ପଞ୍ଚ ପରମେଶ୍ୱର

180 Views
32 Min Read

ଜୁମ୍ମନ ଶେଖ ଓ ଅଲଗୂ ଚୌଧୁରୀ ମଧ୍ୟରେ ପ୍ରଗାଢ ବନ୍ଧୁତ୍ୱ ଥିଲା । ମିଳି ମିଶି ଚାଷ କରୁଥିଲେ । ଦିଆ-ନିଆ ମଧ୍ୟ ମିଳି ମିଶି କରୁଥିଲେ । ଜଣକର ଅନ୍ୟଜଣକ ଉପରେ ଅଖଣ୍ଡ ବିଶ୍ୱାସ ଥିଲା । ଜୁମ୍ମନ ଯେତେବେଳେ ହଜ କରିବାକୁ ଗଲେ ନିଜ ଘରକୁ ଅଲଗୂଙ୍କ ଜିମା ଦେଇ ଯାଉଥିଲେ । ଏବଂ ଅଲଗୂ ଯେତେବେଳେ ବାହାରକୁ ଯାଉଥିଲେ, ନିଜ ଘରକୁ ଜୁମ୍ମନଙ୍କ ଜିମା ଦେଇ ଯାଉଥିଲେ । ସେମାନଙ୍କର କୌଣସି ଖାଦ୍ୟ କିମ୍ବା ଧାର୍ମିକ ସମ୍ପର୍କ ନଥିଲା, କେବଳ ସେମାନଙ୍କର ଚିନ୍ତାଧାରା ମେଳ ଖାଉଥିଲା; ଏହା ବନ୍ଧୁତାର ମୌଳିକ ନୀତି ।

ଏହି ବନ୍ଧୁତ୍ୱର ଜନ୍ମ ସେହି ସମୟରେ ହୋଇଥିଲା ଯେତେବେଳେ ଏହି ଦୁଇ ବନ୍ଧୁ ପିଲା ଥିଲେ, ଜୁମ୍ମାନଙ୍କ ପୂଜ୍ୟ ପିତା, ଜୁମେରାତି, ସେମାନଙ୍କୁ ଶିକ୍ଷା ଦେଉଥିଲେ । ଅଲଗୂ ଗୁରୁଜୀଙ୍କର ବହୁତ ସେବା କରିଥିଲେ, ଅନେକ ବାସନ ମାଜିଥିଲେ ଏବଂ ଅନେକ କପ ଧୋଇଥିଲେ । ତାଙ୍କର ହୁକ୍କା ମୁହୂର୍ତ୍ତକ ପାଇଁ ମଧ୍ୟ ବନ୍ଦ ହେଉନଥିଲା । କାରଣ ପ୍ରତିଟି ଚିଲମ ଅଲଗୂକୁ ଅଧଘଣ୍ଟା ପାଇଁ ବହିରୁ ମୁକ୍ତ କରି ଦେଉଥିଲା । ଅଲଗୂଙ୍କ ପିତା ପୁରୁଣା ବିଚାରର ପୁରୁଷ ଥିଲେ । ଶିକ୍ଷା ଅପେକ୍ଷା ଗୁରୁଙ୍କର ସେବା ଶୁଶ୍ରୁଶା ଉପରେ ଅଧିକ ବିଶ୍ୱାସ ଥିଲା । କହୁଥିଲେ ଯେ ବିଦ୍ୟା ପଢ଼ିବା ଦ୍ୱାରା ଆସେ ନାହିଁ; ଯାହା କିଛିହୁଏ ଗୁରୁଙ୍କ ଆଶୀର୍ବାଦରୁ ହିଁ ଆସିଥାଏ; କେବଳ ଗୁରୁଜୀଙ୍କର କୃପା-ଦୃଷ୍ଟି ଆବଶ୍ୟକ । ଅତଏବ ଯଦି ଅଲଗୂ ଉପରେ ଜୁମେରାତୀ ଶେଖଙ୍କର ଆଶୀର୍ବାଦ ଅଥବା ସତସଙ୍ଗର କିଛି ଫଳ ନହୁଏ ତାହାହେଲେ ଏହା ମାନିନେଇ ସନ୍ତୋଷ କରିନେବା ଯେ ବିଦ୍ୟୋପାର୍ଜନ ପାଇଁ ସେ ଯଥାଶକ୍ତି ଯାହା କରିବାକଥା କରିଛି, କିନ୍ତୁ ବିଦ୍ୟା ତା ଭାଗ୍ୟରେ ନ ଥିଲା, ତାହାହେଲେ ଆସନ୍ତା କିପରି?

କିନ୍ତୁ ଜୁମେରାତୀ ଶେଖ ସ୍ୱୟଂ ଆଶୀର୍ବାଦରେ ବିଶ୍ୱାସୀ ନଥିଲେ । ତାଙ୍କର ଭରସା ବେଶୀ ଥିଲା ନିଜର ଲାଠି ଉପରେ । ଏବଂ ସେହି ଲାଠିର ପ୍ରତାପରେ ଆଖ-ପାଖ ଗାଁମାନଙ୍କରେ ଆଜି ଜୁମ୍ମନର ପୂଜା ହେଉଥିଲା । ସେ ଲେଖିଥିବା ବନ୍ଧକ ପତ୍ର ବା ଖରିଦ-ବିକ୍ରି ପତ୍ର ଉପରେ କଚେରୀର ମୋହରିର ମଧ୍ୟ କଲମ ମାରି ପାରୁ ନଥିଲା । ଅଞ୍ଚଳର ଡାକପିଅନ, କନେଷ୍ଟବଳ ଓ ତହସିଲ ଅଫିସର ଚପରାଶି-ସମସ୍ତେ ତାଙ୍କ କୃପା ଚାହୁଁଥିଲେ । ତେଣୁ ଅଲଗୂର ମାନ ତାଙ୍କର ଧନ କାରଣରୁ ଥିଲା ବେଳେ ଜୁମ୍ମନ ଶେଖ ନିଜର ଅମୂଲ୍ୟ ଜ୍ଞାନ ଯୋଗୁଁ ହିଁ ସମସ୍ତଙ୍କର ଆଦରର ପାତ୍ର ଥିଲେ ।

ଜୁମ୍ମନ ଶେଖଙ୍କର ଏକ ବୁଢ଼ୀ ମାଉସୀ ଥିଲା । ତା’ପାଖରେ ଅଳ୍ପ କିଛି ସମ୍ପତ୍ତି ଥିଲା; କିନ୍ତୁ ତାର ନିକଟ ସମ୍ପର୍କୀୟଙ୍କ ମଧ୍ୟରେ କେହି ନଥିଲେ । ଜୁମ୍ମନ ବଡ଼ ବଡ଼ ପ୍ରତିଶୃତି ଦେଇ ସେ ସମ୍ପତ୍ତିକୁ ନିଜ ନାଁରେ କରି ନେଇଥିଲେ । ଯେତେଦିନ ଯାଏ ଦାନପତ୍ର ରେଜିଷ୍ଟ୍ରି ହୋଇନଥିଲା ସେତେଦିନ ଯାଏ ମାଉସୀର ଖୁବ ଆଦର ସତ୍କାର ହେଉଥାଏ । ତାଙ୍କୁ ବହୁତ ସ୍ୱାଦିଷ୍ଟ ପଦାର୍ଥ ଖାଇବା ପାଇଁ ଦିଆଯାଉଥାଏ । ଏହା ଏପରି ଥିଲା ଯେପରି ହାଲୱା ଏବଂ ପୁଲାଓର ବର୍ଷା ହେଉଥିଲା; କିନ୍ତୁ ରେଜିଷ୍ଟ୍ରିର ଷ୍ଟାମ୍ପ ଲାଗିବା ପରେପରେ ଏପରି ଆଦର- ସତ୍କାର ଉପରେ ମୋହର ଲାଗିଗଲା । ଜୁମ୍ମନର ସ୍ତ୍ରୀ କରୀମନ ରୁଟି ସାଙ୍ଗରେ କଟୁ କଥାର କିଛି ମସଲାଦାର ତରକାରୀ ଦେବା ଆରମ୍ଭ କରିଦେଲେ । ଜୁମ୍ମନ ଶେଖ ମଧ୍ୟ ନିଷ୍ଠୁର ହୋଇଗଲେ । ଏବେ ବିଚାରୀ ମାଉସୀକୁ ପ୍ରାୟ ପ୍ରତିଦିନ ଏହିଭଳି କଥା ଶୁଣିବାକୁ ପଡୁଥିଲା ।

“କିଏ ଜାଣେ କେତେ ଦିନଯାଏ ବୁଢ଼ୀ ବଞ୍ଚିବ । ଦୁଇ-ତିନି ବିଘା ପଡିଆ/ଅନୁର୍ବର ଜମି କଣ ଦେଇ ଦେଇଛି ଯେ ଯେମିତି କିଣି ନେଇଛି । ବଘରା ଡାଲିବିନା ରୁଟି ତଣ୍ଟିରେ ଗଳୁ ନାହିଁ! ଯେତେ ଟଙ୍କା ତାଙ୍କ ପଛରେ ଏ ପର୍ଯ୍ୟନ୍ତ ଖର୍ଚ୍ଚ କରିଛୁ, ସେଥିରେ ଗାଁଟିଏ କିଣା ହୋଇ ଯାଇଥାନ୍ତା ।”

କିଛିଦିନ ମାଉସୀ ଶୁଣିଲେ ଓ ସହିଲେ; କିନ୍ତୁ ଯେତେବେଳେ ସହ୍ୟ ହେଲା ନାହିଁ ସେତେବେଳେ ଜୁମ୍ମନ ପାଖରେ ଅଭିଯୋଗ କଲେ । ଜୁମ୍ମନ ସ୍ଥାନୀୟ କର୍ମଚାରୀ-ଘରମାଲିକଙ୍କ ପରିଚାଳନାରେ ହସ୍ତକ୍ଷେପ କରିବାକୁ ଉଚିତ ମନେ କରିନଥିଲେ । କିଛିଦିନ ଯାଏ ଏବଂ ଏହିଭଳି କାନ୍ଦି କାଟି କାମ ଚାଲିଥାଏ । ଶେଷକୁ ଦିନେ ମାଉସୀ ଜୁମ୍ମନଙ୍କୁ କହିଲେ –“ପୁଅ! ମୁଁ ତୋ ସହିତ ରହିପାରିବି ନାହିଁ । ତୁ ମୋତେ ଟଙ୍କା ଦେଉ ଥା, ମୁଁ ନିଜେ ରାନ୍ଧି କି ଖାଇ ନେବି ।”

ଜୁମ୍ମନ ଔଦ୍ଧତ୍ୱର ସହିତ ଉତ୍ତର ଦେଲା–“ଟଙ୍କା କଣ ଏଠାରେ ଫଳୁଛି?”

ମାଉସୀ ନମ୍ରତାର ସହ କହିଲେ–“ମୋତେ କିଛି ସହଜ ସରଳ ଖାଦ୍ୟ ଦରକାର କି ନୁହେଁ?”

ଜୁମ୍ମନ ଗମ୍ଭୀର ସ୍ୱରରେ ଉତ୍ତରଦେଲେ-“ଏହା କଣ କିଏ ଜାଣିଥିଲା ଯେ ତୁମେ ମୃତ୍ୟୁ ସାଙ୍ଗରେ ଲଢ଼ି କି ଫେରିଛ?”

ମାଉସୀ ବିଗିଡ଼ି ଗଲେ, ପଂଚାୟତ କରିବାକୁ ଧମକ ଦେଲେ । ଜୁମ୍ମନ ହସିଲେ, ଯେପରି କୌଣସି ଶିକାରୀ ହରିଣ ଜାଲ ଆଡ଼କୁ ଦଉଡ଼ି ଥିବାର ଦେଖି ମନକୁ ମନ ହସିଥାଏ । ସେ କହିଲେ –“ହଁ, ନିଶ୍ଚିତ ପଂଚାୟତ କର । ନିଷ୍ପତ୍ତି ହୋଇଯାଉ । ମୋତେ ମଧ୍ୟ ରାତି-ଦିନ ଖିଟଖିଟ ପସନ୍ଦ ନୁହେଁ ।’

ପଂଚାୟତରେ କିଏ ଜିତିବ, ସେ ବିଷୟରେ ଜୁମ୍ମନକୁ କୌଣସି ସନ୍ଦେହ ନ ଥିଲା । ଆଖପାଖ ଗାଁରେ ଏପରି କେହି ନଥିଲା ଯିଏ ତାଙ୍କର ଅନୁଗ୍ରହର ଋଣୀ ନଥିଲା; ଏପରି କିଏ ବା ଥିଲା ଯିଏ ତାଙ୍କ ସହ ଶତ୍ରୁତା କରିବାକୁ ସାହସ କରିପାରୁଥିଲା । କାହାର ବା ଏତେ ବଳ ଥିଲା ଯିଏ ତାଙ୍କୁ ସାମନା କରିପାରୁଥିଲା? ଆକାଶରୁ ତ ଦେବଦୂତ ଆସିବେ ନାହିଁ ପଂଚାୟତ କରିବାକୁ ।

ଏହା ପରେ କେତେ ଦିନ ଧରି ବୁଢ଼ୀ ମାଉସୀ ହାତରେ ଗୋଟିଏ ବାଡ଼ି ଧରି ଆଖପାଖ ଗାଁଗୁଡିକୁ ଦଉଡୁ ଥିଲେ । ଅଣ୍ଟା ବାଙ୍କି ଧନୁ ହୋଇ ଯାଇଥିଲା । ପାଦ ଗୋଟିଏ ଗୋଟିଏ ପକାଇ ଚାଲିବା ମଧ୍ୟ କଷ୍ଟ ଥିଲା । କିନ୍ତୁ କଥାଟି ଯେତେବେଳେ ଉଠିଲା ସେତେବେଳେ ତାହାର ନିଷ୍ପତ୍ତି ହୋଇଯିବା ଦରକାର ।

କ୍ୱଚିତ ଏପରି କେହି ଭଲଲୋକ ଥିବେ, ଯାହାଙ୍କ ସାମନାରେ ବୁଢ଼ୀ ତା ଦୁଃଖର ଅଶ୍ରୁ ନ ବୁହାଇଛି । କେହି ଉପର ମନରେ ହଁ ହାଁ କରିକି ଆଡ଼େଇ ଦେଉଥିଲେ, କେହି ଏପରି ଅନ୍ୟାୟଦେଖି ସାରା ସମାଜକୁ ଗାଳି ଦେଉଥିଲେ । କେହି କହୁଥିଲେ-କବରରେ ଗୋଡ଼ ଝୁଲିଲାଣି, ଆଜି ମରିଲେ କାଲି କି ଦି ଦିନ; କିନ୍ତୁ ଉପଭୋଗର ଲାଳସା ଯାଉନାହିଁ । ଏବେ ତୁମକୁ କଣ ଦରକାର? ରୁଟି ଖାଅ ଓ ରାମଙ୍କ ନାଁ ନିଅ । ତୁମର ଏବେ ଚାଷବାସରେ କି କାମ? ଏପରି କେତେକ ସଜ୍ଜନ ମଧ୍ୟ ଥିଲେ ଯେଉଁମାନଙ୍କୁ ହାସ୍ୟରସର ରସାସ୍ୱାଦନ ପାଇଁ ଭଲ ଅବସରଟିଏ ମିଳିଗଲା । ବଙ୍କି ଯାଇଥିବା ଅଣ୍ଟା, ପାକୁଆ ମୁହଁ, ଝୋଟ ହୋଇଯାଇଥିବା ବାଳ-ଯେତେବେଳେ ଏ ସବୁ ଏକତ୍ର, ସେତେବେଳେ ହସ ଆସିବ ନାହିଁ କିପରି? ଏପରି ନ୍ୟାୟପ୍ରିୟ, ଦୟାଳୁ, ଦୀନବତ୍ସଳ ପୁରୁଷ ବହୁତ କମ ଥିଲେ ଯେଉଁମାନେ ସେ ଅବଳାର ଦୁଃଖକୁ ଧ୍ୟାନର ସହ ଶୁଣିଥିବେ ଓ ତାକୁ ସାନ୍ତ୍ୱନା ଦେଇଥିବେ । ଚାରିଆଡୁ ବୁଲାବୁଲି କରି ବିଚାରୀ ଅଲଗୂ ଚୌଧୁରୀ ପାଖକୁ ଆସିଲା । ବାଡ଼ିକୁ ତଳେ ପକାଇଦେଇ ଓ ଦମ ମାରି କହିଲା –“ପୁଅ, ତୁ ମଧ୍ୟ କିଛି ସମୟ ପାଇଁ ମୋ ପଞ୍ଚୟତକୁ ଆସିବୁ ।”

ଅଲଗୂ–“ମୋତେ ଡାକି କଣ କରିବୁ? ଗାଁରୁ ତ ବହୁତ ଲୋକ ଆସିବେ ।”

ମାଉସୀ –“ମୋର ବିପଦ ବିଷୟରେ ତ ମୁଁ ସମସ୍ତଙ୍କ ଆଗରେ କାନ୍ଦି କହି ଆସିଛି । ଆସିବା ନ ଆସିବା ତାଙ୍କର ଅକ୍ତିଆରରେ । ଆମର ଗାଜି ମିଆଁ ତ ଗାଈର ଗୁହାର ଶୁଣି ପିଢ଼ାଉପରୁ ଉଠି ଆସିଥିଲେ । କ’ଣ ଗୋଟିଏ ବେସାହରା ବୁଢ଼ୀର ଗୁହାରି ଶୁଣି କେହି ଦଉଡ଼ି ଆସିବେ ନାହିଁ?”

ଅଲଗୂ -“ହେଉ ଆସିବା ପାଇଁ ତ ଆସିଯିବି; କିନ୍ତୁ ପଂଚାୟତରେ ମୁହଁ ଫିଟାଇବି ନାହିଁ” ।

ମାଉସୀ – “କାହିଁକି ପୁଅ?”

ଅଲଗୂ -“ଏହାର କଣ ଜବାବ ଦେବି? ମୋର ଖୁସି । ଜୁମ୍ମନ ମୋର ପୁରୁଣା ମିତ୍ର । ତା ସହିତ ଅପଡ଼ କରିପାରିବି ନାହିଁ ।”

ମାଉସୀ –“ପୁଅ, କଣ ଅପଡ଼ ହେବା ଭୟରେ ବିବେକର କଥା କହିବୁ ନାହିଁ?”

ଆମର ଶୋଇ ପଡ଼ିଥିବା ଧର୍ମ-ଜ୍ଞାନର ସମସ୍ତ ସମ୍ପତ୍ତିର ପଛେ ଲୁଟ ହୋଇଯାଉ, ତାହାର ଖବର ତାଙ୍କୁ ନଥାଏ କିନ୍ତୁ ଆହ୍ୱାନ ଶୁଣିଲେ ସେ ସଚେତ ହୋଇଯାଏ । ତାପରେ ତାକୁ କେହି ଜିତିପାରେ ନାହିଁ । ଅଲଗୂ ଏହାର କୌଣସି ଉତ୍ତର ଦେଇପାରିଲେ ନାହିଁ, କିନ୍ତୁ ତାଙ୍କ ହୃଦୟରେ ଏହି ଶବ୍ଦର ଗୁଞ୍ଜରଣ ହେଉଥିଲା- କଣ ଅପଡ଼ ହେବାଭୟରେ ବିବେକର କଥା କହିବୁ ନାହିଁ?

