ୍ଜିନିୟର ବା ଟେକ୍ନିସିଆନ୍ ସୃଷ୍ଟି କରି ପାରିବ ଯେଉଁମାନେ ବିଭିନ୍ନ ଋତୁର ମାଡ଼କୁ ସହ୍ୟ କରି ଶକ୍ତିଶାଳୀ ରାସ୍ତା, ସେତୁ ଏବଂ କୋଠାବାଡ଼ି ନିର୍ମାଣ କରିପାରିବେ? ଏହା କ’ଣ ଆମ ପିଲାଙ୍କୁ ଦଳଗତ ମନୋଭାବ ନେଇ ଓ ପରସ୍ପର ଭିତରେ ସମନ୍ୱୟ ରକ୍ଷା କରି ଏକାଠି କାମ କରିବାର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବାରେ ସହାୟକ ହୋଇପାରିବ? ମନୁ ସ୍ମୃତି ଆଧାରିତ ଏକ ଶାସନ ବ୍ୟବସ୍ଥା କ’ଣ ସତରେ ସମ୍ଭବ ? ଏପରି ଏକ ଢାଂଚାରେ ଯଦି ବା ଶାସନ ବ୍ୟବସ୍ଥା ଚାଲେ ତେବେ ସେଥିରେ ଦେଶ ଗଠନ କରିବାରେ ମହିଳା ଏବଂ ଦଳିତଙ୍କର ଭୂମିକା କ’ଣ ହେବ?
ସପ୍ତମରେ, ଆମ ଦେଶର ପ୍ରତି କୋଣ ଅନୁକୋଣରେ ସମନ୍ୱୟ ବା ସମ୍ମିଳିତ ସଂସ୍କୃତିର ଅନେକ ଜୀବନ୍ତ ଉପାଦାନ ସବୁ ରହିଛି । ଯଦି ଆପଣ ଲକ୍ଷ୍ୟ କରିବେ ଯେ ଧାର୍ମିକ ସ୍ଥଳଗୁଡ଼ିକରେ କିପରି ସବୁ ସେବା ପ୍ରଦାନ କରାଯାଉଛି, ବିଭିନ୍ନ କଳାର ରୂପ କିପରି ବିକଶିତ ହୋଇଛି, ସଙ୍ଗୀତ, ଗୀତ, ଚଳଚ୍ଚିତ୍ର ଏବଂ ମାନବର ମାନବାତ୍ମାକୁ ନେଇ ଗଢ଼ି ଉଠିଥିବା ମହାନ ସାହିତ୍ୟ ଆଦିକୁ ଆମେ କ’ଣ ଅସ୍ୱୀକାର କରି ପାରିବା?
ଶେଷରେ ହିନ୍ଦୁ କିଏ? ଯଦି ଜଣେ ଭାବେ ଯେ କାହାକୁ ହିନ୍ଦୁ ଭାବେ ପରିଗଣିତ କରିବା ପାଇଁ ବ୍ୟକ୍ତିଜଣକ ବେଦରେ ବିଶ୍ୱାସ କରୁୁଥିବା ନିହାତି ଆବଶ୍ୟକ, ତାହେଲେ ପ୍ରଥମେ ଦେଖିବାକୁ ହେବ ଯେ କେତେଜଣ ବ୍ୟକ୍ତି ବେଦ ପଢ଼ିଛନ୍ତି ଓ ଏଥିରେ କ’ଣ ଅଛି ତାକୁ ବୁଝିଛନ୍ତି, ପୁଣି ଯେଉଁମାନଙ୍କୁ ଏହି ଶ୍ରେଣୀଭୁକ୍ତ କରାଯିବ ସେଭଳି ନିଷ୍ପତ୍ତି ନେବା ପୂର୍ବରୁ ଦେଖିବାକୁ ହେବ ଯେ ସେମାନେ ଏଥିରେ ବିଶ୍ୱାସ ରଖିଛନ୍ତି ନା ନାହିଁ । ପୂଜା ପାଠ ବା ଉପାସନାର କୌଣସି ପରିଭାଷିତ ପଦ୍ଧତି