ପୂର୍ବ ଅଧ୍ୟାୟରେ, “ପୃଥିବୀରେ ଜୀବନ ସଞ୍ଚାର(୧)” ଆମେ ଦର୍ଶାଇଥିଲେ, ଏରୋବେଶ ଓ ଏନରୋବେଶଙ୍କ ସୃଷ୍ଟି ସମ୍ପର୍କରେ । ଏକ ଉକ୍ରୃଷ୍ଟ ଓ ସଫଳ ଏରୋବେଶ (ଅମ୍ଳଜାନ ବାୟୁ ଜୀବୀ) ଥିଲେ ଷ୍ଟ୍ରେମାଟୋଲାଇଟସ୍ । ଏହି ଅଧ୍ୟାୟରେ ଆମେ ଦେଖିବା ଏହି ଷ୍ଟ୍ରେମାଟୋଲାଇଟସ୍ରୁ କିପରି ବହୁକୋଷୀ ପ୍ରାଣୀ ଓ ଉଦ୍ଭିଦର ସୃଷ୍ଟି ହୋଇଛି ।
ଷ୍ଟ୍ରୋମାଟୋଲାଇଟସ୍ ଗୁଡିକ କୋଟି କୋଟି ସଂଖ୍ୟାରେ ସଂଘବଦ୍ଧ ଭାବରେ ପ୍ରସାର ଲାଭ କରିଥିବା ସିଆନୋ ବ୍ୟାକ୍ଟେରିଆ ଏବଂ ଏଗୁଡ଼ିକ ସ୍ୱଳ୍ପ ପରିମାଣର ଫସ୍ଫେଟ୍ୟୁକ୍ତ ଚୁନପ୍ରସ୍ତର ଉପରେ ବଢ଼ିଚାଲିଲେ । ପୁନଶ୍ଚ ଏଗୁଡ଼ିକର ଆକୃତି ବିଭିନ୍ନ ପ୍ରକାରର ଏବଂ ଏମାନେ ଏକକୋଷୀ ବିଶିଷ୍ଟ ସିଆନୋ ବ୍ୟାକ୍ଟେରିଆ । ଯେଉଁଗୁଡ଼ିକ ସ୍ତରସ୍ତର ହୋଇ ପ୍ରସାର ଲାଭ କଲେ, ସବୁଠାରୁ ପୁରାତନ ଷ୍ଟେମାଟୋଲାଇଟସ୍ ଗୁଡ଼ିକର ଜୀବାଶ୍ମ ୩.୫ ରୁ ୩.୨ କୋଟି ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାରେ ଦେଖାଯାଉଥିଲେ । ଅନ୍ୟାନ୍ୟ ଏରୋବେଶମାନଙ୍କ ସହ ଏଗୁଡ଼ିକ ବାୟୁମଣ୍ଡଳକୁ ପର୍ଯ୍ୟାପ୍ତ ଅମ୍ଳଜାନ ଛାଡ଼ିଲେ । ତେଣୁ ବାୟୁମଣ୍ଡଳର ଅମ୍ଲଜାନ ସ୍ତର ବୃଦ୍ଧି ପାଇଲା । ଏପରି ବହୁ ପ୍ରାଚୀନ ଷ୍ଟ୍ରୋମାଟୋଲାଇଟସ୍ ଭାରତର କର୍ଣ୍ଣାଟକ ରାଜ୍ୟରେ ୨.୮ରୁ ୨.୬ କୋଟି ବର୍ଷ ମଧ୍ୟରେ ଜନ୍ମ ନେଇଥିବା ଆକଳନ କରାଯାଏ । ସେହିପରି ଲୌହଯୁକ୍ତ ପ୍ରସ୍ତର ଉପରେ ସ୍ତର ସ୍ତର ହୋଇ ଷ୍ଟେମାକ୍ଟଲାଇଟସ୍ ବନାରସ ନିକଟସ୍ଥ ସୋନଭଦ୍ରା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ ଓ ରାଜସ୍ଥାନର କେତେକ ସ୍ଥାନରେ ସୃଷ୍ଟି ହୋଇଥିବା ଜୀବାଶ୍ମଗୁଡ଼ିକରୁ ଜଣାଯାଏ । କିନ୍ତୁ ଏଗୁଡ଼ିକର ସୃୃଷ୍ଟି ଓ ପ୍ରସାର ପ୍ରାୟ ୧.୬ କୋଟିରୁ ୭୮୦ ଲକ୍ଷ ବର୍ଷ ମଧ୍ୟରେ ହୋଇଥିବା ଆକଳନ କରାଯାଏ । ସେହି କ୍ରମରେ ପୃଥିବୀପୃଷ୍ଠରୁ ଷ୍ଟ୍ରୋମାଟୋଲାଇଟସ୍ ଗୁଡିକର ମୃତ୍ୟୁ ବହୁପୂର୍ବରୁ ହୋଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଯେ, ଅଦ୍ୟାବଧି ପଶ୍ଚିମ ଅଷ୍ଟ୍ରେଲିଆର ଦୁଇଟି ସ୍ଥାନ (ବାହମସ୍ ଓ ହାମେଲିନ)ରେ ଏଗୁଡ଼ିକ ଜୀବନ୍ତ ରହି ଅତି ଧୀର ଭାବରେ ବଢ଼ି ·ଲିଛନ୍ତି । ଏମାନଙ୍କର ବଢ଼ିବା ଗତି ପ୍ରତି ଏକଶତ ବର୍ଷରେ ପ୍ରାୟ ୫ ସେ.ମି ଅଟେ ।
