ତୁ ଗୁହାରି କରିବୁ ଯାହାକୁ…
ପାଠକେ! ଫକୀରମୋହନ କଲେଜ ମାମଲାରେ ତ ଆମକୁ କାଇଁ ଲାଗୁଛି ଲୋକେ ଯାହା କହୁଛନ୍ତି ସେଇଟା ପୁରା ଠିକ୍ । ଏବିଭିପି, ବିଜେପି ଓ ତାଙ୍କ ସରକାର ଝିଅଟି ଜଳିଗଲା ପରେ ଏହି ମାମଲାକୁ ରଫାଦଫା କରିବା ପାଇଁ ଯେତିକି କସରତ କରୁଛନ୍ତି ଯଦି ତା’ର କିଛି ଅଂଶ ମାତ୍ର କରି ତାଙ୍କରି ଏବିଭିପି ସଙ୍ଗଠନର ଏଇ ଝିଅଟିକୁ ମୂଳରୁ ନ୍ୟାୟଟିକିଏ ଦେବାପାଇଁ ପ୍ରୟାସ କରିଥାଆନ୍ତେ ଆଜି ଏ ସମସ୍ୟା ମୂଳରୁ ସୃଷ୍ଟି ହୋଇ ନଥାନ୍ତା କି ଗୋଟିଏ ଝିଅର ଜୀବନ ଏଭଳି କଲବଲ ହୋଇ ଶେଷ ହେଇ ନଥାନ୍ତା । ଲୋକଙ୍କ ସରକାରଙ୍କୁ ତା ପୋଡ଼ିଯାଇଥିବା ଶବକୁ ରାତାରାତି ଏମ୍ସରୁ ନେଇ ତା ଗାଁ ମଶାଣିରେ ଜାଳି ପକାଇବା ପାଇଁ ଏଭଳି ବୈକଲ୍ୟ ପ୍ରକାଶ କରିବାକୁ ପଡ଼ିନଥାନ୍ତା ।
ଗୁରୁ ରାକ୍ଷସ : ପାଠକେ! ଯେଉଁ ଦୁଇଜଣ ଖଳନାୟକଙ୍କ ପାଇଁ ଝିଅଟି ଶେଷରେ ନିଜକୁ ଶେଷ କରିଦେଲା ତାଙ୍କ ଭିତରୁ ଜଣେ ହେଉଛନ୍ତି କଲେଜର ଆସିଷ୍ଟାଣ୍ଟ ପ୍ରଫେସର ସମୀର ସାହୁ । ଲୋକଟି ଜଣେ ଯୌନପିପାସୁ ବୋଲି ତାଙ୍କର ରେକର୍ଡ ଅଛି । ଝିଅମାନଙ୍କର କହିବା କଥା ଯେ ପୂର୍ବରୁ ସିଏ ଯେତେବେଳେ ଚମ୍ପୁଆ ଓ ଭୁବନ କଲେଜରେ ଚାକିରୀ କରୁଥିଲେ ସେତେବେଳୁ ତାଙ୍କ ନାଅାଁରେ ଏହି ସବୁ କେଳେଙ୍କାରୀର ଅଭିଯୋଗ ଆସିଥିଲା ଯା’ଫଳରେ କାଳେ ତାଙ୍କୁ ସେଠାରୁ ବଦଳି ହେବାକୁ ପଡ଼ିଥିଲା । କିଛି କଥା ସମ୍ବାଦପତ୍ରମାନଙ୍କରେ ମଧ୍ୟ ପ୍ରକାଶିତ ହୋଇଥିଲା । ମୃତ ଝିଅଟିର ଅଭିଯୋଗ ଥିଲା ଯେ ଏହି ଗୁରୁଜଣକ ଝିଅଟିକୁ ‘ଫେବର’ (ଅର୍ଥାତ୍ ଯୌନ ସମ୍ପର୍କ) ମାଗୁଛନ୍ତି । କହୁଛନ୍ତି ଫେବର ନଦେଲେ ଏକରେ ‘ତତେ ପାସ କରେଇ ଦେବି ନାହିଁ, ମୁଁ ଥିବା ପର୍ଯ୍ୟନ୍ତ ତୁ ପାସ କରି ପାରିବୁ ନାହିଁ, ଦୁଇରେ ତତେ ୬ବର୍ଷ ବ୍ୟାକ କରେଇ ଦେବି । ତୋର ଆଟେଣ୍ଡାନ୍ସ କମ୍ କରାଇଦେବି, ତୁ ପରୀକ୍ଷା ଦେଇପାରିବୁ ନାହିଁ, କି ଛାତ୍ର ସଂସଦ ନିର୍ବାଚନରେ ଲଢ଼ିପାରିବୁ ନାହିଁ । ଯଦି ଏସବୁ ଚାହୁଁଛୁ ତେବେ ମୋ କଥା ମାନିଯା । ଏକଥାକୁ ନେଇ ମୃତା ସୌମ୍ୟାଶ୍ରୀ ଜୁନ୍ ୩୦ ତାରିଖରେ କଲେଜର ପ୍ରିନ୍ସିପାଲ ଦିଲ୍ଲୀପ ରଂଜନ ଘୋଷଙ୍କୁ ପ୍ରଥମେ ଲିଖିତ ଭାବରେ ଜଣାଇଥିଲେ । ସେତେବେଳେ ତାଙ୍କ ସହିତ ଦୁଇଜଣ ଏବିଭିପିର ଝିଅ ମଧ୍ୟ ଥିଲେ । ପ୍ରିନ୍ସିପାଲ କହିଥିଲେ ଯେ ସେ ନିଶ୍ଚିତ ବୁଝିବେ କିନ୍ତୁ ସମୟ ବିତିବା ସହିତ ସୌମ୍ୟାଶ୍ରୀ ଦେଖିଥିଲା ଯେ ପ୍ରିନ୍ସିପାଲ ମହାଶୟ ତାଙ୍କ କାର୍ଯ୍ୟ କରିନଥିଲେ । ତା’ପରଠାରୁ ସିଏ ଯେତେଥର ଏହି ପ୍ରିନ୍ସିପାଲଙ୍କୁ ଭେଟିଲା ଦେଖିଲା ସେ କେବଳ ଖାମଖିଆଲୀ ଭାବରେ ସମୟ ଗଡ଼ାଇ ଚାଲିଥିଲେ । ତାରି ଭିତରେ ଏହି ରାକ୍ଷସ ସାହୁ ୩୦୦ ଛାତ୍ରଛାତ୍ରୀଙ୍କୁ ‘କ୍ୟାରଟ ଆଣ୍ଡ୍ ଷ୍ଟିକ୍ସ’ ଉପାୟ ପ୍ରୟୋଗ କରି ତା’ସପକ୍ଷରେ ନେଇ ଆସିବାକୁ ସକ୍ଷମ ହୋଇଥିଲା ଯେଉଁମାନେ କହିଥିଲେ ଯେ ସାହୁ ଜଣେ ଭଲ ଗୁରୁ । ପ୍ରନ୍ସିପାଲ କହୁଥିଲେ ସେ କଥା ବୁଝାଯାଉଛି, ଗୋଟେ କମିଟି ଗଢାଯାଇଛି, କମିଟି ରିପୋର୍ଟକୁ ଅପେକ୍ଷା କରାଯାଇଛି । ପ୍ରିନ୍ସିପାଲ ସାହୁସାରଙ୍କ ପକ୍ଷନେଇ ଝିଅଟିକି ବୁଝାଉଥିଲେ । କହୁଥିଲେ-“ତମେ ସାରଙ୍କୁ ଖରାପ ଭାବୁଛ, ସିଏ ଟିକେ ରାଗରୁଷାରେ କ’ଣ କହିଦିଅନ୍ତି । ତାକୁ ଧରିବ ନାହିଁ ।” କିନ୍ତୁ ଏହାକୁ ସୁଯୋଗ ଭାବରେ ନେଇ ସାହୁସାର୍ ଫେବର ପାଇବା ପାଇଁ ତା ଉପରେ ଅତ୍ୟାଚାରର ମାତ୍ରାକୁ ବଢ଼ାଉଥିଲେ । ଏପରିକି ୪ମିନିଟ ବିଳମ୍ବରେ କ୍ଲାସରେ ପହଂଚିଲେ ସାର ତାକୁ କ୍ଲାସରେ ୪୦ମିନିଟ ଠିଆକରାଇ ରଖୁଥିଲେ । ଉଦେ୍ଦଶ୍ୟ ମତେ ‘ଫେବର’ ଦେ ।
