ନବକୃଷ୍ଣଙ୍କୁ ସମାଲୋଚନା: ବକ୍ରୋକ୍ତି, କଟୁକ୍ତି ଓ କ୍ଷୋଭୋକ୍ତି

ନବକୃଷ୍ଣ ଜଣେ ରାଜନୈତିକ ବ୍ୟକ୍ତି ଥିଲେ । ତେଣୁ ସମାଲୋଚନାର ଶରବ୍ୟ ହେବା ସ୍ୱାଭାବିକ । କିନ୍ତୁ ସମାଲୋଚନା କିପରି ହେଉଥିଲା, କେଉଁ ବ୍ୟକ୍ତିମାନେ ସମାଲୋଚନା କରୁଥିଲେ ଓ କାହିଁକି କରୁଥିଲେ ଓ ସମାଲୋଚନାର ବିଷୟବସ୍ତୁ କଣ ଥିଲା, ତାହାର ମଧ୍ୟ ଉଲ୍ଲେଖ ହେବାର ଆବଶ୍ୟକତା ଅଛି । ତାହାହେଲେ ଯାଇ ତାଙ୍କ ବ୍ୟକ୍ତିତ୍ୱର ଅଧ୍ୟୟନ ପୂର୍ଣ୍ଣାଙ୍ଗ ହୋଇପାରିବ ବୋଲି ଏ ଲେଖକ ମନେ କରେ ।

ସଜ୍ଜନ (‘ଭୀରୁ’) ନବକୃଷ୍ଣ!
ନବକୃଷ୍ଣ ଚୈାଧୁରୀଙ୍କର ପ୍ରଥମ ଜୀବନୀକାର ଚିତ୍ତରଂଜନ ଦାସ ତାଙ୍କର ପୁସ୍ତକ ‘ଶ୍ରୀ ନବକୃଷ୍ଣ ଚୌଧୁରୀ-ଏକ ଜୀବନୀ’ ପ୍ରକାଶ ପାଇବାର (୧୯୯୨) ଆଠବର୍ଷ ପୂର୍ବରୁ, ନବକୃଷ୍ଣଙ୍କ ମୃତୁ୍ୟ ପରେ ପ୍ରକାଶିତ ସ୍ମରଣିକା ‘ଶ୍ରଦ୍ଧାଞ୍ଜଳି’ (ମୁଖ୍ୟ ସମ୍ପାଦକ-ସୁରେନ୍ଦ୍ରନାଥ ଦ୍ୱିବେଦୀ, ୧୯୮୪)ରେ ଚିତ୍ତବାବୁ ଏକ ଦୀର୍ଘପ୍ରବନ୍ଧ ‘ଏକ ରାଜନୀତିକ ବ୍ୟକ୍ତିତ୍ୱର ସମୀକ୍ଷା’ ଶିରୋନାମାରେ ଲେଖିଥିଲେ ଓ ପରେ ଏହାକୁ ତାଙ୍କ ରଚିତ ନବବାବୁଙ୍କ ଜୀବନୀ ପୁସ୍ତକରେ ଅନ୍ତର୍ଭୁକ୍ତ କରିଥିଲେ । ଏହି ପ୍ରବନ୍ଧରେ ସେ ନବକୃଷ୍ଣଙ୍କୁ ଏକ ସଜ୍ଜନ ବୋଲି ଅଭିହିତ କରି ଲେଖିଲେ୧(ପୃ ୧୩୬-୭)-“ଜୀବନଯାକ ସମ୍ପୃକ୍ତ ସମସ୍ତଙ୍କ ଆଖିରେ ଜଣେ ସଜ୍ଜନହୋଇ ରହି ଯାଇଛନ୍ତି, ମାତ୍ର ସକ୍ରିୟ ନେତୃତ୍ୱର କ୍ଷେତ୍ରରେ କିଛିହେଲେ ସମ୍ଭବ କରିନାହାନ୍ତି । ସମସାମୟିକତାର ଅନେକ ଲଟା ଭିତରେ ବାନ୍ଧି ହୋଇ ରହିଛନ୍ତି । ବାନ୍ଧି ହୋଇ ରହିବାର ସେହି ଅସହାୟତା ମଧ୍ୟରେ ତଥାପି ସଜ୍ଜନ ହୋଇ ରହିଛନ୍ତି, ମାତ୍ର ଲଟାଗୁଡାକୁ କାଟି ଏବଂ ବାହାରକୁ ବାହାରି ନିଷ୍ପତ୍ତିିମୂଳକ ଭାବରେ କୌଣସି ନେତୃତ୍ୱ ଦେଇପାରିନାହାନ୍ତି । ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ରାଜ୍ୟ ବିଧାନସଭା ପରି ଏକ ଅନୁପଯୁକ୍ତ ସ୍ଥାନରେ ‘ଅଂଚଳ ସଭାର ଚେୟାରମ୍ୟାନ୍ ନ ହେଲେ ମୋର ଆକାଂକ୍ଷା ଅପୂରଣ ରହିଯିବ,’ ‘ଆଇନ ଅଦାଲତରେ ଗରିବ ଲୋକ ନ୍ୟାୟ ପାଉ ନାହିଁ’ ଏବଂ ‘ହାତରେ ହଳ ନ କଲେ ଜମି ରହିବ ନାହିଁ’ ପ୍ରଭୃତି କେତେ କଥା କହିଛନ୍ତି; ମାତ୍ର ଯେଉଁ ସାମାଜିକ ବିପ୍ଳବ ଦ୍ୱାରା ସ୍ୱାଧୀନ ଭାରତରେ ଏସବୁ ସମ୍ଭବ ହୋଇଥାନ୍ତା, ସିଏ ସେଇଟିଠାରୁ ପ୍ରାୟ ଏକ ଦୂରତା ରକ୍ଷା କରି ରହିଯାଇଛନ୍ତି । ଆପଣାର ଶେଷ ଜୀବନରେ ଶ୍ରୀଯୁକ୍ତ ଚୌଧୁରୀ ଏକାଧିକ ସାଧାରଣ ଅବସର ମାନଙ୍କରେ ପ୍ରକାଶ୍ୟ ଭାବରେ କହୁଥିଲେ ଯେ ସେମାନେ ସମାଜ ପାଇଁ କିଛି କରିବାକୁ ଭାବିଥିଲେ । ଏ ଦେଶକୁ ନୂତନ ଭାବରେ ଗଢ଼ିବେ ବୋଲି ଭାବିଥିଲେ; ମାତ୍ର କରିପାରିଲେ ନାହିଁ । ଏଥିପାଇଁ ସେ ନିଜକୁ ଅପରାଧୀ ବୋଲି ଘୋଷଣା ମଧ୍ୟ କରୁଥିଲେ । ଏହା ମଧ୍ୟ ତାଙ୍କର ସଜ୍ଜନତାର ହିଁ ପରିଚୟ ଦିଏ ।” କିନ୍ତୁ ସଜ୍ଜନ ବ୍ୟକ୍ତିମାନେ ସାଧାରଣତଃ ଭୀରୁ ହୋଇଥାନ୍ତି ଏହା ଦର୍ଶାଇବାକୁ ଯାଇ ଏହି ପ୍ରବନ୍ଧରେ ହିଁ ଚିତ୍ତବାବୁ ଲେଖନ୍ତି୧(ପୃ ୧୩୮), “…ମାର୍ଟିନ ଲୁଥର କିଙ୍ଗ୍ ତାଙ୍କର କୌଣସି ଗୋଟିଏ ପୁସ୍ତକରେ ମନ୍ତବ୍ୟ କରିଛନ୍ତି ଯେ, ଆମ ପୃଥିବୀ ଦୁର୍ଜ୍ଜନ ଓ ଦୁଷ୍ଟମାନଙ୍କ ଦ୍ୱାରା ଯେତେ କ୍ଷତିଗ୍ରସ୍ତ ନ ହୋଇଛି, ତଥାକଥିତ ସଜ୍ଜନମାନଙ୍କ ଦ୍ୱାରା ତାଠାରୁ ଅନେକ ଅଧିକ ଗୁଣରେ କ୍ଷତିଗ୍ରସ୍ତ ହୋଇଛି । ସଜ୍ଜନମାନେ ସର୍ବୋପରି ସଜ୍ଜନ ହେବାକୁ ହିଁ ଜୀବନର ଧର୍ମବୋଲି ଗ୍ରହଣ କରିନେଇଥାନ୍ତି । ସେମାନେ ଦୁର୍ଜ୍ଜନ ହୋଇପଡ଼ିବାର ଭୟରେ ନିଷ୍କ୍ରିୟ ହୋଇ ରହିବାକୁ ହିଁ ବିଜ୍ଞତା ବୋଲି ବୁଝିଥାନ୍ତି । ଆହ୍ୱାନ ଆସେ, ଆହ୍ୱାନ ଚାଲିଯାଏ, ତଥାପି ସେମାନେ ତାହାକୁ ସ୍ୱୀକାର କରନ୍ତି ନାହିଁ । ଭାରତର ନୀତିଶାସ୍ତ୍ରମାନଙ୍କରେ ଏହିପରି ସଜ୍ଜନ ହୋଇ ରହିବାକୁ ହିଁ ସବୁଠାରୁ ଅଧିକ ଉପଦେଶ ତଥା ପରାମର୍ଶ ଦିଆଯାଇଛି । ହୁଏତ ସେହି କାରଣକୁ ଭାରତୀୟ ପରମ୍ପରାରେ ଗୋଟିଏ ପାଖରୁ ଦେଖିଲେ ଯେଉଁମାନେ ବଡ଼ ବଡ଼ ସଜ୍ଜନଙ୍କ ପରି ଦେଖାଯାଆନ୍ତି, ଆଉ ଗୋଟିଏ ପାଖରୁ ଆଉ ଟିକିଏ ପାଖକୁ ଆସି ଦେଖିଲେ ସେମାନେ ଜଣେ ଜଣେ ଭୀରୁ ପରି ମଧ୍ୟ ଦେଖାଯାଅନ୍ତି । ସେହି ପରମ୍ପରା ଏବେ ମଧ୍ୟ ଆମକୁ ଭାରି ଆସକ୍ତ ଭାବରେ କାମୁଡି ଧରି ରହିଛି ଏବଂ ତେଣୁ ଏଠାରେ ଅଧିକାଂଶ ସମୟରେ ଶ୍ରଦ୍ଧା ଅପେକ୍ଷା ଉପେକ୍ଷାର ଜୟ ହୋଇଛି, ଏକ ଆତ୍ମକାମୀ ସଜ୍ଜନତାର ହିଁ ସକାରାତ୍ମକ ଜୀବନନିଷ୍ଠା ଉପରେ ବିଜୟ ହୋଇଛି । ଏଠାରେ ଯୋଗୀମାନେ ବୈରାଗୀ ହୋଇ ରହିବାକୁ ଅଧିକ ବାଞ୍ଝନୀୟ ମନେ କରିଛନ୍ତି । ଅଗଣିତ ପତିତମାନଙ୍କୁ ଯେଉଁଠି ସେଇଠି ରହିବାକୁ ଛାଡ଼ି ଦେଇ ଆତ୍ମମୋକ୍ଷ-କାମନାର ମନ୍ତ୍ରଗୁଡ଼ିକୁ କେତେ ନିଶ୍ଚିନ୍ତ ଭାବରେ ଏକାଗ୍ର ଚିତ୍ତରେ ଆବୃତ୍ତି କରିପାରିଛନ୍ତି । ଭାରତୀୟ ସଂସ୍ଥା ଭିତରେ ଗୋଟିଏ ତୁଚ୍ଛା ନୈତିକତା ଉପରେ ମାନବିକତାର ବିଜୟ ଘୋଷଣା ହୋଇପାରି ନାହିଁ ବୋଲି ସମ୍ଭବତଃ ଏପରି ହୋଇଛି । ଅଧିକାଂଶ ଅନିଚ୍ଛୁକତା ପଛରେ ଯେଡ଼େ ଗଭୀରରେ ହେଉ ପଛକେ, ଏକ ଆତ୍ମିକତା ଏବଂ ତଜ୍ଜନିତ ଏକ ଭୀରୁତା ଲୁଚି କରି ରହିଥାଏ; ସେହି ଭୀରୁତା କେବଳ ଏକ ସଜ୍ଜନତାର ମୁଖା ଲଗାଇ ହିଁ ସଂସାରକୁ ବାହାରିବା ସର୍ବଦା ଉଚିତ ବୋଲି ବିଚାର କରିଥାଏ । ସଜ୍ଜନମାନେ ଏଠି ସର୍ବଦା ବ୍ରାହ୍ମଣ ହୋଇ ରହିବାକୁ ଇଚ୍ଛା କରୁଥାନ୍ତି । ସର୍ବଦା ଶାସ୍ତ୍ରଗୁଡ଼ିକର ଅଧିକାରୀ ହୋଇ ରହିଥାନ୍ତି ଓ ତେଣୁ କେବହେଲେ ମଣିଷର ଉଦୟ ହିଁ ମଣିଷମାନଙ୍କ ପାଇଁ ତିଆରି ହୋଇଥିବା ଯାବତୀୟ ବିବେକର ସର୍ବପ୍ରଥମ କାମ୍ୟ ବୋଲି ସତକୁ ସତ ସ୍ୱୀକାର କରିପାରନ୍ତି ନାହିଁ ।” ଏହାଦ୍ୱାରା ସଜ୍ଜନ ନବକୃଷ୍ଣ କ’ଣ ଭୀରୁବୋଲି ଇଙ୍ଗିତ କରାଯାଉଛି? ଯେଉଁ ପ୍ରଶ୍ନ ଚିତ୍ତବାବୁ ତାଙ୍କର ପ୍ରବନ୍ଧର ଶେଷ ଧାଡ଼ିରେ ନବବାବୁଙ୍କ ସମ୍ପର୍କରେ ଉତ୍ଥାପନ କରିଛନ୍ତି ଯେ୧(ପୃ ୧୩୮) “ଯିଏ ଏତେ ଆଗକୁ ଭାବିପାରୁଥିଲେ, ଏତେ ବହୁ ପ୍ରସ୍ଥଯୁକ୍ତ ଭାବରେ ଭାବିପାରୁଥିଲେ, ଯାହାଙ୍କର ଅବବୋଧଗୁଡ଼ିକ ଏତେ ଗ୍ରହଣଶୀଳ ହୋଇ ରହିଥିଲା, ଯାହାଙ୍କ ପାଖରେ ଏତେ ବିଶାଳ ହୃଦୟ ରହିଥିଲା ଓ ଯିଏ ସକଳପ୍ରକାର ଆତ୍ମକାମନାରୁ ଏତେ ଦୂରରେ ରହୁଥିଲେ, ସିଏ ଏପରି ପଛରେ ରହିଗଲେ କାହିଁକି? ଆହ୍ୱାନଗୁଡିକ ଆସି ପହଂଚିବା ବେଳକୁ ସେ ଅନିଚ୍ଛୁକ ହୋଇ (କାହିଁକି) ଅନ୍ୟତ୍ର ରହିଯାଉଥିଲେ?” ପାଠକ ହୁଏତ ପ୍ରଶ୍ନ କରିପାରନ୍ତି, କ’ଣ ଏଇଥି ପାଇଁ ଯେ ନବବାବୁ ପ୍ରକୃତରେ ଭୀରୁ ଥିଲେ?
