୧୯୯୬ ମସିହା ଏପ୍ରିଲ ପହିଲା ଦିନ ବିକଳ୍ପ ସନ୍ଧାନୀ ମଞ୍ଚ ତରଫରୁ ଯେଉଁ ଆଲୋଚନା ସଭା ହୋଇଥିଲା, ତା’ର ଶିରୋନାମା ଥିଲା ‘ସ୍ୱାଧୀନୋତ୍ତର ଓଡ଼ିଶାରେ ଜନଆନ୍ଦୋଳନ’ । ଏହି ଆଲୋଚନାସଭାରେ ଯେଉଁମାନେ ନିଜର ବକ୍ତବ୍ୟ ରଖିଥିଲେ ସେମାନେ ସମସ୍ତେ ଥିଲେ ଆଲୋଚିତ ତିନୋଟି ମୁଖ୍ୟ ଆନ୍ଦୋଳନ ଯଥା- କ୍ଷେପଣାସ୍ତ୍ର ଘାଟିବିରୋଧୀ ଆନ୍ଦୋଳନ, ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ଓ ଚିଲିକା ବଞ୍ଚାଅ ଆନ୍ଦୋଳନରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିଥିବା ଅଥଚ ଗଣମାଧ୍ୟମରେ ପ୍ରାୟ ପ୍ରଚାରିତ ହୋଇ ନଥିବା ବ୍ୟକ୍ତିବିଶେଷ । ଯେଉଁମାନେ ଏହି ଆନ୍ଦୋଳନ ପ୍ରସଙ୍ଗରେ ବିଶେଷ ପ୍ରଚାରିତ ହୋଇଥିଲେ, ସେମାନଙ୍କୁ ସଚେତନ ଭାବରେ ଏହି ଆଲୋଚନାସଭାରୁ ବାଦ୍ ଦିଆଯାଇଥିଲା । କାହିଁକି ଏପରି ନିଷ୍ପତ୍ତି ନିଆଯାଇଥିଲା, ତାହାର କିଞ୍ଚିତ୍ ଆଭାସ ‘ଓଡ଼ିଆ ଓ ଓଡ଼ିଶା-୯୬’ ସଂକଳନର ପ୍ରାକ୍କଥାରେ ଦିଆଯାଇଛି । କିନ୍ତୁ ଏହି ନିଷ୍ପତ୍ତି ଫଳରେ ସେ ପର୍ଯ୍ୟନ୍ତ ଆନ୍ଦୋଳନଗୁଡ଼ିକ ସମ୍ପର୍କରେ ବହୁ ଅନାଲୋଚିତ, ଅନାବିଷ୍କୃତ ଦିଗଗୁଡ଼ିକ ନିର୍ବିଘ୍ନ ବାହାରକୁ ଆସିପାରିଲା । ଯାହାଫଳରେ ଆନ୍ଦୋଳନର ଆଭ୍ୟନ୍ତରୀଣ ପ୍ରକ୍ରିୟାର ପ୍ରକୃତସ୍ୱରୂପ ଜାଣିବା ସମ୍ଭବହେଲା ଓ ବହୁ ଉପାଦେୟ ନିଷ୍କର୍ଷରେ ଉପନୀତ ହେବା ସମ୍ଭବ ହେଲା ।
ଏଗୁଡ଼ିକୁ ନେଇ ପରବର୍ତ୍ତୀ କାଳରେ ଅବଶ୍ୟ ବିତର୍କ ହୋଇଛି । ପ୍ରକଟିତ ମତ ମନ୍ତବ୍ୟ ଦ୍ୱାରା ପ୍ରଭାବିତ କେତେଜଣ ସେମାନଙ୍କର ପ୍ରତିକ୍ରିୟା ଜଣାଇଛନ୍ତି ଓ ଏହାକୁ ସମ୍ପାଦକୀୟ ମନ୍ତବ୍ୟ ସହ ଓଡ଼ିଆ ଓ ଓଡ଼ିଶା ସମୀକ୍ଷା, ୯୭ ସଂକଳନରେ ପ୍ରକାଶିତ ମଧ୍ୟ କରାଯାଇଛି । ଏସବୁ ସତ୍ତ୍ୱେ ସମୀକ୍ଷା-୯୬ ସଂକଳନର ଉପାଦେୟତା ଯେ ଅନେକେ ଉପଲବ୍ଧ କରିଛନ୍ତି, ତାହା ହିଁ ଆମ ପାଇଁ ସନ୍ତୋଷର ବିଷୟ ।
କିନ୍ତୁ ସମୀକ୍ଷା-୯୬ ସଂକଳନର ଗୋଟିଏ ଦୁର୍ବଳ ଦିଗ ପ୍ରତି ଆମେ ସଚେତନ ଥିଲୁ । ତାହା ହେଉଛି ଯେ ଯଦିଓ ବିକଳ୍ପ ସନ୍ଧାନୀ ମଞ୍ଚ ତରଫରୁ ଆଲୋଚକମାନଙ୍କୁ ଦିଆଯାଇଥିବା ପ୍ରଶ୍ନାବଳୀରେ ମହିଳାମାନଙ୍କର ଜନଆନ୍ଦୋଳନରେ ଭୂମିକା ସମ୍ପର୍କରେ ପ୍ରଶ୍ନ ଅନ୍ତର୍ଭୁକ୍ତ କରାଯାଇଥିଲା, କିନ୍ତୁ ଏହାର ଆଶାନୁରୂପ ଆଲୋଚନା ହୋଇପାରି ନଥିଲା । ସମୀକ୍ଷା-୯୬ ସଂକଳନଟି ପ୍ରକାଶିତ ହେଲାପରେ ଜନଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିବା କେତେକ ମହିଳା କର୍ମୀ ଏହି ଦିଗଟି ପ୍ରତି ଦୃଷ୍ଟି ଆକର୍ଷଣ କରି ଆମକୁ ଆହୁରି ଅଧିକ ସଚେତନ କରାଇଦେଲେ । ପୁନଶ୍ଚ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ସୁଦକ୍ଷ ସଂଗଠକ ଶ୍ରୀ ପ୍ରସନ୍ନ କୁମାର ସାହୁ ଯେତେବେଳେ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନକୁ ମହିଳାଙ୍କର ଆନ୍ଦୋଳନ ବୋଲି ଅଭିହିତ କଲେ ସେତେବେଳେ ସମୀକ୍ଷା–୯୬ ସଂକଳନର ଦୁର୍ବଳତା ଆହୁରି ଅଧିକ ଦିଶିଲା । ଏହାର