ବ୍ୟକ୍ତିଗତ ବୋଲି ଆଉ କିଛି ନାହିଁ

4 Min Read

କିଛିବର୍ଷ ପୂର୍ବରୁ ବି ଅଧିକାଂଶ ଘରେ ଗୋଟେ ଅଲିଖିତ ନିୟମ ଥିଲା ଯେ ସେ ଘରର ଗୃହସ୍ୱାମୀ, ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ଛଡ଼ା ଅନ୍ୟ କେହି ତାଙ୍କ ଶୋଇବାଘରେ ପଶିବେ ନାହିଁ । ଧିରେ ଧିରେ ଏ ନିୟମ ଶିଥିଳ ହେଲା । ଘନିଷ୍ଠମାନେ ବି ଜରୁରୀ ପ୍ରୟୋଜନରେ ସେ ଘରେ ପ୍ରବେଶର ସୁଯୋଗ ପାଇଲେ ।

ସମୟକ୍ରମେ ନିୟମଗୁଡିକ ବିଲୁପ୍ତ ହୋଇଗଲା । ପରିଚିତମାନେ ସେଠି ବସି ଆଡ୍ଡାଦେବା ଗୋଟେ ସଂସ୍କୃତି ହୋଇଗଲା । କିନ୍ତୁ ଏବେ କପଲ୍ ବ୍ଲଗ, ଫାମିଲି ବ୍ଲଗ୍ ନାମର ଭିଡିଓ ଏବଂ ସୋସିଆଲ ମିଡିଆର ରିଲ୍ ଇତ୍ୟାଦିର ବ୍ୟାପକ ପ୍ରଚଳନରେ ‘ବ୍ୟକ୍ତିଗତ’ ଶବ୍ଦଟା ବିଲୁପ୍ତ ହେବାକୁ ବସିଲାଣି ।

ସାମାଜିକ ଗଣମାଧ୍ୟମରେ ଭିଡିଓ ତିଆରି କରିବା ଏବଂ ପ୍ରସାରିତ କରିବା ଯେବେଠୁଁ ସହଜ ହେଲା – ଲୋକେ ନିଜ ବ୍ୟକ୍ତିଗତ ଜୀବନକୁ ସାର୍ବଜନୀନ କରିବାକୁ ଲାଗିଲେ । ଅନ୍ୟର ବ୍ୟକ୍ତିଗତ ଜୀବନକୁ ଦେଖିବାର ନିଶାରେ ବହୁ ଲୋକ ଏହାକୁ ଦେଖିବାକୁ ଲାଗିଲେ । ସାମାଜିକ ଗଣମାଧ୍ୟମ ପ୍ରସାରଣ ମଞ୍ଚଗୁଡ଼ିକ ଆହୁରି ଅଧିକ ଲୋକଙ୍କୁ ଆକର୍ଷିତ କରିବା ପାଇଁ (ଯେଉଁଥିରେ ସେମାନଙ୍କ ବ୍ୟାବସାୟିକ ସ୍ୱାର୍ଥ ବି ନିହିତ ରହିଛି) ବିଭିନ୍ନ ବ୍ୟବସ୍ଥା କରିବାକୁ ଲାଗିଲେ । ଯେଉଁମାନେ ଏ ପ୍ରକାର ଭିଡିଓ ତିଆରି ଓ ପ୍ରସାରଣ କରୁଛନ୍ତି ସେମାନଙ୍କୁ ଅର୍ଥଦେବାର ବ୍ୟବସ୍ଥା କଲେ । ଏହା ସୁନାରେ ସୁହାଗା ପରି କାମ କଲା ।

ପ୍ରଥମ ପ୍ରଥମ ନିଜର ବ୍ୟକ୍ତିଜୀବନ ଦେଖେଇ ଫଲୋୟର; ଆକୃଷ୍ଟ କରାହେବାର ଗୋଟେ ଚଳଣି ଚାଲିଲା । ତାପରେ ଫଲୋୟର ସଂଖ୍ୟା ବୃଦ୍ଧି କରିବାପାଇଁ ସେମାନଙ୍କୁ ସୁଖର ବିଜ୍ଞାପନ ଦେବାକୁ ପଡିଲା । ଫଲୋୟରମାନଙ୍କୁ ଧରି ରଖିବାପାଇଁ ନାନା ରଙ୍ଗ ଓ ଢଙ୍ଗର ସୁଖ ଉପସ୍ଥାପନ କରିଯିବାକୁ ପଡିଲା । ଗୋଟେ ସମୟରେ ଦର୍ଶକମାନେ ଏ ସୁଖ ଦେଖିଦେଖି ଯେତେବେଳେ ବୋର ହୋଇଗଲେ ସେତେବେଳେ ସେମାନଙ୍କ ସାମ୍ନାରେ ଦୁଃଖର ବିଜ୍ଞାପନ ମଧ୍ୟ କରିବାପାଇଁ ପଡ଼ିଲା । ସେ ପୁଣି କୌଣସି କଠିନ ବା ଗଭୀର ଦୁଃଖ ନୁହଁ । ‘ସେ ମୋ ଉପରେ ରାଗିଛି’, ‘ମୋ ଉପରେ ଅଭିମାନ କରିଛି’- ଏହିଭଳି ରୋମାଣ୍ଟିକ୍ ଦୁଃଖ ।

