ହାତ

114 Views
14 Min Read

ହାତ । ମଣିଷର ଏହି ଦୁଇ ଅଙ୍ଗ ମଣିଷର ଇତିହାସ ସହ ଘନିଷ୍ଠ ସମ୍ପର୍କିତ । ଏହାର ଆମୂଳଚୂଳ ବିବର୍ତ୍ତନ କୌଣସି ଏକ ସାଧାରଣ କଥା ନୁହେଁ । ଯାହା ଆଜି ଅତି ସହଜ ଲାଗୁଛି, ତାହାର ଇତିହାସ ସେତିକି ସହଜ ନୁହେଁ । ହଜାର ହଜାରବର୍ଷର ଏକ ବିବର୍ତ୍ତାନିକ ପ୍ରକ୍ରିୟାର ଅବଶେଷ ଭାବେ ଗଠିତ ହୋଇ ଆସିଥିବା ଏହି ହାତର ରହିଛି ସ୍ୱତନ୍ତ୍ର ଗରିମା । ସାରା ବିଶ୍ୱର ଐତିହାସିକ, ଅର୍ଥନୈତିକ, ସାମାଜିକ, ଉତ୍ପାଦନଗତ ପରିବର୍ତ୍ତନ କ୍ଷେତ୍ରରେ ହାତର ଭୂମିକା ଅସାମାନ୍ୟ ରହିଛି । ସଭ୍ୟତା, ବିକାଶ, ରୂପାନ୍ତରଣରେ ହାତର ଅବଦାନ ଅସୀମ । ଶ୍ରମ, ସୃଜନ, ମତପ୍ରକାଶ, କଳା, ସାହିତ୍ୟ, ଯୁଦ୍ଧ, କୃଷି, ଜୀବିକା, ଶିଳ୍ପ ଆଦି ଏପରି କୌଣସି କ୍ଷେତ୍ର ନାହିଁ ଯେଉଁଥିରେ ହାତର ଭୂମିକା ନାହିଁ ।

ହାତର ସଂରଚନା ହେଉ କିମ୍ବା ଏହାର ଗଠନ ଶୈଳୀ ହେଉ- ଉଭୟ କ୍ଷେତ୍ରରେ ଏହା ଏପରି ଶୀର୍ଷ ବିବର୍ତ୍ତାନିକ ପ୍ରକ୍ରିୟାରେ ବିକଶିତ ହୋଇଛି ଯେ, ସାରା ଜୀବଜଗତରେ ମଣିଷକୁ ସର୍ବଶ୍ରେଷ୍ଠ ପ୍ରାଣୀଭାବେ ଗଠନ କରିବା ଦିଗରେ ଏହାର ଭୂମିକା ଅସୀମିତ, ଅବର୍ଣ୍ଣନନୀୟ । ହେଲେ ସାରା ପ୍ରାଣୀ ଜଗତରେ ମଣିଷକୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କିମ୍ବା ସବୁଠାରୁ ଭୟଙ୍କର ପ୍ରାଣୀ ଭାବେ ଗଠନ ଦିଗରେ ହାତର ବି ଭୂମିକା ରହିଛି ।

ଚତୁଷ୍ପଦୀଭାବେ ପ୍ରଥମେ ବିକାଶର ପାହାଚରେ ପାଦ ଦେଇଥିବା ମଣିଷ କାଳକ୍ରମେ ପଛ ଦୁଇପାଦରେ ଠିଆ ହେବାର ଶିଖିଥିଲା ଏବଂ ଆଗ ଦୁଇ ପାଦକୁ ହାତଭାବେ ବ୍ୟବହାର କରିବା ଆରମ୍ଭ କରିଥିଲା । ବାସ୍… ଏହି ଗୋଟିଏ ପ୍ରକ୍ରିୟା ହିଁ ସାରା ପୃଥିବୀରେ ମଣିଷର ରାଜ୍ ଲାଗି ବାଟ ଖୋଲି ଦେଇଥିଲା ।

ମଣିଷ ଆଗର ଦୁଇଗୋଡ଼କୁ ହାତଭାବେ ବ୍ୟବହାର କରିବା, ସଳଖି ଠିଆ ହେବାଲାଗି ଉଦ୍ୟମ କରିବା, ପଛ ଦୁଇ ଗୋଡ଼କୁ ପୂର୍ଣ୍ଣକାଳୀନ ଭାବେ ବ୍ୟବହାର କରିବା- ଏହି ତିନିଟି ପ୍ରକ୍ରିୟା ମଣିଷ ଲାଗି ବିବର୍ତ୍ତନର ସବୁଠାରୁ ବଡ଼ ଉପହାର ଥିଲା ।

ଅଧିକାଂଶ ପ୍ରାଣୀ ସ୍ୱାଦୁ କ’ଣ ଜାଣି ନଥାନ୍ତି । ସେମାନେ ପ୍ରକୃତିର ଚୟନ ଅନୁସାରେ ନିଜ ଶରୀରକୁ ଖାପ ଖୁଆଇବାପରି ଖାଦ୍ୟ ଖାଇ ଜୀବନ ଧାରଣ କରନ୍ତି । ସେମାନଙ୍କ ଲାଗି ସ୍ୱାଦୁ ଓ ଅସ୍ୱାଦୁ ବୋଲି କିଛି ନଥାଏ ବା ସେମାନେ ଏହା ଚାହିଁ ନଥାନ୍ତି । ମାତ୍ର ମଣିଷର ଏହି ସ୍ୱାଦୁ ରୂପକ ପ୍ରକ୍ରିୟା ବି ତାକୁ ଅଧିକ ସଭ୍ୟ କରିବାରେ ସହାୟକ ହୋଇଥିଲା ଏବଂ ସ୍ୱାଦୁର ଆବଶ୍ୟକତା ମେଣ୍ଟାଇବା ଲାଗି ସେ ହାତ ଓ ବୁଦ୍ଧିକୁ ଅସ୍ତ୍ର କରିଥିଲା । ଅର୍ଥାତ କେବଳ ମଣିଷକୁ ଛାଡ଼ିଲେ କୌଣସି ପ୍ରାଣୀ ପରୋକ୍ଷ ଖାଦ୍ୟ ଖାଇ ନଥାନ୍ତି । ସେମାନେ ସିଧାସଳଖ ପ୍ରକୃତିଜାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି । ମାତ୍ର ମଣିଷ ପ୍ରକୃତିଦତ୍ତ ସାମଗ୍ରୀକୁ ନିଜ ଇଚ୍ଛାନୁସାରେ ବନାଇ ଖାଇଥାଏ । ଚାଉଳ, ଗହମକୁ ସେ ଅନେକପ୍ରକାର ପଦାର୍ଥ ପ୍ରସ୍ତୁତ କରିବାରେ ବ୍ୟବହାର କରିଥାଏ । ଏଦିଗରେ ହାତର ଭୂମିକା ହିଁ ସବୁ କିଛି । ହାତର ଗୁରୁତ୍ୱପୂର୍ଣ୍ଣ ଭୂମିକା ପଛରେ ବି ରହିଛି ଶ୍ରମ । ବିନା ଶ୍ରମରେ ଏସବୁ କିଛି ସମ୍ଭବ ହୋଇନଥାନ୍ତା । ତେଣୁ ମଣିଷର ଉତ୍ତରଣ କ୍ଷେତ୍ରରେ ଏକାଦିକ୍ରମେ ହାତ, ଶ୍ରମ, ମସ୍ତିଷ୍କର ସମାନ ଭୂମିକା ରହିଛି । ତେଣୁ ମଣିଷକୁ ସଭ୍ୟ କରିବା ଲାଗି ଯେଉଁ ହାତ ହଜାରହଜାର ବର୍ଷର ବିବର୍ତ୍ତନ ଜରିଆରେ ସୁଗଠିତ ହୋଇଛି ତାହାର ମହତ ବିନିଯୋଗ ଲାଗି ମଣିଷର ପଛଘୁଞ୍ଚା କାହିଁକି?

୯୦ ଲକ୍ଷରୁ ୭୦ ଲକ୍ଷ ବର୍ଷ ତଳର ସାହେଲାନ୍ଥ୍ରୋପସ ଟେକାଡେନସିସ୍ ଠାରୁ ଆରମ୍ଭ କରି ୩ରୁ ୧ ଲକ୍ଷ ବର୍ଷ ତଳର ହୋମୋ ଫ୍ଲୋରେସିଏନସିସ, ୧ଲକ୍ଷ ବର୍ଷ ତଳର ହୋମୋ ସାପିଏନସ ଏବଂ ପରିଶେଷରେ ପ୍ରାୟ ୫୦ ହଜାର ବର୍ଷ ତଳର ଆଧୁନିକ ମାନବର ଉତ୍ପତ୍ତି ହେବା ଯାଏ ଯେଉଁ ଗୋଟିଏ ଜିନିଷ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି ତାହା ହେଉଛି ହାତ । ବିଶେଷ କରି ମହାନ ସମାଜ ବିଜ୍ଞାନୀ ଫ୍ରେଡରିକ ଏଙ୍ଗେଲସ୍ ଙ୍କ ବହୁଚର୍ଚ୍ଚିତ ପୁସ୍ତିକା The Part Played by Labour in the Transition from Ape to Manରେ ବର୍ଣ୍ଣିତ ରହିଛି- ବାନରରୁ ମଣିଷକୁ ଉତ୍ତରଣ ପଛରେ ସବୁଠାରୁ ବଡ଼ ଭୂମିକା ରହିଥିଲା ଶ୍ରମର । ଏହି ଶ୍ରମ ହିଁ ଉପରୋକ୍ତ ଉତ୍ତରଣରେ ପାଦରୁ ହାତକୁ ପରିବର୍ତ୍ତନ କରିବାରେ ପ୍ରମୁଖ ଭୂମିକା ନେଇଥିଲା । ଗଠନ, ଧ୍ୱଂସର ପ୍ରକ୍ରିୟା ମଧ୍ୟରେ ମସ୍ତିଷ୍କର ବିକାଶ ବି ମଣିଷକୁ କ୍ରମଶଃ ଶ୍ରେଷ୍ଠ କରିବାର ସଫଳତା ସୃଷ୍ଟି କରିଥିଲା । ଶରୀରର ଅନ୍ୟ ଅଙ୍ଗପରି ହାତ କେବଳ ଏକ ଅଙ୍ଗ ହୋଇ ରହି ନଥିଲା ପରନ୍ତୁ ଶ୍ରମକ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହି ହାତର ଭୂମିକା ଯୋଗୁ ବି ମଣିଷ ସଭ୍ୟତା ସୃଷ୍ଟି ହୋଇଥିଲା।

ଅନ୍ୟ କୌଣସି ପ୍ରାଣୀ ନିକଟରେ ଶରୀରର ଆଗ ପାଦ ଦୁଇଟି ହାତ ଭାବେ ବ୍ୟବହାର ହେବା ଦେଖାଯାଏ ନାହିଁ। ବାନର ସ୍ତରରେ କିଛି ମାତ୍ରାରେ ଏହା ପରିଲକ୍ଷିତ ହୋଇଥାଏ । ମାତ୍ର ବିବର୍ତ୍ତନର ଧାରାରେ ବାନରର ଅନ୍ୟ ଏକ ଗୋଷ୍ଠୀ ଭାବେ ମଣିଷର ବିକାଶ ତାକୁ ଅଲଗା ପ୍ରାଣୀ ଭାବେ ଗଠନ କରିବାରେ ସକ୍ଷମ ହୋଇଥିଲା।

ଏକ ପଥର ଯଦି ରହିଛି, ତେବେ ତାହା ନିକଟରେ ଆଶ୍ରୟ ନେବା କିମ୍ବା ତା’ଉପରେ ବୁଲାଚଲା କରିବା ବ୍ୟତୀତ ଅନ୍ୟ କୌଣସି ପ୍ରାଣୀ ନିକଟରେ ଅନ୍ୟ ପନ୍ଥା ନାହିଁ । ମାତ୍ର ମଣିଷକ୍ଷେତ୍ରରେ ଏହା ଅଲଗା। ପଥରକୁ ମଣିଷ ଭାଙ୍ଗିପାରେ, କାର୍ଯ୍ୟରେ ଲଗାଇପାରେ, ତା’ଭିତରୁ ଧାତବ ଦ୍ରବ୍ୟ ସଂଗ୍ରହ କରିପାରେ କିମ୍ବା ମୂର୍ତ୍ତି ତିଆରି କରିପାରେ। ତେବେ ବଡ଼ କଥା ହେଉଛି ଏହି ମୂର୍ତ୍ତିକୁ ନିଜେ ମଣିଷ ତିଆରିକରେ, କିନ୍ତୁ ତାକୁ ପୂଜା କରେ।

ବିଶ୍ୱ ଇତିହାସକୁ ପରିବର୍ତ୍ତନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ହାତ। ଅସିଚାଳନାଠାରୁ ଆରମ୍ଭକରି ତୀର ମାରିବା, ଘୋଡ଼ା, ହାତୀ, ଓଟମାନଙ୍କୁ ନିଜ ନିୟନ୍ତ୍ରଣରେ ରଖିବା, ବନ୍ଧୁକ ଚାଳନା, ବୋମା ପ୍ରସ୍ତୁତ କରିବା ଆଦି କାରଣରୁ ଏହି ହାତ ସାରା ଇତିହାସକୁ ପରିବର୍ତ୍ତନ କରିଛି।

ମଣିଷର ସାମାଜିକ, ରାଜନୈତିକ, ଅର୍ଥନୈତିକ ଇତିହାସ ଜାଣିବାକୁ ହେଲେ ହାତର ଇତିହାସ ବି ଜାଣିବାକୁ ପଡ଼ିବ। ମଣିଷ ଯଦି ପୂର୍ବ ପରି ନିଜର ଆଗ ଦୁଇଗୋଡ଼କୁ ହାତରେ ପରିବର୍ତ୍ତନ କରି ନଥାନ୍ତା, ତେବେ ଆଜିର ପୃଥିବୀ ଏଠାରେ ନଥାନ୍ତା। ମଣିଷର ହାତ ଯଦି ପରିବର୍ତ୍ତିତ ହୋଇ ନଥାନ୍ତା ତେବେ ଇତିହାସରେ ୫ ଲକ୍ଷରୁ ଅଧିକ ଯୁଦ୍ଧ ଲଢ଼ାଯାଇ ନଥାନ୍ତା କି ସମସ୍ତ ଯୁଦ୍ଧରେ ୫ଶହ କୋଟିରୁ ଅଧିକ ଲୋକ ମରିନଥାନ୍ତେ।

ଅତୀତର କଳା, ବିଜ୍ଞାନ, ଜ୍ୟୋତିର୍ବିଜ୍ଞାନ, ଆୟୁର୍ବେଦ, ଶରୀର ବିଜ୍ଞାନ, ଚିକିତ୍ସା ବିଜ୍ଞାନ, ପଦାର୍ଥ ବିଜ୍ଞାନ ଆଦିର ବିକାଶ ମୂଳରେ ମସ୍ତିଷ୍କ ବିକାଶର ଯେତିକି ଭୂମିକା ଥିଲା ହାତର ବିକାଶର ମଧ୍ୟ ସେତିକି ଅବଦାନ ଥିଲା। ଏସବୁ କ୍ଷେତ୍ରରେ ବି ଶ୍ରମ ଶକ୍ତିର ରୂପାନ୍ତରଣର ପ୍ରମୁଖ ଭୂମିକା ଥିଲା।