ନାହିଁ । ବହୁ ପ୍ରକାରର ଦେବୀ /ଦେବତା ଅଛନ୍ତି । ନାସ୍ତିକ ମଧ୍ୟ ଅଛନ୍ତି । ଚାର୍ବାକ୍ ଯିଏ କି ନାସ୍ତିକଙ୍କର ସମର୍ଥକ ଥିଲେ ସେ ମଧ୍ୟ ହିନ୍ଦୁମାନଙ୍କର ଅଂଶ ଥିଲେ । ସେଥିରେ କୌଣସି କଠୋର ନିୟନ୍ତ୍ରଣ ନାହିଁ । ବରଂ ବ୍ୟକ୍ତିଗତ ପସନ୍ଦ ନାପସନ୍ଦକୁ ସମ୍ମାନ ଦିଆଯାଏ । ରମଣ ମହର୍ଷି ମୁକ୍ତି ପାଇଁ ଆତ୍ମନିରୀକ୍ଷଣର ମାର୍ଗ ଉପରେ ଗୁରୁତ୍ୱ ଦେଇଛନ୍ତି । ଜେ କୃଷ୍ଣମୂର୍ତ୍ତି ଦୃଢ଼ଭାବରେ କହିଥିଲେ ଯେ ସତ୍ୟ ଏକ ମାର୍ଗବିହୀନ ଭୂମି । ଆମେ ଯଦି ଜନଗଣନାର ପରିଭାଷାକୁ ସ୍ୱୀକାର କରିବା ତେବେ ଯିଏ ହିନ୍ଦୁ ବୋଲି କହୁଛନ୍ତି ତାଙ୍କୁ ଆମେ ହିନ୍ଦୁ ବୋଲି କହିବା, ଏପରିକି ନାସ୍ତିକମାନେ ବା ମାର୍କସିଷ୍ଟମାନେ, ସେମାନେ ମଧ୍ୟ ହିନ୍ଦୁ । ବହୁଳ ସଂଖ୍ୟାରେ ହିନ୍ଦୁ ଏକଥାକୁ ନେଇ ସନ୍ତୁଷ୍ଟ ଯେ ସେମାନେ ଯାହାଙ୍କୁ ଚାହୁଁଛନ୍ତି ତାଙ୍କୁ ଡାକି ପାରୁଛନ୍ତି, ପୂଜା କରି ପାରୁଛନ୍ତି । ଏହା ସହିତ କାହାରି ପ୍ରତି କୌଣସି ଶତୃତା ନାହିଁ । ତେଣୁ ସେମାନେ ସନ୍ତୁଷ୍ଟ । ହିନ୍ଦୁ ଧର୍ମର ପ୍ରକୃତି ହେଲା- ‘ଏକମ୍ ସତ୍, ବିପ୍ରା ବହୁଧା ବଦନ୍ତି,’ ‘ତତ୍ ତ୍ୱମ ଅସି’, ଏବଂ’ ବସୁଧୈବ କୁଟୁମ୍ବକମ୍’ । ତାହାହେଲେ ଜଣେ କେବଳ ହିନ୍ଦୁ ଇକୋସିଷ୍ଟମ୍କୁ ମଜବୁତ୍ କରିବ କିପରି?
ତେଣୁ ମୁଁ ଭାବୁଛି ଯେ ଏପରି କୌଣସି ପ୍ରକଳ୍ପ କେବଳ ଆତ୍ମ-ଉକ୍ରୃଷ୍ଟକରଣ ବା ଆତ୍ମ-ଉତ୍ଥାନର ଏକ ଚତୁର ପ୍ରୟାସ ମାତ୍ର । ଏହା ଶାସକମାନଙ୍କୁ କିଛି ଅସ୍ଥାୟୀ ଲାଭ ପହୁଁଚାଇପାରେ କିନ୍ତୁ ସେସବୁ ଆମର ମହାନ୍ ସଂସ୍କୃତିକୁ ଅଧିକ ମହିମାନ୍ୱିତ କରିବା ପାଇଁ ବା ଏକ ସୁସଙ୍ଗତ ଓ ଶାନ୍ତିପୂଣ୍ଣ ର୍ ସମାଜକୁ ଅଥବା ଏକ ପ୍ରତିଯୋଗିତାମୂଳକ ଏବଂ ସମାନତାବାଦୀ ଅର୍ଥନୀତି ଗଠନରେ କିମ୍ବା ନାଗରିକମୁଖୀ, ଉତ୍ତରଦାୟୀ ଶାସନ ବ୍ୟବସ୍ଥା ଯୋଗାଇବାରେ କିଛି ସାହାଯ୍ୟ କରିପାରିବେ ନାହିଁ । ଦୀର୍ଘକାଳୀନ ଭିତ୍ତିରେ ଦେଖିଲେ ଏଭଳି ପ୍ରକଳ୍ପ ଭାରତ ତଥା ହିନ୍ଦୁଧର୍ମ ଉଭୟଙ୍କୁ କ୍ଷତି ପହୁଂଚାଇବ ।