ମୃତା ସୌମ୍ୟା ମୃତ୍ୟୁ ପୂର୍ବରୁ କହିଥିଲା ଯେ ପ୍ରିନ୍ସିପାଲଜଣକ କମିଟିଟିଏ କରିଥିଲେ ଯାହାକୁ ସେ ଜାଣିଶୁଣି ସରକାରୀ ଢାଂଚାରେ ଦନ୍ତବିହୀନ ତଦନ୍ତ କମିଟିଟିଏ କରି ରଖିଥିଲେ । ଯେଉଁଥିରେ ତିନିଜଣ ମହିଳା ରଖା ହୋଇଥିଲେ ଯାହାଙ୍କର କୌଣସି ଅନୁଭୂତି ନାହିଁ । ସେମାନେ ସାରଙ୍କୁ ଡରୁଥିଲେ । ତେଣୁ ସେମାନେ ଏଥିରେ ମୁଣ୍ଡ ପୁରାନ୍ତି ନାହିଁ । ଏଥିରେ କୌଣସି ଛାତ୍ର ପ୍ରତିନିଧି ନଥିଲେ । ଅଧ୍ୟକ୍ଷ ଯେଉଁ ତିନିଜଣ ଝିଅ ଥିବା କଥା କହୁଥିଲେ, ସେମାନଙ୍କୁ ଡରା ଧମକା ଯାଉଥିଲା କି କ’ଣ ସେମାନେ ଏ କମିଟିକୁ ଆସୁ ନଥିଲେ । ଥରେ ଏ ବିଷୟରେ ପ୍ରିନ୍ସିପାଲ ମହାଶୟଙ୍କୁ ପଚାରିବାରୁ ସେ କହିଥିଲେ- ତାଙ୍କର କ’ଣ ପରୀକ୍ଷା ଫରୀକ୍ଷା ଅଛି ତେଣୁ ଆସୁନାହାନ୍ତି । ଥରେ ସାର କହିଲେ ଯେ ଏହି କମିଟି କାଳେ ତଦନ୍ତ କରି ରିପୋର୍ଟ ଦେଇ ଦେଇଛି । ଝିଅଟି ଯେତେବେଳେ ତା ସାଙ୍ଗମାନଙ୍କୁ ନେଇ ପ୍ରିନ୍ସିପାଲଙ୍କୁ କହୁୁଥିଲା ସେ ରିପୋର୍ଟଟା ଟିକେ ଦେଖାନ୍ତୁ ବା ଏହା ଉପରେ କ’ଣ ପଦକ୍ଷେପ ନିଆହେଲା କହନ୍ତୁ । ପ୍ରିନ୍ସିପାଲ ସେହିକଥା କହୁଥିଲେ-କମିଟି ରିପୋର୍ଟ ମିଳିଛି କିନ୍ତୁ ସେଥିରେ ସାରଙ୍କ ବିରୁଦ୍ଧରେ ସେମିତି କିଛି ନାହିଁ । ପ୍ରିନ୍ସିପାଲ ଓଲଟା ଝିଅଟିକୁ ବୁଝାଉଥିଲେ -ସାର ଭଲଲୋକ । ଟିକିଏ ରାଗି । ତାଙ୍କ କଥା ଶୁଣ । ଆସ ବସିକି ଆଲୋଚନା କରିବା । ଅର୍ଥାତ୍ ଅଧ୍ୟକ୍ଷ ମହୋଦୟ ମଧ୍ୟ ଗଙ୍ଗାରେ ଡୁବନ ଦେବା ମତଲବରେ ଥିଲେ । ପ୍ରିନ୍ସିପାଲ ନିଜେ ସାମାଜିକ ଗଣମାଧ୍ୟମରେ ଏଥିରୁ ଅଧିକାଂଶ କଥା ସ୍ୱୀକାର କରିଛନ୍ତି ।
ଇଏ ବି ବାପା : ଏହା ସହିତ ଝିଅଟି ନିଜକୁ ଜାଳିଦେବା ପୂର୍ବରୁ ଶେଷରେ ତା ବାପାକୁ ମଧ୍ୟ ଫୋନରେ କହିଥିଲା ଯେ ଏମାନେ (ସାହୁ ସାର ଓ ଅଧ୍ୟକ୍ଷ) ଧୂର୍ତ୍ତ ଲୋକ । ମୋ ସହିତ କ’ଣ ନାହିଁ କ’ଣ କରିଦେବେ ଚାଲ ଏଫ୍ଆଇଆର୍ଟେ ଦେଇଦେବା । ବାପା ସେଥିରେ ରାଜିହେଲେ ନାହିଁ । କହିଲେ ସେଇଟା ଆମ ସଂସ୍କାର ନୁହେଁ । ସେମାନେ ଗୁରୁ । ତୁ ତାଙ୍କକଥା ଶୁଣ । ସେଇଟା ଆମ ସଂସ୍କାର । କହିବା ବାହୁଲ୍ୟ ଯେ ଏହି ବାପା ଏଭଳି ଲୋକ ଯେ ସିଏ ରାଷ୍ଟ୍ରପତିଙ୍କ ସହିତ ଏକୁଟିଆରେ ଅଧଘଂଟାଏ କଥାହୋଇ ଏଭଳି କ’ଣ ପାଇଗଲେ ଯେ ଖୁସି ହୋଇ କହିଥିଲେ ଯେ ରାଷ୍ଟ୍ରପତି ତାଙ୍କ ଝିଅ କଥା ପ୍ରତି ମୁହୂର୍ତ୍ତରେ ବୁଝୁଛନ୍ତି । ତାଙ୍କ କଥା ମଧ୍ୟ ସେ ବୁଝିବେ । ଜଣେ ବାପା ଏହି କଥା ସେତିକିବେଳେ କହୁଥିଲେ ଯେତେବେଳେ ତାଙ୍କ ଝିଅ ମୃତ୍ୟୁ ଶଯ୍ୟାରେ ପଡ଼ି ରହି ଆଗାମୀ ରାଜନୀତିର ମୋହରା ହେଉଥିଲା । ପରେ ଯେତେବେଳେ ମୁଖ୍ୟମନ୍ତ୍ରୀ ୨୦ ଲକ୍ଷ ୩୦୦୦୦ଟଙ୍କାଦେଲେ ବାପା କହିଲେ ସରକାର ଭଲ, ଆମ କଥା ବହୁତ ବୁଝୁଛନ୍ତି, ଆଗକୁ ଆହୁରି ବୁଝିବେ । ସେ ସବୁ ବିରୋଧୀ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିଥିଲେ ଯେ ମୋ ଝିଅକୁ ନେଇ କେହି ରାଜନୀତି କରନ୍ତୁ ନାହିଁ । ମୋର ନ୍ୟାୟ ଦରକାର ।
ଝିଅଟିଏ । ସିଏ କାହା ପାଖକୁ ନ ଯାଇଛି: ଏହି ଝିଅଟି ଯେତେବେଳେ ଦେଖିଲା ଯେ ପାପିଷ୍ଠ ଗୁରୁ ରାକ୍ଷସର କାମନାକୁ ଶାନ୍ତ ନକଲେ ତାକୁ ସେ କଲେଜ ଛାଡିବାକୁ ପଡ଼ିବ ନହେଲେ ତା ପାଇଁ ଶିକ୍ଷାରେ, ରାଜନୀତିରେ ଆଗକୁ ଯିବାର ସମସ୍ତ ରାସ୍ତା ବନ୍ଦ ହୋଇଯିବ ସେ ବିକଳରେ ନିଜର ଆପତ୍ତି ଅଭିଯୋଗ ଜଣାଇ ନ୍ୟାୟ ପାଇବା ପାଇଁ କାହା ପାଖକୁ ନଯାଇଛି? ସାଂସଦ, ବିଧାୟକ, ଜିଲ୍ଲାଧୀଶ, ପୁଲିସ ମୁଖ୍ୟ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କାହାକୁ ଅଭିଯୋଗ ନକରିଛି ଯେ ଏହି ରାକ୍ଷସ ଗୁରୁ କବଳରୁ ମତେ ବଂଚାଅ । ମୁଁ ମଣିଷ ହେବାକୁ ଚାହେଁ । ସମସ୍ତେ ଠିକ୍ ତା କଲେଜର ପ୍ରିନ୍ସିପାଲ ପରି ଅଗିରାକୁ ବାଇଗଣ ଫୋପାଡ଼ିଦେଇ ବସି ଯାଇଛନ୍ତି । କେହି ଏ କଥାକୁ ଗୁରୁତ୍ୱ ଦେଇ ନାହାନ୍ତି । କେହି ଚାହିଁ ନାହାନ୍ତି ଝିଅଟି ବଂଚୁ, ଆଗକୁ ଯାଉ ।
ପାଠକେ! ଶେଷକଥା ହେଉଛି ଝିଅଟି ପାଖରେ ଆଉ କାହାରି ଭରସା ରହିଲା ନାହିଁ । ସିଏ ଜୀବନ ଓ ଜୀବନରେ ଭେଟିଥିବା ମଣିଷମାନଙ୍କଠାରୁ ନିରାଶ ହୋଇଗଲା । ସିଏ ବୁଝିଗଲା ଯେ ଏ ଲଢ଼େଇରେ କେହି ତା ସାଙ୍ଗରେ ନାହାନ୍ତି । ତେଣୁ ବୋଧେ ଏହି ଚରମ ପଦକ୍ଷେପ ନେଇଗଲା ।
ଫୁଉଲୁ ଐତିହାସିକ
ପୁଲିସ ଓ ଅଫିସରଙ୍କ ସ୍ଥାନ କ’ଣ ଆରଏସ୍ଏସ୍ କାଡର କି ଦଲାଲ ନେଇପାରିବେ?
ପାଠକେ! ତେରଶ ଶତାବ୍ଦୀରୁ ଆରମ୍ଭ ହୋଇଥିବା ଜଗନ୍ନାଥ,ବଳଭଦ୍ର, ସୁଭଦ୍ରାଙ୍କ ରଥଯାତ୍ରା ଏଥର ଫୁଉଲୁ ଐତିହାସିକ ହୋଇଗଲା । ଆପଣ ଦେଖିବେ ରଥଯାତ୍ରା ବିଷୟରେ ବ୍ରହ୍ମ ପୁରାଣ, ସ୍କନ୍ଧ ପୁରାଣ, ପଦ୍ମ ପୁରାଣଠାରୁ କପିଳ ସଂହିତା ପର୍ଯ୍ୟନ୍ତ ଯେତେ ଯେଉଁଠି ଲେଖାହୋଇଛି ଏମିତିକା ଇତିହାସ କେଉଁଠି ଲେଖା ହୋଇନାହିଁ । ପୂର୍ବରୁ କାଳେ ୬ ବା ଛଅରୁ ଅଧିକ ରଥ ଚାଲୁଥିଲା । ବଡ଼ଦାଣ୍ଡ ମଝିରେ ମୁଷାନଈ ଏପଟେ ୩, ସେପଟେ ୩ ରଥ । ଦେବତାମାନେ ଡଙ୍ଗା ପାରିହୋଇ ଗୁଣ୍ଡିଚା ମନ୍ଦିର ଯାଉଥିଲେ ତ ପୁଣି ଶ୍ରୀମନ୍ଦିର ଫେରୁଥିଲେ । ସେତେବେଳେ ରଥଯାତ୍ରା କାଳେ ଏକାଧିକ ଦିନଧରି ହେଉଥିଲା । ସେତେବେଳେ ବି ଏମିତିକା ଇତିହାସ ହେଉନଥିଲା । କେବଳ ଦିଜଣ ଇଂରେଜ ଲେଖିଛନ୍ତି ଯେ ଥରେ କାଳେ ୧୫୦ ଲୋକଙ୍କର ପ୍ରାଣ ଯାଇଥିଲା ।
ଗତ ୨୯ତାରିଖ ରବିବାର ଭୋରରୁ ତିନିଠାକୁରଙ୍କୁ ରଥରେ ଦର୍ଶନ କରିବାପାଇଁ ଭକ୍ତ ଏମିତି ଆତୁର ହେଲେ ଯେ ଦଳଚକଟାରେ ସରକାରୀ ଭାବେ ୩ଜଣଙ୍କର ମୃତୁ୍ୟ ହେବା ସହିତ ୧୫ଭକ୍ତ ଆହତ ହୋଇଗଲେ । କିନ୍ତୁ ବେସରକାରୀ ଭାବେ ଯାହା ଶୁଣୁଛୁ ଅଧିକ ଭକ୍ତ ଆହତ ହୋଇଛନ୍ତି । ସେଥିରେ ଅନେକ ମହିଳା, ଶିଶୁ ଆଦି ଅଛନ୍ତି । ଆଉ ଆମେ ଯେତେଲୋକଙ୍କୁ ଭେଟୁଛୁ ସମସ୍ତେ ସେହି ଦୁଇଟି କଥା କହୁଛନ୍ତି ଯେ ଏଥିପାଇଁ ପ୍ରଥମତଃ ଭକ୍ତମାନଙ୍କର ଭଗବାନଙ୍କୁ ଦର୍ଶନ କରିବାର ଆତୁରତା ଯେତିକି ଦାୟୀ, ପ୍ରଶାସନ ଓ ପୁଲିସ ବାହିନୀର ଖାମଖିଆଲୀ ମନୋଭାବ ସେତିକି ପରିମାଣରେ ଦାୟୀ ।
ପାଠକେ! ଏବେ ପାପର ମାତ୍ରା ଯେଉଁ ପରିମାଣରେ ବଢ଼ିଲାଣି ସେଥିରେ ଭକ୍ତମାନଙ୍କ ଭିତରେ ମହାପ୍ରଭୁଙ୍କୁ ଦେଖାକରି ପାପରୁ ମୁକ୍ତ ହେବାପାଇଁ ଏକପ୍ରକାର ପ୍ରତିଯୋଗିତାମୂଳକ ମାନସିକତା ଦେଖିବାକୁ ମିଳୁଛି । ଶନିବାର ରାତି ପ୍ରାୟ ୧୨ଟା ୧୫ରେ ରଥରେ ମହାପ୍ରଭୁଙ୍କ ପହଡ ପଡ଼ିଯାଇଥିଲା । ଭୋରରୁ ଯେମିତି ପହଡ଼ ଖୋଲିବ ଦେବତାମାନଙ୍କୁ ଦେଖା କରିବା ପାଇର୍ଁ ହଜାର ହଜାର ଭକ୍ତ ରାତି ଅନିଦ୍ରା ହୋଇ ଅପେକ୍ଷା କରିଥିଲେ । ରବିବାର ଭୋର ୪ଟାରୁ ପହୁଡ଼ ଖୋଲିଗଲା । ତାପରେ ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିତରେ ଭୟାନକ ପ୍ରତିଯୋଗିତା ଆରମ୍ଭ ହୋଇଗଲା । ତିନିପ୍ରକାରର ଭିଡ଼ ଲାଗିଗଲା । ଏକ ଯେଉଁମାନେ ଶରଧାବାଲିରେ ରଥ ସମ୍ମୁଖରେ ଭିଡ଼ କରିଥିଲେ । ଦୁଇରେ ପ୍ରତି ମୁହୂର୍ତ୍ତରେ ଶହ ଶହ ଭକ୍ତ ଏହି ଭିଡ଼ରେ ସାମିଲ ହୋଇ ରଥ ସମ୍ମୁଖରେ ପହଂଚିବା ପାଇଁ ଉଦ୍ୟମ କରୁଥିଲେ । ତିନିରେ ଆହୁରି ଗୁଡ଼ିଏ ଭକ୍ତ ବାହାରୁ ଗାଡିମୋଟରରେ ଆସି ଟ୍ରାଫିକରେ ଫସି ରହିଥିଲେ ମଧ୍ୟ ପହୁଡ଼ ଖୋଲିଗଲା ବୋଲି ସିଧା ଡିଆଁମାରି ଆସି ଭିଡ଼ରେ ଧସେଇ ପଶିବାକୁ ଉଦ୍ୟମ କଲେ । ପବିତ୍ର ଶରଧାବାଲିରେ ଗୁଣ୍ଡିଚାରେ ବଡ଼ଦାଣ୍ଡରେ ଯାହା ଭିଡ଼ ହୋଇଥିଲା ତାଠାରୁ ଅଧିକ ଭିଡ଼ ହୋଇଗଲା । ଆଉ ସମସ୍ତଙ୍କର ଲକ୍ଷ୍ୟ ରଥ ସମ୍ମୁଖରେ ପହଂଚିବା । ପ୍ରଭୁଙ୍କୁ ଦର୍ଶନ କରିବା । ଏହା ବ୍ୟତୀତ ମଧ୍ୟ ଅବକାଶ ଳେନ୍ଆଡୁ ଭକ୍ତ ସେହି ଲକ୍ଷ୍ୟରେ ମାଡି ଆସୁଥିଲେ ଭକ୍ତମାନଙ୍କର ସେ ସ୍ଥାନରୁ ବାହାରିବାର ଏକମାତ୍ର ରାସ୍ତା ଥାଏ ନାକଚଣା ବା ଗୁଣ୍ଡିଚା ମନ୍ଦିରର ପ୍ରବେଶ ଦ୍ୱାର ।
ଇଏ ଭିଡ଼ର ଅବସ୍ଥା ହୋଇଥିବା ବେଳେ ଭିଡ଼ ପରିଚାଳନାର ଅବସ୍ଥା କ’ଣ? ଏକରେ ଆଗର ଶରଧାବାଲିର ସେ ବିସ୍ତୃତ ଇଲାକା ଏବେ ନାହିଁ । ବାଲି ତ ଆଉ ବେଶି ନାହିଁ, ସିମେଂଟ ଟାଇଲ ବି ହେଇଛି ତାଉପରେ ବିଭିନ୍ନ ଦୋକାନ, ଉଠାଦୋକାନର ଉପସ୍ଥିତି ପୁରାମାତ୍ରାରେ ପରିଷ୍କାର ହୋଇନାହିଁ । ତା ଭିତରେ ପୂରାତନ ଦଶାବତାର ମଠରୁ ବଳଦେବଙ୍କ ରଥ ଯେଉଁଠି ଛିଡ଼ା ହୋଇଥିଲା ସେ ପର୍ଯ୍ୟନ୍ତ ପୋଲିସ ବନ୍ଦ କରି ରଖିଥିଲା । କାରଣ ସେ ସ୍ଥାନ କେବଳ ପାସ୍ଧାରୀ ଓ ସେବାୟତଙ୍କ ପାଇଁ ଉଦ୍ଦିଷ୍ଟ ହୋଇଯାଇଥିଲା । ଯେତେବେଳେ ପହଡ଼ ଖୋଲିଲା ଯେଉର୍ଁଭକ୍ତମାନେ ବସି ପଡ଼ିଥିଲେ ବା ଶୋଇ ପଡ଼ିଥିଲେ ସେ ସମସ୍ତେ ଛିଡ଼ା ହୋଇପଡ଼ି ଜୟ ଜଗନ୍ନାଥ ଧ୍ୱନୀ ଦେଇ ଉକ୍ରଣ୍ଠତାର ସହ ରଥ ଆଡ଼କୁ ଆଗେଇବା ଫଳରେ ଦଳାଚକଟା ହେଲା । ଏବଂ ଯାହା ଘଟିବା କଥା ଘଟିଲା ।
ଏବେ ପ୍ରଶ୍ନ ଉଠୁଛି, ୦୧- ଏତେ ଭିଡ଼ ହେବବୋଲି ଜାଣି ମଧ୍ୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଭକ୍ତମାନଙ୍କର ରଥ ନିକଟକୁ ଯିବାପାଇଁ ଗୋଟିଏ ବାଟ ଓ ଦର୍ଶନ ସାରି ଫେରିବା ପାଇଁ ଗୋଟିଏ ବାଟ (ୱାନ ୱେ ବ୍ୟବସ୍ଥା) ବାଉଁଶର ବାଡାଦେଇ ହେଉ କାହିଁକି କରାଗଲା ନାହିଁ? ପ୍ରଧାନମନ୍ତ୍ରୀଙ୍କ ଗସ୍ତବେଳେ ମୋଟେ ଭିଡ଼ ନଥିବା ସ୍ଥାନରେ ମଜବୁତ ଲୁହାବାଡ଼ା ଆଗରେ ପୁଣି ବାଉଁଣ ବାଡା ଦିଆଯାଉଛି । ଏ କ୍ଷେତ୍ରରେ କାହିଁକି କରାଗଲାନି?
୦୨-ଏତେ ସଂଖ୍ୟାରେ ଭକ୍ତ, ମହିଳା, ଶିଶୁଙ୍କୁ ଧରି ରାତିସାରା ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅପେକ୍ଷା କରି ବସି ବା ଶୋଇ ରହିଥିବା ବେଳେ ପୁଲିସ ଏବଂ ପ୍ରଶାସନ ଯାଇଥିଲେ କୁଆଡ଼େ? ଭିଡ଼କୁ ଦେଖି ପର୍ଯ୍ୟାପ୍ତ ସଂଖ୍ୟାରେ ପୁଲିସ ଓ ପ୍ରଶାସନ ଭିଡ଼ ପରିଚାଳନାପାଇଁ ସେ ସ୍ଥାନରେ ରଖାଯାଇ ନଥିଲେ କାହିଁକି?
୦୩- ଏକଥା ସତ କି? ଭିଡ଼କୁ ଜଗନ୍ନାଥଙ୍କ ବ୍ୟତୀତ ଆଉ କାହା ଭରସାରେ ଛାଡ଼ି ଦିଆଯାଇଥିଲା କି? କୁହାଯାଉଛି ସେ ପ୍ରଶାସନ ଆରଏସ୍ଏସ୍ କାଡରମାନଙ୍କ ଉପରେ ଅଧିକ ଭରସା କରିଗଲା? ସତ କି? ଏତେ ଲୋକ ଅପେକ୍ଷା କରି ରହିଥିବାବେଳେ ପ୍ରଶାସନ, ପୁଲିସ ବା ସ୍ୱାସ୍ଥ୍ୟ ବିଭାଗ କାହାରି ବଡ଼ ଅଧିକାରୀ କେହି ସେଠାରେ କାହିଁକି ନଥିଲେ? ଆମ୍ବୁଳାନ୍ସ ଆସି ପାରୁନଥିଲା, ବାହାରି ପାରୁ ନଥିଲା କାହିଁକି?
