ଜର୍ଜ ଅରୱେଲଙ୍କ ଲେଖା ‘୧୯୮୪’ (ନାଇନଟିନଏଇଟିଫୋର) ଉପନ୍ୟାସଟି ପ୍ରକାଶ ପାଇଥିଲା ୧୯୪୯ ମସିହା ଜୁନ ୮ ତାରିଖରେ । ଏହା ଏକ ଅନନ୍ୟ ରାଜନୈତିକ କଳ୍ପ-କାହାଣୀ, ଯାହା ସମୟକୁ ଅତିକ୍ରମ କରି ଆଜି ମଧ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରସଙ୍ଗିକ ହୋଇ ରହିଛି ।
ଏ ବହିଟି ବିଷୟରେ କିଛି କହିବା ପୂର୍ବରୁ ଜର୍ଜ ଅରୱେଲଙ୍କ ସମ୍ପର୍କରେ କିଛି କଥା । ତାଙ୍କର ଅସଲ ନାଁ ହେଲା ଏରିକ ଆର୍ଥର ବ୍ଲେୟାର । ତାଙ୍କ ଛଦ୍ମ ନାମ । ତାଙ୍କର ଜନ୍ମ ବର୍ତ୍ତମାନ ବିହାରର ମୋତିହାରିରେ । ୨୫ ଜୁନ ୧୯୦୩ରେ । ତାଙ୍କ ବାପା ଥିଲେ ଭାରତରେ ବ୍ରିଟିଶ ସରକାରଙ୍କ ମଝି ପାହ୍ୟା କର୍ମଚାରୀ । ତାଙ୍କ ଛାତ୍ରଜୀବନ ଖୁବ ସୁଖର ନ ଥିଲା । ତେବେ ତାଙ୍କ ଲେଖକୀୟ ଜୀବନର ସ୍ଫୁରଣ ସ୍କୁଲବେଳୁ ହୋଇଥିଲା । ତେବେ ସ୍କୁଲ ପାଠ ଶେଷ ନ କରି ସେ ୧୯୨୨ରେ ଚାକିରୀ କରିବାକୁ ଚାଲିଗଲେ ବର୍ମା (ବର୍ତ୍ତମାନ ମିଆଁମାର) । ପୋଲିସ ବିଭାଗରେ ଚାକିରିକଲେ ସେ । ପାଞ୍ଚ ବର୍ଷର ପୋଲିସ ବିଭାଗରେ ଚାକିରି କଲେ ସେ । ପାଞ୍ଚବର୍ଷର ପୋଲିସ ଚାକିରିରେ ସେ ବୁଝିପାରିଲେ ବ୍ରିଟିଶ ସରକାର କେମିତି ବର୍ମାର ଜନସାଧାରଣଙ୍କୁ ସେମାନଙ୍କ ଇଛା ବିରୁଦ୍ଧରେ ଶାସନ କରୁଛନ୍ତି । କ୍ରମଶଃ ତାଙ୍କ ମନ ଭିତରେ ସାମ୍ରାଜ୍ୟବାଦ ଏବଂ ଏକଛତ୍ରବାଦ ବିରୁଦ୍ଧରେ ବିକ୍ଷୋଭ ଦାନା ବାନ୍ଧିବାକୁ ଲାଗେ । ୧୯୨୭ରେ ସେ ଛୁଟିରେ ଆସନ୍ତି ଇଂଲଣ୍ଡ, ଆଉ ଫେରନ୍ତି ନାହିଁ । ସେଇବର୍ଷର ଦ୍ୱିତୀୟାର୍ଦ୍ଧରୁ ସେ ଭ୍ୱଘୁରେ (ବୋହେମିଆନ) ଜୀବନ ବାଛିନେଲେ । ଲଣ୍ଡନ ଏବଂ ପ୍ୟାରିସର ବସ୍ତି ଅଞ୍ଚଳରେ ରହିଲେ, ହୋଟେଲରେ ବାସନ ମାଜିବା ଭଳି କାମ କଲେ । ୧୯୨୮ରେ ସେ ପୋଲିସ ଚାକିରିରୁ ଇସ୍ତଫା ଦିଅନ୍ତି । ଲଣ୍ଡନ ଏବଂ ପ୍ୟାରିସରେ ବିତେଇଥିବା ଜୀବନ ଆଧାରରେ ସେ ଲେଖିଲେ ‘ଡାଉନ ଆଣ୍ଡ୍ ଆଉଟ ଇନ୍ ଲଣ୍ଡନ ଆଣ୍ଡ୍ ପ୍ୟାରିସ’ । ୧୯୩୩ରେ ପ୍ରକାଶିତ ଏ ବହିଟି ତାଙ୍କୁ ସାହିତ୍ୟିକ ଜଗତରେ ଏକ ପରିଚୟ ଆଣିଦେଲା ।
ତାଙ୍କର ପ୍ରଥମ ଉପନ୍ୟାସ ଥିଲା ‘ବରମୀଜ ଡେଜ’ । ପ୍ରକାଶିତ ହୋଇଥିଲା ୧୯୩୪ରେ । ତାଙ୍କ ପ୍ରଥମ ଉପନ୍ୟାସରୁ ସୃଷ୍ଟି ହୁଏ ତାଙ୍କର ପରବର୍ତ୍ତୀ ସବୁ ଉପନ୍ୟାସର ମୁଖ୍ୟ ଚରିତ୍ରର ଏକ ଢାଞ୍ଚା । ଜଣେ ଏକାକୀତ୍ୱରେ ଭୋଗୁଥିବା ଦରଦୀ ଲୋକ । ହୃଦୟହୀନ, ଦୁର୍ନୀତିଗ୍ରସ୍ତ ଏବଂ ନିଷ୍ଠୁର ସାମାଜିକ ପରିବେଶ ସହିତ ନିଜକୁ ଖାପ ଖୁଆଇ ପାରୁନଥିବା, ଏ ପରିବେଶ ବିରୁଦ୍ଧରେ ଲଢ଼େଇ କରୁଥିବା ଲୋକଟିଏ ।
ତାଙ୍କର ପରବର୍ତ୍ତୀ ଉପନ୍ୟାସ ଥିଲା ‘ଏ କ୍ଳର୍ଜିମ୍ୟାନସ ଡଟର’ (୧୯୩୫) । ମୁଖ୍ୟ ଚରିତ୍ର ଜଣେ ଅସୁଖୀ ଅବିବାହିତା ମହିଳା ଯିଏ ଆକସ୍ମିକ ଭାବେ କିଛିଦିନ ପାଇଁ କୃଷି ଶ୍ରମିକମାନଙ୍କ ଭିତରେ ସୁଖ ଖୋଜିପାଆନ୍ତି ।
ତାଙ୍କର ମାତ୍ର ୧୭ ବର୍ଷର (୧୯୫୦ ଜାନୁଆରୀରେ ତାଙ୍କର ଦେହାନ୍ତ ହୁଏ ) ଲେଖକୀୟ ଜୀବନରେ ସେ ଛ’ଟି ଉପନ୍ୟାସ ଲେଖିଥିଲେ । ଏଯାଏଁ ଉଲ୍ଲେଖିତ ଦୁଇଟି ଛଡ଼ା ବାକି ଚାରୋଟି ହେଲା: ‘କିପ୍ ଦି ଆସପିଡିସଟ୍ରା ଫ୍ଲାୟିଙ୍ଗ’ (୧୯୩୬), କମିଙ୍ଗ ଅପ୍ ଫର୍ ଏୟାର(୧୯୩୯), ଆନିମଲ ଫାର୍ମ (୧୯୪୫) ଏବଂ ୧୯୮୪ (୧୯୪୯).