ଦୂରୀକରଣ ଅପରିହାର୍ଯ୍ୟ ବୋଲି ବୋଧ ହେଲା । ବିଶେଷତଃ ବିକଳ୍ପ ସନ୍ଧାନୀମଞ୍ଚର ମୂଳ ଲକ୍ଷ୍ୟ ଯେତେବେଳେ ଅପ୍ରଚାରିତମାନଙ୍କୁ ଲୋକସମ୍ମୁଖକୁ ଆଣିବା ଓ ସେମାନଙ୍କର ବକ୍ତବ୍ୟ ସହିତ ବୃହତ୍ତର ଜନସମୁଦାୟକୁ ପରିଚିତ କରାଇବା, ସେତେବେଳେ ମହିଳାମାନଙ୍କର ଅଂଶଗ୍ରହଣକୁ ସଠିକ୍ ଭାବେ ଅଧ୍ୟୟନ କରିବା ଓ ପ୍ରଚାରିତ କରିବା ବିକଳ୍ପ ସନ୍ଧାନୀ ମଞ୍ଚର ନୈତିକ କର୍ତ୍ତବ୍ୟ ବୋଲି ଅନୁଭୂତ ହେଲା ।
ଏହି କର୍ତ୍ତବ୍ୟ ପାଳନର ତାଡ଼ନାରେ ବିଭିନ୍ନ ଜନଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିବା ମହିଳାମାନଙ୍କୁ ଏପ୍ରିଲ ପହିଲା ୧୯୯୮ ଦିନ ଗୋଟିଏ ମଞ୍ଚ ଉପରକୁ ନିମନ୍ତ୍ରଣ କରାଯାଇଥିଲା ଓ ସ୍ୱାଧୀନୋତ୍ତର ‘ଓଡ଼ିଶାରେ ଜନଆନ୍ଦୋଳନ ଓ ମହିଳାଙ୍କ ଅଂଶଗ୍ରହଣ’ ଶିରୋନାମାରେ ଆଲୋଚନା ହେବ ବୋଲି ସ୍ଥିର ହୋଇଥିଲା । ଲକ୍ଷ୍ୟ ଥିଲା ମହିଳାଙ୍କ ମୁହଁରୁ ମହିଳାଙ୍କ ଭୂମିକା ବିଷୟରେ ଶୁଣିବାର ଅବସର ସୃଷ୍ଟି କରିବା ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ସଂଗ୍ରାମୀ ମହିଳାମାନଙ୍କ ଭିତରେ ସଂଯୋଜନାର ଏକ ସମ୍ଭାବନା ସୃଷ୍ଟି କରିବା ।
ଏହା ବିକଳ୍ପ ସନ୍ଧାନୀ ମଞ୍ଚପାଇଁ ଥିଲା ଏକ ସୌଭାଗ୍ୟ ଯେ ବାଲିଆପାଳ, ଗନ୍ଧମାର୍ଦ୍ଦନ, ଚିଲିକା, କାଶୀପୁରରୁ ସେଠାରେ ଚାଲିଥିବା ଆନ୍ଦୋଳନମାନଙ୍କରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହିଳାମାନେ ଏହି ଆଲୋଚନା ସଭାରେ ଉପସ୍ଥିତ ରହି ସେମାନଙ୍କର ବକ୍ତବ୍ୟ ରଖୁଥିଲେ । ବାଲିଆପାଳ କ୍ଷେପଣାସ୍ତ୍ର ଘାଟୀବିରୋଧୀ ଆନ୍ଦୋଳନରେ ରମା ଚୌଧୁରୀ ନାମରେ ପରିଚିତା ଭବାନୀ ଭୂୟାଁ, ସାରଦା ଗିରି, ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ପ୍ରବାଦ ମହିଳା ଜାମ୍ବବତୀ ବିଜିରା, ଗୌରୀ ସାହୁ, ଚିଲିକା ବଞ୍ଚାଅ ଆନ୍ଦୋଳନର ମିଛି ବେହେରା, ସୁଶୀଳା ବେହେରା ଓ କାଶୀପୁର ଆନ୍ଦୋଳନର ଲଛମା ମାଝିଙ୍କର ଅଭିଜ୍ଞତାର ସ୍ୱାଭାବିକ ପରିବେଷଣ ଥିଲା ହୃଦୟସ୍ପର୍ଶୀ ଓ ଚକ୍ଷୁ ଉନ୍ମେଷକାରୀ । ସେମାନଙ୍କର ବକ୍ତବ୍ୟଗୁଡ଼ିକୁ ଏହି ସଂକଳନରେ ଯଥାସମ୍ଭବ ସେମାନଙ୍କ ଭାଷାରେ ହିଁ ସ୍ଥାନିତ କରାଯାଇଛି ।
ଅବଶ୍ୟ ବିକଳ୍ପ ସନ୍ଧାନୀ ମଞ୍ଚ ତରଫରୁ ପ୍ରଶ୍ନାବଳୀଟିଏ ପ୍ରସ୍ତୁତ କରାଯାଇ କେତେକ ମହିଳା କର୍ମୀଙ୍କୁ ପୂର୍ବରୁ ଦିଆଯାଇଥିଲା, ସେମାନଙ୍କ ବକ୍ତବ୍ୟରେ କରାଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଉପସ୍ଥାପିତ କରିବା ପାଇଁ । ପ୍ରଶ୍ନଗୁଡ଼ିକ ଥିଲା ଏହିପରି :
୧. କାହିଁକି ଆନ୍ଦୋଳନ ହେଉଥିଲା?
୨. କାହା ବିରୁଦ୍ଧରେ ଆନ୍ଦୋଳନ ହେଉଥିଲା?
୩. ଆନ୍ଦୋଳନରେ କେଉଁମାନେ ସକ୍ରିୟ ଥିଲେ? ସ୍ଥାନୀୟ ଲୋକଙ୍କର ଅଂଶଗ୍ରହଣ ଓ ବାହାରୁ ଆସି ଆନ୍ଦୋଳନକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିମାନଙ୍କ ସମ୍ପର୍କରେ ମନ୍ତବ୍ୟ କ’ଣ? ସ୍ୱେଚ୍ଛାସେବୀ ସଂଗଠନ ଉପରେ ମନ୍ତବ୍ୟ କ’ଣ?
