ଜଗତୀକରଣ ଓ ପରିବର୍ତ୍ତିତ ସଂସ୍କୃତି

ସ୍ୱପ୍ନାରାଣୀ ଜେନା
88 Views
12 Min Read

ସମଗ୍ର ବିଶ୍ୱରେ ମନୁଷ୍ୟର ପରିଚୟ ଏକ ସ୍ୱତନ୍ତ୍ର ଦୃଷ୍ଟିକୋଣ । ବୁଦ୍ଧି ଓ ବିଚାରରେ ସ୍ୱତନ୍ତ୍ରତା ହିଁ ତା’ର ପରିଚୟ । ପ୍ରାକ୍ କାଳରୁ ଏଯାବତ୍ ବିଭିନ୍ନ ମାର୍ଗ ଏବଂ ଦୃଷ୍ଟିକୋଣ ନେଇ ମଣିଷ ଅବିରତ ଆଗେଇ ଚାଲିଛି । ସମୟକ୍ରମେ ଶିଳ୍ପବିପ୍ଳବ, ଜଗତୀକରଣ ଏବଂ ବିଜ୍ଞାନର ଦ୍ରୁତବିକାଶ ଫଳରେ ମାନବସମାଜ ବିକାଶୋନ୍ମୁଖୀ ଦିଗରେ ଗତି କରିଛି । ବଦଳି ଯାଉଥିବା ସମାଜବ୍ୟବସ୍ଥା ସହ ସର୍ଜନଶୀଳ ସାହିତ୍ୟ ମଧ୍ୟ ବଦଳିବାକୁ ଆରମ୍ଭ କରିଛି । ସମକାଳୀନ ସାମାଜିକ ପାଣିପାଗ କ୍ଷୟ ଓ ବୃଦ୍ଧି, ମାନବିକ ବ୍ୟବହାର ସହ ପରିବର୍ତ୍ତିତ ମୂଲ୍ୟବୋଧକୁ ସମୀକ୍ଷା କରି ଏକ ନୂଆ ବ୍ୟବସ୍ଥାର ନକ୍ସା ପ୍ରସ୍ତୁତି ହୋଇଛି । ଫଳରେ ନୂତନ କାରିଗରୀ କୌଶଳ ଓ ନୂତନ ଆର୍ଥନୀତିକ ସମ୍ପର୍କର କ୍ରମାନ୍ୱୟ ସମୀକରଣ ଦ୍ୱାରା ସମାଜ ସମୂହର ମିଳିତ ଯୋଗଦାନକୁ ଜଗତୀକରଣ ବୋଲି କହିଥାଉ । ଦେଶର ଆର୍ଥିକ ସମ୍ବଳକୁ ଅଧିକ ତ୍ୱରାନ୍ୱିତ କରିବା ଯଦିଓ ଜଗତୀକରଣର ଉଦ୍ଦେଶ୍ୟ । ତଥାପି ଦେଶ-ବିଦେଶ ବାଣିଜ୍ୟିକ ଭିତ୍ତିଭୂମି ପ୍ରତିଷ୍ଠା ମଧ୍ୟ ଏହାର ଅନ୍ୟତମ ଲକ୍ଷ୍ୟ । ଏହାର ପ୍ରଭାବଫଳରେ ପୃଥିବୀର ବିଭିନ୍ନ ଦେଶ ମଧ୍ୟରେ ଅନ୍ତଃମିଶ୍ରଣ ଘଟିଛି ଏବଂ ସାମାଜିକ, ସାଂସ୍କୃତିକ, ରାଜନୈତିକ, ଅର୍ଥନୈତିକ ଓ ବାଣିଜ୍ୟିକ ଆଦି ବିଭିନ୍ନକ୍ଷେତ୍ରରେ ପାରସ୍ପରିକ ସମ୍ବନ୍ଧଟିଏ ଗଢ଼ି ଉଠିଛି । ତେଣୁ ଜଗତୀକରଣ ହେଉଛି ରାଷ୍ଟ୍ର ସହିତ ରାଷ୍ଟ୍ରକୁ ଯୋଡ଼ିବାର ଏକ ଉଦାର ପ୍ରକି୍ରୟା ଏବଂ ଏହି ପ୍ରକ୍ରିୟାର ମୁଖ୍ୟ ଲକ୍ଷ୍ୟ ହେଉଛି ବାଣିଜ୍ୟ । ବାଣିଜ୍ୟ ମାଧ୍ୟମରେ ବୃହତ୍ ରାଷ୍ଟ୍ରଙ୍କର ଉତ୍ପାଦଗୁଡ଼ିକ ପାଇଁ ବଜାର ସୃଷ୍ଟି କରିବାର ଉଦ୍ଦେଶ୍ୟରୁ ଜଗତୀକରଣର ସୃଷ୍ଟି ହୋଇଥିଲେ ହେଁ କାଳାନୁକ୍ରମେ ଭାଷା, ସଂସ୍କୃତି, ଶିକ୍ଷା, ରାଜନୀତି ଆଦି କୌଶଳ ଓ ଅଭିପ୍ସାର ଆଦାନ ପ୍ରଦାନ ମଧ୍ୟ ଜଗତୀକରଣର ଲକ୍ଷ୍ୟରୂପେ ବିବେଚିତ ହୋଇଛି । ସାମଗ୍ରିକ ଦୃଷ୍ଟିରୁ ଆଲୋଚନା କଲେ ଜଗତୀକରଣ ହେଉଛି ଆର୍ଥିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ସ୍ୱଚ୍ଛଳତା ଆଣିବା ସହ ବିଶ୍ୱର ଏକୀକରଣ ପ୍ରକ୍ରିୟାକୁ ସୂଚାଇଥାଏ । ତେବେ ଓଡ଼ିଆ କ୍ଷୁଦ୍ରଗଳ୍ପରେ ଜଗତୀକରଣର ପ୍ରତିଫଳନ ସ୍ୱାଭାବିକ । ଆର୍ଥିକ ବ୍ୟବସ୍ଥାର ଦ୍ରୁତ ପରିବର୍ତ୍ତନ ସାଙ୍ଗକୁ ପଲ୍ଲୀ ପରିବେଶକୁ ବାହାର ସଂସ୍କୃତିର ଅନୁପ୍ରବେଶ, ନୂତନ ପ୍ରଯୁକ୍ତିବିଦ୍ୟାର ପ୍ରଚଳନ ହେତୁ ସାମାଜିକ ଓ ସାଂସ୍କୃତିକ ଜୀବନରେ ବିରାଟ ପରିବର୍ତ୍ତନର ସୂତ୍ରପାତ ହେବା ହିଁ ଜଗତୀକରଣର ପ୍ରଭାବ ।