ଜର୍ଜ ଅରୱେଲଙ୍କ ସବୁଠୁଁ ଚର୍ଚ୍ଚିତ ଉପନ୍ୟାସ ଦୁଇଟି ହେଲା ଆନିମଲ ଫାର୍ମ ଏବଂ ୧୯୮୪ । ଉପନ୍ୟାସ ଛଡ଼ା ସେ ଅନେକ ପ୍ରବନ୍ଧ ଏବଂ ଗଳ୍ପ ଲେଖିଛନ୍ତି ।
ଜର୍ଜ ଅରୱେଲଙ୍କ ଜୀବନ ବଡ଼ ନାଟକୀୟ । ସେ ଯୁଦ୍ଧ ଲଢ଼ିଛନ୍ତି, ଯୁଦ୍ଧରେ ମାରାତ୍ମକ ଭାବେ ଆହତ ହୋଇଛନ୍ତି । ବେଶ କିଛି ବର୍ଷ ସକ୍ରିୟ ସାମ୍ବାଦିକତା କରିଛନ୍ତି । ବ୍ରିଟିଶ ବ୍ରଡକାଷ୍ଟିଙ୍ଗ କର୍ପୋରେସନ (ବିବିସି)ରେ କାମ କରିଛନ୍ତି । ବ୍ୟକ୍ତିଗତ ଜୀବନରେ ସେ ନିଜକୁ କେତେବେଳେ ନୈରାଜ୍ୟବାଦୀ ତ କେତେବେଳେ ସମାଜବାଦୀ ବୋଲି କହିଛନ୍ତି ।
ଜର୍ଜ ଅରୱେଲଙ୍କ ଆନିମଲ ଫାର୍ମ ଏକ ରାଜନୈତିକ ‘ଫେବଲ’ । ରୁଷ ବିପ୍ଳବ ଏବଂ ଷ୍ଟାଲିନଙ୍କ ଭୂମିକା ଆଧାରରେ ଲେଖା ଏ ବ୍ୟଙ୍ଗଧର୍ମୀ ଉପନ୍ୟାସ ତାଙ୍କର ସର୍ବୋକୃଷ୍ଟ କୃତି ଭିତରୁ ଅନ୍ୟତମ ।
‘୧୯୮୪’ ଉପନ୍ୟାସର କେନ୍ଦ୍ରରେ ଅଛି ଏକ କଳ୍ପିତ ସ୍ୱେଚ୍ଛାଚାରୀ ରାଜ୍ୟ ‘ଓସେନିଆ’, ଯେଉଁଠାରେ ନାଗରିକଙ୍କ ଉପରେ ତୀବ୍ର ନଜରଦାରୀ ଓ ମନୋନିୟନ୍ତ୍ରଣ ଦ୍ୱାରା ସର୍ବସ୍ୱ ଶାସନ ହେଉଛି । ଏହି ରାଜ୍ୟର ସର୍ବାଧିନାୟକ ‘ବିଗ୍ ବ୍ରଦର’ ନାମକ ଏକ ଚରିତ୍ର-ଏକ ଅଦୃଶ୍ୟ କିନ୍ତୁ ଭୟଙ୍କର ଅସ୍ତିତ୍ୱ, ଯାହା ସବୁଠାରେ ସବୁକିଛି ଦେଖୁଛି ।
ଉପନ୍ୟାସର ନାୟକ ହେଲେ ଓସିନିଆ ରାଜ୍ୟର “ଆଉଟର ପାର୍ଟି’ ଏକ ସଦସ୍ୟ ୱିନସଟନ ସ୍ମିଥ । ଓସିନିଆରେ ସର୍ବଦା ଯୁଦ୍ଧ ଚାଲିଥାଏ । ଏଠାରେ “ନ୍ୟୁସ୍ପିକ୍’ ନାମକ ଏକ ନୂତନ ଭାଷା ବ୍ୟବହୃତ ହୁଏ, ଯାହା ଲୋକଙ୍କର ଚିନ୍ତା ଶକ୍ତିକୁ ଦମନ କରିବା ପାଇଁ ଉଦ୍ଦିଷ୍ଟ ।