‘ଟଳମଳ’ ନବକୃଷ୍ଣ
ଚିତ୍ତବାବୁ ତାଙ୍କ ରଚିତ ନବବାବୁଙ୍କ ଜୀବନୀରେ ନବବାବୁଙ୍କ ସମ୍ପର୍କରେ ଲେଖନ୍ତି୨(ପୃ ୭୪), “ଇଏ ଏକ ଅଦ୍ଭୂତ ବ୍ୟକ୍ତିତ୍ୱ ; ବାହାରକୁ ଏକାବେଳେକେ ଥିର, ଭିତରେ ସତେ ଅସ୍ଥିର, ସତେ ଟଳମଳ । ଯଦି, ସେ ଯେଉଁ ଆସ୍ଥାନଟିରୁ ନିଜର କର୍ମଜୀବନ, ସ୍ୱପ୍ନ ଓ ଆଦର୍ଶ ଚାରଣାର ଜୀବନ ଅରମ୍ଭ କରିଥିଲେ, ଶ୍ରୀ ଚୌଧୁରୀ ସେହି ଅସ୍ଥାନଟିରେ ରହିଥାନ୍ତେ, ସେଇଠି ଥାଇ କୃଷକ, ଆନ୍ଦୋଳନ କରିଥାନ୍ତେ, ସାମ୍ୟବାଦ କରିଥାନ୍ତେ, କଂଗ୍ରେସ ଭିତରେ ପହଁରି ଥାଆନ୍ତେ ଏବଂ ମନ୍ତ୍ରୀ ପଦ ବି ଗ୍ରହଣ କରିଥାନ୍ତେ, ତେବେ ତାଙ୍କ ଜୀବନ ପ୍ରକୃତରେ କିପରି ଗତି କରିଥାନ୍ତା ଓ ତାଙ୍କର କାମ୍ୟ ଲକ୍ଷ୍ୟଗୁଡ଼ିକ କିପରି ଉପକୃତ ହୋଇଥାନ୍ତେ, ସେ କଥାର ମଧ୍ୟ ଏକ ବିକଳ୍ପ କଳ୍ପନା କରାଯାଇ ପାରେ ।” ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ଏହିଭଳି ମନ୍ତବ୍ୟ ଚିତ୍ତବାବୁ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସମ୍ପର୍କରେ କରିଥିଲେ୩(ପୃ ୧୪୬-୭) । ୩ ଅଗଷ୍ଟ ୧୯୫୬ ଦିନ, ଗୋଦାବରୀଶ ମିଶ୍ରଙ୍କ ମୃତ୍ୟୁ (୨୬ ଜୁଲାଇ ୧୯୫୬)ର ଆଠ ଦିନ ପରେ, ଜୀବନ ବିଦ୍ୟାଳୟର ଅନ୍ତେବାସୀଙ୍କୁ ଉଦବୋଧନ ଦେଇ ଚିତ୍ତବାବୁ କହୁଥିଲେ, “ତାଙ୍କର ପାଣ୍ଡିତ୍ୟ ଥିଲା, ପ୍ରତିଭା ଥିଲା; ଅଥଚ ସ୍ଥିର ହୋଇ, ଆପଣାର କ୍ଷେତ୍ରରେ ସ୍ଥିର ରହି, ଆପଣାର ଯୋଗ୍ୟ ନିବେଦନ କରିବାର ଧୈର୍ଯ୍ୟ ନଥିବାରୁ ଅତି ଅସମ୍ପୂର୍ଣ୍ଣଭାବେ ତାଙ୍କର ଜୀବନ ଇତି ହୋଇଗଲା । ପ୍ରଥମେ ସେ ସତ୍ୟବାଦୀ ବିଦ୍ୟାପୀଠର ଜଣେ କର୍ମୀ ହିସାବରେ ଯୋଗ ଦେଇଥିଲେ । ସେଥିରେ ଯଦି ସେ ସ୍ଥାୟୀଭାବରେ ତିଷ୍ଠି ପାରିଥାନ୍ତେ, ତେବେ ଆଜି ହୁଏତ ସତ୍ୟବାଦୀର ସାଧନାପୀଠ ହିଁ ସାରା ଓଡ଼ିଶାକୁ ବାଟ ଦେଖାଉଥାନ୍ତା; ସତ୍ୟବାଦୀ ହିଁ ସାରା ଓଡ଼ିଶାର ପୁଣ୍ୟ ସଂସ୍କୃତିମଣ୍ଡପ ହୋଇ ରହିଥାନ୍ତା । ସାରା ଓଡ଼ିଶାରୁ ଦାରିଦ୍ର୍ୟ ଓ ଅଜ୍ଞତା ଦୂର କରିବା ଲାଗି ସତ୍ୟବାଦୀ ହୁଏତ ଆଜି ମଧ୍ୟ ବ୍ରତୀଦଳ ତିଆରି କରୁଥାନ୍ତା । କିନ୍ତୁ ସେ ସୌଭାଗ୍ୟ ଓଡ଼ିଶାର ହେଲା ନାହିଁ ।” ଚିତ୍ତବାବୁ କହୁଥିଲେ, “ଯିଏ ଆପଣାର ସ୍ୱତନ୍ତ୍ର କ୍ଷେତ୍ର ଜୀବନରେ ପାଏ ଓ ସେଇଠି ରହିବାର ଧୈର୍ଯ୍ୟ ଅର୍ଜ୍ଜନ କରେ, ସଂସାରରେ ସେଇ ମଣିଷର ଜୀବନ ଧନ୍ୟ ହୁଏ, ସେଇ ଜୀବନ ବଂଚିବାର ଯଥାର୍ଥ ଆନନ୍ଦ ପାଏ । ଯିଏ ନାନାକ୍ଷେତ୍ରରେ କୁଦା ମାରିବାର ଲୋଭରେ ପଡ଼େ, ସେ ଆପଣାକୁ ହରାଇ ବସେ । ଆପଣାର ପ୍ରିୟ କ୍ଷେତ୍ର, ସେ ଯେତେ ନିମ୍ନହେଉ ପଛକେ, ଛାଡ଼ି ପଣ୍ଡିତ ଗୋଦାବରୀଶ ଉପରେ ଉଡ଼ିଲେ, ତାହା ହିଁ ଓଡ଼ିଶାର ଦୁର୍ଭାଗ୍ୟ ।” ଏଥିପାଇଁ ଗୋଦାବରୀଶ ଅନୁତାପ କରିଥିଲେ – “ମୋର ମନେ ହୁଏ, ନିମ୍ନକ୍ଷେତ୍ରରେ ରହି ସେବା କରିବା ନିମନ୍ତେ ବିଧାତା ମୋତେ ଶକ୍ତି ଦେଇଥିଲା । ସେ ଶକ୍ତିକୁ ଧରି ଉପରେ ଉଡ଼ିବାକୁ ବସିବା ମୋ ପକ୍ଷରେ ଭୁଲ ହୋଇଛି ।”
ପଦ ଗ୍ରହଣ ପ୍ରୟାସୀ ନବକୃଷ୍ଣ
ଚିତ୍ତବାବୁଙ୍କ ଦୃଷ୍ଟିରେ୨(ପୃ ୭୨-୩), “ଶ୍ରୀଯୁକ୍ତ ଚୌଧୁରୀ ପଦଗ୍ରହଣ ବିଷୟରେ ଆଦୌ ଅନାସକ୍ତ ନଥିଲେ । ପଦ ଗ୍ରହଣକରିବା ମାତ୍ରକେ ଯିଏ ସେହି ପଦର ଆସକ୍ତି ଭିତରେ ପଡ଼ିଯାଏ, ଶ୍ରୀ ଚୌଧୁରୀଙ୍କର ସେଭଳି ଜଣେ ବ୍ୟକ୍ତିସହିତ ଆଦୌ କୌଣସି ସାମଞ୍ଜସ୍ୟ ନ ଥିଲା । ରାଜନୀତିକ ଆନ୍ଦୋଳନ ଡେଇଁ ଘରେ ପ୍ରବେଶ କରିବାର ଏକାବେଳେକେ ସେହି ପ୍ରଥମ କାଳରେ ମଧ୍ୟ ସେ ସୁଯୋଗ ମିଳୁଥିବା ଏକ ପଦଗ୍ରହଣ କରିବାର ପ୍ରୟାସ କରୁଥିଲେ ।” ଏହି ଧାରଣାକୁ ବିସ୍ତାର କରି ଚିତ୍ତବାବୁ ଲେଖନ୍ତି୨(ପୃ ୭୩-୪),“ତେଣୁ ଅନାସକ୍ତର ପ୍ରଶ୍ନ ହିଁ ନାହିଁ । ଶ୍ରୀଯୁକ୍ତ ଚୌଧୁରୀ କେବେହେଲେ ତାଙ୍କପାଇଁ ପ୍ରତ୍ୟାଶିତ କୌଣସି ପଦକୁ ଛାଡ଼ିନାହାନ୍ତି । ସମ୍ଭବତଃ, ଏପରି କୁହାଯାଇପାରିବ ଯେ, ଯେତିକି ଉତ୍ସାହରେ ସେ ପଦଗୁଡିକୁ ଗ୍ରହଣ କରିଛନ୍ତି, ପ୍ରାୟ ସେତିକି ଉତ୍ସାହରେ ସେଗୁଡିକୁ ଛାଡ଼ିବା ପାଇଁ ଚଂଚଳ ହୋଇ ପଡ଼ିଛନ୍ତି । ଘରେ ପଶୁ ପଶୁ ଘରୁ ବାହାରିଯିବା ପାଇଁ ତରତର ହୋଇଛନ୍ତି ।… ପ୍ରାୟ ସବୁ ସ୍ଥାନରେ ସେ ଉଚ୍ଚ ଅଥବା ସର୍ବୋଚ୍ଚ ଜାଗାରେ ଯାଇ ବସିବାର ସ୍ୱୀକୃତି ପାଇଛନ୍ତି, ମଣିମାନେ ସର୍ବତ୍ର ତାଙ୍କୁ ମଣି ରୂପେ ବାଛିଛନ୍ତି; ମାତ୍ର ସେ କେଉଁଠି ହେଲେ ଥିର ହୋଇ ପ୍ରାୟ କୌଣସି ଗଢ଼ିବା ସମ୍ପୂର୍ଣ୍ଣ ହେବା ଯାଏ ଆଦୌ ରହିନାହାନ୍ତି । ସେ ଆଦୌ କୌଣସି ଜାଗାରେ ତଳୁ ଆରମ୍ଭ କରିନାହାନ୍ତି, ପାହାଚ ଉଠି ତଳୁ ଉପରକୁ ଯାଇ ନାହାନ୍ତି ଅଥବା କୈାଣସି କିଛିକୁ ତଳୁ ଉପର ଯାଏ ପାହାଚ ପାହାଚ କରି ଗଢ଼ିନାହାନ୍ତି ।” ଏହି ମନ୍ତବ୍ୟ ସେମାନଙ୍କୁ ଚକିତ କରୁଥିବ ଯେଉଁମାନଙ୍କର ଧାରଣା ଯେ ନବବାବୁ ସ୍ୱଇଚ୍ଛାରେ ପଦପଦବୀ ପାଇଁ ଲାଳାୟିତ ନ ଥିଲେ; ପ୍ରୟାସ ତ ଦୂରର କଥା ।
‘ଅଯୋଗ୍ୟ’ ନବକୃଷ୍ଣ
