ରାଭେନ୍ଶାଙ୍କ ନାଁରେ ନାମିତ କଲେଜ ବା ମହାବିଦ୍ୟାଳୟରେ ଏ ଲେଖକ ତାର କଲେଜ ଜୀବନ ଆରମ୍ଭ କରିଥିଲା ପ୍ରାୟ ୬ ଦଶକ ତଳେ । ଏହି କଲେଜର ସାଂଧ୍ୟ ଖଣ୍ଡରେ ଆରମ୍ଭ କରିଥିଲା ପ୍ରାୟ ପଚାଶ ଦଶକ ତଳେ ତାର ଅଧ୍ୟାପନା ଜୀବନ, ଗଣିତ ଅଧ୍ୟାପକ ଭାବେ । ସେ ଛାତ୍ର ଥିବା ସମୟରେ ଏହି କଲେଜର ଶତବାର୍ଷକୀ ପାଳନ ହୋଇଥିଲା । ବିଦ୍ୟାଳୟ ଜୀବନ ପରେ ଏହି ମହାବିଦ୍ୟାଳୟରେ ପ୍ରବେଶ କରିବା ଏକ ଅଦମିତ ଆକାଂକ୍ଷା ଥିଲା ପ୍ରତ୍ୟେକ କିଶୋରର । ଏହି ଅନୁଷ୍ଠାନ ସହିତ ସମ୍ପୃକ୍ତ ହେବାର ଗୈାରବକୁ ପାଶୋର ହେବାର ଦୁର୍ଭାଗ୍ୟକୁ ସେ ସହ୍ୟ ନ କରିପାରିବା ସ୍ୱାଭାବିକ । ତେଣୁ ଯେତେବେଳେ ଏହି ମହାବିଦ୍ୟାଳୟର ନାମାନ୍ତର ପାଇଁ ପ୍ରସ୍ତାବ ଦିଆଯାଉଛି, ତାହା ନିଶ୍ଚିତ ଭାବରେ ସେମାନଙ୍କୁ କଷ୍ଟ ଦେଉଛି ଯେଉଁମାନେ ଏହି ଐତିହ୍ୟ ସମ୍ପନ୍ନ ମହାବିଦ୍ୟାଳୟରେ ଶିକ୍ଷିତ ହୋଇଛନ୍ତି,ଏବଂ ଯେଉଁମାନେ ଏହାର ଇତିହାସ ସହ ପରିଚିତ ଅଛନ୍ତି ।
ସେପ୍ଟେମ୍ବର ୨୦୨୪ ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ନାମାନ୍ତରର ପ୍ରସ୍ତାବ ରଖି ଓଡିଶାର ବୁଦ୍ଧିଜୀବୀମାନେ ଏହାକୁ ବିଚାର କରିବା ପାଇଁ ଆହ୍ୱାନ କରିବା ଫଳରେ ବିଷୟଟିକୁ ନେଇ ବିତର୍କ ଆରମ୍ଭ ହୋଇଛି । ଏହି ନାମାନ୍ତର ପ୍ରସ୍ତାବ ପଛରେ କାରଣ ଦିଆଯାଉଛି ଯେ ରେଭେନ୍ଶା ନାଁରୁ ଔପନିବେଶିକତାର ଗନ୍ଧ ଆସୁଛି ଓ ଏହି ଭଦ୍ରଲୋକ ଓଡିଶାର କମିଶନର ଥିବା ବେଳେ ପଡିଥିବା ନ’ଅଙ୍କ ଦୁର୍ଭିକ୍ଷରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସତେ ଯେପରି ଏତେ ବଡ ସଂଖ୍ୟାରେ ମୃତ୍ୟୁ ପାଇଁ ରେଭେନ୍ଶା ସାହେବ ହିଁ ଦାୟୀ । ତେଣୁ ବାସ୍ତବିକତା କ’ଣ, ତାହା ଜାଣିବାର ଆଗ୍ରହରୁ ଏହି ନିବନ୍ଧର ସୃଷ୍ଟି । ଯେଉଁମାନେ ରାଭେନ୍ଶାଙ୍କ ସହ କାର୍ଯ୍ୟ କରିଥିଲେ, ତାଙ୍କର ପ୍ରତ୍ୟକ୍ଷ ସମ୍ପର୍କରେ ଆସିଥିଲେ, ତାଙ୍କ ସହ ସମ୍ପର୍କରେ ଥିଲେ, ସେମାନଙ୍କର ମତ ଓ ଅଭିଜ୍ଞତା ହିଁ ଏହି ନିବନ୍ଧର ଆଧାର ।
ଓଡିଆ ଜାତୀୟତା ଓ ରାଭେନ୍ଶା
ନାମାନ୍ତର ପ୍ରସ୍ତାବ ଦେଉଥିବା ବ୍ୟକ୍ତି ମାନେ ଯାହା ଅଣଦେଖା କରୁଛନ୍ତି ତାହା ହେଉଛି ଯେତେବେଳେ ଓଡିଆ ଭାଷା ତାର ଅସ୍ତିତ୍ୱରେ ସଙ୍କଟର ସମ୍ମୁଖୀନ ହେଉଥିଲା ସେତେବେଳେ ଓଡିଶାରେ ଶିକ୍ଷାର ପ୍ରସାର ପାଇଁ ରେଭେନ୍ଶାଙ୍କର ଅବଦାନ, ଓ ଓଡିଶା ଓ ଓଡିଆଙ୍କ ପ୍ରତି ତାଙ୍କର ନିସ୍ୱାର୍ଥପର ସ୍ନେହ ଯାହା ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ହୃଦୟରେ ରହିଥିଲା । ତା ନ ହେଲେ ବୃଦ୍ଧ ରାଭେନ୍ଶା ଉକ୍ରଳ ଗୈାରବ ମଧୁସୂଦନ ଦାସଙ୍କୁ କହନ୍ତେ ନାହିଁ୧, “ଓଡିଆ ଜାତିକୁ ମୁଁ ଖୁବ ଶ୍ରଦ୍ଧା କରେ । ଜଣେ ଓଡିଆ ସହିତ ମୁଁ ଯେପରି ଅକୁଂଠିତ ଭାବରେ କଥାବାର୍ତା କରିପାରେ, ଅନ୍ୟ କାହାରି ସହିତ ସେପରି ପାରେ ନାହିଁ ।” ମଧୁସୂଦନଙ୍କ ସହ ‘ରାଭେନ୍ଶା ଓଡିଆରେ କଥୋପକଥନ କରୁଥିଲେ’ । କଥୋପକଥନ ବେଳେ ମଧୁବାବୁ ଶୁଣୁଥିଲେ ‘ରେଭେନ୍ଶାଙ୍କର କେବଳ ଗୋଟିଏ ଚିନ୍ତା , ଓଡିଶାରେ ଉଚ୍ଚଶିକ୍ଷାର ପ୍ରସାର ।’ ମଧୁସୂଦନ ତାଙ୍କର ଚିନ୍ତାକୁ ପ୍ରଶମିତ କରିବାକୁ ଯାଇଁ କହୁଥିଲେ, “ଆପଣଙ୍କ ଦ୍ୱାରା ସ୍ଥାପିତ ରାଭେନ୍ଶା କଲେଜ ବର୍ତମାନ ଏକ ପୂର୍ଣ୍ଣାଂଗ କଲେଜ ।” ଏହି କଥୋପକଥନ ହେଉଥିଲା ଇଂଲଣ୍ଡର ସସେସ୍କସ୍ ସହରରେ, ୧୮୯୭ ଜୁଲାଇ ମାସରେ । ଏହା ମଧୁସୂଦନ ଜଣାଇଥିଲେ ଯାହା ଉକ୍ରଳ ଦୀପିକାର ୭ ଅଗଷ୍ଟ ୧୮୯୭ ସଂଖ୍ୟାରେ, ସମ୍ପାଦକଙ୍କୁ ‘ପ୍ରେରିତ ପତ୍ର’ ସ୍ତମ୍ଭରେ ପ୍ରକାଶ ପାଇଥିଲା । ପତ୍ରଟି ମଧୁସୂଦନ ଲେଖିଥିଲେ ୧୩ ଜୁଲାଇ ୧୮୯୭ ଦିନ । ଇଂଲଣ୍ଡରୁ ଫେରିବା ପରେ ରାଭେନ୍ଶାଙ୍କ ଠାରୁ ଏକ ପତ୍ର ପାଇଥିଲେ ମଧୁସୂଦନ । ରାଭେନ୍ଶା ୩୦ ନଭେମ୍ବର ୧୮୯୮ରେ ଲେଖିଥିଲେ୧, “ଆପଣ ଦୟାକରି ଯେଉଁମାନେ ମୋତେ ମନେ ରଖିଥିବେ ସେ ସମସ୍ତଙ୍କୁ ଜଣାଇବେ କି ଯେ ମୋ ହୃଦୟ ବର୍ତମାନ ମଧ୍ୟ ଓଡିଶାରେ ରହିଛି, ଏବଂ ଯଦିଓ ମୁଁ ବୃଦ୍ଧ ହୋଇଗଲିଣି ସେମାନଙ୍କୁ ମୁଁ ପାଶୋରି ନାହିଁ ।” ରାଭେନ୍ଶା ଯେତେବେଳେ ପ୍ରଥମେ ଓଡିଶା ଆସିିଲେ, ୧୮୬୫ ଜୁଲାଇ ପ୍ରଥମ ସପ୍ତାହରେ, ସେତେବେଳେ, ତାଙ୍କରି ଭାଷାରେ୨(ପୃ ୨୪୩), “ମୁଁ ଓଡିଆ ଭାଷା ଜାଣି ନ ଥିଲି କିନ୍ତୁ ବଂଗଳା ସହିତ ଅଭ୍ୟସ୍ତ ଥିଲି । ଏବଂ ଖୁ୍ବ ଶୀଘ୍ର ଓଡିଆ ବୁଝିପାରିଲି ।” କିନ୍ତୁ ଓଡିଶା ଲୋକଙ୍କର ଆସ୍ଥାଭାଜନ ହୋଇପାରିଥିଲେ ରାଭେନ୍ଶା , ଓଡିଶା ଆସିବାର ଅଳ୍ପ ଦିନ ଭିତରେ । ଏହାର ପ୍ରମାଣ ଆମେ ପାଉ ୧ ସେପ୍ଟେମ୍ବର ୧୮୬୬ ମସିହାରେ ଉକ୍ରଳ ଦୀପିକାରେ ପ୍ରକାଶିତ ଏହି ସମ୍ବାଦରେ- “ଆମ୍ଭର ବର୍ତମାନର କମିଶନର ଶ୍ରୀଯୁକ୍ତ ରେଭେନ୍ଶା ସାହେବ ଏ ଦେଶର ଲୋକଙ୍କୁ ଶିକ୍ଷା ଦେବାକୁ ଯେ ରୂପ ଯତ୍ନ କରୁଅଛନ୍ତି ତାହା ସର୍ବବିଦିତ ଓ ସ୍କୁଲରେ ଅଳ୍ପକାଳ ହେଲା ଯେ ବକ୍ତୃତା ପ୍ରଦାନ କରିଥିଲେ , ସେଥିରେ ତହିଁର ବିଶେଷ ପ୍ରମାଣ ପ୍ରାପ୍ତ ହୋଇଅଛି । ଏହାଙ୍କ ହସ୍ତରେ ଉକ୍ତ ଭାର ଦିଆଗଲେ ସେ ଯେ ଉପଯୁକ୍ତ ଲୋକ ଦେଖି ନିଯୁକ୍ତ କରିବେ , ଏଥିରେ ଲେଶମାତ୍ର ଆମ୍ଭମାନଙ୍କର ସନ୍ଦେହ ହେଉନାହିଁ ।” ଏହା ପ୍ରକାଶ ପାଇଥିଲା “ଓଡିଶା ସ୍କୁଲମାନଙ୍କ ଦିପୋଟୀ ଇନ୍ସପେକ୍ଟରୀ କର୍ମ” ଶିରୋନାମାରେ । ସେ ୩ ଜୁଲାଇ ୧୮୬୫ଦିନ ପୁରୀରେ ପହଂଚି, ପ୍ରଥମ ଥର ପାଇଁ ଓଡିଶା ମାଟିରେ ପାଦ ରଖିଥିଲେ, ଓ ୫ ଜୁଲାଇ ୧୮୬୫ରେ କଟକରେ ପହଂଚିଥିଲେ । ୨୬ ଜୁନ ୧୮୬୫ ଦିନ ସେ କଲିକତାରେ କଟକ ମଣ୍ଡଳର ଭାରପ୍ରାପ୍ତ (officiating) କମିଶନର ରୁପେ ଦାୟିତ୍ୱ ଗ୍ରହଣ କରି ଓଡିଶା ଆସିଥିଲେ । ତେଣୁ ମାତ୍ର ବର୍ଷକ ମଧ୍ୟରେ ସେ ଓଡିଆ ଲୋକଙ୍କର ଆସ୍ଥାଭାଜନ ହେବା, ବିଶେଷତଃ ଓଡିଶାରେ ଶିକ୍ଷା ସନ୍ଦର୍ଭରେ, ମାତ୍ର ବର୍ଷକ ମଧ୍ୟରେ ତାହା ପୁଣି ଯେତେବେଳେ ନ’ ଅଙ୍କ ଦୁର୍ଭିକ୍ଷର ବିଭୀଷିକା ବେଶ ତୀବ୍ର ଏବଂ ଅଗଷ୍ଟ ୧୮୬୬ରେ ମୃତ୍ୟୁହାର ସବୁଠାରୁ ଅଧିକ । ସାର୍ ଜନ ବୀମସ୍ ଯିଏ ବାଲେଶ୍ୱର ଏବଂ କଟକର କଲେକ୍ଟର ଥିଲେ ଯେତେବେଳେ ରାଭେନ୍ଶା କମିଶନର ଥିଲେ, ରାଭେନ୍ଶାଙ୍କ ସମ୍ପର୍କରେ ଲେଖିଥିଲେ୩, “… ତାଙ୍କର ବହୁତ ଅଭିଜ୍ଞତା ରହିଛି ଏବଂ ସେ ବିଶଦ ଭାବରେ ଜାଣିଥିଲେ ଓଡିଶାକୁ ଓ ଓଡିଆଙ୍କୁ । ସେମାନେ ତାଙ୍କୁ ଭଲ ପାଉଥିଲେ ଯେତେଦୂର ସେମାନେ ଏକ ଇଉରାପୀୟଙ୍କୁ ଭଲ ପାଇବାରେ ସମର୍ଥ । ” ଏହା ସହିତ ସେ ମଧ୍ୟ ଲେଖିଥିଲେ୩, “କିନ୍ତୁ ସେ ଦକ୍ଷତାର ସହ(efficiently) ଶାସନ କରିଥିଲେ, ଯଦିଓ ନିପୁଣତାର ସହ(brilliantly) ନୁହେଁ, ଏକ ଦେଶକୁ ଯାହା Wales (ଯୁକ୍ତ ରାଜ୍ୟ(UK)ର ଏକ ଦେଶ)ଠାରୁ କିଛିଟା ବଡ । ସେ ଜଣେ ଉତ୍କୃଷ୍ଟ ମାନର ବ୍ୟକ୍ତି ଏବଂ ଘୋଡା ଚିହ୍ନିବାରେ ଉତ୍ତମ-ଏକ ଅଣଅହଙ୍କାରୀ ସାଧାରଣ ଇଂରାଜ ଭଦ୍ରଲୋକ । ” ଓଡିଆ ଭାଷା ସୁରକ୍ଷା ଆନ୍ଦୋଳନର ବୀଜ ବପନ ରାଭେନ୍ଶାଙ୍କ ଯୋଗୁଁ ହିଁ ହୋଇଥିଲା । ଗବେଷକ ଗଗନେନ୍ଦ୍ର ଦାଶ ଲେଖନ୍ତି୪(ପୃ ୪-୫) , “ରେଭେନ୍ଶା କର୍ଯ୍ୟରେ ଯୋଗ ଦେବାର ମାତ୍ର ଅଳ୍ପକାଳ ପରେ ଓଡିଶାର ବିଦ୍ୟାଳୟ ଉଚ୍ଚଶ୍ରେଣୀରେ ଓଡିଆ ଭାଷା ଅବହେଳିତ ହେଉଥିବାରୁ ସେଥିପ୍ରତି ବଂଗ ସରକାରଙ୍କ ଦୃଷ୍ଟି ଆକର୍ଷଣ କରନ୍ତି ଓ କେବଳ ଓଡିଆ ଭାଷା ଶିକ୍ଷାର ପ୍ରସ୍ତାବ ଦିଅନ୍ତି । ତେଣୁ ଏଠାରେ ହିଁ ଓଡିଆ ଭାଷା-ସୁରକ୍ଷା ଆନ୍ଦୋଳନର ବୀଜବପନ କରାଯାଇଥିଲା; ଏଇଠାରେ ଥିଲା ଏହି ଆନ୍ଦୋଳନର ମୂଳ ।” ରାଭେନ୍ଶା ମଧ୍ୟ ତାଙ୍କର ମତକୁ ପ୍ରକାଶ୍ୟରେ ଘୋଷଣା କରନ୍ତି , ଏପ୍ରିଲ ୧୩, ୧୮୬୮ ଦିନ, କଟକ ହାଇସ୍କୁଲର ବାର୍ଷିକ ଉତ୍ସବରେ ସଭାପତିତ୍ୱ କରି । ସେ କହିଥିଲେ୪(ପୃ ୭), “ଏ ପ୍ରଦେଶର ବିଦ୍ୟାଳୟ ସମୁହରେ….ବଂଗଭାଷାର କୈାଣସି ପ୍ରୟୋଜନ ନାହିଁ । ଏହାକୁ ଏକାବେଳେ ଉଠାଇ ଦେବାଇ କର୍ତବ୍ୟ । ସମସ୍ତ ଲୋକଙ୍କୁ ସ୍ୱଦେଶୀୟ ଭାଷା ଶିଖିବା ଉଚିତ …ବଂଗଳା ଭାଷା ଶିଖି ଏ ଦେଶୀୟ ଲୋକଙ୍କର କିଛି ଉପକାର ହେବ ନାହିଁ ।” ଓଡିଆ ଭାଷା ସୁରକ୍ଷା ଆନ୍ଦୋଳନକୁ ଯଦି “ଓଡିଆ ଜାତୀୟତାର ପ୍ରଥମ ଆତ୍ମପ୍ରକାଶ” ବୋଲି କୁହାଯାଏ୪(ପୃ ୩୫), ତାହାହେଲେ ରାଭେନ୍ଶାଙ୍କୁ ଓଡିଆ ଜାତୀୟତାର ଅଗ୍ରଦୂତ ମାନ୍ୟତା ଦିଆଯାଇପାରେ କି? ଓଡିଆଙ୍କର ସ୍ୱାର୍ଥ ରକ୍ଷା ପାଇଁ ଗଠିତ ଉତ୍କଳ ସମ୍ମିଳନୀ ଯାହାର ଏକାନ୍ତ ଉଦ୍ୟମର ପରିଣତି ହୋଇଥିଲା ସ୍ୱତନ୍ତ୍ର ଓଡିଶା ପ୍ରଦେଶର ସ୍ଥାପନା, ସେହି ଉତ୍କଳ ସମ୍ମିଳନୀର, ୩୧ ଡିସେମ୍ବର ୧୯୧୦ରେ କଟକଠାରେ ଅନୁଷ୍ଠିତ, ସପ୍ତମ ଅଧିବେଶନରେ ରାଭେନ୍ଶା ସାହେବଙ୍କର ଟ୧୦୦୦ଙ୍କା ଦାନ ପାଇଁ ଏକ ଧନ୍ୟବାଦ ପ୍ରସ୍ତାବ ଗ୍ରହଣ କରାଯିବା୫ ଦର୍ଶାଏ ରାଭେନ୍ଶାଙ୍କର ଓଡିଆ ଓ ଓଡିଶା ପ୍ରତି ଆକର୍ଷଣ ଓ ଓଡିଆଙ୍କର ତାଙ୍କ ପ୍ରତି ଶ୍ରଦ୍ଧାଭାବ । ସେତେବେଳକୁ ରାଭେନ୍ଶାଙ୍କ ବୟସ ୮୩ବର୍ଷ । ଏହା ଦର୍ଶାଏ ଯେ ଓଡିଆ ଓ ଓଡିଶା ପ୍ରତି ରାଭେନ୍ଶାଙ୍କ ଭଲ ପାଇବା ଅବ୍ୟାହତ ରହିଥିଲା ଶେଷ ପର୍ଯ୍ୟନ୍ତ । ରେଭେନ୍ଶାଙ୍କ ମୃତ୍ୟୁ ଫେବୃଆରୀ ୪, ୧୯୧୪ରେ ହୋଇଥିଲା, ୮୭ ବର୍ଷ ବୟସରେ । ଯେଉଁମାନେ ଓଡିଆ ଅସ୍ମିତାର କଥା ଅନବରତ ଉଠାଉଛନ୍ତି ସେମାନେ ଓଡିଆ ଜାତୀୟ ଜୀବନରେ ରାଭେନ୍ଶାଙ୍କ ଭୂମିକାର ଏହି ଇତିହାସ ସମ୍ପର୍କରେ ଅବଗତ ହେବା ଉଚିତ ।
ନ’ଅଙ୍କ ଦୁର୍ଭିକ୍ଷ ଓ ରାଭେନ୍ଶା
ବର୍ତମାନ ଦେଖିବା ନ’ଅଙ୍କ ଦୁର୍ଭିକ୍ଷରେ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ପାଇଁ ରାଭେନ୍ଶା କେତେଦୂର ଦାୟୀ ? ନ’ଅଙ୍କ ଦୁର୍ଭିକ୍ଷ ଯେ ଏକ ବିରାଟ ବିପତ୍ତି ଥିଲା, ଏହା ବ୍ରିଟିଶ ପାର୍ଲିଆମେଂଟରେ ସ୍ୱୀକାର କରିଥିଲେ, ଭାରତ ପାଇଁ ସଚିବ(Secretary of State For India)Sir Stafford NorthCote . ସେ କହିଥିଲେ୨(ପୃ xxvi), “ଏହି ବିପର୍ଯ୍ୟୟ ଆମ ବିଫଳତାର ଏକ ସ୍ମାରକ(monument) ଏହି ଦେଶର ଲୋକଙ୍କୁ , ଏହି ଦେଶର ସରକାରଙ୍କୁ ଓ ଆମର ଭାରତୀୟ ଅଧିକାରୀ ମାନଙ୍କୁ ଯାହାଙ୍କ ପାଇଁ ଆମେ ଟିକିଏ ଅଧିକା ଗର୍ବ କରିଥାଉ ସେମାନଙ୍କୁ ଏହା ଏକ ଅପମାନ(humiliation) । ତେବେ ଏହି ସମୟରେ ଆମେ ଆଶା କରିବା ଯେ ଏହିଥିରୁ କିଛି ଶିକ୍ଷା ଲାଭ କରାଯାଇପାରେ ଯାହା ଆମ ପାଇଁ ପ୍ରକୃତରେ ମୂଲ୍ୟବାନ ହୋଇପାରେ…..” । ଏକ ଔପନିବେଶିକ ସରକାର ତରଫରୁ ବ୍ରିଟିଶ ପାର୍ଲିଆମେଂଟରେ ନ’ଅଙ୍କ ଦୁର୍ଭିକ୍ଷକୁ ନିଜର ବ୍ୟର୍ଥତାର ଏକ ସ୍ମାରକ ବୋଲି ଅଭିହିତ କରିବା ଓ ଏହା ଦ୍ୱାରା ତାଙ୍କ ଲୋକେ, ତାଙ୍କ ସରକାର ଓ ତାଙ୍କର ଭାରତୀୟ କର୍ମଚାରୀ କିପରି ଅପମାନିତ ହୋଇଛନ୍ତି ତାହାକୁ ସ୍ୱୀକାର କରିବା ଔପନିବେଶିକତା