୪. (କ) ମହିଳାମାନେ କାହିଁକି ଆନ୍ଦୋଳନରେ ଅଂଶ ଗ୍ରହଣ କଲେ?
(ଖ) ମହିଳାମାନେ ଆନ୍ଦୋଳନରେ ସ୍ୱତଃପ୍ରବୃତ୍ତ ହୋଇ ଅଂଶଗ୍ରହଣ କରିଥିଲେ କି? ନା ପୁରୁଷମାନଙ୍କ ଦ୍ୱାରା ଆହୂତ ହୋଇ ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ?
(ଗ) ମହିଳାମାନେ ଆନ୍ଦୋଳନରେ ଅଂଶଗ୍ରହଣ ନ କରିଥିଲେ ଆନ୍ଦୋଳନରେ କି ପ୍ରକାର ଅଭାବ ପରିଲକ୍ଷିତ ହୋଇଥାଆନ୍ତା?
(ଘ) ମହିଳାମାନଙ୍କର ଆନ୍ଦୋଳନରେ ଅଂଶଗ୍ରହଣକୁ ଅଞ୍ଚଳ ବାହାରୁ ଆସିଥିବା କୌଣସି ମହିଳା ନେତ୍ରୀ ସଂଗଠିତ କରିବାର ଉଦ୍ୟମ କରିଥିଲେ କି?
(ଙ) ବାହାରୁ ଆସିଥିବା ମହିଳା ସଂଗଠକମାନଙ୍କୁ ସ୍ଥାନୀୟ ଲୋକେ କିପରି ଗ୍ରହଣ କରୁଥିଲେ?
୫. (କ) ମହିଳାମାନଙ୍କର ଅଂଶଗ୍ରହଣକୁ ନେଇ କୌଣସି ବିବାଦ ଉପୁଜୁଥୁଲା କି? ଅର୍ଥାତ୍, ମହିଳାମାନେ ଆନ୍ଦୋଳନରେ ଅଂଶଗ୍ରହଣ କରିବା ଉଚିତ୍ ନୁହେଁ- ଏପରି ପ୍ରତିବାଦ ଉଠିଥିଲା କି?
(ଖ) ମହିଳାମାନେ ଆନ୍ଦୋଳନରେ ଅଂଶଗ୍ରହଣ କରିବା ଫଳରେ ସେମାନଙ୍କ ପରିବାରରେ କୌଣସି ପ୍ରକାର ଅଶାନ୍ତି ଦେଖାଯାଇଥିଲା କି? ଯେପରି ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ତିକ୍ତତା, ଶାଶୁ-ଶ୍ୱଶୁରଙ୍କ ସହ ତିକ୍ତତା, ବାପା- ମା’ଙ୍କ ସହ ତିକ୍ତତା ଇତ୍ୟାଦି?
୬. (କ) ଆନ୍ଦୋଳନରେ ଅଂଶଗ୍ରହଣ ପୂର୍ବରୁ ଅଞ୍ଚଳର ମହିଳାମାନେ କୌଣସି ବୈଠକରେ ଯୋଗ ଦେଇ ଅଂଶଗ୍ରହଣ ପାଇଁ ନିଷ୍ପତ୍ତି ନେଇଥିଲେ କି?
(ଖ) ଏହି ବୈଠକ କିଏ ଡାକିଥିଲା? ଆନ୍ଦୋଳନରେ ପୁରୁଷ ନେତୃତ୍ୱ? ନା ଅଞ୍ଚଳର କୌଣସି ମହିଳା ନେତ୍ରୀ? ନା ଅଞ୍ଚଳ ବାହାରୁ ଆସିଥିବା କୌଣସି ମହିଳା ନେତ୍ରୀ?
(ଗ) ଏହି ବୈଠକରେ ମହିଳାମାନଙ୍କର ଅଂଶଗ୍ରହଣର କୌଣସି ରଣନୀତି ସ୍ଥିର ହୋଇଥୁଲା କି?
(ଘ) ଆନ୍ଦୋଳନ ବ୍ୟତୀତ ମହିଳାମାନଙ୍କର ଅନ୍ୟକୌଣସି ସମସ୍ୟାର ଆଲୋଚନା ହେଉଥିଲା କି?
୭. (କ) ଆନ୍ଦୋଳନର ନେତୃତ୍ୱ ପୁରୁଷପ୍ରଧାନ ଥିଲା କି?
(ଖ) ଆନ୍ଦୋଳନରେ ମହିଳାମାନେ ପୁରୁଷମାନଙ୍କର ପରିପୂରକ ଭୂମିକା ନିର୍ବାହ କରୁଥିଲେ କି?
(ଗ) ଆନ୍ଦୋଳନରେ ସକ୍ରିୟ ଥିବା ପୁରୁଷମାନେ ମହିଳାମାନଙ୍କୁ କେଉଁ ଦୃଷ୍ଟିରେ ଦେଖୁଥିଲେ? ଅର୍ଥାତ୍, ମହିଳାମାନଙ୍କୁ ଏକ ଢାଲଭାବରେ ବ୍ୟବହାର କରୁଥିଲେ କି?
(ଘ) ପୁରୁଷମାନେ ଆନ୍ଦୋଳନରେ ଅଂଶଗ୍ରହଣ ନ କରିଥିଲେ କେବଳ ମହିଳାମାନେ ଏକ ସଫଳ ଆନ୍ଦୋଳନ କରିପାରିଥାଆନ୍ତେ କି?
୮. (କ) ଆନ୍ଦୋଳନର ନେତୃତ୍ୱରେ ମହିଳା ପ୍ରତିନିଧିତ୍ୱ କରାଯିବା ପାଇଁ କୌଣସି ପ୍ରସ୍ତାବ ଆଲୋଚନା ହୋଇଥିଲା କି? ଯଦି ହୋଇଥିଲା ତା’ର ନିର୍ଯ୍ୟାସ କ’ଣ ଥିଲା?
(ଖ) ଆନ୍ଦୋଳନକୁ ପରିଚାଳିତ କରୁଥିବା ସର୍ବୋଚ୍ଚ କମିଟିରେ ପ୍ରତିନିଧି ପାଇଁ ମହିଳାମାନଙ୍କ ତରଫରୁ କୌଣସି ଦାବି ହୋଇଥିଲା କି?
(ଗ) ଆନ୍ଦୋଳନ ନେତୃତ୍ୱରେ ମହିଳା ପ୍ରତିନିଧିତ୍ୱ ଦିଗରେ କୌଣସି ବାଧା ସୃଷ୍ଟି ହୋଇଥଲା କି?
(ଘ) ଆନ୍ଦୋଳନରେ ନେତୃତ୍ୱ ସହ ମହିଳାମାନଙ୍କର କୌଣସି ଦ୍ୱନ୍ଦ୍ୱ ଉପୁଜିଥିଲା କି ?
୯. (କ) ଆନ୍ଦୋଳନରେ ସକ୍ରିୟ ଥିବା ମହିଳାମାନଙ୍କର ରାଜନୈତିକ ପୃଷ୍ଠଭୂମି କିଛି ଥିଲା କି? ଏଥପାଇଁ ଆନ୍ଦୋଳନର ସର୍ବୋଚ୍ଚ ପରିଚାଳନା କମିଟି ସହ ଦ୍ୱନ୍ଦ୍ୱ ଉପୁଜୁଥୁଲା କି?
(ଖ) ରାଜନୈତିକ ଆଦର୍ଶଜନିତ ମତପାର୍ଥକ୍ୟ ଆନ୍ଦୋଳନର ଗତିପଥରେ ପ୍ରତିବନ୍ଧକ ସୃଷ୍ଟି କରୁଥିଲା କି?
(ଗ) ଆନ୍ଦୋଳନରେ ପୁରୁଷ ନେତୃତ୍ୱ ସେମାନଙ୍କ ପରିବାର ଭିତରୁ ମହିଳା ନେତୃତ୍ୱ ସୃଷ୍ଟି କରିବାର ଉଦ୍ୟମ କରୁଥିବାରୁ କୌଣସି ନଜିର ରହିଛି କି?
(ଘ) ଯେଉଁ ପୁରୁଷମାନେ ଆନ୍ଦୋଳନର ନେତୃତ୍ୱରେ ଥିଲେ ତାଙ୍କ ଘରର ମହିଳାମାନେ ଆନ୍ଦୋଳନରେ କିଭଳି ଅଂଶଗ୍ରହଣ କରୁଥିଲେ?
୧୦. (କ) ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ମହିଳାମାନେ କେଉଁ ଅର୍ଥନୈତିକ ଶ୍ରେଣୀର ଥିଲେ?
(ଖ) ମଧ୍ୟବିତ୍ତ ଓ ତଦୁର୍ଦ୍ଧ୍ୱ ଶ୍ରେଣୀର ମହିଳାମାନେ କେତେ ପରିମାଣରେ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ?
(ଗ) ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ପ୍ରମୁଖ ମହିଳାମାନଙ୍କର ନାମ ତାଲିକା ଓ ସେମାନଙ୍କର ଅର୍ଥନୈତିକ ପୃଷ୍ଠଭୂମିର ବିବରଣୀ ଦିଅନ୍ତୁ ।
୧୧.ଆନ୍ଦୋଳନରେ ଅଂଶଗ୍ରହଣ କରି ନଥିବା ପୁରୁଷମାନଙ୍କ ଘରର ମହିଳାମାନେ ଆନ୍ଦୋଳନରେ ଅଂଶଗ୍ରହଣ କରିବାର ନଜିର ରହିଛି କି? ଏହାଦ୍ୱାରା ପୁରୁଷମାନେ ପ୍ରଭାବିତ ହୋଇଛନ୍ତି କି?
୧୨.ମହିଳାମାନେ ଆନ୍ଦୋଳନରେ କେଉଁଭଳି ଅଂଶଗ୍ରହଣ କରିଥିଲେ? ଘଟଣାଗୁଡ଼ିକର କ୍ରମପ୍ରବାହ କିପରି ଥିଲା? ଘଟଣାଗୁଡ଼ିକୁ ଯଥାସମ୍ଭବ ଉଲ୍ଲେଖ କରନ୍ତୁ ।
୧୩. (କ) ଆନ୍ଦୋଳନ ସମୟରେ ସେହି ଅଞ୍ଚଳରେ ନାରୀ ନିର୍ଯାତନା, ବଧୂହତ୍ୟା, ମଦମୃତ୍ୟୁ, ଧର୍ଷଣ ଆଦି ଭଳି ଅଘଟଣାମାନ ଘଟିଥିଲା କି? ଆନ୍ଦୋଳନ ପୂର୍ବାବସୁ ଓ ଆନ୍ଦୋଳନର ପରବର୍ତ୍ତୀ ଅବସ୍ଥାଠାରୁ ଏହି ଘଟଣାଗୁଡ଼ିକର ସଂଖ୍ୟା ଅଧିକ ଥିଲା ନା କମ୍ ଥିଲା?
(ଖ) ଆନ୍ଦୋଳନ ସମୟରେ ଏହି ବିଷୟଗୁଡ଼ିକ ଉପରେ ମହିଳାମାନଙ୍କ ଭିତରେ ବିଧିବଦ୍ଧ ଆଲୋଚନା ହେବାର ନଜିର ଅଛି କି?
(ଗ) ଏହିଭଳି ଘଟଣାଗୁଡ଼ିକରେ ଆନ୍ଦୋଳନରେ ସକ୍ରିୟ ମହିଳା ସଂଗଠନଗୁଡ଼ିକ ପ୍ରଭାବୀ ଢଙ୍ଗରେ ହସ୍ତକ୍ଷେପ କରିବାର ନଜିର ଅଛି କି?
(ଘ) ଏହି ଆନ୍ଦୋଳନ ସମୟରେ–ମଦବିରୋଧୀ ଆନ୍ଦୋଳନ, ଯୌତୁକ ବିରୋଧୀ ଆନ୍ଦୋଳନ, ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁର ସୁଷମ ବଣ୍ଟନ ପାଇଁ ଆନ୍ଦୋଳନ ଭଳି ଆନ୍ଦୋଳନମାନ ସଂଗଠିତ ହୋଇଥିଲା କି? ଏହି ଆନ୍ଦୋଳନଗୁଡ଼ିକରେ ମୂଳ ଆନ୍ଦୋଳନର ମହିଳା ନେତୃତ୍ୱ କିପରି ଅଂଶଗ୍ରହଣ କରିଥିଲା ?
