ଡିସେମ୍ବର ୧୮କୁ ବିଶ୍ୱ ସଂଖ୍ୟାଲଘୁ ଅଧିକାର ଦିବସ ରୂପେ ସଂଯୁକ୍ତ ରାଷ୍ଟ୍ରର ସଦସ୍ୟ ଥିବା ପ୍ରାୟ ସବୁ ଦେଶମାନଙ୍କରେ ପାଳିତ ହେଉଛି । ଭାରତ ମଧ୍ୟ ଔପଚାରିକ ଭାବରେ ହେଲେବି ଏହି ଦିବସଟିକୁ ପାଳନ କରୁଛି । ଡିସେମ୍ବର ୧୮, ୧୯୯୨ଦିନ ‘ଜାତୀୟତା, ବିଭିନ୍ନ ମଣିଷଙ୍କ ବର୍ଗ, ଧାର୍ମିକ ଏବଂ ଭାଷାଗତ ସଂଖ୍ୟାଲଘୁମାନଙ୍କର ଅଧିକାର’ ସମ୍ବନ୍ଧିତ ଏକ ଘୋଷଣାନାମା ମିଳିତ ଜାତିସଂଘରେ ପାରିତ ହୋଇଥିଲା । ତେବେ ୨୧ବର୍ଷ ପରେ ଅର୍ଥାତ୍ ୨୦୧୩ ମସିହାରେ ଭାରତ ଏହି ଘୋଷଣାନାମାରେ ସ୍ୱାକ୍ଷର କରିଥିଲା । ତାହାପରଠାରୁ ଆମ ଦେଶରେ ମଧ୍ୟ ଏହି ଦିବସଟିକୁ ପାଳନ କରାଯାଉଛି । ବିଶ୍ୱ ଘୋଷଣାନାମାର ଉଦେଶ୍ୟ ଥିଲା ବିଶ୍ୱରେ ବିଭିନ୍ନ ରାଷ୍ଟ୍ରରେ ଥିବା ବିଭିନ୍ନ ପ୍ରକାରର ସଂଖ୍ୟାଲଘୁମାନଙ୍କ ଅସ୍ମିତା ଓ ଅଧିକାରର ସୁରକ୍ଷା ଦେବାପାଇଁ ରାଷ୍ଟ୍ର ଯେମିତି ଉଚିତ୍ ପଦକ୍ଷେପ ନେବ, ସେହି ବାବଦରେ ଦିଗଦର୍ଶନ ଦେବା । ଭାରତରେ ସେହି ୧୯୯୨ ମସିହାରେ ହିଁ ଏକ ଜାତୀୟ ସଂଖ୍ୟାଲଘୁ ଆଇନ କାର୍ଯ୍ୟକାରୀ କରାଯାଇଥିଲା । ଏହାର ଫଳସ୍ୱରୂପ ମେ ୧୭, ୧୯୯୩ ମସିହାରେ ଆମର ପ୍ରଥମ ଜାତୀୟ ସଂଖ୍ୟାଲଘୁ ଆୟୋଗ ଗଠିତ ହୋଇଥିଲା । ପ୍ରଥମେ ମୁସଲମାନ, ଖ୍ରୀଷ୍ଟିଆନ୍, ଶିଖ୍, ବୌଦ୍ଧ ଓ ପାର୍ସୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ଆୟୋଗର ପରିସରରେ ପରେ ଜୈନମାନଙ୍କୁ ମଧ୍ୟ ସାମିଲ କରାଗଲା; ସାଧାରଣ ଲୋକଙ୍କ ମନରେ ଯଦିଓ ଶିଖ୍, ବୌଦ୍ଧ ଓ ଜୈନ ମାନଙ୍କୁ ହିନ୍ଦୁ ଧର୍ମର ପ୍ରତିଦ୍ୱନ୍ଦ୍ୱୀ ହିସାବରେ ଦେଖାଯାଇ ନଥାଏ । ଏମିତିକି ବୁଦ୍ଧଙ୍କୁ ଓଡ଼ିଶାରେ ଭଗବାନଙ୍କ ଦଶ ଅବତାର ଭିତରୁ ଗୋଟିଏ ଅବତାର କରି ଦିଆଯାଇଛି । ତଥାପି ଏହି ସମସ୍ତ ଧାର୍ମିକବିଶ୍ୱାସ ଅବଲମ୍ବନକାରୀମାନଙ୍କୁ ସଂଖ୍ୟାଲଘୁ ହିସାବରେ ବିଚାର କରାଯାଇ ଆସିଛି ।
ତେବେ ଡିସେମ୍ବର ୧୮ର ସଂଖ୍ୟାଲଘୁ ଅଧିକାର ଦିବସ ଅଧିକା କ’ଣ ତାତ୍ପର୍ଯ୍ୟ ରଖୁଛି, ମନ ଭିତରେ ଏଭଳି କିଛି ପ୍ରଶ୍ନ ଆସିପାରେ । ମିଳିତ ଜାତିସଂଘର ଘୋଷଣାନାମା ଅନୁଯାୟୀ ବିଶ୍ୱର ସମସ୍ତ ରାଷ୍ଟ୍ର ସଂଖ୍ୟାଲଘୁମାନଙ୍କର ଅଧିକାର ଓ ସେ ସବୁର ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତାକୁ ନିଷ୍ଠାର ସହିତ ପାଳନ କରିବେ । ବିଡ଼ମ୍ବନାର କଥାଯେ ସଂଖ୍ୟାଗରିଷ୍ଠମାନଙ୍କ ହାତରେ ଯଦି କ୍ଷମତା ରହେ ଏବଂ ସେମାନଙ୍କ ପାଖରେ ମାନବିକ ସମ୍ବେଦନଶୀଳ ନଥାଏ, ତାହା ହେଲେ ପ୍ରତିବଦ୍ଧତା ନୁହଁ ବରଂ ଔପଚାରିକତା ଦୃଷ୍ଟିରୁ ସଂଖ୍ୟାଲଘୁଙ୍କ ଅଧିକାର କଥା କୁହାଯାଇଥାଏ ବା କିଛି ଦିବସ ପାଳନରେ ତାକୁ ସୀମିତ କରାଯାଇଥାଏ । ଭାରତର ବିବିଧତା ଜଣେ କ୍ଷମତାସୀନ ନେତୃତ୍ୱକୁ ବିନମ୍ର, ସମ୍ବେଦନଶୀଳ ଓ ଦାୟିତ୍ୱସମ୍ପନ୍ନ କରାଇବା କଥା । ଆମ ଦେଶରେ ସବୁପ୍ରକାର ସଂଖ୍ୟାଲଘୁ ଅଛନ୍ତି ଏବଂ ସମସ୍ତଙ୍କର ସମ୍ମାନର ସହ ଏହି ମାଟିରେ ବଞ୍ଚିବାର ଅଧିକାର ଅଛି ବୋଲି ଆମ ସମ୍ବିଧାନ ବହୁ ଆଗରୁ ଲିଖିତଭାବେ ରାଷ୍ଟ୍ରର ଭୂମିକା ତିଆରି କଲାବେଳେ ସ୍ପଷ୍ଟ କରିଛନ୍ତି । ସେହି ଦୃଷ୍ଟିରୁ ସଂଖ୍ୟାଲଘୁଙ୍କ ଅଧିକାରକୁ ସ୍ୱୀକାର କରିବା ଓ ସମ୍ମାନ ଦେବା ଶାସନତନ୍ତ୍ର ତଥା ରାଷ୍ଟ୍ରକୁ ପରିଚାଳନା କରୁଥିବା ନେତୃତ୍ୱଙ୍କର ପ୍ରାଥମିକ ଦାୟିତ୍ୱ । ଏମିତିରେ ଗୋଟିଏ ମତ ରହିଆସିଛି ଯେ ଭାରତର ସଂଖ୍ୟାଗରିଷ୍ଠ ଓ ସଂଖ୍ୟାଲଘୁମାନେ ଭାରତୀୟ ଭୂଖଣ୍ଡକୁ ବାହାରୁ ଆସି ବସବାସ କରିଛନ୍ତି । ଭାରତୀୟ ଭୂଖଣ୍ଡର ଭୌଗଳିକ ବିଶେଷତ୍ୱ ଯୋଗୁଁ ଅନ୍ୟ ଭୂଖଣ୍ଡର ଲୋକମାନେ ଗତ ୧୦ହଜାର ବର୍ଷ ଧରି ଏହି ମାଟି ପ୍ରତି ଆକର୍ଷିତ ହୋଇ ଆସିଛନ୍ତି ଏବଂ ଏହାର ସ୍ଥାୟୀବାସିନ୍ଦା ହୋଇଛନ୍ତି । ଇତିହାସକାର ମାନେ କ’ଣ କହୁଛନ୍ତି ଦେଖିବା କଥା । କିନ୍ତୁ ନିକଟରେ ଉଚ୍ଚତମ ନ୍ୟାୟାଳୟର ଜଣେ ପୂର୍ବତନ ବିଚାରପତି ଶ୍ରୀ ମାର୍କଣ୍ଡେୟ କାଟମ ବରିଷ୍ଠ ଆଇନଜୀବୀ କପିଲ ସିବଲଙ୍କ ସହ ଏକ ୟୁଟୁବ୍ ସାକ୍ଷାତକାରରେ ଏହି କଥା କହିଛନ୍ତି (State of Judiciary in India: Ex-SC Judge Markendey Katju Speaks to Kapil Sibal, November 25, 2024) । କାଟମଙ୍କ ମତରେ ଉଭୟ ଆର୍ଯ୍ୟ ଓ ଦ୍ରାବିଡ଼ମାନେ ଏହି ଦେଶର ମୂଳବାସିନ୍ଦା ନୁହଁନ୍ତି । ତେବେ ‘୧୦ହଜାର ବର୍ଷ’ର ଇତିହାସର ଉଚିତ୍ ମୂଲ୍ୟାୟନ କରି କେତେବେଳେ କେଉଁ ଧର୍ମର ଆର୍ବିଭାବ ଓ ପତିଆରା ପ୍ରତିଷ୍ଠିତ ହୋଇଥିଲା, ତାହା ଜାଣିବା ହୁଏତ ସାଧାରଣ ଜନଗଣଙ୍କ ପାଇଁ ଆଗ୍ରହର ବିଷୟବସ୍ତୁ ନ ହୋଇପାରେ । କିନ୍ତୁ ବିବିଧତା ଭିତରେ ଭାରତୀୟମାନେ ଏକାଠି ହୋଇ ରହିଆସିଥିଲେ ଏବଂ ଲଢ଼ି ଆସିଥିଲେ ଏହାର ଉଦାହରଣ ଗତ ୨ଶହ ବର୍ଷର ଇତିହାସ ଦେଖିଲେ ଜଣାପଡ଼େ ଯଦିଓ ଏହି ଇତିହାସରେ ସବୁଠାରୁ ନିଷ୍ପେଷିତ ଏକ ବିରାଟ ଦଳିତ ସମୁଦାୟଙ୍କ ପ୍ରତି ହୋଇ ଆସିଥିବା ଐତିହାସିକ ଅନ୍ୟାୟକୁ ଅଣଦେଖା କରିହେବ ନାହିଁ ।
୧୮୫୭ରେ ବ୍ରିଟିଶ ମାନଙ୍କ ବିରୋଧରେ ହୋଇଥିବା ‘ପ୍ରଥମ ସ୍ୱାୀଧୀନତା ସଂଗ୍ରାମ’ରେ ‘ସଂଖ୍ୟାଗରିଷ୍ଠ’ ବା ‘ସଂଖ୍ୟାଲଘୁ’ ଶବ୍ଦଗୁଡ଼ିକର ପ୍ରାସଙ୍ଗିକତା ନଥିଲା । ସମସ୍ତେ ଏକାଠି ଇଷ୍ଟ୍ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଲଢ଼ାଇ କରିଥିଲେ ଏବଂ ଅକଥନୀୟ ଅତ୍ୟାଚାରର ସମାନ ଭାବେ ଶିକାର ହୋଇଥିଲେ । ସେହିଭଳି ୧୯୪୭ରେ ଦେଶ ସ୍ୱାଧିନ ହେବା ପୂର୍ବରୁ ୫ଦଶନ୍ଧି ଧରି ଯେଉଁ ଆନ୍ଦୋଳନ ଚାଲିଥିଲା ଏବଂ ତାହାର ବହୁପୂର୍ବରୁ ଯେତେସବୁ ଆଦିବାସୀ ବିଦ୍ରୋହ ହୋଇଥିଲା ସେଠି ଧାର୍ମିକ ବିଶ୍ୱାସ ଏକାଠି ଲଢ଼ିବାରେ କେବେ ବି ପ୍ରତିବନ୍ଧକ ସାଜି ନଥିଲା । ସ୍ୱାଧୀନତା ଆନ୍ଦୋଳନ ଚାଲିଥିବାବେଳେ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କର ଷଡ଼ଯନ୍ତ୍ରର ଶିକାର ହୋଇ ଯେତେବେଳେ ହିନ୍ଦୁ ଓ ମୁସଲମାନଙ୍କ ଭିତରେ ମୌଳବାଦୀ ଏବଂ ସାମ୍ପ୍ରଦାୟିକତାବାଦୀ ସୃଷ୍ଟି କରାଗଲା ତାହାପରେ ହିଁ ପୂର୍ବ ସନ୍ତୁଳନଟି ଦୋହଲିଗଲା । ଏହାର ଅନ୍ତିମ ପରିଣତି ହେଲା ଧର୍ମ ନାମରେ ଭାରତୀୟ ଭୂଖଣ୍ଡର ବିଭାଜନ ଯାହା ସାମ୍ପ୍ରଦାୟିକତାବାଦକୁ ବୈଧତା ଯୋଗାଇଲା ଏବଂ ଆନୁଷ୍ଠାନିକ ରୂପଦେଲା । ଡଃ ଆମ୍ବେଦକରଙ୍କ ନେତୃତ୍ୱରେ ଯେତେବେଳେ ସମ୍ବିଧାନ ତିଆରି ହେବା କାମଟି ଚାଲିଥିଲା ସେମାନେ ଏହି କଥାଟି ଭଲଭାବେ ବୁଝିଥିଲେ ଯେ ବିଭାଜନର ଭୂତାଣୁଟି ଏହି ମାଟିରେ ସକ୍ରିୟ ଅଛି ଓ ଘୃଣା ତଥା ସାମ୍ପ୍ରଦାୟିକ ବିଦ୍ୱେଷକୁ ଭବିଷ୍ୟତରେ ବଳ ଯୋଗାଇପାରେ । ସେଥିପାଇଁ ସମ୍ବିଧାନ ଭିତରେ ସଂଖ୍ୟାଲଘୁଙ୍କ ଅଧିକାରର ସୁରକ୍ଷା ପାଇଁ ସେମାନେ ବ୍ୟବସ୍ଥା କରିଯାଇଥିଲେ । ଆମ ଦେଶର ପ୍ରାୟ ସମସ୍ତ ରାଜ୍ୟରେ ହିନ୍ଦୁମାନେ ସଂଖ୍ୟାଗରିଷ୍ଠ ଥିବାବେଳେ କେବଳ ମିଜୋରାମ୍, ନାଗାଲାଣ୍ଡ, ମେଘାଳୟ, ଜାମୁ ଓ କାଶ୍ମୀର, ଅରୁଣାଚଳ ପ୍ରଦେଶ, ମଣିପୁର ଓ ପଞ୍ଜାବ ଭଳି କେତେକ ରାଜ୍ୟରେ ହିନ୍ଦୁମାନେ ସଂଖ୍ୟାଲଘୁ ଅଛନ୍ତି । ଆମେ ଏଠି କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ହିସାବ କରିନାହୁଁ । ଭାରତର ସବୁରାଜ୍ୟରେ ସଂଖ୍ୟାଲଘୁମାନେ, ଦଳିତ ଓ ଆଦିବାସୀମାନେ ନାରୀ ପୁରୁଷ ନିର୍ବିଶେଷରେ କେମିତି ନିଜ ଅଧିକାରକୁ ସୁରକ୍ଷିତ ରଖିପାରିବେ ଡଃ ଆମ୍ବେଦକର ଚିନ୍ତିତ ଥିଲେ । ସଂଖ୍ୟାଲଘୁଙ୍କ ଅଧିକାରର ସୁରକ୍ଷାକୁ ଯେଉଁମାନେ ନିର୍ବୋଧ ଭାବେ ବିରୋଧ କରୁଥିଲେ, ସେମାନଙ୍କୁ ଡଃ ଆମ୍ବେଦକର ୨ଟି ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ । ପ୍ରଥମଟି ହେଲା ଯେ ତାଙ୍କ ମତରେ ସଂଖ୍ୟାଲଘୁମାନେ ଗୋଟିଏ ବାରୁଦ ଗଦା ଏବଂ ଯଦି କେବେ ସେଠି ଅଗ୍ନିସଂଯୋଗ କରାଯାଏ, ତେବେ ସମଗ୍ର ରାଷ୍ଟ୍ରଟି ଧ୍ୱଂସ ପାଇଯିବ । ୟୁରୋପର ଇତିହାସ ଏହି କଥାଟିର ସାକ୍ଷ୍ୟପ୍ରମାଣ ଦେଇପାରେ ବୋଲି ସେ କହିଥିଲେ । ଦ୍ୱିତୀୟଟି ତାଙ୍କ ମତରେ ହେଉଛି ଯେ ଏହି ଦେଶର ସଂଖ୍ୟାଲଘୁମାନେ ଏ ଦେଶର ସଂଖ୍ୟାଗରିଷ୍ଠମାନଙ୍କ ହାତରେ ନିଜର ସ୍ଥିତି ବା ସୁରକ୍ଷାର ଦାୟିତ୍ୱ ଅର୍ପଣ କରିଛନ୍ତି । ସେ ଏକ ସୁନ୍ଦର ଉଦାହରଣ ଦେଇ କଥାଟିକୁ ବୁଝାଇଥିଲେ । ୧୯୨୧ରେ ଆୟାର୍ଲ୍ୟାଣ୍ଡ ବିଭାଜିତ ହୋଇ ଦକ୍ଷିଣ ଆୟାର୍ଲ୍ୟାଣ୍ଡ ଓ ଉତ୍ତର ଆୟାର୍ଲ୍ୟାଣ୍ଡରେ ପରିଣତ ହୋଇଥିଲା । ଏହା ପୂର୍ବରୁ ଯେତେବେଳେ ଇଂଲଣ୍ଡର ସଂସଦରେ ବିତର୍କ ଚାଲିଥିଲା ସେତେବେଳେ ଗୋଟିଏପଟେ ଥିଲେ ସାର୍ ଏଡ଼ୱାର୍ଡ଼ କାର୍ସନ ଓ ଅନ୍ୟପଟେ ଥିଲେ ଜନ୍ ରେଡମଣ୍ଡ । ରେଡମଣ୍ଡ ପ୍ରତିପକ୍ଷ ପ୍ରୋଟେଷ୍ଟାଣ୍ଟ ଧାର୍ମିକ ବିଶ୍ୱାସୀମାନଙ୍କର ପ୍ରତିନିଧି କାର୍ସନଙ୍କୁ ଆବେଦନ କରି କହିଲେ ଯେ, ‘ତୁମର ପ୍ରୋଟେଷ୍ଟାଣ୍ଟ ସଂଖ୍ୟାଲଘୁମାନଙ୍କ ସୁରକ୍ଷା ପାଇଁ ଯାହା ମାଗୁଛ ମାଗ, କିନ୍ତୁ ଆୟାର୍ଲ୍ୟାଣ୍ଡକୁ ବିଭାଜିତ ନହୋଇ ରହିବାକୁ ଦିଅ’ । ପ୍ରତି ଉତ୍ତରରେ ସଂଖ୍ୟାଲଘୁ ନେତା କାର୍ସନ କହିଲେ ଯେ, ‘ତୁମ ସୁରକ୍ଷା ଚୁଲିକୁ ଯାଉ, ଆମେ ତୁମଦ୍ୱାରା ଶାସିତହେବାକୁ ଚାହୁଁ ନାହୁଁ’ । ଡଃ ଆମ୍ବେଦକରଙ୍କ ମତରେ ଏଡ଼ୱାର୍ଡ଼ କାର୍ସନଙ୍କ ଭଳି କଠୋର ପକ୍ଷ ଭାରତର ସଂଖ୍ୟାଲଘୁମାନେ ନେଇ ନାହାଁନ୍ତି । ସେମାନେ ଶାସନତନ୍ତ୍ରରେ ସଂଖ୍ୟାଗରିଷ୍ଠ ମାନଙ୍କୁ ଗ୍ରହଣ କରିଛନ୍ତି । ସୁତରାଂ ସଂଖ୍ୟାଗରିଷ୍ଠ ମାନଙ୍କର ଏହା ମୂଳଦାୟିତ୍ୱ ହେବା କଥାଯେ କେମିତି ସଂଖ୍ୟାଲଘୁମାନଙ୍କ ପ୍ରତି ଭେଦଭାବ ନୀତି ଅଣାଯିବ ନାହିଁ । ସଂଖ୍ୟାଲଘୁମାନେ ରହିବେ କି ହଜିଯିବେ ସଂଖ୍ୟାଗରିଷ୍ଠମାନଙ୍କ ଆଚରଣ ଉପରେ ନିର୍ଭର କରିବ ବୋଲି ଡଃ ଆମ୍ବେଦକର ବିଚାର କରୁଥିଲେ । ତାଙ୍କ ମତରେ ଯଦି ଭେଦଭାବର ଅଭ୍ୟାସଟିକୁ ସଂଖ୍ୟାଗରିଷ୍ଠ ମାନେ ପରିତ୍ୟାଗ କରିବେ ତେବେ ସଂଖ୍ୟାଲଘୁ ବୋଲି ଆଉ କେହି ରହିବେ ନାହିଁ । ସେଥିପାଇଁ ଆମ୍ବେଦକର ସମ୍ବିଧାନକୁ ଏକ ଅସ୍ତ୍ର ବା ଅବଲମ୍ବନ ହିସାବରେ ବ୍ୟବହାର କରାଯାଇପାରିବ ବୋଲି ଭାବୁଥିଲେ ।