ମଣିଷର ସୃଷ୍ଟିଠାରୁ ଆରମ୍ଭ କରି ଏହାର ବିକାଶ ଯାଏ ଯେଉଁ ତତ୍ତ୍ୱ ପ୍ରଦାନ କରାଯାଏ ତାହା କାଳ୍ପନିକ ଓ ଅଣବୈଜ୍ଞାନିକ ଚିନ୍ତା ଉପରେ ପର୍ଯ୍ୟବସିତ। ମାତ୍ର ବିବର୍ତ୍ତନର ଏହି ଧାରା ପ୍ରମାଣ କରିଛି ଯେ, ବସ୍ତୁଗତ ଜଗତରୁ ହିଁ ମଣିଷର ସୃଷ୍ଟି ଏବଂ ବସ୍ତୁଗତ ରୂପାନ୍ତରଣ, ବିନ୍ୟାସ ଆଦିକୁ ପାଥେୟ କରିବା ସହ ମଣିଷ ନାମକ ପ୍ରାଣୀ ନିଜର ଆଗ ଗୋଡ଼ ଦୁଇଟିକୁ ହାତଭାବେ ବ୍ୟବହାର କରିଥିବାରୁ ମଣିଷ ସଭ୍ୟତାର ଦ୍ୱାରଦେଶରେ ପହଞ୍ଚôବାରେ ସକ୍ଷମ ହୋଇଥିଲା।

ଦୁନିଆର ସମସ୍ତ ପରିବର୍ତ୍ତନ ମୂଳରେ ହାତର ଭୂମିକା ରହିଛି। ମୁଦ୍ରା ଛାପିବାଠାରୁ ଆରମ୍ଭ କରି ଶିଳ୍ପ, ବ୍ୟବସାୟ, ନିର୍ମାଣ ଆଦି ସମସ୍ତ କ୍ଷେତ୍ରରେ ହାତର ଭୂମିକା ଅଗ୍ରଗଣ୍ୟ ରହିଛି। ଏକ ଦେବତାଙ୍କୁ ମନ୍ଦିର ହାତରେ ନିର୍ମାଣ କରେ, ଏହାର ପୂଜାପଦ୍ଧତି ଲାଗି ସବୁ କିଛି ନିଜ ହାତରେ ମଣିଷ ପ୍ରସ୍ତୁତ କରେ । ହେଲେ ଶେଷରେ ମୂର୍ତ୍ତି ନିକଟରେ ହିଁ ନିଜର ସୁଖ, ସମୃଦ୍ଧି ଭିକ୍ଷା କରେ, ନତଜାନୁ ହୋଇ ବସେ, କାମନା ଲାଳସାକୁ ଚରିତାର୍ଥ କରିବା ଲାଗି ପ୍ରାର୍ଥନା କରେ । ବିଚିତ୍ର ଏ ମଣିଷ! ଏକ ନବଜାତ ସନ୍ତାନର ଜନ୍ମ ପରଠାରୁ ମୃତ୍ୟୁ ଯାଏ ସବୁ କିଛି କାର୍ଯ୍ୟ ହାତ ଜରିଆର ସମ୍ଭବ ହୁଏ । ଜଣେ ଶିଶୁ ଲାଗି ମା’ର ହାତର ଭୂମିକା କେତେ ଯେ ନଥାଏ । ସେହିପରି ତା’ର ମୃତ୍ୟୁ କ୍ଷେତ୍ରରେ ସଂସ୍କାର କାର୍ଯ୍ୟ ଆରମ୍ଭଠାରୁ ଅନ୍ୟ କ୍ରିୟା ଲାଗି ଏହି ହାତର ଭୂମିକା ଅନେକ ଥାଏ । ତଥାପି ମଣିଷ ଏହା ଜାଣିପାରେ ନାହିଁ ଯେ, ହାତ କୌଣସି ଅତୀନ୍ଦ୍ରିୟ ଶକ୍ତିର ଉପାଦାନ ନୁହେଁ ବରଂ ଏକ ବିବର୍ତ୍ତନଭିତ୍ତିକ ବିଜ୍ଞାନର ଫଳ । ଏହି ହାତ ଅନେକ ଉଦ୍ଭାବନରେ ପ୍ରମୁଖ ଭୂମିକା ନିଏ ତ ନିଶୁଣ ଶିଳ୍ପକଳା ସୃଷ୍ଟି କରେ । ଏହା ମହାନ ସାହିତ୍ୟ ସୃଷ୍ଟି କରିପାରେ ତ ଶାସକ ଲାଗି ନିର୍ଯାତନାର ମାଧ୍ୟମ ହୋଇପାରେ । ଏହା ହଜାର ହଜାର ଲୋକଙ୍କ ମୃତ୍ୟୁର କାରଣ ହୋଇପାରେ ତ ଏହା ଚିନ୍ତିତ ମଣିଷ ଲାଗି ମୁଣ୍ଡରେ ହାତ ଦେବାର ଭୂମିକା ନିର୍ବାହ କରେ । ଏହା ରକ୍ତକ୍ଷୟୀ ସଂଗ୍ରାମର ଅସ୍ତ୍ର ହୋଇପାରେ ତ ଅନେକ କାରାଗାର ନିର୍ମାଣ କରିପାରେ । ଏହା କଂସେଇ ଲାଗି ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୁଏ ତ ଏହା ଶବ୍ଦର ତରଙ୍ଗ ସୃଷ୍ଟି କରି ମଧୁର ମୂର୍ଚ୍ଛନା ସୃଷ୍ଟି କରେ । ଏହା ସମାଜବାଦୀ ଶାସନ ଲାଗି ଦସ୍ତାବିଜ ସାଜେ ତ ଏହା ଚର୍ଚ୍ଚ, ମନ୍ଦିର, ମସଜିଦ ନିର୍ମାଣ କରି ଧାର୍ମିକ ମତବାଦ ହେଉ ବା ଧାର୍ମିକ ମୌଳବାଦ ବା ଧର୍ମଯୁଦ୍ଧ ବା କ୍ରୁସେଡ ସୃଷ୍ଟି କରେ ।

ଏହି ହାତ ବି ଏବେ ବିବର୍ତ୍ତନ ପରି ଏକ ମହାଶକ୍ତିଶାଳୀ ପ୍ରକ୍ରିୟାକୁ କବଳିତ କରିବାକୁ ସକ୍ଷମ ହୋଇଛି । ଆମେରିକା ଟେକ୍ସାସର କୋଲୋସାଲ ବାୟୋସାଇନ୍ସ ପ୍ରତିଷ୍ଠାନ ପକ୍ଷରୁ ଡାୟାର ଓଲଭସ୍ ବା ଭୟଙ୍କର ଗଧିଆକୁ ପୁନର୍ଜନ୍ମ ଦିଆଯାଇଛି ଯାହା ପ୍ରାୟ ୧୨ହଜାର ବର୍ଷତଳେ ବିଲୁପ୍ତ ହୋଇ ଯାଇଥିଲା । ତେଣୁ ମଣିଷର ସୃଷ୍ଟି ମୂଳରେ ଭଗବାନଙ୍କ ହାତ ରହିଛି ବୋଲି ଯେଉଁ ପ୍ରବାଦ ରହିଛି ତାହା ମିଥ୍ୟା ପ୍ରମାଣିତ ହୋଇଛି ।

ବର୍ତ୍ତମାନ ମଣିଷର ହାତ ଏପରି ଶକ୍ତିଶାଳୀ ହୋଇଛି ଯେ, ଅନେକ ପ୍ରାଚୀନ ଜୀବଙ୍କୁ ବି ପୁନର୍ଜନ୍ମ ଦେବାକୁ ସକ୍ଷମ ହୋଇଛି । କେବଳ ଏତିକି ନୁହେଁ, ଅନେକ ନୂଆ ପ୍ରଜାତିର ଜୀବକୁ ବି ସୃଷ୍ଟି କରିବାରେ ଲାଗିଛି । ଶହ ଶହ ମୂଳ ବିହନକୁ ଏଡ଼ାଇ ବର୍ତ୍ତମାନ ହାଇବ୍ରିଡ ବିହନ ସୃଷ୍ଟି କରାଯାଉଛି । ଠିକ୍ ସେହିପରି ନୂଆ ପ୍ରଜାତିର ଜୀବଙ୍କୁ ସୃଷ୍ଟି କରିବା ବର୍ତ୍ତମାନ ଏକ ସହଜ ପ୍ରକ୍ରିୟାରେ ପରିଣତ ହୋଇଛି ।

କ୍ରମଶଃ ପ୍ରକୃତିର ଅନେକ ଅଧିକାରକୁ ମଣିଷ ଛଡ଼ାଇନେବା ଦେଖାଗଲାଣି । ଅର୍ଥାତ ପ୍ରକୃତିର ପ୍ରାକୃତିକ ସଂରଚନା ପ୍ରକ୍ରିୟା ଉପରେ ମଣିଷ ଆଘାତ ଦେବାରେ ଲାଗିଛି ।

ଏକ ପ୍ରାଚୀନ ଅଣବିକଶିତ ଅବସ୍ଥାରୁ ଆଦିମ ସାମ୍ୟବାଦୀ ସମାଜ, ଦାସପ୍ରଥା, ସାମନ୍ତବାଦୀ ବ୍ୟବସ୍ଥା, ସାମ୍ରାଜ୍ୟବାଦୀ ଅବସ୍ଥା ଓ ପୁଞ୍ଜିବାଦୀ ଅବସ୍ଥା ଆଡ଼କୁ ଧାବମାନ ହୋଇଥିବା ମଣିଷର ଏହି ପ୍ରକ୍ରିୟାଗତ ପରିବର୍ତ୍ତନ ମୂଳରେ ହାତର ଭୂମିକା ପ୍ରାଥମିକତା ବହନ କରେ । ଶ୍ରମଭିତ୍ତିକ ସମାଜରେ ମଣିଷର ହାତ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାବେଳେ ପୁଞ୍ଜି ଓ ସାମ୍ରାଜ୍ୟର ଆଧିପତ୍ୟ ବିସ୍ତାର ମୂଳରେ ବି ହାତର ଭୂମିକା ଅଧିକ । ଶାସକବର୍ଗ ଅଧୀନରେ ରହୁଥିବା ମଣିଷଙ୍କ ହାତ ଅନେକ ସମୟରେ ସମସ୍ତ ପ୍ରକାର ନାରକୀୟତା ଘଟାଇବା ସହ ରକ୍ତପାତ ସୃଷ୍ଟି କରିଥାନ୍ତି । ମଣିଷଙ୍କୁ ହତ୍ୟା କରି ଶାସନ ପ୍ରତିଷ୍ଠା କରିଥାନ୍ତି କିମ୍ବା ଶାସକଙ୍କ ହାତମୁଠା ଶକ୍ତ କରିଥାନ୍ତି ।