ଆକଳନରୁ ଜଣାଯାଏ ଷ୍ଟ୍ରୋମାଟୋଲାଇଟସ୍ ଗୁଡିକ ପ୍ରାୟ ୫୦୦ ଲକ୍ଷ ବର୍ଷ ପର୍ଯ୍ୟନ୍ତ ପୃଥିବୀର ବାୟୁମଣ୍ଡଳକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଲଜାନ ନିର୍ଗତ କଲେ । ତଥାପି ପ୍ରାୟ ୨୫୦ଲକ୍ଷ ବର୍ଷ ପର୍ଯ୍ୟନ୍ତ ପୃଥିବୀର ବାୟୁ ମଣ୍ଡଳୀୟ ଅମ୍ଲଜାନ ସ୍ତରରେ ଆଖିଦୃଷ୍ଟିଆ କୌଣସି ବୃଦ୍ଧି ଦେଖାଯାଇ ନାହିଁ । କାରଣ ଏ ସମସ୍ତ ଅମ୍ଲଜାନ ସଙ୍ଗେ ସଙ୍ଗେ ପୃଥିବୀପୃଷ୍ଠରେ ଲୌହମିଶ୍ରିତ ମାଟି ସହ ମିଶି ଅକ୍ସାଇଡ଼୍ ପ୍ରସ୍ତୁତ କରୁଥିଲେ । ତାହାର ପ୍ରମାଣ ଆମେ ଦେଖିବାକୁ ପାଉଛେ କେନ୍ଦୁଝର ଜିଲ୍ଲାର ଲାଲ ମାଟିରେ । ଏହିପରି ପୃଥିବୀପୃଷ୍ଠର ସମସ୍ତ ସ୍ଥଳ ଭାଗରେ ଓ ମହାସାଗରର ତଳ ଦେଶରେ ଲୌହ ଅକ୍ସାଇଡ୍ ଗଚ୍ଛିତ ହୋଇରହିଲା ଏବଂ ବାକିତକ ଅମ୍ଲଜାନ ବାୟୁମଣ୍ଡଳରେ ମିଶି ଅମ୍ଲଜାନ ପରିମାଣ ବୃଦ୍ଧି କରିବାରେ ଲାଗିଲା । ଏଥିଦ୍ୱାରା କାଳକ୍ରମେ ବାୟୁମଣ୍ଡଳର ଅମ୍ଲଜାନ ପରିମାଣ ଆଶାତୀତ ଭାବରେ ବଢ଼ିବାରେ ଲାଗିଲା । ଏହାକୁ କୁହାଯାଏ “The great Oxygenation Event” ଏବଂ ଏହା ପ୍ରାୟ ୨.୩କୋଟି ବର୍ଷ ପୂର୍ବେ ସଂଘଟିତ ହୋଇଥିଲା । ଯେତେବେଳେ ବାୟୁମଣ୍ଡଳର ଉପରସ୍ତରରେ ଏହି ଅମ୍ଲଜାନ ସୂର୍ଯ୍ୟ ଆଲୋକର ଅତିବାଇଗଣି ରଶ୍ମିର ଉପସ୍ଥିତିରେ ଓଜୋନ (O3) ସ୍ତର ତିଆରି କଲା ଏବଂ କ୍ରମଶଃ ଏକ ଓଜୋନୋ ବଳୟ ବାୟୁମଣ୍ଡଳର ଉପର ସ୍ତରରେ ତିଆରି ହେଲା । ଓଜୋନୋ ସୂର୍ଯ୍ୟ ଆଲୋକରୁ ଆସୁଥିବା ଅତିବାଇଗଣି ରଶ୍ମୀକୁ ଶୋଷଣ କରିପାରିଲା । ତେଣୁ ଅତି ନଗନ୍ୟ ପରିମାଣର ଅତି ବାଇଗଣି ରଶ୍ମୀ କେବଳ ପୃଥିବୀପୃଷ୍ଠକୁ ଆସିପାରିଲା । ଏଥିଦ୍ୱାରା ପୃଥିବୀର ଆସ୍ତେ ଆସ୍ତେ ଥଣ୍ଡା ହେବାକୁ ଲାଗିଲା । ଏଥିଦ୍ୱାରା ଏରୋବେଶ ଓ ସିଆନୋ ବ୍ୟାକ୍ଟେରିଆମାନଙ୍କ ସଂଖ୍ୟା ଏତେ ପରିମାଣରେ ବଢ଼ିଗଲା ଯେ, ସେମାନେ ପୃଥିବୀପୃଷ୍ଠକୁ ସମ୍ପୂର୍ଣ୍ଣ ଆଚ୍ଛାଦିତ କରି ରଖିଲେ । ଏହି କ୍ରମରେ ଏରୋବେଶ୍ ମାନଙ୍କ ସଂଖ୍ୟା ବଢ଼ୁଥିବାବେଳେ ଏନୋଏରୋବେଶ ବ୍ୟାକ୍ଟେରିଆମାନେ ଅମ୍ଲଜାନର ପ୍ରାବଲ୍ୟ ସହ୍ୟ କରି ନପାରି ନଷ୍ଟ ହୋଇଗଲେ ଏବଂ କେବଳ କେତେକ ଉଷ୍ଣପ୍ରସବଣ ଓ ପର୍ବତଗୁହାରେ ସୀମିତ ହୋଇ ରହିଲେ ।
ଏହା ପରେ ଆରମ୍ଭ ହେଲା, ଉତ୍ତପ୍ତ ପୃଥିବୀକୁ ଶୀତଳ କରିବା ପ୍ରକ୍ରିୟା କାରଣ ପୃଥିବୀର ଏମିତି ଅବସ୍ଥାରେ ଏରୋବୋଶ୍ ଓ ଷ୍ଟ୍ରୋମାଟୋଲାଇଟସ୍ ପରି ଏକକୋଷୀ ପ୍ରାଣୀମାନଙ୍କର ବିବର୍ତ୍ତନ ହୋଇ (Evolutation) ଉନ୍ନତମାନର ବହୁକୋଷୀ ପ୍ରାଣୀଙ୍କ ସୃଷ୍ଟି ଓ ବଂଶବୃଦ୍ଧି ଅସମ୍ଭବ ଥିଲା । ତେଣୁ ପୃଥିବୀର ବର୍ଦ୍ଧିତ ତାପମାତ୍ରକୁ ପ୍ରଚୁର ପରିମାଣରେ କମାଇବା ପାଇଁ ପ୍ରକୃତି ଯଥେଷ୍ଟ ସହାୟକ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଅମ୍ଲଜାନ ବାୟୁମଣ୍ଡଳୀୟ ମିଥେନ ଗ୍ୟାସ ସହ ରାସାୟନିକ ପ୍ରକ୍ରିୟା ମାଧ୍ୟମରେ ଅଙ୍ଗାରକାମ୍ଲ ଗ୍ୟାସ ଓ ଜଳର ସୃଷ୍ଟି କଲା । ଅଙ୍ଗାରକାମ୍ଲ ଗ୍ୟାସ, ମିଥେନ ଅପେକ୍ଷା ପୃଥିବୀର ବାୟୁମଣ୍ଡଳର ଉତ୍ତାପକୁ କମ୍ କରିପାରିଲା । ଏବଂ ଏହି ଅଙ୍ଗାରକାମ୍ଲ ଏରୋବେଶ ଓ ସିଆନୋ ବ୍ୟାକ୍ଟେରିଆମାନଙ୍କ ଆଲୋକ ସଂଶ୍ଲେଷଣ ପ୍ରକ୍ରିୟାରେ ନିୟୋଜିତ ହୋଇ ବାୟୁମଣ୍ଡଳକୁ ଅଧିକ ଅମ୍ଲଜାନ ଛାଡ଼ିଲା । ଅଙ୍ଗାରକାମ୍ଲର ପରିମାଣ ବୃଦ୍ଧି ପାଇବା ଯୋଗୁଁ ପୃଥିବୀର ପରିବେଶ ଥଣ୍ଡା ହେବାକୁ ଲାଗିଲା । ସମୟକ୍ରମେ ଉଭୟ ମେରୁ ବରଫାବୃତ୍ତ ହୋଇ ରହିଲେ । ଏହି ସମୟରେ ପୃଥିବୀର ସମସ୍ତ ସ୍ଥଳଭାଗ ଏକତ୍ରିତ ହୋଇ ଏକ ବୃହତ୍ ଭୂଖଣ୍ଡ ପରି ଥିଲା । ତେଣୁ କ୍ରମଶଃ ସମସ୍ତ ଭୂଖଣ୍ଡ ବରଫାକୃତ ହୋଇ ରହିଲା । ଏହାକୁ “ପ୍ରଥମ ବରଫଯୁଗ” (Earh’s first ice Age) କୁହାଯାଏ । ଏହା ଆପାତତଃ ୧,୨୦,୦୦୦ ବର୍ଷ ପର୍ଯ୍ୟନ୍ତ ରହିଲା । ଏଥିରୁ ଅନୁମାନ କରାଯାଏ ତକ୍ରାଳୀନ ପୃଥିବୀ କେତେ ପରିମାଣରେ ଉତ୍ତପ୍ତ ନ ଥିଲା । ପୃଥିବୀର ଏପରି ବରଫାକୃତ ଅବସ୍ଥାରେ ଷ୍ଟ୍ରୋମାଟୋଲାଇଟସ୍ ଓ ଏରୋବେଶମାନେ ମହାସାଗରର ତଳ ଦେଶରେ ବିସ୍ତାର ଲାଭ କରିଥିଲେ । କିଞ୍ଚିତ ମାତ୍ର ସୂର୍ଯ୍ୟକିରଣ ବରଫ ଫାଟ ଦେଇ ହୁଏତ ସେମାନଙ୍କ ନିକଟରେ ପହଞ୍ଚି ପାରୁଥିବା ଅନୁମାନ କରାଯାଏ । ଏହା ବ୍ୟତୀତ ପୃଥିବୀରୁ ଅଙ୍ଗାରକାମ୍ଳ ଗ୍ୟାସ କମ୍ କରିବା ପାଇଁ “କାର୍ବନ କବର” (Carban Burieal) ପରି ଅଲୌକିକ ଘଟଣାମାନ ମଧ୍ୟ ଘଟିଛି । ତେଣୁ ପୃଥିବୀପୃଷ୍ଠରେ ଅଙ୍ଗାରକାମ୍ଳ ଓ ମିଥେନ ଗ୍ୟାସର ସ୍ୱଳ୍ପତା ଉପଲବ୍ଧ ହୋଇଛି । ଏହା ପରେ ଏକ “ଦ୍ୱିତୀୟ ବରଫ ଯୁଗ” (Second Ice Age) ଯେଉଁଥିରେ ପୃଥିବୀ ଏକ ବରଫାବୃତ ପେଣ୍ଡୁର ଆକାର ଧାରଣ କରିଥିଲା । ଏହି ଅବସ୍ଥା ପ୍ରାୟ ୩୦୦ ଲକ୍ଷ ବର୍ଷ ପର୍ଯ୍ୟନ୍ତ ·ଲୁ ରହିଲା । ଏହା ପ୍ରଥମ ବରଫ ଯୁଗ ପରି ଏତେ ତୀବ୍ର ନଥିଲା । ଦ୍ୱିତୀୟ ବରଫ ଯୁଗର ଅବସାନ ପରେ ପୃଥିବୀରେ ସରଳ ଏକକୋଷୀ ପ୍ରାଣୀମାନଙ୍କଠାରୁ ଜଟିଳ ବହୁକୋଷୀ ପ୍ରାଣୀମାନେ ମହାସାଗର ଜଳରେ ଜନ୍ମଲାଭ କଲେ । ଏହି ଘଟଣା ଆପାତତଃ ୫୬୦ ରୁ ୫୫୧ ଲକ୍ଷ ବର୍ଷ ମଧ୍ୟରେ ହୋଇଥିବା ଆକଳନ କରାଯାଏ । ଏହି ସବୁ ବହୁକୋଷୀ ପ୍ରାଣୀମାନଙ୍କର ଜୀବାଶ୍ମର ନକ୍ସା ଭାରତର ହିମାଳୟ ପାଦ ଦେଶରେ ମଧ୍ୟ ଉପଲବ୍ଧ ଅଛି । ଏହିପରି ଭାବରେ ବିଭିନ୍ନ ବହୁକୋଷୀ ପ୍ରାଣୀଙ୍କର ଆବିର୍ଭାବ ହୋଇଛି । ଏହା ପଛରେ ଥିବା ପ୍ରମୁଖ କାରଣ ହେଲା, ଡିଏନ୍ଏର ପରିବର୍ତ୍ତନ ଯାହାକୁ ଆମେ “Blue Print of Life” କହୁ । ଡିଏନ୍ଏ ବା ଅନୁବଂଶିକ ସୂଚନାରେ ଥିବା ବିଭିନ୍ନ ଜିନ୍ ବା ଗୁଣବତ୍ତାର ସଂଖ୍ୟା ଏବଂ ସେମାନଙ୍କ କାର୍ଯ୍ୟନିର୍ବାହ ଶୈଳୀରେ ପରିବର୍ତ୍ତନ ଆସିଛି । ତେଣୁ ବିଭନ୍ନ ନୂଆ ନୂଆ ପ୍ରୋଟିନ୍ ତିଆରି ହୋଇଛି ଓ ସେମାନଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଛି । ଫଳରେ ଜଟିଳରୁ ଜଟିଳତର ପ୍ରାଣୀ ମାନଙ୍କର ସୃଷ୍ଟି ହୋଇପାରିଛି ।
