୧୮୦୦ ଖ୍ରୀ:ଅ ପର୍ଯ୍ୟନ୍ତ କୃଷି, ହସ୍ତଶିଳ୍ପ, ହସ୍ତତନ୍ତ ସାମଗ୍ରୀ ଉତ୍ପାଦନ ଓ ବାଣିଜ୍ୟ ପାଇଁ ଭାରତ ପୃଥିବୀରେ ଏକ ନମ୍ବର ଦେଶ ଥିଲା । ଇଷ୍ଟ୍ଇଣ୍ଡିଆ କମ୍ପାନୀ ୧୭୫୭ ମସିହାରେ ଆମ ଦେଶରେ ଉପନିବେଶ ସ୍ଥାପନ କଲା । ସେମାନଙ୍କ ଶାସନକାଳରେ ଆମ କୃଷି ବିପର୍ଯ୍ୟସ୍ତ ହୋଇପଡିଲା । ଆମ ଦେଶର ଧନ ସମ୍ପତ୍ତି ସବୁ ଲୁଟିନେଲେ । ଏ ସମ୍ପର୍କରେ ଆମେ ଆଗରୁ ବିଶେଷ ଆଲୋଚନା କରିଛେ । ୧୭୫୦ରୁ ୧୮୫୦ ଭିତରେ ୟୁରୋପ ମହାଦେଶରେ ଶିଳ୍ପବିପ୍ଲବ ମୁଣ୍ଡଟେକେ । ଷ୍ଟିମ୍ ଇଂଜିନ୍, ରେଳ, ସ୍ପିନିଂଜେନି, କଳକାରଖାନା ବହୁମାତ୍ରାରେ ମାଡ଼ିଗଲେ । ଶ୍ରମିକ କୃଷିକ୍ଷେତ୍ର ଛାଡ଼ି କଳକାରଖାନାକୁ ମୁହାଁଇଲେ ଅଧିକ ରୋଜଗାର ଆଶାରେ । କୃଷି ପ୍ରଭାବିତ ହେଲା । ଉତ୍ପାଦନ କମିଗଲା । ବିଲାତ ସରକାର ନିଜ ଦେଶର ଲୋକମାନଙ୍କୁ ଖାଦ୍ୟ ଯୋଗାଇବ । ପୃଥିବୀସାରା ସେତେବେଳକୁ ବିଲାତ ଉପନିବେଶ ସ୍ଥାପନ କଲାଣି । ଦକ୍ଷିଣ ଏସିଆ, ପୂର୍ବ ଏସିଆ ଓ ଆଫ୍ରିକାରେ ଶହ ଶହ ଦେଶ ବିଲାତ କବ୍ଜା କଲାଣି । ସେ ଦେଶମାନଙ୍କରୁ ଖଣି,ଖାଦାନ,ଜଙ୍ଗଲ ପ୍ରକୃତିକ ସମ୍ପଦ ଲୁଟି ନେଉଛି । ଉପନିବେଶର ପରାଧୀନ ନାଗରିକମାନଙ୍କୁ ମୁଠେ ଖାଇବାକୁ ଯୋଗାଡ଼ କରିବ । ଭାରତ ଉପରେ ଆଖି ପଡ଼ିଲା ।
ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଭାରତୀୟ କୃଷକମାନେ କମ୍ପାନୀର ନିର୍ଯାତନା ସହି କରି ମଧ୍ୟ ଯାହା ଫସଲ ଉତ୍ପାଦନ କରୁଥିଲେ, ଆମ ଦେଶର ·ହିଦା ମେଣ୍ଟି ପ୍ରଚୁର ଖାଦ୍ୟ ବଳୁଥିଲା । କଂପାନୀ ଏହି ବଳକା ଖାଦ୍ୟ ନିଜ ଦେଶକୁ ଓ ତାର ଅଭାବୀ ଉପନିବେଶକୁ ପଠାଉଥାଏ । ଶିଳ୍ପ ବିପ୍ଲବ ପ୍ରଭାବରେ କୃଷି କ୍ଷେତ୍ରରେ ଶ୍ରମିକ ସମସ୍ୟା ଯୋଗୁଁ ବିଲାତରେ ଖାଦ୍ୟସଙ୍କଟ ଦେଖାଗଲା । ଇଂଲଣ୍ଡର ବିରାଟ ସୈନ୍ୟବାହିନୀ । ପୃଥିବୀସାରା ଉପନିବେଶ ଜଗିଛନ୍ତି । ୟୁରୋପରେ ମଧ୍ୟ ମଝିରେ ମଝିରେ ଯୁଦ୍ଧ ବିଭୀଷିକା । ସୈନ୍ୟବାହିନୀକୁ ଖାଦ୍ୟଯୋଗାଣ ମଧ୍ୟ ପ୍ରଭାବିତ ହେଲା । ଭାରତ ତ ଦୁହାଳିଆ ଗାଈ । ଭାରତରେ ଖାଦ୍ୟ ଉତ୍ପାଦନ ତ୍ୱରାନିତ କଲେ ବଳକା ଖାଦ୍ୟ ବିଲାତ ବୋହିନବ । କ’ଣ ଉପାୟ କରିବ ଚିନ୍ତା ପଡ଼ିଗଲା ।
୧୮୪୦କୁ ଜର୍ମାନର ରସାୟନବିତ୍ ଜନଭିନ ଲିବିଂ ରାସାୟନିକ ସାର ଉଦ୍ଭାବନ କଲେଣି । ଖତ ବା ହୁ୍ୟମସରେ କି ଉତ୍ପାଦନ ହେବ? ନାଇଟ୍ରୋଜେନ, ଫସ୍ଫରସ୍, ପୋଟାସ ସାର ଜମିରେ ପ୍ରୟୋଗ କଲେ ଉତ୍ପାଦନ ୪/୫ ଗୁଣ ବଢ଼ିଯିବ । ବହୁଦେଶୀୟ କଂପାନୀମାନଙ୍କୁ ମଉକା ମିଳିଲା । ଲାଗିଗଲେ । ସାର କାରଖାନମାନ ଗଢ଼ିଉଠିଲା । ୟୁରୋପ ଓ ଆମେରିକାର ଚାଷୀମାନେ ଖତ, ପିଡ଼ିଆ ଛାଡ଼ି ସାରରେ ମାତିଗଲେ । ଆମେରିକା ତ ବାରଜାତି, ତେରବୁଲା ବଇସମ ହେଲେ ସବୁଗଲା । ସେମାନେ ତ ପ୍ରାୟ ଉଠାଦୋକାନୀ । ଆମେରିକା ମାଟି ପାଇଁ, ପ୍ରକୃତି ପାଇଁ ସେମାନଙ୍କର ମମତା ଆସିବ ବା କାହିଁ । ଢାଳିଲେ ସାର; କମେଇଲେ ଗହମ, ମକା, ସୋୟାବିନ । ବେପାର ତ ପୁଣି ବଢ଼ିବ । କଂପାନୀମାନେ ଜାଣିଛନ୍ତି ଭାରତ ପୃଥିବୀରେ କୃଷିପାଇଁ ବିଶେଷ ପରିଚିତ । ଭାରତୀୟ କୃଷିକ୍ଷେତ୍ର ବିଲାତ ନିୟନ୍ତ୍ରଣକୁ ଆସିଲେ ସାର ବେପାର ବଢ଼ିପାରିବ । କମ୍ପାନୀମାନଙ୍କର ସରକାରଙ୍କ ସହିତ ଭିତିର ସମ୍ପର୍କ ଥାଏ । କଙ୍କଡ଼ାକୁ ଗୋଳି ପାଣି ସହିଲା । ବିଲାତ ସରକାର ଚାହୁଁଛି ଭାରତରେ କୃଷି ଉତ୍ପାଦନ ବଢ଼ିଲେ ଖାଦ୍ୟ ବୋହି ଆଣିବ । କଂପାନୀମାନେ କହୁଛନ୍ତି ଭାରତରେ ସାର ବେପାର ହେଲେ ଖାଦ୍ୟ ଉତ୍ପାଦନ ବଢ଼ିବ । ବିଲାତ ସରକାରଙ୍କ ମନକୁ କଥାଟା ପାଇଗଲା ।
