ପୂର୍ବରୁ ଆମେ ସିଜିମାଳି ଏବଂ ଜନବିରୋଧ କଥା ଲେଖି ସାରିଛୁ । ଏବେ ଏହି ବିରୋଧ ସହିତ ସମଗ୍ର ସଚେତନ ସମାଜ ଯେମିତି ଦୁଇ ପାଦ ଆଗକୁ ଆସିଛି । ଅନେକ ବିରୋଧ ଏବଂ ବେଆଇନ ସରକାରୀ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଜନପ୍ରତିବାଦ କମିବା ତ ଦୂରର କଥା ବରଂ ଅଧିକ ବଳଯୋଗାଡ଼ କରିବାରେ ଲାଗିଛି ।
ଜୁନ ୫ତାରିଖ ବିଶ୍ୱ ପରିବେଶ ଦିବସ ଦିନ ଭୋର ସମୟରେ ରାୟଗଡ଼ା ପୁଲିସ ଜଣାଶୁଣା ପରିବେଶବିତ୍ ମେଧା ପାଟକର, କୃଷକ ନେତା ଲିଙ୍ଗରାଜ ଓ ହର ବଣିଆ ତଥା ମାନବ ଅଧିକାର କର୍ମୀ ନରେନ୍ଦ୍ର ମହାନ୍ତିଙ୍କୁ କାଶୀପୁର ବ୍ଲକର ସୁଙ୍ଗେର ଗାଁକୁ ଯିବାକୁ ନଦେଇ ରାୟଗଡ଼ା ରେଳ ଷ୍ଟେସନରେ ଅଟକ ରଖିଲା । ସେମାନେ ମା ମାଟି ମାଳି ସୁରକ୍ଷା ମଞ୍ଚ – ବେଦାନ୍ତର ସିଜିମାଳି ବକ୍ସାଇଟ ପ୍ରକଳ୍ପ ବିରୁଦ୍ଧରେ ଆନେ୍ଦାଳନକୁ ନେତୃତ୍ୱ ଦେଉଥିବା ସଂଗଠନ ଦ୍ୱାରା ପାଳିତ ହେଉଥିବା ବିଶ୍ୱ ପରିବେଶ ଦିବସର ନିମନ୍ତ୍ରିତ ଅତିଥି ଥିଲେ । ପରେ ପୁଲିସ ହେପାଜତରେ ନିମନ୍ତ୍ରିତ ଅତିଥିମାନଙ୍କୁ ବଳପୂର୍ବକ ବ୍ରହ୍ମପୁର ପଠେଇ ଦିଆଗଲା । ଜଣାପଡ଼ିଲା ଯେ ଜୁନ ୪ ତାରିଖରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩(୩) ବଳରେ ନିଷେଧାତ୍ମକ ଆଦେଶଟି ରାୟଗଡ଼ା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଏକତରଫା ଭାବେ ଜାରି କରାଯାଇଥିଲା ଏବଂ ଅଭିଯୁକ୍ତମାନଙ୍କୁ ସେମାନଙ୍କ ପକ୍ଷ ରଖିବା ପାଇଁ ସୁଯୋଗ ଦିଆଯାଇ ନଥିଲା । ଆଦେଶଟିରେ ଆସନ୍ତା ଦୁଇ ମାସପାଇଁ ୨୪ଜଣଙ୍କୁ ରାୟଗଡ଼ା ଜିଲ୍ଲା ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା । ସେଥିରେ ଲେଖାଯାଇଛି, ‘ଜିଲ୍ଲାରେ ସେମାନଙ୍କର ଉପସ୍ଥିତି ଓ ଚଳପ୍ରଚଳ ଆଇନଶୃଙ୍ଖଳାରେ ବାଧା ଉପୁଜାଇପାରେ, ସର୍ବସାଧାରଣ ଶାନ୍ତିକୁ ବ୍ୟାହତ କରିପାରେ ଓ ଜିଲ୍ଲାରେ ପ୍ରଶାସନିକ କାର୍ଯ୍ୟର ସୁଗମ ପରିଚାଳନା ଓ ବିକାଶ ପ୍ରକ୍ରିୟାରେ ବାଧା ସୃଷ୍ଟି କରିପାରେ ।’ ଏଭଳି ଏକ ଅଗଣତାନ୍ତ୍ରିକ ଏବଂ ବେଆଇନ ସରକାରୀ କାର୍ଯ୍ୟବିରୋଧରେ ରାଜ୍ୟ ତଥା ଦେଶର ପ୍ରଗତିଶୀଳ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀ ସଂଗଠିତ ହୋଇ ପ୍ରତିରୋଧର ସ୍ୱରକୁ ଶାଣିତ କରିଛନ୍ତି । ସେମାନେ ରାଜ୍ୟର ରାଜ୍ୟପାଳଙ୍କ ନିକଟରେ ନିଜର ପ୍ରତିବାଦର କାରଣ ଦର୍ଶାଇ ଏଥିରେ ହସ୍ତକ୍ଷେପ କରିବା ପାଇଁ ମଧ୍ୟ ଆବେଦନ କରିଛନ୍ତି ।
ତେବେ ରାୟଗଡ଼ା ଜିଲ୍ଲା ପ୍ରଶାସନର ଏପ୍ରକାର ମନମୁଖୀ ଆଚରଣ ନୂଆ ନୁହେଁ । ୨୦୨୩ ମସିହାରେ ଖ୍ୟାତନାମା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ମୁହଁରେ ଅନ୍ଧପୁଟୁଳି ଦେଇ, ହାତ ବାନ୍ଧି ସାଦା ପୋଷାକଧାରୀ ଜିଲ୍ଲା ପୁଲିସ ରାୟଗଡ଼ାର ଏକ ହୋଟେଲରୁ ବଳପୂର୍ବକ ଉଠେଇ ନେଇଯାଇ ତାଙ୍କ ନିଜ ସହର ବ୍ରହ୍ମପୁରରେ ଛାଡ଼ିଦେଇ ଥିଲା । ହେଲେ ଏଥର ଯେଉଁ କଥାଟି ନୂଆ ଏବଂ ଏକ ବିପଦ ସଙ୍କେତ, ତାହା ହେଉଛି ଯେ ଜିଲ୍ଲା ମାଜିଷ୍ଟ୍ରେଟ ଏକ ଆଇନଗତ ବ୍ୟବସ୍ଥାକୁ ଏକ ଆୟୁଧ ଭାବେ ନିଃସଙ୍କୋଚରେ ବ୍ୟବହାର କରିଛନ୍ତି ଯାହାକି ନାଗରିକର ସମ୍ୱିଧାନ ସ୍ୱୀକୃତ ମୌଳିକ ଅଧିକାର ଯଥା ମୁକ୍ତ ଚଳପ୍ରଚଳ ଓ ଏକତ୍ରିତ ହେବାର ଅଧିକାରକୁ ଉଲ୍ଲଙ୍ଘନ କରୁଛି । ପୁଣି, ଯେଉଁ ଆଇନଶୃଙ୍ଖଳା ବଜାୟ ରଖିବା ଦ୍ୱାହିରେ ନିଷେଧାତ୍ମକ ଆଦେଶଟି ଜାରି କରାଯାଇଛି ବୋଲି କୁହାଯାଇଛି ତାହା ଯେ ଫମ୍ପା, ଆଦେଶନାମାରେ ଉଲ୍ଲିଖିତ ନାଁଗୁଡ଼ିକୁ ଦେଖିଲେ ଏହା ସ୍ପଷ୍ଟ ଜଣାପଡ଼େ । ଉଦାହରଣସ୍ୱରୂପ ସୁନନ୍ଦ ଝୋଡ଼ିଆ, ଯିଏ କି ଜଣେ ଆଇଆର୍ଏସ୍ ଅଧିକାରୀ ଏବଂ ଅଧୁନା ଆସାମରେ କାର୍ଯ୍ୟରତ । ପ୍ରଶ୍ନ ହେଉଛି, ତାଙ୍କ ଭଳି ଜଣେ ଉଚ୍ଚପଦସ୍ଥ ସରକାରୀ ଚାକିରୀରେ ଥିବା ବ୍ୟକ୍ତି କେମିତି ସୁଦୂର ରାୟଗଡ଼ା ଜିଲ୍ଲାରେ ସର୍ବସାଧାରଣ ଶାନ୍ତି ପ୍ରତି ବିପଦ ସୃଷ୍ଟି କରିପାରେ? ସେହିପରି ୨୪ଜଣିଆ ତାଲିକାରେ କିଛି ବ୍ୟକ୍ତିଙ୍କ ନାଁ ଅଛି ଯେଉଁମାନେ ରାୟଗଡ଼ାର ସ୍ଥାୟୀ ବାସିନ୍ଦା । ସେମାନଙ୍କୁ ରାୟଗଡ଼ା ଜିଲ୍ଲାକୁ ପ୍ରବେଶ ନିଷେଧ କରିବା ଅର୍ଥ ସେମାନଙ୍କୁ ତଡ଼ିପାର କରିବା । ପ୍ରଣିଧାନଯୋଗ୍ୟ, ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩(୩) ଅନୁଯାୟୀ ଜଣେ ସ୍ଥାୟୀ ବାସିନ୍ଦାଙ୍କୁ ତଡ଼ିପାର କରିବା ଜଣେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କ୍ଷମତା ପରିସରଭିତରେ ନାହିଁ ।
ବିଗତ କିଛିବର୍ଷ ଧରି ଦକ୍ଷିଣ ଓଡ଼ିଶାରେ ରାଜ୍ୟ ସରକାର ବିଭିନ୍ନ ଖଣି ପ୍ରକଳ୍ପକୁ କଳେବଳେ ଆଗେଇ ନେବାପାଇଁ ଚାହୁଁଥିଲା ବେଳେ, ସ୍ଥାନୀୟ ବାସିନ୍ଦା ପରିବେଶ ଓ ଜୀବିକାର ପ୍ରଶ୍ନକୁ ଆଧାର କରି ଏହାର ପ୍ରବଳ ପ୍ରତିରୋଧ କରୁଛନ୍ତି । ଜିଲ୍ଲାପ୍ରଶାସନର ମନମୁଖୀ ଓ ଦମନମୂଳକ ଆଭିମୁଖ୍ୟର ଅସଲ କାରଣକୁ ଆମେ ଏହି ସନ୍ଦର୍ଭରେ ଦେଖିପାରିବା । ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନ ଯଥା ସେରୁବନ୍ଧ, ମାଳିପର୍ବତ ଓ ନନ୍ଦପୁର ଅଞ୍ଚଳରେ ବକ୍ସାଇଟ ଖଣି ପ୍ରକଳ୍ପବିରୋଧୀ ଆନେ୍ଦାଳନ ଚାଲିଛି । ସମ୍ୱିଧାନର ପଞ୍ଚମ ଅନୁସୂଚୀ ଅନ୍ତର୍ଗତ ଅଞ୍ଚଳରେ ଜଙ୍ଗଲ ଅଧିକାର ଆଇନ, ପେଶା ଭଳି ଆଇନକୁ କିପରି ଉଲ୍ଲଙ୍ଘନ କରାଯାଉଛି ତାହା ମଧ୍ୟ ଆନ୍ଦୋଳନ ଉତ୍ଥାପନ କରୁଛି । ନିର୍ଦ୍ଦିଷ୍ଟ ଭାବେ କହିଲେ, ୨୦୨୩ ମଧ୍ୟଭାଗରୁ ମା ମାଟି ମାଳି ସୁରକ୍ଷା ମଞ୍ଚର ନେତୃତ୍ୱରେ ବେଦାନ୍ତର ସିଜିମାଳି ବକ୍ସାଇଟ ପ୍ରକଳ୍ପକୁ ବିରୋଧ କରି କାଶୀପୁର ଓ ଥୁଆମାଳ ବ୍ଲକର ଲୋକେ ଲଢ଼େଇ ଜାରି ରଖିଛନ୍ତି । ପ୍ରତ୍ୟେକ ଜନଶୁଣାଣିରେ ଖଣି ପ୍ରକଳ୍ପକୁ ନା କହି ଆସିଛନ୍ତି । ପଞ୍ଚମ ଅନୁସୂଚୀ ଅଞ୍ଚଳର ପରିଚାଳନାରେ ରାଜ୍ୟପାଳ ନିଜର ସ୍ୱତନ୍ତ୍ର କ୍ଷମତା ପ୍ରୟୋଗ କରି ଖଣି ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଆବେଦନ କରିଛନ୍ତି । ଭାରତର ରାଷ୍ଟ୍ରପତି ଜଣେ ଆଦିବାସୀ ହିସାବରେ ତାଙ୍କ ଅସୁବିଧା ବୁଝିବେ ବୋଲି ଆଶା କରି ତାଙ୍କୁ ମଧ୍ୟ ପତ୍ର ଲେଖିଛନ୍ତି । ପ୍ରକଳ୍ପ ମଞ୍ଜୁରୀ ନିମନ୍ତେ ଆୟୋଜିତ ନକଲି ଗ୍ରାମସଭାକୁ ପ୍ରଶ୍ନକରି ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ପ୍ରତ୍ୟେକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କିନ୍ତୁ କିଛି ବି କାମ କଲା ନାହିଁ । ଅନ୍ୟ ପକ୍ଷରେ, ସେମାନେ ପୁଲିସର ହଇରାଣ ହରକତ ଓ ଦମନର ଶିକାର ହୋଇଛନ୍ତି । ପ୍ରାୟ ୨୦ଟି ମିଛ ଫୌଜଦାରୀ ମାମଲାରେ ଶହ ଶହ ଲୋକଙ୍କୁ ଛନ୍ଦି ଦିଆଯାଇଛି । ନିୟମିତ ଭାବେ ଲୋକଙ୍କୁ ଗିରଫ କରାଯାଉଛି ଏବଂ ମାସ ମାସ ଧରି ଜେଲରେ ରଖାଯାଉଛି । ଅଧିକାଂଶ ସମୟରେ ତଳ କୋର୍ଟରେ ଜାମିନ ଦିଆଯାଉନି । ଜାମିନ ପାଇଁ ହାଇକୋର୍ଟ ପର୍ଯ୍ୟନ୍ତ ଯିବାକୁ ପଡ଼ୁଛି ।
ଆନ୍ଦୋଳନର ଆରମ୍ଭ କାଳରୁ ପୁଲିସ ଓ ପ୍ରଶାସନର ଦମନ ଓ ଧମକ ଚାଲି ଆସିଥିଲା ବେଳେ, ୨୩ ମେ ଓ ୬ ମେ ୨୦୨୫ରେ ପ୍ରସ୍ତାବିତ ବେଦାନ୍ତ ପ୍ରକଳ୍ପ ନିମନ୍ତେ ଓଡିଶା ସରକାରଙ୍କ ତରଫରୁ ତିଜମାଳି ମୌଜାର ସର୍ବସାଧାରଣ ଓ ବ୍ୟକ୍ତିଗତ ଜମି ଅଧିଗ୍ରହଣ ପାଇଁ ନୋଟିସ ଜାରି କରାଗଲା । ଏହାକୁ ତ୍ୱରାନ୍ୱିତ କରିବା ପାଇଁ ମେ ୩୧ତାରିଖ ଦିନ ପୁଲିସ ବଳ ସହ ସରକାରୀ କର୍ମକର୍ତ୍ତା ପ୍ରସ୍ତାବିତ ଖଣି ଅଞ୍ଚଳକୁ ପ୍ରବେଶ କରିବାକୁ ଚେଷ୍ଟା କଲାରୁ ମଞ୍ଚର କର୍ମୀମାନେ ଏହାର ବିରୋଧ କଲେ । ମୁହାଁମୁହିଁ ପରିସ୍ଥିତି ଉପୁଜିଲା । ଏହି ଘଟଣା ପରେ ଜୁନ ୩ ତାରିଖରେ ମଞ୍ଚର ଜଣେ ଆଗଧାଡ଼ିର ନେତା ଜଳେଶ୍ୱର ନାୟକଙ୍କୁ ପୁଲିସ ଉଠେଇନେଇ ଗିରଫ କଲା । ପୁଲିସ ତାଙ୍କୁ ନିର୍ଯାତନା ଦେବାର ଅଭିଯୋଗ ମଧ୍ୟ ହୁଏ । ତା’ ପର ଦିନ (ଜୁନ ୪ ତାରିଖରେ) କିଛି ମହିଳାଙ୍କ ସମେତ ପାଖାପାଖି ୧୫୦ଜଣ ଗ୍ରାମବାସୀ ଜଳେଶ୍ୱରଙ୍କର ଖୋଜଖବର ନେବା ପାଇଁ କାଶୀପୁର ଥାନାକୁ ଆସୁଥିଲା ବେଳେ, ପୁଲିସବାହିନୀ ଲୋକଙ୍କୁ ରାସ୍ତାରେ ଅଟକେଇଲା । ପୁଣି ଥରେ ଲୋକେ ଓ ପୁଲିସ ମୁହାଁମୁହିଁ ହେଲେ ଓ ପୁଲିସ ଲୋକଙ୍କ ଭିତରୁ କେତେ ଜଣଙ୍କୁ ଉଠେଇ ନେବାକୁ ଚେଷ୍ଟା କଲାବେଳେ ମହିଳାମାନେ ତାର ପ୍ରତିରୋଧ କଲେ । ପୁଲିସ ସେମାନଙ୍କୁ ନିସ୍ତୁକ ପିଟିଲା, କେତେ ଜଣ ଆହତ ମଧ୍ୟ ହେଲେ । ପୁଲିସ ରମାକାନ୍ତ ନାୟକ ଓ ସୁନ୍ଦରସିଂ ମାଝୀଙ୍କୁ ଗିରଫ କଲା । ସେହି ଦିନ ସନ୍ଧ୍ୟାରେ ନିଷେଧାତ୍ମକ ଆଦେଶ ଜାରି କରାଗଲା ଏବଂ ପୁଲିସ ଗାଡ଼ି ଗାଁ ଗାଁରେ ପଇଁତରା ମାରି ଲୋକମାନେ ରୁଣ୍ଡ ନହେବା ପାଇଁ ଘୋଷଣା କଲା । ଅର୍ଥାତ, ୫ତାରିଖ ଦିନ ବିଶ୍ୱ ପରିବେଶ ଦିବସ ପାଳନରେ ମେଧା ପାଟକର ଓ ରାଜ୍ୟର ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥିଗଣ ତଥା ସ୍ଥାନୀୟ ଲୋକଙ୍କୁ ଅଂଶଗ୍ରହଣକୁ ବସ୍ତୁତଃ, ବାରଣ କରିବାପାଇଁ ଏହି ପରି ଆଦେଶ ଜାରି କରାଗଲା । ଧ୍ୟାନଦେବାର ବିଷୟ, ଖଣି ଖନନ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଏସବୁ ହେଉଥିଲା ବେଳେ, ବେଦାନ୍ତର ପ୍ରସ୍ତାବିତ ପ୍ରକଳ୍ପକୁ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଆଇନଗତଭାବେ ବାଧ୍ୟତାମୂଳକ ଆବଶ୍ୟକ ଥିବା ଜଙ୍ଗଲ ମଞ୍ଜୁରୀ ଦିଆଯାଇ ନାହିଁ ।
ବୁଦ୍ଧିଜୀବୀ ଓ ସମାଜିକ କର୍ମୀଙ୍କର ଦୃଢ଼ ମତ ଯେ ନିଷେଧାତ୍ମକ ଆଦେଶ ସମେତ ସମସ୍ତ ପ୍ରକାରର ଅଗଣତାନ୍ତ୍ରିକ କାର୍ଯ୍ୟ କେବଳ ବେଦାନ୍ତ କମ୍ପାନୀର ସ୍ୱାର୍ଥସାଧନ ନିମନ୍ତେ ଉଦ୍ଦିଷ୍ଟ । ଆମେ ଏହା ମଧ୍ୟ ଦୃଢ଼ଭାବେ ବିଶ୍ୱାସ କରୁ ଯେ ଅନୁସୂଚିତ ଅଞ୍ଚଳରେ ଏହି ପ୍ରକାର ଖଣିପ୍ରକଳ୍ପ କେବଳ ସ୍ଥାନୀୟ ସମୁଦାୟମାନଙ୍କର ଜୀବନ ଓ ଜୀବିକାକୁ ପ୍ରଭାବିତ କରିବନାହିଁ ବରଂ ଏହା ପ୍ରାକୃତିକ ପରିବେଷ୍ଟନୀକୁ ନଷ୍ଟ କରିବ ।
ଦାବି କରାଯାଇଛି ଯେ, (୧) ରାୟଗଡ଼ା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଜାରି କରାଯାଇଥିବା ନିଷେଧାତ୍ମକ ଆଦେଶ ତୁରନ୍ତ ପ୍ରତ୍ୟାହାର କରାଯାଉ ଏବଂ ମୁକ୍ତଭାବରେ ଚଳପ୍ରଚଳ, ଶାନ୍ତିପୂର୍ଣ୍ଣ ଭାବେ ଏକତ୍ରିତ ହେବା, ସର୍ବସାଧାରଣ ସଭା କରିବା, ଧାରଣା ଓ ଶୋଭାଯାତ୍ରା କରିବା, ସେମାନଙ୍କୁ ଆନେ୍ଦାଳିତ କରୁଥିବା କୌଣସି ବିଷୟରେ ନିର୍ଭୟରେ ନିଜର ମତବ୍ୟକ୍ତ କରିବା ଭଳି ମୌଳିକ ଅଧିକାରକୁ ତୁରନ୍ତ ପୁନଃସ୍ଥାପିତ କରାଯାଉ; (୨) ସିଜିମାଳି ଅଞ୍ଚଳରେ ଲୋକଙ୍କୁ ଭୟଭୀତ କରେଇବା ଓ ଗିରଫ କରିବା ସମେତ ସମସ୍ତ ଦମନମୂଳକ ପଦକ୍ଷେପକୁ ସମାପ୍ତ କରାଯାଉ; (୩) ଖଣିଖନନ ପ୍ରକଳ୍ପକୁ ବିରୋଧ କରୁଥିବା ଲୋକମାନଙ୍କ ବିରୁଦ୍ଧରେ ଥିବା ସମସ୍ତ ଫୌଜଦାରୀ ମାମଲାକୁ ପ୍ରତ୍ୟାହାର କରାଯାଉ; (୪)ପ୍ରସ୍ତାବିତ ଖଣିଖନନ ପ୍ରକଳ୍ପ ନିମନ୍ତେ ଆରମ୍ଭ କରାଯାଇଥିବା ସମସ୍ତ ପ୍ରକ୍ରିୟାକୁ ବନ୍ଦ କରାଯାଉ; (୫) ପ୍ରଭାବିତ ଲୋକମାନଙ୍କର ପ୍ରକୃତ ସମସ୍ୟାକୁ ସମ୍ବୋଧିତ କରିବା ପାଇଁ ଏକ ଗଣତାନ୍ତ୍ରିକ ପରିସର ସୃଷ୍ଟି କରାଯାଇ ସେମାନଙ୍କ ସହ ଆଲୋଚନା କରାଯାଉ, ଏବଂ (୬) ଲୋକମାନଙ୍କର ଜୀବନଜୀବିକାର ସୁରକ୍ଷା ଓ ପରିବେଶର ସଂରକ୍ଷଣକୁ ଆଖିରେ ରଖି ରାଜ୍ୟର ସମସ୍ତ ଖଣି ପ୍ରକଳ୍ପର ପୁନଃସମୀକ୍ଷା କରାଯାଉ ।
ଆବେଦନ ପତ୍ରରେ ସ୍ୱାକ୍ଷର କରିଥିବା ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିବିଶେଷ ହେଲେ ଯଥାକ୍ରମେ: ଅଶୋକ ପ୍ରଧାନ, ଆବାହକ, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି; କମ୍ରେଡ ହେନା, ରାଜ୍ୟ ସଭାନେତ୍ରୀ, ବସ୍ତି ସୁରକ୍ଷା ମଞ୍ଚ; କମ୍ରେଡ ରାଧାରାଣୀ, ରାଜ୍ୟ ସମ୍ପାଦିକା, ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ; କମ୍ରେଡ ଶଶିରେଖା, ସମ୍ପାଦିକା ଘରୋଇ ମହିଳା ଶ୍ରମିକ ୟୁନିଅନ; କମ୍ରେଡ ବିଚିତ୍ର, ରାଜ୍ୟ ସଭାପତି, ଟିୟୁସିଆଇ; କମ୍ରେଡ ଶଙ୍କର, ରାଜ୍ୟ ସମ୍ପାଦକ, ଏଆଇକେକେଏସ୍; ଡା. ବିଶ୍ୱଜିତ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ;ଟୁନା ମଲ୍ଲିକ, ରାଜ୍ୟ ଆବାହକ, ଆଦିବାସୀ ଭାରତ ମହାସଭା; ତପନ ପାଢ଼ୀ, ମିଶନ ଜଷ୍ଟିସ, ଓଡ଼ିଶା; ନଳିନୀ କାନ୍ତ, ସଙ୍ଗଠନ ସମ୍ପାଦକ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ; ନିଗମାନନ୍ଦ ଷଡ଼ଙ୍ଗୀ, ଲେଖକ ; ପି ପାର୍ବତୀ, ରାଜ୍ୟ ସମ୍ପାଦିକା, ଓଡ଼ିଶା ମନରେଗା ଶ୍ରମିକ ୟୁନିଅନ; ପ୍ରତାପ ନାୟକ, ରାଜ୍ୟ ସମ୍ପାଦକ, ଏଆଇକେଏମଏସ୍; ପ୍ରତାପ ଚନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି, ଆଇଏଫଟିୟୁ; ପ୍ରମୋଦିନୀ ପ୍ରଧାନ, ପିୟୁସିଏଲ୍ ; ପ୍ରଶାନ୍ତ କୁମାର ଜେନା, ଓକିଲ; ପ୍ରଶାନ୍ତ ପାଇକରାୟ, ମୁଖପାତ୍ର, ଏଣ୍ଟି-ପୋସ୍କୋ ଓ ଏଣ୍ଟି ଜିନ୍ଦଲ ମୁଭମେଣ୍ଟ; ବିଜୟ କୁମାର, ଓକିଲ; ବିଶ୍ୱପ୍ରିୟ କାନୁନଗୋ, ଓକିଲ ଓ ମାନବ ଅଧିକାର କର୍ମୀ; ମହେନ୍ଦ୍ର ପରିଡ଼ା, ସାଧାରଣ ସମ୍ପାଦକ, ଏଆଇସିସିଟିୟୁ; ମୀରା ସଂଘମିତ୍ରା, ଜାତୀୟ ଆବାହକ, ଏନ୍ଏପିଏମ୍; ମୃଗାଙ୍କ ମୌଳି ପଟ୍ଟନାୟକ, ଓକିଲ; ରଞ୍ଜନା ପାଢ଼ୀ, ନାରୀବାଦୀ କର୍ମୀ ଓ ଲେଖିକା; ରାଧାକାନ୍ତ ସେଠୀ, ଆବାହକ, ଏଆଇପିଏଫ୍; ରୁମିତା କୁଣ୍ଡୁ, ସହ-ସମ୍ପାଦିକା, ଜନବାଦୀ; ଲିଙ୍ଗରାଜ, ଆବାହକ, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି; ସଂକଳ୍ପ ମହାନ୍ତି, ସିନେମା ନିର୍ମାତା; ସରୋଜ, କବି; ସୁବାଷ ସାହୁ, ଓକିଲ; ସୁଧୀର ପଟ୍ଟନାୟକ, ଗଣମାଧ୍ୟମ କର୍ମୀ; ସୁରେନ୍ଦ୍ର ତପସୁ, ଆବାହକ, ଜେଜେଓପିଏସଏ, ପୁରୀ; ଶଶାଙ୍କ, ଅଖିଳ ଭାରତ କ୍ରାନ୍ତିକାରୀ ଛାତ୍ର ସଙ୍ଗଠନ, ଓଡ଼ିଶା ରାଜ୍ୟ ଆବାହକ; ଶୈଲେନ୍ ରାଉତରାୟ, ଲେଖକ; ଶ୍ରୀକାନ୍ତ ମହାନ୍ତି, ଏଆଇକେଏମ୍କେଏସ୍; ଶ୍ରୀମନ୍ତ ମହାନ୍ତି, ରାଜନୈତିକ କର୍ମୀ ଓ ଶୁଭ ସୁଦର୍ଶନ ନାୟକ, ସାମ୍ୱାଦିକ ପ୍ରମୁଖ ରହିଛନ୍ତି ।
Comments
0 comments