ପୃଥିବୀପୃଷ୍ଠରେ ବହୁକୋଷୀ ପ୍ରାଣୀମାନଙ୍କର ଜନ୍ମ ଓ କ୍ରମ ବିକାଶ ସମ୍ଭବତଃ ୧.୭କୋଟି ବର୍ଷ ପୂର୍ବେ ହୋଇଥିବା ଅନୁମାନ କରାଯାଏ । ଏହି ଅତି ପ୍ରାଚୀନ ବହୁକୋଷୀ ପ୍ରାଣୀମାନଙ୍କ ଶରୀରରେ ଅସ୍ଥି ବା ଖୋଳପା ପରି କୌଣସି ଶକ୍ତ ଅଂଶ ନଥିଲା । ଏଗୁଡ଼ିକ ଅତି ନରମ ଥିଲେ । ତେଣୁ ଏମାନଙ୍କ ଜୀବାଶ୍ମର ଦସ୍ତାବିଜ ଅଦ୍ୟାବଧି, ତିଆରି ହୋଇପାରି ନାହିଁ । ଖୁବ୍ କମ୍ ଜୀବାଶ୍ମ ବା ତତ୍କାଳୀନ ପ୍ରାଣୀମାନଙ୍କର ଶରୀରରୁ ବାହାରୁଥିବା ରାସାୟନିକ ପଦାର୍ଥର ସ୍ୱାକ୍ଷର ବୈଜ୍ଞାନିକମାନଙ୍କର ହସ୍ତଗତ ହୋଇଛି । ଏଇଥିରୁ ଜଣାଯାଏ ଏଗୁଡ଼ିକ ଏକପ୍ରକାର ସ୍ପଞ୍ଜ ଜାତୀୟ ପ୍ରାଣୀ ଥିଲେ ଏବଂ ସେମାନଙ୍କର ଜୀବନଶୈଳୀର କ୍ରମ ବିକାଶ ଘଟିଥିଲା । ବୈଜ୍ଞାନିକ ମାନଙ୍କ ମତରେ ଜଟିଳତର ବହୁକୋଷୀ ପ୍ରାଣୀମାନଙ୍କର ଜନ୍ମପୂର୍ବରୁ ପୃଥିବୀର ବିଭିନ୍ନ ପ୍ରକାର ଖଣିଜ ପଦାର୍ଥର ସଂଖ୍ୟା ବଢ଼ିବାକୁ ଲାଗିଲା । ପୃଥିବୀ ସୃଷ୍ଟିର ଆରମ୍ଭରୁ କେବଳ ଚାରୋଟି ଧାତୁ ରହିଥିଲା । ସେଗୁଡ଼ିକ ହେଲା ଲୁହା, ଆଲୁମିନିୟମ, ନିକେଲ ଓ ତମ୍ବା । କ୍ରମଶଃ ପୃଥିବୀ ଭୂତ୍ୱକରେ ରାସାୟନିକ ପ୍ରକ୍ରିୟା ସଂଘଟିତ ହୋଇ ପ୍ରାୟ ୫୦୦ରୁ ଊଦ୍ଧ୍ୱର୍ ଖଣିଜ ପଦାର୍ଥର ସୃଷ୍ଟି ହୋଇଛି । କାରଣ ଏହି ନୂତନ ଧାତବ ବା ଖଣିଜ ପଦାର୍ଥଗୁଡ଼ିକ ଆଗାମୀ ଜଟିଳତର ବହୁକୋଷୀ ପ୍ରାଣୀମାନଙ୍କର ଶାରୀରିକ ଜୀବନଚର୍ଯ୍ୟାରେ ବିଶେଷ ସହାୟକ ହେବ । ଏହି ପ୍ରକ୍ରିୟା ପ୍ରାୟ ୨.୫-୧.୯କୋଟି ବର୍ଷ ମଧ୍ୟରେ ଲାଗି ରହିଥିଲା । ସମୁଦ୍ରର ଅତଳ ଗର୍ଭରେ ଜନ୍ମ ନେଲେ “କୋରାଲ” ବା ପ୍ରବାଳ ଜାତୀୟ ପ୍ରାଣୀ, ଏମାନଙ୍କର ବାହ୍ୟ ଆବରଣ ଅତିରିକ୍ତ ଶକ୍ତ କାଲସିୟମ୍ କାର୍ବୋନେଟ୍, ସିଲିକେଟ୍ ବା ଫସ୍ଫେଟ୍ ଦ୍ୱାରା ଗଠିତ ଏବଂ ଏଗୁଡ଼ିକ କୋରାଲ ବା ପ୍ରବାଳ ପ୍ରାଚୀର ତିଆର କରିବାରେ ସହାୟକ ହୁଅନ୍ତି । ବର୍ତ୍ତମାନ ପ୍ରଶ୍ନ ଉଠେ, କେଉଁ କାରଣମାନଙ୍କ ପାଇଁ ଏକକୋଷୀ ପ୍ରାଣୀମାନେ ବହୁକୋଷୀ ପ୍ରାଣୀରେ ପରିଣତ ହେଲେ । ଏହାର ମୁଖ୍ୟ କାରଣ ହେଲା, ଏକକୋଷୀ ପ୍ରାଣୀମାନଙ୍କ ମଧ୍ୟରେ ଥିବା ଅନୁବଂଶ ସୂଚନା ବା ଡିଏନଏର ପରିବର୍ତ୍ତନ; ଯେଉଁଥିରେ ମୂଳ ଗୁଣବତ୍ତାର ଉପାଦାନଗୁଡ଼ିକ ବହୁମାତ୍ରାରେ ବଢ଼ିଗଲା । ତେଣୁ ଆମିନୋ ଏସିଡ଼୍ ସଂଖ୍ୟା ଆଶାତୀତ ଭାବରେ ବଢ଼ିଲା ଯାହାର ପ୍ରତିଫଳନ ବିଭିନ୍ନ ପ୍ରକାର ପ୍ରୋଟିନ୍ ତିଆରିରେ ଦେଖାଗଲା । ଅନ୍ୟ ଏକ ତଥ୍ୟ କହେ, ଏକ ଶକ୍ତିଶାଳୀ ଏକକୋଷୀ ଜୀବ ଅନ୍ୟ ଏକ ଏକକୋଷୀ ଜୀବକୁ ତା’ର କୋଷ ଭିତରକୁ ନେଇ ତା’କୁ ପରାଭୂତ କରିରଖିବା । ଏଥିଦ୍ୱାରା ଏହି ଜୀବକୋଷରେ ମାଇଟ୍ରୋ-କଣ୍ଟି୍ରଆମାନଙ୍କର ସଂଖ୍ୟା ବଢ଼ିଲା ଓ ଏଗୁଡ଼ିକ ଯଥେଷ୍ଟ ଶକ୍ତି ପ୍ରଦାନ କରିପାରିଲେ । ଅନ୍ୟ ଏକ ତଥ୍ୟ ଅନୁଯାୟୀ ପ୍ରଥମ ବହୁକୋଷୀ ପ୍ରାଣୀ ତିଆରି ହୋଇଥିଲା, କେତେକ ଏକକୋଷୀ ପ୍ରାଣୀଙ୍କ ଏକତ୍ର ସହାବସ୍ଥାନ ଯୋଗୁଁ । କାଳକ୍ରମେ ଏଗୁଡ଼ିକ ବହୁକୋଷୀ ପ୍ରାଣୀରେ ପରିଣତ ହେଲେ । କେତେକ ପ୍ରାଚୀନ ବହୁକୋଷୀ ପ୍ରାଣୀଙ୍କର ମୁଣ୍ଡ, ମୁଖ, ଗହ୍ୱର, ପାଚକ ନଳୀ ଏକ ଶକ୍ତ ଶରୀରରେ ସୃଷ୍ଟି ହେଲା । ଏହିପରି ଜୀବଗୁଡ଼ିକ ସମୁଦ୍ରର ତଳ ଦେଶରେ ଲାଗି କରି ରହିଲେ । ଏହି କୋମଳ ବହୁକୋଷୀ ପ୍ରାଣୀଗୁଡ଼ିକ ଜଳରେ ପହଁରି ସ୍ଥାନାନ୍ତରିତ ହୋଇ ପାରିଲେ । ଏହି ସମୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କ୍ରମବିକାଶ ପ୍ରାଣୀମାନଙ୍କ ମଧ୍ୟରେ ଦେଖା ଦେଇଛି, ତାହା ହେଉଛି ଦ୍ୱିପାକ୍ଷିୟ ସାମଞ୍ଜସ୍ୟ (Bilateral Symmetry ) । ଏହା କେବଳ ସମ୍ଭବ ହୋଇପାରିଛି Hox ନାମକ ଏକ ନିର୍ଦ୍ଦିଷ୍ଟ ଜିନ୍ର କାର୍ଯ୍ୟକାରିତା ଯୋଗୁଁ । ଦ୍ୱିପାକ୍ଷିୟ ସାମଞ୍ଜସ୍ୟ ପ୍ରାଣୀଜଗତର ବର୍ଦ୍ଧିତ କ୍ରମବିକାଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିପାରିଛି । ଏହି ସମୟରେ ତନ୍ତୁର ସୃଷ୍ଟି ହୋଇଥିଲା, ଯେଉଁଗୁଡ଼ିକ ଅଧିକ ଜଟିଳତର କାର୍ଯ୍ୟ ହାସଲ କରି ପାରିଲେ । ପରବର୍ତ୍ତୀ ସମୟରେ କେତେକ ଜିଆଜାତୀୟ ପୋକର ସୃଷ୍ଟି ହୋଇଥିଲା, ଯେଉଁଥିରେ ସ୍ନାୟୁର ସୃଷ୍ଟି ହୋଇ ଏକ ଆଦିମ ମସ୍ତିଷ୍କ ଓ ଆଖିର ସୃଷ୍ଟି ହେଲା । ଏହି ପ୍ରାଚୀନ ଆଖି କେବଳ ଅନ୍ଧାର ଓ ଆଲୋକ ମଧ୍ୟରେ ପ୍ରଭେଦ ଜାଣି ପାରୁଥିଲା । ତେଣୁ ଏହି କୀଟଗୁଡ଼ିକ କେବଳ ଆଲୋକ ପଟକୁ ବା ଆଲୋକ ଉତ୍ସର ଦୂରକୁ ଗତି କରି ପାରୁଥିଲେ । ଏହା ବ୍ୟତୀତ କେତକ ଜଟିଳତର ବହୁକୋଷୀ ପ୍ରାଣୀମାନେ ଜଳରୁ କାଲସିମୟମ୍, ସିଲିକା ଓ ଫସ୍ଫେଟ୍ ଗ୍ରହଣ କରି ଏକ ପ୍ରୋଟିନ୍ ତିଆରି କରିପାରିଲେ, ଯାହା କାଇଟିନ୍ (Chitin) ନାମରେ ବିଦିତ, ଏହି କାଇଟିନ୍ ସେମାନଙ୍କ ଶରୀରକୁ ଆବୃତ୍ତ କରି ରଖି ପାରିଲା ଓ ସୁରକ୍ଷା ପ୍ରଦାନ କଲା । ସମୟକ୍ରମେ କେତେକ ବହୁକୋଷୀ ଜୀବ ମାନଙ୍କର ଅବୟବ ତିଆରି ହେଲା, ଯେଉଁଥିରେ ସେମାନେ ପାଣିରେ ପହଁରି ପାରିଲେ ଓ ସ୍ଥଳଭାଗ ପଟକୁ ମାଡ଼ି ଆସି ମାଟିରେ ଚାଲି ପାରିଲେ । ଏଇଠି ଆରମ୍ଭ ହେଲା ବହୁକୋଷୀ ପ୍ରାଣୀଙ୍କର ଜଳଭାଗରୁ ସ୍ଥଳଭାଗକୁ ସ୍ଥାନାନ୍ତର ପ୍ରକ୍ରିୟା ସ୍ଥଳଭାଗରେ ବାୟୁମଣ୍ଡଳୀୟ ଅମ୍ଲଜାନ ଗ୍ରହଣ କରି ଶ୍ୱାସକ୍ରିୟା କରିବାପାଇଁ କେତେକ କାଇଟିନ୍ ଆବରଣ ଥିବା ଓ ସଂଯୁକ୍ତ ଅବୟବ ପ୍ରାଣୀମାନଙ୍କ ଶରୀରରେ ଶ୍ୱାସକ୍ରିୟା ନିମିତ୍ତ “Book Lung” ର ସୃଷ୍ଟି ହେଲା ଏବଂ ପରବର୍ତ୍ତୀ ସମୟରେ ଶ୍ୱାସନଳୀର ସୃଷ୍ଟି ହେଲା । ଅଦ୍ୟାବଧି କେତେକ ବିଛାଜାତୀୟ ପ୍ରାଣୀମାନଙ୍କଠାରେ ଏହି Book Lung ଦେଖାଯାଏ । ଏହା