ପ୍ରତି ଉନ୍ନାସିକ ବ୍ୟକ୍ତି ମାନଙ୍କ ପାଇଁ ଅଭାବନୀୟ ମନେ ହୋଇପାରେ । କାରଣ ଔପନିବେଶିକତାରୁ ମୁକ୍ତ ଦେଶୀ ସରକାର ମାନଙ୍କର ଶାସକଙ୍କ ଠାରେ ଅବହେଳା ପାଇଁ ଅନୁତାପର ଅଭିବ୍ୟକ୍ତି ଦେଖାଯାଏ ନାହିଁ, ଯେପରି କରୋନା ମହାମାରୀକାଳରେ ଆମ ଦେଶରେ ଅଭିଜ୍ଞତା । ବରଂ ଯେଉଁ ସମ୍ବାଦ ପତ୍ର ଏହାକୁ ଉନ୍ମୋଚିତ କଲେ ତାଙ୍କୁ ସରକାରଙ୍କର ଆକ୍ରୋଶର ଶୀକାର ହୋବକୁ ପଡିଲା୬ । ଅବଶ୍ୟ ବିଲାତରେ ଏଥିପାଇଁ ଜଣେ ମନ୍ତ୍ରୀ କ୍ଷମା ମାଗିବାର ଦୃଷ୍ଟାନ୍ତ ରହିଛି୭ । ନିଜେ ରାଭେନ୍ଶା ମଧ୍ୟ ସ୍ୱୀକାର କରିଥିଲେ ପ୍ରାରମ୍ଭିକ ଆକଳନରେ ତାଙ୍କର ତୃଟିକୁ । ତାଙ୍କରି ଭାଷାରେ୨(ପୃxxvii),“ପଛକୁ ଚାହିଁ, ମୁଁ ଭାବୁଛି ଯେ ସମୁଦାୟ ପ୍ରଦେଶ ପାଇଁ ଶସ୍ୟ ଆମଦାନୀର ସୁପାରିଶ ଯଦି କିଛି ଆଗରୁ କରି ପାରିଥାନ୍ତି, ଏବଂ ପୁରୀରେ ସ୍ଥାନୀୟ ଦୁର୍ଦ୍ଦଶା ଦେଖି ସାରା ପ୍ରଦେଶରେ ଦୁର୍ଭିକ୍ଷର ସମ୍ଭାବନା ଅନୁମାନ କରି ପାରିଥାନ୍ତି ଓ ଆଗରୁ ବ୍ୟବସ୍ଥା କରି ପାରିଥାନ୍ତି । ମୁଁ ବର୍ତମାନ ଦେଖୁଛି ଯେ ସେତେବେଳେ ଦେଶରେ ଗଚ୍ଛିତ ଶସ୍ୟକୁ ନେଇ ଏବଂ ଏହା ସାଧାରଣରେ ଉପଲବ୍ଧ ହେବା ସମ୍ପର୍କରେ ଆମେ ବେଶ ଆଶାବାଦୀ ଥିଲୁ । ” ଅର୍ଥାତ୍ xxvii ସ୍ୱୀକାର କରୁଥିଲେ ଯେ ଏହା ତାଙ୍କର ତ୍ରୁଟି ଥିଲା ଯେ ପୁରୀ ଜିଲ୍ଲାରେ ଶସ୍ୟଭାବ ଦେଖି ସେ ଅନୁମାନ କରିପାରିଲେ ନାହିଁ ଯେ ଏହା ସାରା ପ୍ରଦେଶରେ ଦୁର୍ଭିକ୍ଷର ପୂର୍ବାଭାସ, ସେଥିପାଇଁ କେବଳ ପୁରୀ ପାଇଁ ଶସ୍ୟର ଆମଦାନୀ ନିମନ୍ତେ ସୁପାରିଶ ନ କରି ସାରା ପ୍ରଦେଶ ପାଇଁ ଶସ୍ୟ ଆମଦାନୀ ସୁପାରିଶ କରିବା ଉଚିତ ଥିଲା । କିନ୍ତୁ ପୁରୀ ଜିଲ୍ଲାରେ ଦୁଃସ୍ଥିତିକୁ ଦୁର୍ଭିକ୍ଷ ସ୍ଥିତି ବୋଲି ମନେ କରୁନ ଥିଲେ ପୁରୀ ଜିଲ୍ଲା ମାଜିଷ୍ଟ୍ରେଟ G N Barlow । ତା ନହେଲେ ସେ ୩୦ ଅକ୍ଟୋବର ୧୮୬୫ରେ ଡେପୁଟି ଜିଲ୍ଲା ମାଜିଷ୍ଟ୍ରେଟ ବାବୁ ରାମକ୍ଷୟ ଚାଟାର୍ଜୀଙ୍କୁ ଲେଖି ନ ଥାନ୍ତେ୨(ପୃ ୪୦୯), “ତୁମର ଭୟକୁ ବାହାରକୁ ଯିବା ପାଇଁ ଦିଅ ନାହିଁ । କାରଣ ବର୍ତମାନ ସୁଦ୍ଧା ଆମେ ଦୁର୍ଭିକ୍ଷ ସ୍ଥିତିରେ ପହଂଚି ନାହୁଁ । ” ବାଲେଶ୍ୱରର ଜିଲ୍ଲା ମାଜିଷ୍ଟ୍ରେଟ H Muspratt ଦୁର୍ଭିକ୍ଷ କମିଶନ ସମ୍ମୁଖରେ ତାଙ୍କର ଜମାନବନ୍ଦୀରେ (୧୮ ଜାନୁଆରୀ ୧୮୬୭) କହୁଥିଲେ ଯେ ଡିସେମ୍ବର (୧୮୬୫) ଏବଂ ଜାନୁଆରୀ(୧୮୬୬)ରେ ସେ ଦୁର୍ଭିକ୍ଷ ପରିସ୍ଥିତିର ଆଶଙ୍କା କରିବାର କୈାଣସି କାରଣ ଦେଖି ନଥିଲେ । ଫେବୃଆରୀ(୧୮୬୬)ରେ ସେ ଉକ୍ରଟ ଦୁର୍ଦ୍ଦଶା ଦେଖିଲେ, ଯାହାକୁ ଅବଶ୍ୟ ସେ ଦୁର୍ଭିକ୍ଷ ବୋଲି କହିଲେ ନାହିଁ । ସ୍ୱାଭାବିକ ଫେବୃଆରୀ ମାସରେ ଯେତେବେଳେ ଲେଫଟିନେଂଟ ଗଭର୍ଣ୍ଣର Sir C Beadon ପ୍ରଭାବିତ ଅଂଚଳ ପରିଦର୍ଶନରେ ଆସିଥିଲେ, ସେତେବେଳେ, ରାଭେନ୍ଶାଙ୍କ ଦୁର୍ଭିକ୍ଷ କମିଶନ ସମ୍ମୁଖରେ ଜମାନବନ୍ଦୀ ଅନୁସାରେ (୭ ଜାନୁଆରୀ ୧୮୬୭) ଆଲୋଚନା ସୀମିତ ଥିଲା ଖାଦ୍ୟାଭାବର ସ୍ଥିତି ଓ ଶସ୍ୟ ସଂଗ୍ରହରେ ସଙ୍କଟକୁ ନେଇ । ସେ ସମୟରେ ଦୁର୍ଭିକ୍ଷର କଥା ଉଠି ନ ଥିଲା – “ସେ ସମୟରେ ମୋର ଯାହା ମନେ ହୁଏ ଏହା ବୁଝା ପଡୁ ନ ଥିଲା ଯେ ଆମେ ଦୁର୍ଭିକ୍ଷର ସୀମାରେ ପହଂଚିଲୁଣି ବୋଲି । ” ବରଂ ଲେଫଟିନେଂଟ ଗଭର୍ଣ୍ଣର ରାଭେନ୍ଶାଙ୍କ ସହ ବାରମ୍ବାର ଖାଦ୍ୟାଭାବର ସ୍ଥିତି ଓ ଶସ୍ୟ ସଂଗ୍ରହରେ ସଙ୍କଟକୁ ନେଇ ଆଲୋଚନା ସମୟରେ ରାଭେନ୍ଶାଙ୍କର ମତ ଥିଲା୨(ପୃ ୨୪୬), “ଦେଶରେ ସମ୍ଭବତଃ ଯଥେଷ୍ଟ ଶସ୍ୟ ଗଚ୍ଛିତ ରହିଛି, ଯଦିବା ଏହାର ଦର ଚଢା ହୋଇ ପାରେ, ତଥାପି ପଇସା ଦେଇ ଏହାକୁ ସଂଗ୍ରହ କରାଯାଇପାରିବ ।” ଓ “ଶସ୍ୟ ଶସ୍ତା ହେଉ ତାହାହିଁ ଥିଲା ସାଧାରଣରେ ଦାବୀ” ଖାଦ୍ୟାଭାବ ର ସ୍ଥିତି ଓ ଶସ୍ୟ ସଂଗ୍ରହର ସଙ୍କଟ ଦେଖାଯିବାର ପ୍ରାରମ୍ଭିକ କାଳରୁ ରାଭେନ୍ଶାଙ୍କର ବିଶ୍ୱାସ ଥିଲା ଯେ ସ୍ଥାନୀୟ ଜମିଦାରଙ୍କ ପାଖରେ ଥିବା ଗଚ୍ଛିତ ଧାନ ଯଦି ବାହାରକୁ ଆସିବ ତାହାହେଲେ ଏହି ସଙ୍କଟର ସମାଧାନ ହୋଇପାରିବ । ଏହା ତ ଭିନ୍ନ କଥା ଯେ ଜମିଦାରମାନେ ଅଧିକାଂଶ, କେତେକଙ୍କୁ ବାଦ ଦେଲେ, ତାଙ୍କୁ ନିରାଶ କରିଥିଲେ । ଦୁର୍ଭିକ୍ଷ କମିଶନ ସମ୍ମୁଖରେ ଜମାନବନ୍ଦୀ ଦେଇ ସେ କହିଥିଲେ୨(ପୃ ୨୫୪), “ଦୁର୍ଭିକ୍ଷ ସମୟରେ ଦୁର୍ଦ୍ଦଶା ଲାଘବ କରିବା ଦିଗରେ ଜମିଦାରମାନେ ଏକ ଗୋଷ୍ଠୀ ଭାବରେ କିଛି କରି ନାହାନ୍ତି । ଯଦିଓ କିଛି ଅପବାଦ ରହିଛି ।” ଏହି ନୈରାଶ୍ୟ ପ୍ରତିଫଳିତ ହୋଇଥିଲା ଯେତେବେଳେ ସେ ଜମିଦାରମାନେ ରାଜସ୍ୱ ମାଫ କରିବା ପାଇଁ କରିଥିବା ଦରଖାସ୍ତକୁ ଖାରିଜ କରିଥିଲେ । ଏହାକୁ ଉତ୍କଳ ଦୀପିକା, ୨୨ ସେପ୍ଟେମ୍ବର ୧୮୬୬ ସଂଖ୍ୟାରେ, ଲେଖିଥିଲେ(ପୃ ୬୬), “କମିଶନର ସାହେବ ଲେଖିଥିଲେ ଯେ ଜମିଦାରମାନେ ସ୍ୱକର୍ମ ସାଧନ କରିଥିଲେ ସରକାରକୁ “କୋଟି କୋଟି” ଟଙ୍କାର ଚାଉଳ ଦେଶାନ୍ତରରୁ ଆଣିବାର ପ୍ରୟୋଜନ ହୋଇ ନ ଥାନ୍ତା ।” ଏପରି ଖାରିଜ କରାଯିବାରେ ଅସନ୍ତୁଷ୍ଟ ଜମିଦାରମାନେ ସରକାରଙ୍କୁ ଆବେଦନ କରିବା ଉପରେ ମନ୍ତବ୍ୟ କରି ଉକ୍ରଳ ଦୀପିକା, ୬ ଅକ୍ଟୋବର ୧୮୬୬ ସଂଖ୍ୟାରେ, ଲେଖିଥିଲେ(ପୃ ୯୧-୨), “ମାତ୍ର ଉକ୍ତ ଦରଖାସ୍ତ ବୋର୍ଡକୁ ନ ପଠାଇ ଏକାବେଳେକେ ଗବର୍ନମେଂଟକୁ ପଠାଇବାର କାରଣ ଆମେ ବୁଝିପାରୁ ନାହୁଁ ।