ମଣିଷର ସାମଗ୍ରିକ ପରିବର୍ତ୍ତନ, ବିକାଶ, ଜ୍ଞାନର ଅପରିସୀମ ଗତି ଆଦି କ୍ଷେତ୍ରରେ ହାତର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ । ହେଲେ ଏହି ହାତ ଯେ ଅତ୍ୟନ୍ତ କୁତ୍ସିତ କାମରେ ବି ଭାଗୀଦାର ରହିଛି । ସମସ୍ତ ଅପରାଧିକ କାର୍ଯ୍ୟକଳାପରେ ହାତ ସର୍ବଦା ପ୍ରମୁଖ ଭୂମିକା ନେଇଥାଏ । ଏହି ହାତ ପ୍ରକୃତିକୁ ନିିଷ୍ଠୁର ଭାବେ ଶୋଷଣ କରିବାରେ ବି ମୁଖ୍ୟ ଭୂମିକା ନେଇଥାଏ ।

ମଣିଷର ସଭ୍ୟତାର ବିକାଶରେ ହାତର ଅବଦାନ ଅସୀମ । ହେଲେ ମଣିଷର ଚିନ୍ତାଧାରାର ପ୍ରତିଫଳନ ବି ହାତ ଦ୍ୱାରା ସମ୍ପାଦିତ ହୋଇଥାଏ । ଭଲ କାମ ହେଉ ବା ମନ୍ଦ କାମ, ଜୀବନ ସୃଷ୍ଟି ହେଉ ବା ନାଶ- ଏସବୁ କ୍ଷେତ୍ରରେ ମଣିଷର ଭାବନା ଓ ଚିନ୍ତାଶକ୍ତି ସହ ଯଦିଓ ହାତର ସମ୍ପର୍କ ଥାଏ ତଥାପି ଏହା ଅନେକ ସମୟରେ ମସ୍ତିଷ୍କର ନିକୃଷ୍ଟ ଚିନ୍ତାର ତକ୍ରାଳ ରୂପାୟନ ଲାଗି ସଫଳ ହୋଇଥାଏ ।

ଅନ୍ୟ କୌଣସି ପ୍ରାଣୀ ଅତୀତ, ବର୍ତ୍ତମାନ, ଭବିଷ୍ୟତ ସମ୍ପର୍କରେ ଚିନ୍ତା କରନ୍ତି ନାହିଁ କିମ୍ବା ସେମାନେ ଏସବୁ ବିଷୟରେ ଅଜ୍ଞ ଥାନ୍ତି । ମାତ୍ର ମଣିଷ ଏସବୁ ପ୍ରତି ଜ୍ଞାତ ଥାଏ । ଏଥିରେ ମସ୍ତିଷ୍କ ଓ ହାତର ଭୂମିକା ବି ଥାଏ ।

ମଣିଷର ବିନାଶ୍ରମରେ ପୃଥିବୀର କୌଣସି କୃତ୍ରିମ ପରିବର୍ତ୍ତନ ସମ୍ଭବ ହୋଇ ନଥାନ୍ତା । ଏଥିପାଇଁ ମଣିଷର ହାତର ଭୂମିକା ଅନସ୍ୱୀକାର୍ଯ୍ୟ । ହଜାର ହଜାର ବର୍ଷର ଇତିହାସ ପରିବର୍ତ୍ତନ, ଏହାକୁ ନୂଆ ରୂପ ଦେବ, ବୈଜ୍ଞାନିକ ଗବେଷଣା ଜରିଆର ମଣିଷ ଅସୀମ ବିକାଶ ହାସଲ କରିଛି । ହେଲେ ହାତକୁ ସେ କ’ଣ ଉଚିତ ମୂଲ୍ୟ ଦେଇପାରିଛି?

ଏହି ହାତ ଜରିଆରେ ମଣିଷ ଯୁଦ୍ଧକରିଛି, ଶାନ୍ତି ଆଣିଛି, ହାରିଛି, ଜିତିଛି । ଶାସକ ସାଜିଛି, ଶାସିତ ବି ସାଜିଛି । ଲକ୍ଷ ଲକ୍ଷ ଲୋକଙ୍କୁ ହତ୍ୟା କରିବାରେ ବି ଏକ ପ୍ରମୁଖ ଅସ୍ତ୍ର ହୋଇଛି । ତେଣୁ ହାତକୁ ମଣିଷ ଯେ ଆଜି ସଠିକ୍ ବୁଝିପାରିଛି ତାହା କୁହାଯାଇ ପାରିବ ନାହିଁ ।

ଏକ ବସ୍ତୁଗତ ଦୁନିଆରେ ମଣିଷ ନିଜେ ଏକ ବସ୍ତୁବାଦୀ ପ୍ରକ୍ରିୟାରୁ ଜନ୍ମ ନେଇଥିଲେ ବି ସେ ଭାବବାଦୀ ଚିନ୍ତାରେ ବୁଡ଼ି ରହିଥାଏ । ଜାଣତରେ ବା ଅଜାଣତରେ ବସ୍ତୁବାଦକୁ ଦୂରରେ ରଖେ କିମ୍ବା ଅଗ୍ରାହ୍ୟ କରେ । ଅନେକ କାଳ୍ପନିକ ଚିନ୍ତାଧାରାକୁ ରୂପ ଦେବାଲାଗି ସେ ପାଗଳ ହୋଇଉଠେ । ଦୁର୍ବଳ ମାନସିକତାର ପ୍ରଭାବ ଅନୁସାରେ ସେ ହାତକୁ ବ୍ୟବହାର କରେ ।

