ସାମାଜିକ ଗଣମାଧ୍ୟମ ସୌଜନ୍ୟରୁ କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀ ଗାଁ ଅଞ୍ଚଳରେ ଜୁଲାଇ ୨୦୨୫ଶେଷ ସପ୍ତାହରେ ହିନ୍ଦୁ ଓ ଖ୍ରୀଷ୍ଟିଆନ ଦୁଇ ସମୁଦାୟ ମଧ୍ୟରେ ସଂଘର୍ଷ ଘଟିଛି । ଉଭୟପକ୍ଷ ଥାନାରେ ଏତଲା ଦେଇଛନ୍ତି କିନ୍ତୁ ପୁଲିସ କୁଆଡ଼େ କେବଳ ହିନ୍ଦୁ ସମ୍ପ୍ରଦାୟର ଏତଲାକୁ ଗ୍ରହଣକରି ଖ୍ରୀଷ୍ଟ୍ରୀୟ ଧର୍ମାବଲମ୍ବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେମାନଙ୍କର ଏତଲାକୁ ମଧ୍ୟ ଗ୍ରହଣ କରାଯାଇ ନାହିଁ ଏବଂ ସଂଘର୍ଷରେ ସଂପୃକ୍ତଥିବା ହିନ୍ଦୁ ସମ୍ପ୍ରଦାୟ ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ରାଜ୍ୟରେ ହିନ୍ଦୁତ୍ୱବାଦୀମାନଙ୍କର ସମର୍ଥିତ ସରକାର କ୍ଷମତାରେ ଥିବା ଦୃଷ୍ଟିରୁ ଆମର ଆଶଙ୍କା ହେଲା ଯେ ୨୦୦୮ର ଖ୍ରୀଷ୍ଟିଆନ ବିରୋଧି ଉଗ୍ରହିଂସାରୁ ୧୭ବର୍ଷ ଧରି ସଂଘର୍ଷକରି ଶାନ୍ତିଫେରି ପାଇଥିବା କନ୍ଧମାଳ ହୁଏତ ସରକାରଙ୍କର ପକ୍ଷପାତିତା ଓ ସଂଘ ପରିବାର ସଂଗଠନମାନଙ୍କର ଉଗ୍ରମନୋଭାବ ଯୋଗୁଁ ପୁଣିଥରେ ଅଶାନ୍ତ ହେବା ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ସେଥିପାଇଁ କନ୍ଧମାଳର କିଛି ସ୍ପର୍ଶକାତର ଅଞ୍ଚଳକୁ ଆମେ ବାସ୍ତବ ସ୍ଥିତି ପରଖିବା ପାଇଁ ଗସ୍ତ କରିଥିଲୁ । ଜୁଲାଇ ଶେଷ ସପ୍ତାହରେ କରାଯାଇଥିବା ଏହି ଅଧ୍ୟୟନ କାଳରେ ଆମେ ୨୦୦୮ର ଖ୍ରୀଷ୍ଟିଆନବିରୋଧି ହିଂସାର ଶିକାର ହୋଇଥିବା ଲୋକମାନଙ୍କୁ ଭେଟିଥିଲୁ ଏବଂ ଏଥି ସହିତ ସେହି ହିଂସାରେ ସଂପୃକ୍ତଥିବା ଆଦିବାସୀ ସମ୍ପ୍ରଦାୟର କିଛି ନେତୃସ୍ଥାନୀୟ ଲୋକଙ୍କୁ ଭେଟିଥିଲୁ । ଆମେ ମଧ୍ୟ ଚର୍ଚ୍ଚ ସହିତ ସଂପୃକ୍ତ ଥିବା ଧର୍ମଯାଜକ ଓ କିଛି ଶାସକଦଳର ଲୋକମାନଙ୍କ ସହ ଆଲୋଚନା କରିଥିଲୁ । ତେବେ ସେହି ସବୁ ସାକ୍ଷାତ ଓ ଆଲୋଚନା ବେଳେ ଯେଉଁ ଚିତ୍ରପଟ୍ଟ ଆମ ଆଗରେ ଉନ୍ମୋଚନ ହୋଇଥିଲା ତାହାର ଉପସ୍ଥାପନା ପୂର୍ବରୁ ଉଚିତ୍ ହେବ କନ୍ଧମାଳରେ ଅନ୍ତତଃ ୨୦୦୭ ଓ ୨୦୦୮ର ସାମ୍ପ୍ରଦାୟକ ପରିସ୍ଥିତି, ସଂଘର୍ଷ, ହିଂସା ଓ ହିଂସା ପରବର୍ତ୍ତୀ ପରିସ୍ଥିତି ସମ୍ପର୍କରେ ସେହି ସବୁକୁ ଜାଣି ନଥିବା ଏବଂ ଜାଣିମଧ୍ୟ ଭୁଲିଯାଇଥିବା ଲୋକମାନଙ୍କୁ ଚୁମ୍ବକରେ ମନେପକାଇ ଦେବା ।
ସମ୍ପାଦକ ଓ କାର୍ଯ୍ୟନିର୍ବାହୀ ସମ୍ପାଦକଙ୍କ ସମେତ, ବରିଷ୍ଠ ସାମ୍ବାଦିକ କେଦାର ମିଶ୍ର, ବରିଷ୍ଠ ରାଜନୈତିକ କର୍ମୀ ମହେନ୍ଦ୍ର ପରିଡ଼ା ଓ ବରିଷ୍ଠ ସାମାଜିକ କର୍ମୀ ତଥା ବୃତ୍ତଚିତ୍ର ନିଦେ୍ର୍ଦଶକ ଦେବରଞ୍ଜନ ଇତ୍ୟାଦିଙ୍କ ତଥ୍ୟ ଓ ବିଶ୍ଲେଷଣଭିତ୍ତିକ ଆଲେଖକ୍ରମାନ ‘ସମଦୃଷ୍ଟି’ରେ ପ୍ରକାଶ ପାଇଥିଲା । ମୋଟାମୋଟି ଭାବେ ସମସ୍ତଙ୍କ ଲେଖାକୁ ଏକାଠିକରି ଏହାର ପୃଷ୍ଠଭୂମିଟିକୁ ବୁଝି ହୋଇଯିବ ।
ଚୁମ୍ବକରେ ୨୦୦୮ର ହିଂସା
ଅଗଷ୍ଟ ୨୩, ୨୦୦୮ଜନ୍ମାଷ୍ଟମୀ ଦିନ ହିନ୍ଦୁତ୍ୱବାଦୀ ପ୍ରଚାରତନ୍ତ୍ରର ଜଣେ ଉଗ୍ରପତିନିଧି ମନେ କରାଯାଉଥିବା ‘ସ୍ୱାମୀ ଲକ୍ଷ୍ମଣାନନ୍ଦ’ଙ୍କର ‘ମାଓବାଦ’ଙ୍କ ଦ୍ୱାରା ଜଘନ୍ୟ ଓ ନିନ୍ଦନୀୟ ହତ୍ୟାକାଣ୍ଡ ଘଟିଥିଲା । ସେମାନେ ଯେମିତି କେବଳ ‘ସ୍ୱାମୀ ଲକ୍ଷଣାନନ୍ଦ’ଙ୍କର ଶିକାର ପାଇଁ ଆସିଥିଲେ । ଘଟଣାଟି ଇଙ୍ଗିତ କରୁଥିଲା ଯେ ଏହା କୌଣସି ସଂଖ୍ୟାଲଘୁ ମାନଙ୍କର ସଂଗଠିତ ଆକ୍ରମଣ ନଥିଲା । ଏହାର କିଛି ମାସ ପୂର୍ବରୁ ଡିସେମ୍ବର ୨୦୦୭ରେ ସାମ୍ପ୍ରଦାୟିକ ଗୋଷ୍ଠି ସଂଘର୍ଷ କନ୍ଧମାଳର ବ୍ରାହ୍ମଣୀଗାଁ ଅଞ୍ଚଳରେ ଆରମ୍ଭ ହୋଇଥିଲା, ଠିକ୍ ଖ୍ରୀଷ୍ଟଆନମାନଙ୍କର ବଡ଼ଦିନ ପର୍ବ ଆରମ୍ଭ ହେବାବେଳେ । ସେଥିରେ ‘ସ୍ୱାମୀ ଲକ୍ଷ୍ମଣାନନ୍ଦ’ ‘ଆଘାତ’ ହୋଇଥିଲେ ବୋଲି ଅଭିଯୋଗ ହୋଇଥିଲା । ୮୪ବର୍ଷ ବୟସରେ ଅତି ନିର୍ମମ ହତ୍ୟାକାଣ୍ଡର ଶିକାର ହୋଇଥିବା ‘ସ୍ୱାମୀଜୀ’ କିନ୍ତୁ ହିନ୍ଦୁତ୍ୱବାଦୀ ସଂଗଠନମାନଙ୍କପାଇଁ କନ୍ଧମାଳ ଜିଲ୍ଲାରେ ୪ଦଶନ୍ଧି ଧରି ନିରନ୍ତର ଓ ନିଷ୍ଠାପର ଭାବେ କାମକରି ଆସିଥିଲେ । ପ୍ରମୁଖ କାମ ଭିତରେ ଥିଲା ‘ସଂଖ୍ୟାଲଘୁ’ମାନଙ୍କ ବିରୋଧରେ ଉଗ୍ରପ୍ରଚାର କରିବା ଓ ସଂଘ ପରିବାରର ସଂଗଠନଗୁଡ଼ିକୁ ଆଦିବାସୀ ମାନଙ୍କ ଭିତରେ ସଂସ୍ଥାପିତ କରିବା । ଏହି କାମରେ ସେ ଚରମ ସଫଳତା ପାଇସାରିଥିଲେ ।
ଠିକ୍ ୨୦୦୭, ଡିସେମ୍ବର ସମ୍ପ୍ରଦାୟିକ ସଂଘର୍ଷ ପରେ ଆମେ ବ୍ରହ୍ମଣୀଗାଁର କ୍ଷତିଗ୍ରସ୍ତ ଅଞ୍ଚଳକୁ ଗସ୍ତକରି ଫେରିବା ପରେ ଏଭଳି କିଛି ଲେଖିଥିଲୁ:
“ସମ୍ପ୍ରତି ୨୪ତାରିଖ ଦିନ ବ୍ରାହ୍ମଣୀଗାଁ ଓ ବାରଖମା ଠାରେ ଘଟିଥିବା ପୋଡ଼ାଜଳା, ହିଂସାକାଣ୍ଡ ଘଟଣା ଏବେ ବି ଥମିନାହିଁ । ଫୁଲବାଣୀ ସହର ସମେତ ଦାରିଙ୍ଗିବାଡ଼ି, ବ୍ରାହ୍ମଣୀ ଗାଁ, ବାଲିଗୁଡ଼ା, ବାରଖମା, ଫିରିଙ୍ଗିଆ, ପଦିଗାଁ, ଅଞ୍ଚଳମାନଙ୍କରେ ସନ୍ଧ୍ୟା ୫ଟାରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହୁଛି । ତଥାପି ଜିଲ୍ଲାରେ ଶାନ୍ତି ଓ ସ୍ୱାଭାବିକ ଅବସ୍ଥା ଫେରିନାହିଁ । ପରିସ୍ଥିତିର ଉନ୍ନତି ପରିଲକ୍ଷିତ ହୋଇଛି ସତ ମାତ୍ର ଏବେବି ବିଭିନ୍ନସ୍ଥାନରେ ଗୃହଦାହ, ଧର୍ମସ୍ଥଳୀ ଉପରେ ଚଢ଼ାଉ ଓ ପୋଡ଼ାଜଳା ଲାଗିରହୁଛି ଧମକ ଦିଆନିଆ ର ସମ୍ଭାବନା ରହୁଛି ।