୧୮୫୦ବେଳକୁ ଭାରତରେ କମ୍ପାନୀଶାସନ ବଦଳରେ ଖୋଦ୍ ବିଲାତ ସରକାର ଶାସନ କରୁଛନ୍ତି । ବିଲାତରେ କଥା ଦରକାର ମାଞ୍ଚେଷ୍ଟର ଲୁଗାକଳ ଚାଲିବ । ଲକ୍ଷ ଲକ୍ଷ ଏକର ଜମିରେ ଖାଦ୍ୟଶସ୍ୟ ପରିବର୍ତ୍ତେ କପାଚାଷ ହେଲା । ଚାଷୀ ଅମଙ୍ଗହେଲେ ଜୁଲୁମ କରି ଚାବୁକ ଦେଇ କପାଚାଷ କରାଇଲେ । ଖାଦ୍ୟ ଉତ୍ପାଦନ ବ୍ୟାହତ ହେଲା । ବିଲାତ ଚୀନ୍ରେ ଅଫିମ ବେପାର କରିବ । ବିଲାତରେ ରାଜକୋଷକୁ ମୋଟା ଅଙ୍କ ମିଳିବ । ଉତ୍ତର ଭାରତରେ- ଭାତହାଣ୍ଡି ଜମିରେ ଧାନ, ଗହମ ବଦଳରେ ଅଫିମ ଚାଷ । ଅଫିମ ଚାଷପାଇଁ ଚାଷୀଉପରେ ଅକଥନୀୟ ଅତ୍ୟାଚାର କଥା ପାଠକ ବନ୍ଧୁମାନେ ଆଗରୁ ପଢ଼ିଥିବେ । ଖାଦ୍ୟ ଉତ୍ପାଦନ କମିଲା । ବିହାର, ପଶ୍ଚିମବଙ୍ଗରେ ଗଙ୍ଗାନଦୀ ଉପତ୍ୟକା ଊର୍ବର ଜମିରେ ନୀଳ ଚାଷ ହେଲା । ୫୦/୬୦ ହଜାର ଏକର ଜମି । ଚାଷୀ ଅମଙ୍ଗ ହେଲା ତ ମାଡ଼, ଜୋରିମାନା, ଚାଷୀର ଘରଦ୍ୱାର ଉପରେ ହାମଲା । ଖାଦ୍ୟ ଉତ୍ପାଦନ କମିଲା । ବିଲାତରେ ସାହେବ ସାହବାଣୀ ଚା ପିଇବେ । ବ୍ରହ୍ମପୁତ୍ର ନଦୀ ଉପତ୍ୟକା ଜମି । ଫାଳେ ପକାଇଲେ ଗୋଟେ ହେବ । ଲକ୍ଷ ଲକ୍ଷ ଏକର ଜମିରେ ଚା ବଗିଚା ହେଲା । ଚା କମ୍ପାନୀର ମାଲିକମାନେ ବିଲାତ ସାହେବ । ବିହାର, ଓଡ଼ିଶା, ବଙ୍ଗରୁ ହଜାର ହଜାର ଶ୍ରମିକ ଚା ବଗିଚାରେ ଖଟିଲେ । ଖାଦ୍ୟ ଉତ୍ପାଦନ କମିଲା । କେରଳ, ତାମିଲନାଡୁ କାବେରୀ ନଦୀ ଉପତ୍ୟକା ଜମି । ସୁନା ଫଳେ । ବିଲାତରେ ରେଳଗାଡ଼ି ଚାଲିବ । ସ୍ଲିପର ପାଇଁ ଟାଣ କାଠ ଦରକାର । ଜାହାଜ ତିଆରି ହବ । ଶକ୍ତ କାଠ ଦରକାର । ବିଲାତରେ ରାଜପରିବାର, ସମ୍ଭ୍ରାନ୍ତ ପରିବାର ଘରତୋଲା, ସୌଖିନ ଆସବାବପତ୍ର ତିଆରି ହେବ । ଭାରତରୁ ସାଗୁଆନ କାଠ ଯିବ । ମାଲବାର ଉପକୂଳରେ ତାମିଲନାଡୁରେ ସାଗୁଆନ ପ୍ଲାଣ୍ଟେସନ ହେଲା । ବିଲାତିସାହେବ ସିଗାରେଟ୍ ଖାଇବେ । ସିଗାରେଟ ବେପାର କରିବେ । ଧୂଆଁପତ୍ର ଦରକାର । ଆନ୍ଧ୍ର କୃଷ୍ଣା, କାବେରୀ ନଦୀ ଉପତ୍ୟକା ଊର୍ବର ପଟୁମାଟି । ଧାନ କାଚି ଦିଏ । ନାଁ ଧୂଆପତ୍ର ଚାଷ ହବ । ଗୁଜୁରାଟ ସାବରମତୀ ନଈ କୂଳେ କୂଳେ ବିସ୍ତୀର୍ଣ୍ଣ ସମତଳ ଅଂଚଳ । ଗହମ, ଧାନ, ହରଡ଼, ଚିନାବାଦାମର ନାହିଁ ନଥିବା ଅମଳ । ଧୂଆଁପତ୍ର ଚାଷ ହେଲା । ସାହେବ କଫି ପିଇବେ । ତାମିଲନାଡୁ ମାଟି କଫିପାଇଁ ଉତ୍କୃଷ୍ଟ । ମାଡ଼୍ରାସ ଦକ୍ଷିଣ ଭାରତର ଭାତହାଣ୍ଡି । କଫି ଚାଷ ହେଲା । ଅର୍ଥକାରୀ କୃଷି ବ୍ୟାପିଗଲା । ଖାଦ୍ୟ ଉତ୍ପାଦନ ଜମିର ୪୦ପ୍ରତିଶତ ବ୍ୟବସାୟିକ କୃଷିକୁ ଚାଲିଗଲା ।