ପ୍ରାୟ ୩୦ଲକ୍ଷ ବର୍ଷ ତଳେ ମଣିଷ ପ୍ରସ୍ତରନିର୍ମିତ ସାମଗ୍ରୀ ସୃଷ୍ଟି କରିଥିଲା । ସେତେବେଳେ ହାତର ବ୍ୟବହାର ସର୍ବୋତ୍ତମ ଭାବେ ବ୍ୟବହୃତ ହୋଇପାରିନଥିଲା । ଧୀରେ ଧୀରେ ତାହାର କ୍ରମବିକାଶ ସମ୍ଭବ ହୋଇଥିଲା । ପ୍ରସ୍ତର ସାମଗ୍ରୀ ବିକାଶ କରିବା ପରଠାରୁ ହାତ ନିଜର ଜୟଯାତ୍ରାର ଭିତ୍ତି ପକାଇଥିଲା । ମଣିଷର ହାତରେ ଥିବା ବୃଦ୍ଧ ଅଙ୍ଗୁଳି ସାରା ଜୀବଜଗତରେ ଅନନ୍ୟ । ଅନ୍ୟ କୌଣସି ପ୍ରାଣୀର ବୃଦ୍ଧ ଅଙ୍ଗୁଳି ଏତେ ଶାଣିତ, ସୁନିର୍ବାଚିତ, ସୁସଂହତ ନୁହେଁ । ମାତ୍ର ଇତିହାସରେ ଏହା ବି ଘଟିଛି ଯେ, ସେହି ବୃଦ୍ଧ ଅଙ୍ଗୁଳିକୁ ଗୁରୁ ଦ୍ରୋଣଙ୍କ ନିକଟରେ ସମର୍ପିଥିଲେ ମହାନ ଧନୁର୍ଦ୍ଧର ଏକଲବ୍ୟ ।

ଅନେକ ଈର୍ଷା, ନ୍ୟାୟ, ଅନ୍ୟାୟ, ଶୋଷଣ, କର୍ଷଣ, ଶାସନ ଆଦିରେ ପ୍ରମୁଖ ଭୂମିକା ନେଇଛି ହାତ । ମଣିଷ ସଭ୍ୟ ହୋଇଥିଲେ ବି ହାତର ମର୍ଯ୍ୟାଦା, ଏହାର କଷ୍ଟକର ବିବର୍ତ୍ତନ, ଶାଣିତ ସଂରଚନାକୁ ଉପଯୁକ୍ତ ସମ୍ମାନ ଦେଇଥିବା ପ୍ରତୀୟମାନ ହେଉ ନାହିଁ । ଏକ ମହୁମାଛି କିମ୍ବା ଏକ ବାୟା ଚଢ଼େଇ ନିଜ ବସାକୁ ଅତି ସୁସଂଜତ, ଗାଣିତିକ ସଂରଚନାରେ ଅତି ନିଖୁଣ ଭାବେ ବନାଇପାରେ । ମାତ୍ର ଏଥିରେ କୌଣସି ଅନୁଭୂତି ନଥାଏ । ବରଂ ତାହା ଉତ୍ତରାଧିକାରୀତ୍ୱ ଗୁଣାବଳୀ ଭାବେ ସେମାନେ ପାଇଥାନ୍ତି । ନଚେତ ଏକ ବାୟାଚଢ଼େଇକୁ ଛୁଆ କାଳରୁ ଅଲଗା କରି ରଖିଲେ ବି ସେ ବିନା ଅନୁଭୂତି, ବିନା ସାହାଯ୍ୟ ବା ପ୍ରଶିକ୍ଷଣରେ ସେ ଏହି ଜଟିଳ ବସା ତିଆରି କରିପାରେ । ମହୁମାଛିଠାରୁ ଆରମ୍ଭ କରି ଅନ୍ୟ ପ୍ରାଣୀଙ୍କ କ୍ଷେତ୍ରରେ ଏହା ବିରାଜମାନ । ମାତ୍ର ମଣିଷ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ବିପରୀତ । ଜଣେ ମଣିଷ ବିନା ପ୍ରଶିକ୍ଷଣ ବା ଅତୀତ ଘଟଣାବଳୀକୁ ଭିତ୍ତି ନ କରି ସେ କିଛି କରିପାରିବ ନାହିଁ । ଯେପରିକି କୌଣସି ଏକ ଉଦ୍ଭାବନ ମୂଳରେ ଜଣେ ବୈଜ୍ଞାନିକଙ୍କ ଏକାକୀ ଅବଦାନ ନଥାଏ । ସେ ଯେଉଁ ଯେଉଁ ପଦାର୍ଥ/ବସ୍ତୁ/ରସାୟନ/ଜ୍ଞାନକୌଶଳ/ତତ୍ତ୍ୱକୁ ନେଇ ଗବେଷଣା କରନ୍ତି ତାହାର ପୂର୍ବ ଇତିହାସ ରହିଛି କିମ୍ବା ତାହା ଅତୀତରେ ଆବିଷ୍କୃତ ବା ଉଦ୍ଭାବିତ ହୋଇଛି । ଏସବୁ ସମଷ୍ଟିରୁ ସେ କିଛି ନୂଆ ତତ୍ତ୍ୱ ବା ସାମଗ୍ରୀ ଉଦ୍ଭାବନ କରନ୍ତି ।

