ଭାରତର ଜାତିପ୍ରଥା ଏକ ହୃଦୟ ବିଦାରକ ବ୍ୟବସ୍ଥାର ଘୃଣିତ ରୂପ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆମ ସମାଜର ଜାତିପ୍ରଥାଟି ଏକ ଅତ୍ୟନ୍ତ ଜଟିଳ ସମସ୍ୟାକୁ ନେଇ ଗଠିତ ହୋଇଥିବାରୁ ଏହା ଆଜି ସୁଦ୍ଧା ଦୂର ହୋଇପାରୁନାହିଁ । ଜାତି ନାମରେ ସମାଜର ବିଶାଳ ଜନଗୋଷ୍ଠୀଙ୍କୁ ଜନ୍ମର ଦ୍ୱାହି ଦେଇ କଦର୍ଯ୍ୟ ଭାବରେ ସେମାନଙ୍କୁ ଅସ୍ପୃଶ୍ୟ, ନୀଚ, ଶୂଦ୍ର, ଅତି ଶୂଦ୍ର ଭାବରେ ବିବେଚନା କରି ସାମାଜିକ ଜୀବନ ତଥା ପ୍ରତ୍ୟେକ କ୍ଷେତ୍ରରେ ଅତ୍ୟନ୍ତ ଅମାନୁଷିକ ବ୍ୟବହାର, ଶୋଷଣ, ଘୃଣା, ଭେଦଭାବ ଏବଂ ହିଂସା ଆଚରଣ କରି ଦୂରେଇ ଦେବା ଆମର ନିତିଦିନିଆ ଜୀବନରେ ଏକ ସାଧାରଣ ଘଟଣା ହୋଇ ରହିଆସିଛି । ସେଥିପାଇଁ ଆମ ମନରେ ଟିକିଏ ହେଲେ ମଧ୍ୟ ସଂକୋଚ କି ଅନୁଶୋଚନା ନାହିଁ । ଜନ୍ମକୁ ନେଇ ଜଣେ ବ୍ୟକ୍ତିକୁ ଉଚ୍ଚ ନୀଚ ଭାବରେ ବିଭକ୍ତ କରିବା ତାର ମାନବୀୟ ଅଧିକାରକୁ କେବଳ କ୍ଷୁଣ୍ଣ କରେନାହିଁ, ବରଂ ତା’ ମନରେ ଗଭୀର ଅସନ୍ତୋଷ ଓ ବିଦ୍ରୋହ ସୃଷ୍ଟି କରିଥାଏ । ଏହି ଅମାନବୀୟ ଜାତିପ୍ରଥା ଭାରତର ବୈଦିକ ସନାତନ ଧର୍ମ ତଥା ଆଜିର ହିନ୍ଦୁ ଧର୍ମରେ ହିଁ ସ୍ୱୀକୃତ ହୋଇଆସିଛି । ଯାହାକି ବଂଶାନୁକ୍ରମିକ ଭାବରେ ଚଳି ଆସୁଛି । ହିନ୍ଦୁ ଧର୍ମର ସମସ୍ତ ରୀତିନୀତି, ବିବାହ, ଜନ୍ମ, ମୃତ୍ୟୁ ଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନରେ କିଭଳି ଭାବରେ ପୁରୁଷ ନାରୀମାନେ ଚଳିବେ ଇତ୍ୟାଦି ବିଷୟରେ ‘ମନୁ’ ନାମକ ଜଣେ ଋଷିଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ମନୁସ୍ମୃତି’ ହେଉଛି ଜାତି ଶୋଷଣ ଓ ନିର୍ଯାତନାର ଦସ୍ତାବିଜ । ଏହି ‘ମନୁସ୍ମୃତି’ ଦ୍ୱାରା ଶୂଦ୍ର ବୋଲି କହି ସେମାନଙ୍କୁ ଅଛୁଆଁ କରି ସମସ୍ତ ପ୍ରକାର କଠିନ ଦୈନିକ ପରିଶ୍ରମ କରେଇବା, ଏ ସମସ୍ତ ଅସମାନତା ଅପମାନକୁ ସହ୍ୟ କରିବା ସେମାନଙ୍କର ଦେହସୁହା ଘଟଣା ହୋଇଯାଇଛି । ନାରୀମାନଙ୍କୁ କଟକଣା ଭିତରେ ରଖିବା ନିୟମଗୁଡ଼ିକ ଦ୍ୱାରା ଆମ ସମାଜରେ ହିନ୍ଦୁ ଧର୍ମର ଜାତିପ୍ରଥା ଏତେ କବଳିତ ହୋଇଛି ଯେ ଯଦି କେହି ଧର୍ମ, ଜାତି ତ୍ୟାଗ କରି ଅନ୍ୟ ଧର୍ମକୁ ଗ୍ରହଣ କଲେ ମଧ୍ୟ ଏହି ଉତ୍କଟ ବ୍ୟାଧିରୂପୀ ଜାତି କବଳରୁ ମୁକ୍ତ ହୋଇ ପାରୁନାହାନ୍ତି ।