ଏବେ ଆମେ କେଉଁଠି? ଏହି ପ୍ରଶ୍ନର ପ୍ରତିଧ୍ୱନି ଭାରତର ପ୍ରତିଟି ପ୍ରାନ୍ତରେ ଯେମିତି ଶୁଣିବାକୁ ମିଳୁଛି । ସଂଖ୍ୟାଗରିଷ୍ଠଙ୍କ ଭେଦଭାବ ମାନସିକତାର ସତେ ଯେମିତି ଅନ୍ତ ନାହିଁ । ଆମ ଆଖିରେ କେତୋଟି ଘଟଣା ଦେଖାଯାଇଥାଏ ଯେମତିକି ଅକ୍ଟୋବର ୩୧, ୧୯୮୪ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାପରେ ସଂଖ୍ୟାଲଘୁ ଶିଖମାନଙ୍କ ଉପରେ ହିଂସ୍ର ଓ ବର୍ବର ଆକ୍ରମଣ ହୋଇଥିଲା । ସେହିଭଳି ଡିସେମ୍ବର ୬, ୧୯୯୨ରେ ବାବ୍ରି ମସଜିଦକୁ ଧ୍ୱଂସ କରିଯିବା ପରେ ଦେଶବ୍ୟାପି ସାମ୍ପ୍ରଦାୟିକ ଦଙ୍ଗା ସଂଖ୍ୟାଲଘୁ ମାନଙ୍କୁ କେମିତି ରାଷ୍ଟ୍ର ସୁରକ୍ଷା ଦେଇ ପାରୁନାହିଁ ତାକୁ ପଦାରେ ପକାଇଥିଲା । ସୀମା ଟପିଯାଇଥିଲା ୨୦୦୨ରେ ଗୁଜୁରାଟରେ ହୋଇଥିବା ମୁସଲମାନ ନରସଂହାର । ସେତେବେଳେ ସେଠାକାରେ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଥାଇ ଅନେକ ବିବାଦଭିତରେ ଛନ୍ଦି ହୋଇଥିବା ଶ୍ରୀ ନରେନ୍ଦ୍ର ମୋଦୀ ଓ ଶ୍ରୀ ଅମିତ୍ ଶାହା ଏବେ ଭାରତର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ । ସଂଖ୍ୟାଲଘୁ ମାନଙ୍କ ମନରେ କେଉଁ ପ୍ରକାର ଭୟ ବା ଆତଙ୍କ ଆସୁଥିବ, ତାହା ସଂଖ୍ୟାଗରିଷ୍ଠମାନେ ବିଶେଷ କରି ସମ୍ବେଦନହୀନ ସଂଖ୍ୟାଗରିଷ୍ଠମାନେ ବୁଝିପାରିବେ ନାହିଁ । ତେବେ ସଂଖ୍ୟାଲଘୁମାନଙ୍କର ସ୍ଥିତି ଓ ସେମାନଙ୍କର ଅଧିକାରକୁ ସୁରକ୍ଷା ଯୋଗାଇବାରେ ସମ୍ବିଧାନକୁ ବିଫଳ କରାଇବା ଦିଗରେ ରାଷ୍ଟ୍ରର ରାଜନୈତିକ ନେତୃବର୍ଗଙ୍କର ସାମୂହିକ ଭୂମିକାଗୁଡ଼ିକ ବୁଝିବା ପାଇଁ ଆମକୁ ସଚ୍ଚାର କମିଟିର ଅନୁଧ୍ୟାନକୁ ଦେଖିବାକୁ ପଡ଼ିବ । ମାର୍ଚ୍ଚ ୨୦୦୫ରେ ପୂର୍ବ ନ୍ୟାୟମୂର୍ତ୍ତି ଶ୍ରୀ ରାଜେନ୍ଦ୍ର ସାଚ୍ଚାରଙ୍କ ଅଧ୍ୟକ୍ଷତାରେ ଡଃ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲାବେଳେ ଏକ ଆୟୋଗ ଗଠନ କରାଯାଇଥିଲା । ସେମାନେ ଭାରତରେ ମୁସଲମାନଙ୍କର ସାମାଜିକ, ଅର୍ଥନୈତିକ ଓ ଶିକ୍ଷାଗତ ସ୍ଥିତି