ଓଡ଼ିଶା ସରକାରଙ୍କ ପ୍ରଚାର ବିଭାଗର ଅଫିସର ଶ୍ରୀ ଚିନ୍ତାମଣି ମିଶ୍ର ୧୪ ଜୁଲାଇ ୧୯୫୫ ଦିନ ତାଙ୍କ ଡାଏରୀରେ ଲେଖନ୍ତି୪(ପୃ ୨୮୭(୨୯୬)), “୧୯୪୪ ଜାନୁଆରୀ ଆଠ ତାରିଖରେ ଚାକିରିରେ ପଶିଲି । କାମ କରିବାକୁ ବହୁତ ସୁବିଧା ମିଳିଲା । ମୁଁ ଏକ ରକମ ସ୍ୱାଧୀନ ଥିଲି । ସ୍ୱାଧୀନ ଚିନ୍ତା ପାଇଁ ମୋତେ ଯେତେ ସମୟ ଓ ସୁବିଧା ମିଳିଥିଲା, ଚାକିରିରେ ଆଉ କାହାରିକୁ ସେପରି ମିଳିଥିଲା ବୋଲି ମନେ ହେଉନାହିଁ । ୧୯୫୦ ପର୍ଯ୍ୟନ୍ତ ଅତି ଆନନ୍ଦରେ ସମୟ କଟିଲା । ମୋର ଦୁର୍ଯୋଗକୁ ମହତାବବାବୁ ୧୯୫୦ରେ ଦିଲ୍ଲୀର ପ୍ରଲୋଭନରେ ପଡ଼ିଗଲେ ଓ ନବବାବୁଙ୍କ ପରି ଜଣେ ଅଯୋଗ୍ୟ ବ୍ୟକ୍ତି ଆସି ମୁଖ୍ୟମନ୍ତ୍ରୀ ହୋଇଗଲେ । ତାଙ୍କ ସାଙ୍ଗକୁ ବି ମୁଖାର୍ଜୀ ପରି ଅଯୋଗ୍ୟ ଚିଫ୍ ସେକ୍ରେଟାରୀ । ଠିକ ଅବୁଝାମଣା ରଜାକୁ ପାଳଚୁଂଟା ମନ୍ତ୍ରୀ । ସେଇ ଦିନୁ ମୋତେ ଚାକିରି ବିଷ ପରି ଲାଗିଲା । ନିଜର ସାଧୁ ଇଚ୍ଛା ମଧ୍ୟ କାର୍ଯ୍ୟରେ ପୂରଣ ହୋଇପାରିଲା ନାହିଁ । ପ୍ରାୟ ୩ ବର୍ଷରୁ ଅଧିକ ବିଚାରିଲି, ନବବାବୁଙ୍କର ଜ୍ଞାନ ଉଦୟ ହେବ, ଯେ କୌଣସି କାର୍ଯ୍ୟ କଲାବେଳେ ଟିକିଏ ଚିନ୍ତା କରିବେ ଓ ୫ଜଣଙ୍କୁ ପଚାରି କରିବେ । ତାହାହେଲା ନାହିଁ, ଅଫିସରମାନେ ଖାଲି ହାଁ ଜୀ ହାଁ ଜୀ କରିବାରେ ରହିଲେ । ମୋ ପ୍ରତି ଯେଉଁ ବେଖାତିର ହେଉଥିଲା, ତାହାକ୍ରମେ ଘୃଣାରେ ପରିଣତ ହେବାକୁ ବସିଲା । ଗତ ଦେଢ଼ବର୍ଷ ହେଲା ମୁଁ ସ୍ଥିର କରି ସାରିଥିଲି ଆଉ ରହିବି ନାହିଁ । ନିଜର ଭାବିବା କଥା ଅନୁସାରେ କାର୍ଯ୍ୟ କରିବାର ସାହସ ଅର୍ଜନ କରିବାକୁ ଏତିକି ଦିନ ଲାଗିଲା ।” ମହତାବଙ୍କ ସପକ୍ଷବାଦୀ ଥିଲେ ଚିନ୍ତାମଣିବାବୁ । ନିଜେ ଚିନ୍ତାମଣିବାବୁ ଲେଖନ୍ତି୪(ପୃ ୧୭୫(୧୮୪)), “କେତେକଙ୍କଠାରୁ ଶୁଣିଛି, ମୁଁ ମହତାବଙ୍କ ଲୋକ ବୋଲି ନବବାବୁ ବିମନା । ଖାଲି ଏତିକିରେ ବିମନା ହେଲେ ମୁଁ ନାଚାର । ପ୍ରକୃତରେ ମୁଁ ବିଶ୍ୱାସ କରୁଛି, ମୂଳରୁ ନବବାବୁଙ୍କ ଅପେକ୍ଷା ମହତାବ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ବହୁଗୁଣରେ ଯୋଗ୍ୟ । ଏଇ ଧାରଣା ରଖିବା ଯୋଗୁଁ ମୋ ଉପରେ ବିଗିଡ଼ିବାର କୌଣସି କାରଣ ନାହିଁ ।” ଚିନ୍ତାମଣିବାବୁ ସ୍ୱୀକାର କରନ୍ତି ସେ ନବବାବୁଙ୍କ ବିରୁଦ୍ଧରେ ଥିଲେ । ୨୮ମଇ ୧୯୫୪ରେ ଲେଖୁଛନ୍ତି୪(ପୃ ୨୧୧-୨(୨୨୦-୧)), “ଅନେକ ସମୟରେ ମୁଁ ଭାବେ ନବକୃଷ୍ଣ ଚୌଧୁରୀଙ୍କ ବିରୁଦ୍ଧରେ ମୁଁ ଥିଲେ ମଧ୍ୟ, ସେ ମୋତେ ସାଙ୍ଗରେ ରଖିଛନ୍ତି, ପୂର୍ଣ୍ଣ ବିଶ୍ୱାସ ନ କରୁଥିଲେ ମଧ୍ୟ ।” ନବବାବୁଙ୍କର ଏପରି ଆଚରଣ ଯୋଗୁଁ ଚିନ୍ତାମଣିବାବୁ ନବବାବୁଙ୍କୁ ‘ଭଦ୍ରଲୋକ’ କହିବାକୁ ପଛାଇ ନାହାନ୍ତି ଅବଶ୍ୟ ସେ ଆସିଥିବା ଦୁଇ ଅତି ଘନିଷ୍ଠ ସମ୍ପର୍କୀୟ ପଣ୍ଡିତ ନୀଳକଣ୍ଠ ଦାସ ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ତୁଳନାରେ । ପ୍ରାୟ ଏହିଭଳି ଆଚରଣ ନୀଳମଣି ରାଉତରାୟ ଲକ୍ଷ୍ୟ କରିଥିଲେ ନବବାବୁଙ୍କଠାରେ । ନୀଳମଣିବାବୁ ଲେଖନ୍ତି୫(ପୃ ୨୮୮…୨୯୧), “ନବବାବୁଙ୍କ ମନ୍ତ୍ରିମଣ୍ଡଳର ସବୁ ସଭ୍ୟ ଥିଲେ ତାଙ୍କ ସପକ୍ଷରେ । କେବଳ ମୁଁ ମହତାବ ଗୋଷ୍ଠୀରେ ଥାଏ ।…. ମୁଁ ମହତାବବାବୁଙ୍କୁ ଆଣିବା ଉଦ୍ୟମରେ ପୁରାପୂରି ଲିପ୍ତ ଥିଲି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଚୌଧୁରୀ ଭଲଭାବରେ ଜାଣିଥିଲେ, ତଥାପି ସେ ବିଷୟରେ ସେ କେବେ ମୋତେ କିଛି କହୁ ନ ଥିଲେ । କିନ୍ତୁ ଭୈରବବାବୁ ପ୍ରଭୃତିଙ୍କ କାର୍ଯ୍ୟକୁ ସେ ଯେପରି ପ୍ରଶଂସା କରୁଥିଲେ, ମୋ କାର୍ଯ୍ୟକୁ ସେପରି ପ୍ରଶଂସା କରୁନଥିଲେ । ଏହା ସ୍ୱାଭାବିକ ବୋଲି ଭାବି ମୁଁ ବିଶେଷ ବିବ୍ରତ ହେଉନଥିଲି ।” ଅପରପକ୍ଷରେ,୨୮ ମଇ ୧୯୫୪ ଦିନ ଚିନ୍ତାମଣିବାବୁ ଡାଏରୀରେ ଲେଖୁଛନ୍ତି୪(ପୃ ୨୧୧),“ଆଜି ୩ଟା ବେଳେ ମୁଖ୍ୟମନ୍ତ୍ରୀଙ୍କ(ନବବାବୁଙ୍କ) ସଙ୍ଗେ ଦେଖାହେଲା । ନାନା ବିଷୟରେ ଆଲୋଚନା ହେଲା । ମନେ ହେଲା ଯେପରି ସେ ମୋ କାମକୁ ପସନ୍ଦ କରୁଛନ୍ତି ଓ ମୋର ସହଯୋଗ ଚାହୁଁଛନ୍ତି । କିନ୍ତୁ ସେ କଥା ତାଙ୍କ ମୁଁହରୁ ଫିଟି ବାହାରିବାକୁ କଷ୍ଟହେଉଛି । ମୋ ସଙ୍ଗେ ଅତୀତରେ ଯେଉଁ ବିରୋଧ ଥିଲା ତାହାର ଛାପ ତାଙ୍କ ଉପରେ ପଡ଼ିଥିଲା ପରି ମନେ ହୁଏ । ପଡ଼ିବାର କଥା ।” କିନ୍ତୁ ଚିନ୍ତାମଣିବାବୁ ଯେତେବେଳେ ଚାକିରିରୁ ଇସ୍ତଫା ଦେଇ ନବବାବୁଙ୍କୁ ୨୨ଜୁଲାଇ ୧୯୫୫ଦିନ ଦେଖା କରୁଛନ୍ତି, ସେ ଦୃଶ୍ୟ ବର୍ଣ୍ଣନା କରି ଚିନ୍ତାମଣିବାବୁ ଲେଖୁଛନ୍ତି୪(ପୃ ୨୮୯), “ସେ ମୋତେ ତାଙ୍କଘରେ ପଶିବାର ଦେଖି ଉଠିଆସିଲେ । ତାଙ୍କ ମୁଁହ କଳା ପଡ଼ି ଯାଇଥାଏ । ମୁଁ ଯେତେବେଳେ ଯାଇ କହିଲି, ‘ଆଜିଯାଏ ରହିଯାଇଥିଲି, ଆଜି ଯାଉଛି ।’ ସେ କିଛି ସମୟର ନୀରବତା ପରେ କହିଲେ, ‘ମୁଁ ତ ଏଠାରେ ତି୍ରଶଙ୍କୁ ଅବସ୍ଥାରେ ପଡ଼ିଛି ।’ ମୁଁ ସେ ପ୍ରଶ୍ନର ଜବାବ ନଦେଇ କହିଲି, ‘ମୋ ଯୋଗୁଁ ଆପଣଙ୍କର ଯାହା ଅସୁବିଧା ହେଉଥିଲା ତାହାର ତ ଆଉ ଅବକାଶ ରହିବ ନାହିଁ ।’ ସେ ସଙ୍ଗେ ସଙ୍ଗେ ଉତ୍ତର ଦେଲେ ଯେ ‘ତୁମ ଯୋଗୁଁ ତ ମୋର କିଛି ଅସୁବିଧା ହେଉ ନଥିଲା ।’ ମୁଁ ତାଙ୍କ ହାତ ଧରି ବିଦାୟ ନେଲି । ସେ ମୋତେ ଚାହିଁ ରହିଲେ । ଯେ ଦେଖିବ ଜାଣିବ ସେ ଭାରି ବିବ୍ରତ ହୋଇଗଲେ । କିନ୍ତୁ ତାଙ୍କୁ ଦେଖିକରି ଜାଣିବା ନିରାପଦ ନୁହେଁ ବୋଲି ମୁଁ ଭାବିଛି ।” ‘କିନ୍ତୁ ତାଙ୍କୁ ଦେଖିକରି ଜାଣିବା ନିରାପଦ ନୁହେଁ ବୋଲି ମୁଁ ଭାବିଛି’-ଏପରି କହିବା ଦର୍ଶାଏ ଚିନ୍ତାମଣିବାବୁଙ୍କର ନବବାବୁଙ୍କ ସମ୍ପର୍କରେ ଏକ ନକାରାତ୍ମକ ଧାରଣା -ଯେ ନବବାବୁ ଯେପରି ଦେଖାଯାଉଛନ୍ତି ବା ଯେପରି ପ୍ରତିକ୍ରିୟା ଦେଖାଉଛନ୍ତି ସେଥିରେ ତାଙ୍କର ପ୍ରକୃତ ଆନ୍ତରିକତା ନାହିଁ । କେଉଁ ମାପଦଣ୍ଡରେ ଚିନ୍ତାମଣିବାବୁ ନବବାବୁଙ୍କର ଯୋଗ୍ୟତା ମାପି, ନବବାବୁଙ୍କୁ ଅଯୋଗ୍ୟ ବୋଲି ମତ ଦେଉଥିଲେ? ଯେପରି ସେ କହୁଛନ୍ତି ‘ନବବାବୁଙ୍କ ପରି ଜଣେ ଅଯୋଗ୍ୟ ବ୍ୟକ୍ତି ଆସି ମୁଖ୍ୟମନ୍ତ୍ରୀ ହୋଇଗଲେ’ ଅର୍ଥାତ୍ ନବବାବୁ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଚିନ୍ତାମଣିବାବୁ କଣ ଜାଣିଥିଲେ ଯେ ନବବାବୁ ଜଣେ ଅଯୋଗ୍ୟ ବ୍ୟକ୍ତି ନା ନବବାବୁଙ୍କର ମୁଖ୍ୟମନ୍ତ୍ରୀତ୍ୱ କାଳରେ ଚିନ୍ତାମଣିବାବୁ ତାଙ୍କ ଅଭିଜ୍ଞତାର ଆଧାରରେ କହୁଥିଲେ କାରଣ ସେ ଏହା କହୁଥିଲେ, ନବବାବୁଙ୍କର ମୁଖ୍ୟମନ୍ତ୍ରୀତ୍ୱର ୫ବର୍ଷ ଅତିବାହିତ ହେବା ପରେ । ନବବାବୁଙ୍କର ସାତବର୍ଷ ମୁଖ୍ୟମନ୍ତ୍ରୀତ୍ୱ କାଳ(ମଇ,୧୯୫୦ରୁ ଅକ୍ଟୋବର,୧୯୫୬)କୁ ଚିନ୍ତାମଣିବାବୁ କିପରି ଦେଖୁଥିଲେ ତାହା ଜଣାପଡ଼େ ନବବାବୁଙ୍କ ସ୍ଥାନରେ ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ହୋଇ ଆସିବାରେ ନବଜୀବନ ପତ୍ରିକାରେ ‘ସ୍ୱାଗତ ଡକ୍ଟର ମହତାବ’ ଶିରୋନାମାରେ ଚିନ୍ତାମଣି ମିଶ୍ର ଲେଖିଥିବା ସମ୍ପାଦକୀୟରୁ୬ (ପୃ ୭୭୯): “ଗତ ସାତବର୍ଷର ଅବ୍ୟବସ୍ଥିତ ଶାସନ ପରିଚାଳନା ଫଳରେ ଯେଉଁ ଅରାଜକ ଅବସ୍ଥା ମୁଣ୍ଡ ଟେକିଛି, ସେଥିରେ ବ୍ୟତିବ୍ୟସ୍ତ ହୋଇଥିବା ଜନତା ଶ୍ରୀଯୁକ୍ତ ମହତାବଙ୍କୁ ପୂର୍ଣ୍ଣ ଆନ୍ତରିକତାରେ ସ୍ୱାଗତ ଜଣାଇଛନ୍ତି । ସେ ପୁଣି ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ ହେବା ଦିନୁଁ ଓଡ଼ିଶା ତମାମ ଆଶା ଓ ଆନନ୍ଦର ଢେଉ ଖେଳିଯାଇଛି । ଯେଉଁମାନେ ରାଜ୍ୟର ଅବସ୍ଥା ଖରାପ ହୋଇଛି ବୋଲି କହୁଛନ୍ତି, ସେମାନଙ୍କ ମଧ୍ୟରୁ ହୁଏତ ଅତି ଅଳ୍ପ ଲୋକ ଦୁର୍ଗତିର ସ୍ପଷ୍ଟ ରୂପରେଖ ଦେଖୁଛନ୍ତି । ସମାଜ ଓ ସରକାର ଉଭୟର ମେରୁଦଣ୍ଡ ଭାଙ୍ଗିପଡ଼ିଛି । ସର୍ବୋଚ୍ଚ କର୍ମଚାରୀମାନଙ୍କର ଦାୟିତ୍ୱବୋଧ ଖୁବ ତଳକୁ ଖସିଛି । ସେମାନଙ୍କ ଉପରେ ଅଙ୍କୁଶ ନ ଥିବାରୁ ସେମାନେ ମନମୁଖୀ କାମ କରୁଛନ୍ତି ।…. ସରକାରୀ କର୍ମଚାରୀ ମହଲରେ ବିଶୃଙ୍ଖଳା ଏପରି ଚରମ ଅବସ୍ଥାକୁ ଯାଇଛି ଯେ, ସୀମା ଆନ୍ଦୋଳନ ବେଳେ, ଖାସ୍ ଭୁବନେଶ୍ୱର ରାଜଧାନୀରେ ସେମାନେ ନିଜ ମୁଖ୍ୟମନ୍ତ୍ରୀଙ୍କୁ ବିଚ୍ ସଭାରେ ଅପମାନ ଦେଇଥିଲେ ଓ କେହି କେହି ତାଙ୍କ ଦେହରେ ହାତ ଲଗାଇଥିଲେ ବୋଲି ପୁଲିସ କେସ୍ ହୋଇଥିଲା । ଏ ଗୋଳମାଳ ସୀମା ଆନ୍ଦୋଳନ ବେଳେ ହୋଇଥିଲେ ହେଁ, ତାହା ସହିତ ଏହାର କୌଣସି ସମ୍ପର୍କ ନଥିଲା । ନବବାବୁଙ୍କ ଅମଳରେ ପୁଲିସ ରାଜୁତି ତଥା ସମଗ୍ର ସରକାରୀ କଳ ଯେପରି ବେପରୁଆ ଭାବେ ଚାଲିଥିଲା, ଏ ସଭାର କାର୍ଯ୍ୟ ତାହାର କଣକାଣ୍ଡିଆ ପ୍ରତିବାଦ ମାତ୍ର ।”
‘ଗଡଜାତ ରଜା’ ହେବା ପ୍ରଚେଷ୍ଟାରେ ନବବାବୁ
ଚିନ୍ତାମଣିବାବୁ ୧୪/୮/୧୯୫୩ ଦିନ ଡାଏରୀରେ ଲେଖୁଛନ୍ତି୪(ପୃ ୧୭୩ ), “ବର୍ତ୍ତମାନ ଚିଫ୍ ସେକ୍ରେଟାରୀ ବାଡିବାଟ ପଟେ ଯେପରି ନବବାବୁଙ୍କୁ ଫୁସୁଲାଇ ନିଜେ ବଡ଼ହେବାକୁ ଚେଷ୍ଟା କରୁଛନ୍ତି, ତାହା ଗଡ଼ଜାତରେ ଅନ୍ଧାରୀମୂଲକ ଶାସନ । ଗଡ଼ଜାତ ରାଜାଙ୍କୁ ବିଦାୟ ଦେବା ପରେ ପରେ ନବବାବୁଙ୍କ ପରି ଆଜନ୍ମ ଆନ୍ଦୋଳନକାରୀ ଗଡ଼ଜାତ ରଜା ହେବାକୁ ଚେଷ୍ଟା କରିବା ଗୋଟିଏ ଦେଖିବାର ସାମଗ୍ରୀ ।”
‘ଷଡ଼ଯନ୍ତ୍ର’କାରୀ ନବକୃଷ୍ଣ
ଚିନ୍ତାମଣିବାବୁ ୧୮/୮/୧୯୫୩ରେ ଲେଖୁଛନ୍ତି୪(ପୃ ୧୭୪), “ମୋ ଜୀବନତମାମ ମୋ ସଙ୍ଗେ ଶତ୍ରୁ ଲାଗିଛନ୍ତି; ବେଳେବେଳେ ସେମାନେ ଜିଣୁଛନ୍ତି-କିନ୍ତୁ ତାଙ୍କ ଜିଣିବାଫଳରେ ମୋର ମଙ୍ଗଳ ହେଉଛି ପଛେ ଅମଙ୍ଗଳ ହେଉନାହିଁ । ଏଥର ଗୋଟିଏ ଦଳ ବାହାରିଛନ୍ତି, ଏକା ଥରକେ, ଠିକ ଯେପରି ୧୨ବର୍ଷ ପୂର୍ବେ ପଣ୍ଡିତ ନୀଳକଣ୍ଠ ସଦଳବଳେ ମୋ ବିରୁଦ୍ଧରେ ବାହାରିଥିଲେ । ସେଇପରି ଆଜି ନବଚୌଧୁରୀ ଓ ତାଙ୍କ ବଂଗାଳୀ ସହକର୍ମୀମାନେ ଯେ ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି, ସେମାନେ ବର୍ତ୍ତମାନ ଜିଣିବା ପରେ ପୁଣି ମୋତେ ଲୋଡ଼ିବା ଅସମ୍ଭବ ନୁହେଁ ।”
ଲକ୍ଷ୍ୟହୀନ ନବକୃଷ୍ଣ
ଚିନ୍ତାମଣିବାବୁ ୨୩/୪/୧୯୫୪ରେ ଲେଖୁଛନ୍ତି୪(ପୃ ୨୦୮-୯), “କାଲି ମୁଖ୍ୟମନ୍ତ୍ରୀଙ୍କ ସଙ୍ଗେ ବି ଆଲୋଚନା କଲି । ବୋଧହୁଏ ସେ ମୋ ମତକୁ ପସନ୍ଦ କଲେ; ତାଙ୍କ କଥାରୁ ଜଣାପଡ଼ିଲା, ସେ ନିଜେ ତାଙ୍କ ଡିପାର୍ଟମେଂଟ ମାନଙ୍କରେ ଓଡ଼ିଆ ଆରମ୍ଭ କରିଦେବେ । ରାତିରେ ଦେଖିଲି ମୋ ଅନୁମାନ ଠିକ୍ । ସେ ଆଜି ସେକ୍ରେଟାରିଏଟ୍ ଫାଇଲରେ ସୁନ୍ଦର ନୋଟଟିଏ ଦେଇଛନ୍ତି । ବେଳେବେଳେ ନବବାବୁଙ୍କ ମନ ଠିକ୍ ରାସ୍ତାରେ ରହୁଛି । କିନ୍ତୁ ମନର ବଳ ଅଭାବରୁ ଚିନ୍ତାରେ ଦୃଢ଼ତା ରହୁ ନାହିଁ । ହୁଏତ ଲକ୍ଷ୍ୟ ନ ଥିବାରୁ ଏପରି ହେଉଛି ।”
ଅସହିଷ୍ଣୁ ନବକୃଷ୍ଣ
ଚିନ୍ତାମଣିବାବୁ ୨୫/୧୦/୧୯୫୪ରେ ଲେଖୁଛନ୍ତି୪(ପୃ ୨୩୩ ), “ମୋ ବିଷୟରେ ନବବାବୁ ଶେଷ ସିଦ୍ଧାନ୍ତ କରିଥିବାର ଶୁଣିଲି । ମୋର ଯୋଗ୍ୟତା ଓ କର୍ମକୁଶଳତାକୁ ସ୍ୱୀକାର କରି ସେ ଲେଖିଛନ୍ତି, ମୋର ଏପରି କେତେକ ଦୋଷ ତ୍ରୁଟି ଅଛି ଯେଉଁଥି ପାଇଁ ମୁଁ ସେକ୍ରେଟାରୀ ରହିବା ଉଚିତ ନୁହେଁ । ମୋତେ ସ୍ଥାୟୀ ଭାବେ ଡିରେକ୍ଟର କରି ରଖି ମୋ ଜାଗାରେ ଆଉ ଜଣକୁ ସେକ୍ରେଟାରୀ କରିବା ପାଇଁ ସିଦ୍ଧାନ୍ତ କରିଛନ୍ତି । ଏହା ଆଦେଶ ଆକାରରେ ଯଥାବିଧି ମୋ ପାଖକୁ ଆସିନାହିଁ ।” ୨୭/୧୦/୧୯୫୪ରେ ଲେଖୁଛନ୍ତି(ପୃ ୨୩୫), “ମୁଁ ସ୍ଥିର କଲି, ମୋତେ ସେକ୍ରେଟାରୀରୁ କାଢ଼ି ଆଦେଶନାମା ଜାରି ହେବା ସଙ୍ଗେ ସଙ୍ଗେ ଛୁଟି ନେବି କିମ୍ବା ଇସ୍ତଫା ଦେଇଦେବି ।” ୨୮/୧୦/୧୯୫୪ରେ ଲେଖୁଛନ୍ତି,୪(ପୃ ୨୩୫ ) “ସୁଧୀର ବାବୁ ଭୁବନେଶ୍ୱରରୁ ଟେଲିଫୋନ କଲେ ଯେ ସୁନାରାମ ବାବୁଙ୍କ ତୀବ୍ର ମନୋଭାବ ଦେଖି, ମୁଖ୍ୟମନ୍ତ୍ରୀ ସ୍ଥିର କରିଛନ୍ତି ଯେ ମୁଁ ଆଦିବାସୀ ଓ ଗ୍ରାମ ମଙ୍ଗଳ ବିଭାଗର ସେକ୍ରେଟାରୀ-ଡିରେକ୍ଟର ରହିବି; ଓ ପ୍ରଚାର ବିଭାଗ କ୍ୟାବିନେଟ ଡିପାର୍ଟମେଂଟକୁ ଚାଲିଯିବ । ଏ କଥାଟି ଶୁଣି ମୋତେ ବଡ଼ ଆନନ୍ଦ ଲାଗିଲା । ପ୍ରଚାର ବିଭାଗରୁ ମୁଁ ରକ୍ଷା ପାଇଲେ ଭାରି ମଙ୍ଗଳ ହୁଅନ୍ତା । ସୁଧୀରବାବୁଙ୍କ ପରି ଦୋମୁଣ୍ଡିଆ ସାପ କବଳରୁ ରକ୍ଷା ପାଆନ୍ତି ।” ପୁଣି ଲେଖୁଛନ୍ତି୪(ପୃ ୨୩୫ ), “ନବବାବୁ ଏପରି ବିଚାର କାହିଁକି କରୁଛନ୍ତି, ତାହାର ମର୍ମ କଥା ସୁଧୀରବାବୁ ବାନ୍ତି କରିପକାଇଲେ । ନବବାବୁ ପରା ତାଙ୍କୁ ଅନେକ ଦିନହେଲା କହୁଛନ୍ତି ଯେ ପ୍ରଚାରବିଭାଗ ସୁନାରାମବାବୁଙ୍କର ସ୍ତୁତି ଗାନ କରିବାରେ ଲାଗିଛି । ସୁନାରାମବାବୁ କ୍ରମେ କ୍ରମେ ବେଶୀ ଲୋକପ୍ରିୟ ହୋଇଯାଉଥିବାର ଦେଖି ନବବାବୁ ବିରକ୍ତ ଅଛନ୍ତି । ସେ ଚାହାନ୍ତି ସମସ୍ତେ ତାଙ୍କୁ ଡରି ମରି ମନ୍ତ୍ରିମଣ୍ଡଳରେ ରହିବେ ।”
ଦମନକାରୀ ନବକୃଷ୍ଣ
ଔପନ୍ୟାସିକ ବିଭୂତି ପଟ୍ଟନାୟକ ନବବାବୁଙ୍କ ସମ୍ପର୍କରେ ଲେଖନ୍ତି୭(ପୃ ୨୬୯), “ନିଜକୁ ମାର୍କସ୍ବାଦୀ ବୋଲି ଦାବି କରୁଥିବା ମୁଖ୍ୟମନ୍ତ୍ରୀ ଚୌଧୁରୀ ସୋସାଲିଷ୍ଟ-କମ୍ୟୁନିଷ୍ଟ ଛାତ୍ରମାନଙ୍କ ଦ୍ୱାରା ପରିଚାଳିତ ଛାତ୍ର ଧର୍ମଘଟକୁ ଦମନ କରିବାପାଇଁ ଶାନ୍ତିପୂର୍ଣ୍ଣ ଭାବରେ ସତ୍ୟାଗ୍ରହ କରୁଥିବା ଛାତ୍ରଛାତ୍ରୀମାନଙ୍କ ଉପରକୁ ଲୁହବୁହା ବାଷ୍ପ ଏବଂ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ । ମୋର ମନେ ଅଛି-ରେଭେନ୍ସା ଛାତ୍ରମାନଙ୍କ ଉପରେ ଚୌଧୁରୀ ସରକାରଙ୍କ ଆକ୍ରମଣ ବିରୁଦ୍ଧରେ ପ୍ରତିବାଦ କରି ପ୍ରତୀକ ଧର୍ମଘଟ କରିବା ଲାଗି ପ୍ରବର୍ତ୍ତାଇବାକୁ ଆମ ଶ୍ରୀକୃଷ୍ଣ ଏକାଡେମୀ ଛାତ୍ରମାନଙ୍କୁ, କମ୍ୟୁନିଷ୍ଟ ଛାତ୍ରନେତା ପ୍ରବୀର ପାଲିତ ଫିରିଙ୍ଗକୁଦ ଉପରେ ଏକ ଜ୍ୱାଳାମୟୀ ଭାଷଣ ଦେଇଥିଲେ । କମ୍ରେଡ ପାଲିତଙ୍କ ଭାଷଣ ମୁଖ୍ୟମନ୍ତ୍ରୀ ଚୌଧୁରୀଙ୍କ ସମ୍ପର୍କରେ ମୋ କିଶୋର ମନରେ ଏକ ବିଷମ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ସେ ଜଣେ ମାର୍କସ୍ବାଦୀ କିମ୍ବା ସମାଜବାଦୀ ନୁହଁନ୍ତି-ଜଣେ କ୍ଷମତାଲୋଭୀ ରାଜନେତା ବୋଲି ଏକ ଧାରଣା ହୋଇଥିଲା ।”
ସମାଜବାଦୀ ଆନ୍ଦୋଳନର ବିପର୍ଯ୍ୟୟ ପାଇଁ ଦାୟୀ ନବକୃଷ୍ଣ
ବିଭୂତି ପଟ୍ଟନାୟକ ଲେଖନ୍ତି୭(ପୃ ୨୮୨-୩), “ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର ବିପର୍ଯ୍ୟୟ ପାଇଁ ମୁଁ ତାଙ୍କୁ ମନେ ମନେ ଦାୟୀ କରୁଥିଲି ।” ଅଥଚ ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର ପ୍ରବର୍ତ୍ତକ ଥିଲେ ନବବାବୁ ।
କ୍ଷମତା ରାଜନୀତିରେ ପରାଜିତ ନବକୃଷ୍ଣ
ବିଭୂତି ପଟ୍ଟନାୟକ ଲେଖନ୍ତି୭(ପୃ ୨୭୨), “କ୍ଷମତା ରାଜନୀତିର ପଶାଖେଳରେ ସେ ହାରି ଏକପ୍ରକାର ରାଜନୈତିକ ସନ୍ୟାସ ନେବା ପାଇଁ ବାଧ୍ୟ ହୋଇଥିଲେ ।” ଅଥଚ ନବବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ବିରୁଦ୍ଧରେ ହେଉଥିବା ଷଡ଼ଯନ୍ତ୍ରରେ ଆଗଧାଡିର ଖେଳାଳି, ନବବାବୁଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ନୀଳମଣି ରାଉତରାୟ ଲେଖନ୍ତି୫(ପୃ ୨୯୬), “ଏକଥା ନିଶ୍ଚିତ ଯେ , ଯଦି ନବବାବୁ ଛାଡ଼ି ଚାଲିଯିବେ ନାହିଁ ବୋଲି କହିଥାଆନ୍ତେ, ସେତେବେଳେ ନେତୃତ୍ୱର ପରିବର୍ତ୍ତନ ଆଦୌ ହୋଇନଥାନ୍ତା । ନବବାବୁଙ୍କ ଉପରେ ବହୁତ ଚାପ ଦିଆଯାଉଥାଏ, ସେ କିପରି ରୁହନ୍ତୁ । କିନ୍ତୁ ନିଶ୍ଚିତ ଭାବରେ ସେ ଜବାବଟି କେହି ତାଙ୍କ ପାଖରୁ ପାଇପାରୁନଥାନ୍ତି । ସେ ବରଂ କହୁଥାନ୍ତି, କୌଣସି ଗୋଷ୍ଠୀକୁ ସନ୍ତୁଷ୍ଟ କରି ସେମାନଙ୍କର ସ୍ୱାର୍ଥ ସାଧନରେ ସାହାଯ୍ୟ କରିବା ପାଇଁ ସେ ଆଉ ରହିପାରିବେ ନାହିଁ ।”
ନିର୍ବାଚନୀ ଦୁର୍ନୀତି ଓ ନବକୃଷ୍ଣ
ସ୍ୱାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ(୧୯୫୧-୫୨)ରେ ବଡ଼ଚଣା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଦଳରୁ ବିଧାୟକ ପ୍ରାର୍ଥୀ ଥିଲେ ନବକୃଷ୍ଣ ଚୌଧୁରୀ । ତାଙ୍କବିରୋଧରେ ଯେଉଁମାନେ ଲଢୁଥିଲେ ସେମାନଙ୍କ ମଧ୍ୟରେ ଥିଲେ ସ୍ୱାଧୀନ ପ୍ରାର୍ଥୀ ଛତିଆ ଅଂଚଳର ଲୋକପ୍ରିୟ ଡାକ୍ତର ଜଗନ୍ନାଥ ଦାସ । ଜଗନ୍ନାଥ ଦାସ କଂଗ୍ରେସରେ ବ୍ୟାପୁଥିବା ଦୁର୍ନୀତି ବିରୋଧରେ ସ୍ୱାଧୀନତା ସଂଗ୍ରାମୀ ବିପିନ ବିହାରୀ ମହାନ୍ତିଙ୍କ ଆହ୍ୱାନରେ ଉଦବୁଦ୍ଧ ହୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ନବବାବୁଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ ସେ ଥିଲେ କୁଣ୍ଠିତ । ତାଙ୍କରି ଭାଷାରେ୮(ପୃ ୧୬୮), “ମୁଁ ଏହି ନିର୍ବାଚନରେ ସ୍ୱାର୍ଥ ତ୍ୟାଗୀ, ସାହସୀ, ସ୍ୱାଧୀନତା ସଂଗ୍ରାମୀ, ଦେଶପ୍ରେମୀ ନବକୃଷ୍ଣ ଚୌଧୁରୀଙ୍କ ବିରୁଦ୍ଧରେ ଠିଆହୋଇ ଠିକ୍ କରିଛି କି ନାହିଁ -ଠିକ୍ କରିପାରିଲି ନାହିଁ । ବିଚଳିତ ମନରେ ନିଜକୁ ନବକୃଷ୍ଣ ଚୌଧୁରୀଙ୍କ ସଂଗେ ତୁଳନା କଲି । ତୁଳନା କରିହେଉ ନାହିଁ-ମୁଁ ଢେଲା, ସେ ପର୍ବତ । ତାଙ୍କର ଦେଶପ୍ରେମ, ସ୍ୱାଧୀନତା ସଂଗ୍ରାମର, ଦୁଃସାହସିକତାର ଲେଶ ମାତ୍ର ମୋ’ପାଖରେ ନାହିଁ । ପ୍ରାର୍ଥୀପତ୍ର ଉଠାଇବା ପାଇଁ ମୁଁ ବିପିନବାବୁଙ୍କୁ ଅପେକ୍ଷା କଲି ।” କିନ୍ତୁ ପ୍ରାର୍ଥୀପତ୍ର ଉଠାଇବା ନୋହିଲା । ଜଗନ୍ନାଥ ଦାସଙ୍କ ମତରେ୮(ପୃ ୧୮୫-୬),“ନବବାବୁଙ୍କ ନିର୍ବାଚନରେ ଏତେ ବଡ଼ ଦୁର୍ନୀତି ହୋଇଛି, ଏତେ ଖର୍ଚ୍ଚ ହେଉଛି, ଯଦିଓ ତାହା ତାଙ୍କ ହାତରୁ ହୋଇ ନାହିଁ, ତାହା ତାଙ୍କ ଅଜ୍ଞାତରେ ହୋଇଥିବା ସମ୍ଭବ ନୁହେଁ । ସେ ନିଜ ପରିସର ଭିତରେ ନିଜ ଆୟତ୍ତ ଭିତରେ ହେଉଥିବା ଦୁର୍ନୀତିକୁ ବାଧା ଦେଇ ପାରିଲେ ନାହିଁ । ତାହା ସହିତ ମିଶିଗଲେ ।…ମୁଁ ନବବାବୁଙ୍କ ଠାରୁ ଭୋଟରେ ହାରିଯାଇଥିଲି ବୋଲି ସେ ମୋତେ ସାନ୍ତ୍ୱନା ଦେବାକୁ ଆସିଥିଲେ, ତାଙ୍କ ସାଙ୍ଗରେ କାମ କରିବାକୁ ଡାକିଲେ । ମୁଁ ତାଙ୍କ ସାଙ୍ଗରେ କାମ କରିବାପାଇଁ ଯାଇପାରିଲି ନାହିଁ ।….