୧୮୬୦-୭୦ବେଳକୁ ଆମ ଦେଶରେ ଖାଦ୍ୟ ସଂକଟ । ବେରାରରେ କପାଚାଷ ଯୋଗୁଁ ଦୁର୍ଭିକ୍ଷ କୋଟିଏରୁ ଅଧିକ ଲୋକ ମରିଗଲେ । ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ । ୩୦ଲକ୍ଷ ଲୋକ ଭୋକଉପାସରେ ଟଳି ପଡ଼ିଲେ । ୧୯୪୩ରେ ବଙ୍ଗ ଦୁର୍ଭିକ୍ଷ ୩ନିୟୁତ ସାଧାରଣ ଲୋକ ହା-ଅନ୍ନ ହା-ଅନ୍ନ ଚିକ୍ରାର କରି ଆଖିବୁଜିଲେ । ଆମ ଦେଶରେ ଉକ୍ରଟ ଖାଦ୍ୟ ଅନଟନ । ମାତ୍ର ବିଲାତକୁ ଭାରତରୁ ଖାଦ୍ୟ ରପ୍ତାନି ବଢ଼ି ଚାଲିଥାଏ । ୧୯୧୪-୧୮ ପ୍ରଥମ ବିଶ୍ୱଯୁଦ୍ଧ । ବିଲାତ ଯୁଦ୍ଧରେ ମାତିଥାଏ । ଦେଶରେ ଖାଦ୍ୟାଭାବ । ସୈନ୍ୟବାହିନୀଙ୍କ ପାଇଁ ଖାଦ୍ୟ ନାହିଁ । ଶିଶୁ ମୃତ୍ୟୁ, ଅପପୁଷ୍ଟି, ସୈନ୍ୟମାନଙ୍କର ଖାଦ୍ୟାଭାବରେ ମୃତ୍ୟୁ ବିଲାତ ସରକାରଙ୍କ ମୁଣ୍ଡ ବାତଚକ୍ର ଖାଇଲା । ମାର ମାର ଭଣ୍ଡାରିଆକୁ ମାରେ । ସେଇ ଭାରତ ଉପରେ ନଜର । ଭାରତୀୟ କୃଷକକୁ ରାସାୟନିକ କୃଷି ଧରେଇବ ।
ବିଲାତ ସରକାରଙ୍କର ତୃତୀୟ ବିଶ୍ୱରେ ଉପନିବେଶ ବୃଦ୍ଧି । କୃଷି ଓ କୃଷକମାନେ ବିଶେଷ ପ୍ରଭାବିତ ହେଲେ । ଭାରତରେ ବିଲାତ ଜମିଦାରି ପ୍ରଥା ପ୍ରଚଳନ କଲା ତ ଜମି ଅର୍ଥକାରୀ ଫସଲ ଚାଷକୁ ଚାଲିଗଲା । ଏହି ପରିବର୍ତ୍ତନ ମାଧ୍ୟମରେ ଚାଷୀଠାରୁ ଖଜଣା ଆଦାୟ ୪/୫ଗୁଣ ବଢ଼ିଗଲା । ଭୂରାଜସ୍ୱର ସହସା ବୃଦ୍ଧିହେଲା ଯେତେବେଳେ ଇଷ୍ଟଇଣ୍ଡିଆ କମ୍ପାନୀ ବଙ୍ଗଳା ଦଖଲ କଲା (୧୭୫୭) ଏବଂ ବଂଗଳାର ଖଜଣା ଆଦାୟ ନିଜ ହାତକୁ ନେଇଗଲା । ଐତିହାସିକ ଆର.ପି. ଦତ୍ତ ଏହି ପରିବର୍ତ୍ତିତ ସ୍ଥିତି ଉପରେ ଲେଖନ୍ତି – “”In the Last year of administration of the last ruler of Bengal, in 1764-65, the land revenue realised was £817,000 pounds. In the 1st year of company’s administration, in 1765-66, the land revenue realised in Bengal was £1,470,000 By 1771-72, it was £2,348,000 and by 1775-76, it was £2,818,000. When Lord Cornwallis fixed the permanent settlement in 1793, he fixed £3,400,000
୧୧-୧୨ ବର୍ଷରେ ଖଜଣା ବୃଦ୍ଧି ୪.୨୫ଗୁଣ । ଖଜଣା ବୋଝ ଚାଷୀର ଅଣ୍ଟା ଭାଙ୍ଗିଦେଲା । ଏତେ ଅଧିକ ଖଜଣା ଆଦାୟ । କ’ଣ ଭାରତ ପାଇଁ କିଛି ଖର୍ଚ୍ଚ ହୁଏ? ନାଁ, କମ୍ପାନୀ ଚାକିରୀଆଙ୍କ ଦରମା ଏବଂ ବଳକା ଟଙ୍କା ବିଲାତ ତହବିଲକୁ ଗଲା ।
ବଜାଜଙ୍କ ବର୍ଣ୍ଣନାନୁସାରେ ବିଲାତ ସରକାରଙ୍କ ହାତକୁ ଅଧିକରୁ ଅଧିକ ପଇସା ଯାଉଥିଲା ବେଳେ ଚାଷୀ, ଉତ୍ପାଦନକାରୀ ହାତକୁ ଏତେ କମ୍ ପଇସା ଆସୁଥିଲା ଯେ ନିଜର ଖାଇବା ଖର୍ଚ୍ଚ ତୁଲେଇବା ଚାଷୀ ପାଇଁ କଷ୍ଟସାଧ୍ୟ ହେଲା । ଗାଁ ଦାଣ୍ଡରେ ସର୍ବସାଧାରଣ ଅନୁଷ୍ଠାନଗୁଡ଼ିକ କଂପାନୀ ସହାୟତା ଅଭାବରୁ ଭୁଷୁଡ଼ି ପଡ଼ିଲା । ଆମ ଓଡ଼ିଶାରେ ଗାଁ ଭାଗବତ ଟୁଙ୍ଗି ଓ ପ୍ରାଥମିକ ସ୍କୁଲଗୁଡ଼ିକ ବିପର୍ଯ୍ୟସ୍ତ ହୋଇପଡ଼ିଲା । ଧନପାଲଙ୍କ ହିସାବ ଅନୁସାରେ ୧୭୫୦କୁ ପ୍ରତି ୧୦୦୦ୟୁନିଟ୍ ଆଦାୟରୁ ଚାଷୀ ୩୦୦ ୟୁନିଟ ଖଜଣା ଦେଉଥିଲା । ଏଥିରୁ ମାତ୍ର ୫୦ୟୁନିଟ ମୋଗଲ ଶସକଙ୍କ ତହବିଲକୁ ଯାଉଥିଲା । ଅବଶିଷ୍ଟ ୨୫୦ୟୁନିଟ୍ ଗାଁର ସାଧାରଣ ଅନୁଷ୍ଠାନ, ରାସ୍ତା ଘାଟ, କୂଅ, ପୋଖରୀ ଖୋଳାରେ ଖର୍ଚ୍ଚ ହେଉଥିଲା । ୧୮୩୦ ବେଳକୁ କମ୍ପାନୀ ଯାଇ ଖୋଦ୍ ସରକାର ଭାରତଶାସନ କଲେଣି । ଚାଷୀଆୟର ପ୍ରତି ୧୦୦୦ ୟୁନିଟରୁ ଖଜଣା ଆଦାୟ ୬୫୦ୟୁନିଟ୍ । ବିଲାତ ରାଜକୋଷକୁ ଗଲା ୫୯୦ ୟୁନିଟ୍ । ଫଳତଃ ଚାଷୀମାନେ ଦରିଦ୍ର ହୋଇଗଲେ । ଗାଁ ଗଣ୍ଡାର ଅନୁଷ୍ଠାନଗୁଡ଼ିକ ଭୁଷୁଡ଼ି ପଡ଼ିଲା ।
