ଆମକୁ ପଢ଼ାଇ ଦିଆଯାଇଥାଏ ଯେ ଗଣତନ୍ତ୍ର ଗଣଙ୍କ ପାଇଁ ଏକ ଶ୍ରେଷ୍ଠ ବିକଳ୍ପ: ଯେହେତୁ ଗଣମାନେ ନିଜର, ନିଜ ପାଇଁ ଓ ନିଜଦ୍ୱାରା ଏହାର ପ୍ରତିଷ୍ଠା କରନ୍ତି ଏବଂ ସରକାର ଚଳାଇବା ପାଇଁ ଲୋକମାନଙ୍କୁ ପ୍ରତିନିଧି ରୂପେ ନିଜେ ବାଛନ୍ତି । ଗତ ତିନି ଦଶନ୍ଧିର ବିଶ୍ୱ ରାଜନୀତି ଓ ଅର୍ଥନୀତିର ଚିତ୍ରପଟଟି ଦେଖିଲେ ଲାଗିବ ନାହିଁ ଯେ ଗଣତନ୍ତ୍ର କେଉଁଠି ବି ଆଉ ଗଣଙ୍କର ପହଞ୍ଚ ଭିତରେ ରହିଛି । ଆଗରୁ ବି କୁହାଯାଇଛି ଯେ ନିଜର ଲୋକପ୍ରତିନିଧି ବାଛିବା କାମଟି ଆଉ ଲୋକଙ୍କ ହାତରେ ନାହିଁ । ନିର୍ବାଚନଟି ଟଙ୍କାର ଖେଳ ହୋଇସାରିଛି । ଏହି ଟଙ୍କାର ଖେଳରେ ଭୋଟଦାତାମାନଙ୍କର କିଛି ଭୂମିକା ନାହିଁ । ଆମେରିକା ହେଉ ବା ଭାରତ; ସବୁଠି ଏକା ପ୍ରକାର ସ୍ଥିତି ଦେଖିବାକୁ ମିଳୁଛି । ୨୦୨୪ର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଗଣମାଧ୍ୟମ ଆକଳନ ଅନୁଯାୟୀ (ଯେଉଁଥିରେ ସେମାନେ ନିଜେ ପାଇଥିବା ଟଙ୍କାକୁ ହିସାବକୁ ନିଆଯାଇ ନାହିଁ) ପ୍ରାୟ ୧ଲକ୍ଷ ୩୦ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ତାହା ପୂର୍ବରୁ ଭାରତରେ ହୋଇଥିବା ସାଧାରଣ ନିର୍ବାଚନରେ ଯେଉଁ ପରିମାଣର ଖର୍ଚ୍ଚ ହୋଇଥିଲା ତୁଳନା କଲେ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନର ଖର୍ଚ୍ଚ କମ୍ ଜଣାପଡ଼ିବ । ଇଣ୍ଡିଆଟୁଡ଼େର ମେ ୩୧,୨୦୨୪ର ତଥ୍ୟ ମୁତାବକ ଭାରତର ସାଧାରଣ ନିର୍ବାଚନରେ ପ୍ରାୟ ୧ଲକ୍ଷ ୩୫ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବ । ଏମିତିରେ ବି ଆଇନ୍ ଅନୁଯାୟୀ ଜଣେ ଏମ୍.