ଓଡ଼ିଶାର ସାହିତ୍ୟ ଓ ସାଂସ୍କୃତିକ ଜୀବନ ମଧ୍ୟ ଜଗତୀକରଣ ଦ୍ୱାରା ପ୍ରଭାବିତ ହୋଇଛି । ଆମର ସାମାଜିକ-ସାଂସ୍କୃତିକ ମୂଲ୍ୟବୋଧ ଓ ମାନବୀୟ ଚେତନାରେ ସଙ୍କଟ ଦେଖାଦେଇଛି । ବାପା ଭିତରେ ସମ୍ବେଦନା ନାହିଁ କିଶୋର ପୁଅର ମାନସିକତା ପ୍ରତି । ସବୁ ବାପା ମା’ର କେବଳ ଗୋଟିଏ ସ୍ୱପ୍ନ ତାଙ୍କ ପୁଅଝିଅ ପାଠପଢ଼ି ଉପାର୍ଜନର ମେସିନ୍ ପାଲଟିଯାଆନ୍ତୁ । ସେହିପରି ଆଜିର ସନ୍ତାନଙ୍କ ଭିତରେ ମଧ୍ୟ ଶ୍ରଦ୍ଧା, ସମ୍ବେଦନା ବା ସମ୍ମାନବୋଧ ରହୁନି ବାପା ମା’ ଓ ଗୁରୁଜନଙ୍କ ପ୍ରତି ।