…ଶ୍ରୀଯୁକ୍ତ ରାବେନ୍ଶା ସାହେବ ଆମ୍ଭର ମଂଗଳ ସକାଶେ ପ୍ରେରିତ ହୋଇଛନ୍ତି ।…କମିଶନର ସାହେବଙ୍କ ଆଜ୍ଞା ମନଯୋଗ ପୂର୍ବକ ପାଠ କଲେ ସେଥିରେ ଏହି ଉପଲବ୍ଧି ହେଉ ଅଛି ଯେ ତାଙ୍କ ବିବେଚନାରେ ରାଜସ୍ୱ ମାଫିରେ କେବଳ ଜମିଦାରଙ୍କ ଫାଏଦା ଅଛି ଓ ତାହା ମାଫ ନ ଦେଲେ କେବଳ ଜମିଦାରଙ୍କ କ୍ଷତି ହେବ । ଯଦ୍ୟପି ସେ ବିବେଚନା କରନ୍ତେ ଯେ ରାଜସ୍ୱ ମାଫିରେ ରୟତର ସାହାଯ୍ୟ ହୁଅଇ ତାହାହେଲେ ସେ ଅବଶ୍ୟ ମାଫି ସକାଶେ ଗବର୍ଣ୍ଣମେଂଟକୁ ଲେଖନ୍ତେ । କାରଣ ପ୍ରଜାଙ୍କ ଉପକାର ସକାଶେ ସାହେବ ପ୍ରଶଂସିତ ଦୁର୍ଭିକ୍ଷରେ ସାହାଯ୍ୟ କର୍ମ ଉତ୍ତମ ରୂପ ଚଳାଇବା କାରଣ ବିଶେଷ ଚେଷ୍ଟା ପାଉଅଛନ୍ତି ।” ତଥାପି ଖାଦ୍ୟାଭାବ ପରିସ୍ଥିତିର ପ୍ରାରମ୍ଭିକ କାଳରେ ପୁରୀ ଜିଲ୍ଲା ମାଜିଷ୍ଟ୍ରେଟ G N Barlow ଙ୍କୁ ଜମିଦାରମାନଙ୍କୁ ପ୍ରବର୍ତାଇବା ପାଇଁ ୧୪ ନଭେମ୍ବର ୧୮୬୫ ଦିନ ଏକ ପତ୍ରରେ ପରାମର୍ଶ ଦେଇଥିଲେ । ସେ ଲେଖିଥିଲେ୨(ପୃ ୪୧୨) ଯେ ଜମିଦାରମାନଙ୍କର କର୍ତବ୍ୟ ତାଙ୍କର ରୟତମାନଙ୍କର ଦୁଃସ୍ଥିତିକୁ ଲାଘବ କରିବା । ସେମାନେ ନିଜକୁ ଓ ସେମାନଙ୍କ ଲୋକଙ୍କୁ ସରକାରଙ୍କ ଉପରେ ନିର୍ଭରଶୀଳ ନ କରାଇ ନିଜେ ନିଜକୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରନ୍ତୁ । ଏହା ସହିତ ସେ ମଧ୍ୟ ଜଣାଇଥିଲେ ଯେ ପୁରୀର ଦୁଃସ୍ଥିତି ସମ୍ପର୍କରେ ସେ ସରକାରଙ୍କୁ ଜଣାଉଛନ୍ତି । ଏହି ପତ୍ର ରାଭେନ୍ଶା ଲେଖୁଥିଲେ ପୁରୀ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ୱାରା ଲିଖିତ ୮ ନଭେମ୍ବର ୧୮୬୫ ତାରିଖ ପଡିଥିବା ପତ୍ରର ଉତ୍ତରରେ, ପୁରୀର ଗ୍ରାମାଂଚଳରେ ଦୁଃସ୍ଥିତି, ବିଶେଷ ଭାବରେ ଚିଲିକା କୂଳସ୍ଥ ଅଂଚଳମାନଙ୍କରେ,ବିଷୟରେ ଅବଗତ ହୋଇ୨(ପୃ ୪୧୧) । ପୁରୀର ଗ୍ରାମାଂଚଳରେ ଦୁଃସ୍ଥିତି, ବିଶେଷ ଭାବରେ ଚିଲିକା କୂଳସ୍ଥ ଅଂଚଳମାନଙ୍କରେ, ଯାହା ପୁରୀ ଜିଲ୍ଲା ମାଜଷ୍ଟ୍ରେଟ ଜଣାଇଥିଲେ, ଓ ସରକାରଙ୍କ ଦ୍ୱାରା ଶସ୍ୟ କିଣାଯାଉ ଓ ପ୍ରପୀଡିତ ଲୋକଙ୍କ ଭିତରେ ଅନୁକମ୍ପାମୂଳକ ବିତରଣ କରାଯାଉ ବୋଲି ସୁପାରିଶ କରିଥିଲେ, ତାହାକୁ ରାଭେନ୍ଶା ୧୪ ନଭେମ୍ବର ୧୮୬୫ ଦିନ ପତ୍ରରେ, ସରକାରଙ୍କୁ ଜଣାଇଥିଲେ, ଲେଖିଥିଲେ୨(ପୃ ୪୧୩), “ମୁଁ ଲୋକଙ୍କର ଦୟନୀୟ ସ୍ଥିତିକୁ ନେଇ ଯେତେ ଦୁଃଖ ପ୍ରକାଶ କରେ ନା କାହିଁକି, ମୁଁ ତଥାପି କ୍ୱଚିତ ମନେ କରେ ଯେ ସରକାରଙ୍କ ଠାରୁ ସହାୟତାର ଆବଶ୍ୟକତା ଅଛି । ବିଶେଷତଃ ଯେତେବେଳେ ମାଲୁଦ ଏବଂ ପାରିକୁଦ ମାଲୁଦ ଜମିଦାରଙ୍କ କର ମୁକ୍ତ ଜାଗିର ଅଟେ… । ” ;ତେବେ ଚାହିଁଥିଲେ ନିର୍ଦ୍ଦେଶ ଯେ “…ଜରୁରୀ ପରିସ୍ଥିତିରେ ମୋତେ ଅଧିକୃତ କରାଯାଉ ଯେ ଯେଉଁମାନେ କାମ କରିପାରିବେ ନାହିଁ ସେମାନଙ୍କୁ ଉପବାସରୁ ରକ୍ଷା କରିବା ପାଇଁ ମୁଁ ଯେପରି ଲୋକ ରାଜସ୍ୱରୁ ଯଥେଷ୍ଟ ପରିମାଣରେ ଖର୍ଚ୍ଚ କରି ପାରିବି ।” ପ୍ରଦେଶରେ ଶସ୍ୟ ଯେଉଁ ପରିମାଣରେ ଗଚ୍ଛିତ ରହିଛି ତାହା ସାଧାରଣରେ ପରିଲକ୍ଷିତ ଶସ୍ୟାଭାବକୁ ଦୂର କରିପାରିବ ଏହି ଭଳି ଧାରଣା ଅନେକଙ୍କର ଥିଲା । ଯେପରି ଯାଜପୁର ଅଂଚଳର ଜଣେ ଜମିଦାର ପଦ୍ମ ଚରଣ ଚୈାଧୁରୀ ଦୁର୍ଭିକ୍ଷ କମିଶନ ସମ୍ମୁଖରେ ତାଙ୍କ ଜମାନବନ୍ଦୀ(୬ ଜାନୁଆରୀ ୧୮୬୭)ରେ କହୁଥିଲେ୨(ପୃ ୨୬୨), “ମୁଁ ସେପରି କାହାରିକୁ ଜାଣେ ନାହିଁ ଯିଏ ଅଧିକାରୀଙ୍କୁ କହିଥିବେ ଯେ ଦେଶରେ ଯଥେଷ୍ଟ ଚାଉଳ ନାହିଁ । ମୋର ବିଶ୍ୱାସ ଯେ କେତେକ ଜମିଦାର ସେମାନଙ୍କୁ କହିଥିବେ ଯେ ଯଥେଷ୍ଟ ଶସ୍ୟ ଉତ୍ପାଦନ ହେଉଛି ଦେଶରେ ଅଭାବ ମେଂଟାଇବା ପାଇଁ । ମଇ ମାସ ପର୍ଯ୍ୟନ୍ତ, ଏହା ମୋର ନିଜର ମତ ଥିଲା, ଏବଂ ମୋର ବିଶ୍ୱାସ ଏହାହିଁ ସମସ୍ତଙ୍କର ଥିଲା ମତ, ଯେ ଜିଲ୍ଲାରେ ଚାଉଳ ଯଥେଷ୍ଟ ଅଛି ବିଆଳି ଶସ୍ୟ ଆସିବା ପର୍ଯ୍ୟନ୍ତ ଲୋକ ଚଳିଯିବେ । ଆମେ ସମସ୍ତେ ଭୁଲ ଥିଲୁ ।…..ଯେତେବେଳେ ସରକାରୀ ଚାଉଳ ଆସିଲା ବହୁତ ଭଲ ହେଲା, ବହୁ ଜୀବନର ରକ୍ଷା ହୋଇ ପାରିଲା ଏବଂ ଯେଉଁମାନେ ଚାଉଳକୁ ଜମା କରି ରଖିଥିଲେ ସେମାନେ ବିକିବା ଆରମ୍ଭ କଲେ ।” ବା ଯେପରି ଉକ୍ରଳ ଦୀପିକାର ସମ୍ପାଦକ ଗୈାରୀ ଶଙ୍କର ରାୟ ତାଙ୍କ ଜମାନବନ୍ଦୀରେ (୧୧ ଜାନୁଅରୀ ୧୮୬୭) କହୁଥିଲେ୨(ପୃ ୨୬୭), “ଏପ୍ରିଲ ମାସ ଯାଏ ମୋ ନିଜର ବିଶ୍ୱାସ ଥିଲା ଯେ ଦେଶରେ ବଡ ପରିମାଣରେ ଚାଉଳ ଗଚ୍ଛିତ ଅଛି, ଏବଂ ତାହା ଯଥେଷ୍ଟ ଲୋକଙ୍କୁ ଚଳାଇ ନେବ ବିଆଳୀ ଶସ୍ୟ କଟା ହେବା ଯାଏ । ମୁଁ ବର୍ତମାନ ବୁଝୁଛି ମୁଁ ଭୁଲ ଥିଲି ।” ଏହି ସମୟରେ ପ୍ରଥମ ଥର ପାଇଁ ରାଭେନ୍ଶା, ଯେତେବେଳେ ସେ ବାଲେଶ୍ୱରରେ ଥିଲେ, ସେଠାକାର ଦୃଶ୍ୟ ଦେଖି ବୁଝୁଥିଲେ ଯେ ଦୁର୍ଭିକ୍ଷର ପରିସ୍ଥିତି ଆସିଯାଇଛି । ଏହା ସେ ସ୍ୱୀକାର କରୁଥିଲେ, ଦୁର୍ଭିକ୍ଷ କମିଶନ ସମ୍ମୁଖରେ ତାଙ୍କ ଜମାନବନ୍ଦୀରେ୨(ପୃ ୨୪୮), “ପ୍ରଥମ ଥର ପାଇଁ ମୁଁ ପ୍ରକୃତ ଦୁର୍ଭିକ୍ଷ ଦେଖୁଥିଲି ବା ବିଶ୍ୱାସ କରୁଥିଲି ଉତ୍କୃଷ୍ଟ ଦୁର୍ଭିକ୍ଷ ଏଠାରେ ରହିଛି ଅନେକ ପରିମାଣରେ ।” ଶସ୍ୟର ଅଭାବ ଜନିତ ଦୁର୍ଦ୍ଦଶା କୁ ଦୁର୍ଭିକ୍ଷ କୁହାଯାଇ ନ ପାରେ -ଏପରି ଏକ ବୁଝାମଣା ସେତେବେଳେ ପ୍ରକଟିତ ହେଉଥିଲା । ଏହା ମଧ୍ୟରେ ଅନ୍ତର କଣ ହୋଇପାରେ, ଦୁର୍ଭିକ୍ଷ କମିଶନର ଏହି ପ୍ରଶ୍ନର ଉତତର ଦେଇ ବାଲେଶ୍ୱର ଜିଲ୍ଲା ମାଜିଷ୍ଟ୍ରେଟଙ୍କ କହିଥିଲେ୨(ପୃ ୨୭୪), ଅବଶ୍ୟ ବାଲେଶ୍ୱର ପ୍ରସଂଗରେ, “ଯେତେବେଳେ ରୟତ ମାନେ ଯେଉଁମାନେ ଯଥେଷ୍ଟ ପରିମାଣରେ ଜମି ଚାଷ କରିଥାନ୍ତି ଓ ଅନ୍ୟ କୈାଣସି ଜୀବିକା ଅବଲମ୍ବନ ନ କରି ନିଜର ପରିବାରର ପୋଷଣ ସାରା ବର୍ଷ ପାଇଁ କରିପାରିଥାନ୍ତି, ସେମାନେ ଯଦି ଏତେ ଗରିବ ହୋଇଯାଆନ୍ତି ଯେ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାନ୍ତି, ସେହି ସ୍ଥିତିକୁ ମୁଁ ଦୁର୍ଭିକ୍ଷ କହେ । ଅପର ପକ୍ଷରେ ତିନି ବା ଚାରି ବିଘା (୧ ଏକର ବା ୧.