ପି ପ୍ରାର୍ଥୀ ନିଜ ନିର୍ବାଚନରେ ୯୫ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବ । ତେବେ ବର୍ଷତମାମ ଗଣମାନଙ୍କ ସାଙ୍ଗରେ ରହି ସେମାନଙ୍କ ପ୍ରସଙ୍ଗଗୁଡ଼ିକୁ ନେଇ ସଂଗ୍ରାମ କରୁଥିବା ରାଜନେତାମାନେ ନିଜର ସମର୍ଥକ ମାନଙ୍କୁ ସନ୍ତୁଷ୍ଟ କରି ରଖିବା ପାଇଁ ଯେତେବେଳେ ପ୍ରାର୍ଥପତ୍ର ଦାଖଲ କରିବାକୁ ଯାଆନ୍ତି ସେମାନଙ୍କୁ ଧାର ଉଧାର କରି ବା ନିଜ ସମର୍ଥକ ବା ଶୁଭେଛୁମାନଙ୍କ ପାଖରୁ ଚାନ୍ଦା ସଂଗ୍ରହ କରି ପ୍ରାର୍ଥପତ୍ର ଦାଖଲବେଳେ ଆବଶ୍ୟକ ହେଉଥିବା ‘ଅମାନତ’ ଟଙ୍କା ପଇଠ କରିଥାନ୍ତି । ଟଙ୍କା ଖର୍ଚ୍ଚକରି ନିର୍ବାଚନ ଲଢ଼ିବା ସେମାନଙ୍କ ପାଇଁ କେବେ ବି ସମ୍ଭବ ହୋଇନଥାଏ, ୯୫ଲକ୍ଷ ଟଙ୍କା ତ ଦୂରର କଥା । ନିର୍ବାଚନରେ ଖର୍ଚ୍ଚ ହେଉଥିବା ଟଙ୍କା ସ୍ପଷ୍ଟଭାବେ ଜଣା ପଡ଼ିଥାଏ ଯେ କେବେବି ଜନଗଣଙ୍କ ପାଖରୁ ଆସିନଥାଏ: ଆମେରିକାରେ ହେଉ ବା ଭାରତରେ । ଏତେ ବ୍ୟୟବହୁଳ ନିର୍ବାଚନ କେବଳ କମ୍ପାନୀମାନଙ୍କ ଅର୍ଥବଳରେ ହିଁ ଲଢ଼ା ଯାଇଥାଏ । ସେମାନଙ୍କ ଅର୍ଥରେ ନିର୍ବାଚିତ ହୋଇ ସରକାର ଗଢ଼ୁଥିବା ଲୋକମାନେ କେବଳ ସେମାନଙ୍କର କ୍ରୀଡ଼ନକ ହୋଇ କାମ କରିବା ପାଇଁ ବନ୍ଧା ପଡ଼ିଥାନ୍ତି । ଏଠି ନା ଗଣତନ୍ତ୍ର ନା ଗଣମାନେ କେହି ବି ପ୍ରାଥମିକତା ତାଲିକାରେ ରହିପାରନ୍ତି ନାହିଁ । ଯେଉଁ କେତେଜଣ ଅର୍ଥ ଦିଅନ୍ତି ସେମାନଙ୍କ ହିତରେ ହିଁ ସରକାର କାମ କରିବେ । ଭାରତରେ କଥା କଥାରେ ଆମେ ସମ୍ବିଧାନ କଥା କହୁ କିନ୍ତୁ ସମ୍ବିଧାନ ଗଣତନ୍ତ୍ର ନିଜ ସ୍ଥାନରେ ଅଛନ୍ତି । ଭାରତରେ ଏବେ ଗୌତମ ଆଦାନୀଙ୍କ ଭଳି ଲୋକମାନେ ହିଁ ମୁକୁଟବିହୀନ ସମ୍ରାଟ ଭଳି କାମ କରୁଛନ୍ତି । ସେହିଭଳି ଆମେରିକା ବି ଯାହା ଅନେକ ଦିନରୁ କର୍ପୋରେଟ ତନ୍ତ୍ରରେ ରହି ଆସିଛି ଏବେ କେତୋଟି ପୁଞ୍ଜି ଗୋଷ୍ଠିଙ୍କ ନିୟନ୍ତ୍ରଣରୁ ବାହାରି ଗୋଟିଏ ଗୋଟିଏ ମୁକୁଟବିହୀନ ସମ୍ରାଟଙ୍କ ହାତମୁଠାକୁ ଆସିଯାଇଛି । ଗୌତମ ଆଦାନୀ ମୋଦୀଙ୍କ ଭାରତ ପାଇଁ ଯେମିତି; ଏଲନ୍ ମସ୍କ ଆମେରିକାର ଡ଼ୋନାଲ୍ଡ ଟ୍ରମ୍ପଙ୍କ ପାଇଁ ସେମିତି । ସେ ଏବେ ଆମେରିକାର ରାଷ୍ଟ୍ରପତିଙ୍କ କ୍ୟାବିନେଟ୍ର ପ୍ରଭାବଶାଳୀ ସଦସ୍ୟ । ରାଷ୍ଟ୍ରପତି ବା ପ୍ରଧାନମନ୍ତ୍ରୀମାନେ ଧନତନ୍ତ୍ରର ପ୍ରତିନିଧି ସାଜିଥିବାବେଳେ ସେମାନଙ୍କ ପାଖରେ କୌଣସି ରାଜନୈତିକ/ ଅର୍ଥନୈତିକ ଦର୍ଶନ ବା ଦୃଷ୍ଟିଭଙ୍ଗି ରହିବାର ଆବଶ୍ୟକତା ନଥାଏ । ସେମାନେ ଧନତନ୍ତ୍ରଙ୍କୁ ମଜବୁତ କରିବା କାମଟିକୁ କରିଥାନ୍ତି । କୂଟନୀତି ମଧ୍ୟ ସେଥିପାଇଁ ବେଶ୍ ବଳିଷ୍ଠ ଭାବେ ବ୍ୟବହୃତ ହୁଏ । ହୁଏତ ‘କୂଟନୀତି’ ବି ତାହାର ମର୍ଯ୍ୟାଦା ହରାଇ ସାରିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜ ଶପଥଗ୍ରହଣ ସମାରୋହକୁ ଆମନ୍ତ୍ରଣ ନକରିବା ଏବଂ ଯେନତେନ ପ୍ରକାରେ ମୋଦୀ ଆମେରିକା ଗସ୍ତ କଲାବେଳେ ତାଙ୍କୁ ଉପଯୁକ୍ତ ସମ୍ମାନ ନଦେଇ କେବଳ ତାଙ୍କ ସହ ସୌଦା କରିବାରେ କୂଟନୀତିକୁ ସୀମିତ ରଖିବାର ଉଦାହରଣ ଆମେ ନିକଟରେ ଦେଖିଛୁ । ଏମିତିକି ଟ୍ରମ୍ପ୍-ମୋଦୀଙ୍କ ସଉଦା ଚାଲିଥିବାବେଳେ ଥରେ ଫେବୃଆରୀ ୧୬ରେ ହାତଗୋଡ଼ ବାନ୍ଧି କିଛି ପ୍ରବାସୀ ଭାରତୀୟଙ୍କୁ ସାମରିକ ବିମାନଯୋଗେ ଭାରତରେ ଛାଡ଼ି ଦିଆଯାଇଥିଲା । ସେହିଭଳି ପୁଣିଥରେ ଫେବୃଆରୀ ୧୯ରେ ଆଉକିଛି ପ୍ରବାସୀ ଭାରତୀୟଙ୍କୁ ବଳପୂର୍ବକ ଭାରତରେ ଛାଡ଼ି ଦିଆଯାଇଥିଲା । ସେଥିପାଇଁ ମୋଦୀଙ୍କ ଆମେରିକା ଗସ୍ତଟି ୧୪୪କୋଟିରୁ ଅଧିକ ଭାରତୀୟଙ୍କ ସମ୍ମାନ ସହ ଏହା ଏକ ସାଲିସ୍ ଥିଲାବୋଲି ସମାଲୋଚନା ହୁଏ । ଏହି କଥା ମଧ୍ୟ କୁହାଯାଏ ଯେ ଟ୍ରମ୍ପଙ୍କର ସବୁକଥାକୁ ଗ୍ରହଣ କରି ମୋଦୀ ଭାରତ ଫେରି ଆସିଥିଲେ । ପରେ ନିର୍ବାଚନରେ ମତଦାନକୁ ବଢ଼ାଇବା ପାଇଁ ଆମେରିକା ଭାରତକୁ ଅର୍ଥ ସାହାଯ୍ୟ କରିବାର କଥାକୁ ନେଇ ଗୋଟିଏ ବିତର୍କ ଆରମ୍ଭ ହୋଇଛି ।