ଅନୁଧ୍ୟାନକରି ୨୦୦୬ ମସିହାରେ ଏକ ରିପୋର୍ଟ ଭାରତ ସରକାରଙ୍କୁ ପ୍ରଦାନ କରିଥିଲେ । ଏହି ରିପୋର୍ଟରୁ ଭାରତର ମୁସଲମାନ୍ ମାନଙ୍କର ଦୁଃସ୍ଥ ସ୍ଥିତି ସ୍ପଷ୍ଟଭାବେ ଜଣାପଡ଼େ । ରିପୋର୍ଟରେ କୁହାଯାଇଥିଲାଯେ ସଂଖ୍ୟାଲଘୁ ମୁସଲମାନଙ୍କର ୬ରୁ ୧୫ବର୍ଷ ପିଲାମାନଙ୍କ ଭିତରେ ଅବେଳରେ ପଢ଼ା ଛାଡ଼ୁଥିବା ବା ଆଦୌ ପାଠ ପଢ଼ୁନଥିବା ପିଲାଙ୍କ ସଂଖ୍ୟାଥିଲା ଶତକଡ଼ା୨୫ ଭାଗ । ପୁଣି ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନମାନଙ୍କରେ ସ୍ନାତକ ପଢ଼ୁଥିବା ପ୍ରତି ୨୫ଟି ପିଲାଙ୍କ ଭିତରେ ଜଣେ ମାତ୍ର୍ର ମୁସଲମାନ୍ ଛାତ୍ର ଥିଲେ ଏବଂ ସ୍ନାତକୋତ୍ତର ପଢ଼ୁଥିବା ପ୍ରତି ୫୦ଟି ଛାତ୍ରଙ୍କ ଭିତରେ ଗୋଟିଏ ମାତ୍ର ଛାତ୍ର ମୁସଲମାନ୍ ଥିଲେ । ସେହିଭଳି ଶ୍ରମଜୀବୀ ମୁସଲମାନ୍ ମହିଳାଙ୍କ ଭିତରେ ୨୫ପ୍ରତିଶତ ମହିଳାଙ୍କୁ କାମ ମିଳୁଥିଲା । ଗ୍ରାମାଞ୍ଚଳରେ ଏହି ସଂଖ୍ୟାଟି ୨୯ ପ୍ରତିଶତ ଥିଲାବେଳେ ହିନ୍ଦୁ ମହିଳାମାନଙ୍କ କ୍ଷେତ୍ରରେ ୭୦ ପ୍ରତିଶତ ଥିଲା । ସେହିଭଳି ମୁସଲମାନମାନଙ୍କ ଭିତରେ ୬୧ପ୍ରତିଶତ ନିଜ ନିଯୁକ୍ତିର ଉପାୟ ନିଜେ ଖୋଜୁଥିବା ବେଳେ ହିନ୍ଦୁମାନଙ୍କ କ୍ଷେତ୍ରରେ ଏହି ସଂଖ୍ୟାଟି ଥିଲା ୫୫ପ୍ରତିଶତ । ମୁସଲମାନ ମହିଳା ମାନଙ୍କ କ୍ଷେତ୍ରରେ ଏହି ସଂଖ୍ୟାଟି ୭୩ପ୍ରତିଶତ ଥିଲାବେଳେ ହିନ୍ଦୁ ମହିଳାମାନଙ୍କ କ୍ଷେତ୍ରରେ ଏହା ୬୦ ପ୍ରତିଶତ ଥିଲା । ସହରରେ ନିୟମିତ କାମ ପାଉଥିବା ଲୋକମାନଙ୍କ ଭିତରେ ୩୭ପ୍ରତିଶତ ଉଚ୍ଚଜାତିର ହିନ୍ଦୁ, ୩୦ ପ୍ରତିଶତ ଓବିସି, ୩୯ ପ୍ରତିଶତ ଏସ୍.ସି ଓ ଏସ୍.ଟି ଥିଲାବେଳେ ମୁସଲମାନଙ୍କ କ୍ଷେତ୍ରରେ ଏହି ହାରଟି ଥିଲା ମାତ୍ର ୨୪ପ୍ରତିଶତ । ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ମୁସଲମାନଙ୍କ ଉପସ୍ଥିତି ମାତ୍ର ୫ପ୍ରତିଶତ ଥିଲାବୋଲି ଏହି ରିପୋର୍ଟରେ କୁହାଯାଇଛି । ଆହୁରି ଅନେକ କଥା ରିପୋର୍ଟଟିରେ ଅଛି କିନ୍ତୁ କେବଳ ସଂଖ୍ୟାଲଘୁ ମୁସଲମାନ ସ୍ଥିତି କ’ଣ ରହିଆସିଛି, ଟିକିଏ ସୂଚନା ଦେବାପାଇଁ ଆମେ କେତୋଟି ତଥ୍ୟ ଉପସ୍ଥାପନ କରିଛୁ ।