ଆମେରିକାରୁ ଭାରତ ବା ଅନ୍ୟାନ୍ୟ ଏସୀୟ ଦେଶମାନଙ୍କୁ ଖାଦ୍ୟ ଆମଦାନୀ ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରୁ ଆରମ୍ଭ ହୁଏ । ଏହା ପୂର୍ବରୁ ଇଉରୋପ ଓ ଆମେରିକାକୁ ଏସିଆ ମହାଦେଶରୁ ଖାଦ୍ୟ ରପ୍ତାନୀ ହେଉଥିବା Dan Morgan କୁହନ୍ତି । ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ପର୍ଯ୍ୟନ୍ତ ଭାରତର ୟୁରୋପ ମହାଦେଶକୁ ଗହମ ଯୋଗାଣରେ ମୁଖ୍ୟସ୍ଥାନ ଥିଲା । Dan Morgan ଲେଖନ୍ତି, “In 1873 with the opening of suez canal, the first wheat arrived from India, after a push by British entrepreneurs to obtain a cheap, secure source of wheat under British control. The British envisaged India as a potentially secure source of wheat (Industrial) for the Empire. Industrial tycoons pushed rail roads and canals in to the Indus and Ganges river basins, where farmers had been growing wheat for cen- turies”. Dan Morgas 2
Georges blynଙ୍କ ତଥ୍ୟ ଅନୁସାରେ ୧୮୭୫ ମସିହାଠାରୁ ପ୍ରଥମ ବିଶ୍ୱଯୁଦ୍ଧ ପର୍ଯ୍ୟନ୍ତ (୧୯୧୪-୧୮) ଭାରତରେ ମୁଣ୍ଡପିଛା ଖାଦ୍ୟ ଉତ୍ପାଦନ ପୃଥିବୀର ଅନ୍ୟଦେଶମାନଙ୍କରଠାରୁ ଅଧିକଥିଲା । George Blyn ଲେଖନ୍ତି, “Most food grain crops also expanded at substantial rates, and though much rice and wheat were exported, domestic availability grew at about the same rate as output. This early period gives evidence that per capita consumption of agricultural commodities increased over a substantial period of years.”3
୧୭୬୭-୧୭୭୦ ମସିହାରେ ବଙ୍ଗଳାରେ ଦୁର୍ଭିକ୍ଷଜନିତ ମୃତ୍ୟୁ ସଂଖ୍ୟା ପ୍ରାୟ ୧୦ ନିୟୁତ (କୋଟିଏ) । ୱାରେନ ହେଷ୍ଟିଂ କଲିକତାର ଗଭର୍ଣ୍ଣର । ବିପର୍ଯ୍ୟୟ ସମୟରେ ଉପନିବେଶ ଶାସକ କିପରି ଚାଷୀମାନଙ୍କୁ ଶୋଷଣ କରିବାରେ ସଫଳ କାହାଣୀ ହେଷ୍ଟିଂ ଇଷ୍ଟଇଣ୍ଡିଆ କମ୍ପାନୀର କୋର୍ଟ ଅଫ ଡାଇରେକ୍ଟରକୁ ଲେଖୁଛନ୍ତି, “Not withstanding the loss of at least one third of the inhabitants of the province, and the consequent decrease of the cultivation the net collection of the year 1771 exceeded even those of 1768 -69. It was naturally to be expected that the diminution of the revenue should have kept as equal pace with the other consequences of so great a calamity. That it did not was owning to its being violently kept up to its former standard,”4
ହେଷ୍ଟିଂ ତାଙ୍କର ପାରିବାପଣ କଂପାନୀ ଡାଇରେକ୍ଟରଙ୍କୁ ଜଣାଉଛନ୍ତି । ଏଥିରୁ ଅନୁମାନ କରିହେଉଥିବ ଚାଷୀମାନେ ବ୍ରିଟିଶ ଶାସନ କାଳରେ କିଭଳି ଭାବେ ନିର୍ଯାତିତ, ନିଷ୍ପେଷିତ ହେଉଥିଲେ । ‘ଚାଷୀ ନିଲଠା, କଥା ଅଛି’ । ଶାସକଙ୍କର ଏପରି ନିଷ୍ଠୁର ଓ କ୍ରୂର ବିଚାର ସତ୍ତ୍ୱେ ଆମ ଚାଷୀ ଭାଇମାନେ ଉତ୍ପାଦନ ବୃଦ୍ଧି ଜାହିର କରିପାରିଲେ । ବିଦେଶରେ ରାଜନେତାମାନେ ସ୍ୱୀକାର କରିଥିବା ଆମେ ଆଗରୁ ଲେଖିଛୁ ।
ଊନବିଂଶ ଶତାବ୍ଦୀ ମଧ୍ୟଭାଗକୁ ଭାରତରେ ଇସ୍ପାତ ଶିଳ୍ପର ବିକାଶ ହେଲାଣି । ଜାମସେଦ୍ପୁରରେ ଟାଟାଷ୍ଟିଲ କଂପାନୀ ଆରମ୍ଭ ହୁଏ । ଅର୍ଥକାରୀ ଫସଲ ଚାଷ ଉପରେ ଗୁରୁତ୍ୱଦେଇ ବିଲାତ ସରକାର ଭାରତରୁ ଟଙ୍କା ବୋହିନେଲା । କିନ୍ତୁ ଖାଦ୍ୟ ଉତ୍ପାଦନ କମିବାଟା ବିଲାତପାଇଁ ମହଙ୍ଗା ପଡ଼ିଲା । ଅଳ୍ପ ଜମିରେ ଅଧିକ ଉତ୍ପାଦନ ପାଇଁ ନୂଆ ନୂଆ କୌଶଳ ଆରମ୍ଭ କଲା । ବିଲାତରେ ଭାରତୀୟ ଚାଷୀ ବ୍ୟବହାର ପାଇଁ ଧାନକଟା ଯନ୍ତ୍ର, ଅମଳ ପାଇଁ କଳ, ଲୁହା ଲଙ୍ଗଳ, ବିହନ ବୁଣାଯନ୍ତ୍ର ତିଆରି କରି ଭାରତକୁ ପଠଇଲା । ବିଲାତର କୃଷି ବୈଜ୍ଞାନିକମାନେ ମନେ କଲେ ଭାରତରେ ଚାଷୀ ବ୍ୟବହାର କରୁଥିବା କାଠ ଲଙ୍ଗଳଠାରୁ ଲୁହା ଲଙ୍ଗଳ ବେଶୀ ଚାଷ କରିବ ଓ ଭଲ ଚାଷ କରିବ । ସେତେବେଳକୁ ଭାରତରେ ସବୁ ପ୍ରଦେଶରେ କୃଷି ବିଭାଗଟିଏ କାମ ଆରମ୍ଭକଲାଣି । କୃଷି ନିର୍ଦ୍ଦେଶାଳୟରେ କାର୍ଯ୍ୟରତ ବିଲାତି ମ୍ୟାନେଜର ମାନଙ୍କର ଚାଷ ସମ୍ପର୍କରେ କିଛିଜ୍ଞାନ ନଥାଏ । ଲୁହା ଲଙ୍ଗଳ ବା ଅନ୍ୟ ଯନ୍ତ୍ରପାତି ଚାଷୀମାନଙ୍କ ପାଇଁ ଗ୍ରହଣୀୟ ହେଉନାହିଁ । ଚାଷୀର ଉତ୍ପାଦନ ପାଇଁ ମନ କମିଯିବାର କାରଣ ତାକୁ ଫସଲର ମୂଲ୍ୟ ଠିକ୍ ମିଳୁନାହିଁ । ଖର୍ଚ୍ଚ ବି ଉଠୁନି । ଚାଷ ବ୍ୟୟବହୁଳ ହେଲାଣି । ମାନ କମିଯାଉଛି । ଫଳରେ ଭାରତରେ ବିଲାତ ସରକାର ଯେଉଁ Experimental farm ଗୁଡ଼ିଏ କଲା ବିଦେଶରୁ ଆମଦାନୀ କୃଷି ଯନ୍ତ୍ରପାତି ବ୍ୟବହାର ନହୋଇ ଥୁଆହେଲା । କଳଙ୍କି ଲାଗିଲା । ସରକାରୀ ଫାର୍ମଗୁଡ଼ିକ ଗୋଟିଏ ଗୋଟିଏ କୃଷି ସଂଗ୍ରହାଳୟର ରୂପ ନେଲା । (Agricultural Museum R. S. Randhawa).୫
୧୮୮୭-୮୮ରେ ବିଲାତ ସରକାର ଭାରତକୁ ଜଣେ କୃଷି ପଣ୍ଡିତଙ୍କୁ ପଠାଇଲେ ସେ ଭାରତର ଚାଷୀଙ୍କୁ ନୂଆ କୃଷି ପଦ୍ଧତି, ରାସାୟନିକ ସାର ପ୍ରୟୋଗ ଦ୍ୱାରା କିପରି ଅଧିକ ଫସଲ ଉତ୍ପାଦନ ହୋଇପାରିବ ଶିଖାଇବେ । Royal Agricultural Society of England ଭାରତରେ କୃଷିର ବିକାଶ ପାଇଁ ରଏଲ ସୋସାଇଟିର କୃଷି ଅର୍ଥନୀତି ବିଜ୍ଞାନୀ ଜନ୍ ଅଗଷ୍ଟସ ଭୋଲକରଙ୍କୁ ବିଲାତ ସରକାରରେ ଭାରତ ସେକ୍ରେଟାରୀ ଅଫ ଷ୍ଟେଟ ପଠାଇଲା । ଭୋଲକର ଭାରତରେ ୨ବର୍ଷ ରହି ଚାଷ ଓ ଚାଷୀ ବୁଲି ଦେଖିଲେ । ବୁଝିଲେ । ସେ ଦେଖିଲେ ଦେଶୀ ଲଙ୍ଗଳରେ କାଠ ସହିତ ଲୁହା ଖଣ୍ଡିଏ ଖଞ୍ଜାଯାଇଛି । ସେ ଲୁହା ମାଟି କାଟୁଛି Experimental farmର ନୂଆ ଲୁହାଲଙ୍ଗଳ “କାଇଜର”, “ଡିୟୁପ୍ଲେକ୍ସ ”, “ୱାଟ୍ସ” ମାଡ୍ରାସରେ, ‘ମେସି’ ଲଙ୍ଗଳ, କଲିକତାରେ ସିବପୁର, ଖଣ୍ଡେସରେ ‘ସ୍ଟରମଣ୍ଟ’ ଭଳି ଭଳି ଲଙ୍ଗଳ ଥୁଆ ହେଇ ଖତ ଖାଉଛି ହେଲେ ଚାଷୀ ଏ ଜାତି ଜାତିକା ଲଙ୍ଗଳକୁ ମୁହଁ ମୋଡ଼ି ଦଉଛନ୍ତି । କାରଣ ଅନୁସନ୍ଧାନ କଲେ ।