ପ୍ରାୟ ଆଜକୁ ୪୩୦ଲକ୍ଷ ବର୍ଷ ତଳର କଥା । ଏହି କ୍ରମରେ ଉକ୍ତ ପ୍ରାଣୀମାନଙ୍କଠାରୁ ଗେଣ୍ଡାଜାତୀୟ ଜୀବଙ୍କର ଓ ଅନ୍ୟାନ୍ୟ ଅମେରୁଦଣ୍ଡି ପ୍ରାଣୀମାନେ ସୃଷ୍ଟି ହେଲେ । ଏହି କ୍ରମରେ ସମସ୍ତ ଅମେରୁଦଣ୍ଡି ପ୍ରାଣୀଙ୍କର କ୍ରମବିକାଶ ଉଭୟ ଜଳ ଓ ସ୍ଥଳ ଭାଗରେ ବ୍ୟାପ୍ତ ହେଲା । ସ୍ଥଳ ଭାଗରେ ବାୟୁମଣ୍ଡଳୀୟ ଅମ୍ଲଜାନର ପ୍ରାବଲ୍ୟ ତକ୍ରାଳୀନ ପ୍ରାଣୀ ଓ ଉଦ୍ଭିଦମାନଙ୍କୁ ବଞ୍ଚାଇ ରଖିବାରେ ସହାୟକ ହୋଇଥିଲା ।
ପୃଥିବୀପୃଷ୍ଠରେ ଜୀବନ ସଞ୍ଚାର ହୋଇ ଯେମିତି ପ୍ରାଣୀ ଜଗତର ସୃଷ୍ଟି ହେଲା, ଠିକ୍ ସେହିପରି ଉଦ୍ଭିଦ ଜଗତର ମଧ୍ୟ ସୃଷ୍ଟି ହୋଇଛି । ଦୁଇଟି ବ୍ୟାକ୍ଟେରିଆର ଏକତ୍ରୀକରଣ ହୋଇ, ଯେଉଁଥିରେ ଉଭୟ ବ୍ୟାକ୍ଟେରିଆ ଉପକାର ପାଉଥିଲେ । ସହ ଜୀବନ (Symbiosis) ସେଥିରୁ ସୃଷ୍ଟି ହୋଇଥିଲା, ଶୈବାଳ (Algae) ଯାହା ମହାସାଗର ଅତଳ ଗର୍ଭରେ ସୃଷ୍ଟି ହୋଇଥିଲା, ପ୍ରାୟ ୧.୫କୋଟି ବର୍ଷ ପୂର୍ବେ । କିନ୍ତୁ ଏଗୁଡ଼ିକ ସମୁଦ୍ରତଟ ସ୍ଥଳ ଭାଗକୁ ଆସିଛନ୍ତି, ଆନୁମାନିକ ୪୭୦-୪୪୦ ଲକ୍ଷ ବର୍ଷ ପୂର୍ବେ । ଏହି ଜାତୀୟ ଉଦ୍ଭିଦମାନଙ୍କର ଉଚ୍ଚତା ଅତି ବେଶିରେ ଅଳ୍ପ କିଛି ସେ.ମି. ଥିଲା । ସେମାନଙ୍କର କୌଣସି ନିର୍ଦ୍ଦିଷ୍ଟ ନଳୀ ଶରୀର ମଧ୍ୟରେ ନ ଥିଲା, ଯେଉଁଥିରେ ଜଳ, ଧାତବ ଲବଣ ଇତ୍ୟାଦି ଯାତାୟତ କରିପାରିବ । କେବଳ ଅସ୍ମୋସିସ୍ ପ୍ରକ୍ରିୟା ଦ୍ୱାରା ଏହି ଉଦ୍ଭିଦମାନଙ୍କ ଭିତରକୁ ଖାଦ୍ୟ ପଦାର୍ଥ ଯାତାୟତ କରିପାରୁଥିଲା । ଏହି ଉଦ୍ଭିଦମାନଙ୍କର ପତ୍ର, ଫୁଲ ଓ କଢ଼ ଇତ୍ୟାଦି ନ ଥିଲା । ଏମାନଙ୍କ ବଂଶ ବୃଦ୍ଧି ଅଙ୍କୁରିତ ପ୍ରକ୍ରିୟାରେ ହେଉଥିଲା ।
ଯେତେବେଳେ କୌଣସି ଉଦ୍ଭିଦ ସ୍ଥଳଭାଗରେ ଦେଖା ଯାଇ ନଥିଲେ ସେହି ସମୟରେ, ଅନ୍ୟ ଏକପ୍ରକାର ଜୀବନ୍ତ ଉଦ୍ଭିଦ ସ୍ଥଳ ଭାଗରେ ବ୍ୟାପି ଥିଲେ । ଏଗୁଡ଼ିକ ଛତୁ ଜାତୀୟ ବା ଫିମ୍ଫି ଉଦ୍ଭିଦ (Fungus) ଏଗୁଡ଼ିକୁ Prototaxites କୁହାଯାଏ । ଏମାନେ ପ୍ରାୟ ୮ମିଟର ଉଚ୍ଚତା ପର୍ଯ୍ୟନ୍ତ ବଢ଼ି ପାରୁଥିଲେ ଏବଂ ଏମାନଙ୍କର Spore ତିଆରି କରିବା ଅଂଶ ଥିଲା । ସେହି ସମୟର ବିଶାଳକାୟ ଉଦ୍ଭିଦ ହିସାବରେ ଏମାନେ ପରିଗଣିତ ହେଉଥିଲେ । ଏମାନଙ୍କର ସୃଷ୍ଟି ୫୭୦-୫୩୦ଲକ୍ଷ ବର୍ଷ ପୂର୍ବେ ହୋଇଥିବା ଆକଳନ କରାଯାଏ । ପ୍ରାୟ ୫୬୦ ଲକ୍ଷ ବର୍ଷ ପୂର୍ବେ ଏହି ଜାତୀୟ ଉଦ୍ଭିଦ ଭାରତର ଯୋଧପୁର ଅଞ୍ଚଳରେ ମଧ୍ୟ ପ୍ରବଳଭାବରେ ପ୍ରସାର ଲାଭ କରିଥିଲେ । କେତେକ ବୈଜ୍ଞାନିକମାନଙ୍କ ମତରେ ଏଗୁଡ଼ିକୁ ଉଦ୍ଭିଦ କୁହାଯିବାର କୌଣସି ତାତ୍ପର୍ଯ୍ୟ ନାହିଁ । କାରଣ ଏମାନଙ୍କ ଶରୀରରେ ଅନ୍ୟ ଉଦ୍ଭିଦମାନଙ୍କ ପରି ହରିତ୍ କଣା ଯାହା ଆଲୋକ ସଂଶ୍ଲେଷଣ ପ୍ରକ୍ରିୟାରେ ସାହାଯ୍ୟ କରେ, ତାହା ନଥାଏ । ଏମାନେ ପଚାସଢ଼ା ପଦାର୍ଥରୁ ଏମାନଙ୍କର ଆହାର ସଂଗ୍ରହ କରି ବଢ଼ନ୍ତି । ତେଣୁ ଏମାନଙ୍କୁ ବ୍ୟାକ୍ଟେରିଆ ଶ୍ରେଣୀରେ କେତେକ ବୈଜ୍ଞାନିକ ଅନ୍ତର୍ଭୁକ୍ତ କରିଥାନ୍ତି । କେତେକ କବକ (Fungi) ଅତି ଶକ୍ତ ଅମ୍ଲ (Acid) ନିର୍ଗତ କରନ୍ତି ଯାହାକି ପର୍ବତର ଟାଣ ପ୍ରସ୍ତରରୁ ଲୁହା ସିଲିକା ଓ ମାଗ୍ନେସିୟମ ଧାତୁକୁ ଅଲଗା କରିପାରେ । ଏହି କେତେକ କବକ ପ୍ରାଣୀ ଓ ଉଦ୍ଭିଦମାନଙ୍କଠାରେ ରୋଗ ବିସ୍ତାର କରିପାରନ୍ତି, ଯେତେବେଳେ ଉଦ୍ଭିଦମାନଙ୍କ ସଘନ ପ୍ରସାର ସ୍ଥଳ ଭାଗରେ ଦେଖାଗଲା, ସେତେବେଳେ ଏମାନଙ୍କ ସଂଖ୍ୟା ଓ ଆକାର ଆଶାତୀତ ଭାବରେ କମିବାରେ ଲାଗିଲା ।
ଏପରି ଏକ ସମୟରେ ଅନ୍ୟ ଏକ ପ୍ରକାର ଉଦ୍ଭିଦର ସୃଷ୍ଟି ହୋଇଥିଲା, ମହାସାଗର ଜଳରେ ଏବଂ ଏଗୁଡ଼ିକ ସମୁଦ୍ରତଟ ସ୍ଥଳ ଭାଗ ପଟେ ଆସିବା ଆରମ୍ଭ କଲେ, ପ୍ରାୟ ୪୪୦-୪୨୦ ଲକ୍ଷ ବର୍ଷ ପୂର୍ବେ, ଏମାନଙ୍କର ତଟ ଫେରନ୍ତା ଯାତ୍ରାପଛରେ ଦୁଇଟି ପ୍ରମୁଖ କାରଣ ଅନୁମାନ କରାଯାଏ । ପ୍ରଥମତଃ ଏମାନେ ପ୍ରଚୁର ସୂର୍ଯ୍ୟ କିରଣ ପାଇ ପାରିଲେ ଏବଂ ଦ୍ୱିତୀୟତଃ ମାଟିରୁ ଅଧିକ ପୁଷ୍ଟିକର ଖାଦ୍ୟ ପାଇ ପାରିଲେ । ଏହି ଶ୍ରେଣୀର ପ୍ରଥମ ଉଦ୍ଭିଦ ହେଉଛି କୁକ୍ସୋନିଆ (Cooksania)ଯାହାକି ମସ୍ ଶ୍ରେଣୀର ଅନ୍ତର୍ଭୁକ୍ତ । ଏହି ଜାତୀୟ ଉଦ୍ଭିଦଗୁଡ଼ିକ ବିଶାଳକାୟ ଛତୁର ଛାୟାତଳେ ବଢ଼ିବାକୁ ଲାଗିଲେ ।
ପ୍ରଥମରେ ଛତୁଜାତୀୟ ବୃକ୍ଷଗୁଡ଼ିକ ଏଗୁଡ଼ିକୁ ନଷ୍ଟ କରୁଥିଲେ । କିନ୍ତୁ ତା’ ପରବର୍ତ୍ତୀ ୧୦ଲକ୍ଷ ବର୍ଷ ପରେ ଏହି ମସ୍ ଜାତୀୟ ଉଦ୍ଭିଦମାନଙ୍କର ଲିଗନିନ୍ (wood) ତିଆରି ହେବାକୁ ଲାଗିଲା ଏବଂ ମସ୍ ଜାତୀୟ ବୃକ୍ଷଗୁଡ଼ିକ ଅତ୍ୟଧିକ ଶକ୍ତ ହୋଇପାରିଲେ ଏବଂ ଛତୁଜାତୀୟ ବୃକ୍ଷମାନେ ଏମାନଙ୍କର କୌଣସି କ୍ଷତି କରିପାରିଲେ ନାହିଁ । ଶକ୍ତ କାଠଥିବା ଏହି ଗଛଗୁଡ଼ିକ ମଧ୍ୟରେ ଜଳ ଓ ପୋଷକତତ୍ତ୍ୱ ଯାତାୟତ କରିବା ପାଇଁ ଓ ସଞ୍ଚିତ ହୋଇ ରହିବା ପାଇଁ ସୁବିଧା ଓ ସୁଯୋଗ ଥିଲା । ଅନୁମାନିକ ୩୮୦ଲକ୍ଷ ବର୍ଷ ପୂର୍ବେ ଏହି ଗଛମାନଙ୍କରେ ସବୁଜ ପତ୍ର ଜନ୍ମ ନେଲା । ପତ୍ରଗୁଡ଼ିକ ଶର୍କରାଜାତୀୟ ଖାଦ୍ୟ ପ୍ରସ୍ତୁତ କରିପାରିଲେ । ଏମାନେ ଆସ୍ତେଆସ୍ତେ ବୃକ୍ଷର ଶୁଖିଲା ସ୍ଥାନ ମାନଙ୍କରେ ବ୍ୟାପିବାରେ ଲାଗିଲେ । ତେଣୁ ସେମାନେ ସମୁଦ୍ର ତଟଠାରୁ ଦୂର ସ୍ଥାନମାନଙ୍କୁ ସହଜରେ ବ୍ୟାପିବାରେ ଲାଗିଲେ । ଏହା ପରବର୍ତ୍ତୀ ସମୟରେ ପ୍ରାୟ ୩୫୦ ଲକ୍ଷ ବର୍ଷ ପୂର୍ବେ ଆଉ ଏକ ବୃକ୍ଷ ଜନ୍ମ ନେଇଥିଲା ଯାହାକୁ Cycads କୁହାଯାଏ । ଏଗୁଡ଼ିକ ଅପୁଷ୍ପକ ଉଦ୍ଭିଦର ଶ୍ରେଣୀଭୁକ୍ତ ଏବଂ ଏ ଜାତୀୟ ଗଛରେ ଲିଙ୍ଗୀୟ ଭେଦ ରହିଥିଲା । ଏହି ପୁରତାନ ବୃକ୍ଷ ଗୁଡ଼ିକର କିଛି ପ୍ରଜାତି ଅଦ୍ୟାବଧି ଓଡ଼ିଶା, ଆନ୍ଧ୍ର ଓ କର୍ଣ୍ଣାଟକର ଅରଣ୍ୟ ମାନଙ୍କରେ ଦେଖାଯାନ୍ତି । ପ୍ରାୟ ୩୨୦ଲକ୍ଷ ବର୍ଷପୂର୍ବେ “ଫର୍ଣ୍ଣ”ର ଆବିର୍ଭାବ ହୋଇଥିଲା । ସେତେବେଳ ଏଗୁଡ଼ିକ ତାଳ ଗଛ ପରି ଥିଲେ, କିନ୍ତୁ ବର୍ତ୍ତମାନ ଏଗୁଡ଼ିକ ଗୁଳ୍ମ ପ୍ରାୟ ଏଗୁଡ଼ିକର କାଣ୍ଡ ପ୍ରକୃତ କାଠରେ ତିଆରି ହୋଇଥିଲା ।