ଜଗତୀକରଣ ପ୍ରଭାବଫଳରେ ଭାରତୀୟ ସଂସ୍କୃତିର ଅଦ୍ଭୂତପୂର୍ବ ପରିବର୍ତ୍ତନ ଦେଖାଦେଇଛି । ବିବାହ ବ୍ରତଠୁ ଆରମ୍ଭ କରି ବିଭିନ୍ନ ପର୍ବପର୍ବାଣୀ, ଯାନିଯାତ୍ରା, ମହୋତ୍ସବ ଆଦି ପ୍ରତିଟି ସାମାଜିକ, ସାଂସ୍କୃତିକ ବା ଧାର୍ମିକ ଅନୁଷ୍ଠାନରେ ହେଉଥିବା କାର୍ଯ୍ୟକ୍ରମରେ କ୍ରମଶଃ ଓଡ଼ିଶାର ପାରମ୍ପରିକ ସଂସ୍କୃତି ଲୋପ ପାଇଯିବାର ଦୃଷ୍ଟାନ୍ତ ମିଳିଛି । ତା’ସ୍ଥାନରେ ପାଶ୍ଚାତ୍ୟ ସଂସ୍କୃତିର କାୟାବିସ୍ତାର କରିଛି । ମୋବାଇଲ୍, ଟେଲିଭିଜନ ଓ ଇଣ୍ଟରନେଟ୍ ରେ ବ୍ୟବହାର ଦ୍ୱାରା ବ୍ୟକ୍ତିଟିଏ ସହଜରେ ଅନ୍ୟ ଦେଶର ସଂସ୍କୃତିକୁ ଅନୁକରଣ କରିବା ସହ ନିଜକୁ ସେହି ଢ଼ାଞ୍ଚାରେ ପ୍ରସ୍ତୁତ କରୁଛି । ଏ ନୂଆ ସଂସ୍କୃତିକୁ ଅନୁକରଣ କରିବା ସହ ନିଜକୁ ସେହି ଢ଼ାଞ୍ଚାରେ ପ୍ରସ୍ତୁତ କରୁଛି । ଏ ନୂଆ ସଂସ୍କୃତିର ଅଭ୍ୟୁଦୟ ଫଳରେ ପୁରାତନ ସଂସ୍କୃତିର ଅବକ୍ଷୟ ଘଟୁଛି । ଅନ୍ତର୍ଜାତୀୟ ସଂସ୍କୃତିର ମିଶ୍ରଣ ଫଳରେ ଓଡ଼ିଶାରେ ମଧ୍ୟ ମଦର୍ସ ଡେ, ଫାଦର୍ସ ଡେ, ବାର୍ଥ ଡେ, ମ୍ୟାରେଜ ସେରିମନି, ଭାଲେଣ୍ଟାଇନ୍ ଡେ ଆଦି ବେଶ୍ ଧୁମ୍ ଧାମରେ ପାଳନ ହେଉଛି । ଏହା ବ୍ୟତୀତ ଓଡ଼ିଶାର ଜନସାଧାରଣଙ୍କ ଚାଲିଚଳଣି, ଆଚାର ବ୍ୟବହାର, ଖାଦ୍ୟପେୟ, ପୋଷାକ ପରିଚ୍ଛଦ ଆଦି ବିଭିନ୍ନ କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଦେଖାଦେଇଛି । ଯଥା- ଭାତ, ପଖାଳ, ଶାଗ, ଚକୁଳି, ମଣ୍ଡା, ଆରିସା, କାକରା ପରିବର୍ତ୍ତେ ବର୍ତ୍ତମାନ ଚାଉମିନ୍, ମେଗି, ପିଜା, ବର୍ଗର, କୁର୍କୁରି, ଚିପ୍ସ ଆଦିର ଆଗ୍ରହ ଅଧିକ ମାତ୍ରାରେ ବଢୁଛି । ସେହିପରି ଧୋତି, ପାଇଜାମା, ଲୁଙ୍ଗି, ସାର୍ଟ, ଶାଢ଼ୀ, ସାଲବାର ସୁଟ୍ ପରିବର୍ତ୍ତେ ପାଶ୍ଚାତ୍ୟ ଶୈଳୀର ପୋଷାକ ପରିଚ୍ଛଦର ବ୍ୟବହାର ବଢ଼ିଚାଲିଛି । ବିବାହ, ବ୍ରତ ଓ ପର୍ବପର୍ବାଣି ଆଦି ମାଙ୍ଗଳିକ କାର୍ଯ୍ୟମାନଙ୍କରେ ପରମ୍ପରାଗତ ସଂସ୍କୃତି ଲୋପ ପାଇ ତା’ଜାଗାରେ ମାଇକ୍ରେ ଡିଜେ, ର୍ୟାପ୍ ସଙ୍ଗୀତ ଆଦିକୁ ସ୍ଥାନ ଦିଆଯାଉଛି । ବିଶେଷ କରି ବିବାହ କାର୍ଯ୍ୟ ଘରେ ବା