ମଣିଷର ହାତର ଐତିହାସିକ ବିବର୍ତ୍ତନ ସହ ମସ୍ତିଷ୍କର ଆକାର- ଏହି ଦୁଇର ସମନ୍ୱୟ ମଣିଷକୁ ଦେଇଥିଲା ନୂଆ ରୂପ । ଅନ୍ୟ ସମସ୍ତ ବାନର ପ୍ରଜାତି ଜୀବନର ମସ୍ତିଷ୍କର ସାମର୍ଥ୍ୟ ୩୦୦ରୁ ୪୦୦ମିଲିଲିଟର ହୋଇଥିବା ବେଳେ ଆଧୁନିକ ମଣିଷର ମସ୍ତିଷ୍କର ସାମର୍ଥ୍ୟ ରହିଛି ୧୪୦୦ ମିଲିଲିଟର । ଏହି ବିବର୍ତ୍ତାନିକ ଉପହାର ମଣିଷକୁ ସଭ୍ୟ କରିବାରେ ଅସୀମିତ ଭୂମିକା ନେଇଛି ।

ମଣିଷର ହାତର ବିକାଶ ଯଦି ଘଟି ନଥାନ୍ତା ତେବେ ଭାଷାର ବିକାଶ ବି ଘଟି ନଥାନ୍ତା । କାରଣ ନୂଆ ସାମଗ୍ରୀ ତିଆରି କରିବା, ପ୍ରକୃତିକୁ ରୂପାନ୍ତରିତ କରିବା, ଏହାକୁ ବ୍ୟବହାର କରି ମଣିଷ ନିଜର ଆବଶ୍ୟକତା ମେଣ୍ଟାଇବା ଆଦି କ୍ଷେତ୍ରରେ ତ ହାତର ଭୂମିକା ଅଗ୍ରଗଣ୍ୟ, ସେପଟେ ସାରା ପୃଥିବୀରେ ମଣିଷ ବିଛାଇଯିବା ସହ ପରିବେଶ, ପରିସ୍ଥିତି, ଜଳବାୟୁ, ବସତିର ସୀମା ସରହଦ କ୍ଷେତ୍ରରେ ବିଭିନ୍ନ ଭାଷାର ସୃଷ୍ଟି ହୋଇଥିଲା । ତେଣୁ ସଭ୍ୟ ମଣିଷର ହାତ ହିଁ ସଭ୍ୟତାର ଜନ୍ମଦାତା ବୋଲି କହିଲେ କିଛି ଭୁଲ୍ ହେବ ନାହିଁ । ସେହି ହାତ ଯଦି ନାରକୀୟ କାଣ୍ଡରେ ନିଜକୁ ନିୟୋଜିତ କରେ ତେବେ ଏଥିଲାଗି ଉତ୍ତରଦାୟୀ କିଏ ହେବ?

ପ୍ରକୃତିର ଅତି ନିଖୁଣ, ପରିମାର୍ଜିତ, ବିଜ୍ଞାନ ଆଧାରିତ, ଅନନ୍ୟ, ସୁନିର୍ବାଚିତ ସୃଷ୍ଟି ହେଉଛି ହାତ । ଏହା ମୋନାଲିସା ପରି ମହାନ ପ୍ରତିଛବି ତିଆରି କରିପାରେ, ଏହା ବିଚିତ୍ର ମନ୍ଦିରଠାରୁ ଆରମ୍ଭ କରି ଅସୀମ ଶିଳ୍ପକଳା ବିମଣ୍ଡିତ କୀର୍ତ୍ତିରାଜି ନିର୍ମାଣ କରିପାରେ, ଏହା ମହାକାଶକୁ ଯାଇପାରୁଥିବା ମହାକାଶ ଯାନ ନିର୍ମାଣ କରିପାରେ । ଏହା ବିଶ୍ୱଶାନ୍ତି ଲାଗି ଟଲଷ୍ଟୟଙ୍କ ଜରିଆରେ ୱାର ଆଣ୍ଡ ପିସ୍ ପରି ପୁସ୍ତକ ଲେଖିପାରେ କିମ୍ବା ଇତିହାସର ସବୁଠାରୁ ଭୟଙ୍କର ଶାସକ ହିଟଲରଙ୍କ ପରି ଶାସନର ଭୂମିକା ନିର୍ବାହ କରିପାରେ । ଏହା ମଣିଷଠାରୁ ଶହ ଶହ ଗୁଣ ବଳୀୟାନ ପ୍ରାଣୀକୁ କରାୟତ୍ତ କରିପାରେ କିମ୍ବା ସାରା ପ୍ରାଣୀଜଗତକୁ ନିଜ କବ୍ଜାରେ ରଖିପାରେ । ହାତର ମର୍ଯ୍ୟାଦା ରକ୍ଷା ଏକ ସୁସଭ୍ୟ ଜାତିର ମହାନ କର୍ତ୍ତବ୍ୟ ।

Comments

0 comments

Share This Article