ଜାତୀୟ ବିଶ୍ୱଯୁଦ୍ଧ ପରେ ୧୯୪୯ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁ୍ୟଏଚ୍ଓ) ପ୍ରତିଷ୍ଠା ହୋଇଥିଲା । ଏହାର ୭୫ବର୍ଷ ପୂର୍ଣ୍ଣ ହୋଇଗଲା ଏହି ବର୍ଷରେ । ଏହା ଜାତିସଂଘର ଏକ ବିଶେଷ ସଂସ୍ଥା- ଯାହା, ଅଂଶୀଦାର ଦେଶ ଏବଂ ଜନସାଧାରଣଙ୍କ ସ୍ୱାସ୍ଥ୍ୟର ଉନ୍ନୟନ, ବିଶ୍ୱକୁ ସୁରକ୍ଷିତ ରଖିବା ଏବଂ ଦୁର୍ବଳମାନଙ୍କର ସେବା କରିବାପାଇଁ ସଂଯୁକ୍ତ କରେ- ଯଦ୍ଦ୍ୱାରା ପ୍ରତ୍ୟେକ, ସର୍ବତ୍ର ସ୍ୱାସ୍ଥ୍ୟର ସର୍ବୋଚ୍ଚ ସ୍ତର ଅର୍ଜନ କରିପାରେ । ଏହି ସଂସ୍ଥା ଆନ୍ତର୍ଜାତିକ ଜନସ୍ୱାସ୍ଥ୍ୟ ପାଇଁ କାର୍ଯ୍ୟ କରିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସମ୍ବିଧାନ- ସଂସ୍ଥାଟିର ପ୍ରଶାସନିକ ବ୍ୟବସ୍ଥା ଏବଂ ନୀତି ସ୍ଥିର କରିଥାଏ । ଏହାର ମୁଖ୍ୟ ଉଦେଶ୍ୟ- ସର୍ବୋଚ୍ଚ ସମ୍ଭାବ୍ୟ ସକଳ ଜନତାଙ୍କ ସୁସ୍ୱାସ୍ଥ୍ୟ ନିଶ୍ଚିତ କରିବା, ସାର୍ବଜନୀନ ସ୍ୱାସ୍ଥ୍ୟସେବା ପାଇଁ ପରାମର୍ଶ ଦେବା, ଜନସ୍ୱାସ୍ଥ୍ୟ ଅବସ୍ଥାର ନିରୀକ୍ଷଣ କରିବା, ଜରୁରୀ ପରିସ୍ଥିତିରେ ପ୍ରତିକ୍ରିୟା ଓ ସମନ୍ୱୟ କରିବା ଏବଂ ମାନବ ସ୍ୱାସ୍ଥ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟର ପ୍ରଚାର କରିବା । ଏହାର ମୁଖ୍ୟ କାର୍ଯ୍ୟାଳୟ ସୁଇଜରଲାଣ୍ଡର ଜେନେଭାରେ ଅବସ୍ଥିତ । ସମ୍ପ୍ରତି ୧୯୪ ସଦସ୍ୟ ବିଶିଷ୍ଟ ରାଷ୍ଟ୍ରର ପ୍ରତିନିଧିମାନଙ୍କ ସମନ୍ୱୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା କାର୍ଯ୍ୟ କରୁଛି । ଆମ ଦେଶ ଭାରତ ଏହାର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ । ସଙ୍ଗଠନର କାର୍ଯ୍ୟ ହେଲା ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ସଂକ୍ରାନ୍ତ ବିଷୟରେ ନେତୃତ୍ୱ ପ୍ରଦାନ, ସ୍ୱାସ୍ଥ୍ୟ ଗବେଷଣାରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା, ନିୟମ ଓ ମାନ ନିର୍ଦ୍ଧାରଣ, ପ୍ରମାଣଭିତ୍ତିକ ବିକଳ୍ପର ପ୍ରକାଶନ, ଦେଶଗୁଡ଼ିକୁ ପ୍ରଯୁକ୍ତିଗତ ସହାୟତା ପ୍ରଦାନ ଏବଂ ସ୍ୱାସ୍ଥ୍ୟ ପ୍ରବଣତା ପର୍ଯ୍ୟବେକ୍ଷଣ ଓ ମୂଲ୍ୟାୟନ ।
୧୯୯୮ରେ ଆଲମା ଆଟାଠାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଆନ୍ତର୍ଜାତିକ ଅଧିବେଶନରେ ୧୮୨ଟି ଦେଶର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଲକ୍ଷ୍ୟମାତ୍ର ଘୋଷଣା କରାଯାଇଥିଲା- ୨୦୦୦ ମଧ୍ୟରେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ । ସେହି ଲକ୍ଷ୍ୟ ଆଜି ମଧ୍ୟ ଅଧୁରା । ଅବଶ୍ୟ କୋଭିଡ଼ ମହାମାରୀ ମୁକାବିଲାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କାର୍ଯ୍ୟକ୍ରମ, ନିର୍ଦ୍ଦେଶିକା, ବିଜ୍ଞାନ ଓ ପ୍ରଯୁକ୍ତି ହସ୍ତାନ୍ତର ଏବଂ ପରାମର୍ଶ ଓ ସଦର୍ଥକ ଭୂମିକା ରହିଥିଲା ।
ଦେଶ ଓ ରାଜ୍ୟର ସ୍ୱାସ୍ଥ୍ୟନୀତିର ଆଭିମୁଖ୍ୟ:
ସମ୍ପ୍ରତି ଆମ ଦେଶର ସ୍ୱାସ୍ଥ୍ୟ ନୀତି ଏକ ଗୁଣଗତ ପରିବର୍ତ୍ତନ ମଧ୍ୟ ଦେଇ ଚାଲିଛି । କ୍ରମଶଃ ବିନା ମୂଲ୍ୟରେ ସରକାରୀ ସ୍ୱାସ୍ଥ୍ୟସେବାକୁ ସଙ୍କୁଚିତ କରି ଲାଭଜନକ ମୁନାଫାଖୋର ବେସରକାରୀ ସଂସ୍ଥାଦ୍ୱାରା ସେବାକୁ ଦେଶ ଓ ରାଜ୍ୟ ପ୍ରୋତ୍ସାହିତ କରୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ବଜେଟରେ ସରକାରଙ୍କ ବ୍ୟୟ ବରାଦ ମାତ୍ର ୨.୧ ପ୍ରତିଶତ, ଯେଉଁଠି ଚୀନର ବ୍ୟୟବରାଦ ୬.୫ ପ୍ରତିଶତ, ଏପରିକି ଶ୍ରୀଲଙ୍କାର ୪.୧ପ୍ରତିଶତ । ପିପିପି ମଡେଲର ଅନୁସରଣରେ ସରକାରୀ ପ୍ରକଳ୍ପରେ ବେସରକାରୀ ଉଦ୍ୟୋଗକୁ ଯୁକ୍ତକରି ଚିକିତ୍ସା ପରିସେବା ଓ ନାଗରିକ ଦାୟିତ୍ୱରୁ ସରକାର ଓହରିଯାଉଛି । ଜନତାଙ୍କ ଟିକସର ଟଙ୍କା ସ୍ୱାସ୍ଥ୍ୟ ବୀମା ମାଧ୍ୟମରେ ଘରୋଇ ପ୍ରତିଷ୍ଠାନକୁ ଚାଲିଯାଉଛି ।