ସନ୍ଧ୍ୟାବେଳକୁ ଗଛତଳେ ପଂଚାୟତ ବସିଲା । ଶେଖ ଜୁମ୍ମନ ଇତିମଧ୍ୟରେ ମଇଦାନ ତିଆରି କରି ଦେଇଥିଲେ । ପାନ, ଅଳେଇଚ, ହୁକ୍କା -ତମାଖୁର ବ୍ୟବସ୍ଥା ମଧ୍ୟ ସେ କରି ଦେଇଥିଲେ । ହଁ, ସେ ନିଜେ ଯଦିଓ ଅଲଗୂ ଚୌଧୁରୀଙ୍କ ସାଙ୍ଗରେ ଟିକିଏ ଦୂରରେ ବସିଥିଲେ । ଯେତେବେଳେ କେହି ପଂଚାୟତକୁ ଆସୁଥିଲେ, ସେତେବେଳେ ବିନମ୍ର ମୁଦ୍ରାରେ ସଲାମ କରି ତାଙ୍କର ‘ଶୁଭାଗମନ’ କରୁଥିଲେ । ଯେତେବେଳେ ସୂର୍ଯ୍ୟ ଅସ୍ତ ହୋଇଗଲେ ଏବଂ ପକ୍ଷୀମାନଙ୍କର କଳରବଯୁକ୍ତ ପଂଚାୟତ ଗଛ ଉପରେ ବସିଲା, ସେତେବେଳେ ଏଠି ମଧ୍ୟ ପଂଚାୟତ ଆରମ୍ଭ ହେଲା । ତିଆରି ମଇଦାନ ଭର୍ତ୍ତି ହୋଇଯାଇଥିଲା, ଆଙ୍ଗୁଳିଏ ବି ଜାଗା ନଥିଲା, କିନ୍ତୁ ଅଧିକାଂଶ ଦର୍ଶକ ହିଁ ଥିଲେ । ନିମନ୍ତ୍ରିତ ମହାଶୟମାନଙ୍କ ମଧ୍ୟରେ କେବଳ ସେହିମାନେ ହିଁ ଆସିଥିଲେ ଯେଉଁମାନଙ୍କର ଜୁମ୍ମନ ଉପରେ କିଛି ଦାଉ ସାଧିବାର ଥିଲା । ଗୋଟିଏ କୋଣରେ ନିଆଁ ଜଳୁଥିଲା । ଭଣ୍ଡାରି ଧଡ଼ାଧଡ଼ ଚିଲମ ଭର୍ତ୍ତି କରୁଥିଲା । ଏହା ନିର୍ଣ୍ଣୟ କରିବା ଅସମ୍ଭବ ଥିଲା ଯେ ଘଷି ନିଆଁରୁ ଅଧିକ ଧୂଆଁ ବାହାରୁଥିଲା ନ ଚିଲମ ଟଣାରୁ । ପିଲାମାନେ ଏପଟ ସେପଟ ଦଉଡ଼ା ଦଉଡ଼ି କରୁଥିଲେ । କେହି କେହି ନିଜ ଭିତରେ ଗାଳି ଦିଆଦେଇ ହେଉଥିଲେ ଓ କେହି କେହି କାନ୍ଦୁଥିଲେ । ଚାରିପଟେ କୋଳାହଳ ବ୍ୟାପିଥିଲା । ଗାଁର କୁକୁରମାନେ ଏହି ସମାବେଶକୁ ଭୋଜି ଭାବି ଦଳଦଳ ହୋଇ ଜମା ହୋଇଯାଇଥିଲେ ।

ପଂଚ ସଭ୍ୟମାନେ ବସି ଯାଇଥିଲେ, ତୋ ବୁଢ଼ୀ ମାଉସୀ ସେମାନଙ୍କୁ ନିଜର ଗୁହାରି ଜଣାଇଲେ – “ପଂଚ ମହାଶୟଗଣ, ଆଜିକି ତିନିବର୍ଷ ହେଲାଣି, ମୁଁ ନିଜର ସମସ୍ତ ସମ୍ପତ୍ତି ସବୁ ମୁଁ ନିଜ ଭଣଜା ଜୁମ୍ମନ ନାଁରେ ଲେଖି ଦେଇଥିଲି । ଏହା ଆପଣମାନେ ନିଶ୍ଚୟ ଜାଣିଥିବେ । ଜୁମ୍ମନ ମୋତେ ଅତି ସ୍ୱଳ୍ପ ସ୍ତରର ଜୀବନଯାପନ ପାଇଁ ଖୋରାକ-ପୋଷାକ ଦେବା ପାଇଁ ରାଜି ହୋଇଥିଲା । ବର୍ଷତମାମ ତ ମୁଁ କାନ୍ଦି କାଟି ଚଳିଗଲି । କିନ୍ତୁ ଏବେ ରାତି-ଦିନ କାନ୍ଦି କାଟି ରହିବା ଆଉ ସହ୍ୟ ହେଉନାହିଁ । ମୋତେ ନା ପେଟକୁ ଦାନା ମିଳୁଛି, ନା ଦେହକୁ କନା । ଅସହାୟ ବିଧବା ମୁଁ । କୋର୍ଟ କଚେରୀ କରିପାରିବି ନାହିଁ । ତୁମମାନଙ୍କ ଛଡ଼ା ଆଉ କାହାକୁ ମୋ ଦୁଃଖ କହିବି? ତୁମେମାନେ ଯେଉଁ ବାଟ ଦେଖାଇବ ସେହି ବାଟରେ ଯିବି । ଯଦି ମୋଠାରେ କିଛି ଭୁଲ ଦେଖ, ତାହାହେଲେ ମୋ ମୁହଁକୁ ଚାପୁଡ଼ ମାର । ଜୁମ୍ମନଠାରେ ଯଦି ଭୁଲ ଦେଖ ତାହାହେଲେ ତାକୁ ବୁଝାଅ କାହିଁକି ଏକ ଅସହାୟର ନିଶ୍ୱାସ ସେ ବରଣ କରୁଛି । ପଂଚଙ୍କ ଆଦେଶ ଆଲ୍ଲାଙ୍କ ଆଦେଶ । ତୁମର ଆଦେଶକୁ ମୁଁ ମୁଣ୍ଡରେ ଥୋଇବି ।”

ରାମଧନ ମିଶ୍ର, ଯାହାଙ୍କର କେତେକ ହଳିଆଙ୍କୁ ଜୁମ୍ମନ ନେଇ ନିଜ ଗାଁରେ ବସତି ଦେଇଥିଲେ, ପଚାରିଲେ-“ଜୁମ୍ମନ ମିଆଁ, କାହାକୁ ପଂଚ ବୋଲି ଗ୍ରହଣ କରୁଛ? ଏବେ ଠାରୁ ତାହା ସ୍ଥିର କରିନିଅ । ଏହା ପରେ ଯାହା କିଛି ପଂଚ କହିବେ, ତାହାକୁ ହିଁ ମାନିବାକୁ ହେବ ।”

ଜୁମ୍ମନଙ୍କୁ ଏହି ସମୟରେ ସଦସ୍ୟମାନଙ୍କ ଭିତରେ ବିଶେଷ ଭାବରେ ସେହିମାନଙ୍କୁ ଦେଖୁଥିଲେ ଯାହାଙ୍କ ସହିତ ତାଙ୍କର କୌଣସି ନା କୌଣସି କାରଣରୁ ବୈମନସ୍ୟ ଥିଲା । ଜୁମ୍ମନ କହିଲେ, “ପଂଚଙ୍କ ଆଦେଶ, ଆଲ୍ଲାଙ୍କ ଆଦେଶ । ମାଉସୀ ଯାହାଙ୍କୁ ଚାହିଁବେ, ତାଙ୍କୁ ଗ୍ରହଣ କରାଯାଉ । ମୋର କୌଣସି ଆପତ୍ତି ନାହିଁ ।”

ମାଉସୀ ପାଟିକରି କହିଲେ, “ଆରେ ଏ ଆଲ୍ଲାର ଭକ୍ତ! ପଂଚଙ୍କ ନାଁ କାହିଁକି କହୁ ନାହୁଁ? ମୋତେ ତ କିଛି ଜଣାପଡୁ ।”

ଜୁମ୍ମନ କ୍ରୋଧରେ କହିଲେ, “ଏହି ମୁହୂର୍ତ୍ତରେ ମୋର ମୁଁହ ଖୋଲା ନା । ତୁମର ସମୟ ପଡିଛି, ଯାହାକୁ ଚାହୁଁଛ ପଂଚ କର ।”

ମାଉସୀ ଜୁମ୍ମନଙ୍କ ଆକ୍ଷେପକୁ ବୁଝିପାରିଲେ । ସେ କହିଲେ,“ପୁଅ, ଈଶ୍ୱର ଙ୍କୁ ତ ଡର, ପଂଚ କାହାରି ବନ୍ଧୁ ନୁହେଁ କି ଶତ୍ରୁ ନୁହେଁ । କିପରି କଥା କହୁଛୁ! ତୋର କାହାଉପରେ ବିଶ୍ୱାସ ହେଉ ନହେଉ ତାହାକୁ ଛାଡ଼; ଅଲଗୂ ଚୌଧୁରୀକୁ ତ ମାନୁଛୁ? ହଉ ନେ, ମୁଁ ତାଙ୍କୁ ହିଁ ସରପଞ୍ଚ ଭାବେ ଗ୍ରହଣ କରୁଛି ।”

ଜୁମ୍ମନ ଶେଖ ଆନନ୍ଦରେ ଫୁଲି ଉଠିଲେ, କିନ୍ତୁ ନିଜର ଭାବନାକୁ ଲୁଚାଇ ରଖି କହିଲେ, “ଅଲଗୂ ଚୌଧୁରୀ ଠିକ୍ । ମୋ ପାଇଁ ରାମଧନ ମିଶ୍ର ଯେପରି ଅଲଗୂ ସେହିପରି ।”

ଅଲଗୂ ଏପରି ଗଣ୍ଡଗୋଳରେ ପଶିବାକୁ ଚାହୁଁ ନଥିଲେ । ସେ ନିଜକୁ ଅଲଗା କରି ନେବାକୁ ଚାହୁଁଥିଲେ । କହିଲେ, “ମାଉସୀ, ତୁ ତ ଜାଣିଛୁ ଜୁମ୍ମନ ସହିତ ମୋର ବନ୍ଧୁତ୍ୱ ବେଶ୍ ଗଭୀର ।”

ମାଉସୀ ଗମ୍ଭୀର ସ୍ୱରରେ କହିଲେ, “ପୁଅ, ବନ୍ଧୁତ୍ୱ ପାଇଁ କେହି ନିଜର ବିବେକ ବିକିଦିଏ ନାହିଁ । ପଂଚ ହୃଦୟରେ ଈଶ୍ୱର ଥାଆନ୍ତି । ପଂଚଙ୍କ ମୁହଁରୁ ଯେଉଁ ବାକ୍ୟ ବାହାରେ, ତାହା ଈଶ୍ୱରଙ୍କ ତରଫରୁ ବାହାରିଥାଏ ।”