୩ ଏକର) ଥିବା ଚାଷୀ ଯିଏ ଧନୀ ରୟତଙ୍କର ଶ୍ରମିକ ହୋଇ କାର୍ଯ୍ୟ କରୁଥାଏ, ତାର ଯଦି ଖାଦ୍ୟାଭାବର ଦୁର୍ଦ୍ଦଶା ଭୋଗୁଥାଏ , ତାହାହେଲେ ମୁଁ ଏହାକୁ ଦୁର୍ଭିକ୍ଷ କହେ ନାହିଁ । ”
ପୁରୀ ଜିଲ୍ଲାରେ ଖାଦ୍ୟାଭାବ ଜନିତ ଦୁର୍ଦ୍ଦଶାର ନିରାକରଣ ପାଇଁ ଯଦିଓ ସ୍ଥାନୀୟ ଜମିଦାରଙ୍କ ସାହାଯ୍ୟ ଲୋଡିବା ପାଇଁ ଓ ସରକାରଙ୍କ ଉପରେ ନିର୍ଭର ନ କରିବା ପାଇଁ ରାଭେନ୍ଶା ପୁରୀ ଜିଲ୍ଲାପାଳଙ୍କୁ ନଭେମ୍ବର ୧୮୬୫ରେ ଲେଖିଥିବା ପତ୍ର ଗୁଡିକରେ ପରାମର୍ଶ ଦେଇଥିଲେ, କିନ୍ତୁ ଡିସେମ୍ବର ୧୮୬୫ରେ ସରକାରଙ୍କ ସାହାଯ୍ୟ ଲୋଡି ପତ୍ର ଲେଖିଥିଲେ ରାଭେନ୍ଶା । କିନ୍ତୁ ଯେଉଁ ସୁପାରିସ ସେ ପୁରୀ ଜିଲ୍ଲା ପାଇଁ ଶସ୍ୟ ଆମଦାନୀର(importation) ଆବଶ୍ୟକତା ରାଜସ୍ୱ ପରିଷଦ (Board of Revenue)କୁ ୨ ଡିସେମ୍ବର ୧୮୬୫ ଦିନ ଜଣାଇଥିଲେ, ତାହାର ଉତ୍ତରରେ କୈାଣସି ଚାଉଳ ପଠାଗଲା ନାହିଁ । ସେ ପୁଣି ୬ ଡିସେମ୍ବର ୧୮୬୫ ଦିନ ରାଜସ୍ୱ ପରିଷଦକୁ ସୁପାରିଶ କରିଥିଲେ ଯେ ତାଙ୍କୁ ଚାଉଳ କିଣିବା ପାଇଁ ଅଧିକୃତ କରାଯାଉ ଯାହାକୁ ସେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ପାରିଶ୍ରମିକ ଆକାରରେ ଦେବେ । ୩୧ ଜାନୁଆରୀ ୧୮୬୬ ଦିନ ପୁଣି ତାର ବାର୍ତାରେ ପରିଷଦକୁ ଜଣାଇଲେ ଯେ ଦୁର୍ଭିକ୍ଷ ସାହାଯ୍ୟ କାର୍ଯ୍ୟ ଆଗେଇ ପାରୁ ନାହିଁ, ପୂର୍ତ୍ତ ବିଭାଗ( Public Works Department) ଚାଉଳ କିଣିବା ପାଇଁ କଲେକ୍ଟର ମାନଙ୍କୁ ଅଗ୍ରିମ ଅର୍ଥ ଯୋଗାଇବା ପାଇଁ ମନାକରୁଛି ; ପୁରୀ ଅନ୍ୟ କେଉଁଠାରୁ ଚାଉଳ ପାଇବା ନିହାତି ଦରକାର, ମୋତେ ଅଧିକୃତ କରାଯାଇପାରେ କି ଅଗ୍ରିମ ଅର୍ଥ ଯୋଗାଇବା ପାଇଁ । ଏହା କିନ୍ତୁ ମନା କରିଦିଆଗଲା ବୋଲି ଜଣାନ୍ତି ରାଭେନ୍ଶା ୭ ଜାନୁଆରୀ ୧୮୬୭ ଦିନ ଦୁର୍ଭିକ୍ଷ କମିଶନ ସମ୍ମୁଖରେ ତାଙ୍କର ଜମାନବନ୍ଦୀରେ । ରାଭେନ୍ଶା କହୁଥିଲେ୨(ପୃ ୨୪୫), “ପୁରୀକୁ ଚାଉଳ ଆମଦାନୀ କରିବାକୁ ସରକାର ମନା କରିଦେଲେ; ଯଦି ବଜାର ସମର୍ଥନ କରେ ଆମଦାନୀକାରୀଙ୍କୁ , ପୁରୀକୁ ଚାଉଳ ଯିବ ସରକାରଙ୍କ ହସ୍ତକ୍ଷେପ ବିନା, ଯାହା ( ସରକାରଙ୍କ ହସ୍ତକ୍ଷେପ)କେବଳ କ୍ଷତି କରିପାରେ; ବର୍ତମାନର ଦୁର୍ଦ୍ଦଶା ଲାଘବ ପାଇଁ ନିୟୋଜିତ ଶ୍ରମ ପାଇଁ ମଜୁରୀ ଟଙ୍କାରେ ହିଁ ଦିଆଯିବ ।” ଏପରିକି ଯେତେବେଳେ ଚାଉଳ କିଣି ଦୁର୍ଭିକ୍ଷ ପ୍ରପୀଡିତ ଜିଲ୍ଲା ଗୁଡିକୁ ପଠାଇବା ପାଇଁ ବଂଗଳା ସରକାର କିଣିବା ପାଇଁ ଅର୍ଥ ମଂଜୁର କରୁଛନ୍ତି ଓ ରାଜସ୍ୱ ପରିଷଦ ଉପରେ ନିଷ୍ପତ୍ତି ନେବାର ଦାୟିତ୍ୱ ଛାଡି ଦେଉଛନ୍ତି(୨୧ ମଇ ୧୮୬୬), ସେତେବେଳେ ରାଜସ୍ୱ ପରିଷଦ ଏହା କରିବା ପାଇଁ କୁଂଠିତ ହେଉଛି୨(ପୃ ୬୪୬) (୨୨ ମଇ ୧୮୬୬) । ଏହା ସତତ୍ୱେ ୨୮ ମଇରେ ରାଭେନ୍ଶା କଟକ ଜିଲ୍ଲାପାଳଙ୍କୁ ଜଣାଉଥିଲେ ଯେ ସେ ସରକାରଙ୍କୁ ଏକ ତାର ବାର୍ତାରେ ଚାଉଳ ସିଧାସଳଖ ପଠାଇବା ପାଇଁ ଅନୁରୋଧ କରିଛନ୍ତି୨(ପୃ ୬୩୩) । ସେ ଏହା କରୁଥିଲେ କାରଣ ତାଙ୍କର ବିଶ୍ୱାସ ହୋଇଥିଲା, ଏବଂ ଏହା ସେ ଦୁର୍ଭିକ୍ଷ କମିଶନକୁ ଜଣାଇଥିଲେ, ଯେ ସରକାରୀ ଚାଉଳ ହିଁ ଲୋକଙ୍କୁ କ୍ଷୁଧାରୁ ରକ୍ଷା କରିପାରିବ୨(ପୃ ୨୫୧) । ସରକାରୀ ଚାଉଳ କଲିକତାରୁ ଆସି ପହଂଚିଲା ଜୁନମାସ ଆରମ୍ଭରେ, ତକ୍ରାଳୀନ କଟକ ଜିଲ୍ଲାର ଫଲ୍ସ ପଏଂଟ ଠାରେ ଓ ଯେପରି କଟକ ଜିଲ୍ଲାପାଳଙ୍କ ଜମାନବନ୍ଦୀରୁ ଜଣାଯାଏ , ଆସିବା ଅବ୍ୟାହତ ରହିଲା ଅକ୍ଟୋବର ମାସ ଯାଏ୨(ପୃ ୨୦୧) । ଯେଉଁ ପରିମାଣରେ ଦୁର୍ଭିକ୍ଷ କାଳରେ ଆସିଲା, ରାଭେନ୍ଶାଙ୍କ ଜମାନବନ୍ଦୀ ଅନୁସାରେ୨(ପୃ ୨୫୩), ଯଥେଷ୍ଟ ଥିଲା ଏବଂ ସେପ୍ଟେମ୍ବର ସୁଦ୍ଧା ଯଥେଷ୍ଟ ସଂଖ୍ୟକ ଅନ୍ନଛତ୍ର ଖୋଲା ଯାଇପାରିଥିଲା ତଥା ସବୁ ସମୟରେ ଚାଉଳ ଉପଲବ୍ଧ ଥିଲା । ପ୍ରକୃତ ଦୁର୍ଭିକ୍ଷ ସ୍ଥିତିର ସମୟ ପ୍ରାୟ ଚାରିମାସ ଯାଏ ଥିଲା୨(ପୃ ୨୬୩) । କହିବା ବାହୁଲ୍ୟ ଯେ ରାଭେନ୍ଶା ରିଲିଫ ସହାୟତା ଉପରେ ନିଷ୍ପତ୍ତି ନେବା ପାଇଁ ସ୍ୱାଧୀନ ନ ଥିଲେ , ତାଙ୍କୁ ରାଜସ୍ୱ ପରିଷଦର ନିଷ୍ପତ୍ତି ଉପରେ ନିର୍ଭର କରିବାକୁ ପଡୁଥିଲା, ପରିଷଦର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବାକୁ ପଡୁଥିଲା । ଏପରି କି ଯଦିଓ କମିଶନରଙ୍କ ନିଯୁକ୍ତିରେ ରାଜସ୍ୱ ପରିଷଦର କୈାଣସି ଭୁମିକା ନ ଥିଲା କିନ୍ତୁ କମିଶନରଙ୍କର ଗସ୍ତକୁ ରାଜସ୍ୱ ପରିଷଦ ନିୟନ୍ତ୍ରଣ କରୁଥିଲେ । ଏହା ନିଜେ ରାଜସ୍ୱ ପରିଷଦ ସ୍ୱୀକାର କରନ୍ତି୨(ପୃ ୩୦୯) । ଯେଉଁମାନେ ରେଭେନ୍ଶାଙ୍କୁ ଦାୟୀ କରୁଛନ୍ତି ସେମାନେ ରେଭେନ୍ଶାଙ୍କର ନିଷ୍ପତ୍ତି ନେବାର ସ୍ୱାଧୀନତା କେତେ ସୀମିତ ଥିଲା ତାହାକୁ ସହାନୁଭୂତିର ସହ ଗ୍ରହଣ କରିବା ଉଚିତ । ଅବଶ୍ୟ ଏହା କେହି ଅସ୍ୱୀକାର କରିବେ ନାହିଁ ଯେ ନ’ଅଙ୍କ ଦୁର୍ଭିକ୍ଷ ସମୟରେ ଓଡିଶାର ଭାରପ୍ରାପ୍ତ କମିଶନର ଶ୍ରୀଯୁକ୍ତ ରାଭେନ୍ଶା ହିଁ ଥିଲେ ଓ ନ’ଅଙ୍କ ଦୁର୍ଭିକ୍ଷରେ ଓଡିଶା ଡିଭିଜନର ତିନୋଟି ଜିଲ୍ଲା, କଟକ, ପୁରୀ ଓ ବାଲେଶ୍ୱର ହିଁ ପ୍ରଭାବିତ ହୋଇଥିଲା । ଯାହର ମୋଟ ଲୋକ ସଂଖ୍ୟା ଦୁର୍ଭିକ୍ଷ ପୂର୍ବରୁ ଥିଲା ୩୦ ଲକ୍ଷ ୧୫ ହଜାର ୮୨୬; ଦୁର୍ଭିକ୍ଷ ପରେ ଏହି ସଂଖ୍ୟା ହୋଇଥିଲା ୨୦ ଲକ୍ଷ ୮୬ ହଜାର ୨୮୮ । ଅର୍ଥାତ୍ ହ୍ରାସ ପାଇଥିଲା ୩୦.