ଜନସଂଖ୍ୟା ଅନୁପାତରେ ଚିକିତ୍ସକ ଏବଂ ହାସପାତାଳ ଶଯ୍ୟାର ଅନୁପାତ ୧:୧୦୪୧୧ ଏବଂ ୧:୨୨୭୦ । ଶିଶୁ ଚିକିତ୍ସକ, ସ୍ତ୍ରୀରୋଗ ବିଶେଷଜ୍ଞ, ଶଲ୍ୟ ଚିକିତ୍ସକ ଆବଶ୍ୟକ ତୁଳନାରେ ଯଥେଷ୍ଟ କମ୍ । ସାରା ଦେଶରେ ଚିକିତ୍ସକଙ୍କ ଅଭାବ ଥିବାବେଳେ ଓଡ଼ିଶାରେ ଏହା ଉକ୍ରଟ । ସ୍ୱାସ୍ଥ୍ୟକ୍ଷେତ୍ରରେ ମୁଣ୍ଡପିଛା ସରକାରୀ ବ୍ୟୟବରାଦ ଯଥେଷ୍ଟ କମ୍ ଥିବାବେଳେ ଓଡ଼ିଶାରେ ଏହା ଆହୁରି ଯଥେଷ୍ଟ କମ୍ । ଭାରତରେ ସ୍ୱାସ୍ଥ୍ୟ ବାବଦରେ ଲୋକଙ୍କର ନିଜ ହାତରୁ ଅତିରିକ୍ତ ଖର୍ଚ୍ଚ ହୁଏ ୫୪.୯୮%, ଭାରତରେ ସ୍ୱାସ୍ଥ୍ୟ ଖାତାରେ ଲୋକଙ୍କର ଅତିରିକ୍ତ ଖର୍ଚ୍ଚର ସିଂହଭାଗ ଔଷଧ କ୍ରୟରେ ଯାଏ ୪୩.୨% । ନିରାମୟ ଯୋଗ୍ୟ ସ୍ୱାସ୍ଥ୍ୟସେବାରେ ଔଷଧର ମୂଲ୍ୟ ଗୁରୁତର ପ୍ରଭାବ ପକାଇଛି । ସ୍ୱାସ୍ଥ୍ୟପାଇଁ ବ୍ୟକ୍ତିର ଅତିରିକ୍ତ ଖର୍ଚ୍ଚ ନିଜର ଆର୍ଥିକ କ୍ଷେତ୍ରରେ ବିପର୍ଯ୍ୟୟ ଆଣି ଦେଇଥାଏ । ପ୍ରତିବର୍ଷ ଭାରତରେ ଔଷଧ ବାବଦରେ ବିପୁଳ ଖର୍ଚ୍ଚ ଯୋଗୁଁ ଆନୁମାନିକ ୩୯୦ ଲକ୍ଷ ଲୋକ ସର୍ବସ୍ୱାନ୍ତ ହୋଇଛନ୍ତି । ଭାରତ ମୁକ୍ତବଜାର ଓ ଖୋଲା ବାଣିଜ୍ୟ ନୀତି ଗ୍ରହଣ କରିବା ଫଳରେ ଉତ୍ପନ୍ନ ଦ୍ରବ୍ୟ ଉପରେ ପେଟେଣ୍ଟ ପ୍ରଚଳନ ହୋଇଛି । ଫଳରେ କ୍ଷୁଦ୍ର ଓ ମଧ୍ୟମ ଔଷଧ ଉଦ୍ୟୋଗ ବନ୍ଦ ହୋଇଛି । ଭାରତରେ ଔଷଧ ବଜାର ଏକଚାଟିଆ ହୋଇପଡ଼ିଛି । ଏଣୁ ଔଷଧ ମୂଲ୍ୟ ଲଗାମଛଡ଼ା ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସରକାର ଗତବର୍ଷ ଆରମ୍ଭରେ ଦେଢ଼ହଜାର ଔଷଧର ମୂଲ୍ୟ ବଢ଼ାଇବାକୁ ଅନୁମତି ଦେଇଥିଲେ । ଏବେ ମଧ୍ୟ ଆଉ କିଛି ଔଷଧ ଏପରିକି ଜୀବନ ରକ୍ଷାକାରୀ ଔଷଧର ମୂଲ୍ୟ ବଢ଼ାଇବାକୁ ଔଷଧ କମ୍ପାନୀମାନଙ୍କୁ ଅନୁମତି ଦେଇଛନ୍ତି ।