ମନ୍ଦିରରେ ନହୋଇ ହୋଟେଲ ଓ ମଣ୍ଡପରେ ବେଶ୍ ଚାକଚକ୍ୟରେ ସମାପନ ହେଉଛି । ଜନ୍ମଦିନରେ ଖିରି, ପିଠା, ପୂଜାପାଠ ପରିବର୍ତ୍ତେ ପାଶ୍ଚାତ୍ୟ ଅନୁସରଣରେ କ୍ୟାଣ୍ଡେଲ୍ ଲିଭାଇ, କେକ୍ କାଟିବାର ପରମ୍ପରା ଦେଖାଦେଉଛି । ସାବୁନ୍, ତେଲ, ଟୁଥ୍ ପେଷ୍ଟ, ଗାଡ଼ି, ମୋବାଇଲ, ଟିଭି, ପାଉଁରୁଟି, ଚା’ଠୁ ଆରମ୍ଭ କରି ସମସ୍ତ ସୌଖିନ ଦ୍ରବ୍ୟର ଆକର୍ଷଣୀୟ ବିଜ୍ଞାପନ ଆମକୁ ଆକୃଷ୍ଟ କରୁଛି । ସମସ୍ତେ ଏବେ ସାମିଲ ହେଉଛନ୍ତି ଏକ କମ୍ପିଟିସନ ବା ତଣ୍ଟିକଟା ପ୍ରତିଯୋଗିତାର ଅଣନିଶ୍ୱାସୀ ଦୌଡ଼ରେ । ସଭିଏଁ ଗୋଟେ ହୋ’ରେ ମାତିଛନ୍ତି । କେଳା, କେଉଟ, କୁମ୍ଭାର, କୃଷକମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ପାଇଁ ଆଉ ଗାଁ ହାଟ ନାହିଁ । ଏବେ ମଲ୍, ସପିଙ୍ଗ କମ୍ପ୍ଲେକ୍ସ, ଦିଗ୍ବଜାର, ଏନ୍ମାର୍ଟ ଆଦି କାୟା ବିସ୍ତାର କରୁଛି । ଗାଁରେ ହାଟ ନାହିଁ କି ନଇଁରେ ଘାଟ ନାହିଁ । ଆଜି ଗାଁ ଗଣ୍ଡାରେ ନାଟକ ପ୍ରାୟ ଅଭିନୀତ ହେଉନାହିଁ । ଲୋକଗୀତ, ସଙ୍ଗୀତ ଉପରେ ପ୍ରାଧାନ୍ୟ ବିସ୍ତାର କରିଛି ଅର୍କେଷ୍ଟ୍ରା ଓ ପପ୍ମୁ୍ୟଜିକ୍ । ପୋଷାକ ପିନ୍ଧିବାର ରୁଚି ବଦଳୁଛି, ତଥ୍ୟ ସଂଗ୍ରହର ମାଧ୍ୟମ ବଦଳୁଛି, କ୍ରୟ ବିକ୍ରୟର ମାଧ୍ୟମ ପୁଣି ଇଣ୍ଟରନେଟ୍ ସାଜୁଛି, ଏସବୁର ସାମୂହିକ ପରିବେଶ ମଣିଷକୁ ବିସ୍ତୃତି ଆଡ଼କୁ ବା ସଭ୍ୟ ମଣିଷ ଭାବରେ ପରିଚୟ ପ୍ରଦାନ କରୁଥିଲେ ହେଁ ବ୍ୟକ୍ତିଗତ ସ୍ତରରେ ବ୍ୟକ୍ତି ନିଜେ ସୀମିତ ହୋଇଯାଇଛି । ସାମାଜିକ ଗଣମାଧ୍ୟମ (social media ) ରେ ନିଜକୁ ସାମିଲ କରୁଥିଲେ ମଧ୍ୟ ବ୍ୟକ୍ତି ନିଃସଙ୍ଗ ହୋଇପଡୁଛି । ପୂର୍ବଭଳି ମଣିଷ ମଣିଷ ମଧ୍ୟରେ ଅନ୍ତଃସମ୍ପର୍କ ବଜାୟ ରହୁନାହିଁ । ବ୍ୟକ୍ତି କେବଳ ଅର୍ଥ ସର୍ବସ୍ୱ ଜୀବନକୁ ଆପଣେଇ ନେଇଛି । ଫଳରେ ପାରମ୍ପରିକ ମୂଲ୍ୟବୋଧର ହ୍ରାସ ଘଟୁଛି । ଜଗତୀକରଣର ଆଗମନ ସହଜ, ସରଳ ଜୀବନଯାପନକୁ କରୁଛି ଅସହଜ ଓ ଜଟିଳ । ଆମେ ବଞ୍ଚୁଥିବା ବର୍ତ୍ତମାନର ପ୍ରକୃତ ଜୀବନ ଆମଠାରୁ ଦୂରେଇ ଯାଇ ତାହା କେବଳ ବଞ୍ଚିବାରେ ପରିଣତ ହୋଇଛି ।