ବ୍ରାହ୍ମଣବାଦୀ ଜାତିବ୍ୟବସ୍ଥା ଯୋଗୁଁ ଭାରତର ବାସ୍ତବ ବିକାଶ ଯେତିକି ହେବା କଥା, ତାହା ହୋଇ ପାରୁନାହିଁ । ଏହା ସମାଜକୁ ବିଭାଜିତ କରିବା ସହିତ ଆହୁରି ଦୁର୍ବଳ କରିବା ଦ୍ୱାରା ଯେଉଁ ଜାତୀୟ ଏକତା ସମସ୍ତଙ୍କଠାରେ ରହିବା କଥା, ତାହା ରହୁନାହିଁ । ୧୯୪୭ ମସିହାରେ ଭାରତ ସ୍ୱାଧିନ ହେଲାପରେ ଗ୍ରାମାଞ୍ଚଳ, ସହରାଞ୍ଚଳର ଉନ୍ନତି ପାଇଁ ବ୍ୟାପକ ବୈଷୟିକ ଜ୍ଞାନକୌଶଳ ଦ୍ୱାରା କଳକାରଖାନା ତିଆରି ହେଲା । କୃଷି କ୍ଷେତ୍ରରେ ବିପ୍ଳବ ଆଣିବା ପାଇଁ ସବୁଜ ବିପ୍ଳବ ଯୋଜନା କାର୍ଯ୍ୟକାରୀ ହେଲା । କିନ୍ତୁ ଜାତିର ଗଭୀର ଚେର ସେହିଭଳି ଦୃଢ଼ ହୋଇ ରହିଲା ସିନା ସେଥିରେ ଉନ୍ନତି ହେଲା ନାହିଁ । ୧୯୮୦ ମସିହା ପରେ ଏକ ନୂତନ ପ୍ରଗତିଶୀଳ ଆଭିମୁଖ୍ୟ ମଧ୍ୟ ଭାରତୀୟ ଅର୍ଥନୀତିରେ ପ୍ରକାଶ ପାଇଲା । ମୁକ୍ତ ବଜାର ନୀତିଦ୍ୱାରା ଭାରତରେ ପୃଥିବୀର ଏକ ବଡ଼ ଉପଭୋକ୍ତା ସୃଷ୍ଟିକାରୀ ଅର୍ଥକାରୀ ବଜାର ସୃଷ୍ଟି ହେଲା । କିନ୍ତୁ ଭାରତର ଜାତିପ୍ରଥା ଉଚ୍ଛେଦ ଦିଗରେ କୌଣସି ଆଖିଦୃଷ୍ଟିଆ ଉନ୍ନତି ପରିଲକ୍ଷିତ ହେଲାନାହିଁ । ୟୁରୋପୀୟ ରାଷ୍ଟ୍ରମାନଙ୍କରେ ଯେଭଳି ଭାବରେ ଜ୍ଞାନବିଜ୍ଞାନର ଅଭୂତପୂର୍ବ ଉନ୍ନତି ହୋଇଛି ଏବଂ ବୈଜ୍ଞାନିକ ଚିନ୍ତାଧାରାର ବିକାଶ ହୋଇଛି ଏବଂ ସେମାନେ ଉନ୍ନତ ମାନସିକତାର ମଧ୍ୟ ଅଧିକାରୀ ହୋଇଛନ୍ତି । କିନ୍ତୁ ଭାରତରେ ଏ ପ୍ରକାର ବିକାଶ ହୋଇପାରି ନାହିଁ । ଅତୀତରେ ଭାରତ ଯେତେସବୁ ବୈଦେଶିକ ଆକ୍ରମଣ ଦ୍ୱାରା ପରାଜିତ ହୋଇଥିଲା ତାହାର ଏକମାତ୍ର କାରଣ ହେଲା ଏହି ଜାତିପ୍ରଥା । ଜାତିପ୍ରଥା ଯୋଗୁଁ ଭାରତରେ ଜନସାଧାରଣ ବିଭକ୍ତ ହୋଇ ବଞ୍ଚୁଥିଲେ । ଯୁଦ୍ଧ କରିବାପାଇଁ କେବଳ ନିର୍ଦ୍ଦିଷ୍ଟ କ୍ଷତ୍ରିୟ ଜାତି ହିଁ ଥିଲା । ଭାରତରେ ଜାତି ନାମରେ ଦୁଇଟି ଉଚ୍ଚଜାତି ବ୍ରାହ୍ମଣ, କ୍ଷତ୍ରିୟ ସମସ୍ତ ସମ୍ପତ୍ତି ଅକ୍ତିଆର କରିବା ଫଳରେ ଦଳିତ, ଶୂଦ୍ରଭାବରେ ପରିଚିତ ଏବଂ ଅବହେଳିତ ସଂଖ୍ୟାଗରିଷ୍ଠ ତଳ ଜାତିର ଲୋକମାନେ ହିଁ ସର୍ବାଧିକ କଷ୍ଟ ଓ ନିର୍ଯାତନା ଭୋଗ କରିଛନ୍ତି । ଏହି ଉକ୍ରଟ ଜାତିଗତ ଭେଦଭାବ ତଥା ଶୋଷଣଯୋଗୁଁ ସେମାନେ ଶିକ୍ଷା, ଜୀବିକା, ରୋଜଗାର ଏବଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ସର୍ବାଧିକ ପଛୁଆ ଓ ଦରିଦ୍ର ହୋଇ ରହିଛନ୍ତି ।
ଜାତିବ୍ୟବସ୍ଥାର ଅନ୍ୟ ଏକ ଭୟଙ୍କର ରୂପ ହେଲା କେବଳ ନିଜର ନିର୍ଦ୍ଦିଷ୍ଟ ଜାତିରେ ହିଁ ବିବାହ କରିବା ପାଇଁ ବାଧ୍ୟତାମୂଳକ କରାଯାଇଥାଏ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିଲେ ଜଣାଯାଏ କେବଳ ନିକଟ ସମ୍ପର୍କୀୟ ଆତ୍ମୀୟଙ୍କ ସହିତ ବିବାହ ହେବା ଫଳରେ ସେମାନଙ୍କର ଜିନ୍ ବା ଗୁଣସୂତ୍ର ଦୁର୍ବଳ ହୋଇଯାଇ ଥାଏ ଏବଂ ଜନ୍ମିତ ଶିଶୁମାନଙ୍କୁ ଦେହରେ ଅନେକଗୁଡ଼ିଏ ଆନୁବଂଶିକ ରୋଗ ଦେଖାଦେଇଥାଏ, ଯାହା ଅତ୍ୟନ୍ତ ମାରାତ୍ମକ ଓ ପ୍ରାଣଘାତୀ ହୋଇଥାଏ । ଜାତିଗତ ଶୋଷଣର ଅତ୍ୟନ୍ତ କଠୋର ଅମାନୁଷିକ ବାସ୍ତବତାଟି ହେଲା ସ୍ୱାଧିନତା ପୂର୍ବବର୍ତ୍ତୀ ଭାରତରେ ଶୂଦ୍ର, ଦଳିତ ବା ତଳଜାତିର ଲୋକମାନଙ୍କ ନିକଟରେ ଅନ୍ୟ ଉଚ୍ଚବର୍ଗର ଲୋକମାନଙ୍କ ଭଳି ସମ୍ପତ୍ତି ରଖିବା, ଶିକ୍ଷାଲାଭ କରିବା ଏକ ଅପରାଧ ଥିଲା । ସେମାନଙ୍କୁ ଅସ୍ପୃଶ୍ୟ ବୋଲି କୁହାଯାଇ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନ ଯଥା ପୋଖରୀ, ମନ୍ଦିର, ବଜାର, ମଠ, ମଣ୍ଡପ ଇତ୍ୟାଦିକୁ ଯିବାକୁ ମନା କରାଯାଇଥିଲା । ମନ୍ଦିର ମଧ୍ୟକୁ ସେମାନଙ୍କ ପ୍ରବେଶ ତ ଦୂରର କଥା, ସେମାନେ ସମ୍ମୁଖ ରାସ୍ତାଦେଇ ଚାଲିଯାଇ ପାରୁ ନଥିଲେ । ଏପରିକି ସବର୍ଣ୍ଣ ଉଚ୍ଚବର୍ଗର ଧନୀ ଜମିଦାର, ସାହୁକାର, ବ୍ରାହ୍ମଣମାନଙ୍କର ଘର ସାମ୍ନାରେ ସେମାନେ ମୁଣ୍ଡ କୁଣ୍ଡାଇ, ଭଲ ଲୁଗା ପିନ୍ଧି କିମ୍ବା ଚପଲ ପିନ୍ଧି ଯାଇପାରୁ ନଥିଲେ । ଆହୁରି ଅପମାନଜନକ କଟକଣା ହେଲା ଦଳିତମାନେ ରାସ୍ତାରେ ଚାଲିଲାବେଳେ ମାଟିରେ ପଡିଥିବା ସେମାନଙ୍କର ପାଦଚିହ୍ନ ଉପରେ ଉଚ୍ଚବର୍ଗଙ୍କର ପାଦ ପଡିଲେ ତାହାକୁ ଅଶୁଭ, ଅପବିତ୍ର ବୋଲି ମନେ କରାଯାଉଥିବାରୁ ସର୍ବସାଧାରଣଙ୍କର ବ୍ୟବହୃତ ରାସ୍ତାରେ ସେମାନଙ୍କର ଚାଲିବା ଉପରେ ମଧ୍ୟ କଟକଣା ରହୁଥିଲା । ଏପରିକି ଚାଲିଲାବେଳେ ସେମାନଙ୍କୁ ନିଜ ଅଣ୍ଟାରେ ପଛପଟୁ ଏକ ଛାଞ୍ଚୁଣି ବାନ୍ଧିବାକୁ ପଡ଼ୁଥିଲା । ଯାହାଫଳରେ ଦଳିତମାନେ ଚାଲିଲାବେଳେ ସେମାନଙ୍କର ପାଦଚିହ୍ନ ଓଳାଇ ଓଳାଇ ଲିଭାଇବାକୁ ବାଧ୍ୟ କରାଯାଉଥିଲା । ଏତେସବୁ ଅପମାନ କଟକଣା ଭିତରେ କାଳେ ଦଳିତମାନଙ୍କର ଛେପ ରାସ୍ତାରେ ପଡ଼ି ତାହା ଅପବିତ୍ର ହୋଇଯିବ ସେଥିପାଇଁ ଛେପ ପକାଇବାକୁ ସେମାନଙ୍କୁ ନିଜ ବେକରେ ଏକ ଛେପଦାନୀ ସଦୃଶ ଏକ ମାଟି ମାଠିଆ ବାନ୍ଧିବାକୁ ପଡୁଥିଲା । କୌଣସି ସଭ୍ୟ ସମାଜରେ ଏହାଠାରୁ ବଳି ନିର୍ମମ, ବର୍ବର ବ୍ୟବହାର ହୋଇପାରିବ ନାହିଁ । ଯଦି ଦଳିତମାନେ ରାସ୍ତାରେ ଚାଲିକରି ଯାଉଥିବାବେଳେ କୌଣସି ବ୍ରାହ୍ମଣ ବା ଉଚ୍ଚ ଜାତିର ବ୍ୟକ୍ତି ଦେଖାଦିଅନ୍ତି ତାହାହେଲେ ତାକୁ ତତକ୍ଷଣାତ ପାଖରେ ଥିବା ବୁଦା କିମ୍ବା ପଥର ଉହାଡ଼ରେ ଲୁଚି ରହି ନିଜର ଉପସ୍ଥିତିକୁ ପାଟିକରି ଜଣାଇବାକୁ ପଡୁଥିଲା ।
ଜାତିପ୍ରଥାର ସବୁଠାରୁ ଅମାନୁଷିକ, ଅମାନବୀୟ, ଘୃଣିତ, କଦାକାର ରୂପ ଇଂରେଜଶାସିତ ଭାରତର କେରଳରେ ଦେଖିବାକୁ ମିଳିଥିଲା । ସେତେବେଳେ କେରଳର ‘ତ୍ରାଭାଙ୍କୋର’ ଏକ ରାଜ୍ୟ ଥିଲା । ସେଠାରେ ବାସ କରୁଥିବା ଦଳିତ ଯୁବତୀମାନଙ୍କୁ ନିଜ ଶରୀରର ବକ୍ଷ ଦେଶକୁ ଘୋଡ଼ାଇବା ପାଇଁ ରାଜାଙ୍କର ଅନୁମତି ନେବାକୁ ପଡୁଥିଲା । ଏହା ଏକ ଅପରାଧ ଥିଲା । ଯଦି କୌଣସି ଯୁବତୀ ନିଜର ସ୍ତନକୁ ଘୋଡେଇବାକୁ ବା ବ୍ଲାଉଜ୍ ପିନ୍ଧିବାକୁ ଚାହିଁବ ତାହାହେଲେ ତାକୁ ‘ତ୍ରାଭାଙ୍କୋର’ ରାଜାଙ୍କୁ ନିୟମିତ ‘ସ୍ତନ ଟିକସ’ ବା ମାଲାୟଲମ୍ ଭାଷାରେ ‘ମୁଲ୍ଲାକ୍କରମ୍’ ଦେବାକୁ ପଡ଼ୁଥିଲା । ଭାରତର ବିଭିନ୍ନ ଦେଶୀୟ ରାଜ୍ୟମାନଙ୍କରେ ରାଜା, ଧନୀ ଉଚ୍ଚବର୍ଗର ଜମିଦାରମାନଙ୍କ ନିକଟରେ ଦଳିତ ଜାତିର ମହିଳା ମାନଙ୍କୁ ବିବାହ ପୂର୍ବରୁ ରାତ୍ରିଯାପନ କରିବାକୁ ବାଧ୍ୟ କରାଯାଉଥିଲା । ସେମାନଙ୍କୁ ଯୌନ ସହଚରୀ ଭାବରେ ବ୍ୟବହାର କରାଯାଉଥିଲା । ଏପରିକି ଓଡ଼ିଶା, ବିହାର, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ରାଜ୍ୟର କେତେକ ଦେଶୀୟ ରାଜ୍ୟର ଜମିଦାରୀମାନଙ୍କରେ ଋତୁସ୍ନାତା ଦଳିତ କିଶୋରୀ ବାଳିକାମାନଙ୍କୁ ଏହି ଯୌନ ବୁଭୁକ୍ଷୁ ଜମିଦାରମାନେ ଉପଭୋଗ କରୁଥିଲେ । ଯଦି କେହି ପ୍ରତିବାଦ କଲା କି ସ୍ୱର ଉଠାଇଲା, ତେବେ ସେହି ବ୍ୟକ୍ତିର ହାତ, ଗୋଡ଼, ଜିଭ କାଟି ଦିଆଯାଉ ଥିଲା । ତା’ର ପରିବାରକୁ ସମ୍ପୂର୍ଣ୍ଣ ଭାବରେ ଗ୍ରାମରୁ ବାହାର କରି ଦିଆଯାଇ ଘରଦ୍ୱାର ଜାଳି ଦିଆଯାଉଥିଲା । ଏପରିକି ଜୀବନ୍ତ ମଣିଷଙ୍କୁ ନିଆଁରେ ଜାଳିଦେବାର ଘଟଣା ମାନ ଘଟୁଥିଲା । ଭାରତର ଦକ୍ଷିଣାଞ୍ଚଳ ରାଜ୍ୟ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ପ୍ରଭୃତିରେ ଥିବା ବିିଭିନ୍ନ ମନ୍ଦିରମାନଙ୍କରେ କିଶୋରୀ ବାଳିକାମାନଙ୍କୁ ‘ଦେବଦାସୀ’ କରାଯାଉଥିଲା । ଏହି ପ୍ରଥା ଅନୁସାରେ ଗ୍ରାମର ସମସ୍ତଙ୍କ ଉପସ୍ଥିତିରେ ମନ୍ଦିରର ପୂଜକ ମନ୍ଦିରର ଦେବତାଙ୍କ ସହିତ ଏହି କିଶୋରୀ ବାଳିକାମାନଙ୍କର ବିବାହ କରାଇ ଦେଉଥିଲେ । ଏହି ଦେବଦାସୀମାନେ ଜୀବନରେ ଆଉ କୌଣସି ସାଧାରଣ ଲୋକଙ୍କୁ ବିବାହ କରିପାରୁନଥିଲେ କିମ୍ବା ଏକ ପାରିବାରିକ ଜୀବନଟିଏ ଜୀଇଁ ପାରୁନଥିଲେ । ଏହି ଝିଅମାନଙ୍କ ସହିତ ପ୍ରତ୍ୟେକ ଦିନ ରାଜା, ଜମିଦାର, ମହନ୍ତ, ପୂଜକ, ସରପଞ୍ଚ ପ୍ରମୁଖ ବଳପୂର୍ବକ ଯୌନସମ୍ପର୍କ ରଖୁଥିଲେ । ଏହି ଯୌନ ସମ୍ପର୍କରୁ ଯଦି ସନ୍ତାନ ଜନ୍ମ ହେଉଥିଲେ ତାହାହେଲେ ଯଦି ସେ ଝିଅ ହେଉଥିଲା, ତାକୁ ଲାଳନପାଳନ କରାଯାଉଥିଲା ପୁଣି ଏକ ଦେବଦାସୀ କରିବାପାଇଁ । ପୁଅହେଲେ ତାକୁ ଅବହେଳିତ ଭାବରେ ଛାଡ଼ି ଦିଆଯାଉଥିଲା । ମା’ର ଯତ୍ନର ଅଭାବରୁ ଅନେକ ପୁଅ ଶିଶୁ ଅକାଳରେ ମୃତ୍ୟୁ ମୁଖରେ ପଡୁଥିଲେ ।