ଉପନ୍ୟାସର କାହାଣୀ ହେଲା : ୱିନସଟନ “ସତ୍ୟ ମନ୍ତ୍ରଣାଳୟ’ (ମିନିଷ୍ଟ୍ରି ଅଫ ଟ୍ରୁଥ)ରେ କାମ କରେ । ଏଠି ଇତିହାସର ପୁନଃଲିଖନ କରାଯାଏ । ୱିନସଟନ ସ୍ୱାଧୀନତା ଚାହେଁ । ସେ ଜୁଲିଆ ନାମକ ଏକ ମହିଳା ସହିତ ଗୋପନ ସମ୍ପର୍କ ଗଠନ କରେ । ସେମାନେ ପାର୍ଟି ବିପକ୍ଷରେ ବିଦ୍ରୋହ କରିବାର ମସୁଧା କରନ୍ତି । ତେବେ ସେମାନଙ୍କର ବିଦ୍ରୋହ ବ୍ୟର୍ଥ ହୁଏ, ସେମାନେ ପାର୍ଟି ଦ୍ୱାରା ଧରାପଡ଼ନ୍ତି । ସେମାନଙ୍କୁ “ପ୍ରେମ ମନ୍ତ୍ରଣାଳୟ’ (ମିନିଷ୍ଟ୍ରି ଅଫ ଲଭ)ରେ ନିର୍ଯାତନା ଦିଆଯାଏ । ସେମାନଙ୍କ ମନକୁ ଶୋଧନ କରାଯାଏ । ଫଳରେ, ୱିନସଟନ ଜୁଲିଆ ପ୍ରତି ବିଶ୍ୱାସଘାତକତା କରେ ଓ ଶେଷରେ ବିଗ୍ ବ୍ରଦରଙ୍କୁ ଭଲପାଇବା ଶିଖିଯାଏ ।
ଉପନ୍ୟାସରେ ‘ଡବଲଥିଙ୍କ’, ‘ନ୍ୟୁସ୍ପିକ୍’, ଓ ‘ଥଟ୍ କ୍ରାଇମ’ ପରି ଧାରଣା ମାଧ୍ୟମରେ ଦେଖାଯାଇଛି ଯେ କିପରି ଭାଷା ଓ ଚିନ୍ତାଧାରାକୁ ନିୟନ୍ତ୍ରଣ କରି ଏକ ଶକ୍ତିଶାଳୀ ଶାସକଲୋକଙ୍କୁ ସ୍ୱତନ୍ତ୍ର ଚିନ୍ତନରୁ ବଞ୍ଚିତ କରେ ।
ବର୍ତ୍ତମାନ ସମୟରେ ଯେଉଁପରି ଟେକ୍ନୋଲୋଜି ଜୀବନକୁ ସହଜ କରିଛି, ସେହିପରି ଏହି ଟେକ୍ନୋଲୋଜି ଏକ ଶକ୍ତିଶାଳୀ ଉପକରଣରେ ପରିଣତ ହୋଇଛି- ଯାହା ଲୋକମାନଙ୍କ ଉପରେ ନଜର ରଖିପାରିବ । ସରକାର, କମ୍ପାନୀ ଓ ସୋସିଆଲ୍ ମିଡିଆର ଆଲଗୋରିଦମ୍ ବ୍ୟକ୍ତିଗତ ତଥ୍ୟ ନେଇ ତାଙ୍କ ଉପରେ ନଜର ରଖୁଛି । ଓରୱେଲଙ୍କ ଟେଲିସ୍କ୍ରିନ ବର୍ତ୍ତମାନର ସ୍ମାର୍ଟଫୋନ, CCTV ଓ ଡିଜିଟାଲ୍ ଟ୍ରାକିଂ ଉପକରଣ ସହିତ ତୁଳନାଯୋଗ୍ୟ ।