୮୧ ପ୍ରତିଶତ । ଏହା ମଧ୍ୟରେ ମୃତକଙ୍କ ସଂଖ୍ୟା ଥିଲ ୮ ଲକ୍ଷ ୧୪ , ୪୬୯ ଓ ଯେଉଁମାନେ ଦେଶାନ୍ତରୀ ହୋଇଥିଲେ ବା କୈାଣସି କାରଣରୁ ନିରୁଦ୍ଦିଷ୍ଟ ହୋଇଥିଲେ, ସେମାନଙ୍କ ସଂଖ୍ୟା ଥିଲା ୧ଲକ୍ଷ ୧୫ ହଜାର ୨୮୨(ପୃ xxiv-xxv) । କିନ୍ତୁୁ ଏହା କେଉଁ ପରିସ୍ଥିତିରେ ହେଲା ଓ କିଏ ଏଥି ପାଇଁ ଦାୟୀ, ଏହା ସ୍ଥିର କରିବା ପାଇଁ ଦୁର୍ଭିକ୍ଷ କମିଶନ ବସିଥିଲା ଡିସେମ୍ବର ୧୮୬୬ରେ Sir G. Campbellଙ୍କ ଅଧ୍ୟକ୍ଷତାରେ ଓ ରିପୋର୍ଟ ଦାଖଲ ହୋଇଥିଲା ୬ ଏପ୍ରିଲ ୧୮୬୭ ଦିନ୨(ପୃ xxvi- xxvii) । ୨୫ ଜୁଲାଇ ୧୮୬୭ ତାରିଖରେ,ଏହି ରିପୋର୍ଟ ଉପରେ ନିଜ ମତ ଜଣାଇଥିଲେ ଭାରତ ପାଇଁ ସଚିବ(Secretary of State For India)Sir Stafford NorthCote, ଭାରତର ଗଭର୍ଣ୍ଣର ଜେନେରାଲଙ୍କୁ । ସେ ଲେଖିଥିଲେ୨(ପାରାଗ୍ରାଫ ୯,ପୃ ୮୩୫), “ମୋର ମନେ ହୁଏ ଯେ ତ୍ରୁଟି ବିଚ୍ୟୁତି (omission)ପାଇଁ ମୁଖ୍ୟତଃ ରାଜସ୍ୱ ପରିଷଦ ଦାୟୀ ।” ଏହି ସନ୍ଦର୍ଭରେ କେତାଟି ଦୃଷ୍ଟାନ୍ତ ଦେଇଥିଲେ NorthCote ମହୋଦୟ । ଯେପରି ରାଭେନ୍ଶାଙ୍କର ୩୧ ଜାନୁଆରୀ ତାରବାର୍ତାରେ ଚାଉଳ ଆମଦାନୀ ପାଇଁ ଅନୁମତି ପ୍ରାର୍ଥନାର ଯେଉଁ ଉତ୍ତର ରାଜସ୍ୱ ପରିଷଦ ଦେଇଥିଲେ, ତାହାକୁ NorthCote ଦୁର୍ଭାଗ୍ୟଜନକ ବୋଲି ଅଭିହିତ କରିଥିଲେ । ଚାଉଳ ପଠାଇବା ପାଇଁ ରାଜସ୍ୱ ପରିଷଦର ଅସାଧାରଣ ଭାବେ କୁଂଠିତ ହେବା ଓ ତାହା ପୁଣି ବଂଗଳା ସରକାର କହିବା ପରେ, NorthCoteଙ୍କୁ ତ୍ରୁଟିପୂର୍ଣ୍ଣ ମନେ ହୋଇଥିଲା୨(ପାରାଗ୍ରଫ ୧୪, ପୃ ୮୩୬) । ରାଭେନ୍ଶାଙ୍କ ସମ୍ପର୍କରେ , NorthCote ଲେଖିଥିଲେ୨(ପାରାଗ୍ରଫ ୧୧, ପୃ ୮୩୬), “ରାଜସ୍ୱ ପରିଷଦ ଜାଣିଥିଲେ ଯେ ଶ୍ରୀଯୁକ୍ତ ରାଭେନ୍ଶାଙ୍କର ରାଜସ୍ୱ ଅଧିକାରୀ ରୂପେ ଅଭିଜ୍ଞତା ତଳନାତ୍ମକ ଭାବେ କମ, ଏବଂ ଓଡିଶାରେ ତ ତାହା ଆଦୈା ନାହିଁ । ଏହା ମଧ୍ୟ ଜଣାଥିଲା ଯେ ତାଙ୍କର ମତ ଅଧିକ ଆଶାବାଦୀ(sanguine), କଲେକ୍ଟରମାନଙ୍କ ଅପେକ୍ଷା ଯେଉଁମାନଙ୍କର ଅଭିଜ୍ଞତା ତାଙ୍କଠାରୁ ଅଧିକ ଥିଲା । ରାଜସ୍ୱ ପରିଷଦର ନିଜ ମତ ତ ଥିଲା ଯେ ସେ ଟିକିଏ ଅଧିକ ଆଶାବାଦୀ (“too hopeful”)” ଏହା ସତ୍ତ୍ୱେ ଶ୍ରୀଯୁକ୍ତ ରାଭେନ୍ଶାଙ୍କର ପତ୍ର ଗୁଡିକ ଯଥେଷ୍ଟ ଥିଲା ଲେଫଟିନେଂଟ ଗଭର୍ଣ୍ଣରଙ୍କୁ ବିପଦ ସଙ୍କେତ ସୂଚିତ କରିବା(to alarm) ପାଇଁ ଏବଂ ରାଜସ୍ୱ ପରିଷଦକୁ ଦେଶର ପରିସ୍ଥିତି ଉପରେ ଏକ ବିଶେଷ ରିପୋର୍ଟ ପ୍ରସ୍ତୁତ କରିବାକୁ ପ୍ରବର୍ତାଇବା ପାଇଁ । ଏହା ଆଶ୍ଚର୍ଯ୍ୟ କରେ ଯେ ଏପରି ପରିସ୍ଥିତି ଏବଂ ଏହା ପରେ ଯାହା ସବୁ ଘଟିଲା ତାହା ଦେଖି ମଧ୍ୟ ରାଜସ୍ୱ ପରିଷଦ ଶ୍ରୀଯୁକ୍ତ ରାଭେନ୍ଶାଙ୍କୁ କହିଲେ ନାହିଁ ଯେ ସେ ଅନ୍ତତଃ ଏକ ପୁଂଖାନୁପୁଂଖ ତଦନ୍ତ କରନ୍ତୁ ଏବଂ ତାଙ୍କ ଡିଭିଜନରେ ପ୍ରକୃତ ସ୍ଥିତିର ଏକ ରିପୋର୍ଟ ଦାଖଲ କରନ୍ତୁ । ସେମାନେ (ଶସ୍ୟ)ଅଭାବକୁ ମୁକାବିଲା କରିବା ପାଇଁ ଯାହା ସୁପାରିଶ କରିଥାନ୍ତେ, ହୁଏତ ତାହା ଗ୍ରହଣୀୟ ହୋଇଥାନ୍ତା ବା ନ ହୋଇଥାନ୍ତା । କିନ୍ତୁ ତଦନ୍ତ ନ କରାଯିବା ଓ ସଠିକ ସୂଚନା ନ ଆଣିବାର ବିଫଳତା (failure)କୁ କ୍ଷମା ଦିଆଯାଇ ନ ପାରେ । ତଥ୍ୟର ସଠିକ ଜ୍ଞାନର ଦୃଢ ଭିତ୍ତି ବିନା ଆବଶ୍ୟକତା ଅନୁସାରେ ପରିସ୍ଥିତିର ସଠିକ ମୁକାବିଲା ପାଇଁ ସେମାନେ ଯୁକ୍ତି ସଂଗତ ଧାରଣା କରିପାରିବେ ନାହିଁ ।” ବଂଗଳାର ସର୍ବୋଚ୍ଚ ଅଧିକାରୀ ଲେଫଟିନେଂଟ ଗଭର୍ଣ୍ଣର Sir C Beadon ଯାହାଙ୍କର ଅଧସ୍ତନ ଥିଲେ କମିଶନର ଶ୍ରୀଯୁକ୍ତ ରାଭେନ୍ଶା, ତାଙ୍କର ଭୂମିକା ସମ୍ପର୍କରେ North Cote ଲେଖନ୍ତି୨(ପାରାଗ୍ରଫ ୧୫, ପୃ ୮୩୬), “ଲେଫଟିନେଂଟ ଗଭର୍ଣ୍ଣର ନିଜେ ଆସି ପୀଡିତ ଜିଲ୍ଲା ଗୁଡିକର ପରିଦର୍ଶନ କରିଥିଲେ ଓ ସନ୍ତୁଷ୍ଟ ହୋଇ ଚାଲି ଆସିଥିଲେ ଯେ ଦୁର୍ଭିକ୍ଷର କୈାଣସି ସମ୍ଭାବନା ନାହିଁ ଏବଂ ଯେପରି ଚାଲିଛି ତା ଠାରୁ ଭିନ୍ନ ଅନ୍ୟ କୈାଣସି ସହାୟତା ପଦକ୍ଷେପର ଆବଶ୍ୟକତା ନାହିଁ ।” ଶସ୍ୟ ଅଭାବର ରିପୋର୍ଟ ପାଇ ନିଜେ ଲେଫଟିନେଂଟ ଗଭର୍ଣ୍ଣର, ଫେବୃଆରୀ ୧୮୬୬ରେ ଓଡିଶା ଆସିଥିଲେ ପ୍ରଭାବିତ ଜିଲ୍ଲା ଗୁଡିକର ପରିଦର୍ଶନରେ । ପରିଦର୍ଶନ ପରେ ଲେଫଟିନେଂଟ ଗଭର୍ଣ୍ଣରଙ୍କର ଏପରି ମନୋଭାବ ଉପରେ ମନ୍ତବ୍ୟ କରି North Cote ଲେଖନ୍ତି୨(ପାରାଗ୍ରଫ ୧୬, ପୃ ୮୩୬), “ମୁଁ କହିବାକୁ ବାଧ୍ୟ ହେଉଛି ଯେ ସାର୍ ସି ବିଡନ ଏହି ଭଳି ସ୍ଥିତିରେ ସେଭଳି କର୍ମଶକ୍ତି ବା ଦୂରଦୃଷ୍ଟି (energy or the sagacity )ଦେଖାଇ ନାହାନ୍ତି, ଯାହା ତାଙ୍କ ଭଳି ଜଣେ ଉଚ୍ଚ ଖ୍ୟାତି ସମ୍ପନ୍ନ ଓ ଯୋଗ୍ୟ ଅଧିକାରୀଙ୍କଠାରୁ ଆଶା କରାଯାଏ । ଏହା ଆଶା କରାଯାଉଥିଲା ଯେ ସେ ପରିଦର୍ଶନ କରି, ଜିଲ୍ଲାରେ ପ୍ରକୃତ ସ୍ଥିତି ସମ୍ପର୍କରେ ନିଜେ ପୁଂଖାନୁପୁଂଖ ତଦନ୍ତ କରିବେ । ….