ସ୍ୱାଧୀନତା ପରେ ଦେଶରେ ଶିକ୍ଷାର ପ୍ରସାର ସହିତ ସାମ୍ବିଧାନିକ ଅଧିକାର ଓ ସହରୀକରଣ ସହିତ ପୁଞ୍ଜିବାଦୀ ଅର୍ଥନୀତିର ବିକାଶ ଫଳରେ କିଛି ପରିମାଣରେ ଜାତିପ୍ରଥାର କଠୋରତମ ରୀତିନୀତିର ହ୍ରାସ ଘଟିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଗ୍ରାମମାନଙ୍କରେ ଜାତି ବ୍ୟବସ୍ଥାର କ୍ରୂର ବିଧାନଗୁଡ଼ିକ ଅବ୍ୟାହତ ରହିଛି । ଯେମିତିକି ଆଜି ବି ଗ୍ରାମରେ ଜଣେ ବ୍ୟକ୍ତିର ପରିଚୟ ଜାଣିବାକୁ ହେଲେ ତା’ର ନାମ ପଛରେ ‘ରାଜୁ ଧୋବା’, ‘ହୀନ ବାଉରୀ’, ‘ହରି ବାମୁଣ’, ‘ଖଣ୍ଡିଆ କୁମୁଟି’ବୋଲି ସମ୍ବୋଧନ କରି ଡକାଯାଉଛି । ସହରର ବସ୍ତି ଅଞ୍ଚଳ ମାନଙ୍କର ନାମ ହାଡି ସାହି, ମୋଚି ସାହି, ବାଉରୀ ସାହି, ଦଣ୍ଡାସି ସାହି, ମେହେନ୍ତର ସାହି ବୋଲି ରହିଛି । ଏହି ବର୍ଗର ଲୋକମାନଙ୍କୁ ଅପମାନିତ କରାଯିବା ପାଇଁ ଏହି ବ୍ୟବସ୍ଥା ଚାଲୁଛି । ଗ୍ରାମ ମାନଙ୍କରେ ସେଥିପାଇଁ ସର୍ବସାଧାରଣଙ୍କ ଦ୍ୱାରା ବ୍ୟବହୃତ ପୋଖରୀମାନଙ୍କରେ ଗାଧେଇବା ପାଇଁ ଅଲଗା ତୁଠ କରାଯାଇଛି । ଉଚ୍ଚଜାତିର ଲୋକମାନଙ୍କ ନିକଟରେ ଏହି ଦଳିତଜାତିର ଲୋକମାନେ ଅତି ସାମାନ୍ୟ ମଜୁରୀ ବା ପାରିଶ୍ରମିକ ବିନିମୟରେ କଠିନ ଦୈହିକ ପରିଶ୍ରମ କରୁଥିଲେ । ଯାହାକୁ ବେଠି, ବେଗାରି, ଗୋତି ବୋଲି କୁହାଯାଉଥିଲା । ମଇଳା ଲୁଗା ସଫା କରିବା, ମଲା ପଶୁର ଶବ ଉଠାଇବା, ଚମଡା ଉତାରିବା, ବାଡିବଗିଚା, ଜମି ଚଷିବା, ଜଗିବା, ବାହାଘର ବେଳେ ବର, ବରଯାତ୍ରୀ ପୁରୁଷ ମାନଙ୍କର ଗୋଡ଼ ଧୋଇବା, ମୃତ୍ୟୁ ସମୟରେ ଉଚ୍ଚ ଜାତିର ପୁରୁଷ, ନାରୀଙ୍କ ନଖ କାଟିବା, ଘରେ ଗୋବର ଲିପିବା, ଖିଅର କରିବା ଇତ୍ୟାଦି କାମଗୁଡ଼ିକ ଆଜି ମଧ୍ୟ ଜାତିଭିତ୍ତିରେ କରାଯାଉଛି । ସବୁଠାରୁ ଦୁଃଖର ବିଷୟ ହେଲା କୌଳିକ ସେବା ବା ବୃତ୍ତି ନାମରେ ଶୂଦ୍ର ଓ ଦଳିତମାନଙ୍କୁ ସବର୍ଣ୍ଣ ଉଚ୍ଚଜାତିର ଲୋକମାନେ ନାମକୁ ମାତ୍ର ପାରିଶ୍ରମିକ କିମ୍ବା କିଛି ଖାଦ୍ୟଶସ୍ୟ ଦେଇ ବର୍ଷ ବର୍ଷ ଧରି ଏହି