ଭାବିଦେଖନ୍ତୁ ଆପଣ କୌଣସି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପର୍ଯଟନ କ୍ଷେତ୍ରକୁ ବୁଲି ଯାଇଛନ୍ତି । ସେ ଜାଗାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ଆନନ୍ଦରେ ଉଚ୍ଛ୍ୱସିତ ହେଉନାହାନ୍ତି, ଆପଣ ଉଚ୍ଛ୍ୱସିତ ହେଉଛନ୍ତି କ୍ୟାମେରା ସାମ୍ନାରେ । ଉଦ୍ଦେଶ୍ୟ ଯେଉଁମାନେ ସାମାଜିକ ଗଣମାଧ୍ୟମରେ ଆପଣମାନଙ୍କୁ ଦେଖିବେ ସେମାନଙ୍କୁ ଦେଖେଇବା । ସେମାନଙ୍କୁ ଏକଥା ବୁଝେଇବା ଯେ ଏ ଯେଉଁମାନେ କ୍ୟାମେରା ସାମ୍ନାରେ ଅଛନ୍ତି ସେମାନେ ସାଧାରଣ ମଣିଷ; କିନ୍ତୁ ସେମାନଙ୍କର କୌଣସି ଦୁଃଖ ନାହିଁ, ହତାଶା ନାହିଁ ବିଫଳତା ନାହିଁ, ଭୁଲ ନାହିଁ । ଅଛି କେବଳ ସୁଖ ଆଉ ସୁଖ ।

ଏଭଳି ଯେଉଁମାନେ କରୁଛନ୍ତି ସେମାନେ କ’ଣ ପାଇଁ ଏ କାମଟି କରୁଛନ୍ତି? ଟଙ୍କା ପାଇଁ, ଖ୍ୟାତି ପାଇଁ? ନା, ଏଠି ଗୋଟେ ଅଦ୍ଭୁତ ମନସ୍ତତ୍ତ୍ୱ କାମ କରୁଛି । ମିଥ୍ୟାର ଜୀବନରେ ଅଭ୍ୟସ୍ତ ଏସବୁ ମଣିଷମାନେ ଗୋଟେ ପ୍ରକାର ଡେଲ୍ୟୁଜନ ଭୋଗୁଛନ୍ତି ନିଜକୁ ଅତିମାନବ(ସୁପର ହ୍ୟୁମାନ) ଭାବୁଛନ୍ତି । ସେମାନେ ମନେ କରୁଛନ୍ତି ଯେ ଲକ୍ଷ ଲକ୍ଷ ମଣିଷ ସେମାନଙ୍କର ବ୍ୟକ୍ତିଗତ ଜୀବନଦ୍ୱାରା ନିୟନ୍ତ୍ରିତ ହେଉଛନ୍ତି । ସେଥିପାଇଁ ସେମାନେ ଦର୍ଶକମାନଙ୍କୁ ଏ ଅଭିନୀତ ଜୀବନ ନ ଦେଖେଇଲେ ଅସଂଖ୍ୟ ମଣିଷ ହୁଏତ ମନକଷ୍ଟ କରିବେ । ସେଥିପାଇଁ ଫଲୋୟରମାନଙ୍କ ପାଇଁ ଏମାନେ କଣ୍ଟେଟ କ୍ରିଏଟ କରନ୍ତି ଏବଂ ନିୟମିତ ଭିଡିଓ ପୋଷ୍ଟ କରନ୍ତି । କିନ୍ତୁ ଏ ମିଥ୍ୟା ଜୀବନର ବୋଝ ବୋହିବା ସହଜ କଥା ନୁହଁ । ତେଣୁ ଗୋଟେ ସମୟରେ ଏ ବୋଝ ବୋହି ନପାରି କେହି କେହି ନିଜର ଅସଲ ସତ୍ୟଟା ପ୍ରକାଶ କରିପକାନ୍ତି । ସେତେବେଳେ ଜଣାଯାଏ ଯେ ଏମାନେ ଅସଲରେ ଯାହା ଦେଖେଇଛନ୍ତି ତାହା ସତ୍ୟ ନୁହଁ ।