୧୪. ଆନ୍ଦୋଳନ ସମୟରେ ମହିଳାମାନେ ଭିନ୍ନ ଭାବରେ ବୈଠକ ଆହ୍ୱାନ କରି ଆନ୍ଦୋଳନ ବିଷୟରେ ଚର୍ଚ୍ଚା ଆଲୋଚନା କରୁଥିଲେ ନା ପୁରୁଷ ନେତୃବର୍ଗଙ୍କ ଦ୍ୱାରା ଆହୂତ ହୋଇ ବୈଠକମାନଙ୍କରେ ସାମିଲ ହେଉଥିଲେ?
୧୫. (କ) ଆନ୍ଦୋଳନ ସମୟରେ ମହିଳାମାନେ ସେମାନଙ୍କ ଅଂଶଗ୍ରହଣ ପ୍ରକ୍ରିୟାରେ ନିଜ ଭିତରେ କେଉଁ ପ୍ରକାର ଅଭାବ ରହିଥିବାର ବୋଧ କରୁଥିଲେ?
(ଖ) ଯଦି ପୁନର୍ବାର ଆନ୍ଦୋଳନ ମୁଣ୍ଡ ଟେକେ, ତା’ହେଲେ ସେମାନେ ପୂର୍ବଭଳି ସଂଗଠିତ ହୋଇପାରିବେ କି? ଏହା ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହେବ କି?
(ଗ) ଆନ୍ଦୋଳନରେ ଅଂଶଗ୍ରହଣ କରିବା ଫଳରେ ମହିଳାମାନଙ୍କର ସ୍ଥିତିରେ କେଉଁ ପ୍ରକାର ପରିବର୍ତ୍ତନ ଆସିଛି? ଗୁଣାତ୍ମକ ପରିବର୍ତ୍ତନ କ’ଣ? ସେମାନଙ୍କର ସଚେତନତାର ସ୍ତରରେ ବୃଦ୍ଧି ଘଟିଛି କି? ସେମାନଙ୍କ ପ୍ରତି ପୁରୁଷମାନଙ୍କର ଦୃଷ୍ଟିକୋଣରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି କି? ମହିଳାମାନେ ଅଧିକ ସ୍ୱାଧୀନଚେତା ହୋଇଛନ୍ତି କି?
୧୭. ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏହି ଆନ୍ଦୋଳନର ଚର୍ଚ୍ଚା ବା ଆଲୋଚନା ସମୟରେ ସ୍ଥାନୀୟ ମହିଳାମାନଙ୍କର ଭୂମିକା ବିଷୟ ଆଲୋଚିତ ହୋଇଛି କି?
୧୮. ଆନ୍ଦୋଳନର ପରବର୍ତ୍ତୀ କାଳରେ ଆନ୍ଦୋଳନରେ ସକ୍ରିୟ ଥିବା ମହିଳା ସଂଗଠନ ଓ ମହିଳା ନେତୃତ୍ୱର ସ୍ଥିତି କ’ଣ?
ଏହି ସଂକଳନରେ ସ୍ଥାନିତ ପ୍ରବନ୍ଧ ଓ ବକ୍ତବ୍ୟଗୁଡ଼ିକୁ ଅଧ୍ୟୟନ କଲେ ଏହା ଜାଣିବା ଆଦୌ କଷ୍ଟ ହୁଏନାହିଁ ଯେ ବାଲିଆପାଳ ଆନ୍ଦୋଳନ ଉପରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଆଶାନୁରୂପ ହୋଇପାରିଛି । ଗୋପାଳପୁର ଟାଟା ଇସ୍ପାତ ପ୍ରକଳ୍ପବିରୋଧୀ ଆନ୍ଦୋଳନ ଉପରେ ଆସିଥିବା ପ୍ରବନ୍ଧରେ ମଧ୍ୟ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେବାପାଇଁ ଉଦ୍ୟମ ହୋଇଛି । କିନ୍ତୁ କାଶୀପୁର, ଗନ୍ଧମାର୍ଦ୍ଦନ, ଚିଲିକାରେ ହୋଇଥିବା ବା ହେଉଥିବା ଆନ୍ଦୋଳନ ଉପରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ସେପରି ସୁବିନ୍ୟସିତ ହୋଇପାରିନାହିଁ ଯଦିଓ ବକ୍ତବ୍ୟ ଉପସ୍ଥାପିତ କରିଥିବା ମହିଳାମାନଙ୍କର ଆନ୍ଦୋଳନରେ ଅଂଶଗ୍ରହଣ କରିବାର କାରଣ ସମ୍ପର୍କରେ ଅଭିବ୍ୟକ୍ତି ହୋଇଛି ଅତ୍ୟନ୍ତ ଶକ୍ତିଶାଳୀ ।
ଆନ୍ଦୋଳନଗୁଡ଼ିକର ସ୍ଥାନ ଭିନ୍ନଭିନ୍ନ ହେଲେ ହେଁ ଅଂଶଗ୍ରହଣକାରୀ ମହିଳାମାନଙ୍କର ଅଭିଜ୍ଞତା ଓ ଅଂଶଗ୍ରହଣ ପଦ୍ଧତିରେ ରହିଛି ଅନେକ ସାଦୃଶ୍ୟ ।