ତାଙ୍କପରି ଲୋକ ଗୋଟିଏ ଦୁର୍ନୀତିଗ୍ରସ୍ତ ଦଳରେ ରହିବା ମୁଁ ଅନୁମୋଦନ କରିପାରୁ ନଥିଲି । ସେ ବିଷୟରେ ତାଙ୍କୁ କହିବାପାଇଁ ସାହସ କୁଳେଇଲା ନାହିଁ, ତେଣୁ ଗଲି ନାହିଁ ।” ଅଥଚ ସ୍ୱତନ୍ତ୍ର ଓଡ଼ିଶାର ପ୍ରଥମ ନିର୍ବାଚନରେ ଏରସମା ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କୁ ପ୍ରଭାବିତ କରୁଥିବା ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଚିନ୍ତାମଣି ଆଚାର୍ଯ୍ୟଙ୍କୁ ସେ କିପରି ପ୍ରତିରୋଧ କରିଥିଲେ ସେ ସମ୍ପର୍କରେ ସୁରେନ୍ଦ୍ରନାଥ ଦ୍ୱିବେଦୀ ଲେଖନ୍ତି୯(ପୃ ୧୩୯), “୧୯୩୬ର ନୂତନ ଓଡ଼ିଶାର ପ୍ରଥମ ନିର୍ବାଚନ । ପୂର୍ବ-କଟକ ଅର୍ଥାତ୍ ତିର୍ତ୍ତୋଲ-ଏରସମାରୁ କଂଗ୍ରେସ ପ୍ରାର୍ଥୀ ନବକୃଷ୍ଣ ଚୌଧୁରୀ । ପ୍ରବଳ ପ୍ରତିରୋଧୀ ସରକାରୀ ଓକିଲ ଚିନ୍ତାମଣି ଆଚାର୍ଯ୍ୟ…. ସରକାରୀ ଓକିଲ ହୋଇଥିବାରୁ ତାଙ୍କ ପଟରେ ଥିଲେ ସରକାରୀ କର୍ମଚାରୀ; ଜିଲା ହାକିମଙ୍କ ଅପେକ୍ଷା ଅଧିକ ଭୟ କରୁଥିଲେ ତାଙ୍କୁ । ଆମେ ସାଇକେଲରେ ତିର୍ତ୍ତୋଲରୁ ୧୧ମାଇଲ ରାସ୍ତା ଅତିକ୍ରମ କରି ଏରସମାରେ ପହଂଚି ଦେଖୁ-ଭୋଟରଙ୍କୁ ଭର୍ତ୍ତି କରାଯାଇଛି ଗୋରୁ ଖୁଆଡ଼ ପରି ଚାରିଆଡ଼େ ବନ୍ଧା ହୋଇଥିବା ଏକ ଜାଗାଭିତରେ । ମହାପ୍ରସାଦ ଖୁଆଇ ଶପଥ କରାଇ ଗୋଟି ଗୋଟି କରି ଛଡ଼ାଯାଉଛି ଭୋଟରଙ୍କୁ ସିଧା ପୋଲିଂ ବୁଥକୁ । ଆମ ଶିବିର ଖାଲି-ଲୋକଙ୍କୁ ଆଡ଼େଇ ଅଣାଇ ତାହାରି ଭିତରେ ପୂରାଇ ଦିଆଯାଉଛି । ଚିନ୍ତାମଣି ଆଚାର୍ଯ୍ୟ ଦୂରରେ ଛିଡ଼ା ହୋଇଥିଲେ ଯମ ଦେବତା ପରି । ଲୋକଙ୍କ ଭିତରେ ଏକ ଭୀତିର ସଂଚାର ହୋଇଥିଲା । ଆମକୁ ଦେଖି ଲୋକଙ୍କ ଭିତରେ ବେଶ୍ ଗୋଟାଏ ଚହଳ ପରିଲକ୍ଷିତ ହେଲା । ନବବାବୁ କାଳବିଳମ୍ବ ନକରି ତତ୍କ୍ଷଣାତ୍ ଆଚାର୍ଯ୍ୟଙ୍କ ପ୍ରତି ତୀକ୍ଷ୍ଣ ବାଣ ପ୍ରୟୋଗ କଲେ । ଗୋଡ଼ରୁ ଚଟି କାଢ଼ି ତାଙ୍କ ଆଡ଼କୁ ଉଦେ୍ଦଶ୍ୟ କରି ଚିକ୍ରାର କଲେ -ଏ ଲୋକଙ୍କୁ ଛାଡ଼ି ଦିଅ; ନଚେତ୍ ପାଇବ..ା ଆଚାର୍ଯ୍ୟ ସ୍ତମ୍ଭୀଭୂତ; କିଂକର୍ତ୍ତବ୍ୟ ବିମୂଢ଼ ହୋଇପଡ଼ିଲେ; ପାଟିରୁ କଥା ବାହାରିଲା ନାହିଁ । କିନ୍ତୁ ଏହା କାମକଲା ବିଦୁ୍ୟତ୍ ବେଗରେ । ଲୋକେ ପଘା ଛିଣ୍ଡାଇ ଗୋରୁ ଗୁହାଳରୁ କୁଦାମାରି ବାହାରିଲା ପରି ପଳାଇ ଆସିଲେ, ସିଧା ଧାଇଁଲେ ପୋଲିଂ ବୁଥ୍କୁ ।”
ମେରୁଦଣ୍ଡଶୂନ୍ୟ ନବକୃଷ୍ଣ?
ଡକ୍ଟର ମାୟାଧର ମାନସିଂହ, ୨୩ ଜୁନ ୧୯୬୫ ଦିନ ଚିତ୍ତରଂଜନ ଦାସଙ୍କୁ ଏକ ପତ୍ରରେ ଲେଖୁଛନ୍ତି୧୦(ପୃ ୧୫୩), “ବହୁ ଭାଷା ଯେଉଁ ଓଡ଼ିଆ ଜାଣିବାକୁ ଯିବ, ସେ ବଂଗଳା ଶିଖିବା ଓ କହି ଜାଣିବାରେ କି ଆପତ୍ତିି ଥାଇପାରେ? ତେବେ କୋଡ଼ିଏଜଣ ଲୋକ ଥିବା ସଭାରେ, ଯେଉଁଠି ମାତ୍ର ଦୁଇଜଣ ବଂଗାଳୀ ଓ ସେ ଦୁହେଁ ଉତ୍ତମ ଓଡ଼ିଆ ଜାଣନ୍ତି ଓ କହି ପାରନ୍ତି, ସେଠି ତମ ଦେଶର ଏକଦା ମୁଖ୍ୟମନ୍ତ୍ରୀ ନବ ଚୌଧୁରୀ ଓ ତାଙ୍କର ଭୂଦାନ ନେତା ପୁତୁରା, ବଂଗଳାରେ ବକ୍ତୃତା ଦେବାକୁ ବସିବାରେ ବିଦେଶାଗତ ଓଡ଼ିଆ-ଅନଭିଜ୍ଞ ଲୋକଙ୍କ ପ୍ରତି କରୁଣା ନା ନିଜ ମେରୁଦଣ୍ଡଶୂନ୍ୟତା ସୂଚିତ କରେ? ଓଡ଼ିଆମାନଙ୍କ ପରି ଜାତୀୟତାବୋଧହୀନ ଏକ ଜାତି, ଧରାପୃଷ୍ଠରେ ଦ୍ୱିତୀୟ ଥିବାର ମୁଁ ଜାଣିନି ।” ପାଠକଙ୍କ ମନରେ ପ୍ରଶ୍ନ ଉଠିପାରେ ଯେ ଡକ୍ଟର ମାୟାଧର ମାନସିଂହ କଣ ଏହି ତଥ୍ୟ ସହ ଅବଗତ ନଥିଲେ ଯେ ଓଡ଼ିଶା ବିଧାନସଭାରେ ନବବାବୁ ବିଧାୟକ ଭାବେ, ମନ୍ତ୍ରୀ ଭାବେ ଓ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଭାଷଣ ସବୁବେଳେ ଓଡ଼ିଆରେ ଦେଉଥିଲେ ଓ ଆଫିସିକ କାର୍ଯ୍ୟ ଓଡ଼ିଆରେ ହେବ ବୋଲି ୧୯୫୪ ମସିହାରେ ଆଇନ ପ୍ରଣୟନ କରିଥିଲେ? ୧୯୫୪ ମସିହାରେ ଡକ୍ଟର ମାନସିଂହ ସରକାରୀ ଗଙ୍ଗାଧର ମେହେର କଲେଜର ଅଧ୍ୟକ୍ଷ ଥିଲେ ।
ଉପସଂହାର
ଯେଉଁ ପାଂଚଜଣଙ୍କ ବକ୍ତବ୍ୟ ବା ଟିପ୍ପଣୀ ଉପରେ ଉଲ୍ଲେଖ କରାଗଲା ସେମାନେ ସମସ୍ତେ ନବବାବୁଙ୍କର ପ୍ରତ୍ୟକ୍ଷ ସମ୍ପର୍କରେ ଆସିଥିଲେ । ନବକୃଷ୍ଣ ଚୌଧୁରୀ-ମାଳତୀ ଚୌଧୁରୀଙ୍କ ଉଦ୍ୟମରେ ପ୍ରତିଷ୍ଠିତ ଚମ୍ପତିମୁଣ୍ଡାସ୍ଥିତ ଜୀବନ ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷକ ଥିଲେ ଚିତ୍ତରଂଜନ ଦାସ । ନବବାବୁ ଚିତ୍ତରଂଜନଙ୍କୁ ପୁଅଭଳି ଭଲ ପାଉଥିଲେ । ଏହି ସ୍ନେହର ଗଭୀରତା ଜାଣିହୁଏ ମାଳତୀ ଚୌଧୁରୀ ୨୭ଜୁନ ୧୯୫୪ ଦିନ ଚିତ୍ତବାବୁଙ୍କୁ ଲେଖିଥିବା ଏକ ପତ୍ରରୁ । ମାଳତୀ ଦେବୀ ଲେଖିଥିଲେ୧୦(ପୃ ୧୬୯-୭୦), “ନବବାବୁ ମୋତେ ଦୁଃଖ କରି କହୁଥିଲେ, ଚିତ୍ତ ସାଙ୍ଗରେ କିଛିଦିନ ଟିକେ ଗଳ୍ପ କରିବାର ଅବସର ମୋତେ ମିଳିଲା ନାହିଁ; ଦିନେ ଦୁଇଦିନ ଏଠାରେ ରହିଲା ନାହିଁ ସୁଦ୍ଧା । ମୁଁ ଦିବାକର ଚିଠିରେ ଏ କଥା ଲେଖିଥିଲି ମଧ୍ୟ ତୋତେ କହିବା ପାଇଁ । ଏ ବୟସରେ ବାପ ମାଆଙ୍କର ଇଚ୍ଛା ହୁଏ ତୋ’ପରି ଗୋଟିଏ ପୁଅର ସାନ୍ନିଧ୍ୟ ଏବଂ ବନ୍ଧୁତ୍ୱ ପାଇବାକୁ । କିନ୍ତୁ ଆମେମାନେ ତ ସେଥିରୁ ଭଗବାନଙ୍କର ଇଚ୍ଛାରୁ ବଂଚିତ । ନବବାବୁଙ୍କର ସେ ଦିନର କଥାଟା ମୋର ମନକୁ ଖୁବ ଚଂଚଳ କରିଥିଲା । ମୁଁ ଅନେକ ଥର ଟ୍ରେନରେ ବସି ସେକଥା ଭାବି ଅଶ୍ରୁ ବିସର୍ଜ୍ଜନ କରିଛି ।” ଅପରପକ୍ଷରେ ଚିତ୍ତବାବୁ ଲେଖନ୍ତି୨(ପୃ ୭୫), “ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ମାତ୍ର ଦୁଇମାସ ପୂର୍ବରୁ ଅନୁଗୁଳ ନିକଟରେ ଥିବା ଚମ୍ପତିମୁଣ୍ଡା ଜୀବନ-ବିଦ୍ୟାଳୟରେ ଏହି ଲେଖକ ଆଗରେ ସିଏ ଯାହା କହିଥିଲେ, ତାହା ଏବେ ମଧ୍ୟ ମୋର ମନେ ଅଛି । ଯେଉଁ ଉଜ୍ଜ୍ୱଳ ଓ ସଂପ୍ରୀତିର ମୁଖମୁଦ୍ରାରେ ଅତ୍ୟନ୍ତ ଭାବବ୍ୟଞ୍ଜକ ଭାବରେ ସେ କଥା, ସେହି ମୁଖମୁଦ୍ରା ମଧ୍ୟ ମନେ ଅଛି । ସେ କହିଥିଲେ, “ମୁଁ ଭାବୁଛି, ମୋର ଅନେକ କଥା କହିବାର ଅଛି, ଅନେକ କିଛି ଲେଖିବାର ଅଛି । ରାଜନୀତି ଓ ଶାସନର ପଦବୀରେ ଥାଇ ମୁଁ ସେ ସବୁ ଏପର୍ଯ୍ୟନ୍ତ କହିପାରି ନାହିଁ ବା ଲେଖି ପାରିନାହିଁ । ଏଥର କହିବି ଓ ଲେଖିବି । ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେବାପରେ ଅନେକ ସମୟ ଏହିଠାରେ ରହିବି, ଲେଖିବି ଓ କହିବି ।” ସେଦିନ ଶ୍ରୀ ନବକୃଷ୍ଣ ଚୌଧୁରୀ କେଡ଼େ ଆପଣାର ପରି ଦେଖାଯାଉ ଥିଲେ ।”