ଜଗତୀକରଣ ବା ବିଶ୍ୱାୟନ ଦ୍ୱାରା ବିଶ୍ୱ ଏକ ବିଶ୍ୱଗ୍ରାମରେ ରୂପାନ୍ତରିତ ହୋଇଛି ସତ; ମାତ୍ର ମଣିଷ ମଣିଷ ମଧ୍ୟରେ ଥିବା ସୁସମ୍ପର୍କ ଧୀରେ ଧୀରେ ହ୍ରାସ ଘଟିଚାଲିଛି । ମାନବିକତା, ସଦ୍ଭାବ ଓ ସଂପ୍ରୀତି ମଣିଷ ମନରୁ କ୍ରମଶଃ ଅପସରି ଯାଉଛି । ମାନବିକତା ହ୍ରାସ ପାଇବା ସହ ମଣିଷ ନିର୍ଜୀବ ପଦାର୍ଥ ଓ ବସ୍ତୁ ସହ ନିଜର ବହୁମୂଲ୍ୟ ସମୟକୁ ଅପଚୟ କରୁଛି । ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ଦ୍ୱାରା ମଣିଷର ସୌହାର୍ଦ୍ଦ୍ୟ ଓ ସଂପ୍ରୀତିପୂର୍ଣ୍ଣ ବାତାବରଣ ଓ ପାରିବାରିକ ଜୀବନ ଏକ କୃତ୍ରିମତା ଆଡ଼କୁ ଅଗ୍ରସର ହେବାରେ ଲାଗିଛି ଫଳତଃ ମଣିଷର ବ୍ୟକ୍ତି ସ୍ୱାତନ୍ତ୍ର୍ୟ ଧୀରେ ଧୀରେ ବାଧାପ୍ରାପ୍ତ ହେଉଅଛି । ତେଣୁ ଆଜି ବିଶ୍ୱ ବଜାରରେ ମଣିଷ ତା’ନିଜକୁ ଖୋଜୁଛି, ଖୋଜୁଛି ମଧ୍ୟ ତା’ର ସାଂସ୍କୃତିକ ଓ ଆତ୍ମିକ ପରିଚୟ । କାରଣ ସେ ସଂସ୍କୃତିକୁ ଭୁଲିଯାଇଥିବାରୁ ସମ୍ଭବତଃ ନିଜର ପରିଚୟକୁ ମଧ୍ୟ ହରାଇବସିଛି । ଆଧୁନିକତାର ଆଳରେ ପାଶ୍ଚାତ୍ୟ ସଂସ୍କୃତିକୁ ଆପଣେଇ ନିଜ ସଂସ୍କୃତିର ମହାନ ଆଦର୍ଶକୁ ଭୁଲିଯାଇ ମଣିଷ ଆଜି ବିପଥଗାମୀ । ବର୍ତ୍ତମାନ ସମାଜରେ ଦେଖାଦେଉଥିବା ବିଭିନ୍ନ ପ୍ରକାର ଦୁର୍ନୀତି ଯଥା – ମାନବିକତାର ଅବକ୍ଷୟ, ଯୌଥ ପରିବାର ଭଗ୍ନରୂପ, ଆତ୍ମକୈନ୍ଦି୍ରକ ଚିନ୍ତାଧାରା, ନାରୀ ଶୋଷଣ, ହତ୍ୟା, ଲୁଣ୍ଠନ, ପରିବେଶ କ୍ଷୟ, କଳୁଷିତ ଗଣତନ୍ତ୍ର ବ୍ୟବସ୍ଥା, ସହରମୁଖି ଗ୍ରାମ୍ୟ ଜୀବନ ଆଦି ଘଟଣାବଳୀ ଯାହାଦ୍ୱାରା ସମାଜ ପ୍ରଭାବିତ ହୋଇ ଧ୍ୱଂସାଭିମୁଖୀ ହେଉଛି । ଏକାନ୍ନବର୍ତ୍ତୀ ପରିବାର ଆଉ ଦେଖିବାକୁ ମିଳୁନାହିଁ । କାରଣ ଆତ୍ମକୈନ୍ଦ୍ରିକ ଚିନ୍ତାଧାରା ଏହାକୁ ନଷ୍ଟ କରିଚାଲିଛି । ଧର୍ମ ନାମରେ ଭଣ୍ଡବାବାମାନଙ୍କର ସାଧାରଣ ଲୋକଙ୍କୁ ଠକିବାର ଦୃଶ୍ୟ ଆଦି ବିଭିନ୍ନ କାରଣ ଦ୍ୱାରା ଆମ ସଂସ୍କୃତି ଆଜି ଅବକ୍ଷୟ ମୁଖି ହୋଇପଡିଛି । ଓଡ଼ିଆ କ୍ଷୁଦ୍ରଗଳ୍ପ ମାଧ୍ୟମରେ ଆମର ବହୁ ସାଂସ୍କୃତିକ ଅପଚୟର ଚିତ୍ର ଦେଖିବାକୁ ମିଳୁଛି । ବିଶେଷତଃ ଯୌତୁକ ଜନିତ ସମସ୍ୟା, ଉତ୍କଟ ବେକାରୀ ସମସ୍ୟା, ଯୁବଗୋଷ୍ଠୀର ମନ୍ଦ ଆଚରଣ, ମଣିଷ ପଣିଆର ମୃତ୍ୟୁ, ବ୍ୟଭିଚାର ଆତଙ୍କ ଆଦି ଆଜିର ସାମାଜିକ ସଙ୍କଟ ହୋଇ ଦେଖାଦେଇଛି ।

ଗାଳ୍ପିକ ଶାନ୍ତନୁକୁମାର ଆଚାର୍ଯ୍ୟଙ୍କ ‘ସମ୍ବାଦକଙ୍କୁ ପତ୍ର’ ଗଳ୍ପରେ ଜଗତୀକରଣର ଆଗମନ ଫଳରେ ଆମ ସଂସ୍କୃତି କିପରି ଅପସଂସ୍କୃତିରେ ପରିଣତ ହେବାକୁ ବସିଛି ତା’ର ଚିତ୍ର ଦେଖିବାକୁ ମିଳେ । ଜଗତୀକରଣ ଫଳରେ ଦେଶ ଦେଶ ମଧ୍ୟରେ ବାଣିଜ୍ୟିକ କାରବାର ସହିତ ସାଂସ୍କୃତିକ ବିନିମୟ ମଧ୍ୟ ସମ୍ଭବ ହେଉଛି । ଗୋଟିଏ ଦେଶର ଲୋକମାନେ ଅନ୍ୟ ଦେଶର ସଂସ୍କୃତି ଦ୍ୱାରା ପ୍ରଭାବିତ ହେଉଛନ୍ତି । ଆଧୁନିକତା ନାଁରେ ଭାରତୀୟମାନେ ଯେଉଁ ବିଶ୍ୱ ସଂସ୍କୃତିକୁ ଆପଣେଇଲେ ତାହା ଭାରତୀୟ ସମାଜର ମୂଳ ଆଦର୍ଶ ଓ ଅସ୍ତିତ୍ୱକୁ ଗଭୀର ଭାବରେ ପ୍ରଭାବିତ କରିବା ସହିତ ଆମର ମହନୀୟ ସଂସ୍କୃତିର ଅଧୋଗତି ନିମନ୍ତେ ପଥ ପ୍ରସ୍ତୁତ କରିବାକୁ ଲାଗିଛି । ଗାଳ୍ପିକ ଆଚାର୍ଯ୍ୟ ଗଳ୍ପରେ ଯେଉଁ ଅପସଂସ୍କୃତିର ପ୍ରସଙ୍ଗ ଉତ୍ଥାପନ କରିଛନ୍ତି ତାହା ଭାରତୀୟ ସଂସ୍କୃତି ପ୍ରେକ୍ଷାପଟ୍ଟରେ ଅଶୋଭନୀୟ । ଯାହା ଗଳ୍ପରେ ସମ୍ପାଦକ ହିରଣ୍ୟଗର୍ଭଙ୍କ ଉକ୍ତି ମଧ୍ୟ ଦେଇ ପ୍ରକାଶ ପାଇଛି, ଯଥା – “ବୃଷକେତୁ ! ପୃଥିବୀରୁ ମାନବ ସଭ୍ୟତା ଲୋପ ପାଇବା ବେଳ କ’ଣ ଆସିଗଲା କି? ମୋର ଆଦୌ ଧାରଣା ନଥିଲା ଆମେ ଆଧୁନିକତା ନାଁରେ ଯୋଉ ବିଶ୍ୱ ସଂସ୍କୃତିକୁ ଆଲିଙ୍ଗନ କରିବାକୁ ବାହୁ ପ୍ରସାର କରୁଛେ ତାହା ଆଧୁନିକ ନୁହେଁ । ତାହା ବିଶ୍ୱ ସଂସ୍କୃତି ନୁହେଁ ବିଷ ସଂସ୍କୃତି ।” (୧) ତେଣୁ ସାମ୍ପ୍ରତିକ ମଣିଷ ପାଶ୍ଚାତ୍ୟ ସଂସ୍କୃତି ଦ୍ୱାରା ଅନୁପ୍ରାଣୀତ ହୋଇ ଅନ୍ୟମାନଙ୍କ ବିଷୟରେ ଚିନ୍ତା ନକରି କେବଳ ନିଜ ବିଷୟରେ ଚିନ୍ତା କରୁଛି । ସେଥିପାଇଁ ଭଲମନ୍ଦର ବିଚାର କ୍ଷେତ୍ରରେ ତା’ର କୌଣସି ସ୍ଥିରତା ରହୁନାହିଁ । ନିଜପ୍ରତି ସେ ଯେତିକି ବଶମ୍ବଦ ହୋଇଛି ତା’ଜୀବନରେ ଘଟୁଥିବା ବହୁ ବିଚିତ୍ର ଘଟଣା ତା’ପାଇଁ ସେତିକି ଜଟିଳ ମନେ ହୋଇଛି । ଏଣୁ ଜୀବନର ଅଙ୍କାବଙ୍କା ରାସ୍ତାରେ ସେ ପ୍ରକୃତରେ ତା’ର ଏକ ନିର୍ଦ୍ଦିଷ୍ଟ ସଫଳ ମୁହୂର୍ତ୍ତଗୁଡ଼ିକୁ ଖୋଜି ପାଉନାହିଁ । ନୂଆ ନୂଆ ଅନୁଭୂତି ତାକୁ ଯେତେ ତତ୍ପର କରୁଛି, ସେତେ ସେ ସେଥିରେ ସନ୍ଦିହୀନ ହୋଇପଡୁଛି । ଆଧୁନିକତା ନାଁରେ ପାଶ୍ଚାତ୍ୟ ସଂସ୍କୃତିକୁ ଗ୍ରହଣ କରି ଯେଉଁ ଅବକ୍ଷୟକୁ ପାଖକୁ ଡାକିଛି ତାକୁ ଲୁଚେଇବାକୁ ଛଳନା କରୁଛି । ଜଗତୀକରଣର ପ୍ରଭାବରେ ମଣିଷର ଜୀବନ କିଭଳି ପ୍ରଭାବିତ ହେଉଛି ତାହା ଲକ୍ଷ୍ୟ କରାଯାଇପାରେ ଗାଳ୍ପିକ ପ୍ରଦୋଷ ମିଶ୍ରଙ୍କ ‘ପଡ଼ୋଶୀ’ ଗଳ୍ପରେ । ସହରରେ ରହି ଚାକିରି କରିଥିବା ଦେବେନ୍ଦ୍ର ବାବୁ ସ୍ତ୍ରୀ ପିଲାଛୁଆଙ୍କ ସହ ବେଶ୍ ସାଧାସିଧା ଜୀବନଯାପନ କରୁଥିଲେ । ମାତ୍ର ହଠାତ୍ ପାଖ ଘରେ ନୂଆ ଭାବରେ ଆସିଥିବା ଅତ୍ୟାଧୁନିକା ପଡ଼ୋଶୀଙ୍କୁ ଦେଖି ଦେବେନ୍ଦ୍ର ବାବୁଙ୍କ ସ୍ତ୍ରୀ ଓ ପିଲାଛୁଆମାନେ ନିଜକୁ ଛୋଟ ମନେ କରିଛନ୍ତି । ତେଣୁ ସେମାନଙ୍କ ସରଳ ଜୀବନ ଶୈଳୀରେ ଆସିଛି ବିରାଟ ପରିବର୍ତ୍ତନ । ଯାହା ଗଳ୍ପରେ ଏହିପରି – “ସବୁକିଛି ବଦଳିଗଲା ଦେବେନ୍ଦ୍ରଙ୍କ ପରିବାରରେ । ବେଶ୍ କିଛି କରଜ ଭିତରେ ଗାଡ଼ି, ପୋଷାକ, ପରଦା, ଏପରିକି ବଗିଚା ପାଇଁ ଫୁଲକୁଣ୍ଡ ଆଦି କିଣାଗଲା । ପୁରୁଣା ସାଧାସିଧା ପୋଷାକ ପିନ୍ଧିବା ମନା ହେଲା । ଏପରିକି ରିତୁ ଏବଂ ଶିବୁର ଅଭ୍ୟସ୍ତ ବୋଉ ଡାକକୁ ବି ପସନ୍ଦ କଲେନି ସୁପ୍ରିୟା । ଏକ ନକଲି ଚଳଣି ଭିତରେ ସେମାନେ ଅଭ୍ୟସ୍ତ ହେବାକୁ ବୃଥା ଚେଷ୍ଟା କରୁଥିଲେ । ସବୁକିଛି ପରିବର୍ତ୍ତନ ସତ୍ତ୍ୱେ ସମସ୍ତେ ଉପଲବ୍ଧା କରୁଥିଲେ ଯେ, ସେମାନେ ଏକ ଅଭାବଗ୍ରସ୍ତ ଦୁନିଆଁ ଭିତରକୁ ଚାଲିଯାଉଛନ୍ତି । କରଜ ବଢ଼ିଯାଇଛି । ମାସକର ଖର୍ଚ୍ଚ ଦରମା ଅପେକ୍ଷା ଅଧିକ ହୋଇଯାଇଛି । ତେବେବି ସେମାନେ ପଡ଼ୋଶୀ ମାନଙ୍କଠାରୁ ବେଶି ସ୍ମାର୍ଟ ମନେ ହେଉନାହାନ୍ତି । ଆହୁରି ଅଧିକ କିଛି ଦରକାର ପଡୁଛି ।”(୨) ଆଧୁନିକ ଆଳରେ ପାଶ୍ଚାତ୍ୟ ସଂସ୍କୃତିକୁ ଆପଣେଇ ମଣିଷର ଯେଉଁ ଚରମ ପରାଜୟ ହେଉଛି ତାହା ଗାଳ୍ପିକ ଏଠାରେ ସୂଚାଇଛନ୍ତି ।