ଅଲଗୂ ଚୌଧୁରୀ ସରପଞ୍ଚ ହେଲେ । ରାମଧନ ମିଶ୍ର ଏବଂ ଜୁମ୍ମନଙ୍କର ଅନ୍ୟ ବିରୋଧୀମାନେ ମନେ ମନେ ବୁଢ଼ୀକୁ ବହୁତ ଗାଳି ଦେଉଥିଲେ ।

ଅଲଗୂ ଚୌଧୁରୀ କହିଲେ, “ଶେଖ ଜୁମ୍ମନ! ମୁଁ ଓ ତୁମେ ପୁରୁଣା ବନ୍ଧୁ । ଯେତେବେଳେ କାମ ପଡ଼େ, ତୁମେ ମୋର ସାହାଯ୍ୟ କରିଛ ଓ ମୋ ଦେଇ ଯାହା ସମ୍ଭବ ମୁଁ ମଧ୍ୟ ତୁମର ସେବା କରିଛି । କିନ୍ତୁ ବର୍ତ୍ତମାନ ସମୟରେ ନା ତୁମେ ମୋର ବନ୍ଧୁ ନା ମୁଁ ତୁମର । ବର୍ତ୍ତମାନ ତୁମେ ଓ ବୁଢ଼ୀ ମାଉସୀ, ମୋ ଦୃଷ୍ଟିରେ ସମାନ । ପଂଚ ସମ୍ମୁଖରେ ଯାହା ତୁମର କହିବାର ଅଛି ତାହା କୁହ ।”

ଜୁମ୍ମନଙ୍କୁ ସମ୍ପୂର୍ଣ୍ଣ ବିଶ୍ୱାସଥିଲା ଯେ ଏବେ ବାଜି ମୋର । ଅଲଗୂ ଯାହା କହୁଛି ତାହା କେବଳ ଦେଖାଣିଆ । ତେଣୁ ଶାନ୍ତ ଚିତ୍ତରେ କହିଲେ, “ପଂଚଗଣ, ତିନିବର୍ଷ ହେଲାଣି ମାଉସୀ ତାଙ୍କର ସମ୍ପତ୍ତି ମୋ ନାଁରେ ଦାନପତ୍ର ଲେଖି ଦେଇଥିଲେ । ମୁଁ ତାଙ୍କୁ ସ୍ୱଳ୍ପ ସ୍ତରର ଜୀବନଯାପନ ପାଇଁ ଖୋରାକ-ପୋଷାକ ଦେବା ପାଇଁ ରାଜି ହୋଇଥିଲି । ଈଶ୍ୱର ସାକ୍ଷୀ ଅଛନ୍ତି, ଆଜି ପର୍ଯ୍ୟନ୍ତ ମୁଁ ମାଉସୀଙ୍କୁ କୌଣସି କଷ୍ଟ ଦେଇ ନାହିଁ । ମୁଁ ତାଙ୍କୁ ମୋ ମା ଭଳି ଭାବିଛି । ତାଙ୍କର ସେବା କରିବା ମୋର କର୍ତ୍ତବ୍ୟ; କିନ୍ତୁ ସ୍ତ୍ରୀ ଲୋକଙ୍କ ମଧ୍ୟରେ ସାମାନ୍ୟ ଅପଡ଼ ହୋଇଥାଏ, ତା ଉପରେ ମୋର କଣ ଅକ୍ତିଆର ଅଛି? ମାଉସୀ ମୋତେ ମାସିକ ଖର୍ଚ୍ଚ ଅଲଗା ମାଗୁଛନ୍ତି । ସମ୍ପତ୍ତି ଯେତିକି ତାହା ପଂଚଠାରୁ ଅଛପା ନୁହେଁ । ସେଥିରୁ ମୋର ଏତେ ଲାଭ ହେଉ ନାହିଁ ଯେ ମୁଁ ମାସିକ ଖର୍ଚ୍ଚ ଦେଇପାରିବି । ତା ଛଡା ଦାନପତ୍ରରେ ମାସିକ ଖର୍ଚ୍ଚର କୌଣସି ଉଲ୍ଲେଖ ହୋଇନାହିଁ । ଯଦି ଏପରି ହୋଇଥାନ୍ତା ତାହାହେଲେ ମୁଁ ଭୁଲରେ ବି ଏହି ଗୋଲମାଳରେ ପଡ଼ି ନଥାନ୍ତି । ବାସ, ମୋର ଏତିକି କହିବାର ଅଛି । ଏବେ ପଂଚଙ୍କ ହାତରେ, ଯେଉଁ ନିଷ୍ପତ୍ତି ନେବେ, ନିଅନ୍ତୁ ।”

ଅଲଗୂ ଚୌଧୁରୀଙ୍କର ସବୁବେଳେ କୋର୍ଟ କଚେରୀରେ କାମ ପଡୁଥିଲା । ତେଣୁ ସେ ପୂରାପୂରି ଆଇନାଦିରେ ଦୋରସ୍ତ ବ୍ୟକ୍ତି ଥିଲେ । ସେ ଜୁମ୍ମନଙ୍କୁ ଜେରା କରିବା ଆରମ୍ଭ କଲେ । ଗୋଟିଏ ଗୋଟିଏ ପ୍ରଶ୍ନ ଜୁମ୍ମନର ହୃଦୟ ଉପରେ ହାତୁଡ଼ି ଚୋଟପରି ପଡୁଥାଏ । ରାମଧନ ମିଶ୍ରଙ୍କୁ ଏହି ପ୍ରଶ୍ନଗୁଡିକ ମୁଗ୍ଧ କରିଦେଉଥିଲା । ଜୁମ୍ମନ ଚକିତ ହେଉଥିଲେ ଯେ ଅଲଗୂକୁ କ’ଣ ହେଇଗଲା । ଏବେ ଅଲଗୂ ମୋ ସାଙ୍ଗରେ ବସି କିପରି କିପରି କଥା ହେଉଥିଲା! ଏହି ମାତ୍ର କିଛିକ୍ଷଣରେ ଏପରି ବଦଳି ଗଲା ଯେ ସେ ମୋର ମୂଳ ତାଡ଼ିବାରେ ଲାଗିଛି । ଜଣେ ନା କେବେକାର ଦାଉ ସେ ଏବେ ସାଧୁଛି? କଣ ଏତେ ଦିନର ବନ୍ଧୁତ୍ୱ କୌଣସି କାମରେ ଆସିବ ନାହିଁ?

ଜୁମ୍ମନ ଶେଖ ଏହି ଭଳି ଦ୍ୱନ୍ଦ୍ୱରେ ପଡ଼ିଥିଲେ ଯେତେବେଳେ କି ଅଲଗୂ ତାଙ୍କର ନିଷ୍ପତ୍ତି ଶୁଣାଇଲେ-“ଜୁମ୍ମନ ଶେଖ! ପଂଚଗଣ ଏହି ମାମଲାର ବିଚାର କଲେ । ସେମାନଙ୍କୁ ଏହା ନୀତିସଙ୍ଗତ ମନେ ହେଉଛି ଯେ ମାଉସୀଙ୍କୁ ମାସିକ ଖର୍ଚ୍ଚ ଦିଆଯାଉ । ଆମର ଏହା ବିଚାର ଯେ ମାଉସୀଙ୍କ ସମ୍ପତ୍ତିରୁ ଅବଶ୍ୟ ଏତିକି ଲାଭ ହେଉଛି ଯାହାଦ୍ୱାରା ମାସିକ ଖର୍ଚ୍ଚ ଦିଆ ଯାଇପାରିବ । ବାସ୍, ଏହା ଆମର ନିଷ୍ପତ୍ତି ଅଟେ । ଯଦି ଜୁମ୍ମନଙ୍କୁ ଖର୍ଚ୍ଚ ଦେବା ମଞ୍ଜୁର ନ ହେଉଛି, ତାହାହେଲେ ଦାନପତ୍ର ରଦ୍ଦ ବୋଲି ଧରାଯାଉ ।”

ଶୁଣିବାମାତ୍ରେ ଜୁମ୍ମନ ସ୍ତବ୍ଧ ହୋଇଗଲେ । ଯିଏ ନିଜର ମିତ୍ର ହୋଇଥିବ, ସେ ଯଦି ଶତ୍ରୁପରି ବ୍ୟବହାର କରେ ଓ ଗଳାରେ ଛୁରୀ ଭୁସେ! ଏହାକୁ ସମୟର ଖେଳ ଛଡ଼ା ଆଉ କଣ କୁହାଯାଇପାରେ? ଯାହା ଉପରେ ପୂର୍ଣ୍ଣ ଭରସା ଥିଲା, ସମୟବେଳେ ସେ ଧୋକା ଦେଲା । ଏହିଭଳି ଅବସରରେ ସତ-ମିଛ ବନ୍ଧୁଙ୍କର ପରୀକ୍ଷା ହୋଇଥାଏ । ଏହା କଳିଯୁଗର ବନ୍ଧୁତ୍ୱ । ଯଦି ଲୋକେ ଏହିପରି କପଟୀ ଓ ବିଶ୍ୱାସଘାତକ ନ ହୋଇଥାନ୍ତେ ତାହାହେଲେ ଦେଶରେ ବିପତ୍ତିର ପ୍ରକୋପ କାହିଁକି ଦେଖାଯାଅନ୍ତା? ହଇଜା -ପ୍ଲେଗ ଆଦି ବ୍ୟାଧି ଦୁଷ୍କର୍ମର ହିଁ ଦଣ୍ଡ ।

କିନ୍ତୁ ରାମଧନ ମିଶ୍ର ଓ ଅନ୍ୟ ପଂଚ ଅଲଗୂ ଚୌଧୁରୀଙ୍କର ଏହି ନୀତି-ପରାୟଣତାର ପ୍ରଶଂସା ଖୋଲାଖୋଲି ଭାବରେ କରୁଥିଲେ । ସେମାନେ କହୁଥିଲେ -ଏହାରି ହିଁ ନାଁ ହେଉଛି ପଂଚାୟତ । ଯାହା ଦୁଧ, ତାହା ଦୁଧ । ଆଉ ଯାହା ପାଣି ତାହା ପାଣି, ଦୁହିଁଙ୍କୁ ଅଲଗା କରିଦେଲା । ବନ୍ଧୁତ୍ୱ ବନ୍ଧୁତ୍ୱ ସ୍ଥାନରେ, କିନ୍ତୁ ଧର୍ମର ପାଳନ ହେଲା ମୁଖ୍ୟ । ଏହିପରି ସତ୍ୟବାଦୀଙ୍କ ଶକ୍ତି ଉପରେ ପୃଥିବୀ ଠିଆହୋଇଛି, ନହେଲେ କେବେଠାରୁ ରସାତଳକୁ ଯାଆନ୍ତାଣି ।