ଡକ୍ଟର ମାୟାଧର ମାନସିଂହ ‘ଜୀବନ ବିଦ୍ୟାଳୟ’ର ୧୯୫୪ ଅଗଷ୍ଟ ମାସରେ ଔପଚାରିକ ଉନ୍ମୋଚନ ଉତ୍ସବରେ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀଙ୍କ ସହ ଉପସ୍ଥିତ ଥିଲେ୧୧(ପୃ ୩୪୭-୮) । ସେତେବେଳେ ସେ ଗଂଗାଧର ମେହେର କଲେଜ, ସମ୍ବଲପୁରର ଅଧ୍ୟକ୍ଷ ଥିଲେ । କିନ୍ତୁ ମାତ୍ର ଦୁଇବର୍ଷ ପରେ ସେ ଏହି ଅଧ୍ୟକ୍ଷ ପଦରୁ ଅପସାରିତ ହୋଇଥିଲେ ସୀମା ଆନ୍ଦୋଳନ ବେଳେ ସ୍ଥାନୀୟ ପ୍ରଶାସନ ସହିତ ସହଯୋଗ କରିନଥିବା ଅଭିଯୋଗରେ । କ୍ଷୋଭର ସହ ଡକ୍ଟର ମାନସିଂହ ଲେଖନ୍ତି୧୨(ପୃ ୧୯୨), “କିନ୍ତୁ ଏଇ ଘୋର ପ୍ରବଂଚନାପୂର୍ଣ୍ଣ ମିଥ୍ୟା ଅଭିଯୋଗରେ ହିଁ ଯେଉଁ କଲେଜକୁ ମୁଁ ଆନ୍ତରିକତାର ସହିତ ସ୍ନେହ ଦେଇ ସାତବର୍ଷ କାଳ ଗଢ଼ି ଆସିଥିଲି, ନବଚୌଧୁରୀ-ରାଧାନାଥ ରଥଙ୍କ ଶାସନ ମତେ ସେଠୁ ଏକ ପ୍ରକାର ରାତାରାତି ବାହାର କରିଦେଲା । ଏଇ ତଥାକଥିତ ଗାନ୍ଧୀ-ଶିଷ୍ୟମାନେ, ସେ ଦିନ, ପୂର୍ବରୁ ବହୁନିନ୍ଦିତ ଓ ବହୁଘୃଣିତ ଭାରତୀୟ ପୋଲିସକୁ ବିଶ୍ୱାସ କରିପାରିଲେ, କିନ୍ତୁ ଜଣେ ଶିକ୍ଷାବିତ୍ ପ୍ରିନ୍ସପାଲକୁ ବିଶ୍ୱାସ କରିପାରିଲେ ନାହିଁ ।” ରାଧାନାଥ ରଥ ସେତେବେଳେ ନବକୃଷ୍ଣ ଚୌଧୁରୀଙ୍କର ମନ୍ତ୍ରିମଣ୍ଡଳରେ ଶିକ୍ଷାମନ୍ତ୍ରୀ ଥିଲେ ଓ ତାଙ୍କର ଧାରଣା ଥିଲା ଯେ ଡକ୍ଟର ମାନସିଂହ ହେଉଛନ୍ତି ‘ମହତାବ ଦଳର ଲୋକ’ । ଏ ଧାରଣାର କାରଣ ଡକ୍ଟର ମାନସିଂହଙ୍କ ଭାଷାରେ୧୨(ପୃ ୨୦୧), “‘ପ୍ରଜାତନ୍ତ୍ର’ ଓ ‘ଝଙ୍କାର’ ପ୍ରଭୃତିରେ ମୁଁ ଓ ମୋ ପରିବାର ଲୋକେ ଲେଖାଲେଖି କରୁଥିବାରୁ ଆପଣଙ୍କର ଏହି ଧାରଣା ହୋଇଥାଇପାରେ ।” ସେ ଟ୍ରାନ୍ସଫର ହେଲେ ୧୯୫୬ ସେପ୍ଟେମ୍ବର ମାସରେ, ନବବାବୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫାଦେବା ଓ ମହତାବ ମୁଖ୍ୟମନ୍ତ୍ରୀ ହେବାର ପ୍ରାୟ ମାସକ ପୂର୍ବରୁ । ଡକ୍ଟର ମାନସିଂହ ଲେଖନ୍ତିି୧୨(ପୃ ୧୯୯), “ଅନେକ ଚତୁର ଲୋକ ଘଟଣାମାନଙ୍କର କାଳ ଓ ଗତିରୁ ମୋ ଟ୍ରାନ୍ସଫରକୁ ଚୌଧୁରୀ-ମହତାବ ସଂଘର୍ଷ ସହିତ ଜଡ଼ିତକରି ମୋ ଆଗରେ ତାତ୍ପର୍ଯ୍ୟ ବଖାଣିଛନ୍ତି ।” ସ୍ୱାଭାବିକ ଡକ୍ଟର ମାନସିଂହ ନବବାବୁଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ।
ଚିନ୍ତାମଣି ମିଶ୍ର ଓଡ଼ିଶା ସରକାରଙ୍କର ପ୍ରଚାର ବିଭାଗର ଜଣେ ଅଧିକାରୀ (ସେକ୍ରେଟାରୀ)ଥିଲେ, ନବବାବୁ ମୁଖ୍ୟମନ୍ତ୍ରୀ ହେବାର ଛଅ ବର୍ଷ ପୂର୍ବରୁ ଓ ପରେ ନବବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ପାଂଚବର୍ଷ ଯାଏ । ସେ ଇସ୍ତଫା ଦେଇଥିଲେ ୧୩ ଜୁଲାଇ୧୯୫୫ ଦିନ୪(ପୃ ୨୮୭) । ସେ ନବବାବୁଙ୍କ ଉପରେ ବେଶ୍ ଅସନ୍ତୁଷ୍ଟ ଥିଲେ ତାଙ୍କର ପଦବୀରେ ପରିବର୍ତ୍ତନର ପ୍ରସ୍ତାବକୁ ନେଇ । ୨୫ ଅକ୍ଟୋବର ୧୯୫୪ ଦିନ ଚିନ୍ତାମଣି ବାବୁ ତାଙ୍କ ଡାଏରୀରେ ଲେଖିଥିଲେ୪(ପୃ ୨୩୩), “..ମୋ ବିଷୟରେ ନବବାବୁ ଶେଷ ସିଦ୍ଧାନ୍ତ କରିଥିବାର ଶୁଣିଲି । ମୋର ଯୋଗ୍ୟତା ଓ କର୍ମକୁଶଳତା ସ୍ୱୀକାର କରି ସେ ଲେଖିଛନ୍ତି ମୋର ଏପରି କେତେକ ଦୋଷ ତ୍ରୁଟି ଅଛି ଯେଉଁଥିପାଇଁ ମୁଁ ସେକ୍ରେଟାରୀ ରହିବା ଉଚିତ ନୁହେଁ । ମୋତେ ସ୍ଥାୟୀ ଭାବରେ ଡାଇରେକ୍ଟର କରି ରଖି ମୋ ଜାଗାରେ ଆଉ ଜଣକୁ ସେକ୍ରେଟାରୀ କରିବାପାଇଁ ସେ ସିଦ୍ଧାନ୍ତ କରିଛନ୍ତି । ଏହା ଆଦେଶ ଆକାରରେ ଯଥାବିଧି ମୋ ପାଖକୁ ଆସି ନାହିଁ । କିନ୍ତୁ ଖବରଟା ଶୁଣିବା ମାତ୍ରେ ମୁଁ ଠିକ୍ କରିନେଲି ମୁଁ ଡିରେକ୍ଟର ହୋଇରହିବି ନାହିଁ, ଯଦିଓ ପଇସାରେ ମୋର କିଛି କ୍ଷତି ନହେବ । ହଠାତ୍ ଚାକିରି ଛାଡ଼ିଦେବି ବା ଆଦେଶ ପାଇଲା ପରେ ଛାଡ଼ିବି, ଏ ବିିଷୟରେ ମନରେ ଦ୍ୱନ୍ଦ୍ୱ ହେଲା ।”
ବିଭୂତି ପଟ୍ଟନାୟକଙ୍କର ନବବାବୁଙ୍କ ସହ ସମ୍ପର୍କ, ତାଙ୍କରି ଭାଷାରେ, ‘ମୂଳରୁ ଶେଷ ପର୍ଯ୍ୟନ୍ତ ଉଷ୍ମ-ଶୀତଳ ହୋଇ ରହିଥିଲା ।’ ନବବାବୁଙ୍କ ସୁପାରିଶରେ ହିଁ ବିଭୂତିବାବୁଙ୍କୁ ଦୈନିକ ‘କଳିଙ୍ଗ’ ଖବରକାଗଜର ସହଯୋଗୀ ସମ୍ପାଦକ ଭାବେ ନିଯୁକ୍ତି ଦିଆଯିବାର ନିଷ୍ପତ୍ତି ହୋଇଥିଲା୭(ପୃ ୨୮୨-୩)ା ପ୍ରଥମ ସାଧାରଣ ନିର୍ବାଚନରେ ଡାକ୍ତର ଜଗନ୍ନାଥ ଦାସ ତ ନବବାବୁଙ୍କ ବିରୋଧରେ ଲଢ଼ିଥିଲେ । ଅଥଚ ପରାଜିତ ଜଗନ୍ନାଥଙ୍କୁ ନବବାବୁ ତାଙ୍କ ବାସଭବନକୁ ଯାଇ ଡାକିଥିଲେ ତାଙ୍କ ସହ କାମ କରିବାକୁ । ଏ ସଭିଙ୍କ ପାଇଁ ନବବାବୁଙ୍କ ବ୍ୟକ୍ତିତ୍ୱ ଆକର୍ଷଣୀୟ ଥିଲା; ନବବାବୁଙ୍କ ଭିତରେ ଏମାନେ ବହୁ ସମ୍ଭାବନା ଦେଖୁଥିଲେ । ଏହି ସମ୍ଭାବନାଗୁଡ଼ିକର ଅପୂର୍ଣ୍ଣତା ସେମାନଙ୍କୁ ନିଶ୍ଚିତ ନିରାଶ କରୁଥିଲା । କିନ୍ତୁ ସେମାନେ ନବବାବୁଙ୍କୁ ଭୁଲ ବୁଝୁଥିଲେ କି? ଯେପରି ବିଭୂତିବାବୁ ଲେଖନ୍ତି୭(ପୃ ୨୮୨-୩), “ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନବବାବୁଙ୍କ ସହ ମୋର ତିକ୍ତ-ମଧୁର ସମ୍ପର୍କ ରହି ଆସିଥିଲା । କିନ୍ତୁ କଂଗ୍ରେସ ରାଜନୀତିରୁ ବିଦାୟ ନେଇ ସର୍ବୋଦୟ ଆନେ୍ଦାଳନରେ ଯୋଗ ଦେଲାପରେ ଏବଂ ବିନୋବା -ସମର୍ଥିତ ଇନ୍ଦିରା ଗାନ୍ଧୀଙ୍କ ଇମର୍ଜେନ୍ସିକୁ ବିରୋଧ କରି ଜେଲ୍ ଗଲାପରେ, ତା ପ୍ରତି ମୋର ଶ୍ରଦ୍ଧା ଓ ସମ୍ମାନ ବହୁଗୁଣିତ ହୋଇଯାଇଥିଲା । କିଶନ୍ ପଟ୍ଟନାୟକଙ୍କ ଭଳି ତାଙ୍କୁ ଠିକ ଭାବରେ ବୁଝିବାରେ ମୋର ଭୁଲ ହୋଇଥିଲା ବୋଲି ଅନୁଭବ କରିଥିଲି ।”