ଏହି ପୃଷ୍ଠଭୂମିରୁ ଆମେ ଯେତେବେଳେ ସଚ୍ଚାର କମିଟିର ରିପୋର୍ଟ ପ୍ରକାଶନର ମାତ୍ର ୮ବର୍ଷ ପରେ ଭାରତରେ ସଂଖ୍ୟାଗରିଷ୍ଠ ହିନ୍ଦୁମାନଙ୍କର ଗୋଟିଏ ରାଜନୈତିକ ଦଳ କେନ୍ଦ୍ରରେ କ୍ଷମତାକୁ ଆସୁଛି ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିଲାବେଳେ ଅତି ବିବାଦୀୟ ହୋଇଯାଇଥିବା ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଉଛନ୍ତି, ସେତେବେଳେ ସଂଖ୍ୟାଲଘୁ ମୁସଲମାନଙ୍କ ମନରେ କେଉଁ ପ୍ରକାର ଭୟ ବା ଭରସା ଆସୁଥିବ; ତାହା ଘଟିଚାଲିଥିବା ଘଟଣାଗୁଡ଼ିକୁ ଦେଖିଲେ ସହଜରେ ଅନୁମାନ କରାଯାଇପାରିବ । ଗତ ପ୍ରାୟ୧୧ବର୍ଷର ରାଜନୈତିକ ବାତାବରଣକୁ ସମୀକ୍ଷା କଲେ ଜଣାପଡ଼େଯେ ଆମର ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ କ୍ରମାଗତ ଭାବେ ନିଜ ଦାୟିତ୍ୱ ତୁଲାଇବାରେ ବିଫଳ ହୋଇ ଚାଲିଛନ୍ତି । କମ୍ପାନୀ ଶକ୍ତି ଓ ସାମ୍ପ୍ରଦାୟିକ ଶକ୍ତି ମିଳିତଭାବରେ ରାଷ୍ଟ୍ର ଚଳାଉଥିବା ନେତୃତ୍ୱ, ରାଷ୍ଟ୍ରର ପ୍ରମୁଖ ଗଣତାନ୍ତ୍ରିକ ଅନୁଷ୍ଠାନ ଏବଂ ଏମିତିକି ଆମ ସମାଜର ସଂଖ୍ୟାଗରିଷ୍ଠ ମାନଙ୍କୁ ନିଜର ନିୟନ୍ତ୍ରଣ ବା ପ୍ରଭାବ ଭିତରେ ରଖିବାରେ ସଫଳ ହୋଇପାରିଛନ୍ତି । ଗଣମାଧ୍ୟମ ଗଣଙ୍କ ପକ୍ଷରେ ନାହିଁ; ଏହି କଥା ତୁହାକୁ ତୁହା ପ୍ରମାଣିତ ହୋଇସାରିଛି । ତଥାକଥିତ ସାମାଜିକ ଗଣମାଧ୍ୟମ ଆମ ମନଟିକୁ ଗୋଟିଏ ଛୋଟ ଯନ୍ତ୍ର ଭିତରେ ରଖିଦେଇ ଅନେକ ବିଭ୍ରାନ୍ତି ସୃଷ୍ଟି କରିପାରୁଛି । ସତ୍ୟ କଣ ଜାଣିବାପାଇଁ ଆମମାନଙ୍କ ଭିତରେ ପରସ୍ପରକୁ ଭେଟି ଆଲୋଚନା କରିବାର ଅଭ୍ୟାସଟି ଇତିହାସ ଭିତରକୁ ପଳାଇ ଯାଇଛି । ଆମେ କେବେ ବି ପ୍ରଶ୍ନ କରୁନଥିଲେ ଏବଂ ଏବେ ପ୍ରଶ୍ନ କରୁଥିବା ଲୋକଟକୁ ହିଁ ପ୍ରଶ୍ନ କରୁଛନ୍ତି । ଏହା ଫଳରେ କମ୍ପାନୀରାଜ ଓ ସାମ୍ପ୍ରଦାୟିକ ଶକ୍ତିମାନଙ୍କର ଅସାମ୍ବିଧାନିକ, ଅଗଣତାନ୍ତ୍ରିକ ଓ ଅନୈତିକ କାର୍ଯ୍ୟକଳାପଗୁଡ଼ିକୁ ସ୍ୱୀକୃତି ଓ ବୈଧତା କେବଳ ମିଳୁ ନାହିଁ ବରଂ ସମ୍ମାନ ମଧ୍ୟ ମିଳୁଛି । ଏଭଳି ଏକ ସମୟରେ ଭାରତର ସଂଖ୍ୟାଲଘୁ ମୁସଲମାନମାନେ, ପ୍ରାକୃତିକ ସମ୍ପଦରେ ଭରପୁର ଥିବା ଅଞ୍ଚଳର ଆଦିବାସୀ ଏବଂ ଦଳିତମାନେ କେଉଁ ସ୍ଥିତିରେ ଅଛନ୍ତି ଜାଣିବା ପାଇଁ ଆଉ କୌଣସି ଆୟୋଗ ଗଠନର ଆବଶ୍ୟକତା ନାହିଁ । ଏମାନେ ସମସ୍ତେ ପୂର୍ବରୁ ହିଁ କ୍ଷମତାହୀନ ଓ ଦୁଃସ୍ଥ ସ୍ଥିତିରେ ରହି ଆସିଛନ୍ତି । ଗୋଟିଏ ସମ୍ବେଦନହୀନ ସଂଖ୍ୟାଗରିଷ୍ଠ ଶାସକମାନଙ୍କ ପାଇଁ ସେମାନଙ୍କୁ ଅଧିକ ନିଷ୍ପେଷିତ କରିବାପାଇଁ ଏହା ହିଁ ପ୍ରକୃଷ୍ଟ ସମୟ । ପ୍ରତିବାଦ କରିବା ପାଇଁ ସେମାନଙ୍କର ଶକ୍ତି ନାହିଁ ଏବଂ ତାଙ୍କ ପଛରେ ଛିଡ଼ା ହେବାପାଇଁ କୌଣସି ସାଙ୍ଗଠନିକ ଶକ୍ତି ନାହିଁ । ସେଥିପାଇଁ ଦେଶର କେତୋଟି ରାଜ୍ୟରେ ମୁଖ୍ୟତଃ ଯେଉଠି ଭାଜପା କ୍ଷମତାରେ ଅଛି , ବୁଲଡ଼ୋଜର ଲଗାଇ ବା ଜେସିବି ମେସିନ ମାଧ୍ୟମରେ ସଂଖ୍ୟାଲଘୁ ମୁସଲମାନମାନଙ୍କର ଘରଗୁଡ଼ିକୁ ମାଟିରେ ମିଶାଇ ଦିଆଯାଉଛି । ଆନ୍ତର୍ଜାତୀୟ କ୍ଷମା ସଂସ୍ଥା( ଆମ୍ନେଷ୍ଟି ଇଂଟରନ୍ୟାସନାଲ)ର ରିପୋର୍ଟ ଅନୁଯାୟୀ କେବଳ ଏପ୍ରିଲ ଓ ଜୁନ୍ ୨୦୨୨ ଭିତରେ ୧୨୮ଟି ଏଭଳି ଘଟଣା ସାମ୍ନାକୁ ଆସିଛି । ସେମାନେ ଅନୁସନ୍ଧାନ କରିଥିବା ୩୩ଟି ଘଟଣାରେ ତୁହାକୁ ତୁହା ଜେସିବି ମେସିନ୍ ଲଗାଇ ଅନେକ ଘରକୁ ଧ୍ୱଂସ କରାଯାଇଛି । ଏହି ପ୍ରକ୍ରିୟାରେ ୬୧୭ଜଣ ମୁସଲମାନ ଗୃହହୀନ ହୋଇ ଖୋଲା ଆକାଶତଳେ ଜୀବନ ବିତାଉଛନ୍ତି । ସବୁଠି ଗୋଟିଏ ସରକାରୀ ସଫେଇ, ‘ସେମାନେ ବେଆଇନ ଭାବେ ଘର ତୋଳିଥିଲେ’ ଏବଂ ‘ସେମାନଙ୍କୁ ପୂର୍ବରୁ ନୋଟିସ୍ ଜାରି କାରାଯାଇଥିଲା’ । ବିଡ଼ମ୍ବନାର କଥାଯେ ଏମାନେ ସମସ୍ତେ ମୁସଲମାନ ହିଁ ଥିଲେ । ନଭେମ୍ବର ୧୩,୨୦୨୪ଦିନ ଭାରତର ଉଚ୍ଚତମ ନ୍ୟାୟାଳୟ ସଂଖ୍ୟାଲଘୁମାନଙ୍କ ପ୍ରତି ଏଭଳି ଆଚରଣକୁ ନେଇ ଉଦବେଗ ପ୍ରକାଶ କରିଥିଲାବେଳେ ‘ବୁଲ୍ଡ଼ୋଜର ରାଜନୀତି’ ଉପରେ ଅଙ୍କୁଶ ଆଣିବାପାଇଁ କିଛି ପଦକ୍ଷେପ ମଧ୍ୟ ନେଇଥିଲେ । କିନ୍ତୁ ଉଚ୍ଚତମ ନ୍ୟାୟାଳୟ ପ୍ରତି ସରକାରଙ୍କର ସମ୍ମାନ ବା ଆଦର କେତେ ଅଛି ; ଅତୀତର ଘଟଣାବଳୀରୁ ସ୍ପଷ୍ଟ ଜଣାପଡ଼ୁଛି ।
କେବଳ ସମ୍ବିଧାନରେ ବ୍ୟବସ୍ଥା କରିଦେଲେ ବା ମିଳିତ ଜାତିସଂଘରେ ଘୋଷଣାନାମାଟି ଜାରି କରିଦେଲେ ସଂଖ୍ୟାଲଘୁମାନଙ୍କର ଅଧିକାର ସୁରକ୍ଷା ହେବ ନାହିଁ; ଏହିକଥା ଭାରତର ସାମ୍ପ୍ରତିକ ଚିତ୍ରପଟଟିକୁ ଦେଖିଲେ ଜଣାପଡ଼ୁଛି । ଡଃ ଆମ୍ବେଦକରଙ୍କର ପୂର୍ବରୁ ଦିଆଯାଇଥିବା ଉକ୍ତିଯେ ସଂଖ୍ୟାଗରିଷ୍ଠମାନେ ନିଜର ଭେଦଭାବ ଅଭ୍ୟାସକୁ ପରିତ୍ୟାଗ କରିବାବିନା ସଂଖ୍ୟାଲଘୁମାନଙ୍କର ଅଧିକାର ସୁରକ୍ଷିତ ହେବ ନାହିଁ, ବରଂ ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ ସୃଷ୍ଟି କରୁଛି ଯେ, ଆମେ ସମାଜ ସ୍ତରରେ ଏହି ଦାୟିତ୍ୱଟିକୁ କେମିତି ନିଷ୍ଠାର ସହ ତୁଲାଇବା ଯାହା ଗୋଟିଏ ସମ୍ବେଦନହୀନ ସରକାରକୁ ସମ୍ବେଦନଶୀଳ ହେବାପାଇଁ ବାଧ୍ୟ କରିବ ।
Comments
0 comments