ଆଲୋଚିତ ପ୍ରତିଟି ଆନ୍ଦୋଳନ ସଂଗଠିତ ହୋଇଛି ଜୀବନ ଜୀବିକା ଓ ଭିଟାମାଟିର ସୁରକ୍ଷା ପାଇଁ । ମହିଳାମାନେ ଏହି ଆନ୍ଦୋଳନରେ ବହୁ ସଂଖ୍ୟାରେ ଆସି ସାମିଲ ହୋଇଛନ୍ତି ନିଜର ପରିବାରର ଭବିଷ୍ୟତ ପ୍ରତି ବିପଦର ସମ୍ଭାବନା ଦେଖି, ମହିଳାମାନଙ୍କୁ ନେଇ ସଂଗଠନ ଗଢ଼ିଉଠିଛି ମୂଳ ଆନ୍ଦୋଳନ ସହିତ ସହଯୋଗ କରିବାପାଇଁ ଓ ଏହାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ । କିନ୍ତୁ ଏହି ସହଯୋଗ ପ୍ରକ୍ରିୟାରେ ଅଂଶଗ୍ରହଣକାରୀ ମହିଳା ପୁରୁଷ ନେତୃତ୍ୱର ଗୋଡ଼ାଣିଆ ହୋଇନାହିଁ । ଅନ୍ୟପକ୍ଷରେ ପୁରୁଷକୁ ପଛରେ ରଖି ସେ ଯେ ଆଗରେ ରହିଛି, ତାହା ପୁରୁଷ ନେତୃତ୍ୱକୁ ଗୌଣ କରିଦେବା ପାଇଁ ନୁହେଁ ବରଂ ପୁରୁଷ ଓ ପରିବାର ପାଇଁ ମହିଳାର ଜୀବନ ଏହି ସଂସ୍କାରଗତ ଶିକ୍ଷାକୁ ସାବ୍ୟସ୍ତ କରିବା ପାଇଁ । ନିଜ ପରିବାର ପ୍ରତି ନିଷ୍ଠା, ନିଜ ପରିବାରର ମଙ୍ଗଳ ପାଇଁ ସର୍ବାଗ୍ରେ ପ୍ରାଣପାତ କରିବାର କର୍ତ୍ତବ୍ୟବୋଧ ହିଁ ତାଙ୍କୁ ଆନ୍ଦୋଳନର ଅଗ୍ରଭାଗରେ ରହିବା ପାଇଁ ସାହସ ଦେଇଛି । ତେଣୁ ସାରଦା ଗିରି କହିଛନ୍ତି, “ଆମେ ଆଗେଇ ପୁରୁଷକୁ ପଛରେ ରଖିଲୁ ଏଇଥପାଇଁ ଯେ ପୁରୁଷ ଆଘାତ ପାଇବା ଆଗରୁ ଆମେ ଆଘାତ ପାଇବୁ । ସେମାନେ ଏଥପାଇଁ ଆମକୁ ବାରଣ କରିଛନ୍ତି । କିନ୍ତୁ ଆମେ ଜିଦ୍ ଧରିଲୁ ଯେ ସେମାନେ ପଛରେ ରହିବେ, ଆମେ ଆଗରେ ରହିବୁ । ଆମେ ମରିଗଲା ପରେ ଯାଇ ସେମାନଙ୍କର ଯାହା ହେବ ।” ଏହି ଉକ୍ତିଟିରୁ ସ୍ପଷ୍ଟ ସମ୍ବାଦ ମିଳେ ଯେ ପୁରୁଷ ଓ ନାରୀ ମଧ୍ୟରେ ଦ୍ୱନ୍ଦ୍ୱ ବୈରହୀନ ଦ୍ୱନ୍ଦ୍ୱ (non-antagonistic contradiction) ଯାହା ବୃହତ୍ତର ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ବା କରୁଥିବା ମହିଳାମାନଙ୍କର ସ୍ୱାଭାବିକ ଉପଲବ୍ଧ । ଏ ଉପଲବ୍ଧି ଫେମିନିଷ୍ଟ (ନାରୀ ପାଇଁ ନାରୀ) ଆନ୍ଦୋଳନର ମୂଳ ଧାରଣା ଯେ ନାରୀ ପୁରୁଷର ଦ୍ୱନ୍ଦ୍ୱ ହେଉଛି ବୈର ଦ୍ୱନ୍ଦ୍ୱ (antagonistic)—ତାହାକୁ ଭୁଲ ବୋଲି ପ୍ରତିପାଦିତ କରୁନାହିଁ କି? ତେଣୁ ଆଲୋଚିତ ପ୍ରତିଟି ଆନ୍ଦୋଳନରେ ସକ୍ରିୟ ସଂଗ୍ରାମୀ ମହିଳାମାନେ ଏହା ବିନା ଦ୍ୱିଧାରେ ସ୍ୱୀକାର କରିଛନ୍ତି ଯେ ପୁରୁଷମାନଙ୍କ ବିନା ଆନ୍ଦୋଳନ ସଫଳ ହୋଇପାରି ନଥାନ୍ତା ବା ହୋଇପାରିବ ନାହିଁ । କିନ୍ତୁ ଏ ଆତ୍ମବିଶ୍ୱାସ ମଧ୍ୟ ତାଙ୍କର ପ୍ରକଟିତ ହୋଇଛି ଯେ “ପୁରୁଷମାନେ ଜନଆନ୍ଦୋଳନରେ ନ ଥିଲେ ମଧ୍ୟ ଆମେ ଆନ୍ଦୋଳନ କରିଥାନ୍ତୁ ।”
ଆଲୋଚିତ ସମସ୍ତ ଆନ୍ଦୋଳନରେ ମହିଳାଙ୍କ ଅଂଶଗ୍ରହଣ ସ୍ୱତଃସ୍ଫୂର୍ତ୍ତ ବୋଲି ସଂଗ୍ରାମୀ ମହିଳାମାନେ ସେମାନଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଛନ୍ତି । ଜୀବନ ଜୀବିକା ହରାଇବା, ଉଦ୍ ବାସ୍ତୁ ହେବାର ଭୟ ସମସ୍ତଙ୍କୁ ପ୍ରାଥମିକ ଅବସ୍ଥାରେ ଏକାଠି କରିଦେଇଛି । ଆନ୍ଦୋଳନ ହେବା ପର୍ଯ୍ୟାୟରେ ସେମାନେ ନିଜକୁ ସଂଗଠିତ କରିଛନ୍ତି ଓ ନିଜର କାର୍ଯ୍ୟକ୍ରମ ପ୍ରସ୍ତୁତ କରିପାରିଛନ୍ତି । ସେମାନଙ୍କ ଭୂମିକାର ଅପରିହାର୍ଯ୍ୟତା ସକ୍ରିୟ ପୁରୁଷମାନେ ସ୍ୱୀକାର କରିଛନ୍ତି । ତେଣୁ ସ୍ୱାଭାବିକ ଯେ ଆନ୍ଦୋଳନ ସମୟରେ ନାରୀ ନିର୍ଯାତନା କମିଛି ଓ ପୁରୁଷମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଛି ।
ଏହି ଆନ୍ଦୋଳନଗୁଡ଼ିକ ଭିତରକୁ ଯେଉଁ ମହିଳାମାନେ ଅଧିକ ସଂଖ୍ୟାରେ ଆସିଛନ୍ତି ସେମାନେ ମୁଖ୍ୟତଃ ଶ୍ରମିକଶ୍ରେଣୀର, ଦୁର୍ବଳ ଅର୍ଥନୈତିକ ଓ ସାମାଜିକ ଶ୍ରେଣୀର, ଯେଉଁମାନଙ୍କର ନିଜ ଅଞ୍ଚଳର ଜମି, ପୁଞ୍ଜି ଓ ଉତ୍ପାଦନର ସାଧନ ଉପରେ ବ୍ୟକ୍ତିଗତ ମାଲିକାନା ପ୍ରାୟ ନାହିଁ କହିଲେ ଚଳେ । ଅଥଚ ସେମାନଙ୍କର ବଳିଷ୍ଠ ପ୍ରତିରୋଧ ଫଳରେ ରକ୍ଷା ପାଇପାରିଛି ସେ ଅଞ୍ଚଳର ବନ, ଭୂମି, ଖଣିଜ ସମ୍ପଦ ଓ ପରିବେଶ । କିନ୍ତୁ ତା’ ସହିତ ମଧ୍ୟ କାଏମ ରହିଛି ସମ୍ପତ୍ତି ସମ୍ପର୍କର ପୂର୍ବାବସ୍ଥା । ଅର୍ଥାତ୍ ଜମିଦାର ଜମିଦାର ହୋଇ ରହିଛି ଓ ଶ୍ରମିକ ଶ୍ରମିକ ହୋଇ ରହିଛି । ସଂଗ୍ରାମ କରିଥିବା ଖଟିଖୁଆ ମଜୁରିଆର ଭାଗ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି କ୍ଷୋଭ ବି ପ୍ରକାଶ ପାଇଛି ସଂଗ୍ରାମୀ ମହିଳାକର୍ମୀମାନଙ୍କର ବକ୍ତବ୍ୟରେ । ସମସ୍ତେ ବୁଝିଛନ୍ତି ଯେ ଯେଉଁମାନଙ୍କର ସମ୍ପତ୍ତିବାଡ଼ି ବହୁତ ସେମାନଙ୍କର ହିଁ ଲାଭ ହୋଇଛି ବହୁତ । ଯେପରି ସାରଦା ଗିରି କୁହନ୍ତି, “ଯାହାର ସମ୍ପତ୍ତିବାଡ଼ି ବହୁତ ସେମାନେ ଲାଭ ପାଇଲେ ବହୁତ । କିନ୍ତୁ ଆମର ଲାଭ ହେଲା ଯେ ଆମର ଭଙ୍ଗାକୁଡ଼ିଆ ଘରଟି ରହିଗଲା ।” ଏହି ବକ୍ତବ୍ୟରେ ରହିଛି ଏକ ଅନନ୍ୟୋପାୟ ଭାବ । କିନ୍ତୁ ଏହି ପରିସ୍ଥିତି ଉପରେ ଚିଲିକା ଆନ୍ଦୋଳନର ମହିଳା କର୍ମୀ ସୁଶୀଳା ବେହେରାଙ୍କ ବକ୍ତବ୍ୟରେ ରହିଛି ଜିଜ୍ଞାସା: କାହିଁକି ସେମାନଙ୍କ ଭାଗ୍ୟରେ ପରିବର୍ତ୍ତନ ହେଲାନାହିଁ । ସେମାନେ ଲଢ଼ିଲେ, ଟାଟାକୁ ହଟେଇଲେ ଅଥଚ ସେମାନେ ଯେଉଁ ଗରିବକୁ ସେହି ଗରିବ ରହିଲେ, ଅଣମତ୍ସ୍ୟଜୀବୀମାନେ ହିଁ ସବୁ ଲାଭ ପାଇଲେ । କାହିଁକି?
ସାରଦା ଗିରିଙ୍କ ବକ୍ତବ୍ୟରେ ଅନ୍ୟନ୍ୟୋପାୟ ଭାବ ହେଉ ବା ସୁଶୀଳା ବେହେରାଙ୍କ ବକ୍ତବ୍ୟରେ ତୀକ୍ଷ୍ଣ ଜିଜ୍ଞାସା ହେଉ- ଉଭୟ ଭିତରେ, ଅବଶ୍ୟ ଭିନ୍ନ ତୀବ୍ରତାରେ, ଅନ୍ତର୍ନିହିତ ରହିଛି ପ୍ରଚଳିତ ବସ୍ତୁଜନିତ ପରିସ୍ଥିତିର ପରିବର୍ତ୍ତନ ପାଇଁ ଆହ୍ୱାନ ଓ ଉପଲବ୍ଧି ଯେ ସେମାନେ ସାମିଲ ହୋଇଥିବା ଆନ୍ଦୋଳନଗୁଡ଼ିକରେ ଏହି ଆହ୍ୱାନର ସଫଳ ରୂପାୟନ ହୋଇନାହିଁ ।
ଆନ୍ଦୋଳନଗୁଡ଼ିକର ଏତାଦୃଶ ସୀମିତତାର କାରଣ କ’ଣ ତାହାର ସମ୍ୟକ ସୂଚନା ଏହି ସଂକଳନରେ ସ୍ଥାନିତ ଦୁଇଟି ପ୍ରବନ୍ଧ “ଆନ୍ଦୋଳନରେ ମହିଳାଙ୍କ ଭାଗୀଦାରୀ- ବିସ୍ତାର ଅପେକ୍ଷାରେ” ଓ “ଗ୍ରାମୀଣ ମହିଳାଙ୍କ ଉପରେ ବିକାଶର ପ୍ରଭାବ”ରୁ ମିଳିପାରେ ।
ଏହା କିନ୍ତୁ ସମସ୍ତେ ସ୍ୱୀକାର କରନ୍ତି ଯେ ଏହି ଆନ୍ଦୋଳନଗୁଡ଼ିକରେ ସାମିଲ ହେବାଫଳରେ ମହିଳାମାନଙ୍କର ସଚେତନତାର ସ୍ତର ବେଶ୍ ବୃଦ୍ଧି ପାଇଛି । ଭବିଷ୍ୟତରେ ଯେକୌଣସି ବିପଦର ମୁକାବିଲା କରିପାରିବେ ବୋଲି ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି ହୋଇଛି ।