‘ନ୍ୟୁସ୍ପିକ୍’ନାମକ ଭାଷା ନିୟନ୍ତ୍ରଣ ବିଧି ବର୍ତ୍ତମାନ ମିଡିଆ ଓ ରାଜନୈତିକ ପ୍ରଚାରରେ ଦେଖାଯାଉଛି, ଯେଉଁଠାରେ ସତ୍ୟକୁ ବିକୃତ କରାଯାଉଛି ବା ଗୁପ୍ତ ରଖାଯାଉଛି । ଏହା ମାନବ ଚିନ୍ତାଧାରାକୁ ସୀମିତ କରେ । ବିଶ୍ୱର ଅନେକ ଦେଶରେ ମତାମତର ସ୍ୱାଧୀନତା ହ୍ରାସ ପାଉଛି, ସାମ୍ବାଦିକ ଓ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ ବଢ଼ିଛି—୧୯୮୪ ଉପନ୍ୟାସରେ ଏହାହିଁ ଦର୍ଶାଯାଇଛି । ‘୨ ମିନିଟ ଘୃଣା’ ଯେଉଁଠାରେ ଲୋକମାନେ ଏକାଠି ହୋଇ ଘୃଣା ପ୍ରକାଶ କରନ୍ତି, ସେଠାରେ ଆଜିର ଟ୍ରୋଲ୍ ଓ ଘୃଣାର ରାଜନୀତି ଦେଖାଯାଏ ।
୧୯୮୪ ଏକ କଳ୍ପ-ଉପନ୍ୟାସ ହେଲେ ମଧ୍ୟ ଏହା ଏକ ଚେତାବନୀ -ଯଦି ଲୋକତନ୍ତ୍ର, ମତାମତ ଓ ସ୍ୱାଧୀନ ଚିନ୍ତାକୁ ରକ୍ଷା କରାଯିବ ନାହିଁ, ତେବେ ସମାଜ ଏକ ଦମନମୂଳକ ପ୍ରଣାଳୀରେ ପ୍ରବେଶ କରିପାରେ ।
ବର୍ତ୍ତମାନ ସମୟର ପାଠକଙ୍କ ପାଇଁ ଏହି ଉପନ୍ୟାସ ଗଭୀର ଅର୍ଥବହ । ଯେଉଁଠି ମତ ଅଭିବ୍ୟକ୍ତି ଓ ସ୍ୱତନ୍ତ୍ର ଚିନ୍ତା ପ୍ରଶ୍ନର ସମ୍ମୁଖୀନ, ଏହି କାହାଣୀ ଆମକୁ ସତର୍କ କରେ । ୧୯୮୪ କେବଳ ଏକ ଉପନ୍ୟାସ ନୁହେଁ—ଏହା ଏକ ନାଗରିକ ଜାଗୃତିର ଇସ୍ତାହାର ।
ଜର୍ଜ ଅରୱେଲ ଯେତେବେଳେ ଏ ଉପନ୍ୟାସର ଶେଷ ପୃଷ୍ଠାଗୁଡ଼ିକ ଲେଖୁଛନ୍ତି, ସେତେବେଳେ ସେ ଯକ୍ଷ୍ମା ରୋଗରେ ଭୋଗୁଥିଲେ । ବାରମ୍ବାର ଅସୁସ୍ଥ ହୋଇ ପଡୁଥିଲେ, ହାସପାତାଳରେ ଭର୍ତ୍ତି ହେବାକୁ ପଡୁଥିଲା । ୧୯୪୯ ଜୁନ ଆଠ ତାରିଖରେ ଏ ଉପନ୍ୟାସ ପ୍ରକାଶିତ ହେଲା । ୨୧ ଜାନୁଆରୀ ୧୯୫୦ରେ ଲଣ୍ଡନର ୟୁନିଭରସିଟି କଲେଜ ହାସପାତାଳରେ ତାଙ୍କର ମୃତ୍ୟୁ ହେଲା । ତାଙ୍କ ବୟସ ସେତେବେଳେ ୪୬ ।
( Prof Mrinal Chatterji compares George Orwell’s “1984”( written in 1948) with contemporary time.)

୯୪୩୭୦ ୨୬୧୯୪
mrinaliimc@yahoo.in
Comments
0 comments