୨ଟି କାରଣ ଠଉରେଇଲେ । (୧) ଲୁହାଲଙ୍ଗଳ କାଠଲଙ୍ଗଳଠାରୁ ଓଜନିଆ, ବଳଦ ଭିଡ଼ିବାକୁ କଷ୍ଟ । ଲୁହାଲଙ୍ଗଳ ଗହରିଆ ଚାଷ କଲା । ଗହୀରା ଚାଷଦ୍ୱାରା ମାଟି ବର୍ଷା ପାଣିରେ ଭାସିଯାଉଛି । ମାଟିର ଜଳଧାରଣ ଶକ୍ତି କମିଯାଉଛି । ମାଟି ଭଲଭାବେ ଗୁଣ୍ଡ ହେଉନାହିଁ । (୨) ଲୁହା ଲଙ୍ଗଳ ଭାଙ୍ଗିରୁଜି ଗଲେ ମରାମତି ପାଇଁ ଗାଁରେ ସୁବିଧା ନାହିଁ । ୧୦/୨୦ କିଲୋମିଟର ବୋହିକରି ନେଲେ ସଜାଡ଼ିବ । ଚାଷୀର ମନ ଘର ଧରିଯିବ । ମରାମତି ପାଇଁ ଖର୍ଚ୍ଚ ବି ଅଧିକ । ତାର କାଠଲଙ୍ଗଳ ଉଶ୍ୱାସ । ୪/୫ ଆଙ୍ଗୁଳ ମାଟି ତାଡ଼େ । ତାର ୪ପ୍ରକାର ଲଙ୍ଗଳ ଅଛି । ଗୋଡ଼ିଙ୍ଗି ଲଙ୍ଗଳ ପଡ଼ିଆ ଭାଙ୍ଗିବ । ଅଧା ଫାଳି ଲଙ୍ଗଳ ମାଟିକୁ ୩/୪ଓଡ଼ ଚାଷକରି ଗୁଣ୍ଡ କରିବ । ପଟାଲଙ୍ଗଳ ମାଟିକୁ ଚୂନା କରିବ । ୨୪ ଆଂଗୁଳିଆ ଲଙ୍ଗଳ ମାଟିକୁ କାଣ୍ଡି ଦୋରସ୍ତ କରିବ । ଆମ୍ବ ମୋଟାଡାଳ, କ୍ଷୀରକୋଳି କାଠ, ସାଳୁଆକାଠ ୪/୬ ଖଣ୍ଡ ଧୋବା ସାଇଜ କରି ଲଙ୍ଗଳ ମୁଣ୍ଡା ତିଆରି କରିବ । ଗାଁରେ ବଢ଼େଇ ଅଛି । ବଢ଼େଇକୁ ଡାକିଲା । ଲଙ୍ଗଳ ଛାଞ୍ଚ ସାଇଜ କଲା । କେନ୍ଦୁ ଗଛ ଅଛି । କାଠ ଆଣି ଈଶ କଲା । ଲଙ୍ଗଳର ସବୁ ସରଞ୍ଜାମ ଚାଷୀ ହାତପାହାନ୍ତାରେ । ମାଗଣା ଗାଁ ବଢ଼େଇ । ଲଙ୍ଗଳ ଗଢ଼ିବ । ବର୍ଷ ଶେଷରେ ଧାନକଟା ବେଳେ ୫/୭ଟି କଟା ହଳା ତା ପାରିଶ୍ରମକ ବାବଦକୁ ନବ । ଲଙ୍ଗଳକୁ କମାରଶାଳକୁ ନେଲା । କମାର ଭାଇ ଶାଳ କଲା । ଲୁହାକୁ ବାଡ଼େଇ ପିଟି ମୁନିଆଁ କରି ଲଙ୍ଗଳ ସାଲରେ ଫିଟ୍ କରିଦେଲା । ଈଶ ନିଜେ ଲଗାଇ ଦେଲା । ଗମ୍ଭାରୀ କାଠ ଭସୁଆସିଆ । ବାଡ଼ିରେ ଅଛି । କାଟି ବଢ଼େଇଭାଇ ପାଖେ ଜୁଆଳିଟିଏ କଲା । ସବୁ ହାତ ପାହାନ୍ତିରେ । ଲଙ୍ଗଳ କାରିଗର ପଡ଼ିଶା ଗାଁରେ । ତାର ହାତରେ ଗୋଡ଼ରେ ଲାଗୁନି ପଇସାଟିଏ ଖର୍ଚ୍ଚ ନାହିଁ ।
କାଠ ଲଙ୍ଗଳ ଅଳ୍ପ ଜମି ତାଡୁଛି । ମାଟିକୁ ଗୁଣ୍ଡକରି କରିଦଉଛି । ଗଛ ଶୀଘ୍ର ଚେର ଧରୁଛି । ମାଟିର ଜଳଧାରଣ ଶକ୍ତି ବି ଅଧିକ । ବର୍ଷା ନାହିଁ ତ ମାଟିରେ ବତର ୧୦/୧୫ ଦିନ ରହୁଛି । ହାତ ଶଂଖା । ସେ କାଇଁ ଦର୍ପଣ ଖୋଜିବ? ଭୋଲକର କାଠଲଙ୍ଗଳର ମାହାତ୍ମ୍ୟ ଜାଣିଗଲେ । ଚାଷ ବେଳେ ବିଲବାଡ଼ି ବୁଲିଲେ । ହଳ ଭୋରୁ ଦିନ ୧୦ଟା ପର୍ଯ୍ୟନ୍ତ କଲାଣି ତ ଅଧ ଏକର ଜମି ଚଷିଲାଣି । ଶଗଡ଼ରେ ବାପ, ପୁଅ, ସ୍ତ୍ରୀ ଖତ ଆଣି ବିଲରେ ପକାଇ ଦଉଛନ୍ତି । ଶଗଡ଼ ଉପରେ ରୋଦରରେ ଖତ । ରୋଦର ମଝିରେ ଗୋଟିଏ କଣା । ନଡ଼ାବିଡ଼େ ଦେଇ କଣା ବନ୍ଦ କରିଛି । ଓଦରରେ ଖତ ଆଣିଲା । ଠାକୁଠା ଓଦରରୁ ନଡ଼ା କାଢ଼ି ଖତ ଖଲାସ କରୁଛି । ପୁଣି ନଡ଼ାରେ ବନ୍ଦକରି ଆଗକୁ ଯାଉଛି । “ଆରେ ଏ ଭାରତର ଚାଷୀଭାଇ ମୁଣ୍ଡରେ ମୁଣ୍ଡେ ବୁଦ୍ଧି ।” ଭୋଲକର ଏକଥା ତାଙ୍କ ରିପୋର୍ଟରେ ଲେଖି ବିଲାତ ସରକାରକୁ ଜଣାଇବେ ।
ଜମିରେ ପାଣି ମଡ଼ାଉଛି । ତେଣ୍ଡା ଦେଖିଲେ, ଶେଣାରେ ପାଣି ବୁହା ଦେଖିଲେ । ଆରେ ଏ ଚାଷୀକୁ ଚାରିବିଦ୍ୟା ମାଲୁମ । ମୁଁ ୟାକୁ ଶିଖାଇବି କ’ଣ? ଏଇତେ ମୋତେ ପାଞ୍ଚବର୍ଷ ପଢ଼େଇବ । ଜମି ଚାଷ ସରିଲା । ବିଲରେ ଆଖିରେ ପକାଇବାକୁ ଖଣ୍ଡେ ବି ଘାସ ନାହିଁ । ବିହନ ବୁଣିବ । ଚାଷୀଭାଇ ସଙ୍ଗେ ମିଶି ଭୋଲକର ଭାବ କଲେଣି । ଚାଷୀଭାଇ ଘରକୁ ଗଲେ । ବିହନ ଓଳିଆ ଭାଡ଼ିରେ କଂଜା ହୋଇ ଥୁଆ ହୋଇଛନ୍ତି । ସବୁ ଓଳିଆରେ ତାଳପତ୍ରରେ ଲେଖା ବିହନର କିସମ । ଓଳିଆରୁ ବହିନ ଗାଳି ଟୋକେଇରେ ବିଲକୁ ନେଉଛି “ଆରେ କେତେ ଯୁଗର ବିହନ ସାଇତା ବୁଦ୍ଧି ଏ ଭାରତୀୟ ଚାଷୀର’ । ସବୁ ଦେଖି ଭୋଲକରଙ୍କର ମୁଣ୍ଡ ଗୋଲ । ଶିଖାଇବେ କ’ଣ ନିଜେ ଶିଖୁଛନ୍ତି ।