ବାରଖମା ଅଞ୍ଚଳର ପ୍ରାୟ ୩୦୦ଲୋକ ଏବେ ବି ଜଙ୍ଗଲ ଭିତରେ ରହିଛନ୍ତି । ସେମାନେ ଏବେବି ଜଙ୍ଗଲ ଓ ପାହାଡ଼ରେ ଶୀତକାକରରେ ଭୋକ ଉପାସରେ ଦିନ କଟାଉଛନ୍ତି । ପ୍ରଶାସନ ଓ ପୋଲିସ ପକ୍ଷରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଉଥିଲେ ମଧ୍ୟ ଏହି ଲୋକମାନଙ୍କର ପ୍ରଶାସନ ଉପରେ ଭରସା ଟିକିଏ କରିପାରୁ ନାହାନ୍ତି କାହିଁକି? ଲୋକମାନଙ୍କ ମତରେ ପୋଲିସକୁ ଘଟଣାର ବହୁଆଗରୁ ଜଣାଇଥିଲେ ମଧ୍ୟ ପୋଲିସ ସେମାନଙ୍କୁ ସୁରକ୍ଷା ଦେଇ ପାରିନାହିଁ, ଏବେ କିପରି ସୁରକ୍ଷା ଦେବ ଓ ଆମେ କିପରି ଭରସା କରିବୁ ବୋଲି ବହୁଲୋକ ଆମକୁ କହିଥିଲେ ।
ଅପରପକ୍ଷରେ ଆର୍.ଏସ୍.ଏସ୍, ବଜରଙ୍ଗ ଦଳମାନଙ୍କ ପକ୍ଷରୁ ସଂଖ୍ୟାଲଘୁମାନଙ୍କୁ ଧମକ ଦିଆଯାଉଛି ପୋଲିସ କେତେଦିନ ତୁମକୁ ସୁରକ୍ଷା ଦେବ? (ମହେନ୍ଦ୍ର ପରିଡ଼ା, ସମଦୃଷ୍ଟି ୧୬-୩୧ ଜାନୁଆରୀ ୨୦୦୮)” ସେତେବେଳେ ରାଜ୍ୟରେ ବିଜୁ ଜନତା ଦଳ (ବି.ଜେ.ଡ଼ି) ଓ ଭାରତୀୟ ଜନତା ପାର୍ଟି (ବି.ଜେ.ପି)ର ମିଳିତ ସରକାର ରାଜ୍ୟରେ ଚାଲିଥିଲା ଏବଂ ସଂଘପରିବାରର ଧମକ୍ ଥିଲା ‘ପୋଲିସ କେତେଦିନ ତୁମକୁ ସୁରକ୍ଷା ଦେବ’? ଆଜି ତ ସିଧାସଳଖ ଭାଜପା ଶାସନରେ ବସିଛି । ଏହି ଧମକର ଏକ ଝଲକ ହୁଏତ ଗତ ଜୁଲାଇ, ୨୦୨୫ରେ ଦେଖିବାକୁ ମିଳିଥିଲା ଯେତେବେଳେ ସାମାଜିକ ଗଣମାଧ୍ୟମରେ ଆମେ ସୂଚନା ପାଇଲୁଯେ ପୋଲିସ କେବଳ ଗୋଟିଏ ସାମ୍ପ୍ରଦାୟିକ ସଂଘର୍ଷରେ ସମ୍ପୃକ୍ତ ହିନ୍ଦୁଗୋଷ୍ଠିଙ୍କ ଏତଲା ଗ୍ରହଣକରି ଅନ୍ୟ ଗୋଷ୍ଠିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ।
କନ୍ଧମାଳ ଜିଲ୍ଲାର ସାମ୍ପ୍ରଦାୟିକ ସମ୍ବେଦନଶୀଳ ସ୍ଥିତିକୁ କୌଣସି ବି ରାଜନୈତିକ ଦଳ, ପ୍ରଶାସନ ଏବଂ ପୋଲିସ ଗୁରୁତ୍ୱର ସହିତ ନେଇନାହାଁନ୍ତି । କନ୍ଧମାଳରେ ନାଗରିକସମାଜ ବୋଲି କିଛି ନାହିଁ ଯାହା ସରକାରଙ୍କ ଉପରେ ବା କ୍ଷମତା ପାଇଁ ପ୍ରତିଯୋଗିତା କରୁଥିବା ରାଜନୈତିକ ଦଳମାନଙ୍କ ଉପରେ ସଚେତନ ହେବା ପାଇଁ ଚାପ ସୃଷ୍ଟି କରିପାରନ୍ତା । ୨୩ ଅଗଷ୍ଟ,୨୦୦୮କନ୍ଧମାଳ ଜିଲ୍ଲାର ଜଲେସପଟା ଠାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ଓ ତାଙ୍କ ୪ଜଣ ସହଯୋଗୀଙ୍କର ଜଘନ୍ୟ ହତ୍ୟାକାଣ୍ଡ ପରେ ଆମେ କିଛି କଥା ସ୍ପଷ୍ଟଭାବେ ଲେଖିଥିଲୁ । ସେହି ଭିତରୁ କିଛି କଥା ଏହିଭଳି ଥିଲା: “ସବୁପ୍ରକାର ପୂର୍ବସୂଚନା ମିଳିଥିବା ସତ୍ତ୍ୱେ ଏହି ହତ୍ୟାକାଣ୍ଡକୁ ଏଡ଼େଇ ଦିଆଯାଇ ପାରିଲାନି । ତାହା ରାଷ୍ଟ୍ର ଓ ସଂଘ ପରିବାରର ଚରମ ବିଫଳତାକୁ ସୂଚାଇ ଦେଉଛି । ସଂଖ୍ୟାଲଘୁ ଖ୍ରୀଷ୍ଟିଆନ୍ ମାନଙ୍କୁ ବିରୁଦ୍ଧରେ ୩୦ବର୍ଷରୁ ଊଦ୍ଧ୍ୱର୍କାଳ ଘୃଣା ଓ ବିଦ୍ୱେଷର ବାର୍ତ୍ତାଦେଇ ଆସିଥିବା ଲକ୍ଷ୍ମଣାନନ୍ଦଙ୍କୁ ଏହି ସମ୍ପ୍ରଦାୟ ତରଫରୁ କେବେ ବି ଧମକପୂର୍ଣ୍ଣ ଚିଠି ବା ବାର୍ତ୍ତା ମିଳିନଥିଲା । ଲକ୍ଷ୍ମଣାନନ୍ଦଙ୍କ ସବୁ ପାଖଲୋକ ବି ଏକଥା ଜାଣିଛନ୍ତି ଯେ ତାଙ୍କଉପରେ ଡିସେମ୍ବର ମାସରେ ମରଣାନ୍ତକ ଆକ୍ରମଣ ହେଇଛି ବୋଲି ଯେଉଁ ବହୁଳ ପ୍ରଚାର କରାଗଲା, ତାହା ଏକ ନାଟକ ଥିଲା ଏବଂ କେବଳ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକରିବା ଉଦେ୍ଦଶ୍ୟରେ ସେହି ନାଟକ ମଞ୍ଚସ୍ଥ କରାଯାଇଥିଲା । ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ଗାଁ ମାଟିଦେଇ ଗଲାବେଳେ ସେ କେଉଁଠି ବି ସେମାନଙ୍କର ଆକ୍ରମଣର ଶିକାର ହୋଇନଥିଲେ । ଏଠି କହିବାର ଉଦେ୍ଦଶ୍ୟ ଏହା ଯେ ଯେହେତୁ ଲକ୍ଷ୍ମଣାନନ୍ଦଙ୍କୁ ଧମକପୂର୍ଣ୍ଣ ବାର୍ତ୍ତାଦେବାର ନଜିର ଆଗରୁ ନଥିଲା, ଏବେ ଆସିଥିବା ଧମକପୂର୍ଣ୍ଣ ଚିଠିଟିକୁ ସଂଘ ପରିବାର ଓ ସରକାର ଉଭୟେ ଅଧିକ ଗୁରୁତ୍ୱର ସହ ନେବାର ଥିଲା ।
ଯେହେତୁ ଅଗଷ୍ଟ୨୩ପରେ ରାଜ୍ୟରେ ଯେଉଁଭଳି ହିଂସାର ତାଣ୍ଡବଲୀଳା ଚାଲିଛି ଓ ସରକାର ନିଜକୁ ଅସହାୟ ମନେକରି ଜଗନ୍ନାଥଙ୍କ ପାଖରେ ହାତଟେକି ଦେଇଛନ୍ତି, ସେଥିରୁ ସ୍ପଷ୍ଟ ଜଣାଯାଉଛି ଯେ ସଂଘ ପରିବାର ନିଷ୍ଠାର ସହ ଚାହିଁଥିଲେ ନିଜ ବୋଲମାନି ଚଳୁଥିବା ନବୀନ ସରକାରଙ୍କୁ ବାଧ୍ୟକରି ଲକ୍ଷ୍ମଣାନନ୍ଦଙ୍କୁ ସୁରକ୍ଷା ଯୋଗାଇ ପାରିଥାନ୍ତେ । ନିଜପାଖରେ ଥିବା ସଶସ୍ତ୍ର ଗୁଣ୍ଡାବାହିନୀଙ୍କୁ ପ୍ରୟୋଗ କରି ମଧ୍ୟ ସଂଘ ପରିବାର ନିଜସ୍ୱ ଶକ୍ତିବଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ସୁରକ୍ଷା ଯୋଗାଇ ପାରିଥାନ୍ତେ । ଏହି ଗୁଣ୍ଡାବାହିନୀର ପରାକ୍ରମ ଓଡ଼ିଶାବାସୀ ଅଗଷ୍ଟ ୨୩ ପରଠାରୁ ଆଜିଯାଏଁ ଦେଖି ଆସୁଛନ୍ତି । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ପୂର୍ବସୂଚନାକୁ ସଂଘ ପରିବାର କାହିଁକି ଗୁରୁତ୍ୱର ସହ ନେଲା ନାହିଁ, ଯେତିକି ଗୁରୁତ୍ୱର ସହ ତାଙ୍କରି ହତ୍ୟାକାଣ୍ଡଟିକୁ ନେଇପାରିଲା, ଏପରି ଏକ ପ୍ରଶ୍ନ ସବୁ ସଚେତନଶୀଳ ନାଗରିକଙ୍କୁ ଚକିତ କରିଛି ।
ଦ୍ୱିତୀୟରେ ଓଡ଼ିଶାର ଯେତେସବୁ ଶାନ୍ତିପୂର୍ଣ୍ଣ ବିସ୍ଥାପନ ବିରୋଧୀ ଜନଆନେ୍ଦାଳନ ଚାଲିଛି, ସଂଘ ପରିବାର ସେ ସବୁଥିରେ ଲୋକଙ୍କ ବିରୁଦ୍ଧରେ ଏବଂ ସରକାରଙ୍କ ସହ ଛିଡ଼ାହୋଇଛି । ଯଦି କେଉଁଠି ବିସ୍ଥାପନବିରୋଧୀ ନେତା ବା ସହଯୋଗୀମାନଙ୍କୁ ‘ମାଓବାଦୀ’ଚିତ୍ରଣ କରାଯାଏ, ତେବେ ସଂଘ ପରିବାର ଯଦି ଆଗରୁ ‘ମାଓବାଦୀ’ବୋଲି ଏମାନଙ୍କୁ ଚିତ୍ରିତ କରିନଥାଏ, ତେବେ ବିନା ବିଚାରରେ ସରକାରଙ୍କ ସହ ଏକମତ ହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରେ । ଆଜି ସଂଘ ପରିବାର ଅଧୀନରେ ଚାଲିଥିବା ସରକାର ଏହା ‘ମାଓବାଦୀ’ମାନଙ୍କ ଏକ କାମବୋଲି ଦୃଢ଼ତାର ସହ କହୁଥିବାବେଳେ ସେମାନେ କାହିଁକି କଥାଟିକୁ ଆଦୌ ଗ୍ରହଣ କରୁନାହାଁନ୍ତି?