ଗତବର୍ଷ କେନ୍ଦ୍ରର ଜାତୀୟ ନମୁନା ସମୀକ୍ଷା ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁସାରେ, ରୋଗୀଟିଏ ମୁଣ୍ଡପିଛା ହାରାହାରି ନିଜ ହାତରୁ ଖର୍ଚ୍ଚ କରୁଛି ସରକାରୀ ହାସପାତାଳରେ ୪୦୨୨-୪୪୦୮ ଟଙ୍କା ଏବଂ ବେସରକାରୀ କ୍ଷେତ୍ରରେ ୨୬,୧୫୭-୩୨୦୪୭ ଟଙ୍କା । ସରକାରୀ ଚିକିତ୍ସକମାନେ କାର୍ଯ୍ୟ ଚାପରେ କ୍ଳାନ୍ତ, ଔଷଧ ଓ ଯନ୍ତ୍ରପାତିର ଅଭାବ, ସ୍ୱାସ୍ଥ୍ୟକର୍ମୀଙ୍କ ଅଭାବ, ଅସହଣୀୟ ରାଜନୈତିକ ଓ ପ୍ରଶାସନିକ ଚାପ ଯୋଗୁଁ ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି ।
ବ୍ୟର୍ଥତାକୁ ଲୁଚାଇବାକୁ ଯାଇ ବେସରକାରୀ ସେବାକୁ ପ୍ରାଧାନ୍ୟ ଦିଆଯାଉଛି । ପିପିପି ବ୍ୟବସ୍ଥାରେ ସରକାରୀ ସେବାର ଅଭାବକୁ ପୂରଣ କରିଛି- ସିଟି ସ୍କାନ, ଏମଆରଆଇ, ଡାୟାଲିସିସ୍, ନିଦାନ ସମ୍ବନ୍ଧୀୟ ପରୀକ୍ଷା ନୀରିକ୍ଷା, ଆମ୍ବୁଲାନ୍ସ ଓ ଲଣ୍ଡ୍ରି ସେବା ଇତ୍ୟାଦି । ଘରୋଇ ସେବା ନେଇ ଚୁକ୍ତିର ମାଧ୍ୟମରେ କାର୍ଯ୍ୟ କରିନିଆ ଯାଉଛି । ସ୍ୱାସ୍ଥ୍ୟବୀମାର ମାଧ୍ୟମରେ କରଦାତାଙ୍କ ଅର୍ଥ ବୀମାକମ୍ପାନୀର ହାତକୁ ତୋଳି ଦିଆଯାଇଛି । ଏହା ଫଳରେ ସ୍ୱାସ୍ଥ୍ୟ ବଜେଟ୍ର ଏକ ବଡ଼ ଅଂଶ ଏହିସବୁ ସେବା କ୍ରୟ କରିବାରେ ଓ ବୀମା କମ୍ପାନୀ ପଛରେ ବ୍ୟୟ କରିବାକୁ ପଡ଼ୁଛି, ଭିତ୍ତିଭୂମି ଉନ୍ନୟନ ବ୍ୟାହତ ହେଉଛି । ଏହା ସତ୍ତ୍ୱେ ମଧ୍ୟ ସେବାର ମାନ ବଜାୟ ରହୁ ନାହିଁ ।