ଏହା ତେଣୁ ଅଧିକ ଦୁଃଖଦାୟକ ଯେ ଏତଦ୍ ଦ୍ୱାରା ପରିସ୍ଥିତିରେ ସୁଧାର ଆଣିବାର ଶେଷ ସୁଯୋଗ ହାତ ଛଡା ହୋଇଗଲା । ” ଲେଫଟିନେଂଟ ଗଭର୍ଣ୍ଣର Sir C Beadonଙ୍କୁ କଟାକ୍ଷ କରି ଉକ୍ରଳ ଦୀପିକା , ୨୫ ଅଗଷ୍ଟ ୧୮୬୬ ସଂଖ୍ୟା(ପୃ ୨୬)ରେ ଲେଖନ୍ତି, “ଇଂଗ୍ଲିଷମ୍ୟାନ ପତ୍ରରୁ ଅବଗତ ହେଲୁ ଯେ ଏ ମାସର ପ୍ରଥମ ସପ୍ତାହରେ ଲେଫ୍ଟନେଂଟ ଗଭର୍ଣ୍ଣର ପୁନର୍ବାର ଦାର୍ଜିଲିଂ ଗମନ କରିଅଛନ୍ତି । ଶରୀର ଅସୁସ୍ଥତା ଏଥିର କାରଣ ଥିବାର ଶୁଣା ଯାଉଅଛି । ଏଠାରେ ଲୋକେ ଦୁର୍ଭିକ୍ଷରେ କ୍ଳେଶ ପାଇ ମରୁ ଅଛନ୍ତି । ଏ ସମୟରେ ସେ ଦୁର୍ଭିକ୍ଷ ପୀଡିତ ସ୍ଥାନମାନ ଭ୍ରମଣ କରି ଲୋକମାନଙ୍କର ଦୁଃଖ ନିବାରଣର ଉପାୟ କରିବେ ନା ଆପଣା ଶରୀର ସୁସ୍ଥତା ନିମନ୍ତେ ପର୍ବତ ଶିଖରୋପରି ନିର୍ଜନରେ ରହିବେ ।” ପୁଣି ୧ ସେପ୍ଟେମ୍ବର ୧୮୬୬ ସଂଖ୍ୟାରେ(ପୃ ୩୭), ମାନ୍ଦ୍ରାଜ ଗଭର୍ଣ୍ଣରଙ୍କ ସହ ତୁଳନା କରି ଉକ୍ରଳ ଦୀପିକା ଲେଖିଲେ, “ଫ୍ରେଣ୍ଡ ଅବ ଇଣ୍ଡିଆ ପତ୍ରରୁ ଅବଗତ ହେଲୁଁ ଯେ ମାନ୍ଦ୍ରାଜର ଗଭର୍ଣ୍ଣର ଲର୍ଡ ନେପିୟର ସାହେବ ଆପଣା ଅଧୀନ ଦୁର୍ଭିକ୍ଷପୀଡିତ ଦେଶମାନଙ୍କରେ ସ୍ୱଂୟ ଭ୍ରମଣ କରି ଯେଉଁ ସ୍ଥାନରେ ଯାହା ଆବଶ୍ୟକ ସେଥିର ଉପାୟ କରୁଅଛନ୍ତି । ଗଂଜାମ ର ଲୋକମାନଙ୍କୁ କର୍ମ ଦେବା ନିମନ୍ତେ ସେ ସ୍ଥାନରୁ ଚିଲିକା ପର୍ଯ୍ୟନ୍ତ ଏକ ଖାଲଖୋଳିବାର ପ୍ରସ୍ତାବ କରିବାରେ ଇଂଡିଆ ଗବର୍ଣ୍ଣମେଂଟ ତାହା ମଂଜୁର କରିଅଛନ୍ତି । କିନ୍ତୁ ଆମ୍ଭମାନଙ୍କ ଲେଫ୍ଟନେଂଟ ଗଭର୍ଣ୍ଣର କାଙ୍ଗାଳୀମାନଙ୍କ ଭୟରେ ଦାର୍ଜିଲିଂକୁ ପଳାୟନ କରିଅଛନ୍ତି ।”
କଟକ କଲେଜ ରାଭେନ୍ଶା କଲେଜ ହେଲା
କଟକ ଜିଲ୍ଲା ସ୍କୁଲରେ ଦୁଇଟି କଲେଜ ଶ୍ରେଣୀ ଖୋଲିବା ପାଇଁ ରାଭେନ୍ଶା ସରକାରଙ୍କଠାରୁ ଅନୁମତି ହାସଲ କରି ପାରିଥିଲେ । ଭାରପ୍ରାପ୍ତ କମିଶନର ରାଭେନ୍ଶା ଚିନ୍ତିତ ଥିଲେ ଯେ ଓଡିଶାର ଛାତ୍ରମାନେ କିପରି କଲେଜ ଶିକ୍ଷା ପାଇବେ । ଜାନୁଆରୀ ୧୮୬୮ରେ ଏହି ଦୁଇ ଶ୍ରେଣୀ ଆରମ୍ଭ ହୋଇଥିଲା ଛଅଟି ଛାତ୍ରଙ୍କୁ ନେଇ । ରାଭେନ୍ଶା ପ୍ରସ୍ତାବ ଦେଇଥିଲେ ଏହି ଅନୁଷ୍ଠାନକୁ ଏକ ସ୍ନାତକ କଲେଜରେ ପରିଣତ କରିବା ପାଇଁ । ସରକାର ସର୍ତ ରଖିଲେ ଯେ ଏଥିପାଇଁ ଜନସାଧାରଣଙ୍କ ଠାରୁ ୩୦,୦୦୦ଟଙ୍କା ସଂଗ୍ରହ କରା ଯାଇ ଦାଖଲ କରାଯିବା ଉଚିତ । ରାଭେନ୍ଶା ଏହାକୁ ଏକ ବ୍ୟକ୍ତିଗତ କାର୍ଯ୍ୟ ବୋଲି ମନେ କଲେ ଓ ଏହି ପରିମାଣର ଅର୍ଥ ସଂଗ୍ରହ କରିବାରେ ସମର୍ଥ ହେଲେ । ରାଭେନ୍ଶାଙ୍କୁ ସେତେବେଳେ ବଂଗଳା ସରକାରଙ୍କ ସମର୍ଥନ ମିଳିଥିଲା । ରାଭେନ୍ଶାଙ୍କ ଉଦ୍ୟମ ଏବଂ ମୟୁରଭଂଜର ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଭଂଜଦେଓ ସମର୍ଥନରେ କଲେଜିଏଟ ସ୍କୁଲର କଲେଜ ବିଭାଗ, ୧୮୭୬ରେ ଏକ ସ୍ୱଂୟ ସମ୍ପୂର୍ଣ୍ଣ ସ୍ନାତକ କଲେଜରେ ପରିଣତ ହେଲା, ନାଁ ହେଲା କଟକ କଲେଜ, ଓ ଏହା ସହବନ୍ଧିତ ହେଲା କଲିକତା ବିଶ୍ୱବିଦ୍ୟାଳୟ ସହିତ । ପ୍ରଥମ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ Samuel Ager । ମୟୁରଭଂଜର ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଭଂଜଦେଓ ୨୦,୦୦୦ଟଙ୍କା ଦାନ କରିଥିଲେ । ଏହା ସହିତ ତାଙ୍କର ପରାମର୍ଶ ଥିଲା ଯେ ଏହି ସ୍ନାତକ କଟକ କଲେଜକୁ ରେଭେନ୍ଶାଙ୍କ ନାମରେ କରାଯାଉ କାରଣ ଓଡିଶାରେ କଲେଜ ଶିକ୍ଷାର ଭିତ୍ତି ରାଭେନ୍ଶା ହିଁ ପକାଇଥିଲେ । ୧୮୭୯ ମସିହାରୁ ହିଁ କଟକ କଲେଜର ନାଁ ହେଲା ରାଭେନ୍ଶା କଲେଜ । ଏହି ସମ୍ବାଦକୁ ଉକ୍ରଳ ଦୀପିକା ତାଙ୍କର ୮ ମାର୍ଚ୍ଚ ୧୯୭୯ ସଂଖ୍ୟାରେ ପ୍ରକାଶ କରି ଲେଖନ୍ତି, “ଗତ କଲିକତା ଗେଜେଟରେ ମୟୁରଭଂଜର ମହାରାଜାଙ୍କର ଗୋଟିଏ ଉକ୍ରୃଷ୍ଟ ବଦାନ୍ୟତାକୁ ବଂଗାଳ ଗବର୍ଣ୍ଣମେଂଟ ସ୍ୱୀକାର କରି ଧନ୍ୟବାଦ ଦେଇଅଛନ୍ତି । ଶ୍ରୀଯୁକ୍ତ ରେବେନ୍ଶା ସାହେବ ଏଠାରେ ଦୀର୍ଘକାଳ କମିଶନର ଥାଇ ଓଡିଶାର ଅନେକ ମଂଗଳ ସାଧନ କରିଥିଲେ । ତାହାଙ୍କର ନାମକୁ ଚିରସ୍ମରଣୀୟ କରିବା ସକାଶେ ଓଡିଶାର ସର୍ବ ପ୍ରଧାନ ବ୍ୟକ୍ତି ଅର୍ଥାତ୍ ମୟୁରଭଂଜର ମହାରାଜା କୋଡିଏ ହଜାର ଟଙ୍କା ଦାନ କରିଅଛନ୍ତି । କଟକ କଲେଜ ଶ୍ରୀଯୁକ୍ତ ରେବେନ୍ଶା ସାହେବଙ୍କର ପ୍ରଧାନ କିର୍ତ୍ତୀ । ଏ କଲେଜ ଚିରସ୍ଥାୟୀ ହେଲେ ତାହାଙ୍କର ନାମ ସୁଦ୍ଧା ଚିରସ୍ଥାୟୀ ହେବ । ଏହି ବିବେଚନାରେ ଗଭର୍ଣ୍ଣମେଂଟ ମହାରାଜାଙ୍କ ସମ୍ମତି ସହିତ ଉକ୍ତ ବିଂଶତି ସହସ୍ର ଟଙ୍କା କଟକ କଲେଜକୁ ଦାନ କରିଅଛନ୍ତି ଯେ ଏହା ପାଂଠି ସ୍ୱରୂପ କୁମ୍ପାନୀ କାଗଜରେ ଗଚ୍ଛିତ ହେବ ଏବଂ ଏଥିର ସୁଧ ଦ୍ୱାରା କଲେଜର ଅଂଶିକ ବ୍ୟୟ ଚାଲୁଥିବ । ଏଥି ସଂଗେ ସଂଗେ କଟକ କଲେଜର ନାମ ରେବେନ୍ଶା କଲେଜ ବୋଲି ପରିବର୍ତିତ ହେଲା ।” ସେତେବେଳକୁ ରାଭେନ୍ଶା ଓଡିଶାରୁ ବିଦାୟ ନେଲେଣି । ଉତ୍କଳ ଦୀପିକାର ୧୮୭୮ ମସିହା ୬ ଏପ୍ରିଲ ସଂଖ୍ୟାରେ ପ୍ରକାଶ ପାଇଥିଲା,“ ଶ୍ରୀଯୁକ୍ତ ରେବେନ୍ଶା ସାହେବ ଗତକାଲି ଏଠାରୁ ଯାତ୍ରା କଲେ । ଆଉ ସେ ଏ ପ୍ରଦେଶକୁ କମିଶନର ହୋଇ ଫେରିବାର ସମ୍ଭାବନା ନାହିଁ ।” କହିବା ବାହୁଲ୍ୟ ଯେ ରାଭେନ୍ଶା ଓଡିଶାରେ ଥିବା ବେଳେ କଟକ କଲେଜର ଅସ୍ତିତ୍ୱ ଦେଖିଥିଲେ କିନ୍ତୁ ଦେଖି ନ ଥିଲେ ତାଙ୍କ ନାଁରେ ଏହି କଲେଜଟିକୁ ; ଓଡିଶାରୁ ବିଦାୟ ନେବାର ବର୍ଷକ ପରେ କଟକ କଲେଜ ରାଭେନ୍ଶା କଲେଜ ବୋଲି ନାମିତ ହୋଇଥିଲା ।