୨୩ ଅଗଷ୍ଟ ୨୦୦୮ ରାତିରୁ ସଂଘ ପରିବାର ତରଫରୁ ଆରମ୍ଭ ହୋଇଥିବା ସଂଖ୍ୟାଲଘୁ ଖ୍ରୀଷ୍ଟିଆନ ସଂହାର ଅଭିଯାନ ସରକାରଙ୍କ ପରୋକ୍ଷ ସହଯୋଗରେ ସୂଚାରୁରୂପେ ଚାଲିଥିବା କଥା ଆମେ ଦେଖିବାକୁ ପାଉଛୁ । ଯେଉଁ କେତୋଟି କଥା ଆମକୁ ଚିନ୍ତିତ କରୁଛି, ସେସବୁ ଭିତରେ ନିମ୍ନ କେତୋଟି କଥାଅଛି ।
୧. ସରକାର ଓ ସଂଘ ପରିବାର ଚାହିଁଥିଲେ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକୁ ଏଡ଼େଇ ପାରିଥାନ୍ତେ । ସେମାନେ ଏଥିପାଇଁ ସାମାନ୍ୟ ଉଦ୍ୟମ ବି କଲେ ନାହିଁ ।
୨.ନବୀନ ସରକାର ଚାହିଁଥିଲେ ଦୃଢ଼ହସ୍ତରେ ସଂଘ ପରିବାରର ସଂଗଠିତ ହିଂସାର ତାଣ୍ଡବଲୀଳାକୁ ବନ୍ଦକରି ପାରିଥାନ୍ତେ । ଅଗଷ୍ଟ ୨୫, ବନ୍ଦ ପୂର୍ବଦିନଠାରୁ ସବୁ ପ୍ରମୁଖ ସଂଘପରିବାର ନେତାଙ୍କୁ ଅଟକ ରଖିପାରି ଥାନ୍ତେ । ଅଗଷ୍ଟ ୨୪ଦିନ ହିଂସା ସୃଷ୍ଟି କରୁଥିବା ଲୋକଙ୍କୁ ଦେଖିଲାମାତ୍ରେ ଗୁଳି କରିବାର ଆଦେଶ ଦେଇ ପାରିଥାନ୍ତେ । ଅଗଷ୍ଟ ୨୩ତାରିଖ ରାତିରୁ ହିଁ ସବୁ ସମ୍ବେଦନଶୀଳ ସ୍ଥାନରେ ଅର୍ଦ୍ଧ ସାମରିକବାହିନୀ ମୁତୟନ କରିପାରିଥାନ୍ତେ । ସବୁ ରାଜନୈତିକ ଦଳର ନେତାମାନଙ୍କୁ ଡାକି ସଦ୍ଭାବନା ଓ ଶାନ୍ତି ବଜାୟ ରଖିବାପାଇଁ ମିଳିତ ଅଭିଯାନ ଆରମ୍ଭ କରିପାରିଥାନ୍ତେ ।
ବି.ଜେ.ପି.ର ନରମପନ୍ଥୀ ମନ୍ତ୍ରୀମାନଙ୍କୁ କନ୍ଧମାଳ ଭଳି ଜିଲ୍ଲାର ସ୍ୱତନ୍ତ୍ର ଦାୟିତ୍ୱଦେଇ ଦଙ୍ଗା ସୃଷ୍ଟିକାରୀମାନଙ୍କୁ ଚାପପକାଇ ନିୟନ୍ତ୍ରିତ କରିପାରି ଥାନ୍ତେ । ଲକ୍ଷ୍ମଣାନନ୍ଦଙ୍କ ଶବକୁ ୨୦୦କି.ମି ଶୋଭାଯାତ୍ରା କରି ଆଣିବାପାଇଁ ଅନୁମତି ଦେଇ ନଥାନ୍ତେ । ରାଜ୍ୟବାସୀଙ୍କୁ ସ୍ୱତନ୍ତ୍ରଭାବେ ଗଣମାଧ୍ୟମ ଜରିଆରେ ଆବେଦନ କରି ମୁଖ୍ୟମନ୍ତ୍ରୀ ନିଜେ କହି ପାରିଥାନ୍ତେ ଯେ, ହତ୍ୟାକାଣ୍ଡର ଆସାମୀଙ୍କୁ ଧରିବା ପାଇଁ ସେ ବିଶେଷ ଉଦ୍ୟମ କରୁଥିବା ଦୃଷ୍ଟିରୁ ଜନସାଧାରଣ କାହାକଥାରେ ନପଡ଼ି ଧୈର୍ଯ୍ୟ ରଖନ୍ତୁ ।
ମୁଖ୍ୟସ୍ରୋତରେ ଥିବା ରାଜନୈତିକ ଦଳମାନଙ୍କର ଭୂମିକା ବି ଅତି ନିନ୍ଦନୀୟ । ରାଜ୍ୟର ପ୍ରମୁଖ ବିରୋଧୀ ଦଳ କଂଗ୍ରେସର ଅଧିକାଂଶ ସ୍ଥାନୀୟସ୍ତରର ନେତା ସଂଘ ପରିବାର ସହ ଅଛନ୍ତି । ସେଥିପାଇଁ ହିଂସାକୁ ରୋକିବାପାଇଁ କନ୍ଧମାଳର ଯେଉଁସବୁ ଅଞ୍ଚଳରେ କଂଗ୍ରେସର ପ୍ରଭାବ ଅଛି, ସେସବୁ ସ୍ଥାନରେ ମଧ୍ୟ ସମ୍ଭବ ହୋଇପାରିନାହିଁ । ଅତୀତରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ଯେତେସବୁ ଯଜ୍ଞ ଆୟୋଜନ କରିଥିଲେ, କଂଗ୍ରେସର ସ୍ଥାନୀୟ ନେତାମାନେ ସେବୁକୁ ସଫଳ କରିବାପାଇଁ ସକ୍ରିୟ ସହଯୋଗ ଦେଇ ଆସିଥିଲେ । ଗୁଜୁରାଟ ଦଙ୍ଗା ଓ ତା’ପରବର୍ତ୍ତୀ ପର୍ଯ୍ୟାୟରେ କଂଗ୍ରେସ ଦଳର ଭୂମିକା ଯାହାଥିଲା, ଓଡ଼ିଶାରେ ବି କଂଗ୍ରେସର ଭୂମିକା ସେଭଳି ହେବ, କଂଗ୍ରେସ ତାହା ପ୍ରମାଣିତ କରିଚାଲିଛି । କନ୍ଧମାଳର କୁଇସମାଜର ସଭାପତି ଲମ୍ବୋଦର କହଁର ସଂଘ ପରିବାରକୁ ଅତୀତରେ ଯାହା ସାହାଯ୍ୟ ଓ ସହଯୋଗ କରିଆସିଛନ୍ତି, ତା’ର ପରିଣାମ କିଭଳି ଭୟଙ୍କର ରୂପ ନେଉଛି, ସେ ଦେଖିପାରୁଥିବେ ନିଶ୍ଚୟ । ତାଙ୍କଭିତରେ ରାଜନୈତିକ ଆକାଂକ୍ଷା ଭର୍ତ୍ତିକରି ତାଙ୍କ ସହ ସମ୍ପର୍କର ଫାଇଦା ନେବାପାଇଁ ସଂଘପରିବାର ଚେଷ୍ଟା କରିଆସିଛି । ଯଦିଓ କୁଇସମାଜର ଅବଶିଷ୍ଟ ନେତୃବର୍ଗ ସଂଘ ଆଦର୍ଶରେ ସମାନ ଭାବେ ଅନୁପ୍ରାଣିତ ହୋଇନାହାନ୍ତି । କୁଇ ସମାଜରେ ହିନ୍ଦୁ ଆଦିବାସୀ ଓ ଖ୍ରୀଷ୍ଟୀୟ ଆଦିବାସୀ ଅଛନ୍ତି । କିନ୍ତୁ କୁଇସମାଜ ବେଶୀ ହିନ୍ଦୁ ଆଦିବାସୀମାନଙ୍କର, ଏଭଳି ଏକ ଧାରଣା ଲମ୍ବୋଦର ବାବୁ ସୃଷ୍ଟିକରି ଆସିଛନ୍ତି । ଗତବର୍ଷ ଡିସେମ୍ବର ୨୫ (ବଡ଼ଦିନ) ଓ ଡିସେମ୍ବର୨୬, ୨୦୦୭ରେ କୁଇସମାଜ ତରଫରୁ ବନ୍ଦଡାକରା ଦେବା ଏହାର ଏକ ନମୁନା ।
କନ୍ଧମାଳ ଜିଲ୍ଳାରେ ଆଦିବାସୀ ଓ ଦଳିତଙ୍କ ଜନସଂଖ୍ୟା ଯେତିକି ବଢ଼ୁଛି, ସେ ଅନୁପାତରେ ଜିଲ୍ଲାବାହାର ଲୋକମାନଙ୍କ ସଂଖ୍ୟା ୪୦ବର୍ଷ ଭିତରେ ୧୪୦ଭାଗ ବୃଦ୍ଧି ପାଇଛି । ଏହିମାନେ (ଯଥା କୁମୁଟି, କରଣ, ବ୍ରାହ୍ମଣ, ତେଲି, ଖଣ୍ଡାୟତ ଇତ୍ୟାଦି) ଆଦିବାସୀ ଓ ଦଳିତଙ୍କୁ ନେଇ ବେପାର ବଣିଜ କରିଆସିଛନ୍ତି । ସେମାନଙ୍କର ଶୋଷଣର କାହାଣୀ ଏଠି ନ କହିବା ଭଲ । ଜିଲ୍ଲାର ଅଧିକାଂଶ ଭଲ ଜମି ଏବେ ଏହି ଲୋକମାନଙ୍କ ହାତରେ ବୋଲି ଅଭିଯୋଗ ହୋଇଆସିଛି । ବାହାରୁ ଆସିଥିବା ଏହି ସମୁଦାୟ ହିଁ ସଂଘ ପରିବାରକୁ ଭିତ୍ତିଭୂମି ଯୋଗାଇ ଆସିଛନ୍ତି । ଯେତେବେଳେ ବି କନ୍ଧମାଳରେ ସାମ୍ପ୍ରଦାୟିକ ହିଂସା ହେଉଛି ଏମାନଙ୍କର ଭୂମିକା ଏବଂ ବାହାର ଜିଲ୍ଲାରୁ ଆସି ଏମାନଙ୍କୁ ସହଯୋଗ କରୁଥିବା ସଂଘ ପରିବାର କର୍ମୀଙ୍କର ଭୂମିକାକୁ ସମୀକ୍ଷାକରି ଉପଯୁକ୍ତ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ ।
ଅଗଷ୍ଟ ୨୫ତାରିଖରେ ବନ୍ଦବେଳେ ଯେଉଁଭଳି ଭାବେ ରାଜ୍ୟର ଗୁଣ୍ଡାବାହିନୀ ସଂଘ ପରିବାରପାଇଁ କାମରେ ଲାଗିଲେ ଏବଂ ସେମାନଙ୍କୁ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ଶିକ୍ଷକମାନେ ସହଯୋଗ କଲେ, ବିଜେପି ଯଦି ପ୍ରକୃତରେ ଶାସନକୁ ଆସେ, ଆମର ଅବସ୍ଥା କ’ଣହେବ, ତାହା ସୂଚାଇ ଦେଉଛି । ଏହି ଶିକ୍ଷକମାନେ ଆମର ହଜାର ହଜାର ପିଲାଙ୍କର ଭବିଷ୍ୟତ ଓ ଚରିତ୍ର ନିର୍ମାଣ କରିବେ । ଘୃଣା ଓ ହିଂସାର ପ୍ରସାର କରୁଥିବା ଲୋକମାନଙ୍କୁ ଆମେ କ’ଣ ଶିକ୍ଷକ କହିପାରିବା? ଗଣମାଧ୍ୟମ ବି ଯେଭଳି ବନ୍ଦଟିକୁ ଚିତ୍ରଣ କଲା, ଜଣାପଡ଼ୁଥିଲା ସମସ୍ତେ ବିଜେପିର ନିର୍ବାଚନ ପ୍ରଚାରରେ ଆଗରୁ ଲାଗିପଡ଼ୁଛନ୍ତି । ଦାୟିତ୍ୱହୀନ ସାମ୍ବାଦିକଙ୍କ ପାଇଁ ଆମରାଜ୍ୟର ଭଲ ଖ୍ୟାତିଅଛି । ଅଗଷ୍ଟ ୨୩ ଓ ଅଗଷ୍ଟ ୨୫ର ଘଟଣାବଳୀର ବିବରଣୀଗୁଡ଼ିକୁ ପଢ଼ିଲେ ଏକଥା ଯେକୌଣସି ବ୍ୟକ୍ତି ଜାଣିପାରିବେ ।