ବିଶ୍ୱବ୍ୟାପୀ ଭାରତ ଔଷଧ ଉତ୍ପାଦନରେ ତୃତୀୟ ଏବଂ ଅର୍ଥମୂଲ୍ୟରେ ୧୪ତମ । ଘରୋଇ ଓøଷଧ ଶିଳ୍ପରେ ପ୍ରାୟ ୩୦୦୦ କୋଟି ଔଷଧ କମ୍ପାନୀ ଏବଂ ୧୦୫୦୦ଟି ଉତ୍ପାଦନ ୟୁନିଟ୍ ରହିଛି । ବିଶ୍ୱ ମଧ୍ୟରେ ଭାରତ ସର୍ବବୃହତ୍ ଜେନେରିକ ଔଷଧ ସରବରାହକାରୀ, ବ୍ୟବହାରକାରୀ ପରିମାଣ ୨୦% ଏବଂ ବିଶ୍ୱବ୍ୟାପୀ ଟିକା ଚାହିଦାର ୬୦% ସରବରାହ କରେ । ଭାରତ ବିଶ୍ୱର ଔଷଧାଳୟ, ଭାରତୀୟ ଔଷଧ ଶିଳ୍ପକ୍ଷେତ୍ରର ମୂଲ୍ୟ ଆମେରିକୀୟ ୪୨ ବିଲିୟନ ଡଲାର । ୨୦୨୪ ଶେଷ ସୁଦ୍ଧା ଏହା ୬୫ ବିଲିୟନ ଡଲାରରେ ପହଞ୍ଚିବ । ଔଷଧ ଶିଳ୍ପ ବୃଦ୍ଧି ୧୮.୭% ଭାରତୀୟ ଔଷଧ କମ୍ପାନୀଗୁଡ଼ିକର ବାଣିଜ୍ୟରେ ଉଦ୍ବତ୍ତ ଉତ୍ପାଦନର ମୂଲ୍ୟ ଆମେରିକୀୟ ୧୫.୮ବିଲିୟନ ଡଲାର । ପାଶ୍ଚାତ୍ୟ ବଜାର ତୁଳନାରେ ଉତ୍ପାଦନ ଖର୍ଚ୍ଚ ୩୩% କମ୍ । କିନ୍ତୁ ମୁନାଫା ବେଶି । ଜନସେବା ନୁହେଁ ମୁନାଫା ଅର୍ଜନ । ସ୍ୱାସ୍ଥ୍ୟସେବାର ବଜାରୀକରଣ ଓ ମଣିଷଙ୍କ ଅର୍ଥବ୍ୟୟ କ୍ରମଶଃ ବଢ଼ୁଛି । ହାସପାତାଳ, ପ୍ରଶାସନ, ସ୍ୱାସ୍ଥ୍ୟସେବାର ଅସହାୟତା ପ୍ରକାଶ କରୁଛି । ରୋଗୀ କଲ୍ୟାଣ ସମିତିର କୌଣସି କାମ ନାହିଁ । ଏହା କେବଳ ନାମକୁ ମାତ୍ର । ସ୍ୱାସ୍ଥ୍ୟ ସାଥୀ ବା ଅନ୍ୟ ବୀମାବ୍ୟବସ୍ଥା ସମସ୍ତ ଲୋକଙ୍କ ଆବଶ୍ୟକତା ମେଣ୍ଟାଇବାରେ ବ୍ୟର୍ଥ ହୋଇଛି । ଲୋକଙ୍କ ରୋଜଗାର ବିପନ୍ନ । ରୋଗ ପ୍ରତିରୋଧ ବ୍ୟବସ୍ଥା ଅର୍ଥାଭାବ ଯୋଗୁ ହ୍ରାସ ପାଉଛି ବା ନାହିଁ କହିଲେ ଚଳେ । ଅସୁସ୍ଥ ହେଲେ ଖର୍ଚ୍ଚ କରିବାର ସାମର୍ଥ୍ୟ ନାହିଁ । ସମ୍ପତ୍ତିରେ ହାତ ଲାଗେ । ଅସହାୟ, ବିପର୍ଯ୍ୟସ୍ତ ଲୋକେ ବାଧ୍ୟ ହୋଇ ଅନେକ କ୍ଷେତ୍ରରେ ଆଇନକୁ ନିଜ ହାତକୁ ତୋଳିନିଏ ।
ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଆଭିମୁଖ୍ୟ ବଦଳିଯାଇଛି, ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ, ସମସ୍ତଙ୍କ ପାଇଁ ଔଷଧ, ପ୍ରାଥମିକ ସ୍ୱାସ୍ଥ୍ୟସେବା ଏବଂ ରୋଗ ପ୍ରତିରୋଧକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ପ୍ରକଳ୍ପରୁ ସରକାର ଓହରିଯାଇ ହୋଇଛି- ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା । ଦେଶର ସମ୍ବିଧାନ ଓ ସରକାରଙ୍କ ପ୍ରତିଶ୍ରୁତି ରକ୍ଷା ହେଉ ନାହିଁ, ବଜେଟ୍ ବରାଦର ସିଂହଭାଗ ସ୍ୱାସ୍ଥ୍ୟ ବୀମା ପାଇଁ ବ୍ୟୟ ହେଉଛି । ସରକାରୀ ବରାଦ କମୁଛି ଏବଂ ଏହାସହ ତାଳ ମିଳାଇ ବେସରକାରୀ ସେବା ବଢ଼ୁଛି । ବାସ୍ତବରେ ରୋଗୀ ଭର୍ତ୍ତି ଛଡ଼ା ସ୍ୱାସ୍ଥ୍ୟ ବୀମା କାର୍ଡର ସବୁକିଛି ସୁବିଧା ମିଳୁ ନାହିଁ । ଫଳରେ ଅସୁସ୍ଥ ହେଲେ ପକେଟରୁ ବେଶି ଖର୍ଚ୍ଚ କରିବାକୁ ହେଉଛି । ମଣିଷ ସର୍ବସ୍ୱାନ୍ତ ହେଉଛି । ରୋଗ ହେଲେ ଗରିବ ଆହୁରି ଗରିବ ହେଉଛି । ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସମୀକ୍ଷା, ଜାତୀୟ ନମୁନା ସମୀକ୍ଷା ଏପରିକି କେନ୍ଦ୍ର ସରକାରଙ୍କ ରିପୋର୍ଟ ଦର୍ଶାଉଛି, ଦେଶର ଜନତା ଭଲ ଅବସ୍ଥାରେ ନାହାନ୍ତି । ଦେଶର ଆଇନ ସଂସ୍କାର ଓ ସମ୍ବିଧାନ ସ୍ୱୀକୃତ ସ୍ୱାସ୍ଥ୍ୟ ପଣ୍ୟ ନୁହେଁ, ମୌଳିକ ଅଧିକାର । ରାଷ୍ଟ୍ରର ଉଦ୍ୟମରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ପୁନର୍ଗଠନ, ପ୍ରାଥମିକ ସ୍ୱାସ୍ଥ୍ୟ ଓ ରୋଗ ପ୍ରତିରୋଧକାରୀ ବ୍ୟବସ୍ଥା ଉପରେ ଜୋର ଦେବା ଦରକାର । ଔଷଧ ସହ ସକଳ ଚିକିତ୍ସା ସରଞ୍ଜାମ, ସ୍ୱାସ୍ଥ୍ୟ ବୀମା ଉପରେ ଜି.ଏସ.ଟି ସହ ସବୁ କରମୁକ୍ତ କରାଯିବା ଦରକାର । ଏକମାତ୍ର ସମାଧାନ, ସ୍ୱାସ୍ଥ୍ୟ ପ୍ରସଙ୍ଗକୁ ଗଣ ଆନ୍ଦୋଳନର ପଥକୁ ନେଇଆସିବା, ସରକାରକୁ ବାଧ୍ୟ କରିବା ‘ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ’ ଏହି ଜନାଦେଶକୁ ପାଳନ କରିବ ।
Comments
0 comments