୦୪- ସର୍ବଶେଷ ପ୍ରଶ୍ନଟି ହେଉଛି ବିଜେପିରେ ମୁଖ୍ୟମନ୍ତ୍ରୀ ଆଶାୟୀ ମାନଙ୍କ ମଧ୍ୟରେ ଯେଉଁ ଶୀତଳଯୁଦ୍ଧ ଚାଲିଛି ଓ ମୋହନ ସରକାରକୁ ନିନ୍ଦିତ କରି ନିଜେ ଗାଦୀନସିନ ହେବାପାଇଁ ଚାଲିଥିବା ଅଦୃଶ୍ୟ ପ୍ରୟାସ ଏଠାରେ ମଧ୍ୟ କେତୋଟି ନିରୀହ ଜୀବନକୁ ବଳି ଚଢ଼ାଇ ଦେଲାକି? ଏମିତି ପ୍ରଶ୍ନ ପଚରା ଯିବାର କାରଣ ଦୁଇଟି । ଗୋଟିଏ ହେଉଛି କିଛି ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି ଯେ ପହୁଡ଼ ଫିଟିବାକ୍ଷଣି କାଳେ ୧୫/୨୦ଜଣ ଯୁବକ ଖୋଲିଗଲା ଖୋଲିଗଲା, ଜୟ ଜଗନ୍ନାଥ କହି ଭକ୍ତଙ୍କ ଭିତର ଦେଇ ରଥ ଆଡକୁ ମାଡ଼ି ଯାଇଥିଲେ । ସତ ନା ମିଛ? ଯଦି ସତ ସେମାନେ କିଏ? ଦୁଇରେ ସେହି ସମୟରେ କ’ଣ ପୋଲିସ କର୍ମଚାରୀଙ୍କର ନମାଜ ପଢ଼ିବା ସମୟ ହୋଇଗଲା ତେଣୁ ସେମାନେ ରଥ ତଳକୁ ଗଳିଯାଇ କାଳେ ନମାଜ ପଢିବାରେ ଲାଗି ଯାଇଥିଲେ । ଏକଥା ବିଶ୍ୱାସ ହେଉନାହିଁ ଯେ ତାଙ୍କ ଟିମରେ ମୁସଲିମ ପୁଲିସ ଅଛନ୍ତି ଓ ସେମାନେ ନମାଜ ପଢ଼ିବାକୁ ସୁରକ୍ଷା ଦାୟିତ୍ୱ ଛାଡ଼ି ରଥତଳେ ପଶିଯାଇ ପାରନ୍ତି ବୋଲି ଦାୟିତ୍ୱରେ ଥିବା ପୁଲିସ ମୁଖ୍ୟ ଜାଣି ନଥିଲେ ।
ପାଠକେ! ଏ ସବୁ ପ୍ରଶ୍ନର ଉତ୍ତର ରାଜ୍ୟର ପୋଲିସ ମୁଖ୍ୟ, ଆଇନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ହିଁ ହେବ । କେବଳ ଦୁଇ ଚାରିଜଣ ପୁଲିସ ଅଫିସରଙ୍କୁ ନିଲମ୍ବିତ କରିଦେଲେ କି୨୫ଲକ୍ଷ ଲେଖା ଦେଇଦେଲେ ହୋଇଯିବ କି?
କୁଆଡ଼େ ଗଲା ସେ ଏଆଇ?
ପାଠକେ! ଏଥର ରଥଯାତ୍ରାର ମାତ୍ର କିଛିିଦିନ ପୂର୍ବରୁ ଗତ ୧୬ ତାରିଖ ଦିନ ଓଡ଼ିଶାର ପୁଲିସ ମହାନିଦେ୍ର୍ଦଶକ (ଡିଜିପି) ୱାଇ.ବି. ଖୁରାନିୟା ଖୁବ୍ ବଡ଼ ଘୋଷଣା କରିଥିଲେ । ସେ କହିଥିଲେ ଯେ ରଥଯାତ୍ରା ସମୟରେ ସାରା ପୁରୀସହର ଅତ୍ୟାଧୁନିକ କୃତ୍ରିମ ମେଧା ବା ବହୁଚର୍ଚ୍ଚିତ ଏ.ଆଇ ଅଧୀନରେ ରହିବ । ଏଆଇର ମୁଖ୍ୟ କାମ ହେବ ଭିଡ଼ ପରିଚାଳନା ସହିତ ରଥଯାତ୍ରାକୁ ଆସୁଥିବା ଭକ୍ତମାନଙ୍କର ସୁରକ୍ଷାକୁ ନିଶ୍ଚିତ କରିବା । ଏଥିପାଇଁ ୧୫ତାରିଖ ରବିବାରଦିନ ଭୁବନେଶ୍ୱରର ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟରେ ରାଜ୍ୟର ପୁଲିସ ଅଧିକାରୀମାନଙ୍କର ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଏଥିରେ ରଥଯାତ୍ରା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତିକୁ ନେଇ ଗଭୀର ବିଚାର ବିମର୍ଷ କରାଯାଇଥିଲା । ସେଥିରେ ବିଶେଷକରି ପୁରୀରେ ରଥଯାତ୍ରା ସମୟରେ କିପରି ଭିଡ଼ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥାକୁ ଠିକ୍ଠାକ୍ ରଖାଯିବ ତା ଉପରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ମୁଖ୍ୟତଃ ଗୋଟିଏ କଥା କୁହାଯାଇଥିଲା ଏଥର ଏଆଇ ମାଧ୍ୟମରେ ଏହାକୁ କରାଯିବ । ଏଥିପାଇଁ ପୁରୀ ଟାଉନଥାନା ପରିସରରେ ଗୋଟିଏ ସମନ୍ୱିତ ବା ଇଂଟିଗ୍ରେଟେଡ କମାଣ୍ଡ କଂଟ୍ରୋଲ ରୁମ୍ (ଶବ୍ଦ କ’ଣ କମ୍ ଓଜନିଆ କି?) ରୁମ ରହିବ । ସେହିଠାରୁ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥା ଓ ଭକ୍ତଙ୍କ ସୁରକ୍ଷାର ‘ରିଅଲ ଟାଇମ’ ନିରୀକ୍ଷଣ କରାଯିବ । କୁହାଯାଇଥିଲା ଯେ ଏହି କଂଟ୍ରୋଲ ରୁମ୍ ପୁରାପୁରି ଏ.ଆଇ ସଜ୍ଜିତ ବା ଏ.ଆଇ. ନିୟନ୍ତ୍ରିତ ହେବ । ରବିବାର ଦିନ ଆମେ ଟିକେ ଭିତିରିଆ ଯାହା ବୁଝିଲୁ ପୁରା ପୁରୀସହରଟା ଜାଣ ଏହି କଂଟ୍ରୋଲ ରୁମ ଅଧୀନରେ ରହିବ । କୋଣାର୍କଠାରୁ ନେଇ, ମାଉସୀମା ବା ଗୁଣ୍ଡିଚା ମନ୍ଦିରଠୁ ସାରା ଜଗନ୍ନାଥ ମନ୍ଦିର ଅଂଚଳ ସବୁଆଡ଼େ ହାଇ ରିଜୋଲୁ୍ୟସନବାଲାମାନେ ଅତି ଶକ୍ତିଶାଳୀ ଏବଂ ଏ.ଆଇ ନିୟନ୍ତ୍ରିତ ସିସିଟଭିିି କ୍ୟାମେରାମାନ ଲାଗିବ । ଏହି ସବୁ କ୍ୟାମରାରୁ ଲାଇନ ଫିଡମାନେ ଦୃଶ୍ୟ ସବୁ ସିଧା କଂଟ୍ରୋଲ ରୁମକୁ ଆସିବ । ତାକୁ ଏ.ଆଇ ଜଗିବସିବ । ହଲିବାର ନାହିଁ । ଭିଡ଼ ଭିତରେ ଯଦି କେଉଁଠି କିଛି ଗଣ୍ଡଗୋଳ ଦେଖାଦେଲା, ସ୍ଥିତି କିଛି ଅସାମାନ୍ୟ ଲାଗିଲା, ତାହାହେଲେ ଏ.ଆଇ ଧରିଦେବ ଯେ ଏମିତି କାହିଁକି ହେଉଛି ଏବଂ ନାଟର ଗୋବର୍ଦ୍ଧନଟି କିଏ । ଏହି କ୍ୟାମେରା ଆଖିରୁ କେହି ଖସି ପାରିବେନି ଯିଏ ଯେତେ ଚାଲାକ ଚତୁର ହୋଇଥାଆନ୍ତୁ କାରଣ ଏ.ଆଇ ପୁରା ଏହି ସିସିଟିଭି ମାଧ୍ୟମରେ ଜଗନ୍ନାଥ ମହାପ୍ରଭୁଙ୍କ ପରି ୨୪ଘଂଟା ଆଖି ଖୋଲା କରିକି ବସିବ ସିଏ ପୁଣି ଇଆଡୁ ସିଆଡୁ ଆଖି ନୁହେଁ ପୁରା ହାଇ ପାୱାର । ଯାହା ବୁଝିଲୁ ଏହା ସହିତ ଭକ୍ତମାନଙ୍କ ପାଇଁ ଗୋଟିଏ ମୋବାଇଲ ଆପ୍ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ଯେଉଁଥିରେ ପୁରୀକୁ ଆସୁଥିବା ଭକ୍ତ ତଥା ପର୍ଯ୍ୟଟକମାନଙ୍କୁ ରଥଯାତ୍ରା ସମୟରେ ସବୁ ସୂଚନା ମିଳିବ । ଯଥା- କେଉଁମାର୍ଗରେ ଗଲେ ରଥପାଖରେ ପହଂଚି ହେବ, କେଉଁ ରାସ୍ତାରେ ଟ୍ରାଫିକ ବ୍ୟବସ୍ଥା କ’ଣ, ବାବୁମାନେ ସେମାନଙ୍କ ଗାଡ଼ିଗୁଡ଼ିକୁ କେଉଁଠି ପାର୍କିଂ କରିବେ ଆଦି ସୂଚନା ମିଳିବ । ବିଭିନ୍ନ କ୍ଷେତ୍ରର ଜିଆଇ ଟ୍ୟାଗ କରାଯିବ ଯାହାକୁ ଦେଖି ପୁଲିସ ବ୍ୟବସ୍ଥା କରାଯିବ । ଏସବୁ ଏ.ଆଇ କରିବା ସହିତ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ ଏଆଇ କ୍ୟାମେରା ଜଗିବ ଓ ସିଏ ଯେମିତି କହିବ ସେହି ଅନୁଯାୟୀ ଟ୍ରାଫିକକୁ ନିୟନ୍ତ୍ରଣ କରାଯିବ । ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଗଦଗଦ ହୋଇ କହି ପକାଇଥିଲେ ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ଦେଖିବାକୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଅନୁଭୂତି ମିଳିବ । ହେଲେ ପାଠକେ! ଶିକାରବେଳେ କୁକୁର ଦୁଇ ଗଲା ପରି ବାବୁ ଏଆଇ ଗୁଣ୍ଡିଚା ମନ୍ଦିର ଆଗରେ ଶରଧାବାଲିରେ ଯେତେବେଳେ କଥିତ ମନୁଷ୍ୟକୃତ ଦଳାଚକଟା ଆରମ୍ଭ କରାଗଲା, ସେତେବେଳକୁ କୁଆଡକୁ ପଳାଇଲା । ଏଆଇ ଉପରେ ନିର୍ଭର କରୁଥିବା ପୁଲିସ କିଛି ଜାଣି ପାରିଲେ ନାହିଁ । ପୁଲିସ ଯାଇ ରଥଚକ ତଳେ ନମାଜ ପଢୁଛି ଏକଥା ବି ଏଆଇ ଜାଣିପାରିଲା ନାହିଁ । କେହି ଜଣେ ବଡ଼ବାବୁ ପଚାରୁଥିଲେ – କୁଆଡ଼େ ଗଲା ସେ ଏ.ଆଇ?
ସବୁ ସେଇ କେନ୍ଦ୍ରର ଇଚ୍ଛା
ପାଠକେ! ଆପଣମାନେ କ’ଣ ଭାବୁଛନ୍ତି? ରଥଯାତ୍ରା ଘଟଣା ବାବୁ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବାହାର କରିଦେବାକୁ ପର୍ଯ୍ୟାପ୍ତ ହେବ? ଯେଉଁମାନେ ଏ ଖେଳ ଖେଳିଛନ୍ତି ସେମାନେ ତାଙ୍କ ଯୋଜନାରେ ସଫଳ ହେବେ? ଆମେ ଏ ବିଷୟରେ ଦିଲ୍ଲୀର କିଛି ରାଜନୈତିକ ପର୍ଯ୍ୟବେକ୍ଷକଙ୍କୁ ପଚାରି ଯାହା ଜାଣିଲୁ ସେମାନଙ୍କ ମତରେ କେନ୍ଦ୍ର ନିଜ ଯୋଜନାରେ ଚାଲିବ, କେଉଁ ଜଣେ ନେତାର ଅପଯୋଜନାର ଶିକାର ହେବ ନାହିଁ । ହେଲେ କେନ୍ଦ୍ରକୁ କ୍ଷତି ।
ଓଡ଼ିଶାର କିଛି ପର୍ଯ୍ୟବେକ୍ଷକ କହୁଛନ୍ତି ଯେ ଏଇଥର କେନ୍ଦ୍ରମନ୍ତ୍ରୀ ବାବୁଙ୍କ ମାଷ୍ଟର ଷ୍ଟ୍ରୋକରୁ ମୋହନ ମାଝୀ ବଂଚିବା କଷ୍ଟକର । ପୁରୀରେ ଏଡ଼େ ବଡ଼ ଅଘଟଣ ଘଟିଗଲା । ହେଲେ କେନ୍ଦ୍ରୀୟବାବୁମାନଙ୍କ ଆଗରେ ମୋହନବାବୁଙ୍କ ସମର୍ଥକମାନେ ନେଇ ପରିସଂଖ୍ୟାନ ଥୋଇଦେଲେଣି । ସିଏ କହୁଛନ୍ତି ଏଇଟା ଅଘଟଣ ମୋଟେ ନୁହେଁ ଏହା ଏକ ଦୁର୍ଘଟଣା । ଯେଉଁଥିରେ ସେ ଦେଖାଇଛନ୍ତି ଯେ ୧୫୦(୧୫୬)ବର୍ଷ ମାନେ ୧୮୫୬ ବେଳୁ ରଥଯାତ୍ରା ସମୟରେ ଭକ୍ତ ମରିବା କାର୍ଯ୍ୟ ଚଲିଆସୁଛି । ତା ଆଗରୁ କେତେ ହୋଇଥିବ । ମାତ୍ର ୧୧୫୦୦ ଭକ୍ତଙ୍କ ଉପସ୍ଥିତିରେ ବି ୨ଜଣ ମରିଥିଲେ । ୧୮୦୯ ବେଳକୁ ୧୫୦ ଭକ୍ତ ମରିଥିଲେ । ସେଠାରୁ ୨୪ ବର୍ଷିଆ ନବୀନ ଶାସନରେ ତିନିରୁ ଚାରିଥର ରଥଯାତ୍ରାବେଳେ ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୬ଜଣ ଖଣ୍ଡେ ଭକ୍ତ ମରିଥିଲେ । ତାପରେ ମୁଖ୍ୟମନ୍ତ୍ରୀଙ୍କ ଲୋକେ ଦେଖେଇ ଦେଲେଣି ଯେ ସେ ସିନା ମୁଖ୍ୟମନ୍ତ୍ରୀ କିନ୍ତୁ ରଥଯାତ୍ରା କଥା ତ ବୁଝୁଥିଲେ ବରିଷ୍ଠ ନେତା ବାବୁ ବିଶ୍ୱଭୂଷଣଙ୍କ ପୁତ୍ର ପୃଥ୍ୱୀରାଜ । ସିଏ ତ ଗଣମାଧ୍ୟମରେ କହିଲେ ସବୁ ଠିକ ଅଛି । ସେଥକୁ ମୁଖ୍ୟମନ୍ତ୍ରୀଙ୍କୁ କିପରି ଦୋଷୀ କରାଯିବ? ଦିଲ୍ଲୀର ଜଣେ ବରିଷ୍ଠ ସାମ୍ବାଦିକଙ୍କ ମତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ବିଜେପିର ଆଦିବାସୀ କାର୍ଡ । ଆଦିବାସୀ ରାଷ୍ଟ୍ରପତି, ଆଦିବାସୀ ମୁଖ୍ୟମନ୍ତ୍ରୀ କରି ବିଜେପି ପ୍ରମାଣ କରିଛି ଯେ କଂଗ୍ରେସ ନୁହେଁ; ସେ ହିଁ ହେଉଛି ଆଦିବାସୀଙ୍କର ତ୍ରାଣକର୍ତ୍ତା । ଆଗକୁ ବଡ଼ ବଡ଼ ରାଜ୍ୟର ନିର୍ବାଚନ ଅଛି । ସେତେବେଳେ ବିଜେପି ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପଦରୁ ବାହାର କରିଦେଲେ ଏକ ଭୁଲ ବାର୍ତ୍ତା ଯାଇପାରେ ।
ଏହା ବାଆଦେ ମୋହନବାବୁଙ୍କ ସମର୍ଥକମାନେ ସବୁବେଳେ କହି ଆସୁଛନ୍ତି ଯେ ସିଏ ସ୍ୱାଧୀନ ଭାବରେ କାମ କରିବାର ଏଯାବତ୍ ସୁଯୋଗ ପାଇନାହାନ୍ତି । ତାଙ୍କ ସରକାରରେ ବିଭିନ୍ନ ଗୋଷ୍ଠୀ ବା ଦାବୀଦାର ବା ଷ୍ଟେକ ହୋଲଡରମାନେ ଗୋଷ୍ଠୀକରି ଅଛନ୍ତି । ସେ ସମସ୍ତଙ୍କୁ ନେଇ ସରକାର ଚଳାଉଛନ୍ତି । ଏବେ ଯେଉଁମାନେ ତାଙ୍କ ସରକାରକୁ ଅସ୍ଥିର କରିବାକୁ ବିଭିନ୍ନ ବାଟରେ ଉଦ୍ୟମ କରୁଛନ୍ତି ସେମାନଙ୍କ ଭିତରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହୋଇଗଲେ ଅନ୍ୟମାନଙ୍କ ଅଦଉତିକୁ ସମ୍ଭାଳି ପାରିବେ କି?
ମୋହନବାବୁଙ୍କ ରକ୍ଷକ ହେଉଛନ୍ତି ଆରଏସ୍ଏସ୍ । ସିଏ ପୁଣି ସରପଞ୍ଚରୁ ଉଠି ଉଠି ଦଳର କାହା ସହିତ ଝଗଡ଼ା ନକରି ମୁଖ୍ୟମନ୍ତ୍ରୀ ଆସନ ଯାଏ ପହଂଚିଛନ୍ତି । ଦାରା ସିଂ ଯେତେବେଳେ ଜେଲ ଗଲେ, ସେତେବେଳେ ଏଇ ମୋହନ ବାବୁ ହିଁ ତାଙ୍କପାଇଁ ଜେଲ ଆଗରେ ଧାରଣା ଅନଶନ କରି ତାଙ୍କୁ ମୁକୁଳାଇବାକୁ ଦାବୀ କରିଥିଲେ ।
ମୋହନ ଚରଣ ମାଝୀ ଜମା ନିଜେ ଜାଣି ନଥିବେ ଯେ ତାଙ୍କ ପଦବୀଟା କେତେଦିନ ଯାଏ ସୁରକ୍ଷିତ । ତେଣୁ ସିଏ ସେଇକଥାଟି ଦୋହରାଉଛନ୍ତି ବୋଲି ଶୁଣିବାକୁ ମିଳୁଛି ‘ସବୁ ସେଇ କେନ୍ଦ୍ରର ଇଚ୍ଛା ।’ ଆମେ ବି ସେଇକଥା କହୁଛୁ । ବିଜେପି, କଂଗ୍ରେସ ଏମାନେ ସବୁ କେନ୍ଦ୍ରନିର୍ଭର ପାର୍ଟି । ବିଜେଡି ନୁହେଁ । ତେଣୁ ଆଶାୟୀମାନେ ଲାଗି ରୁହନ୍ତୁ କିନ୍ତୁ ଅଧିକ ଆଶାୟୀ ହେବା ଅନୁଚିତ୍ । ନା ଆପଣ କ’ଣ ଭାବୁଛନ୍ତି???
ବାବୁ ଟିକେ ଧାନ ମଣ୍ଡିଆଡ଼କୁ ଦେଖ!
ଆଜ୍ଞା ପାଠକେ! ଆଉ ଗୋଟେ କଥା ଜାଣିଲେଣି? ରଥ ଯାତ୍ରା, ଦଳିତ ଅକ୍ରମଣ, ମହିଳା ନିର୍ଯାତନା ଭିତରେ ଆଉ ଗୋଟିଏ ବଡ଼କଥା ପ୍ରତି କାହାରି ଧ୍ୟାନ ଯାଉନାହିଁ ଆଜ୍ଞା । ଆଉ ସେଇଟା ହେଉଛି ଧାନମଣ୍ଡି । କଥା ହେଉଛି ରାଜ୍ୟ ସରକାର ତ ସବୁକ୍ଷେତ୍ରରେ ଯାହା କରୁଛନ୍ତି ତାକୁ ଲୋକେ ଆଖିତରାଟି ଆଶ୍ଚର୍ଯ୍ୟହୋଇ ଦେଖୁଛନ୍ତି । ହେଲେ ଦୁଇଟି କଥା ପାଇଁ ଲୋକ ଟିକେ ସମ୍ଭାଳି ହୋଇଛନ୍ତି ଯଥା ଧାନର ନିମ୍ନତମ ମୂଲ୍ୟବୃଦ୍ଧିକୁ ୮୦୦ ଟଙ୍କା ଆଧିକ ମିଳିବା ଓ ପାଂଚ ହଜାରିଆ ସୁଭଦ୍ରା ପଇସା ଯାହାକି ଥରେ ଦୁଇଥର ମିଳିଲାଣି ଓ ଆଗକୁ ଆହୁରି ମିଳିବ ବୋଲି କୁହାଗଲାଣି । ହେଲେ ଆମେ ଯାହା ବୁଲିକି ଦେଖିଲୁ ଧାନମଣ୍ଡି ଆଗରେ ରବିଧାନ ବିକିବା ପାଇଁ ବସି ରହିଥିବା ଚାଷୀଙ୍କ ଅବସ୍ଥା ଲଗାଣ ବର୍ଷାଯୋଗୁ ଏକଦମ ବେହାଲ । କିଏ ଜଣେ କହିଲେଣି ଯେ ଚାଷୀଙ୍କପାଖରେ ୫ଲକ୍ଷ ମେଟ୍ରିକ ଟନ୍ରୁ ଅଧିôକ ରବିଧାନ ବିକ୍ରୀହେବାକୁ ରହିଛି । କାରଣ ଆମେ ଯାହା ବୁଝିଲୁ ଆଗକୁ ବର୍ଷା ଆସୁଥିବାର ଦେଖି ଚାଷୀକୂଳ ରବିଧାନକୁ ତୁରନ୍ତ ମଣ୍ଡିରେ ପହୁଁଚାଇଦେବାର କାମଟିକି କରିଦେଇ ବସିଛନ୍ତି । ଗତ ମେ ମାସରୁ ଆରମ୍ଭ ହୋଇଥିବା ପ୍ରକ୍ରିୟାରେ ସରକାର ସେମାନଙ୍କଠାରୁ କିଛି ଧାନ କିଣିଲେଣି । ବାକି ଲୋକଙ୍କୁୁ ସରକାର କହିଲେଣି ଯେ ଆଜିଠାରୁ ମାନେ ଜୁନ୍ ୩୦ରୁ ମଣ୍ଡି ବନ୍ଦ । ଚାଷୀ ଧାନ ଆଣିକି ମଣ୍ଡିଆଗରେ ଥାକ ମାରି ଦେଇଛନ୍ତି । ମଣ୍ଡିରେ ଅବ୍ୟବସ୍ଥା ଚାଲିଥିବାବେଳେ ଝିପିଝିପି ଲଗାଣ ବର୍ଷାରେ ଧାନସବୁ ଗଜାହେଲେଣି । କଂଗ୍ରେସିଆ ଭାଇମାନେ ଦାବି କଲେଣି ଯେ ଅନ୍ତତଃ ଆଉ ୧୫ଦିନ ପର୍ଯ୍ୟନ୍ତ ମଣ୍ଡି ଖୋଲା ରହୁ । ବିଜେଡି ନେତାଏ ଦାବି କଲେଣି ଯେ ଟୋକନ ଅବଧି ମାସେ ବଢୁ । ଏକଥାର ଉତ୍ତର ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜୁନ୍ ୩୦ରେ ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଯେଉଁ ଚାଷୀମାନେ ଟୋକନ୍ ପାଇଛନ୍ତି ସେମାନଙ୍କର ଟୋକନ୍ ଲାପ୍ସ ହେବ ନାହିଁ । ବିଳମ୍ବ ହୋଇଛି ସତ, କିନ୍ତୁ ଚାଷୀଙ୍କର ସବୁଧାନ ସରକାର ନିଶ୍ଚୟ ଉଠାଇବେ । ଯେଉଁମାନେ ମଣ୍ଡିକୁ ଧାନ ଆଣିଛନ୍ତି ସେମାନେ ଏହାଭିତରେ ନିଜର ଆଖି-ସ୍କାନ କାମ ସାରି ଦିଅନ୍ତୁ ।
ଡ୍ରାଇଭର ସଂଘ ଧର୍ମଘଟରେ ମଲା ବିଚରା ସପୁରୀ ଚାଷୀ!
ନିୟମଗିରି ଅଂଚଳରେ ବେଦାନ୍ତ ଖଣିଖୋଳାକୁ ବିରୋଧ କରି ଏଠାକାର ଆଦିବାସୀ ଯେତିକି ନୟାନ୍ତ ଏଠାକାର ଅର୍ଗାନିକ ସପୁରୀ ଚାଷ ଯୋଗୁଁ ଯେଉଁ ଦୁଇପଇସା ଆସୁଥିଲା, ତାହା ହଠାତ୍ ବନ୍ଦ ହୋଇଯିବାକୁ ନେଇ ଚାଷୀ ସେତିକି ହତାଶ ହୋଇଛନ୍ତି । ପ୍ରତିବର୍ଷ ଏଠାକାର ସପୁରୀ ଚାଷୀ ବିଭିନ୍ନ ରାଜ୍ୟକୁ ସପୁରୀ ପଠାଇ ବେଶ୍ ଦିପଇସା ରୋଜଗାର କରିଥାଆନ୍ତି । ଏଇଟା ସେମାନଙ୍କର ଚାଷରୁ ଦିପଇସା ଅମଳ କରିବାର ସମୟ । ହେଲେ ଏହି ସମୟରେ ଗୋଟିଏ ପଟରେ ବର୍ଷାକୁ ଆରପଟରେ ଗାଡିମୋଟରରେ ଲଦି ନେବା ପାଇଁ ଅସୁବିଧା କାରଣ ଡ୍ରାଇଭର ଧର୍ମଘଟ । ବିଶେଷକରି ଟ୍ରକ ବନ୍ଦଯୋଗୁଁ ଏଠାକାର ଚାଷୀ ବିପଦରେ । ସ୍ଥାନୀୟ ସାପ୍ତାହିକ ହାଟଗୁଡ଼ିକରେ ସେମାନଙ୍କ ଉତ୍ପାଦନର ପ୍ରକୃତ ଦାମ ମିଳୁନାହିଁ । ସେମାନେ ଟ୍ରକ ସହାୟତାରେ ବାହାରକୁ ବିଶେଷ କରି ଛତିଶଗଡ଼ ବା ଝାଡ଼ଖଣ୍ଡ ପଠାଇ ପାରିଲେ କିଛି ପଇସା ପାଆନ୍ତି । ତେଣୁ ଚାଷୀ ସପୁରୀ ଅମଳ ନ କରିବା ଫଳରେ ବିଲରେ ପଡ଼ି ପଡ଼ି ବର୍ଷା ଯୋଗୁଁ ତାହା କ୍ଷତିଗ୍ରସ୍ତ ହେଲା । ସୂଚନା ଅନୁସାରେ କଲ୍ୟାଣସିଂହପୁର, ବିଷମକଟକ, ମୁନିଗୁଡ଼ା ଅଂଚଳରେ ୧୧୨ଟି ଗ୍ରାମର ଚାଷୀ ଯେଉଁ ସପୁରୀ ଚାଷ କରି କିଛି କିଛି ଲାଭ ପାଆନ୍ତି, ତାହା ବର୍ଷା ଓ ବସ୍ ଧର୍ମଘଟ ଯୋଗୁଁ କ୍ଷତିର ସମ୍ମୁଖୀନ ହୋଇଛି ।
ଏଠାକାର ଚାଷୀମାନେ ବାରମ୍ବାର ଦାବୀ କରି ଆସିଛନ୍ତି ଯେ ସ୍ଥାନୀୟ ଅଂଚଳରେ ସପୁରୀ ପ୍ରୋସେସିଂକରଣ କରି ଜାମ ଜେଲି ଆଦି ତିଆରି କରିବାକୁ ଏକ କାରଖାନା ଖୋଲୁ । ତାଙ୍କ କଥା କେହି ଶୁଣିବାକୁ ରାଜି ଥିଲାପରି ଜଣା ପଡ଼ୁନାହିଁ ।
ସତ କି ମିଛ କେଜାଣି । ୭୬ତମ ବନ ମହୋତ୍ସବ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସମସ୍ତଙ୍କୁ ଏହା କହି ଚମକ୍ରୃତ କରି ଦେଇଥିଲେ ଯେ ରାଜ୍ୟରେ ଆଦିବାସୀଙ୍କ ଆୟ ବଢ଼ାଇବା ପାଇଁ କାଳେ ୧୦୦ଟି ପ୍ରୋସେସିଂ କାରଖାନା ବସିବ ସେଥିରୁ ବାର୍ଷିକ ୫୦୦୦ କୋଟି ଟଙ୍କାରୁ ଅଧିକ ଆୟ ହେବ । ନିୟମଗିରି ଅଂଚଳର ଚାଷୀମାନଙ୍କ ସପୁରୀ ପାଇଁ ସେମିତି ଏକ କାରଖାନା ହେଲେ ଭଲ ହୁଅନ୍ତା ନି?
Comments
0 comments