ଏହି ନିଷ୍ପତ୍ତି ଅଲଗୂ ଓ ଜୁମ୍ମନ ମଧ୍ୟରେ ଥିବା ବନ୍ଧୁତ୍ୱର ମୂଳକୁ ହଲାଇ ଦେଲା । ଏବେ ସେମାନେ ପରସ୍ପର ସହିତ କଥା ହେଉଥିବାର ଦେଖାଯାଆନ୍ତି ନାହିଁ । ଏତେ ପୁରୁଣା ମିତ୍ରତାରୂପୀ ବୃକ୍ଷ ସତ୍ୟର ଗୋଟିଏ ଝଡକୁ ସହ୍ୟ କରିପାରିଲା ନାହିଁ । ପ୍ରକୃତରେ ଏହା ବାଲି ଉପରେ ହିଁ ଠିଆ ହୋଇଥିଲା ।

ସେମାନଙ୍କ ମଧ୍ୟରେ ଏବେ ଭଦ୍ର ବ୍ୟବହାର ହେଉଥିବାର ଅଧିକ ଦେଖାଗଲା । ପରସ୍ପରକୁ ଅଧିକ ଆତିଥ୍ୟ ଦେଖାଇଲେ । ସେମାନେ ମିଳା -ମିଶା ତ କରୁଥିଲେ, କିନ୍ତୁ ତରବାରୀ ଓ ଢାଲର ମିଳା-ମିଶା ପରି ।

ବନ୍ଧୁର କୁଟିଳତା ପାଇଁ ଜୁମ୍ମନର ମନ ସବୁବେଳେ ଅସ୍ଥିର ରହୁଥିଲା । । ସେ ପ୍ରତି ମୁହୂର୍ତ୍ତ ଚିନ୍ତା କରୁଥିଲେ କିପରି ସୁଯୋଗ ମିଳିବ ପ୍ରତିଶୋଧ ନେବାକୁ ।

ଭଲ କାମରେ ସିଦ୍ଧି ପାଇବାରେ ଡେରି ହୋଇଥାଏ, କିନ୍ତୁ ଖରାପ କାମରେ ସିଦ୍ଧି ପାଇବାରେ ଏହା ହୁଏ ନାହିଁ । ଜୁମ୍ମନକୁ ପ୍ରତିଶୋଧ ନେବାର ସୁଯୋଗ ଶୀଘ୍ର ମିଳିଗଲା । ଗତବର୍ଷ ଅଲଗୂ ଚୌଧୁରୀ ବଟେଶରରୁ ଯୋଡିଏ ଖୁବ ଭଲ ବଳଦ କିଣି ଆଣିଥିଲେ । ବଳଦଗୁଡ଼ିକ ଭଲ ଜାତିର ଥିଲେ, ସୁନ୍ଦର ଥିଲେ ଓ ସେମାନଙ୍କର ଶିଙ୍ଗ ବେଶ ବଡ଼ ଥିଲା । ଏହାକୁ ଦେଖିବା ପାଇଁ ଆଖପାଖ ଗାଁରୁ ଲୋକେ ଆସୁଥିଲେ ଯାହା ଅନେକମାସ ଯାଏ ଚାଲିଥିଲା । ଦୈବଯୋଗରୁ ଜୁମ୍ମନ ପଂଚାୟତର ମାସକ ପରେ ଏହି ବଳଦ ଯୋଡ଼ିଙ୍କ ଭିତରୁ ଗୋଟିଏ ବଳଦ ମରିଗଲା । ଜୁମ୍ମନ ସାଙ୍ଗମାନଙ୍କୁ କହିଲା –“ଦଗାବାଜିର ଏହା ହେଉଛି ଦଣ୍ଡ । ମଣିଷ ପଛେ ସବୁ ସହି ନେଇଥାଏ , କିନ୍ତୁ ଦୟାଳୁ ଈଶ୍ୱର ସବୁ ଦେଖନ୍ତି ।” ଅଲଗୂର ସନେ୍ଦହ ହେଲା ଯେ ବଳଦକୁ ଜୁମ୍ମନ ବିଷ ଦିଆ କରେଇଛି । ଚୌଧୁରାଣୀ ମଧ୍ୟ ଏହି ଦୁର୍ଘଟଣା ପାଇଁ ଜୁମ୍ମନ ଉପରେ ଦୋଷାରୋପ କଲେ । ସେ କହିଲେ-ଜୁମ୍ମନ କିଛି ଗୋଟାଏ କରିଦେଇଛି । ଚୌଧୁରାଣୀ ଓ କରୀମନ ମଧ୍ୟରେ ଏହାକୁ ନେଇ ଦିନେ ଖୁବ ବଡ଼ ବିବାଦ ହେଲା । ଦୁଇ ଦେବୀ ଶବ୍ଦ ବାହୁଲ୍ୟର ନଦୀ ବୁହାଇ ଦେଲେ । ବ୍ୟଙ୍ଗ, ବକ୍ରୋକ୍ତି, ଅନ୍ୟୋକ୍ତି ଓ ଉପମା ଆଦି ଅଳଙ୍କାରରେ ବାକ୍ୟ ବିନିମୟ ହେଲା । ଜୁମ୍ମନ କୌଣସି ପ୍ରକାରେ ସେମାନଙ୍କୁ ଶାନ୍ତ କଲେ । ସେ ନିଜର ପତ୍ନୀକୁ ଗାଳି -ମନ୍ଦ ଦେଇ ବୁଝାଇ ଦେଲେ । ସେ ତାକୁ ସେହି ରଣଭୂମିରୁ ଦୂରେଇ ନେଇଗଲେ । ସେପଟେ ଅଲଗୂ ଚୌଧୁରୀ ବୁଝାବୁଝି କରିବାର କାର୍ଯ୍ୟ ନିଜର ତର୍କପୂର୍ଣ୍ଣ ତାଗିଦରେ କଲେ ।

ଏବେ ଗୋଟିଏ ବଳଦ କେଉଁ କାର୍ଯ୍ୟର? ଏହାର ଗୋଟିଏ ଯୋଡି ବହୁତ ଖୋଜାଗଲା, କିନ୍ତୁ ମିଳିଲା ନାହିଁ । ବରଂ ଏହାର ନିବାରଣ ପାଇଁ ପରାମର୍ଶ ଆସିଲା ଯେ ଏହାକୁ ବିକି ଦିଆଯିବା ଉଚିତ । ଗାଁରେ ଜଣେ ଥିଲେ ସମଝୁ ସେଠ । ସେ ଏକ୍କା ଗାଡି ଚଳାଉଥିଲେ । ଗାଁରୁ ଗୁଡ-ଘିଅ ଲଦି ବଜାରକୁ ନେଉଥିଲେ, ବଜାରରୁ ତେଲ,ଲୁଣ ଲଦି ଆଣୁଥିଲେ ଓ ଗାଁରେ ବିକୁଥିଲେ । ଏହି ବଳଦପ୍ରତି ତାଙ୍କର ଲୋଭ ହେଲା । ସେ ଭାବିଲେ ଯେ ଏହି ବଳଦହେଲେ ଦିନସାରା ନିର୍ବିଘ୍ନ ତିନି ଖେପା ମାରି ଦେଇ ହେବ । ଆଜିକାଲି ତ ଗୋଟିଏ ଖେପା କଷ୍ଟକର ହୋଇପଡୁଛି । ବଳଦ ଦେଖିଲେ, ଗାଡ଼ିରେ ଯୋଚି ଦୌଡାଇଲେ, କେଶ-ଭଉଁରିର ପରୀକ୍ଷା କରାଇଲେ, ମୂଲ-ଚାଲ କଲେ ଓ ତାକୁ ଆଣି ଦୁଆର ମୁହଁରେ ବାନ୍ଧିଲେ । ମାସକ ଭିତରେ ଦାମ ଦେଇଦେବେ ବୋଲି ପ୍ରତିଶୃତି ଦେଲେ । ଚୌଧୁରୀଙ୍କର ମଧ୍ୟ ଆବଶ୍ୟକତା ଥିଲା, ତେଣୁ କ୍ଷତି ବିଷୟରେ ସେ ଚିନ୍ତା କଲେ ନାହିଁ ।

ସମଝୁ ସେଠ ନୂଆ ବଳଦ ପାଇଲେ, ତାହାକୁ ଖଟେଇବାରେ ଲାଗିପଡ଼ିଲେ । ଗୋଟିଏ ଦିନରେ ତିନି-ତିନି, ଚାରି-ଚାରି ଖେପା କରୁଥିଲେ । ନା ଚାରାର ଚିନ୍ତାଥିଲା, ନା ପାଣିର ଚିନ୍ତା ଥିଲା, କେବଳ କେତେ ଖେପାରେ କାମ ହେଉଛି ତାହାରି ହିଁ ଚିନ୍ତାଥିଲା । ମଣ୍ଡିକୁ ନେଇଗଲେ, ସେଠାରେ କିଛି ଶୁଖିଲା ନଡ଼ା ପକାଇଦେଲେ । ବିଚରା ପଶୁଟି ଦମ୍ ନେଇ ନଥିବ, କି ତାକୁ ପୁଣି ଗାଡ଼ିରେ ଯୋଚିଦେଲେ । ଅଲଗୂ ଚୌଧୁରୀ ଘରେ ଥିବାବେଳେ କେତେ ଶାନ୍ତିରେ ସେ ଥିଲା । ଛ’ ଛ’ମାସରେ ଥରେ ଅଧେ ବଳଦ ଗାଡ଼ିରେ ଯୋଚା ହେଉଥିଲା, ଖୁବ ଡିଆଁ ଡେଇଁ କରି କୋଶ କୋଶ ବାଟ ଦଉଡି ଯାଉଥିଲା । ସେଠାରେ ପଶୁଙ୍କପାଇଁ ଭୋଜନ, ସଫା ପାଣି, ସିଝା ହରଡ଼ ଡାଲି ଓ ନଡ଼ାସହିତ ଖାଲି -କେବଳ ଏତିକି ନୁହେଁ ବେଳେବେଳେ ଘିଅର ସ୍ୱାଦ ମଧ୍ୟ ଚାଖିବାକୁ ମିଳି ଯାଉଥିଲା । ଲୋକଟିଏ ଥିଲା ସକାଳ -ସନ୍ଧ୍ୟା କୁଣ୍ଡାଇ ଦେବାକୁ, ପୋଛିବାକୁ ଓ ସାଉଁଳେଇବାକୁ । କାହିଁ ସେହି ସୁଖ ଶାନ୍ତି, ଆଉ କାହିଁ ଆଜି ଆଠ ପହରର ଖଟଣି! ମାସକ ଭିତରେ ସେ ଯେପରି ପେଷି ହୋଇଯାଇଥିଲା । ଏକ୍କାର ଜୁଆଳି ଦେଖିବା ମାତ୍ରେ ତାହାର ରକ୍ତ ଶୁଖିଯାଉଥିଲା । ପାଦ ଗୋଟିଏ ଚାଲିବା ମଧ୍ୟ କଷ୍ଟକର ଥିଲା । ହାଡ଼ ବାହାରି ଆସିଥିଲା; କିନ୍ତୁ ସେ ଥିଲା ଦୁର୍ବଳ, ମାଡ଼ ସହ୍ୟ କରିପାରୁ ନଥିଲା ।