ହିନ୍ଦୁ ଇକୋସିଷ୍ଟମ୍କୁ ଦୃଢ଼ୀଭୂତ କରିବା ନାଆଁରେ ଗଣମାଧ୍ୟମରେ ଫଟୋ ଓ ଖବର ଛପାଇବାର ସମସ୍ତ ବ୍ୟବସ୍ଥା କରି ରାଜନେତାମାନଙ୍କର ବିଭିନ୍ନ ସମୟରେ ମନ୍ଦିର ପ୍ରବେଶ ତଥା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର ବାହାନା ଚଳିବ ନାହିଁ । ଆମକୁ ଏକ ରାଷ୍ଟ୍ର ବା ରାଷ୍ଟ୍ରର ପ୍ରତିନିଧି ଭାବରେ ଧର୍ମକୁ ରାଜନୀତି ସହିତ ସାମିଲ କରି ନଦେଇ କୌଣସି କର୍ତ୍ତୃତ୍ୱ ବା ପଦବୀରେ ଥିବା ଲୋକମାନେ ସେମାନଙ୍କ ଧର୍ମକୁ ଘର ଭିତରେ ରଖିବା ଉଚିତ୍, ବିନା ଭିଡିଓ ବା ଷ୍ଟିଲ କ୍ୟାମେରାରେ, ଗଣମାଧ୍ୟମ ପୋଷ୍ଟ ଲୋଭ ନରଖି ନିଜ ପରିବାରର ସଦସ୍ୟ,ବନ୍ଧୁବାନ୍ଧବଙ୍କ ସହିତ ନିଜ ପସନ୍ଦର ପୂଜାମଣ୍ଡପମାନଙ୍କୁ ଦର୍ଶନ ପାଇଁ ଯାଇ ପାରନ୍ତି । ସରକାରୀ କର୍ମଚାରୀଙ୍କ ଆଚରଣକୁ ନିୟନ୍ତ୍ରଣ କରୁଥିବା ଆଚରଣ ନିୟମାବଳୀକୁ ମଧ୍ୟ ତଦନୁରୂପ ଭାବରେ ସଂଶୋଧନ କରାଯିବା ଆବଶ୍ୟକ ।
ଶାସନ ଏବଂ ଧର୍ମର ପୃଥକୀକରଣ ବିଷୟରେ ଜନସମାଜକୁ ଏକ ଦୃଢ଼ ବାର୍ତ୍ତ ଦେବା ପାଇଁ ସରକାରମାନେ ହିନ୍ଦୁ ଧାର୍ମିକ ବୋର୍ଡରେ ଲୋକଙ୍କୁ ମନୋନୀତ କରି ଭର୍ତ୍ତି କରିବାର ରାସ୍ତାରୁ ଓହରିଯିବା ଆବଶ୍ୟକ । ଯା ଫଳରେ ହିନ୍ଦୁ ଦେବୋତ୍ତର ସଂସ୍ଥାଗୁଡ଼ିକ ରାଜ୍ୟ ଶାସନତନ୍ତ୍ର ଉପରେ ନିର୍ଭରଶୀଳ ନହୋଇ ହିନ୍ଦୁମାନଙ୍କ ଦ୍ୱାରା ପରିଚାଳିତ ହେବେ ।

ଜି ଭି ଭି ଶର୍ମା
ଅନୁସୃଜନ: ସୁରେନ୍ଦ୍ର ପାତ୍ର

Total Views: 230

Comments

0 comments

Share This Article