ଅପମାନଜନକ ସେବା ବା ବେଠି କାମ କରାଇ ଆସୁଛନ୍ତି । କେବଳ ଗ୍ରାମାଞ୍ଚଳରେ ଏହା ସୀମିତ ହୋଇ ରହିନାହିଁ । ଭାରତୀୟ ହିନ୍ଦୁମାନେ ସହରରେ କାର୍ଯ୍ୟ କରୁଥିବା ସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ, ବିଦ୍ୟାଳୟ ମାନଙ୍କରେ ମଧ୍ୟ ଜାତିବାଦୀ ଭେଦଭାବ ଦେଖାଇଥାନ୍ତି । ଏପରିକି କୌଣସି ସ୍ଥାନରେ ନୂଆ ଘର କଲାବେଳେ ପାଖରେ କିଏ ଦଳିତ ଲୋକମାନେ ଅଛନ୍ତି କି ନାହିଁ ବୋଲି ଅନୁସନ୍ଧାନ କରିଥାନ୍ତି । ଅନେକ ଲୋକ ଘରଭଡ଼ା ଦେଲାବେଳେ କେଉଁ ଜାତିର ଲୋକ ବୋଲି ପଚାରି ଭଡ଼ା ଦେବା ନିଶ୍ଚିତ କରିଥାନ୍ତି । ଅନେକ ସମୟରେ ଦଳିତ ଉଚ୍ଚ ସରକାରୀ କର୍ମଚାରୀଙ୍କ ଘରେ ଘରୋଇ କାମ କରିବାପାଇଁ ଲୋକ ମିଳନ୍ତି ନାହିଁ । କାରଣ ଉଚ୍ଚଜାତିର ବ୍ୟକ୍ତି ସରକାରୀ ପିଅନଟିଏ ହୋଇଥିଲେ ମଧ୍ୟ ସେ ଉଚ୍ଚପଦସ୍ଥ ଦଳିତ ଅଧିକାରୀଙ୍କ କୌଣସି ଘରୋଇ କାମ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ ।
ଆମ ସମାଜରେ ଲୋକନୃତ୍ୟ, ଲୋକସଙ୍ଗୀତ ମାନଙ୍କରେ ଦଳିତମାନଙ୍କୁ ଅପମାନିତ କଲାଭଳି ଚରିତ୍ର, ସଂଳାପ ଓ ଗୀତ ରଖି ଅଶ୍ଳୀଳ ଦ୍ୱିଅର୍ଥବୋଧକ ଶବ୍ଦ ବ୍ୟବହାର କରିଥାନ୍ତି । ଯାହାକି ଦର୍ଶକମାନଙ୍କର ଶସ୍ତା ଆମୋଦପ୍ରିୟତାକୁ ଉତ୍ସାହିତ କରିଥାଏ । ସର୍ବାଧିକ ଯନ୍ତ୍ରଣାଦାୟକ ଘଟଣା ହେଉଛି ପରିବାରର ସମ୍ମାନ ରକ୍ଷା ନାମରେ ଦୁଇଜଣ ପୁଅ ଝିଅ ଭଲପାଇ ବିବାହ କରିବାକୁ ଚାହାଁନ୍ତି, ଯଦି ସେମାନେ ଭିନ୍ନ ଜାତିର ହୋଇଥାନ୍ତି ତେବେ ସେଠାରେ ସେମାନଙ୍କୁ ହତ୍ୟା ମଧ୍ୟ କରାଯାଇଥାଏ । ‘ସମ୍ମାନ ରକ୍ଷାପାଇଁ ହତ୍ୟା’ (Honour Killing) ମୁଖ୍ୟତଃ ଧର୍ମ, ଜାତି, ଗୋଷ୍ଠୀ, ଅସମାନତାଜନିତ ଅବବୋଧ, ଶ୍ରେଣୀଗତ ଲିଙ୍ଗଗତ ଅସମାନତା, ଧାରଣା ବିଭାଗୀକରଣ ଦୃଷ୍ଟିରୁ ଗଠିତ ହୋଇଥାଏ । ଅନେକ ସମୟରେ ଦେଖାଯାଇଥାଏ ସମ୍ମାନ ରକ୍ଷା ନାମରେ ଝିଅ ଓ ମହିଳାଙ୍କୁ ପରିବାରର ପୁରଷ ସଦସ୍ୟମାନେ ହତ୍ୟା କରିଥାନ୍ତି । ସେମାନେ ଭାବନ୍ତି ଯେ ପୀଡ଼ିତ ମହିଳା ହିଁ ପରିବାରର ମାନ ସମ୍ମାନ, ମର୍ଯ୍ୟାଦାକୁ କ୍ଷତିଗ୍ରସ୍ତ କରିଛନ୍ତି । ଏହି ଅପମାନରୁ ବର୍ତ୍ତିବାକୁ ହେଲେ ତାକୁ ହତ୍ୟା କରିବା ନିହାତି ଆବଶ୍ୟକ । ଏହା ଏକ ଅମାନବିକ ଜଘନ୍ୟ ହତ୍ୟା ଘଟଣା, ଯାହା ପରିବାର ଲୋକମାନେ କରୁଥିଲେ ମଧ୍ୟ ସାମାଜିକ ଦୃଷ୍ଟିକୋଣରୁ ଏହାକୁ ଏକ ଗୁରୁତର କାର୍ଯ୍ୟ ବୋଲି ମନେ କରନ୍ତି ନାହିଁ ।
ଜାତିପ୍ରଥା ନାମରେ ଜାତି, ଧର୍ମ, କୁଳ, ଗୋତ୍ର, ସମ୍ପ୍ରଦାୟର ଆଳ ଦେଖାଇ ନିରୀହ ଜନସାଧାରଣଙ୍କ ଉପରେ ହେଉଥିବା ଅମାନୁଷିକ ଅତ୍ୟାଚାରକୁ ଆଇନ ଦୃଷ୍ଟିରୁ ବରଦାସ୍ତ କରାଯାଇ ପାରିବ ନାହିଁ । ଏଥିରେ ଜଡ଼ିତ ଥିବା ସମସ୍ତ ବର୍ଗର ଲୋକମାନେ ଆଇନ ଦ୍ୱାରା କଠୋର ଦଣ୍ଡ ପାଇବା ଆବଶ୍ୟକ । ସମ୍ମାନ ହତ୍ୟାଭଳି ନାରକୀୟ ହତ୍ୟାକାଣ୍ଡଜନିତ ଅପରାଧ ରୋକିବା ପାଇଁ ଆଇନରେ ସ୍ୱତନ୍ତ୍ର ବିଶ୍ଳେଷଣର ଆବଶ୍ୟକତା ରହିଛି । ଗ୍ରାମମାନଙ୍କରେ ହେଉଥିବା ଅନ୍ୟାୟପୂର୍ଣ୍ଣ ବେଆଇନ ଜାତିଗତ ସାମାଜିକ ବାସନ୍ଦ, ଯାନି ଯାତ୍ରା, ବ୍ୟକ୍ତିଗତ ଉତ୍ସବରେ ଯୋଗଦେଇ ନ ପାରିବା ଘଟଣାକୁ ପଞ୍ଚାୟତ ଦ୍ୱାରା ନିଷେଧ କରାଯିବା ଆବଶ୍ୟକ । ଏହା ସହିତ ଜନସଚେତନତା ଆହୁରି ସ୍ପଷ୍ଟ ଏବଂ ଦୃଢ଼ହେବା ନିତାନ୍ତ ଜରୁରୀ । ଜାତି, ବିଶ୍ୱାସ, ବୟସ, ଲିଙ୍ଗ, ଆଭିମୁଖ୍ୟ, ଭାଷା, ଶ୍ରେଣୀସ୍ଥିତି, ପରମ୍ପରା ସହିତ ତ୍ୱରିତ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ, ମନସ୍ତାତ୍ତ୍ୱିକ ବିଶ୍ଲେଷଣ, ପୁନର୍ବାସ ପ୍ରଦାନ କରିବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଖ୍ୟ କାର୍ଯ୍ୟ ହେବା ସର୍ବାଦୌ ଆବଶ୍ୟକ । ଏହାସହିତ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ନାଗରିକ ଅନୁଷ୍ଠାନ, ହେତୁବାଦୀ ସଙ୍ଗଠନ ପ୍ରମୁଖଙ୍କର ସହଯୋଗରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଜାତିପ୍ରଥାକୁ ଦୂର କରିବାପାଇଁ ନିଷ୍ଠାପର ଉଦ୍ୟମ ହେଲେ ଯାଇ ଏହାର କୁପରିଣାମ ହ୍ରାସ ପାଇବ ।
Comments
0 comments