ଜଟିଳତର ଜୀବନର ଆବିର୍ଭାବ ମୂଳରେ ରହିଛି ବାୟୁମଣ୍ଡଳରେ ଅମ୍ଳଜାନର ବହୁଳତା ଓ ଅଙ୍ଗାରକାମ୍ଳର ହ୍ରାସ । ସମସ୍ତ ସ୍ଥଳଭାଗ କ୍ରମଶଃ ସବୁଜିମାରେ ଭରିଗଲା । ତେଣୁ ପୃଥିବୀ ଉତ୍ତପ୍ତ ଅବସ୍ଥାରୁ ଶୀତଳତା ପ୍ରାପ୍ତି ହେବାକୁ ଲାଗିଲା । ସେତେବେଳର ବାୟୁମଣ୍ଡଳୀୟ ଅମ୍ଲଜାନର ମାତ୍ର । ବର୍ତ୍ତମାନ ଠାରୁ ପ୍ରାୟ ୫୦ପ୍ରତିଶତ ଅଧିକ ଥିଲା । ତେଣୁ ସେତେବେଳର କୀଟପତଙ୍ଗମାନେ ସ୍ଥଳଭାଗରେ ପ୍ରବଳମାତ୍ରାରେ ଦେଖାଦେଉ ଥିଲେ ଏବଂ ସେମାନଙ୍କର ଆକାର ମଧ୍ୟ ବହୁ ତ ବଡ଼ ଥିଲା । ଉଦାହରଣସ୍ୱରୂପ କଙ୍କିମାନଙ୍କର ଆକାର ଇଗଲ ପକ୍ଷୀମାନଙ୍କ ପରି ଥିଲା, ଏବଂ ମିଲିପେଡ଼୍ ପୋକମାନଙ୍କ ଆକାର ଛୋଟ କୁମ୍ଭୀର ପରି ଥିଲା । ଯାହା ବର୍ତ୍ତମାନ ଶୁଣିବା ପାଇଁ ବିଶ୍ୱାସ ଲାଗୁନାହିଁ ।
କ୍ରମଶଃ “ଏନ୍ଜିଓସ୍ପମ୍” ବା ସପୁଷ୍ପକ ଉଦ୍ଭିଦର ସୃଷ୍ଟି ହୋଇଥିଲା ଯାହା ଆଜିଠାରୁ ପ୍ରାୟ ୨୫୦-୧୪୯ଲକ୍ଷ ବର୍ଷ ପୂର୍ବେ, “ଆକ୍ରିଫ୍ରୁକ୍ଟସ୍” ଅତି ପ୍ରାଚୀନ ସପୁଷ୍ପକ ଉଦ୍ଭିଦ ଯେଉଁଥିରେ ଛୋଟ ଛୋଟ ଫୁଲ ଫୁଟୁ ଥିଲା ପ୍ରାୟ ୧୩୦ଲକ୍ଷ ବର୍ଷ ପୂର୍ବେ । ଏହି ବୃକ୍ଷ ମଧ୍ୟ ସମୁଦ୍ର ଓ ସ୍ଥଳଭାଗର ମିଳନ ସ୍ଥଳରେ ଜନ୍ମ ଲାଭ କରିଥିଲା । ହଜାର ହଜାର ବର୍ଷର ବିବର୍ତ୍ତନ ପ୍ରକ୍ରିୟାରେ ମଣିଷର କ୍ରମବିକାଶ ହୋଇ ମାନବ ସଭ୍ୟତା ସମ୍ଭବପର ହୋଇଛି । ଏହା ହିଁ ବୈଜ୍ଞାନିକ ସତ୍ୟତା । କିନ୍ତୁ ଭାବାତ୍ମକ ଧର୍ମବିଶ୍ୱାସରୁ ଜାତ ଅନ୍ଧବିଶ୍ୱାସ ଆଧାରରେ କୁହାଯାଉଥିବା ମଣିଷର ଜନ୍ମ ଅବୈଜ୍ଞାନିକ ।
ସହାୟକ ପାଦଟୀକା :
- India – A deep natural History of the Indian Subcontinent – By Pranaya Lal.
- Multicellular Organism- Wikipedia
- How did Multicellular life Evlove – NASA Astrobiology http://astrobilogy.nasa.gov.news.
- Multicellular Organism -https://en.wikpedia.org
- The History of life – Artick talk
- Origin of Multicellular Organism- Wikipedia Biology.
- The Origins of Multicellular Organisms- K J Nicholas (2013)
- The simplest Integrated Multicellular Organism unveiled-PMC https://pmc.ncbi.nim.nih.gov
Comments
0 comments