ଜଗତୀକରଣ ପୃଷ୍ଠଭୂମିରେ ସାରା ବିଶ୍ୱ ଏକ ବିଶ୍ୱଗ୍ରାମରେ ରୂପାନ୍ତରିତ ହୋଇଛି । କିନ୍ତୁ ମଣିଷ ମଣିଷ ମଧ୍ୟରେ ଥିବା ସୁସମ୍ପର୍କ କ୍ରମଶଃ ଶିଥିଳ ହୋଇପଡୁଛି । ଏହି ମାନସିକତାକୁ ନେଇ ଗାଳ୍ପିକ ସାତକଡ଼ି ହୋତାଙ୍କ ‘ତୀର୍ଥଯାତ୍ରା’ ସଂକଳନସ୍ଥ ‘ଶେଷ ଅଭିନନ୍ଦନ’ ଗଳ୍ପଟି ରଚିତ । ବିଶ୍ୱ ସମାଜ ଜୀବନରେ ମଣିଷର ମଣିଷ ପ୍ରତି ଥିବା ସହୃଦୟତା ଓ ଭଲ ପାଇବା କିପରି କମି କମି ଯାଉଛି ତାହା ଏଠାରେ ଦର୍ଶାଯାଇଛି । ଭାରତ ହେଉ ବା ଆମେରିକା ଏବେ ପ୍ରତ୍ୟେକ ସ୍ଥାନରେ ବୃଦ୍ଧ ଓ ବୃଦ୍ଧାମାନେ ସେମାନଙ୍କ ସନ୍ତାନମାନଙ୍କ ଦ୍ୱାରା ଉପେକ୍ଷା ଓ ଅନାଦାରରେ ଶିକାର ହେଉଛନ୍ତି । ଗଳ୍ପରେ ମିଷ୍ଟର ରାଇଟ ମ୍ୟାନ ସେଥିପାଇଁ ଅଭିଷେକଙ୍କୁ କହିଛନ୍ତି, ଯଥା – “ଏଇ ସଂସାର ବଡ଼ ବିଚିତ୍ର ଅଭିଷେକ । ସମସ୍ତେ ସମସ୍ତଙ୍କର, ପୁଣି କେହି କାହାର ନୁହନ୍ତି । ନିଜ ନିଜ କଥା ବଳେଇ ପଡୁଛି ମଣିଷକୁ । ସେ ଅନ୍ୟର କଥା ଭାବିବା ପାଇଁ ସମୟ ଦେଇପାରୁନାହିଁ । ଅଥଚ କୁହାଯାଇଛି ଯେ We are moving toward a global village. କିନ୍ତୁ ନା, ଆମେ ପରସ୍ପରର ନିକଟବର୍ତ୍ତୀ ହେବା ଅପେକ୍ଷା ଆମ ମଧ୍ୟରେ ମନର ଦୂରତ୍ୱ ବଢ଼ିଯାଇଛି । ମଣିଷ ଓ ମଣିଷ ମଧ୍ୟରେ ସମ୍ପର୍କ ହୁଗୁଳା ହୋଇଯାଉଛି ।”(୩) ବାସ୍ତବରେ ଜଗତୀକରଣ ବଜାରରେ ବିଶ୍ୱ ସମାଜ ଜୀବନରେ ଆସିଥିବା ଏଭଳି ମାନବୀୟ ସଙ୍କଟ ଅତ୍ୟନ୍ତ ବ୍ୟଥାଦାୟକ ।

