ବୈଶାଖ ଅଧା ହେଲାଣି । ଆମ୍ବ ହାଉଜାଉ ହୋଇ ପାଚୁଛି । ପାଚିଲା ଆମ୍ବ ଗଛରୁ ଗୁଳୁ ଗୁଳୁ ହୋଇ ଝଡୁଛି । ତୋଟା ଜଗାଳିଙ୍କ ଭାରିକାମ । ପଥର ପଡିଆ ତୋଟା । ହଜାର ଦେଢ଼ହଜାର ଅହୁଁ ଅହୁଁ ଗଛ । ସକାଳୁ ପାଚିଲା ଆମ୍ବ ତରା ଫୁଟିଲା ଭଳି ତଳେ ପଡିଥିବ । ଗୋଟିଆ, ଖିଆ, ଭାଗବଣ୍ଟା ଦିନ ୧୦ଟା ଯାଏ ଚାଲେ । ନନା ତ ଜଗୁଆଳିଙ୍କ ସର୍ଦ୍ଦାର । ଖରା ଛୁଟି । ସ୍କୁଲ ବନ୍ଦ । ମୁଁ ନନାଙ୍କ ସଙ୍ଗେ ତୋଟାକୁ ଯାଏ । ଯିବା ଠାରୁ ଘରକୁ ଫେରିବା ପର୍ଯ୍ୟନ୍ତ ପାଟି ଚାଲୁଥାଏ । ଖୁବ୍ କମ୍ ରେ ୩୦/୪୦ଟା ଆମ୍ବ ଖାଇଥିବି । ସକାଳ ୧୦ଟା ସୁଦ୍ଧା ତୋଟା କାମ ସରିଲା । ନନା ବାଗେଇଲେ ନଈକୂଳକୁ । ପ୍ରାଚୀ ନଈ ଡଙ୍ଗାଘାଟ । କୂଳରେ ବାଞ୍ଛା ମହାଜନ ପାନ ବରଜ କୁଦ ପଣସ ଗଛ । ଗଛର ବୟସ ୨୫/୩୦ବର୍ଷ ହେବ । ମୋଟେଇ ୭/୮ ହବ । ପଣସ ତଳ ଠାରୁ ଓପର ଲଦି ହୋଇଥିବ । ଡାଳ ପତ୍ର ବେଶୀ ନାହିଁ । ଗଣ୍ଡି ୪/୫ଫୁଟ ମୋଟେଇ ହବ । ପଣସ ଲେସି ହୋଇ ଯାଇଥିବ । ଚାରି ପଟେ ପଣସ । ଗଣ୍ଡି ଦେଖା ଯାଏନି । ୮/୧୦ ଫୁଟ ଉଚ୍ଚାଯାଏ ପଣସ ଖୁନ୍ଦି ହୋଇଥିବ । ମୂଳଠାରୁ ଆରମ୍ଭ ଯେ ଗଣ୍ଡି ଦେଖାଯାଏନି । ପୁରୁଣା ଡାଳରେ ପଣସ ଓହଳି ଥବ । ଗଣି ପାରିବନି । ୪୦୦ /୫୦୦ ପଣସ । ମାର୍ଫତଦାର ଉଦି ଷଡଙ୍ଗୀ, ମୋ ନନା ।
ବାଞ୍ଛା ମହାଜନ, ସାକିନି ନିଆଳି ମହାଜନ ସାହି, ପୂରାନାମ ବାଞ୍ଛାନିଧି ସାହୁ, ନିଆଳିର ଗଞ୍ଜେଇ ଅଫିମ ଦୋକାନୀ । ଅବକାରୀ ଜିନିଷ । କଟକରୁ ମାଲ ଆସିବ । କଟକ ନିଆଳି ଠାରୁ ୩୦କୋଶ । ରାସ୍ତାଘାଟ ନାହିଁ । ଜଙ୍ଗଲ ଭିତରେ ସାପୁଆ ରାସ୍ତା । ଗାଡି ଘୋଡ଼ା ନାହିଁ । ଚାଲିକରି କଟକ ଯିବା ଆସିବା । ମୋ ଅଜା ନିଆଳି ପୂର୍ବଖଣ୍ଡ ଶାସନ ଜାମ୍ବେଷ୍ଟର ମିଶ୍ର । ଡାକ ନାମ ଜମ୍ବୁ ମିଶ୍ରେ । ନିଆଳିକୁ ଲଗାଇ ୧୦ଖଣ୍ଡ ଗାଁର ଚୋଖା ମାମଲତକାର । ମହାଜନେ ଅଜାଙ୍କୁ ଧରିଥାନ୍ତି । ଅଜାଙ୍କର ମାମଲତକାରିରେ କୋର୍ଟ କଚେରୀ ଥାଏ । ରଫାନାମ ଦାଖଲ କରି ବାଦି ପ୍ରତିବାଦୀଙ୍କ କେସ୍ ଉଠିବ । ଅଜା ଭୋର ସକାଳୁ ବାହାରିବେ ତ ଦିନ ୧୦ଟା ବେଳେ କଟକରେ । ଗଞ୍ଜେଇ, ଅଫିମ ପଇସା ବାଞ୍ଛା ମହାଜନେ ଅଜାଙ୍କୁ ଆଗଦିନରୁ ଧରେଇ ଦେଇଥିବେ । ମହାଜନେ ଅଜାଙ୍କୁ ଖୁବ୍ ଖାତିରି କରନ୍ତି । ମଉସା ଡାକନ୍ତି । କଚେରୀ କାମ ସାରି ନନା ପହଲିମାନ ଦୋକାନରୁ ଗଞ୍ଜେଇ ଅଫିମ ଧରି ପୁଣି ରାତି ପହରକୁ ନିଆଳିରେ ହାଜର ।