ଶିକ୍ଷିତ ହୋଇଥିଲେ ଆନ୍ଦୋଳନରେ ମହିଳାମାନଙ୍କର ଅଂଶଗ୍ରହଣ ଅଧିକ ପ୍ରଭାବଶାଳୀ ହୋଇଥାନ୍ତା ବୋଲି ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ପ୍ରାୟ ସବୁ ମହିଳା ଓ ପୁରୁଷ ଉଭୟେ ମତପ୍ରକାଶ କରିଛନ୍ତି । କିନ୍ତୁ ମୂଳକଥା ବୁଝିବା ପାଇଁ ଔପଚାରିକ ଶିକ୍ଷାର ଅଭାବ ଯେ ପ୍ରତିବନ୍ଧକ ହୋଇନାହିଁ ଏହି ସଂଗ୍ରାମୀ ମହିଳାମାନଙ୍କର ବକ୍ତବ୍ୟରୁ ବୁଝାପଡ଼େ । ବରଂ ଏହି ଅଶିକ୍ଷିତ, ଅର୍ଦ୍ଧ-ଶିକ୍ଷିତମହିଳାଙ୍କର କେତେକ ଉକ୍ତି ତ ବହୁ ବିଶିଷ୍ଟ ସମାଜବିଜ୍ଞାନୀଙ୍କର ଉକ୍ତି ସହ ଆଶ୍ଚର୍ଯ୍ୟଜନକ ସାଦୃଶ୍ୟ ପରିଲକ୍ଷିତ ହୁଏ । ଯେପରି କୁଚେଇପଦର ଗାଁର ଲଛମା ମାଝି ଉତ୍କଳ ଆଲୁମିନା ବିରୁଦ୍ଧରେ ସେମାନଙ୍କର ଆନ୍ଦୋଳନର କଥା ଅନର୍ଗଳ କୁଇଭାଷାରେ କହୁ କହୁ ଯେତେବେଳେ କୁହନ୍ତି, “ଆମେ ଆମ ନିଜ ଲଢ଼େଇ ଲଢୁଛୁ”, ସେତେବେଳେ ମନେହୁଏ ସତେ ଯେପରି ମାର୍କ୍ସ ଓ the emancipation of the working class must be the act of working class itself” (ଶ୍ରମିକଶ୍ରେଣୀର ମୁକ୍ତି ଶ୍ରମିକଶ୍ରେଣୀର ନିଜର କାର୍ଯ୍ୟକ୍ରମ ହେବା ଉଚିତ) ଲଛମା ମାଝିଙ୍କ ବକ୍ତବ୍ୟରେ ପ୍ରତିଧ୍ୱନିତ ହେଉଛି । କହିବା ବାହୁଲ୍ୟ ଯେ ମହିଳାମାନେ ଅଶିକ୍ଷିତ ବା ଅର୍ଦ୍ଧ-ଶିକ୍ଷିତ ହେବା ଆନ୍ଦୋଳନର ଗତିପଥରେ ଅନ୍ତରାୟ ସୃଷ୍ଟି କରିନାହିଁ । ବରଂ ଏହି ଅଶିକ୍ଷିତ, ଅର୍ଦ୍ଧ-ଶିକ୍ଷିତ ସଂଗ୍ରାମୀ ମହିଳାମାନେ ସେମାନଙ୍କର ଅଭିଜ୍ଞତାର ଯେଉଁଭଳି ପରିବେଷଣ କରିଛନ୍ତି, ତାହା ଆଲୋଚନାସଭାରେ ଉପସ୍ଥିତ ଶିକ୍ଷିତ ମହିଳାଙ୍କ ଭିତରେ ଯେ ଏକ ଅଭାବବୋଧ ସୃଷ୍ଟି କରିଦେଇଛି ତାହା ଏହି ସଂକଳନରେ ସ୍ଥାନିତ ସେମାନଙ୍କର ବକ୍ତବ୍ୟରୁ ବାରି ହୋଇଯାଏ ।
ଆଲୋଚିତ ପ୍ରତିଟି ଆନ୍ଦୋଳନରୁ ଜଣାଯାଏ ଯେ ଆନ୍ଦୋଳନଗୁଡ଼ିକରେ ମହିଳାଙ୍କ ଅଂଶଗ୍ରହଣ ନିର୍ବିରୋଧ ହୋଇଛି । ମହିଳାମାନଙ୍କର ନିର୍ବିରୋଧ ସାମିଲ ହେବା ନାରୀ ସ୍ୱାଧୀନତାର ପରିପ୍ରକାଶ ଓ ସ୍ୱୀକୃତି ମଧ୍ୟ । ସ୍ୱାଧୀନତାର ଅଭିବ୍ୟକ୍ତି ହୋଇଛି ଭବିଷ୍ୟତ ବଂଶଧରର ସୁରକ୍ଷା ପାଇଁ – ଏଥିରେ ପୁରୁଷ ପ୍ରତି ତିକ୍ତତା ନାହିଁ– ରହିଛି ପୁରୁଷ ସହ କାନ୍ଧରେ କାନ୍ଧ ମିଳାଇ ସଂଗ୍ରାମ କରିବାର ବ୍ୟାକୁଳତା । ନିଶ୍ଚିତ ଭାବରେ ଏହିଭଳି ନାରୀ ସ୍ୱାଧୀନତା ନାରୀ ପାଇଁ ନାରୀ ଆନ୍ଦୋଳନରେ ପ୍ରକଟିତ ନାରୀ ସ୍ୱାଧୀନତାର ଧାରଣାଠାରୁ ଭିନ୍ନ । ଏହା ଆଶା କରିବା ଅମୂଳକ ହେବନାହିଁ ଯେ ଜନଆନ୍ଦୋଳନ ଗୁଡ଼ିକରେ ମହିଳାଙ୍କ ଅଂଶଗ୍ରହଣ ଫଳରେ ଘଟୁଥୁବା ନାରୀ ସ୍ୱାଧୀନତାର ଅଭିବ୍ୟକ୍ତି, ନାରୀ ମୁକ୍ତିପାଇଁ ଯେଉଁମାନେ ବ୍ୟାକୁଳ, ସେମାନଙ୍କୁ ଚିନ୍ତା କରିବା ପାଇଁ ଯଥେଷ୍ଟ ଖୋରାକ ଯୋଗାଇବ; ଏହି ସଂକଳନ ସେମାନଙ୍କ ପାଇଁ ଉପାଦେୟ ହେବ । (ସୌଜନ୍ୟ- ଓଡ଼ିଶା ଓ ଓଡ଼ିଆ ସମୀକ୍ଷା-୧୯୯୮)
Comments
0 comments