ତେବେ ଭିନ୍ନ ଏକ ଉଦାହରଣ ଦେଖିବାକୁ ମିଳିଛି ଯୁଦ୍ଧ ଜର୍ଜରିତ ୟୁକ୍ରେନ୍ର ରାଷ୍ଟ୍ରପତି ଜେଲିନେସ୍କିଙ୍କ ଆମେରିକା ଗସ୍ତବେଳେ । ଫେବୃଆରୀ ୨୮ଦିନ ସେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ସାକ୍ଷାତ ବେଳେ ଟ୍ରମ୍ପ ଓ ତାଙ୍କ ଉପରାଷ୍ଟ୍ରପତି ଜେ.ଡ଼ି ଭାନ୍ସ ଗଣମାଧ୍ୟମ ସାମ୍ନାରେ ତାଙ୍କର ଅସମ୍ମାନ କରିଥିଲେ, ଜେଲିନେସ୍କି ସେଥିରେ ଦବିନଯାଇ ବିନମ୍ର ଭାବେ ଠିକଣା ଜବାବ ରଖିଥିଲେ । ଋଷର ଆକ୍ରମଣରେ ବିଧ୍ୱସ୍ତ ୟୁକ୍ରେନ୍ ପାଇଁ ଆମେରିକାର ସହଯୋଗ ନିହାତି ଜରୁରୀ ମନେକରି ସେ ଯେଉଁ ଆମେରିକା ଗସ୍ତ କରିଥିଲେ; ତାଙ୍କୁ ରାଷ୍ଟ୍ରପତି ଟ୍ରମ୍ପ୍ ୟୁକ୍ରେନ ରେ ଥିବା ଖଣିଜସମ୍ପଦକୁ ଆମେରିକାର ବିନିଯୋଗ ନିମନ୍ତେ ଉନ୍ମୁକ୍ତ କରିବା ପାଇଁ ଚାପ ପକାଇଥିଲେ । ସେହି ଚାପକୁ ଜେଲିନେସ୍କି ପ୍ରତ୍ୟାଖାନ କରିବା ଯୋଗୁଁ ପରିସ୍ଥିତି ଖରାପ ହୋଇଥିଲା ଏବଂ ଗଣମାଧ୍ୟମ ସାମ୍ନାରେ କଥା କଟାକଟି ଚାଲିଲା । ଏହାର ଭିଡ଼ିଓ ସମଗ୍ର ବିଶ୍ୱରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଆମେରିକା ସବୁବେଳେ ସହଯୋଗ ନାଁରେ ଦୁର୍ବଳ ସ୍ଥିତିରେ ଥିବା ଦେଶମାନଙ୍କ ସହ ସଉଦା କରିଆସିଛି । ସେହିଦିନ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ଟ୍ରମ୍ପ୍ ଔଦ୍ଧତ୍ୟପୂର୍ଣ୍ଣ ଭାଷାରେ କହୁଥିଲେଯେ ସେ ତାଙ୍କର ରାଷ୍ଟ୍ରକୁ ୩୫୦ବିଲିୟନ ଡ଼ଲାର ବା ୩୫ହଜାର କୋଟି ଡ଼ଲାର ଦେବ(ଗୋଟିଏ ଡ଼ଲାରର ମୂଲ୍ୟ ୮୬ଟଙ୍କା) । ଗଣମାଧ୍ୟମ ହିସାବରୁ ଜଣାପଡ଼େଯେ ସେଥିରୁ ୧୮୦ ବିଲିୟନ ଡଲାର ଆମେରିକା ୟୁକ୍ରେନ୍ ଙ୍କ ସହଯୋଗ କରିବା ନାଁରେ ନିଜର ସାମରିକ ଶିଳ୍ପକୁ ଦେଇଛି । ଆଜି ଆମେ ଏଭଳି ଏକ ସମୟରେ ପହଞ୍ଚିଛନ୍ତି ଯେଉଁଠି ଆଉ ଶକ୍ତିଶାଳୀ ଦେଶମାନେ ଦୁର୍ବଳ ଦେଶମାନଙ୍କ ସହ ପରଦା ପଛପଟେ ସଉଦା କରିବାର ଆବଶ୍ୟକତା ପଡ଼ୁନି । ଏମାନେ ସିଧାସଳଖ ଟିଭି କ୍ୟାମେରା ସାମ୍ନାକୁ ଆସି ଯାଉଛନ୍ତି । ଏହା ଗଣତନ୍ତ୍ର ନୁହଁ ବରଂ ଧନତନ୍ତ୍ର ଯୋଗୁଁ ସମ୍ଭବ ହୋଇପାରୁଛି । ଭାରତରେ ମଧ୍ୟ ନିର୍ବାଚନରେ ପାଣ୍ଠି ଯୋଗାଉଥିବା କମ୍ପାନୀମାନଙ୍କୁ ଶାସକଦଳ ନେହେରୁଙ୍କ ସମୟରୁ ସୃଷ୍ଟି ହୋଇଥିବା ରାଷ୍ଟ୍ରୀୟ ସମ୍ପତ୍ତିଗୁଡ଼ିକୁ ଦେଇ ଚାଲିଛନ୍ତି । ପୂର୍ବରୁ ହିସାବ ଦିଆଯାଇଛି କେମିତି ଗୋଟିଏ ଗୋଟିଏ ସାମୁଦ୍ରିକ ବନ୍ଦର ଓ ବିମାନବନ୍ଦର ଗୌତମ ଆଦାନୀଙ୍କ ହାତକୁ ଚାଲିଯାଉଛି । ଏହି ତାଲିକା ଭିତରକୁ ଭୁବନେଶ୍ୱର ବିମାନବନ୍ଦର ଆସିଯିବାର ସୂଚନା ମିଳୁଛି ।
ଦେଶର ଆଭ୍ୟନ୍ତରଣ ଗଣତନ୍ତ୍ର ହେଉ ବା ବୈଦେଶିକ କୂଟନୀତି ହେଉ ଏବଂ ଦେଶଟା ଆମେରିକା ହେଉ ବା ଭାରତ, କୌଣସି କ୍ଷେତ୍ରରେ ଗଣତନ୍ତ୍ରର ଛାପ ଆଉ ଦେଖିବାକୁ ମିଳୁନାହିଁ । ଏଭଳି ଏକ ସମୟରେ ଗଣତନ୍ତ୍ରକୁ କିଭଳି ଧନତନ୍ତ୍ର ବା କମ୍ପାନୀମାନଙ୍କ ପାଖରୁ ମୁକ୍ତ କରିଆଣି ଜନଗଣଙ୍କ ହାତରେ ସଂସ୍ଥାପିତ କରାଯିବ ତାହା ଆମପାଇଁ ସବୁଠାରୁ ବଡ଼ ଆହ୍ୱାନ । ଆଉ କିଛି କରିହେବ ନାହିଁ କହି ଘରେ ବସିଯିବା ସବୁଠାରୁ ସହଜ । ଯଦି ଆମେ ସାଂସାରିକ ଜୀବନ ଭିତରେ ଅଛନ୍ତି ତାହା ହେଲେ ଅନ୍ତତଃ ନିଜପିଲା ଓ ସେମାନଙ୍କ ପିଲାମାନେ କେମିତି ମୁକ୍ତଭାବେ ଭଲରେ ବଞ୍ଚିବେ ସେଥିପାଇଁ ଆମେ ଟିକିଏ ଚିନ୍ତା କରିବା ଦରକାର ।
Comments
0 comments