ବାଞ୍ଛା ମହାଜନଙ୍କ ପୁଅ ୪ବର୍ଷର । ପଣସ ଗଛ ଦେଖାଚାହାଁ କରିବାକୁ କେହି ନାହିଁ । ମହାଜନେ ସକାଳୁ ରାତି ୧୦ଟା ଯାଏ ଗଞ୍ଜେଇ ଦୋକାନରେ । ଅଫିମିଆ, ଗଞ୍ଜେଇଆ ଧାଡ଼ି ଲଗାଇଥିବେ, ମଝିରେ ଅଧଘଣ୍ଟେ ଘଣ୍ଟେ ଘରକୁ ଯାଇ ନାକ କାନରେ ଦିଗୁଣ୍ଡା ପୁରେଇଦେଇ ପୁଣି ଦୋକାନରେ । ଗଞ୍ଜେଇ ଅଫିମ କାରବାରରେ ଖୁବ୍ ନାଳି । ଅନ୍ଧାରି ବେପାର । ଅବକାରୀ ଇନସପେକ୍ଟରଙ୍କୁ ଘିଅ, ଚାଉଳ, କିଛି ରକମଦେଇ ବିଦା କରିଦେଲେ ତ ଦିନକୁ ୪୦-୫୦ ଲାଭ । ୪୦-୫୦ଟଙ୍କା ଆଜି ୫ହଜାର । ନାନାଙ୍କୁ ପାକାଳାନ୍ତି । ‘ଉଦି ତୁମେ ତ ଜମ୍ବୁ କକେଇଙ୍କ ବଡ଼ ଜ୍ୱାଇଁ । ମୋର ଭାଇ ହିସାବ ହବ । ମୁଁ ଶୁଣିଛି ତୁମେ ପଥରପଡିଆ ବୈକୁଣ୍ଠ ମକଦ୍ଦମଙ୍କ ଆମ୍ବତୋଟା ଜଗାରଖା କରୁଛ । ପଣସ ଗଛ ତ ତୋଟାଠାରୁ ଡାକେ ବାଟ । ଟିକେ ଚାହିଁବ । ମୋର ଆଉ କାହା ଉପରେ ବିଶ୍ୱାସ ନାହିଁ । ସବୁ ନେବେ । ଚୋର ନେଲେ, ବିଲୁଆ ଖାଇଗଲେ ଖାଇଗଲେ କହି ମୋତେ ଗୋଟେ ଦିଟା ପଣସ ଦେଲେ ତ ବଳି ପଡିଲା । ନନା ମୌନେ ସମ୍ମତି, ମହାଜନେ ନନାଙ୍କୁ ପଣସ ଗଛ ଧରେଇ ଦେଇ ନାହିରେ ତେଲ ପକାଇ ବସିଲେ । ପାଚିଲା ପଣସକୁ ଅପେକ୍ଷା ।’
ନଈକୂଳ ପଣସ ଗଛ । ଚଲାରାସ୍ତା ଦାଢ଼ । ବରଜକୁଦ ତଳକୁ ନଈ ଭିତରେ ଗଛଟି ଝୁକି ପଡିଛି । ମନେହୁଏ କେତେବେଳେ ଉପୁଡି ପଡ଼ି ନଈରେ ଝାସ ଦେବ । ଯିବା ଆସିବା ସମସ୍ତଙ୍କ ଆଖି ପଣସରେ । ଆଖି ତ ଚାରିଆଡ଼େ ବୁଲୁଛି । ହେଲେ କଠା ପଣସ ସେତେବେଳେ ଆଦର ନଥାଏ । ଆମର କଠା ପଣସ ତରକାରୀ ହୁଏ । ନନା ତା’ ବାଗ ଜାଣିଛନ୍ତି । ତରକାରୀ ଖାଇବତ ମାଂସ ତରକାରୀ ଭଳି ଲାଗିବ । ରାନ୍ଧିବା ଗୁଣଥିବା ଦରକାର । ବଙ୍ଗାଳୀ ପଣସକଠା ତରକାରୀକୁ ଖୁବ୍ ତାରିଫ କରନ୍ତି । ଖାଉଥିବେ ଘରଣୀକୁ ହସି ହସି କହୁଥିବେ ‘ଆଗୋ ତୁମୀ କେ ରକମ କଠା ରନ୍ଧନା କରେଛେ । ଏଟାତ ପାଠା ତରକାରୀ ମତନ ସ୍ୱାଦ । ଆମି ତୁମାକେ ପ୍ରଶଂସା ନକରି ରହିପାରତେନି ।’ ପଠା ତରକାରୀ କହିଲେ ମେଣ୍ଢା ମାଂସ ତରକାରୀ । ଭଲ ହେଇଛି । ଆମ ଲୋକେ ପଣସ କଠା ତରକାରୀ କଥା ଜାଣିନାହାଁନ୍ତି । ମାସେ ୧୫ଦିନ ସେମାନେ ନିରାପଦ ।
ନଈ କୂଳ । ମେଲା ଜାଗା । ଯିବା ଆସିବା ସମସ୍ତଙ୍କ ଆଖି । ପଣସ ଗଛ ଚାରିପଟ ଅଡ଼ାହବ । ବେତ କଣ୍ଟା, ବନବନିଆ କଣ୍ଟା, କିଆ କାଟି ନନା ଗଦେଇ ଦେବେ । ନିଜେ ବୋହିବେ । ମୋତେ ଧରେଇ ଦେବେ । କହିବେ କହିବେ । ‘ଧର । ପଣସ ଗଛ ପାଖକୁ ନବୁ ।’ ବେତ କଣ୍ଟା ଫୋଡ଼ି ହୋଇ ଯାଉଥିବ । କିଆ କଣ୍ଟା ହାତରେ ପଶିଯାଉଥିବ । କୁନ୍ଥେଇ ମୁନ୍ଥେଇ ୩/୪ ଥର ବେତ କିଆ ଘୋସାରି ପଣସ ଗଛ ପାଖରେ ପକାଇଦିଏ । ଦମ୍ ମଜାର କାମ । ମୁଁ କିଏ । ବୋଉ ମନା କରେ ‘ତୁ ସେ ତୋଟା ବାଡ଼ି ଆଡ଼େ ଯାଆନା । ନନା ତୋତେ ବସେଇ ଉଠେଇ ଦେବେନି । ତାଙ୍କର ଦୟା ମାୟା ନାହିଁ । ପିଲା ଚାଖଣ୍ଡେ ତାକୁ ତୋଟା ବାଡ଼ି କାମ ।’ ନନାଙ୍କ କାନରେ ଶେଷ ୪ଟା ଶବ୍ଦ ପଡିଗଲାଣି । ନନାଙ୍କର ମଧୁର ବାଣୀ, ‘ପିଲାଟେ ୧୩/୧୪ ବର୍ଷ ହେଲାଣି । ତୁ ତ ତାକୁ ପିଲାତଳେ ରଖିଥିବୁ । ସୁନା ପୁଅ ଧେଇକି ନାଚ କରିବୁ । ଆରେ କି ପାଠ ପଢ଼ିବ । ସବୁ କାମ ହାସଲ ତ କରିଥିଲେ କେଉଁଠି ହାରିବନି ।’ ବୋଉ ମନେମନେ ଭାବୁଥିବ ‘କି ମନ୍ଦବେଳା ପଡ଼ିଲା । କାହିଁକି ପାଟିରୁ ବାହାରି ପଡ଼ିଲା । ଏତ ଯମ । ୟାଙ୍କର ଦୟାମାୟା ନାହିଁ । ହଉ ନଟ ଚାରି ବାହାକୁ ପ୍ରଭୁ ଭରସା ।’
ପଣସ ଗଛଠାରୁ ୧୦ହାତ ଗୋଲାଇ କିଆ, ବେତ, ବନ ବନିଆ କଣ୍ଟାଅଡ଼ା ହୋଇଗଲା । ନଈରେ ସେତବେଳକୁ ଛାତିଏ ପାଣି । କଳା ଲହଡ଼ି ମାରୁଥାଏ । କୂଳରୁ ପାଣି ଛାଡ଼ି ଯାଇଥାଏ ତ । ତେଣୁ ନଈକୂଳରେ ବି ଅଡ଼ାଦିଆ ହବ । ପାଣିରେ ପଶି କିଏ କୂଳବାଟେ ଖଦା କରିପାରନ୍ତି । ନନାଙ୍କ ଚାରିଆଡ଼କୁ ଆଖି । ପଣସ ପାକଳ ହଉଛି । ଆଖି ଫିଟିଲାଣି । ତୋଟାରେ ୧୦୦ମାଙ୍କଡ଼ । ପଣସ ଗଛରେ ମାଙ୍କଡ଼ ହୁତା ହୁଅନ୍ତିନି । କଣ୍ଟା ଫୋଡି ହୋଇଯିବ । ଖାଇବେ କିମିତି । ଅରକ୍ଷିତକୁ ଦଇବ ସାହା । ବୋଉର ବରାଦ ଚାଲିଲା । ପଣସ ଆଣିଲେ ଡାଲମା କରିବା । ବୋଉ ପଣସ ଡାଲମାରେ ଖୁବ୍ ପାରଙ୍ଗମ । ଭଜା ମୁଗଡାଲି ତ ଅଛି । ଜିରା ଲଙ୍କା ଗରମ ମସଲା ତ ଅଛି । ଘରକୋଣରେ ନଡ଼ିଆଗଛ ଡେରା ହୋଇଛି । ଭାଡ଼ି ତଳେ ମାଠିଆରେ ମାଠିଏ ଘଣାପେଡ଼ା ସୋରିଷ ତେଲ । ସବୁ ନନାଙ୍କ କମେଇ । ବୋଉ ବରାଦରେ ନନା ଗୋଟେ ପଣସ ଆଣି ଥୋଇ ଦେଇ କହିବେ,’ ନେ ଡାଲମା କରି କେତେ ଖାଇବୁ ଖା ।’ ତୁମ ପାଟିକୁ ତ ମୋଟେ ଯିବନି । ମନେ ମନେ ବୋଉ କହୁଥିବ । ବାଟରୁ ଟିକେ ଅବାଟହେଲେ ବୋଉ ନନା ତଡ଼ା ଖୋଜିବେ । ବୋଉ ଦିକଡ଼ା ଶୁଖିଲା ନଡ଼ିଆ କୋରି ରଖିବ । ପଣସ କାଟି ରଖିବ । ଚୂଲିରେ ହାଣ୍ଡି ବସାଇ ମାପରେ ପାଣି ଦବ । ଭଙ୍ଗା ଭଜା ମୁଗ ଡାଲି ନିର୍ଲୋଭ କରି ଅଧସେର ଛାଡ଼ିଦବ । କଟା ପଣସ ପକାଇଲା । ଆଳୁ ସେତବେଳକୁ ନିଆଳି ବଜାର ଦେଖିନି । ନନା ମାଟିଆଳୁ (ଦେଶୀଆଳୁ) ଖୋଳି ଭାଡ଼ିତଳେ ଗଦେଇ ଦେଇଛନ୍ତି । ହାତୀ ଖୋଜିଆ ଆଳୁ ଅନୁମାନରେ ଅଧସେର ତିନିପା କାଟି ପକାଇଲା । ଏମାନେ ସିଝିଗଲେ ଜିରା ଚୂନା, ଲଙ୍କା ଚୂନା ଘଡ଼ିରେ ଚୁଲି ମୁଣ୍ଡେ ବିଶ୍ରାମ ନେଇଛନ୍ତି । ତେଲ ୨/୩ ଛଟାଙ୍କି ପକାଇ ଡାଲମା କଲା । କୋରାନଡ଼ିଆ ଆଗରୁ ପକାଇଛି । ନନା ଜଗିଥିବେ । ଗରମ ମସଲା ଗୁଣ୍ଡାକରି ପକାଇଛି କି ନାହିଁ । ଦାତାର ଘିଅ ସରିବ । ବ୍ରାହ୍ମଣର ସୁହା ସୁହା କରିବାକୁ ହାତ ଥରିବ କାହିଁକି? ବୋଉ ଗୁଜୁରାତି, ଡାଲଚିନି, ଅଳେଇଚ, ଲବଙ୍ଗ ଗୋଟେ ଦିଟା ଶିଳରେ ଚୂନା କରି ପକାଇବ । ଡାଲମା ଓହ୍ଳାହେଲେ । ବଡ଼ ଗିନାରେ ଗିନାଏ ଡାଲମା ଆଗ ବାହାର କରିଦେଲା । ପଡ଼ିଶା ଘର ନୂଆବୋହୂ । ବୋଉ ଠଉରେଇଛି କଣ ପିଲାପିଲି ହବ । ପଣସ ଡାଲମାରେ ଆଶାଥିବ । ଲୁଗାକାନି ପାପୁଲିରେ ରଖି ଡାଲମା ଗିନାକ ଦେଢ଼ଶାଶୁଙ୍କ ଘରେ ଥୋଇଦେଲା । ‘ନଟ ବୋଉ । ତୁମେ ବୋହୂର ମନଜାଣି ପଣସ ଡାଲମା ଦେଲ । ବୋହୂ ଥରେ ଦିଥର କହୁଥିଲା । ତା’ ବାପଘରେ ପଣସ ଡାଲମା ହୁଏ । ପଣସ କିଏ ମୁଁ କିଏ । ଡାଲମା କରି କୁଆଡୁ ଦେବି । ତୁମ ଭାଇନାଙ୍କୁ ବରାଦ କଲେ ସେତ ଲାଞ୍ଜରେ ଠିଆହୋଇ ଗାଳି ପକାଇବେ, ‘ତୋ ବୋପା ଘରେ କିଏ ପଣସ ଡାଲମା ଖାଇଥିଲା । କହିଲା ପଣସ ଡାଲମା । ପଣସ କଣ ମୁଁ ସ୍ୱର୍ଗରୁ ଆଣିବି । ଆମର ତ ନାହିଁ ଗାଁ ଗଣ୍ଡାରେ ନାହିଁ । ହାଟରେ କଞ୍ଚା ପଣସ ବିକ୍ରିବଟା ନାହିଁ । ସାବିତ୍ରୀ ଅମାସିଆରୁ ପାଚିଲା ପଣସ ପଡ଼େ । କହିଲା ପଣସ ଡାଲମା । ବୋହୂ ସୁଆଗ ଦେଖଉଛ ।’
ବୈଶାଖ ମାସ ଶେଷ ପ୍ରାୟ । ପଣସ ଗୋଟେ ଗୋଟେ ପାଚିଲାଣି । ନନାଙ୍କ ପତାଲେଇ ଆଖି । କାଟି କରି ଘରକୁ ଆଣନ୍ତି । ପଣସ ଭଙ୍ଗା ହବ । ଆମକୁ ୨/୩ ଫୁଟ ଦେବେ । ନନା ବାକିତକ ଖାଇବେ । ପାଚିଲା ପଣସ ଫୁଟ ଖାଇବା ଆଉ ହଜମ କରିବା କାମ ନନାଙ୍କୁ ଜଣା । ପଣସ ମଞ୍ଜି ୧୦/୧୨ଟା ପୋଡ଼ି ଚୋବାଇ ଦେଲେ ତ ପେଟ ସଫା । ସାବିତ୍ରୀ ପାଖେଇ ଆସିଲାଣି । ଚୋର ଲାଗି ପାରନ୍ତି । ଗୋଟାଏ ଶଗଡ଼ ଗାଡ଼ି ତାଳପତ୍ର ତାଟି କୁଦଉପରେ ଥୁଆ ହେଲା । ନନାରାତିରେ ଆମ୍ବ ତୋଟାରେ ଗୋଟେ ଗୋଡ଼, ଶଗଡ଼ତାଟି ପାଖେ ଗୋଟେ ଗୋଡ଼ । ଦିନେ ସାନମଉସା ଆମ ଘରକୁ ଆସିଛନ୍ତି । ସେତେବେଳେ ବନ୍ଧୁବାନ୍ଧବ ଘରକୁ ଆସିଲେ ୮/୧୦ଦିନ ରହିବେ । ଚର୍ଚ୍ଚା ହେବେ । ଚାଷକାମରେ ସାହାଯ୍ୟ କରିବେ । ନନା ମଉସାଙ୍କୁ ବରାଦ କଲେ, ‘ରାଧୁ, ତୁମେ ଆଜି ଖାଇସାରି ପଣସ ଗଛ ଜଗିବାକୁ ଯିବ । ସାଙ୍ଗରେ ନଟକୁ ନେଇଯିବ ।’ ମୋ ସାନମାଉସୀ ଚମ୍ପାକୁ ୧୩/୧୪ବର୍ଷ ବେଳକୁ ଅଜା ଚାଲିଗଲେଣି । ମାମୁଁଙ୍କୁ ୧୦/୧୨ ବର୍ଷ । ମାଉସୀର ବାହଘର ସମ୍ପୂର୍ଣ୍ଣ ଖର୍ଚ୍ଚକରି ନନା ମାଉସୀକୁ ବାହା କରିଥିଲେ । ପହିଲି ପାଳିରେ ବାସନ କୁସନ, ଲୁଗା, ପେଡି ପେଟରା, ପରିବା ୩/୪ ଭାର ଦେଇ ମାଉସୀକୁ ଶାଶୁଘରକୁ ବିଦା କରିଥିଲେ । ରାଧୁମଉସା ନନାଙ୍କୁ ମାନନ୍ତି । ନନାଙ୍କ କଥା ତଳେ ପକେଇବେ? ରାତି ଘଡିଏ ହୋଇଥିବ । ମୋତେ ସାଙ୍ଗରେ ଧରି ଚାଲିଲେ ପଣସ ଗଛ ଜଗିବାକୁ ।
ତାଟି ଭିତରେ ଛଣ ବିଛା ହୋଇଛି । ବେରୁଆଁ ମସିଣା ଖଣ୍ଡେ ପଡ଼ିଛି । ଦୁହେଁ ଶୋଇଲୁ । ମଝିରେ ମଝିରେ ମଉସା ମିଛି ମିଛିକା କୁହାଟ ମାରୁଥାନ୍ତି ‘ଆରେ କିଏରେ । ନଟ ଠେଙ୍ଗା ଦବୁଟି ମୁଁ ତା ଅଣ୍ଟାରେ ଦି ପାହାର ଦିଏ । ଆରେ ଖାତିର ପଡୁନି । ଢିଙ୍କିକି କାଠ ବୋଲି ଭାବୁଛି । ମିଛ । ଡରେଇବା ପାଇଁ ଫିକର । ରାତି ଅଧ ହେବ । ମୁଁ ନିଘୋଡ଼ ନିଦରେ ଶୋଇଛି । ମଉସା ନିଦରେ ବିଳି ବିଳେଇଲେ, ‘ଭାଇନା ଠେଙ୍ଗା ଧର । କୂଅ ଦଉଡ଼ା ଆଣ । ଚୋର ଚୋର ……… ।’ ନିଦ ଭାଙ୍ଗି ଗଲା । ମଉସାଙ୍କୁ ହଲେଇ ଦେଲି, ‘ମଉସା! କ’ଣ ଗୁଡ଼େ ବିଳି ବିଳଉଛ’ । କାଇଁ ନାଇଁତ । ମୁଁ ତ ଶୋଇଛି । ବିଳି ବିଳେଇଲି କେତେବେଳେ । ‘ସପନ କଥା କ’ଣ ମନେରହୁଛି । ମଉସା ୩ ଭାଇ । ୧୦/୧୨ ଏକର ଚାଷ ଜମି । ନିଜେ ଖଟନ୍ତି । ଭଲ ଫସଲ ଅମଳ କରନ୍ତି । ଧାନ, ମୁଗ, ବିରି, କୋଳଥ, ସୋରିଷ, ରାଶି, ଫେସୀ, ବାଇଗଣ, ସାରୁ, ଦେଶୀ ଆଳୁ ସବୁ ଚାଷ ଥାଏ । ଭଲ ଚଳନ୍ତି । ଗାଁ ଲୋକେ ହିଂସୁକୁଡିଆ । ମଉସାଘରକୁ କଥା କଥାକେ ହଇରାଣ ହରକତ କରନ୍ତି । ପଦ୍ମପୁର ଗାଁ । ରାସ୍ତା ଘାଟ ନାହିଁ । ବେଳେବେଳେ ମଉସାଙ୍କ ଘରୁ ଧାନ ଚୋରି କରନ୍ତି । ମଉସାଙ୍କ ମନରେ ସେ କଥା ଅଛି । ଘରୁ ତ ୮/୧୦ ଦିନ ହେଲା ଆସିଲେଣି । ମନ ଗୋଳେଇ ଘାଣ୍ଟି ହେଲାଣି । ନିଦରେ ସ୍ୱପ୍ନ ଦେଖୁଛନ୍ତି । ଫ୍ରଏଡଙ୍କ ସ୍ୱପ୍ନ ତତ୍ତ୍ୱ କଲେଜରେ ପଢିଲା ବେଳେ ଜାଣି ମଉସାଙ୍କ ବିଳିବିଳାକୁ ମୁଁ ମିଶାଉଛି । ମଣିଷ ଦିନରେ ଯାହା ଭାବେ, ରାତିରେ ପ୍ରାୟ ତାହା ହିଁ ସ୍ୱପ୍ନ ଦେଖେ । ସେ କଥା ଛାଡ଼ । ପଣସ କଥାକୁ ଆସିବା ।
ସାବିତ୍ରୀ ୫/୭ ଦିନ ଥାଏ । ପଣସ କଟା ହେଲା । ପାକଳ ପଣସ ଚିହ୍ନି ୫୦/୬୦ ପଣସ ନନା କାଟିଲେ । ବାଞ୍ଛା ମହାଜନ ଘରକୁ ୮/୧୦ଟି ପଣସ ଆଗ ପହଞ୍ଚାଇଲେ । ମୁଁ ସାଙ୍ଗରେ ଯାଇଥାଏ । ମହାଜନଙ୍କ ଖୁସି କହିଲେ ସରିବନି । ‘ଉଦି ଏତେଗୁଡାଏ ପଣସ କ’ଣ ହବ । ୪/୫ଟା ଦେଇଥିଲେ ହୋଇଥାନ୍ତା । ଝିଅ ଘରକୁ ୨/୩ଟା ଦେଇଥାନ୍ତୁ । ଘରେ ୨/୩ଟା ଖାଇଥାନ୍ତୁ ।’ ‘ଭାଇନା ତୁମ ଗଛ । ମୁଁ ତୁମକୁ ନଦେଇ ନେଇଯିବି । ଧରମ ସହିବ ତ? ମହାଜନେ ମୋତେ ଗୋଟିଏ ଟଙ୍କା ଧରେଇ ଦେଲେ । ‘ଆରେ ତୁ ଚଞ୍ଚଳୀ ନାନି ପୁଅଟି । ମୋର ଭଣଜା ହବୁ । ନାନି ଖୁବ୍ କଷ୍ଟକରି ତୋତେ ପଢ଼ାଉଛି । ଉଦିର ନାଁ ରଖିବୁ । ‘୨/୩ ଦିନ ପରେ ନିଆଳି ହାଟ । ନନା ବେତାରେ ୫/୭ଟି ପଣସ ନେଇ ହାଟକୁ ଯାଆନ୍ତି । ବାଞ୍ଛା ମହାଜନ ଗଛ ପଣସ ଡାକୁ । ତଳେ ଥୁଆ ଗୋଡ଼ ଧୁଆ । ୪/୫ ଥର ହାଟକୁ ନିଅନ୍ତି । ସନ୍ଧ୍ୟା ସୁଦ୍ଧା ହାଟରୁ ଫେରନ୍ତି । ୩୦/୪୦ ଟଙ୍କା ହୁଏ । ୧୯୪୮-୪୯ । ସେତେବେଳର ୩୦-୪୦ ଟଙ୍କା ଆଜିକା ୩-୪ ହଜାର । ପାଚିଲା ପଣସ ୨ଟା ମାମୁଁଘରକୁ, ୨ଟା ଚମ୍ପାମାଉସୀ ଘରେ ପହଞ୍ଚାଇଲେ । ସାବିତ୍ରୀ ଠାକ ସରିଲା ।
ଅସୁମାରୀ ପଣସ । ଗଛପାଖେ ଦିନକୁ ୮/୧୦ ବିକ୍ରି । ପଥର ପଡିଆ ଆମ୍ବ ସରିଲାଣି । ବାରମାଣିଆକୁ ମୁହାଁଇଥିବା ଅସାଢୁଆ ଆମ୍ବ ଗଛ । ମେଲାରେ ପବନ ପାଇ ୨ଗୁଣ୍ଠ ବିଲ ଚକେଇ ଥାଏ । ଗଛରେ ଗଛେ ଆମ୍ବ । ଆଉ ସବୁ ଜଗୁଆଳି ତୋଟା କାମସାରି ଘରକୁ ଗଲେ । ଅଷାଢୁଆ ଗଛ ନନା ଏକା ଦେଖାଚାହାଁ କରନ୍ତି । ଆମ୍ବଗଛ ଠାରୁ ପଣସଗଛ ପାଖକୁ ମଝିରେ ମଝିରେ କୁହାଟ ଛାଡୁଥିବେ । ରଜ ଆସିଲା । ପୁଣି ପଣସ କଟା । ଏଥର ୧୫୦/୨୦୦ ପଣସ । ଶଗଡରେ ଓଦରବାନ୍ଧି ପଣସ ଗଛ ପାଖକୁ ଶଗଡ ନେଲେ । ପଣସ ୩୦-୪୦ଟା ଓଦରରେ ପୁରାଇ ଶଗଡ଼ ନିଆଳି ଗଡ଼େଇଲେ । ବାଞ୍ଛା ମହାଜନ ଘରେ ପଣସ ଅଜାଡିଲେ । ମହାଜନ କତ କତ । ‘ଉଦି ଏତେଗୁଡାଏ ପଣସ ଦେଲ ଯେ ମୁଁ କିପରି କାରବାର କରିବି । ଉଜନିକୁ କହିବି । ହାଟରେ ନେଇ ବିକିବ । ଯାହା ପଇସା ଦବ ।’ ନନା ପଣସ ଥୋଇ ତରବରରେ ଶଗଡ଼ ଫେରାଇଲେ । ଗଛମୂଳେ ତୋଳା ପଣସ ଗଦା ହୋଇଛି । କିଏ ହାଟକୁ ୨/୪ଟା ଉଠାଇ ନବ ।