ଉପସଂହାର
ନ’ଅଙ୍କ ଦୁର୍ଭିକ୍ଷର ଦୁଃଖଦ ପରିଣତି ପାଇଁ ଯେ ତକ୍ରାଳୀନ ପ୍ରଶାସନିକ ବ୍ୟବସ୍ଥା ଦାୟୀ ଏହାକୁ ଅସ୍ୱୀକାର କରାଯାଇ ନପାରେ । ଏହି ପ୍ରଶାସନିକ ବ୍ୟବସ୍ଥାର ଉପରସ୍ତରରେ ତଳୁ ଉପରକୁ ବା ଆରୋହୀ କ୍ରମରେ ଥିଲେ ତିନି ଜିଲ୍ଲା(କଟକ, ପୁରୀ ଓ ବାଲେଶ୍ୱର)ର ମାଜିଷ୍ଟ୍ରେଟଗଣ, ତିନି ଜିଲ୍ଲାକୁ ନେଇ ଡିଭିଜନର କମିଶନର, ରାଜସ୍ୱ ପରିଷଦ ଓ ଲେଫଟିନେଂଟ ଗଭର୍ଣ୍ଣର । କମିଶନରଙ୍କ ନିଷ୍ପତତି ନିର୍ଭର କରୁଥିଲା ରାଜସ୍ୱ ପରିଷଦ ଓ ଲେଫଟିନେଂଟ ଗଭର୍ଣ୍ଣରଙ୍କ ନିର୍ଦ୍ଦେଶ ଉପରେ । ନ’ଅଙ୍କ ଦୁର୍ଭିକ୍ଷରେ ଯେଉଁ ତ୍ରୁଟି ବିଶେଷ ଭାବରେ ରେଖାଙ୍କିତ ହୋଇଛି ତାହା ହେଉଛି ସଠିକ ସମୟରେ ବାହାରୁ ଚାଉଳ ଆମଦାନୀ କରି ପ୍ରଭାବିତ ଲୋକଙ୍କୁ ଉପଲବ୍ଧ କରାଇବାରେ ବିଳମ୍ବ । କିନ୍ତୁ ଚାଉଳ ଆମଦାନୀ କରିବା ପାଇଁ କମିଶନରଙ୍କର ସୁପାରିଶକୁ ରାଜସ୍ୱ ପରିଷଦ ଗ୍ରହଣ କରିବା ପରେ ହିଁ ବାହାରୁ ଚାଉଳ ଆମଦାନୀ ଥିଲା ସମ୍ଭବ । ବିଳମ୍ବର କାରଣ କମିଶନରଙ୍କର ସୁପାରିଶ କରିବାରେ ବିଳମ୍ବ ହୋଇପାରେ ବା ସୁପାରିଶକୁ ଗ୍ରହଣ କରିବାରେ ରାଜସ୍ୱ ପରିଷଦ ବିଳମ୍ବ କରିବା ହୋଇପାରେ । ରାଭେନ୍ଶା ନିଜେ ସ୍ୱୀକାର କରିଛନ୍ତି ଯେ ତାଙ୍କ ଦ୍ୱାରା ପ୍ରାରମ୍ଭିକ ପରିସ୍ଥିତିର ଆକଳନରେ ସେ ଭୁଲ କରିଥିଲେ ତେଣୁ ବିଳମ୍ବ ତାଙ୍କ ସ୍ତରରେ ହୋଇଛି । ସେ ଖାଦ୍ୟାଭାବର ଉକ୍ରଟ ସ୍ଥିତି ସମ୍ପର୍କରେ ମଧ୍ୟ ଅକ୍ଟୋବରରୁ ଖବର ପାଇଲେ ମଧ୍ୟ ବାହାରୁ ଚାଉଳ ଆମଦାନୀ କରିବା ପାଇଁ ପ୍ରଥମ ଥର ସୁପାରିଶ କରିଛନ୍ତି ଡିସେମ୍ବର ପ୍ରଥମ ସପ୍ତାହରେ । ଏହାକୁ ଯେ ରାଜସ୍ୱ ପରିଷଦ ଗ୍ରହଣ କରି ନାହିଁ ତାହା ଆମେ ଦେଖିଲେ ଉପର୍ଲିଖିତ ବର୍ଣ୍ଣନରେ । ଏହା ଛଡା ତାଙ୍କ ସ୍ତରରେ ପରିସ୍ଥିତିର ତୀବ୍ରତାକୁ ଲାଘବ କରିବା ପାଇଁ ଯେତେବେଳେ ରାଜସ୍ୱ ପରିଷଦର ଅନୁମତି ଲୋଡିଛନ୍ତି ତାହା ମଧ୍ୟ ସେ ପାଇ ନାହାନ୍ତି । ତେଣୁ ଏ ଭଳି ଧାରଣା ସୃଷ୍ଟି କରିବା ଯେ କେବଳ ରାଭେନ୍ଶା ହିଁ ନ’ଅଙ୍କ ଦୁର୍ଭିକ୍ଷର ଦୁଷ୍ପରଣତି ପାଇଁ ଦାୟୀ, ତଥ୍ୟ ଓ ଯୁକ୍ତି ସମ୍ମତ ନୁହେଁ । ଅପର ପକ୍ଷରେ ଏହି ସମୟରେ ଯେତେବେଳେ ଓଡିଆ ଭାଷାର ଅସ୍ତିତ୍ୱ ପ୍ରତି ଦେଖାଯାଇଛି ବିପଦ, ରାଭେନ୍ଶା ଅଂଟା ଭିଡିଛନ୍ତି ଏହାର ସୁରକ୍ଷା ପାଇଁ । ଓଡିଶାରେ କଲେଜ ଶିକ୍ଷାର ସେ ପକାଇଛନ୍ତି ଭିତ୍ତି -ଏହା ତ ନିର୍ବିବାଦ୍ୟ ଐତିହାସିକ ତଥ୍ୟ । ତେଣୁ ରାଭେନ୍ଶାଙ୍କର ଏହି ଅବଦାନର ପୃଷ୍ଠଭୂମିରେ ଓ ମୃତ୍ୟୁ ପର୍ଯ୍ୟନ୍ତ ଓଡିଆଙ୍କ ପ୍ରତି ତାଙ୍କର ଅନାବିଳ ସ୍ନେହ ପ୍ରଦର୍ଶନର ପୃଷ୍ଠଭୂମିରେ, ତାଙ୍କ ନାମରେ ଏକ ଶିକ୍ଷାନୁଷ୍ଠାନ ଓଡିଆ ଜାତିର ତାଙ୍କ ପ୍ରତି କୃତଜ୍ଞତାର ସ୍ମାରକୀ ବୋଲି ଏ ଲେଖକ ମନେ କରେ । ‘କୃତଜ୍ଞତା ନା କେବଳ ସବୁଠାରୁ ବଡ ଗୁଣ ଅଟେ, ଏହା ସବୁ ଗୁଣର ଜନକ ଅଟେ’-ଏହା କହିଥିଲେ ରୋମାନ ଦାର୍ଶନିକ ସିସରୋ । ଏହି ଗୁଣର ଅଧିକାରୀ ହେବାକୁ ଓଡିଆ ଜାତିକୁ କାହିଁକି ବଂଚିତ କରିବା? ତେବେ ଏକ ରାଜନୈତିକ- ପ୍ରଶାସନିକ ନିଷ୍ପତ୍ତି ଦ୍ୱାରା ନାଁ ବଦଳାଯାଇପାରେ । କିନ୍ତୁ ଏହା ଓଡିଆ ଜାତିର ଅସ୍ମିତା ମୂଳରେ ଥିବା ଏକ ବ୍ୟକ୍ତିତ୍ୱ ପ୍ରତି ଅସମ୍ମାନ ହେବ ଓ ଅସ୍ମିତାର ସୁରକ୍ଷା ପାଇଁ ଆହ୍ୱାନ ଗୁଡିକ ବେଶ ଫାଙ୍କା ଶୁଭିବ ।
ବ୍ୟବହୃତ ଉପାଦାନ ସୂଚୀ
୧. ଶତାବ୍ଦୀର ସୂର୍ଯ୍ୟ, ସୁରେନ୍ଦ୍ର ମହାନ୍ତି, ଲାର୍କ ବୁକ୍ସ, ୧୯୭୦(ଚତୁର୍ଥ ପ୍ରକାଶ ୨୦୧୦), ପୃ ୪୨୧-୨୨
୨.Odisha Famine, Odisha State Archives, Bhubaneswar, June, 2016
3.Cuttack 1973, John Beams, In John Beams: Essays on Orissan History and Literature, Prafulla, 2004, p.176
୪.ଓଡିଆ ଭାଷା ସୁରକ୍ଷା ଆନ୍ଦୋଳନ , ଡକ୍ଟର ଗଗନେନ୍ଦ୍ର ନାଥ ଦାଶ, କଟକ ସ୍ଟୁଡେଂଟସ୍ ଷ୍ଟୋର, ୧୯୯୩
5.The Oriya Movement, By Two bachelors of Arts, First Published in 1919, Reprinted in 1996 , p.253
6.The government’s punishment of Dainik Bhaskar’s rare act of bravery, Vishnu Sharma,01 December, 2021,https://caravanmagazine.in/media/government-punishment-dainik-bhaskar-bravery; Tax raids target Indian paper that criticised government over Covid,Hannah Ellis-Petersen in Delhi ,Thu 22 Jul 2021,https://www.theguardian.com/world/2021/jul/22/tax-raids-target-indian-paper-criticised-government-covid-dainik-bhaskar
- Minister apologises for Covid failings that led to thousands of deaths, Furvah Shah ,Wednesday 13 October 2021 ,https://www.independent.co.uk/news/uk/home-news/minister-apology-sorry-covid-deaths-b1937674.html
Comments
0 comments