ଦିନେ ଚତୁର୍ଥ ଖେପାରେ ସେଠ ମହାଶୟ ଦୁଇଗୁଣ ବୋଝ ଲଦିଦେଲେ । ଦିନସାରା ଖଟି ପଶୁ ଥକି ପଡିଥାଏ, ତାର ଗୋଡ ଉଠୁ ନଥାଏ । କିନ୍ତୁ ସେଠ୍ ମହାଶୟ ଚାବୁକ ବଜାଇଲେ । ବାସ୍, ଆଉ କଣ ଥିଲା, ବଳଦ ଜୀବନ ମୂର୍ଚ୍ଛା ଦଉଡିବା ଆରମ୍ଭ କରିଦେଲା । କିଛି ବାଟ ଦଉଡିବା ପରେ ଟିକିଏ ଦମ୍ ମାରିବାକୁ ଚାହିଁଲା; କିନ୍ତୁ ସେଠ ମହାଶୟଙ୍କୁ ଜଲଦି ଘରକୁ ଯିବାର ଥିଲା; ତେଣୁ ଅତ୍ୟନ୍ତ ନିର୍ଦ୍ଦୟ ଭାବରେ ସେ କୋରଡ଼ା ପାହାର ବସାଇଲେ । ବଳଦ ପୁଣିଥରେ ଜୋର ଲଗାଇଲା କିନ୍ତୁ ଏଥର ଶକ୍ତି ପାଇଲା ନାହିଁ । ସେ ମାଟି ଉପରେ ପଡିଗଲା, ଏବଂ ଏପରି ପଡିଲା ଯେ ଆଉ ଉଠିଲା ନାହିଁ । ସେଠ ମହାଶୟ ବହୁତ ପିଟିଲେ, ଗୋଡ଼ ଧରି ଟାଣିଲେ, ନାକ ପୁଡାରେ କାଠ ପୂରାଇଲେ; କିନ୍ତୁ ମୃତକ କଣ କେବେ ଉଠିପାରେ? ସେତେବେଳେ ସେଠ ମହାଶୟଙ୍କୁ ସନ୍ଦେହ ହେଲା । ସେ ବଳଦକୁ ନିରିଖେଇ ଦେଖିଲେ; ତାକୁ ଗାଡ଼ିରୁ ଅଲଗା କଲେ ଓ ଚିନ୍ତାରେ ପଡ଼ିଲେ ଯେ ଗାଡି କିପରି ଯାଇ ଗାଁରେ ପହଁଚିବ । ବହୁତ ଚିତ୍କାର କଲେ; କିନ୍ତୁ ଗାଁର ରାସ୍ତା ପିଲାଙ୍କ ଆଖିପରି ରାତିହେଲେ ବନ୍ଦ ହୋଇଯାଇଥାଏ । କେହି ଦେଖା ଯାଉନଥିଲେ । ଆଖପାଖରେ କୌଣସି ଗାଁ ମଧ୍ୟ ନଥିଲା । ରାଗରେ ସେ ମୃତ ବଳଦକୁ ଆହୁରି ପିଟିବାରେ ଲାଗିଲେ ଓ ତାକୁ ଅଭିଶାପ ଦେବାରେ ଲାଗିଲେ –“ଅଭାଗା! ତୋର ଯଦି ମରିବାର ଥିଲା ତାହାହେଲେ ଘରେ ପହଞ୍ଚି ମରିଥାନ୍ତୁ । ରାସ୍ତାରେ ମରୁଛୁ! ଏବେ ଗାଡ଼ି ଟାଣିବ କିଏ?” ଏହିଭଳି ସେଠ ମହାଶୟ ଖୁବ ରାଗୁଥିଲେ । କିଛି ଗୁଡ଼ ବସ୍ତା ଓ କିଛି ପିଁପା ଘିଅ ସେ ବିକିଥିଲେ, ଦୁଇ-ଅଢ଼େଇଶ ଟଙ୍କା ଅଣ୍ଟାରେ ବାନ୍ଧିଥିଲେ । ଏହାଛଡ଼ା ଗାଡ଼ିରେ କିଛି ଲୁଣ ବସ୍ତା ଥିଲା; ତେଣୁ ତାକୁ ଛାଡ଼ି ଦେଇ ଯାଇ ପାରୁ ନ ଥିଲେ । ଅସହାୟ ହୋଇ ଗାଡ଼ିଉପରେ ହିଁ ଶୋଇ ପଡ଼ିଲେ । ସେଠାରେ ରାତିସାରା ଚେଇଁ ରହିବାପାଇଁ ସ୍ଥିର କରିନେଲେ । ଚିଲମ ଟାଣିଲେ; ପୁଣି ହୁକ୍କା ପିଇଲେ । ଏହିପରି ରାତି ଅଧଯାଏ ନିଦକୁ ଦୂରେଇ ରଖିଲେ । ନିଜ ଭାବନାରେ ସେ ତ ଚେଇଁଥିଲେ; କିନ୍ତୁ ଭୋର ହେଲାମାତ୍ରେ ତାଙ୍କର ଯେ ନିଦ ଭଙ୍ଗିଲା ଓ ଅଣ୍ଟାଉପରକୁ ହାତ ଗଲା, ଥଳି ଆଉ ନଥିଲା । ଘାବୁରେଇ ଏପଟ ସେପଟ ଦେଖିଲେ, କେତୋଟି ତେଲ ଡବା ଗାଏବ ଥିଲା! ବିଚରା ଅନୁତାପରେ ମୁଣ୍ଡ ପିଟିଦେଲେ ଓ ତଳେ ଗଡିବାକୁ ଲାଗିଲେ । ସକାଳେ କାନ୍ଦି କାଟି ଘରେ ପହଞ୍ଚିଲେ । ସେଠାଣୀ ଯେତେବେଳେ ଏହି ଦୁଃସମ୍ବାଦ ପାଇଲେ, ପ୍ରଥମେ ତ ବହୁତ କାନ୍ଦିଲେ, ପରେ ଅଲଗୂ ଚୌଧୁରୀକୁ ଗାଳି ଦେବା ଆରମ୍ଭ କଲେ –“ଜାରଜଟା ଏପରି ଏକ ମୂଲ୍ୟହୀନ ବଳଦ ଦେଲା ଯେ ସାରାଜୀବନର ସବୁ ରୋଜଗାର ଲୁଟ ହୋଇଗଲା ।”

ଏହି ଘଟଣା ପରେ ଅନେକ ମାସ ବିତିଗଲା । ଅଲଗୂ ଯେତେବେଳେ ନିଜ ବଳଦର ମୂଲ୍ୟ ମାଗୁଥିଲେ, ସେତେବେଳେ ସେଠ ଓ ସେଠାଣୀ, ରାଗିଥିବା କୁକୁର ଭଳି ଚଢ଼ି ବସୁଥିଲେ ଓ ଇୟାଡୁ -ସିୟାଡୁ ଗପୁଥିଲେ –“ବାହ! ଏଠାରେ ତ ସାରାଜୀବନର ରୋଜଗାର ଲୁଟିଯାଇଛି, ସତ୍ୟାନାଶ ହୋଇଯାଇଛି । ଏହାଙ୍କୁ ଦାମ କଥା ପଡୁଛି । ମଲା ବଳଦ ଦେଲା, ତ ଉପରେ ପୁଣି ଦାମ ମାଗି ଚାଲିଛି । ଆଖିରେ ଧୂଳି ପକାଇ ଦେଲା, ସତ୍ୟନାଶୀ ବଳଦ ଗଳାରେ ବାନ୍ଧିଦେଲା, ଆମକୁ ମୂର୍ଖ ବୋଲି ଭାବିନେଲା । ଆମେ ମଧ୍ୟ ବଣିଆପିଲା । ଏପରି ବୁଦ୍ଦୁ ଆଉ କେଉଁଠି ଥିବେ । ଆଗେ ଯା କୌଣସି ଗଡିଆରେ ମୁହଁ ଧୋଇଆସିବୁ, ତା ପରେ ଦାମ ନେବୁ । ଯଦି ମନ ମାନୁ ନାହିଁ, ତାହାହେଲେ ଆମ ବଳଦକୁ ଖୋଲି ନେଇଯାଅ । ମାସକ ବଦଳରେ ଦୁଇ ମାସ ଚାଷ କରିନିଅ । ଆଉ କଣ ନେବ?”