କନ୍ଧମାଳର ପାଖ ଜିଲ୍ଳାମାନଙ୍କରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ଗାଁ ଓ ଘର ଛାଡ଼ି ଶରଣ ପଶିଛନ୍ତି । କେତେକ ଗ୍ରାମର ହିନ୍ଦୁମାନେ ତାଙ୍କୁ ଆଶ୍ରୟ ଓ ଖାଦ୍ୟପେୟ ଦେଇ ପ୍ରକୃତ ହିନ୍ଦୁର ପରିଚୟ ଦେଇଛନ୍ତି । ସମଗ୍ର ମାନବସମାଜର ସେମାନେ ନମସ୍ୟ । କନ୍ଧମାଳରେ କିଛି ହିନ୍ଦୁ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ସଂଘପରିବାରର ହିଂସାର ଶିକାର ହୋଇ ଜୀବନ ଦେଇଛନ୍ତି । ସମ୍ପାଦକ ନିଜେ ଅନେକ ହିନ୍ଦୁଙ୍କର ଟେଲିଫୋନ୍ ପାଇଛନ୍ତି, ଯେଉଁଥିରେ ସଂଖ୍ୟାଲଘୁଙ୍କର ଜୀବନର ସୁରକ୍ଷାପାଇଁ ଆକୁଳ ନିବେଦନ କରାଯାଇଛି । ହଜାରହଜାର ଲୋକ ଗୃହଶୂନ୍ୟ ହେବା, ଆତଙ୍କ ଭିତରେ ଛୋଟ ଛୋଟ ପିଲାଙ୍କୁ ନେଇ ଅଖିଆ ଅପିଆ ବଣ ଜଙ୍ଗଲରେ ଲୁଚି ରହିବା ବା ଦୂରଦୂରାନ୍ତର ଅଜ୍ଞାତ ସ୍ଥାନକୁ ଚାଲିଯିବା କନ୍ଧମାଳ ଜିଲ୍ଳାର ଅଧିକାଂଶ ହିନ୍ଦୁଙ୍କୁ ବ୍ୟଥିତ କରିଛି । ସେଥିପାଇଁ ଯେକେହି ବି ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟାକରିଛି, ନିରୀହ ଲୋକମାନଙ୍କ କଥା ଭାବିବା ଉଚିତ ଥିଲା ବୋଲି ସେମାନେ ମନେ କରନ୍ତି । ଏମାନେ ସମସ୍ତେ ପ୍ରକୃତ ହିନ୍ଦୁ ନା ଯେଉଁମାନେ ହିଂସା ଓ ଘୃଣାର ପ୍ରତିନିଧି ସାଜି ସଂଘ ପରିବାରର ବାନାଧରି ରକ୍ତପାତ ସୃଷ୍ଟି କରି ଚାଲିଛନ୍ତି, ସେମାନେ ହିନ୍ଦୁ? ହିନ୍ଦୁମାନେ କେବେ ବି ହିନ୍ଦୁଧର୍ମର ସୁରକ୍ଷାର ଠିକା ସଂଘ ପରିବାରକୁ ଦେଇନାହାନ୍ତି ।”
ଏହି କଥା ଏବକାର ନୁହଁ । ଆମେ ଏହି ଲେଖାଟି ‘ସ୍ୱାମୀ ଲକ୍ଷ୍ମଣାନନ୍ଦ’ଙ୍କ ହତ୍ୟା ପରବର୍ତ୍ତୀ ଅବସ୍ଥା ତଥା କନ୍ଧମାଳର ବର୍ବର ହିଂସାକାଣ୍ଡ ଦେଖିବାପରେ ଲେଖିଥିଲୁ (ସମଦୃଷ୍ଟିର ୧-୧୫ ସେପ୍ଟେମ୍ବର ୨୦୦୮) । ସେତେବେଳେ ମଧ୍ୟ ଆମେ ବି ଦାବି କରିଥିଲୁଯେ ‘ସ୍ୱାମୀ ଲକ୍ଷ୍ମଣାନନ୍ଦ’ଙ୍କ ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ହେଉ । ହତ୍ୟାକାରୀର ଅସଲ ଉଦେ୍ଦଶ୍ୟ କ’ଣଥିଲା ସାମ୍ନାକୁ ଆସୁ । ଦୋଷୀ ଦଣ୍ଡପାଉ । କିନ୍ତୁ ଧର୍ମାନ୍ତରୀକରଣ ଓ ପୁନଃଧର୍ମାନ୍ତରୀକରଣକୁ ନେଇ ଓଡ଼ିଶାର ଦୁଇସମ୍ପ୍ରଦାୟ ଭିତରେ ଯେଉଁ ଉତ୍ତେଜନା ସୃଷ୍ଟି କରାଯାଉଛି, ତାହାର ବି ନିରପେକ୍ଷ ତଦନ୍ତ ହେଉ ଏବଂ ବଳପୂର୍ବକ ଧର୍ମାନ୍ତରୀକରଣ ଓ ପୁନଃଧର୍ମାନ୍ତରୀକରଣକୁ ବନ୍ଦ କରାଯାଉ । ଆମେ ମଧ୍ୟ ଏହି କଥା ବି କହିଥିଲୁଯେ ଏସବୁ କଥା ନବୀନ ସରକାର ଯେ କରିପାରିବେ, ଆମର ବିଶ୍ୱାସ ନାହିଁ । ତାହା ପ୍ରମାଣିତ ମଧ୍ୟ ହେଲା । ସରକାର ଯଦିଓ ତୁରନ୍ତ ନ୍ୟାୟପାଇଁ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା କଲେ ଏବଂ ଅନେକ ଦିନଧରି ବିଚାର ଚାଲିଲା କିନ୍ତୁ ଦୁର୍ବଳ ଚାର୍ଜସିଟ୍ ଓ ସାକ୍ଷୀମାନେ ନ ଆସିବା ବା ପକ୍ଷ ବଦଳାଇବା ଯୋଗୁଁ ଅଧିକାଂଶ ମାମଲାରେ ସମ୍ପୃକ୍ତ ଅପରାଧିମାନେ ମୁକ୍ତ ହୋଇଯାଇଥିଲେ । ଏହି ସଂଖ୍ୟାଲଘୁ ବିରୋଧି ହିଂସାର ଅନୁସନ୍ଧାନ ପାଇଁ ଗଠିତ ନ୍ୟାୟମୂର୍ତ୍ତି ଏ.ଏସ୍.ନାଇଡ଼ୁ କମିଶନ ଓ ପରବର୍ତ୍ତୀ ଅବସ୍ଥାରେ ତାଙ୍କଠାରୁ ଦାୟିତ୍ୱ ନେଇଥିବା ନ୍ୟାୟମୂର୍ତ୍ତି ବାସୁଦେବ ପାଣିଗ୍ରାହୀ କମିଶନ ୨୦୧୫ରେ ନିଜର ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ ତାହା ଲୋକଲୋଚନକୁ ଆସିନଥିଲା । ନ୍ୟାୟମୂର୍ତ୍ତି ଶ୍ରୀ ପାଣିଗ୍ରାହୀ କେବଳ ପ୍ରେସ୍ ଆଗରେ କିଛି ମତ ରଖିଥିଲେ ।