ଭୋଲକର ୧୮୮୯ରେ ଭାରତରୁ ବିଲାତ ଫେରିଲେ । ରଏଲ ଏଗ୍ରିକଲଚରାଲ ସୋସାଇଟିର ସେ Agriculture Chemist and Agri Economist । ସରକାରଙ୍କୁ ଭାରତୀୟ ଚାଷୀଙ୍କୁ ଯାହା ଶିଖାଇ ଥିଲେ ରିପୋର୍ଟଟିଏ ଦେଲେ । ରିପୋର୍ଟର କିଛିଅଂଶ ଏଠାରେ ଉଦ୍ଧାର କରୁଛି । ପାଠକ ବନ୍ଧୁମାନେ ଜାଣନ୍ତୁ ଆମ ମୁର୍ଖ ଚାଷୀ ୨୦୦ବର୍ଷ ତଳେ କଣ କରୁଥିଲା । କ’ଣ ଜାଣିଥିଲା । କ’ଣ ଜାଣି ନ ଥିଲା । ଭୋଲକର ରିପୋର୍ଟରେ ଲେଖୁଛନ୍ତି – ଓ I explain that I do not share the opinions which have been expressed as to Indian Agriculture being, as a whole, pri- mitive and backward, but I believe that in many parts there is little or nothing that can be improved. Whilst where agriculture is manifestly inferior, it is more generally the result of the absence of facilities which exist in better districts than from inherent bad system cultivation. I may be bold to say that it is a much easier task to propose improvement in English agriculture than to make really valuable suggestions for that of India. To take the ordinary acts of husbandry, no where would one find better instances of keeping land scrupulously clean from weed of ingenuity in device of water raising appliances, of knowledge of soil and their capabilities as well as the exact time to sow and to reap as one would in Indian Agriculture, and it is not at its best only but at its ordinary level. It is wonderful, too, how much is known of rotation, the system of mixed Crops and of fallowing. Certain it is that I, at least, have never seen a more perfect picture of careful cultivation combined with hard labour, perseverance and fertility of resource.
ଭାରତୀୟ କୃଷି ଓ କୃଷକର ଜ୍ଞାନକୌଶଳ ସମ୍ପର୍କରେ ଆଉ ଅଧିକ କଣ ଜାଣିବାକୁ ବାକିରହିଲା । କାଠ ଲଙ୍ଗଳ, ବିହନ ସଂରକ୍ଷଣ, ମିଶ୍ରିତ ଚାଷ, ଫସଲ ପର୍ଯାୟ ଏପରିକି ୩/୪ବର୍ଷରେ ଜମିକୁ ପଡ଼ିଆ ପକାଇବା ଜ୍ଞାନ କୌଶଳ ସବୁଥିରେ ଯେପରି ଆମ ଚାଷୀ ଭାଇଟି ଓଳିଆରୁ ପଡ଼ିଗଜା । ଆମେ କହୁ ନାହିୁଁ । ଆମର ଶତୃ ଦେଶର କୃଷିବିତଙ୍କର ଆକଳନ ଆମେ ଭାରତୀୟ କୃଷି ବିଜ୍ଞାନୀ । ଯେଉଁମାନେ କି ଦେଶୀ ଚାଷକୁ ଫୁଟକିରେ ଉଡ଼ାଇ ଦେଉଛନ୍ତି ସେମାନେ ଭୋଲକରଙ୍କର ସମ୍ପୂର୍ଣ୍ଣ ରିପୋର୍ଟ ପଢ଼ନ୍ତୁ । ମାଟି ମାକୁ ମୁର୍ଖଚାଷୀ ଭାଇଟି ଏପରି ଗହୀରାଭାବେ ବୁଝିବା ବାସ୍ତବିକ ଆମ ରାସାୟନିକ କୃଷି ପ୍ରବକ୍ତାଙ୍କୁ ଆଙ୍ଗୁଠି ଦେଖାଉ ନାହିଁକି?
ବିଲାତ ସରକାର କଣ ସହଜରେ ଛାଡ଼ିବା ଜନ୍ତୁ । ପୁଣି ଜଣେ କୃଷିବିଜ୍ଞାନୀଙ୍କୁ ପଠାଇଲେ । ସାର ଓଡ଼ିୱାର୍ଡ଼ ହାୱାର୍ଡ଼ ଏଗ୍ରିକଲଚରାଲ ବଟାନିଷ୍ଟ, ରଏଲ ଏଗ୍ରିକଲଚରାଲ ସୋସାଇଟି । ୧୯୦୫ରୁ ୧୯୩୫ ତିରିଶ ବର୍ଷ ସେ ଭାରତରେ ରହିଲେ । “ତୁମେ ଯେତେବର୍ଷ ଦରକାର ରୁହ । ଚାଷୀଙ୍କୁ ରାସାୟନିକ କୃଷି ଧରେଇ ଫେରିବ । ଯାହା ଦରକର ସରକାର ତୁମକୁ ଯୋଗାଇ ଦେବ” । ବିଲାତ ସରକାର ନଛୋଡ଼ବନ୍ଧା । ବିହାର ପୁଷାରେ ୪୦୦/୫୦୦ ଏକର ଜମି ନେଇ ହାୱାର୍ଡ଼ ନିଜେ ଚାଷ ଆରମ୍ଭ କଲେ । ଆଜି ତାର ନାମ ଭାରତ ସରକାରଙ୍କ ଖାତରେ ଫାର୍ମ । ଗାଈ ବଳଦ ରଖିଲେ । ଇନେ୍ଦାର ପ୍ରଣାଳୀ କମ୍ପୋଷ୍ଟ ତିଆରି କଲେ । ଦେଶୀ ଚାଷ କଲେ । ଆମେ ସିନା ଛଳନାକରି ମାଟିକୁ ମା କହି ବରବାଦ କରୁଛୁ । ସେ ମାଟିର ହେପାଜତ କଲେ । ଦେଶୀ ବିହନ, ଖତ, ମାଟିର ଖତିରା ଅଛି ତ ଚାଷ ଅଛି ପ୍ରମାଣ କରିଦେଲେ । ଭାରତୀୟ ହଳ, ଲଙ୍ଗଳକୁ ‘ମୁଣ୍ଡରେ ଥୋଇଲେ’ । ଖଣ୍ଡିଏ ଏ ବହି ଲେଖିଲେ “Agricultural testament” । ପ୍ରତ୍ୟେକ ଭାରତୀୟ କୃଷି ବୈଜ୍ଞାନିକ ବହିଖଣ୍ଡ ପଢ଼ିଲେ ରାସାୟନିକ କୃଷିପ୍ରେମରୁ ମୁକ୍ତି ପାଆନ୍ତେ । ହାୱାର୍ଡ଼ ବହିରେ ଲେଖିଛନ୍ତି -୩୦ବର୍ଷ ପୁସା ଫାର୍ମରେ ଦେଶୀ ଚାଷରୁ ମୁଁ ଜାଣିଲି ଫାର୍ମରେ କାମ କରୁଥିବା ପରିବାରବର୍ଗଙ୍କୁ କୌଣସି ଜର, ରୋଗ ହୋଇନାହିଁ । ଗାଈ ଗୋରୁଙ୍କୁ ଫାଟୁଆ (Foot mouth disease) ସାହାଣା ହୋଇନାହିଁ । ଏହାର କାରଣ ଆମେ ମାଟିକୁ ମା’ ଭଳି ଦେଖାଶୁଣା କରିଛୁ । ପୃଥିବୀରେ ସମସ୍ତ ଜୀବଜନ୍ତୁ, ଉଦ୍ଭିଦ, ଅଣୁଜୀବ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ମାଟିରୁ ଖାଦ୍ୟ ସଂଗ୍ରହ କରନ୍ତି । ଖାଇ ପିଇ ବଂଚନ୍ତି । “ମାଟି ସୁସ୍ଥ ତ ଜୀବଜଗତ ସୁସ୍ଥ” । ହାୱାର୍ଡ଼ଙ୍କ ଏହି ଗବେଷଣାଲବ୍ଧ ଜ୍ଞାନ ସେ ବିଲାତରେ ମଧ୍ୟ ପ୍ରୟୋଗ କଲେ । ଇଉରୋପ ମହାଦେଶରେ ଜୈବିକ କୃଷି ପ୍ରବର୍ତ୍ତନ କରାଇଲେ । ତାଙ୍କୁ ଜୈବିକ କୃଷିର ପିତା (Father of Organic Farming) କୁହାଯାଏ । ହାୱାର୍ଡ଼ଙ୍କ ଭାରତୀୟ କୃଷି ଉପରେ ମତାମତ ଟିକେ ଜାଣି ସାରିବା An Agricultural Testament ରେ ହାୱାର୍ଡ଼ ଲେଖିଲେ – n the agriculture of Asia we find ourselves confronted with a system of peasant farming which, in essentials, soon became stabilized, What is happening to-day in the small fields of India and China took place many centuries ago. The agricultural practices of the Orient have passed the supreme test, they are almost as permanent as those of the primeval forest, of the prairie, or of the ocean,” 7
ସୁଧୀ ପାଠକ ବନ୍ଧୁମାନେ ବିଚାର କରିବେ । ଆମ ଚାଷୀ କ’ଣ ନିକମା ଥିଲେ? ଆମେ କାହିଁକି ବିଷ ଚାଷ କରି ରୋଗରେ ସଢ଼ୁଛେ? ମୁକ୍ତି ସମ୍ଭବ । ଦେଶୀ ଚାଷ ମୁକ୍ତିର ଚାବିକାଠି ।
Reference
1- R.P. Dutt, quoted in J. Bajaj,” Green Revolution: A Historical Perspective, paper presented at CAP/TWN Seminar on “The Crisis in Modern Science Penang, November 1986, P4.quoted from “The Violence of Green Revolution, B. & Vandama Siba P.59.
- Dan Morgan, Merchants of Grain, New York: Viking, 1979 Page-36
3- George By Ln, India’s Crop Output Trends; Past and Present” C.M. Shah, (ed) Agricultural Development of India Policy and Problems, Delhi, Orient hangman, 1979, P 583
- Quoted in J. Babo Bajaj “Green Revolution: A Historical Perceptive” Page-5
5-M.S Randhawa – A History of Agriculture in India, Vol III Page-247
- Sir Albert Howard – An Agricultural Testament, London, Oxford University Pren, 1940
- Sis John Augusts Volker – “Repost of the comprovement of Indian Agriculture” London – Eyne and Dpoths week 1893 P-11
Comments
0 comments