ନବବାବୁଙ୍କୁ ସଠିକ ବୁଝିବା ବୋଧହୁଏ ସହଜ ନଥିଲା । ଯେପରି ଚିନ୍ତାମଣି ମିଶ୍ର ୧୮/୪/୧୯୫୫ ଦିନ ତାଙ୍କ ଡାଏରୀରେ ଲେଖନ୍ତି୪(ପୃ ୨୭୬), “ଆଜି ମୁଖ୍ୟମନ୍ତ୍ରୀଙ୍କଠାରୁ ଖଣ୍ଡିଏ ଫାଇଲ ଆସିଲା, ଯେଉଁଥିରେ ଦେଖିଲି ସେ ମୋ ଉପରେ ଖୁବ ନିର୍ଭର କରୁଛନ୍ତି । ଦୁଇ ଖଣ୍ଡ ଚିଠି ମଧ୍ୟ ଆସିଲା ଯେଉଁଥିରେ ସେଇ ଭାବ ସ୍ପଷ୍ଟ । ତାଙ୍କ ମନ ଦୋଳାରେ ଝୁଲୁଛି । ଦିନେ ମୁଁ ଭାରି ଖରାପ ଦିଶୁଛି, ଅନ୍ୟଦିନ ଭଲ ଦିଶୁଛି । ଏବେ କିଛି ଦିନ ହେଲା ମୋ ପ୍ରତି ଅନୁରକ୍ତି ଟିକିଏ ବଢ଼ିଲା ପରି ଜଣାଯାଉଛି । ମୁଁ ଇସ୍ତଫା ଦେଇଥିବାରୁ ନା ସେ ନିଜେ ଇସ୍ତଫା ଦେଇଯିବାର କଳ୍ପନା କରୁଥିବାରୁ ଏପରି ହେଉଛି ସ୍ଥିର କରିପାରିଲି ନାହିଁ ।” ନବବାବୁ ଅକ୍ଟୋବର ୧୯୫୬ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । କିନ୍ତୁ ସେ ଯେ ଏହାର କଳ୍ପନା ଅନ୍ତତଃ ଏହାର ଦେଢ଼ବର୍ଷ ପୂର୍ବରୁ କଲେଣି ତାହା ଚିନ୍ତାମଣିବାବୁଙ୍କ ଡାଏରୀରୁ ଜଣାପଡ଼େ ।
ନବବାବୁ ତାଙ୍କ ସମ୍ପର୍କରେ ଉପରୋକ୍ତ ଟିପ୍ପଣୀଗୁଡିକୁ ପଢ଼ି ନ ଥିବେ, କାରଣ ଏହି ଗୁଡିକୁ ଯେଉଁ ପୁସ୍ତକ ବା ପ୍ରବନ୍ଧମାନଙ୍କରୁ ଉଦ୍ଧାର କରାଯାଇଛି ସେଗୁଡ଼ିକ ତାଙ୍କର ମୃତୁ୍ୟପରେ ହିଁ ପ୍ରକାଶ ପାଇଛି । ଅବଶ୍ୟ ଚିନ୍ତାମଣି ବାବୁଙ୍କ ଦ୍ୱାରା ସମ୍ପାଦିତ ପତ୍ରିକା ନବଜୀବନରେ (ପ୍ରଥମ ବର୍ଷ,୧୦ମ ସଂଖ୍ୟା, ନଭେମ୍ବର,୧୯୫୬) ‘ନବବାବୁଙ୍କ ବିଦାୟ’ ଶିରୋନାମାରେ ପ୍ରକାଶିତ ସମ୍ପାଦକୀୟ ତାଙ୍କ ଦୃଷ୍ଟିକୁ ଆସିଥିବ । ଏହି ସମ୍ପାଦକୀୟ ଉପରେ ଚିନ୍ତାମଣିବାବୁ, ୫ ନଭେମ୍ବର ୧୯୫୬ଦିନ ତାଙ୍କ ଡାଏରୀରେ ଲେଖିଥିଲେ୪(ପୃ ୩୩୭), “ନବବାବୁଙ୍କ ବିଦାୟ ନାମରେ ଯେଉଁ ସନ୍ଦର୍ଭଟି ଲେଖିଲି ତାହା ମୋତେ ଖୁବ ସୁଖ ଲାଗିଲା । ପାଠକମାନଙ୍କୁ କ’ଣ ଲାଗୁଛି କେଜାଣି । ମୁଁ ଯାହା ଲେଖିଛି ସେଥିର ସାର କଥା ହେଉଛି, ନବବାବୁ ଭଲ ଲୋକ କିନ୍ତୁ ଅଯୋଗ୍ୟ । ଗୁଡାଏ ପାଠ ପଢିଛନ୍ତି କିନ୍ତୁ ତାକୁ ନେଇ ଆଣି ଥୋଇ ନପାରିବାରୁ ତାଙ୍କ ଜୀବନ ବ୍ୟର୍ଥ ହୋଇଛି । ତାଙ୍କୁ ଯେତେ ସୁଯୋଗ, ଆଦର ଓ ଲୋକପ୍ରିୟତା ମିଳିଛି, ଓଡ଼ିଶାରେ ଆଉ କାହାକୁ ଏ ଯୁଗରେ ମିଳି ନାହିଁ । କିନ୍ତୁ ଏ ସମ୍ପତ୍ତି ତାଙ୍କ କାର୍ଯ୍ୟରେ ନ ଲାଗିବାରୁ ସେ ସବୁ ଛାଡିଛୁଡି ବୈରାଗୀ ହୋଇଛନ୍ତି ।” ଉକ୍ତ ସମ୍ପାଦକୀୟର ଶେଷରେ ଚିନ୍ତାମଣି ମିଶ୍ର ଲେଖିଥିଲେ୬(ପୃ ୭୭୮-୯),“ବର୍ତ୍ତମାନ ସେ ରାଜନୀତି କ୍ଷେତ୍ରରୁ ଯେଉଁ ବିଦାୟ ନେଇଛନ୍ତି ତାହା ‘ପୁନରାଗମନାୟ’ ବୋଲି ଆମ୍ଭେମାନେ ମନେ କରୁ । ସେ ଅତୀତରେ ଛାଡ଼ିଥିବା କ୍ଷେତ୍ରକୁ ଫେରିଛନ୍ତି, ପୁଣି ଫେରିବାକୁ ଇଚ୍ଛା କରିବା ବିଚିତ୍ର ନୁହେଁ । ପରିସ୍ଥିତି ଅନୁକୂଳ ହେଲେ ହେଲା । ତାଙ୍କର କଂଗ୍ରେସ ସହକର୍ମୀମାନେ ତାଙ୍କ ପାଇଁ ଅନୁକୂଳ ପରିସ୍ଥିତି ରଖିବାକୁ କେତେବେଳେ ବିମୁଖ ହେବେ ନାହିଁ ।” କହିବା ବାହୁଲ୍ୟ ଯେ ଇସ୍ତଫା ଦେବାପରେ ଅବଶିଷ୍ଟ ଜୀବନ କାଳରେ ସେ କ୍ଷମତା ରାଜନୀତିରେ କୋଣସି ପଦ ପଦବୀ ପାଇଁ ଆଗ୍ରହ ଦେଖାଇ ନାହାନ୍ତି । ଏହା ଚିନ୍ତାମଣିବାବୁ ମଧ୍ୟ ତାଙ୍କ ଜୀବଦ୍ଦଶାରେ ଦେଖିଥିବେ ଓ ନବବାବୁଙ୍କର ‘ପୁନରାଗମନାୟ’ କଳ୍ପନା ତାଙ୍କର ବ୍ୟର୍ଥ ହୋଇଛିବୋଲି ଅନୁଭବ କରିଥିବେ । ଏଠାରେ ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ ଯେ ଚିନ୍ତାମଣିବାବୁଙ୍କ ମୃତୁ୍ୟ ହୋଇଥିଲା ୧୫ ଅଗଷ୍ଟ ୧୯୮୦ ଦିନ, ନବବାବୁଙ୍କର ମୃତ୍ୟୁର, ୨୪ ଜୁନ ୧୯୮୪, ଚାରି ବର୍ଷ ପୂର୍ବରୁ । କିନ୍ତୁ ‘ପୁନରାଗମନାୟ’ ନ କରିବା ଚିନ୍ତାମଣି ବାବୁଙ୍କ ଟିପ୍ପଣୀର ନବବାବୁଙ୍କର ଜବାବ ବୋଲି କୁହାଯାଇପାରେ କି?
ବ୍ୟବହୃତ ଉପାଦାନ ସୂଚୀ
୧.ଏକ ରାଜନୀତିକ ବ୍ୟକ୍ତିତ୍ୱର ସମୀକ୍ଷା, ଚିତ୍ତରଂଜନ ଦାସ, ଶ୍ରଦ୍ଧାଞ୍ଜଳି , ମୁଖ୍ୟ ସମ୍ପାଦକ-ସୁରେନ୍ଦ୍ରନାଥ ଦ୍ୱିବେଦୀ, ବସ୍ତିଆ ମେମୋରିଆଲ ଟ୍ରଷ୍ଟ, ରାଉରକେଲା,୧୯୮୪
୨.‘ଶ୍ରୀ ନବକୃଷ୍ଣ ଚୌଧୁରୀ-ଏକ ଜୀବନୀ’,ଚିତ୍ତରଂଜନ ଦାସ, ଦି ୟୁନିଭର୍ସ, ୧୯୯୧
୩. ଜୀବନ ବିଦ୍ୟାଳୟ, ଚିତ୍ତରଂଜନ ଦାସ, ନବଜ୍ୟୋତି କାର୍ଯ୍ୟାଳୟ, ଶ୍ରୀଅରବିନ୍ଦ ଆଶ୍ରମ, ପଣ୍ଡିଚେରୀ, ୧ମ ମୁଦ୍ରଣ ୧୯୬୫, ୨ୟ ମୁଦ୍ରଣ ୧୯୯୩
୪. ଅର୍ଦ୍ଧଶତାବ୍ଦୀର ଅନୁଭୂତି,୨ୟ ଭାଗ, ଚିନ୍ତାମଣି ମିଶ୍ର, ନବଜୀବନ ପୁସ୍ତକାଳୟ,୧୯୮୫
୫. ସ୍ମୃତି ଓ ଅନୁଭୂତି, ନୀଳମଣି ରାଉତରାୟ, ଗ୍ରନ୍ଥମନ୍ଦିର, ୨ୟ ସଂସ୍କରଣ, ୨୦୦୧
୬. ନବଜୀବନ, ପ୍ରଥମ ବର୍ଷ, ୧୦ମସଂଖ୍ୟା, ନଭେମ୍ବର ୧୯୫୬
୭. ଜୀବନ ପାତ୍ର ମୋ ଭରିଛ କେତେମତେ, ବିଭୂତି ପଟ୍ଟନାୟକ, ଫ୍ରେଣ୍ଡସ୍ ପବ୍ଲିଶର୍ସ, ୨୦୧୭
୮. ଜନୈକ ଗ୍ରାମ୍ୟ ଚିକିତ୍ସକର ପଶ୍ଚାତ୍ ଚିନ୍ତା ଓ ଅନୁଭୂତି, ଜଗନ୍ନାଥ ଦାସ (ଗଈଈଝ), ପ୍ରକାଶକ-ମିହିରପ୍ରତାପ ଦାସ, ଛତିଆ,ଯାଜପୁର, ୨୦୧୧
୯. ଅତୁଳନୀୟ ,ଶ୍ରଦ୍ଧାଂଜଳି, ମୁଖ୍ୟ ସମ୍ପାଦକ-ସୁରେନ୍ଦ୍ରନାଥ ଦ୍ୱିବେଦୀ, ବସ୍ତିଆ ମେମୋରିଆଲ ଟ୍ରଷ୍ଟ, ରାଉରକେଲା, ୧୯୮୪
୧୦.ସେମାନଙ୍କର ଚିଠି, ଚିତ୍ତରଂଜନ ଦାସ, ଶିକ୍ଷାସନ୍ଧାନ, ୨୦୦୫
୧୧.ବହ୍ନିମାନ, ପ୍ରଫୁଲ୍ଲ ଦାସ, ଲୋହିଆ ଏକାଡେମୀ, ୨୦୧୦
୧୨.ଶିକ୍ଷାବିତ୍ର ଗାଥା, ଡକ୍ଟର ମାୟାଧର ମାନସିଂହ, ସମ୍ପାଦନା ଡକ୍ଟର ଶ୍ରୀଚରଣ ମହାନ୍ତି, ମାନସିଂହ ଗ୍ରନ୍ଥାବଳୀ, ସପ୍ତମ ଖଣ୍ଡ, ଗ୍ରନ୍ଥମନ୍ଦିର, ୨୦୦୭

WhatsApp Image 2025 07 24 At 12.40.28 3ff933ce

ବୀରେନ୍ଦ୍ର ନାୟକ

Email- bknatuu@yahoo.co.uk

Comments

0 comments

Share This Article