ଗତ କିଛିସପ୍ତାହ ଧରି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତରୁ ଆମେରିକାକୁ ରପ୍ତାନି କରାଯାଉଥିବା ବାଣିଜ୍ୟ ଦ୍ରବ୍ୟ ଉପରେ ତୁହାକୁ ତୁହା ଅଧିକରୁ ଅଧିକ ଶୁଳ୍କ ବଢ଼ାଇ ଚାଲିଛନ୍ତି । ଏହାର ପରିଣାମସ୍ୱରୂପ ଆମେରିକା ସହିତ ଭାରତର ୫୦ ହଜାରରୁ ଉର୍ଦ୍ଧ କ୍ଷୁଦ୍ର ଓ ମଧ୍ୟମଧରଣର ବ୍ୟବସାୟିକ ରପ୍ତାନି କରୁଥିବା ସଂସ୍ଥା ଏକପ୍ରକାର ବିପର୍ଯ୍ୟୟ ସ୍ଥିତି ଭିତରକୁ ଆସିଯାଇଛନ୍ତି । ଯେଉଁସବୁ କ୍ଷେତ୍ର ବିଶେଷ ପ୍ରଭାବିତ ହୋଇଛି ବା ହେବାକୁ ଯାଉଛି, ସେ ଭିତରେ ରହିଛି ବସ୍ତ୍ର, ଅଳଙ୍କାର ଓ ରାସାୟନିକ ଶିଳ୍ପ ଇତ୍ୟାଦି । ଏହି ଶିଳ୍ପର ଭାରତର ଜାତୀୟ ସମୂଳ ଉତ୍ପାଦନରେ ତିନିଭାଗରୁ ଏକଭାଗ ଅଂଶ ଯୋଗଦାନ ଥାଏ । ଏମାନେ ମୁଖ୍ୟତଃ ବ୍ୟାଙ୍କରୁ ଋଣ ନେଇ ବ୍ୟବସାୟ କରିଥାନ୍ତି । ଜୁନ୍ ୨୦୨୫ ସୁଦ୍ଧା ଏମାନଙ୍କର ଋଣର ପରିମାଣ ୧୨ଲକ୍ଷ ୩୦ହଜାର କୋଟି ଟଙ୍କାରେ ରହିଛି । ସେହି ଋଣ ଆଜିର ଏହି ପରିବର୍ତ୍ତିତ ପରିସ୍ଥିତିରେ ଏମାନେ କେମିତି ପରିଶୋଧ କରିବେ ଏକ ବଡ଼ଆହ୍ୱାନ ରୂପେ ସେମାନଙ୍କ ଆଗରେ ଦେଖାଦେଇଛି । ଲକ୍ଷଲକ୍ଷ କାରିଗର, ଶ୍ରମଜୀବୀ, କ୍ଷୁଦ୍ର ଉତ୍ପାଦକ ଆଜି ଏହି ଶୁଳ୍କ ଯୁଦ୍ଧରେ ପ୍ରଭାବିତ ହେବାକୁ ଯାଉଛନ୍ତି । କ୍ଷୁଦ୍ର ଓ ମଧ୍ୟମଶିଳ୍ପକୁ ନେଇ ତିଆରି ହୋଇଥିବା ମହାସଂଘ ମୁତାବିକ ସରକାର ଏଯାବତ କୌଣସି ପ୍ରକାର ସାହାଯ୍ୟ ସହଯୋଗ କରିବା ପରିବର୍ତ୍ତେ ଓଲଟି ସେମାନଙ୍କୁ ହିଁ କହୁଛନ୍ତି ଅନ୍ୟ ଦେଶମାନଙ୍କରେ ବିକଳ୍ପ ବଜାର ଖୋଜିବା ପାଇଁ ।
ଏଠି ସ୍ମରଣ କରାଇ ଦିଆଯାଇପାରେ ଯେ ଅଗଷ୍ଟ ୨୭, ୨୦୨୫ଠାରୁ ଭାରତରୁ ଆମେରିକା ରପ୍ତାନି କରୁଥିବା ଦ୍ରବ୍ୟଉପରେ ଯେଉଁ ଦୁଇଗୁଣା ବା ୫୦ ପ୍ରତିଶତ ଅଧିକ ଶୁଳ୍କ ଲାଗୁକଲେ ତାହା କାର୍ଯ୍ୟକାରୀ ହେବା ଆରମ୍ଭ ହେଲା । ଏହା ଅବଶ୍ୟ ଏହିଦିନ ପୂର୍ବରୁ ଆମେରିକା ଅଭିମୁଖେ ଯାଉଥିବା ତଥା ରାସ୍ତାରେ ଥିବା ସାମଗ୍ରୀ ଉପରେ ଲାଗୁହେବ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା । ପ୍ରଥମରୁ ହିଁ ୨୫ପ୍ରତିଶତ ଶୁଳ୍କ ଲାଗୁ କରାଯାଇଥିଲା ବେଳେ ଋଷିଆରୁ କମ୍ ଦରରେ ତୈଳ ଆମଦାନୀ କରି ଭାରତର ଖୋଲାବଜାରରେ ମାତ୍ରାଧିକ ଦରରେ ସେହି ତୈଳକୁ ବିକ୍ରି କରୁଥିବା ଯୋଗୁଁ ଆଉ ଅଧିକ ୨୫ ପ୍ରତିଶତ ଅଧିକ ଶୁଳ୍କ ଲାଗୁ କରାଯାଇଥିଲା । ଯୁକ୍ତିଥିଲା ଯେ ପ୍ରଥମତଃ ଋଷିଆରୁ ତୈଳ କିଣିବା ଫଳରେ ୟୁକ୍ରେନ୍ ସହ ଯୁଦ୍ଧ କରୁଥିବା ଋଷକୁ ସହଯୋଗ କରିବା ଏବଂ ଦ୍ୱିତୀୟରେ ଅତିକମ୍ ଦରରେ ତୈଳ କିଣି ଅତି ଅଧିକ ଦରରେ ଖୋଲାବଜାରରେ ବିକ୍ରିକରି ଏକ ଅନୈତିକ ବାଣିଜ୍ୟ ପରମ୍ପରାକୁ ପ୍ରତିଷ୍ଠିତ କରାଇବା । ଏହି ବର୍ଦ୍ଧିତ ଶୁଳ୍କର ପ୍ରଭାବ ଭାରତର କେଉଁ ବର୍ଗ ଉପରେ କିଭଳି ପଡ଼ିବ, କେତେ ଜୀବିକା ଏବଂ ରୋଜଗାର ପ୍ରଭାବିତ ହେବ ତାହାର ଆକଳନ କରିବା ପାଇଁ ସରକାର କିଛି ପଦକ୍ଷେପ ନେଲାଭଳି ଏ ଯାଏଁ ଜଣାପଡ଼ୁ ନାହିଁ । କେବଳ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଛଳନାତ୍ମକ ବୟାନ ସାମ୍ନାକୁ ଆସୁଛି ଯେ ସେ ଭାରତର କୃଷକମାନଙ୍କର ସ୍ୱାର୍ଥସହ ସାଲିସ କରିବେ ନାହିଁ । ଏହି କୃଷକମାନେ କିଏ ଏବଂ ସେମାନେ କିଭଳି ପ୍ରଭାବିତ ହେବେ ତାହା ଶ୍ରୀଯୁକ୍ତ ମୋଦୀ ନିଜେ କହୁନାହାଁନ୍ତି କିମ୍ବା ତାଙ୍କ ସରକାରର କେହି ବି ସ୍ପଷ୍ଟ କରୁନାହାଁନ୍ତି । ଅନ୍ୟପଟେ ଆମେରିକା ସହ ପରିସ୍ଥିତି ସୁଧାରିବା ପାଇଁ କୂଟନୈତିକ ସ୍ତରରେ କୌଣସି ଆଲୋଚନା ହେଲାଭଳି ଜଣାପଡ଼ୁ ନାହିଁ । ବରଂ ଗୋଟିଏ ପଟେ ବିଶ୍ୱ ରଙ୍ଗମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଋଷିଆର ରାଷ୍ଟ୍ରପତି ପୁଟିନ୍ ଏବଂ ଚୀନ୍ର ରାଷ୍ଟ୍ରପତି ଜିନ୍ ଙ୍କ ସହିତ ଦେଖିବାକୁ ମିଳୁଥିଲାବେଳେ, ଅନ୍ୟପଟେ ଆମେରିକାପଟୁ ଭାରତ ଉପରେ ବାକଯୁଦ୍ଧ ଅନବରତ ଚାଲିଛି । ଆମେରିକାର ରାଷ୍ଟ୍ରପତି ଭବନ (ହ୍ୱାଇଟ୍ ହାଉସ୍)ର ବାଣିଜ୍ୟ ପରାମର୍ଶଦାତା ପିଟର ନଭାରୋ କହୁଛନ୍ତି ଯେ ଯଦି ଭାରତ ଋଷିଆରୁ ତୈଳ କିଣିବା ବନ୍ଦ କରିଦିଏ ଯାହା ସେମାନଙ୍କର ଯୁଦ୍ଧ ମେସିନ୍କୁ ଇନ୍ଧନ ଯୋଗାଉଛି ତେବେ କାଲି ହିଁ ବର୍ଦ୍ଧିତ ୨୫ ପ୍ରତିଶତ ଶୁଳ୍କ ପ୍ରତ୍ୟାହାର କରାଯାଇପାରିବ । ତାଙ୍କ ମତରେ ଗୋଟିଏ ପଟେ ୟୁକ୍ରେନ୍ରେ ଋଷଦ୍ୱାରା ସଂଗଠିତ ଗଣହତ୍ୟାକୁ ଭାରତ ସହଯୋଗ କରୁଥିବା ବେଳେ ଅନ୍ୟପଟେ ସେଥିରୁ ଲାଭମଧ୍ୟ ନେଉଛି । ଯଦିଓ ଋଷର ତେଲ ନେବାରେ ୟୁରୋପ ଓ ଚୀନ୍ ଆଗରେ ଅଛନ୍ତି କିନ୍ତୁ ସେମାନଙ୍କ ପାଇଁ ସେଭଳି କିଛି କଟକଣା ଜାରି କରାଯାଇ ନାହିଁ । ଏଠି ସ୍ମରଣ କରାଯାଇପାରେ ଯେ ପାଲେଷ୍ଟାଇନ୍ ତଥା ଗାଜା ଉପରେ ଇସ୍ରାଇଲ୍ ତରଫରୁ ଯେଉଁ ଅନବରତ ଆକ୍ରମଣ ଚାଲିଛି ସେଥିରେ ହଜାର ହଜାର ଲୋକଙ୍କର ଜୀବନ ଯାଉଛି; ଅଧିକାଂଶ ଶିଶୁ ଓ ମହିଳା । ଡାକ୍ତରଖାନା ଓ ଖାଦ୍ୟ ବିତରଣ କେନ୍ଦ୍ରଗୁଡ଼ିକ ଉପରେ ମଧ୍ୟ ପ୍ରତିଦିନ ଆକ୍ରମଣ କରାଯାଉଛି । ଇସ୍ରାଇଲ୍ ପଛରେ ଆମେରିକାର ଦୃଢ଼ ସମର୍ଥନ ରହିଥିବା କଥା ସମଗ୍ର ବିଶ୍ୱ ଜାଣିଛି । ସେହି ଦୃଷ୍ଟିରୁ ଋଷିଆରୁ ତୈଳ କିଣି ଆମେ ୟୁକ୍ରେନ୍ ଯୁଦ୍ଧକୁ ସମର୍ଥନ କରୁଛୁ କହିବାଟା ଆମେରିକାର ଅତି ପ୍ରତିଷ୍ଠିତ ଛଳନାତ୍ମକ ଅଭିନୟ ଭିତରୁ ଗୋଟିଏ । ସେମାନଙ୍କର ଦ୍ୱିତୀୟ ଯୁକ୍ତିଟି ଅବଶ୍ୟ ଚର୍ଚ୍ଚାର ବିଷୟବସ୍ତୁ ହେବା କଥା ।