ଆମର ଛୋଟିଆ ଦୁଆର । ପଣସ ସବୁ ଦୁଆରେ ଖେଳେଇ ଦେଲେ । ରଜ ପର୍ବ ଆସିଲା । ୪ର୍ଥ ରଜ ଠାକୁରାଣୀ ଗାଧୁଆ, ମାଟି ମା’କୁ ପୂଜା । ଏସବୁ ବିଧି, ସଂସ୍କୃତି ସ୍ତ୍ରୀ ଲୋକମାନେ ଆଜି ପର୍ଯ୍ୟନ୍ତ ବଞ୍ଚାଇଛନ୍ତି । ପଣସ ବରାଦ । ଘରୁ ୫୦/୬୦ ପଣସ ପାଖଗାଁ ଲୋକେ ନେବେଣି । ଦୁଆରୁ ଯିଏ ପଣସ ନେଲେ, ତାଙ୍କ ପାଇଁ ଧରିସାରଣା ନାହିଁ । ଯିଏ ଯାହା ଦେଲେ । ତଥାପି ତାଙ୍କର ତ ଗୋଟେ ପସନ୍ଦ ଅଛି । ହାଟ ଦାମରୁ ୪/୬ ଅଣା କମିଯାଏ । ବଡ ପୁରୁଷ କହିଛି ଦୁଆର ମୁହଁରେ ଯାହା ବିକିବ ଲାଭ ଯାହା କିଣିବ ଲାଭ । ହାଟକୁ ବୋଝ ମୁଣ୍ଡାଇ ନବ । ହାଟ ଦଣ୍ଡିଆର ସେନ ଆଖି । ଆସିଲେ କୁହା ନାହିଁ, ବୋଲା ନାହିଁ ମନ ଇଚ୍ଛା ବଡ଼ ପଣସଟିଏ ଉଠାଇଲେ । ୫ଟା ଥୁଅ କି ୧୦ଟା ଥୁଅ, ତାଙ୍କର ମହଣ୍ଡାଟି ବଟି । ମୁରାଟ କ’ଣ କମ୍ । ଟିକେ ଟଣା ଉଟରା କଲେତ ଖଟ୍ୱାଙ୍ଗ ପୁରାଣ ଗାଳି ପକାଇବେ । ବେଳେବେଳେ ହାତ ଉଠାଇବାକୁ ବି ତିଆର । ନନା ତ ନିଆଳି ଜ୍ୱାଇଁ । ଟିକେ ଖାତିର ଥାଏ । ନନା ବି ଦଣ୍ଡିଆଙ୍କ ସାଙ୍ଗରେ ଧିକିରି ଚିକିରି କରନ୍ତିନି । ବାକି ପଣସ ପୁଣି ଶଗଡ଼ରେ ହାଟକୁ ବୁହାହେଲା । ଘଣ୍ଟାକ ଭିତରେ ମାଲ ଖଲାସ । ଘରେ ଖୁବ ପଣସ ଖିଆହେଲା । ପଣସ ପର୍ବ ସରିଆସୁଛି । ନନା ପୁଣି ଗଛ ଉପରେ ଆଖି ପକାଇଲେ । ନନାଙ୍କର ପତାଲେଇ ଆଖି । ୨୦/୨୫ ଛୋଟ ବଡ ଗୁମୁଟି ପଣସ ତୋଳି ଘରକୁ ଆଣିଲେ । ପଣସ ୨୦/୩୦ ବିଲୁଆ ଖାଇଯାଇଥିବେ । ଏତେ ଜଗାରଖାରେ ୧୫/୨୦ପଣସ କନ୍ଦି କଟା ମାନେ ନନାଙ୍କ ଆଖିରେ ଧୂଳିଦେଇ ନେଇଥିବେ । ନନା ଗଛ ମୂଳ ସଫା କରି ପାଚିଲା ପଣସଟିଏ ପୂଜା କଲେ । ଗଛକୁ ଗୁଣୁ ଗୁଣୁ କରି କହିବା ମୁଁ ଶୁଣିଛି । ‘ବୃକ୍ଷ ରାଜା । ଦୋଷାଦୋଷ କ୍ଷମା କରିବ । ମୋ ପିଲାଙ୍କୁ ଏମିତି ଚାହିଁଥାଅ । ଆସନ୍ତାବର୍ଷକୁ ପୁଣି ଦେଖା ଚାହାଁ ।’ ଆଉ ପଥରପଡିଆ ଆମ୍ବ ତୋଟା ନାହିଁ । ନାହାଁନ୍ତି ବାଞ୍ଛା ମହାଜନ । ପ୍ରାଚୀ ନଦୀ ମରିଗଲାଣି । ପଣସଗଛ ଆଉ ରହିବ କାହିଁକି । ତାକୁ ବି ବେପାରି ମାନେ କାଟି ତୁଳସୀପୁର କରତକଳରେ ଚିରି ପକାଇଲେ । ୩୦/୪୦ ବର୍ଷର ପଣସ ଗଛ । ମଞ୍ଜ ନାଲି ପଡିଯାଇଥିବ । ପଣସ କାଠ ଖୁବ ଦାମ । କାଠ ବେପାରି ମାଲାମାଲ । ସୁନା ଅଣ୍ଡାଦିଆ କୁକୁଡା ଆଉ ନାହିଁ । ସବୁ ସୁନା ଅଣ୍ଡା ଏକାଠି ପାଇବା ଲୋଭରେ କୁକୁଡ଼ାକୁ ମାରି ସୁନା ଅଣ୍ଡା ଦରାଣ୍ଡିଲା ଭଳି ପଣସ ଗଛର ମୃତ୍ୟୁ । ମଣିଷର ଲୋଭ । ତଥାକଥିତ ବିକାଶ ପ୍ରକୃତିକୁ ତିଳତିଳ କରି କାଟି ପକାଉଛି । ଗାନ୍ଧୀ କହୁଥିଲେ, ‘ପ୍ରକୃତିରେ ମଣିଷର ଆବଶ୍ୟକ ପାଇଁ ଯଥେଷ୍ଟ ଅଛି । ତାର ଲୋଭ ପାଇଁ ନାହିଁ ।’ ଆଜି ପୃଥିବୀସାରା ପ୍ରକୃତିକୁ ମଣିଷ ଧର୍ଷଣ କରିଚାଲିଛି । ଜଙ୍ଗଲ କାଟି ସଫା କରାଯାଉଛି । କଂକ୍ରିଟ ଜଙ୍ଗଲ ବଢ଼ି ଚାଲିଛି । ଗଛ ଛାଇ ଦେଉଥିଲା । ଫଳ ଫଳୁଥିଲା । ବିଷ ବାଷ୍ପ ଅଙ୍ଗାରକାମ୍ଳକୁ ନିଜେ ପିଇ ଅମ୍ଳଜାନ ଛାଡୁଥିଲା । ଆମର ଶ୍ୱାସକ୍ରିୟା ଚାଲୁଥିଲା । ଆଜି ବାୟୁମଣ୍ଡଳରେ ଅମ୍ଳଜାନ କମିଯାଉଛି । ଅଙ୍ଗାରକାମ୍ଳ ବାଷ୍ପର ବିଷ ବାୟୁମଣ୍ଡଳକୁ ଉତ୍ତପ୍ତ କରୁଛି । ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ତଥାକଥିତ ବିକାଶର ବିଷ । ମଣିଷକୁ ଭୋଗିବାକୁ ପଡୁଛି । ଏସବୁ ବିପର୍ଯ୍ୟୟ ମଣିଷକୃତ । ‘ଆପେ ଅର୍ଜିଲେ କର୍ମଫଳ । ବେଳୁ ହୋଇବ ସାବଧାନ ।’ ଏବେ ବି ସମୟ ଅଛି । ଆମ୍ବ, ପଣସ ଖାଇବା, ପ୍ରକୃତିକୁ ବଞ୍ଚେଇବା ତ! ଆସନ୍ତୁ ଶପଥ ନେବା । ସମସ୍ତେ ପ୍ରତିବର୍ଷ ୫/୧୦ଗଛ ଲଗାଇବା । ପାଣି ଦେବା, ଯତ୍ନ ନେଇ ବଞ୍ଚାଇ ପାରିଲେ ଆମ ଭବିଷ୍ୟତ ପିଢ଼ିଙ୍କ ପାଇଁ ବିପଦ ଏଡ଼ାଇପାରିବା । କଥା ବହୁତ କହୁଛେ । ଶୁଣୁଛେ । ହାତ ନ ଲାଗେ ଗୋଡ଼ ନ ଲାଗେ, ଚଟୁ ପିଠା ଖଣ୍ଡି ସୁଆଦ ଲାଗେ । ଆମକୁ କାମ କରିବା ପାଇଁ ପଡ଼ିବ । ମୁଁ ଏପରି କିଛି କିଛି କାମ କରୁଛି । ଆପଣମାନେ ଅଣ୍ଟା ଭିଡନ୍ତୁ ନା । ସାତ ପାଞ୍ଚଟା ଲାଠି, ଏକ ଜଣକା ବୋଝ । କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ଖୋସା ସୁନ୍ଦର । କହିବା କମ୍ କରିବା ବେଶୀ । ପଣସର ୧୮ଖଣ୍ଡ ମହାଭାରତ ଲେଖା ହେଲାଣି । ରଖୁଛି ।
(ଶ୍ରୀଯୁକ୍ତ ଷଡ଼ଙ୍ଗୀଙ୍କର ‘ଆମ୍ବ’ ବିଷୟକୁ ନେଇ ଧାରାବାହିକ ଲେଖା ପୂର୍ବରୁ ପ୍ରକାଶିତ ହୋଇସାରଛି)
Comments
0 comments