ଉଦାହରଣସ୍ୱରୂପ ଅଭିନେତା ଅଭିନେତ୍ରୀମାନଙ୍କର ରୋମାନ୍ସ, ପ୍ରେମ, ବାହାଘର, ହନିମୁନର ଫେଜ୍ ଏହାକୁ ନେଇପାରନ୍ତି । ତାପରେ ଗୋଟେ ସମୟରେ ସେମାନଙ୍କର ବିଛେଦ ବି ହୋଇଯାଏ । ପରସ୍ପର ପରସ୍ପରକୁ ଗାଳିଗୁଲଜ ମଧ୍ୟ କରନ୍ତି । ସିଏ ବି ସାମାଜିକ ଗଣମାଧ୍ୟମରେ ସମସ୍ତଙ୍କୁ ସାମ୍ନାରେ ଦେଖେଇବା ପାଇଁ । ସମସ୍ୟାଟା ହେଲା ଯେ ଜଣେ ବ୍ୟକ୍ତି ତା ଜୀବନକୁ ସାର୍ବଜନୀନ କରିବା ଫଳରେ ସେମାନେ ନିଜେ ଯେମିତି କ୍ଷତିଗ୍ରସ୍ତ ହୁଅନ୍ତି, ତା ସାଙ୍ଗକୁ ଏସବୁ ମିଥ୍ୟା ଜୀବନରେ ବିଶ୍ୱାସ କରୁଥିବା ମଣିଷମାନେ ମଧ୍ୟ କ୍ଷତିଗ୍ରସ୍ତ ହୁଅନ୍ତି । ମଣିଷ ପ୍ରତି ମଣିଷର ଆସ୍ଥା, ବିଶ୍ୱାସ, ସମ୍ମାନବୋଧ, ଭରସା ଭଳି ସୁନ୍ଦର ସମ୍ପର୍କ ଗୁଡ଼ାକ କ୍ରମଶଃ ନଷ୍ଟ ହୋଇଯାଏ । ସୃଷ୍ଟି ହୁଏ ଜଟିଳତା, ମାନସିକ ସମସ୍ୟା ଏବଂ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ଜୀବନବୋଧ ।

ମଣିଷ ବୋଧହୁଏ ଭୁଲିଯାଉଛି ଯେ ସବୁକିଛି ସାର୍ବଜନୀନ କରିବା ଦରକାର ନାହିଁ । ଉଚିତ୍ ବି ନୁହଁ । ସମ୍ପର୍କର ଗୋପନ ବିଷୟଗୁଡାକ ଯେତେବେଳଯାଏଁ ବ୍ୟକ୍ତିଗତ ରହେ, ସେତେବେଳଯାଏଁ ତାହା ସୁନ୍ଦର ରହେ । ଯେତେବେଳେ ତାହା ସାର୍ବଜନୀନ ହୋଇଯାଏ ସେତେବେଳେ ତାହା ଅନ୍ୟମାନଙ୍କର ବିନୋଦନ ଓ ମନୋରଞ୍ଜନର ଶସ୍ତା ଉତ୍ସରେ ପରିଣତ ହୁଏ । ବ୍ୟକ୍ତିଗତ ସମ୍ପର୍କ ସୁନ୍ଦର ରଖିବାର ପ୍ରଥମ ସୂତ୍ର ହେଲା ବ୍ୟକ୍ତିଗତକୁ ସାର୍ବଜନୀନ କରିବା ଉଚିତ୍ ନୁହଁ । ଆଉ ସର୍ବସାଧାରଣଙ୍କୁ କେବେ ବି ବ୍ୟକ୍ତିଗତ ଜଗତରେ ପ୍ରବେଶ କରେଇବା ଉଚିତ୍ ନୁହଁ ।

ସରଳ କଥା, କିନ୍ତୁ ବଡ଼ ଗଭୀର କଥା ।

Download 1

ଡଃ ମୃଣାଳ ଚାଟ୍ଟାର୍ଜୀ

Comments

0 comments

Share This Article