ଆଜି ଯେତେବେଳେ ମୋହନ ସରକାର କ୍ଷମତାରେ ଅଛନ୍ତି ଏବଂ ସଂଖ୍ୟାଲଘୁମାନେ ଏକ ପ୍ରକାର ଆଶଙ୍କା ଭିତରକୁ ଆସିଯାଇଛନ୍ତି ଠିକ୍ ସେତିକିବେଳେ ଆମେ ପୂର୍ବରୁ ଦେଇଥିବା ଚେତାବନୀ ପୁଣିଥରେ ମନେପକାଇ ଦେବା ଉଚିତ୍ ମନେହେଉଛି । ଆମେ ସେତେବେଳେ ବି କହିଥିଲୁଯେ, “ରାଜ୍ୟର ପ୍ରଗତିଶୀଳ-ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ସଂଖ୍ୟା ମଧ୍ୟ କମି କମି ଚାଲିଛି । ଏଭଳି ସାମ୍ପ୍ରଦାୟିକ ହିଂସାର ତତ୍କ୍ଷଣିକ ପ୍ରତିବାଦ କରିବାପାଇଁ ରାଜ୍ୟର କେହି ଆଗକୁ ଆସୁନାହାନ୍ତି ।”
ଜୁଲାଇ ୨୦୨୫ ଶେଷ ସପ୍ତାହର ବ୍ରାହ୍ମଣୀଗାଁ ସାମ୍ପ୍ରଦାୟିକ ଉତ୍ତେଜନା ପରେ ଆମର ଯେଉଁ ଗସ୍ତଟି ହୋଇଥିଲା ତାହାର ଏକ ସଂକ୍ଷିପ୍ତ ବିବରଣୀ ପରବର୍ତ୍ତୀ ସଂଖ୍ୟାରେ ପ୍ରକାଶ ପାଇବ । ତେବେ ମୋଟାମୋଟି ଭାବେ କହିବାକୁ ଗଲେ ଯଦିଓ କନ୍ଧମାଳରେ ପରିସ୍ଥିତି ଶାନ୍ତ ଲାଗୁଛି ଏବଂ ଅନେକ ୨୦୦୮ ହିଂସାରେ ଅନ୍ୟମାନଙ୍କ ଉସୁକାଣରେ ସାମିଲ୍ ହୋଇଥିବା ଲୋକମାନଙ୍କର ହୃଦୟ ପରିବର୍ତ୍ତନ ହେଲାଭଳି ଲାଗୁଛି ଏବଂ ଏମିତି କି ଲମ୍ବୋଦର କହଁରଙ୍କ ଭଳି ନେତୃତ୍ୱ ସଂଘ ପରିବାରର ଚକ୍ରବ୍ୟୁହରୁ ବାହାରି ଆସି କୁଇ ସମାଜକୁ ଏକ ନୂତନ ଓ ସ୍ୱାଧିନ ପରିଚୟ ଦେବାପାଇଁ ପ୍ରଚେଷ୍ଟା କରୁଛନ୍ତି ବୋଲି ଅନ୍ୟ ଆଦିବାସୀ ନେତା ମାନେ ଅନୁଭବ କରୁଛନ୍ତି, ତଥାପି ସେହି ହିଂସାକାଣ୍ଡରେ ନିଜ ଆତ୍ମୀୟସ୍ୱଜନ, ନିଜ ଗାଁ ଓ ଘରବାଡ଼ି ହରାଇ ବିସ୍ଥାପିତ ହୋଇଥିବା ଲୋକମାନଙ୍କର ମନରେ ଏବେ ବି ଏକ ପ୍ରକାର ଆତଙ୍କିତ ଭାବନା ବସାବାନ୍ଧି ରହିଛି । ବର୍ତ୍ତମାନର ଶାନ୍ତ ଅବସ୍ଥାକୁ ଚର୍ଚ୍ଚସହିତ ସଂପୃକ୍ତ ସଂଖ୍ୟାଲଘୁ ନେତାମାନେ ସ୍ୱାଭାବିକ ଭାବେ ଗ୍ରହଣ କଲାଭଳି କଥା ମଧ୍ୟ କହୁଛନ୍ତି କିନ୍ତୁ ସେଥିରେ ବିଶ୍ୱାସ କମ୍ଥିଲା ଭଳି ମନେ ହେଉଛି ।
ଆମର ଆଶା ଓ ବିଶ୍ୱାସ ସରକାର କନ୍ଧମାଳର ସମ୍ବେଦନଶୀଳତାକୁ ଓ ସ୍ପର୍ଶକାତର ସ୍ଥିତିକୁ ଗୁରୁତ୍ୱର ସହିତ ନେଇ ଦୁଇ ସମ୍ପ୍ରଦାୟ ପ୍ରକୃତରେ କେମିତି ଶାନ୍ତି ଓ ସଦ୍ଭାବନା ଭିତରେ ରହି କାମ କରିବେ ସେଥିପାଇଁ ଆନ୍ତରିକ ଉଦ୍ୟମ କରିବେ । ସାମ୍ପ୍ରଦାୟିକ ହିଂସା ବା ବିଦ୍ୱେଷ ଯେଭଳି ନ ବଢ଼ିବ, ସେଥିପାଇଁ ଅନ୍ୟ ସମସ୍ତ ରାଜନୈତିକ ନେତୃତ୍ୱ, ନାଗରିକ ସାମାଜ ଓ ବୁଦ୍ଧିଜୀବୀ ମାନେ ପ୍ରୟାସ କରିବା କଥା । ତେବେ ଗସ୍ତ ସମୟରେ ଆମ୍ବେଦକରବାଦୀମାନଙ୍କର ଆଶା ସୃଷ୍ଟିକଲା ଭଳି କିଛି ପ୍ରୟାସ ଆମର ଦୃଷ୍ଟି ଆକର୍ଷଣ କରିଥିଲା । ସେହି ସମ୍ପର୍କରେ ପରବର୍ତ୍ତୀ ଭାଗରେ ଆମେ ଲେଖିବା ପାଇଁ ପ୍ରୟାସ କରିବୁ ।
(ଏହି ଲେଖାଟି ଏବଂ ପରେ ପ୍ରକାଶ ପାଇବାକୁ ଥିବା ଲେଖାଟିକୁ ପ୍ରସ୍ତୁତ କରିବା ଓ କନ୍ଧମାଳ ଗସ୍ତ ସମୟରେ ସାକ୍ଷାତ୍କାର ସଂଗ୍ରହ କରିବାରେ ସାହାଯ୍ୟ କରିଥିବା ମୋର ସମ୍ପାଦକୀୟ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଉଛି)
(bighneswarsahu@gmail.com)
Comments
0 comments