ଅନେକ ବିଶାରଦ କହୁଛନ୍ତି ଯେ ପ୍ରକୃତରେ ଭାରତର ଆମେରିକା ସହ ଯେଉଁ ବାଣିଜ୍ୟ ସମ୍ପର୍କ ରହିଛି ତାହା ବେଶି ଭାରତକୁ ହିଁ ଲାଭ ଦେଇଆସିଛି । କେବଳ ୨୦୨୪ମସିହାର ହିସାବଦେଖି ସେମାନେ କହୁଛନ୍ତି ଯେ ଭାରତ ଆମେରିକା ବାଣିଜ୍ୟ କାରବାରର ମୂଲ୍ୟ ୧୨ଲକ୍ଷ ୯୦ହଜାର କୋଟି ଆମେରିକୀୟ ଡଲାର ଥିଲାବେଳେ ଆମେରିକା ସହ ଆମର ୪ଲକ୍ଷ ୫୮ହଜାର କୋଟି ଡଲାରର ନିଅଣ୍ଟିଆ ପରିସ୍ଥିତି ଥିଲା । ଅର୍ଥାତ୍ ଆମେ ଅଧିକ ଲାଭରେ ଥିଲେ ଏବଂ ଆମେରିକାର ସେତିକି ଲାଭ ହେଉନଥିଲା । ସେଥିପାଇଁ କିଛି ବିଶାରଦ କହିବା ଆରମ୍ଭ କଲେଣି ଯେ ଆମର ବଜାରକୁ ଟିକିଏ ଅଧିକ ହୁଗୁଳା କରିବାକୁ ପଡ଼ିବ ଯେମିତି ଆମେରିକୀୟ ସାମଗ୍ରୀ ଅବାଧରେ ଭାରତରେ ବିକ୍ରି କରାଯାଇ ପାରିବ । ଅନ୍ୟ ଅର୍ଥରେ ଆମେରିକାରୁ କରାଯାଉଥିବା ଆମଦାନୀ ଉପରେ ଶୁଳ୍କ ହ୍ରାସ କରାଯିବ ବା ଶୂନ କରାଯିବ । କେହି କେହି ଡରିଯାଇ ଏହିକଥା ମଧ୍ୟ କହିବା ଆରମ୍ଭକଲେଣି ଯେ ଭାରତରେ ଜଗତୀକରଣର ସମାଲୋଚକମାନେ ସୁଯୋଗ ପାଇବେ ସଂସ୍କାରପର୍ବକୁ ନିନ୍ଦିତ କରିବା ପାଇଁ ଏବଂ କହିବେ ଅତ୍ମନିର୍ଭରଶୀଳତାର ବିକଳ୍ପ ବାଟ ବାହାର କରିବା ପାଇଁ । ଏମାନଙ୍କ ମତରେ ବିଶ୍ୱ ଅର୍ଥନୀତି ସହ ଭାରତକୁ ମିଶାଇ ଭାରତ ଲାଭବାନ ହୋଇଛି । ତେବେ ଲାଭବାନ ହେଉଥିବା ଲୋକମାନେ କିଏ ଏବଂ ସେମାନଙ୍କର ସଂଖ୍ୟା କେତେ ଏହି କଥା ଆଦୌ କୁହାଯାଉ ନାହିଁ, ଯଦିଓ ଏଭଳି ଏକ ପରିସଂଖ୍ୟାନ ଦିଆଯାଉଛି ଯେ ଆମେରିକା ଦ୍ୱାରା ଯେଉଁ ଶୁଳ୍କ ବୃଦ୍ଧି ପାଉଛି, ତାହା ଫଳରେ ୨୦ଲକ୍ଷ ଲୋକ ଚାକିରୀ ହରାଇବେ । ସେମାନେ କିଏ ଅବଶ୍ୟ ଅନୁମାନ କରାଯାଇପାରେ ।
ଏଠି ମନେପକାଇ ଦିଆଯାଇପାରେ ଯେ ଯେତେବେଳେ ସୋଭିଏତ୍ ଋଷିଆକୁ ଭାଙ୍ଗିବାର ଷଡ଼ଯନ୍ତ୍ର ସଫଳ ହେଲା ଏବଂ ବିଶ୍ୱରେ ପୁଞ୍ଜିରେ ଅବାଧ ଜୟଯାତ୍ରା ପାଇଁ ବିଶ୍ୱବ୍ୟାଙ୍କ ଏବଂ ଅନ୍ତଃରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିକୁ ଆୟୁଧ କରି ପରାଧୀନତାରୁ ମୁକ୍ତି ପାଇଥିବା ଭାରତଭଳି ରାଷ୍ଟ୍ରମାନଙ୍କ ଉପରେ ଆର୍ଥିକ ସଂସ୍କାରର ବୋଝ ଲଦିଦିଆଗଲା, ସେତେବେଳେ ଏହି ପର୍ବର ବିଶ୍ୱରେ ପରିଚାଳନା କରିଥିଲେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ରୋନାଲ୍ଡ ରିଗାନ୍ (୧୯୮୧-୧୯୮୯) ଏବଂ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ମାର୍ଗାରେଟ୍ ଥାଚର୍ (୧୯୭୯-୧୯୯୦) । ସେତେବେଳେ ବି ବିଶ୍ୱପୁଞ୍ଜିର ପୃଷ୍ଠପୋଷକମାନେ କହିଥିଲେ ଯେ ଭାରତ ଏହି ଜଗତୀକରଣ ପ୍ରକ୍ରିୟାର ଲାଭନେଇ ପାରିବ । ନିଜ ବଜାରକୁ ବାହାରର ବାଣିଜ୍ୟ ଶକ୍ତିମାନଙ୍କ ପାଇଁ ଖୋଲା କରିଦେଇ ଏବଂ ଏଥିନିମନ୍ତେ ଆବଶ୍ୟକ ହେଉଥିବା ନିୟମକାନୁନଗୁଡ଼ିକୁ ଦୁର୍ବଳ କରିଦେଇ ସେଥିରୁ ଯଥେଷ୍ଟ ଲାଭ ନେଇହେବ । ସ୍ଥାଣୁ ଅବସ୍ଥାରେ ଥିବା ଭାରତୀୟ ଅର୍ଥନୀତିକୁ ଏହି ପ୍ରକ୍ରିୟା ଜୀବନ ଦେଇପାରିବ ବୋଲି କୁହାଯାଉଥିଲା । ସେତେବେଳେ ମଧ୍ୟ ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାନାୟକମାନେ ଏକ ବିବିଧ ଉପନିବେଶବାଦର ଆଶଙ୍କାକରି (ଯାହା ସଦ୍ୟ ପାଇଥିବା ସ୍ୱାଧୀନତାକୁ ବିପନ୍ନ କରିବ) ଏହାର ବିରୋଧ କରିଥିଲେ । ଓଡ଼ିଶା ମାଟିରେ ମଧ୍ୟ ଏହାର ତୀବ୍ର ବିରୋଧ ହୋଇଥିଲା । ଆଗଧାଡ଼ିରେ ଥିଲେ ମନମୋହନ ଚୌଧୁରୀ, ରବି ରାୟ, ଗଣନାଥ ପାତ୍ର, କିଶନ ପଟ୍ଟନାୟକଙ୍କ ଭଳି ବିଶିଷ୍ଟ ଚିନ୍ତାନାୟକମାନେ ଏବଂ ସେମାନଙ୍କ ପଛରେ ରହି ସବୁପ୍ରକାର ତଥ୍ୟ ଓ ତର୍କ ଯୋଗାଉଥିବା ଡଃ ବୀରେନ୍ଦ୍ର ନାୟକ । ସେତେବେଳେ ସାଧାରଣ ଲୋକେ ବିରୋଧର ତର୍କକୁ ଆଦୌ ବୁଝିପାରୁନଥିଲେ । ଏବେ ସେମାନେ ବିରୋଧକୁ ବିରୋଧ କରୁଥିବା ଲୋକମାନଙ୍କ ମାୟାଜାଲରେ ଯେମିତି ପଡ଼ିଯାଇଛନ୍ତି । ସେହି ଦୃଷ୍ଟିରୁ ଦେଖିଲେ ବିଶ୍ୱ ଅର୍ଥନୀତିକୁ ନେଇ ବା ସଦ୍ୟତମ ଶୁଳ୍କ ଯୁଦ୍ଧକୁ ନେଇ ଭାରତର ସାଧାରଣ ଜନଗଣ ଯେ କୌଣସି ରାୟ ଦେଇପାରିବେ, ସେ ଅବସ୍ଥାରେ ଆମେ ସେମାନଙ୍କୁ ରଖିନାହାଁନ୍ତି । ବୌଦ୍ଧିକ ଚେତନାକୁ ନଷ୍ଟ କରିବା ଏବଂ କୌଣସି କଠୋର ପ୍ରଶ୍ନ ମନଭିତରକୁ ଯେଭଳି ନଆସେ ସେହିଭଳି କାମ ଗତ ୩୫ବର୍ଷ ଧରି ଚାଲିଛି । ସେଥିପାଇଁ ହୁଏତ ଏହି ଶୁଳ୍କ ଯୁଦ୍ଧର ପରିଣାମ ସାଧାରଣ ଭାରତୀୟଙ୍କ ଉପରେ କିଭଳି ପଡ଼ିବ ସେହି ଚର୍ଚ୍ଚା ବା ଆଲୋଚନା ସେମାନଙ୍କ ପାଖରେ ପହଞ୍ଚôବା ସମ୍ଭବ ନୁହେଁ । ଶୁଳ୍କ ଯୁଦ୍ଧ ଭାରତର ମଧ୍ୟବିତ୍ତ ଶ୍ରେଣୀର କେବଳ ଏକ ଆଗ୍ରହର ବିଷୟ ହୋଇରହିଯାଇଛି ।
ତଥାପି ଗୋଟିଏ ପ୍ରଶ୍ନ ମନକୁ ଆସିପାରେ ଯେ ଦିନେ ଯେଉଁ ପର୍ବ ଜଣେ ଆମେରିକୀୟ ରାଷ୍ଟ୍ରପତିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା, ତାହାର ୩୬ବର୍ଷ ପରେ ଆଉଜଣେ ଆମେରିକୀୟ ରାଷ୍ଟ୍ରପତି କେମିତି ସେହି ପର୍ବଟିକୁ ପରୋକ୍ଷରେ ଆମେରିକାର ସ୍ୱାର୍ଥବିରୋଧି କହି ଏକପ୍ରକାର ଏକପାଖିଆ ନୀତି ଘୋଷଣା କରି ଚାଲିଛନ୍ତି । ବିଡ଼ମ୍ବନାର କଥାଯେ ଏହି ଆମେରିକାର ରାଷ୍ଟ୍ରପତିଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନିଜ ‘ପ୍ରକୃତ ବନ୍ଧୁ’ କହି ସମ୍ବୋଧନ କରିଥିଲେ । ଏମିତିକି ଏହି ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ୍ ଙ୍କର ପ୍ରଥମ ପାଳି ସରିବା ବେଳେ ଯେଉଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ସେତେବେଳେ ସମସ୍ତ କୂଟନୈତିକ ପରମ୍ପରାକୁ ବଳିଦେଇ ଭାରତର ପ୍ରଧାନମନ୍ତ୍ରୀ ଆମେରିକାରେ ଥିବା ଭାରତୀୟମାନଙ୍କୁ ଉଦ୍ବୋଧନ ଦେଲାବେଳେ ‘ଅବ୍କି ବାର ଟ୍ରମ୍ପ୍ ସରକାର’ ନାରା ମଧ୍ୟ ଦେଇଥିଲେ ଯାହା ସେଠାକର ଉପସ୍ଥିତ ଜନତା ସାମୂହିକ ଭାବେ ଦୋହରାଇ ଏକ ଭିନ୍ନ ବାତାବରଣ ସୃଷ୍ଟି କରିଥିଲେ । ଏମିତିକି ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟ୍ରମ୍ପ୍ ମହାଶୟ ‘ଆମେରିକାର ସବୁଠାରୁ ମହାନ୍, ସବୁଠାରୁ ଅଧିକ ସମର୍ପିତ ଏବଂ ଆନୁଗତ୍ୟ’ ଥିବା ବନ୍ଧୁ ବୋଲି ବର୍ଣ୍ଣନା କରିଥିଲେ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଥିଲାଯେ ଆମେରିକା ସବୁବେଳେ ନିଜ ବନ୍ଧୁରାଷ୍ଟ୍ରମାନଙ୍କ ପାଖରୁ ସମର୍ପିତ ବ୍ୟବହାର ଅଶା କରିଥାଏ । ସେ ନିର୍ବାଚନରେ ଟ୍ରମ୍ପଙ୍କର ପରାଜୟ ହେଲା । ଟ୍ରମ୍ପ୍ ପୁଣିଥରେ ରାଷ୍ଟ୍ରପତି ପଦପାଇଁ ୨୦୨୪ମସିହାରେ ନିର୍ବାଚନ ଲଢ଼ୁଥିôବାବେଳେ ଶ୍ରୀଯୁକ୍ତ ମୋଦୀ ପୁଣି ଥରେ କୂଟନୈତିକ ପରମ୍ପରାକୁ ଉଲଙ୍ଘନ କରି ନିର୍ବାଚନ ସମୟରେ ସେହି ରାଷ୍ଟ୍ରକୁ ଗସ୍ତରେ ଯାଇଥିଲେ । ଏଥର ସେ ରାଷ୍ଟ୍ରପତି ଜୋ ବାଇଡ଼େନ୍ଙ୍କୁ ଭେଟିଥିଲେ ମଧ୍ୟ ତାଙ୍କୁ ସାକ୍ଷାତ୍ କରିବା ପାଇଁ ଆଶା ରଖିଥିବା ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ଙ୍କୁ ଭେଟି ନଥିଲେ । ଏଥର କିନ୍ତୁ ଟ୍ରମ୍ପ ନିର୍ବାଚିତ ହୋଇଥିଲେ । ତାଙ୍କ ରାଷ୍ଟ୍ରପତି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ସେ ମୋଦୀଙ୍କୁ ଆମନ୍ତ୍ରଣ ମଧ୍ୟ କରିନଥିଲେ । ପରେ ଅବଶ୍ୟ ମୋଦୀ ନିଜଆଡ଼ୁ ଗସ୍ତକରି ଆମେରିକା ଯାଇ ଟ୍ରମ୍ପ୍ ଙ୍କୁ ଭେଟିଥିଲେ ।
ଏହି ଯେଉଁ ଶୁଳ୍କ ଯୁଦ୍ଧ ଆମେରିକା ଆଡ଼ୁ ଭାରତ ଭଳି କିଛି ଦେଶ ଉପରେ ଆରମ୍ଭ ହେଲା ସେଥିରେ କେତୋଟି ‘କାରଣ’ ସାମ୍ନାକୁ ଆସିଯାଇଛି ଯାହା ଉପରେ ଖୁବ୍ କମ୍ ଆଲୋଚନା ହେଉଛି । ପ୍ରଥମ କଥାଟି ହେଲା ଯେ ଏପ୍ରିଲ୍ ୨୨,୨୦୨୫ଦିନ ପହଲ୍ଗାମ୍ ପର୍ଯ୍ୟଟକମାନଙ୍କ ଉପରେ ଯେଉଁ ଆତଙ୍କବାଦୀ ଆକ୍ରମଣ ହେଲା ସେଥିରେ ୨୬ଜଣ ନିରୀହ ଭାରତୀୟ ଟଳିପଡ଼ିଥିଲେ । ସମଗ୍ର ଦେଶରେ ଦୁଃଖ ଏବଂ କ୍ଷୋଭର ଏକ ବାତାବରଣ ସୃଷ୍ଟି ହୋଇଥିଲା । ଏହାର ପରିଣାମସ୍ୱରୂପ ଭାରତ ତରଫରୁ ଏପି୍ରଲ୍ ୭,୨୦୨୫ରେ ପାକିସ୍ଥାନର ସୀମାବର୍ତ୍ତୀ ଅଞ୍ଚଳ ଗୁଡ଼ିକ ଉପରେ ସାମରିକ ଆକ୍ରମଣ ହୋଇଥିଲା । ପାକିସ୍ଥାନ ପଟୁ ପ୍ରତିଆକ୍ରମଣ ମଧ୍ୟ ଚାଲିଲା । ଏପ୍ରିଲ୍ ୧୦, ୨୦୨୫ ପର୍ଯ୍ୟନ୍ତ ଏହି ସଂଘର୍ଷ ଚାଲିଥିଲା । ହଠାତ୍ ଯୁଦ୍ଧବିରତି ଘୋଷଣା କରାଗଲା । ତାହାର କିଛି ଘଣ୍ଟା ପୂର୍ବରୁ ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ୍ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ ଯେ ଏହି ଦୁଇ ଦେଶ ଭିତରେ ଯୁଦ୍ଧବିରତି ହେବାକୁ ଯାଉଛି । କିନ୍ତୁ ଆମେରିକୀୟ ରାଷ୍ଟ୍ରପତିଙ୍କ ମଧ୍ୟସ୍ଥତାକୁ ଭାରତ ଏଯାଏଁ ସ୍ୱୀକାର କଲାନାହିଁ । ଟ୍ରମ୍ପ୍ କିନ୍ତୁ ବିଶ୍ୱର ସବୁ ମଞ୍ଚରେ ତୁହାକୁ ତୁହା ଦୋହରାଇ ଚାଲିଥିଲେ ଯେ ତାଙ୍କର ମଧ୍ୟସ୍ଥତା ଓ ବାଣିଜ୍ୟ କାରବାର ବନ୍ଦ କରିବାପାଇଁ ଧମକ ଦେବା ଯୋଗୁଁ ଦୁଇଦେଶ ଯୁଦ୍ଧବିରତି ପାଇଁ ବାଧ୍ୟ ହୋଇଥିଲେ । ତଥାପି ଭାରତ ବା ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଟ୍ରମ୍ପ୍ ଙ୍କ ଭୂମିକାକୁ ସ୍ୱୀକାର କରିନଥିଲେ । ଟ୍ରମ୍ପ୍ ଯେଉଁ ବାଣିଜ୍ୟ ବନ୍ଦ କରିବାର ଧମକଦେଇ ‘ଅପରେସନ୍ ସିନ୍ଦୁର’କୁ ସ୍ଥଗିତ କରାଇଥିଲେ ବୋଲି ଦାବି କରନ୍ତି ତାକୁ ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ଗ୍ରହଣ ନ କରିବାର ଅନ୍ୟଏକ ପରିଣାମ ଏହି ‘ଶୁଳ୍କ ଯୁଦ୍ଧ’ ବୋଲି ଯଦି କୁହାଯାଏ, ତାହାକୁ ପୁରାପୁରି ଅସ୍ୱୀକାର କରିହେବ ନାହିଁ । କାରଣ ଚୀନ୍ ଭଳି ଦେଶ ଉପରେ ଭାରତଠାରୁ ଅଧିକ ଶୁଳ୍କ ଜାରି କରିଥିବା ଆମେରିକା ଚୀନ୍ ସହ ସାଲିସ୍ କରିଥିବାବେଳେ ସେମାନେ ଭାରତ ସହିତ କୌଣସି ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ପ୍ରସ୍ତୁତ ଥିବାର ଆଭାସ ଏଯାବତ୍ ମିଳି ନାହିଁ ।
ଆଉ ଗୋଟିଏ ତଥ୍ୟ ଯାହା ଆମେରିକାର ରାଷ୍ଟ୍ରପତି ଦେଉଛନ୍ତି ତାହା ହେଉଛି ଋଷିଆରୁ କମ୍ ଦରରେ ତୈଳ ଆଣି ଭାରତର ବଜାରରେ ଚଢ଼ାଦରରେ ବିକ୍ରକରି ବହୁଗୁଣ ଲାଭ କମାଇବା । ହୁଏତ କେହି କେହି ଭାବି ପାରନ୍ତିଯେ ଯଦି ଭାରତ ଲାଭ କମାଉଛି ତାହା ଦେଶର ବିକାଶରେ ବିନିଯୋଗ ହେବ । କିନ୍ତୁ କଥାଟି ସେଭଳି ନୁହେଁ । ଋଷିଆରୁ ଭାରତ ସରକାର ବା କୌଣସି ସରକାରୀ ସଂସ୍ଥା ତୈଳ କିଣୁନାହିଁ । ମୋଦୀଙ୍କର ଅନ୍ୟତମ ପରମବନ୍ଧୁ ଏବଂ ଗୁଜୁରାଟୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କର ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍ କମ୍ ଦରରେ ଋଷିଆରୁ ତୈଳ କିଣି ନିଜ ଜାମ୍ନଗର ବିଶୋଧନାଗାରରେ ତାକୁ ବିଶୋଧିତ କରି ଭାରତର ଖୋଲାବଜାରରେ ଚଢ଼ାଦରରେ ବିକ୍ରିକରି ଲାଭ କମାଉଛି । ଏହି କଥା ଭାରତୀୟମାନଙ୍କୁ ଜଣାନଥିଲେ ବି ଆମେରିକୀୟ ପ୍ରଶାସନକୁ ବେଶି ଭଲଭାବେ ଜଣା । ନିକଟ ଅତୀତର ଘଟଣାବଳୀରୁ ଜଣାପଡ଼ୁଛି ଯେ ଆମେରିକା ମୋଦୀଙ୍କଠାରୁ ଅଧିକ ଆନୁଗତ୍ୟ ଓ ଆମେରିକା ପ୍ରତି ଅଧିକ ସମ୍ମାନ ଆଶା କରୁଥିଲା । ଆମେରିକା ପାଖରେ ସମସ୍ତ ସୂଚନା ଥିଲାଯେ ଯାହା ଭାରତର ହିତ କୁହାଯାଉଛି, ତାହା ବାସ୍ତବରେ ମୋଦୀଙ୍କର ଦୁଇବନ୍ଧୁ ଗୌତମ ଆଦାନୀ ଓ ମୁକେଶ ଅମ୍ବାନୀଙ୍କ ବ୍ୟବସାୟିକ ହିତକୁ ହିଁ ବୁଝାଉଛି ।
ମୋଦୀଙ୍କର ଆମେରିକୀୟ ଗସ୍ତବେଳେ ତାଙ୍କର ଏହି ଦୁଇ ବନ୍ଧୁ ଆଦାନୀ ଏବଂ ଅମ୍ବାନୀ ଆମେରିକୀୟ ପ୍ରଶାସନ ନଜରରେ ଆସିଥାନ୍ତି । ଅଧିକାଂଶ ବ୍ୟବସାୟିକ ବୁଝାମଣାର ଲାଭ ଏମାନେ ହିଁ ନେଇଥାନ୍ତି । ମୋଦୀଙ୍କୁ ଅସ୍ତ୍ରକରି ଏମାନେ ନିଜର ବ୍ୟବସାୟିକ ସାମ୍ରାଜ୍ୟ ବିଶ୍ୱରେ ସମ୍ପ୍ରସାରିତ କରି ଚାଲିଥିବା କଥା ଆମେରିକା ଜାଣିଛି । ଏହି କଥା ମଧ୍ୟ ସେମାନଙ୍କୁ ଅଜଣା ନୁହଁ ଯେ ଭାରତର ସରକାର ଓ ପ୍ରଶାସନ ଏମାନଙ୍କ ଇଙ୍ଗିତରେ ଚାଲିଛି । ଭାରତର ଅଧିକାଂଶ ବନ୍ଦର ଓ ବିମାନବନ୍ଦର ଆଦାନୀଙ୍କ ଅଧିନକୁ ଚାଲିଯିବା କଥା ଭାରତର ଜନଗଣ ଜାଣିନଥିଲେ ବି ଆମେରିକୀୟ ପ୍ରଶାସନ ଜାଣିଛି । ଜାନୁଆରୀ ୨୪, ୨୦୨୩ଦିନ ଆମେରିକାର ଏକ ଜଣାଶୁଣା ସଂସ୍ଥା ‘ହିଣ୍ଡେନ୍ବର୍ଗ ରିସର୍ଚ୍ଚ’ ଯେଉଁ ରିପୋର୍ଟ ପ୍ରକାଶନ କରିଥିଲା ସେଥିରେ ଆଦାନୀ ପରିବାରର ସଦସ୍ୟମାନେ ବାହାରର କେତୋଟି ସୁରକ୍ଷିତ ଜାଗାରେ ରହି କିଭଳି ଜାଲି କମ୍ପାନୀକରି ଅର୍ଥ କାରବାର କରୁଛନ୍ତି ଏବଂ ସେମାନଙ୍କ ଅଂଶଧନର କୃତ୍ରିମ ମୂଲ୍ୟବୃଦ୍ଧି କରାଉଛନ୍ତି ସେ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ । ଯଦିଓ ଲୋକସଭାରେ ସାଂସଦ ରାହୁଲ୍ ଗାନ୍ଧୀ ଏହି ରିପୋର୍ଟକୁ ନେଇ ବକ୍ତବ୍ୟ ରଖିଥିଲେ, ମୋଟାମୋଟି ଭାବେ ଭାରତର ଅଧିକାଂଶ ଗଣମାଧ୍ୟମ ଏହି ତଥ୍ୟଗୁଡ଼ିକ ଲୋକଙ୍କ ପାଖରେ ଯେମିତି ନ ପହଞ୍ଚିବ, ସବୁ ପ୍ରକାର ଉଦ୍ୟମ କରିଥିଲେ । କମ୍ପାନୀମାନଙ୍କ କାରବାର ବୁଝୁଥିବା ଭାରତର ପ୍ରମୁଖସଂସ୍ଥା ‘ସେବି’ ମଧ୍ୟ ଅଭିଯୋଗଗୁଡ଼ିକ ଉପରେ କୌଣସି ନିରପେକ୍ଷ ଅନୁସନ୍ଧାନ କରିନଥିଲା । ଭାରତର ଉଚ୍ଚତମ ନ୍ୟାୟାଳୟ ଗତ ୧୧ବର୍ଷଧରି ଯେଉଁ ସ୍ଥିତିରେ ରହି ଆସିଛି ସେଠି ଏହି ସବୁ ମାମଲାରେ କିଛି ଅର୍ଥପୂର୍ଣ୍ଣ ହସ୍ତକ୍ଷେପ ହୋଇପାରିବ ଆଶାକରିବା ନିରର୍ଥକ । ତେବେ ଆଦାନୀଙ୍କ କଳାକାରନାମା ସମ୍ପର୍କରେ ଆମେରିକା ବେଶ୍ ପରିଚିତ । ଲାଞ୍ଚଦେଇ କାମହାସଲ କରିବାର ଆଉକିଛି ମାମଲାରେ ମଧ୍ୟ ଆଦାନୀ ଛନ୍ଦିହୋଇ ଆମେରିକାରେ ନିଜର ପ୍ରତିଯୋଗୀମାନଙ୍କ ଦୃଷ୍ଟିବଳୟ ଭିତରେ ଆସିଯାଇଛନ୍ତି । ଆମେରିକୀୟ ପ୍ରଶାସନ ନିଜଆଡ଼ୁ ମଧ୍ୟ ଅନୈତିକ ବ୍ୟବସାୟିକ କାରବାରର ଅଭିଯୋଗଗୁଡ଼ିକୁ ନେଇ ଅନୁସନ୍ଧାନ ଆରମ୍ଭ କରିଦେଇଛନ୍ତି । ସୁତରାଂ ଅବୋଲକରା ମୋଦୀଙ୍କର ପରମମିତ୍ର ଏବଂ ପୃଷ୍ଠପୋଷକ ଗୌତମ ଆଦାନୀ ଟ୍ରମ୍ପ୍ ଙ୍କ ଲକ୍ଷ୍ୟଭିତରକୁ ପୂର୍ବରୁ ଆସିଯାଇଥିବା ବେଳେ ଏବେ ମୋଦୀଙ୍କର ଦ୍ୱିତୀୟ ବନ୍ଧୁ ଓ ପୃଷ୍ଠପୋଷକ ମୁକେଶ ଅମ୍ବାନୀ ତାଙ୍କ ଲକ୍ଷ୍ୟ ଭିତରକୁ ଆସିଛନ୍ତି । ଗତ ମାର୍ଚ୍ଚ ୨୦୨୪ରେ ମୁକେଶ ଅମ୍ବାନୀଙ୍କ ତରଫରୁ ନିଜ ସାନ ପୁଅର ବାହାଘର ଅବ୍ୟାହତି ପୂର୍ବରୁ ଯେଉଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ସେଥିରେ ଆମେରିକାର ବିଶିଷ୍ଟ ଶିଳ୍ପପତି ବିଲ୍ ଗେଟ୍ସ, ମାର୍କ ଜୁକରବର୍ଗ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କର ଦ୍ୱିତୀୟ ସନ୍ତାନ ଇଭାଙ୍କା ଟ୍ରମ୍ପ୍ ଯୋଗ ଦେଇଥିଲେ । ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ଆଜି ଋଷିଆର ତେଲପାଇଁ ଚର୍ଚ୍ଚାକୁ ଆସିଥିବା ଜାମନଗର ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା । ଏଠି ହିଁ କମ୍ ଦରରେ ଋଷିଆରୁ କଞ୍ଚାତୈଳ ଆଣି ବିଶୋଧନକରି ଭାରତର ଖୋଲାବଜାରରେ ଚଢ଼ାଦରରେ ବିକ୍ରି କରାଯାଉଥିବାର ଅଭିଯୋଗ ଏବେ ଆମେରିକା ଆଣିଛି । ମୋଟାମୋଟି ଭାବେ କହିବାକୁ ଗଲେ ଟ୍ରମ୍ପ୍ ଭାରତକୁ ଲକ୍ଷ୍ୟକରି ଶୁଳ୍କଯୁଦ୍ଧ ଘୋଷଣା କରିଛନ୍ତି ନା ମୋଦୀଙ୍କ ପୃଷ୍ଠପୋଷକ ତଥା ତାଙ୍କ ଦ୍ୱାରା ଲାଭବାନ ହେଉଥିବା ଦୁଇଟି ଏକଚାଟିଆ ବାଣିଜ୍ୟ କାରବାର କରୁଥିବା କମ୍ପାନୀମାନଙ୍କୁ ଲକ୍ଷ୍ୟରେ ରଖିଛନ୍ତି ତାହା ବିଶ୍ଳେଷଣ କରିବା କଥା । ଏହି କଥା ଏହି ଦୁଇଟି ବ୍ୟବସାୟିକ ଗୋଷ୍ଠି ଅଧିନରେ ଥିବା ଭାରତର ପ୍ରାୟ ଅଧିକାଂଶ ବୈଦ୍ୟୁତିକ ଗଣମାଧ୍ୟମ ଆମକୁ ଜଣାଇବେ ନାହିଁ ।
ଆମେ ବରଂ ଗୋଟିଏ କଥା ପୁଣି ଦୋହରାଇବା ଉଚିତ୍ ହେବ । ଆମେ ନିହାତି ଜାଣିବା ଜରୁରୀ ଗତ ୩୫ବର୍ଷର ଆର୍ଥିକ ସଂସ୍କାର ତଥା ଜଗତୀକରଣ ନୀତି କେଉଁ ଭାରତୀୟମାନଙ୍କୁ କିଭଳି ଲାଭ ପହଞ୍ଚାଇଛି? ଭାରତ ପୂର୍ବଅପେକ୍ଷା ଅଧିକ ଆର୍ଥିକ ସ୍ୱାଧୀନତା ପାଇଛି ନା ପାଇଥିବା ସ୍ୱାଧୀନତାକୁ ଅଧିକ ବିପନ୍ନ କରିଛି? ବିବିଧ ଉପନିବେଶବାଦର ବୋଝ ସାଧାରଣ ଭାରତୀୟ ବୋହି ଚାଲିଥିବାବେଳେ କିଛି ବ୍ୟବସାୟିକ ସଂସ୍ଥା କିଭଳି ବିଶ୍ୱର ହାତଗଣତି କେତୋଟି ଧନୀବ୍ୟକ୍ତିମାନଙ୍କ ଭିତରେ ନିଜକୁ ସାମିଲ କରାଇ ପାରୁଛନ୍ତି? ପ୍ରଶ୍ନ ତାଲିକାଟି ବେଶ୍ ଲମ୍ବା । କିନ୍ତୁ କେତୋଟି ପ୍ରଶ୍ନରୁ ଆମେ ଉତ୍ତର ଖୋଜିବାର ପକ୍ରିୟା ଆରମ୍ଭ କରପାରିବା ।
Comments
0 comments