ଚୌଧୁରୀଙ୍କର ଅଶୁଭଚିନ୍ତକ ସଂଖ୍ୟାରେ କିଛି କମ୍ ନଥିଲେ । ଏପରି ଅବସରରେ ସେମାନେ ସମସ୍ତେ ଏକାଠି ହୁଅନ୍ତି ଏବଂ ସେଠ ମହାଶୟଙ୍କର ଭୁକିବାକୁ ସମର୍ଥନ କରନ୍ତି । ଏହିପରି ତିରସ୍କାର ଶୁଣି ବିଚରା ଚୌଧୁରୀ ମୁହଁ ଓହଳାଇ ଫେରି ଆସୁଥିଲେ, କିନ୍ତୁ ଦେଢଶହ ଟଙ୍କା ହାତରୁ ଚାଲିଯିବାକୁ ଦେବା ମଧ୍ୟ ସହଜ ନଥିଲା । ଥରେ ସେ ମଧ୍ୟ ରାଗିଗଲେ । ସେଠ ମହାଶୟ ବିଗଡ଼ି ଯାଇ ବାଡ଼ି ଖୋଜିବାପାଇଁ ଘର ଭିତରକୁ ଚାଲିଗଲେ । ଏବେ ସେଠାଣୀ ସାମନାକୁ ଆସିଗଲେ । ପ୍ରଶ୍ନୋତ୍ତର ହେଉ ହେଉ ହାତାହାତି ଯାଏ କଥାଗଲା । ସେଠାଣୀ ଘରଭିତରେ ପଶିଯାଇ କବାଟ ବନ୍ଦ କରିଦେଲେ । ପାଟି ତୁଣ୍ଡ ଶୁଣି ଗାଁର ସାଧାରଣ ମଣିଷ ଜମା ହୋଇଗଲେ । ସେମାନେ ଉଭୟଙ୍କୁ ବୁଝାଇଲେ । ସେଠ ମହାଶୟଙ୍କୁ ସାନ୍ତ୍ୱନା ଦେଇ ତାଙ୍କୁ ଘରୁ ବାହାରକୁ ଆଣିଲେ । ସେମାନେ ପରାମର୍ଶ ଦେଲେ ଯେ ଏପରି ମୁଁହାମୁହିଁ ଲଢ଼େଇରେ କିଛି କାମ ହେବ ନାହିଁ । ପଂଚାୟତ ଡାକ । ଯାହା କିଛି ନିଷ୍ପତ୍ତି ହେବ, ତାହାକୁ ସ୍ୱୀକାର କରିନିଅ । ସେଠ ମହାଶୟ ରାଜି ହୋଇଗଲେ । ଅଲଗୂ ମଧ୍ୟ ହଁ କହିଦେଲେ ।

ପଂଚାୟତ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଗଲା । ଦୁଇପକ୍ଷ ନିଜ ନିଜ ଦଳ ଗଢ଼ିବା ଆରମ୍ଭ କଲେ । ତୃତୀୟ ଦିନ ସେହି ଗଛ ତଳେ ପଂଚାୟତ ବସିଲା । ସେହି ସନ୍ଧ୍ୟା ସମୟ ଥିଲା । ବିଲରେ କୁଆମାନେ ପଂଚାୟତ କରୁଥିଲେ । ବିବାଦୀୟ ବିଷୟ ଥିଲା ଯେ ମଟର ଫଳଉପରେ ସେମାନଙ୍କର କୌଣସି ସତ୍ତ୍ୱ ଅଛି କି ନାହିଁ; ଯେତେବେଳ ଯାଏ ଏହି ପ୍ରଶ୍ନର ସମାଧାନ ନ ହୋଇଛି, ଜଗୁଆଳିର ଡାକ ଉପରେ ସେମାନେ ସେମାନଙ୍କର ଅପ୍ରସନ୍ନତା ପ୍ରକଟ କରିବା ଆବଶ୍ୟକ ବୋଲି ଭାବୁଥିଲେ । ଗଛ ଡାଳରେ ବସିଥିବା ଶୂକ-ମଣ୍ଡଳୀ ଭିତରେ ଏହି ପ୍ରଶ୍ନ ପଡିଥିଲା ଯେ ସେମାନଙ୍କୁ ନିଷ୍ଠୁର କହିବାର ଅଧିକାର କଣ ମଣିଷମାନଙ୍କର ଅଛି, ଯେତେବେଳେ ସେମାନେ ନିଜେ ନିଜର ମିତ୍ରଙ୍କୁ ଦଗାଦେବାକୁ ସଙ୍କୋଚ କରନ୍ତି ନାହିଁ ।

ପଂଚାୟତ ବସିଗଲା, ସେଠୁ ରାମଧନ ମିଶ୍ର କହିଲେ, “ଏବେ ଡେରି କଣ ପାଇଁ? ପଞ୍ଚଙ୍କ ନିର୍ବାଚନ ହୋଇଯିବା ଉଚିତ । କୁହ ଚୌଧୁରୀ, କାହାକୁ ପଞ୍ଚ ବାଛୁଛ?”

ଅଲଗୂ ନ୍ୟୁନ ହୋଇ କହିଲେ, “ସମଝୁ ସେଠ ହିଁ ବାଛନ୍ତୁ ।”

ସମଝୁ ଠିଆହେଲେ ଓ ଦୃଢ଼ଭାବରେ କହିଲେ, “ମୋ ତରଫରୁ ଜୁମ୍ମନ ଶେଖ ।”

ଜୁମ୍ମନଙ୍କ ନାଁ ଶୁଣିବାମାତ୍ରେ ଅଲଗୂ ଚୌଧୁରୀର ଛାତି ଧକ୍ ଧକ୍ କରିବାକୁ ଲାଗିଲା, ସତେ ଯେପରି କେହି ଚାପୁଡାଟିଏ ମାରିଲା । ରାମଧନ ଅଲଗୂଙ୍କ ମିତ୍ର ଥିଲେ । ସେ ପରିସ୍ଥିତିକୁ ବୁଝିପାରିଲେ । ପଚାରିଲେ, “କଣ ଚୌଧୁରୀ, ତୁମର କୌଣସି ଆପତ୍ତି ତ ନାହିଁ ।” ଚୌଧୁରୀ ନିରାଶ ହୋଇ କହିଲେ –“ନା , ମୋର କି ଆପତ୍ତି ରହିବ?”

ନିଜର ଉତ୍ତରଦାୟିତ୍ୱର ଜ୍ଞାନ ଅନେକ ସମୟରେ ଆମର ସଙ୍କୁଚିତ ବ୍ୟବହାରର ସୁଧାରକ ହୋଇଥାଏ । ଯେତେବେଳେ ଆମେ ରାସ୍ତା ଭୂଲି ଏପଟ ସେପଟ ସେତେବେଳେ ଏହି ଜ୍ଞାନ ହିଁ ଆମର ବିଶ୍ୱସନୀୟ ପଥ-ପ୍ରଦର୍ଶକ ହୋଇଥାଏ ।

ଖବର କାଗଜ ସମ୍ପାଦକ ନିଜର ଶାନ୍ତ କୁଟିରରେ କେତେ ଧୃଷ୍ଟତା ଓ ସ୍ୱତନ୍ତ୍ରତାର ସହିତ ନିଜର ପ୍ରବଳ ଲେଖନୀ ଦ୍ୱାରା ମନ୍ତ୍ରିମଣ୍ଡଳ ଉପରେ ଆକ୍ରମଣ କରିଥାଏ; କିନ୍ତୁ ଏପରି ଅବସର ଆସେ ଯେତେବେଳେ ସେ ନିଜେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥାଏ । ମଣ୍ଡଳ ଭବନରେ ଗୋଡ ପଡୁ ପଡୁ ତାର ଲେଖନୀ କେତେ ମର୍ମଜ୍ଞ, କେତେ ବିଚାରଶୀଳ , କେତେ ନ୍ୟାୟପରାୟଣ ହୋଇଯାଏ । ଏହାର କାରଣ ହେଉଛି ଉତ୍ତରଦାୟିତ୍ୱର ଜ୍ଞାନ ।

ନବଯୁବକ ଯୁବାବସ୍ଥାରେ କେତେ ଉଦଣ୍ଡ ହୋଇଥାଏ । ବାପ-ମା ତାକୁ ନେଇ କେତେ ଚିନ୍ତିତ ଥାଆନ୍ତି ! ତାକୁ କୁଳର କଳଙ୍କ ବୋଲି ଭାବିଥାନ୍ତି; କିନ୍ତୁ ଅଳ୍ପ ସମୟ ଭିତରେ ମୁଣ୍ଡ ଉପରେ ପରିବାରର ବୋଝ ପଡିବା ମାତ୍ରେ ସେହି ଅବ୍ୟବସ୍ଥିତ ଚିତ୍ତ ଉନ୍ମତ୍ତ ଯୁବକ କେତେ ଧୈର୍ଯ୍ୟଶୀଳ , କିପରି ଶାନ୍ତ ଚିତ୍ତ ହୋଇଯାଏ , ଏହା ମଧ୍ୟ ଉତ୍ତରଦାୟିତ୍ୱର ଜ୍ଞାନର ଫଳ ।

ସରପଞ୍ଚର ଉଚ୍ଚ ସ୍ଥାନ ଗ୍ରହଣ କରିବା ମାତ୍ରେ ଜୁମ୍ମନ ଶେଖଙ୍କ ମନରେ ନିଜର ଉତ୍ତରଦାୟିତ୍ୱ ଭାବନା ଜାଗ୍ରତ ହେଲା । ସେ ଭାବିଲେ, ମୁଁ ଏହି ସମୟରେ ନ୍ୟାୟ ଓ ଧର୍ମର ସର୍ବୋଚ୍ଚ ଆସନରେ ବସିଛି । ଏହି ସମୟରେ ମୋ ମୁଁହରୁ ଯାହା କିଛି ବାହାରିବ , ତାହା ଦେବବାଣୀର ସଦୃଶ – ଓ ଦେବବାଣୀରେ ମୋ ମନୋବିକାରର ସମାବେଶ କଦାପି ହେବା ଉଚିତ ନୁହେଁ । ସତ୍ୟରୁ ତିଳେ ମାତ୍ର ମୁଁ ଟଳିବା ଉଚିତ ନୁହେଁ !