ଶେଷରେ ଏହି ନିର୍ଯ୍ୟାସରେ ପହଞ୍ଚିବାକୁ ହୁଏ ଯେ, ଜଗତୀକରଣର ଆଗମନ ଫଳରେ ସମାଜରେ ପ୍ରଭୂତ ଉନ୍ନତି ସାଂସାଧିତ ହେଉଥିଲେ ମଧ୍ୟ ଏହାର ପ୍ରଭାବରେ ଆମ ଭାରତୀୟ ସଂସ୍କୃତି ପରିବର୍ତ୍ତିତ ହେବାକୁ ବସିଛି । ଫଳତଃ ନୈତିକତା ପରିବର୍ତ୍ତେ ଅନୈତିକ କାର୍ଯ୍ୟ ସମାଜ ଜୀବନରେ ବେଶି ମାତ୍ରାରେ ଦେଖିବାକୁ ମିଳୁଛି । ବସ୍ତୁବାଦୀ ସଭ୍ୟତାରେ କିପରି ମଣିଷ ଭିତରେ ଆବେଗର ମୃତ୍ୟୁ ଘଟିଛି, ତାହାକୁ ସାମ୍ପ୍ରତିକ ଗାଳ୍ପିକ ଗଳ୍ପରେ ଦେଖାଇବାକୁ ଚେଷ୍ଟା କରୁଛନ୍ତି । ତେଣୁ ଅର୍ଥନୈତିକ ପରିବର୍ତ୍ତନ ନାମରେ ଆମେ ଆମର ମୂଳ ସଂସ୍କୃତିକୁ ଭୁଲି ଅପସଂସ୍କୃତିକୁ ଆପଣାଇଥିବାରୁ ନୈତିକ ମୂଲ୍ୟବୋଧର ଅଧଃଗତି ଯେ ଘଟୁଅଛି ଏଥିରେ ସନ୍ଦେହ ନାହିଁ ।

ପୃଷ୍ଠଟୀକା:

୧. କଳାପର୍ଦ୍ଦାର ଆରପଟେ, ଆଚାର୍ଯ୍ୟ ଶାନ୍ତନୁକୁମାର, ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, ବିନୋଦବିହାରୀ କଟକ, ୨୦୧୩, ପୃ-୪୫

୨. ପଡ଼ୋଶୀ, ମିଶ୍ର, ପ୍ରଦୋଷ; ଓଡ଼ିଆ ଗଳ୍ପ ସମ୍ଭାର, ସମ୍ପାଦନା: ଯତୀନ୍ଦ୍ର ମୋହନ ମହାନ୍ତି, ପ୍ରକାଶକ-ବିଦ୍ୟା ୧୫୭୩, ମଧୁବନ ସାରଣୀ, ୨୦୦୬, ପୃ-୬୪୧

୩. ତୀର୍ଥଯାତ୍ରା, ହୋତା ସାତକଡି, ୨୦୦୪, ପୃ-୧୫୩-୧୫୪

Comments

0 comments

Share This Article