ପଂଚଗଣ ଦୁଇ ପକ୍ଷ ସହିତ ସୁଆଲ ଜବାବ କରିବା ଆରମ୍ଭ କରିଦେଲେ । ବହୁତ ସମୟ ପର୍ଯ୍ୟନ୍ତ ଦୁଇ ଦଳ ନିଜ ନିଜର ପକ୍ଷକୁ ସମର୍ଥନ କରୁଥିଲେ । ପଞ୍ଚଙ୍କ ମଧ୍ୟରେ ମତଭେଦ ଥିଲା । ଏହି ବିଷୟରେ କିନ୍ତୁ ସମସ୍ତେ ସହମତ ଥିଲେ ଯେ ସମଝୁ ବଳଦର ମୂଲ୍ୟ ଦେବା ଉଚିତ , କିନ୍ତୁ ଦୁଇ ଜଣ ସଭ୍ୟ ଏହି କାରଣରୁ ସମଝୁକୁ ରିହାତି ଦେବାକୁ ଚାହୁଁଥିଲେ କାରଣ ବଳଦର ମୃତ୍ୟୁ ଯୋଗୁଁ ସମଝୁର କ୍ଷତି ହୋଇଛି । ଅପର ପକ୍ଷରେ ଆଉ ଦୁଇ ସଭ୍ୟ କହୁଥିଲେ ଯେ, ମୂଳ ବ୍ୟତୀତ , ସମଝୁକୁ କିଛି ଜୋରିମାନା ଦେବା ଉଚିତ ଯାହା ଦ୍ୱାରା କେହି ପଶୁଙ୍କ ପ୍ରତି ଏପରି ନିର୍ଦ୍ଦୟ ହେବା ପାଇଁ ସାହସ କରିବ ନାହିଁ । ଶେଷରେ ଜୁମ୍ମନ ନିଷ୍ପତ୍ତି ଶୁଣାଇଲେ-

“ଅଲଗୂ ଚୌଧୁରୀ ଏବଂ ସମଝୁ ସେଠ! ପଞ୍ଚଗଣ ତୁମ ମାମଲାର ବିଚାର ଭଲ ଭାବରେ କରିଛନ୍ତି । ସମଝୁର ଉଚିତ ହେବ ଯେ ସେ ବଳଦର ପୂରା ମୂଲ୍ୟ ଦେଉ । ଯେଉଁ ସମୟରେ ସେ ବଳଦ ନେଲେ , ସେତେବେଳେ କୌଣସି ବେମାରି ନ ଥିଲା । ଯଦି ସେହି ସମୟରେ ଦାମ ଦେଇ ଦିଆ ଯାଇଥାନ୍ତା, ତାହାହେଲେ ତାକୁ ଫେରେଇ ନେବା ପାଇଁ ସମଝୁ ଆଜି ଆଗ୍ରହ କରି ନଥାନ୍ତେ । ବଳଦର ମୃତ୍ୟୁ କେବଳ ଏହି କାରଣରୁ ହୋଇଛି ଯେ ତାଦ୍ୱାରା ବହୁତ କଠିନ ପରିଶ୍ରମ କରାଯାଇଛି ଓ ଦାନା -ପାଣିର ସୁପ୍ରବନ୍ଧ କରାଯାଇ ନାହିଁ ।“

ରାମଧନ ମିଶ୍ର କହିଲେ- “ସମଝୁ ଜାଣି ଶୁଣି ବଳଦକୁ ମାରିଛି -ତେଣୁ ତାଙ୍କଠାରୁ ତଣ୍ଡ ନେବା ଉଚିତ ।”

ଜୁମ୍ମନ କହିଲେ-“ଏହା ଏକ ଭିନ୍ନ ପ୍ରଶ୍ନ ! ତାହା ଆମ ପାଇଁ ଅର୍ଥହୀନ ।”

ଫଗଡ଼ୁ ସେଠ କହିଲେ –“ସମଝୁଙ୍କୁ କିଛି ରିହାତି ଦିଆଯିବା ଉଚିତ ।”

ଜୁମ୍ମନ କହିଲେ –“ଏହା ଅଲଗୂ ଚୌଧୁରୀଙ୍କ ଇଚ୍ଛା ଉପରେ ନିର୍ଭର କରେ । ସେ ରିହାତି ପାଇଁ ଯଦି ରାଜି ହୁଅନ୍ତି ତାହା ତାଙ୍କର ଭଲ ମଣିଷପଣିଆ ହେବ ।”

ଅଲଗୂ ଚୌଧୁରୀ ଅତି ଖୁସି ହୋଇଗଲେ । ଠିଆ ହୋଇଗଲେ ଓ ବଡ ପାଟିରେ କହିଲେ –“ପଞ୍ଚ-ପରମେଶ୍ୱରଙ୍କର ଜୟ !”

ଚାରି ପଟୁ ପ୍ରତିଧ୍ୱନି ହେଲା- “ପଞ୍ଚ-ପରମେଶ୍ୱରଙ୍କର ଜୟ !”

ପ୍ରତ୍ୟେକ ମନୁଷ୍ୟ ଜୁମ୍ମନଙ୍କ ନୀତିର ପ୍ରଶଂସା କରୁଥିଲେ -ଏହାକୁ କୁହନ୍ତି ନ୍ୟାୟ! ଏହା ମନୁଷ୍ୟର କାମ ନୁହେଁ , ପଞ୍ଚ ଭିତରେ ପରମେଶ୍ୱର ବାସ କରନ୍ତି , ଏହା ତାଙ୍କରି ମହିମା । ପଞ୍ଚ ସମ୍ମୁଖରେ କିଏ ଭୁଲକୁ ଠିକ କହି ପାରିବ?

କିଛି ସମୟ ପରେ ଜୁମ୍ମନ ଅଲଗୂ ପାଖକୁ ଆସିଲେ ଓ ତାଙ୍କୁ ଗଭୀର ଆଲିଙ୍ଗନରେ ଧରି କହିଲେ-“ଭାଇ , ଯେବେଠାରୁ ତୁମେ ମୋର ପଂଚାୟତ କରିଛ, ମୁଁ ତୁମର ପ୍ରାଣ-ଘାତକ ଶତ୍ରୁ ହୋଇ ଯାଇଥିଲି; କିନ୍ତୁ ଆଜି ମୋତେ ଜଣାଗଲା ଯେ ପଞ୍ଚ ପଦବୀରେ ବସିଲେ କେହି କାହାରି ବନ୍ଧୁ ନୁହେଁ, କି କାହାରି ଶତ୍ରୁ ନୁହେଁ । ନ୍ୟାୟ ଛଡା ତାଙ୍କୁ ଆଉ କିଛି ଦିଶେ ନାହିଁ । ଆଜି ମୋର ବିଶ୍ୱାସ ହୋଇଗଲା ଯେ ପଞ୍ଚଙ୍କ ମୁହଁରେ ଈଶ୍ୱର ହିଁ କୁହନ୍ତି ।”

ଅଲଗୂ କାନ୍ଦିବାକୁ ଲାଗିଲେ । ଏହି ପାଣିରେ ଦୁଇ ଜଣଙ୍କ ହୃଦୟରେ ଥିବା ମଇଳା ଧୋଇଗଲା । ମଉଳି ପଡି ଥିବା ମିତ୍ରତାର ଲତା ପୁଣି ଥରେ ସବୁଜ ହୋଇଗଲା ।

ମୂଳଲେଖା- ପ୍ରେମଚନ୍ଦ

ଅନୁସୃଜନ- ବୀରେନ୍ଦ୍ର ନାୟକ

(ଏହି ଗଳ୍ପଟି ୧୯୧୬ ମସିହାରେ ପ୍ରଥମେ ପ୍ରକାଶ ପାଇଥିଲା ଉର୍ଦ୍ଦୁ ମାସିକ ପତ୍ରିକା ‘ଜମାନା’(ମଇ-ଜୁନ ସଂଖ୍ୟା) ରେ, ହିନ୍ଦୀ ମାସିକ ପତ୍ରିକା ‘ସରସ୍ୱତୀ’ (ଜୁନ ସଂଖ୍ୟା)ରେ; ପରେ ଅନେକ ଗଳ୍ପ ସଂଳନରେ ଏହାକୁ ସ୍ଥାନିତ କରାଯାଇଛି । ବିଚାରରେ ନିରପେକ୍ଷତା କିପରି ସବୁ ପ୍ରକାରର ସମ୍ପର୍କର ଊର୍ଦ୍ଧ୍ୱରେ, ତାହା ଦର୍ଶାଇଛନ୍ତି ହିନ୍ଦୀ-ଉର୍ଦ୍ଦୁ ସାହିତ୍ୟର ମହାନ କଥାକାର ମୁନ୍ସୀ ପ୍ରେମଚାନ୍ଦ (ମୂଳ ନାଁ -ଧନପତ ରାୟ ଶ୍ରୀବାସ୍ତବ) (ଜନ୍ମ ୩୧ ଜୁଲାଇ ୧୮୮୦ , ମୃତ୍ୟୁ ୮ ଅକ୍ଟୋବର ୧୯୩୬ ) ଯଦିଓ ଏହି ଗଳ୍ପର ପ୍ରକାଶନ ଆଜକୁ ପ୍ରାୟ ୧୧୦ବର୍ଷ ପୂର୍ବେ ହୋଇଥିଲା, ବିଚାରରେ କୌଣସି ବିସଂଗତି ଦେଖାଗଲେ ‘ପଞ୍ଚ ପରମେଶ୍ୱର’ ଗଳ୍ପର ମର୍ମ ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଥାଏ । ସମ୍ପ୍ରତି ଏହା ଗଳ୍ପଟିର ଉଲ୍ଲେଖ ହେବାର ବାରମ୍ବାରତା ଦର୍ଶାଏ ଯେ ବିଚାରରେ ନିରପେକ୍ଷତାର ଗୁରୁତ୍ୱ ଯେପରି ହ୍ରାସ ପାଇ ଚାଲିଛି ଓ ବିଚାରକଙ୍କ ବିବେକକୁ ଜାଗ୍ରତ କରିବାପାଇଁ ଏହି ଶତାୟୁ ଗଳ୍ପଟିର ପୁନରାବୃତ୍ତି ହେଉଛି । – ବୀରେନ୍ଦ୍ର ନାୟକ)

(This story was first published in 1916 in the Urdu monthly magazine Zamana (May–June issue) and in the Hindi monthly magazine Saraswati (June issue). Later, it was included in many story anthologies.

Munshi Premchand (original name – Dhanpat Rai Srivastava; born July 31, 1880 – died October 8, 1936), the great storyteller of Hindi–Urdu literature, demonstrated through it how impartiality in judgment stands above all kinds of relationships.

Although the story was published nearly 110 years ago, whenever any inconsistency in judgment is observed, attention is drawn to the essence of the story Panch Parmeshwar. Its frequent mention in recent times shows how the importance of impartiality in judgment is gradually declining, and this century-old story is being recalled again and again to awaken the conscience of judges.)

Comments

0 comments

Share This Article